spot_img
Home Blog Page 669

ସରକାରଙ୍କ ବର୍ଷ ପୂର୍ତ୍ତି ଆଗରୁ ହିସାବ ମାଗି ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଆସନ୍ତାକାଲି ମୋହନ ସରକାରଙ୍କୁ ବର୍ଷ  ପୂରିବ। ବର୍ଷପୂର୍ତ୍ତି ଅବସରରରେ ଶାସକ ବିଜେପି ନିଜ ସଫଳତାର ଗାଥା ଓଡି଼ଶାବାସୀଙ୍କ ପାଖରେ ପହଞ୍ଚାଇବାକୁ ପାଇଁ ବଡ଼ ଯୋଜନା କରିଛି। ସେପଟେ କିନ୍ତୁ ସରକାରଙ୍କ ରିପୋର୍ଟ କାର୍ଡକୁ ନେଇ ଘେରିଛନ୍ତି ବିରୋଧୀ।

ଓଡି଼ଶାବାସୀଙ୍କୁ ସୁଶାସନ ଦେବାରେ ବିଜେପି ସରକାର ବିଫଳ। ୧୧ ପ୍ରତିଶୃତି ପାଳନ କରିଛୁ ବୋଲି ଯାହା କହୁଛନ୍ତି, ତାହା ପୁରା ମିଛ। ଏପରି ଅଭିଯୋଗ କରି ବିଜେଡି କହିଛି, ବିଜେପିର ଗୋଟେ ବି ପ୍ରତିଶୃତି କ୍ରିୟାନ୍ଵୟନ ହୋଇନାହିଁ  । ଆଇନଶୃଙ୍ଖଳା ପରିସ୍ଥିତି ସଭିଙ୍କୁ ନିରାଶ କରିଛି, ନିଯୁକ୍ତି ନାହିଁ। ସାମାଜିକ ସୁରକ୍ଷାରେ ସେମିତି କିଛି ନାହିଁ। ଧାନରେ ୮୦୦ ଟଙ୍କା ବୋନସ୍ ଦେଲେ ସତ, କିନ୍ତୁ ଏତେ କଟନି ଛଟନି କଲେ ଯେ ଚାଷୀ ତ୍ରାହି ତ୍ରାହି ଡାକୁଛନ୍ତି। ଏପରିକି ଧାନ ଟଙ୍କା ପାଇବାକୁ ଚାଷୀକୁ ଆନ୍ଦୋଳନ କରିବାକୁ ପଡୁଛି। ସରକାର କହିଥିଲେ ଚାଷୀଙ୍କ ସବୁ ଧାନ କିଣିବେ, ହେଲେ କିଣିଲେ ନାହିଁ। ଏସବୁ କଣ ପ୍ରତିଶୃତି ନ ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଗଣେଶ୍ଵର ବେହେରା । କଂଗ୍ରେସ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବିଜେପି ବର୍ଷେ ହେଲାଣି କେବଳ ବିଜେଡିର କାମରେ ରଙ୍ଗ ଦେଇଛି । ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଣିର ଗାର ପାଲଟିଛି।

ବିଜେଡିର ଦାବି ହେଲା ମନ୍ତ୍ରୀମାନେ ସେମାନଙ୍କ ରିପୋର୍ଟ କାର୍ଡରେ କଣ ଲେଖିଛନ୍ତି,  ତାହା ସାର୍ବଜନୀନ କରାଯାଉ। ମାଗଣା ବିଜୁଳି, ଚାଷୀଙ୍କ ଆୟ, ଚିଟଫଣ୍ଡ ଟଙ୍କା, ଦାଦନ ମୁକ୍ତ ଓଡ଼ିଶା ଆଦି ପ୍ରତିଶୃତିକୁ ମନେ ପକାଇ ଦେଇ ବିଜେଡି ଅଭିଯୋଗ କରିଛି, ସବୁଠି ବିଜେପି ସରକାର ଫେଲ। ଏ ସଂପର୍କରେ ଓଡି଼ଶାବାସୀଙ୍କୁ ଅବଗତ କରିବୁ ବୋଲି କହିଛି ବିଜେଡି। ଜବାବରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ବିଜେଡି ଓ କଂଗ୍ରେସ ଯାହା ଭାବିନଥିଲେ, ତାହା ଆମେ କରିକି ଦେଖାଇଛୁ।

