spot_img
Home Blog Page 549

ହସ୍ପିଟାଲ ଅଛି, ହେଲେ ଉପଯୁକ୍ତ ସଂଖ୍ୟକ ଡାକ୍ତର କି ନର୍ସ ନାହାନ୍ତି

ବ୍ରହ୍ମପୁର : ହସ୍ପିଟାଲ ଅଛି, ହେଲେ ଉପଯୁକ୍ତ ସଂଖ୍ୟକ ଡାକ୍ତର କି ନର୍ସ ନାହାନ୍ତି । ଖାଲି ପଡିଛି ଅନେକ ପଦ ପଦବୀ । ଏକ ପ୍ରକାର କାମ ଚଳାରେ ଚାଲିଛି ସ୍ବାସ୍ଥ୍ୟସେବା । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗରିବ ରୋଗୀ । ଗଞ୍ଜାମ ଜିଲ୍ଲାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ୬୯ % ପ୍ରତିଶତ ଡାକ୍ତର ପଦବୀ ଖାଲିପଡିଛି। ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲା ପରିଷଦଙ୍କୁ ଦେଇଥିବା ତଥ୍ୟରୁ ଏହା ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ ୧୦୭୭ ଡାକ୍ତର ରହିବା କଥା । ତେବେ ଏଥିରୁ ୩୩୧ ଡାକ୍ତର ରୋଗୀ ସେବା ଯୋଗଉଛନ୍ତି । ଆହୁରି ୭୪୬ ଡାକ୍ତର ପଦବୀ ଖାଲି ପଡିଛି। ଜିଲ୍ଲାରେ ୬୩୭ ରୁ ୪୨୪ ନର୍ସ ପଦବୀ ମଧ୍ଯ ଖାଲି ରହିଛି । ସେହିପରି ୧୦ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ୧୧୧ ଫାର୍ମାସିଷ୍ଟ, ୧୦୨୪ ବିଭିନ୍ନ ରେଡ଼ିଓଗ୍ରାଫର, ୪୧ ଲ୍ୟାବ ଟେକନିସିଆନ, ୩ ପିଏଚଇଓ, ୪ ଓପଲାମିକ ଆସିଷ୍ଟାଣ୍ଟ ପଦବୀ ଖାଲି ରହିଛି। ଜିଲ୍ଲାରେ  ମୋଟ ସ୍ବାସ୍ଥ୍ୟ ବିଭାଗରେ ୫୨.୪୮ ପ୍ରତିଶତ ବିଭିନ୍ନ ପଦ ପଦବୀ ଖାଲି ପଡିଥିବା ରିପୋର୍ଟରୁ ଜଣାପଡିଛି ।

ଜିଲ୍ଲାର ଛତ୍ରପୁର, ଭଞ୍ଜନଗର, ଆସିକା ଓ ହିଞ୍ଜିଳିରେ ଉପଖଣ୍ଡ ହସ୍ପିଟାଲ ରହିଥିବା ବେଳେ ୨ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ୯୩ ପ୍ରାଥମିକ ସେଣ୍ଟର ରହିଛି। ସ୍ବତନ୍ତ୍ର ନିଉ ବର୍ଣ୍ଣ କେୟାର ୟୁନିଟ ଛତ୍ରପୁର, ଆସିକା ଓ ହିଞ୍ଜିଳି ହସ୍ପିଟାଲରେ ନାହିଁ । ସେହିଭଳି ହିଞ୍ଜିଳି ଓ ଛତ୍ରପୁର ହସ୍ପିଟାଲରେ ନ୍ୟାସନାଲ ରିହାବିଲିଟେସନ ସେଣ୍ଟର ନାହିଁ । ଅପରପକ୍ଷରେ MKC, ବ୍ରହ୍ମପୁର ସିଟି ହସ୍ପିଟାଲ, ଛତ୍ରପୁର, ଭଞ୍ଜନଗର, ହିଞ୍ଜିଳି ଓ ଆସିକା ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ସେଣ୍ଟର ରହିଛି । ହେଲେ ଡାକ୍ତର ଅଭାବରୁ ଏହି ସେଣ୍ଟର କାର୍ଯ୍ୟକ୍ଷମ ହୋଇପାରୁ ନାହିଁ।  ଏହାର ପ୍ରତିକାର ପାଇଁ ସରକାର ତୁରନ୍ତ ଡାକ୍ତର ଦେବା ଆବଶ୍ୟକ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟଧିକାରୀ ।

