spot_img
Home Blog Page 627

କଟକରେ ଅସଲି ବୋତଲରେ ନକଲି ପାଣି

ନନ୍ଦିଘୋଷ ବ୍ୟୁରୋ: କଟକରେ ପାଣି ବି ନକଲି । ଅସଲି ବୋତଲରେ ନକଲି ପାଣି । ଚିମଙ୍କା ବ୍ରାଣ୍ଡ ଦେଇ ଜାରରେ ଟ୍ୟାପ ପାଣି ପୁରାଇ ଚାଲିଥିଲା ବ୍ୟବସାୟ । ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ଟିମ । କମ୍ପାନୀର କୌଣସି କାଗଜପତ୍ର ନଥିବାବେଳେ ବ୍ରାଣ୍ଡ ଜାରରେ ଟ୍ୟାପୁରୁ ପାଣି ପୁରାଇ ବିକ୍ରି କରାଯାଉଥିଲା । ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ଟିମ କମ୍ପାନୀକୁ ସିଲ କରିବା ସହ ସମ୍ପୁକ୍ତ ଫାଇନ କରିଛି । କିଛିଦିନ ତଳେ କଟକ ଜଗତପୁର ଅଞ୍ଚଳରେ ଏଭଳି ଆଉ ଏକ ପାଣି କମ୍ପାନୀକୁ ସିଲ କରିଥିଲା ସିଏମସି ସ୍ୱାସ୍ଥ୍ୟ ଟିମ । ଆଗାମୀ ଦିନରେ ଏହିଭଳି ନକଲି ପାଣି କମ୍ପାନୀଙ୍କ ଉପରେ ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ।

କଣ୍ଟ୍ରୋଲ ହେଉନି କଲେରା, ବୁଦ୍ଧି ବାଟ ପାଉନି ସ୍ବାସ୍ଥ୍ୟ ବିଭାଗ

ନନ୍ଦିଘୋଷ ବ୍ୟୁରୋ: ସରକାର କହୁଛନ୍ତି ରାଜ୍ୟରେ ନିୟନ୍ତ୍ରଣରେ ରହିଛି ହଇଜା ସ୍ଥିତି। କିନ୍ତୁ ବାସ୍ତବରେ ଚିତ୍ର ପୂରା ଓଲଟା। କମିବା ବଦଳରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯାଜପୁର, ଭଦ୍ରକ ସହ ଅନ୍ୟ ଜିଲ୍ଲାରେ ବି ବ୍ୟାପୁଛି ଡାଇରିଆ। ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଡାକ୍ତରୀ ଟିମ୍। କେମିତି କରାଯିବ ରୋଗର ନିରାକରଣ, ତାକୁ ନେଇ ଚିନ୍ତାରେ ପଡିଛି ସ୍ବାସ୍ଥ୍ୟ ବିଭାଗ। ଏପଟେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ କହୁଛନ୍ତି, ୩୦ ଜିଲ୍ଲାରେ ୯୮ ପ୍ରତିଶତ ଦୂଷିତ ଜଳକୁ କରାଗଲାଣି ବିଶୋଧନ।

ଜିଲ୍ଲାକୁ ଜିଲ୍ଲା ଡେଇଁ ଚାଲିଛି ହଇଜା। ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ ରୋଗୀ। କିନ୍ତୁ ସରକାରଙ୍କ ଉତ୍ତର ସବୁ କିଛି ନିୟନ୍ତ୍ରଣରେ ଅଛି। ଯାଜପୁରରେ ଥମୁନି ମାମଲା। କେମିତି କରାଯିବ କଣ୍ଟ୍ରୋଲ, ବୁଦ୍ଧି ବାଟ ପାଉନି ସ୍ବାସ୍ଥ୍ୟ ବିଭାଗ। ଏହାରି ଭିତରେ ଆଉ ୪ ରୋଗୀ ଚିହ୍ନଟ ପରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଥିଲା। ଯେଉଁଥିରୁ ୩୧ଟି ପଜିଟିଭ ଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଏବେ ବି ୧୫୪ ଜଣ ସଂକ୍ରମିତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେପଟେ ଭଦ୍ରକର ଧାମନଗର ଓ ଆରଡିରେ ବ୍ଯାପିବାରେ ଲାଗିଛି ଝାଡ଼ାବାନ୍ତି। ୧୦ ଦିନ ମଧ୍ଯରେ ଧାମନଗରରେ ୭୦ ଓ ଆରଡିରେ ୧୫ ଜଣ ଚିକିତ୍ସିତ ହେଉଛନ୍ତି। ଆରଡି ପୀଠରେ ଅସ୍ବାସ୍ଥ୍ଯକର ପରିବେଶ ଓ ବାବାମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ ପାଣି ଦୂଷିତ ହେବାରୁ ବ୍ୟାପୁଛି ଝାଡାବାନ୍ତି। ଏପଟେ ବାଙ୍କୀ ଘୋଳପୁରରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ। ଦୂଷିତ ପାଣି ପିଇ ୫୦ ଲୋକ ଆକ୍ରାନ୍ତ ପରେ ଏବେ ସ୍ଥିତିରେ ସୁଧାର ଆସୁଛି।

