କଣ୍ଟାବାଞ୍ଜି : ଘର ବାହାରେ ଶୋଇଥିବା ବେଳେ ଜଣଙ୍କୁ ଗଳା କାଟି ହତ୍ୟା। ବଲାଙ୍ଗିର ଜିଲ୍ଲା ତୁରେକେଲା ଖୁଜେନ ଗାଁରେ ହତ୍ୟାକାଣ୍ଡ । ଜମିବାଡ଼ି ବିବାଦକୁ ନେଇ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଖୁଜେନ ଗାଁର ତୁଲାରାମ ଜାନି । ସେ ରାତିରେ ଘର ବାହାରେ ଶୋଇଥିବେଳେ ଗଳାକାଟିଥିଲେ ଦୁର୍ବୃତ୍ତ। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତୁରେକେଲା ମେଡିକାଲକୁ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଜମିବାଡ଼ି ବିବାଦକୁ ନେଇ ହତ୍ୟା କରିଥିବା ମୃତକଙ୍କ ଝିଅ କହିଛନ୍ତି। ହତ୍ୟା ଘଟଣାରେ ୪ ଜଣଙ୍କ ଅଟକ ରଖି ତଦନ୍ତ କରୁଛି ତୁରେକେଲା ପୋଲିସ ।
ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା
ପୁରୀ : ପୁରୀ ଅଠରନଳା ସ୍ଥିତ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ରାସ୍ତାରୋକ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ମୃତକ ହେଲେ ଚାରିନଳାର ୩୧ବର୍ଷୀୟା ପୂଜାରାଣୀ ଦଳେଇ। ସେ ଚିକିତ୍ସା ପାଇଁ ଅଠରନଳା ସ୍ଥିତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷ ଉପଯୁକ୍ତ ଚିକିତ୍ସା ଦେଇନଥିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ବାହାରିନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ନନ୍ଦିଘୋଷ ବ୍ୟୁରୋ : ବାହାରିନ୍ ଭାରତୀୟ ଦୁତାବାସ ଦ୍ୱାରା ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଏହି ଯୋଗ ଦିବସରେ ଓଡ଼ିଆ ସମାଜର ମହିଳା ସଦସ୍ୟ ଏବଂ ପିଲାମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଭାରତୀୟ ରାଜଦୂତ ଶ୍ରୀଯୁକ୍ତ ବିନୋଦ କେ ଜାକବ ଯୋଗ ଦେଇ ଯୋଗର ଉପକାରିତା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କ ସହ ମିଶି ଯୋଗ କରିଥିଲେ। ଯୋଗ ହେଉଛି ଏକ ପ୍ରାଚୀନ ଭାରତୀୟ ବ୍ୟାୟାମ, ଯାହା ଦ୍ୱାରା କୌଣସି ମଣିଷ ନିଜ ଜୀବନକୁ ଏକ ସକାରାତ୍ମକ ଢଙ୍ଗରେ ପରିବର୍ତ୍ତନ କରିପାରିବ ବୋଲି ବାହାରିନ ଓଡ଼ିଆ ସମାଜର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଦୃଢୋକ୍ତି ପ୍ରକାଶ କରିଥିଲେ । ଯୋଗ ଏକ ଅତ୍ୟନ୍ତ ସୂକ୍ଷ୍ମ ବିଜ୍ଞାନ ଯାହା ସର୍ବଭାରତୀୟ ଚେତନା ମଧ୍ୟରେ ସମନ୍ୱୟ ଆଣିପାରେ ବୋଲି ସମାଜର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶାନ୍ତନୁ ସେନାପତି କହିଥିଲେ ।

ଇରାନ ଉପରେ ଆମେରିକାର ବଡ଼ ଧରଣର ଆକ୍ରମଣ
