spot_img
Home Blog Page 7161

ଚଳିତ ମାସରେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ରାଜ୍ୟର ୧୧ ଜିଲ୍ଲାରେ ଆଜିଠୁ ସଟ୍‌ଡାଉନ୍‌

ଭୁବନେଶ୍ୱର: ଜୁନ ମାସର ସମସ୍ତ ଶନିବାର ଓ ରବିବାର ସଟ୍‌ଡାଉନ୍‌ । ଅତି ଆବଶ୍ୟକ ନଥିଲେ ବାହାରକୁ ଯିବା ମନା । ଆଜିଠୁ ଆରମ୍ଭ ହେଉଛି ଏହି ଦୁଇ ଦିନିଆ ସଟ୍‌ଡାଉନ୍‌ । କିନ୍ତୁ ଏଥିରେ କିଛି ମାତ୍ରାରେ କୋହଳ କରିଛନ୍ତି ରାଜ୍ୟ ସରକାର । ଏହା ପୂର୍ବ ଭଳି କଡ଼ା ହେବ ନାହିଁ । ମାସକରେ ୮ଦିନ ସଂକ୍ରମଣକୁ  ସଟ୍‌ଡାଉନ୍‌ ପାଇଁ ଟାର୍ଗେଟ୍‌ । ରାତ୍ରୀ କର୍ଫ୍ୟୁକୁ ହିସାବକୁ ନେଲେ ମାସକରେ ୧୭ଦିନ ଘରେ ରହିବା । ସଟ୍‌ଡାଉନ୍‌କୁ ମାନିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ ।

ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ୬୫ ବର୍ଷରୁ ଅଧିକ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ ପିଲାଙ୍କୁ ପଦାକୁ ନବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ତେବେ କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ୧୧ଟି ଜିଲ୍ଲାରେ ଏହି ନିୟମ କଡ଼ାକଡ଼ି ପାଳନ କରାଯାଉଛି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ସଟଡାଉନ ନିଷ୍ପତି ଓ ଆହ୍ଵାନକୁ ସ୍ୱାଗତ କରିଛନ୍ତି ବିରୋଧୀ । ଅନଲକ୍‌ ଓ୍ୱାନ ନେଇ  କେନ୍ଦ୍ର ସରକାର କିଛି ନିୟମ କୋହଳ କରିଥିବା ବେଳେ ରାଜ୍ୟ ସରକାର କିନ୍ତୁ ଜୁନ ମାସରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ନେଇ କଟକଣାକୁ ଆହୁରି କଡ଼ା କରିଛନ୍ତି ।

ଜମି ବିବାଦକୁ ନେଇ ଦାଦା-ଖୁଡ଼ୀଙ୍କୁ ହତ୍ୟା କଲା ପୁତୁରା, ହାଣି କୂଅରେ ଫିଙ୍ଗିଦେଲା

ବଲାଙ୍ଗିର: ବଲାଙ୍ଗିରରେ ଡବଲ୍‌ ମର୍ଡର । ଜମି ବିବାଦକୁ ନେଇ ଦାଦା-ଖୁଡ଼ୀଙ୍କୁ ହତ୍ୟା କଲା ପୁତୁରା । ବଙ୍ଗୋମୁଣ୍ଡା କୁଟ୍ରାବେଡା ଗାଁରେ ଘଟିଛି ଏ ବିଭତ୍ସ ହତ୍ୟାକାଣ୍ଡ । ଧାରୁଆ ଅସ୍ତ୍ରରେ ହତ୍ୟାପରେ  ମୃତଦେହ କୂଅକୁ ଫିଙ୍ଗି ଦେଇଥିଲା ପୁତୁରା । ଆଜି ସକାଳୁ ମୃତଦେହ ଉଦ୍ଧାର କରାଯାଇଛି । ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ।

ସୂଚନା ଅନୁଯାୟୀ, ଜମି ବିବାଦକୁ ନେଇ ଦାଦା-ଖୁଡ଼ୀଙ୍କ ସହ ପୁତୁରାର ବହୁ ସମୟରେ କଳହ ଲାଗିରୁହେ । ଗତ କାଲି ମଧ୍ୟ ସେମାନଙ୍କ ମଧ୍ୟରେ ସେହିଭଳି ଝଗଡ଼ା ଲାଗିଥିଲା । ଝଗଡ଼ା ଉଗ୍ର ରୂପ ନେବାରୁ ପୁରୁରା ଉତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଦୁଇ ଜଣଙ୍କ ଉପରକୁ ଆକ୍ରମଣ କରିଥିଲା । ଦୁଇ ଜଣଙ୍କୁ ହାଣିବା ପରେ ତାଙ୍କୁ ଏକ କୂଅ ମଧ୍ୟକୁ ଫିଙ୍ଗି ଦେଇଥିଲା । ତେବେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିବା ପରେ କୂଅ ମଧ୍ୟରୁ ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହକୁ ଉଦ୍ଧାର କରିଛି ।