ଏସବୁ ଅଞ୍ଚଳ କଥା ଛାଡ଼ନ୍ତୁ, ମାହାଙ୍ଗା ଅଞ୍ଚଳରେ ବି ଥମିବାର ନାଁ ନେଉନି ଝାଡ଼ାବାନ୍ତି। ଏବେ ବି ୨୦ରୁ ଅଧିକ ରୋଗୀଙ୍କର ଚିକିତ୍ସା ଚାଲିଛି। ବରୀରେ ଡାଇରିଆ ପରେ କାୟା ବିସ୍ତାର କରି ଚାଲିଛି ଜଣ୍ଡିସ। ପ୍ରକୋପ କମି ନ ଥିବା ବେଳେ, ବୋଦୁଅ ପଞ୍ଚାୟତରେ ଜଣେ ନାବାଳିକାଙ୍କର ଜୀବନ ଯାଇଛି। ସେହି ପରିବାରର ୨ ଶିଶୁ ମଧ୍ୟ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜଣ୍ଡିସ ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରିଛି। ସେପଟେ ବରଗଡ଼ ଜିଲ୍ଲାରେ ୨୩ ଡାଇରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ଅମ୍ବାଭୋନା ବ୍ଲକ ଭାଲୁଟାଲରେ ପୂର୍ବରୁ ୨୨ ଜଣ ଆକ୍ରାନ୍ତ ହୋଇଥିଲେ। ଏବେ ଆଉ ଜଣେ ସଂକ୍ରମିତ ହେବା ପରେ ଗାଁରେ ଡାକ୍ତରୀ ଟିମ୍ ପକ୍ଷରୁ ଜାରି ରହିଛି ଚିକିତ୍ସା। ପାଣି ନମୁନା ଓ ମଳର ନମୁନା ପରୀକ୍ଷା କରାଯାଇଥିବା ବେଳେ, ଟ୍ୟୁବ୍ ଓ୍ବେଲ ପାଣିରୁ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଡାଇରିଆ ସ୍ଥିତିକୁ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ କହିବା କଥା, ୩୦ ଜିଲ୍ଲାର ୯୮ ପ୍ରତିଶତ ପାନୀୟ ଜଳ ବିଶୋଧନ ସରିଲାଣି। ହଇଜା ସ୍ଥିତିକୁ ଦେଖି ବିଭାଗ ତତ୍ପରତାର ସହ କାମ କରୁଛି ବୋଲି କହିଛନ୍ତି ମନ୍ତ୍ରୀ।  ଡାଇରିଆ ଓ ଝାଡ଼ାବାନ୍ତିକୁ ନେଇ ସାରା ରାଜ୍ୟରେ ହଇଚଇ। କମିବା ବଦଳରେ ବଢ଼ି ଚାଲିଛି ରୋଗୀଙ୍କ ସଂଖ୍ୟା। ଆଗକୁ ଆସୁଛି ବର୍ଷା ଦିନ। ତେଣୁ ହଇଜାର ସ୍ଥିତି କଣ ହେବ ତାକୁ ନେଇ ଦେଖାଦେଇଛି ଆଶଙ୍କା।

ବିଜେପି ସରକାରରେ ଦଳିତ ଆଦିବାସୀ ଆଜି ଉପେକ୍ଷିତ !

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଧରାକୋଟରେ ଦୁଇ ଦଳିତ ଯୁବକଙ୍କୁ ଲଣ୍ଡା କରି ଘାସ ଖୁଆଇବା ଓ ନର୍ଦ୍ଦମା ପାଣି ପିଆଇବାକୁ ନେଇ ହଲଚଲ ଓଡିଶା ରାଜନୀତି । ଓଡିଶା ଦଳିତ ଓ ଆଦିବାସୀଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣାକୁ ନେଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧି ଉଦବେଗ ପ୍ରକାଶ କରିଛନ୍ତି । ବିଜେଡି କହିଛି ବିଜେପି ସରକାର ଦଳିତ ଓ ଆଦିବାସୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି । ଲୋକଙ୍କ ସରକାର କଥାରେ ନୁହେଁ, କାମରେ କରି ଦେଖାନ୍ତୁ ବୋଲି ଦଳ କହିଛି । ବିଜେପି କିନ୍ତୁ ଘଟଣାକୁ ହାଲୁକା ଭାବେ ନେଇଛି ।

