spot_img
Home Blog Page 742

ହାଇଦ୍ରାବାଦରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ; ବୋମା ବିସ୍ଫୋରଣ ପାଇଁ କରିଥିଲେ ଷଡ଼ଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ହାଇଦ୍ରାବାଦରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ବୋମା ବିସ୍ଫୋରଣ ପାଇଁ କରିଥିଲେ ବଡ ଷଡ଼ଯନ୍ତ୍ର । ଏହି ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛନ୍ତି ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ପୋଲିସ । ସନ୍ଦିଗ୍ଧଙ୍କ ଘରୁ ଆମୋନିଆ, ସଲଫର ଏବଂ ଆଲୁମିନିୟମ ପାଉଡର ସମେତ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ପୋଲିସ ଅନୁସାରେ, ଦୁଇ ଅଭିଯୁକ୍ତ, ସିରାଜ ଉର ରେହମାନ ଏବଂ ସୟଦ ସମୀର ସାଉଦି ଆରବର ଏକ ISIS ମଡ୍ୟୁଲ୍ ସହିତ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ସୂଚନା ପାଇ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ପୋଲିସର କାଉଣ୍ଟର-ଇଣ୍ଟେଲିଜେନ୍ସ ସେଲ୍ ଦ୍ୱାରା ଏକ ମିଳିତ ଅଭିଯାନ କରାଯାଇଥିଲା। ପ୍ରଥମେ ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ରୁ ରେହମାନକୁ ଗିରଫ କରାଯାଇଥିଲ। ରେହମାନ ପୋଲିସକୁ ସମସ୍ତ ତଥ୍ୟ ଦେଇଥିଲା। ଏହା ପରେ ଦ୍ୱିତୀୟ ସନ୍ଦିଗ୍ଧ ବ୍ୟକ୍ତି ସମୀରକୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା। ।

ସୋସିଆଲ ମିଡିଆରୁ ବୋମା ତିଆରି କୌଶଳ ଶିକ୍ଷା

ଗତ ଛଅ ମାସ ଧରି ଗୁଇନ୍ଦା ବିଭାଗ ରେହମାନ ଉପରେ କଡ଼ା ନଜର ରଖିଥିଲା। ବିଜୟନଗରମ୍ ପୋଲିସ ସହିତ ମିଶି, ସେମାନେ ତାଙ୍କ ଘରେ ଅଚାନକ ଚଢ଼ାଉ କରିଥିଲେ। ରେହମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଆଧାରରେ, ସୟଦ ସମୀର ନାମକ ଆଉ ଜଣେ ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇ ବିଜୟନଗରମକୁ ଅଣାଯାଇଥିଲା। ବିଜୟନଗରମ୍ ପୋଲିସ ଜାଣିବାକୁ ପାଇଛି ଯେ ଅଭିଯୁକ୍ତମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବୋମା ତିଆରି କୌଶଳ ଶିଖିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଥିଲେ। ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ, ପୋଲିସ ଏବେ କୋର୍ଟ ମାଧ୍ୟମରେ ଉଭୟ ଅଭିଯୁକ୍ତଙ୍କୁ ହେପାଜତରେ ରଖିବାକୁ ଚାହୁଁଛି।

ବିଜୟନଗରମରେ ବିସ୍ଫୋରଣର ପରୀକ୍ଷଣ

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଉଭୟ ଅଭିଯୁକ୍ତ ଅନଲାଇନରେ ବିସ୍ଫୋରକ କିଣିଥିଲେ ଏବଂ ବିଜୟନଗରମରେ ବିସ୍ଫୋରଣର ଟ୍ରାଏଲ୍ କରିଥିଲେ। ବିସ୍ଫୋରଣର ପରୀକ୍ଷଣର ସଫଳତା ପରେ, ଦୁହେଁ ବିସ୍ଫୋରଣ କରିବାକୁ ଚାହୁଁଥିଲେ। ସିରାଜ ଏବଂ ସମୀର ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ସମ୍ପର୍କରେ ଆସିଥିଲେ ଏବଂ ISIS କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିବା ଆରମ୍ଭ କରିଥିବା ଜଣାପଡ଼ିଛି। ପାରସ୍ପରିକ ବିଶ୍ୱାସ ହାସଲ କରିବା ପରେ, ଦୁହେଁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ସେ ଅନଲାଇନରେ ଅର୍ଡର କରି ବିସ୍ଫୋରକ କିଣିଥିଲେ ଏବଂ ବିଜୟନଗରମର ଏକ ନିର୍ଜନ ସ୍ଥାନରେ ସେଗୁଡ଼ିକୁ ପରୀକ୍ଷା କରିଥିଲେ।

ଗୁପ୍ତ ମିଶନରେ ସାମିଲ ଥିଲେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା , ପାକିସ୍ତାନରେ ନେଇଥିଲେ ତାଲିମ