ନନ୍ଦିଘୋଷ ବ୍ୟୁରୋ : ଇରାନ ଉପରେ ଆମେରିକାର ବଡ଼ ଧରଣର ଆକ୍ରମଣ। ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କରିଛି ଆମେରିକା। ବୋମାମାଡ଼ରେ ଫୋର୍ଡୋ, ନତାଞ୍ଜ ଓ ଇସଫାହାନ ପରମାଣୁ ଘାଟି ଧ୍ବଂସ ହୋଇଛି। ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନରେ ଇରାନ ଉପରେ ଆକ୍ରମଣ କରିଛି ଆମେରିକା। ଇରାନର ପରମାଣୁ କ୍ଷମତାକୁ ନଷ୍ଟ କରିବା ଲକ୍ଷ୍ୟରେ ରହିଛି ଆମେରିକା। ଇରାନ ଉପରେ ଆକ୍ରମଣ ନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। B-22 ବମ୍ବର ସହ F-22 ରାଫ୍ଟର ଯୋଗେ ଆକ୍ରମଣ ହୋଇଛି। ଆକ୍ରମଣରେ ୬ଟି ବଙ୍କର ବଷ୍ଟର ବ୍ୟବହାର କରାଯାଇଛି। ଟ୍ରମ୍ପ କହିଛନ୍ତି, ଏବେ ଶାନ୍ତିର ସମୟ ଆସିଛି। ଯଦି ଇରାନ ଯୁଦ୍ଧ ବନ୍ଦ ନକରେ, ତେବେ ଆଗକୁ ଆହୁରି ଜୋରଦାର ହେବ ଆକ୍ରମଣ। ଇରାନ ଉପରେ ଆକ୍ରମଣ ପରେ ଟ୍ରମ୍ପ ଓ ନେତାନ୍ୟାହୁଙ୍କ ମଧ୍ୟରେ ହୋଇଛି ଆଲୋଚନା। ନେତାନ୍ୟାହୁ କହିଛନ୍ତି, ଇରାନ ଉପରେ ଆକ୍ରମଣ କରି ସାହସିକତା ଦେଖାଇଛନ୍ତି ଟ୍ରମ୍ପ। ଶକ୍ତି ମାଧ୍ୟମରେ ଶାନ୍ତି ବୋଲି କହିଛନ୍ତି ନେତାନ୍ୟାହୁ।
ଆଜି ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦେବେ ସେବାୟତ
ପୁରୀ : ରାଜବୈଦ୍ୟଙ୍କ ଦଶମୂଳ ଔଷଧ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଆଜି ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦେବେ ସେବାୟତ । ଆଜି ରାଜପ୍ରାସାଦ ବିଜେ ନୀତି । ଦ୍ଵାଦଶୀ ତିଥି ଅବସରରେ ଏହି ନୀତି ସମାପନ କରିବେ ଦଇତାପତି ସେବାୟତ । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ଵାର ବନ୍ଦ କରାଯାଇ ବେହରଣ ଦ୍ଵାର ଫିଟାଇବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବାବେଳେ ଶ୍ରୀଜୀଉଙ୍କୁ ଶ୍ରୀବୈଦ୍ୟଙ୍କ ଦ୍ୱାରା ଦଶମୂଳକ ଔଷଧ ଲାଗି କରାଯାଇଥିଲା l ଔଷଦ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଏହି ଖବର ଗଜପତି ମହାରାଜଙ୍କୁ ସୂଚିତ କରିବା ସହିତ ଶ୍ରୀଜିଉଙ୍କ ଅନବସର ପ୍ରସାଦ ରୂପେ କରାଳ, ଚନ୍ଦନ ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀ ନଅରକୁ ବିଜେ କରାଯିବ । ପରେ ପହୁଡ଼ ଆଳତି ନୀତି ହେବା ପରେ ଦଇତାପତି ମାନେ ଘଣା ଲାଗି ନୀତି କରାଇବେ l
ଆଜି ହେବ ଚଳିତବର୍ଷ ରଥଯାତ୍ରାର ଶେଷ ରଥ ସମନ୍ବୟ ବୈଠକ
