ବାଲେଶ୍ବର : ଅଟୋ ଓଲଟି ୭ ଛାତ୍ରଛାତ୍ରୀ ଗୁରୁତର। ବାଲେଶ୍ବର ସୋର ପଦୁନା ନିକଟରେ ଦୁର୍ଘଟଣା। ଏକ ସାଇକେଲ ଆରୋହୀକୁ ବଞ୍ଚାଇବାକୁ ଯାଇ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ସ୍କୁଲ ଯାଉଥିବାବେଳେ ଦୁର୍ଘଟଣା ଘଟିଛି। ସମସ୍ତେ ପଲସା ସ୍ଥିତି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ। ଅଟୋରେ ଥିବା ସମସ୍ତ ୭ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ଲୋକ ମାନଙ୍କ ସହଯୋଗରେ ଉଦ୍ଧାର କରାଯାଇ ଖଇରା ମେଡିକାଲ ରେ ଭର୍ତ୍ତି କରାଯାଇଛି l ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ନେଇ ସୂଚନା ମିଳିଛି l
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି
ନନ୍ଦିଘୋଷ ବ୍ୟୁରୋ : କତାରରେ ଥିବା ଆମେରିକୀୟ ବାୟୁସେନା ବେସ୍ ଉପରେ ଇରାନ ପକ୍ଷରୁ ମିସାଇଲ୍ ନିକ୍ଷେପ ପରେ ସୋମବାର ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟକୁ ସମସ୍ତ ଉଡ଼ାଣକୁ ତୁରନ୍ତ ବାତିଲ କରିଦେଇଛି। ବିମାନ କମ୍ପାନୀ କହିଛି ଯେ ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ଆମେରିକାର ଉତ୍ତର ଉପକୂଳରୁ ଇଉରୋପ ପର୍ଯ୍ୟନ୍ତ ସମସ୍ତ ବିମାନ ବାତିଲ କରାଯାଉଛି। ଟାଟା ଗୋଷ୍ଠୀ ଦ୍ୱାରା ପରିଚାଳିତ ଏୟାରଲାଇନ୍ସ କମ୍ପାନୀ କହିଛି ଯେ ଉତ୍ତର ଆମେରିକାରୁ ଭାରତକୁ ଆସୁଥିବା ସମସ୍ତ ଫ୍ଲାଇଟକୁ ଫେରାଇ ଦିଆଯାଉଛି, ଯେତେବେଳେ ଅନ୍ୟ ବିମାନଗୁଡ଼ିକୁ ଭାରତକୁ ଫେରାଇ ଆଣାଯାଉଛି କିମ୍ବା ବନ୍ଦ ହୋଇଥିବା ଏୟାରସ୍ପେସରୁ ଦୂରକୁ ପଠାଯାଉଛି।
ଉତ୍ତେଜନା ମଧ୍ୟରେ ଏୟାର ଇଣ୍ଡିଆର ପଦକ୍ଷେପ
ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ସେମାନେ ସମସ୍ତ ପ୍ରଭାବିତ ଯାତ୍ରୀଙ୍କୁ ବର୍ତ୍ତମାନର ପରିସ୍ଥିତି ବୁଝିବାକୁ ଅନୁରୋଧ କରୁଛନ୍ତି, ଯାହା ସେମାନଙ୍କ ନିୟନ୍ତ୍ରଣ ବାହାରେ। ସେ କହିଛନ୍ତି ଯେ ଏୟାର ଇଣ୍ଡିଆ ସୁରକ୍ଷା ପରାମର୍ଶଦାତାଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ସମସ୍ତ ଅପଡେଟ୍ ବିଷୟରେ ଯାତ୍ରୀମାନଙ୍କୁ ଅବଗତ କରାଯିବ। ଯାତ୍ରୀଙ୍କ ସୁରକ୍ଷା ହେଉଛି ଏୟାରଲାଇନ୍ସର ପ୍ରଥମ ପ୍ରାଥମିକତା। ସୂଚନାଯୋଗ୍ୟ ଯେ ସୋମବାର ଦିନ ଇରାନ କତାରରେ ଥିବା ଆମେରିକୀୟ ଏୟାରବେସକୁ ଟାର୍ଗେଟ କରିବା ସମୟରେ ଏୟାରଲାଇନ୍ସ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। ଏହା ପୂର୍ବରୁ ଆମେରିକା ଇରାନର ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଏକ ବଡ଼ ଆକ୍ରମଣ କରିଥିଲା।
କାତାରରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ
ନ୍ୟୁଜ୍ ଏଜେନ୍ସି ରଏଟର୍ସ ଜଣେ କୂଟନୀତିଜ୍ଞଙ୍କୁ ଉଦ୍ଧୃତ କରି ରିପୋର୍ଟ କରିଛି ଯେ କତାରର ରାଜଧାନୀରେ ବିସ୍ଫୋରଣର ଜୋରଦାର ଶବ୍ଦ ଶୁଣାଯାଇଛି। କତାରରେ ଛଅଟି ବାଲିଷ୍ଟିକ୍ ମିସାଇଲ୍ ନିକ୍ଷେପ କରାଯିବା ପରେ ଇରାନର ସଶସ୍ତ୍ର ବାହିନୀ କହିଛି ଯେ ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକା ପକ୍ଷରୁ ଯେତିକି ମିସାଇଲ୍ ନିକ୍ଷେପ କରାଯାଇଥିଲା, ଏହି ଅପରେସନ ସମୟରେ ଆମେରିକୀୟ ଏୟାରବେସ ଉପରେ ସେତିକି ମିସାଇଲ ନିକ୍ଷେପ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ତେହେରାନ ବିରୋଧରେ ଇସ୍ରାଏଲର ଏହି ଯୁଦ୍ଧରେ ଆମେରିକାର ସାମିଲ ହେବା ଫଳରେ ସମଗ୍ର ମଧ୍ୟପ୍ରାଚ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଯୁଦ୍ଧରେ ପ୍ରବେଶ କରି ଆମେରିକା ଇରାନର ତିନୋଟି ଭୂଗର୍ଭସ୍ଥ ପରମାଣୁ ପ୍ରତିଷ୍ଠାନ ଉପରେ ୩୦ ହଜାର ପାଉଣ୍ଡର ବଙ୍କର ବଷ୍ଟର ବ୍ୟବହାର କରି ତାକୁ ଉଡ଼ାଇ ଦେଇଥିଲା। ଏହାର ଦୁଇ ଦିନ ପରେ ଇରାନ ପକ୍ଷରୁ ଏହି ପ୍ରତିଶୋଧମୂଳକ ଆକ୍ରମଣ କତାରରେ ଥିବା ଆମେରିକୀୟ ବେସ ଉପରେ କରାଯାଇଥିଲା।
ଇରାନ ଓ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ଘୋଷଣା
ଇରାନ ଓ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ଘୋଷଣା। ଏହି ଘୋଷଣା ନିଜେ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସୋସିଆଲ ମିଡିଆରେ ସେ ପୋଷ୍ଟ କରିଛନ୍ତି, “ସମସ୍ତଙ୍କୁ ଅଭିନନ୍ଦନ! ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ହେବ। ଏଥିପାଇଁ ସମସ୍ତେ ସହମତ ହୋଇଛନ୍ତି। ଉଭୟ ଦେଶ “ଚୂଡ଼ାନ୍ତ ମିଶନ” ସମାପ୍ତ କରିବା ପରେ ପ୍ରାୟ ଛଅ ଘଣ୍ଟା ମଧ୍ୟରେ ଅସ୍ତ୍ର ବିରତି ଆରମ୍ଭ ହେବ। ଇରାନ ଅସ୍ତ୍ରବିରତି ଆରମ୍ଭ କରିବ ଏବଂ ଇସ୍ରାଏଲ ୧୨ ଘଣ୍ଟା ପରେ ପରେ ଏହା ପାଳନ କରିବ। ୨୪ ଘଣ୍ଟା ପରେ ଯୁଦ୍ଧ ସମାପ୍ତ ବୋଲି ଆନୁଷ୍ଠାନିକ ଭାବରେ ବିଚାର କରାଯିବ। ଟ୍ରମ୍ପ କହିଛନ୍ତି ୧୨ ଦିନିଆ ଯୁଦ୍ଧର ସମାପ୍ତିକୁ ବିଶ୍ୱ ସ୍ୱାଗତ କରିବ। ଅସ୍ତ୍ରବିରତି ସମୟରେ, ପରିସ୍ଥିତି ଶାନ୍ତିପୂର୍ଣ୍ଣ ଏବଂ ସମ୍ମାନଜନକ ରହିବ। ସେ ଉଭୟ ଦେଶକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।
ଅଣବସରରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି ପୂର୍ବରୁ ଚୋରୀ।
ପୁରୀ : ଅଣବସରରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି ପୂର୍ବରୁ ଚୋରୀ। ଗାରଦ ଘରୁ ଚୋରୀ କରିନେଲେ ଅମୁଣିଆ ମୋଦକ। ଶ୍ରୀମନ୍ଦିର ଗାରଦରେ ଜମାଥିବା ଦଶମୂଳ ମୋଦକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରାଜବୈଦ୍ୟ ଦେଇଥିବା ସମୁଦାୟ ୩୧୩ଟି ଅମୁଣିଆ ମୋଦକରୁ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା। ଅଣବସର