ପିପୁଲ୍ସ ଫ୍ରେଣ୍ଡଲି ହୋଇ ପାରୁନି କି କମିଶନରେଟ୍ ପୋଲିସ

ଭୁବନେଶ୍ୱର: ମାଡ଼ ଖାଉଛି ପୋଲିସ, ବାଟ ହୁଡୁଛନ୍ତି ଲୋକେ। ଥାନା ଭିତରେ ଖାକି ବର୍ଦ୍ଦିଧାରୀଙ୍କୁ ନିର୍ଘାତ ମାଡ଼ । ପିପୁଲ୍ସ ଫ୍ରେଣ୍ଡଲି ହୋଇପାରୁନି କି ପୋଲିସ ? ସେପଟେ ମାନବାଧିକାର କମିଶନରେ ମଧ୍ୟ ବଢୁଛି ଖାକି ବିରୋଧରେ ମାମଲା। ରାଜଧାନୀରେ ବାରମ୍ବାର ସାମ୍ନାକୁ ଆସୁଛି ଖାକି ବର୍ଦ୍ଦିର ବିକଳ ଚିତ୍ର । ଭୁଶୁଡି ପଡୁଥିବା ଆଇନଶୃଙ୍ଖଳାର ନଗ୍ନ ନମୁନା ମଙ୍ଗଳବାର ଇନ୍ଫୋସିଟି ଥାନାରେ ଦେଖିବାକୁ ମିଳିଛି। ଯେଉଁଠାରେ ସାଧାରଣ ଲୋକଙ୍କ ମାଡ଼ରେ ମହିଳା ସବଇନ୍ସପେକ୍ଟର ଆହତ ହୋଇଛନ୍ତି। ଇଏ ହେଉଛି ସେହି ସାଙ୍ଘାତିକ ଚିତ୍ର। ୫୦ ଲୋକଙ୍କ ବିରୋଧରେ କେସ ରୁଜୁ କରିଛି ପୋଲିସ। ଅନ୍ୟପଟେ ଏଭଳି ଗୋଟିଏ କିମ୍ବା ଦୁଇଟି ଘଟଣା ନୁହେଁ ବିଗତ ୩ ବର୍ଷ ଭିତରେ ଟୁଇନସିଟିରେ କମିଶନରେଟ ପୋଲିସ ଉପରକୁ ୧୬ ଥର ଆକ୍ରମଣ ଘଟଣା ସାମ୍ନାକୁ ଆସିଛି ।

ପିପୁଲସ ଫ୍ରେଣ୍ଡଲି ହେବାକୁ ସଦାସର୍ବଦା ପ୍ରାଧାନ୍ୟ ଦେଇଛନ୍ତି ଡିଜିପି । କିନ୍ତୁ ବୟାନ ଓ ବାସ୍ତବତା ଭିତରେ ରହୁଛି ଅନେକ ତଫାତ। ମାନବାଧିକାର କମିଶନରେ ପୋଲିସ ବିରୋଧରେ ଗଡୁଛି ସର୍ବାଧିକ ମାମଲା । OHRCରେ ନ୍ୟାୟ ଅପେକ୍ଷାରେ ବର୍ତ୍ତମାନ ୧୫ ହଜାରରୁ ଉର୍ଦ୍ଧ ମାମଲା ଗଡୁଥିବା ବେଳେ ସେଥିମଧ୍ୟରୁ ୯ ହଜାର କେବଳ ପୋଲିସ ବିରୋଧରେ । ସେଥିମଧ୍ୟରୁ ଅନେକ ହାଜତ ମୃତ୍ୟୁ ମାମଲା ମଧ୍ୟ ରହିଛି । କମିଶନରେଟ ପୋଲିସରେ ମଧ୍ୟ ସମଦଶା ଦେଖିବାକୁ ମିଳିଛି । ବିଗତ ୮ ବର୍ଷରେ କମିଶନରେଟ ପୋଲିସର ୧୧୦ କେସ ଏବେ ମାନବାଧିକାର କମିଶନଙ୍କ ବିଚାରାଧୀନ ରହିଛି । ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ଓ କମ୍ୟୁନିଟି ପୋଲିସିକୁ ଗୁରୁତ୍ୱ ଦେବାକୁ ହେଲେ ପୋଲିସ ତାର କାର୍ଯ୍ୟଶୈଳୀ, ବ୍ୟବହାରରେ ପରିବର୍ତ୍ତନ ଆଣିବା ଅପରିହାର୍ଯ୍ୟ ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ।