ପୁରୀ : ଆଜି ଅନୁଷ୍ଠିତ ହେବ ଚଳିତବର୍ଷ ରଥଯାତ୍ରାର ତୃତୀୟ ବା ଶେଷ ରଥ ସମନ୍ବୟ ବୈଠକ । ଦିନ ୧୧ଟାରେ ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେବ ବୈଠକ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଦ୍ୱିତୀୟ ରଥ ସମନ୍ୱୟ ବୈଠକ ଶେଷ ହୋଇଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଉପସ୍ଥାପନ କରିଥିଲେ । ଅନ୍ୟପଟେ ରଥନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ହୋଇପାରିବ, ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ତମାମ୍ ବ୍ୟବସ୍ଥାବଳୀ ଉପରେ ଆଜି ବୈଠକରେ ବିସ୍ତୃତ ଆଲୋଚନା ହେବ । ସେପଟେ ଦ୍ୱିତୀୟ ରଥ ସମନ୍ୱୟ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ନେଇ ହୋହଲ୍ଲା ହୋଇଥିବା ବେଳେ ସହରରେ ଘନଘନ ବିଦ୍ୟୁତକାଟ ସମସ୍ୟାକୁ ନେଇ ସରଗରମ ଆଲୋଚନା ହୋଇଥିଲା । ତେଣୁ ଏସବୁ ଭିତରେ ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ତେଣୁ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକ କେତେ ସକ୍ରିୟ ଅଛନ୍ତି ତାହାର ଆକ୍ସନ ପ୍ଲାନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦାଖଲ କରାଯିବ । ବୈଠକରେ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ଉପମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବେ ।
ଆଜି ହେବ ନବୀନ ପଟ୍ଟନାୟକଙ୍କ ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା
ଭୁବନେଶ୍ବର : ଆଜି ହେବ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା। ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ହେବ ଚିକିତ୍ସା। ନବୀନଙ୍କ ପାଇଁ ସାରା ରାଜ୍ଯରୁ ଆଶୁ ଆରୋଗ୍ଯ କାମନାର ସୁଅ ଛୁଟୁଛି। ବ୍ୟକ୍ତିଗତ ଚିକିତ୍ସକ ଡ.ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଚିକିତ୍ସା କରାଯିବ। ଦୀର୍ଘ ବର୍ଷର ଶାସନ ସମୟରେ ହେଉ କିମ୍ବା ବିରୋଧୀ ଦଳ ନେତା ଭାବେ ସବୁଠି ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରି ଆସୁଛନ୍ତି । ଆଧୁନିକ ଓଡି଼ଶାର ବିକାଶ ପୁରୁଷର ମାନ୍ୟତା ପାଇଛନ୍ତି । ତେଣୁ ନିଜର ପ୍ରିୟ ନେତାଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି ପ୍ରଶଂସକ। ଗତ ୨୦ ତାରିଖରେ ନବୀନ ଭୁବନେଶ୍ବର ଛାଡିବା ସମୟରେ ବହୁ ସଂଖ୍ଯାରେ ମହିଳା ଓ ବିଜେଡି ନେତା କର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସାରା ରାଜ୍ଯରେ ନବୀନଙ୍କ ଆରୋଗ୍ଯ କାମନା