spot_img
Home Blog Page 6531

ବନ୍ୟା ଜଳରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ

0

ଯାଜପୁର: ରାଜ୍ୟରେ କିଛି ଦିନ ହେବ ବନ୍ୟା ପରିସ୍ଥିତି ଦେଖା ଦେଇଛି । ବନ୍ୟା ପାଣି ଧିରେ ଧିରେ କମିଛି କିନ୍ତୁ ରାଜ୍ୟର ଏବେ ବି ଅନେକ ଅଞ୍ଚଳ ବନ୍ୟା ପାଣିରେ ବୁଡ଼ି ରହିଛି । ୨୦୧୧ ପରେ ଏହା ହେଉଛି ବଡ଼ ବନ୍ୟା । ବନ୍ୟା ପାଇଁ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ଅନେକ ପରିବାର ଏବେବି ଜଳମଗ୍ନ ହୋଇ ରହିଛି । ତେବେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ମଧ୍ୟରେ ଯାଜପୁର ରହିଛି । ଏବେ ବି ଯାଜପୁର ଜିଲ୍ଲାରେ ବନ୍ୟା ଜଳ ଭରି ରହିଛି । ଏଭଳି ପରିସ୍ଥିତିରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଯାଜପୁର ଜିଲ୍ଲା ବରୀ ବ୍ଲକ ମନ୍ଦାରି ପଞ୍ଚାୟତ ମେଦୁଆକୁଳ ଗାଁ ବ୍ରାହ୍ମଣୀ ନଦୀରେ ଓଲଟିଲା କଦଳୀ ଭେଳା । ଏହି ଅଘଟଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଶୁଭ୍ରଜିତ ବେହେରା (୨୪) ଓ ମିଟୁଲ ବେହେରା (୨୯) । ଛେଳି ଖାଦ୍ୟ ସଂଗ୍ରହ ପାଇଁ ଭେଳାରେ ଯାଉଥିବା ବେଳେ ବ୍ରାହ୍ମଣୀ ନଦୀରେ ଭେଳା ବୁଡିଯାଇଥିଲା । ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରି ବରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅନ୍ୟ ଜଣେ ନିଖୋଜ ବ୍ୟକ୍ତିଙ୍କୁ ପରବର୍ତ୍ତୀ ସମୟରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା । କିନ୍ତୁ ଡାକ୍ତ ତାଙ୍କୁ ମଧ୍ୟ ମୃତ୍ୟୁ ଘୋଷଣା କରିଥିଲେ । ବରୀରେ ଆସିଥିବା ବନ୍ୟା ଯୋଗୁଁ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

 

 

ଭାରତ-ଚୀନ ସୀମା ବିବାଦ: ସେନା ପରେ ଆକ୍ସନରେ ITBP, ପେଙ୍ଗୋଙ୍ଗ ହ୍ରଦ ପାଖ କିଛି ଅଂଚଳ ଉପରେ କଲା କବଜା

0

ଲେହ: ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚୁଆ କଣ୍ଟ୍ରୋଲ୍ (LAC) ଉପରେ ଭାରତ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେନା ପରେ ଏବେ ୩୦ଟି ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ( ITPB ) କର୍ମଚାରୀ ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ କାବୁ କରିଛନ୍ତି । ଏହି ଅଞ୍ଚଳଗୁଡିକ ବ୍ଲାକ ଟପ୍ ନିକଟବର୍ତ୍ତୀ । ଜଣାଇ ରଖୁଛୁ ଯେ, ଅଗଷ୍ଟ ୨୯ ଏବଂ ୩୦ରେ ଭାରତୀୟ ସେନା ରଣନୈତିକ ଦୃଷ୍ଟିରୁ ପିପୁଲ୍ସ ଲିବରେସନ୍ ଆର୍ମି (PLA) କୁ ପଛରେ ପକାଇ ଏକ ପ୍ରମୁଖ ପୋଷ୍ଟ (ବ୍ଲାକ୍ ଟପ୍) କବଜା କରିଥିଲା। କୁହାଯାଉଛି ଯେ ଏହି ସମୟ ମଧ୍ୟରେ ଭାରତୀୟ ସେନା ୪ କିଲୋମିଟର ଭିତରକୁ ଯାଇ ୫୦୦ ଚୀନ୍ ସୈନିକଙ୍କୁ ସେଠାରୁ ଘଉଡାଇ ଦେଇଥିଲା ।