ଆଜି ଭାରତ ଓ ଚୀନ ମଧ୍ୟରେ ହେବ ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା, ଭାରତର ପାଇଁ ପ୍ରତିନିଧିତ୍ୱ କରିବେ ହରିନ୍ଦର ସିଂ

ନୂଆଦିଲ୍ଲୀ: ଫିଟିବ କି ସମାଧାନର ବାଟ  ? LAC ରେ ଶାନ୍ତ ପଡ଼ିବ କି ପରିସ୍ଥିତ ? ଆଜି ଭାରତ-ଚୀନ ମଧ୍ୟରେ ହେବ ଆଲୋଚନା । ଲଦାଖର LACରେ ଗତ କିଛି ଦିନ ହେବ ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଏବେ ଆଗେଇ ଆସିଛନ୍ତି ଉଭୟ ପକ୍ଷ । ଆଜି ଦୁଇ ଦେଶ ମଧ୍ୟରେ ହେବ ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ  ଆଲୋଚନା ।

ଭାରତର  ପ୍ରତିନିଧିତ୍ୱ କରିବେ ୧୪ କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ସମାଧାନ ନେଇ ହେବ ଆଲୋଚନା । ଚୀନ ଶୀଘ୍ର ସେନା ପ୍ରତ୍ୟାହାର ପାଇଁ ଭାରତ ଦାବି କରିବ । ଏଥି ସମେତ ଭାରତର ନିର୍ମାଣ କାର୍ଯ୍ୟରେ ଚୀନ ବାଧା ନ ଦେବା ପାଇଁ ଦାବି ରଖିବ ଭାରତ । ମାମଲାର ସ୍ଥାୟୀ ସମାଧାନ ଦାବି କରିବ ଭାରତ ।

ଗତ କିଛି ଦିନ ହେବ LAC ରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଚୀନ ବାରମ୍ବାର ସୀମାରେ ବଳପୂର୍ବକ କାମ କରୁଥିବା ଅଭିଯୋଗ କରି ଭାରତ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛି । ପ୍ରଧାନମନ୍ତ୍ରୀ , ପ୍ରତିରକ୍ଷା ମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ଏହି ପ୍ରସଙ୍ଗରେ କଥାବାର୍ତ୍ତା କରିସାରିଛନ୍ତି ।  ଯାହାଫଳରେ ଚୀନ ଚାପରେ ପଡ଼ି ନିଜ ସେନାଙ୍କୁ ପଛକୁ ହଟାଇଥିବା ଜଣାପଡ଼ିଛି ।

ଭାରତ-ଚୀନ ଗତିରୋଧ: G-7 ବିସ୍ତାରକୁ ନେଇ ଚୀନ ମିଡିଆର ଧମକ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବ

୨୪ ଘଣ୍ଟାରେ ଭାରତରେ କରୋନା ସର୍ବାଧିକ ମାମଲା, ବିଶ୍ୱରେ ଭାରତ ଷଷ୍ଠ ସ୍ଥାନରେ ରହିଛି

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । କମିବାର ନା ନେଉନି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଆସିଲା ସର୍ବାଧିକ ମାମଲା । ବ୍ରାଜିଲ-ଆମେରିକା ଭଳି ବଢୁଛି ସଂକ୍ରମିତ ଗ୍ରାଫ । କରୋନା ପାଇଁ ସାରା ଦେଶ ଲକଡାଉନ୍‌ ଥିବାବେଳେ ଏବେ ଅନଲକ୍‌ ପରିସ୍ଥିତିକୁ ଆସିଛି ହେଲେ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି ।

ଗତକାଲି ଆସିଛି ୯୮୫୧ କେସ୍‌ । ଯାହାକି ଗୋଟିଏ ଦିନରେ ସର୍ବାଧିକ ଅଟେ । ସେହିଭଳି ୨୭୩ ଜଣକ ମୃତ୍ୟୁ ହୋଇଥିବାବେଳେ ୫,୩୫୫ ଜଣ ସୁସ୍ଥ ହୋଇଛନ୍ତି । ଗତ ୬ ଦିନ ଧରି ଲଗାତାର ଭାବେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ମୋଟ ୨ ଲକ୍ଷ ୨୬ ହଜାର ୭୭୦ ମାମଲା ଆସିଥିବାବେଳେ ୬,୩୪୮ ଜଣକ ମୃତ୍ୟୁ ହୋଇଛି । ସେହିଭଳି ପ୍ରାୟ ୧ ଲକ୍ଷ ୯ ହଜାର ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସାରା ବିଶ୍ୱରେ ଦୃତ ଗତିରେ ବଢୁଥିବା କରୋନା ଦେଶ ମଧ୍ୟରେ ଭାରତ ୬ ନମ୍ବର ସ୍ଥାନରେ ରହିଛି ।