ନନ୍ଦିଘୋଷ ବ୍ୟୁରୋ: ହରିୟାଣାର ୟୁଟ୍ୟୁବର ଏବଂ ଗୁପ୍ତଚର ସୁନ୍ଦରୀ ଜ୍ୟୋତି ମାଲହୋତ୍ରାଙ୍କ ସମ୍ପର୍କରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ପହଲଗାମ ଆକ୍ରମଣର ଠିକ୍ ପୂର୍ବରୁ ସେ ପାକିସ୍ତାନ ଯାଇଥିଲେ। ସେ ମୁରିଡକେରେ ୧୪ ଦିନ ରହିଥିଲେ, ଯେଉଁଠାରେ ସେ ସ୍ୱତନ୍ତ୍ର ତାଲିମ ନେଇଥିଲେ ଏବଂ ତା’ପରେ ସେ ଭାରତ ଫେରି ଆସିଥିଲେ। ଭାରତରେ ତାଙ୍କୁ ଏକ ସ୍ୱତନ୍ତ୍ର ମିଶନ୍ କରିବାକୁ ଥିଲା କିନ୍ତୁ ଏହି ସମୟ ମଧ୍ୟରେ ପହଲଗାମ୍ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଗଲା। ଏହି କାରଣରୁ ଏହାକୁ କିଛି ଦିନ ପାଇଁ ମିଶନକୁ ବନ୍ଦ କରିବାକୁ ପଡିଲା। ତଥାପି, ତାଙ୍କର ଗୁପ୍ତ ମିଶନ କ’ଣ ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପୋଲିସ ସୂତ୍ର ଅନୁଯାୟୀ, ଗୁପ୍ତଚର ହସିନା ଜ୍ୟୋତି ମାଲହୋତ୍ରା ଅନେକ ଥର ପାକିସ୍ତାନ ଗସ୍ତ କରିଛନ୍ତି କିନ୍ତୁ ତାଙ୍କ ପାସପୋର୍ଟରେ ତିନିଥର ପାକିସ୍ତାନ ଗସ୍ତ କରିବାର ଏଣ୍ଟ୍ରି ଦର୍ଶାଯାଇଛି। ପୋଲିସ ସୂତ୍ର ଅନୁଯାୟୀ, ଏହା ପ୍ରତ୍ୟେକ ଥର କରତାରପୁର ସାହିବ ଦେଇ ପାକିସ୍ତାନରେ ପ୍ରବେଶ କରିଛନ୍ତି । ସେ ପ୍ରଥମ ଥର ପାଇଁ ପାକିସ୍ତାନ ଯିବା ପାଇଁ ଭିସା ପାଇଥିଲେ, କିନ୍ତୁ ଦ୍ୱିତୀୟ ଏବଂ ତୃତୀୟ ଭିସା ପାଇଁ ହାଇ କମିଶନରେ ନିଯୁକ୍ତ ଜଣେ ଅଧିକାରୀ ଦାନିଶ ବ୍ୟବସ୍ଥା କରିଥିଲେ। କୁହାଯାଉଛି ଯେ ସେ ବହୁ ଥର ପାକିସ୍ତାନ ଗସ୍ତ କରିଛନ୍ତି, କିନ୍ତୁ ତାଙ୍କ ପାସପୋର୍ଟରେ ଏହାର କୌଣସି ଏଣ୍ଟ୍ରି ନାହିଁ। ତେଣୁ ସେ ବେଆଇନ ଭାବରେ ସୀମା ପାର କରିଥିବା ସନ୍ଦେହ କରାଯାଉଛି।

ଗୁପ୍ତଚର ପାଇଁ ତାଲିମ ଦିଆଯାଇଥିଲା

ପୋଲିସ ସୂତ୍ର ଅନୁଯାୟୀ, ଜ୍ୟୋତି ମାଲହୋତ୍ରା ଗୁପ୍ତଚର ତାଲିମ ପାଇଁ ତୃତୀୟ ଥର ପାଇଁ ପାକିସ୍ତାନ ଯାଇଥିଲେ। ସେ ଭାରତରୁ ସିଧାସଳଖ ଇସଲାମାବାଦ ଯାଇଥିଲେ ଏବଂ ସେଠାରୁ ମୁରିଡକେର ଏକ ଶିବିରରେ ୧୪ ଦିନର ସ୍ୱତନ୍ତ୍ର ତାଲିମ ନେଇଥିଲେ। କୁହାଯାଉଛି ଯେ ଏହି ତାଲିମ କୌଣସି ବିଶେଷ ମିଶନ ପାଇଁ ଥିଲା। ତାଲିମ ପରେ, ତାଙ୍କୁ ଭାରତ ଫେରି ମିଶନରେ କାମ ଆରମ୍ଭ କରିବାର ଥିଲା, କିନ୍ତୁ ଏହା ପୂର୍ବରୁ ପହଲଗାମ ଆକ୍ରମଣ ଘଟିଥିଲା। ଏହି କାରଣରୁ ତାଙ୍କୁ ମିଶନ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ପଡିଲା। ଏହା ମଧ୍ୟ କୁହାଯାଉଛି ଯେ ଜ୍ୟୋତିଙ୍କ ପାଖରେ ପହଲଗାମ ଆକ୍ରମଣ ବିଷୟରେ ପୂର୍ବରୁ ସୂଚନା ଥିଲା, ଯଦିଓ ପୋଲିସ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହିଁ।

