ନୂଆଦିଲ୍ଲୀ: ପତଞ୍ଜଳି ଦ୍ୱାରା ତିଆରି କରୋନା ଔଷଧ ‘କରୋନିଲ୍’ କୁ ନେଇ ବିବାଦ ପରେ ଯୋଗ ଗୁରୁ ବାବା ରାମଦେବ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସମ୍ମିଳନୀରେ ବାବା ରାମଦେବ କହିଛନ୍ତି, “ଆମେ ଔଷଧ ଉପରେ ଭଲ ଭାବରେ ଅନୁସନ୍ଧାନ କରିଛୁ କିନ୍ତୁ ଲୋକମାନେ ଆମକୁ ଦୁର୍ବ୍ୟବହାର କରୁଛନ୍ତି । ଆପଣ ଆମକୁ ଦୁର୍ବ୍ୟବହାର କରନ୍ତୁ କିନ୍ତୁ ଅନ୍ତତଃ ତାଙ୍କ ଉପରେ ସହାନୁଭୂତି ଦେଖାନ୍ତୁ ଯେଉଁମାନେ କରୋନା ଭାଇରସରେ ପୀଡିତ ଅଛନ୍ତି ଏବଂ ଯେଉଁ ଲକ୍ଷ ଲକ୍ଷ କୋଟି ପୀଡିତ ଲୋକଙ୍କୁ ପତଞ୍ଜଳି ଚିକିତ୍ସା କରିଛି” । ରାମଦେବ କହିଛନ୍ତି, ‘ଏମିତି ଲାଗୁଛି ଭାରତ ଭିତରେ ଯୋଗ ଆୟୁର୍ବେଦର କାମ କରିବା ଏକ ଅପରାଧ । ଶହ ଶହ ସ୍ଥାନରେ ଔଷଧ ବିରୋଧରେ ମାମଲା ରୁଜୁ କରାଯାଇଛି ଯେମିତି ଦେଶଦ୍ରୋହୀ ତଥା ଆତଙ୍କବାଦୀଙ୍କ ବିରୋଧରେ ରୁଜୁ କରାଯାଏ ।
ଲାଇସେନ୍ସ ଉପରେ ରାମଦେବ ସ୍ପଷ୍ଟିକରଣ ରାମଦେବ କହିଛନ୍ତି, ଆୟୁର୍ବେଦ ଔଷଧ ଉତ୍ପାଦନ ପାଇଁ ୟୁନାନି ଏବଂ ଆୟୁର୍ବେଦ ବିଭାଗରୁ ସେ ଲାଇସେନ୍ସ ହାସଲ କରିଛନ୍ତି । ଏହା ଆୟୁଷ ମନ୍ତ୍ରଣାଳୟ ସହ ଜଡିତ । ଆୟୁର୍ବେଦରେ ସମସ୍ତ ଔଷଧ ସେମାନଙ୍କର ଗୁଣ ଆଧାରରେ ପଞ୍ଜିକୃତ ହୋଇଥାଏ । ଯେ କୌଣସି ଔଷଧ ଗବେଷଣା, ଏହାର କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ, ଏହାର ପ୍ରୋଟୋକଲ୍ ଆୟୁର୍ବେଦ ସ୍ଥିର କରିନଥାଏ | ତେଣୁ, ଏହି ଔଷଧର ଆୟୁର୍ବେଦିକ ଲାଇସେନ୍ସ ସମସ୍ତ ପ୍ରାକୃତିକ ଗୁଣ ଆଧାରରେ ନିଆଯାଇଛି ।
କରୋନିଲ ନେଇ ରାମଦେବଙ୍କ ସ୍ପଷ୍ଟୀକରଣ, କହିଲେ ଆତଙ୍କବାଦୀଙ୍କ ଭଳି ଆମ ବିରୋଧରେ FIR କରାଯାଇଛି
ଡାକ୍ତର ଦିବସରେ ଡାକ୍ତରଙ୍କୁ ସଲାମ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଡକ୍ଟର୍ସ ଡେରେ ଡାକ୍ତରଙ୍କୁ ସଲାମ୍ । ଡାକ୍ତରଙ୍କୁ ସବୁବେଳେ ଭଗବାନଙ୍କ ସହ ତୁଳନା କରାଯାଏ । କରୋନା କାଳରେ ଡାକ୍ତରଙ୍କ ତ୍ୟାଗ ଓ ସେବା ଭାବନାର ସବୁଆଡେ ଚର୍ଚ୍ଚା । କରୋନା ଯୁଦ୍ଧରେ ଆଗ ଧାଡ଼ିର ଯୋଦ୍ଧା ହେଉଛନ୍ତି ଡାକ୍ତର । ନିଜର ଓ ପରିବାରର ସୁରକ୍ଷାକୁ ପଛକରି ଡାକ୍ତରମାନେ ମହାମାରୀ ବିରୋଧରେ ଯୁଦ୍ଧ ଲଢୁଛନ୍ତି । ସେମାନଙ୍କ ତ୍ୟାଗ ଓ ସାହସକୁ ଡକ୍ଟର୍ସ ଡେ’ରେ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି ।

ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମଦିନରେ ସମସ୍ତ ଡାକ୍ତରଙ୍କୁ ଶୁଭେଛା ଜଣାଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ, ସେହି ସମସ୍ତ ଡାକ୍ତରଙ୍କୁ ସଲାମ ଯେଉଁମାନେ , ମାନବ ସଭ୍ୟତା ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ମହାମାରୀ କରୋନା କବଳରୁ ଆମକୁ ରକ୍ଷା କରିବା ପାଇଁ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରି ଚାଲିଛନ୍ତି ।
କରୋନା ବିରୋଧରେ ଫ୍ରଣ୍ଟଲାଇନ୍ ଯୋଦ୍ଧା ଭାବେ ଡାକ୍ତରମାନେ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କର ଏଭଳି ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭାରତରତ୍ନ ବିଧାନଚନ୍ଦ୍ର ରାୟ କିଏ ?
୧୮୮୨ ମସିହାରେ ଜନ୍ମ ଗ୍ରହଣ କରିଥିବା ଡକ୍ଟର ବିଧାନ ଚନ୍ଦ୍ର ରାୟ ଭାରତର ଜଣେ ପ୍ରସିଦ୍ଧ ଡାକ୍ତର ଥିଲେ । ସେ ମଧ୍ୟ ପଶ୍ଚିମ ବଙ୍ଗ ରାଜନୀତିର ପ୍ରମ୍ମୁଖ ଚେହେରା ଥିଲେ । ୧୯୪୮ ମସିହାରୁ ୧୯୬୨ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । କଂଗ୍ରେସରେ ଯୋଗ ଦେଇ ସେ ସ୍ୱାଧିନତା ସଂଗ୍ରାମରେ ଭାଗ ନେଇଥିଲେ ।
ଭାରତ ସହ ଦୁଇ ଫ୍ରଣ୍ଟରେ ଯୁଦ୍ଧ ଚାହୁଁଛି ଚୀନ୍ ? ପିଓକେରେ ୨୦ ହଜାର ସୈନିକ ମୁତ୍ତୟନ
ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଲଦାଖ୍ ଫ୍ରଣ୍ଟରେ ଉତ୍ତେଜନା ଲାଗି ରହିଥିବା ବେଳେ ଡ୍ରାଗନ ଟୁ ଫ୍ରଣ୍ଟ୍(ଦୁଇ ମୋର୍ଚ୍ଚା) ଯୁଦ୍ଧ ରଣନୀତି ଉପରେ କାମ କରୁଥିବା ଜଣା ପଡୁଛି । ଭାରତକୁ ଘେରିବା ପାଇଁ ପାକ୍ ଅଧିକୃତ କାଶ୍ମୀର ଗିଲଗିତ-ବାଲଟିସ୍ତାନର ଏଲଓସି ନିକଟେର ପାକିସ୍ତାନ ୨୦ ହଜାର ସୈନିକ ମୁତ୍ତୟନ କରିଥିବା ଜଣାପଡିଛି । ଚୀନ୍ ପରାମର୍ଶରେ ପାକିସ୍ତାନ ଏମିତି କରିଥିବା ସାମରିକ ବିଶେଷଜ୍ଞ କହୁଛନ୍ତି । ଏଭଳି କରି ଚୀନ୍ ଭାରତ ଉପରେ ଚାପ ପ୍ରୟୋଗ କରିବାକୁ ଚାହୁଁଛି ।