ଏକାଦଶୀ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗି ହେବାର ବିଧି ଥିବାବେଳେ ୭୦ଟି ମୋଦକ କମ୍ ଥିବା ଦେଖିବାକୁ ମିଳିଥିଲା। ତେବେ ମାରା ହୋଇଯାଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ଭୋଗ ସମର୍ପିତ କରାଗଲା ଏହି ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ଏହି ଚିଠିର ଏକ ନକଲ ଶ୍ରୀମନ୍ଦିର କମାଣ୍ଡର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।
ସ୍ଵଦେଶ ଫେରିଲେ ୨୯୦ ଭାରତୀୟ
ଇରାନ : ଇରାନ-ଇସ୍ରାଏଲ ଯୁଦ୍ଧର ଘନଘଟା ମଧ୍ୟରେ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି। ଗତକାଲି ସ୍ଵଦେଶ ଫେରିଲେ ୨୯୦ ଭାରତୀୟ। ଜଣେ ଶ୍ରୀଲଙ୍କା ନାଗରିକ ମଧ୍ୟ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଇରାନର ମଶାଦରୁ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି ସମସ୍ତ ଲୋକେ। ବର୍ତ୍ତମାନ ସୁଦ୍ଧା ଇରାନରୁ ୨ ହଜାର ୩ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଗଲାଣି। ଯୁଦ୍ଧ ଆରମ୍ଭ ପରଠାରୁ ଇରାନରୁ ଭାରତୀୟ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ଜାରି ରହିଛି। ଇରାନରୁ ଫେରିଥିବା ଭାରତୀୟଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି କାଶ୍ମୀର ଛାତ୍ରଛାତ୍ରୀ। ଇରାନ-ଇସ୍ରାଏଲ ଯୁଦ୍ଧ ଚାଲିଥିବାରୁ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ସମସ୍ତ ଭାରତୀୟଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ ସିନ୍ଧୁ ଜରିଆରେ ନାଗରିକଙ୍କ ଉଦ୍ଧାର ଜାରି ରହିଛି। ରିପୋର୍ଟ ଅନୁସାରେ ଇରାନରେ ୧୩ ହଜାରରୁ ଅଧିକ ଭାରତୀୟ ଛାତ୍ର ପଢୁଛନ୍ତି। ଅଧିକାଂଶ ମେଡିକାଲ ପଢୁଛନ୍ତି। ଛାତ୍ରମାନଙ୍କ ବ୍ୟତୀତ, ତୀର୍ଥଯାତ୍ରୀ ଓ ଅନେକ ଭାରତୀୟ ନାଗରିକ ଇରାନରେ ଫସି ରହିଛନ୍ତି। ଇରାନରୁ ଫେରିଥିବା ଭାରତୀୟ ଦିଲ୍ଲୀରେ ପହଞ୍ଚିବା ପରେ ଖୁସି ପ୍ରକାଶ କରିଛନ୍ତି।
ଆଜି ଆଷାଢ଼ ମାସ କୃଷ୍ଣ ଚତୁର୍ଦଶୀ ତିଥି। ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ।
ପୁରୀ: ଆଜି ଆଷାଢ଼ ମାସ କୃଷ୍ଣ ଚତୁର୍ଦଶୀ ତିଥି। ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁସାରେ ଦତ୍ତମହାପାତ୍ର ଓ ଦଇତାପତି ସେବକମାନେ ଶ୍ରୀନଅରକୁ ଖଡି ପ୍ରସାଦ ବିଜେ କରାଇବେ। ରୂପା ଥାଳିରେ ମହାପ୍ରଭୁଙ୍କ ଲାଗି ଫୁଲ, ତୁଳସୀ ଓ ତିନି ରୂପା ପିଙ୍ଗଣରେ ଖଡି ପ୍ରସାଦ ବିଜେ କରାଇବେ। ଶ୍ରୀନଅରରେ ଖଡି ପ୍ରସାଦ ବିଜେ ନୀତି ପରେ ରାଜଗୁରୁଙ୍କ ହସ୍ତରୁ ଶାଢି ନେଇ ପାଟ୍ଟଶାଣୀ ସେବକ ତଳୁଚ୍ଛ, ଦେଉଳକରଣ, ବେହେରା ଖୁଣ୍ଟିଆ, ପତିମହାପାତ୍ର ଓ ତିନି ବାଡର ଦଇତାପତିଙ୍କୁ ଶାଢି ବାନ୍ଧିବେ। ସ୍ନାନବେଦିରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ି ମହାପ୍ରଭୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଅବସ୍ଥାନ କରୁଥିଲେ। ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସଂପାଦନ କରିବା ପରେ ଅସୁସ୍ଥ ମହାପ୍ରଭୁ ଏହା ଭିତରେ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଅସୁସ୍ଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର, ସଶକ୍ତ ଓ ସୁଶୋଭିତ ପାଇଁ ଶ୍ରୀମନ୍ଦିରକୁ ଖଳି ବିଜେ କରାଯାଇଥିଲା। ତିନି ଠାକୁରଙ୍କ ମୁଖ୍ୟ ଶୁଦ୍ଧ ସୁଆର ସେବକମାନେ ଖଳି ପ୍ରସାଦକୁ ନିଜ ନିଜ ଘରେ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ବିଜେ କରିବା ପରେ ଏହାକୁ ମହାପ୍ରଭୁଙ୍କୁ ବିଳମ୍ବିତ ରାତିରେ ଲାଗି କରାଯାଇଥିଲା। ପରମ୍ପରା ମୁତାବକ ରାଜନଅରକୁ ରାଜପ୍ରସାଦ ବିଜେ ନୀତି ସଂପନ୍ନ ପରେ ଆଜି ଖଡ଼ିପ୍ରସାଦ ବିଜେ କରାଯିବ।
ନୂଆଦିଲ୍ଲୀରେ ଅଦିନିଆ ରଥଯାତ୍ରାକୁ ନେଇ ତେଜିଲା ବିବାଦ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ନନ୍ଦିଘୋଷ ବ୍ୟୁରୋ: କୋଟି କୋଟି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାର ଘାତ କରିଛି ନୂଆଦିଲ୍ଲୀ କମଳାନଗରରେ ଆୟୋଜିତ ଅଦିନିଆ ରଥଯାତ୍ରା । ଏପରି ରଥଯାତ୍ରାର ଆୟୋଜନ କରୁଥିବା ଅନୁଷ୍ଠାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଶ୍ରୀମନ୍ଦିର ରୀତିନୀତିକୁ ଉଲ୍ଲଂଘନ କରି ମନଇଚ୍ଛା ରଥଯାତ୍ରା କରାଯିବା ଘଟଣା ଓଡ଼ିଆ ଅସ୍ମିତାକୁ କୁଠାରଘାତ କରିଛି । ଡବଲ ଇଞ୍ଜିନ ସରକାରରେ ଏପରି ଭୁଲକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀର ଜନପ୍ରତିନିଧି । ଅନ୍ୟପଟେ ମହାପ୍ରଭୁଙ୍କୁ ନେଇ ଏଭଳି ଧର୍ମ ବିରୋଧୀ ଖେଳ ଖେଳାଯିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ମତ ରଖିଛନ୍ତି ସେବାୟତ ।
ରବିବାର ସନ୍ଧ୍ୟାରେ ଗଜପତି ମହାରାଜା ବିଭିନ୍ନ ସମୟରେ ହେଉଥିବା ଅଦିନିଆ ରଥଯାତ୍ରା ନେଇ ପ୍ରତିକ୍ରିୟା ରଖିଥିବା ବେଳେ ସେହିଦିନ ନୂଆଦିଲ୍ଲୀରେ ଅଦିନରେ ରଥଯାତ୍ରା ଆୟୋଜନ ହୋଇଥିଲା । ଏଭଳି ଏକ ସାଂଘାତିକ ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ, ଐତିହ୍ୟ କ୍ଷେତ୍ର ପୁରୀରେ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦିଲ୍ଲୀର କମଳାନଗରରେ ଗତକାଲି ଅଦିନରେ ରଥଯାତ୍ରା ହୋଇଥିଲା । ଶ୍ରୀମନ୍ଦିରରେ ମହାପ୍ରଭୁ ଏବେ ଅଣସର ଘରୁ ବାହାରି ନଥିବା ବେଳେ ଦିଲ୍ଲୀରେ ଅସମୟରେ କିଭଳି ରଥଯାତ୍ରାର ଆୟୋଜନ କରାଗଲା ତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସେବାୟତ ଓ ଶ୍ରୀଜଗନ୍ନାଥ ପ୍ରେମୀ । ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ରଥଯାତ୍ରା ପାଳନ କରିବା ଏକ ଅପସଂସ୍କୃତି ବୋଲି କହିଛନ୍ତି ସେବାୟତ ଓ ସଂସ୍କୃତି ବିଶେଷଜ୍ଞ । ଏଭଳି ରଥଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶ୍ବାବସୁ ସେବକ ଦାବି କରିଛନ୍ତି ।
ହିନ୍ଦୁ ଧର୍ମରେ ମହାପ୍ରଭୁଙ୍କୁ ନେଇ ଅସମ୍ମାନ ଗ୍ରହଣୀୟ ନୁହେଁ । ବିଜେପି ସରକାର ହିନ୍ଦୁ ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ରାଜନୀତି କରୁଥିବା ଅଭିଯୋଗ ହୋଇଛି । ଶାସ୍ତ୍ରୀୟ ମତ ଅନୁସାରେ, ରଥଯାତ୍ରା ସମୟ ଅନୁସାରେ ନହେଲେ ଦେଶ ଓ ରାଜ୍ୟ ଉପରେ ବିପଦ ଆସିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ଚେତାଇ ଦେଇଛନ୍ତି ସଂସ୍କୃତି ବିଶେଷଜ୍ଞ । ଅଦିନିଆ ରଥଯାତ୍ରା ଧାର୍ମିକ ବ୍ୟବସ୍ଥା ଓ ଭାବନା ଉପରେ ଆଞ୍ଚ ଆଣିଥିବା ବେଳେ, ଏହା କେବେ ବି କ୍ଷମଣୀୟ ନୁହେଁ । ଏଥିସହ ଓଡ଼ିଆ ଅସ୍ମିତାକୁ ନେଇ ଡିଣ୍ଡିମ ପିଟୁଥିବା ବିଜେପି ରାଜ୍ୟର ଅସ୍ମିତାକୁ ମାଟିରେ ମିଶାଇ ଦେଇଛି ବୋଲି ଅଭିଯୋଗ କରିଛନ୍ତି ପୁରୀ ଜନପ୍ରତିନିଧି ।
ପୂର୍ବରୁ ମଧ୍ୟ ଦେଶ ବିଦେଶରେ ଅଦିନିଆ ରଥଯାତ୍ରାକୁ ନେଇ ଆପତ୍ତି ଉଠାଇଥିଲେ ଶ୍ରୀଜଗନ୍ନାଥ ପ୍ରେମୀ । ଖୋଦ ଗଜପତି ମହାରାଜ ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି । ହେଲେ ଏବେ ବି କିଛି ଅନୁଷ୍ଠାନ ଅଦିନରେ ରଥଯାତ୍ରାର ଆୟୋଜନ କରୁଛନ୍ତି ।
କଣାସ ହଇଜା ମୃତ୍ୟୁରୁ ଚେତିଲାନି ସରକାର, ଏବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଅଣାୟତ ହଇଜା । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଉଁଛି ଝାଡାବାନ୍ତି ରୋଗ । ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ିଚାଲିଛି । ଯାହାକୁ ନେଇ ବର୍ଷିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ । ଚଳିତବର୍ଷ ଜାନୁଆରୀ ମାସରେ କଣାସରେ ହଇଜା ମୃତ୍ୟୁ ସରକାରଙ୍କ ପାଇଁ ସତର୍କ ଥିଲା । କିନ୍ତୁ ସରକାର କୌଣସି ପଦକ୍ଷେପ ନ ନେବାରୁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି । ସେପଟେ ଆଜିର ଦିନରେ ଓଡ଼ିଶାରେ ହଇଜା ଜନିତ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ସରକାରଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ମନ୍ତ୍ରୀଙ୍କ କହିବା କଥା ସରକାର ଡାଇରିଆ ସ୍ଥିତିକୁ ଗୁରୁତର ସହ ନେଉଛନ୍ତି ।