ଜ୍ୟୋତି ଏହି ମିଶନରେ ଏକା ନୁହଁନ୍ତି

ଜ୍ୟୋତି ମାଲହୋତ୍ରା ଯେଉଁ ମିଶନରେ ଆରମ୍ଭ କରିବାକୁ ଯାଉଥିଲେ, ସେଥିରେ ସେ ଏକା ନଥିଲେ। ଏହି ମିଶନରେ ଭାରତର ଦୁଇ ଡଜନରୁ ଅଧିକ ସୋସିଆଲ ମିଡିଆ ପ୍ରଭାବଶାଳୀ ଲୋକ ସାମିଲ ଅଛନ୍ତି । ଏମାନେ ସମସ୍ତଙ୍କର ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି। କୁହାଯାଉଛି ଯେ ଏହି ମିଶନ ଅଧୀନରେ ପାକିସ୍ତାନ ଭାରତରେ ଏକ ନୂତନ ପ୍ରକାରର ଯୁଦ୍ଧ ଆରମ୍ଭ କରିବାକୁ ଚାହୁଁଥିଲା। ଲକ୍ଷ୍ୟ ଥିଲା ଭାରତୀୟଙ୍କ ମନରେ ପାକିସ୍ତାନର ପ୍ରତିଛବି ନିର୍ମାଣ କରିବା। ଏହି ମିଶନର ଲକ୍ଷ୍ୟ ଥିଲା ଭାରତର ଲୋକମାନଙ୍କୁ ମଧ୍ୟ ନିଜ ଦେଶ ଏବଂ ନିଜ ସରକାରଙ୍କ ବିରୁଦ୍ଧରେ ଠିଆ ହେବାକୁ ପଡ଼ିବ। ଏହି ମିଶନରେ ଭାରତର ଗୁପ୍ତ ସୂଚନା ପାକିସ୍ତାନକୁ ଦେବା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଯୁଦ୍ଧ କେବଳ ଦେଶର ସୀମାରେ ନୁହେଁ ବରଂ ଶତ୍ରୁ ଦେଶ ଭିତରେ ମଧ୍ୟ ହୁଏ। ପାକିସ୍ତାନ ଡିଜିଟାଲ ଯୁଦ୍ଧର ମିଶନ ଆରମ୍ଭ କରିଛି ଯେଉଁଥିରେ ଜ୍ୟୋତି ମାଲହୋତ୍ରା ସାମିଲ ଥିଲେ ।

ଗୁପ୍ତଚର ସୁନ୍ଦରୀ ଜ୍ୟୋତି ମାଲହୋତ୍ରା କିଏ ?

ଜ୍ୟୋତି ମାଲହୋତ୍ରା ହରିୟାଣାର ହିସାରରେ ରହୁଥିବା ଏକ ସାଧାରଣ ପରିବାରର ଝିଅ। ତାଙ୍କ ବାପା ହରିଶ ମାଲହୋତ୍ରା ବିଦ୍ୟୁତ୍ ନିଗମରୁ ଅବସରପ୍ରାପ୍ତ ଏବଂ ହିସାରରେ ତାଙ୍କ ଘରେ ରୁହନ୍ତି। ସେ ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ପାଇଛନ୍ତି। ଏହି ଛାଡପତ୍ର ଯୋଗୁଁ, ତାଙ୍କ ଝିଅ ଜ୍ୟୋତି ମାଲହୋତ୍ରା ବିଏ ସମାପ୍ତ କରିବା ପରେ ଘର ଛାଡି ଗୁରୁଗ୍ରାମର ଏକ କମ୍ପାନୀରେ ରିସେପ୍ସନିଷ୍ଟ ଭାବରେ କାମ କରିବା ଆରମ୍ଭ କରିଥିଲେ। କରୋନା ଯୋଗୁଁ ଲକଡାଉନ୍ ସମୟରେ ସେ ଘରକୁ ଫେରି ଆସିଥିଲେ କିନ୍ତୁ ଜଣେ YouTuber ହୋଇଗଲେ। ଏହି ସମୟରେ, ସେ ପାକିସ୍ତାନୀ ହାଇ କମିଶନରେ ନିଯୁକ୍ତ ଦାନିଶଙ୍କ ସଂସ୍ପର୍ଶରେ ଆସିଲେ। ଦାନିଶଙ୍କ ମାଧ୍ୟମରେ ସେ ନୱାଜ ସରିଫଙ୍କ ଝିଅ ମରିୟମ ଏବଂ ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ଶାକିର ରାଣାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ଜ୍ୟୋତିଙ୍କୁ ଗୁପ୍ତଚର ତାଲିମ ଦେଇଥିଲେ ଶାକିର ରାଣା।

ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା, ତିନି ରଥରେ ଯୋଡ଼ା ହେବ ଚକ-ଅଖ

ପୁରୀ: ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା  । ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକଅଖ ଡେରା ନୀତି ସଂପନ୍ନ । ସେଥିପାଇଁ ପରମ୍ପରା ମୁତାବକ ରଥଖଳାକୁ ବିଜେ ହେବ ଆଜ୍ଞାମାଳ । ତିନି ରଥରେ ଯୋଖା ହେବ ଚକ-ଅଖ । ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ନାହାକ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ । ଯାହାକୁ ଚକଅଖ ଡେରା ନୀତି କୁହାଯାଏ । ତିନିବାଡର ପୂଜାପଣ୍ଡା ସକାଳଧୁପ ପରେ ୩ଟି ଆଜ୍ଞାମାଳ ଆଣି ୩ ରଥର ଚକ ଅଖ ନିକଟରେ ଲାଗି କରିବେ ଓ ଭୋଇ ସେବକ ମାନଙ୍କ ଦ୍ବାରା ପ୍ରଥମ ହରିବୋଲ ପଡିବ । ତେବେ ଭଉଁରୀ ପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତି ଚୂଡାନ୍ତ ହୋଇଛି । ପ୍ରାତଃ ୩ଟାରେ ସିଂହଦ୍ଵାର ଫିଟାଯାଇ ମଙ୍ଗଳଆଳତୀ ହୋଇଛି । ମଇଲମ,ଅବକାଶ ଇତ୍ୟାଦି ନୀତି ବଢିବା ପରେ ୭.୩୦ରୁ ୯ଟା ମଧ୍ୟରେ ସକାଳଧୂପ ଶେଷ ହୋଇ ୯.୩0ରେ ରଥଖଳା ନିକଟକୁ ଆଜ୍ଞାମାଳ ବିଜେ ହେବ।

