ଗଜପତି : ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଅଘଟଣ। ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗଜପତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରାମଗିରି ଥାନା ପରିସଲ ଗାଁର ଲାଦେନ ମିଶାଇ। ଗୁରୁତର ପରୀକ୍ଷାର୍ଥୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ବେତାଗୁଡା ଠାରେ ଶାରିରୀକ ପରୀକ୍ଷା ଚାଲିଥିଲା। ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା ଚାଲିଥିବା ବେଳେ ଦୈାଡରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। କିନ୍ତୁ ହଠାତ୍ ତଳେ ପଡ଼ିଯିବା ପରେ ଗୁରୁତର ହୋଇ ପଡ଼ିବାରୁ ତୁରନ୍ତ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହିଭଳି ଅନ୍ୟ ଜଣେ ପରୀକ୍ଷାର୍ଥୀ ପି. ଶଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଦୁଇଜଣ ପ୍ରାର୍ଥୀ ପୁଣି ଅସୁସ୍ଥ ହେବା ପରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ସେମାନେ ହେଲେ ଅର୍ପଣ ପାଣି ଓ ଅନ୍ୟ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇ ନାହିଁ ।
ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ ମସ୍କ
ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ବୋଲି ବିବେଚନା କରାଯାଉଥିବା ଏଲୋନ ମସ୍କ ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଇଛନ୍ତି । ସଂଘୀୟ ଅମଲାତନ୍ତ୍ରକୁ ହ୍ରାସ ଏବଂ ସଂସ୍କାର ପାଇଁ ପ୍ରୟାସର ନେତୃତ୍ୱ ନେବା ପରେ ଏଲୋନ ମସ୍କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୀର୍ଷ ପରାମର୍ଶଦାତା ଭାବରେ ତାଙ୍କର ସରକାରୀ ପଦବୀ ଛାଡିବାକୁ ଯାଉଛନ୍ତି।
ଏହା ଘୋଷଣା କରି, ମସ୍କ X ରେ ପୋଷ୍ଟ କରିଛନ୍ତି, ଜଣେ ସ୍ୱତନ୍ତ୍ର ସରକାରୀ କର୍ମଚାରୀ ଭାବରେ ମୋର ନିର୍ଦ୍ଧାରିତ ସମୟ ଶେଷ ହେଉଥିବାରୁ, ମୁଁ ଅପବ୍ୟବହାର ହ୍ରାସ କରିବାର ସୁଯୋଗ ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। DOGE ମିଶନ ସମୟ ସହିତ ଅଧିକ ଶକ୍ତିଶାଳୀ ହେବ କାରଣ ଏହା ସରକାର ଚଳାଇବାର ଏକ ଉପାୟ ହୋଇଯିବ। ଏହି ଘୋଷଣା ପୂର୍ବରୁ ସେ ଟ୍ରମ୍ପଙ୍କ ‘ବିଗ୍ ବିଉଟିଫୁଲ୍’ ବିଲ୍ କୁ ସମାଲୋଚନା କରିଥିଲେ।
