ନନ୍ଦିଘୋଷ ବ୍ୟୁରୋ : ଯାଜପୁର ପୋଲିସ ଉପରେ ବର୍ଷିଲେ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ। ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇ ପଡିଥିବା ବେଳେ ଧର୍ମଶାଳା ଥାନାରେ ମଧ୍ୟ ମହିଳା ASI ଅସୁରକ୍ଷିତ ହୋଇ ପଡିଛନ୍ତି । କିଛିଦିନ ପୂର୍ବରୁ ଧର୍ମଶାଳା ଥାନାକୁ କିଛି ଲୋକ ଆସି ଥାନାରେ କାର୍ଯ୍ୟରତ ମହିଳା ASIଙ୍କୁ ଦୁର୍ବ୍ୟବହାର କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ASI ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ପୋଲିସ ନ୍ୟାୟ ଦେବାରେ ବିଫଳ ହୋଇଛି । କାହା ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଣବ ବଳବନ୍ତରାୟ । ଅନ୍ୟପଟେ ପୂର୍ବତନ ବିଧାୟକଙ୍କ ଜଣେ ସମର୍ଥକଙ୍କୁ ବିନା କାରଣରେ ଗତକାଲି ବଡ଼ଚଣା ପୋଲିସ ଉଠାଇ ଆଣିଥିଲା । ଗୋଟିଏ ପଟେ ଧର୍ମଶାଳା ଥାନାରେ ମହିଳା ASIଙ୍କ ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି । ହେଲେ ଅନ୍ୟ ପଟେ ବିନା କାରଣରେ ପୋଲିସ ଲୋକଙ୍କୁ ଉଠାଇ ନେଉଛି । ଯାହାକି ପୋଲିସର ଦୋମୁହାଁ ନୀତିକୁ ପଦାରେ ପକାଇଛି ବୋଲି ପ୍ରଣବ କହିଛନ୍ତି।
ସ୍କୁଲ ଛାତ ଭୁଶୁଡି ୬ ପିଲାଙ୍କ ମୃତ୍ୟୁ, ୨୨ ଛାତ୍ର ଆହତ
ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନର ଝାଲାୱାଡ ଜିଲ୍ଲାରେ ଘଟିଛି ଏକ ବଡ଼ ଅଘଟଣ । ଅଚାନକ ଭୁଶୁଡ଼ି ପଡିଲା ଏକ ସରକାରୀ ସ୍କୁଲର ଛାତ, ଭଗ୍ନାବଶେଷ ତଳେ ଚାପହୋଇ ରହିଯାଇଥିଲେ ଛାତ୍ରଛାତ୍ରୀ । ମନୋହରଥାନା ବ୍ଲକର ପିପ୍ଲୋଡି ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ି ପଡ଼ିବା ଫଳରେ ୬ ଜଣ ପିଲାଙ୍କ ମୃତ୍ୟୁ ଘଟିଛି ଏବଂ ୨୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣା ପଡିଛି। ଏବେ ବି ଅନେକ ପିଲା ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।
ଘଟଣା ପରେ, ଅଞ୍ଚଳରେ ଅରାଜକତା ସୃଷ୍ଟି ହୋଇଛି ଏବଂ ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଜେସିବି ସାହାଯ୍ୟରେ ଭଗ୍ନାବଶେଷ ହଟାଯାଉଛି। ଆହତ ପିଲାମାନଙ୍କୁ ମନୋହର ଥାନା ସିଏସସିକୁ ଅଣାଯାଉଛି। କୁହାଯାଉଛି ଯେ ପ୍ରବଳ ବର୍ଷା ଯୋଗୁଁ ଏହି ସରକାରୀ ବିଦ୍ୟାଳୟର ପୁରୁଣା କୋଠାର ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଛାତ ଭୁଶୁଡ଼ି ପଡ଼ିବା ଯୋଗୁଁ ସ୍କୁଲରେ ପଢ଼ୁଥିବା ଅନେକ ଛାତ୍ର ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।