ଧରାକୋଟରେ ଦଳିତଙ୍କୁ ନିର୍ଯାତନା ଘଟଣା । ରାହୁଲଙ୍କ ପରେ ବିଜେପି ସରକାରଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ । ଦଳିତ, ଆସିବାସୀ ଓ ପଛୁଆବର୍ଗ ଉପେକ୍ଷିତ ନେଇ ବିଜେଡିର ଉଦବେଗ । ତଦନ୍ତ ଆଳ ଦେଖାଇ ଘଟଣାକୁ ହାଲୁକା ଭାବେ ନେଲା ବିଜେପି । ଲଣ୍ଡା କଲେ, ଆଣ୍ଠେଇକି ଗାଁ ଦାଣ୍ଡରେ ବୁଲାଇଲେ । ଘାସ ଖୁଆଇବା ସହ ନର୍ଦ୍ଦମା ପାଣି ପିଆଇଲେ । ଗଂଜାମ ଜିଲ୍ଲା ଧରାକୋଟରେ ଦୁଇଜଣ ଦଳିତ ଯୁବକଙ୍କ ପ୍ରତି ଏପରି ଅମାନବୀୟ ଆଚରଣ ଘଟଣା ଏବେ ଜାତୀୟସ୍ତରରେ ଓଡିଶାକୁ ପୁଣି ଲଜ୍ଜିତ କରିଛି । ଦଳିତ ଯୁବକଙ୍କ ପ୍ରତି କଙ୍ଗାରୁ କୋର୍ଟର ବିଚାର ବିଜେପି ସରକାରଙ୍କୁ ସିଧା ନିଶାଣ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ।

ଦେଶ ସମ୍ବିଧାନରେ ଚାଲିବ ମନୁସ୍ମୃତିରେ ନୁହେଁ ବୋଲି ସିଧାସିଧା ବିଜେପିକୁ ଶୁଣାଇଛନ୍ତି ରାହୁଲ । ସୋସିଆଲ ମିଡିଆରେ ଏହି ଘଟଣାକୁ ଅମାନବୀୟ କରିବା ସହ ଯେଉଁମାନେ ଜାତି ଏକ ମୁଦ୍ଦା ନୁହେଁ ବୋଲି କହୁଛନ୍ତି ସେମାନଙ୍କ ପାଇଁ ଧରାକୋଟ ଘଟଣା ଆଇନା ବୋଲି ସେ କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାରରେ ଦଳିତ ଓ ଆଦିବାସୀମାନେ ଅବହେଳିତ ଓ ଅତ୍ୟାଚାରିତ । ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି  ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।  କଂଗ୍ରେସ ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଛି । ଆସନ୍ତାକାଲି ଟିମ ଘଟଣା ସ୍ଥଳକୁ ଯିବ । ଧରାକୋଟ ଘଟଣାକୁ କଂଗ୍ରେସ ଜାତୀୟସ୍ତରରେ ପ୍ରସଙ୍ଗ କରିବା ପରେ ବିଜେପି ସଫେଇ ଦେଇଛି । ତଦନ୍ତ ଆଳ ଦେଖାଇ ଘଟଣାକୁ ଅତି ହାଲକା ଭାବେ ନେଇଛି ।

ଧରାକୋଟ ଘଟଣାକୁ ନେଇ ବିଜେପି ସରକାର ଉପରେ ବର୍ଷିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ବିଜେପି ସରକାର ଲୋକଙ୍କ ସରକାର ବୋଲି ତାକୁ କାମରେ କରି ଦେଖାନ୍ତୁ । ବିଜେପି ସରକାରରେ ରାଜ୍ୟରେ ଅରାଜକତା ବଢିଯାଇଛି । ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢିବଢି ଚାଲିଛି । ବିଜେପିର ନେତାମାନେ ଗୋସୁରକ୍ଷା ନାଁରେ ତୃଣମୂଳସ୍ତରରେ ଲୋକଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଗୋସୁରକ୍ଷା ନାଁରେ ବିଜେପି ନେତାମାନେ ଚାନ୍ଦା ଆଦାୟ କରୁଛନ୍ତି । ତୃଣମୂଳ ସ୍ତରରେ କର୍ମୀମାନେ ଦଳିତ, ଆଦିବାସୀ ଓ ପଛୁଆଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଧରାକୋଟରେ ଯେଉଁ ଘଟଣା ଘଟିଛି ତାହା ଭାରତ ବର୍ଷରେ ଏକ ବଡ଼ ଲଜ୍ଜା । ଟ୍ରମ୍ପ ସରକାର କହିଲେ ଓଡ଼ିଶାକୁ କେହି ଯାଅନ୍ତୁ ନାହିଁ । ଏମାନେ ଲୋକଙ୍କ ଉପରେ ଅତ୍ୟାଚାର କରି ଟ୍ରମ୍ପଙ୍କ ନିର୍ଦ୍ଦେଶାବଳୀକୁ ସତ ପ୍ରମାଣିତ କରିଛନ୍ତି । ବିଜେପି ତାର ପଲିସି ପରିବର୍ତ୍ତନ କରୁ ବିଜେଡି ପରାମର୍ଶ ଦେଇଛି ।