ମସ୍କଙ୍କୁ ଆମେରିକୀୟ ସରକାରଙ୍କର ଜଣେ ସ୍ୱତନ୍ତ୍ର ସରକାରୀ କର୍ମଚାରୀ ଭାବରେ ମନୋନୀତ କରାଯାଇଥିଲା – ଯାହା ଅଧୀନରେ ସେ ପ୍ରତିବର୍ଷ ୧୩୦ ଦିନ ପାଇଁ ସରକାରଙ୍କୁ ତାଙ୍କ କାମ ବିଷୟରେ ପରାମର୍ଶ ଦେବେ। ଜାନୁଆରୀ ୨୦ ତାରିଖରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସହିତ ମେ ମାସ ଶେଷରେ ଏହି ସୀମା ପହଞ୍ଚି ଯାଉଛି।
ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୬ ଗୁରୁତର
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବଳୟା ଛକ ନିକଟରେ ଦୁର୍ଘଟଣା। ରାସ୍ତା କଡ଼ରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍ । ୧୦ ଆହତ ମଧ୍ୟରୁ ୬ ଜଣ ଗୁରୁତର। ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବସଟି ଉତ୍ତରପ୍ରଦେଶରୁ ତୀର୍ଥ ସାରି ଆନ୍ଧ୍ର ପ୍ରଦେଶ ଫେରୁଥିବା ବେଳେ ଭୋର ୪ଟା ସମୟରେ ସୁବଳୟା ଠାରେ ଦୁର୍ଘଟଣା ଘଟିଛି। ବସରେ ପୁରୁଷ ଓ ମହିଳାଙ୍କ ସମେତ ମୋଟ ୨୦ ଜଣଙ୍କ ଯାତ୍ରୀ ଥିଲେ । ରମ୍ଭା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛି।
ଇରାନ ଦେଇ ଅଷ୍ଟ୍ରେଲିଆ ଯିବାବେଳେ ୩ ଭାରତୀୟ ଯୁବକ ନିଖୋଜ
ନନ୍ଦିଘୋଷ ବ୍ୟୁରୋ : ଇରାନରେ ୩ ଭାରତୀୟଙ୍କୁ ଅପହରଣ। ମୁକ୍ତ କରିବାକୁ ସମ୍ପର୍କୀୟଙ୍କଠାରୁ ୧ କୋଟି ମଗାଯାଉଥିବା ଅଭିଯୋଗ ହୋଇଛି। ଭାରତରୁ ଇରାନ ଦେଇ ଅଷ୍ଟ୍ରେଲିଆ ଯିବାବେଳେ ୩ ଯୁବକ ନିଖୋଜ ହୋଇଯାଇଛନ୍ତି। ପଞ୍ଜାବର ସଙ୍ଗରୁର, ହୋସିଆରପୁର ଏବଂ ଏସବିଏସ ନଗରରୁ ଇରାନ ଯାଇଥିବା ତିନି ଜଣ ଭାରତୀୟ ନିଖୋଜ ହୋଇଯାଇଛନ୍ତି। ଇରାନର ରାଜଧାନୀ ତେହେରାନରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ଏହାକୁ ନିଶ୍ଚିତ କରିଛି। ନିଖୋଜ ତିନି ଜଣଙ୍କୁ ତୁରନ୍ତ ଠାବ କରିବା ପାଇଁ ପ୍ରୟାସ କରାଯାଉଛି। ଏହି ତିନି ଜଣ ହେଲେ ହୁଶନପ୍ରୀତ ସିଂ, ଜସପାଲ ସିଂ ଏବଂ ଅମୃତପାଲ ସିଂ ବୋଲି ଜଣାପଡିଛି। ମେ ୧ ତାରିଖରେ ତେହେରାନରେ ପହଞ୍ଚିବା ପରେ ସମସ୍ତେ ନିଖୋଜ ହୋଇଯାଇଥିଲେ। ନିଖୋଜଙ୍କ ହାତ ବନ୍ଧା ଯାଇଥିବାବେଳେ ଶରୀରରେ ଆଘାତ ଚିହ୍ନ ରହିଛି।ପଞ୍ଜାବର ଜଣେ ଏଜେଣ୍ଟ ଦୁବାଇ-ଇରାନ ଦେଇ ତିନି ଜଣଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ତିନି ଜଣଙ୍କୁ ଇରାନରେ ରହିବାର ସୁବିଧା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇରାନ ଯାତ୍ରା କରିବା ପରେ ୩ ଜଣ ନିଖୋଜ ହୋଇଯାଇଥିବା ସେମାନଙ୍କ ସମ୍ପର୍କୀୟ କହିଛନ୍ତି। ଭାରତୀୟ ଦୂତାବାସ ଏହି ମାମଲାକୁ ଇରାନ କର୍ତ୍ତୃପକ୍ଷଙ୍କ ନିକଟରେ ଉଠାଇଛି। ନିଖୋଜ ଭାରତୀୟଙ୍କୁ ତୁରନ୍ତ ଖୋଜିବାକୁ କହିଛି।