କରି ଦୀପଦାନ କରାଯାଉଛି। ବାଲେଶ୍ବରରୁ ଭୁବନେଶ୍ବର କଟକରୁ ବ୍ରହ୍ମପୁର ସବୁଠି ଚାଲିଛି ପ୍ରାର୍ଥନା ଓ ଆଶୁ ଆରୋଗ୍ୟ କାମନା । ଆଜି ଗଞ୍ଜାମ ହିଞ୍ଜିଳି ଶୈବପୀଠରେ ୧୦ ହଜାର ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା କାର୍ଯ୍ୟକ୍ରମ ରହିଛି । ୨୩ ତାରିଖରେ ଗଞ୍ଜାମ ଜିଲ୍ଲାର ସମସ୍ତ ପୂର୍ବତନ ସାଂସଦ ଓ ବିଧାୟକ ଜନ ପ୍ରତିନିଧି ଓ ବରିଷ୍ଠ ନେତା ମାନେ ଉପସ୍ଥିତ ରହି ସମୂହ ପ୍ରାର୍ଥନା କରିବେ। ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ବିଜୁ ଜନତା ଦଳ ପକ୍ଷରୁ ଦୀପଦାନ କରାଯାଇଥିଲା। ସେହିପରି କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ପୀଠରେ ୧୦୮ ଦୀପ ଦାନ କରାଯାଇଥିଲା।
ଆହୁରି ମହଙ୍ଗା ହେଲା ଓମଫେଡ କ୍ଷୀର, ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କୁ ସୁଲଭ ମୂଲ୍ୟରେ ଦୁଗ୍ଧ ଯୋଗାଇବାର ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଉଛି ଓମଫେଡ । ଆହୁରି ମହଙ୍ଗା ହୋଇଛି ଓମଫେଡ କ୍ଷୀର । ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ କ୍ଷୀର ଦାମ୍ ୨ ଟଙ୍କା ବୃଦ୍ଧି କରିଛି । ଅର୍ଥାତ ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟରରେ କମ୍ପାନୀ ୨ ଟଙ୍କା ବୃଦ୍ଧି କରିଥିବା ବେଳେ ଓମଫେଡ ଗୋଲ୍ଡ କ୍ଷୀର ଲିଟରରେ ୪ ଟଙ୍କା ବୃଦ୍ଧି କରାଯାଇଛି । ନୂଆ ଦାମ୍ ବୃଦ୍ଧି ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସେପଟେ ଗୋଖାଦ୍ୟ ଦର ନିୟନ୍ତ୍ରଣ ସହିତ ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ସାମଗ୍ରୀ ଦେବା ପାଇଁ ଦାବି କରିଛି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ।
ଚାଷୀ ପାଉନି ବୃଦ୍ଧି ଟଙ୍କା, ଗ୍ରାହକ କିନ୍ତୁ ଏଣିକି ଗଣିବେ ଅଧିକ ଟଙ୍କା । ବହଳିଆ ଚାହା ପିଇଲେ ଗଣିବାକୁ ପଡିବ ଅଧିକ ଅର୍ଥ । ଏଥର ୫ ଟଙ୍କା ନୁହେଁ, ଚାହା କପ ପଡିବ ୬ ଟଙ୍କା । ରସଗୋଲା ହେଉକି ରାବିଡି, ପନିର ହେଉକି ଛେନା ଗ୍ରାହକଙ୍କ ଅଧିକ ଖାଲି ହେବ ପକେଟ । କାରଣ ଓମଫେଡ ବଢାଇଛି କ୍ଷୀର ଦର । ଓମଫେଡ ପକ୍ଷରୁ ପ୍ରିମିୟମ୍ ଓ ଟୋନଡ କ୍ଷୀର ଏବେ ପ୍ରତି ଲିଟର ପିଛା ୨ ବୃଦ୍ଧି କରୁଥିବା ବେଳେ ଗୋଲ୍ଡ କ୍ଷୀରର ମୂଲ୍ୟ ୪ ଟଙ୍କା ବୃଦ୍ଧି କରାଯାଇଛି । ତେବେ ସଂଶୋଧିତ ଦର ଅନୁସାରେ, ୧ ଲିଟର ଟୋନଡ କ୍ଷୀର ଏବେ ୫୦ ଟଙ୍କା, ପ୍ରିମିୟମ୍ କ୍ଷୀର ୫୪ ଟଙ୍କା ଏବଂ ଗୋଲ୍ଡ କ୍ଷୀରର ଦାମ୍ ୬୦ ଟଙ୍କା ହୋଇଛି । ଫଳରେ ଆଗକୁ ଅନ୍ୟ ଦୁଗ୍ଧଜାତ ସାମଗ୍ରୀର ଦର ଦାମ ବଢିବା ନିଶ୍ଚିତ ।