ଆତଙ୍କବାଦୀ ସଂଗଠନଙ୍କ ସହ କଥା ହେଉଛି ପାକିସ୍ତାନ
ଗୁଇନ୍ଦା ଏଜେନ୍ସୀଙ୍କ ଅନୁସାରେ କାଶ୍ମୀରରେ ହିଂସା ବୃଦ୍ଧି କରି ନୂଆଦିଲ୍ଲୀ ପାଇଁ ମୁଣ୍ଡବିନ୍ଧା ସୃଷ୍ଟି କରିବା ଚୀନର ଲକ୍ଷ୍ୟ । ଏଥିପାଇଁ ଚୀନ ଅଲ ବଦର ଆତଙ୍କବାଦୀ ସଂଗଠନ ସହ କଥା ହେଉଥିବା ଜଣା ପଡିଛି । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ଚୀନ୍ ଓ ପାକିସ୍ତାନ ହାତ ମିଳାଇଛନ୍ତି । ଏହି କ୍ରମରେ କାଶ୍ମୀରର ପଶ୍ଚିମ ସୀମାରେ ଉତ୍ତେଜନା ବୃଦ୍ଧି ପାଇଁ ପାକିସ୍ତାନ ୨୦ ହଜାର ସୈନିକ ମୁତ୍ତୟନ କରିଛି ।

ଭାରତ ବିରୋଧରେ ଟୁ ଫ୍ରଣ୍ଟ୍ ୱାର ଷଡ଼ଯନ୍ତ୍ର
ମିଳୁଥିବା ସୂଚନା ଅନୁସାରେ ପାକିସ୍ତାନ ଏଥର ଯେତିକି ସୈନ୍ୟ ମୁତ୍ତୟନ କରିଛି,ତାହା ବାଲାକୋଟ୍ ଏୟାରଷ୍ଟ୍ରାଇକ ବେଳେ ମୁତ୍ତୟନ ହୋଇଥିବା ସୈନିକଙ୍କ ସଂଖ୍ୟାଠାରୁ ଢେର ଅଧିକ । ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ଏହି ଅଂଚଳ ଉପରେ ୨୪ ଘଣ୍ଟା ନଜର ରଖୁଛି । ଏମିତି କରି ଚୀନ୍ ଦୁଇ ମୋର୍ଚ୍ଚା ଯୁଦ୍ଧର ରଣନୀତି ତିଆରି କରିଛି । ଭାରତ ଉପରେ ଦୁଇ ପଟରେ ଯୁଦ୍ଧ ଲଢିବାର ମାନସିକ ଚାପ ପକାଇବା ଡ୍ରାଗନର ଲକ୍ଷ୍ୟ ।

ଦୁଇ ଦେଶ ମଧ୍ୟରେ ଅନେକ ବୈଠକ
କୁହାଯାଉଛି ଯେ,ଦୁଇ ଦେଶ ମଧ୍ୟରେ ଏଇ କିଛିଦିନ ମଧ୍ୟରେ ଅନେକ ଥର ବୈଠକ ହୋଇଛି । ଉଭୟ ଦେଶର ସେନା ଅଧିକାରୀ ଭାରତକୁ କେମିତି ଚାପରେ ରଖିବେ ସେନେଇ ଆଲୋଚନା ହୋଇଥିଲା । ଆଲୋଚନା ପରେ ହିଁ ପାକିସ୍ତାନ ସୀମାରେ ୨୦ ହଜାର ସୈନିକ ମୁତ୍ତୟନ କରିଛି । ଏହି କ୍ଷେତ୍ରରେ ଥିବା ସ୍କର୍ଦ୍ଦୁ ଏୟାରଫିଲ୍ଡରେ କିଛି ଦିନ ତଳେ ଚୀନର ଏକ ରିଫ୍ୟୁଲିଂ ବିମାନ ଅବତରଣ କରିଥିବା ସୂଚନା ମିଳିଥିଲା ।
ଚୀନ୍-ପାକ୍ ପଟୁ ବିପଦ,ଭାରତ କିଣୁଛି ସ୍ପାଇସ୍ ବମ୍