ଇସ୍ରାଏଲୀ ଆକ୍ରମଣରେ ହମାସ ମୁଖ୍ୟ ମହମ୍ମଦ ସିନୱାର ନିହତ
ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲୀ ଆକ୍ରମଣରେ ହମାସ ମୁଖ୍ୟ ମହମ୍ମଦ ସିନୱାର ନିହତ।ଆଇଡିଏଫର ଆକ୍ରମଣରେ ଗାଜାରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ହମାସର ମୁଖ୍ୟ ସିନୱାରର ମୃତ୍ୟୁ ହୋଇଥିବା ଜଣାପଜିଛି। ମୃତ୍ୟୁ ନେଇ ସ୍ପଷ୍ଟ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ। ଗତ ୧୪ ତାରିଖରେ ଇସ୍ରାଏଲ ହମଲାରେ ମୃତ୍ଯୁ ହୋଇଥିବା ସୂଚନା। ଇସ୍ରାଏଲୀ ବିମାନ ଆକ୍ରମଣରେ ହମାସ ମୁଖ୍ୟ ମହମ୍ମଦ ସିନୱାର ନିହତ ହୋଇଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଘୋଷଣା କରିଛନ୍ତି। ଏବେବି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲାଗି ରହିଛି ଯୁଦ୍ଧ ସ୍ଥିତି। ଇସ୍ରାଏଲୀ ସେନା ବହୁ ଦିନ ଧରି ହମାସର ଗାଜା ମୁଖ୍ୟ ମହମ୍ମଦ ସିନୱାରଙ୍କୁ ଖୋଜୁଥିଲା। ସିନୱାର ପୂର୍ବତନ ହମାସ ନେତା ୟାହ୍ୟା ସିନୱାରଙ୍କ ସାନ ଭାଇ। ଯିଏକି ଗତବର୍ଷ ଇସ୍ରାଏଲୀ ସୈନ୍ୟଙ୍କ ସହ ଗୁଳିବିନିମୟରେ ପ୍ରାଣ ହରାଇଥିଲେ। ମେ ୧୪ ତାରିଖରେ ଇସ୍ରାଏଲୀ ସେନା ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣରେ ହମାସ ମୁଖ୍ୟ ଗୁରୁତର ଆହତ ହୋଇଥିବା ରିପୋର୍ଟ ଆସିଥିଲା। ସେହି ସମୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କିମ୍ବା IDF ନିଶ୍ଚିତ କରିନଥିଲା। ମହମ୍ମଦ ସିନୱାର ପୂର୍ବତନ ହମାସ ମୁଖ୍ୟ ୟାହ୍ୟା ସିନୱାର ମଧ୍ୟ ୨୦୨୪ରେ ଇସ୍ରାଏଲୀ ସେନା ସହିତ ସଂଘର୍ଷରେ ନିହତ ହୋଇଥିଲେ।
ପୁଣି ଠାବ ହେଲା ପାକିସ୍ତାନର ଗୁଳିଗୋଳା
ନନ୍ଦିଘୋଷ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ପୁଣି ଠାବ ହେଲା ପାକିସ୍ତାନର ଗୁଳିଗୋଳା। ନରୱାଲ ଅଂଚଳରୁ ଠାବ ହୋଇଛି ୩ ଗୁଳିଗୋଳା। ସୀମାନ୍ତ ପାକିସ୍ତାନ ପଟୁ ଆସି ଖସିଥିବା ସନ୍ଦେହ କରି ଉତ୍ତେଜନା ପ୍ରକାଶ ପାଇଛି।ସୂଚନା ପରେ ଅଂଚଳକୁ ଘେରାବନ୍ଦୀ କରି ଗୁଳିଗୋଳା ସବୁ ଜବତ କରିଥିଲା ବୋମା ନିଷ୍କ୍ରିୟକାରୀ ଟିମ। ବୋମା ନିଷ୍କ୍ରିୟକାରୀ ଟିମ ସହାୟତାରେ ଗୁଳିଗୋଳାଗୁଡିକୁ ଡିଫ୍ୟୁଜ କରାଯାଇଛି। ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଜାରି ରହିଥିବାବେଳେ ଗୁଳିଗୋଳା କେମିତି ଆସିଲା ଚାଲିଛି ତନାଘନା। ସ୍ଥାନୀୟ ଲୋକମାନେ ଏହାକୁ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଆଖପାଖ ଅଂଚଳ ଖାଲି କରି ବମ୍ ସ୍କ୍ବାଡ୍ ଏସବୁକୁ ନିଷ୍କ୍ରିୟ କରିଥିଲା।