ସ୍ନାନଯାତ୍ରା: ମିଳିଲାନି ପ୍ରତ୍ୟକ୍ଷ ଦର୍ଶନ, ପୂରିଲାନି ଭକ୍ତଙ୍କ ମନ

ଶେଷ ହେଲା ସ୍ନ।ନଯାତ୍ରା । କିନ୍ତୁ ଭକ୍ତ ମନ ଉଣା । ପ୍ରତ୍ୟକ୍ଷ ଦର୍ଶନ ମିଳିଲା ନାହିଁ । ପାଖରୁ ସାହାଣମେଲା ଦର୍ଶନ ତ ଦୂରର କଥା, ବଡ଼ଦାଣ୍ଡକୁ ବି ଯାଇ ହେଲାନି । କରୋନା କଟକଣା ପାଇଁ ଦୀର୍ଘଦିନ ହେଲା ଶ୍ରୀମନ୍ଦିର ବନ୍ଦ ଅଛି । ଆଶା ଥିଲା, ବଡ଼ଦାଣ୍ଡରେ ଛିଡ଼ା ହୋଇ ହାତୀବେଶ ଦର୍ଶନ କରିବେ । କିନ୍ତୁ ସେତକ ହୋଇ ନଥିବାରୁ ଭକ୍ତ ହତାଶ ହୋଇଛନ୍ତି । କେବଳ ଘରେ ବସି ଟିଭିରେ ଦେଖିକରି ଭାବବିହ୍ୱଳ ହୋଇଛନ୍ତି, ଅଭିମାନଭରା ଗୁହାରି କରିଛନ୍ତି ।

ଟେଲିଭିଜନ ପରଦାରେ କାଳିଆର ସ୍ନ।ନନୀତି ଦେଖି ମନ ସନ୍ତୁଷ୍ଟ ହେଉନାହିଁ । ଇଚ୍ଛା ହେଉଛି ବଡ଼ଦାଣ୍ଡରେ ସାଆନ୍ତଙ୍କ ସାମ୍ନାରେ ଟିକେ ନୃତ୍ୟ ପରିବେଷଣ କରନ୍ତେ । ନୃତ୍ୟଶିଳ୍ପି ରୂପଶ୍ରୀ ମହାପାତ୍ର ବିଭିନ୍ନ ବର୍ଷ ବଡ଼ଦାଣ୍ଡରେ ଶ୍ରୀଜିଉଙ୍କ ସାମ୍ନାରେ ନାଚିନାଚି ଭକ୍ତି ନିବେଦନ କରନ୍ତି । କିନ୍ତୁ ଏବର୍ଷ କରୋନା କଟକଣା ଯୋଗୁ ବନ୍ଦ । ରୂପଶ୍ରୀଙ୍କ ମନରେ ଅବସୋସ । ଟିଭି ପରଦାରେ ଚକାଆଖି ସହ ଆଖି ମିଶାଲେ ଆଖିରେ ଲୁହ ଆସିଯାଉଛି ।  କେବଳ ରୂପଶ୍ରୀ ନୁହନ୍ତି, ଏବର୍ଷ କୈାଣସି ସାଧାରଣ ଲୋକ ସିଧାସଳଖ ବିଶ୍ୱନିୟନ୍ତାଙ୍କ ମାନବୀୟ ଲୀଳା- ସ୍ନ।ନନୀତି ଦର୍ଶନ କରିପାରିନାହାନ୍ତି । ଜନଶୂନ୍ୟ ଥିଲା ବଡ଼ଦାଣ୍ଡ । ଏପରିକି ପୁରୀ ସହରର ଲୋକ ବି ୧୪୪ ଧାରା ଓ କୋଭିଡ୍‌ କଟକଣା ଯୋଗୁ ବଡ଼ଦାଣ୍ଡକୁ ଯାଇ ପାରିନଥିଲେ । ସମସ୍ତଙ୍କ ମନରେ କ୍ଷୋଭ । ପ୍ରଶାସନ ଇଚ୍ଛା କରିଥିଲେ ସାମାଜିକ ଦୂରତା ବଜାୟ ରଖି ଦୂରରୁ ଦର୍ଶନ ବ୍ୟବସ୍ଥା କରିପାରିଥାନ୍ତା ବୋଲି ଭକ୍ତ କହିଛନ୍ତି । ଜୁନ୍‌ ୩୦ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ତାପରେ ମିଳିବ ଠାକୁରଙ୍କ ଦର୍ଶନ । ସେ ପର୍ଯ୍ୟନ୍ତ ଭକ୍ତଙ୍କ ଅପେକ୍ଷା ।

