spot_img
Home Blog Page 6271

ଚାକିରି ଛାଡି ଚାଷ କଲେ, ପିିଜୁଳି ଚାଷରେ ନାମ ଅର୍ଜିଲେ

ରାଉଲକେଲା:  ଷ୍ଟିଲ ପ୍ଲାଣ୍ଟ ଚାକିରି ଛାଡି ପିଜୁଳି ଚାଷ ପ୍ରତି ମନ ବଳେଇଛନ୍ତି ଯାଜପୁରର ନଟବର ବିଶ୍ୱାଳ । ଖାଲି ସେତିକି ନୁହେଁ ବର୍ଷକ 12 ମାସରେ ମୁଖ୍ୟତଃ ପିଜୁଳି ଚାଷ କରିଥିବା ବେଳେ ତା ସହ ବିରି, କଦଳୀ, ସାରୁ ଓ ସପୁରି ଚାଷ ମଧ୍ୟ କରିଛନ୍ତି ନଟବର । ଏହି ପିଜୁଳି ଚାଷ ପାଇଁ 10 ଜଣ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ 10 ଜଣଙ୍କ ପରିବାରଙ୍କୁ ମଧ୍ୟ ଚଳାଉଛନ୍ତି । ରାଉରକେଲା ଇସ୍ପାତ କାରଖାନାରେ ଉଚ୍ଚ ବେତନରେ ବୈଷୟିକ ବିଭାଗରେ ଚାକିରି କରିଥିଲେ ମଧ୍ୟ ଆତ୍ମସନ୍ତୋଷ ନ ମିଳିବାରୁ ଚାକିରି ଛାଡି ଏବେ ଚାଷକୁ ଆପଣାଇଛନ୍ତି 60 ବର୍ଷୀୟ ନଟବର ବିଶ୍ଵାଳ ।

ପଶ୍ଚିମବଙ୍ଗ ବୁଲିବା ପାଇଁ ଯାଇ ଫଳ ଚାଷ ଦେଖିଥିଲେ ଆଉ ଏବେ 5 ଏକର ଜମିରେ ବିଭିନ୍ନ କିସମର ପିଜୁଳି ଚାଷ କରି ବେଶ ଆତ୍ମସନ୍ତୋଷ ଲାଭ କରୁଛନ୍ତି ନଟବର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ବିରୋଳି ଗ୍ରାମର 5 ଏକର ଜମିରେ ପିଜୁଳି ଚାଷ କରିଛନ୍ତି ନଟବର । ରାଉରକେଲା ଇସ୍ପାତ କାରଖାନାରେ ଉଚ୍ଚ ବେତନରେ ବୈଷୟିକ ବିଭାଗରେ ଚାକିରି କରିଥିଲେ । ଚାକିରି ବେଳେ ପଶ୍ଚିମବଙ୍ଗର ମେଦିନପୁର ଅଞ୍ଚଳକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ ଫଳ ଚାଷ ଦେଖିବା ସହ ନିଜେ ଚାଷ କରିବକୁ ମନବଳାଇଥିଲେ । ଖାସ ଚାଷ କରିବା ପାଇଁ ଚାକିରି ଛାଡିଦେଇଥିଲେ ଏହି ପ୍ରେରଣାଦାୟୀ କୃଷକ ।