ପୁଣି ମୁଁହ ଖୋଲିଲେ ପିପିଲି ପୀଡ଼ିତା ମହିଳା RI

ପିପିଲି : ପୁଣି ମୁଁହ ଖୋଲିଲେ ପିପିଲି ପୀଡ଼ିତା ମହିଳା ଆରଆଇ ।  ନ୍ୟାୟ ଦେବା ପରିବର୍ତ୍ତେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ପୁଣି ଅଭିଯୋଗ । ଖୋଦ ଇଣ୍ଟରନାଲ କମିଟିରେ ଥିବା ସମାଜ ମଙ୍ଗଳ ଅଧିକାରୀ ତାଙ୍କୁ କେସ ଉଠାଇବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଆର.ଆଇ । ସରକାରୀ ଚାକିରିରେ ଏମିତି ସବୁ ହୋଇଥାଏ । ତାକୁ ମ୍ୟାନେଜ କରିବାକୁ ପଡିବ ବୋଲି କୁହାଯାଉଥିବା ଅଭିଯୋଗ ଆଣିଛନ୍ତି ପୀଡିତା ଆରଆଇ । ସମାଜମଙ୍ଗଳ ଅଧିକାରିଣୀଙ୍କ ମାନସିକ ଚାପ ରେ ସେ ଭାରାକାନ୍ତ  ହୋଇ ଥିବା ମହିଳା ଆର ଆଇ ଜଣକ ଅଭିଯୋଗ କରିଛନ୍ତି। କେବଳ ସମାଜ ମଙ୍ଗଳ ଅଧିକାରିଣୀ ନୁହଁନ୍ତି କେସ ଉଠାଇବା ପାଇଁ ଅସମାଜିକ ବ୍ୟକ୍ତି ମଧ୍ୟ ତାଙ୍କୁ ଧମକ ଦେଉଥିବା ପୀଡିତା ଆରଆଇ କହିଛନ୍ତି । ଏଭଳି ଅଭିଯୋଗ ଆସିବା ପରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଥିବା ଇଣ୍ଟରନାଲ କମିଟିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଭଳି ଘଟଣାକୁ ନେଇ ପୁଣିଥରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ମହିଳା ଆରଆଇଙ୍କୁ ସରକାର ନ୍ୟାୟ ପ୍ରଦାନ ନକଲେ ରାଜ୍ୟବ୍ୟାପୀ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ରାଜ୍ୟରେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ମହିଳା ନିର୍ଯ୍ୟାତିତ ହେଉଥିବା ଖବର ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳା ଆରଆଇଙ୍କୁ ଅସଦାଚରଣ ବେଳର ଭିଜୁଆଲ ସିସି ଟିଭିରେ ରହିଥିଲେ ମଧ୍ୟ ଅସଦାଚରଣ କରିଥିବା ଅତିରିକ୍ତ ତହସିଲଦାରଙ୍କୁ ଘଣ୍ଟ ଘୋଡାଇବାରେ ଲାଗିଛି ଜିଲ୍ଲା ପ୍ରଶାସନ  । ଇଣ୍ଟରନାଲ କମିଟି ନ୍ୟାୟ ତ ଦେବା ଦୂରର କଥା ମହିଳା ଆରଆଇଙ୍କୁ କେଶ ଉଠାଇବା ପାଇଁ ବାଧ୍ୟ କରିବା  ଏବଂ  ଘଟଣାରେ ଜିଲ୍ଲା ପ୍ରଶାସନ ନିରବ ରହିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମେ ୨୪ ତାରିଖରେ ପିପିଲି ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତି ତହସିଲ କାର୍ଯ୍ୟାଳୟରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ।  ୨୫ ତାରିଖରେ ପିପିଲି ଥାନାରେ ଅଭିଯୋଗ କରିଥିଲେ ପୀଡିତା ମହିଳା ଆରଆଇ । ଅଭିଯୋଗ ପରେ ପିପିଲି ପୋଲିସ ମାମଲା ରୁଜୁ କରି ଚୁପ ବସିଥିବା ବେଳେ ପିପିଲି ତହସିଲଦାର ଇଣ୍ଟରନାଲ କମିଟି ଗଠନ କରିଥିଲେ । ମାତ୍ର ଅତିରିକ୍ତ ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବଦଳି କରାଯାଇ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଏପଟେ ପୀଡିତା ଆରଆଇ ନ୍ୟାୟ ପାଇଁ ଏ ଦୁଆର ସେ ଦୁଆର ହେଉଛନ୍ତି ।