ITBP ସମ୍ଭାଳିଲେ ମୋର୍ଚ୍ଚା

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ଫୁରଚୁକ୍ ଲା ପାସ୍ ଦେଇ ITPB ଯବାନ ଆଗକୁ ବଢ଼ିଛନ୍ତି । ଏହି ସ୍ଥାନ ୪୯୯୪ ମିଟର ଉଚ୍ଚରେ ଅବସ୍ଥିତ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋଷ୍ଟରେ କାହାର କବଜା ନଥିଲା । ଏହାପୂର୍ବରୁ, ITPB ଯବାନମାନେ ପାଙ୍ଗଙ୍ଗ ହ୍ରଦର ଉତ୍ତରରେ ଥିବା ପ୍ୟାଡି ସିଂ ପୋଷ୍ଟରେ ଥିଲେ । ଏହି କ୍ଷେତ୍ର ଫିଙ୍ଗର ୨ ଏବଂ ୩ ନିକଟରେ ଅବସ୍ଥିତ । ITPBର IG ଏମଏସ ରାୱତ କହିଛନ୍ତି ଯେ, ‘ITPBର ଡିଜିପି ଏସ୍ ଡେସୱାଲ ଗତ ସପ୍ତାହରେ LAC ରେ ଏକ ସପ୍ତାହ  ଯବାନଙ୍କ ସହ ରହିଥିଲେ। ପ୍ରଥମ ଥର ପାଇଁ ଆମେ ଭଲ ସଂଖ୍ୟାରେ ଏହି ଶିଖରରେ ପହଞ୍ଚିଛୁ ।’ ଜଣାଇ ରଖୁଛୁ ଯେ, ରାୱତ ଡିଜିପି ଦେଶୱାଲଙ୍କ ସହିତ ସୀମାରେ ୬ ଦିନ ରହିଥିଲେ, ତାଙ୍କ ସହ ଆଇଜି (ପର୍ସନଲ) ଦଲଜିତ ଚୌଧୁରୀ ଏବଂ ଆଇଜି (ଲେହ) ଦୀପମ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ହେଲମେଟ୍ ଟପ୍ ଏବଂ ୟେଲୋ ବମ୍ପକୁ ଆର୍ମି, ITBP ଏବଂ ସ୍ପେଶଲ ଫ୍ରଣ୍ଟିୟର ଫୋର୍ସ କବଜା କରିନେଇଛି । ଚୀନର ପିପୁଲ୍ସ ଲିବରେସନ ଆର୍ମିର ଦକ୍ଷିଣ ପାର୍ଶ୍ୱରେ ସ୍ଥିତ ପୋଷ୍ଟ ୪୨୮୦, ପଶ୍ଚିମ ପାର୍ଶ୍ୱରେ ଥିବା ଦିଗିଙ୍ଗ୍ ଅଞ୍ଚଳ ଏବଂ ଚୁତୀ ଚାମଲା ଭାରତୀୟ ସୈନିକ ମାନଙ୍କଙ୍କ ଉପରେ କଡ଼ା ନଜର ରଖିଛି । କୁହାଯାଉଛି ଯେ, ପରିସ୍ଥିତିକୁ ଦେଖି ସରକାର ସେନାକୁ ଆକ୍ସନ ନେବା ପାଇଁ ସ୍ୱାଧୀନତା ଦେଇଛନ୍ତି । ବିଗତ ଚାରି ମାସ ହେବ LAC ରେ ସ୍ଥିତି ଗମ୍ଭୀର ହୋଇ ରହିଛି । ଚୀନର କାର୍ଯ୍ୟକଳାପକୁ ଦେଖି No First Move ନୀତିକୁ ବଦଳାଯାଇଛି । ଅପରପକ୍ଷେ, ଚୀନ ପୂର୍ବ ଲଦାଖରେ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି।