ପ୍ରାଥମିକ ତଦନ୍ତ ଅନୁଯାୟୀ ଭାରତ-ପାକିସ୍ତାନ ସୀମାରେ ସୃଷ୍ଟି ହୋଇଥିବା ଯୁଦ୍ଧ ଭଳି ପରିସ୍ଥିତି ସମୟରେ ଏହି ସେଲ୍ ବ୍ୟବହାର କରାଯାଇଥିବା ଅନୁମାନ କରାଯାଉଛି। ତଥାପି ଏହି ସେଲ୍ କିପରି ସେଠାରେ ପହଞ୍ଚିଲା। ଏହା ପଛରେ କିଛି କୌଣସି ବଡ଼ ଷଡ଼ଯନ୍ତ୍ର ରହିଛି କି ନାହିଁ ତଦନ୍ତ କରୁଛି ପୋଲିସ ।
୨ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର : ଚାଷୀଙ୍କ ପାଇଁ ଆସିଲା ଖୁସି । ୧୦ ଦିନ ଆଗରୁ ଓଡ଼ିଶା ଛୁଇଁଛି ମୌସୁମୀ । ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ଜିଲ୍ଲାକୁ ଅଗ୍ରସର । ଚଳିତବର୍ଷ ଭଲ ବର୍ଷା ସହ ଚାଷ ପାଇଁ ରହିବନି ପାଣିର ଅଭାବ । ଗତବର୍ଷ ଜୁନ୍ ୮ରେ ଓଡିଶା ଛୁଇଁଥିଲା ମୌସୁମୀ । ତେବେ ଚଳିତବର୍ଷ ୧୦ ଦିନ ଆଗରୁ ମାଲକାନାଗିରି, କୋରାପୁଟ ଅଞ୍ଚଳରେ ମୌସୁମୀ ବାୟୁ ଅଗ୍ରସର ହୋଇଛି । ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲାର କିଛି କିଛି ଅଞ୍ଚଳକୁ ସ୍ପର୍ଶ କରିଛି । ତେବେ ପାଗ ଅନୁକୂଳ ଥିବାରୁ ଖୁବଶୀଘ୍ର ଏହା ସାରା ଓଡ଼ିଶାରେ ସକ୍ରିୟ ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ବଙ୍ଗୋପସାଗର ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ଭିତରେ ଏହା ଅବପାତରେ ପରିଣତ ହୋଇ ଉତ୍ତର ଆଡକୁ ଗତି କରିବ । ପ୍ରଭାବରେ ୨ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ୨୪ ଘଣ୍ଟା ଭିତରେ ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେଥିପାଇଁ ଏସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାକି ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହିତ ବିଜୁଳି ଘଡଘଡି ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି କରାଯାଇଛି ।
କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବ ଉପରେ ଲାଗିଲା ମୋହର
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ ବୈଠକ। କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବ ଉପରେ ଲାଗିଲା ମୋହର। ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଓଡ଼ିଶା ବେସାମରିକ ସେବା ନିୟମାବଳୀ ୧୯୮୯ର ସଂଶୋଧନ କରାଯାଇଛି। ରାଜ୍ୟ ସରକାରୀ ପଦପଦବୀ ଓ ସେବାରେ ପ୍ରବେଶ ପାଇଁ ପ୍ରବେଶ ସର୍ବୋଚ୍ଚ ବୟସ ସୀମା ୩୨ ଥିଲା । ଏହି ବୟସ ସୀମା ଏବେ ୪୨ ବର୍ଷକୁ ବୃଦ୍ଧି କରାଯାଇଛି। ତେବେ ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ସେବା ଇତ୍ୟାଦି କିମ୍ବା ଯେଉଁ ସେବା ଓ ପଦବୀରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ ତା ବ୍ୟତିତ ଅନ୍ୟ ସମସ୍ତ ବିଭିନ୍ନ ମୂଳ ପଦବୀ ଓ ସେବରେ ପ୍ରବେଶ ପାଇଁ ବୟସସୀମା ୩୨ରୁ ୪୨ ବର୍ଷକୁ ବୃଦ୍ଧି ପାଇଛି। ଜଟାଧାର ମୁହାଁଣରେ ନିଜସ୍ଵ ଜେଟି ସ୍ଥାପନ ହେବ । ଏଥିଲାଗି ରାଜ୍ୟ ସରକାର ଓ JSW ଉତ୍କଳ ଷ୍ଟିଲ ଲିମିଟେଡ ମଧ୍ୟରେ ରିହାତି ଚୁକ୍ତି ଅନୁମୋଦନ ସ୍ଵାକ୍ଷରକୁ ଅନୁମତି । ଯୋରନ୍ଦା ସ୍ଥିତ ମହିମା ଗାଦିରେ ଉନ୍ନତିମୂଳକ କାର୍ଯ୍ୟ ଓ ଭବ୍ୟ ଶୂନ୍ୟ ମଣ୍ଡପ ନିର୍ମାଣ କରିବାକୁ ନିଷ୍ପତ୍ତି । ଏଥିଲାଗି ୧୭୧ କୋଟି ଟଙ୍କା ଅନୁମୋଦନ କରାଯାଇଛି । ୩୬ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଚକ୍ଷୁ ଚିକିତ୍ସା ସେବା କ୍ଷେତ୍ରରେ ମୋଟ ୫୩୮ ଚକ୍ଷୁ ଚିକିତ୍ସା ସହାୟକ ପଦବୀକୁ ଅନୁମୋଦନ ମିଳିଛି। ୧୪୧ଟି ନୂଆ ପଦବୀ ସୃଷ୍ଟି ସହ ପଦୋନ୍ନତି ଭିତ୍ତିରେ ୨୦୦ଟି ପଦବୀ ସୃଷ୍ଟି କରାଯାଇଛି। ରାଜ୍ୟରେ AI କ୍ଷେତ୍ରରେ ଷ୍ଟାର୍ଟଅପକୁ ପ୍ରୋତ୍ସାହନ ଦିଆଯିବ। AI ମିସନ ଓ AI ସେଲ ଆରମ୍ଭ ହେବ।
ଖଣ୍ଡଗିରିରେ ଆମ ବସ ଦୁର୍ଘଟଣା, ବୃଦ୍ଧଙ୍କୁ ପିଟି ଘୋଷାଡ଼ି ନେଲା ଆମ ବସ
ଭୁବନେଶ୍ଵର : ଭୁବନେଶ୍ଵରର ଖଣ୍ଡଗିରିରେ ଆମ ବସ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ବୃଦ୍ଧଙ୍କୁ ଧକ୍କା ଦେବା ସହିତ ଘୋଷାଡ଼ି ନେଲା ଆମ ବସ । ମୃତକ ଭିମଟାଙ୍ଗି ଅଞ୍ଚଳରେ ୫୫ ବର୍ଷୀୟ ତ୍ରିନାଥ ବାରିକ । ସେ ଆଇଗିଣିଆର ଏକ ବାଇକ ସୋରୁମରେ କାମ କରନ୍ତି । ଆଜି ସନ୍ଧ୍ୟାରେ ସିକୁରିଟି ଗାର୍ଡ ଡିୟୁଟି ସାରି ଫେରୁଥିବା ବେଳେ ଖଣ୍ଡଗିରି ଛକରେ ଆମ ବସ ଧକ୍କା ଦେଇ ଘୋଷାଡ଼ି ନେଇଥିଲା । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏପରିକିରି ପଛରେ ଆସୁଥିବା ଅଉ ଏକ ଆମ ବସକୁ ଉତ୍ତ୍ୟକ୍ତ ଲୋକେ ଢେଲା ପଥର ମାଡ଼ କରି ବସର କାଚ ଭାଙ୍ଗିଦେଇଥିଲେ । ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଭୁବନେଶ୍ଵର ଡିସିପି ସହତ ପୋଲିସ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାସୁଝା ପରେ ମୃତଦେହକୁ ଛାଡ଼ିଥିଲେ ଲୋକେ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଏକମାତ୍ର ଦୋଷୀ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାବାସ
ବଲାଙ୍ଗୀର : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ସାଢେ ସାତ ବର୍ଷ ପରେ ଆସିଲା ଚୂଡାନ୍ତ ରାୟ । ଏକମାତ୍ର ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଆଜୀବନ ଦଣ୍ଡାଦେଶ । ବୃତ୍ତିଗତ ଶତ୍ରୁତାରୁ ପୁଞ୍ଜିଲାଲ କରିଥିଲା ନାରକୀୟକାଣ୍ଡ । ୨୦୧୮ ଫେବୃଆରୀ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ଫୁଟିଥିଲା ପାର୍ସଲ ବୋମା । ପୁଅ ସୌମ୍ୟଶେଖରଙ୍କ ବାହାଘରରେ ମିଳିଥିବା ଗିଫ୍ଟ ଖୋଲିଲାବେଳେ ଏହି ପାର୍ସଲ ବୋମା ଫୁଟିଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କ ମୃତ୍ୟୁ ହୋଇଥିଲା । ସୋମ୍ୟଶେଖରଙ୍କ ନବବିବାହିତା ପତ୍ନୀ ରିମାରାଣୀ ସାହୁ ଗୁରୁତର ଆହତ ହୋଇଥିଲେ । ଏହି ଲୋମହର୍ଷଣକାରୀ ଘଟଣାର ପ୍ରଥମେ ସ୍ଥାନୀୟ ପୋଲିସ ତଦନ୍ତ କରୁଥିବା ବେଳେ ପ୍ରାୟ ଦେଢ ମାସ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ବୃତ୍ତିଗତ ଶତୃତାରୁ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ରାୟପୁରରୁ ପାଟଣାଗଡକୁ ପାର୍ସଲ କରିଥିଲା ବୋମା । ପୁଅ ବାହାଘର ପରେ ପରିବାର ଲୋକେ ଖୋଲିଥିଲେ ଉପହାର ।ଗୋଟିଏ ପରେ ଗୋଟିଏ ଉପହାର ଖୋଲିବା ପରେ ଗୋଟିଏ ଗିଫ୍ଟ ଖୋଲିବା ମାତ୍ରେ ହୋଇଥିଲା ବିସ୍ଫୋରଣ । ବିସ୍ପୋରଣରେ ପ୍ରଚଣ୍ଡ ଶଦ୍ଦ ହେବା ସହ ଘରର ଛାତ ସହ କାନ୍ଥ ଫାଟିଥିଲା ।ବହୁ ତନାଘନା ପରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲକୁ ଗିରଫ କରିଥିଲା । ଆଉ ଆଜି ତାକୁ ଦଣ୍ଡାଦେଶ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ଦଣ୍ଡାଦେଶ ପରେ ସୌମ୍ୟଶେଖରଙ୍କ ପରିବାର ସାମାନ୍ୟ ଆଶ୍ବସ୍ତି ହୋଇଛନ୍ତି ।
କ୍ରାଇମବ୍ରାଞ୍ଜ ଟିମ୍ ପାଟଣାଗଡ, ଭଇଁସା କଲେଜ ଓ ରାୟପୁର ଯାଇ ତଦନ୍ତ କରିଥିଲା। ସାଢେ ୭ବର୍ଷର ନ୍ୟାୟିକ ପ୍ରକ୍ରିୟାରେ ୬୨ ଜଣଙ୍କ ସାକ୍ଷ୍ୟଗ୍ରହଣ କରାଯାଇଥିଲା । କୋର୍ଟରେ ଶହେ ଦଲିଲ ଓ ୫୨ ଉପକରଣ ଉପସ୍ଥାପିତ କରାଯାଇଥିଲା । କୋର୍ଟ ଆଇପିସିର ଧାରା ୩୦୨, ୩୦୭, ୨୦୧ ସହ ବିସ୍ଫୋରକ ସାମଗ୍ରୀ ଆଇନର ଧାରା ୩ ଓ ୪ ଆଧାରରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଦଣ୍ଡାଦେଶ ପରେ ପୁଞ୍ଜିଲାଲ କାନ୍ଦି ପକାଇଥିଲେ । ସେପଟେ ଏଡିଜେ କୋର୍ଟଙ୍କ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ସେ କହିଛନ୍ତି । ସୌମ୍ୟଶେଖରଙ୍କ ପରିବାର କହିଛନ୍ତି, ପୁଞ୍ଜିଲାଲ ଉପର କୋର୍ଟକୁ ଗଲେ ସେମାନେ ମଧ୍ୟ ନ୍ୟାୟିକ ପ୍ରକ୍ରିୟାକୁ ସମ୍ମାନ ଦେବେ ।