ସୁନା ବିସ୍କୁଟ କାରବାର ନାଁରେ ପାଖାପାଖି ୨୦ କୋଟି ଠକେଇ, ଠକ ସର୍ଦ୍ଦାର ରମେଶ ମାଝୀ ଗିରଫ

ଭୁବନେଶ୍ୱର : ଠକେଇ ଟଙ୍କାରେ କରୁଥିଲା ମର୍ସିଡିଜ ମେଣ୍ଟେନ। ସୁନା ମୁକାଳିବା ନାଁ ରେ କୋଟି କୋଟି ଚଳୁ । ସ୍ପେଶାଲ କ୍ରାଇମ ୟୁନିଟ ଜାଲରେ ଜାଲି ସର୍ଦ୍ଦାର। ୨୦ କୋଟି ଠକେଇ ଅଭିଯୋଗରେ ରମେଶ ମାଝୀ ଗିରଫ। ସୁନା ବନ୍ଧକ ଅଛି । ଠିକ ସମୟରେ ଋଣ ଟଙ୍କା ପୈଠ ନକରିବାରୁ ସୁନା ନିଲାମ ହେବ । ଏଣୁ ନିଲାମ ସୁନା କିଣି ପରେ ବିକ୍ରି କଲେ ଅଧିକ ଲାଭ ମିଳିବ ” । ଏଭଳି ମାନମତାଣିଆ କଥା କହି ଲୋକଙ୍କୁ ଚୁନା ଲଗାଉଥିଲା ଠକ । ସୁନା କାରବାର ନାଁ ରେ ୨୦ କୋଟି ଠକେଇ ନେଇ ଏତଲା ପରେ ଅଭିଯୁକ୍ତ ରମେଶ ମାଝୀକୁ ଗିରଫ କରି କୋର୍ଟଚାଲାଣ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଅଧିକ ସୁଧ ଦେବାକୁ କହି ଠକେଇ କରିଥିବା ମାଷ୍ଟରମାଇଣ୍ଡକୁ ଧରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ୟୁନିଟ ୯ ଅଞ୍ଚଳରେ ରହୁଥିବା ରମେଶ MBA ଡିଗ୍ରୀ ଧାରୀ  । ବେଶ ଉଚ୍ଚଶିକ୍ଷିତ । ଏହି ଯୁବକ ୫ ବର୍ଷରୁ ଏହି ଠକେଇ ସିଣ୍ଡିକେଟ ଚଳାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଠକେଇର ଶିକାର ବ୍ୟକ୍ତି । ସ୍ପେଶାଲ କ୍ରାଇମ ୟୁନିଟ ନିକଟରେ ଅଭିଯୋଗ ଦେବା ପରେ ସେମାନଙ୍କ କହିବା କଥା ହେଉଛି ଅଭିଯୁକ୍ତ ଜଣଙ୍କ ଅନୁସୂଚିତ ଜନଜାତିର ହୋଇଥିବାରୁ ସେ ଜାତିଆଣ କେସ ଦେବ କହି ଧମକାଉଥିଲା । ଘରକୁ ଗଲେ ଭଡାଟିଆ ଗୁଣ୍ଡା ଲଗାଇ ମାରିବାକୁ ଧମକ ମଧ୍ୟ ଦେଉଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ।

ଭଲକରି ଦେଖନ୍ତୁ ଏହି ଗାଡିକୁ । ନାଲି ରଙ୍ଗର ମର୍ସିଡିଜ କାର । ଠକେଇ ଟଙ୍କାରେ କୁଆଡେ ଅଭିଯୁକ୍ତ କିଣିଥିଲା ଏହି ଗାଡି । ତଦନ୍ତକାରୀ ଅଧିକାରୀଙ୍କ ସୂଚନା ମୁତାବକ ଠକେଇ ଟଙ୍କାରେ ଫରେନ ବୁଲୁଥିଲା ଓ ଅୟସ ଆରାମ କରୁଥିଲା ଏହି ଠକ । ସେପଟେ ଅତ୍ୟଧିକ ସୁଧ ନେବା ପରେ ଏତଲାକାରୀ ତାଙ୍କ ପୁଅ ବିରୋଧରେ ମିଛ ଅଭିଯୋଗ କରୁଥିବା ରମେଶଙ୍କ ପରିବାର ଲୋକେ କହିଛନ୍ତି । ଜଣେ ବିଲ୍ଡର ତାକୁ ତଳିତଳାନ୍ତ କରିଦେଇଥିବା ନିଜେ ଅଭିଯୁକ୍ତ କହିଛି । ସ୍ପେଶାଲ କ୍ରାଇମ ୟୁନିଟରେ ବର୍ତ୍ତମାନ ପାଖାପାଖି ୨୦ ଜଣ ଅଭିଯୋଗ କରିଛନ୍ତି। ଯଦି ଆଉ କେହି ଏଭଳି ଠକେଇର ଶିକାର ହୋଇଥାନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ସୂଚନା ଦେଇଛି କମିଶନରେଟ ପୋଲିସ ।