ଚୀନ ସହ ବୃଦ୍ଧି ପାଉଥିବା ଉତ୍ତେଜନା ଭିତରେ ଭାରତ ବାଲାକୋଟ୍ ଏୟାରଷ୍ଟ୍ରାଇକରେ ବ୍ୟବହାର କରିଥିବା ସ୍ପାଇସ୍ ବୋମାର ଆଡଭାନ୍ସ ଭର୍ସନ କିଣିବ । ସ୍ପାଇସ-୨୦୦୦ ବୋମା ବାଲାକୋଟ ଏୟାରଷ୍ଟ୍ରାଇକରେ ବ୍ୟବହୃତ ହୋଇଥଲା । ଏହି ବୋମା ବଙ୍କର ଓ କୋଠାକୁ କ୍ଷଣିକରେ ଧ୍ୱଂସ କରିପାରେ ।
+୨ର ବାକିଥିବା ସବୁ ପରୀକ୍ଷା ବାତିଲ, ସିବିଏସ୍ଇ ଢ଼ାଞ୍ଚାରେ ହେବ ମୂଲ୍ୟାୟନ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ସମସ୍ତ ସ୍କୁଲ କଲେଜ ଏବେ ବନ୍ଦ ରହିଛି । କରୋନା ସଂକ୍ରମଣ ବଢ଼ୁଥିବା କାରଣରୁ ଏବେ ପରୀକ୍ଷା କରାଇବା ସମ୍ଭବ ନୁହେଁ । ଏନେଇ ରାଜ୍ୟରେ ମାର୍ଚ ୨୩ ରୁ ୨୮ ମଧ୍ୟରେ ହେବାକୁ ଥିବା +୨ ପରୀକ୍ଷାକୁ ବାତିଲ କରାଯାଇଛି । +୨ର କଳା, ବାଣିଜ୍ୟ ଏବଂ ବିଜ୍ଞାନର ବାକିଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉଛ ଶିକ୍ଷା ମନ୍ତ୍ରୀ ସମୀର ଦାସ ।
ପାଣ୍ଡେମିକ ଓ ପ୍ରତିକୂଳ ପରିସ୍ଥିତି ପାଇଁ ପରୀକ୍ଷା ବାତିଲ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ବାତିଲ ପରେ ସିବିଏସ୍ଇ ଢ଼ାଞ୍ଚାରେ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷାର ମୂଲ୍ୟାୟନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଥିଓରି ପେପରକୁ ଦେଖି ଆଭରେଜ ମାର୍କ ଦିଆଯିବ । ଯେଉଁମାନେ ୫ଟି ପେପର ଦେଇଥିବେ ସେମାନଙ୍କର ବେଷ୍ଟ ୩ଟି ପେପର ଅନୁଯାୟୀ ମୂଲ୍ୟାୟନ କରାଯିବ । ଏବଂ ଯେୁଉଁମାନେ ୩ଟି ପେପର ଦେଇଛନ୍ତି ସେମାନଙ୍କର ବେଷ୍ଟ ୨ଟି ପେପରକୁ ଦେଖି ମାର୍କ ଦିଆଯିବ ।
ଠିକ ସେହି ଭଳି କମ୍ପାଟେବଲ ପରୀକ୍ଷାର୍ଥୀ ପୂର୍ବ ପରୀକ୍ଷାର ବେଷ୍ଟ ଅଫ ୨/୩/୪ ଆଧାରରେ ହେବ ମୂଲ୍ୟାୟନ । ଏବଂ ଯେଉଁ ମାନେ ପରୀକ୍ଷେ ଦେଇସାରିଛନ୍ତି ସେମାନଙ୍କର ଯେମିତି ଖାତା ଦେଖା ହୋଇ ମୂଲ୍ୟାୟନ ହେବା କଥା ସେମିତି ହେବ । ତେବେ ଏଥିରେ ଯେଉଁ ପରୀକ୍ଷାର୍ଥି ଅସନ୍ତୁଷ୍ଟ ରୁହନ୍ତି ସେମାନଙ୍କର ପୂନର୍ବାର ପରୀକ୍ଷା ହେବ କରୋନା ସଂକ୍ରମଣ ଠିକ୍ ହେବା ପରେ । ରାଜ୍ୟରେ ଏବେ କରୋନା କାରଣରୁ ଖାତା ଦେଖାରେ ବାଧା ଉପୁଜୁଛି । କିନ୍ତୁ ଆମେ ଶତ ଚେଷ୍ଟା କରୁଛୁ ତାଙ୍କର କ୍ୟାରିୟର ଦୃଷ୍ଟିରୁ ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ।
