spot_img
Home Blog Page 718

ଖୋର୍ଦ୍ଧା-ବଲାଙ୍ଗୀର ଟନେଲ ଭୁଶୁଡିବା ଘଟଣା, ଆଜି ଘଟଣାସ୍ଥଳ ପରିଦର୍ଶନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଖୋର୍ଦ୍ଧା: ବୌଦ୍ଧ ଖୋର୍ଦ୍ଧା ବଲାଙ୍ଗୀର ରେଳ ଟନେଲ ଭୁଶୁଡ଼ିବା ଘଟଣା। ଘଟଣାସ୍ଥଳରେ ପହଞ୍ଚିଲା ODRAF ଟିମ୍ । ବୌଦ୍ଧ ODRAFର ଗୋଟିଏ ଟିମ୍ ପହଞ୍ଚିଛି । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛି ଟିମ୍ । ମାଟି ଅତଡା ଖସିଥିବା ସ୍ଥାନରୁ ୨୦ ଫୁଟ ଦୂରରେ ପାଣି ଜମି ଥିବାରୁ ଘଟଣାସ୍ଥଳକୁ ଯାଇ ପାରୁନଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ । ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଠିକା ସଂସ୍ଥା କର୍ମଚାରୀ ମନା କରିଦେଇଛି । ଖୋର୍ଦ୍ଧା- ବଲାଙ୍ଗୀର ରେଳ ଟନେଲ ଭୁଶୁଡିଥିଲା । ଟନେଲ ଭୁଶୁଡି ୩୦ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । କିଛିଦିନ ତଳେ କାର୍ଯ୍ୟକ୍ଷମ ହୋଇଥିଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଲୱେର ଚାରି ନମ୍ବର ଟନେଲ ଧସିଯାଇଛି ।

ଏହି ଟନେଲ ଭାରତର ଦୀର୍ଘତମ ଟନେଲ ବୋଲି କୁହାଯାଉଛି । ଯାହାର ଲମ୍ବ ପ୍ରାୟ ଚାରି କିଲୋମିଟରରୁ ଅଧିକ । ଆଡ଼େନିଗଡ଼ କଖାରୁଫାଳ ନିକଟରେ ଟନେଲଟି ଧସି ଯାଇଛି । ପ୍ରାୟ ୩୦ ଫୁଟରୁ ଅଧିକ ତଳକୁ ମାଟି ଭୁଶୁଡ଼ି ଯାଇଛି । ଭୁଶୁଡ଼ି ଯାଇଥିବା ଟନେଲର ଚାରିପଟେ ଆବଦ୍ଧ କରି ଦିଆଯାଇଛି। ଟନେଲ ଭିତରେ କିଏ କିଏ ରହିଯାଇଛି କି, କେତେଜଣ କାମ କରୁଥିଲେ ତାହା ଅସ୍ପଷ୍ଟ ରହିଛି । ଏହି ଟନେଲ କାମ GRIL ନାମକ ଏକ ଠିକା ସଂସ୍ଥା କରୁଛି । ଟନେଲ ଧସିବା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି।…ଟନେଲର ନିମ୍ନମାନର କାମ ଅଭିଯୋଗ କରିଛନ୍ତି ପିସିସି ସଭାପତି । କାମର ତଦାରଖ କିମ୍ବା ସମୀକ୍ଷା ମଧ୍ୟ କରାଯାଇନଥିବା ସେ କହିଛନ୍ତି । କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଞ୍ଚି ନିରୀକ୍ଷଣ କରିବେ ବୋଲି ସୂଚନା ମିଳିଛି ।

ବେଦାନ୍ତ ଆଲୁମିନିୟମର ମେଗା ସ୍ବାସ୍ଥ୍ୟ ଶିବିର

ନନ୍ଦିଘୋଷ ବ୍ୟୁରୋ: ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକର ମୁଣ୍ଡେରଖେତ ପଞ୍ଚାୟତ କାର୍ଯ୍ୟାଳୟରେ ମେଗା ସ୍ୱାସ୍ଥ୍ୟ ଶିବିର । ୨୦୦ରୁ ଅଧିକ ଲୋକଙ୍କୁ ଦିଆଗଲା ସ୍ବାସ୍ଥ୍ୟସେବା । ବେଦାନ୍ତ ଦ୍ୱାରା ମୁଣ୍ଡେରଖେତ, ଝାରପାଲମ, ଗର୍ଜନଜୋର ଓ ନିକଟସ୍ଥ ପଞ୍ଚାୟତକୁ ସାମିଲ କରି ଗ୍ରାମୀଣ ସମ୍ପ୍ରଦାୟ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ଏହି ପଦକ୍ଷେପ ନିଆଯାଇଥିଲା । ହେମଗିରର ମୁଣ୍ଡେରଖେତ ପଞ୍ଚାୟତ ସରପଞ୍ଚ ସନ୍ୟାସୀ ବାଗଙ୍କ ଉପସ୍ଥିତିରେ ହେମଗିର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଚିନ୍ମୟ କୁମାର ମିଶ୍ର ଶିବିରକୁ ଉଦଘାଟନ କରିଥିଲେ ।

ଶିବିରରେ ଅସ୍ଥିଶଲ୍ୟ, ପ୍ରସୂତି ଏବଂ ସ୍ତ୍ରୀ ରୋଗ, ଶିଶୁ ରୋଗ, ଚର୍ମରୋଗ, ଇଏନଟି, ଛାତି ଏବଂ ଯକ୍ଷ୍ମା ଚିକିତ୍ସା ସହିତ ମାଗଣା ଔଷଧ ବଣ୍ଟନ ଓ ପରାମର୍ଶ ଦିଆଯାଇଥିଲା । କମ୍ପାନୀର ଗୋଷ୍ଠୀ କେନ୍ଦ୍ରୀକ ସ୍ୱାସ୍ଥ୍ୟସେବା ପଦକ୍ଷେପ ବିଷୟରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ‘ବେଦାନ୍ତରେ, ଆମେ ସମସ୍ତଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଦେଉଛୁ । ଏପରି ଶିବିର ମାଧ୍ୟମରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଓ ଆମ ଗୋଷ୍ଠୀ କଲ୍ୟାଣ ଉପରେ ସ୍ଥାୟୀ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ । ଜିଲ୍ଲା ପ୍ରଶାସନ ସହିତ ସହଭାଗୀ ହୋଇ, ଆମେ ଯେଉଁ ଅଞ୍ଚଳରେ କାର୍ଯ୍ୟ କରୁଛୁ ସେହି ଅଞ୍ଚଳର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରିବୁ । ମୁଣ୍ଡେରଖେତ ସରପଞ୍ଚ ସନ୍ୟାସୀ ବାଗ୍ କହିଛନ୍ତି, ଆମ ଅଞ୍ଚଳର ଲୋକଙ୍କ ପାଇଁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଏକ ଚ୍ୟାଲେଞ୍ଜ । ବିଶେଷକରି ବୟସ୍କ ଓ ମହିଳାମାନଙ୍କ ପାଇଁ । ଏହି ମେଗା ସ୍ବାସ୍ଥ୍ୟ ଶିବିର ଆମ ଅଞ୍ଚଳରେ ଆୟୋଜନ ପାଇଁ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ।