ଖତ ଖାଉଛି ଜବତ ହୋଇଥିବା କୋଟିକୋଟି ଟଙ୍କାର ଗାଡ଼ି

ଗଜପତି : ଗଦା ହୋଇ ପଡିଛି ଶହଶହ ଗାଡି । ଖରାବର୍ଷା ଖାଇ ହେଲାଣି ଖତ । କର୍ତ୍ତୃପକ୍ଷଙ୍କ ନାହିଁ ନିଘା ।.. ..ଏହା କୌଣସି କବାଡିଖାନାର ଦୃଶ୍ଯ ନୁହେଁ । ଏ ହେଉଛି ସରକାରୀ କାର୍ଯ୍ଯାଳୟ ପରିସରର ଅବସ୍ଥା । ପରିବହନ କାର୍ଯ୍ୟାଳୟ ହେଉ ଅବା ଅବକାରୀ କାର୍ଯ୍ୟାଳୟ କି ଥାନା । ସବୁଠି ଖତ ଖାଉଛି ଦୁଇ ଚକିଆ ଠାରୁ ଆରମ୍ଭ କରି ବଡବଡ ଟ୍ରକ ଭଳି ଯାନବାହନ । ଏ ସମସ୍ତ ଗାଡି ଗୁଡିକ ବିଭିନ୍ନ ମାମଲାରେ ଜବତ କରାଯାଇଥିଲା । ହେଲେ ଗାଡି ମାଲିକ ମୁକୁଳାଇ ନପାରିବାରୁ ତାହା ପଡି ପଡି ନଷ୍ଟ ହେଉଛି । ଅନେକ କ୍ଷେତ୍ରରେ ନକଲି ନମ୍ବର ବ୍ୟବହାର ହୋଇଥିବା ଗାଡି ପୁଣି କେତେକ କ୍ଷେତ୍ରରେ ଅବଧି ଶେଷ ହୋଇଥିବା ଗାଡିକୁ ଛାଡି ଚାଲିଯାଉଛନ୍ତି ଚାଳକ । ପୋଲିସ କିମ୍ବା ପରିବହନ ବିଭାଗ ପ୍ରକୃତ ମାଲିକ ପାଖରେ ପହଞ୍ଚି ନପାରିବାରୁ ଗାଡି ଗୁଡିକୁ ହସ୍ତାନ୍ତର ହୋଇପାରୁନାହିଁ । ଦିନକୁ ଦିନ ଏଭଳି ମାମଲା ବୃଦ୍ଧି ପାଉଥିବାରୁ ଜବତ ଗାଡି ସଂଖ୍ଯା ବଢି ଚାଲିଛି । ଗାଡି ରଖିବାକୁ କାର୍ଯ୍ଯାଳୟ ପରିସରରେ ସ୍ଥାନ ନଥିବାରୁ ଖୋଲା ସ୍ଥାନରେ ପଡି ନଷ୍ଟ ହେଉଛି ମୂଲ୍ଯବାନ ଗାଡି ।

କେତେକ କ୍ଷେତ୍ରରେ ଅଦାଲତରେ ମାମଲା ଦୀର୍ଘ ଦିନ ଧରି ଚାଲୁଥିବା ବେଳେ ସଂପୃକ୍ତ ଗାଡିଗୁଡିକ ହସ୍ତାନ୍ତର ନହୋଇପାରି ପଡିରହିଛି । ଫଳରେ ବିଭିନ୍ନ କାର୍ଯ୍ଯାଳୟରେ ନୂଆ ପୁରୁଣା ଗାଡିଗୁଡିକ ଖତ ଖାଉଛି । ଦୁର୍ଘଟଣାଗ୍ରଗସ୍ତ ଗାଡିଗୁଡିକ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡିଥିବା ବେଳେ ତାହା ଉପରେ ଲତାବୁଦା ମାଡିଗଲାଣି । ଅନ୍ଯପଟେ କୋଟିକୋଟି ଟଙ୍କା ମୂଲ୍ଯର ଗାଡିଗୁଡିକ ନଷ୍ଟ ହେଉଥିବା ବେଳେ ଗାଡିଗୁଡିକ ସୁରକ୍ଷିତ ଭାବେ ରଖିବାକୁ ସରକାରଙ୍କ ପକ୍ଷରୁ କୌଣସି ବ୍ଯବସ୍ଥା ନାହିଁ । ଏପଟେ ଜବତ ଗାଡିଗୁଡିକୁ ଯଥାଶୀଘ୍ର ହସ୍ତାନ୍ତର କରିବାକୁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଯଥା ସମ୍ଭବ ସମସ୍ତ ଜବତ ଗାଡିଗୁଡିକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ  । କେବେ ଜବତ ହୋଇଥିବା ଗାଡି ଗୁଡିକ ଲୋକଙ୍କୁ ହସ୍ତାନ୍ତର କରାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ପାଠ ପଢିବାକୁ ଭଙ୍ଗା ବାଉଁଶ ପୋଲ ଦେଇ ନଦୀ ପାର ହେଉଛନ୍ତି ପିଲା