୫ ମାସ ତଳେ କଣାସରେ ହଇଜା ହେଲା । ୭ ଜଣ ମରିଥିବା ନେଇ ଅଭିଯୋଗ ହୋଇଛି । ଦୂଷିତ ପାଣି ଯୋଗୁଁ ହଇଜା ହୋଇଥିଲା । ସରକାରଙ୍କ ଅବହେଳା ନେଇ ମାମଲା ରାଜ୍ୟମାନବାଧୀକାର କମିଶନରେ ବିଚାରାଧୀନ ଅଛି । ହେଲେ ଏ ସରକାର ଟିକିଏ ବି ଚେତିଲେନି । ଏବେ ଯାଜପୁରଠୁ ଆରମ୍ଭ କରି ୧୫ ଜିଲ୍ଲା ବ୍ୟାପିଲାଣି ଝାଡ଼ାବାନ୍ତି ଓ ହଇଜା ସଂକ୍ରମଣ । ଖୋଦ ଯାଜପୁରରେ ହଇଜାରେ ୫ ଜଣଙ୍କ ଜୀବନ ଯାଇଥିବା ସ୍ବାସ୍ଥ୍ୟ ବିଭାଗ ପୁଷ୍ଟି କରିଛି । ବେସରକାରୀ ଭାବେ ଦୁଇଅଙ୍କ ଛୁଇଁଛି ମୃତକଙ୍କ ସଂଖ୍ୟା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟରେ ବଢୁଛି ଜନ ଅସନ୍ତୋଷ । ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି ସୁଧୁରିଥିବା ବେଳେ ଡାଇରିଆ ସଂକ୍ରମଣ ଆଶଙ୍କା ଆହୁରି ବଢାଇ ଦେଇଛି । ଖୋଦ କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ସ୍ଥିତି ଦିନକୁ ଦିନ ବୃଦ୍ଧି ପାଇଲାଣି । ଏବେ ସୁଦ୍ଧା ୩୫୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୩୫ ଜଣ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହଇଜା ଓ ଝାଡ଼ାବାନ୍ତି ଜିଲ୍ଲା ପରେ ଜିଲ୍ଲା ଡେଉଁଛି । ଅଥଚ ରାଜ୍ୟ ସରକାର ବାସ୍ତବତା ଲୁଚାଉଥିବା ଅଭିଯୋଗ ହୋଇଛି । କଣାସ ହଇଜାର କାରଣ ଥିଲା ଦୂଷିତ ପାଣି । ଏବେ ବି ସମାନ କାରଣ ଯୋଗୁଁ ଲୋକେ ସଂକ୍ରମିତ ହୋଇଛନ୍ତି । ଆଜି ଯାଜପୁର ଅତିରିକ୍ତ ଜିଲ୍ଲାପାଳ, ବଡ଼ଚଣା ବିଡ଼ିଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ପରଖିଛନ୍ତି ।
ଗତ ଜାନୁଆରୀ ୨ ତାରିଖରେ ପୁରୀ ଜିଲ୍ଲା କଣାସରେ ହଇଜାରେ ଆକ୍ରାନ୍ତ ହେଲେ ଲୋକେ । ୪୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଲେ । ୭ ଜଣଙ୍କ ମୁଣ୍ଡ ନେଲା ହଇଜା । ସେତେବେଳେ ପାନୀୟ ଜଳର ସ୍ବଚ୍ଛତା ଉପରେ ସରକାର ଗୁରୁତ୍ବ ଦେଇଥିଲେ ଏଭଳି ଦୁଃସ୍ଥିତି ଭୋଗିବାକୁ ପଡି ନ ଥାଆନ୍ତା ବୋଲି କହିଛନ୍ତି ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂ । କଂଗ୍ରେସ ଅଭିଯୋଗ କରିଛି, ବିଜେପି ସରକାରଙ୍କ ବର୍ଷେ ଭିତରେ ଏକାଧିକ ଝାଡ଼ାବାନ୍ତି ଘଟଣା ଘଟିଲାଣି । କଣାସ ଘଟଣାକୁ ଗୁରୁତ୍ବ ଦେଇଥିଲେ ଆଜି ଏଭଳି ହଇଜା ସ୍ଥିତି ଦେଖିବାକୁ ମିଳି ନଥାନ୍ତା । ସଂକ୍ରମଣ ରୋକିବାକୁ ସରକାର କଡ଼ା ପଦକ୍ଷେପ ନ ନେଲେ ଆଗକୁ ଆନ୍ଦୋଳନ କରାଯିବା ।
ଆଗକୁ ରଥଯାତ୍ରା ଥିବାରୁ ହଇଜାକୁ ନେଇ ଚିନ୍ତା ବଢିଛି । ଲକ୍ଷଲକ୍ଷ ଲୋକଙ୍କ ସମାଗମ ପୁରୀରେ ହେବାକୁ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା ମୁଖ୍ୟ ଚ୍ୟାଲେଞ୍ଜ ହୋଇପାରେ ।
ରାଜ୍ୟରେ ଅସୁରକ୍ଷିତ ମହିଳା: ବିଜେଡିର ରଣହୁଙ୍କାର, ୨୫ରେ କଲେଜ କ୍ୟାମ୍ପସରେ ପ୍ରତିବାଦ