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଓ ତୃଣମୂଳ ସ୍ତରୀୟ କ୍ରୀଡା, ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି । ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବାର ପ୍ରତିବଦ୍ଧତାକୁ ରେଖାଙ୍କିତ କରେ । ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଓ ଉନ୍ନତି ପ୍ରତି ଗୋଷ୍ଠୀ ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ ।

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା

ନନ୍ଦିଘୋଷ ବ୍ୟୁରୋ: ଜେଲ ଗଲା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ଜ୍ୟୋତି । ଜ୍ୟୋତି ବିରୋଧରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ରହିଛି । ଆଜି ରିମାଣ୍ଡ ଅବଧି ଶେଷ ପରେ ହରିୟାଣାର ହିସାର କୋର୍ଟରେ ହାଜର କରିଥିଲା ପୋଲିସ । ୯ ଦିନିଆ ରିମାଣ୍ଡରେ ନେଇ ତନାଘନା କରିଥିଲା ହରିୟାଣା ପୋଲିସ । ପ୍ରଥମେ ୫ ଦିନ ଓ ପରେ ୪ ଦିନିଆ ରିମାଣ୍ଡରେ ନେଇ ଗୁଇନ୍ଦାଗିରି ନେଇ ଖୋଳତାଡ଼ କରିଥିଲା ପୋଲିସ । ଯାଞ୍ଚ ବେଳେ ଜ୍ୟୋତିଙ୍କ ଫୋନ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀରୁ ବହୁ ଗୁରୁତ୍ବପୁର୍ଣ୍ଣ ତଥ୍ୟ ମିଳିଛି ।

ଜ୍ୟୋତିଙ୍କ ପାଖରୁ ମିଳିଛି ୧୪ ଟିବି ଡାଟା । ଜ୍ୟୋତିଙ୍କ ପାକିସ୍ତାନ ଆଇଏସଆଇ ସହିତ  ସମ୍ପର୍କ ଥିବା ଆଶଂକା କରାଯାଉଛି । ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜ୍ୟୋତିଙ୍କୁ କରାଯାଉଥିଲା ଜେରା । ପାକିସ୍ତାନ ଏଜେଣ୍ଟଙ୍କୁ ତଥ୍ୟ ଦେଉଥିବା ମିଳିଛି ପ୍ରମାଣ । ଜ୍ୟୋତିଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କାର ହିସାବ କରାଯାଉଛି । ଜ୍ୟୋତିଙ୍କୁ ପାକିସ୍ତାନରେ ମିଳୁଥିଲା ଭିଆଇପି ସିକ୍ୟୁରିଟି । ଏକେ-47 ବନ୍ଧୁକଧାରୀ ସୁରକ୍ଷାକର୍ମୀ ପାକିସ୍ତାନରେ ଜ୍ୟୋତିଙ୍କୁ ଦେଉଥିଲେ ସୁରକ୍ଷା । ୬ ଜଣ ବନ୍ଧୁକଧାରୀ ପୁରୁଷ ଗାର୍ଡଙ୍କ  ସୁରକ୍ଷା ବଳୟରେ ରହୁଥିଲେ । ପାକିସ୍ତାନର ସୁରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କୁ ସେ ଭେଟିଥିବା ଜଣାପଡିଛି । ପାକିସ୍ତାନର ହାଇପ୍ରୋଫାଇଲ ପାର୍ଟିରେ ଯୋଗ ଦେବାକୁ ମିଳୁଥିଲା ନିମନ୍ତ୍ରଣ । ନାମିଦାମୀ ହୋଟେଲରେ ରହିବା ସହ ବଡ଼ ବଡ଼ ରେଷ୍ଟୁରାଣ୍ଟରେ ଖାଉଥିଲେ ।

ପରିଚାଳନା କମିଟି ବିନା ପ୍ରସ୍ତୁତ ହେଲା ରଥଯାତ୍ରା ନୀତି ନିର୍ଘଣ୍ଟ, ଭାଙ୍ଗିଲା ଶ୍ରୀମନ୍ଦିର ପ୍ରଶାସନ ପରମ୍ପରା