ପ୍ରାୟ 5 ଏକର ଜମିରେ ଆଲହାବାଦ,କାଶୀବିଶ୍ୱନାଥ ସଫେଦ ଓ ବିଭିନ୍ନ କିସମର ପିଜୁଳି ଚାଷ ଆରମ୍ଭ କରିଥିଲେ । 12 ଫୁଟ ଅନ୍ତରାଳରେ ପ୍ରାୟ 15 ସହ ପିଜୁଳି ଗଛ ଲଗାଇଛନ୍ତି ନଟବର । ମାତ୍ର ଦୁଇ ବର୍ଷରେ ଫଳିଛି ପିଜୁଳି । ନଟବର ମହାରାଷ୍ଟ୍ରରେ ଅଙ୍ଗୁରୁ ଓ ପିଜୁଳି ଚାଷ ପାଇଁ ତାଲିମ ମଧ୍ୟ ନେଇଛନ୍ତି । କେବଳ ପିଜୁଳି ନୁହେଁ ତା ସାଙ୍ଗକୁ ବିରି, କଦଳୀ, ସାରୁ ଓ ସପୁରି ଚାଷ ମଧ୍ୟ କରୁଛନ୍ତି । ଚାଷ କାମରେ ନଟବରଙ୍କ ଜ୍ଵାଇଁ ମଧ୍ୟ ଦେଖାଶୁଣା କରନ୍ତି । ଏହି ପିଜୁଳି ଚାଷରେ ବର୍ଷକୁ 2 ଲକ୍ଷ ଟଙ୍କାରୁ ଅଧିକ ରୋଜଗାର ହେଉଛି । ସେଥିରେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ସ୍ୱାବଲମ୍ବୀ କରିପାରୁଥିବା କହିଛନ୍ତି ନଟବର ।

ସେହିପରି ପିଜୁଳି ଚାଷ ସହ ଧାଡି ମଧ୍ୟରେ ଟ୍ରାକ୍ଟରରେ ହଳ କରାଯାଇ ସମନ୍ୱିତ ଚାଷ ପ୍ରଣାଳୀରେ ବିଭିନ୍ନ ପ୍ରକାରର ପନିପରିବା ସହ ରବି ଫସଲ ମଧ୍ୟ ଚାଷ କରିଛନ୍ତି ଏହି ଚାଷୀ । ଚାରାରୋପଣ , ଜଳସେଚନ ବ୍ୟବସ୍ଥା, ମଜୁରୀ ସହ ଏଯାବତ ପ୍ରାୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ନଟବର । ଏବେ ପିଜୁଳିରୁ ଜାମ୍ ପ୍ରସ୍ତୁତି ପାଇଁ ମଧ୍ୟ ଏକ ପ୍ରୋସେସିଂ ୟୁନିଟ ପ୍ରତିଷ୍ଠା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ସେପଟେ ଚାଷ ପାଇଁ ଜଳର ବ୍ୟବସ୍ଥା ସ୍ଥାନୀୟ ଅଞ୍ଚଳରେ ବ୍ୟବସ୍ଥିତ ନାହିଁ । ତେଣୁ ସ୍ଥାନୀୟ ଅଞ୍ଚଳରେ ରାଜ୍ୟ ସରକାର ପାଣିର ବ୍ୟବସ୍ଥା କରାଗଲେ ଚାଷୀମାନେ ଉପକୃତ ହେବେ ବୋଲି ନିବେଦନ କରିଛନ୍ତି ନଟବର ।

ରାଉରକେଲା ହକି ବିଶ୍ୱକପ ୨୦୨୩: ଗ୍ରାଉଣ୍ଡର ସ୍ଥିତି ପରଖୁଛନ୍ତି ହକି ଫେଡେରେସନର ଅଧ୍ୟକ୍ଷ

ରାଉରକେଲା: ରାଉରକେଲା ସହରରେ ଆୟୋଜିତ ହେବ ୨୦୨୩ ହକି ୱାର୍ଲଡ କପ । ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ହକି ଫେଡେରେସନର ଅଧ୍ୟକ୍ଷ ଡକ୍ଟର ନରିନ୍ଦର ବାତ୍ରା ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ସ୍ଥିତି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ହକି ଇଣ୍ଡିଆର ପାଞ୍ଚ ଜଣିଆ ଅଫିସିଆଲ୍ ଓ ଟେକ୍ନିକାଲ ଟିମ ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି ହକି ଫେଡେରେସନର ଅଧ୍ୟକ୍ଷ ।