ବିଜେପି ସରକାରକୁ ବର୍ଷେ ପୂରିଛି । ବର୍ଷକ ମଧ୍ୟରେ ଦଳିତ , ଆଦିବାସୀ ଓ ପଛୁଆ ବର୍ଗଙ୍କ ଉପରେ ଅତ୍ୟାଚାର ହୁ ହୁ ହୋଇ ବଢିଚାଲିଛି । କେତେବେଳେ କଙ୍ଗାରୁ କୋର୍ଟରେ ତ କେତେବେଳେ ବିଜେପି କର୍ମୀଙ୍କ ଦ୍ବାରା ଦଳିତ ଓ ଆଦିବାସୀ ନିର୍ଯାତନାର ଶିକାର ହେଉଛନ୍ତି । ତଥାପି ସରକାରଙ୍କ ଚେତା ପଶୁନାହିଁ ବୋଲି ମୁଖ୍ୟ ବିରୋଧୀ ବିଜେଡି ସତର୍କ କରାଇଦେଇଛି ।

ଗରିବ ନାବାଳିକାକୁ ନର୍ସିଂରେ ବିଏସସି କରାଇଦେବାକୁ ଦୁଷ୍ମର୍ମ ଅଭିଯୋଗ, ବନ୍ଧାହେଲେ ଆଉ ୨ ଅଭିଯୁକ୍ତ

ନନ୍ଦିଘୋଷ ବ୍ୟୁର; ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ତଦନ୍ତ ନସରୁଣୁ ପୁଣି ଥରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ୧୭ ବର୍ଷର ଗରିବ ନାବାଳିକାକୁ ନର୍ସିଂରେ ବିଏସସି କରାଇଦେବାକୁ ପ୍ରଲୋଭିତ କରି ଦୁଷ୍କର୍ମ କରିଛନ୍ତି ଜଣେ ନକଲି ହୋମିଓପାଥି ଡାକ୍ତର । ଏହି ଜଘନ୍ୟକାଣ୍ଡରେ ସହଯୋଗ କରିଥିଲେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ସହିତ ଜଣେ ମହିଳା ସହଯୋଗୀ । ଗତକାଲି ବିଳମ୍ବିତ ରାତିରେ ପୀଡ଼ିତାଙ୍କ ମାଉସୀ ବୈଦ୍ୟନାଥପୁର ପୋଲିସ ଷ୍ଟେସନରେ ମାମଲା ଏତଲା ଦେବା ପରେ ଆଜି ପ୍ରଥମେ ଡାକ୍ତର ଭବାନୀ ଶଙ୍କର ଦାସଙ୍କୁ ଗିରଫ କରିଥିଲା ପୋଲିସ । ପରେ ସଂଧ୍ୟାରେ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ଓ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି । ପୀଡ଼ିତାର ମା’ଙ୍କ ବୟାନ ଅନୁସାରେ, ତାଙ୍କ ଝିଅକୁ ଜଣେ ଅଙ୍ଗନବାଡି କର୍ମୀ ବିଏସସି ନର୍ସିଂ ପାଇଁ ମାଗଣାରେ ରହିବା ଖାଇବାକୁ ପ୍ରଲୋଭିତ କରି ଡାକି ଆଣିଥିଲେ । ସେହି ଅନୁସାରେ, ଭବାନୀ ଶଙ୍କରର ବାଜପେୟୀ ଆରୋଗ୍ୟଧାମକୁ ଆସିଥିଲେ ପୀଡ଼ିତା ।

ତିନି ଦିନ ତଳେ ପୀଡିତାଙ୍କ ମାଆ, ମାଉସୀ ଓ ପୀଡିତା ଅଭିଯୁକ୍ତଙ୍କୁ ସଂଧ୍ୟା ୫ଟାରେ ପରେ ନାବାଳିକା ସହ ଅସଦାଚରଣ କରିଥିବା ନେଇ ପୀଡ଼ିତା ଅଭିଯୋଗ କରିଛନ୍ତି । ଏଥିରେ ସହଯୋଗ କରିଥିଲେ ଦୁଇ ମହିଳା। ପୀଡ଼ିତାକୁ ଏକ ଆପାର୍ଟମେଣ୍ଟକୁ ନେଇ ନିଶା ଦେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି। ଅନ୍ୟପଟେ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ସାଇଣ୍ଟିଫିକ ଟିମ ବାଜପେୟୀ ଆରୋଗ୍ୟଧାମ ଏବଂ ଆପାର୍ଟମେଣ୍ଟ ପରିଦର୍ଶନ କରିଛନ୍ତି ଏବଂ ପ୍ରମାଣ ସଂଗ୍ରହ କରାଯାଇଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗିରଫ ଡାକ୍ତର ଭାବନୀ ଶଙ୍କର ଦାସ ଜଣେ ନକଲି ଡାକ୍ତର । ପୋଲିସ ତାର ପ୍ରାଥମିକ ତଦନ୍ତରୁ ଏହା ଜାଣିପାରିଛି । ତାଙ୍କ ଡିଗ୍ରୀ ଏବଂ ଯୋଗ୍ୟତା ସମ୍ପର୍କରେ ତଦନ୍ତ ଚାଲିଛି ।

