spot_img
Home Blog Page 7521

ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଭୂତପୂର୍ବ ସମର୍ଥନ

ଭୁବନେଶ୍ୱର: ଶ୍ରୀମନ୍ଦିର ନିରାପତ୍ତା ପାଇଁ ସ୍ୱେଚ୍ଛାକୃତ ଭାବେ ଜମି ପ୍ରଦାନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ସ୍ୱେଚ୍ଛାକୃତ ଭାବେ ପ୍ରାୟ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଛି । ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଲୋକଙ୍କ ଅଭୂତପୂର୍ବ ସମର୍ଥନ ମିଳିଛି ।

ଗତ ପବିତ୍ର ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀ ଗୋଟିଏ ଅନୁରୋଧ କରିଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଅତ୍ୟନ୍ତ ମହାନ । ଶ୍ରୀମନ୍ଦିର ନିରାପତ୍ତା ପାଇଁ ମନ୍ଦିରର ୭୫ ମିଟର ପରିଧିରେ ଥିବା ସ୍ଥାବର ସମ୍ପତ୍ତିକୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ତାପରେ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ।୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଛି । ସାରା ଦେଶରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଭୂତପୂର୍ବ ସଫଳତା । ମହାପ୍ରଭୁଙ୍କ ପାଇଁ ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ଲଜିଂ ଆଦି ତ୍ୟାଗ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମହାପ୍ରଭୁଙ୍କ ଇଚ୍ଛା ଓ ତାଙ୍କ ପ୍ରେରଣାରେ ଏସବୁ ସମ୍ଭବ ହୋଇଥିବା ନବୀନ କହିଛନ୍ତି ।

ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଗର୍ବ । କାଞ୍ଚି ଅଭିଯାନ ସମୟରେ ସେ ନିଜେ ଯୁଦ୍ଧରେ ସାମଲ ହୋଇ ଓଡ଼ିଆ ଜାତିର ଗୌରବ ରକ୍ଷା କରିଥିଲେ । ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ମହାନ ତ୍ୟାଗ ଜଗନ୍ନାଥ ସଂସ୍କୃତିକୁ ଆହୁରି ଗରୀଆନ କରିଛି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି । ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ଭଲ ପାଇବା, ଏହି ସମର୍ପଣ ଭାବ ଇତିହାସର ଏକ ଗୌରବୋଜ୍ୱଳ ଅଧ୍ୟାୟ ହୋଇରହିବ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି ମୁଖ୍ୟମନ୍ତ୍ରୀ (ଫାଇଲ ଫଟୋ)

ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଏହାର ସମସ୍ତ ବିଭାଗର କର୍ମଚାରୀ ଏବଂ ପୋଲିସ କର୍ମଚାରୀମାନେ ରବିବାର ସମେତ ଛୁଟି ଦିନ ମାନଙ୍କରେ ମଧ୍ୟ ସେମାନଙ୍କ କାମ ଜାରି ରଖିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ, ନିମାପଡ଼ାରୁ ଲିଫ୍ଟ ବାହାନାରେ ଉଠାଇ ନେଇଥିଲେ ୪ ଯୁବକ

ପୁରୀ : ଶ୍ରୀକ୍ଷେତ୍ରରେ ପୁଣି ଲଜ୍ୟା । ବଦନାମ୍ ହୋଇଛି ବର୍ଦ୍ଦି । ପୁରୀର ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏ ନେଇ କୁମ୍ଭାରପଡ଼ା ପୋଲିସର ଜନାଘନା ଜାରି ।