ଆତଙ୍କବାଦୀଙ୍କ ଗୁଳି ନେଲା ଜେଜେଙ୍କ ଜୀବନ,ଯବାନଙ୍କ କୋଳରେ ଶିଶୁର ଫଟୋ ହେଲା ଭାଇରାଲ
ଶ୍ରୀନଗର: ହୃଦୟକୁ ଥରାଇ ଦେବା ଭଳି ଆତଙ୍କବାଦର ଏକ ଚିତ୍ର ପୁଣିଥରେ ସାମ୍ନାକୁ ଆସିଛି । ଏହି ଚିତ୍ର ଆସିଛି କାଶ୍ମୀରରୁ । ଜାମ୍ମୁ-କାଶ୍ମୀରର ସୋପୋରରେ ସିଆରପିଏଫ୍ ଉପରେ ଆତଙ୍କବାଦୀ ହମଲା କରିଥିଲେ । ଯେଉଁଥିରେ ଜଣେ କନେଷ୍ଟବଲ ସହିଦ ହୋଇଥିବା ବେଳେ ଅନ୍ୟଜଣେ ବେସାମରିକ ବରିଷ୍ଠ ନାଗରିକ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ।

(ଶିଶୁକୁ ସୁରକ୍ଷିତ ସ୍ଥାନରେ ରହିବାକୁ ଇସାରାରେ କହୁଛନ୍ତି ଯବାନ)
ଏହା ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ମାର୍ମିକ ଚିତ୍ର ଭାଇରାଲ ହେବାରେ ଲାଗିଛି । ଗୁଳିମାଡ ଭିତରେ ସିଆରପିଏଫର ଜଣେ ଯବାନ ନିଜ ଜୀବନକୁ ବାଜିରେ ଲଗାଇ ବୃଦ୍ଧଙ୍କ ସହ ଥିବା ତାଙ୍କର ତିନି ବର୍ଷର ନାତିକୁ ଉଦ୍ଧାର କରିଥିଲେ । ଯବାନ ଜଣକ ସେହି ଶିଶୁକୁ କାଖକରି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ସେହି ସମୟର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି ।

(ଯବାନଙ୍କ କୋଳରେ ଶିଶୁ)
ମିଡିଆ ରିପୋର୍ଟ ଅନୁସାରେ ଶିଶୁଟି ତା’ ଜେଜେବାପାଙ୍କ ସହ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଗୁଳିମାଡ ଭିତରେ ସେମାନେ ଫସିଥିଲେ । ଗୁଳି ତା’ ଜେଜେଙ୍କୁ ଲାଗିଥିଲା । ଘଟଣାସ୍ଥଳରେ ଜେଜେଙ୍କର ମୃତ୍ୟୁ ହୋଇଥିଲା ।
https://twitter.com/JournoDanish/status/1278198103661674497
(ଆତଙ୍କବାଦର ଛାତି ଥରାଇଲା ଭଳି ଚିତ୍ର,ଏହି ପିଲାର ନୀରିହ ପ୍ରଶ୍ନର କିଛି ଉତ୍ତର ତଥାକଥିତ ଜିହାଦୀଙ୍କ ପାଖରେ ଅଛି କି ?)