ଆଜି ହେଉଛି  ବିଶ୍ୱ ଶାଗୁଣା ଦିବସ, ବଂଶବୃଦ୍ଧି ପାଇଁ ଚାଲିଛି ପ୍ରୟାସ

ଭୁବନେଶ୍ୱର: ଆଜି ହେଉଛି  ବିଶ୍ୱ ଶାଗୁଣା ଦିବସ  । ପ୍ରତି ବର୍ଷ ସେପ୍ଟେମ୍ବର ମାସ ୫ ତାରିଖ ନନ୍ଦନକାନନରେ ବିଶ୍ୱ ଶାଗୁଣା ଦିବଶ ପାଳନ କରାଯାଏ । ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ନିରାଡ଼ାମ୍ବର ଭାବରେ ନନ୍ଦନକାନନରେ ପାଳନ କରାଯାଇଛି ଏହି ଦିବସ  । ୨୦୧୯ ମସିହାରେ ନନ୍ଦନକାନନରେ ଶାଗୁଣା ମାନଙ୍କ ବଂଶ ବୃଦ୍ଧି କରିବା ଲାଗି ଏକ ବଟନିକାଲ ଗାର୍ଡେନରେ ପ୍ରଯୋଜନ କେନ୍ଦ୍ର ଖୋଲାଯାଇଥିଲା ।

ଏଥିପାଇଁ  ଗୋଆଲିୟରରୁ ୧୨ଟି ଲମ୍ବା ଥଣ୍ଟିଆ ଶାଗୁଣା ଅଣାଯାଇଥିଲା । ତେବେ ବିଭିନ୍ନ ଦୈବିଦୁର୍ବୀପାକ ରେ ପରିବେଶ ସନ୍ତୁଳନ ଯୋଗୁ ଏମାନଙ୍କ ସଂଖ୍ୟା ଲୋପ ପାଇବାକୁ ବସିଲାଣି । ଏମାନଙ୍କ ବଂଶବୃଦ୍ଧି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଳନ କରାଯାଏ ବିଶ୍ୱ ଶାଗୁଣା ଦିବସ ।

ରାଜ୍ୟରେ ପୁଣି ୭ ଜଣଙ୍କର ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଆଜି ପୁଣି ନୂଆ ୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଯାହାପରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗିରରୁ ଜଣେ, କଟକରୁ ଜଣେ, ଗଞ୍ଜାମରୁ ଜଣେ, ମାଲକାନାଗିରିରୁ ଜଣେ ଏବଂ ସୁନ୍ଦରଗଡ଼ରୁ ଜଣେ କରୋନା ରାଗୀଙ୍କର ମୃତ୍ୟୁ ହୋଇଛି । ଯଦି ଦେଖିବା ଏମାନଙ୍କର ବୟସ ୧୩ ବର୍ଷରୁ ୭୮ ବର୍ଷ ମଧ୍ୟରେ ରହିଛି । ସବୁଠାରୁ ବଡ଼ କଥା ହେଉଛି ଏମାନଙ୍କ ମଧ୍ୟରେ କରୋନା ପାଇଁ ମୃତ୍ୟୁ ହୋଇଥିବା ୧୩ ବର୍ଷ ବୟସ ହେଉଛି ସବୁଠାରୁ କମ୍‌ ବର୍ଷ ।

ଆଜି ରାଜ୍ୟରେ ପୁଣି ୩୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦, ୨୨୧କୁ ବୃଦ୍ଧି ହୋଇଛି । ୯୦୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ରାଜ୍ୟରେ ୨୯୨୯୯  ସକ୍ରିୟ ମାମଲା ରହିଛି ।

India-China Border Issue : ଭାରତ ସପକ୍ଷରେ ଆସିଲେ ଟ୍ରମ୍ପ୍-ପରିସ୍ଥିତି ଗମ୍ଭୀର,ଆମେ ସାହାଯ୍ୟ କରିବାକୁ ପ୍ରସ୍ତୁତ

ଓ୍ୱାଶିଂଟନ୍: ଭାରତ ସୀମା ମଧ୍ୟକୁ ଚୀନ ଅନୁପ୍ରବେଶ କରିବାକୁ ବାରମ୍ବାର ଉଦ୍ୟମ କରୁଛି । ଗତ ୪ ମାସ ହେବ ଏହାକୁ ନେଇ ଚାଲିଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଅନ୍ୟପକ୍ଷରେ ଲଦାଖର ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ତଟରେ ଚୀନ ଟ୍ୟାଙ୍କ ଓ ସୈନିକଙ୍କ ସଂଖ୍ୟା ବଢାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଭାରତ ମଧ୍ୟ ଚୀନର ପ୍ରତ୍ୟେକଟି ଗତିବିଧି ଉପରେ କଡ଼ା ନଜର ରଖିଛି । କିନ୍ତୁ ଚୀନର ଏହି କାର୍ଯ୍ୟକଳାପକୁ ନେଇ ଚିନ୍ତାରେ ଆମେରିକା । ଆମେରିକା ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଭାରତକୁ ସହାୟତା କରିବା ପାଇଁ ପ୍ରସ୍ତୁତ ।