ସୂଚନା ଅନୁସାରେ, କାକଟପୁର ଅଞ୍ଚଳର ଜଣେ ଯୁବତୀ ୩ ଦିନ ତଳେ ନିଜ ଘରକୁ ଯିବା ପାଇଁ ନିମାପଡ଼ା ଛକରେ ଅପେକ୍ଷା କରିଥିଲେ । ଏହି ସମୟରେ ୪ ଜଣ ଯୁବକ ପୋଲିସର ପରିଚୟ ଦେଇ ତାଙ୍କୁ ଏକ କାରରେ ଲିଫ୍ଟ ଦେଇଥିଲେ । କହିଥିଲେ ଘରେ ଛାଡ଼ିଦେବେ ବୋଲି । କିନ୍ତୁ ସେମାନେ କାକଟପୁର ନଯାଇ ପୁରୀ ଯାଇଥିଲେ । ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଥିବା ପୋଲିସ କ୍ୱାଟରରେ ଯୁବତୀଙ୍କ ସହ ୨ ଜଣ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି ।

କୁମ୍ଭାରପଡ଼ା ଥାନାରେ ଯୁବତୀ ଅଭିଯୋଗ କରିବା ପରେ ପୁରୀ ପୋଲିସ ଘଟଣାକୁ ଗୁରୁତର ସହ ନେଇଛି । ଛାନ୍ ଭିନ୍ ଜାରି ରହିଛି । ଘଟଣା ସମୟରେ ଜଣଙ୍କ ପର୍ସକୁ ଅକ୍ତିଆର କରିଥିଲେ ଯୁବତୀ । ପୋଲିସ କ୍ୱାଟରରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଏଥିରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଥିବା ଆଲୋଚନା ହେଉଛି ।

ହାଇଦ୍ରାବାଦ ‘ନିର୍ଭୟା’ ଘଟଣାକୁ ନେଇ ସବୁଠି ଆକ୍ରୋଶ, ସଂସଦରେ ଏମିତି କହିଲେ ଜୟା ବଚ୍ଚନ

ଭୁବନେଶ୍ୱର : ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଛି । ସଂସଦରୁ ସଡ଼କ ସବୁଠି ପ୍ରତିବାଦ ତୀବ୍ର ହେଲାଣି । ଦୋଷୀଙ୍କୁ ଶୀଘ୍ର ଦଣ୍ଡ ଦେବାକୁ ଦାବି ହେଉଥିବା ବେଳେ, ବହୁ ସଂଗଠନ ଫାଶୀ ଦେବାକୁ ଦାବି କରୁଛନ୍ତି ।

ଆଜି ରାଜ୍ୟସଭାରେ ସାଂସଦ ଜୟା ବଚ୍ଚନ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ଦରକାର । ସେମାନଙ୍କୁ ସାଧାରଣ ଲୋକଙ୍କୁ ହସ୍ତାନ୍ତର କରାଯାଉ । ଲୋକେ ପ୍ରକୃତ ନ୍ୟାୟ ଦେବେ । କିଛି ଅଧିକାରୀ ସେମାନଙ୍କର କାମ ମଧ୍ୟ ଠିକରେ କରିନାହାନ୍ତି ତେଣୁ ସେମାନଙ୍କୁ ମଧ୍ୟ ଦଣ୍ଡ ଦିଆଯିବା ଦରକାର । ଲୋକସଭାରେ ସବୁ ଦଳର ସାଂସଦ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଦେଶରେ ଏଭଳି ଘଟଣା ମାନବିକତା ପ୍ରତି ଲଜ୍ୟା ବୋଲି କହିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ, ସରକାର ଆହୁରି କଡ଼ା ଆଇନ୍ ଆଣିବାକୁ ପ୍ରସ୍ତୁତ ଅଛନ୍ତି । ବିଜେଡି ସାଂସଦମାନେ ମଧ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମହିଳାଙ୍କୁ ସୁରକ୍ଷା ନେଇ ପ୍ରସ୍ତାବ ରଖିଥିଲେ ।

 ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ତେଲେଙ୍ଗାନାର ସାଂସଦମାନେ ପ୍ରତିଦାବ କରିଥିଲେ । ହାଇଦ୍ରାବାଦରେ ମଧ୍ୟ ତୃତୀୟ ଦିନ ପାଇଁ ଜୋରଦାର ପ୍ରତିବାଦ ଜାରି ରହିଛି । ଗତକାଲି କୋର୍ଟ ରୁମକୁ କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତଙ୍କୁ ନିଆଯାଉଥିବା ବେଳେ ଢେଲା ପଥର ମାଡ଼ କରିଥିଲେ ସ୍ଥାନୀୟ ଲୋକେ । ଡାକ୍ତରାଣୀଙ୍କୁ ନ୍ୟାୟ ଦେବାକୁ ଦେଶର ସବୁ ସହରରେ ଆନ୍ଦୋଳନ ହେଉଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏ ଘଟଣାକୁ ନେଇ ରିପୋର୍ଟ ମାଗିବା ସହ ଅନୁଧ୍ୟାନ କରୁଛି ।

https://nandighoshatv.comburnt-body-of-woman-veterinary-doctor-found-two-suspects-detained/

ଦୋଷୀଙ୍କୁ ଫାଶୀ ଦେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଛି । ସେପଟେ ୪ ଅଭିଯୁକ୍ତ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଅଧିକ ୧୦ ଦିନ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିବ ବୋଲି ଜଣାପଡ଼ିଛି ।

https://nandighoshatv.comanother-woman-brunt-dead-body-recovered-hyderabad/

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଡିଜିପିଙ୍କ ବୈଠକ, ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିପାଇଁ ଭୁବନେଶ୍ୱରରେ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଅନ୍ତରୀଣ ଡିଜିପି ସତ୍ୟଜିତ୍ ମହାନ୍ତି । ୭ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରି ଯାପନ କରିବେ । ୮ ତାରିଖ ସକାଳ ସାଢେ ୧୦ଟାରେ ଖୋର୍ଦ୍ଧା ବରୁଣେଇ ପାଇକ ମହୋତ୍ସବରେ ଯୋଗଦେବ ରାଷ୍ଟ୍ରପତି । ଅପରାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମରେ ଯୋଗଦେବେ ।

୮ ତାରିଖ ସନ୍ଧ୍ୟା ୫ଟା ୨୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଜଣେ ଏସିପି ପାହ୍ୟାର ପୋଲିସ ଅଧିକାରୀ କାର୍‌କେଡ୍‌ ଦାୟିତ୍ୱରେ ରହିବେ । ଖୋର୍ଦ୍ଧା ପୋଲିସ ଓ କମିଶନରେଟ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଭୁବନେଶ୍ୱର ବିମାନବନ୍ଦର, ରାଜଭବନ, ଖୋର୍ଦ୍ଧା, ବାଣୀବିହାର ଏବଂ ରୁଟ୍‌ ଲାଇନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଅନ୍ତରୀଣ ପୋଲିସ ଡିଜି କହିଛନ୍ତି । ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୋଲିସ କମିଶନର, ଆଇନ ଶୃଙ୍ଖଳା ଏଡିଜି, ଆଇଜି ଅପରେସନ, ଆଇଜି ଗୁଇନ୍ଦା, ଭୁବନେଶ୍ୱର ଡିସିପି, ସିଆଇଏସ୍‌ଏଫ୍‌, ଏୟାରପୋର୍ଟ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

