spot_img
Home Blog Page 679

କମିଲା ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥରାଶି, ବଢ଼ିଲା ଗରିବଙ୍କ ଛାତ ଘର ଗଢ଼ିବା ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: କମିଲା ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ଗୃହ ନିର୍ମାଣରେ ଦିଆଯାଉଥିବା ଆର୍ଥିକ ସହାୟତା । ଗରିବଙ୍କୁ ନୂଆ ଘର ଯୋଗାଇ ଦେବାକୁ ଯେଉଁ ସହାୟତା ରାଶି ଦିଆଯାଇଥିଲା ସେଥିରେ ୧୦ ହଜାର ଟଙ୍କା ହ୍ରାସ କରାଯାଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ବର୍ଷ ବର୍ଷ ଧରି ଦିଆଯାଉଥିବା ଅନ୍ତ୍ୟୋଦୟ ଓ ଆବାସ ଯୋଜନାର ଟଙ୍କାକୁ କାହିଁକି ହ୍ରାସ କରାଗଲା ବିଜେଡି ବିଧାୟକ ରମେଶ ବେହେରା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କଂଗ୍ରେସ କହିଛି, ସରକାର ଲୋକଙ୍କ କ୍ଷତି କରୁଛନ୍ତି ।

ଏଣିକି ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ଗୃହ ନିର୍ମାଣ କଲେ ହିତାଧିକାରୀଙ୍କୁ ମିଳିବନି ପୂର୍ବ ପରି ଆର୍ଥିକ ସହାୟତା । ପୂର୍ବରୁ ଅନ୍ତ୍ୟୋଦୟ ଯୋଜନାରେ ନୂତନ ଗୃହ ନିର୍ମାଣ ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ହିତାଧିକାରୀଙ୍କୁ ମିଳୁଥିଲା । ଏବେ ଏଥିରେ ୧୦ ହଜାର ଟଙ୍କା ହ୍ରାସ କରାଯାଇଛି । ଫଳରେ ଗରିବ ଲୋକଟି କିପରି ସ୍ବପ୍ନର ଘର ନିର୍ମାଣ କରିବ ତାହାକୁ ନେଇ ଚିନ୍ତାରେ ପଡ଼ିଛି । ଦିନକୁ ଦିନ ସବୁ ଜିନିଷର ଦର ବୃଦ୍ଧି ଘଟି ଚାଲିଛି । ଗରିବ ଲୋକଙ୍କ ଘର ନିର୍ମାଣ କରିବାରେ ଆର୍ଥିକ ସହାୟତା ବଢାଇବା ପରିବର୍ତ୍ତେ ସରକାର କମାଇଥିବା ବିଜେଡି ବିଧାୟକ ରମେଶ ବେହେରା ଅଭିଯୋଗ କରିଛନ୍ତି । କାହିଁକି ଓ କେଉଁ କାରଣରୁ ବିଜେପି ସରକାର ଗରିବଙ୍କ ଘର ନିର୍ମାଣ ଟଙ୍କା କାଟିଲା ତାକୁ ନେଇ ଶାସକ ଦଳକୁ ଘେରିଛି ବିଜେଡି । ତୁରନ୍ତ ପୂର୍ବପରି ଅନ୍ତ୍ୟୋଦୟ ଯୋଜନାରେ ଗୃହ ନିର୍ମାଣ ପାଇଁ ୟୁନିଟ କଷ୍ଟ ୧ ଲକ୍ଷ ୩୦ ହଜାର ଟଙ୍କା ଦେବାକୁ ଦାବି କରିଛି ବିଜେଡି । ବିଧାୟକ ରମେଶ ବେହେରା କହିଛନ୍ତି, ଟଙ୍କା ହ୍ରାସ ଯୋଗୁଁ  ହିତାଧିକାରୀ ଘର ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇପାରୁନାହାଁନ୍ତି ।

ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ପୂର୍ବ ସରକାର ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ଘର ଯୋଗାଇ ଦେଇଥିଲେ । ଅନ୍ତ୍ୟୋଦୟ ଯୋଜନାରେ ଭିନ୍ନକ୍ଷମ, ବିଧବା, ସହିଦ, ପଦ୍ମଶ୍ରୀ ପୁରସ୍କାର ପାଇଥିବା ପରିବାର, ଅଗ୍ନିକାଣ୍ଡ କ୍ଷତିଗସ୍ତ ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି । ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି କଂଗ୍ରେସ । ବିଜେପି କାହିଁକି ଲୋକଙ୍କ ମୁଣ୍ଡ ଉପରୁ ଛାତ ଘର ଛଡ଼ାଇ ନେବାକୁ ବ୍ୟବସ୍ଥା କରୁଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ତେଣେ ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ କହିଛନ୍ତି, ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ଘର ଯୋଗାଇ ଦେଉଛନ୍ତି ।

ଗୋଳନ୍ଥରା ନାବାଳିକା ଦୁଷ୍କର୍ମ ମାମଲା: ଆନ୍ଧ୍ରରୁ ୪ ଅଭିଯୁକ୍ତ ଗିରଫ, ଆଇନଶୃଙ୍ଖଳାକୁ ନେଇ ଏସପିଙ୍କୁ ଫେରାଦ ହେଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ଗୋଳନ୍ଥରାରେ ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ହେଲେ ୪ ଅଭିଯୁକ୍ତ । ଗତ ୩ ତାରିଖରେ ଗଣ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ ।  ଗତକାଲି ଆନ୍ଧ୍ରପ୍ରଦେଶର ଏକ ହୋଟେଲରୁ ସେମାନଙ୍କୁ ଗିରଫ କରିଛି ପୋଲିସ । ସେପଟେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବା ଓ ଗଣ ଦୁଷ୍କର୍ମରେ ପୀଡ଼ିତ ନାବାଳିକାଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଦାବିରେ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାରେ ଘଟିଥିଲା ଲଜ୍ଜ୍ୟାଜନକ ଘଟଣା । ଦୁଇଜଣ ନାବାଳିକା ଏକ ଶୁଭକାର୍ଯ୍ୟରେ ଯାଇଥିବା ବେଳେ ୪ ଜଣ ଯୁବକ ଦୁଇଟି ବାଇକରେ ସେମାନଙ୍କୁ ଉଠାଇ ନେଇଥିଲେ । ଦୁଇ ଦିନ ଅଟକ ରଖି ଅଭିଯୁକ୍ତମାନେ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ଏନେଇ ପରିବାର ଲୋକଙ୍କ ଗୋଳନ୍ଥରା ଥାନାରେ ଲିଖିତ ଏତଲା ପରେଅଭିଯୁକ୍ତମାନେ ଫେରାର ହୋଇ ଆନ୍ଧ୍ର ପ୍ରଦେଶର ଏକ ହୋଟେଲରେ ଲୁଚି ଥିଲେ । ୪ ଦିନର ଲୁଚକାଳି ଖେଳ ପରେ ଆନ୍ଧ୍ରପ୍ରଦେଶରୁ ସେମାନଙ୍କୁ ପୋଲିସ ଧରିଛି । ସେପଟେ ଦୁଇ ନାବାଳିକାଙ୍କ ଏମକେସିଜି ମେଡିକାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିବା ବେଳେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି l