ଭାରତ ଓ ଚୀନ ସୀମାକୁ ନେଇ ଚିନ୍ତା ବଢିଥିବା ବେଳେ ସ୍ଥିତି ଅଧିକ ଗମ୍ଭୀର ହେବାରେ ଲାଗିଛି । ତେବେ ଉକ୍ତ ସମସ୍ୟାରେ ସମ୍ପୃକ୍ତ ହୋଇ ସମସ୍ୟାକୁ ସମାଧାନ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କେବଳ ସେତିକି ନୁହେଁ ଘଟଣା ବାବଦରେ ଦୁଇ ଦେଶ ସହିତ ଟ୍ରମ୍ପ ଆଲୋଚନା କରୁଥିବା କଥା ହ୍ୱାଇଟ ହାଊସରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ କହିଛନ୍ତି ।

ସୂଚନା ଅନୁଯାୟୀ ହ୍ୱାଇଟ ହାଉସରେ ଆୟୋଜିତ ହୋଇଥିବା ପ୍ରେସ କନଫରେନ୍ସରେ ଜଣେ ଗଣମାଧ୍ୟମ ପ୍ରତିନିଧି ଡୋନାଲ୍ଡ ଟ୍ରମ୍ପଙ୍କୁ ପଚାରିଲେ କି, ଚୀନ କ’ଣ ଭାରତକୁ ଧମକାଉଛି? ଏହାର ଜବାବରେ ରାଷ୍ଟ୍ରପତି କହିଲେଯେ, ମୁଁ ଆଶା କରୁଛି ଏଭଳି ହୋଇ ନଥାଉ । କିନ୍ତୁ ଚୀନ ନିହାତି ଭାବରେ ଏହି ଦିଗରେ ଆଗକୁ ବଢୁଛି । ଖୁବ ଦୃଢତାର ସହିତ ଚୀନ ଆଗକୁ ବଢୁଥିବା ଘଟଣା ସମସ୍ତଙ୍କୁ ନଜରକୁ ଆସିଛି ।

ଅରୁଣାଚଳ ପ୍ରଦେଶରୁ ୫ ଜଣ ବ୍ୟକ୍ତିଙ୍କୁ ଅପହରଣ କରିନେଲା ଚୀନ ସେନା: କଂଗ୍ରେସ MLA ନିନୋଙ୍ଗ ଇରିଂଙ୍କ ଟ୍ୱିଟ୍

0

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ୫ ଜଣ ଭାରତୀୟ ନାଗରିକଙ୍କୁ ଚୀନ୍ ସେନା ଅପହରଣ କରିଛନ୍ତି ।  କଂଗେସ ବିଧାୟକ ନିନୋଙ୍ଗ ଇରିଂ ଏଭଳି ଦାବି କରିଛନ୍ତି । ସେ କହିଛନ୍ତି  ଯେ, ଚୀନର ସୈନିକ  ଅରୁଣାଚଳ ପ୍ରଦେଶର ୫ ଜଣ ବ୍ୟକ୍ତିଙ୍କୁ ଅପହରଣ କରିନେଇଛନ୍ତି । ସେ ଏହା ଏକ ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ।  ତେବେ ତାଙ୍କ ଦାବିର କୌଣସି ନିଶ୍ଚିତତା କିମ୍ବା ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) କୁ ଟ୍ୟାଗ୍ କରି ସେ ଚୀନ୍‌କୁ ଉଚିତ୍ ଉତ୍ତର ଦେବାକୁ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଚାରିମାସ ଧରି ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନାମୂଳକ ପରିବେଶ ରହିଛି । ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦୁଇଥର  ସଂଘର୍ଷ ହୋଇସାରିଛି ।