ଗୋଟିଏ ଫଟୋରେ ପିଲାଟିକୁ ରକ୍ତାକ୍ତ ଜେଜେଙ୍କ ପାଖରେ ବସିଥିବା ଦେଖିବାକୁ ମିଳିଥିଲା । ଗୁଳି ଶବ୍ଦ ଭିତରେ ସେ ଭୟରେ କାନ୍ଦୁଥିଲା । ଏହି ସମୟରେ ଜଣେ ଯବାନ ସେଠାକୁ ଆସି ତାକୁ କୋଳେଇ ନେଇଥିଲେ । ପିଲାଟିକୁ ସେ ଆଉଁଷିବା ସହ ତା’ ସହିତ କଥା ହେଉଥିବା ଚିତ୍ର ଭାଇରାଲ ହେଉଛି ।ଅନ୍ୟଏକ ଫଟୋରେ ଶିଶୁଟି ସିଆରପିଏଫ୍ ଭ୍ୟାନରେ ବସି କାନ୍ଦୁଥିବା ଦେଖାଯାଇଛି । ହାତରେ ତା’ର ଗୋଟିଏ ବିସ୍କୁଟ୍ ପ୍ୟାକେଟ୍ ସେହି ସମୟରେ ଥିଲା ।
କିଛି ଦିନ ତଳେ ପାକ୍ ସମର୍ଥିତ ଜିହାଦୀ ବିଜବେହେରାରେ ଜଣେ ପାଂଚ ବର୍ଷର ଶିଶୁର ହତ୍ୟା କରିଥିଲେ । ତେବେ ଶିଶୁ ହତ୍ୟାକାରୀଙ୍କୁ ସେନା ମାତ୍ର କେଇ ଦିନ ଭିତରେ ସଫା କରିବାରେ ସଫଳ ହୋଇଥିଲା । ପାକିସ୍ତାନୀ ଆତଙ୍କବାଦୀ ଗତ କେଇ ମାସ ଧରି ସାଧାରଣ ନାଗରିକଙ୍କୁ ଟାର୍ଗେ୍ଟ କରି ଆସୁଛନ୍ତି ।
ସାବଧାନ! ଫ୍ରି ୱେବସାଇଟରେ ମାଗଣା ଫିଲ୍ମ ଓ ୱେବ ସିରିଜ୍ ଦେଖିବା ଲୋଭ ମହଙ୍ଗା ପଡିପାରେ
ମୁମ୍ବାଇ: ଚୀନ୍ ସହିତ ଜାରି ରହିଥିବା ବିବାଦ ମଧ୍ୟରେ ଦେଶରେ ବଡ ସାଇବର ଠକେଇ ମଧ୍ୟ ଆରମ୍ଭ ହୋଇଛି। ଫ୍ରି ୱେବସାଇଟ୍ ବ୍ୟବହାର ନକରିବାକୁ ମହାରାଷ୍ଟ୍ର ସାଇବର ବିଭାଗ ସମସ୍ତଙ୍କୁ ଅପିଲ୍ କରିଛି। ମାଗଣା ୱେବସାଇଟରେ ଫିଲ୍ମ କିମ୍ବା ସିରିଜ୍ ଦେଖିବାକୁ ମନା କରାଯାଇଛି। କାରଣ ଏହା ଦ୍ୱାରା ଜଣେ ହ୍ୟାକର ୟୁଜରର ମୋବାଇଲ୍ ଫୋନ୍ କିମ୍ବା କମ୍ପ୍ୟୁଟରକୁ ହ୍ୟାକ୍ କରିପାରେ ।

ମହାରାଷ୍ଟ୍ର ସାଇବର ବିଭାଗ ୧୦ ଟି ଚଳଚ୍ଚିତ୍ର ଏବଂ ୱେବ୍ ସିରିଜର ଏକ ତାଲିକା ପ୍ରକାଶ କରିଛି । ତାଲିକାରେ ଯେତିକି ଚଳଚ୍ଚିତ୍ର ଏବଂ ସିରିଜ୍ ରହିଛି, ୱେବସାଇଟରେ ସେହି ଫିଲ୍ମ ଦେଖିବା ପାଇଁ ବାରଣ କରାଯାଇଛି । ଫିଲ୍ମ ଲିଷ୍ଟରେ ମର୍ଦ୍ଦାନି ୨, ଜୁଟୋପିଆ, ଜୱାନୀ ଜାନେମାନ, ଲଭ୍ ଆଜକଲ, ଛପାକ୍, ଇନସେପସନ୍, ବାହୁବଲୀ, ରଜନୀଗନ୍ଧା, ଗଲି ବଏ କୁ କୌଣସି ମାଗଣା ୱେବସାଇଟ୍ ରେ ନଦେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୱେବ୍ ସିରିଜ୍ ଲିଷ୍ଟରେ ଦିଲ୍ଲୀ କ୍ରାଇମ୍, ବ୍ରୁକଲିନ୍ ନାଇନ୍, ପଞ୍ଚାୟତ, ଆକୁରୀ, ଫୌଦ୍, ଘାଉଲ, ମାଇଣ୍ଡହଣ୍ଟର୍, ନାର୍କୋସ, ଦେଭଲୋକ, ଲଷ୍ଟ ଭଳି ସିରିଜ୍ ସାମିଲ ରହିଛି ଯାହା ଫ୍ରି ୱେବ୍ ସାଇଟ୍ ରେ ଦେଖିବା ଅନୁଚିତ୍ ।