ରାଜ୍ୟ କ୍ରୀଡା ସଚିବ ଓ ଇଡକୋ ଏମଡି ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁସାରକାନ୍ତି ବେହେରା ଓ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିୟାନ୍ ରାଉରକେଲାରେ ପହଞ୍ଚି ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ । ଅପରାହ୍ନ ୧୨ ଟାରେ ରାଉରକେଲା ହାଉସ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।

ରାଉରକେଲା ସହରରେ ହକି ୱର୍ଲଡ କପ ଆୟୋଜନ କରାଯାଉଥିବାରୁ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ସହ ହକି ପ୍ରେମୀ ଓ ହକି ଖେଳାଳୀ ଖୁସି ପ୍ରକାଶ କରିଛନ୍ତି ।

୨୪ ଘଣ୍ଟାରେ ୨୯ ହଜାର ୩୯୮ ପଜିଟିଭ ଚିହ୍ନଟ…ଗଲା ଆଉ ୪୧୪ ଜୀବନ

ନୂଆଦିଲ୍ଲୀ: ଦେଶରେ ୩୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ  । ୨୪ ଘଣ୍ଟାରେ ଆଉ ୨୯ ହଜାର ୩୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  । ସେହିପରି କରୋନାରେ ଆଉ ୪୧୪ ଜୀବନ ଯାଇଛି  । ଏଥିସହ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୨ ହଜାର ୧୮୬ରେ ପହଞ୍ଚିଛି ।

 

ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭ ଲକ୍ଷ ୯୬ ହଜାର ୭୭୦ରେ ପହଞ୍ଚିଛି  । ସେମଧ୍ୟରୁ ୯୨ ଲକ୍ଷ ୯୦ ହଜାର ୮୩୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩ ଲକ୍ଷ ୬୩ ହଜାର ୭୪୯ ରହିଛି । ଏହାକୁ ମିଶାଇ କ୍ରମାଗତ ଚତୁର୍ଥ ଥର ପାଇଁ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ତଳକୁ ରହିଛି। ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣ ସଂଖ୍ୟାର ୩.୮୧%ରେ ରହିଛି।

କରୋନା ଲଢ଼େଇରେ ଶାହାରୁଖଙ୍କ ବଡ଼ ସହାୟତା: ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆ ଦିଲ୍ଲୀ: କରୋନା ଭାଇରସ୍ ବିରୋଧରେ ଏବେ ବିଶ୍ୱବ୍ୟାପୀ ଯୁଦ୍ଧ ଚାଲିଛି। ଏହି ବିପଦପୂର୍ଣ୍ଣ ଭୂତାଣୁ ଓ ତଦ୍ଦଜନିତ ସଂକ୍ରମଣ ସହ ଲଢ଼ିବା ଲାଗି ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି ବଲିଉଡର ସେଲେବ୍ରିଟିମାନେ। ସରକାରଙ୍କୁ ଆର୍ଥିକ ସହାୟତା ଦେବା ସହ ଏମାନେ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରୁଛନ୍ତି ଓ ସଚେତନ ମଧ୍ୟ କରୁଛନ୍ତି। ଅଭିନେତା ସୋନୁ ସୁଦ୍ ପ୍ରବାସୀମାନଙ୍କୁ ଫେରାଇ ଆଣିବାରେ ସାହାଯ୍ୟ କରିଥିବାବଳେ ଶାହାରୁଖ ଖାନ ମଧ୍ୟ ନାନା ଉପାୟରେ ସାହାଯ୍ୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ନିକଟରେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ମଧ୍ୟ ଟ୍ୱିଟ୍ କରି ଶାହାରୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

View this post on Instagram

 

A post shared by Shah Rukh Khan (@iamsrk)