ନନ୍ଦିଘୋଷ ବ୍ୟୁରୋ: କୋଟି କୋଟି ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିରର ନୀତି ନିୟମକୁ ମୋଡି ମକଚି ଦଳି ଦେଲେ । ବିନା ପରିଚାଳନା କମିଟିରେ ରଥଯାତ୍ରାର ବ୍ୟବସ୍ଥାବଳି ପ୍ରସ୍ତୁତରେ ଲାଗି ପଡିଛନ୍ତି ସରକାର। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କଠାରୁ ଆରମ୍ଭ କରି ସେବାୟତ ଝାଡ଼ିଛନ୍ତି ଅସନ୍ତୋଷ । ନିୟମ ବାହାରେ କାର୍ଯ୍ୟ ଓ ଏଭଳି ହେବା ଦ୍ୱାରା ଆଗାମୀ ଦିନରେ ବଡ଼ ବିଭ୍ରାଟକୁ ଏଡାଇ ଦିଆଯାଇ ନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଶ୍ରୀମନ୍ଦିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପରିଚାଳନା କମିଟି ବିନା ଚାଲିଛି ରଥଯାତ୍ରା ପ୍ରସ୍ତୁତି । ସମ୍ପୂର୍ଣ୍ଣ ଏକ ପାଖିଆ ଭାବେ ସବୁ ନୀତି ନିୟମକୁ ପାଦରେ ଦଳି ଶ୍ରୀମନ୍ଦିରର କାର୍ଯ୍ୟକୁ ଜୋର ଜବରଦସ୍ତ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ବଢିଛି । ଧାରା ୫ ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟିରେ ୧୮ ଜଣ ସଦସ୍ୟ ରହିବେ । ଗଜପତି ମହାରାଜ କମିଟିର ଅଧ୍ୟକ୍ଷ ରହିବା ସହ ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଆଇନ ବିଭାଗ ସଚିବ, ଦେବୋତ୍ତର କମିଶନର, ପାଞ୍ଚ ଜଣ ସେବକଙ୍କ ସମେତ ମଠ, ମୁକ୍ତି ମଣ୍ଡପ ତଥା ଚଟାର୍ଡ ଆକାଉଣ୍ଟାଣ୍ଟ ରହିବା କଥା । ଗତ ବର୍ଷ ସେପ୍ଟେମ୍ବର ମାସରୁ ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଏ ଯାଏଁ ନୂଆ ପରିଚାଳନା କମିଟି ଗଠନ ନକରି ଏକ୍ସ ଅଫିସିଓ ସଦସ୍ୟଙ୍କୁ ନେଇ ରଥଯାତ୍ରା ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଛି । ଯାହା କି ଆଦୌ ଗ୍ରହଣୀୟ କିମ୍ବା ଆଇନ ସମ୍ମତ ନୁହେଁ ବୋଲି କୁହାଯାଇଛି । ବୈଠକକୁ ଏକପାଖିଆ ନିଷ୍ପତ୍ତି ବୋଲି କହିଛନ୍ତି ପୂର୍ବ ଶ୍ରୀମନ୍ଦିର ପ୍ରଶାସକ । ଶ୍ରୀମନ୍ଦିରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପରିଚାଳନାରେ ଏହା ବିଭ୍ରାଟ ସୃଷ୍ଟି କରିପାରେ । ଜଗନ୍ନାଥ ସଂସ୍କୃତି ଗବେଷକ ମଧ୍ୟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ନଥାଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଯେଉଁଥିରେ ରଥଯାତ୍ରା ନୀତି ନିର୍ଘଣ୍ଟ ସହ ଅନ୍ୟାନ୍ୟ ବ୍ୟବସ୍ଥାବଳୀ ସମ୍ପର୍କରେ ଆଲୋଚନା ହୋଇଛି । ବିନା ପରିଚାଳନା କମିଟିରେ କୌଣସି ଆର୍ଥିକ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ । ବ୍ୟବସ୍ଥା ଅନୁଯାୟୀ ଏହି କମିଟି ଅନୁମୋଦନ ନ ଦେଲେ ଆର୍ଥିକ କାର୍ଯ୍ୟକୁ ଗ୍ରହଣ କରାଯାଇ ପାରିବ ନାହିଁ । ପରିଚାଳନା କମିଟି ନଥିବାରୁ ଶ୍ରୀମନ୍ଦିର ପ୍ରଶାସନର ଆଜି ସ୍ଵତନ୍ତ୍ର ବୈଠକ ବସିଥିଲା । ଏଥିରେ ପରିଚାଳନା କମିଟିର ଏକ୍ସ-ଅଫିସିଓ ସଦସ୍ୟମାନେ ଯୋଗ ଦେଇଥିଲେ । ତେବେ ଏଭଳି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବ ରଥଯାତ୍ରା ସମୟରେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀମନ୍ଦିରରେ ବିଭ୍ରାଟ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ନିୟମ ବାହାରକୁ ଯାଇ ବିନା ପରିଚାଳନା କମିଟିରେ ଏଭଳି ନିଷ୍ପତ୍ତି ସ୍ଥିତିକୁ ଜଟିଳ କରିଛି ।

୧୧ ମାସ ହେଲା ସରିଲାଣି ନିର୍ବାଚନ: ଏଯାଏଁ ସରିଲାନି ୩ ପ୍ରମୁଖ ଦଳଙ୍କ ସାଙ୍ଗଠନିକ ନିର୍ବାଚନ ପର୍ବ

ନନ୍ଦିଘୋଷ ବ୍ୟୁରୋ: ୨୦୨୪ ନିର୍ବାଚନର ୧୧ ମାସ ପରେ ବି ରାଜ୍ୟର ୩ ପ୍ରମୁ୍ଖ ରାଜନୈତିକ ଦଳ ସାଂଗଠନିକ ନିର୍ବାଚନ ପର୍ବ ଶେଷ କରିପାରୁନାହାନ୍ତି । ଶାସକ ବିଜେପି ବେକରେ ରାଜ୍ୟ ମୁଖିଆ ଚୟନ କଣ୍ଟା ଲାଗିଥିବା ବେଳେ ଜିଲ୍ଲା ସଭାପତି ବାଛି ପାରୁନାହିଁ କଂଗ୍ରେସ । ବିଜେଡି କିନ୍ତୁ ବିଜେପି ଓ କଂଗ୍ରେସଠାରୁ ସାଙ୍ଗଠନିକ ନିର୍ବାଚନରେ ଢେର ଆଗରେ ରହିଛି । ବିଜେପି, ବିଜେଡି ଓ କଂଗ୍ରେସ ସଙ୍ଗଠନର ନବକଳେବର କରି ପୁଣି ଥରେ ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବାକୁ ଯୋଜନା କରିଛନ୍ତି ।

ଦଳୀୟ ସାଙ୍ଗଠନିକ ନିର୍ବାଚନ ପର୍ବରେ କିଏ ଆଗରେ ଓ କିଏ ପଛରେ ? ଡେଡଲାଇନ ପରେ ଡେଡଲାଇନ ସରୁଛି ହେଲେ ଶାସକ ବିଜେପିର ରାଜ୍ୟ ମୁଖିଆ କିଏ ହେବ ତାହା ସ୍ଥିର ହୋଇପାରୁନାହିଁ । ବିଜେପିର ପରବର୍ତ୍ତୀ ରାଜ୍ୟ ସଭାପତି କିଏ ହେବ ତାହାକୁ ନେଇ ଦଳରେ ସସପେନ୍ସ ଜାରି ରହିଛି । ରାଜ୍ୟ ନେତୃତ୍ବରୁ କେନ୍ଦ୍ରୀୟ ନେତୃତ୍ବ ଯାଏଁ ସଭାପତି ଚୟନ ନେଇ ଚାଲିଛି କସରତ । ଏହାକୁ ନେଇ ଓଡିଶାରେ ବ୍ୟାକଫୁଟରେ ବିଜେପି ସଙ୍ଗଠନ । ଏହାର ପ୍ରଭାବ ବି ତୃଣମୂଳସ୍ତରେ ପଡୁଛି । ନେତାଙ୍କ ମୁହଁରେ ଗୋଟିଏ କଥା, ଶୀଘ୍ର ସଭାପତି ଚୟନ ପ୍ରକ୍ରିୟା ଶେଷ ହେବ ।