https://nandighoshatv.compresident-kovind-will-come-utkal-university/

ପୁରୀ ଆକାଶରେ ଘୂରି ବୁଲୁଛି ବିକାଶର ପକ୍ଷୀ; ଭାଇରାଲ ହେଲା ନବୀନଙ୍କ ଭିଡିଓ

ସେଠି ଶ୍ରୀମନ୍ଦିର ଅଛି। ସେଠି ସଂସ୍କୃତି ଅଛି। ସେଠି ସମୃଦ୍ଧି ବି ଅଛି। ହେଲେ ଶ୍ରୀକ୍ଷେତ୍ର ଦିନେ ତାଳପତ୍ର ପୋଥିରେ ସ୍ମୃତି ହୋଇ ରହିଯିବନି ତ ? ଆଜି ଯାହା ସମୃଦ୍ଧି କାଲି ତାହା ସଂସ୍କୃତି । ବିଶ୍ୱର ଅନେକ ପୁରାତନ ସମୃଦ୍ଧି ଓ ସଂସ୍କୃତି ଆଜି କେବଳ ବଞ୍ଚି ରହିଛନ୍ତି ଇତିହାସ ପୃଷ୍ଠାରେ । ସମୟ ସହ ସଂସ୍କୃତି କଣଠେସା ହୋଇଯାଏ, ପୋଥିବିଡ଼ା, ସ୍ମୃତି ଓ ବିଶ୍ୱାସ ଭିତରେ ।ସମୟ ଗତିଶୀଳ । ସମୃଦ୍ଧି ଓ ବିକାଶ ଏହା ସହ ତାଳ ଦେଇ ଆଗକୁ ପାଦ ନଥାପିଲେ ସଂସ୍କୃତି ବଞ୍ଚି ରହି ପାରିବନି । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଭବିଷ୍ୟତ ପିଢ଼ି ପାଇଁ ଆମ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଏକମାତ୍ର ଉପାୟ ହେଉଛି ଶ୍ରୀକ୍ଷେତ୍ରର ବିକାଶ ଓ ସମୃଦ୍ଧି । ହୁଏତ ଏ ବାସ୍ତବତାକୁ ଅନୁଭବ କରି ପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଗତ ଦିନର ଉତ୍କର୍ଷକୁ ମନେ ପକାଇ ପୁରୀକୁ ଆଗାମୀ ଶହ ଶହ ବର୍ଷ ପାଇଁ ଓଡ଼ିଆ ସମୃଦ୍ଧିର ପରିଚୟ ଭାବେ ନବ ନିର୍ମାଣ କରିବାକୁ ଆଗେଇ ଆସିଛନ୍ତି ସେ ।ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟର ପେଜ୍‌ରେ ପୋଷ୍ଟ ହୋଇଥିବା ଏକ ସନ୍ଦେଶଭରା ଭିଡିଓ ସୋସିଆଲ୍‌ ମିଡିଆରେ ଭିନ୍ନ ଏକ ଆବେଗ ସୃଷ୍ଟି କରିଛି ।

ଭାବାବେଗ ଓ ଭାବପ୍ରବଣତାର ଏକ ଫେଣ୍ଟାଫେଣ୍ଟି ଅନୁଭୂତି ଭିତରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆଙ୍କିଥିବା ନକ୍ସାକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି ଏହି କ୍ଷୁଦ୍ର ସିନେମାରେ । ସୁକ୍ଷ୍ମ କାରୁକାର୍ଯ୍ୟଭରା ତାଳପତ୍ର ପୋଥିରୁ ଜୀବନ୍ୟାସ ପାଉଛି ବିକାଶର ବିହଙ୍ଗ । ସୌନ୍ଦର୍ଯ୍ୟର ଡେଣା ଝାଡ଼ି, ବିକାଶର ବାର୍ତ୍ତା ବୁଣି ସେ ଉଡ଼ି ଚାଲୁଛି ନିବିଡ଼ ସଂସ୍କୃତିରୁ ଅସୀମ ସମୁଦ୍ର ଆକାଶକୁ । କେତେ କଥା, କେତେ କାହାଣୀ, କେତେ କିମ୍ବଦନ୍ତୀ । ପୁଣି କେତେ ବିଶ୍ୱାସ । ….ଏ ସବୁକୁ ଜାବୁଡ଼ି ଧରି କାଳିଆ ସାଆନ୍ତଙ୍କ ଶ୍ରୀକ୍ଷେତ୍ରର ସମୃଦ୍ଧ ସଂସ୍କୃତି କେମିତି ସବୁ ସମୟରେ ସତେଜ ରହିବ ସେ ନେଇ ବାର୍ତ୍ତା ଦେଉଛି ଏ ପକ୍ଷୀ ।ପାଞ୍ଚ ପାଞ୍ଚଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆଙ୍କ ଆବେଗକୁ ବୁଝନ୍ତି । ସେ ଅନୁଭବ କରିଛନ୍ତି ପୁରୀ ସହ ଏ ଜାତିର ଆବେଗ ଜଡ଼ିତ । ପୁରୀର ଦାଣ୍ଡ ହେଉଛି ବଡ଼ଦାଣ୍ଡ, ଶ୍ରୀଜଗନ୍ନାଥ ହେଉଛନ୍ତି ବଡ଼ ଠାକୁର, ପୁରୀ ମନ୍ଦିର ହେଉଛି ବଡ଼ ଦେଉଳ । ଆଉ ପୁରୀ ସମୁଦ୍ରର ଦୃଶ୍ୟ ଅତୁଳନୀୟ । ଏଠି ସବୁ ବଡ଼, ସବୁ ଅଦ୍ୱିତୀୟ, ସବୁ ସ୍ୱତନ୍ତ୍ର । ଏହାର ବିକଳ୍ପ ନା କେଉଁଠି ଅଛି, ନାଁ କେଉଁଠି ହୋଇପାରିବ ।