ସୂଚନାଯୋଗ୍ୟ, ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ଗଞ୍ଜାମ । ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ପ୍ରତିଦିନ ଜିଲ୍ଲାର କେଉଁଠୁ ନା କେଉଁଠୁ ହତ୍ୟା, ଦୁଷ୍କର୍ମ ଅଭିଯୋଗ ଆସୁଛି । ଚୋରି, ଡକାୟତି ଓ ଛିନତାଇ ତ ସାଧାରଣ ଘଟଣା ହୋଇଗଲାଣି । ବାରମ୍ବାର ଏପରି ଘଟଣା ଘଟିବାକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଆଜି ଜିଲ୍ଲା ପୋଲିସ ପ୍ରଶାସନକୁ ଫେରାଦ ହୋଇଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରିଛି । ମହିଳାଙ୍କ ସୁରକ୍ଷା ନେଇ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ବାସ୍ତବରେ ପ୍ରତିଫଳନ ହେଉନି । ଥାନାଗୁଡ଼ିକରେ ପେଟ୍ରୋଲିଂ ଜାରଦାର କରିବା ସହ ମହିଳା ଓ ଶିଶୁ ଡେକ୍ସକୁ ଅଧିକ କ୍ରିୟାଶୀଳ କରିବାକୁ ଦଳ ପରାମର୍ଶ ଦେଇଛି । ସେହିପରି ପୀଡିତା ଓ ସେମାନଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ଦାବି କରିଛି ଦଳ ।

କ୍ୟାପିଟାଲ ହସ୍ପିଟାଲ ପାଇଁ ଆସିଲା କୋଭିଡ ମାର୍ଗଦର୍ଶିକା, ହେଲା ଅକ୍ସିଜେନ ମକ୍ ଡ୍ରିଲ୍

ନନ୍ଦିଘୋଷ ବ୍ୟୁରୋ: ଦେଶରେ କୋଭିଟ ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏମିତି ସ୍ଥିତିରେ ଓଡ଼ିଶା ମଧ୍ୟ କୋଭିଡକୁ ନେଇ ସଜାଗ ରହିଛି । ଏହି କ୍ରମରେ କ୍ୟାପିଟାଲ ହସ୍ପିଟାଲ ପାଇଁ ଆସିଛି କୋଭିଡ ମାର୍ଗଦର୍ଶିକା ।

ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ଡେପୁଟି ସୁପରିଟେଣ୍ଡେଣ୍ଟ ଡାକ୍ତର ଧନଞ୍ଜୟ ଦାସ । ସେ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲ ପାଇଁ କେଭିଡ ମାର୍ଗଦର୍ଶିକା ଆସିଛି । ଅକ୍ସିଜେନ ମକ ଡ୍ରିଲ ହୋଇଛି । ସ୍ୱତନ୍ତ୍ର ବେଡ ମହଜୁଦ ରଖାଯାଇଛି । ଟେଷ୍ଟିଙ୍ଗ ବ୍ୟବସ୍ଥା ବି ଚାଲିଛି । ଯାହା ପୁରୁଣା ନିୟମ ଥିଲା ତାହା ଅନୁପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର ଧନଞ୍ଜୟ ଦାସ ।

ସେ କହିଛନ୍ତି, ଆବଶ୍ୟକ ପଡିଲେ ମାସ୍କ ପିନ୍ଧନ୍ତୁ । ଏହି ଭୂତାଣୁ ଏତେ ମାରାତ୍ମକ ନୁହେଁ, ହେଲେ ସୁସ୍ଥ ହେବାକୁ ଟିକେ ବିଳମ୍ବ ହେଉଛି । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି  ଡାକ୍ତର ଦାସ ।

ଜୁନ ୧୨ ନୁହେଁ, ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଜୁନ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ହୋଇଛି ପରିବର୍ତ୍ତନ । ଏବେ ଜୁନ ୧୨ ତାରିଖ ନୁହେଁ, ଜୁନ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ।

ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ପାଳନ ଉତ୍ସବରେ ଯୋଗ ଦେବାକୁ ସେ ୨୦ ତାରିଖରେ ଓଡ଼ିଶା ଆସିବେ । ତେଣୁ ୧୨ ତାରିଖର ମୂଳ କାର୍ଯ୍ୟକ୍ରମ ୨୦ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏ ନେଇ ଆଜି ଚୂଡାନ୍ତ କାର୍ଯ୍ୟସୂଚୀ ଆସିବ ବୋଲି କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ଅନ୍ୟପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ୧୨ ତାରିଖରେ ସମୟ ମଗାଯାଇଥିଲା । ହେଲେ ପ୍ରଧାନମନ୍ତ୍ରୀ ୨୦ ତାରିଖରେ ଆସିବେ । ସେପଟେ କେଉଁଠାରେ କାର୍ଯ୍ୟକ୍ରମ ହେବ ସ୍ଥାନ ଚିହ୍ନଟ ହୋଇନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ବେଙ୍ଗାଲୁରୁ ଦଳାଚକଟା: ବିଧିବଦ୍ଧ ତଦନ୍ତ ଦାୟିତ୍ବ ନେଲା ସିଆଇଡି