ସେପଟେ ପବିତ୍ର ଭଉଁରୀ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗତବର୍ଷ ଭଉଁରୀ ଯାତ୍ରାରେ ମହାପ୍ରଭୁଙ୍କ ଜଳକ୍ରୀଡା ସମୟରେ ବାଣ ଵିଷ୍ପୋରଣରେ ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଜୀବନ ଯାଇଥିବା ବେଳେ ଚଳିତବର୍ଷ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି । ଭଉଁରୀ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଶ୍ରୀମନ୍ଦିର, ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଏଥିସହ ଅଗ୍ନିଶମ ବାହିନୀ ଓ ଲାଇଫଗାର୍ଡକୁ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟପକ ମାତ୍ରାରେ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି  ।

ତେବେ ପ୍ରତ୍ୟକଟି ସୁରକ୍ଷା ବ୍ୟବସ୍ଥାର ଟିଖନିଖ୍ ଅନୁଧ୍ୟାନ କରିଥିଲେ ପୁରୀ ଏସପି ବିନୀତ ଅଗ୍ରୱାଲ  । ଗହଳିକୁ ଦୃଷ୍ଟିରେ ରଖି ପୁରୀରେ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନରେନ୍ଦ୍ର କୋଣ ଠାରୁ ଶୌଚାଳୟ ଛକ ପର୍ଯ୍ୟନ୍ତ ଗାଳି ଚଳାଚଳ ବନ୍ଦ ରଖାଯାଇଛି । ସେହିଭଳି ଶୌଚାଳୟ ଛକ ଠାରୁ ଦେବୀ ଘାଟ ଛକ ଏବଂ ମାଜେଣା ଲେନ୍ ଠାରୁ ଅକ୍ଷୟ ପାତ୍ର ଲେନ୍ ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରଖାଯାଇଛି । ସେହିଭଳି ମାର୍କେଟ ସ୍କୋଏଆର ଠାରୁ ନରେନ୍ଦ୍ର କୋଣ ଦେଇ ରାୟବାହାଦୂର ଲେନ୍ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ ରଖାଯାଇଛି ।

ସୁଭଦ୍ରା ଦୁଷ୍କର୍ମ ଏବଂ ହତ୍ୟା ଘଟଣା ; ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ

ଅନୁଗୁଳ: ଆଜି ତାଳଚେର ଉପଖଣ୍ଡ ବନ୍ଦ । ସୁଭଦ୍ରା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପରିବାରକୁ ନ୍ୟାୟ ଦାବିରେ ୧୦ ଦଫା ଦାବି ନେଇ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା । ବନ୍ଦ ଡାକରା ଦେଇଛି ସୁଭଦ୍ରା ନ୍ୟାୟ ମହାମଞ୍ଚ । ଘଟଣାରେ ଅନ୍ୟ କିଛି ଅଭିଯୁକ୍ତ ସଂପୃକ୍ତ ଥିବା ବେଳେ ପୋଲିସ କେବଳ ଜଣକୁ ଗିରଫ କରିଛି । ଜଣେ ଲୋକ ଗୋଟେ ଖୋଲା ଅଟୋରେ ଅପହରଣ, ଦୁଷ୍କର୍ମ କରିବା ସହ ହତ୍ୟା କରିବା ସନ୍ଦେହ ସୃଷ୍ଟି କରିଛି । ତେଣୁ ଏହାର ସିବିଆଇ ତଦନ୍ତ ଦାବି କରିଛି ମହାମଞ୍ଚ ।

ଯେଉଁ ରେଳବାଇ ଥାନା ଅଧିକାରୀ ତଦନ୍ତ କରିବା ପରିବର୍ତ୍ତେ ପରିବାର ଲୋକଙ୍କୁ ଦୁର୍ବ୍ୟବହାର କରିଥିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ପାଟ୍ରୋଲିଂ ମାତ୍ରା ବଢାଇବା, ଷ୍ଟେସନ ରାସ୍ତାରେ ବିଭିନ୍ନ ସ୍ଥାନରେ ଲାଇଟ୍ ବ୍ୟବସ୍ଥା ଏବଂ ରକ୍ଷଣା ବେକ୍ଷଣ ଦାବିରେ ବନ୍ଦ ଡାକରା ଦେଇଛି ମହାମଞ୍ଚ ।