ରାଜ୍ୟ ହେଉ କି କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏ ହେଉ କି ପେନସନ ବଢାଇ କ୍ରେଡିଟ ନିଅନ୍ତି । ଚାଷୀ ପାଇଁ ଟଙ୍କା ବୃଦ୍ଧି କରିବା ସରକାରଙ୍କ ପାଇଁ ବୋଝ ହୋଇଯାଉଛି । ଜୁନ ୧ ତାରିଖରେ ରାଜ୍ୟ ସରକାର ଚାଷୀଙ୍କ ଲାଗି ୩ ଟଙ୍କା ବୃଦ୍ଧି ନେଇ ଘୋଷଣା କରିଥିଲେ ବି ଏବେ ବି ଚାଷୀଙ୍କୁ ଟଙ୍କା ମିଳିନି । କିନ୍ତୁ ଗ୍ରାହକଠାରୁ ୨ ଟଙ୍କା ଲିଟର ପିଛା ଟଙ୍କା ନେଇ ଗଲେ । ଯାହାକୁ ନେଇ ଓଡିଶା ଦୁଗ୍ଧ ଚାଷୀ ମହାସଙ୍ଘ ପ୍ରଶ୍ନ ଉଠାଇଛି । କେବଳ କ୍ଷୀର ଦର ବଢାଇଲେ ଚଳିବନି । ଏବେ ବଜାର ଦର ଓ ଗୋଖାଦ୍ୟ ଦର ବଢୁଥିବା ବେଳେ ତାକୁ ନିୟନ୍ତ୍ରଣ କରିବା ଦରକାର । ଆଗାମୀ ଦିନରେ ମଧ୍ୟାହ୍ନ ଭୋଜନରେ ରକ୍ତହୀନତା ଓ କୁପୋଷଣ ଦୂର କରିବା ପାଇଁ ଦୁଗ୍ଧ, ପନିର ଓ ମିଲ୍କ ପାଉଡର ସରକାର ବଣ୍ଟନ କରିବାକୁ ସଂଘ ଦାବି କରିଛି ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ନାଁରେ ଚାଲିଛି କି ଫାର୍ସ ?
ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଲୋକଙ୍କ ଅଭିଯୋଗର ସମାଧାନ ପ୍ରତିଶତକୁ ନେଇ ଉଠିଲା ପ୍ରଶ୍ନ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ବିଭିନ୍ନ ବିଭାଗକୁ ଚିଠି ଲେଖିବା ପରେ ତେଜିଛି ରାଜନୀତି । ତ୍ୱରିତ ଢଙ୍ଗରେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଏହାର ସମାଧାନ କରିବାକୁ କୁହାଯାଇଛି । ବିଶେଷ କରି ପୋଲିସ ବିଭାଗରେ ଅଭିଯୋଗ ସମାଧାନର ପ୍ରତିଶତ କମ । ଏନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ଓ କଂଗ୍ରେସ ।
ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଲୋକେ ବହୁ ଆଶା ନେଇ ଦୌଡ଼ି ଆସୁଛନ୍ତି । କିନ୍ତୁ ଅଭିଯୋଗର ସମାଧାନ ପ୍ରତିଶତ ଉପରେ ଲାଗିଛି ପ୍ରଶ୍ନଚିହ୍ନ । ଏନେଇ ଖୋଦ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚିନ୍ତା ପ୍ରକାଶ କରିବା ସହ ବିଭିନ୍ନ ବିଭାଗକୁ ଚିଠି ଲେଖିଛି । ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିରେ ହସ୍ତଗତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ କୁହାଯାଇଛି। ସରକାରରେ ବିଧାୟକ ଗୋଟିଏ କଥା କହିଲେ ମନ୍ତ୍ରୀ ଗୋଟିଏ କଥା କହୁଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ଆଉ ଗୋଟିଏ କଥା କହୁଛନ୍ତି । ଫଳରେ ଅଧିକାରୀମାନେ ନିର୍ଦ୍ଦେଶ ପାଳନ କରୁନାହାନ୍ତି । ସରକାରୀ କର୍ମଚାରୀ ପୂରା ଢିଲା ହୋଇଗଲେଣି ବୋଲି କହିଛି କଂଗ୍ରେସ । ବିଜେଡି କହିଛି ଏ ସରକାର ସ୍ଥାଣୁ । ସରକାରଙ୍କ ନିର୍ଦ୍ଦେଶନାମାକୁ କେହି ଖାତିର କରୁନାହାନ୍ତି । ସରକାର ଥିଲା ଭଳି ଲୋକେ ଉପଲବ୍ଧି କରି ପାରୁନାହାନ୍ତି ।