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ବିଜେତା ବେଙ୍ଗାଲୁରୁର ବିଜୟ ଉତ୍ସବ ବେଳେ ଦଳାଚକଟା ଘଟଣାର ବିଧିବଦ୍ଧ ତଦନ୍ତ ଦାୟିତ୍ବ ନେଲା ସିଆଇଡି । ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଚନ୍ତି । ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରସିବିର ବିଜୟ ଉତ୍ସବ ପାଳନ ବେଳେ ଏହି ଘଟଣା ଘଟିଥିଲା ।

ତଦନ୍ତର ନେତୃତ୍ବ ନେଉଛନ୍ତି ସିଆଇଡି ଏସପି ଶୁଭନ୍ବିତା । ଟିମରେ ସଦସ୍ୟ ଅଛନ୍ତି ଡିଏସପି ଗୌତମ ଏବଂ ତଦନ୍ତକାରୀ ଅଧିକାରୀ ପୁରୁଷୋତ୍ତମ । ସିଆଇଡି ପକ୍ଷରୁ ଚିନ୍ନାସ୍ବାମୀ ଷ୍ଟାଡିୟମକୁ ନିଜ ନିୟନ୍ତ୍ରଣକୁ ନିଆଟାଇଛି । ପୂର୍ବରୁ ଏହି ଦଳାଚକଟା ଘଟଣାକୁ ନେଇ କୁବୋନ ପାର୍କ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ପରେ ଘଟଣାର ତଦନ୍ତ ଭାର ସିଆଇଡିକୁ ଦିଆଯାଇଛି ।

ଷ୍ଟାଡିୟମର ଗେଟ ନମ୍ବର ୭, ୧୭, ୧୮, ୧୯ ଓ ୨୧ରେ ଘଟିଥିବା ଘଟଣା ସମ୍ପର୍କରେ ସିଆଇଡି ତଦନ୍ତ କରୁଛି । ଆସନ୍ତା ସୋମବାର ଆଉ କିଛି ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି ।

୧୧ ଜୁନରେ ମହାକାଶରେ ଇତିହାସ ଲେଖିବେ ଭାରତୀୟ ମହାକାଶଚାରୀ ଶୁଭାଶୁଂ ଶୁକ୍ଲା

ନନ୍ଦିଘୋଷ ବ୍ୟୁରୋ: ଜୁନ ୧୦ ଓ ୧୧ ତାରିଖକୁ ଅପେକ୍ଷା । ମହାକାଶରେ ଇତିହାସ ଲେଖିବାକୁ ଯାଉଛନ୍ତି ଜଣେ ଭାରତୀୟ ମହାକାଶଚାରୀ । ସେ ହେଉଛନ୍ତି ଭାରତର ମହାକାଶ ଯାତ୍ରୀ ଗ୍ରୁପର କ୍ୟାପଟେନ୍ ଶୁଭାଶୁଂ ଶୁକ୍ଲା । ଜୁନ ୧୧ ତାରିଖ ଅପରାହ୍ନ ୧୨ଟା ୩୦ରେ ସେ ଅନ୍ତରାଷ୍ଟ୍ରିୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ପହଞ୍ଚିବେ । ଭାରତ ଓ ଆମେରିକାର ସହଯୋଗରେ ଚାଲିଥିବା ମିଶନ ଏକ୍ସ-୪ର ଏହା ଏକ ଅଂଶ । ଆସନ୍ତୁ ଜାଣିବା ଶୁଭାଶୁଂଙ୍କ ଏହି ଯାତ୍ରାକୁ ନେଇ ଟିକନିକ ଖବର ।

ସୂଚନାଯୋଗ୍ୟ, ଜୁନ ୮ ତାରିଖରେ ଏହି ମିଶନ ଆରମ୍ଭ ହେବାର ଥିଲା । ପାଗ ଖରାପ ଓ ମହାକାଶ ଯାନର ଅନ୍ତିମ ପ୍ରସ୍ତୁତିକୁ ନେଇ ଏହାର ସମୟ ବଦଳାଯାଇ ଜୁନ ୧୦ ତାରିଖ ରଖାଯାଇଛି । ନାଶା ଓ ସ୍ପେସ ଏକ୍ସ ଟିମ୍ ପକ୍ଷରୁ କୁହାଯାଇଛି ପାଗରେ ପରିବର୍ତ୍ତନ ଓ ଫାଲକନ-୯ ରକେଟ ଏବଂ ଡ୍ରାଗନ ଯାନର ପରିବହନ ପ୍ରକ୍ରିୟାକୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ କରାଯାଇଛି । ଏବେ ଏହା ଜୁନ ୧୦ ତାରିଖରେ ଲଞ୍ଚ ହେବ ଓ ୧୧ ତାରିଖରେ ଆଇଏସଏସରେ ପହଞ୍ଚିବ ।

ଏକ୍ସ-୪ ମିଶନ ସ୍ପେସ ଏକ୍ସର ୫୩ତମ ଡ୍ରାଗନ ମିଶନ । ଏହା ୧୫ତମ ମାନବ ମହାକାଶ ମିଶନ ଓ ୪୮ତମ ଆଇଏସଏସ  ଯାତ୍ରା ହେବାକୁ ଯାଉଛି । ସୂଚନାଯୋଗ୍ୟ, ଭାରତର ମହତ୍ବାକାଂକ୍ଷୀ ଗଗନଯାନ କାର୍ଯ୍ୟକ୍ରମର ଯାତ୍ରୀଙ୍କ ମଧ୍ୟରେ ଶୁଭାଶୁଂ ଶୁକ୍ଲା ଜଣେ । ଭାରତ ଏହି ମିଶନରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୪୮ କୋଟି ଟଙ୍କା ଖର୍ଚ୍ଚ କରିସାରିଛି । ଏଥିରେ ମହାକାଶ ଯାନ ଲଞ୍ଚ ସହ ଶୁଭାଶୁଂ ଏବଂ ତାଙ୍କ ବ୍ୟାକଅପ୍ ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତ ନାୟରଙ୍କ ଟ୍ରେନିଂ ମଧ୍ୟ ରହିଛି । ପ୍ରଶାନ୍ତ ନାୟର ମଧ୍ୟ ଗଗନଯାନ କାର୍ଯ୍ୟକ୍ରମର ଏକ ଅଂଶ । ଶୁଭାଶୁଂ ସ୍ପେସ ଏକ୍ସ ଓ ଏକ୍ସିଓମ ସ୍ପେସରୁ ବିଶେଷ ଟ୍ରେନିଂ ନେଇଛନ୍ତି ।