ଆଜି ପୁଟିନ-ଟ୍ରମ୍ପ ଆଲୋଚନା ; ଅସ୍ତ୍ରବିରତି ପ୍ରସଙ୍ଗରେ ହେବ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ: ଅସ୍ତ୍ରବିରତି ଓ ବାଣିଜ୍ୟ ପ୍ରସଙ୍ଗ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଜି ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରୁଷ ଓ ୟୁକ୍ରେନ ମଧ୍ୟରେ ଅସ୍ତ୍ରବିରତି ନେଇ କୌଣସି ସହମତି ହୋଇପାରି ନଥିବାବେଳେ ଏନେଇ କଥାବାର୍ତ୍ତା କରିବାକୁ ଆଗେଇ ଆସିଛନ୍ତି ଟ୍ରମ୍ପ । ତୁର୍କୀ ଇସ୍ତାନବୁଲରେ ହୋଇଥିବା ରୁଷ-ୟୁକ୍ରେନ ମଧ୍ୟରେ ପ୍ରଥମ ସିଧାସଳଖ କଥାବାର୍ତ୍ତାରେ କେବଳ ଏକ ହଜାର ଲେଖାଁଏ ଯୁଦ୍ଧବନ୍ଦୀ ଅଦଳବଦଳ କରିବା ଲାଗି ନିଷ୍ପତ୍ତି ହୋଇଥିଲା । ହେଲେ ଅସ୍ତ୍ରବିରତି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ହୋଇପାରି ନଥିଲା । ଅସ୍ତ୍ରବିରତି ପ୍ରସଙ୍ଗରେ ପୁଟିନଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ବି ଆଲୋଚନା କରିବା ସମ୍ଭାବନା ରହିଛି । ଏହା ସହ ଟ୍ରମ୍ପ ବି ନାଟୋ ନେତାଙ୍କ ସହ ବି ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି ।

ଇସ୍ତାନବୁଲ ଆଲୋଚନାରେ ଅସ୍ତ୍ରବିରତି ଲାଗି ୟୁକ୍ରେନ ରାଜି ଥିବା କହିଥିଲେ ଜେଲେନସ୍କି । ସେପଟେ ରୁଷର ଡ୍ରୋନ ହମଲାରେ ୯ ଜଣ ୟୁକ୍ରେନ ନାଗରିକ ପ୍ରାଣ ହରାଇବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜେଲେନସ୍କି । ଗତ ୧୭ ତାରିଖରେ ରୁଷ ଓ ୟୁକ୍ରେନ ମଧ୍ୟରେ ପ୍ରଥମ ଥର ଲାଗି ଇସ୍ତାନବୁଲରେ ସିଧାସଳଖ କଥାବାର୍ତ୍ତା ହୋଇଥିଲା । ମାତ୍ର ୨ ଘଣ୍ଟା ଲାଗି ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରେ ଅସ୍ତ୍ରବିରତି ନେଇ ନିଷ୍ପତ୍ତି ନିଆଯିବ ବୋଲି ଯେଉଁ ଆଶା ରହିଥିଲା ତାହା ସଫଳ ହୋଇନଥିଲା । ପୂର୍ବରୁ ଜେଲେନସ୍କି ୟୁରୋପୀୟ ସମ୍ମିଳନୀରେ ଯୋଗଦେଇ ଟ୍ରମ୍ପ ଓ ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ପୋଲାଣ୍ଡର ନେତାଙ୍କ ସହ ଆଲୋଚନା କରିଥିଲେ ।

ଇସ୍ରୋର ସାଟେଲାଇଟ୍ EOS-09 ଉତକ୍ଷେପଣ ବିଫଳ

ନନ୍ଦିଘୋଷ ବ୍ୟୁରୋ: ଇସ୍ରୋର EOS-09 ଉତକ୍ଷେପଣ ବିଫଳ ହୋଇଯାଇଛି । ଲଞ୍ଚିଂ ବେଳେ ତୃତୀୟ ପର୍ଯ୍ୟାୟରେ ତ୍ରୁଟି ଯୋଗୁଁ ମିଶନ ସଫଳ ହୋଇପାରିନି । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଭି. ନାରାୟଣନ । ୧୦୧ତମ ସାଟେଲାଇଟ୍ ଲଞ୍ଚ କରିଥିଲା ଇସ୍ରୋ । PSLV-C61 ରକେଟ ସହାୟତାରେ ସାଟେଲାଇଟକୁ ଲଞ୍ଚ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ସକାଳ ୫ଟା ୫୯ରେ ସାଟେଲାଇଟକୁ ଉତକ୍ଷେପଣ କରାଯାଇଥିଲା । ହେଲେ ତ୍ରୁଟି ଯୋଗୁଁ ମିଶନ ସଫଳ ହୋଇପାରିଲାନି ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।

ରବିବାର ଭୋର ୫ଟା ୫୯ ମିନିଟରେ ଏହାର ଉତକ୍ଷେପଣ ହୋଇଥିଲା । ଶନିବାର ସକାଳ ୭ଟା ୫୯ ମିନିଟରୁ ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଥିଲା । ଏହି ଉପଗ୍ରହ ଯେକୌଣସି ପରିସ୍ଥିତିରେ ପୃଥିବୀର ହାଇ ରିଜୋଲ୍ୟୁସନ ଫଟୋ ନେବାକୁ ସକ୍ଷମ ଥିଲା । ଉପଗ୍ରହ ଦ୍ବାରା ୨୪ ଘଣ୍ଟା ଉଠା ଯାଉଥିବା ଫଟୋରୁ କୃଷି, ଜଙ୍ଗଲ ଉପରେ ନଜର ରଖିବା, ପ୍ରାକୃତିକ ବିପର୍ଯ୍ୟୟ ଉପରେ ନଜର ରଖିବା, ଅର୍ବାନ ପ୍ଲାନିଂ ଓ ରାଷ୍ଟ୍ରୀୟ ସୁରକ୍ଷା ଉପରେ ନଜର ରଖାଯାଇପାରିଥାନ୍ତା । ମିଶନର ଉଦ୍ଦେଶ୍ୟ ଥିଲା ସାରା ଦେଶରେ ହେଉଥିବା ଘଟଣାର ତଥ୍ୟ ସଂଗ୍ରହ କରିବା ।