୪ ଦେଶର ଉଦାହରଣ ଦେଇ ଲକ୍‌ଡାଉନ୍‌କୁ ଫେଲ୍‌ ଦର୍ଶାଇଲେ ରାହୁଲ

ନୂଆଦିଲ୍ଲୀ: ଭୟଙ୍କର ଭୂତାଣୁ କରୋନାକୁ ନେଇ ବିପତ୍ତି ଏଯାଏଁ ଟଳିନି । କିନ୍ତୁ ସରକାର ଅନେକ କ୍ଷେତ୍ରରେ ଲକ୍‌ଡାଉନ୍‌ କୋହଳ କରିଛନ୍ତି । କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ସବୁଠି କଟକଣା କୋହଳ ହୋଇଛି । ଇତିମଧ୍ୟରେ ଦେଶର ଆରମ୍ଭ ହୋଇସାରିଛି ଅନ୍‌ଲକ୍‌ ୧.୦ ।   ତେବେ ଏବର ପରିସ୍ଥିତିରେ ଲକ୍‌ଡାଉନ୍ କୋହଳ ନିଷ୍ପତ୍ତି ସହ ବିଭିନ୍ନ ବିଶେଷଜ୍ଞ ଏକମତ ନୁହଁନ୍ତି । କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ପୂର୍ବରୁ ଲକ୍‌ଡାଉନକୁ ବିରୋଧ କରୁଥିବା ବେଳେ ଏବେ ଅନଲକ୍‌କୁ ବିରୋଧ କରିଛନ୍ତି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର ଏକ ଟ୍ୱିଟ୍ କରି ପୁଣି ମୋଦି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ନିଜ ଟ୍ୱିଟ୍‌ରେ ରାହୁଲ ଭାରତର କରୋନା ଗ୍ରାଫ ସହ ଅନ୍ୟ କିଛି ଦେଶର ଗ୍ରାଫ୍‌କୁ ତୁଳନାତ୍ମକଭାବେ ପ୍ରଦର୍ଶିତ କରିଛନ୍ତି । ଏବଂ ଲେଖିଛନ୍ତି ଏହା ବିଫଳ ଲକ୍‌ଡାଉନ୍‌ର ଗ୍ରାଫ୍‌ ।

ରାହୁଲ ଏପରି ଲେଖିବାର କାରଣ ହେଉଛି, ସେ ସେୟାର କରିଥିବା ଦେଶମାନଙ୍କର କରୋନା ଗ୍ରାଫ୍‌ ଅନୁଯାୟୀ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବା ବେଳେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ଏବଂ ସଂଖ୍ୟା ହ୍ରାସ ହେବା ସମୟରେ ଅନଲକ୍‌ ଘୋଷଣା କରାଯାଇଥିଲା । କିନ୍ତୁ ଭାରତରେ ଅନଲକ୍‌ ନିଷ୍ପତ୍ତି ସେତେବେଳେ ନିଆଯାଇଛି ଯେତେବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି ।

ରାହୁଲ ଗାନ୍ଧି ଯେଉଁ ଦେଶମାନଙ୍କ ଗ୍ରାଫ ପ୍ରକାଶ କରିଛନ୍ତି ସେମାନଙ୍କ ମଧ୍ୟରେ ସ୍ପେନ୍‌, ଜର୍ମାନୀ, ଇଟଲୀ ଏବଂ ବିଟ୍ରେନ ଭଳି ଦେଶ ରହିଛି । ସୂଚନା ଯୋଗ୍ୟ ଯେ, ରାହୁଲ ଗାନ୍ଧି ପୂର୍ବରୁ ମଧ୍ୟ ସରକାରଙ୍କ କରୋନା ମୁକାବିଲା ପଦକ୍ଷେପକୁ ନେଇ ଗଠନ ମୂଳକ ସମାଲୋଚନା କରିଆସିଛନ୍ତି ।

ଘର ସାମ୍ନାରୁ ଘୁଞ୍ଚିବା ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ କହିଲେ ଘର ମାଲିକ, ତାପରେ କ’ଣ ହେଲା ?

ଅଷ୍ଟ୍ରେଲିଆ: ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଯାଏ ଯାହାକୁ ଲୋକମାନେ ଖୁବ ଦେଖନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି । ଏମିତି ଏକ ଭିଡିଓ ଅଷ୍ଟ୍ରେଲିଆରୁ ଭାଇରାଲ ହେଉଛି ଯେଉଁଥିରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ ସେହି ସମୟରେ ପଛକୁ ହଟିଯାଆନ୍ତି ଯେତେବେଳେ ସେ ସାମ୍ବାଦିକ ମାନଙ୍କ ସହ କଥା ହେଉଥିଲେ ।