ଆଇଏସଏସ ପହଞ୍ଚିବା ପରେ ଶୁଭାଶୁଂ ୭ଟି ପ୍ରୟୋଗ କରିବାକୁ ଯାଉଛନ୍ତି । ଯାହା ଭାରତ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏଥିରେ ଅଧିକାଂଶ ଜୈବିକ ପ୍ରୟୋଗ ରହିଛି । ଯେମିତି କି ଗଛର ମଞ୍ଜିକୁ ଗଜା କରିବା ଓ ମଣିଷ ଶରୀରର ସୁକ୍ଷ୍ମ ଗୁରୁତ୍ବାକର୍ଷଣର ପ୍ରଭାବ । ଏହାବାଦ ନାଶା ସହ ମିଶି ୫ଟି ପ୍ରୟୋଗ କରିବେ ଶୁଭାଶୁଂ । ଯାହା ମାନବ ଅନୁସନ୍ଧାନ ସହ ଜଡ଼ିତ । ଇସ୍ରୋର ପ୍ରୋଜେକ୍ଟ ଡାଇରେକ୍ଟର ସୁଦୀଶ ବଲନ କହିଛନ୍ତି, ଭାରତୀୟ ବୈଜ୍ଞାନିକ ଏହି ପ୍ରୟୋଗକୁ ପ୍ରସ୍ତାବିତ କରିଛନ୍ତି । ନାଶା ସହ ମିଶା ୫ଟି ପ୍ରୟୋଗ କରାଯିବ ।

ସୂଚନାଯୋଗ୍ୟ, ଏକ୍ସ-୪ ମିଶନରେ ବ୍ୟବହାର ହେବାକୁ ଯାଉଥିବା ଡ୍ରାଗନ ମହାକାଶ ଯାନ ସମ୍ପୂର୍ଣ୍ଣ ନୂଆ । ସ୍ପେସ ଏକ୍ସର ଡ୍ରାଗନ ମିଶନ ମ୍ୟାନେଜମେଣ୍ଟ ଡାଇରେକ୍ଟର ସାରା ଓ୍ବାକର କହିଛନ୍ତି, କ୍ରୁ ମେମ୍ବରର ଦ୍ବାରା ଏହି ଯାନକୁ ଏକ ନାମ ଦିଆଯିବ । କମାଣ୍ଡର ପେଗି ହ୍ବିଟସନ ଗତ ସପ୍ତାହରେ କହିଥିଲେ ଶୀଘ୍ର ନୂଆ ନାଁ ଘୋଷଣା କରାଯିବ ।

ତେବେ ସ୍ପେସ ଏକ୍ସ ମାଲିକ ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦର ପ୍ରଭାବ ଏହି ମିଶନ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଥିଲା । ତେବେ ନାଶା ଓ ଏକ୍ସିଓମ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିବାଦର ପ୍ରଭାବ ମିଶନ ଉପରେ ପଡ଼ିବ ନାହିଁ ।  ମିଶନ ପୂର୍ବ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକାରୀ ହେବ ।

ଶୁଭାଶୁଂ ଶୁକ୍ଲାଙ୍କ ଏହି ମିଶନ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଗଗନଯାନ ମିଶନ ପାଇଁ ତାଙ୍କର ଏହି ଅଭିଜ୍ଞତା ବହୁତ କାମରେ ଲାଗିବ । ୧୧ ଜୁନରେ ସେ ଯେବେ ଆଇଏସଏସ ସହ ଯୋଡ଼ି ହେବେ, ସେ ସମୟରେ ପୂରା ଭାରତ ତାଙ୍କ ସହ ଥିବ । ଏହି ମିଶନ ନା କେବଳ ବୈଜ୍ଞାନିକ ପ୍ରୟୋଗ ଆଣିବ ତାହା ନୁହେଁ ଭାରତୀୟ ମହାକାଶ ବିଜ୍ଞାନ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

‘ମୁଁ ୩ଥର ନୁହେଁ ୪ଥର ମଧ୍ୟ ବିବାହ କରିପାରିବି’ କାହିଁକି ଏମିତି କହିଲେ ୪୭ବର୍ଷୀୟ ଦୀପଶିଖା

ପୁଣି ଚର୍ଚ୍ଚାରେ ଦୀପଶିଖା ନାଗପାଲ । ‘ବାଦଶାହା’ ଏବଂ ‘ସିର୍ଫ ତୁମ୍’ ଭଳି ଫିଲ୍ମ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ଦୀପିକା ବଲିଉଡରେ ନିଜର ଛାପ ଛାଡି ପାରିନଥିଲେ ମଧ୍ୟ ଛୋଟପରଦାରେ ବହୁ ସଫଳତା ହାସଲ କରିଛନ୍ତି । ତେବେ ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କର ଦୁଇଟି ବିଫଳ ବିବାହ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ଚର୍ଚ୍ଚା ହେଉଛି । ସେ କହିଛନ୍ତି ଯଦି ସବୁକିଛି ଠିକ୍ ହୁଏ, ତେବେ ସେ ପୁଣି ଏକ ନୂତନ ସମ୍ପର୍କ ଗଢ଼ିବେ। ଦୀପଶିଖା ଏହା ମଧ୍ୟ କହିଥିଲେ ଯେ ତାଙ୍କ ପୂର୍ବତନ ସାଥୀଙ୍କୁ ଦୋଷ ଦେବାର ନାହିଁ କାରଣ ଅସଫଳ ବିବାହ ପାଇଁ ତାଙ୍କ ଭାଗ୍ୟ ଦାୟୀ ।