ଅନ୍ୟପଟେ ୩୦ ଜଣିଆ ପିସିସି ଟିମ ଗଠନ କରିବା ପରେ ବି କଂଗ୍ରେସ ଜିଲ୍ଲା ସଭାପତି ଚୟନ କରିପାରୁନାହିଁ । ପିସିସି ଟିମକୁ ନେଇ ଦଳରେ ବରିଷ୍ଠ ନେତାମାନେ ଅସନ୍ତୋଷ ପ୍ରକାଶ କରିବା ପରେ ଜିଲ୍ଲା ସଭାପତି ଚୟନ ପିସିସି ସଭାପତିଙ୍କ ପାଇଁ ଚ୍ୟାଲେଞ୍ଜ ଭରା ହୋଇଛି । ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, ପିସିସି ସଭାପତି ଜିଲ୍ଲା ବୁଲି ସଭାପତି ଚୟନ କରୁଛନ୍ତି । ଖୁବଶୀଘ୍ର ନାଁ ଘୋଷଣା କରାଯିବ ।

ଅନ୍ୟପଟେ ସାଙ୍ଗଠନିକ ନିର୍ବାଚନ ପ୍ରକିୟାରେ ବେଶ ଆଗରେ ରହିଛି ମୁଖ୍ୟ ବିରୋଧୀ ବିଜେଡି । ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ, ରାଜ୍ୟ ପରିଷଦ, ରାଜନୈତିକ ବ୍ୟାପାର କମିଟି, ଶୃଙ୍ଖଳା କମିଟି ଗଠନ, ୧୦ଟି ଛାମୁଆ ସଙ୍ଗଠନକୁ ନୂଆ ରୂପ ଦେଇଛି ଦଳ । ୩୩ଟି ସାଙ୍ଗଠନିକ ଜିଲ୍ଲା ସଭାପତିରୁ ମାତ୍ର ୯ଟି ଜିଲ୍ଲାର ସଭାପତି ଚୟନ କରିପାରିନାହିଁ ଦଳ । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବାସଭବନରେ ଘନଘନ ବୈଠକ କରାଯାଇ ଜିଲ୍ଲା ସଭାପତି ଚୟନ ଚୂଡାନ୍ତ କରାଯାଇଛି ବୋଲି ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ବିଜେପି ଲାଗି ରାଜ୍ୟ ସଭାପତି ଚୟନ ଟେନସନ ବନିଥିବାବେଳେ କଂଗ୍ରେସ ଜିଲ୍ଲା ସଭାପତିରେ ଝୁଣ୍ଟୁଛି । ବିଜେଡି ୯ ଜିଲ୍ଲା ସଭାପତିଙ୍କ ନାଁ ଝୁଲାଇ ରଖିଛି । ଆଗକୁ ପଞ୍ଚାୟତ ନିର୍ବାଚନ । ଯଦି ସଙ୍ଗଠନ ଅଧା ଗଢା ରହିଲା, ତେବେ ରଣନୀତି କିପରି ଶକ୍ତିଶାଳୀ ହେବ ତାହା ନେତାଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିଜେପିର ବର୍ଷ ପୂର୍ତ୍ତି ଆୟୋଜନ: ବିଜେଡିର ପ୍ରଶ୍ନ, ମାଳମାଳ ପ୍ରତିଶ୍ରୁତି କେତେ ପୂରଣ ହୋଇଛି

ନନ୍ଦିଘୋଷ ବ୍ୟୁରୋ: ବର୍ଷ ପୂର୍ତ୍ତିକୁ ନେଇ ବଡ଼ ଆୟୋଜନ କରୁଛି ବିଜେପି ସରକାର । ନିଜର ସଫଳତା ବଖାଣିବାକୁ ଆରମ୍ଭ କରିଛି ସଜବାଜ । କେନ୍ଦ୍ରୀୟ ନେତୃତ୍ବଙ୍କୁ ଓଡ଼ିଶା ଆଣି ବର୍ଷର ସଫଳତା ଲୋକଙ୍କୁ ଜଣାଇବାକୁ ଦଳ ଅଣ୍ଟା ଭିଡିଛି । ବିଜେପିର ବର୍ଷ ପୂର୍ତ୍ତିକୁ ନେଇ ବିଜେଡି ଲୋକଙ୍କ ସ୍ବର ସାଜି କେତେକ ମୌଳିକ ପ୍ରଶ୍ନ ପଚାରି ସରକାରଙ୍କୁ ଘେରିଛି । ଅନ୍ୟପଟେ କଂଗ୍ରେସ କହିଛି, ବର୍ଷେ ଭିତରେ ଓଡ଼ିଶାରେ କିଛି ହୋଇନି ବୋଲି ଅନୁଭବ କଲେଣି ରାଜ୍ୟବାସୀ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ନିର୍ବାଚନୀ ପ୍ରତିଶ୍ରୁତି ଗୋଟେ ଦିଗରେ, ବିଜେପି ସରକାର ଅନ୍ୟ ଦିଗରେ । ବର୍ଷେ ଭିତରେ ଶାସକ ଦଳର ମନ୍ତ୍ରୀ, ବିଧାୟକ, ସାଂସଦ ସଭା, ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବୁଲାବୁଲିରେ ସମୟ ବିତାଇଲେ । ୨୦୨୪ରେ ଓଡ଼ିଶାବାସୀଙ୍କୁ ଦେଇଥିଲେ ମାଳମାଳ ପ୍ରତିଶ୍ରୁତି । କିନ୍ତୁ ପୂରଣ କରିବାକୁ ଭୂଲିଗଲେ । ଯାହା କିଛି ପ୍ରତିଶ୍ରୁତି ପାଳନ କଲେ ତାହା ପ୍ରତାରଣା ସଦୃଶ । ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା କଥା କହି ପାଞ୍ଚ ବର୍ଷରେ ଦେବାକୁ ଯୋଜନା କାର୍ଯ୍ୟକାରୀ କଲେ । ଯେଉଁଥିରେ ଦିନକୁ ମହିଳାଙ୍କୁ ମିଳିବ ମାତ୍ର ୨୭ ଟଙ୍କା । ଠିକ ସେହିପରି ସମସ୍ତଙ୍କୁ ଭତ୍ତା ୩୦୦୦ ଟଙ୍କା କହି କାର୍ଯ୍ୟକାରୀ କରିବା ବେଳେ କେବଳ ୮୦ ବର୍ଷରୁ ଅଧିକଙ୍କୁ ଏହି ସୁବିଧା ମିଳିଲା । କେନ୍ଦ୍ରାପଡ଼ାରେ ବୃଦ୍ଧ ବ୍ୟକ୍ତି ଭତ୍ତା ଆଣିବାକୁ ରାସ୍ତାରେ ଘୁଷୁଡି ଘୁଷୁଡ଼ି ଗଲେ । ଧାନର କଟନି ଛଟନି ହେବ ନାହିଁ କହି ୫ରୁ ୧୫ କିଲୋ ଯାଏଁ କଟନି ଛଟନି କଲେ । ଠପ୍ ହୋଇଗଲାଣି ବ୍ଲକରୁ ଆରମ୍ଭ କରି ରାଜ୍ୟର ବଡ ବଡ ବିକାଶମୂଳକ ପ୍ରକଳ୍ପର କାମ । ବର୍ଷ ପୂର୍ତ୍ତିରେ ବିଜେପି ସରକାରର ଏପରି ମାଳମାଳ ପ୍ରତିଶ୍ରୁତି କିପରି ପ୍ରତାରଣାରେ ପରିଣତ ହୋଇଛି ସେ କଥା ବଖାଣିଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି ।