ଲୋକେ କିଭଳି ଥାନାରେ ଉତ୍ତମ ବ୍ୟବହାର ପାଇବେ, ସେ ନେଇ ପୂର୍ବରୁ ସରକାର ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ମାତ୍ରାଧିକ ଚାପରେ ରହୁଥିବା ପୋଲିସ ଅଧିକାଂଶ ସମୟ ବାଟ ହୁଡୁଛି। ଅପରାଧ ଓ ଆଇନଶୃଙ୍ଖଳାକୁ ପୃଥକ କଲେ ଏଭଳି ଘଟଣାରେ ରୋକ ଲାଗିପାରନ୍ତା ବୋଲି ମତ ପ୍ରକାଶ ପାଇଛି।

ମହାପ୍ରଭୁଙ୍କ ଗଜାନନ ବେଶ ଦେଖି ବିଭୋର ଶ୍ରଦ୍ଧାଳୁ

ପୁରୀ: ଭକ୍ତଙ୍କ ମେଳରେ ଭକ୍ତବତ୍ସଳ। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ମହାବାହୁ। ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନଯାତ୍ରା ଦେଖି ବିଭୋର ଶ୍ରଦ୍ଧାଳୁ । ଭକ୍ତି ଓ ଆବେଗରେ ଜନ ସମୁଦ୍ର ବଡ଼ଦାଣ୍ଡ। ଘଣ୍ଟ ଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର । ଜ୍ୟେଷ୍ଠ ପୂର୍ଣ୍ଣମୀରେ ଅନୁଷ୍ଠିତ ହୋଇଛି ଦାରୁଦିଅଁଙ୍କ ସ୍ନାନ ନୀତି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ ଟା ୩୦ ରେ ମଙ୍ଗଳାର୍ପଣ ସରି ପୁଷ୍ପାଞ୍ଜଳି ଓ ଡୋର ଲାଗି ହୋଇ ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ପରେ ମଦନମୋହନ ବିଜେ ହୋଇ ମଙ୍ଗଳଆଳତି, ମଇଲମ, ତଡପଲାଗି ନୀତି ସରିବା ପରେ ଅଧର ପୋଛା ନୀତି ସମ୍ପର୍ଣ୍ଣ ହୋଇଥିଲା । ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ପୂର୍ବରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ସୁବାସିତ ଜଳକୁ ଗରାବଡୁ ସେବକ ମାନେ ସ୍ନାନମଣ୍ଡପକୁ ବିଜେ କରାଇଥିଲେ । ଶ୍ରୀଜଗନ୍ନାଥଙ୍କୁ ୩୫ଗରା, ଶ୍ରୀବଳଭଦ୍ରଙ୍କୁ ୩୩ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ସ୍ନାନ, ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ଶେଷ ହୋଇ ଛେରାପହଁରା ପରେ ମହାପ୍ରଭୁ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ନୀତିକାନ୍ତି ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ମହାପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି ସେବାୟତ।
ସ୍ନାନ ବେଦୀରେ ମହାପ୍ରଭୁଙ୍କ ସ୍ନାନ ନୀତି ଦେଖି ବିଭୋର ହୋଇଛନ୍ତି ଶ୍ରଦ୍ଧାଳୁ । ଏହାପରେ ରାଘବ ଦାସ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିଲା ମହାପ୍ରଭୁଙ୍କ ହାତୀବେଶ । ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଲୋକାରଣ୍ଯ ହୋଇଛି ଶ୍ରୀକ୍ଷେତ୍ର । ଅନ୍ୟପଟେ ଭିଡ଼କୁ ଦୃଷ୍ଟିର ରଖି ସହରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଥିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୭୦ ରୁ ପ୍ଲାଟୁନ ଫୋର୍ସ ସହ ୨୫୦ ଅଧିକ ଅଧିକାରୀ ମୁତୟନ ହୋଇଥିଲେ । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ଯାରିକେଡ ବ୍ଯବସ୍ଥା କରାଯାଇଥିବାବେଳେ କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବାକୁ ସିସିଟିଭିରେ ନଜର ରଖିଥିଲା ପୋଲିସ ।
ସ୍ନାନମଣ୍ଡପରେ ୧୦୮ ଗରା ଜଳରେ ପ୍ରତକ୍ଷ ସ୍ନାନ ପରେ ଜ୍ବରରେ ପୀଡିତ ହେବେ ଚତୁର୍ଦ୍ଧା ମୂର୍ତ୍ତି । ଅଣସର ତାଟିରେ ଦଇତାପତି ସେବାୟତଙ୍କ ଦ୍ବାରା ଚାଲିବ ଗୁପ୍ତ ଉପଚାର । ଏପଟେ ଶ୍ରୀମନ୍ଦିରରେ ଦର୍ଶନ ଦେବେ ପଟିଦିଅଁ ।