IPLରୁ ବଡ଼ ଖବର: ଟ୍ରାଭିସ ହେଡଙ୍କୁ କୋଭିଡ଼

ନନ୍ଦିଘୋଷ ବ୍ୟୁରୋ: ଟ୍ରାଭିସ ହେଡଙ୍କୁ କୋଭିଡ । ଲକ୍ଷ୍ମୌ ସୁପର ଜାଏଣ୍ଟସ ବିରୋଧରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ମ୍ୟାଚରେ ଖେଳି ପାରିବେନି ଟ୍ରାଭିସ । ଏନେଇ ସୂଚନା ଦେଇଛନ୍ତି ହେଡ କୋଚ ଡାନିଏଲ ଭିଟୋରୀ । ତେବେ ଅବଶିଷ୍ଟ ଦୁଇଟି ମ୍ୟାଚ ଲାଗି ସେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଟ୍ରାଭିସଙ୍କୁ କୋଭିଡ ହୋଇଥିବା ନେଇ ସୂଚନା ଦେଇଥିଲେ ଭିଟୋରୀ । ତେବେ ଟ୍ରାଭିସ କେବେ କୋଭିଡ ଆକ୍ରାନ୍ତ ହୋଇଛନ୍ତି ସେ ନେଇ ସୂଚନା ମିଳିପାରିନାହିଁ । ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦ ପଏଣ୍ଟ ଟେବଲର ଅଷ୍ଟମ ସ୍ଥାନରେ ରହିଛି । ମେ ୨୩ରେ ରହିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ ସହ ମ୍ୟାଚ । ସେହିପରି ୨୫ରେ କୋଲକାତା ନାଇଟ ରାଇଡର୍ସ ସହ ହେବ ମ୍ୟାଚ ।

ଭୁବନେଶ୍ବରରେ ଖୋଲିବ ଏନଆଇଏ ଅଫିସ୍

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵରରେ ଖୋଲିବ ଏନଆଇଏ ଅଫିସ୍ । ଦାୟିତ୍ଵରେ ରହିବେ ଜଣେ ଏସପି ରାଙ୍କର ଅଧିକାରୀ । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିର ଏହି ଶାଖା ଏକ ଥାନା ଭାବେ କାମ କରିବ । ଏହି ଥାନା ଅଧୀନରେ ରହିବ ପୂରା ରାଜ୍ୟ । ଭୁବନେଶ୍ଵର ଭିଏସଏସ୍ ନଗରରେ ଖୋଲିବ ଏହି ଥାନା ।

ଭିଏସଏସ ନଗର ବିଏସଏନଏଲ କର୍ମଚାରୀ ପ୍ରଶିକ୍ଷଣ କେନ୍ଦ୍ରରେ ଏହା ଅସ୍ଥାୟୀ ଭାବେ ଖୋଲାଯିବ । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ବଢୁଥିବା ଆଇନ ଶୃଙ୍ଖଳାକୁ ନଜରେ ରଖି ଏନଆଇଏର ଏହି ଶାଖା ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଦିବ୍ୟାଙ୍ଗ କର୍ମଚାରୀଙ୍କୁ ଅବହେଳା: ପଦୋନ୍ନତି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି ସରକାର

ନନ୍ଦିଘୋଷ ବ୍ୟୁରୋ: ଦିବ୍ୟାଙ୍ଗଙ୍କୁ ଠକି ଚାଲିଛି ବିଜେପି ସରକାର । ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା । ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସରକାରଙ୍କ ଅବମାନନା । ରାଜ୍ୟରେ କାର୍ଯ୍ୟରତ ଦିବ୍ୟାଙ୍ଗ କର୍ମଚାରୀଙ୍କ ପଦୋନ୍ନତି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ବେଖାତିର । ଡବଲ ଇଞ୍ଜିନ ସରକାରରେ କେନ୍ଦ୍ର ସରକାରଙ୍କ ଆଇନକୁ କାର୍ଯ୍ୟକାରୀ କରୁନାହାନ୍ତି ରାଜ୍ୟ ସରକାର । ରାଜ୍ୟରେ କାର୍ଯ୍ୟକାରୀ ହୋଇପାରୁନାହିଁ ଭିନ୍ନକ୍ଷମ ଅଧିକାର ଆଇନ । ଦିବ୍ୟାଙ୍ଗମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଥିଲେ ମଧ୍ୟ ବିଭାଗ ଉପରେ କିଛି ଫରକ ପଡୁନାହିଁ ।