ବିଜେପି ସରକାର ନିଜର ବର୍ଷ ପୂର୍ତ୍ତି ପାଳନକୁ ନେଇ ଚଳଚଞ୍ଚଳ ହୋଇଛି । କେନ୍ଦ୍ରୀୟ ନେତୃତ୍ବଙ୍କୁ ଓଡ଼ିଶା ଆଣି ବଡ ସଭା ସମିତି ଜରିଆରେ ସଫଳତାର ତାଲିକା ଦେବାକୁ ଅଣ୍ଟା ଭିଡିଛି । ଲୋକଙ୍କ ସ୍ବର ସାଜି ବିଜେପି ସରକାରର ବିଭିନ୍ନ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିବ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ଅରୁଣ ସାହୁ । ବିଜେପି ଯଦି ନିଜର ସଫଳତା ବଖାଣେ, ତେବେ ଲୋକେ ତାଙ୍କ ବିଫଳତାକୁ ପଦାରେ ପକାଇବେ ବୋଲି ଯୁକ୍ତି ବାଢିଛନ୍ତି ଅରୁଣ । ବର୍ଷେ ହେବ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରୁନି । ତେଣୁ ତୁରନ୍ତ ସରକାର ଲୋକଙ୍କ ସମସ୍ୟା ଦୂର କରନ୍ତୁ ବୋଲି ଦାବି କରିଛି ବିଜେଡି । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ କହିବା କଥା, ବର୍ଷେ ହେବ ଓଡ଼ିଶାରେ କିଛି ହେଉନାହିଁ । ଅନ୍ୟପଟେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବର୍ଷ ପୂର୍ତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ୨୦୩୬ରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

ରାଜ୍ୟ ସରକାର ବର୍ଷ ପୂର୍ତ୍ତୀ ପାଇଁ ସଫଳତାର ତାଲିକା ପ୍ରସ୍ତୁତ କରିଥିବା ବେଳେ ବିଜେଡି ତିଆରି କରିଛି ପ୍ରତାରଣାର ଲମ୍ବା ତାଲିକା ।

ଶିକ୍ଷା କ୍ଷେତ୍ରରେ ବିଜେପି ସରକାରଙ୍କ ବିଫଳତା, ଗତବର୍ଷ ତୁଳନାରେ ଚଳିତବର୍ଷ ଡ୍ରପଆଉଟ ଅଧିକ

ନନ୍ଦିଘୋଷ ବ୍ୟୁରୋ: ଡ୍ରପ ଆଉଟର କାରଣ ଖୋଜା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯେତେ ବି କହିଲେ, ଏହା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଗତବର୍ଷ ଅପେକ୍ଷା ଚଳିତବର୍ଷ ଯୁକ୍ତଦୁଇ ପରୀକ୍ଷାରେ ଡ୍ରପ ଆଉଟ ସଂଖ୍ୟା ବଢିଛି । ଏପରିକି ହଜାର ହଜାର ସଂଖ୍ୟାରେ ଦଶମ ଶ୍ରେଣୀ ପିଲା ବି ପରୀକ୍ଷା ଦେଇନାହାନ୍ତି । ଏହା ବିରୋଧରେ ସରକାରଙ୍କ କାରଣ ଖୋଜା ନୀତିକୁ ନେଇ ପ୍ରଶ୍ନ ଉଠାଇଛି ଶିକ୍ଷକ ସଂଘ ଓ ଅଭିଭାବକ । ସେପଟେ ଛାତ୍ରଛାତ୍ରୀମାନେ ଏଥିପାଇଁ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି ।

ନିର୍ବାଚନ ପୂର୍ବରୁ ଡ୍ରପ ଆଉଟ ବିରୋଧରେ ସ୍ବର ଉଠାଉଥିବା ବିଜେପି ଆଜି ନିଜ ଚକ୍ରବ୍ୟୂହରେ ନିଜେ ଫସି ଯାଇଛି । ସର୍ଭେ ଜରିଆରେ ଡ୍ରପ ଆଉଟର କାରଣ ଖୋଜା ଚାଲିଥିବା ନେଇ ସଫେଇ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ହେଲେ ଡ୍ରପ ଆଉଟର ତଥ୍ୟ ସର୍ଭେର ବିଫଳତାକୁ ପଦାରେ ପକାଇଛି । ଚଳିତବର୍ଷ ଯୁକ୍ତଦୁଇରେ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ ଫର୍ମ ପିଲଅପ୍ କରିଥିବା ବେଳେ ୩ ଲକ୍ଷ ୮୮ ହଜାର ୩୦୧ ଜଣ ପରୀକ୍ଷା ଦେଇଛନ୍ତି । ଅବଶିଷ୍ଟ ୫୩୧୭ ଜଣଙ୍କୁ ଏଯାଏଁ ଖୋଜି ପାରି ନାହାନ୍ତି ସରକାର । କଳାରେ ୩୭୩୮ ଜଣ, ବାଣିଜ୍ୟରେ ୪୧୮ ଜଣ ଏବଂ ବିଜ୍ଞାନରେ ୧୦୧୨ ଜଣ ପରୀକ୍ଷା ଦେଇ ନଥିଲେ । ଧନ୍ଦାମୂଳକ ଶିକ୍ଷାରେ ୧୪୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ । ୨୦୨୪ ମସିହାରେ ଫର୍ମ ଫିଲ ଅପ୍ କରିଥିବା ୩ ଲକ୍ଷ ୮୬ ହଜାର ୧୬୦ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ୩୫୧୪ ଜଣଙ୍କ ପତ୍ତା ପାଇ ନଥିଲେ ସରକାର । ଦଶମରେ ୮୩୬୨ ପିଲା ଫର୍ମ ଫିଲଅପ୍ କରି ପରୀକ୍ଷା ଦେଇ ନାହାନ୍ତି । ଏପରି ସ୍ଥିତିରେ ସରକାରଙ୍କ ସର୍ଭେ ସନ୍ଦେହ ଘେରକୁ ଚାଲିଆସିଛି ।