ଚିକିତ୍ସାଳୟ ୱାର୍ଡରେ ପଶିଲା ପାଣି,ଅନ୍ୟତ୍ର ସ୍ଥାନାନ୍ତର ହେଲେ ରୋଗୀ
ନନ୍ଦିଘୋଷ ବ୍ୟୁରୋ : ଉପଖଣ୍ଡ ଚିକିତ୍ସାଳୟ ୱାର୍ଡରେ ପଶିଲା ପାଣି। ଅନ୍ୟତ୍ର ସ୍ଥାନାନ୍ତର ହେଲେ ରୋଗୀ। ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟର ଏ ଦୃଶ୍ୟ। ଗତକାଲି ପାଳଲହଡାରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଅତ୍ୟଧିକ ବର୍ଷା କାରଣରୁ ପାଣି ଉପଖଣ୍ଡ ଚିକିତ୍ସାଳୟ ମଧ୍ୟକୁ ପ୍ରବେଶ କରିଥିଲା। ଡାକ୍ତରଖାନାର ପୁରୁଣା ୱାର୍ଡରେ ବର୍ଷା ଜଳ ପ୍ରବେଶ କରିଥିଲା। ଡାକ୍ତରଖାନାରୁ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅତ୍ୟାଧିକ ପାଣି ୱାର୍ଡ ଭିତରକୁ ପଶିବାରୁ ସ୍ଥିତି ଅସମ୍ଭାଳ ହୋଇ ପଡିଥିଲା। ଆଣ୍ଠୁଏ ପାଣିରୁ ଡାକ୍ତରଖାନା କତୃପକ୍ଷ ଉକ୍ତ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରିଥିଲେI ପ୍ରତି ବର୍ଷ ଏହିପରି ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା। ଅନ୍ୟପଟେ ପୁରୁଣା ୱାର୍ଡଟି ତଳିଆ ଅଂଚଳରେ ଥିବାରୁ ଏପରି ପରିସ୍ଥିତି ଉପୁଜିଥିବା ଉପଖଣ୍ଡ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତିI
ଆଜିଠୁ ବଡ଼ ବର୍ଷା, ପ୍ରବଳ ବୃଷ୍ଟିପାତ ନେଇ ୪ ଜିଲ୍ଲାକୁ ରେଡ ଓ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ନନ୍ଦିଘୋଷ ବ୍ୟୁରୋ : ଲଘୁଚାପ ପ୍ରଭାବରେ ୨୯ ତାରିଖ ପର୍ଯ୍ୟନ୍ତ ବର୍ଷାରେ ଭିଜିବ ଓଡ଼ିଶା । ପ୍ରବଳ ବୃଷ୍ଟିପାତ ନେଇ ଅନେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଉତ୍ତର ଓଡିଶା ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳମୁହାଁ ହେବ। ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ଵର,ଭଦ୍ରକ,ମୟୁରଭଞ୍ଜ,କେଉଁଝରରେ ପ୍ରବଳ ବର୍ଷା ଅର୍ଥାତ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା କରାଯାଇଛି। ବିଜୁଳି ଘଡଘଡି ସହ ପବନର ବେଗ ୩୦ ରୁ ୪୦ କିଲେମିଟର ରହିବା ସମ୍ଭାବନା ରହିଛି । ଏନେଇ ଏହି ସବୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଏଥିସହ କେନ୍ଦ୍ରାପଡ଼ା, ଯାଜପୁର,କଟକ, ଜଗତସିଂହପୁର, ଢେଙ୍କାନାଳ,କୋରାପୁଟ,ମାଲକାନଗିରି ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବାକି ୧୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବୃଷ୍ଟିପାତ ଯୋଗୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବଢିବ ନଦୀର ଜଳ ସ୍ତର। ବିଶେଷକରି ବୁଢ଼ାବଳଙ୍ଗ, ବୈତରଣୀ ଓ ସଂଲଗ୍ନ ନଦୀ ଗୁଡ଼ିକରେ ଜଳ ସ୍ତର ବଢ଼ିପାରେ ।
ବଳଙ୍ଗାରେ ନାବାଳିକାକୁ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ରହସ୍ୟ ଖୋଲିପାରେ ରୁପା ମୁଦି
ନନ୍ଦିଘୋଷ ବ୍ୟୁରୋ : ବଳଙ୍ଗାରେ ନାବାଳିକାକୁ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ତନାଘନା। ରହସ୍ୟ ଖୋଲିପାରେ ରୁପା ମୁଦି। ଘଟଣାସ୍ଥଳରୁ ମିଳିଥିବା ରୁପା ମୁଦିଟି ବଳଙ୍ଗା ବଜାରରେ ଥିବା କ୍ରିଷ୍ଣା ଜୁଏଲାରୀରୁ କିଣା ଯାଇଥିବା ସୂଚନା ମିଳିବା ପରେ, ଏବେ କ୍ରିଷ୍ଣା ଜୁଏଲାରୀ ମାଲିକଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ। ପଚାରଉଚରା ସମୟରେ ପୋଲିସକୁ ମିଳିପାରେ ବଡ଼ ସୁରାକ । ସୁନା ଦୋକାନୀ ମାଲିକଙ୍କୁ ଥାନାରେ ଅଟକ ରଖିଥିବା ବେଳେ, ରୁପା ମୁଦି କିଏ କିଣିଥିଲା, ସେନେଇ ଜେରା ଚାଲିଛି। ଘଟଣାସ୍ଥଳରୁ ମିଳିଥିବା ରୁପା ମୁଦି ଏବେ ପ୍ରକୃତ ଘଟଣାର ରହସ୍ୟ ଖୋଲିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେପଟେ କ୍ରିଷ୍ଣା ଜୁଏଲାରୀ ମାଲିକଙ୍କୁ ପଚାରିବାରୁ, ଏନେଇ କିଛି କହିବାକୁ ମନା କରି ଦେଇଛନ୍ତି। ଯାହାକୁ ନେଇ ସନ୍ଦେହ ଆହୁରି ଘନୀଭୂତ ହୋଇଛି।
୫ ବର୍ଷ ଭିତରେ କେନ୍ଦ୍ରୀୟ ସ୍ତରରେ କେତେ ସଂଖ୍ୟାରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ହୋଇ ପ୍ରତିବିଧାନ ହୋଇଛି: ମାନସ ମଙ୍ଗରାଜ
ନନ୍ଦିଘୋଷ ବ୍ୟୁରୋ: ଗତ ୫ ବର୍ଷ ଭିତରେ କେତେ ସଂଖ୍ୟାରେ କେନ୍ଦ୍ରୀୟ ସ୍ତରରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ହୋଇ ପ୍ରତିବିଧାନ କରାଯାଇଛି ? ଅଭିଯୋଗ ଦାଖଲ ଦିନଠାରୁ କେତେ ଦିନ ଭିତରେ ସମସ୍ୟାର ସମାଧାନ କରାଯାଇଛି ? ଏସବୁ ପ୍ରତିବିଧାନରେ ଲୋକେ ସନ୍ତୁଷ୍ଟ ନା ନାହିଁ ? ପଞ୍ଜିକୃତ ଅଭିଯୋଗର ପ୍ରତିବିଧାନ କ୍ଷେତ୍ରରେ ସ୍ବଚ୍ଛତା ଓ ଉତ୍ତରଦାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ନା ନାହିଁ ? ଆଜି ରାଜ୍ୟସଭାରେ ଅଣତାରକା ପ୍ରଶ୍ନରେ କେନ୍ଦ୍ର ସରକାରଙ୍କୁ ଏପରି ପଚାରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।