ବାସ୍ତବରେ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ରାସ୍ତା ପାଖରେ ଏକ ଘର ସାମ୍ନାରେ ଛିଡ଼ା ହୋଇ ସାମ୍ହାଦିକଙ୍କ ସହିତ କଥା ହେଉଥିଲେ । ଠିକ ସେହି ସମୟରେ ଘର ମାଲିକ ସମସ୍ତଙ୍କୁ ପଠକୁ ଘୁଞ୍ଚିବା ପାଇଁ କହିଥିଲେ କାରଣ ସେମାନେ ତାଙ୍କ ବଗିଚାରେ ଲାଗିଥିବା ଘାସ ଉପରେ ଠିଆ ହୋଇପଡ଼ିଥିଲେ।

ଦ ଗାର୍ଜିୟନର ଏକ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ ରାଜଧାନୀ କୈନବରାରୁ ଅଳ୍ପ କିଛି ଦୂର ଗୁଗାନ୍ସରେ ଏକ ଘର ସାମ୍ନାରେ ଠିଆ ହୋଇ ସାମ୍ବାଦିକ ମାନଙ୍କ ସହ କଥା ହେଉଥିଲେ ଏବଂ ଅନେକ ବଡ଼ ବଡ଼ ଘୋଷଣା ମଧ୍ୟ କରୁଥିଲେ । ସେହି ସମୟରେ ବଗିଚାର ମାଲିକ ସେ ସମସ୍ତଙ୍କୁ ସେଠାରୁ ଘୁଞ୍ଚିବା ପାଇଁ କହିଥିଲେ । ସେ କହିଥିଲେ ଯେ, ମୁଁ ନିକଟରେ ଲନ୍ ରେ ଘାସ ଲଗାଇଛି, ତେଣୁ ଆପଣ ମାନେ ଘୁଞ୍ଚିକି ଠିଆ ହୁଅନ୍ତୁ ।

ଏହା ପରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ସଙ୍ଗେ ସଙ୍ଗେ ରାଜି ହୋଇ ସେଠାରୁ ଘୁଞ୍ଚିଗଲେ ଏବଂ ସାମ୍ବାଦିକମାନଙ୍କୁ ମଧ୍ୟ ପଛକୁ ଘୁଞ୍ଚିବା ପାଇଁ କହିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଲୋକମାନେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଙ୍କୁ ବହୁତ ପ୍ରଶଂସା କରୁଛନ୍ତି ଏବଂ ସେହି ଘର ମାଲିକଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି |

ରାଜଧାନୀ ଶିଶୁ ହତ୍ୟା ମାମଲା, ହସ୍ପିଟାଲ ଉପରେ ନଜର

ଭୁବନେଶ୍ୱର: ଜୀବନ କ’ଣ ଜାଣିବା ଆଗରୁ ଗୋଟିଏ ନିରୀହ ଶିଶୁର ଜୀବନ ଲିଭିଗଲା । ଗୋଟିଏ ମା’ର କୋଳଶୁନ୍ୟ କରିଦେଲା ଆଉ ଗୋଟିଏ ମା’ । ଦୁଇ ଦିନ ଧରି ରାଜଧାନୀ ଭୁବନେଶ୍ୱର ସେଇ ଗୋଟିଏ ପ୍ରଶ୍ନ ଭିତରେ ଧନ୍ଦି ହେଉଛି । ସାଇରାମ କେମିତି ମଲା ? କାହିଁକି ନିଜେ ଜଣେ ମା’ ହୋଇବି ସେହି ମହିଳା ଗୋଟିଏ କୁନି ଛୁଆଠାରୁ ଜୀବନ ଛଡାଇ ନେଲେ  ?

ସାଇରାମ ପାତ୍ର ହତ୍ୟା ପଛର ଖିଅ ପୋଲିସ ଖୋଜୁଛି । ଏଣେ  ଦୁଇ ଦିନପରେ ବି କିଲର୍‌ ଲେଡି ତନୁଶ୍ରୀ ପରମାଣିକଙ୍କ ହୋସ ଫେରିନି । ଦୋ ଛୋକିରେ ଖଣ୍ଡଗିରି ପୋଲିସ। ତଦନ୍ତ ଶେଷ ନ ହେବା ଯାଏଁ ରାଜ୍ୟ ବାହାରକୁ ନଯିବା ପାଇଁ ତନୁଶ୍ରୀଙ୍କ ସ୍ୱାମୀଙ୍କୁ ପୋଲିସ ନିର୍ଦ୍ଦେଶ ଦେଇଛି । ଅନ୍ୟପଟେ ହତ୍ୟାକାରୀ ତନୁଶ୍ରୀଙ୍କୁ ଫାଶୀ ଦେବାକୁ  ଦାବି କରିଛନ୍ତି ରାଜୀବନଗର ବାସିନ୍ଦା ।