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଅସୁରକ୍ଷିତ ମହିଳା । ବଢ଼ିଚାଲିଛି ଦୁଷ୍କର୍ମ ସାଙ୍ଗକୁ ଅତ୍ୟାଚାର । ପ୍ରତିବାଦରେ ଆସନ୍ତା ୨୫ ତାରିଖରେ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡି କରିବ ପ୍ରତିବାଦ । ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହ କଳାବ୍ୟାଜ୍ ପିନ୍ଧି ପିକେଟିଂ କରିବେ । ପ୍ରତିବାଦ ସଭାରେ ସାମିଲ ହେବାକୁ ଆହ୍ବାନ ଦେଇଛି ବିଜେଡି । ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ ନେଇ ସାରା ବିଶ୍ବରେ ନିନ୍ଦିତ ହେଲାଣି ଓଡ଼ିଶା । ଏହାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି ।
ଓଡ଼ିଶାରେ ବର୍ଷକ ଭିତରେ ହେଲାଣି ୩ ହଜାରରୁ ଅଧିକ ଦୁଷ୍କର୍ମ ମାମଲା । ଗୋପାଳପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ସାରା ବିଶ୍ବରେ ଓଡ଼ିଶାର ଛବିକୁ ମଳିନ କରିଛି । ରାଜ୍ୟରେ ବଢୁଥିବା ଦୁଷ୍କର୍ମକୁ ନେଇ ପ୍ରତିବାଦ କରିବ ବିଜେଡି । ଆସନ୍ତା ୨୫ ତାରିଖରେ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟରେ ପ୍ରତିବାଦ କରିବ ବିଜେଡି । ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହ କଳାବ୍ୟାଜ୍ ପିନ୍ଧି ପିକେଟିଂ କରିବେ । ନାରୀଙ୍କ ସୁରକ୍ଷା ପାଇଁ ଛାତ୍ରଛ୍ରାତ୍ରୀମାନେ ପ୍ରତିବାଦ ଆନ୍ଦୋଳନରେ ସାମିଲ ହେବାକୁ ଦଳ ଆହ୍ବାନ କରିଛି । ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଅଞ୍ଜନା ମିଶ୍ର ଘଟଣାରୁ ବଳି ଯାଇଛି ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣା । ଯାହା ବିଶ୍ବ ମାନଚିତ୍ରରେ ଓଡ଼ିଶାକୁ ନିନ୍ଦିତ କରିଛି । ପ୍ରତିଦିନ ୧୫ରୁ ଅଧିକ ମହିଳା ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେଉଛନ୍ତି । ବିଜେପି ସରକାରକୁ ଆସିବ ଦିନଠାରୁ ଅସୁରକ୍ଷିତ ହୋଇପଡ଼ିଛନ୍ତି ମହିଳା । ଏହା ବିରୋଧରେ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରତିବାଦ କରିବ ବିଜେଡି ।
ସେପଟେ କଂଗ୍ରେସ ମଧ୍ୟ ରାଜ୍ୟରେ ବଢି ଚାଲିଥିବା ନାରୀ ନିର୍ଯାତନାକୁ ନେଇ ସରକାରଙ୍କ ଉପରେ ବର୍ଷିଛି । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ମହିଳା । ଶିଶୁ ନିଖୋଜ ୨୦ ହଜାର ଟପିଥିବା ବେଳେ, ବର୍ଷକ ଭିତରେ ୭୦ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ନାରୀ ନିର୍ଯାତନା ଘଟଣା ସାରା ବିଶ୍ୱ ଜାଣୁଛି, କିନ୍ତୁ ଜାଣିପାରୁନାହାନ୍ତି ଓଡ଼ିଶା ସରକାର । ବିଜେଡି ବିଧାୟକ ଗୌତମ ବୃଦ୍ଧ ଦାସ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସମୟରେ ବିଶ୍ବରେ ସୁନାମ ଆଣିଥିଲା ଓଡ଼ିଶା । ହେଲେ ବିଜେପି ସରକାରରେ ହେଉଛି ବଦନାମ । ପ୍ରତିକ୍ରିୟା ଦେଇ ବିଜେପି କହିଛି, ସଜାଗ ଅଛନ୍ତି ସରକାର ।