ମହାକାଳପଡା  ; ଶୁଣିଲାନି ପ୍ରଶାସନ । ନିଜସ୍ଵ ଉଦ୍ଯମରେ ଗୋବରୀ ନଦୀ ଉପରେ ବାଉଁଶ ପୋଲ ନିର୍ମାଣ କରି ଚଳୁଥିଲେ ଗ୍ରାମବାସୀ । ମରାମତି ଅଭାବରୁ ତାହା ମଧ୍ଯ ଭାଙ୍ଗିଗଲା । ଏବେ ଜୀବନକୁ ବାଜି ଲଗାଇ ଭରା ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କଂସାର ବଡ଼ ଦାଣ୍ଡୁଆ ପଞ୍ଚାୟତର ତରପଦା ଗାଁକୁ ଲାଗି ବହି ଯାଇଛି ଗୋବରୀ ନଦୀ । ଯାତାୟତ ସୁବିଧା ପାଇଁ ଗୋବରୀ ନଦୀ ଉପରେ ଗ୍ରାମବାସୀ ମାନେ ବାଉଁଶ ପୋଲ ନିର୍ମାଣ କରିଥିଲେ । ବାଉଁଶ ପୋଲ ଦେଇ କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତର ଲୋକମାନେ ଜଗତଯୋର, ସୁନୀତି ଆଦି ସ୍ଥାନକୁ ଯାଇଥାନ୍ତି । ନଦୀର ଆରପଟରେ ଥିବା ସୁନୀତି ପଞ୍ଚାୟତର ସୁଗଲ, ଦତ୍ତପୁର ଓ ଖରିଅଣ୍ଟା ଆଦି ଗାଁର ଶତାଧିକ ଛାତ୍ରଛାତ୍ରୀମାନେ ବାଉଁଶ ପୋଲ ଦେଇ ତରପଦାସ୍ଥିତ ହାଇସ୍କୁଲକୁ ପାଠ ପଢିବାକୁ ଆସିଥାନ୍ତି । ଏବେ ମାସକରୁ ଅଧିକ ଦିନ ହେବ ବାଉଁଶ ପୋଲଟି ଭାଙ୍ଗିଯିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଦୁଇ ପଞ୍ଚାୟତବାସୀ । ଅନେକ ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ଭାବରେ କୁମ୍ଭୀର ଭର୍ତ୍ତି ନଦୀରେ ଭଙ୍ଗା ବାଉଁଶ ପୋଲ ଦେଇ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି।

ସୁନୀତି ପଞ୍ଚାୟତ ଏବଂ କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତ ମଧ୍ଯ ଦେଇ ବହିଯାଇଛି ଗୋବରୀ ନଦୀ । କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର , ମିନି ବ୍ୟାଙ୍କ ଓ କୁଂଜ ବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଉପରେ ସୁନୀତି ପଞ୍ଚାୟତର କିଛି ଲୋକ ନିର୍ଭର କରିଥାନ୍ତି । ତେବେ ବାଉଁଶ ପୋଲଟି ଭାଙ୍ଗି ଯିବାରୁ ଦୁଇ ପଞ୍ଚାୟତର ଲୋକମାନେ ଯିବା ଆସିବା କରିବା ପାଇଁ ପାଞ୍ଚ ଶହ ମିଟର ବଦଳରେ ୫ କିଲୋମିଟର ମିଳନମୋଡ ସେତୁ ଦେଇ ଯିବା ଆସିବା କରୁଛନ୍ତି । ଯଥାଶୀଘ୍ର ବାଉଁଶ ପୋଲଟିକୁ ମରାମତି କରାଯାଉ ଏବଂ ପୂର୍ବ ସରକାରଙ୍କ ସମୟରେ ଶୁଭ ଦିଆଯାଇଥିବା ସ୍ଥାୟୀ ପୋଲକୁ କାର୍ଯ୍ୟକାରୀ କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ । କେବେ ଦୁଇ ପଞ୍ଚାୟତରେ ଯାତାୟତ ସୁଗମ ହେଉଛି ତାହା ଉପରେ ସମସ୍ତଙ୍କର ରହିଛି ନଜର।

ମୁହୁରୀ କଳାକୁ ବଞ୍ଚାଇ ରଖିବାକୁ ପଦ୍ମପୁର ସଙ୍ଗୀତ ସମିତି ପକ୍ଷରୁ କରାଯାଇଛି ନିଆରା ପ୍ରୟାସ

ବରଗଡ : ମଣିଷ ଜନ୍ମରୁ ମୃତ୍ଯୁ ପର୍ଯ୍ଯନ୍ତ ପ୍ରତ୍ଯେକଟି ସ୍ଥାନରେ ଖୋଜାପଡେ ପଞ୍ଚବାଦ୍ଯ । ଏହି ପାରମ୍ପରିକ ପଞ୍ଚବାଦ୍ଯ ମଧ୍ଯରୁ ଅନ୍ଯତମ ହେଉଛି ମୁହୁରୀ । ଦିନ ଥିଲା ଖୁସି ହଉ ଅବା ଦୁଃଖ, ପୂଜା ହଉ ଅବା ସଂସ୍କାର, ଶାନ୍ତି ହଉ ବା ଯୁଦ୍ଧ ସବୁଠି ଖୋଜା ପଡୁଥିଲା ମୁହୁରୀ । ବରଗଡ ଜିଲ୍ଲା ବୋଡାସମ୍ବରର ପ୍ରତ୍ଯେକଟି ଗାଁରେ ଦେଖିବାକୁ ମିଳୁଥିଲେ ମହୁରିଆ । ହେଲେ ଏବେ ମୁହୁରିଆଙ୍କ ସଂଖ୍ଯା କମିବାକୁ ଲାଗିଲାଣି । କଳାକୁ ବଞ୍ଚାଇ ରଖିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଯୁବପିଢୀ । ଏଣୁ ଏହି କଳାକୁ ବଞ୍ଚାଇ ରଖିବା ପାଇଁ ପଦ୍ମପୁର ସଙ୍ଗୀତ ସମିତି ପକ୍ଷରୁ ବିଭିନ୍ନ କଳାକାରଙ୍କୁ ନେଇ ଦିନିକିଆ ମୁହୁରୀ ଉତ୍ସବ ଆୟୋଜନା କରାଯାଇଛି ।

