spot_img
Home Blog Page 541

ଇନଷ୍ଟାଗ୍ରାମରେ ପ୍ରେମ କରି ବିବାହ କରିଥିଲେ, ବର୍ଷେ ପରେ ଜୀବନ ହାରିଲେ ମହିଳା

ନନ୍ଦିଘୋଷ ବ୍ୟୁରୋ ; ବେଙ୍ଗାଲୁରୁର ମଦନାୟକାନାହଲ୍ଲୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ମହିଳା ସନ୍ଦେହଜନକ ପରିସ୍ଥିତିରେ ଜୀବନ ହାରିଛନ୍ତି । ମହିଳାଙ୍କର ଗୋଟିଏ ବର୍ଷ ପୂର୍ବେ ପ୍ରେମ ବିବାହ ହୋଇଥିଲା। ମୃତକଙ୍କ ନାମ ସ୍ପନ୍ଦନା। ତାଙ୍କ ବୟସ ୨୪ ବର୍ଷ ବୋଲି କୁହାଯାଉଛି। ସେ କନକପୁରାର ବାସିନ୍ଦା ଥିଲେ। ମହିଳା ଜଣକ ୟେଲାହାଙ୍କାର ଏକ ଘରୋଇ କଲେଜରେ MBA ପଢ଼ୁଥିଲେ। ଏହି ସମୟରେ ସେ ଅଭିଷେକଙ୍କୁ ଇନଷ୍ଟାଗ୍ରାମରେ ଭେଟିଥିଲେ। ଦୁହେଁ ପରସ୍ପରକୁ ପ୍ରେମ କରି ବସିଥିଲେ। ପରିବାରର ବିରୋଧ ସତ୍ତ୍ୱେ ଅଭିଷେକ ସ୍ପନ୍ଦନାଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ମଦନାୟକାନାହଲ୍ଲୀ ପୋଷ୍ଟ ଅଫିସରେ ରହୁଥିଲେ। କିନ୍ତୁ ବିବାହର ଦେଢ଼ ବର୍ଷ ମଧ୍ୟରେ ସ୍ପନ୍ଦନାଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା।

ଭୀମ ଅମାବାସ୍ୟା ଅବସରରେ, ମୃତକ ସକାଳ ୧୦ଟାରେ ତାଙ୍କ ସ୍ୱାମୀଙ୍କ ପାଇଁ ଖୁସିରେ ପୂଜା କରିଥିଲେ, କିନ୍ତୁ ତାଙ୍କର ଖୁସି ଅଧିକ ସମୟ ପର୍ଯ୍ୟନ୍ତ ରହିଲା ନାହିଁ। କାରଣ, ସକାଳ ୧୧ଟାରେ ଅଭିଷେକଙ୍କ ଅଫିସରୁ ଜଣେ ଯୁବତୀଙ୍କ ଫୋନ୍ କଲ୍ ଆସିବାରୁ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା। ପୂର୍ବରୁ ତାଙ୍କ ସ୍ୱାମୀଙ୍କୁ ସନ୍ଦେହ କରୁଥିବା ସ୍ପନ୍ଦନା ମାନସିକ ଅବସାଦରେ ଥିଲେ। ପରେ ଦିନ ୧୨:୪୫ରେ ସ୍ପନ୍ଦନା ତାଙ୍କ ଭଉଣୀଙ୍କୁ ଏକ ମେସେଜ୍ ପଠାଇ ତାଙ୍କ ଘରର ଝରକାରେ ଝୁଲି ଜୀବନ ହାରିଥିଲେ । ଏହି ମେସେଜରେ କୁହାଯାଇଥିଲା ଯେ ମୋ ସ୍ୱାମୀଙ୍କ ବାପାମାଆ ଏବଂ ତାଙ୍କ ଅଫିସ୍ ର ଲୋକମାନେ ମୋ ମୃତ୍ୟୁ ପାଇଁ ଦାୟୀ।

ଅଭିଯୋଗ ଅନୁଯାୟୀ ବିବାହ ପରେ ଅଭିଷେକଙ୍କ ପରିବାର ସ୍ପନ୍ଦନାଙ୍କୁ ଯୌତୁକ ପାଇଁ ହଇରାଣ କରୁଥିଲେ। ସ୍ପନ୍ଦନା ତାଙ୍କ ବାପାଙ୍କୁ ଅଭିଷେକଙ୍କ ପରିବାର ଦ୍ୱାରା ହେଉଥିବା ହଇରାଣ ବିଷୟରେ କହିଥିଲେ, ଯାହା ପରେ ସ୍ପନ୍ଦନାଙ୍କ ପରିବାର ୫ ଲକ୍ଷ ଟଙ୍କା ଦେଇ ମାମଲାର ସମାଧାନ କରିଥିଲେ। ୨୪ ଜୁଲାଇରେ, ସ୍ପନ୍ଦନା ପୁଣି ଥରେ ତାଙ୍କ ବାପାଙ୍କୁ ଫୋନ୍ କରି କହିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କ ଶାଶୁଙ୍କ କଥା ଶୁଣି ତାଙ୍କୁ ହଇରାଣ କରୁଛନ୍ତି। କିଛି ସମୟ ପରେ, ଯେତେବେଳେ ତାଙ୍କ ବାପା ଫୋନ୍ କଲେ, ତାଙ୍କୁ କୁହାଯାଇଥିଲା ଯେ ସ୍ପନ୍ଦନାଙ୍କ ମୃତ୍ୟୁ ହୋଇଯାଇଛି।