କଟକ ଜନନୀ ନର୍ସିଂହୋମରେ ଭୁଲ ଅସ୍ତ୍ରୋପଚାର ଘଟଣା, ସିଡିଏମଓଙ୍କୁ ଭେଟିଲେ ପୀଡିତାଙ୍କ ସ୍ବାମୀ

କଟକ: କଟକ ମଙ୍ଗଳାବାଗ ଅଂଚଳର ଜନନୀ ନର୍ସିଂ ହୋମରେ ଭୁଲ ଅସ୍ତ୍ରୋପଚାର କରି ଜଣେ ମହିଳାଙ୍କ ମଳଦ୍ବାର ନଳି କାଟି ଦେଇଥିବା ଅଭିଯୋଗରେ ଆଜି ପିଡିତାଙ୍କ ସ୍ବାମୀ କଟକ ଆସି ସିଡିଏମଓଙ୍କୁ ଭେଟିଛନ୍ତି । ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ନ୍ୟାୟ ମିଳି ନଥିବାରୁ ତୁରନ୍ତ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି । ଏପରିକି ମେଡିକାଲ କର୍ତ୍ତୃପକ୍ଷ କିଛି କାଗଜ ପତ୍ରକୁ ଚଞ୍ଚକତା କରି ବଦଳେଇ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଘଟଣାର ତଦନ୍ତ କରି ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ସେ ଅନୁରୋଧ କରିଛନ୍ତି ।

ସେପଟେ ତଦନ୍ତ କରୁଥିବା ଡାକ୍ତରୀ ଟିମ ୩ ଦିନ ମଧ୍ଯରେ ରିପୋର୍ଟ ଦେବେ। ଏହାକୁ ତର୍ଜମା କରାଯିବା ସହ ପୋଲିସକୁ ପ୍ରଦାନ କରାଯିବ ବୋଲି କଟକ ସିଡିଏମଓ କହିଛନ୍ତି । ଯଦି ଅବହେଳା କି ତ୍ରୁଟି ପରିଲକ୍ଷିତ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁଯାୟୀ, ପ୍ରସୂତି ସମସ୍ୟା ନେଇ ନର୍ସିଂହୋମକୁ ଆସିଥିଲେ ମାହାଙ୍ଗା ଅଞ୍ଚଳର ମହିଳା। ଡାକ୍ତର ଭୁଲରେ ତାଙ୍କ ମଳଦ୍ବାର ନଳି ଅପରେସନ କରିଥିଲେ। ଏନେଇ ଗତ ୪ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ ମହିଳାଙ୍କ ପରିବାର। ଘରଣାର ଗୁରୁତ୍ବକୁ ଦେଖି ଡିସିପି ସ୍ବାସ୍ଥ୍ୟ ବିଭାଗକୁ ଘଟଣାର ବୈଷୟିକ ତଦନ୍ତ ପାଇଁ ଚିଠି ଲେଖିଥିଲେ । କଟକ ସିଡିଏମଓଙ୍କ ନିର୍ଦ୍ଦେଶରେ ୩ ଜଣିଆ ଟିମ ତଦନ୍ତ କରିଛନ୍ତି । ନର୍ସିଂହୋମ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ପଚରାଉଚୁରା କରିଛନ୍ତି । ଅସ୍ତ୍ରୋପଚାର ଥିଏଟର ବୁଲି ଦେଖିଛି ଟିମ୍।