ବରଗଡର ସ୍ଥାନୀୟ ରାଜାଜି ଟାଉନ ହଲ ଠାରେ ଏକ ଦିନିଆ ମୁହୁରୀ ଉତ୍ସବର ଆୟୋଜନ କରାଯାଇଥିଲା । ଯେଉଁଥିରେ ବୋଡାସମ୍ବରର ୨୦ ଜଣ ମୁହୁରିଆ ଓ ପଞ୍ଚବାଦ୍ଯର କଳାକାର ସାମିଲ ଥିଲେ । ଉତ୍ସବରେ ଅତିଥି ଭାବରେ ପ୍ରାଧ୍ୟାପକ କେଶରଞ୍ଜନ ପଧାନ ଓ ନାଟ୍ୟକାର ଅଶୋକ ବହିଦାର ପ୍ରମୁଖ ଯୋଗ ଦେଇ ଉତ୍ସବର ଉଦଘାଟନ କରିଥିଲେ । ଏଥିସହ ଆଗାମୀ ଦିନରେ ଏହି ଉତ୍ସବ ଯୁବପୀଢୀଙ୍କୁ କଳା ପ୍ରତି ଆକୃଷ୍ଟ କରିବେ ବୋଲି କହିଥିଲେ । ମୁହୁରୀ ଉତ୍ସବ ଯୁବ ସମାଜକୁ ଆକୃଷ୍ଟ କରିବ ନିଶ୍ଚୟ ।

କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତିକକରଣ କରିବା ଲାଗି ପାକିସ୍ତାନର ପ୍ରୟାସକୁ ଭାରତର ତୀବ୍ର ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତିକକରଣ କରିବା ଲାଗି ପାକିସ୍ତାନର ପ୍ରୟାସକୁ ଭାରତର ତୀବ୍ର ସମାଲୋଚନା । ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ କାଶ୍ମୀର ପ୍ରସଙ୍ଗ ନେଇ ବିଷୋଦଗାର କରିଛି ଭାରତ । ଏହା ସହ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ପାକିସ୍ତାନର ଯୁକ୍ତିକୁ ଭାରତ ଅଗ୍ରାହ୍ୟ କରିଛି । ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦରଙ୍କ ମନ୍ତବ୍ୟକୁ ସମାଲୋଚନା କରିଛି ଭାରତ । ଆତଙ୍କବାଦ ଓ ଅନ୍ତର୍ଜାତୀୟ ଶାନ୍ତି ପ୍ରସଙ୍ଗରେ ପାକିସ୍ତାନକୁ ଭର୍ତ୍ସନା କରିଛନ୍ତି ଜାତିସଂଘରେ ନିଯୁକ୍ତ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ । ନିଜର ଅଭିଭାଷଣରେ ଇଶାକ ଦର କହିଥିଲେ- କାଶ୍ମୀର ହେଉଛି ଏକ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ବିବାଦୀୟ ଅଞ୍ଚଳ । ଏହା ସହ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଭାରତ ନେଇଥିବା ପଦକ୍ଷେପ ଅଯୌକ୍ତିକ ଓ ଅଗ୍ରହଣୀୟ । ଏହା ସହ ନିରାପତ୍ତା ପରିଷଦ ପ୍ରସ୍ତାବର ବୈଧତା ଅନୁସାରେ କାଶ୍ମୀର ପ୍ରସଙ୍ଗରେ ଏକ ପ୍ରସ୍ତାବ ଆଣିବାକୁ ସେ ଜାତିସଂଘ ନିକଟରେ ଦାବି କରିଥିଲେ । ସେପଟେ ଇଶାକ ଦରଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ ହରିଶ । ସେ କହିଥିଲେ ଭାରତର ଗଣତନ୍ତ୍ର ସମୃଦ୍ଧ । ଏହାର ଅର୍ଥନୀତି ଶକ୍ତିଶାଳୀ । ଏହାର ରହିଛି ଏକ ଅନ୍ତର୍ଭୁକ୍ତିମୂଳକ ସମାଜ । ମାତ୍ର ପାକିସ୍ତାନରେ ଭରି ରହିଛି ମୌଳବାଦ ଓ ଆତଙ୍କବାଦ । ଏହାର ଅର୍ଥନୀତି ଦେବାଳିଆ ଏବଂ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିରୁ ପାକିସ୍ତାନ ଧାରାବାହିକ ଭାବେ ଋଣ କରିଥାଏ । ଜାତିସଂଘ ନିରାପତ୍ତା ପରିଷଦ ଶାନ୍ତି ଓ ନିରାପତ୍ତା ନେଇ ଆଲୋଚନା କରିବା ସହ ଆତଙ୍କବାଦ ବିରୋଧରେ ଜାତିସଂଘ ଜିରୋ ଟଲରାନ୍ସ ନୀତି ଆପଣାଉ ବୋଲି କହିଥିଲେ ହରିଶ ।

ନକଲି ଦେଶ, ନେତାଙ୍କ ସହ ନକଲି ଫଟୋ, ୪ ଦେଶର ନକଲି ଦୂତାବାସ: ଜାଣନ୍ତୁ ଏକ ମହାଠକର କାହାଣୀ….