ଗଣେଶ୍ବର ବରାଳ, ଜଣେ ଦୃଷ୍ଟିବାଧିତ ଶିକ୍ଷକ । ପଦୋନ୍ନତି ପାଇଁ ୮ ବର୍ଷ ହେଲା ଅପେକ୍ଷା କରିଛନ୍ତି । ହେଲେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରେ ଫାଇଲ ପଡି ରହିଛି । ଆଉ ଜଣେ ହେଲେ ସେକ୍ ସମଦ କଳାପାହାଡ଼ । ଦର୍ଶନ ଶାସ୍ତ୍ର ବିଭାଗର ଅଧ୍ୟାପକ । କନିଷ୍ଠ ଅଧ୍ୟାପକରୁ ବରିଷ୍ଠ ଅଧ୍ୟାପକ ପ୍ରମୋସନ ଲାଗି ବିଭାଗକୁ ଦୌଡୁଛନ୍ତି । ହେଲେ ଦୁଃଖ ଶୁଣିବାକୁ କେହି ନାହାନ୍ତି । ଦୃଷ୍ଟି, ଶ୍ରବଣ ଓ ବାକ୍ ବାଧିତ, ମାନସିକ ଅନଗ୍ରସର, ଶାରିରୀକ ଅକ୍ଷମତା ଦିବ୍ୟାଙ୍ଗ ବର୍ଗରେ ଆସୁଛନ୍ତି । ୨୦୨୪ ଜାନୁଆରୀରେ ମୋଟ ପଦବୀରେ ୪ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ପଦୋନ୍ନତି ଦେବା ପାଇଁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ । ହେଲେ ୧୫ ମାସରୁ ଅଧିକ ସମୟ ବିତିଲାଣି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁନାହିଁ । ସାଧାରଣ ପ୍ରଶାସନ ବିଭାଗ ହାଇକୋର୍ଟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ସାମାଜିକ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛି । ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବାରୁ ବିଭାଗର ଜଣେ ଅତିରିକ୍ତ ସଚିବଙ୍କୁ ଦାୟୀ କରିଛି ଉତ୍କଳ ଦୃଷ୍ଟିହୀନ ସଂଘ ।

ପଦୋନ୍ନତି କ୍ଷେତ୍ରରେ ଦିବ୍ୟାଙ୍ଗଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ଦେବାକୁ ସୁପ୍ରିମକୋର୍ଟ ୨୦୨୨ରେ ଏବଂ ଏହାକୁ ଆଧାର କରି ହାଇକୋର୍ଟ ୨୦୨୪ରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ କାର୍ଯ୍ୟକାରୀ କରିବାକୁ ଆଶାୟୀମାନେ ବାରମ୍ବାର ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ଦୌଡୁଛନ୍ତି । ହେଲେ ବିଭାଗର ଅଧିକାରୀମାନେ କେତେ ବେଳେ ଆଇନ ବିଭାଗର ଆଳ ଦେଖାଉଛନ୍ତି ତ ପୁଣି କେତେବେଳେ ଅର୍ଥ ବିଭାଗକୁ ଦାୟୀ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବି ୨୦୨୪ ଡିସେମ୍ବରରେ ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୂପ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କେବଳ ବାହାନା ଖୋଜୁଛନ୍ତି ।

ଗୋଟେ ପଟେ ଲୋକଙ୍କ ସରକାର ସ୍ଲୋଗାନ ଜୋରସୋରରେ ଚାଲିଥିବା ବେଳେ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କୁ ଅଧିକାରରୁ ବଞ୍ଚିତ କରାଯାଉଛି । ଦିବ୍ୟାଙ୍ଗଙ୍କୁ ନ୍ୟାୟ ପାଇବା କ୍ଷେତ୍ରରେ ବିଳମ୍ବ କିମ୍ବା ପ୍ରତ୍ୟାଖାନ କରିବା ଉଚିତ ନୁହେଁ । ରାଜ୍ୟ ସରକାର ତୁରନ୍ତ ଏ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ଦୃଷ୍ଟିହୀନ ସଂଘ ଦାବି କରିଛି ।

ଭକ୍ତଙ୍କ ନୂଆ ଟିମକୁ ନେଇ ଉଠିଲା ପ୍ରଶ୍ନ, ଅସନ୍ତୋଷ ଜାହିର କଲେଣି ନେତା !

ନନ୍ଦିଘୋଷ ବ୍ୟୁରୋ: ନୂଆ ଟିମ୍‌, ନୂଆ ଯୋଶ । ହେଲେ ଟିମ୍‌ରେ ବରିଷ୍ଠଙ୍କ ସଂଖ୍ୟା କମ୍‌ । ପିସିସି ସଭାପତି ଭକ୍ତ ଦାସଙ୍କ ନୂଆ ବ୍ରିଗେଡ଼କୁ ନେଇ ବରିଷ୍ଠ ନେତାଏ ଖୁସି ନଥିଲା ଭଳି ଲାଗୁଛି । ନିଜ ପସନ୍ଦର କର୍ମୀଙ୍କୁ ଟିମରେ ସାମିଲ କରି ବଡ଼ ଚେହେରାଙ୍କୁ ଅଣଦେଖା କରାଯାଇଛି କି ? ସିଧାସଳଖ ନ ହେଲେ ବି କମିଟିର କାୟାକଳ୍ପକୁ ନେଇ କଂଗ୍ରେସ କିଛି ବରିଷ୍ଠ ନେତା ଏପରି ତେରଛା ବାଣ ମାରିବାକୁ ପଛାଇ ନାହାନ୍ତି । ସେପଟେ ଦଳର ସଂଗଠନ ମଜବୁତ କରିବାକୁ ହେଲେ ବରିଷ୍ଠଙ୍କ ଅଭିଜ୍ଞତା ଆବଶ୍ୟକ ବୋଲି କହିଛନ୍ତି ସାଧାରଣ ସମ୍ପାଦକ ।