ସ୍ପନ୍ଦନାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟମାନେ ନିଜେ ମୃତଦେହକୁ ତଳକୁ ଆଣି କାହାକୁ ନକହି ହସ୍ପିଟାଲକୁ ନେଇଯାଇଥିଲେ। ସ୍ପନ୍ଦନାଙ୍କ ଶରୀରରେ ଆଘାତ ଚିହ୍ନ ଥିବା ଅଭିଯୋଗ ହୋଇଛି। ତେଣୁ, ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଭିକ୍ଟୋରିଆ ହସ୍ପିଟାଲକୁ ପଠାଯାଇଛି। ଏହା ପରେ ସ୍ପନ୍ଦନାଙ୍କ ମୃତଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ। ଏହି ଘଟଣା ସମ୍ପର୍କରେ ମଦନାୟକାନାହଲ୍ଲୀ ଥାନାରେ ତାଙ୍କ ସ୍ୱାମୀ ଅଭିଷେକ ଏବଂ ଶାଶୁ ଲକ୍ଷ୍ମମ୍ମାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ସ୍ପନ୍ଦନାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

କଙ୍ଗନା ରାଣାୱତଙ୍କ କଥାରେ କାହିଁକି ରଗିଲେ ପଞ୍ଜାବ ମନ୍ତ୍ରୀ ?

ନନ୍ଦିଘୋଷ ବ୍ୟୁରୋ : ହିମାଚଳ ପ୍ରଦେଶର ମଣ୍ଡି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି । ହିମାଚଳ ପ୍ରଦେଶରେ ନିଶା ଦ୍ରବ୍ୟ ପ୍ରସଙ୍ଗରେ କଙ୍ଗନା ରାଣାୱତଙ୍କ ଦାବି ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ପଞ୍ଜାବ ଆପ ମନ୍ତ୍ରୀ ହରପାଲ ଚିମା । କଙ୍ଗନା ରାଣାୱତ ଚେତାବନୀ ଦେଇଥିଲେ ଯେ ହିମାଚଳ ପ୍ରଦେଶର ପରିସ୍ଥିତି ପଞ୍ଜାବ ପରି ହୋଇପାରେ। ନିଶାଦ୍ରବ୍ୟ ଅପବ୍ୟବହାରର ବଢ଼ୁଥିବା ବିପଦକୁ ଇଙ୍ଗିତ କରି ସେ କହିଥିଲେ,  ନିଶାଦ୍ରବ୍ୟ ଯୋଗୁଁ ମହିଳାମାନେ ବିଧବା ହେଉଛନ୍ତି। ଅନେକ ଗାଁରେ ବିଧବା ମହିଳା ଅଛନ୍ତି। ସେ କହିଥିଲେ ଯେ ପାକିସ୍ତାନ ଓ ପଞ୍ଜାବରୁ ଆସୁଥିବା ନିଶାଦ୍ରବ୍ୟ ହିମାଚଳର ଯୁବପିଢ଼ିଙ୍କୁ ବିନାଶ ଆଡ଼କୁ ଠେଲି ଦେଉଛି। ସେ ଆହୁରି କହିଛନ୍ତି ଯେ ହିମାଚଳରୁ ଖବର ଆସୁଛି ଯେ କିଛି ଲୋକ ଘରକରଣା ଜିନିଷ ବିକ୍ରି କରୁଛନ୍ତି । ଏହି ବିପଦ ଯୋଗୁଁ ନିଜକୁ ଘରେ ବନ୍ଦ କରି ଦେଉଛନ୍ତି।