କଣ ଲେଖିଥିଲେ ଟ୍ୱିଟରେ

ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଇରିଂ ଲେଖିଛନ୍ତି ଯେ, ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ସୁବସିରୀ ଜିଲ୍ଲାର ୫ ଜଣଙ୍କୁ ଅପହରଣ କରିନେଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ‘ ଆଶ୍ଚର୍ଯ୍ୟ କରିବା ଭଳି ଖବର ଏହା ! ଆମ ରାଜ୍ୟ ଅରୁଣାଚଳ ପ୍ରଦେଶର ସୁବାସିରୀ ଜିଲ୍ଲାର ୫ ଜଣ ବ୍ୟକ୍ତିଙ୍କୁ କଥିତ ରୂପରେ ଚୀନର ସୈନ୍ୟ ଅପହରଣ କରିନେଇଛି । କିଛି ମାସ ପୂର୍ବରୁ ମଧ୍ୟ ଏହି ଭଳି ଘଟଣା ଘଟିଥିଲା । ଚାଇନିଜ କମ୍ୟୁନିଷ୍ଟ୍ ପାର୍ଟୀକୁ ଉଚିତ ଜବାବ ଦେବା ଦରକାର ।’

ଏମିତି କରାଯାଇଥିଲା ଅପହରଣ

ନିନୋଙ୍ଗ ଏକ ସ୍ଥାନୀୟ ଖବରକାଗଜ ଅରୁଣାଚଳ ଟାଇମ୍ସର ଖବର ମଧ୍ୟ ସେୟାର କରିଛନ୍ତି, ଯାହା ଅନୁଯାୟୀ ଅପହରଣ ହୋଇଥିବା ପାଞ୍ଚ ଜଣ ବ୍ୟକ୍ତି ଟାଗିନ ସମ୍ପ୍ରଦାୟର ଅଟନ୍ତି । କୁହାଯାଉଛି ଯେ, ଏହି ସମସ୍ତ ଲୋକ ନିକଟସ୍ଥ ଜଙ୍ଗଲରେ ଶିକାର କରିବାକୁ ଯାଇଥିଲେ। ଅପହରଣ ହୋଇଥିବା ଗ୍ରାମବାସୀଙ୍କ ନାମ ହେଉଛି ଟୋଚ ସିଙ୍ଗକମ୍, ପ୍ରସାଦ ରିଙ୍ଗଲିଙ୍ଗ, ଡୋଙ୍ଗଟୁ ଇବିୟା, ତନୁ ବେକର ଏବଂ ନର୍ଗୁ ଦିରି। ଏହି ସମୟରେ ଦୁଇଜଣ ଲୋକ ସେଠାରୁ ଖସିଯିବାରେ ସଫଳ ହୋଇଥିଲେ । ତେବେ ଏହି ଘଟଣା ସମ୍ପର୍କରେ ପରିବାର ଏପର୍ଯ୍ୟନ୍ତ ସେନା କିମ୍ବା ପୋଲିସକୁ ସୂଚନା ଦେଇନାହାଁନ୍ତି । ଗ୍ରାମବାସୀଙ୍କ କହିବାନୁସାରେ, ଶନିବାର ସେନାକୁ ଏବାବଦରେ ସମଗ୍ର ସୂଚନା ଦିଆଯିବ ।

ଅପହୃତ ବ୍ୟକ୍ତିଙ୍କୁ ଫେରାଇ ଆଣିବାକୁ ଅନୁରୋଧ

ଏହି ଘଟଣାକୁ ଗମ୍ଭୀର ରୂପରେ ନେବା ପାଇଁ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ସଂପୃକ୍ତ ଅଧିକାରୀଙ୍କୁ ନିବେଦନ କରିଛନ୍ତି । ପାଞ୍ଚ ଜଣଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ପରିବାର ଲୋକ ନିବେଦନ କରିଛନ୍ତି । ଭାରତ ଏବଂ ଚୀନ୍ ମଧ୍ୟରେ ୩୪୮୮ କିଲୋମିଟର ସୀମା ଅଛି, ଯାହା ଉତ୍ତର ପୂର୍ବରେ ଅରୁଣାଚଳ ପ୍ରଦେଶରୁ ଆରମ୍ଭ ହୋଇଥାଏ ।