ମୁଁ ତିନିରୁ ଚାରିଥର ବିବାହ କରିପାରିବି
ଏକ ସାକ୍ଷାତକାରରେ ଦୀପଶିଖାଙ୍କୁ ପଚରାଯାଇଥିଲା ଯେ ସେ ପୁଣି ବିବାହ କରିବାକୁ ଚିନ୍ତା କରୁଛନ୍ତି କି ? ଏହାର ଉତ୍ତରରେ, ଅଭିନେତ୍ରୀ କହିଥିଲେ ଯେ ଥରେରୁ ଅଧିକ ବିବାହ କରିବାରେ କିଛି ଭୁଲ ନାହିଁ, କାରଣ ସେ ପୂର୍ବରୁ ଦୁଇଟି ଛାଡପତ୍ର ଦେଇସାରିଛନ୍ତି। ଦୀପଶିଖା କହିଥିଲେ, “ମୁଁ ତିନିଥର, ଚାରିଥର ବିବାହ କରିପାରିବି – ଏଥିରେ ମୋର କୌଣସି ଲଜ୍ଜା ନାହିଁ। ଅତି କମରେ ମୁଁ ମୋର ଜୀବନ ବଞ୍ଚୁଛି।

ସାଥୀ ରୂପରେ ଉପଯୁକ୍ତ ବ୍ୟକ୍ତି ନଥିଲେ
ସେ ଏହା ମଧ୍ୟ ସ୍ୱୀକାର କରିଥିଲେ ଯେ ତାଙ୍କ ପାଇଁ ପୂର୍ବତନ ସାଥୀ ଉପଯୁକ୍ତ ବ୍ୟକ୍ତି ନଥିଲେ। ଅଭିନେତ୍ରୀ କହିଛନ୍ତି, “ମୁଁ ସବୁବେଳେ ଭୁଲ କାରଣ ପାଇଁ ବିବାହ କରିଥିଲି। ତୁମେ ସବୁବେଳେ ସଠିକ କାରଣ ପାଇଁ ବିବାହ କରିବା ଉଚିତ । ତେଣୁ ମୁଁ ସବୁକିଛି ପାଇଁ ସେହି ପୁରୁଷକୁ ଦୋଷ ଦେଇପାରିବି ନାହିଁ। ମୁଁ ଭାବୁଛି ମୁଁ ବହୁତ ରୋମାଣ୍ଟିକ। ମୁଁ ପ୍ରେମରେ ବିଶ୍ୱାସ କରେ, ମୁଁ ବିବାହରେ ବିଶ୍ୱାସ କରେ, ଦୁଇଜଣ ଲୋକ ଏକାଠି ରହିପାରିବେ କିନ୍ତୁ ଯଦି ଏହା କାମ କରୁନାହିଁ ତେବେ ଦୁଇଜଣ ନିଜ ଜୀବନ ନଷ୍ଟ କରିବା ଅପେକ୍ଷା ନିଜ ଜୀବନ ବଞ୍ଚିବା ଭଲ। ’’

ସମ୍ପର୍କରୁ ବାହାରିବା ପାଇଁ ସମୟ ଲାଗିଥିଲା
​​ସେ କହିଥିଲେ ଯେ ତାଙ୍କର ପ୍ରଥମ ବିବାହରୁ ଆଗକୁ ବଢ଼ି ପୁନଃବିବାହ କରିବା ପରେ ମଧ୍ୟ ସବୁକିଛି ଠିକ୍ ହୋଇନଥିଲା। ଅଭିନେତ୍ରୀ କହିଛନ୍ତି, “ମୋତେ ପାଞ୍ଚରୁ ଛଅ ବର୍ଷ ଲାଗିଥିଲା ସେସବୁକୁ ଭୁଲି ଆଗକୁ ବଢିବା ପାଇଁ। ମୁଁ ନିଜକୁ ଦୋଷୀ ମନେ କରୁଥିଲି, କିନ୍ତୁ ତା’ପରେ ମୁଁ ଅନୁଭବ କଲି ଯେ ମୋତେ ନିଜକୁ ବଦଳାଇବାକୁ ପଡିବ। ତେଣୁ ମୁଁ ବୌଦ୍ଧ ଧର୍ମର ସାହାଯ୍ୟ ନେଇଥିଲି। ନୂତନ ଉପାୟ ଅନୁସନ୍ଧାନ କରିବା ପରେ, ବୁଝିପାରିଲି ଯେ ଏସବୁ କାହିଁକି ଘଟୁଛି।”ମୁଁ ମୋର ମାନଦଣ୍ଡ ଏବଂ ମୋର ଶକ୍ତିକୁ ବୃଦ୍ଧି କରିଛି ଯାହା ଦ୍ଵାରା ମୁଁ ପୁଣି ଥରେ ସେହି ଭୁଲ ନିଷ୍ପତ୍ତି ନନେଇପାରେ। ମୁଁ ନିଜ ଉପରେ କାମ କରିଛି।  ଏବେ ଯଦିଓ ମୁଁ ସାତ ବର୍ଷ ଧରି ଅବିବାହିତ ଅଛି ମୁଁ ଏପରି ଅନୁଭବ କରୁନାହିଁ ଯେ, ‘ହେ ଭଗବାନ, କେହି ନାହାନ୍ତି.. ଠିକ୍ ଅଛି ଉଚିତ ସମୟ ଆସିଲେ ସଠିକ୍ ବ୍ୟକ୍ତି ଆସିବେ। ଏବେ ମୁଁ ଜାଣିଛି ମୁଁ କ’ଣ ଚାହୁଁଛି।”

ଦୀପଶିଖାଙ୍କ ଦୁଇଟି ବିବାହ ଭାଙ୍ଗି ସାରିଛି
ଆପଣଙ୍କୁ କହି ରଖୁଛୁ ଯେ ଦୀପଶିଖାଙ୍କ ପ୍ରଥମ ବିବାହ ଜିତ ଉପେନ୍ଦ୍ରଙ୍କ ସହିତ ହୋଇଥିଲା ଏବଂ ସେମାନେ ୨୦୦୭ ମସିହାରେ ଅଲଗା ହୋଇଯାଇଥିଲେ। ଏହା ପରେ ସେ ୨୦୧୨ ମସିହାରେ କେଶବ ଆରୋରାଙ୍କୁ ବିବାହ କରିଥିଲେ ଏବଂ ୨୦୧୬ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା।

ଏଠାରେ ଯୁବତୀଙ୍କୁ ଆଲିଙ୍ଗନ କରି ରୋଜଗାର କରୁଛନ୍ତି ଯୁବକ, ୫ମିନିଟକୁ ୬୦୦ ଟଙ୍କା !

