spot_img
Home Blog Page 563

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା, କହିଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିରପେକ୍ଷ ହେବନି

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ଘଟଣା । କୋର୍ଟଙ୍କ ତତ୍ତ୍ବାବଧାନରେ ଘଟଣାରେ ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ରାଜ୍ୟପାଳଙ୍କୁ ଭୁବନେଶ୍ୱର ସାଂସଦ ଟାଣିଛନ୍ତି । ବାଲେଶ୍ଵର ଘଟଣାରେ ରାଜ୍ୟପାଳ ତଦନ୍ତ କରିଛନ୍ତି ବୋଲି କହିଛନ୍ତି । ତେଣୁ ରାଜ୍ୟପାଳ ଏ ଘଟଣା ନେଇ ମୁହଁ ଖୋଲନ୍ତୁ । ବାଲେଶ୍ଵର ଘଟଣାକୁ ମୂଳରୁ ହାଲକା ଭାବେ ଗ୍ରହଣ କଲେ ରାଜ୍ୟ ସରକାର। ଗୁଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ  ରିପୋର୍ଟ ଦେଇଥିଲା । ଘଟଣା କାହିଁକି ହେଲା ତାହା ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ବିଜୟ । ଏପରିକି କ୍ରାଇମବ୍ରାଞ୍ଚ ଚଦନ୍ତ ନିରପେକ୍ଷ ହେବନି ବୋଲି କହିଛନ୍ତି ସେ ।

ସେ କହିଛନ୍ତି, ୧୨ ତାରିଖ ପୂର୍ବରୁ କ’ଣ ଘଟିଲା ତାହା ସମସ୍ତେ ଜାଣିବା ଦରକାର । କଲେଜ କ୍ୟାମ୍ପସରେ ଯାହା ଘଟିଲା, ତାହା ୩୦ରୁ ୪୦ ବର୍ଷ ଭିତରେ କେବେ ଘଟି ନଥିଲା । ଅତୀତ ଘଟଣା ଓ ବର୍ତ୍ତମାନର ଘଟଣାରେ ଆକାଶ ପାତାଳ ଫରକ ରହିଛି ।  ବାଲେଶ୍ଵର ଘଟଣା ସମସ୍ତଙ୍କ ଆଖି ଖୋଲି ଦେଇଛି । କୋର୍ଟଙ୍କ ଦ୍ଵାରା ତଦନ୍ତ କରାଗଲେ, ସବୁ ଘଟଣା ସାମ୍ନାକୁ ଆସିବ । ଓଡିଆ ଅସ୍ମିତା କଥା କହୁଥିବା ସରକାର ନିଜ ଆଡୁ କହିବା ଦରକାର ଯେ ବାଲେଶ୍ଵର ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ କୋର୍ଟଙ୍କ ଦ୍ୱାରା ପୂରା ଘଟଣାର ତଦନ୍ତ କରାଯାଉ । ଦ୍ଵନ୍ଦ୍ବ ଦୂର ପାଇଁ କୋର୍ଟ ମନିଟରିଂରେ ତଦନ୍ତ ହେଉ ।

ଜିଲ୍ଲା ପ୍ରଶାସନଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଛାତ୍ରୀ ଜଣେଇ ଥିଲେ । କିନ୍ତୁ ଏତେ ବଡ଼ କାଣ୍ଡ ଘଟିଯିବ ବୋଲି କେହି ଆକଳନ କରି ପାରିଲେନି । ବାଲେଶ୍ୱର ଘଟଣା ସୁଶାସନ, କୁଶାସନ ନା ଦୁଃଶାସନ କ୍ଷେତ୍ରରେ ଯିବ ବୋଲି ବିଜୟ ପ୍ରଶ୍ନ କରିଛନ୍ତି । ସରକାରଙ୍କ ଆକ୍ସନ କ’ଣ ଯଥେଷ୍ଟ କି ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଅତୀତର ଘଟଣା ଓ ବାଲେଶ୍ୱର ଘଟଣା ଭିତରେ ଥିବା ଫରକକୁ ସରକାର ଯେଉଁ ପର୍ଯ୍ୟନ୍ତ ବୁଝିବେ ନାହିଁ ତଦନ୍ତ ଠିକ ଭାବେ ଚାଲିବ ନାହିଁ ବୋଲି ସେ ଆଶଂକା କରିଛନ୍ତି ।

ଏଫଏମ ଛାତ୍ରୀ ମୃତ୍ୟୁ ଘଟଣା: ୨୧ରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ଏଫଏମ ଛାତ୍ରୀ ଆତ୍ମହତ୍ୟା ଘଟଣା । ଆସନ୍ତା ୨୧ ତାରିଖରେ ଆରଡିସି ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି । ନ୍ୟାୟ ପାଇଁ ବ୍ରହ୍ମପୁର, ସମ୍ବଲପୁର ଓ କଟକରେ ଦଳ କରିବ ବିକ୍ଷୋଭ । ଏଥିପାଇଁ ଜିଲ୍ଲା ସ୍ତରର ମୁଖ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ବାଲେଶ୍ୱର ଘଟଣା ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରିଛି । ବିଜେଡି ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିଆସୁଛି । ବାଲେଶ୍ଵର ବନ୍ଦ ମଧ୍ୟ ଶାନ୍ତିପୂର୍ଣ୍ଣ ଉପାୟରେ ହୋଇଥିଲା । ଏହା ପରେ ଲୋକସେବା ଭବନ ଘେରାଉ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିଲା ।