ରାୟପୁର ବସ୍‌ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ

ଗଞ୍ଜାମ: ରାୟପୁର ବସ୍‌ ଦୁର୍ଘଟଣା ଘଟଣା । ବସ୍‌ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ପରିଚୟ ମିଳିପାରିଛି । ମୃତକ ମାନେ ହେଉଛନ୍ତି ବେଲଗୁଣ୍ଠ ବ୍ଲକ୍‌ ବାଘୁଆପଲ୍ଲୀ ଗାଁର ସୁଶାନ୍ତ ସ୍ୱାଇଁ, ଗାଙ୍ଗପୁର ଥାନା ବୋରୀ ଗାଁର ନାରାୟଣ ଗୁରୁ, ଆସିକା ଥାନା ଘଟପୁରୀ ଗାଁର ବିଶ୍ୱନାଥ ଗୌଡ଼, ଛତ୍ରପୁର ବ୍ଲକ୍‌ ସୁନ୍ଦରପୁର ଗାଁର ସମୀର ମହାକୁଡ଼ ବୋଲି ଜଣାପଡ଼ିଛି । ତେବେ ଅନ୍ୟ ୪ ଜଣଙ୍କର ପରିଚୟ ମିଳିପାରି ନାହିଁ । ଯଥାଶୀଘ୍ର ଅନ୍ୟ ୪ ଜଣଙ୍କର ପରିଚୟ ହସ୍ତଗତ ହେବ ବୋଲି ସୂଚନା ମିଳିଛି ।

ସେପଟେ ଏହି ବସ୍‌ ଦୁର୍ଘଟଣା ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକ ମାନଙ୍କୁ ତାଙ୍କ ଘରକୁ ଆଣିବା ପାଇଁ ବ୍ୟବସ୍ଥ କରାଯାଉଛି । ଜନ୍ମମାଟିରେହିଁ ହେବ ମୃତ ଶ୍ରମିକ ମାନଙ୍କର ଅନ୍ତିମ ସଂସ୍କାର । ଏବେ ପ୍ରତି ମୁହୂର୍ତ୍ତରେ ଛତିଶଗଡ଼ ପୋଲିସ ସହ ଯୋଗାଯୋଗ ରହିଛି । ସେଠାରେ ଆହତଙ୍କୁ ଚିକିତ୍ସା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।

Sushant Singh Rajput Case: ଧରା ପଡ଼ିଗଲେ ରିୟା ଚକ୍ରବର୍ତ୍ତୀ, ଖୋଲିଲା ଡ୍ରଗ୍ସ କାରବାର ରାଜ୍

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ରାଜ୍ ଖୋଲିବାରେ ଲାଗିଛି । ଅଡ଼ୁଆ ସୂତାରେ ଛନ୍ଦି ହେବାରେ ଲାଗିଛନ୍ତି ରିୟା । ଗତକାଲି ତାଙ୍କ ଭାଇ ସୌବିକ ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଛି ଏନସିବି । ଅନ ପକ୍ଷରେ ଆଜି ସୁଶାନ୍ତଙ୍କ ମୃତ୍ୟୁ ଦିନର ଦୃଶ୍ୟକୁ ରିକ୍ରିଏଟ କରିବାକୁ ମୁମ୍ବାଇର ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରେ ପହଞ୍ଚିଛି ସିବିଆଇ ।

ନିକଟରେ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାରରେ ରିୟା ଡ୍ରଗ୍ସ କାରବାର ସହିତ ସମ୍ପୃକ୍ତ ନଥିବା ବୟାନ ଦେଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଖବର । ଏବେ ତାଙ୍କ ହ୍ୱାଟ୍ସାଆପ ଚ୍ୟାଟରୁ ଏହାର ରାଜ୍ ଖୋଲିଛି । Prevention of Money Laundering Act, 2002 ଦ୍ୱାରା ତଦନ୍ତରେ ରିୟାଙ୍କ ସମ୍ପୃକ୍ତି ଡ୍ରଗ୍ସ କିଣାବିକା କରିବା ଏବଂ ନିଜେ ଡ୍ରଗ୍ସ ନେବା ଖବର ସାମ୍ନାକୁ ଆସିଛି । ଜୀବନରେ କେବେ ମଧ୍ୟ ଡ୍ରଗ୍ସ ନେଇ ନଥିବା  ରିୟାଙ୍କ ବୟାନକୁ ମିଛ ପ୍ରମାଣିତ କରିଛି ଏହି ଚ୍ୟାଟ୍ ।