ହସ୍ପିଟାଲ ଉପରେ ଆଖି

ହତ୍ୟା ହୋଇଛି ତାକୁ ନେଇ କୌଣସି ସନ୍ଦେହ ନାହିଁ  । କିନ୍ତୁ ସାଇରାମ ପାତ୍ରଙ୍କ ହତ୍ୟାର କାରଣ କ’ଣ ଥିଲା? ଏହା ହେଉଛି ଏବେ ପୋଲିସ ପାଇଁ ମୁଣ୍ଡବିନ୍ଧା । କଣ ପାଇଁ ତନୁଶ୍ରୀ ସାଜିଲେ ହତ୍ୟାକାରୀ ତାହା ଜାଣିବା ପାଇଁ ଖାଲି ପୋଲିସ ଉତ୍ସୁକ ନୁହେଁ ସାଧାରଣ ଲୋକ ମଧ୍ୟ କାରଣ ଜାଣିବା ପାଇଁ ଚାତକ ଭଳି ଚାହିଁ ବସିଛନ୍ତି ।  କିନ୍ତୁ ଘଟଣା ମୁଖ୍ୟ ଚରିତ୍ର, ଯିଏ କାରଣ ଜାଣିଛନ୍ତି ସେ କହିବା ପରିସ୍ଥିତିରେ ନାହାନ୍ତି ।

କାରଣ ତନୁଶ୍ରୀ ଏବେ ଚେତାଶୁନ୍ୟ । ହସ୍ପିଟାଲରେ ଅଚେତନ ଥିବା ତନୁଶ୍ରୀଙ୍କ ଚେତା କେବେ ଫେରିବ ଓ ସେ କେବେ ମୁହଁ ଖୋଲିବେ ତାକୁ ଚାହିଁ ବସିଛି ପୋଲିସ । ଏବେ କିନ୍ତୁ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଯେ, ତଦନ୍ତକୁ ବିଳମ୍ବିତ କରିବା ପାଇଁ ଜାଣିଶୁଣି ଅଚେତ ହେବାର ଅଭିନୟ କରୁଛନ୍ତି ସନ୍ଦିଗ୍ଧ ।ତନୁଶ୍ରୀ କଣ ପାଇଁ ଏମିତି କଲେ ? କେବେଳ ସେ ନିଜେ ଜାଣନ୍ତି । କିନ୍ତୁ ପୋଲିସ ତାଙ୍କ ସ୍ୱାମୀ ତଦନ୍ତ ନସରିବା ପର୍ଯ୍ୟନ୍ତ ରାଜ୍ୟ ନଛାଡିବାକୁ ନିର୍ଦ୍ଦେଶ ଦେଇଛି ।

ସେଦିନ କ’ଣ ହୋଇଥିଲା ?

ସେଦିନ ଥରେ ନୁହେଁ ସାଇରାମକୁ ତିନି ଥର ଖେଳିବା ପାଇଁ ଡାକିଥିଲେ ପଡିଶାଘରର ତନୁଶ୍ରୀ । ନିଜ ଝିଅ ସହ ଖେଳିବା ପାଇଁ ତନୁଶ୍ରୀ ସାଇରାମକୁ ଡାକିଥିଲେ । ସାଇରାମ ଖେଳିବାକୁ ତନୁଶ୍ରୀଙ୍କ ଘରକୁ ଯାଇଥିଲା । କିନ୍ତୁ ମାତ୍ର କେଇ ଘଣ୍ଟା ଭିତରେ ସବୁକିଛି ବଦଳି ଯାଇଥିଲା ।

ଜୀବନ୍ତ ସାଇରାମ ଲାସ୍ ପାଲଟି ଯାଇଥିଲା । ଘର ଭିତରେ କ’ଣ ହୋଇଥିଲା କେବଳ ତନୁଶ୍ରୀ ଜାଣନ୍ତି । କିନ୍ତୁ ସାଇରାମଙ୍କ ବଡଭାଇର କଥା ଅନୁସାରେ ସାନଭାଇର ଫେରିବାରେ ବିଳମ୍ବ ହେବାରୁ  ସେ ତାକୁ ଘରକୁ ଆଣିବାକୁ ତନୁଶ୍ରୀଙ୍କ ଘରକୁ ଯାଇଥିଲେ ।

କିନ୍ତୁ ସେଠି ଭାଇ ବଦଳେ ଦେଖିଥିଲେ ଲାସ । ଖଟ ଉପରେ ପଡିଥିଲା ସାଇରାମ। ପାଟିରୁ ନାଳ ଓ ରକ୍ତ ବାହାରୁଥିଲା। ଆଉ ଏହି ସମୃୟରେ ହତ୍ୟାକାରୀ ତନୁଶ୍ରୀ ବସିଥିଲା ଖଟ ଉପରେ।