କଙ୍ଗନାଙ୍କ ମନ୍ତବ୍ୟକୁ ବିରୋଧ କରି ମନ୍ତ୍ରୀ ହରପାଲ ଚିମା କହିଛନ୍ତି, କଙ୍ଗନା ରାଣାୱତ ନିଜକୁ ନିୟନ୍ତ୍ରଣ କରିବା ଉଚିତ। ସେ କେବଳ ହେଡଲାଇନରେ ରହିବା ପାଇଁ ଏପରି କଥା କୁହନ୍ତି। ତାଙ୍କ ପାଖରେ ବାସ୍ତବତା ବିଷୟରେ ସଠିକ୍ ସୂଚନା ନାହିଁ। ଯଦି ତୁଳନା କରିବାକୁ ପଡ଼େ, ତେବେ ପ୍ରଥମେ ତାଙ୍କୁ ଗୁଜରାଟ ଭଳି ରାଜ୍ୟଗୁଡ଼ିକର ପରିସ୍ଥିତି ଦେଖିବା ଉଚିତ । ଯେଉଁଠାରେ ନିଶା ନିବାରଣର ସମସ୍ୟା ବହୁତ ଗମ୍ଭୀର। ଗୁଜୁରାଟର ବନ୍ଦରଗୁଡ଼ିକରୁ ନିଶା ଚୋରା ଚାଲାଣ କରାଯାଏ।

କଙ୍ଗନା ରାଣାୱତ ପୂର୍ବରୁ ଚାଷୀ ଆନ୍ଦୋଳନ ସମୟରେ ପଞ୍ଜାବରୁ ମଧ୍ୟ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ କଙ୍ଗନା ଚାଷୀ ଓ ପଞ୍ଜାବୀ ଗାୟକମାନଙ୍କ ବିଷୟରେ ମନ୍ତବ୍ୟ ଦେଇଥିଲେ।

ଗାଜାରେ ଭୋକରେ ମରୁଛନ୍ତି ଲୋକ, ଇସ୍ରାଏଲ ଆକ୍ରମଣ ସାମ୍ବାଦିକଙ୍କ ଉପରେ ପକାଇଛି ପ୍ରଭାବ

ନନ୍ଦିଘୋଷ ବ୍ୟୁରୋ : ଗାଜା ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ । ଇସ୍ରାଏଲୀ ବୋମାମାଡ଼ରେ ଗାଜାରେ ପାଲେଷ୍ଟାଇନୀମାନେ ପ୍ରାଣ ହରାଉଛନ୍ତି। ଏହା ସହ କ୍ଷୁଧା ସଙ୍କଟ ଦେଖାଦେଇଛି । କାରଣ ଇସ୍ରାଏଲ ଗାଜାରେ ରିଲିଫ୍ ସାମଗ୍ରୀ ପହଞ୍ଚିବା ପାଇଁ ରାସ୍ତା ବନ୍ଦ କରିଦେଇଛି। ଏହି କାରଣରୁ, ରାସନ୍ ଗାଜାରେ ପହଞ୍ଚି ପାରୁନାହିଁ। ଅନାହାର ଯୋଗୁଁ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଶ୍ୱର ପ୍ରମୁଖ ସମ୍ବାଦ ସଂସ୍ଥାଗୁଡ଼ିକ ଏ ବିଷୟରେ ସତର୍କ ସୂଚନା ଜାରି କରିଛନ୍ତି। ଜାତିସଂଘ ମଧ୍ୟ ଏହାକୁ ଏକ ମାନବ ନିର୍ମିତ ବିପର୍ଯ୍ୟୟ ବୋଲି କହିଛି।

ଗାଜାରୁ ଆସିଥିବା ଫଟୋଗୁଡ଼ିକ କ୍ଷୁଧାର ଏକ ଭୟଙ୍କର ସଙ୍କଟକୁ ଦର୍ଶାଉଛି, ଯେଉଁଠାରେ ପିଲାମାନଙ୍କ ଶରୀରରେ ହାଡ଼ ମଧ୍ୟ ଦେଖାଯାଉଛି। ପିଲାମାନେ ଖାଲି ପାତ୍ର ତଳେ ଛାଡିଯାଇଥିବା ଚାଉଳ ସଂଗ୍ରହ କରୁଛନ୍ତି। ଏତେ କମ ଖାଦ୍ୟ ଅଛି ଯାହା ସେମାନଙ୍କ ପେଟ ପୂରଣ କରିବା ତ ଦୂରର କଥା। ଗାଜାରେ ୧୧୬ ଜଣ ଲୋକ ଅନାହାରର ଶିକାର ହୋଇଛନ୍ତି। ହଜାର ହଜାର ଲୋକ ସପ୍ତାହରେ କେବଳ ଥରେ ଖାଇବାକୁ ପାଉଛନ୍ତି। ପିଲାମାନେ କୁପୋଷଣର ଶିକାର ହୋଇଛନ୍ତି।