ଏହା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ଯାହା ସରକାର ପର୍ଦ୍ଦାଫାସ କରିବା ପାଇଁ ଚାହୁଁ ନାହାନ୍ତି । ପ୍ରକୃତ ତଦନ୍ତ ହେଲେ ଯେଉଁମାନେ ଶବକୁ କାନ୍ଧ ଦେଉଛନ୍ତି, ସେମାନେ ବନ୍ଧା ହୋଇଯାଆନ୍ତେ । କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି । ତେଣୁ କ୍ରାଇମବ୍ରାଞ୍ଚ ନୁହେଁ ବିଚାର ବିଭାଗୀୟ ତଦନ୍ତ ହେବାର ଆବଶ୍ୟକ ରହିଛି । ହାଇକୋର୍ଟର ଜଣେ ସିଟିଂ ଜଜଙ୍କ ଜରିଆରେ ତଦନ୍ତ ହେଉ । ସିସିଟିଭିରେ ଜଣାପଡୁଛି, ଜଣେ ଭିଡିଓ ରେକର୍ଡ କରୁଛି । ଆଉ ଜଣେ ବାଟ କଢ଼େଇ ନେଉଛି । ଏ ସବୁ ପଛରେ ଏବିଭିପିର ଛାତ୍ର ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି । ଏମ୍ସରେ ତାଙ୍କ ବାପାଙ୍କୁ ସାନ୍ତ୍ବନା ଦେବା ବେଳେ ଏବିଭିପି ଗୁଣ୍ଡାବାହିନୀ ତାଙ୍କୁ ଆକ୍ରମଣ କଲେ ବୋଲି ଅଭିଯୋଗ କରିଛନ୍ତି ଗୌତମବୁଦ୍ଧ ଦାସ । ଆଗାମୀ ଛାତ୍ର ସଂସଦ ନିର୍ବାଚନ ଲାଗି ଉଭୟ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଏହି କାରଣରୁ ଝିଅଟି ବଳି ପଡ଼ିଥିବା ସନ୍ଦେହ ହେଉଛି । ଛାତ୍ରୀଙ୍କୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି ଭୋଗରାଇ ବିଧାୟକ ।

ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା: ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ବିଜେଡି କରିବ ଲଢ଼େଇ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ପ୍ରତିବାଦ । ବିଚାର ବିଭାଗୀୟ ତଦନ୍ତ ଦାବି ଜିଦରେ ଅଟଳ ବିଜେଡି । ଲୋକସେବା ଭବନ ଘେରାଉ ପରେ ଜନତା ମଇଦାନର ଗାନ୍ଧୀମୂର୍ତ୍ତି ତଳେ ଦଳର ନିରବ ପ୍ରତିବାଦ । ଛାମୁଆ ନେତା, ବିଧାୟକ, ଯୁବ ଛାତ୍ର ମହିଳା ନେତ୍ରୀ ମୁହଁରେ କଳାପଟି ବାନ୍ଧି ଧାରଣା ଦେଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ଲଢ଼େଇ ଜାରି ରଖିବାକୁ ଦଳ ଦେଇଛି ଚେତାବନୀ । ଏହାସହ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ନିନ୍ଦା କରିଛି ଦଳ ।

ମୁହଁରେ କଳାପଟି, ହାତରେ ପ୍ଲାକାର୍ଡ । ଲୋକସେବା ଭବନ ଘେରାଉ ପରେ ଜନତା ମଇଦାନର ଗାନ୍ଧୀ ମୂର୍ତ୍ତି ତଳେ ନିରବ ପ୍ରତିବାଦ କରିଛି ବିଜେଡି । ଦଳର ଛାମୁଆ ନେତା, ବିଧାୟକ, ମହିଳା ନେତ୍ରୀ, ଯୁବ ଛାତ୍ର ନେତା ଏକାଠି ହୋଇ ସରକାରଙ୍କ ବିରୋଧରେ କରିଛନ୍ତି ନିରବ ପ୍ରତିବାଦ । ବାଲେଶ୍ବର ଘଟଣାର କରାଯାଉ ବିଚାର ବିଭାଗୀୟ ତଦନ୍ତ । ରାଜ୍ୟରେ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଥିବାରୁ ବାଲେଶ୍ବର ଛାତ୍ରୀଙ୍କ ମୃତ୍ୟୁ ହେଲା । ବରିଷ୍ଠ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ କହିବା କଥା, ନିରବର ବହୁତ ଶବ୍ଦ ରହିଛି । ଗଣତାନ୍ତ୍ରିକ ଆନ୍ଦୋଳନକୁ ଦବାଇ ଦେବାକୁ ସରକାର ଚେଷ୍ଟା କରୁଛନ୍ତି । ହେଲେ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଛି ବିଜେଡି । ଯେଉଁମାନେ ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସଂପୃକ୍ତ, ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ନ୍ୟାୟ ନଳିବା ଯାଏଁ ଲଢ଼େଇ ଜାରି ରଖିବାକୁ ଚେତାବନୀ ଦେଇଛି ଦଳ । ଏହାସହ ଗଣତାନ୍ତ୍ରିକ ପଦ୍ଧତିରେ ହୋଇଥିବା ଆନ୍ଦୋଳନରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ଦଳୀୟ ନେତା ।

ବାଲେଶ୍ବର ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ସଶକ୍ତ ବିରୋଧୀ ଦଳ ଭାବେ ସରକାରଙ୍କୁ ସିଧା ନିଶାନା କରିଛି ବିଜେଡି । ବିଜେପି କ୍ଷମତାକୁ ଆସିବା ପରଠୁ ରାଜ୍ୟରେ ଅସୁରକ୍ଷିତ ମଣିଲେଣି ମହିଳା । ନ୍ୟାୟ ପାଇଁ କଲେଜ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ପୋଲିସ ପ୍ରଶାସନକୁ ଗୁହାରୀ କରି ନିରାଶ ହେବା ପରେ ଜୀବନ ହାରିଲେ ପୀଡ଼ିତା । ତେଣୁ ଘଟଣା ପଛରେ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି ।

ଚେତିଲା ସରକାର: ବିଶ୍ବବିଦ୍ୟାଳୟ ଓ କଲେଜରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ଘଟଣା ପରେ ଚେତିଲେ ସରକାର । ଚାରିଆଡୁ କଡ଼ା ସମାଲୋଚନା ଓ ଅଡୁଆରେ ପଡ଼ିବା ପରେ ବିଶ୍ବବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ମହିଳା ସହାୟତା ନମ୍ଵର ୧୮୧ ପ୍ରଦର୍ଶନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଦେଇଛି ନିର୍ଦ୍ଦେଶ । ଏହାସହ POSH Act, 2013 ସମ୍ବନ୍ଧରେ ସଚେତନତା କର୍ମଶାଳାର ଆୟୋଜନ ପାଇଁ ଚିଠି ଲେଖା ଯାଇଛି ।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରର ପ୍ରମୁଖ ସ୍ଥାନରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏହାସହ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ ଏବଂ ଏହି ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କଡ଼ାକଡ଼ି ଭାବେ ପାଳନ କରିବା ଓ ଏହି ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆୟୋଜନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ କର୍ମଶାଳାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନେ ଯୋଗଦେବେ । POSH Act, 2013ର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଶପଥ ନେବେ । କର୍ମଶାଳା ଆୟୋଜନର ସବିସ୍ତୃତ ବିବରଣୀ ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବା ନିମନ୍ତେ ଚିଠିରେ ଉଲ୍ଲେଖ କରାଯାଇଛି ।

ଏଫଏମ କଲେଜ ଘଟଣାରେ ତିନୋଟି ଟିମର ତଦନ୍ତ, ବାସ୍ତବତା ବାହାରକୁ ଆସିବ ନା ପରଦା ପଛରେ ରହିଯିବ

ନନ୍ଦିଘୋଷ ବ୍ୟୁରୋ: କେଉଁ ପରିସ୍ଥିତିରେ ବାଲେଶ୍ଵର ଏଫଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ? ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ କିଏ ତାଙ୍କୁ ଉସୁକାଇଥିଲେ କି ? ପେଟ୍ରୋଲ ସେ ନିଜେ କିଣିଥିଲେ ନା ଆଉ କିଏ ଆଣିଥିଲା । ନିଲମ୍ବିତ ହୋଇ ଗିରଫ ହୋଇଥିବା ଅଭିଯୁକ୍ତ ଏଚଓଡି ଛାତ୍ରଛାତ୍ରୀଙ୍କ ପ୍ରତି କେମିତି ଆଚରଣ କରୁଥିଲେ ? ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ ଅଭିଯୋଗ ପରେ ଆଇସିସି କ’ଣ ସବୁ ପଦକ୍ଷେପ ନେଇଥିଲା । ତାଙ୍କ ନାଁରେ ଆଉ କିଛି ଅଭିଯୋଗ ଅଛି କି ? ଏସବୁ ପ୍ରଶ୍ନର ଉତ୍ତର ମିଳିଲେ, ପୂରା ଘଟଣା ଉପରୁ ଉଠିବ ପରଦା । କଲେଜକୁ ଯାଇ ଛାନବିନ୍ କରୁଛନ୍ତି ୟୁଜିସି, ଉଚ୍ଚଶିକ୍ଷା ବିଭାଗ ଓ କ୍ରାଇମବ୍ରାଞ୍ଚର ଟିମ । ପରିବାର ଲୋକଙ୍କଠାରୁ ବି ତଥ୍ୟ ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ । ଏକା ସାଙ୍ଗରେ ତିନିଟି ସଂସ୍ଥା ତଦନ୍ତ କରୁଛନ୍ତି । ହେଲେ ଏହା କେବଳ ତଦନ୍ତରେ ରହିଯିବ ନା ବାସ୍ତବ କଥା ସାମନାକୁ ଆସିବ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

କେବଳ ଅଭିଯୁକ୍ତ ଏଚଓଡି ଓ ନିଲମ୍ବିତ ଅଧ୍ୟକ୍ଷଙ୍କୁ ଗିରଫ କରି ସରକାର ଚୁପ । ଆଉ କାହାରିକୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇନି । ଛାତ୍ରୀ ଆତ୍ମାହୁତି ଘଟଣାରେ ବାଲେଶ୍ଵର ଏଫଏମ କଲେଜରେ ଗୋଟିଏ ଦିନରେ ତିନି ତିନିଟି ଯାଞ୍ଚ ଟିମ୍‌ ପହଞ୍ଚିଛନ୍ତି, ହେଲେ ହାତ ଖାଲି । ଘଟଣାଟି ଏବେ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ପାଲିଟିଲାଣି । କ୍ରାଇମବ୍ରାଞ୍ଚ ଟିମ୍‌ ଛାନବିନରୁ କାହାରି ସମ୍ପୃକ୍ତି ଥିବା ନେଇ କିଛି ଜଣାପଡ଼ିଲାନି କି ? ତଦନ୍ତ ଆଳରେ ସରକାର ପୂର୍ବ ସବୁ ଘଟଣା ପରି ସମୟ ଗଡ଼ାଇ ଚାଲିଛନ୍ତି । ଏହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି । ପ୍ରଥମ ଦଫାରେ ଉଚ୍ଚଶିକ୍ଷା ବିଭାଗର ଟିମ୍‌ ତଦନ୍ତ କରି ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କଲା । ହେଲେ ସେ ରିପୋର୍ଟରେ କ’ଣ ରହିଛି ତାକୁ ସରକାର ଏ ପର୍ଯ୍ୟନ୍ତ ସାଧାରଣରେ ପ୍ରକାଶ କରିନାହାନ୍ତି । ଏବେ ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ଉଚ୍ଚଶିକ୍ଷା ବିଭାଗର ଟିମ୍ ଓ କ୍ରାଇମବ୍ରାଞ୍ଚ ତନାଘନା କରୁଛନ୍ତି । କଲେଜ କର୍ତ୍ତୃପକ୍ଷ ଓ ଆଇସିସିର ସଦସ୍ୟଙ୍କୁ ପଚରା ଉଚରା କରିଛନ୍ତି ୟୁଜିସି ଓ ଉଚ୍ଚଶିକ୍ଷା ବିଭାଗର ଟିମ୍ ।

ସେପଟେ କ୍ରାଇମବ୍ରାଞ୍ଚ ଟିମ୍ କଲେଜ ନିକଟସ୍ଥ ପେଟ୍ରୋଲ ପମ୍ପକୁ ଯାଇ ତନାଘନା କରିଛି । ଆଇଓ ପାଞ୍ଚାଳୀ ରାଉତଙ୍କ ଟିମ୍ ପେଟ୍ରୋଲ ପମ୍ପର ସିସିଟିଭି ହାର୍ଡ ଡିସ୍କ ଜବତ କରିବା ସହିତ ପେଟ୍ରୋଲ ପମ୍ପ ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କୁ ପଚରା ଉଚୁରା କରିଛନ୍ତି । କଲେଜର କିଛି ପଦାଧିକାରୀଙ୍କ ବି ବୟାନ ନିଆଯାଇଛି । ଛାତ୍ରୀ ଜଣକ ନିଜେ ପେଟ୍ରୋଲ ଆଣିଥିଲେ ନା ଆଉ କିଏ ଆଣିଥିଲା, ତାର ଛାନବିନ୍ କରାଯାଉଛି । ମୃତ ଛାତ୍ରୀଙ୍କ ଘରକୁ ଯାଇ ମଧ୍ୟ ପରିବାର ସଦସ୍ୟଙ୍କୁ ପଚରା ଉଚରା କରାଯାଇଛି । ଛାତ୍ରୀ ନିଜେ ନିଆଁ ଲଗାଇଲେ ନାଁ ତାଙ୍କୁ ଦେହରେ ନିଆଁ ଲଗାଇ ଦିଆଗଲା ?  ନିଆଁ ଲାଗିବା ପରେ ସେ ଅଧ୍ୟକ୍ଷଙ୍କ କକ୍ଷା ଆଡ଼କୁ ଗଲେ । କଲେଜରେ ଅଗ୍ନି ନିର୍ବାପକ ସିଲିଣ୍ଡର ଥିଲା ନା ନାହିଁ । ଯଦି ଥିଲା ତା’ ହେଲେ କେହି ବି କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କଲେ ନାହିଁ କାହିଁକି ? ସିସିଟିଭି ଆଢ଼ୁଆଳରେ ରହି ଛାତ୍ରୀ ଜଣଙ୍କ ଜଳୁଥିବା ଦୃଶ୍ୟ ଦେଖିବାକୁ ମିଳିଲା । ସେଠାରେ ଆଗରୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ହଠାତ ଉଠିଗଲେ କାହିଁକି ? ଏ ପ୍ରଶ୍ନର ଉତ୍ତର ଖୋଜୁଛି କି କ୍ରାଇମବ୍ରାଞ୍ଚ ?

ଏଫଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ବିରୋଧୀଙ୍କ ପ୍ରଶ୍ନବାଣରେ ଘାଇଲା ସରକାର । ବାସ୍ତବରେ ସରକାର ମୃତକଙ୍କ ପରିବାରକୁ ନ୍ୟାୟ ଦେବେ ନା କିଛି ଦିନ ପରେ ଏହା ନାଲିଫିତା ତଳେ ଚାପି ହୋଇଯିବ ସେ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।

ଭାରତ ଉପରେ ସବୁଠାରୁ କମ୍ ଟାରିଫ ଲଗାଇବ ଆମେରିକା ?

ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ଟ୍ରେଡ ଡିଲକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି । ବେପାରକୁ ନେଇ ଆଲୋଚନା ପାଇଁ ଭାରତୀୟ ପ୍ରତିନିଧି ଦଳ ଓ୍ବାଶିଂଟନ ଗସ୍ତ କରିଛି ଓ ଟାରିଫକୁ ନେଇ ବୁଝାମଣା କରୁଛି । ଆମେରିକା ଭାରତର ଡେୟରୀ ଓ କୃଷି ଉତ୍ପାଦ ଉପରେ ଟାରିଫ କମ୍‌ କରିପାରେ । ଦେଶ ହିତକୁ ନେଇ ଭାରତ ନିଜର ସର୍ତ୍ତରେ ଅଟଳ ରହିଛି । ଆମେରିକା ନିଜର ଟାରିଫକୁ ୧୫ରୁ ୧୦ ପ୍ରତିଶତ ବା ତା’ଠାରୁ କମ୍ କରୁ ବୋଲି ଭାରତ ଚାହୁଁଛି ।

ଏହା ମଧ୍ୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଆମେରିକା ସହ ପ୍ରସ୍ତାବିତ ବେପାର ବୁଝାମଣାରେ ଭାରତକୁ ଟାରିଫ ସୁବିଧା ମିଳିପାରେ । ଅଗଷ୍ଟ ୧ ଠାରୁ ଲାଗିବାକୁ ଥିବା ଭାରି ରେସିପ୍ରୋକଲ ଟାରିଫର ସୁରକ୍ଷା ଭାରତକୁ ମିଳିପାରେ । ଭିଏତନାମ ପରି ଦେଶ ତୁଳନାରେ ଭାରତୀୟ ବସ୍ତୁ ଉପରେ କମ୍ ଟାରିଫ ଲାଗିପାରେ । ଯଦି ଭିଏତନାମ ବସ୍ତୁ ଉପରେ ୨୦ ପ୍ରତିଶତ ଟାରିଫ ଲାଗିବ, ତେବେ ଭାରତ ଉପରେ ଏହାଠାରୁ କମ୍ ଟାରିଫ ଲାଗିବ । ଏ ପ୍ରସଙ୍ଗରେ ଜଣେ ସିନିୟର ଅଧିକାରୀ ସୂଚନା ଦେଇଛନ୍ତି । ଭାରତ ଉପରେ ଏବେ ୨୬ ପ୍ରତିଶତ ଟାରିଫ ଘୋଷଣା ହୋଇଥିବା ବେଳେ ଏହା କମିବା ନେଇ କୁହାଯାଉଛି । ଭାରତ ସହ ଡିଲକୁ ନେଇ ବହୁତ କ୍ଲୋଜ ବୋଲି ଗୁରୁବାର ଦିନ ଟ୍ରମ୍ପ ଏକ ବଡ଼ ଘୋଷଣା କରିଥିଲେ । ଡିଲକୁ ନେଇ ଭାରତ ସହ ଆଲୋଚନା ଚାଲିଛି । ସବୁକିଛି ଠିକ୍ ଚାଲିଛି ଓ ଶୀଘ୍ର ଏହି ଡିଲ୍ ଫାଇନାଲ ହୋଇଯିବ ବୋଲି ଟ୍ରମ୍ପ କହିଥିଲେ । ଅଗଷ୍ଟ ପହିଲା ପୂର୍ବରୁ ଯଦି ପ୍ରାରମ୍ଭିକ ବୁଝାମଣା ହୋଇଯିବ, ତେବେ ଟାରିଫ ଦ୍ବାରା ହେବାକୁ ଥିବା କ୍ଷତିରୁ ଭାରତକୁ ସହାୟତା ମିଳିପାରିବ ।

AIIMS ରିସର୍ଚ୍ଚରେ ଦାବି: ଠିକରେ ବ୍ରସ ନକଲେ କ୍ୟାନସର, ହୃଦରୋଗ, ଡାଇବେଟିସ୍….!

ନୂଆଦିଲ୍ଲୀ: ପିତାମାତାମାନେ ସେମାନଙ୍କର ପିଲାଙ୍କୁ ଦିନକୁ ଦୁଇଥର ଦାନ୍ତ ସଫା କରିବାକୁ ପରାମର୍ଶ ଦେଇଥାନ୍ତି । ଏହାଦ୍ବାରା ଦାନ୍ତ ପରିଷ୍କାର ରହିବା ସହ ଓରଲ ହେଲଥ ମଧ୍ୟ ବଢ଼ିଆ ହୋଇଥାଏ । ଏହା ମଧ୍ୟରେ ଏମ୍ସ ଦିଲ୍ଲୀ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି । ଆପଣ ଯଦି ନିଜର ଓରଲ ହେଲଥର ଯତ୍ନ ଠିକରେ ନେଉନାହାନ୍ତି, ତେବେ ଆପଣଙ୍କୁ କ୍ୟାନସର ସହିତ କିଛି ଗମ୍ଭୀର ବିମାରୀ ହୋଇପାରେ । ଯଦି ଓରଲ ହେଲଥ ଠିକ୍ ଥିବ, ତେବେ ସବୁ ବିମାରୀର ଆଶଙ୍କା କମ୍ ହୋଇଯିବ । ଯଦି ମୁହଁକୁ ଠିକ୍ ଭାବେ ଦେଖାଶୁଣା କରାନଯାଏ, ତେବେ ଏହା କିଛି ଗମ୍ଭୀର ବିମାରୀର କାରଣ ସାଜିପାରେ । ଦାନ୍ତ ଓ ମାଢ଼ିକୁ ଦୈନିକ ସଫା କରିବା ଉଚିତ ବୋଲି ଏହି ରିସର୍ଚ୍ଚରେ ସ୍ପଷ୍ଟ ଭାବେ କୁହାଯାଇଛି ।

ରିସର୍ଚ୍ଚରେ କୁହାଯାଇଛି, ନିଜର ଦାନ୍ତକୁ ଓ ମାଢ଼ିର ଦେଖାଶୁଣା କରିବାର ଅର୍ଥ କେବଳ ଦୁର୍ଗନ୍ଧ ଦୂର କରିବା ନୁହେଁ । ଏହା ଆପଣଙ୍କର ଓଭରାଲ ହେଲଥ ସହ ଗଭୀର ଭାବେ ଜଡ଼ିତ ଓ ଅନେକ ଗମ୍ଭୀର ହେଲଥ ସମସ୍ୟାକୁ କମ୍ କରିବାର ସହାୟକ ହୋଇପାରେ । ସେଥିମଧ୍ୟରେ କ୍ୟାନସର, ହୃଦରୋଗ, ଡାଇବେଟିସ, ପ୍ରେଗନାନ୍ସି, ଅଲଜାଇମର ପରି ପ୍ରାଣଘାତୀ ବିମାରୀ ସାମିଲ ରହିଛି । ଖରାପ ଓରାଲ ହାଇଜିନ ସହ କ୍ୟାନସର, ଖାସ କରି ମୁଣ୍ଡ ଓ ଗର୍ଦ୍ଦନ କ୍ୟାନସରର ଗଭୀର ସମ୍ପର୍କ ରହିଛି । ମୁହଁରେ ଥିବା କିଛି ହାନିକାରଣ ବ୍ୟାକ୍ଟେରିଆ କ୍ୟାନସରର ସମ୍ଭାବନାକୁ ବଢ଼ାଇଥାନ୍ତି । ତେଣୁ ସକାଳୁ ଓ ଶୋଇବାକୁ ଯିବା ପୂର୍ବରୁ ଫ୍ଲୋରାଇଲ ଟୁଥେପଷ୍ଟରେ ଦାନ୍ତକୁ ବ୍ରସ କରନ୍ତୁ । ବ୍ରସକୁ ଧୀରେଧୀରେ ଗୋଲ-ଗୋଲ ବୁଲାନ୍ତୁ । କୀଟାଣୁଙ୍କୁ ମାରିବା, ମୁହଁକୁ ଫ୍ରେସ ରଖିବା ପାଇଁ ଆଣ୍ଟିବ୍ୟାକ୍ଟେରିୟଲ ମାଉଥଓ୍ବାସ ବ୍ୟବହାର କରନ୍ତୁ । ମିଠା ସ୍ନାକ୍ସ ଓ ପାନୀୟ ସୀମିତ ମାତ୍ରାରେ ଖାଆନ୍ତୁ । ମଜବୁତ ଦାନ୍ତ ଓ ହାଡ଼ ପାଇଁ କ୍ୟାଲସିୟମ ଭରପୁର ଫୁଡସ ଯେପରିକି ଦୁଗ୍ଧଜାତ ସାମଗ୍ରୀ, ସବଜିକୁ ସାମିଲ କରନ୍ତୁ । ନିଜର ଟୁଥବ୍ରସକୁ ନିୟମିତ ଭାବେ ୩-୪ ମାସରେ ବଦଳାନ୍ତୁ । ମୁହଁକୁ ହାଇଡ୍ରେଟ ରଖିବା ପାଇଁ ପର୍ଯ୍ୟାପ୍ତ ପାଣି ପିଅନ୍ତୁ । ଧୂମ୍ରପାନ ଠାରୁ ଦୂରେଇ ରୁହନ୍ତୁ ।

Starlink ଭାରତକୁ ଆସିଲେ Jio ଏବଂ Airtel ପାଇଁ କେତେ ଚ୍ୟାଲେଞ୍ଜ ସୃଷ୍ଟି ହେବ?

ଏଲନ ମସ୍କଙ୍କ ଇଲେକ୍ଟିକ କାର କମ୍ପାନୀ ଟେସଲା ଭାରତରେ ପ୍ରବେଶ କରି ସାରିଛି । ଏବେ ଷ୍ଟାରଲିଙ୍କକୁ ଅପେକ୍ଷା । ମାତ୍ର ଷ୍ଟାରଲିଙ୍କ ଭାରତରେ କିଛି କମାଲ କରିପାରିବ କି ବୋଲି ଏବେ ପ୍ରଶ୍ନ ଉଠିଛି । ଭାରତକୁ ଷ୍ଟାରଲିଙ୍କ ଆସିବା ଫଳରେ ଜିଓ, ଏୟାରଟେଲ ଓ ଭିଆଇ ଉପରେ ବହୁତ ପ୍ରଭାବ ପଡ଼ିପାରେ ବୋଲି କିଛି ଲୋକ ଭାବୁଛନ୍ତି । ଷ୍ଟାରଲିଙ୍କ ଭାରତୀୟ ଟେଲିକମ ସେକ୍ଟରରେ କ’ଣ ନୂଆ କରିପାରିବ? ସବୁଠାରୁ ବଡ଼ କଥା ହେଉଛି, ଷ୍ଟାରଲିଙ୍କ କେଉଁ ସବୁ ଲୋକଙ୍କୁ ଟାର୍ଗେଟ କରୁଛି ଓ ତା’ର ଉଦ୍ଦେଶ୍ୟ କ’ଣ ? ଏହିସବୁକୁ ବୁଝିବାକୁ ହେଲେ ଆମକୁ ଷ୍ଟାରଲିଙ୍କ ଓ ଭାରତୀୟ ପ୍ଲେୟାର୍ସଙ୍କ ସର୍ଭିସ, କାମ କରିବାର ତରିକା ଭିତରେ ଅନ୍ତରକୁ ବୁଝିବାକୁ ପଡ଼ିବ । ଷ୍ଟାରଲିଙ୍କ ହେଉଛି ସ୍ପେସେକ୍ସର ଏକ ସାଟେଲାଇଟ-ବେସଡ ଇଣ୍ଟରନେଟ ସର୍ଭିସ । ଏହି ସେବା ଅଧୀନରେ ସେ ଲୋ-ଆର୍ଥ ଅର୍ବିଟ (ଏଲଇଓ) ସାଟେଲାଇଟ ଜରିଆରେ ହାଇସ୍ପିଡ ଇଣ୍ଟରନେଟ ସଂଯୋଗ କରିଥାଏ । ସହଜ ଭାଷାରେ କହିଲେ, ବର୍ତ୍ତମାନ ସୁଦ୍ଧା ଆପଣଙ୍କୁ ଇଣ୍ଟରନେଟ ଅପ୍ଟିକାଲ ଫାଇବର ବା ସେଲ ଫାଇବର ଜରିଆରେ ମିଳୁଥିଲା । ଷ୍ଟାରଲିଙ୍କ ଏହି ଦୁଇଟି ଜିନିଷ ବଦଳରେ ସାଟେଲାଇଟର ବ୍ୟବହାର ଇଣ୍ଟରନେଟ ସର୍ଭିସ ଅଫର କରୁଛି ।

ଷ୍ଟାରଲିଙ୍କର ସିଧାସଳଖ ମୁକାବିଲା ପାରମ୍ପରିକ ଟେଲିକମ କମ୍ପାନୀଙ୍କ ସହିତ ହେବ ନାହିଁ । ସେ ଏକ ନୂଆ ସେଗମେଣ୍ଟରେ ଏଣ୍ଟ୍ରି କରିବ, ଯାହାକି ଭାରତରେ ନାହିଁ । ଅର୍ଥାତ ଭାରତରେ ବର୍ତ୍ତମାନ ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ସାଟେଲାଇଟ ଇଣ୍ଟରନେଟ ସେବା ନଥିଲା । ସେଥିପାଇଁ ଷ୍ଟାରଲିଙ୍କର ଏଣ୍ଟ୍ରି ଫଳରେର ଏୟାରଟେଲ, ଜିଓ କି ଭିଆଇ ଉପରେର ଅଧିକ ପ୍ରଭାବ ପଡ଼ିବ ନାହିଁ । ଅତିକମରେର ବର୍ତ୍ତମାନର ଅପରେସନ ଉପରେ ଷ୍ଟାରଲିଙ୍କର କୌଣସି ପ୍ରଭାବ ପଡ଼ିବ ନାହିଁ ।

କିଏ ସେଇ ଗ୍ରାଣ୍ଡ ମୁଫତି ଯିଏ ନିମିଷାଙ୍କ ମୃତ୍ୟୁଦଣ୍ଡ ସ୍ଥଗିତ କରାଇଲେ, କ’ଣ ତାଙ୍କ କାମ ?

ନନ୍ଦିଘୋଷ ବ୍ୟୁରୋ: ୟେମନରେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖାଯାଇଛି । ଭାରତର ଗ୍ରାଣ୍ଡ ମୁଫତି ଶେଖ ଅବୁବକର ନିମିଷାଙ୍କ ପାଇଁ ଭଗବାନ ସାଜିଛନ୍ତି । ତାଙ୍କ କାରଣରୁ ନିମିଷାଙ୍କ ମୃତ୍ୟୁଦଣ୍ଡକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଆଉ ଏହାକୁ ନେଇ ୯୪ ବର୍ଷିୟ କନ୍ଥାପୁରମ ଏପି ଅବୁବକର ମୁସଲିୟାରଙ୍କ ନାଁ ଚର୍ଚ୍ଚାରେ ରହିଛଇ । ଏ ହେଉଛନ୍ତି ସେହି ମୌଲାନା ଯାହାଙ୍କ ନାଁରେ ଗ୍ରାଣ୍ଡ ମୁଫତି ଲାଗିଛି । ଆସନ୍ତୁ ଜାଣିବା କ’ଣ ଏହି ଗ୍ରାଣ୍ଡ ମୁଫତି ଉପାଧିର ଅର୍ଥ, କାହା ନାଁରେ ଏହାକୁ କେବେ ଠାରୁ ଲଗାଯାଉଛି ଓ ଭାରତରେ ଏହି ଗ୍ରାଣ୍ଡ ମୁଫତି କେମିତି ଚୟନ ହୋଇଥାନ୍ତି ।

ମୁସଲିମ ଦେଶରେ ଗ୍ରାଣ୍ଡ ମୁଫତି ଏକ ପ୍ରତିଷ୍ଠିତ ଓ ପ୍ରଭାବଶାଳୀ ଧାର୍ମିକ ପଦ । ଏହି ଉପାଧି ପାଉଥିବା ବ୍ୟକ୍ତିଙ୍କ କାମ ହେଲା ଶରିୟା ଅନୁସାରେ ଲୋକଙ୍କୁ ମାର୍ଗଦର୍ଶନ ଦେବା ଓ ଇଓଲାମିକ ନ୍ୟାୟ ବ୍ୟବସ୍ଥାକୁ ଆଗକୁ ନେବା ।

ଗ୍ରାଣ୍ଡ ମୁଫତିଙ୍କ କାମ କ’ଣ ?