ସରକାରୀ ସ୍କୁଲ ଓ କଲେଜରେ ଶିକ୍ଷକ ଅଭାବ । ଯାହାକୁ ଏଯାବତ ପୂରଣ କରି ପାରିଲେ ନାହିଁ ସରକାର । ଫେବୃଆରୀ ୧ ଯାଏଁ ମିଳିଥିବା ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୨୨୫୦ ପ୍ରଧାନଶିକ୍ଷକ ପଦ ଖାଲି ପଡ଼ିଛି । ସାରା ରାଜ୍ୟରେ ୫ ହଜାର ୧୯୯ ସହକାରୀ ଶିକ୍ଷକ ପଦ ଏଯାଏଁ ଖାଲି ପଡ଼ିଛି । ଏହି ତାଲିକାରେ ୫୮୨ ଖାଲି ପଦ ସହ ଶୀର୍ଷରେ ରହିଛି କଟକ ଜିଲ୍ଲା । ସେପଟେ ଅଣଶିକ୍ଷକ ଭାବେ ୬୧୧ କିରାଣୀ, ୫୦୮୮ ପିଓନ ଓ ୧୫୫୦ ରାତ୍ରୀ ଜଗୁଆଳି ପଦ ଖାଲି ପଡ଼ିଛି । ତାଲିକା ଆହୁରି ଅଧିକ ବଢିପାରେ । ଶିକ୍ଷକ ଅଭାବକୁ ଅଭିଭାବକ ଓ ଶିକ୍ଷକ ଦାୟୀ କରିବା ସହ କେଉଁ ଆଧାରରେ ଡ୍ରପ ଆଉଟର କାରଣ ଖୋଜା ଚାଲିଛି ବୋଲି ପ୍ରଶ୍ନ ଉଠାଇଛନ୍ତି । ସେପଟେ ପିଲାମାନେ ଆଣିଛନ୍ତି ଗୁରୁତର ଅଭିଯୋଗ । ଗୁଣାତ୍ମକ ଶିକ୍ଷାଭିତ୍ତିକ ଶିକ୍ଷାଦାନ ବଦଳରେ ଦରମା ଭିତ୍ତିକ ଶିକ୍ଷାଦାନକୁ ଗୁରୁତ୍ବ ଦେଉଛନ୍ତି ଶିକ୍ଷକ ।

ଡ୍ରପ ଆଉଟ ରୋକିବା ବି ସରକାରଙ୍କ ପବ୍ଲିସିଟି ଷ୍ଟଣ୍ଟ ପାଲଟି ଯାଇଥିବା ନେଇ ଅଭିଯୋଗ ଉଠିଲାଣି । ପିଲାମାନଙ୍କୁ କିପରି ସ୍କୁଲକୁ ଫେରାଇ ଅଣାଯିବ, ସେ ଦିଗରେ କାମ ନକରି ସ୍କୁଲର ରଙ୍ଗ ପରିବର୍ତ୍ତନ ଚାଲୁଥିବାରୁ ସମସ୍ୟା ଜଟିଳ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଜଲିଉଡରେ ପୁଣି ବିବାଦ: ଅଭିନେତ୍ରୀ ମାମୁନି ବକେୟା ଟଙ୍କା ମାଗିବାରୁ ଯାତ୍ରା ମାଲିକ ମାଡ଼ ମାରିଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଥମୁନି ଯାତ୍ରା ବିବାଦ । ମାଲିକଙ୍କ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରା ପାର୍ଟି ଅଶୋକ ସମ୍ରାଟର ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ଓ ତାଙ୍କ ସ୍ଵାମୀ ବାପି କୁମାର । ଅଶଳୀନ ଗାଳିଗୁଲଜ କରିବା ସହ ମାଡ଼ ମରାଯାଇଥିବା ନେଇ ଥାନାରେ ଏତଲା ହୋଇଛି । ସେପେଟ ଅଭିଯୋଗକୁ ମାଲିକ ଅନନ୍ତ ନାରାୟଣ ଧଳ ଖଣ୍ଡନ କରିଥିବାବେଳେ କଳାକାରଙ୍କ ସପକ୍ଷରେ ବାହାରିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଉପଦେଷ୍ଟା ବାପି ପଣ୍ଡା ।

ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଯାତ୍ରା ପାର୍ଟି ଅଶୋକ ସମ୍ରାଟର ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ଏବଂ ତାଙ୍କ ସ୍ଵାମୀ ବାପି କୁମାର । ୩ ମାସର ବକେୟା ୭ ଲକ୍ଷ ଟଙ୍କା ମାଗିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ବାଲିଆପାଳରେ ଯାତ୍ରା ଚାଲିଥିବା ସମୟରେ ମାଲିକ ୧ ଲକ୍ଷ ଟଙ୍କା ଦେଇଥିଲେ । ତେବେ ଅବଶିଷ୍ଟ ଟଙ୍କା ମାଗିବାରୁ ୨୪ ତାରିଖ ରାତିରେ କମିଟି ମେମ୍ବରଙ୍କୁ ଲଗାଇ ମାଡ ମାରିଥିବା ଅଭିଯୋଗ କରିଛନ୍ତି ମାମୁନି । ସେପଟେ ଅଭିନେତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଉପଦେଷ୍ଟା ବାପି ପଣ୍ଡା । ଯାତ୍ରାରେ କଳାକାରଙ୍କ ପ୍ରତି ଅନ୍ଯାୟ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।

ସେପଟେ ମାମୁନିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ । ମାମୁନିଙ୍କ କୌଣସି ବକେୟା ଟଙ୍କା ତାଙ୍କ ନିକଟରେ ନାହିଁ । ଆଗାମୀ ବର୍ଷ ପାଇଁ ସେ ୫ ଲକ୍ଷ ଟଙ୍କା ନେଇ ସାରିଛନ୍ତି । ତାଙ୍କର କମିଟି ସହ ଝଗଡ଼ା ହୋଇଛି । ପୋଲିସକୁ ମାମଲାରେ ସମ୍ପୂର୍ଣ ସହଯୋଗ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଅନନ୍ତଙ୍କ ସପକ୍ଷରେ ସାମ୍ନାକୁ ଆସିଛନ୍ତି ରାଜଧାନୀ ଯାତ୍ରା ପରିଚାଳକ ଜଗତ ଜୀବନ ପଣ୍ଡା । ମାର୍ଚ୍ଚ ମାସରୁ ଆସନ୍ତା ଯାତ୍ରା ଋତୁରେ ଦୁଇଜଣଙ୍କୁ ପାର୍ଟିକୁ ନେବେ ନାହିଁ ବୋଲି ମନା କରିଛନ୍ତି ଜଗତ ଜୀବନ ।