ବିଶ୍ୱର ପ୍ରମୁଖ ଖବର ସଂସ୍ଥା ଓ ପ୍ରତିଷ୍ଠାନଗୁଡ଼ିକ ଏହି ସଙ୍କଟ ଉପରେ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଆମେ ଗାଜାରେ ଆମର ସାମ୍ବାଦିକମାନଙ୍କ ବିଷୟରେ ଗମ୍ଭୀର ଭାବରେ ଚିନ୍ତିତ, ଯେଉଁମାନେ ଖାଦ୍ୟ ପାଉନାହାଁନ୍ତି। ଏହି ସ୍ୱାଧୀନ ସାମ୍ବାଦିକମାନେ ଗାଜା ଭୂମିରେ ବିଶ୍ୱର ଆଖି ଓ କାନ। ଏହି ସାମ୍ବାଦିକମାନେ ମଧ୍ୟ ସେମାନେ ପ୍ରକାଶ କରୁଥିବା ପରିସ୍ଥିତିର ଶିକାର ହେଉଛନ୍ତି।

ଇସ୍ରାଏଲ ସରକାର ଯୁଦ୍ଧବିରାମ ପାଇଁ ପ୍ରସ୍ତୁତ ନୁହେଁ। କାତାର ଆଲୋଚନାରେ ଉପସ୍ଥାପିତ ହମାସର ପ୍ରସ୍ତାବଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଇସ୍ରାଏଲର ରାଜଧାନୀରେ ଲୋକମାନେ ନିରନ୍ତର ପ୍ରତିବାଦ କରୁଛନ୍ତି। ସେମାନେ ସରକାର ତୁରନ୍ତ ଯୁଦ୍ଧବିରାମ ଲାଗୁ କରିବାକୁ ଦାବି କରୁଛନ୍ତି, କିନ୍ତୁ ଯୁଦ୍ଧବିରାମ କାର୍ଯ୍ୟକାରୀ ହେଉନାହିଁ। ତେଲ ଅଭିଭରେ ଥିବା ଆମେରିକୀୟ ଦୂତାବାସ ନିକଟରେ ଇସ୍ରାଏଲୀ ବସ୍ତିବାସିନ୍ଦାମାନେ ବାଡ଼େଇ ପ୍ରତିବାଦ କରିଥିଲେ। ସେମାନେ ଦାବି କରିଛନ୍ତି ଯେ ଆମେରିକୀୟ ସରକାର ଯୁଦ୍ଧବିରତି ପାଇଁ ନେତାନ୍ୟାହୁଙ୍କ ଉପରେ ଚାପ ପ୍ରୟୋଗ କରନ୍ତୁ। କିନ୍ତୁ, ଆମେରିକା ମଧ୍ୟ ଯୁଦ୍ଧବିରତି ସପକ୍ଷରେ ନୁହେଁ।

ପରଜଙ୍ଗ କୁଆଳୋ ମୌଜାରେ ଜଙ୍ଗଲ ଜମିରେ ଅଟ୍ଟାଳିକା ନିର୍ମାଣ ପ୍ରସଙ୍ଗ, ଉଚ୍ଛେଦ କରିବାକୁ ଏନଜିଟିର ନିର୍ଦ୍ଦେଶ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ କୁଆଳୋ ମୌଜାରେ ଜଙ୍ଗଲ ଜମି କିସମରେ ତିନିମହଲା ଅଟ୍ଟାଳିକା ନିର୍ମାଣ ପ୍ରସଙ୍ଗ। ଅଟ୍ଟାଳିକାକୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ସେହିପରି କର୍ତ୍ତବ୍ୟରେ ଅବହେଳା ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ପରଜଙ୍ଗ ତହସିଲ କୁଆଳୋ ମୌଜାରେ ସେହି ଗ୍ରାମର ଜନୈକ ପ୍ରଭାବଶାଳୀ ବ୍ୟକ୍ତି ଜଙ୍ଗଲ-ଦୁଇ କିସମ ଜମି ଉପରେ ତିନିମହଲା କୋଠା ନିର୍ମାଣ କରିଥିଲେ । ଏହାସହ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ କରିଥିଲେ। ନିଜର ହୋଟେଲ ଲାଗି ଗୋଚର ଜମିରେ ପାର୍କିଂ ସ୍ଥଳ ନିର୍ମାଣ କରିଥିଲେ। ପାଉଁଶ ପକାଇ ପାର୍କିଂ ରାସ୍ତା କରିଥିବା ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିଲା ।ଏନେଇ ୟୁଥ ୟୁନାଇଟେଡ଼ ଫର ସଷ୍ଟେନବଲ୍ ଏନଭିରମେଣ୍ଟ ଟ୍ରଷ୍ଟ ତରଫରୁ ଜିଲ୍ଲାପାଳଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଜଣାଇବା ସତ୍ତ୍ବେ କୌଣସି ସୁଫଳ ମିଳିପାରିନଥିଲା । ବାଧ୍ୟ ହୋଇ ଏନେଇ ଏନଜିଟିଙ୍କ ନିକଟରେ ଏକ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗକୁ ଗ୍ରହଣ କରି ଏନଜିଟି ଏକ ସ୍ୱତନ୍ତ୍ର ଟିମ ଗଠନ କରି ଚାରି ସପ୍ତାହ ମଧ୍ୟରେ କ୍ଷେତ୍ର ପରିଦର୍ଶନ କରି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ସତ୍ୟପାଠ ଦାଖଲ କରିବା ନେଇ ନିର୍ଦେଶ ଦେଇଥିଲେ । ସେହି ଅନୁସାରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ, ମହାବିରୋଡ଼ ରେଞ୍ଜର, ପରଜଙ୍ଗ ତହସିଲଦାର ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ସତ୍ୟପାଠ ଦାଖଲ କରିଥିଲେ । ଶେଷରେ ଅଟ୍ଟାଳିକା ଉଚ୍ଛେଦ ଲାଗି ନିର୍ଦ୍ଦେଶ ଦେଇଥିଲେ ଏନଜିଟି। ଏହା ସହ ୪୫ ହଜାର ମେଟ୍ରିକ ଟନ ପାଉଁଶ କେଉଁଠୁ ଆସିଛି ତାହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ଟ୍ରଷ୍ଟ ତରଫରୁ ହୋଇଥିବା ଏହି ଅଭିଯୋଗକୁ ଆଇନଜୀବୀ ଶଙ୍କରପ୍ରସାଦ ପାଣି ଓ ଆଶୁତୋଷ ପାଢ଼ୀ ପରିଚାଳନା କରିଥିଲେ ।