ନିଜ ଜାଲରେ ନିଜେ ଫସିଛନ୍ତି ରିୟା । ତାଙ୍କ ହ୍ୱାଟ୍ସାଆପ ଚ୍ୟାଟରେ ଡ୍ରଗ୍ସ କାରବାରକୁ ନେଇ ହୋଇଥିବା ଆଲୋଚନାର ପର୍ଦ୍ଦାଫାଶ ହୋଇଛି । ଏବେ ରିୟାଙ୍କ ସମସ୍ୟା ଅଧିକ ଜଟିଳ ହୋଇ ଯାଇଛି । ଆରମ୍ଭରୁ ସୁଶାନ୍ତଙ୍କ ମୃତ୍ୟୁରେ ସନ୍ଦେହ ଘେରରେ ଥିବା ରିୟାଙ୍କ ପ୍ରତି ସନ୍ଦେହ ଅଧିକ ଘନୀଭୂତ ହେବାରେ ଲାଗିଛି । ସୂଚନାଯୋଗ୍ୟ ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଖବର ସାମ୍ନାକୁ ଆସିବା ପରେ ତଦନ୍ତ ଅଧିକ ତୀବ୍ର ହେବାରେ ଲାଗିଛି ।

ମାସ୍କ ନଥିବାରୁ ଉଠା ଦୋକାନୀଙ୍କୁ ପୋଲିସର ଠେଲାପେଲା, ଦୋକାନୀ ଉପରେ ଢ଼ାଳିଗଲା ଗରମ ତେଲ

ସୋନପୁର: ସୁବର୍ଣ୍ଣପୁରରେ ଠେଲା ଦୋକାନୀ ସହ ପୋଲିସର ଦାଦାଗିରି । ମାସ୍କ ଚେକିଂ ନାଁରେ ଉଠା ଦେକାନୀଙ୍କୁ ଠେଲାପେଲା । ପୋଲିସର ଦାଦାଗିରି ସମୟରେ ଦୋକାନୀ ଉପରେ ଗରମ ତେଲ ପଡ଼ି ଦୋକାନୀ ଗୁରୁତର । ବୀରମହାରାଜପୁର ଥାନା ପୋଲିସ ବିରୋଧରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ତେବେ ଗୁରୁତର ବ୍ୟକ୍ତିଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏନେଇ ପୋଲିସର ଜୁଲୁମ ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ସ୍ଥାାନୀୟ ଲୋକେ । ରେଢାଖୋଲ ରାସ୍ତାକୁ ଆନ୍ଦୋଳନକାରୀମାନେ ଅବରୋଧ କରିଛନ୍ତି । ଫଳରେ ସୋନପୁରରୁ ରେଢାଖୋଲକୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ଏଏସଆଇ ବିଜୟ ବାରିକ, ଏଏସଆଇ ଶ୍ରୀଯୁକ୍ତ ମାଝୀ ସହରରେ ପାଟ୍ରୋଲିଂ କରୁଥିବା ବେଳେ, ସାମ୍ବାଦିକ ଭବନ ଛକରେ ଟିଫିନ ଦୋକାନ କରିଥିବା ସୁଦାମ ବିଶ୍ୱାଳଙ୍କ ଦୋକାନରେ ପହଞ୍ଚିଥିଲେ । ମାସ୍କ ପିନ୍ଧିବା ନେଇ ସୁଦାମଙ୍କୁ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ । ଫଳରେ ଦୋକାନୀ ଜଣକ ଗରମ ତେଲରେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଘଟଣାକୁ ଅସ୍ୱୀକାର କରିଛନ୍ତି ଥାନା ଅଧିକାରୀ । କହିଛନ୍ତି ମାସ୍କ ଚେକିଂ ବେଳେ ସେ ଦୌଡ଼ି ପଳାଇବା ବେଳେ ତେଲକଡେଇରେ ପଡିଯାଇଛନ୍ତି ।

ସୋନପୁର ବୀରମହାରାଜପୁରରେ ପୋଲିସ ଅଧିକାରୀଙ୍କ ଦାଦାଗିରି, ମାସ୍କ ଚେକିଂ ବେଳେ ଉଠା ଦୋକାନୀଙ୍କୁ ଠେଲାପେଲା

ସୋନପୁର ବୀରମହାରାଜପୁରରେ ପୋଲିସ ଅଧିକାରୀଙ୍କ ଦାଦାଗିରି, ମାସ୍କ ଚେକିଂ ବେଳେ ଉଠା ଦୋକାନୀଙ୍କୁ ଠେଲାପେଲା