୫ଟି ବିଭାଗ, ପୋଲିସ ମହା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଓ ୧୯ଟି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଅଭିଯୋଗ ସମାଧାନ ପ୍ରତିଶତ ୮୦ ପ୍ରତିଶତରୁ କମ । ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଏସବୁର ସମାଧାନ କରିବାକୁ କୁହାଯାଇଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପୋଲିସ ବିଭାଗରେ ଅଭିଯୋଗ ସମାଧାନ ପ୍ରତିଶତ କମ ରହିବାକୁ ନେଇ ଭିନ୍ନ ମନ୍ତବ୍ୟ ରଖିଛନ୍ତି ପୂର୍ବତନ ପୋଲିସ ଅଧିକାରୀ । ପୋଲିସ ବିଭାଗରେ ଅର୍ଦ୍ଧାଧିକ ପଦ ଫାଙ୍କା ପଡିଥିବା ବେଳେ ସେମାନଙ୍କ ଉପରେ ବହୁ ଅଧିକ ଚାପ ରହିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ । ସରକାର କେବଳ ଚିଠି ନଲେଖି ସ୍ଥିତି ବୁଝିବା ଦରକାର । ରାଜ୍ୟରେ ପୋଲିସ ବିଭାଗରେ କେତେ ପଦ ପଦବୀ ଫାଙ୍କା ପଡିଛି ସେ ସମ୍ପର୍କରେ ସରକାର ପ୍ରଥମେ ବୁଝନ୍ତୁ । ପ୍ରକୃତ କାରଣ ଓ ସମସ୍ୟାର ସମାଧାନ କଲେ ଯାଇ ଲୋକଙ୍କ ଅଭିଯୋଗର ସମାଧାନ ହୋଇପାରିବ । ଯଦି କୌଣସି ଅଧିକାରୀ କାମ କରୁନାହାନ୍ତି ସେମାନଙ୍କୁ ଦଣ୍ଡିତ କରାଯାଉ । ଯେଉଁଠି ବହୁ ପଦବୀ ଫାଙ୍କା ରହିଛି ତାହାକୁ ପୂରଣ କରାଯାଉ ।
ବିଜେପି ସରକାରରେ ଏବେ ବି ୬ ମନ୍ତ୍ରୀ ପଦ ଖାଲି, ମୋଦିଙ୍କ ଗସ୍ତ ସତ୍ତ୍ଵେ ଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ
ନନ୍ଦିଘୋଷ ବ୍ୟୁରୋ: ବର୍ଷେ ପରେ ମଧ୍ୟ ରାଜ୍ୟ ବିଜେପି ସରକାରର ପୂର୍ଣ୍ଣ ମନ୍ତ୍ରିମଣ୍ଡଳ ହୋଇପାରି ନାହିଁ । ଏବେ ବି ୬ ମନ୍ତ୍ରୀ ପଦ ଖାଲି । ନିଗମ ଅଧ୍ୟକ୍ଷ ନିଯୁକ୍ତି ହୋଇପାରି ନାହିଁ କି ଲୋକାୟୁକ୍ତ ଚୟନ ହୋଇନାହିଁ । ଏପରିକି କ୍ଷମତାରେ ଥିବା ବିଜେପିର ରାଜ୍ୟ ସଭାପତି ଚୟନ ହୋଇନାହିଁ । ସରକାର ଗଠନର ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ପରେ ଏସବୁର ବାଟ ଫିଟିବାର ଯେଉଁ ଆଶା ଥିଲା, ତାହା ବି ଅଟକି ଯାଇଛି ଅଧାରେ । ପ୍ରଭାରୀ କହିଲେଣି, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ରାଜ୍ୟ ସଭାପତି ଚୟନ । ତା’ପରେ ହିଁ ମନ୍ତ୍ରିମଣ୍ଡଳ ପୁନର୍ଗଠନ ଓ ନିଗମ ନିଯୁକ୍ତି ।
ରାଜ୍ୟର ବିଜେପି ସରକାରରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ନିଗମ ନିଯୁକ୍ତିକୁ ନେଇ ବାଟ ଫିଟି ପାରି ନାହିଁ । ସରକାର ଗଠନର ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେବା ପରେ ସବୁ କିଛି ସ୍ପଷ୍ଟ ହେବାର ଆଶା ଥିଲା, ହେଲେ ଏ ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି । ଏବେ ମନ୍ତ୍ରିମଣ୍ଡଳ ଅଦଳବଦଳର ବାଟ ଓଗାଳିଛି ରଥଯାତ୍ରା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ । ରାଷ୍ଟ୍ରୀୟ ଅଧ୍ୟକ୍ଷ ପରେ ରାଜ୍ୟ ସଭାପତି ନେଇ ଚିତ୍ର ସ୍ପଷ୍ଟ ହେବ । ନୂଆ ରାଜ୍ୟ ସଭାପତି ଆସିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ, ନିଗମ ନିଯୁକ୍ତି ନେଇ ବାଟ ଫିଟିବ ବୋଲି ରାଜ୍ୟ ବିଜେପି ପ୍ରଭାରୀ ସ୍ପଷ୍ଟ କରିଛନ୍ତି । କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶା ବିଷୟରେ କିଛି ନିଷ୍ପତ୍ତି ନେଇନାହାନ୍ତି ବୋଲି କହିଛନ୍ତି ବିଜୟ ପାଲ ସିଂହ ତୋମାର ।
ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ଦଳ ଭିତରେ ଅସନ୍ତୋଷ ଥିଲେ ଥଇଥାନ ପାଇଁ ବ୍ୟଗ୍ରତା ରୁହନ୍ତା । ଆମ ଦଳରେ ପଦପଦବୀ ନେଇ କେହି ଅସନ୍ତୁଷ୍ଟ ନାହାଁନ୍ତି । ରାଜ୍ୟ ସଭାପତି ପାଇଁ କୌଣସି ରେସ୍ ନାହିଁ କି ନିଗମ ପଦ ପାଇଁ କେହି ଲାଳାୟିତ ନାହାନ୍ତି ବୋଲି ସେ ସଫେଇ ଦେଇଛନ୍ତି । ହେଲେ ତାଙ୍କର ଏହି ସଫେଇ ସମୀକ୍ଷକଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ସମୀକ୍ଷକଙ୍କ ମତରେ ବାସ୍ତବ ସ୍ଥିତି ଭିନ୍ନ । ବର୍ଷକ ଭିତରେ ନିଗମ ନିଯୁକ୍ତି ହୋଇପାରିଲା ନାହିଁ । ଦୁର୍ନିୀତି ବିରୋଧରେ ଶୂନ୍ୟ ସହନଶୀଳତା କଥା କୁହାଯାଉଛି, ହେଲେ ଲୋକାୟୁକ୍ତ ଚୟନ ହୋଇପାରୁନାହିଁ । ଜିଲ୍ଲାସ୍ତରରେ ସରକାରୀ ଓକିଲ ନିଯୁକ୍ତ ହୋଇପାରୁନାହାନ୍ତି । ବିଦ୍ୟାଳୟ ଓ କଲେଜ ପରିଚାଳନା କମିଟି ଗଢା ହୋଇପାରୁନାହିଁ । ଏସବୁ ପାଇଁ ବିଜେପି ଦଳ ଓ ବିଜେପି ସରକାର ମଧ୍ୟରେ ସମନ୍ବୟର ଅଭାବ ବୋଲି ସମୀକ୍ଷକ କହିଛନ୍ତି ।
ରାଜ୍ୟରେ ବର୍ଷକର ବିଜେପି ସରକାରର ସଫଳତା ନେଇ ଜୋରଦାର ପ୍ରଚାର କରୁଛି ଦଳ । ହେଲେ ବିଗିଡ଼ିଥିବା ଆଇନ ଶୃଙ୍ଖଳା ସ୍ଥିତି, ନିୟନ୍ତ୍ରଣ ବାହାରେ ହଇଜା ସ୍ଥିତି ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣିଛି । ଦଳ ଭିତରେ ମନୋମାଳିନ୍ୟ, ଅନ୍ତଃକନ୍ଦଳ ଯୋଗୁଁ ରାଜ୍ୟ ସଭାପତି ବଛା ହେଇ ନପାରିବା, ନିଗମ ଅଧ୍ୟକ୍ଷ ନିଯୁକ୍ତି ନେଇ ବାଟ ନ ଫିଟିବା ଯୋଗୁଁ ଦଳ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି ।