ଆଇଓବି ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ୍

ଛେଣ୍ଡିପଦା : ବନ୍ଧୁକ ଓ ଭୁଜାଲି ମୁନରେ ଲୁଟ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବରପଦା ଛକ ନିକଟରୁ ଆଇଓବି ବ୍ୟାଙ୍କ ସହଯୋଗୀଙ୍କ ଠାରୁ ୧୫ହଜାର ଟଙ୍କା ଲୁଟ ହୋଇଛି। ବରପଦା ଗାଁର ସୁଜ୍ଞାନ ସାହୁ କୋଶଳା ଆଇଓବି ବ୍ୟାଙ୍କର ସହଯୋଗୀ ଭାବେ କାର୍ଯ୍ୟ କରନ୍ତି l ଗତକାଲି ଅପରାହ୍ନରେ ୬ଟା ବେଳେ ସୁଜ୍ଞାନ ବ୍ୟାଙ୍କରୁ କାମ ସାରି ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ ବରପଦା ଗାଁ ଛକ ନିକଟରେ ଦୁଇ ଜଣ ଦୁର୍ବୁତ୍ତ ଏକ କଳା ମୋଟରସାଇକେଲରେ ଆସି ସୁଜ୍ଞାନକୁ ବନ୍ଧୁକ ଓ ଭୁଜାଲି ଦେଖାଇ ତାଙ୍କ ସ୍କୁଟି ନେଇ ଦୁର୍ଗାପୁର ଆଡ଼କୁ ଫେରାର ହୋଇ ଯାଇଥିଲେ । ଏନେଇ ସୁଜ୍ଞାନ ପାଟି କରିବାରୁ ସ୍ଥାନୀୟ ଲୋକେ ଦୁର୍ବୁତ୍ତଙ୍କ ପିଛା କରିଥିଲେ l ଦୁର୍ବୁତ୍ତ ମାନେ ଦୁର୍ଗାପୁର ଘାଟି ନିକଟରେ ସ୍କୁଟି ଡ଼ିକି ଭାଙ୍ଗି ସେଥିରୁ ୧୫ହାଜର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ଏନେଇ ପୋଲିସ ନିକଟରେ କୌଣସି ମାମଲା ରୁୁ ହୋଇନଥିବା ପୋଲିସ ପ୍ରକାଶ କରିଛି।

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ, ଆଜିଠୁ ପ୍ରବଳ ବର୍ଷିବ…

ଭୁବନେଶ୍ବର : ଆହୁରି ୩ ଦିନ କାଚିବ ବର୍ଷା। ୨୮ ତାରିଖ ଯାଏ ବର୍ଷାରୁ ନିସ୍ତାର ନାହିଁ। କାରଣ   ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ। ଧୀରେ ଧୀରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆଗାମୀ ୨୪ ଘଣ୍ଟାରେ ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳ,ଓଡ଼ିଶା, ଝାଡ଼ଖଣ୍ଡ ଦେଇ ଅତିକ୍ରମ କରିବ। ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ରାଜ୍ୟରେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ୧୦ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର I ଅନ୍ଯପଟେ ସ୍ବତନ୍ତ୍ର ରିଲିଫ କମିଶନର ମଧ୍ଯ ପ୍ରବଳ ବର୍ଷା ନେଇ ସତର୍କ କରାଇଦେଇଛନ୍ତି । ସ୍ଥାନୀୟ ପ୍ରଶାସନକୁ ଯନ୍ତ୍ରପାତି ସହ ସତର୍କ ରହିବାକୁ କହିଥିବାବେଳେ ତୁରନ୍ତ ରାଜ୍ୟ ଆପାତକାଳୀନ ଅପରେସନ କେନ୍ଦ୍ରକୁ ଜଣାଇବାକୁ କହିଛନ୍ତି ଏସଆରସି । ମତ୍ସ୍ୟଜୀବୀଙ୍କୁ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ଉପକୂଳରେ ପ୍ରବେଶ ନକରିବାକୁ ଏସଆରସି ସତର୍କ କରାଇ ଦେଇଛନ୍ତି ।