ସେପଟେ ଯାତ୍ରା ଅଶୋକ ସମ୍ରାଟରେ ମାଲିକ ଓ ଅଭିନେତ୍ରୀ ବିବାଦକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି ତାରିଣୀ ଯାତ୍ରା କମିଟି । ବାଲେଶ୍ବର ଜିଲ୍ଲା ତାରିଣୀ ଯାତ୍ରା କମିଟି ଆନୁକୁଲ୍ଯରେ ଗତ ୨୨ ତାରିଖରୁ ୨୪ ତାରିଖ ୩ ଦିନ ଯାତ୍ରା ପରିବେଷଣ ହେବାକୁ ଥିଲା । ୨୨ ତାରିଖରେ ନାୟକ ଚନ୍ଦନଙ୍କ ଅନୁପସ୍ଥିତ, ନାୟିକା ମାମୁନି ଏବଂ ଉପସ୍ଥାପକ ବାପିଙ୍କ ଟଙ୍କା ନେଣଦେଣକୁ ନେଇ ଷ୍ଟେଜକୁ ଆସିବାକୁ ମନା କରିବାରୁ ସେଦିନ ଯାତ୍ରା ବନ୍ଦ ରହିଥିଲା । ୨୩ ତାରିଖରେ ବାପିଙ୍କୁ ଷ୍ଟେଜକୁ ଚଢିବାକୁ କମିଟି ବିରୋଧ କରିଥିଲା । ଏଥିରେ ବାପିଙ୍କ ସ୍ତ୍ରୀ ମାମୁନି ଉତକ୍ଷିପ୍ତ ହୋଇ କମିଟି ସଦସ୍ଯଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଯାତ୍ରା ପାର୍ଟି ମ୍ଯାନେଜରଙ୍କୁ ମଧ୍ଯ ଠେଲାପେଲା କରିଥିବା ପାଲଟା ଅଭିଯୋଗ କରିଛି କମିଟି । ଅଯଥାରେ ମାମୁନି ବଦନାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଯାତ୍ରା କମିଟି ସଦସ୍ୟ । ସେପଟେ କ୍ଯାସିୟର କହିଛନ୍ତି, ମାମୁନି ଚୁକ୍ତି ଅନୁଯାୟୀ ସମସ୍ତ ଟଙ୍କା ନେବା ସହ ଅଗ୍ରୀମ ନେଇଥିବା ଦୁଇ ଲକ୍ଷ ଟଙ୍କା ଯାତ୍ରାକୁ ଫେରାଇବାର ଅଛି ।

୧୦ ବର୍ଷ ପରେ ପୁଣି ଫେରିଲା ଦଶନ୍ଧୀ ପୂଜା, ଅନ୍ୟ ଅଞ୍ଚଳ ଲୋକଙ୍କ ଗାଁ ପ୍ରବେଶ ମନା

ନନ୍ଦିଘୋଷ ବ୍ୟୁରୋ: ୧୦ ବର୍ଷ ପରେ ଗାଁକୁ ଫେରିଛି ଦଶନ୍ଧୀ ପୂଜା । ଅନେକ ନିୟମ ମାନି ପୂଜାର୍ଚ୍ଚନା କରୁଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କୁଟଲିଂ ଗାଁ ଲୋକେ । ପୂଜା ସମୟରେ ଗାଁକୁ ଅନ୍ୟ ଅଞ୍ଚଳର ଲୋକ ଯିବା ନିଷେଧ କରାଯାଇଛି । ଗାଁରୁ ରୋଗବ୍ୟାଧି ଦୂର, ବନ୍ୟଜନ୍ତୁଙ୍କ କବଳରୁ ଗ୍ରାମବାସୀଙ୍କୁ ବଞ୍ଚାଇବା ପାଇଁ କରାଯାଉଛି ପୂଜା ।

ଗାଁ ରାସ୍ତା ଶୂନଶାନ । ଆଉ ସମସ୍ତେ ଖାଲି ପାଦରେ ଚାଲୁଛନ୍ତି । କାହା ଘରେ ଜଳୁନି ଚୂଲି, କେହି ଚଲାଉ ନାହାଁନ୍ତି ସାଇକେଲ କିମ୍ବା ଗାଡି । କାହାରି ଘର ଓଳା ମଧ୍ୟ ଯାଉନି । ସବୁଠୁ ବଡ କଥା ହେଲା ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ବାଉଁଶ ବନ୍ଧା ଯାଇଛି । ଆଉ ପ୍ରବେଶ ପଥରେ ପଡିଛି ଝୋଟି ଚିତା । ଏଭଳି ବିଚିତ୍ର ଦୃଶ୍ଯ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧୀନ କୁଟଲିଂ ଗାଁରେ । ଚାଲିଛି ଦଶନ୍ଧୀ ପୂଜା । ଦୀର୍ଘ ୧୦ ବର୍ଷ ପରେ ପଡିଛି ଶୁଭଲଗ୍ନ, ଆଉ ଗାଁରେ ଚାଲିଛି ପୂଜାର୍ଚ୍ଚନା । ଆଉ ଏହି ଦଶନ୍ଧୀ ପୂଜା ଗାଁର ସୁରକ୍ଷା ଅର୍ଥାତ ରୋଗବ୍ୟାଧି, ବନ୍ୟ ଜୀବଜନ୍ତୁଙ୍କ କବଳରୁ ଗ୍ରାମ ଓ ଗ୍ରାମବାସୀଙ୍କୁ ବଞ୍ଚାଇବା ପାଇଁ କରାଯାଉଛି । ଯେଉଁଥିରେ କୁଟଲିଂ ରାଜସ୍ବ ଗ୍ରାମ ଅଧୀନରେ ଥିବା ୧୩ ଗୋଟି ଗାଁ ଲୋକେ ସାମିଲ ହୋଇଛନ୍ତି ।