ମମତା ଏମିତି, ୫ ବର୍ଷର ଛୁଆକୁ ତଣ୍ଟିଚିପି ମାରିଦେଲା…

ସତ ଦିନେ ନା ଦିନେ ସାମ୍ନାକୁ ଆସିବ । ତନୁଶ୍ରୀ ମୁହଁ ଖୋଲିଲେ ସତ ପଦାକୁ ଆସିବ । କିନ୍ତୁ ଏବେ ଯଦି ତନୁଶ୍ରୀଙ୍କ ଝିଅ କଥାକୁ ବିଶ୍ୱାସ କରାଯାଏ ତେବେ ସେ କଥା କଥାରେ ତଣ୍ଟି ଚିପି ଧରୁଥିଲେ । ତେବେ ପ୍ରଶ୍ନ ହେଲା ସେଦିନ ତନୁଶ୍ରୀ କ’ଣ ପାଇଁ ସାଇରାମଙ୍କ ତଣ୍ଟି ଧରିଥିଲେ ? ଉତ୍ତର ପାଇବାକୁ ହୁଏତ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

କରୋନା ମୁକାବିଲା ଦାୟିତ୍ୱରୁ ବରିଷ୍ଠ ଆଇଏଏସଙ୍କୁ ଅବ୍ୟାହତି

ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ନେଇ ଅତିରିକ୍ତ ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସ୍‌ଙ୍କୁ ଅବ୍ୟାହତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ନେଇ ନୋଡାଲ ଅଫିସର ଦାୟିତ୍ୱରେ ଥିବା ସୁରେନ୍ଦ୍ର କୁମାର,  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ଥିବା ବିଶାଲ କୁମାର ଦେବ, ୧୦୪ ହେଲପ୍‌ ଲାଇନ୍ ନମ୍ୱର  ଅପରେସନ ଦାୟିତ୍ୱରେ ଥିବା କ୍ରିଷନ କୁମାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆସିଷ୍ଟାଣ୍ଟ ପ୍ରିନ୍ସପାଲ ସେକ୍ରେଟାରୀ ଦାୟିତ୍ୱରେ ଥିବା ଅରବିନ୍ଦ ଅଗ୍ରଓ୍ୱାଲ, ମୁଖ୍ୟ ଶାସନ ସଚିବଙ୍କ ଓଏସ୍‌ଡି ଥିବା ସଚିନ ରାମଚନ୍ଦ୍ର ଯାଦବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆସିଷ୍ଟାଣ୍ଟ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱରେ ଥିବା ଭୂପେନ୍ଦ୍ର ସିଂହ ପୁନିଆ, ମିଶନ ଶକ୍ତି, ଶ୍ରମ ଓ ଇଏସ୍‌ଆଇ ବିଭାଗର ଆସିଷ୍ଟାଣ୍ଟ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱରେ ଥିବା ରଶ୍ମିତା ପଣ୍ଡା, ସିଏମ୍ଓରେ ମୁଖ୍ୟ ଉପଦେଷ୍ଟା ଓଏସ୍‌ଡି ଦାୟିତ୍ୱରେ ଥିବା ଭିନିଲ କ୍ରିଷ୍ଣା, କୋଭିଡ ସଚେତନତା ଦାୟିତ୍ୱରେ ଥିବା ଅନୁ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।

ଯେତେବଳେ ଲକଡାଉନ୍ କଥା ଉଠିବ, ସେତେବେଳେ ସୋନୁ ଆଲୋଚନା ଭିତରକୁ ଆସିବେ

ଜଣେ ବ୍ୟକ୍ତି ଚାହିଁଲେ ବହୁତ କିଛି କରି ପାରିବେ । ବଲିଉଡର ସୋନୁ ସୁଦ୍ ହେଉଛନ୍ତି ଏହାର ଉଦାହରଣ । ଆମ ସମୟର ଜଣେ ରୋଲ ମଡେଲ । ଭବିଷ୍ୟତରେ ଯେତେବେଳେ କରୋନା କାଳର ଇତିହାସ ଲେଖାଯିବ,ଯେତେବେଳେ ଲକଡାଉନକୁ ଲୋକ ମନେ ପକାଇବେ,ଯେତେବେଳେ ଆଜିର ପୀଢି ଆଗାମୀ ପୀଢିକୁ ଲକଡାଉନର ବ୍ୟଥା କଥା ଶୁଣାଇବେ ସେତେବେଳ ସୋନୁ ମାନବତାର ଉଦାହରଣ ହୋଇ କାହାଣୀର ନାୟକ ହେବେ ।

ସୋନୁଙ୍କ କଥା ସିନେମାର କାହାଣୀଠାରୁ କିଛି କମ ନୁହେଁ । ଦୁଇ ଘଣ୍ଟାର ଟାଇମ୍ ଫ୍ରେମ ଭିତରେ ନାୟକକୁ ବହୁତ କିଛି କରିବାର ଥାଏ । ସମାଜ,ସିଷ୍ଟମକୁ ବଦଳାଇବା ପାଇଁ ତା’ପାଖରେ ଦୁଇ ଘଣ୍ଟା କିମ୍ବା ତା’ଠାରୁ କମ ସମୟ ଥାଏ । କିନ୍ତୁ ସେହି ଟାଇମ୍ ଫ୍ରେମ ଭିତରେ ସବୁ କିଛି ସଫଳତାର ସହ ସାରେ ନାୟକ । କାହାଣୀର ହାପି ଏଣ୍ଡିଂ ହୁଏ । ବାସ୍ତବ ଜୀବନରେ ଏମିତି କିଛି ହେବ ନାହିଁ,ଏହା କେବଳ ସିଲଭର ସ୍କ୍ରିନ୍ ଉପରେ ସମ୍ଭବ ବୋଲି ଜାଣିଥିବା ଦର୍ଶକ କିନ୍ତୁ ତାଳିମାରେ । ତେଣୁ ‘ନାୟକ’ ଫିଲ୍ମରେ ଅନିଲ କପୁର ଓରଫ ଶିବଜୀ ରାଓ ଗାଏକୱାଡ ୨୪ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ବହୁତ କିଛି କରି ପକାନ୍ତି । ପିଡିଏସ ବିତରଣରେ ସୁଧାରଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କୁ ଘର ଦେବା ,ସବୁକିଛି ୨୪ ଘଣ୍ଟା ଭିତରେ ହୋଇଯାଏ । ଏସବୁ ଫିଲ୍ମରେ ସମ୍ଭବ ଥିଲା ।

କିନ୍ତୁ କରୋନା କାଳରେ ଜଣେ ଫିଲ୍ମି ଖଳନାୟକ ଏସବୁ ବାସ୍ତବ ଜୀବନରେ ମଧ୍ୟ ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି । ସେ ହେଉଛନ୍ତି ସୋନୁ ସୁଦ । ସୁପ୍ରିମକୋର୍ଟଙ୍କୁ ୫ ଜୁନରେ ୧୫ ଦିନ ମଧ୍ୟରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଂଚାଇବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପଡେ । କିନ୍ତୁ ତା’ପୂର୍ବରୁ ଜଣେ ବ୍ୟକ୍ତି ଏକାକୀ ନିଜ ଚେଷ୍ଟାରେ ୧୮ ହଜାରରୁ ଅଧିକ ପ୍ରବାସୀଙ୍କୁ ଘରେ ପହଂଚାଇ ସାରିଛନ୍ତି । ବାତ୍ୟା ନିସର୍ଗ ବେଳେ ମଧ୍ୟ ସୋନୁଙ୍କୁ ସୁପରମ୍ୟାନ୍ ଭୂମିକାରେ ଦେଖିବାକୁ ମିଳିଛି । ସୋନୁ ୨୮ ହଜାର ଲୋକଙ୍କୁ ନିଜ ଖର୍ଚ୍ଚରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି । ସେମାନଙ୍କ ଭୋଜନ ବ୍ୟବସ୍ଥା କରିଛନ୍ତି । ଏମିତିରେ ସୋନୁଙ୍କୁ ଯଦି ଏକାକୀ ଗୋଟିଏ ସେନା କୁହାଯାଏ ତେବେ କିଛି ଭୁଲ ହେବ ନାହିଁ ।

ପରିବର୍ତ୍ତନ ପାଇଁ ନିଜକୁ ହିଁ ଆଗକୁ ବଢିବାକୁ ପଡେ । ସୋନୁ ସେ କଥା କରି ଦେଖାଇଛନ୍ତି । ତେଣୁ ବ୍ୟକ୍ତି ପୂଜାରେ ବିଶ୍ୱାସ କରୁଥିବା ଭାରତରେ ଯଦି ଆଗକୁ ସୋନୁଙ୍କ ନାମରେ ମନ୍ଦିର ତିଆରି ହୁଏ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କିନ୍ତୁ ସବୁଠୁ ସୁଖଦ ଆଶ୍ଚର୍ଯ୍ୟ ହେବ,ଯଦି ସୋନୁଙ୍କ ପଦାଙ୍କ ଆମେ ଅନୂସରଣ କରିବା । କେବଳ ଫେସବୁକ୍, ଟ୍ୱିଟରର ହ୍ୟାସଟାଗ ଭିତରେ ନିଜକୁ ସୀମିତ ରଖିଲେ ପରିବର୍ତ୍ତନ ଆସିବ ନାହିଁ । ସେଥିପାଇଁ ସୋନୁଙ୍କ ଭଳି ରାସ୍ତାକୁ ଓହ୍ଲାଇବାକୁ ପଡିବ ।