ମନ୍ତ୍ରୀ ଟ୍ୱିଟ୍ କରି ଜଣାଇଛନ୍ତି ଯେ ଶାହାରୁଖ କରୋନା ମହାମାରୀର ସଂକଟ ସମୟରେ ଦିଲ୍ଲୀକୁ ୫ଶହ remdesivir ଟୀକା ପ୍ରଦାନ କରିଥିଲେ, ଯାହାକି ଦୀଲ୍ଲୀକୁ କରୋନାସହ ଲଢ଼ିବା ପାଇଁ ବେଶ୍ ଶକ୍ତି ଯୋଗାଇଥିଲା ସେ ଲେଖିଛନ୍ତି, ‘ଆମେ ଶାହାରୁଖ ଓ ମୀର ଫାଉଣ୍ଡେଶନକୁ ହୃୟରୁ ଧନ୍ୟବାଦ ଜଣାଉଛୁ। ସେ ଦିଲ୍ଲୀକୁ ୫ ଶହ ରେମଡେସିଭର୍ ଇଞ୍ଜେକ୍ସନ ଦାନ କରିଥିଲେ, ଯେଉଁ ସମୟରେ ଏହାର ଅତ୍ୟଧିକ ଆବଶ୍ୟକତା ଥିଲା।  କଠିନ ସମୟରେ ଆପଣଙ୍କ ସାହାଯ୍ୟ ପାଇଁ ଆମେ କୃତଜ୍ଞ।’ ସତ୍ୟେନ୍ଦ୍ରଙ୍କ ଏହି ଟ୍ୱିଟ୍ ପରେ ଶାହରୁଖଙ୍କର ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି। କିଏ ତାଙ୍କୁ ମସିହା କହୁଛି ତ କିଏ ନିଜକୁ ତାଙ୍କ ଫ୍ୟାନ୍ ହେବାରୁ ଗର୍ହ ଅନୁଭବ କରୁଛନ୍ତି।

ଏହା ପ୍ରଥମ ଥର ନୁହେଁ ଯେବେ ଶାହାରୁଖ କରୋନା ଲଢ଼େଇରେ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଏହି ମହାମାରୀ ମୁକାବିଲା ପାଇଁ ବହୁ ପ୍ରକାରେ ସାହାଯ୍ୟ କରିଛନ୍ତି। ପୂର୍ବରୁ ସେ ମହାରାଷ୍ଟ୍ରର ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କ ପାଇଁ ୨୫ ହଜାର ପିପିଇ କିଟ୍ ମଧ୍ୟ ଦାନ କରିଥିଲେ। ଏହା ବ୍ୟତୀତ ମୁମ୍ବାଇରେ ଥିବା ତାଙ୍କ ଚାରି ମହଲା କାର୍ଯ୍ୟାଳୟକୁ ମଧ୍ୟ ସେ ବିଏମସି (ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍)କୁ କ୍ୱାରେଣ୍ଟାଇନ ସେଣ୍ଟର କରିବାକୁ ଦେଇଛନ୍ତି। ଏହା ବ୍ୟତୀତ ଶାହାରୁଖ ଲକଡାଉନ୍ ସମୟରେ ଅନେକ ଗରିବ ଲୋକଙ୍କୁ ଖାଦ୍ୟ ଓ ଜରୁରୀ ସାମଗ୍ରୀ ମଧ୍ୟ ଯୋଗାଇଛନ୍ତି। କେବଳ ଶାହାରୁଖ ନୁହନ୍ତି, ବଲିଉଡର ବହୁ ସେଲେବ୍ରିଟି ଏଭଳି ଗମ୍ଭୀର ପରିସ୍ଥିତିରେ ସରକାରଙ୍କ ସହ କାନ୍ଧ ମିଶାଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

 

ବରଯାତ୍ରୀରେ ଯାଇଥିଲେ, କୋକେଇରେ ଫେରିଲେ

ଖୋର୍ଦ୍ଧା: ବର ସହ ବରଯାତ୍ରୀରେ ଯାଇଥିଲେ । କନ୍ୟା ଘର ଗାଁରେ ବରକୁ ରୋସଣିରେ ନେବା ସହ ନାଚଗୀତର ଆସରରେ ହଜିଯିବାକୁ ଭାବିନେଇଥିଲେ । କିନ୍ତୁ କନ୍ୟା ଘର ଗ୍ରାମରେ ଯାହା ଘଟିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତି ଏକ ଅଘଟଣ ଘଟିଛି ଖୋର୍ଦ୍ଧାରେ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରମାବିଲି ଗାଁ ର ଏକ କୂଅରେ ଜଣେ ଯୁବକର ମୃତ ଦେହ ଭାସୁ ଥିବା ଦେଖିବାକୁ ମିଳିଛି।