ଯାଜପୁରରେ ଝାଡାବାନ୍ତି ଆତଙ୍କ, ଦୁଇ ଦିନରେ ୫ଶହରୁ ଅଧିକ ଆକ୍ରାନ୍ତ

ଯାଜପୁର: ଯାଜପୁରରେ ଝାଡାବାନ୍ତି ଆତଙ୍କ । ଦୁଇ ଦିନରେ ଗଲାଣି ଦୁଇ ଜଣଙ୍କ ଜୀବନ । ୫ ବ୍ଲକର ୫୦୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ୨ ଦିନ ଧରି ଝାଡାବାନ୍ତି ଆତଙ୍କ ଲାଗିରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୦୦ରୁ ଉର୍ଦ୍ଧ୍ବ ଶିଶୁ, ଯୁବକ, ମହିଳା ଓ ବୟସ୍କ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତ ୨ ଦିନ ମଧ୍ୟରେ ବ୍ୟାସନଗର ପୌରାଞ୍ଚଳ ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ ଓ ଦାନଗଦି ଆଦି ୫ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୫୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତର କାରଣ ଏବେ ଯାଏ ଅସ୍ପଷ୍ଟ ରହିଥିବା ବେଳେ ଫୁଡ୍ ପଏଜନ କାରଣରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି । ଆନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ସୁଦର୍ଶନ ପାତ୍ର ଓ ବ୍ୟାସନଗର ପୌରାଞ୍ଚଳର ତୋଳାରାମ ଶର୍ମା ଝାଡାବାନ୍ତିରେ ମୃତ୍ୟୁ ବରଣ କରିଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯଯାତି କେଶରୀ ମେଡିକାଲ କଲେଜ୍ ଓ କଟକ ବଡ ଡ଼ାକ୍ତରଖାନାରୁ ପୃଥକ୍ ପୃଥକ୍ ଟିମ୍ ବିଭିନ୍ନ ମେଡ଼ିକାଲକୁ ଗସ୍ତ କରି ଚିକିତ୍ସା ପ୍ରକ୍ରିୟାର ଯାଞ୍ଚ କରୁଛନ୍ତି । ପୂର୍ବତନ ବିଧାୟକ ତଥା ବିଜେଡ଼ିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଯାଜପୁର ରୋଡ ମେଡିକାଲରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ଏଥିସହ ଝାଡାବାନ୍ତି ବ୍ୟାପିବାର ପ୍ରକୃତ କାରଣ ନିରୀକ୍ଷଣ କରି ନିରାକରଣ ପାଇଁ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାର ନିରିକ୍ଷଣ କରିବାକୁ ପର୍ଯ୍ୟାପ୍ତ ମେଡିକାଲ କଲେଜ କର୍ମଚାରୀ ଓ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖାଯାଇଛି। ଯଦି ଅଧିକ ଡାକ୍ତର କିମ୍ବା ନର୍ସିଂ ଅଫିସର ଦରକାର ତାହାର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ଓ ସିଡିଏମଓ । ସେପଟେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଥିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।
୨ ଦିନ ଭିତରେ ଯାଜପୁର ରୋଡ ମେଡିକାଲରେ ୧୮୬ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୬୫ଜଣ ଚିକିତ୍ସାଧୀନ ଥିବା ବେଳେ ୧୧ ଜଣ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ୧୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଧର୍ମଶାଳା ମେଡିକାଲରେ ୧୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳାୟରେ ମଧ୍ୟ ଶତାଧିକ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସେହିପରି ଆଜି ସକାଳ ସୁଦ୍ଧା ଦାନଗଦି ମେଡିକାଲରେ ୫୫ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏଠାରେ ବର୍ତ୍ତମାନ ୧୧ଜଣ ଚିକିତ୍ସାଧୀନ ଥିବାବେଳେ ୧୪ଜଣ କଟକ ଓ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ୩୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡ଼ିଲା ମୁଣ୍ଡ