ଲକଡାଉନ୍ ରେ ମହାରାଷ୍ଟ୍ରରେ ସାଇବର ଫ୍ରଡ୍ ମାମଲା ବଢିବାରେ ଲାଗିଛି। ରିପୋର୍ଟ ଅନୁସାରେ ଲକଡାଉନ୍ ସମୟରେ ୫୧୨ ସାଇବର ମାମଲା ରୁଜୁ ହୋଇଛି । ସେଥମଧ୍ୟରୁ ୨୭୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଅପରାଧରେ ହ୍ୱାଟ୍ସଆପ୍ ମେସେଜ୍, ଫେସବୁକ୍ ପୋଷ୍ଟ, ଟିକ୍ ଟକ୍ ଭିଡିଓ ମଧ୍ୟ ସାମିଲ ଅଛି । ସୂଚନାଯୋଗ୍ୟ ଯେ, ୧୦୮ଟି ବିବାଦୀୟ ପୋଷ୍ଟ ସୋସିଆଲ ମିଡିଆରୁ ହଟାଇ ଦିଆଯାଇଛି।

ସାଇବର ବିଶେଷଜ୍ଞ ଅଙ୍କୁର ପୁରାଣିକ ଅନଲାଇନ୍ ଠକେଇ ବିଷୟରେ ବ୍ୟାଖ୍ୟା କରିଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ – ସାଇବର କ୍ରିମିନାଲ୍ କିଛି ନୂଆ ଟେକ୍ନୋଲୋଜି ମାଧ୍ୟମରେ ଲୋକଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ କରନ୍ତି । ମାଲୱେୟର୍ ସଫ୍ଟୱେର୍ ମାଧ୍ୟମରେ ସେମାନେ ଲୋକଙ୍କ ଫୋନ୍ ବ୍ୟବହାର କରିପାରନ୍ତି । ଏହା ପରେ OTP, ପାସୱାର୍ଡ ଖୋଜିବାକୁ ଚେଷ୍ଟା କରନ୍ତି । ଅନେକ ଥର, ଫ୍ରି ନେଟଫ୍ଲିକ୍ସ ସବସ୍କ୍ରିପସନ୍, ଫ୍ରି ଡାଟା ଭଳି ଲିଙ୍କ ମଧ୍ୟ ଦିଆଯାଏ, ଯେଉଁଥିରେ କ୍ଲିକ୍ କରିବା ମାତ୍ରେ ସମସ୍ତ ଡାଟା ଲିକ୍ ହୋଇଯାଏ । ଏହି ଫ୍ରଡ୍ ଠୁ ବଞ୍ଚିବା ପାଇଁ ଫୋନରେ ସମସ୍ତ ଆପ୍ ଖୋଲା ରଖିବା ଅନୁଚିତ୍ । ଗୋଟିଏ ଆପ୍ ବ୍ୟବହାର କରିବା ସମୟରେ ଅନ୍ୟ ଆପ୍ ବନ୍ଦ ରଖିବା ଉଚିତ୍ ।

ମହାରାଷ୍ଟ୍ର ସାଇବର ବିଭାଗ ଚେତାବନୀ ଦେଇଛି ଯେ, ଯଦି କିଏ ଏହି ଚଳଚ୍ଚିତ୍ରଗୁଡ଼ିକୁ କୌଣସି ଫ୍ରିୱେବସାଇଟରୁ ଡାଉନଲୋଡ୍ କରିଛନ୍ତି ତେବେ ତୁରନ୍ତ ସେହିଗୁଡ଼ିକୁ ଡିଲିଟ କରାଯିବା ଜରୁରୀ । ଅରିଜିନାଲ୍ ସାଇଟରେ ଚଳଚ୍ଚିତ୍ର ଏବଂ ସିରିଜ୍ ଦେଖିବା ପାଇଁ ସମସ୍ତଙ୍କୁ ଅପିଲ୍ କରାଯାଇଛି ।