ଅନୁସନ୍ଧାନରୁ ଜଣା ପଡିଛି ଯେ, ମୃତକ ହେଲେ ନିରାକାରପୁର ଥାନା ଅନ୍ତର୍ଗତ ଡିଆ ଗ୍ରାମ ର କେଦାରନାଥ ସାହୁଙ୍କ ଏକମାତ୍ର ପୁଅ ବିକାଶ ସାହୁ। ବିକାଶ ଗତ ୯ ତାରିଖ ଦିନ ଡିଆ ଗ୍ରାମର ତ୍ରିନାଥ ଵାରିକଙ୍କ ପୁଅ ବାହାଘରରେ ବରଯାତ୍ରୀ ହୋଇ ରମାବିଲି ଗ୍ରାମକୁ ଆସିଥିଲେ। କନ୍ୟା ଘରକୁ ବର ଗଲାବେଳେ କିଛି ଗଣ୍ଡଗୋଳ ଘଟିଥିଲା। କନ୍ୟା ଗ୍ରାମର ଲୋକଙ୍କ ଆକ୍ରମଣରେ ବରଯାତ୍ରୀ ମାନେ ଦୌଡ଼ି ପଳାଇଥିବା ବେଳେ ବିକାଶ କିନ୍ତୁ ଫେରି ନଥିଲା। ବହୁ ଖୋଜା ଖୋଜି ପରେ ପୁଅକୁ ନପାଇ ବାପା କେଦାରନାଥ ସାହୁ ଜଙ୍କିଆ ଥାନାରେ ଏ ସମ୍ପର୍କରେ ଏକ ଏତଲା ଦେଇଥିଲେ।

କିନ୍ତୁ ଆଜି ସକାଳୁ ବିକାଶର ମୃତ ଦେହ ରମାବିଲିର ଏକ କୂଅରେ ଭାସୁଥିବାର ଦେଖି ପରିବାର ଲୋକେ ଏବଂ ପୋଲିସ ପହଞ୍ଚି ଚିହ୍ନଟ କରିଛନ୍ତି। ପୁଅର ଏଭଳି ମୃତ୍ୟୁକୁ ପରିବାର ଲୋକେ ବିଶ୍ବାସ କରିପାରୁନଥିବାବେଳେ ଏକ ମାତ୍ର ପୁଅକୁ ହରାଇ କେଦାରନାଥଙ୍କ ପରିବାରରେ ଅସହାୟ ହୋଇପଡିଛନ୍ତି । ସେପଟେ ମୃତ୍ୟର କାରଣ ଏବଂ ହତ୍ୟାକାରୀକୁ ଧରିବାକୁ ତଦନ୍ତ ଚଳାଇଛି ପୋଲିସ।

ରାୟଗଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ରାୟଗଡ଼ା: ରାୟଗଡ଼ା ଟିକିରି ଥାନା କାଳିଆପଡ଼ା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଉଦ୍ଧାର ବେଳେ ଧକ୍କାଦେଲା କାଠ ବୋଝେଇ ଟ୍ରକ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଟ୍ରାକ୍ଟର ଡ୍ରାଇଭର ଓ ଜଣେ ଶ୍ରମିକ ରହିଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଟ୍ରାକ୍ଟରଟି କାଳିଆପଡା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଟିକିରି ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଛି। ତେବେ ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ବ୍ରିଟେନ, କାନାଡା ପରେ ଆମେରିକାରେ ଫାଇଜର ଭ୍ୟାକସିନକୁ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ: ବ୍ରିଟେନ , କାନାଡ ପରେ ଆମେରିକାରେ ଫାଇଜର ଭ୍ୟାକସିନକୁ ଗ୍ରୀନ ସିଗନାଲ । ଆମେରିକାରେ ଫାଇଜରକୁ ଜରୁରୀକାଳିନ ପ୍ରୟୋଗ ପାଇଁ ଅନୁମତି ମିଳିଛି । ଦୀର୍ଘ ସମୟର ବିଚାରବିମର୍ଷ ପରେ ଫୁଡ ଆଣ୍ଡ ମେଡିସିନ୍ ଆଡିମିନଷ୍ଟ୍ରେସନ୍ ପକ୍ଷରୁ ଫାଇଜରକୁ ଅନିମତି ମିଳିଛି । ଏହି କମିଟିରେ ସାମିଲ ହୋଇଥିଲେ ବଛା ବଛା ବୈଜ୍ଞାନିକ ଓ ଡକ୍ଟର ।

ଫାଇଜର ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବେଶ ପ୍ରଭାବଶାଳୀ ହେଉଥିବା ନେଇ ଯୁକ୍ତି ବାଢିଥିଲେ ଅଧିକ ସଦସ୍ୟ । ସେପଟେ ଅନେକ ଦେଶ ଏବେ ଫାଇଜରକୁ ନେଇ ଆଗ୍ରହୀ ପ୍ରକାଶ କରିଥିବାରୁ କମ୍ପାନୀ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ଜୋରଦାର କରାଯାଇଛି ।

BRBPS ର ସଦସ୍ୟ ଏବଂ ଶିଶୁ ଡାକ୍ତରଖାନା ଭିଲାଡେଲଭିଆର ଟିକା ବିଶେଷଜ୍ଞ ପଲ ଅଫିଟ କହିଛନ୍ତି ଯେ, ଫାଇଜର-ବାୟୋଏନଟେକ ଭ୍ୟାକସିନରେ ଏକ ସ୍ପଷ୍ଟ ଲାଭ ରହିଛି ଏବଂ ଅନ୍ୟପଟେ ଆମ ପାଖରେ ସବୁଆଡ଼ୁ ତତ୍ତ୍ୱଗତ ଅସୁବିଧା ଥିବା କହିଛନ୍ତି । ସେ କହିଛନ୍ତି ଯେ, ଟିକାର ସମ୍ଭାବିତ ଲାଭ ମହାମାରୀର ଭୟକୁ କିଛି ମାତ୍ରାରେ ହ୍ରାସ କରିବ ।

ଜେନେରେଟର ଧୂଆଁରେ ଦୁଇ ମୃତ, ୨ ଗୁରୁତର

କେନ୍ଦୁଝର: ସଦର ବ୍ଲକ କାଠବାରୀ ଗାଁରେ ଜେନେରେଟର ଧୂଆଁରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ମୃତକ ହେଲେ କାଠବାରୀ ଗାଁର ବାଦଲ ନାଏକ(୧୫) ଏବଂ ବାଇଧର ନାଏକ(୩୦)।

ଗୁରୁତରଙ୍କ ମଧ୍ୟରୁ ଶମ୍ଭୁ ନାଥ ନାଏକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ବେଳେ, ଆକାଶ ନାଏକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ବାହାଘର ଭୋଜି ପରେ ପ୍ରବଳ ଶୀତ ହେଉଥିବାରୁ ଜେନେରେଟର ଚାଲୁଥିବା ରୁମରେ ଏମାନେ ଶୋଇଥିଲେ। ଘରର ସମସ୍ତ କବାଟ, ଝରକା ବନ୍ଦ ଥିବାରୁ ଧୂଆଁରେ ଅଣନିଶ୍ୱାସୀ ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ସିଙ୍ଘୁ ସୀମାରେ ବସିଥିବା ଚାଷୀଙ୍କ ବିରୋଧରେ FIR ଦାୟର