ସରପଞ୍ଚଙ୍କ ବାପାଙ୍କ ଉପରକୁ ପ୍ରଥମେ ବୋମାମାଡ ଓ ପରେ ଗୁଳିମାଡ

ବ୍ରହ୍ମପୁର : ସରପଞ୍ଚଙ୍କ ବାପାଙ୍କ ଉପରକୁ ପ୍ରଥମେ ବୋମାମାଡ ଓ ପରେ ଗୁଳିମାଡ। ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ସୁନାନ୍ତର ଗାଁରେ ବୋମାମାଡ ସହିତ ଗୁଳି ମାଡ ହୋଇଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ସରପଞ୍ଚଙ୍କ ବାପା ନିରଞ୍ଜନ ଜେନା ଓରଫ କାଳିଆ ଘର ସମ୍ମୁଖରେ ଥିବା ପୋଖରୀ କୂଳରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଶେରଗଡ ପଟୁ ୩ଟି ବାଇକରେ ପ୍ରାୟ ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘଟଣାସ୍ଥଳରେ ପହଞ୍ଚି କାଳିଆଙ୍କ ଉପରକୁ ୫ ରୁ ୬ଟି ବୋମାମାଡ କରିଥିଲେ। ବୋମାମାଡ ଦେଖି କାଳିଆ ଦୌଡି ପଳାଇବାରୁ ଦୁର୍ବୃତ୍ତ ମାନେ ଗୁଳିମାଡ କରିଥିଲେ। ଗୁଳିମାଡରେ କାଳିଆ ଆହତ ହୋଇଛି । ବୋମାମାଡ ଓ ଗୁଳିମାଡ଼ ଶବ୍ଦ ଶୁଣି କାଳିଆଙ୍କ ପୁତୁରା ମନୁ ଆସି ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ବୋମାମାଡ଼ କରିଥିଲେ । ବୋମାମାଡ ଓ ଗୁଳିମାଡ ପରେ ଦୁର୍ବୃତ୍ତ ମାନେ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଛନ୍ତି।  କାଳିଆଙ୍କୁ ଗ୍ରାମବାସୀ ଘଟଣାସ୍ଥଳରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। କେଉଁ କାରଣରୁ ଆକ୍ରମଣ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଘଟଣାସ୍ଥଳରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର, ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା, ହିଞ୍ଜିଳି ଥାନାଧିକାରୀ ଶ୍ରୀନିବାସ ସେଠୀଙ୍କ ସହିତ ଶେରଗଡ ଥାନାର ଏଏସଆଇ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ବଳଙ୍ଗା ମାମଲା : ଘାଣ୍ଟିବ କ୍ରାଇମବ୍ରାଞ୍ଚ ଓ ପୋଲିସ

ନିମାପଡା ; ଆଜିଠାରୁ ବଳଙ୍ଗା ମାମଲାର ତଦନ୍ତ ତ୍ଵରାନ୍ଵିତ ହେବ। ଘାଣ୍ଟିବ କ୍ରାଇମବ୍ରାଞ୍ଚ ଓ ବଳଙ୍ଗା ଥାନା ପୋଲିସ। ଗତକାଲି ଦିଲ୍ଲୀ ଏମ୍ସରେ ତଦନ୍ତକାରୀ ଟିମ୍ ପୀଡ଼ିତାଙ୍କ ବୟାନ ନେଇଛି। ବୟାନରେ କଣ କହିଛନ୍ତୀ ପୀଡ଼ିତା, କାହାର ନାଁ ନେଇଛନ୍ତି କି,  ଦୁର୍ବୃତ୍ତଙ୍କୁ ଆଗରୁ ଚିହ୍ନିଥିଲେ କି, ଦେହରେ ନିଆଁ ଲଗାଇ ଦେବା ପରେ ଜଘନ୍ୟକାଣ୍ଡ ପଛରେ କଣ ଅଛି। ଏସବୁ ପ୍ରଶ୍ନର ଉତ୍ତର ନିଜେ ଖୋଜୁଛି ପୋଲିସ। ବୋଧହୁଏ ଏହାର ଉତ୍ତର ମିଳିବ ପରେ ନିଶ୍ଚିତ ଭାବେ ମାମଲାର ଖିଅ ମିଳିବ।  ସେପଟେ ଜଟଣୀରେ ଥାନାରେ ଜଣେ ଯୁବକକୁ ପଚରା ଉଚରା କରାଯାଇଛି। ବଳଙ୍ଗାରେ ରହୁଥିବା ରଥିପୁର ଗାଁର ଯୁବକଙ୍କୁ ଜେରା କରାଯାଇଥିଲା। ପୋଲିସର ଚାରି ଜଣିଆ ଟିମ ଏହି ଜେରା କରିଛି। ଟିମରେ ଅଛନ୍ତି ପୁରୀ ଆଡିସନାଲ ଏସ୍ପି ଓ ଆଡିସନାଲ ଡିଏସପି । ଘଟଣା ସହିତ ସେ କେମିତି ସଂପୃକ୍ତ ତାହା ଏଯାଏ ସ୍ପଷ୍ଟ ନାହିଁ। ଗତକାଲି ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ଶେଷ ହୋଇଛି। ଦିଲ୍ଲୀ ଏମ୍ସରେ ତାଙ୍କର ବୟାନ ରେକର୍ଡ କରାଯାଇଛି। ଏହାର ସଂପୂର୍ଣ୍ଣ ଭିଡିଓ କରାଯାଇଥିଲା।