କିଣିବାକୁ ଗ୍ରାହକ ପ୍ରସ୍ତୁତ : ପୂର୍ଣ୍ଣାଙ୍ଗ ଗାଁକୁ କରାଯାଉଛି ବିକ୍ରି

ନନ୍ଦିଘୋଷ ବ୍ୟୁରୋ: ପୂର୍ଣ୍ଣାଙ୍ଗ ଗାଁକୁ କରାଯାଉଛି ବିକ୍ରି । ଶତାଧିକ ଆଦିବାସୀ ପରିବାର କୁଆଡେ ଯିବେ, କଣ କରିବେ ତାକୁ ନେଇ ଚିନ୍ତାରେ । ଏପରି କିଛି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଡକ୍ଟର ବାଞ୍ଜେରୀ ଗାଁରେ । ଘଟଣାକୁ ନେଇ  ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା ବେଳେ କିଂ କର୍ତ୍ତବ୍ୟମୁଢ ଜିଲ୍ଲା ପ୍ରଶାସନ ।

ଏକ ପୂର୍ଣ୍ଣାଙ୍ଗ ଗାଁକୁ କରାଯାଉଛି ବିକ୍ରି । କିଣିବାକୁ ଗ୍ରାହକ ପ୍ରସ୍ତୁତ । ଜିଲ୍ଲା ନିବନ୍ଧକ କାର୍ଯ୍ଯାଳୟରେ ଚାଲିଛି ପ୍ରସ୍ତୁତି । ଘଟଣାଟି ସତ ଓ ଅତ୍ଯନ୍ତ ସ୍ପର୍ଶକାତର । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଡକ୍ଟର ବାଞ୍ଜେରୀ ଗାଁରେ ବହୁ ବର୍ଷ ଧରି ରହିଆସୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଶତାଧିକ ପରିବାର । ଗାଁରେ ସରକାରଙ୍କ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ବିଦ୍ଯୁତ, ପାନୀୟ ଜଳପ୍ରକଳ୍ପ, ରାସ୍ତାଘାଟ, କମ୍ଯୁନିଟି ସେଣ୍ଟର ଭଳି ଅନେକ ଅନୁଷ୍ଠାନ ରହିଛି । ଲୋକମାନେ ଗ୍ରାମର ଜମିବାଡିରେ ଚାଷବାଷ, ଦୋକାନ ବଜାର, ଜଙ୍ଗଲଜାତ ଦ୍ରବ୍ଯ ସଂଗ୍ରହ କରି ଜୀବନଜୀବିକା ନିର୍ଭର କରିଆସୁଛନ୍ତି । ହେଲେ ଏତେ ବର୍ଷ ପରେ ଗାଁର ଜମି ମାଲିକାନା ଉପରେ ଆସିଛି ଭିନ୍ନ ତଥ୍ୟ । ଯାହା ସମସ୍ତଙ୍କୁ ଚକିତ କରିଛି । ସମସ୍ତ ଗାଁ ସହ ଆଖପାଖ ଅଂଚଳର ୫୨ ଏକର ଜମି ତାଙ୍କ ପୂର୍ବପୁରୁଷଙ୍କ ନାଁରେ ଥିବା ଦାବି କରିଛନ୍ତି ଜମିର ଉତ୍ତରାଧିକାରୀ । ସେ ଉକ୍ତ ଜମିକୁ ଅନ୍ୟ ଜଣଙ୍କୁ ବିକ୍ରି କରିବେ ଏବଂ ଗାଁକୁ ଉଚ୍ଛେଦ କରାଯିବ । ଯାହାକୁ ନେଇ ଚିନ୍ତାରେ ଗ୍ରାମବାସୀ ।