ହେଲେ ବାସ୍ତବରେ କିନ୍ତୁ ବଡ଼ଦାଣ୍ଡ ଦିନକୁ ଦିନ ସଂକୁଚିତ ହୋଇଯାଉଥିଲା । ବଡ଼ ଦେଉଳର ଚାରିପାଖ ଜବରଦଖଲ ଯୋଗୁଁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ହାନି ହେଉଥିଲା । ସବୁ କିଛି ଶୃଙ୍ଖଳିତ କରିବାକୁ ମୁଖ୍ୟମନ୍ତ୍ରୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପୁରୀ ସହରର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପରିଧି ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ପରେ ଥଇଥାନ ଓ ବିକାଶମୂଳକ କାର୍ଯ୍ୟ ପାଇଁ ତୁରନ୍ତ ୫ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ବଡ଼ଠାକୁରଙ୍କ ନବକଳେବର ପାରମ୍ପରିକ ରୀତିନୀତି ଅନୁଯାୟୀ ହେଉଥିବା ବେଳେ ନବୀନ ପଟ୍ଟନାୟକ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ପୁରୀ ସହରର ନବକଳେବର ପାଇଁ ଏକ ମନେ ରଖିବା ଭଳି ନିଷ୍ପତ୍ତି ନେଇଛନ୍ତି ।

TVDS ଓ ସିସିଟିଭିରେ ଧରାପଡ଼ିଲେ ୯୫ ଜଣ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ

ଭୁବନେଶ୍ୱର(ଅରୁଣ ସାହୁ): ନୂଆ ଟ୍ରାଫିକ ନିୟମ ଲାଗୁ ପରେ ରାଜଧାନୀରେ ଚାଲିଛି ଜୋରଦାର ଚେକିଂ । ଦ୍ୱିତୀୟ ଦିନରେ ଭୁବନେଶ୍ୱରରେ ନିୟମ ଭାଙ୍ଗିବା ଅଭିଯୋଗରେ ୨୭ଟି ଜାଗାରେ ଚେକିଂ କରାଯିବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଟିଛି ଇ-ଚାଲାଣ । ଅନ୍ୟପଟେ ରାଜଧାନୀରେ TVDS ଓ ସିସିଟିଭିରେ ୯୫ ଜଣ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବିରୋଧରେ ମଧ୍ୟ ଇ-ଚାଲାଣ କାଟିଛି ପୋଲିସ ।