ଅଶ୍ଳୀଳ ଓ ଯୌନ ସମ୍ପର୍କିତ ଦୃଶ୍ୟ ପ୍ରସାରଣ ପ୍ରସଙ୍ଗ, ବ୍ୟାନ ହେଲା ଅଶ୍ଲୀଳ ଓଟିଟି ଆପ୍

ନନ୍ଦିଘୋଷ ବ୍ୟୁରୋ : ଅଶ୍ଳୀଳ ଓ ଯୌନସମ୍ପର୍କିତ ଦୃଶ୍ୟ ପ୍ରସାରଣ ପ୍ରସଙ୍ଗ। ଉଲ୍ଲୁ, ଆଲଟି, ଦେଶୀଫ୍ଲିକ୍ସ, ବିଗ୍ ସଟସ୍ ଓ ଅନ୍ୟାନ୍ୟ ଓଟିଟି ପ୍ଲାଟଫର୍ମକୁ ନିଷିଦ୍ଧ କରିଛନ୍ତି ସରକାର। ସଫ୍ଟ ପର୍ଣ୍ଣ ଭାବେ ବିଭିନ୍ନ ଦୃଶ୍ୟ ପ୍ରସାରଣ କରୁଥିବାରୁ ଏହି ଆପ୍ଲିକେସନଗୁଡିକୁ ବ୍ୟାନ କରିଛନ୍ତି ସରକାର। ଆଇଟି ନିୟମାବଳୀ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏରୋଟିକ ୱେବ ସିରିଜ ନାମରେ ବିଭିନ୍ନ ପ୍ରାପ୍ତବୟସ୍କ କଣ୍ଟେଣ୍ଟ ପ୍ରସାରିତ ହେଉଥିଲା। ନାବାଳକ, ନାବାଳିକାମାନେ ଯେପରି ସଫ୍ଟ ପର୍ଣ୍ଣ ଜାଲରେ ଫସିବେ ନାହିଁ ସେଥିଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି। ଗତ ମାର୍ଚ୍ଚରେ ସରକାର ୧୯ଟି ୱେବସାଇଟ, ୧୦ଟି ଆପ୍ ୧୭ଟି ସୋସିଆଲ ମିଡିଆକୁ ସରକାର ନିଷିଦ୍ଧ କରିଥିଲେ।