ଗୋଷାଣୀ ବ୍ଲକ ଅନ୍ତର୍ଗତ ପର୍ଶୁରାମପୁର ମୌଜାର ଡକ୍ଟର ବାଞ୍ଜେରୀ ଗାଁ । ପାରଳାଖେମୁଣ୍ଡି ତହସିଲ ପର୍ଶୁରାମପୁର ଓ ନରହରିପୁର ମୌଜାର ଖତିୟାନ ନଂ- ୫୧ ଓ ୩୦ ରେ ରହିଛି ଏହି ଗାଁ । ଖତିଆନରେ ସ୍ବର୍ଗତ ମାଟୁରୁ କ୍ରୀଷ୍ଣା ମୂର୍ତ୍ତିଙ୍କ ନାମରେ ଥିବା ଜମି ତାଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କ ଅଜ୍ଞାତରେ ତାଙ୍କ ଉତ୍ତରାଧିକାରୀ ମାଟୁରୁ ମାଧବ ସ୍ବାମୀଙ୍କ ନାମକୁ ମାଲିକାନା ପରିବର୍ତ୍ତନ କରାଯାଇଥିବା ତଥ୍ୟ ସାମ୍ନାକୁ ଆସିଛି । ଉକ୍ତ ମାଟୁରୁ ମାଧବ ସ୍ବାମୀ ଏବେ ସେହି ଜାଗାକୁ ଅନ୍ୟ ଜମି ମାଫିଆଙ୍କୁ ବିକ୍ରି କରିବା ପାଇଁ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି । ଏଥିରେ ଗ୍ରାମବାସୀଙ୍କ ଅଜ୍ଞାତରେ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ ଓ ତହସିଲ କର୍ମଚାରୀ ଜମି ସରିହଦ ଚିହ୍ନଟ ନକରି ଗୁପ୍ତରେ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା ବେଳେ କିଂ କର୍ତ୍ତବ୍ୟମୁଢରେ ଜିଲ୍ଲା ପ୍ରଶାସନ।…

ଏଠି ପ୍ରଶ୍ନ ଉଠୁଛି- ବାଞ୍ଜେରୀ ଗାଁରେ ଏତେ ସବୁ ସରକାରୀ ଅନୁଷ୍ଠାନ ନିର୍ମାଣ ହେବା ପୂର୍ବରୁ ଜମିର ସ୍ଥିତି ଯାଞ୍ଚ ହେଲା ନାହିଁ କିପରି ? ଏତେ ବଡ଼ ଜନବସତି ଗଢ଼ି ଉଠିବା ସମୟରେ ଜମି ମାଲିକ ଚୁପ ବସିଥିଲେ କିପରି ? ଏତେ ବର୍ଷ ମଧ୍ୟରେ ନିଜ ଅଧିକାର ନେଇ କୌଣସି ପ୍ରତିବାଦ କରି ନାହାନ୍ତି କିପରି ? ଏସବୁ ମଧ୍ୟରେ ଗାଁଟି ବିକ୍ରି ହେବା ପରେ ଏତେ ସଂଖ୍ୟକ ଗ୍ରାମବାସୀଙ୍କ ଭବିଷ୍ୟତ କ’ଣ ହେବ ?

୭୫ ବର୍ଷ ବୟସରେ ବି ସଫଳ ଚାଷୀ, କାହାଣୀ ଶୁଣିଲେ..

ନନ୍ଦିଘୋଷ ବ୍ୟୁରୋ: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ । ୭୫ ବର୍ଷ ବୟସରେ ସପୁରୀ ଚାଷ କରି ସ୍ଵାବଲମ୍ବୀ ଯାଜପୁର ଧର୍ମଶାଳା ବ୍ଲକ ନରସିଂହପୁର ଗାଁର ବସନ୍ତ ପରିଡ଼ା । ଭଳିକି ଭଳି ସପୁରୀ ଚାଷ କରି ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ଯ ମାନଙ୍କୁ ଦେଇଛନ୍ତି ରୋଜଗାର ।

ଯେଉଁ ଆଡେ ଦେଖିବେ ଖାଲି ସପୁରୀ ଆଉ ସପୁରୀ । କ୍ଷେତରେ ହୋଇଛି ଭଳିକି ଭଳି ସପୁରୀ । ଦେଖିବାକୁ ଯେତିକି ସୁନ୍ଦର ସେତିକି ସୁଆଦିଆ । ଆଉ ଏହି ସପୁରୀ ଚାଷ କରିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନରସିଂହପୁର ଗାଁର ବସନ୍ତ ପରିଡା । ଦୀର୍ଘ ବର୍ଷ ଧରି ସେ ୬ ଗୁଣ୍ଠ ଜମିରେ ସପୁରୀ ଚାଷ କରି ଆସୁଛନ୍ତି । କୁଇନ ଭେରାଇଟର ସପୁରୀ ଚାଷ କରୁଛନ୍ତି । ବର୍ତ୍ତମାନ ବସନ୍ତଙ୍କୁ ୭୫ ବର୍ଷ ହୋଇଥିଲେ ସୁଦ୍ଧା ସେ ଗଛରେ ପାଣି ଦେବାଠୁ ଆରମ୍ଭ କରି ଘାସ ସଫା କରିବା, ଗଛର ଯତ୍ନ ନେବା ଭଳି ସମସ୍ତ କାର୍ଯ୍ୟ କରୁଛନ୍ତି ।

ବସନ୍ତ ଉତ୍ପାଦିତ କରୁଥିବା ସପୁରୀ ସ୍ଥାନୀୟ ଜାରକା ବଜାର ଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି । ବସନ୍ତ ସପୁରୀ ଚାଷ କରି ନିଜେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ କିଛି ଲୋକଙ୍କୁ ରୋଜଗାର ଦେଇପାରିଛନ୍ତି ଏବଂ ଅନ୍ଯମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

 

‘ଏ ବୋମା ପକାଅ ନାହିଁ,ପାଇଲଟଙ୍କୁ ଫେରିବାକୁ କୁହ’ କାହାକୁ ଏମିତି କହିଲେ ଟ୍ରମ୍ପ ?