ପରିବା ଦୋକାନୀ ମେଥି କହି ଗଞ୍ଜେଇ ଦେଲା, ତରକାରୀ ଖାଇ ପୁରା ପରିବାର ଅସୁସ୍ଥ
ଉତ୍ତରପ୍ରଦେଶ: କନ୍ନୌଜ ଏକ ବିଚିତ୍ର ଘଟଣା ସାମ୍ନକୁ ଆସିଛି । ଏଭଳି ଏକ ଘଟଣା ଯାହା ଆପଣ ଶୁଣିଲେ ପୁରା ଆଶ୍ଚର୍ଯ୍ୟ ହୋଇଯିବେ । ଯାହା ଆପଣ ଆଗରୁ କେବେ ଶୁଣି ନଥିବେ ସେହିଭଳି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟ କଲାଭଳି କଥାଟି ହେଉଛି ଗୋଟିଏ ପରିବାରର ୬ ଜଣ ସଦସ୍ୟ ଗଞ୍ଜେଇ ତରକାରି ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର କନ୍ନୌଜର ମିଆଗଞ୍ଜ ଗ୍ରାମରେ ।
ସୂଚନା ଅନୁଯାୟୀ, ସେଠାକାର ଜଣେ ସ୍ଥାନୀୟ ପରିବା ଦୋକାନୀ ଶନିବାର ଜଣେ ସ୍ଥାନୀୟ ଲୋକଙ୍କୁ ଗଞ୍ଜେଇ ବିକ୍ରି କରିଥିଲେ ଏହା ମେଥି ବୋଲି କହି । ପରିବା ବିକାଳି ତାଙ୍କୁ କଣ ଦେଲେ ତାହା ନଦେଖି ସିଧା ଘରକୁ ନେଇ ଚାଲିଯାଇଥିଲେ ସ୍ଥାନୀୟ ଲୋକ ଜଣକ । ଘରକୁ ଫେରି ରୋଷେଇ କରିବା ପାଇଁ ବୋହୂ ପିଙ୍କିଙ୍କୁ ପ୍ୟାକେଟ୍ ଦେଥିଲେ । ସନ୍ଧ୍ୟା ପ୍ରାୟ ୪ ଟା ବେଳେ ପିଙ୍କି ଏହାକୁ ନେଇ ରୋଷେଇ କରିଥିଲେ ।
ରୋଷେଇ ସରିବା ପରେ ସନ୍ଧ୍ୟା ସମୟରେ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ । ପରିବାର ୬ ଜଣ ସଦସ୍ୟ ଏହାକୁ ଖାଇ ଅସୁସ୍ଥ ହୋଇପଡ଼ିଥିଳେ ବୋଲି ଅମର ଉଜାଲା କହିଛନ୍ତି । ସେ କହିଛନ୍ତି ଏହାକୁ ଖାଇସାରିବାର କିଛି ସମୟ ପରେ ପରିବାରର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା । ତାପରେ ସେମାନେ ପଡ଼ୋଶୀଙ୍କୁ ଡାକ୍ତର ଡାକିବାକୁ କହିଥିଲେ । ଏହା ପରେ ପଡୋଶୀମାନେ ପୋଲିସକୁ ଖବର ଦେବା ପରେ ପୁରା ପରିବାରକୁ ଡାକ୍ତରଖାନାକୁ ନିଆଯାଇଥିଲା ।
ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କଲା, ସେତେବେଳେ ସେମାନେ ଏକ ପାତ୍ରରେ ରନ୍ଧା ହୋଇଥିବା ‘ଗଞ୍ଜେ ତରକାରି’ ଏବଂ ପ୍ୟାକେଟରେ ବଳକା ଥିବା ଗଞ୍ଜେଇ ଦେଖିଥିଲେ । ପୋଲିସ୍ ରନ୍ଧା ଏବଂ ରନ୍ଧା ନଥିବା ଖାଦ୍ୟକୁ ଜବତ କରିଛି । ପନିପରିବା ବେପାରିକୁ ମଧ୍ୟ ଅଟକ ରଖିଛି ପୋଲିସ ।