ପୁରୀ :ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡ଼ିଲା ମୁଣ୍ଡ। ଟାଉନ ଥାନା ଅନ୍ତର୍ଗତ ଗୁଡ଼ିଆ ସାହିରେ ଘଟିଛି ହତ୍ୟାକାଣ୍ଡ । ସ୍ନାନ ପୂର୍ଣ୍ଣିମା ପାଇଁ ସହରରେ କଡ଼ା ପହରା ସତ୍ତ୍ୱେ ସ୍ପଷ୍ଟ ଦିବାଲୋକରେ ଘଟିଛି ହତ୍ୟାକାଣ୍ଡ।

ପୁରୀରେ ୭୦ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିଥିବାବେଳେ ଦିବାଲୋକରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ହେଲେ ଜଗନ୍ନାଥ ଦିକ୍ଷୀତ। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସାମ୍ନାକୁ ଆସିଲା ସୋନମ ଏବଂ ରାଜ କୁଶୱାହାର ପ୍ରଥମ ଫଟୋ

ନନ୍ଦିଘୋଷ ବ୍ୟୁରୋ: ସାମ୍ନାକୁ ଆସିଲା ସୋନମ ଏବଂ ରାଜ କୁଶୱାହାର ପ୍ରଥମ ଫଟୋ । ଏହି ଫଟୋରେ ଦୁଇଜଣ ଏକାଠି ବସି ସେଲ୍ଫି ନେଇଛନ୍ତି । ଉଭୟ ଖୁସି ଥିବା ନଜର ଆସିଛନ୍ତି ।

ବହୁ ଚର୍ଚ୍ଚିତ ଇନ୍ଦୋର ରାଜା ରଘୁବଂଶୀ ହତ୍ୟା ମାମଲାରେ ମେଘାଳୟ ପୋଲିସ ସୋନମ ଏବଂ ରାଜ୍ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଖୋଳତାଡ କରୁଛି । ରାଜ୍ ସୋନମର ପ୍ରେମୀ ବୋଲି କୁହାଯାଉଛି ।

ଅନ୍ୟପଟେ ସୋନମର ପରିବାର ରାଜ ସହ ସୋନମର ପ୍ରେମ ସମ୍ପର୍କକୁ ଅସ୍ୱୀକାର କରିଛନ୍ତି । ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ କୌଣସି ପ୍ରମାଣ ସାର୍ବଜନୀନ କରାଯାଇ ନାହିଁ। ପ୍ରଥମ ଥର ପାଇଁ ଉଭୟଙ୍କ ଫଟୋ ସାମ୍ନାକୁ ଆସିଛି । ସୋନମ ଏବଂ ରାଜ କୁଶୱାହାଙ୍କ ଫଟୋରେ ଏକ ଚମକ ଦେଖାଯାଉଛି। ଉଭୟ ବହୁତ ଖୁସି ଥିବା ଦେଖିବାକୁ ମିଳିଛି।

ଯେଉଁମାନେ ସୋନମ ଏବଂ ରାଜଙ୍କୁ ନିକଟରୁ ଜାଣନ୍ତି ସେମାନେ କୁହିଛନ୍ତି ଯେ, ସେମାନେ ବାହାର କୌଣସି ସ୍ଥାନରେ ପରସ୍ପରକୁ ଭେଟନ୍ତି ନାହିଁ । ସେମାନେ କେବଳ ଅଫିସରେ ପରସ୍ପରର ନିକଟତର ହୋଇଥିଲେ। ସେହିଠାରେ ସେମାନଙ୍କର ନିକଟତରତା ବୃଦ୍ଧି ପାଇଥିଲା। ପଚରାଉଚରା ସମୟରେ, ରାଜର ସାଙ୍ଗ ପୋଲିସକୁ କହିଥିଲା ଯେ ସେମାନଙ୍କର ପ୍ରେମ ମାତ୍ର ଆଠ ମାସ ପୂର୍ବରୁ ଆରମ୍ଭ ହୋଇଥିଲା । ଏନେଇ ପୋଲିସର ପଚରା ଉଚରା ଜାରି ରହିଛି ।