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ଚୀନରେ ଏକ ଅଜବ ବ୍ୟବସାୟ ଚାଲିଛି । ଯାହା ଲୋକଲୋଚନକୁ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ଯେତିକି ଅଜବ ସେତିକି ଆକର୍ଷଣୀୟ । ଆପଣମାନେ ଶୁଣିକି ଆଶ୍ଚର୍ଯ୍ୟ ହେବେ ଏଠାରେ ଝିଅମାନେ ଚାପରୁ ମୁକ୍ତି ପାଇବା ପାଇଁ ‘ମ୍ୟାନ୍ ମମ୍ସ’ର ସାହାଯ୍ୟ ନେଉଛନ୍ତି । ଯେଉଁମାନେ ସେମାନଙ୍କୁ ଆଲିଙ୍ଗନ ପାଇଁ ଚାର୍ଜ କରନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଏହି ଆଲିଙ୍ଗନ ସେବାର ବହୁତ ଚାହିଦା ଅଛି।

‘ମ୍ୟାନ୍ ମମ୍ସ’ କ’ଣ ?

ଏକ ରିପୋର୍ଟ ଅନୁଯାୟୀ, ‘ମ୍ୟାନ୍ ମମ୍ସ’ ଶବ୍ଦଟି ଜିମ୍‌ରେ ପେଶିକା ପୁରୁଷମାନଙ୍କ ପାଇଁ ବ୍ୟବହୃତ ହୁଏ। ଯେତେବେଳେ ଯୁବତୀମାନେ କାମର ଚାପ, ପାଠପଢ଼ାର ଭାର କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ସମସ୍ୟା ସହିତ ସଂଘର୍ଷ କରନ୍ତି, ସେମାନେ ସେଗୁଡ଼ିକୁ ଦୂର କରିବା ପାଇଁ ‘ମ୍ୟାନ୍ ମମ୍ସ’ଙ୍କୁ ନିଯୁକ୍ତି ଦିଅନ୍ତି। ପୁରୁଷ ମମ୍ସ ସେମାନଙ୍କୁ ଆଲିଙ୍ଗନ ପାଇଁ ୨୦ ରୁ ୫୦ ୟୁଆନ୍ (ଅର୍ଥାତ୍ ୨୫୦ ରୁ ୬୦୦ ଟଙ୍କା) ପର୍ଯ୍ୟନ୍ତ ନିଅନ୍ତି, ଏବଂ ଆଲିଙ୍ଗନ ସମୟ ସାଧାରଣତଃ ୫ ମିନିଟ୍ ହୋଇଥାଏ।

କେମିତି ବଢିଲା ଚାହିଦା ?

ଏହି ଧାରା ଦ୍ରୁତ ଗତିରେ ବ୍ୟାପିଗଲା ଯେତେବେଳେ ଜଣେ ଛାତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କଲେ ଯେ ସେ ତାଙ୍କ ଥେସିସ୍ ଚାପରେ ଏତେ ଭାଙ୍ଗି ପଡ଼ିଥିଲେ ଯେ ସେ ସେହି ସମୟରେ କାହାକୁ ଆଲିଙ୍ଗନ କରିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲେ। ଝିଅଟି କହିଲା ଯେ ସେ ସ୍କୁଲରେ କାହାକୁ ଆଲିଙ୍ଗନ କରିଥିଲେ ଏବଂ ଏହା କରିବା ପରେ ତାଙ୍କୁ ବହୁତ ଭଲ ଲାଗିଲା। ଛାତ୍ରୀଙ୍କ ଏହି ପୋଷ୍ଟ କିଛି ସମୟ ମଧ୍ୟରେ ଭାଇରାଲ ହୋଇଗଲା, ଯାହା ପରେ ଆଲିଙ୍ଗନ ମାଧ୍ୟମରେ ଚାପମୁକ୍ତ ସେବାର ଚାହିଦା ବଢ଼ିଗଲା।

ରିପୋର୍ଟ ଅନୁଯାୟୀ, ମେଟ୍ରୋ ଷ୍ଟେସନ କିମ୍ବା ସପିଂ ମଲ୍ ଭଳି ସାର୍ବଜନୀନ ସ୍ଥାନରେ ଆପଣ ‘ମ୍ୟାନ୍ ମମ୍ସ’ ପାଇବେ। ଅନେକ ସମୟରେ ଝିଅମାନେ ସେମାନଙ୍କୁ ଆଲିଙ୍ଗନ କରନ୍ତି ଏବଂ ସେମାନଙ୍କ ହୃଦୟ ବାଣ୍ଟି ଦିଅନ୍ତି, ଯାହା ସେମାନଙ୍କ ବୋଝକୁ ମଧ୍ୟ ହାଲୁକା କରିଥାଏ। ଝିଅମାନେ ସେମାନଙ୍କ ଶରୀର, କଥାବାର୍ତ୍ତା କରିବାର ଶୈଳୀ, ଆଚରଣ ଏବଂ ଲୁକ୍ ଆଧାରରେ ‘ମ୍ୟାନ୍ ମମ୍ସ’ ବାଛନ୍ତି। ଡିଲ୍ ସ୍ଥିର ହେବା ପରେ, ଆଲିଙ୍ଗନର ସ୍ଥାନ ଏବଂ ସମୟ ସ୍ଥିର କରାଯାଏ।