ଆପଣମାନେ ବିଭିନ୍ନ ନକଲି ସାମଗ୍ରୀ ବିଷୟରେ ଶୁଣିଥିବେ । କେବେ ନକଲି ଦୂତାବାସ, ଦେଶ ବିଷୟରେ ଶୁଣିଛନ୍ତି କି ? ଉତ୍ତରପ୍ରଦେଶର ଗାଜିଆବାଦର କବିନଗରରେ ଏକ ଆଲୀଶାନ କୋଠାରେ ୪ଟି ଦେଶର ଦୂତାବାସ ଚାଲିଥିଲା । ଏହି ଦୂତାବାସ ସବୁ ନକଲି ଥିଲା । ହର୍ଷବର୍ଦ୍ଧନ ଜୈନ ନାମକ ଜଣେ ଯୁବକ ଏହାକୁ ଭଡ଼ାଘରେ ଚଲାଉଥିଲେ । ବେକାରୀଙ୍କୁ ବିଦେଶ ପଠାଇବା ନାମରେ ଲୁଟ୍ କରିବା ତା’ର ମୁଖ୍ୟ କାମ ଥିଲା । ସେ ଲୋକଙ୍କୁ ବିଭିନ୍ନ ନେତାଙ୍କ ସହ ଏପରି ନକଲି ଫଟୋ ଦେଖାଉଥିଲା ଯେ, ସମସ୍ତେ ତାକୁ ବିଶ୍ବାସ କରୁଥିଲେ । ଏବେ ପୋଲିସ ହର୍ଷବର୍ଦ୍ଧନକୁ ଗିରଫ କରିଥିବା ବେଳେ ତା’ ନିକଟରୁ ବହୁ ଅବିଶ୍ବସନୀୟ ଗୁମର ଖୋଲୁଛି ।

ହର୍ଷବର୍ଦ୍ଧନର କୋଠା ବାହାରେ ଲଗଜରୀ କାର ଠିଆ ହେଉଥିଲା । ଏହିସବୁ ଗାଡ଼ିରେ ନକଲି ଡିପ୍ଲୋମାଟିକ୍ ନମ୍ବର ପ୍ଲେଟ ଲାଗିଥିଲା । ସେ ୪ଟି ଦେଶର ଦୂତାବାସ ଖୋଲିଥିଲା । ପୋଲିସ ରେଡ୍ ସମୟରେ ଲକ୍ଷାଧିକ କ୍ୟାସ, ବିଦେଶୀ ମୁଦ୍ରା, ନକଲି ପାସପୋର୍ଟ ଓ ନକଲି ଷ୍ଟାମ୍ପ ପରି ଅବୈଧ ସାମଗ୍ରୀ ଜବତ କରିଥିଲା । ତା’ର ନକଲି ଅଫିସ ଭିତରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ହର୍ଷବର୍ଦ୍ଧନର ନକଲି ଫଟୋ ରହିଥିଲା । ଏହାଫଳରେ ସେ ଏକ ବଡ଼ ଅଧିକାରୀ ବୋଲି ଲୋକେ ବିଶ୍ବାସ କରିନେଉଥିଲେ । ସେ ୪ଟି ଦେଶର ଆମ୍ବାସଡର ବୋଲି ନିଜକୁ କହୁଥିଲା । ତା’ ପାଖରୁ ୧୨ଟି ଡିପ୍ଲୋମାଟିକ ପାସପୋର୍ଟ, ୪ଟି ଲଗଜରୀ କାର, ୨ଟି ନକଲି ପ୍ୟାନ କାର୍ଡ, ୨ଟି ନକଲି ପ୍ରେସ କାର୍ଡ, ୪୪ ଲକ୍ଷ ଟଙ୍କା, ଅନେକ ଦେଶର ମୁଦ୍ରା, ୧୮ଟି ଡିପ୍ଲୋମାଟିକ ନମ୍ବର ପ୍ଲେଟ ଓ ଅନେକ କମ୍ପାନୀର ଡକ୍ୟୁମେଣ୍ଟ ଜବତ କରିଥିଲା ପୋଲିସ । ହର୍ଷବର୍ଦ୍ଧନ କୋଠାରେ ୪ଟି ଦେଶର ନକଲି ପତାକା ଲାଗିଥିଲା । ସେ ଦେଶରେ ଓ ବିଦେଶରେ ଏକ ବଡ଼ ରାକେଟ ଚଲାଉଥିଲା ।