ନୂଆଦିଲ୍ଲୀ: ସିଙ୍ଘୁ ସୀମାରେ ଚାଷୀଙ୍କ ଚରମ ନିଷ୍ପତି । କୃଷି ଆଇନ ପ୍ରତ୍ୟାହାର ପର୍ଯ୍ୟନ୍ତ ପ୍ରତିବାଦର ପ୍ରତିଶ୍ରୁତି । ଆଉ ଏବେ ପ୍ରତିବାଦ ପାଲଟିବାକୁ ଯାଉଛି ପ୍ରାଣଘାତି । ଆନ୍ଦୋଳନ ସମୟରେ କୋଭିଡ ଗାଇଡଲାଇନ୍ସ ଉଲ୍ଲଂଘନ କରିବା, ସାମାଜିକ ଦୂରତାକୁ ଅବମାମନା କରିଥିବା ଚାଷୀଙ୍କ ବିରୋଧରେ ଦାୟର ହୋଇଛି ମାମଲା । ୨୯ ନଭେମ୍ବରରେ ଲାମପୁର ବର୍ଡରରୁ ସିଙ୍ଘୁ ବର୍ଡରକୁ ପସି ଆସିଥିଲେ । ସିଙ୍ଘୁ ସୀମାର ରେଡ ଲାଇଟ ରୋଡରେ ବସିଥିଲେ ଆନ୍ଦୋଳନରତ ଚାଷୀ ।

ଆନ୍ଦୋଳନ ସମୟରେ କୃଷକ କୋଭିଡର ନିୟମକୁ ଅବମାନନା କରିଥିଲେ । ଏନେଇ ୭ ଡିସେମ୍ବରରେ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ FIR ଦାୟର କରିଥିଲା ପୋଲିସ । ପ୍ରତିବାଦ ୧୬ ଦିନରେ ପହଁଚିଥିଲେ ମଧ୍ୟ ଥମିବାର ନା ନେଉ ନାହିଁ । ସେପଟେ ନିଜ ଜିଦରେ ଅଟଳ ଥିବା କୃଷକ ସଂଗଠନ ସରକାରଙ୍କ ଲିଖିତ ପ୍ରିଶ୍ରୁତିକୁ ଗ୍ରହଣ କରିନଥିଲେ । ୮ ତାରିଖରେ ଭାରତ ବନ୍ଦ କରିଥିବା ଚାଷୀ ପୁନର୍ବାର ଅର୍ଥାତ ଡିସେମ୍ବର ୧୬ର ଦେଶକୁ ଅଚଳ କରିବାର ଆହ୍ୱାନ ଦେଇଛନ୍ତି ।

Farmers

ସରକାର ଯେପର୍ଯ୍ୟନ୍ତ ନୂତନ କୃଷି ଆଇନକୁ ପ୍ରତ୍ୟାହାର ନକରିଛନ୍ତି, ସେପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ । ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ । ୧୨ ତାରିଖରେ ଦେଶର ଅନେକ ରାଜପଥକୁ ଠପ କରିବା ସହ ଟୋଲପ୍ଲାଜାରେ ଟିକସ ନଦେବାକୁ ନିଷ୍ପତି ନେଇଛନ୍ତି ଦେଶର ତମାମ ଚାଷୀ ସଂଗଠନ । ସେପଟେ କୋଭିଡ ମହାମାରୀ ସମୟରେ ଚାଷୀଙ୍କ ବ୍ୟାପକ ପ୍ରତିବାଦ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିବାବେଳେ ଆନ୍ଦୋଳନରତ ଚାଷୀଙ୍କ ନାମରେ ପୋଲିସ ଫାଇଲ କରିଛି FIR ।

ସ୍କୁଲ କଲେଜ ଖୋଲିବାକୁ ନେଇ ଭିନ୍ନ ଭିନ୍ନ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ

ଭୁବନେଶ୍ୱର: ସ୍କୁଲ ଓ କଲେଜ ଖୋଲିବା ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ । ମନ୍ତବ୍ୟ ନେଇ କ୍ଷୋଭପ୍ରକାଶ କରିବା ସହ ସମସ୍ତ ଦୃଷ୍ଟିକୋଣରୁ ବିଚାର କରି ରାଜ୍ୟ ସରକାର ଠିକ୍ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ମନ୍ତବ୍ୟ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବିଭ୍ରାନ୍ତି କରିବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ସଚିବ ରାଜ୍ୟ ସରକାରଙ୍କ ସହ କୌଣସି ଆଲୋଚନା ନକରି ଏଭଳି ମନ୍ତବ୍ୟ ଦେଇଥିବାରୁ ନବୀନ କ୍ଷୋଭ ପ୍ରକାଶ କରିଛନ୍ତି ।

ରାଜ୍ୟରେ ଧୀରେ ଧୀରେ କରୋନାର ସ୍ଥିତି ସୁଧୁରିଥିବା ବେଳେ, ପ୍ରଭାବିତ କ୍ଷେତ୍ର ଗୁଡ଼ିକ ମଧ୍ୟ ଅଣ୍ଟା ସଳଖିବା ଆରମ୍ଭ କରିଛି । ମାତ୍ର ଶିକ୍ଷା କ୍ଷେତ୍ରରେ ଏବେବି ଅନିଶ୍ଚିତତା ଲାଗି ରହିଛି । ମହାମାରୀ ପାଇଁ ପ୍ରାୟ ଏକ ବର୍ଷ ହେବ ବିଦ୍ୟାର୍ଥୀ ମାନେ ଘରେ ରହି ଅନଲାଇନରେ ପାଠ ପଢୁଛନ୍ତି । ମାତ୍ର ଗ୍ରାମାଞ୍ଚଳ ମାନଙ୍କରେ ମୋବାଇଲ ନେଟୱର୍କ ବ୍ୟବସ୍ଥା ସୁଗମ ନଥିବାରୁ ସବୁ ପିଲା ଅନଲାଇନରେ ପାଠ ପଢିପାରୁନାହାନ୍ତି । ଏଭଳି ପରିସ୍ଥିତିରେ ଶିକ୍ଷାବର୍ଷ ଘୁଞ୍ଚାଇବାକୁ ବିଭିନ୍ନ ମହଲରେ ଦାବି ମଧ୍ୟ ହେଉଛି ।

ମହାମାରୀକୁ ଦୃଷ୍ଟିରେ ରଖି ସରକାର ବୁଝିବିଚାରି ନିଷ୍ପତ୍ତି ନେଉଥିବା ବେଳେ, ମନ୍ତ୍ରୀ ସମୀର ଦାଶ ବିଭିନ୍ନ ସମୟରେ ନାନା ପ୍ରକାର ମନ୍ତବ୍ୟ ଦେଇ ଆସୁଛନ୍ତି । ରାଜ୍ୟର ବହୁ ସ୍କୁଲ ଓ କଲେଜର ପରିବେଶ ଏପର୍ଯ୍ୟନ୍ତ ଶିକ୍ଷା ଉପଯୋଗୀ ହୋଇପାରିନାହିଁ । ଶିକ୍ଷାବର୍ଷ ସରିବାକୁ ଆଉ କିଛି ମାସ ବାକି ଥିବା ବେଳେ, ପୁରା ପାଠ୍ୟକ୍ରମରୁ କେତେ ପରିମାଣ ପଢାଯିବ ତାକୁ ନେଇ ତର୍କବିତର୍କ ଚାଲିଛି । ପାଠ୍ୟକ୍ରମ ଓ ପରୀକ୍ଷା ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନି ମାତ୍ର, ବିଭାଗୀୟ ମନ୍ତ୍ରୀଙ୍କ ଅପରିଣାମଦର୍ଶୀ ବୟାନ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଆଗୁଆ ଅନୁମତି ବା ପରାମର୍ଶ ନନେଇ ବାରମ୍ବାର ଏଭଳି ବେପରୁଆ ମନ୍ତ୍ୟବ ରଖୁଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।