ସିସିଟିଭି କାଟିଲା ଇ-ଚାଲାଣ । TVDS ଦେଲା ଉଲ୍ଲଂଘନର ପ୍ରମାଣ । ଚିହ୍ନଟ ହୋଇଛନ୍ତି ଆଇନ ଖିଲାପକାରୀ ବାଇକ ଆରୋହୀ । ରଙ୍ଗ ରୁଟ ହେଉକି, ସ୍ପିଡ ବାଇକ ଡ୍ରାଇଭିଂ, ବିନା ହେଲମେଟ ଓ ସିଟ ବେଲ୍ଟ ନ ପିନ୍ଧି ଗାଡ଼ି ଚଳାଇ ଟ୍ରାଫିକ ନିୟମ ଭାଙ୍ଗିଥିବା ପ୍ରମାଣ ପାଇଛି ପୋଲିସ । ରୁପାଲି ଛକରେ ଲାଗିଥିବା ଟ୍ରାଫିକ ଭାଓଲେସନ ଡିକ୍ଟେସନ୍ ସିଷ୍ଟମ ଦ୍ଵାରା ଚିହ୍ନଟ ହୋଇଛନ୍ତି ୩୬ ଜଣ ଉଲ୍ଲଂଘନକାରୀ । ଅନ୍ୟପଟେ ସହରର ପ୍ରମୁଖ ଛକରେ ଲାଗିଥିବା ସିସିଟିଭିରେ ୫୯ ଜଣ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଚିହ୍ନଟ ହୋଇଛନ୍ତି । ଟ୍ରାଫିକ ପୋଲିସ ୯୫ ଜଣଙ୍କ ଘରକୁ ଡାକରେ ଇ-ଚାଲାଣ ପଠାଇଛି ।

ଅନ୍ୟପଟେ ଭୁବନେଶ୍ୱରରେ ଦ୍ୱିତୀୟ ଦିନରେ ପଟିଆ, ନାଲକୋ, ଜୟଦେବ ବିହାର, କଳ୍ପନା ସମେତ ୨୭ଟି ଛକରେ ଜୋରଦାର ଚେକିଂ କରିଛି ପୋଲିସ । ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଜାତୀୟ ରାଜପଥ ଓ ସହର ଭିତରେ ଗାଡି ସ୍ପିଡ ଲିମିଟ୍ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଦେଇ ଯାଉଥିବା ଜାତୀୟ ରାଜପଥରେ ଗାଡିର ବେଗ ୭୦ କିଲୋମିଟର ଓ ସହର ଭିତରେ ଗାଡିର ବେଗ ୫୦ କିଲୋମିଟର ଘଣ୍ଟା ପ୍ରତି ରହିବ । ଅନ୍ୟପଟେ ମେଡିକାଲ ଓ ଶିକ୍ଷାନୁଷ୍ଠାନ ଅଞ୍ଚଳରେ ସ୍ପିଡ ଲିମିଟ୍ ୨୦ରୁ ୩୦ କିଲୋମିଟର ରହିବ । ଏହାକୁ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ।

ନୂଆ ନିୟମ ଲାଗୁ ହେବା ପରେ ଓଡ଼ିଶାରେ ସେପ୍ଟେମ୍ବର ମାସ ଅପେକ୍ଷା ନଭେମ୍ବର ମାସରେ ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟା କମିଛି । ସେପ୍ଟେମ୍ବର ମାସରେ ୨୩୯୪ ଜଣ ଗିରଫ ହୋଇଥିବା ବେଳେ ଅକ୍ଟୋବର ମାସରେ ୩୪୬୨ ଜଣ ଓ ନଭେମ୍ବର ମାସରେ ୨୭୨୭ ଜଣ ମଦ୍ୟପାନ କରି ଗାଡ଼ି ଚଳାଇ ଗିରଫ ହୋଇଛନ୍ତି । ନଭେମ୍ବର ମାସରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୬୦୮ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ ।