ପୁରୀ : ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ । ଜୟବିଜୟ ଦ୍ୱାର ନିକଟରେ ବାନ୍ତି ପଡିଥିବାରୁ କରାଯାଉଛି ବଡ଼ ମହାସ୍ନାନ । ମହାପ୍ରଭୁଙ୍କର ଅବକାଶ ପୂଜା ଶେଷ ହେବା ପରେ ଶ୍ରୀଜିୟୁଙ୍କ ଦର୍ଶନ ଚାଲିଥିଲା । ଏହି ସମୟରେ ଛୋଟ ପିଲା ଜୟ ବିଜୟ ଦ୍ୱାର ନିକଟରେ ବାନ୍ତି କରିଦେଇଥିଲା । ଜୈନିକ ସେବାୟତ ଜୟ ବିଜୟ ଦ୍ୱାର ନିକଟରେ ବାନ୍ତି ପଡିଥିବାର ଦେଖିବାକୁ ପାଇଥିଲେ । ଏହାପରେ ଶ୍ରୀମନ୍ଦିରରେ କରାଯାଉଛି ବଡ଼ ମହାସ୍ନାନ । ବଡ଼ ମହାସ୍ନାନ ନିମନ୍ତେ ବର୍ତ୍ତମାନ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।
ଆରଡିସି ଅଫିସ ଘେରାଉ କରିବ ବିଜେଡି
ଭୁବନେଶ୍ବର : ରାଜ୍ୟରେ ନାରୀ ନିର୍ଯାତନା, ନାରୀଙ୍କ ବିରୋଧରେ ହିଂସା ପ୍ରତିବାଦରେ ବିଜେଡିର ଆନ୍ଦୋଳନ। ଆରଡିସି ଅଫିସ ଘେରାଉ କରିବ ବିଜେଡି। ବିଶେଷ କରି ମାତ୍ର ଏକ ସପ୍ତାହ ଭିତରେ ଦୁଇ ଦୁଇଟି ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଛି। ପ୍ରଥମେ ବାଲେଶ୍ଵର FM ଛାତ୍ରୀଙ୍କ ଆତ୍ମହତ୍ୟା, ଦ୍ଵିତୀୟରେ ବଳଙ୍ଗାରେ ନାବାଳିକାକୁ ପୋଡି଼ ମାରି ଦେବାର ଉଦ୍ୟମ। ଏହି ଦୁଇଟି ଘଟଣା ଛାତି ଧରାଇ ଦେଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବାର ଅଭିଯୋଗ କରି ଆଜି ସମସ୍ତ ଆରଡିସି ଅଫିସ ଘେରାଉ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି। କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ଆରଡିସି ଅଫିସ ଆଗରେ ଆନ୍ଦୋଳନ କରି ଧାରଣା ଦେବ ବିଜେଡି।
ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
ଭୁବନେଶ୍ବର : ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ। ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭୁବନେଶ୍ଵର ମଞ୍ଚେଶ୍ଵର ଥାନା ପୋଲିସ। ଜଣେ ଛାତ୍ରୀଙ୍କୁ କୋଲ୍ଡ ଡ୍ରିଙ୍କ୍ସ୍ରେ ନିଶା ଦେଇ ଏକ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୧୮ ତାରିଖରେ ହୋଇଥିଲା ଘଟଣା । ପୀଡ଼ିତା ମଞ୍ଚେଶ୍ୱର ଥାନାରେ FIR ଦେଇଥିଲେ। ସେହି ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ କରୁଛି । ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଏ ନେଇ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ ପରେ ଉଦିତକୁ ଗିରଫ କରିଥିବା ସୂଚନା ଦେଇଛି ପୋଲିସ । ଗତକାଲି ବିଳମ୍ଵିତ ରାତିରେ ଉଦିତ ପ୍ରଧାନଙ୍କୁ ଗିରଫ କରାଯାଇଥିବାର ସୂଚନା ଦେଇଛନ୍ତି ସଂପୃକ୍ତ ଜୋନ୍ ଏସିପି। ଅଭିଯୁକ୍ତ ଉଦିତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଆଧାରରେ ୫ଟି ସଂଗୀନ ଦଫା ଲାଗିଛି। ସେଗୁଡ଼ିକ ହେଲା ୬୪(୧), ୧୨୩, ୨୯୬, ୭୪ ଓ ୩୫୧ (୨) । ପୀଡିତାଙ୍କୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ କହିଛି କମିଶନରେଟ ପୋଲିସ।
ଆଲାସ୍କା ଓ ତାଜିକିସ୍ତାନରେ ଭୂମିକମ୍ପ ଅନୁଭୂତ
ନନ୍ଦିଘୋଷ ବ୍ୟୁରୋ : ଆଜି ସକାଳେ ଆଲାସ୍କା ଓ ତାଜିକିସ୍ତାନରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ତାଜିକିସ୍ତାନରେ ୪.୬ ତୀବ୍ରତାର ଭୂମିକମ୍ପ ହୋଇଛି। ଭୂମିକମ୍ପଟି ୨୩ କିଲୋମିଟର ଗଭୀରତାରେ ହୋଇଥିଲା, ଯାହା ଫଳରେ ଏହା ପରବର୍ତ୍ତୀ ଝଟକା ପାଇଁ ସମ୍ବେଦନଶୀଳ ହୋଇଥିଲା। ସେହି ସମୟରେ, ଆଲାସ୍କାରେ ମଧ୍ୟ ୬.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ୪୮ କିଲୋମିଟର ଗଭୀରତାରେ ଥିଲା।
ପୂର୍ବରୁ ଏନସିଏସ୍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଥିଲା ଯେ ରବିବାର ତାଜିକିସ୍ତାନରେ ୪.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ୧୬୦ କିଲୋମିଟର ଗଭୀରତାରେ ଥିଲା। ୧୮ ଜୁଲାଇରେ ୧୦ କିଲୋମିଟର ଗଭୀରତାରେ ୩.୮ ତୀବ୍ରତାର ଏକ ଭୂମିକମ୍ପ ମଧ୍ୟ ହୋଇଥିଲା। ଯେତେବେଳେ ୧୨ ଜୁଲାଇରେ ଏହି ଅଞ୍ଚଳରେ ଦୁଇଟି ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ଓ ୪.୨ ମାପ କରାଯାଇଥିଲା। ତାଜିକିସ୍ତାନ ଏକ ପାର୍ବତ୍ୟମୟ ଦେଶ ଏବଂ ଜଳବାୟୁ ସମ୍ବନ୍ଧୀୟ ବିପଦର ସମ୍ମୁଖୀନ ହେବାର ସମ୍ଭାବନା ଅଧିକ। ଏହା ଭୂମିକମ୍ପ, ବନ୍ୟା, ମରୁଡ଼ି, ହିମସ୍ଖଳନ, ଭୂସ୍ଖଳନ ଓ ମାଟି ଧସିବାର ସମ୍ଭାବନା ଅଧିକ। ସବୁଠାରୁ ଦୁର୍ବଳ ଅଞ୍ଚଳ ହେଉଛି ହିମବାହ-ନିର୍ଭରଶୀଳ ନଦୀ ଉପତ୍ୟକା ଯାହା ଜଳସେଚନ ପାଇଁ ଜଳବିଦ୍ୟୁତ ଓ ଜଳସମ୍ପଦ ଯୋଗାଇଥାଏ।
ଏନସିଏସ୍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଆଜି ଆଲାସ୍କାରେ ୬.୨ ତୀବ୍ରତାର ଭୂମିକମ୍ପ ହୋଇଛି। ଏହା ପରବର୍ତ୍ତୀ ଝଟକା ପାଇଁ ସମ୍ବେଦନଶୀଳ। ପୂର୍ବରୁ ୧୭ ଜୁଲାଇରେ, ରିକ୍ଟର ସ୍କେଲରେ ୭.୩ ତୀବ୍ରତାର ଏକ ଭୂମିକମ୍ପ ଆଲାସ୍କାକୁ ଥରାଇ ଦେଇଥିଲା। ଏନସିଏସ୍ ଅନୁଯାୟୀ, ଏହି ବିଶାଳ ଭୂମିକମ୍ପ ୩୬ କିଲୋମିଟର ଗଭୀରତାରେ ହୋଇଥିଲା, ଯାହା ଫଳରେ ଏହା ପରବର୍ତ୍ତୀ ଝଟକା ପାଇଁ ସମ୍ବେଦନଶୀଳ ହୋଇଥିଲା।
ସୋମବାର ଭାରତର ଜମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ମଧ୍ୟ ରିକ୍ଟର ସ୍କେଲରେ ୩.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏନସିଏସ୍ ଅନୁଯାୟୀ, ଭୂମିକମ୍ପଟି ୧୦ କିଲୋମିଟର ଗଭୀରତାରେ ହୋଇଥିଲା। ଏହି ସମୟରେ, ରବିବାର ରାତିରେ, ଅରୁଣାଚଳ ପ୍ରଦେଶର ଉପର ସୁବାନସିରି ଜିଲ୍ଲାରେ ରାତି ୧୦.୫୯ ସମୟରେ ୩.୪ ତୀବ୍ରତାର ଆଉ ଏକ କମ୍ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ରେକର୍ଡ କରାଯାଇଥିଲା। ଏନସିଏସ୍ ଅନୁଯାୟୀ, ଭୂମିକମ୍ପର ଗଭୀରତା ୫ କିଲୋମିଟର ଥିଲା।
ମାଆ ଓ ଭଉଣୀମାନଙ୍କର କେଶ ଟାଣି ଖାଉଥିଲେ, ଅପରେସନ ପରେ ପେଟରୁ ବାହାରିଲା ଅଧ କିଲୋ କେଶ
ପ୍ରୟାଗରାଜ : ଜଣେ ଯୁବତୀଙ୍କ ପେଟରୁ ବାହାରିଲା ଅଧ କିଲୋ କେଶ । ଆପରଙ୍କୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲଷ ମଧ୍ୟ ଏହା ସତ୍ୟ । ଏମିତି ଏକ ଘଟଣା ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି । ପେଟ ଯନ୍ତ୍ରଣା ଅଭିଯୋଗ କରିବା ପରେ ଜଣେ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା କରିବା ପରେ ଡାକ୍ତରମାନେ ଜାଣିପାରିଲେ ଯେ ତାଙ୍କ ପେଟରେ ଏକ ଟ୍ୟୁମର ଅଛି। ଏହା ପରେ, ଡାକ୍ତରମାନେ ଅପରେସନ କରି ଯୁବତୀଙ୍କ ପେଟରୁ ଅଧ କିଲୋ କେଶ ବାହାର କରିଛନ୍ତି।
ଅସ୍ତ୍ରୋପଚାର ହୋଇଥିବା ଝିଅଟି କୌଶାମ୍ବୀ ଜିଲ୍ଲାର ବାସିନ୍ଦା। ଝିଅଟିର ନାମ ମଞ୍ଜୁ। ତାଙ୍କ ବୟସ ୨୧ ବର୍ଷ। ଝିଅଟି କୌଶାମ୍ବୀ ଜିଲ୍ଲାର ଆଣ୍ଡୱା ପଶ୍ଚିମ ଶାରିରା ସରସାୱାର ବାସିନ୍ଦା। ସେ ପିଲାଦିନରୁ ମାନସିକ ବିକାରଗସ୍ତ । ମାନସିକ ଅସନ୍ତୁଳନ ଯୋଗୁଁ ଝିଅଟି କେଶ ଖାଇବା ଆରମ୍ଭ କଲା। ତା’ପରେ ଧୀରେ ଧୀରେ ସେ କେଶ ଖାଇବା ଅଭ୍ୟାସରେ ପଡ଼ିଗଲା।
ଝିଅଟି ପ୍ରାୟତଃ ତାଙ୍କ ମାଆ ଏବଂ ଭଉଣୀମାନଙ୍କର କେଶ ଛିଣ୍ଡାଇ ଖାଇଦେଉଥିଲା। ଏହି କାରଣରୁ ତାଙ୍କ ପେଟରେ ଧୀରେ ଧୀରେ କେଶ ଗଣ୍ଠି ପଡିବା ଆରମ୍ଭ କଲା । କିଛି ସମୟ ପରେ, ଝିଅଟିର ପେଟରେ ପ୍ରବଳ ଯନ୍ତ୍ରଣା ହେବା ଆରମ୍ଭ ହେଲା। ସେ ବାନ୍ତି କରିବାକୁ ଲାଗିଲା। ତାଙ୍କୁ ଭୋକ ଲାଗିଲା ନାହିଁ। ତାର ଓଜନ ଦ୍ରୁତ ଗତିରେ ହ୍ରାସ ପାଇବା ଆରମ୍ଭ କଲା। ଝିଅଟିର ପରିବାର ତାକୁ ଅନେକ ଡାକ୍ତରଖାନାକୁ ନେଇଗଲେ। ଅନେକ ଅଲ୍ଟ୍ରାସାଉଣ୍ଡ ଓ ପରୀକ୍ଷା କରାଯାଇଥିଲା, କିନ୍ତୁ ରୋଗ ନିର୍ଣ୍ଣୟ ହୋଇପାରିଲା ନାହିଁ।
କୌଣସି ଡାକ୍ତର ଝିଅଟିର ଅସ୍ତ୍ରୋପଚାର କରିବାକୁ ରାଜି ହୋଇ ନଥିଲେ। ଶେଷରେ, ଝିଅଟିର ପରିବାର ତାକୁ ପ୍ରୟାଗରାଜର ଏକ ହସ୍ପିଟାଲକୁ ନେଇଗଲେ। ହସ୍ପିଟାଲର ବିଶେଷଜ୍ଞ ଡାକ୍ତରଙ୍କ ଏକ ଦଳ ଝିଅଟିର ସଫଳତାର ସହ ଅସ୍ତ୍ରୋପଚାର କରି ତାଙ୍କ ପେଟରୁ କେଶ ବାହାର କରିଥିଲେ। ଡାକ୍ତରଙ୍କ ଅନୁସାରେ, କେଶର ଓଜନ ପ୍ରାୟ ଅଧ କିଲୋ। ଏହା ୧.୫ ଫୁଟ ଲମ୍ବା ଓ ୧୦ ସେଣ୍ଟିମିଟର ଘନ। ଏହି ଅପରେସନ କରିବା ପାଇଁ ଦୁଇ ଘଣ୍ଟା ସମୟ ଲାଗିଥିଲା । ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କର ମାନସିକ ରୋଗ ମଧ୍ୟ ଭଲ ହୋଇଯାଇଛି।
ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ସଂସଦ ଘେରାଉ କରିବ କଂଗ୍ରେସ
ଓଡ଼ିଶାର ପ୍ରସଙ୍ଗକୁ ପ୍ରାଥମିକତା ଦେଇ ସଂସଦ ଘେରାଉ କରିବ କଂଗ୍ରେସ । ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏହି ସମୟରେ ସଂସଦ ଘେରାଉ କରିବ କଂଗ୍ରେସ। ଘେରାଉ ବେଳେ ଓଡିଶା ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ ବୋଲି କହିଛି ଜାତୀୟ ମହିଳା କଂଗ୍ରେସ। ଓଡି଼ଶାରେ ସିଷ୍ଟମ ପୂରା ଫେଲ। ତେଣୁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ ବୋଲି ଜାତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲମ୍ବା ଦାବି କରିଛନ୍ତି। ପୂର୍ବରୁ କଂଗ୍ରେସ ବିଧାୟକମାନେ ମହିଳା ସୁରକ୍ଷା ପାଇଁ ଆଲୋଚନା କରିବାକୁ ଦାବି କରିବାରୁ ସେମାନଙ୍କୁ ବିଧାନସଭାରୁ ବାହାର କରିଦେଲେ। ଏବେ ପୁଣି ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆ ଯାଉଥିଲା। ସେ ସମସ୍ତଙ୍କୁ ଜଣାଇ ଥିଲା। ହେଲେ ସରକାର ନୀରବ ଥିଲେ। ଓଡିଶା ମହିଳାଙ୍କ ପାଇଁ ଏବେ ମୃତ୍ୟୁ କୂପ ସାଜିଛି। ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ, ସାଂସଦ, ବିଧାୟକ ସବୁ ଜାଣି ସୁଦ୍ଧ ଚୁପ ଥିଲେ। ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲେ। ଓଡିଶାରେ ଚାଳିଶ ହଜାର ମହିଳା ନିଖୋଜ। ଓଡ଼ିଶାରେ ନାରୀ ନିର୍ଯାତନା ମାମଲା ସାରା ଦେଶକୁ ହଲାଇ ଦେଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ସମେତ ନଅ ବିଜେପି ଶାସିତ ରାଜ୍ୟରେ ମହିଳା ଅତ୍ୟାଚାର ବଢିଛି। ଓଡିଶାରେ ପୁଲିସ କାର୍ଯ୍ୟାନୁଷ୍ଠାନ କରିବାକୁ ଡରୁଛି। ରାଜନୈତିକ ହସ୍ତକ୍ଷେପ ବଢିଛି। ପୁଲିସ ଉପରେ ଚାପ ବଢିଛି। ତେଣୁ ପ୍ରତି ଜିଲ୍ଲା, ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯିବ ମହିଳା କଂଗ୍ରେସ । ନାରୀକୁ ସୁରକ୍ଷା ମିଳିବା ଯାଏ ଲଢ଼ିବ। ସଡ଼କରୁ ସଂସଦ ଯାଏ ଲଢେ଼ଇ ହେବ। ଓଡିଶା ବନ୍ଦ ଡାକରାକୁ ସମସ୍ତେ ସମର୍ଥନ କରନ୍ତୁ। ଘରୁ ବାହାରନ୍ତୁ ବୋଲି ଲୋକଙ୍କୁ ଅପିଲ କରିଛନ୍ତି ଅଳକା ।
ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ
ଭୁବନେଶ୍ବର : ଆଜି ସଂସଦର ମୌସୁମୀ ଅଧିବେଶନ। ସଂସଦ ଅଧିବେଶନ ପୂର୍ବରୁ ବସିଥିଲା ସର୍ବଦଳୀୟ ବୈଠକ।ବିଭିନ୍ନ ପ୍ରସଙ୍ଗରେ ସହମତି ଆଣିବା ସହ ଶାନ୍ତିପୂର୍ଣ୍ଣ ଭାବେ ଗୃହ ଚଳାଇବା ଲାଗି ସରକାର ସର୍ବଦଳୀୟ ବୈଠକରେ ଆହ୍ବାନ କରିଥିଲେ ସରକାର। ଏହା ସହ ଅଧିବେଶନ କାଳରେ ଆସିବାକୁ ଥିବା କେତେକ ବିଲ୍ ପ୍ରସଙ୍ଗରେ ବି ଆଲୋଚନା ହୋଇଛି।ଚଳିତ ଅଧିବେଶନ ଆସନ୍ତା ଅଗଷ୍ଟ ୨୧ ଯାଏ ଚାଲିବ। ଅଗଷ୍ଟ ୧୨ରୁ ୧୮ ଯାଏ ଗୃହ ଚାଲିବ ନାହିଁ। ସେପଟେ ଦେଶରେ ମୁଦ୍ରାସ୍ଫୀତି, ବେକାରୀ, ବୈଦେଶିକ ନୀତି, ଜାତୀୟ ନିରାପତ୍ତା, ବିହାର ଏସଆଇଆର, ଅପରେସନ ସିନ୍ଦୂର ପ୍ରସଙ୍ଗରେ ଟ୍ରମ୍ପଙ୍କ ଯୁକ୍ତି ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ। ସେପଟେ ଅପରେସନ ସିନ୍ଦୂର ସମେତ ଅନ୍ୟାନ୍ଯ ପ୍ରସଙ୍ଗରେ ସରକାର ରାଜି ଅଛନ୍ତି ବୋଲି କହିଛନ୍ତି ରିଜିଜୁ। ଜାତୀୟ ପ୍ରସଙ୍ଗଗୁଡିକୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରିଜିଜୁ। ଚଳିତ ଅଧିବେଶନରେ ଆସିବାକୁ ଥିବା ବିଲ୍ ମଧ୍ୟରେ ରହିଛି ଜନ ବିଶ୍ବାସ ସଂଶୋଧନ ବିଲ୍, ଜାତୀୟ କ୍ରୀଡ଼ା ପ୍ରଶାସନ ବିଲ୍ ମର୍ଚ୍ଚାଣ୍ଟ ସିପିଙ୍ଗ ବିଲ୍। ମୋଟ ୭ଟି ବିଲ୍ ଚଳିତ ଅଧିବେଶନରେ ଗୃହୀତ ହେବାର ପ୍ରସ୍ତାବ ରହିଛି। ସେପଟେ ଏହି ଅଧିବେଶନରେ ଓଡ଼ିଶାର ସ୍ବାର୍ଥ ଲାଗି ଉଦ୍ଦିଷ୍ଟ ସମସ୍ତ ଦାବି ଉପସ୍ଥାପନ କରାଯିବ। ରାଜ୍ୟର ବିଜେପି ସରକାରର ବିଫଳତା, ନାରୀ ନିର୍ଯାତନା ଆଦି ପ୍ରସଙ୍ଗକୁ ଉଠାଇବ ବିଜେଡି।
ପୁରୀ ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା, ଏବେବି ପୋଲିସର ହାତ ଖାଲି
ଭୁବନେଶ୍ବର : ପୁରୀ ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା। ଦୁଇ ଦିନ ହେଲାଣି । ହେଲେ ଏଯାଏଁ ପୋଲିସର ହାତ ଖାଲି। ଜଣେ ବି ଅଭିଯୁକ୍ତକୁ ଧରିପାରିନାହିଁ ପୋଲିସ। ପୋଲିସ ମୁଖିଆ ଯାଇ ତନାଘନା କରି ଫେରିଛନ୍ତି। ପୋଲିସ ଆଇଜି, ଏସପିଙ୍କ ସହ ଆଲୋଚନା କରି ଫେରିଛନ୍ତି ପୋଲିସ ଡିଜି। ପୀଡ଼ିତାଙ୍କ ସହ ଅନ୍ୟ ସମ୍ପର୍କୀୟଙ୍କ ଫୋନ ରେକର୍ଡ ଯାଞ୍ଚ କରାଯାଇଛି। ଫୋନ ରେକର୍ଡରୁ ଅନେକ ସୁରାକ ମିଳିଥିବା ସୂଚନା ମିଳିଛି। ସାଇବର ଏକ୍ସପର୍ଟମାନେ ଏହି ସବୁ ତଥ୍ୟକୁ ଯାଞ୍ଚ କରୁଛନ୍ତି। ହେଲେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିନି ପୋଲିସ। ଏବେବି ପୋଲିସର ତନାଘନା ଜାରି ରହିଛି। ସେପଟେ ଦିଲ୍ଲୀ ଏମସରେ ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି। ପୀଡ଼ିତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି। ପୀଡ଼ିତାଙ୍କ ଶରୀରର ୭୫% ପୋଡ଼ିଯାଇଛି। ଦିଲ୍ଲୀ ଏମସ ବର୍ନ ICUରେ ଭର୍ତ୍ତି ହୋଇଛନ୍ତି ବଳଙ୍ଗା ପୀଡ଼ିତା। ଅକ୍ସିଜେନ ସପୋର୍ଟରେ ରହିଛନ୍ତି ପୀଡ଼ିତା। ବିଭିନ୍ନ ବିଭାଗର ଡାକ୍ତରଙ୍କୁ ନେଇ ଗଠିତ ଟିମ ଘଟଣାର ତଦାରଖ କରୁଛନ୍ତି।
ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର, ଚଳଚଞ୍ଚଳ ହୋଇଛି ବିଭିନ୍ନ ଶୈବପୀଠ
ଭୁବନେଶ୍ବର : ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର । ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରୁଛନ୍ତି କାଉଡ଼ିଆ । ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ । ପବିତ୍ର ନଦୀରୁ ଜଳ ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡିଆ । ଜଳଲାଗି ପାଇଁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ବ୍ଯାପକ ବ୍ଯବସ୍ଥା କରାଯାଇଛି । ସକାଳୁ ସକାଳୁ ବାବାଙ୍କ ନୀତିକାନ୍ତି ବଢିବା ପରେ ଧାଡ଼ିରେ ଯାଇ ଜଳଲାଗି କରୁଛନ୍ତି କାଉଡି଼ଆ । ସେହିପରି ପୁରୀ ଓ କଟକ ଆଠଗଡ଼ ସମେତ ରାଜ୍ଯର ସମସ୍ତ ଶିବ ମନ୍ଦିରରେ ଜଳଲାଗି ପାଇଁ ବ୍ଯାପକ ବ୍ଯବସ୍ଥା କରାଯାଇଛି । କାଉଡ଼ିଆଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ଯାବକ ବନ୍ଦୋବସ୍ତ କରାଯାଇଛି ।
ଏଫଏମ ମାମଲା: ଆଇସିସି ରିପୋର୍ଟ କମିଟି ସଦସ୍ୟଙ୍କୁ ଟାଣିଲା ସନ୍ଦେହ ଘେରକୁ
ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ଛାନବିନ । ଘଟଣାରେ ୨୦ ଜଣଙ୍କୁ ପଚରା ଉଚରା କରାଯାଇଛି । ସେପଟେ ନନ୍ଦିଘୋଷ ଟିଭି ହାତରେ ଲାଗିଛି ଆଇସିସି କମିଟିର ରିପୋର୍ଟ । ଏହି ରିପୋର୍ଟ ହିଁ ଆଇସିସି କମିଟି ସଦସ୍ୟଙ୍କୁ ସନ୍ଦେହ ଘେରକୁ ଆଣିଛି । କାରଣ ଏଥିରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଦିଆଯାଇଛି କ୍ଲିନଚିଟ ।
କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ହାତରେ ଲାଗିଛି ବହୁତ ସୁରାଗ । ତଦନ୍ତ ଲାଗି ଆଜି କଲେଜରେ ପହଞ୍ଚିଥିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ପ୍ରଥମେ ପୂର୍ବାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଡିଆଇଜି ଡା. ସତ୍ୟଜିତ ନାୟକଙ୍କ ସହ ଆଲୋଚନା କରିଥିଲେ । ପରେ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରୀ ଆତ୍ମାହୁତି ଦେଇଥିବା ସ୍ଥାନ ବୁଲି ଦେଖିଥିଲେ । ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଏହି ମାମଲା ସହିତ ସମ୍ପୃକ୍ତ ଥିବା ୨୦ ଜଣ ଲୋକଙ୍କୁ ପଚରାଉଚରା କରିଥିଲେ । ଡିଜିଙ୍କ ସହ ଥିଲେ କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଶାଖା ଆଇଜି ଏସ୍. ସାଇନି, ଡିଏସପି ଇମାନ କଲ୍ୟାଣ ନାୟକ, ଇନ୍ସପେକ୍ଟର ପାଞ୍ଚାଳୀ ରାଉତ । ଡିଜି କହିଛନ୍ତି, ବାଲେଶ୍ବର ପୀଡିତାଙ୍କୁ ନେଇ ତଦନ୍ତ ସମୟରେ ଅନେକ ସାମଗ୍ରୀ ମିଳିଛି । ସେଗୁଡିକୁ ଏସଏଫଏସଏଏକୁ ପଠାଯାଇଛି । ମାମଲାର ସଠିକ ତଦନ୍ତ ହେବ ଓ ଝିଅକୁ ନ୍ୟାୟ ମିଳିବ । ସାକ୍ଷୀମାନଙ୍କର ବୟାନ ଆସିଛି । ଡିଜିଟାଲ ମିଡିଆରେ ଯେଉଁ ବୟାନ ଆସୁଛି ଏବଂ ତଦନ୍ତ ସମୟରେ ଆସିଥିବା ବୟାନ ଓ ଏସଏଫଏସଏଲ ରିପୋର୍ଟକୁ ନେଇ ତର୍ଜମା କରାଯିବ । କ୍ରାଇମବ୍ରାଞ୍ଚ ଆଇଜି ଏସ୍. ସାଇନିଙ୍କ ନେତୃତ୍ବରେ ଘଟଣାର ତଦନ୍ତ ଜାରି ରହିଛି ।
ସେପଟେ ନନ୍ଦିଘୋଷ ଟିଭି ହାତରେ ଲାଗିଛି ଆଇସିସି କମିଟିର ରିପୋର୍ଟ । ଏହି ରିପୋର୍ଟ ହିଁ ଆଇସିସି କମିଟିର ସଦସ୍ୟଙ୍କୁ ସନ୍ଦେହ ଘେରକୁ ଆଣିଛି । ପୀଡିତାଙ୍କୁ ନିୟମିତ ଭାବେ କ୍ଲାସ ନ ଆସିବା ଏବଂ ସମୀର ସାହୁ ତାଙ୍କୁ ତାଗିଦ କରୁଥିବା କଥା ଉଲ୍ଲେଖ ରହିଛି । ଏପରିକି କଲେଜ କ୍ୟାମ୍ପସ ବାହାର କଥା ଅର୍ଥାତ ପୀଡିତା କେଉଁ କେଉଁ ମେସ ବା ଘରେ ଭଡାରେ ରହୁଥିବା ବେଳେ ତାଙ୍କୁ ମେସର ମାଲିକ ବାହାର କରିଥିଲେ ସେହି କଥା ବି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବଡ଼ କଥା ହେଉଛି, ଅଭିଯୁକ୍ତ ସମୀର ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରିପୋର୍ଟରେ କିଛି ବି ଉଲ୍ଲେଖ ନାହିଁ ।