ଗୋପାଳପୁର ଗଣଦୁଷ୍କର୍ମ: ଅଭିଯୁକ୍ତଙ୍କ ମୋବାଇଲରେ ଦୁଷ୍କର୍ମ ବେଳର ଭିଡିଓ
ନନ୍ଦିଘୋଷ ବ୍ୟୁରୋ: ଗୋପାଳପୁର ଗଣଦୁଷ୍କର୍ମ ମାମଲାର ଆଉ ଖସିପାରିବେନି ଅଭିଯୁକ୍ତ । ସମସ୍ତଙ୍କ ବିରୋଧରେ ମିଳିଛି ଡିଜିଟାଲ ଏଭିଡେନ୍ସ । ଅଭିଯୁକ୍ତଙ୍କ ମୋବାଇଲରୁ ମିଳିଛି ଦୁଷ୍କର୍ମ ବେଳର ଭିଡିଓ । ଅଭିଯୁକ୍ତଙ୍କ କାରନାମା CCTVରେ ବି କଏଦ । ଅଭିଯୁକ୍ତଙ୍କ ବିରୋଧରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପ୍ରମାଣ । ଅଭିଯୁକ୍ତଙ୍କ ମୋବାଇଲ ଜବତ କରାଯାଇ SFSLକୁ ପଠାଯାଇଛି । ଆବଶ୍ୟକ ସ୍ଥଳେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ସେପଟେ ୨ ସପ୍ତାହ ଭିତରେ ଜବାବ ଦେବାକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ ।
ଗୋପାଳପୁର ଗ୍ୟାଙ୍ଗରେପ୍ ଘଟଣାରେ ମିଳିଛି ଷ୍ଟ୍ରଙ୍ଗ ପ୍ରମାଣ । ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ହେବ ଯଥେଷ୍ଟ । ଅଭିଯୁକ୍ତଙ୍କ ମୋବାଇଲରୁ ମିଳିଛି ଗଣଦୁଷ୍କର୍ମ ବେଳର ଭିଡ଼ିଓ । ଘଟଣା ପୂର୍ବ ଏବଂ ପରର ସିସିଟିଭି ଭିଜୁଆଲ କ୍ରାଇମ୍ ଏଗେନଷ୍ଟ ଓମେନ୍ ଓ୍ବିଙ୍ଗ ହାତରେ ଲାଗିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ଆବଶ୍ୟକ ସ୍ଥଳେ ୧୦ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯିବ । ଦୁଷ୍କର୍ମକାରୀଙ୍କ ମୋବାଇଲ ଜବତ ପରେ ଏଭିଡେନ୍ସର ଖୋଳତାଡ଼ ପାଇଁ SFSLକୁ ପଠାଯାଇଛି । ଅଭିଯୁକ୍ତମାନେ ଦେଢ଼ ଘଣ୍ଟା ଧରି କ୍ରାଇମସିନରେ ଥିଲେ । ଅଭିଯୁକ୍ତଙ୍କ DNA କଲେକ୍ସନ ସରିଛି । ଡାଇରେକ୍ଟ ଓ ସରକମଷ୍ଟେନସିଆଲ ଏଭିଡେନ୍ସ ମିଳିଛି । ସେମାନଙ୍କୁ ୪୫ ଦିନ ଭିତରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରିବୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।
ଲଜ୍ଜା ଘଟଣାକୁ ଗୁରୁତର ସହ ନେଇଛନ୍ତି NHRC । ନିଜ ଆଡୁ ମାମଲା ରୁଜୁ କରିଛନ୍ତି । ୨ ସପ୍ତାହ ଭିତରେ ଜବାବ ଦେବାକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ତଦନ୍ତର ଷ୍ଟାଟସ ରିପୋର୍ଟ, ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥା, କିଛି କ୍ଷତିପୂରଣ ଦିଆଯାଇଛି କି ନାହିଁ ? ଏହାସହ କାଉନସେଲିଂ କରାଯାଇଛି କି ନାହିଁ ? ସେସବୁର ସବିଶେଷ ରିପୋର୍ଟ କମିଶନଙ୍କୁ ସରକାର ଦେବାକୁ ବାଧ୍ୟ ବୋଲି କହିଛନ୍ତି ମାନବାଧିକାର କର୍ମୀ ।
ଗତ ୧୫ ତାରିଖରେ ସନ୍ଧ୍ୟାରେ ଗୋପାଳପୁର ବିଚରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ନିଜ ସାଙ୍ଗ ସହିତ ସେ ବିଚକୁ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମ ଶିକାର ହୋଇଥିଲେ । ଗତ ଶୁକ୍ରବାର ବ୍ରହ୍ମପୁର ଜେଲରେ ୬ ଅଭିଯୁକ୍ତଙ୍କ ହୋଇଥିଲା ଟିଆଇ ପ୍ୟାରେଡ ।