ଟ୍ରମ୍ପଙ୍କୁ ନେଇ ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ପାଇଁ ଅନୁତାପ କଲେ ଏଲନ ମସ୍କ

ନନ୍ଦିଘୋଷ ବ୍ୟୁରୋ: ଅନୁତାପ କଲେ ଏଲନ ମସ୍କ। ଟ୍ରମ୍ପଙ୍କୁ ନେଇ ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ପାଇଁ ଅନୁତାପ କରିଛନ୍ତି ମସ୍କ । ଟ୍ରମ୍ପଙ୍କ ଧମକ ପରେ ମସ୍କ ଅନୁତାପ କରିଛନ୍ତି ।

କିଛି ଦିନ ହେବ ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା ଭୟଙ୍କର ଲଢେଇ ଏବେ ନୂଆ ମୋଡ଼ ନେଉଛି। ମସ୍କ ଏବେ ଟ୍ରମ୍ପଙ୍କ ସହ ଲଢ଼େଇକୁ ନେଇ ଅନୁତାପ କରୁଛନ୍ତି। ମସ୍କ ବୁଧବାର ଦିନ ଏକ୍ସରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ, ‘ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ମୁଁ ଯେଉଁ ପୋଷ୍ଟ କରିଥିଲି ସେଥିପାଇଁ ମୁଁ ଦୁଃଖିତ ।

ବର୍ତ୍ତମାନ ମସ୍କ ୟୁ-ଟର୍ଣ୍ଣ ନେଇଛନ୍ତି । ଟ୍ରମ୍ପ ଖୋଲାଖୋଲି ଭାବେ ମସ୍କଙ୍କୁ ଧମକ ଦେଇଥିଲେ । ଟ୍ରମ୍ପ କହିଥିଲେ, ରିପବ୍ଲିକାନ ସାଂସଦମାନଙ୍କୁ ଚ୍ୟାଲେଞ୍ଜ କରୁଥିବା ବିରୋଧୀମାନଙ୍କୁ ମସ୍କ ଆର୍ଥିକ ସହାୟତା ଯୋଗାଇଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ଏପରି କି ଟ୍ରମ୍ପ ଏଲନ ମସ୍କଙ୍କ ବିଭିନ୍ନ କମ୍ପାନୀ ସହିତ ସରକାର କରିଥିବା ଚୁକ୍ତିଗୁଡ଼ିକୁ ରଦ୍ଦ କରିଦେବା ଲାଗି ମଧ୍ୟ ଚରମବାଣୀ ଶୁଣାଇଛନ୍ତି। ଟ୍ରମ୍ପ ଏପରି ପଦକ୍ଷେପ ନେଲେ ମସ୍କଙ୍କୁ ଲକ୍ଷାଧିକ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ। ଟ୍ରମ୍ପ-ମସ୍କଙ୍କ କଳିରେ ମସ୍କଙ୍କୁ ବର୍ତ୍ତମାନ ସୁଦ୍ଧା ବହୁ କ୍ଷତି ସହିବାକୁ ପଡ଼ିଲାଣି।

 

ସ୍ୱାମୀ ରାଜା ରଘୁବଂଶୀକୁ ହତ୍ୟା କରିଥିବା ସ୍ୱୀକାର କଲେ ସୋନମ ରଘୁବଂଶୀ

ନନ୍ଦିଘୋଷ ବ୍ୟୁରୋ: ସ୍ୱାମୀକୁ ହତ୍ୟା କରିଥିବା ସ୍ୱୀକାର କଲେ ସୋନମ ରଘୁବଂଶୀ । ବହୁ ଚର୍ଚ୍ଚିତ ଇନ୍ଦୋର ରାଜା ରଘୁବଂଶୀ ହତ୍ୟା ଷଡ଼ଯନ୍ତ୍ରରେ ସୋନମ ସାମିଲ ଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି। ସଦର ପୋଲିସ ଷ୍ଟେସନରେ SIT ପଚରାଉଚରା ସମୟରେ, ସୋନମ କହିଥିଲେ ଯେ ସେ ରାଜାଙ୍କ ହତ୍ୟା ଯୋଜନାରେ ସାମିଲ ଥିଲେ।