ହସ୍ପିଟାଲରେ ରୋଗୀଙ୍କ ପ୍ୟାଣ୍ଟରେ ଫାଟିଲା ମୋବାଇଲ୍, ଭୟରେ ଦୌଡିଲେ ରୋଗୀ

ନନ୍ଦିଘୋଷ ବ୍ୟୁରୋ: ରୋଗୀଙ୍କ ପ୍ୟାଣ୍ଟରେ ଫାଟିଲା ମୋବାଇଲ୍ । ଜଳିପୋଡି ପାୁଁଶ ହୋଇଗଲା ରୋଗୀଙ୍କ ଫୋନ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବାରବାଙ୍କିର ଜିଲ୍ଲା ହସ୍ପିଟାଲରେ । ଏଠାରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ପ୍ୟାଣ୍ଟର ପକେଟରେ ରଖାଯାଇଥିବା ମୋବାଇଲ୍ ଫୋନ୍ ବିସ୍ଫୋରଣ ହେବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା। ଜୋରରେ ବିସ୍ଫୋରଣ ଶୁଣି ରୋଗୀମାନେ ଭୟଭୀତ ହୋଇଯାଇଥିଲେ। ହସ୍ପିଟାଲ କର୍ମଚାରୀମାନେ ମଧ୍ୟ ଦୌଡ଼ି ପଳାଇଥିଲେ । ତେବେ ତୁରନ୍ତ ହସ୍ପିଟାଲର କିଛି କର୍ମଚାରୀମାନେ ଅଗ୍ନି ନିର୍ବାପକ ସିଲିଣ୍ଡର ସାହାଯ୍ୟରେ ନିଆଁକୁ ନିୟନ୍ତ୍ରଣ କରିଥିଲେ ଯାହାଦ୍ବାରା ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ସୂଚନା ପାଇବା ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।

ସୂଚନା ଅନୁଯାୟୀ ବାରବାଙ୍କିର ଉଜ୍ଜ୍ୱଳ ନଗରରେ ରହୁଥିବା ଅବନିଶ ପାଲ ତାଙ୍କ ବାଇକ୍ ଯୋଗେ ଲକ୍ଷ୍ନୌ ଯାଉଥିଲେ। ସେ କିଛି ଦୂର ଯିବା ପରେ ତାଙ୍କ ବାଇକ୍ ଏକ କାର ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନେଇଥିଲେ। ତାଙ୍କୁ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଚିକିତ୍ସା କରାଯାଉଥିଲା। ଏହି ସମୟରେ ତାଙ୍କ ପ୍ୟାଣ୍ଟ ପକେଟରେ ରଖାଯାଇଥିବା ମୋବାଇଲ୍ ଫୋନ୍ରୁ ଧୂଆଁ ବାହାରିବାକୁ ଲାଗିଲା। ସେ କିଛି ବୁଝିବା ପୂର୍ବରୁ, ମୋବାଇଲ୍ ବିସ୍ଫୋରଣ ହୋଇ ନିଆଁ ଲାଗିଗଲା ।

ସର୍ଟସର୍କିଟ ଯୋଗୁଁ ମୋବାଇଲରେ ଲାଗିଗଲା ନିଆଁ

ଘଟଣା ସମୟରେ ୱାର୍ଡରେ ଥିବା ଅଧିକାଂଶ ରୋଗୀ ଶୋଇଥିଲେ। ବିସ୍ଫୋରଣ ଶବ୍ଦ ଶୁଣି ସମସ୍ତେ ଉଠିପଡ଼ିଲେ ଏବଂ ସେଠାରେ ଦଳାଚକଟା ପରିସ୍ଥିତ ସୃଷ୍ଟି ହୋଇଗଲା। ହସ୍ପିଟାଲର କର୍ମଚାରୀମାନେ ମଧ୍ୟ ଭୟଭୀତ ହୋଇ ବାହାରକୁ ଦୌଡ଼ିବାକୁ ଲାଗିଲେ। କିନ୍ତୁ ପରିସ୍ଥିତି ସ୍ପଷ୍ଟ ହେବା ପରେ ହସ୍ପିଟାଲର କର୍ମଚାରୀମାନେ ଅଗ୍ନି ନିର୍ବାପକ ସିଲିଣ୍ଡର ସାହାଯ୍ୟରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଏହି ଘଟଣାରେ ଅବନିଶଙ୍କ ମୋବାଇଲ ଫୋନ୍ ପୋଡ଼ି ପାଉଁଶ ହୋଇଯାଇଥିଲା, କିନ୍ତୁ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। କୁହାଯାଉଛି ଯେ ଦୁର୍ଘଟଣାରେ ମୋବାଇଲ୍ ଫୋନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଏହିକାରଣରୁ ସର୍ଟସର୍କିଟ୍ ହୋଇଥିଲା। ଯାହାଫଳରେ କି ଏଥିରେ ନିଆଁ ଲାଗିଯାଇଥିଲା।

ରୋଗୀଙ୍କ ମଧ୍ୟରେ ଆତଙ୍କ

ବିସ୍ଫୋରଣ ଶବ୍ଦ ଶୁଣି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଭୟଭୀତ ହୋଇଯାଇଥିଲେ। ଏହି କାରଣରୁ ହସ୍ପିଟାଲରେ ବହୁତ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ତଥାପି, ସମ୍ପୂର୍ଣ୍ଣ ଘଟଣାର ସୂଚନା ମିଳିବା ପରେ, ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହୋଇଥିଲା। ଘଟଣାର ସୂଚନା ପାଇବା ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ପୋଲିସର କହିବା ଅନୁଯାୟୀ, ମୋବାଇଲ୍ ଫାଟିବା ଯୋଗୁଁ ବିସ୍ଫୋରଣ ଘଟିଥିଲା। ଏହି ଦୁର୍ଘଟଣା ସମ୍ଭବତଃ ସର୍ଟ ସର୍କିଟ୍ ଯୋଗୁଁ ଘଟିଛି। ପୋଲିସର କହିବା ଅନୁଯାୟୀ, ମୋବାଇଲ୍ ଫୋନଟି ମୋଟୋରୋଲା କମ୍ପାନୀର ଥିଲା।

ଗୁରୁଦକ୍ଷିଣା ଭାବେ ମୁକେଶ ଅମ୍ବାନୀ ଦେଲେ ୧୫୧ କୋଟି ଟଙ୍କା !