ଏହି ଉପାଧି ପାଉଥିବା ବ୍ୟକ୍ତିଙ୍କ ପାଖରେ ଧର୍ମ ସହ ଜଡିତ ବହୁତ ଦାୟିତ୍ବ ରହିଥାଏ । ଧାର୍ମିକ ପ୍ରଶ୍ନର ଉତ୍ତର ଦେବା, ଫତଓ୍ବା ଲଗାଇବା, ଶରିୟା ଆଇନର ବାଖ୍ୟା କରିବା ଓ ଧାର୍ମିକ ମାମଲାରେ ସରକାରଙ୍କୁ ପରାମର୍ଶ ଦେବା । ଏହାବାଦ ଇସଲାମ ପର୍ବ ଯେମିତିକି ରମଜାନ, ଇଦ ତାରିଖ ସ୍ଥିର କରିବା ଓ ମସଜିଦ ଏବଂ ଧାର୍ମିକ ସଂସ୍ଥାଙ୍କ ଉପରେ ନଜର ରଖିବା ଏମାନଙ୍କ କାମ ।

କେମିତି ମିଳିଥାଏ ଏହି ପଦ ?

ଏହା ଏମିତି ଏକ ପଦ ଯାହା ଶରିୟା ଆଇନ ଆଣିଥାନ୍ତି, ଫତସ୍ବା ଲଗାନ୍ତି ଓ ଇସଲାମ ତୀନି ଏବଂ ନିୟମ ଉପରେ ଶେଷ ନିଷ୍ପତ୍ତି ନେଇଥାନ୍ତି । ଏଥିପାଇଁ ଉକ୍ତ ବ୍ୟକ୍ତଙ୍କ ପାଖରେ ଇସଲାମକୁ ନେଇ ଗଭୀର ଜ୍ଞାନ ଥିବାର ଆବଶ୍ୟକତା ରହିଛି । ଏହି କାରଣରୁ ଗ୍ରାଣ୍ଡ ମୁଫତି ଏକ ଉଚ୍ଚତମ ଉପାଧି ହୋଇଥାଏ । କେହି ବି ଯୋଗ୍ୟ ମୁସଲିମ ଏହି ଉପାଧି ପାଇ ପାରିବେ । ହେଲେ ଗ୍ରାଣ୍ଡ ମୁଫତି ଜାତୀୟ ତଥା କ୍ଷେତ୍ରୀୟ ସ୍ତରରେ ବଡ଼ ପଦ ହୋଇଥାଏ । ଯେମିତି ଶେଖ ଅବୁବକର ଭାରତର ୧୦ମ ଗ୍ରାଣ୍ଡ ମୁଫତି ।

ଭାରତରେ କେମିତି ହୋଇଥାଏ ଚୟନ ?

ଭାରତ ସରକାର ଗ୍ରାଣ୍ଡ ମୁଫତିଙ୍କୁ ନିଯୁକ୍ତି ଦେଇ ନଥାନ୍ତି । ଏହା କୌଣସି ସାମ୍ବିଧାନିକ କି ସରକାରୀ ପଦ ନୁହେଁ । ଗ୍ରାଣ୍ଡ ମୁଫତିଙ୍କ ଜୟନ ମୁସଲିମ ସମାଜ, ଉଲେମା ଏବଂ ମୁସଲମାନ ସଂଗଠନ କରିଥାନ୍ତି । ଏହି ଚୟନ ପାଇଁ କୌଣସି ନିର୍ଦ୍ଧାରିତ ପ୍ରକ୍ରିୟା ନଥାଏ । ହେଲେ ବରେଲଓ୍ବି କିମ୍ବା ସୁନ୍ନି ମୁସଲମାନ ସଂଗଠନ ଯେମିତିକି ହାରୁଲ ଉଲୁମ, ଅଲ ଜାମିୟତୁଲା ଅଶରଫିଆ, ଦାରୁଲ ଉଲମ ମନିରିୟା ମିଶି ବରିଷ୍ଠ ଉଲେମାଙ୍କ ନାଁ ଏହି ଉପାଧି ପାଇଁ ଘୋଷଣା କରିଥାନ୍ତି । ଜ୍ଞାନ ଓ ବରିଷ୍ଠତା ଆଧାରରେ ଏହି ଚୟନ ହୋଇଥାଏ । ଯାହାଙ୍କ ପାଖରେ ଇସଲାମିକ ଆଇନ, ତଫସିର, ହଦିସ ଓ ଆରବୀ ଜ୍ଞାନ ଥାଏ । ବରିଷ୍ଠ, ସମ୍ମାନିତ ଓ ନିଷ୍କଳଙ୍କ ଛବି ଥିବା ବ୍ୟକ୍ତିଙ୍କୁ ଏହି ପଦ ଦିଆଯାଇଥାଏ । ପୂରା ସମୁଦାୟ କିମ୍ବା ମୁସଲମାନ ସଂଗଠନର ଏକ ବଡ଼ ବର୍ଗ ମାନ୍ୟତା ଦେବା ଆବଶ୍ୟକତା ରହିଥାଏ ।

ଭାରତର ୧୦ମ ଗ୍ରାଣ୍ଡ ମୁଫତି

ଶେଖ ଅବୁବକର ଭାରତର ୧୦ମ ଗ୍ରାଣ୍ଡ ମଫତି । ସେ ଦକ୍ଷିଣ ଭାରତର ପ୍ରଥମ ସାଫି ସ୍କଲର । ସେ ଅଲ ଇଣ୍ଡିଆ ମୁସିଲିମ ସ୍କଲଶର୍ସ ଆସୋସିଏସନର ମହାସଚିବ ଏବଂ ଭାରତର ପ୍ରମୁଖ ଶିକ୍ଷଣିୟ ଏବଂ ମାନବୀୟ ସଂସ୍ଥା ଜାମିୟା ମରକଜ ସକାଫୁତ ସୁନ୍ନିୟାର ସଂସ୍ଥାପକ ଏବଂ କୁଳପତି । ଜୋର୍ଡନରୁ ପ୍ରକାଶିତ ୫୦୦ ପ୍ରଭାବଶାଳୀ ମୁସଲିମ ପତ୍ରିକା ଶେଖ ଅବୁବକରଙ୍କୁ ଦୁନିଆର ୫୦୦ ପ୍ରଭାବଶାଳୀ ମୁସଲମାନଙ୍କ ମଧ୍ୟରୁ ଜଣେ ବୋଲି ମାନିଥାନ୍ତି । ଭାରତର ସବୁ ରାଜ୍ୟରେ କାର୍ଯ୍ୟରତ ଆଲ୍ ଇଣ୍ଡିଆ ଇସଲାମିକ ସ୍କଲାର୍ସ ଆସୋସିଏସନର ସେ ମହାସଚିବ ଅଛନ୍ତି । ଭାରତ ଓ ଆରବ ଜଗତରେ ଅନାଇ ଏବଂ ବେସାହାରଙ୍କୁ ସହାୟତା କରିବା ପାଇଁ ଶେଖ ଅବୁବକରଙ୍କୁ ଅନାଥଙ୍କ ବାପା (ଅବୁଲ ଅୟତମ) ଭାବେ ପରିଚିତ । ସେ ଆରବୀ, ଉର୍ଦ୍ଦୁ ଏବଂ ମଲୟାଲମ ଭାଷାରେ ୬୦ରୁ ଅଧିକ ବହି ଲେଖିଛନ୍ତି । ୫ ହଜାରରୁ ଅଧିକ ସାଂସ୍କୃତିକ କେନ୍ଦ୍ରର ନିର୍ମାଣ କରିଛନ୍ତି । ଗତ ୪ ଦଶନ୍ଧୀ ହେବ ଭାରତରେ ସେ ଅନ୍ତରାଷ୍ଟ୍ରୀୟ ଶାନ୍ତି ସମ୍ମିଳନୀର ପରିଚାଳନା କରି ଆସୁଛନ୍ତି ।

‘INDIA’ ମହାମେଣ୍ଟରୁ ସବୁ ସମ୍ପର୍କ ଛିନ୍ନ କଲା AAP: ଏବେ ସଂସଦରେ ବିରୋଧୀଙ୍କ ସ୍ବର କିପରି ରହିବ?

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେସନ ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ । ସଂସଦ ଅଧିବେସନ ଅବସରରେ ମୋଦୀ ସରକାରଙ୍କୁ ଘେରିବା ପାଇଁ ବିପକ୍ଷ ମହାମେଣ୍ଟ ଇଣ୍ଡିଆ ବ୍ଲକ ବୈଠକ ଡକାଇଛି, ଯେଉଁଥିରେ ଆମ୍ ଆଦମୀ ପାର୍ଟି ସାମିଲ ହେବ ନହିଁ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ବହୁମତରୁ ଦୂରେଇ ରଖିବାରେ ସଫଳ ହୋଇଥିବା ’ଇଣ୍ଡିଆ’ ମହାମେଣ୍ଟରେ ଏବେ ଫାଟ ସୃଷ୍ଟି ହେଲାଣି  । ଲୋକସଭା ନିର୍ବାଚନ ପୂର୍ବରୁ ଆପ ମହାମେଣ୍ଟରୁ ନିଜକୁ ଦୂରେଇ ରଖିଥିଲା । ଏବେ ସଂସଦର ମୌସୁମୀ ଅଧିବେସନ ପୂର୍ବରୁ ଗଠବନ୍ଧନରୁ ନିଜର ସବୁ ସମ୍ପର୍କ ସମାପ୍ତ କରିଛି ଆପ । ଆପର ଏହି ରାଜେନୖତିକ ପଦକ୍ଷେପ ସଂସଦରେ ବିପକ୍ଷଙ୍କ ଏକଜୁଟ ସ୍ବର ଦୁର୍ବଳ ହେବାର ଆଶଙ୍କା କରାଯାଉଛି ।

ସଂସଦର ମୌସୁମୀ ଅଧିବେସନ ଜୁଲାଇ ୨୧ରୁ ଆରମ୍ଭ ହୋଇ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଅଧିବେସନ ଅଗଷ୍ଟ ୧୨ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଥିଲା, ମାତ୍ର ମୋଦୀ ସରକାର ତାହାକୁ ଗୋଟିଏ ସପ୍ତାହ ବଢ଼ାଇ ଦେଇଥିଲେ । ମୋଦୀ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଇଣ୍ଡିଆ ମହାମେଣ୍ଟ ପକ୍ଷରୁ ଅନଲାଇନ ବୈଠକ ଡକାଯାଇଥିଲା । ସେଥିରେ ଆପ ଅଂଶଗ୍ରହଣ କରିବ ନାହିଁ । ଏହି କ୍ରମରେ ଆପ ଇଣ୍ଡିଆ ଗଠବନ୍ଧନରୁ ସମ୍ପୂର୍ଣ୍ଣ ଭାବେ ସମ୍ପର୍କ ଛିନ୍ନ କରିଛି । ତାଙ୍କ ଦଳ ଇଣ୍ଡିଆ ଗଠବନ୍ଧନ ବୈଠକରେ ସାମିଲ ହେବ ନାହିଁ ବୋଲି ଆପ ସାଂସଦ ସଞ୍ଜୟ ସିଂହ ସ୍ପଷ୍ଟ କରିଛନ୍ତି । ସଞ୍ଜୟ ଏହା ମଧ୍ୟ କହିଛନ୍ତି କି, ଆପ ସଂସଦୀୟ ପ୍ରସଙ୍ଗରେ ଟିଏମସି ଓ ଡିଏମକେ ପରି ବିପକ୍ଷ ଦଳଙ୍କ ସହ ସମନ୍ବୟ ବଜାୟ ରଖିବ ଓ ସେମାନଙ୍କୁ ସମର୍ଥନ କରିବ । ଏହି ସବୁ ଦଳ ଆପକୁ ସମର୍ଥନ କରୁଛନ୍ତି ।