ଖୋଲୁଛି ନକଲି ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଜୈନଙ୍କ ଗୁମର

ନନ୍ଦିଘୋଷ ବ୍ୟୁରୋ : ଖୋଲିବାରେ ଲାଗିଛି ନକଲି ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଜୈନଙ୍କ ଗୁମର । ତାଙ୍କ ନେଟଓ୍ବର୍କ ଦେଖି ତାଜୁବ ହୋଇଯାଇଛି ଉତ୍ତରପ୍ରଦେଶ ଏସଟିଏଫ । ବେଆଇନ ଅର୍ଥ ଚାଲାଣ ନିମନ୍ତେ ସେ ବାହାର ରାଷ୍ଟ୍ରରେ ବହୁ ଜାଲ୍ କମ୍ପାନୀ ପ୍ରତିଷ୍ଠା କରିଥିବା ସୂଚନା ମିଳିଛି । ଏପରିକି ୨୦୦୮ରୁ ୨୦୧୧ ଭିତରେ ତାଙ୍କ ସହଯୋଗୀ ଏହସାନ ଅଲି ସୟଦ ଜାଲ୍ ଉପାୟ ଅବଲମ୍ବନ କରି ୭୦ ନିୟୁତ ପାଉଣ୍ଡ ଋଣ କରିବାକୁ ସକ୍ଷମ ହୋଇଥିଲେ । ହର୍ଷବର୍ଦ୍ଧନଙ୍କ ବିରୋଧରେ ଏଫଆଇଆର ଦାୟର ପରେ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯାଉଛି । ଏସଟିଏଫ ଅନୁସାରେ ବିଦେଶରେ ହର୍ଷବର୍ଦ୍ଧନ ବ୍ରିଟେନରେ ଇଷ୍ଟ ଇଣ୍ଡିଆ କମ୍ପାନୀ ୟୁକେ ଲିମିଟେଡ, ମରିସସ, ଦୁବାଇ ଓ ଆଫ୍ରିକୀୟ ରାଷ୍ଟ୍ରରେ ଫେକ୍ କମ୍ପାନୀ ପ୍ରତିଷ୍ଠା କରିଥିଲେ । ସେହିପରି ତାଙ୍କ ନାମରେ ଦୁବାଇରେ ଷ୍ଟେଟ ଟ୍ରେଡିଂ କର୍ପୋରେସନ, ଆଇଲାଣ୍ଡ ଜେନେରାଲ ଟ୍ରେଡିଂ କୋ ପ୍ରତିଷ୍ଠା ହୋଇଥିଲା । ସେହିପରି ମରିସସରେ ଇନ୍ଦିରା ଓଭରସିଜ୍ ଲିମିଟେଡ, ଆଫ୍ରିକାରେ କାମେରୁନ ଇସ୍ପାତ ସର୍ଲ ପ୍ରତିଷ୍ଠା ହୋଇଥିଲା । ଏହି ସବୁ କମ୍ପାନୀ ଜରିଆରେ ଟଙ୍କା କାରବାର ହେଉଥିଲା । ଜେରା ବେଳେ ହର୍ଷବର୍ଦ୍ଧନ କହିଛନ୍ତି- ବିବାଦୀୟ ଗଡମ୍ୟାନ ଚନ୍ଦ୍ରସ୍ବାମୀଙ୍କ ଘନିଷ୍ଠ ଥିବା ଏହସାନ ଅଲି ସୟଦଙ୍କ ନିର୍ଦ୍ଦେଶ ଅନୁସାରେ ସେ ସବୁକିଛି କରିଛନ୍ତି । ଏହସାନଙ୍କ ଘର ହାଇଦ୍ରାବାଦରେ । ବର୍ତ୍ତମାନ ସେ ତୁର୍କୀରେ ବସବାସ କରୁଛନ୍ତି । ଏହି ଫେକ୍ କମ୍ପାନୀ ଜରିଆରେ ହାଓ୍ବଲା କାରବାର ଓ ବଡ଼ ଧରଣର ଆର୍ଥିକ ଜାଲିଆତି ହୋଇଥିବା ସୂଚନା ମିଳିଛି । ୨୦୦୮ରୁ ୨୦୧୧ ମଧ୍ୟରେ ଏହସାନ ୭୦ ନିୟୁତ ପାଉଣ୍ଡର ଜାଲ୍ ଋଣ ହାସଲ କରିଥିଲେ ଏବଂ କମିଶନ ବାବଦରେ ପାଇଥିଲେ ୨୫ ନିୟୁତ ପାଉଣ୍ଡ । ପରେ ସେ ତୁର୍କୀ ଚାଲିଯାଇଥିଲେ । ୨୦୨୨ରେ ସୁଇସ ସରକାରଙ୍କ ଅନୁରୋଧ କ୍ରମେ ଏହସାନଙ୍କୁ ଲଣ୍ଡନରେ ଗିରଫ କରାଯାଇଥିଲା । ୨୦୨୩ରେ ଲଣ୍ଡନର ଏକ କୋର୍ଟ ସୁଇଜରଲ୍ୟାଣ୍ଡ ହାତରେ ପ୍ରତ୍ୟର୍ପଣ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରୁ ଜଣାଯାଇଛି ହର୍ଷବର୍ଦ୍ଧନଙ୍କ ନାମରେ ବହୁ ବ୍ୟାଙ୍କ ଆକାଉଣ୍ଟ ରହିଛି । ଏହସାନଙ୍କ ସହ ତାଙ୍କର ସମ୍ପର୍କର ବିଭିନ୍ନ ଦିଗକୁ ବି ତଦନ୍ତ କରାଯାଉଛି । ହର୍ଷବର୍ଦ୍ଧନଙ୍କ ନାମରେ ଧାରା ୩୧୮, ୩୧୮(୪), ୩୩୬(୩), ୩୩୮, ୩୪୦ ଅନୁସାରେ ମାମଲା ରୁଜୁ ହୋଇଛି ।