ଦୁଇ ଦିନ ଧରି ଚାଲିଥିବା ଏହି ଦଶନ୍ଧି ପୂଜାରେ ଗ୍ରାମବାସୀ ଅନେକ ନିୟମରେ ବନ୍ଧା ଥାନ୍ତି । ଏହି ସମୟରେ ଗ୍ରାମକୁ ଅନ୍ୟ ଅଞ୍ଚଳର ଲୋକ କେହି ଆସିପାରିବେ ନାହିଁ କିମ୍ବା ଗ୍ରାମବାସୀ ମଧ୍ୟ ବାହାରକୁ ଯାଇପାରିବେ ନାହିଁ । ଯଦି କେହି ବାହାର ଲୋକ ଗାଁକୁ ଯାଏ ତେବେ ସେ ମଧ୍ଯ ନିୟମ ମାନିବାକୁ ବାଧ୍ଯ । ସବୁଠାରୁ ବଡ କଥା ପୂଜା ସ୍ଥଳୀକୁ ମହିଳାମାନେ ଯିବେ ନାହିଁ କିମ୍ବା ବାହାର ଲୋକ କେହି ପୂଜା ଚାଲିଥିବା ବେଳେ ଦେଖିପାରିବେ ନାହିଁ । ଦୁଇ ଦିନ ଭିତରେ ସମସ୍ତ ନୀତିକାନ୍ତି ଅନୁସାରେ ତିନି ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ସରିଥାଏ ନିୟମ । ଆଉ ସ୍ୱାଭାବିକ ଅବସ୍ଥାକୁ ଫେରିଥାଏ ଗାଁ ।

ବିରି ମଞ୍ଜି ବଣ୍ଟନରେ ଦୁର୍ନୀତି: ଅଧ କିଲୋ ବିହନ ଦେଇ ୮ କିଲୋ ଲେଖି ଟଙ୍କା ହରିଲୁଟ

ନନ୍ଦିଘୋଷ ବ୍ୟୁରୋ: ବଡ଼ମ୍ବା ବ୍ଲକରେ ବିରି ମଞ୍ଜି ବଣ୍ଟନରେ ବ୍ୟାପକ ଦୁର୍ନୀତି । ଅଧ କିଲୋ ମଞ୍ଜି ଦେଇ ଚାଷୀଙ୍କୁ ୮ କିଲୋ ଦିଆଯାଇଥିବା ପଡ଼ିଥିବା ଅଭିଯୋଗ ହୋଇଛି । ବଡମ୍ବା ବେଲିଆପାଳ ପଞ୍ଚାୟତରୁ ଆସିଛି ଏମିତି ଅଭିଯୋଗ । ଏନଜିଓ ସଂସ୍ଥା ଓ ବିଭାଗୀୟ ଅଧିକାରୀ ହରିଲୁଟ କରିଥିବା ହୋଇଛି ଅଭିଯୋଗ ।

ଅଧ କିଲୋ ମଞ୍ଜି ଦେଇ ଚାଷୀଙ୍କ ନାଁରେ ପଡ଼ିଛି ୮ କିଲୋ । କଟକ ଜିଲ୍ଲା ବଡ଼ମ୍ବା ବ୍ଲକରେ ବିରି ମଞ୍ଜି ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଚାଷୀଙ୍କ ନାଁରେ ହେଉଛି ବେଧଡ଼ ମଞ୍ଜି ଲୁଟ । ସରକାରୀ ବାବୁ ଓ ବଣ୍ଟନ ଦାୟିତ୍ବରେ ଥିବା ଏନଜିଓର ମଧୁଚନ୍ଦ୍ରିକାରେ ଏପରି ହରିଲୁଟ ହୋଇଛି । ଆଉ ଏଥିରେ ସାମିଲ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ସାମିଲ ଥିବା ଚାଷୀ ଅଭିଯୋଗ କରିଛନ୍ତି ।

ବେଲିଆପାଳ ଗାଁର କୁମୁଦିନି ସାହୁ । କୃଷି ବିଭାଗ ପକ୍ଷରୁ ତାଙ୍କୁ ମିଳିଛି ୫୦୦ ଗ୍ରାମ ବିରି ବିହନ । କିନ୍ତୁ ସରକାରୀ ତଥ୍ୟରେ ଦର୍ଶାଯାଇଛି ତାଙ୍କୁ ୮ କିଲୋ ବିହନ ମିଳିଛି । ସେହିପରି ଏକ ଏକରରୁ ଅଧିକ ଜମି ଥିବା ସୁପ୍ରଭା ମୁଦୁଲିଙ୍କୁ ମଧ୍ୟ  ମାତ୍ର ଅଧି କିଲୋ ବିହନ ମିଳିଛି । ଏପରି ଆହୁରି ଅନେକ ଚାଷୀ ଅଧ କିଲୋ ବିହନ ପାଇଥିବା ଅଭିଯୋଗ କରିଛନ୍ତି ।

ବଡ଼ମ୍ବା ବ୍ଲକକୁ ରାଜ୍ୟ ସରକାର ଚଳିତ ବର୍ଷ ୧୦୦ କ୍ୱିଣ୍ଟାଲ ବିରି ଦେଇଥିଲେ । ଚାଷୀ ଚିହ୍ନଟ କରି ବିହନ ବଣ୍ଟନ କରିବା ଦାୟିତ୍ବ ହେଉଛି ଭିଏଡବ୍ଲ୍ୟୁଙ୍କର । ହେଲେ ବ୍ଲକରେ ବଣ୍ଟନ ଦାୟିତ୍ବରେ ଥିବା ଏନଜିଓ ଓ ଭିଏଡବ୍ଲ୍ୟୁ କେମିତି ଚାଷୀଙ୍କୁ ଏତେ କମ ପରିମାଣରେ ବିରି ବିହନ ବଣ୍ଟନ କଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଏନେଇ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ଦୁର୍ନୀତି ନେଇ ତାଙ୍କ ପାଖରେ କିଛି ଖବର ନଥିବା ସେ କହିଛନ୍ତି । ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି ।

ସରକାରୀ ବିହନକୁ ଅନାଇ ଚାଷୀ ହନ୍ତସନ୍ତ ହେଲେ । ନିଅଣ୍ଟିଆ ବିହନ ପାଇଁ ଚାଷ କାର୍ଯ୍ୟ ବି ବାଧାପ୍ରାପ୍ତ ହେଲା । ଏଥିପାଇଁ କିଏ ଦାୟୀ ? କାହିଁକି ଚାଷୀଙ୍କୁ ଧାର୍ଯ୍ୟ ପରିମାଣଠାରୁ କମ ବିହନ ବଣ୍ଟନ ହେଲା । କୃଷି ମନ୍ତ୍ରୀ ଓ ତାଙ୍କ ବିଭାଗ ଏ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ଉଠିବାରେ ଲାଗିଛି ।