ଭକ୍ତଙ୍କ ନୂଆ ଟିମରେ ମୋକିମ ଓ ସୋଫିଆ ହୋଇଛନ୍ତି କି କୋଣଠେସା । ବରିଷ୍ଠଙ୍କୁ ମାନିବେ ତ ଯୁବକ ? ଏମିତିରେ ପିସିସି ଗାଡ଼ି ଗଡ଼ିବ ନା ଫେରିବ ଦଳୀୟ କନ୍ଦଳ ? ଗତକାଲି ପିସିସି ସଭାପତିଙ୍କ ନୂଆ ଟିମ୍‌କୁ ନେଇ ଏବେ ଏମିତି ମାଳ ମାଳ ପ୍ରଶ୍ନ ଉଠିବାରେ ଲାଗିଛି । ଖୋଲାଖୋଲି ବିଦ୍ରୋହ ନକଲେ ବି ବୁଲେଇ ବାଙ୍କେଇ ନିଜ ଅସନ୍ତୋଷ ଜାହିର କଲେଣି ନେତା । ସିଧାସିଧା ନ କହି ତେରଛା ବାଣ ମାରିଛନ୍ତି ବରିଷ୍ଠ ନେତା । କହିଲେଣି କେଉଁ ପରିସ୍ଥିତିରେ ଏପରି ଟିମ୍ କରାଗଲା ତାହା କେବଳ ସଭାପତି ଜାଣିଥିବେ । ଯାହାର ଟିମ୍‌ ସେ ହିଁ ଉତ୍ତରଦାୟୀ ରହିବ ।

ଅନ୍ୟପଟେ ପଦ ପାଇଥିବା ନେତାଙ୍କ କହିବା କଥା ପୂର୍ବରୁ ପିସିସି ସଭାପତି ଦୌଡ଼ରେ ଥିବା ମହମ୍ମଦ ମୋକିମଙ୍କୁ ପଦ ମିଳିନି । ହେଲେ ମୋକିମଙ୍କ ନେତୃତ୍ବକୁ ନେଇ କେହି ପ୍ରଶ୍ନ କରି ପାରିବେ ନାହିଁ । ଯେଉଁଠି ଅଧିକାଂଶ ବିଧାୟକଙ୍କୁ ଭକ୍ତଙ୍କ ଟିମରେ ସ୍ଥାନ ମିଳିଛି ସେଠାରେ କଂଗ୍ରେସର ଏକମାତ୍ର ମହିଳା ବିଧାୟକ ତଥା ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ କୌଣସି ପଦ ମିଳିନି । ଏହାର ଅର୍ଥ ନୁହେଁ ଯେ କଟକବାସୀଙ୍କ ପାଇଁ କାମ କରିବେନି । ଭକ୍ତ ଦାସ ପିସିସି ସଭାପତି ହେବା ମାତ୍ରେ ନେତାଙ୍କ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହର କରିଥିଲେ । ଏହି ତାଲିକାରେ ଥିବା ମାନସ ଚୌଧୁରୀ ଓ ସୁର ରାଉତରାୟଙ୍କୁ ବି କୌଣସି ପଦ ମିଳିନି । ଖୋଲାଖୋଲି ଭାବେ ସୁର କହିଲେଣି ବରିଷ୍ଠଙ୍କ କଥା ମାନ, ଟଙ୍କା ଖର୍ଚ୍ଚ କର ନ ହେଲେ ବୁଡ଼ିଯିବ କଂଗ୍ରେସ ।

ଦଳରେ ବରିଷ୍ଠଙ୍କ ଆବଶ୍ୟକତା ରହିଛି । ଖୋଦ ଏହି କଥାକୁ ସ୍ବୀକାର କରିଛନ୍ତି ଦଳର ସାଧାରଣ ସମ୍ପାଦକ ତଥା ବିଧାୟକ ମଙ୍ଗୁ ଖିଲ । ଯୁବ ଚେହେରା ଦଳର ସଂଗଠନକୁ ମଜବୁତ କରିବାକୁ ଅଞ୍ଚଳ ବୁଲିବେ । ଲୋକଙ୍କ ପାଖକୁ ଯିବେ । ପଲ୍ଲୀରୁ ଦିଲ୍ଲୀ ଯାଏଁ ସ୍ବର ଶାଣିତ କରିବେ । ହେଲେ ବରିଷ୍ଠଙ୍କ ଅନୁଭୁତି ଯୁବ ନେତାଙ୍କୁ ଅଧିକ ବଳ ଦେବ । ଏକଥାକୁ ଭୁଲିବା ଠିକ୍‌ ହେବନି । ଆଗକୁ ବରିଷ୍ଠଙ୍କୁ ଅଧିକ ଦାୟିତ୍ବ ମିଳିବା ନେଇ ଯୁବନେତା ଆଶାବାଦୀ । ଗତକାଲି ଏଆଇସିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୭ ଉପ ସଭାପତି, ୧୦ ସାଧାରଣ ସମ୍ପାଦକ, ୧୨ ସମ୍ପାଦକଙ୍କ ଭିତରୁ ଅଧିକାଂଶ ଯୁବ ଚେହେରା ଅଛନ୍ତି ।