ସିପିଗ୍ରାମସ୍ ବା କେନ୍ଦ୍ରୀୟ ଅଭିଯୋଗ ପ୍ରତିବିଧାନ ବ୍ୟବସ୍ଥା ୨୦୨୨ ଏପ୍ରିଲରେ ଆରମ୍ଭ ହେଲା । ଏଥିରେ ୧୦ଟି ସଂସ୍କାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ବରେ ଥିବା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଉତ୍ତର ଦେଇ କହିଛନ୍ତି ଯେ, ୨୦୨୨, ୨୦୨୩, ୨୦୨୪ ଓ ୨୦୨୫ର ଏବେ ସୁଦ୍ଧା ୮୦ ଲକ୍ଷ ୩୬ ହଜାର ୪୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଅଭିଯୋଗ ପ୍ରତିବିଧାନ ପାଇଁ ନିୟୋଜିତ ହୋଇଛନ୍ତି ୧ ଲକ୍ଷ ୫ ହଜାର ୬୮୧ ଜଣ ଅଧିକାରୀ । ଅଭିଯୋଗ ପଞ୍ଜିକୃତ ହେବାର ୨୮ ଦିନ ଭିତରେ ସମାଧାନ କରିବାକୁ ୨୦୧୯ରେ ବ୍ୟବସ୍ଥା ଥିଲା । ଏବେ ତାକୁ ହ୍ରାସ କରି ୧୬ଦିନ କରାଯାଇଛି । ଫଳରେ ୨୦୨୫ ଜୁନ୍ ସୁଦ୍ଧା ଅଭିଯୋଗ ସଂଖ୍ୟା ହ୍ରାସ ପାଇ ମାତ୍ର ୬୨ ହଜାର ୬୨୦ରେ ପହଞ୍ଚିଛି । ୨୦୨୪ ଅଗଷ୍ଟ ୨୩ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତ୍ବରିତ ଅଭିଯୋଗ ପ୍ରତିବିଧାନ ପାଇଁ ସ୍ବତନ୍ତ୍ର ବିସ୍ତୃତି ମାର୍ଗଦର୍ଶିକା ଜାରି କରାଯାଇଛି । ଯେଉଁଥିରେ ୩୦ ଦିନରୁ ୨୧ ଦିନ ଭିତରେ ଅଭିଯୋଗ ସମାଧାନ ହୋଇପାରୁଛି । ଅଭିଯୋଗ ପ୍ରତିବିଧାନ ପାଇଁ ସମସ୍ତ ମନ୍ତ୍ରାଳୟରେ ସ୍ବତନ୍ତ୍ର ସମନ୍ବିତ ଅଭିଯୋଗ ପ୍ରତିବିଧାନ ପ୍ଲାଟଫର୍ମ, ସ୍ବତନ୍ତ୍ର ସେଲ, ସ୍ବତନ୍ତ୍ର ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।
ଏହାସହିତ ଅଭିଯୋଗ ସମାଧାନ ନେଇ ଲୋକଙ୍କ ମତାମତ ମଧ୍ୟ ସଂଗ୍ରହ କରାଯାଉଛି । ୨୦୨୫ ଜୁନ ୩୦ ସୁଦ୍ଧା ଫିଡବ୍ୟାକ କଲ ସେଣ୍ଟର ଯୋଗେ ୨୩ ଲକ୍ଷ ମତାମତ ସଂଗ୍ରହ କରାଯାଇଥିଲା । ଯଦି କୌଣସି ବ୍ୟକ୍ତି ଅଭିଯୋଗ ପ୍ରତିବିଧାନରେ ସନ୍ତୁଷ୍ଟ ନ ହୁଅନ୍ତି, ତା’ହେଲେ ଅପିଲ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୯୦ଟି ଆପିଲେଟ୍ ଅଥରିଟି ସମେତ ୧୫୯୭ଟି ସବ୍ ଆପିଲେଟ୍ ଅଥରିଟି ଗଠିତ ହୋଇଛି । ୨୦୨୨ରୁ ଜୁନ୍ ୨୦୨୫ ଯାଏଁ ସମୁଦାୟ ୭ ଲକ୍ଷ ୭୫ ହଜାର ୨୪୦ଟି ଅପିଲ ମାମଲାର ସମାଧାନ କରାଯାଇଥିବା ମନ୍ତ୍ରୀ ଜିତେନ୍ଦ୍ର ସିଂ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