ନନ୍ଦିଘୋଷ ବ୍ୟୁରୋ: ଦାନ କରିବା ସବୁଠୁ ମହତ୍‌ କାମ । ଏହି ମହତ୍ କାମ କରି ଚର୍ଚ୍ଚାକୁ ଆସିଛନ୍ତି ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ସେ ତାଙ୍କ ଆଲମା ମାଟର୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ICT), ମୁମ୍ବାଇକୁ ୧୫୧ କୋଟି ଟଙ୍କାର ସବୁଠାରୁ ବଡ଼ ଦାନ ଦେଇଛନ୍ତି । ଏହା ICT ଇତିହାସରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଅନୁଦାନ। ମୁକେଶ ଅମ୍ବାନୀ ୧୯୭୦ ଦଶକରେ ଏହି ପ୍ରତିଷ୍ଠାନରେ ଅଧ୍ୟୟନ କରିଥିଲେ, ଯାହା ପୂର୍ବରୁ ୟୁନିଭରସିଟି ଡିପାର୍ଟମେଣ୍ଟ ଅଫ୍ କେମିକାଲ୍ ଟେକ୍ନୋଲୋଜି (UDCT) ଭାବରେ ଜଣାଶୁଣା ଥିଲା। UDCT ୧୯୩୩ ମସିହାରେ ମୁମ୍ବାଇ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ୨୦୦୮ ମସିହାରେ, ଏହାକୁ ICT ଭାବରେ ନାମିତ କରାଯାଇଥିଲା ଏବଂ ଏକ ଡିମ୍ଡ୍ ୟୁନିଭରସିଟି ହୋଇଥିଲା।

ସବୁଠାରୁ ମହଙ୍ଗା ଗୁରୁ ଦକ୍ଷିଣା

ଅନିତା ପାଟିଲଙ୍କ ଦ୍ୱାରା ଲିଖିତ “ଦି ଡିଭାଇନ୍ ସାଇଣ୍ଟିଷ୍ଟ” ପୁସ୍ତକର ଉନ୍ମୋଚନ ସମୟରେ ଅମ୍ବାନୀ ଆଇସିଟିକୁ ଏହି ବଡ ଦାନ ଘୋଷଣା କରିଥିଲେ। ଏହି ପୁସ୍ତକଟି ପଦ୍ମ ବିଭୂଷଣ ପ୍ରଫେସର ମନମୋହନ ଶର୍ମାଙ୍କ ଜୀବନୀ ଉପରେ ଆଧାରିତ, ଯାହାକୁ ଭାରତୀୟ ରାସାୟନିକ ଇଞ୍ଜିନିୟରିଂର ଜଣେ ମହାନ ଗୁରୁ ଭାବରେ ବିବେଚନା କରାଯାଏ। ଗୁରୁ ଦକ୍ଷିଣାର ପରମ୍ପରାର ଅଂଶ ଭାବରେ, ପ୍ରଫେସର ଶର୍ମାଙ୍କ ନିର୍ଦ୍ଦେଶରେ ଅମ୍ବାନୀ ଆଇସିଟିକୁ ୧୫୧ କୋଟି ଟଙ୍କାର ଅନୁଦାନ ଦେବାକୁ ନିଷ୍ପତ୍ତି ନେଇଥିଲେ । ମୁକେଶ ଅମ୍ବାନୀ କହିଥିଲେ, ଯେତେବେଳେ ସେମାନେ ଆମକୁ କିଛି କୁହନ୍ତି, ଆମେ କେବଳ ଶୁଣୁ । ସେ ମୋତେ କହିଥିଲେ, ମୁକେଶ, ତୁମକୁ ICT ପାଇଁ କିଛି ବଡ଼ କରିବାକୁ ପଡିବ। ମୁଁ ଖୁସିର ସହିତ ଘୋଷଣା କରୁଛି ଯେ ଏହି ଦାନ ପ୍ରଫେସର ଶର୍ମାଙ୍କ ପାଇଁ । ଅମ୍ବାନୀ ୟୁଡିସିଟି କ୍ୟାମ୍ପସରେ ପହଞ୍ଚିବା ଏକ ଭିନ୍ନ ଅନୁଭବ ବୋଲି ବର୍ଣ୍ଣନା କରିଥିଲେ ଏବଂ ପ୍ରଫେସର ଶର୍ମାଙ୍କୁ ତାଙ୍କର ସବୁଠାରୁ ସମ୍ମାନିତ ଶିକ୍ଷକ, ମାର୍ଗଦର୍ଶକ ଏବଂ ପ୍ରେରଣାର ଉତ୍ସ ବୋଲି କହିଥିଲେ। ଅନିତା ପାଟିଲଙ୍କ ପ୍ରଶଂସା କରି ସେ କହିଥିଲେ ଯେ ଏପରି ଜଣେ ମହାନ ବ୍ୟକ୍ତିଙ୍କ ଜୀବନୀ ଲେଖିବା ଏକ ସହଜ କାମ ନୁହେଁ।

IIT ବମ୍ବେରେ କାହିଁକି ପଢିନଥିଲେ ଅମ୍ବାନୀ

ମୁକେଶ ଅମ୍ବାନୀ ମନେ ପକାଇଲେ ଯେ ସେ IIT ବମ୍ବେ ଅପେକ୍ଷା UDCT ବାଛିଥିଲେ। ସେ କହିଥିଲେ ଯେ ପ୍ରଫେସର ଶର୍ମାଙ୍କ ପ୍ରଥମ ବକ୍ତୃତା ଶୁଣିବା ପରେ ତାଙ୍କର ବିଶ୍ୱାସ ଆହୁରି ଦୃଢ଼ ହୋଇଥିଲା। ସେ କହିଥିଲେ, ମୁଁ ଅନୁଭବ କଲି ଯେ ସେ କେବଳ ଧାତୁ ନୁହେଁ ବରଂ ମନର ମଧ୍ୟ ଜଣେ ଆଲକେମିଷ୍ଟ। ତାଙ୍କ ପାଖରେ କୌତୁହଳକୁ ଜ୍ଞାନରେ, ଜ୍ଞାନକୁ ବ୍ୟବସାୟିକ ମୂଲ୍ୟରେ ଏବଂ ଏହାକୁ ସ୍ଥାୟୀ ବୁଦ୍ଧିରେ ପରିଣତ କରିବାର ଶକ୍ତି ଅଛି। ଭାରତୀୟ ରାସାୟନିକ ଶିଳ୍ପର ବିକାଶ ପାଇଁ ପ୍ରଫେସର ଶର୍ମାଙ୍କୁ ଶ୍ରେୟ ଦେଇ ମୁକେଶ ଅମ୍ବାନୀ ତାଙ୍କୁ ରାଷ୍ଟ୍ରଗୁରୁ ବୋଲି କହିଥିଲେ।