ଗୁରୁତର ରୋଗୀଙ୍କ ଜୀବନ ବଂଚାଇଲେ ସିଆରପିଏଫ ଯବାନ

ମାଲକାନଗିରି : ଗୁରୁତର ବାତ ରୋଗୀଙ୍କ ଜୀବନ ବଂଚାଇଲେ ସିଆରପିଏଫ ଯବାନ । ଟ୍ରାକ୍ଟର ଯୋଗେ ରୋଗୀଙ୍କୁ ଡାକ୍ତରଖାନାରେ ପହଁଚାଇଲେ । ଏଭଳି ଖବର ଆସିଛି ପଡ଼ୋଶୀ ଛତିଶଗଡର ବିଜାପୁର ଜିଲ୍ଲାରୁ । ପଟେଲପାରା ଗାଁର ୪୮ ବର୍ଷୀୟ କବାସୀ ଆଡମା ବାତ ରୋଗରେ ପିଡିତ ଥିଲେ । ହଠାତ ଆଜି ତାଙ୍କୁ ବାତ ମାରିବା ପରେ ସମ୍ପୁର୍ଣ୍ଣ ଅସୁସ୍ଥ ହୋଇ ପଡିଥିଲେ । ରକ୍ତଚାପ ସାଙ୍ଗକୁ ସୁଗାର ଲେବୁଲ ମଧ୍ୟ ଖସି ଯାଇଥିଲା । ରୋଗୀଟି ଜୀବନ ମରଣ ସହ ସଂଗ୍ରାମ କରୁଥିବା ଖବର ପାଇ ନିକଟସ୍ଥ କୋରାଗୁଟ୍ଟା ସ୍ଥିତ ୧୫୧ ବାଟାଲିୟନର ଯବାନ ଓ ଡାକ୍ତରୀ ଦଳ ଗାଁରେ ପହଁଚିଥିଲେ । ତୁରନ୍ତ କବାସୀ ଆଡମାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ଯବାନମାନେ ଆଡମାଙ୍କୁ ଖଟରେ ବୋହି ନେଇ ଟ୍ରାକ୍ଟର ଯୋଗେ ପାମେଡ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ସଂସଦର ଉଭୟ ଗୃହ ଆସନ୍ତାକାଲି ଯାଏଁ ମୁଲତବି

ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ପ୍ରସଙ୍ଗ। ଆସନ୍ତା ୨୮ ଓ ୨୯ରେ ସଂସଦର ଉଭୟ ଗୃହରେ ୧୬ ଘଣ୍ଟା ଧରି ହେବ ସ୍ବତନ୍ତ୍ର ଆଲୋଚନା। ଏଥିରେ ସରକାର ରଖିବେ ବିବୃତି। ଅପରେସନ ସିନ୍ଦୂର ପ୍ରସଙ୍ଗରେ ସରକାରଙ୍କ ଉତ୍ତର ଦାବିରେ ଅଟଳ ରହିଥିଲେ ବିରୋଧୀ। ଆସନ୍ତା ସୋମବାର ଲୋକସଭାରେ ଏହି ପ୍ରସଙ୍ଗ ଆଲୋଚନା ହେବାକୁ ଥିବାବେଳେ ମଙ୍ଗଳବାର ଦିନ ରାଜ୍ୟସଭାରେ ହେବ ଆଲୋଚନା।ଗୁରୁବାରଠାରୁ ହିଁ ଆଲୋଚନା ହେଉ ବୋଲି ବିରୋଧୀ ଦାବି କରୁଥିଲେ ବି ସରକାର ସୋମବାର ଓ ମଙ୍ଗଳବାରକୁ ଧାର୍ଯ୍ୟ କରିଛନ୍ତି। ପହଲଗାଓଁ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବାରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭୂମିକା ନିର୍ବାହ କରିଥିଲେ ବୋଲି ଟ୍ରମ୍ପ ଯେଉଁ ଯୁକ୍ତି ଦର୍ଶାଉଛନ୍ତି ତାହାକୁ ବିରୋଧ କରୁଛନ୍ତି ବିରୋଧୀ ଦଳ। କେବଳ ଅପରେସନ ସିନ୍ଦୂର ନୁହଁ, ବିହାର ସ୍ପେସାଲ ଇଣ୍ଟେନସିଭ ରିଭିଜନ ପ୍ରସଙ୍ଗରେ ସରକାର ଉତ୍ତର ଦିଅନ୍ତୁ ବୋଲି ବିରୋଧୀ ଦଳ ଦାବି କରୁଛନ୍ତି। ଗତ ମେ ୭ରୁ ପାକିସ୍ତାନ ବିରୋଧରେ ଆରମ୍ଭ ହୋଇଥିଲା ଭାରତର ଅପରେସନ ସିନ୍ଦୂର। ସେପଟେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ସଂସଦର ଉଭୟ ଗୃହ ଆସନ୍ତାକାଲି ଯାଏ ହୋଇଛି ମୁଲତବି।