ସୂଚନା ଅନୁଯାୟୀ, ସିଲଂରେ ପୋଲିସ ରାଜା ହତ୍ୟା ମାମଲାରେ ସାମିଲ ଥିବା ଅଭିଯୁକ୍ତଙ୍କୁ ମୁହାଁମୁହିଁ କରିଥିଲା। ଏହି ସମୟରେ ସୋନମ ଏବଂ ରାଜ୍ ମଧ୍ୟ ମୁହାଁମୁହିଁ ହୋଇଥିଲେ। ଏହାପରେ SIT ଦ୍ୱାରା ପଚରାଉଚରା ସମୟରେ ସୋନମ ହତ୍ୟା କରିଥିବା ସ୍ୱୀକାର କରିଥିଲେ। SIT ଦ୍ୱାରା ଦେଖାଯାଇଥିବା ପ୍ରମାଣ ଦେଖି ସୋନମ କାନ୍ଦିବାକୁ ଲାଗିଲେ। ଏହି ଘଟଣାରେ ମେଘାଳୟ ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏଥିରେ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମ, ରାଜ୍ କୁଶୱାହା (ସୋନମର ପ୍ରେମିକା) ଏବଂ ତିନି ଜଣ କଣ୍ଟ୍ରାକ୍ଟ କିଲର୍ ଆନନ୍ଦ, ଆକାଶ ରାଜପୁତ ଏବଂ ବିଶାଲ ଓରଫ ବିକି ଠାକୁର ସାମିଲ ଅଛନ୍ତି। ସୋନମଙ୍କୁ ୟୁପିର ଗାଜିପୁରରୁ ଗିରଫ କରାଯାଇଥିଲା। ରାଜ କୁଶୱାହା ଏବଂ ବିଶାଲଙ୍କୁ ଇନ୍ଦୋରରୁ ଗିରଫ କରାଯାଇଥିଲା । ଆକାଶ ରାଜପୁତଙ୍କୁ ମଧ୍ୟ ପ୍ରଦେଶର ସାଗରରୁ ଏବଂ ଆନନ୍ଦଙ୍କୁ ୟୁପିର ଲଳିତପୁରରୁ ଗିରଫ କରାଯାଇଥିଲା। ରାଜାଙ୍କୁ ହତ୍ୟା କରିଥିବା ତିନି ଜଣ କଣ୍ଟ୍ରାକ୍ଟ କିଲର୍ ବିଶାଲ, ଆନନ୍ଦ ଏବଂ ଆକାଶ ମଧ୍ୟ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି।

 

 

 

୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ହଟିଲା କଟକଣା

ଭୁବନେଶ୍ୱର: ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ପ୍ଲଟିଂ କରି ବିକୁଥିଲେ ଲେଆଉଟ ପ୍ରସ୍ତୁତ କରିବାକୁ ପଡିବ । ୯ ମିଟର ରାସ୍ତା ଛାଡ଼ି ବିକିବାକୁ ହେବ । ଡ୍ରେନ, ପାର୍କିଙ୍ଗ, ଓପନ ସ୍ପେସ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ରଖି ଲେଆଉଟ କରି ବିଡିଏ କିମ୍ଵା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ । ଦୀର୍ଘଦିନ ଧରି ପାର୍ଟ ପ୍ଲଟ ବନ୍ଦ ଥିବାରୁ ସରକାର ଓ ଲୋକେ କ୍ଷତି ସହୁଥିଲେ । ସମସ୍ତ ଷ୍ଟକ ହୋଲଡରଙ୍କ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । କୃଷି ଜମି ଉପରେ ସମସ୍ତ କଟକଣା ହଟିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।