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ସ୍ଥିତି ହୋଇଥିଲା । ଏହାରି ଭିତରେ ଉଭୟ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବା ସିଜ୍ ଫାୟାର ପାଇଁ କହିଛନ୍ତି ଆମେରିକା ରାଷ୍ଟ୍ରପତି । ଅସ୍ତ୍ରବିରତି ଘୋଷଣା ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପୁଣିଥରେ ଇସ୍ରାଏଲ ଅଭିଯୋଗ କରିଛି କି, ପୁଣିଥରେ ଇରାନ ଆକ୍ରମଣ କରିଛି । ଯାହାକୁ ନେଇ ଇସ୍ରାଏଲର ପ୍ରତିରକ୍ଷା ରକ୍ଷାମନ୍ତ୍ରୀ କହିଛନ୍ତି କି, ଏହାର ଉଚିତ୍ ଜବାବ ଦିଆଯିବ । ସେପଟେ ଉଭୟ ଦେଶ ଅସ୍ତ୍ରବିରତିକୁ ଉଲଙ୍ଘନ କରିଥିବା ଖବର ମଧ୍ୟ ସାମ୍ନରକୁ ଆସୁଥିବାବେଳେ ଏହାରି ଭିତରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲକୁ ଇରାନ ଉପରେ ବୋମା ପକାଇବା ଏବଂ ଏହାର ପାଇଲଟମାନଙ୍କୁ ଘରକୁ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, “ଇସ୍ରାଏଲ, ସେହି ବୋମା ପକାଅ ନାହିଁ। ଯଦି ତୁମେ ଏପରି କର, ତେବେ ଏହା ଏକ ବଡ଼ ଉଲ୍ଲଂଘନ। ତୁମର ପାଇଲଟମାନଙ୍କୁ ଏବେ ଘରକୁ ଫେରାଇ ଆଣ।”

ଇସ୍ରାଏଲ ଏବଂ ଇରାନ ଉଭୟ ନିଶ୍ଚିତ କରିଛନ୍ତି ଯେ ସେମାନେ ଟ୍ରମ୍ପଙ୍କ ପ୍ରସ୍ତାବିତ ଅସ୍ତ୍ରବିରତି ଯୋଜନାକୁ ଗ୍ରହଣ କରିଛନ୍ତି, ଯାହା ମଧ୍ୟପ୍ରାଚ୍ୟରେ ୧୨ ଦିନିଆ ସାମରିକ ସଂଘର୍ଷର ଅନ୍ତ କରିବ ବୋଲି ଆଶା କରାଯାଉଥିଲା। ସୋମବାର ଇରାନ କାତାରରେ ଏକ ଆମେରିକୀୟ ସାମରିକ ଘାଟି ଉପରେ ସୀମିତ ପ୍ରତିଶୋଧମୂଳକ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ଏହି ଅସ୍ତ୍ରବିରତି ହୋଇଛି। ଦୁଇ ପକ୍ଷ ଏହି ଚୁକ୍ତିକୁ ଗ୍ରହଣ କରିବା ପରେ, ଇରାନ ଇସ୍ରାଏଲକୁ ଲକ୍ଷ୍ୟ କରି ଶେଷ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା, ମଙ୍ଗଳବାର ସକାଳେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା, ଯେତେବେଳେ ଇସ୍ରାଏଲ ସକାଳ ହେବା ପୂର୍ବରୁ ଇସଲାମିକ ଗଣରାଜ୍ୟର ସ୍ଥାନଗୁଡ଼ିକୁ ଲକ୍ଷ୍ୟ କରି ବିମାନ ଆକ୍ରମଣ କରିଥିଲା।

ତିଆରି ହୋଇଥିଲା ନୂଆ ପୋଲ, ଧୋଇଗଲା ଡାଇଭର୍ସନ

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବିଭିନ୍ନ ଅଞ୍ଚଳରେ ଲାଗିରହିଛି ଲଘୁଚାପଜନିତ ବର୍ଷା ।  ବର୍ଷାର ପ୍ରଭାବରେ  ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବଢିପାଣି ଯୋଗୁ ନୂତନ ଭାବେ  ନିର୍ମାଣ ଚାଲିଥିବା ପୋଲ  ନିକଟରେ ଏକ ଡାଇଭର୍ସନ ରାସ୍ତା ଧୋଇଯାଇଛି । ଫଳରେ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ବିଛିନ୍ନ ହୋଇଯାଇଛି । ଉଭୟ କଡ଼ରେ ବହୁ ଗାଡି ମୋଟର ଅଟକି ରହିଥିବା ବେଳେ ତିନୋଟି ପଞ୍ଚାୟତ ଲୋକଙ୍କର ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।  ସିମନବାଡି ଠାରୁ ବୁଡ଼ାଗୁଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିଲା । ହେଲେ ବର୍ଷା ପୂର୍ବରୁ ଏହି ରାସ୍ତା କାର୍ଯ୍ୟ ସରିଯିବା କଥା । କିନ୍ତୁ ତିଲୋରୀର ଗୁମାଡ଼ି ନଦୀ ଉପରେ ନିର୍ମାଣଧୀନ ପୋଲ କାର୍ଯ୍ୟ ସରିପାରୁ ନାହିଁ । ଫଳରେ  ସ୍ଥାନୀୟ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ବର୍ଷା ଦିନ ଆରମ୍ଭରୁ ଏଭଳି ଅବସ୍ଥା, ଅଗାକୁ କଣ ହେବ ବୋଲି ଚିନ୍ତାରେ ରହିଛନ୍ତି ସ୍ଥାନୀୟବାସିନ୍ଦା । ଏନେଇ ଅତିଶୀଘ୍ର କାମ ସାରିବାକୁ ଦାବି ହୋଇଛି ।

ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତା ପୀୟୂଷ, କହିଲେ ମୁଁ ସିଂହବାହିନୀରେ କାମ କରିବି

ନନ୍ଦିଘୋଷ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ। ଗଣମାଧ୍ୟମରେ ସେ କହିଛନ୍ତି- ସେ ସ୍ବାସ୍ଥ୍ୟଗତ କାରଣରୁ ଗୋଟିଏ ବର୍ଷ ଯାତ୍ରା ଅଭିନୟରୁ ବିରତି ନେଇଛନ୍ତି। ତେଣୁ ୨୦୨୬ ମସିହାରୁ ପୁଣି ଚୁକ୍ତି ଅନୁଯାୟୀ ଚାରି ବର୍ଷ ସିଂହବାହିନୀ ସହ କାମ କରିବେ। ତେଣୁ ଟଙ୍କା ଓ ଗାଡି କାହିଁକି ଫେରାଇବି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ମାଲିକ ସଂଘ ବା ମାଲିକମାନେ ଚାହାନ୍ତି ପୀୟୂଷ ଶୀଘ୍ର କାମକୁ ଫେରି ଆସିବ। ଯାତ୍ରା ଜଗତରେ `ମୁଁ’ ଶବ୍ଦ ଛାଡିବା ଲାଗି ସେ ଆହ୍ବାନ ଦେଇଛନ୍ତି। ଯାତ୍ରା ଜଗତ ପରି ଗୋଟିଏ ବଡ ପରିବାରରେ ଅସନ୍ତୋଷ ରହିବା ସ୍ବଭାବିକ। ଚାପି ହୋଇ ରହିଥିବା ଅସନ୍ତୋଷ ଏବେ ବିସ୍ଫୋରକ ରୂପ ନେଇଛି। ଏହାକୁ ସମାଧାନ କରିବା ସମସ୍ତଙ୍କର ଦାୟିତ୍ବ ବୋଲି ସେ କହିଛନ୍ତି।

ଗୋପାଳପୁର ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ନନ୍ଦିଘୋଷ ବ୍ୟୁରୋ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତଙ୍କୁ ଆଜିଠାରୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ସେଥିପାଇଁ କୋର୍ଟ ଅନୁମତି ଦେଇଛନ୍ତି। କାଗଜପତ୍ର ଆଣିବାକୁ କୋର୍ଟକୁ ଆସିଛନ୍ତି କ୍ରାଇମବ୍ରାଞ୍ଚ ଟିମ । ସୂଚନା ଅନୁସାରେ  ରିମାଣ୍ଡରେ ଆଣିବା ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ ।

ଗତ ଶୁକ୍ରବାର ଏହି ୬ ଅଭିଯୁକ୍ତଙ୍କ ବ୍ରହ୍ମପୁର ଜେଲରେ ହୋଇଥିଲା ଟିଆଇ ପ୍ୟାରେଡ। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନିଥିଲେ ପୀଡ଼ିତା ଓ ତାଙ୍କ ସାଙ୍ଗ। ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ। ତ୍ଵରିତ ଫଇସଲା ପାଇଁ ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ। ଗତ ରଜସଂକ୍ରାନ୍ତିରେ ଗୋପାଳପୁର ବିଚ୍ ରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଥିଲା।