spot_img
Home Blog Page 523

ଓଟିଇଟି ପ୍ରଶ୍ନପତ୍ର ମାମଲାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ରକ୍ଷକ ସାଜୁଛି ଭକ୍ଷକ । ଓଟିଇଟି ପ୍ରଶ୍ନପତ୍ର ମାମଲାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ସରକାରଙ୍କୁ ମନେପକାଇ ଦେଇ ବିଜେଡି କହିଛି, ପୂର୍ବରୁ ସରକାର ଘୋଷଣା କରିଥିଲେ ପ୍ରଶ୍ନପତ୍ର ପ୍ରଘଟ ହେଲେ କୋଟିଏ ଟଙ୍କାର ଜରିମାନା ସହ ସଶ୍ରମ କାରାଦଣ୍ଡ ଦିଆଯିବ । ଉପସଭାପତି ନିହାର ମହାନ୍ତିଙ୍କ କାରନାମାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ । ସେପଟେ ଏହି ମାମଲାରେ ଏବେ ସୁଦ୍ଧା ୭ ଜଣ ଗିରଫ ହୋଇଛନ୍ତି । ହେଲେ ପ୍ରଶ୍ନପତ୍ର ଲିକର ଚେର ପାଖରେ ପହଞ୍ଚିବାର ରହିଛି ଆବଶ୍ୟକତା ।

ବୋର୍ଡର ଉପସଭାପତିଙ୍କ ପାସଓ୍ବାର୍ଡ କେମିତି ପାଇଲେ ଅଭିଯୁକ୍ତ ଶିକ୍ଷକ ? କେମିତି ଲିକ୍ ହେଲା ଓଟିଇଟି ପ୍ରଶ୍ନପତ୍ର । ଏସବୁ ଗୋଲକଧନ୍ଦା ଭିତରେ କିଏ ? ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପ୍ରଶ୍ନପତ୍ର ଲିକ୍ ଘଟଣାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଆଜି ଆଉ ଜଣେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀଙ୍କ ଦାବି କାହାରିକୁ ଛଡ଼ାଯିବ ନାହିଁ । ଇଂରାଜୀ ପ୍ରଶ୍ନପତ୍ରକୁ ଓଡ଼ିଆରେ ଅନୁବାଦ କରି ଗିରଫ ହୋଇଛନ୍ତି କଳାହାଣ୍ଡିର ଶିକ୍ଷକ ପ୍ରଶାନ୍ତ ଖମାରୀ । ପ୍ରଶାନ୍ତ ଓଡ଼ିଆ ଅନୁବାଦ କରିବା ପରେ ଏହାକୁ ହାତରେ ଲେଖି ଅନ୍ୟ ଜଣେ ଅଭିଯୁକ୍ତ ବିଜୟ ମିଶ୍ରଙ୍କୁ ପଠାଇବା ସହ ୯୯ ହଜାର ଟଙ୍କା ଅନଲାଇନରେ ପଠାଇଥିଲେ । ପ୍ରଶାନ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ, ବୋର୍ଡର ସମସ୍ତ କର୍ମଚାରୀଙ୍କୁ ପଚରାଉଚରା ଜାରି ରଖିଛି ।

ସରକାରଙ୍କ ଏପରି ଅକ୍ଷମଣୀୟ ତ୍ରୁଟିକୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ବୋର୍ଡର ଉପସଭାପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇବା ସହ ପ୍ରାଶାସନିକ ତଦନ୍ତ ଦାବି କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଉପସଭାପତି ନିହାର ମହାନ୍ତିଙ୍କ ଲାପଟପକୁ ପ୍ରଶ୍ନପତ୍ର କିପରି ଆସିଲା ? ରାଜ୍ୟର ବିଭିନ୍ନ ପରୀକ୍ଷାର ଦାୟିତ୍ବ ନେଇଥିବା ଚାରୁ ମାଇଣ୍ଡ ସଂସ୍ଥା ଲଜିଷ୍ଟିକ ଓ ବିଭିନ୍ନ ସରକାରୀ ପରୀକ୍ଷା ପରିଚାଳନା କରିଥାଏ । ଏହି ସଂସ୍ଥା ନିହାର ମହାନ୍ତିଙ୍କ ପୁଅ ଓ ବୋହୂଙ୍କର ବୋଲି ଚର୍ଚ୍ଚା ହେଉଛି । ଯଦି ଏହା ସତ ହୋଇଥାଏ ତା’ହେଲେ ସାଂଘାତିକ । ତଦନ୍ତ ପରିସର ହୋଇଥିବା ଅଧିକାରୀଙ୍କୁ ସରକାର ତୁରନ୍ତ କାମରୁ ଅପସାରଣ କରନ୍ତୁ ବୋଲି ବିଜୟ ଦାବି କରିଛନ୍ତି । କଂଗ୍ରେସ ଓ ବିଜେଡି ମଧ୍ୟ ଏହି ମାମଲାରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ପ୍ରଶ୍ନପତ୍ର ଲିକ୍ ହେଲେ କୋଟିଏ ଟଙ୍କାର ଜରିମାନା ସହ ସଶ୍ରମ କରାଦଣ୍ଡ କଥା ସରକାର କହୁଥିବା ବେଳେ, କାର୍ଯ୍ୟାନୁଷ୍ଠାନ କାହିଁ ବୋଲି ବିଜେଡି ପ୍ରଶ୍ନ କରିଛି ।

ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷାରେ ବିଫଳ ହେଲେ କାର୍ଯ୍ୟରତ ହାଇସ୍କୁଲ ଶିକ୍ଷକମାନେ ଚାକିରି ହରାଇବାର ବ୍ୟବସ୍ଥା ରହିଛି । ଶିକ୍ଷକଙ୍କ ପରୀକ୍ଷାରେ ଏଭଳି ତ୍ରୁଟି ସାଙ୍ଗକୁ ଲକ୍ଷ ଲକ୍ଷ ପିଲାମାନଙ୍କ ପରୀକ୍ଷା କରୁଥିବା ବୋର୍ଡର ଦକ୍ଷତା ଓ ସ୍ବଚ୍ଛତା ଉପରେ ଉଠିଛି ପ୍ରଶ୍ନ ।

ଦୁଷ୍କର୍ମ ମାମଲାରେ ପୂର୍ବତନ ସାଂସଦ ପ୍ରଜ୍ବଳ ରେଭାନ୍ନା ଦୋଷୀ

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକ ହାସନର ପୂର୍ବତନ ସାଂସଦ ତଥା ଜେଡି(ଏସ) ନେତା ପ୍ରଜ୍ବଳ ରେଭାନ୍ନାଙ୍କୁ ଏକ ଦୁଷ୍କର୍ମ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୨ ତାରିଖରେ ତାଙ୍କ ବିରୋଧରେ ଦଣ୍ଡ ଘୋଷଣା କରାଯିବ । କୋର୍ଟଙ୍କ ରାୟ ଆସିବା ପରେ ପ୍ରଜ୍ବଳ କୋର୍ଟ ଭିତରେ କାନ୍ଦି ପାକାଇଥିଲେ । ବେଙ୍ଗାଲୁରୁ ସ୍ଥିତି ଜନପ୍ରତିନିଧିଙ୍କ ସହ ଜଡିତ ମାମଲାର ଶୁଣାଣି ପାଇଁ ଗଠିତ ସ୍ବତନ୍ତ୍ର ଅଦାଲତ ଏହି ରାୟ ଦେଇଛନ୍ତି । ଏତଲା ଦିଆଯିବାର ମାତ୍ର ୧୪ ମରସ ମଧ୍ୟରେ ଏହି ରାୟ ପ୍ରକାଶ ପାଇଛି ।

ମୁଖ୍ୟ ପ୍ରମାଣ ‘ଶାଢ଼ୀ’

ପ୍ରଜ୍ବଳଙ୍କ ବିରୋଧରେ ଦାୟର ଦୁଷ୍କର୍ମ ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଭାବେ କୋର୍ଟରେ ଶାଢ଼ୀ ଉପସ୍ଥାପନ କରାଯାଇଥିଲା । ଅଭିଯୋଗ ହୋଇଛି କି ଅଭିଯୁକ୍ତ ପ୍ରଜ୍ବଳ ଘରୋଇ ସହାୟିକାଙ୍କ ସହ ଥରେ ନୁହେଁ ଦୁଇ ଥର ଦୁଷ୍କର୍ମ କରିଥିଲେ । ପୀଡ଼ିତା ଦୁଷ୍କର୍ମ ଘଟଣାର ଭିଡିଓ ରେକର୍ଡ କରିବା ସହ ଶାଢ଼ୀକୁ ପ୍ରମାଣ ଭାବେ ପାଖରେ ରଖିଥିଲେ । ଯାଞ୍ଚ ବେଳେ ଉକ୍ତ ଶାଢ଼ୀରୁ ଦୁଷ୍କର୍ମର ପ୍ରମାଣ ମିଳିଥିଲା । ଏହି ଶାଢ଼ୀକୁ କୋର୍ଟରେ ମୁଖ୍ୟ ପ୍ରମାଣ ଭାବେ ଉପସ୍ଥାପନ କରାଯାଇଥିଲା । ଭାରତୀୟ ଦଣ୍ଡ ସଂହିତା (IPC) ଏବଂ IT ଆକ୍ଟର ଏକାଧିକ ଧାରାକୁ ଆଧାର କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆସନ୍ତାକାଲି କୋର୍ଟ ତାଙ୍କ ବିରୋଧରେ ଦଣ୍ଡବିଧାନ କରିବେ ।

୧୨୩ ପ୍ରମାଣ

କେଆର ନଗରର ଜଣେ ଘରୋଇ ସହାୟିକା ସିଆଇଡି ସାଇବର କ୍ରାଇମ ଥାନାରେ ପ୍ରଜ୍ବଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିବାର ସହ ଏହାର ଭିଡିଓ ବନାଇଥିବା ପୀଡ଼ିତା ଅଭିଯୋଗ କରିଥିଲେ । ସିଆଇଡିର ଏକ ସ୍ପେଶାଲ ଟିମ୍ (ଏସଆଇଟି) ମାମଲାର ତଦନ୍ତ କରିଥିଲା । ଯେଉଁଥିରେ ୨୦୦୦ ପୃଷ୍ଠାର ଚାର୍ଜସିଟ ଦାକଲ କରାଯାଇଥିଲା । ତଦନ୍ତ ବେଳେ ତଦନ୍ତକାରୀ ଟିମ୍ ହାତରେ ୧୨୩ଟି ପ୍ରମାଣ ଲାଗିଥିଲା ।

୭ ମାସରେ ଟ୍ରାଲଏ ଶେଷ

ସିଆଇଡି ଇନ୍ସପେକ୍ଟର ଶୋଭା ଏବଂ ତାଙ୍କ ଟିମ୍ ମାମଲାର ତଦନ୍ତ କରୁଥିଲେ । ୨୦୨୪ ଡିସେମ୍ବର ୩୧ ତାରିଖରେ ମାମଲାରୁ ଶୁଣାଣି ଆରମ୍ଭ ହୋଇଥିଲା । ଏହି ସମୟରେ ୨୩ ଜଣଙ୍କ ସାକ୍ଷୀ ନିଆଯାଇଥିଲା । ଏହାବାଦ ଭିଡିଓ କ୍ଲିପ୍ସର ଫରେନ୍ସିକ ରିପୋର୍ଟ ଏବଂ ଘଟଣା ସ୍ଥଳ ଯାଞ୍ଚର ସମୀକ୍ଷା କରାଯାଇଥିଲା । ମାତ୍ର ୭ ମାସରେ ଟ୍ରାଏଲ ଶେଷ ହୋଇଯାଇଥିଲା । ଦୁଇ ପକ୍ଷଙ୍କୁ ଶୁଣିବା ପରେ ବିଶେଷ ବିଚାରପତି ସନ୍ତୋଷ ଜଗାନନ ଭଟ୍ଟ ରାୟ ସଂରକ୍ଷିତ ରଖିଥିଲେ ।

ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ କଙ୍ଗନାଙ୍କୁ ଝଟକା, ମାନହାନି ମାମଲାର ପୁଣି ଆରମ୍ଭ ହେବ ଟ୍ରାଏଲ୍

ନନ୍ଦିଘୋଷ ବ୍ୟୁରୋ: ବଲିଉଡ଼ ଅଭିନେତ୍ରୀ ଏବଂ ବିଜେପି ସାଂସଦ କଙ୍ଗନା ରଣାବତଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ ଲାଗିଛି ବଡ଼ ଝଟକା । ୨୦୨୧ରେ ବଠିଣ୍ଡାରେ ତାଙ୍କ ବିରୋଧରେ ଦାୟର ମାନହାନୀ ମକଦ୍ଦମାକୁ ରଦ୍ଦ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି । କୋର୍ଟଙ୍କ ଏହି ରାୟ ପରେ ବନ୍ଦ ଥିବା ଟ୍ରାଏଲ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ।

ସୂଚନାଯୋଗ୍ୟ, ୨୦୨୦-୨୧ ଚାଷୀ ଆନ୍ଦୋଳନ ସହ ଏହି ମାମଲା ଜଡ଼ିତ । ସେହି ସମୟରେ କଙ୍ଗନା ସୋସିଆଲ ମିଡିଆରେ ବଠିଣ୍ଡାର ମୋହିନ୍ଦର କୌରଙ୍କ ଫଟୋ ପୋଷ୍ଟ କରିଥିଲେ । ଏଥିରେ ସେ ଦାବି କରିଥିଲେ କି ଆନ୍ଦୋଳନରେ ସାମିଲ ହେବାକୁ ମହିଳାଙ୍କୁ ଟଙ୍କା ଦିଆଯାଉଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଥିଲା । ଏପରିକି ମୋହିନ୍ଦର କୌର ୨୦୨୧ ଜାନୁଆରୀରେ କଙ୍ଗନାଙ୍କ ବିରୋଧରେ ବଠିଣ୍ଡାର ସ୍ଥାନୀୟ କୋର୍ଟରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ । କଙ୍ଗନାଙ୍କ ପୋଷ୍ଟ ତାଙ୍କ ସମ୍ମାନହାନୀ କରିବା ସହ ସାର୍ବଜନୀନ ସ୍ତରରେ ତାଙ୍କୁ ଅପମାନିତ କରିଛି ବୋଲି ସେ ଅଭିଯୋଗ କରିଥିଲେ ।

ଏହି ମାମଲାକୁ ରଦ୍ଦ କରିବାକୁ କଙ୍ଗନା ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ଯାଇଥିଲେ । ତାଙ୍କ ବୟାନ ସାମାନ୍ୟ ଟିପ୍ପଣୀ ଥିଲା ଓ ଏଥିରେ କାହାରିଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟ ନଥିଲା ବୋଲି କଙ୍ଗନା ଯୁକ୍ତି ରଖିଥିଲେ । ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ୨୦୨୧ରୁ ବନ୍ଦ ଥିବା ଟ୍ରାଏଲ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ତେବେ କୋର୍ଟଙ୍କ ସମ୍ପୂର୍ଣ୍ଣ ନିଷ୍ପତ୍ତି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜାରି କରାଯାଇନାହିଁ । ଏଥିପାଇଁ କଙ୍ଗନାଙ୍କ ଆବେଦନ ଖାରଜ କରାଯିବା ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଅନିଲ ଅମ୍ବାନୀଙ୍କୁ ଇଡିର ସମନ ପରେ ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ମାମଲାରେ କାର୍ଯ୍ୟାନୁଷ୍ଠାନ, ଓଡ଼ିଶା-କୋଲକାତାରେ ଚଢାଉ

ନନ୍ଦିଘୋଷ ବ୍ୟୁରୋ : ବଢ଼ିଲା ରିଲାଏନ୍ସ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ଅଡୁଆ । ୧୭ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିଲାଏନ୍ସ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ସମନ ଜାରି। ଅଗଷ୍ଟ ୫ ତାରିଖରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାକୁ କହିଛି ଇଡି।

ଅନ୍ୟପଟେ ବ୍ୟାଙ୍କ ଋଣ ଠକେଇ ମାମଲା ପରେ, ଏବେ ଇଡି ୬୮ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ମାମଲାର ତଦନ୍ତକୁ ଜୋରଦାର କରିଛି। ଏହି ସମ୍ପର୍କରେ, ଇଡି ଶୁକ୍ରବାର ଓଡ଼ିଶା ଓ କୋଲକାତାରେ ଚଢାଉ କରିଛି। ନଭେମ୍ବର ୧୧, ୨୦୨୪ରେ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ପଞ୍ଜିକୃତ ମାମଲା ଆଧାରରେ ଇଡି ଏହି ମାମଲାରେ ଏକ ECIR ଦାଖଲ କରିଛି। ଇଡି ଅଭିଯୋଗ କରିଛି ଯେ ଏହି ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଆଧାରରେ ଅନିଲ ଅମ୍ବାନୀଙ୍କ କମ୍ପାନୀକୁ ଚୁକ୍ତିନାମା ଦିଆଯାଇଥିଲା। ଭୁବନେଶ୍ୱରରେ, ଇଡି ମେସର୍ସ ବିସୱାଲ ଟ୍ରେଡଲିଙ୍କ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକଙ୍କ ୩ଟି ଘର ଉପରେ ଚଢାଉ କରି ତଲାସୀ କରିଥିଲା। କୋଲକାତାରେ, ଇଡି ସେହି ଫାର୍ମର ଜଣେ ସହଯୋଗୀଙ୍କ ଘର ଉପରେ ଚଢାଉ କରିଥିଲା। ମେସର୍ସ ବିସୱାଲ ଟ୍ରେଡଲିଙ୍କ ପ୍ରାଇଭେଟ୍ ଲିମିଟେଡ୍, ଏହାର ନିର୍ଦ୍ଦେଶକ ଏବଂ ସହଯୋଗୀମାନେ ୮ ପ୍ରତିଶତ କମିଶନରେ ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରଦାନ କରିବାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।

ଇଡି ଅଭିଯୋଗ କରିଛି ଯେ ଅନିଲ ଅମ୍ବାନୀଙ୍କ କମ୍ପାନୀ ଫାର୍ମକୁ କମିଶନ ଦେବା ପାଇଁ ନକଲି ବିଲ୍ ମଧ୍ୟ ପ୍ରସ୍ତୁତ କରିଥିଲା। ଅନେକ ଅଘୋଷିତ ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ ହୋଇଛି। ଏହି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ କୋଟି କୋଟି ଟଙ୍କାର ସନ୍ଦେହଜନକ କାରବାର ମିଳିଛି। ଫେଡେରାଲ୍ ଏଜେନ୍ସି କହିଛି ଯେ ଏହା ଅନିଲ ଅମ୍ବାନୀ ଗୋଷ୍ଠୀ କମ୍ପାନୀଗୁଡ଼ିକ ଏବଂ ଭାରତୀୟ ସୌର ଶକ୍ତି ନିଗମ (SECI) କୁ ଦାଖଲ କରାଯାଇଥିବା ୬୮.୨ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ମଧ୍ୟରେ ଲିଙ୍କ ପ୍ରକାଶ କରିଛି। ଏକ ସମ୍ପର୍କିତ ମାମଲାରେ, ପୂର୍ବରୁ ଜବତ ହୋଇଥିବା ପ୍ରମାଣ ବର୍ତ୍ତମାନର ତଦନ୍ତ ସହିତ ସିଧାସଳଖ ଜଡିତ।

ଇଡି ଅନୁଯାୟୀ, ଏହି ନକଲି ଗ୍ୟାରେଣ୍ଟି ମେସର୍ସ ରିଲାଏନ୍ସ ଏନୟୁ ବେସ୍ ଲିମିଟେଡ୍ ଏବଂ ମେସର୍ସ ମହାରାଷ୍ଟ୍ର ଏନର୍ଜି ଜେନେରେସନ୍ ଲିମିଟେଡ୍ ନାମରେ ଜାରି କରାଯାଇଥିଲା, ଉଭୟ ଅନିଲ ଅମ୍ବାନୀ ଗ୍ରୁପ୍ ସହିତ ଜଡିତ। ନକଲି ବ୍ୟାଙ୍କ ଗ୍ୟାରେଣ୍ଟିକୁ ପ୍ରକୃତ ବୋଲି ଦେଖାଇବା ପାଇଁ, ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ SECI ସହିତ ଯୋଗାଯୋଗ କରିବା ପାଇଁ ସରକାରୀ sbi.co.in ବଦଳରେ ଏକ ନକଲି ଇମେଲ୍ ଡୋମେନ୍ s-bi.co.in ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ନକଲି ଡୋମେନର ଉତ୍ସ ଖୋଜିବା ପାଇଁ ଇଡି ନ୍ୟାସନାଲ ଇଣ୍ଟରନେଟ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଠାରୁ ଡୋମେନ୍ ପଞ୍ଜିକରଣ ବିବରଣୀ ମାଗିଛି।

ଇଡି ଅନୁଯାୟୀ, କମ୍ପାନୀ କେବଳ ଏକ କାଗଜପତ୍ର ସଂସ୍ଥା – ଏହାର ପଞ୍ଜିକୃତ କାର୍ଯ୍ୟାଳୟ ଜଣେ ସମ୍ପର୍କୀୟଙ୍କ ଆବାସିକ ସମ୍ପତ୍ତି। ଠିକଣାରେ କମ୍ପାନୀର କୌଣସି ବୈଧାନିକ ରେକର୍ଡ ମିଳିନାହିଁ। ଅନେକ କମ୍ପାନୀ ସହିତ ସନ୍ଦେହଜନକ ଆର୍ଥିକ କାରବାର ଚିହ୍ନଟ ହୋଇଛି। କମ୍ପାନୀ ସହିତ ଜଡିତ ପ୍ରମୁଖ ବ୍ୟକ୍ତିମାନେ ଅଦୃଶ୍ୟ ବାର୍ତ୍ତା ବୈଶିଷ୍ଟ୍ୟ ସକ୍ଷମ ଥିବା ସହିତ ଟେଲିଗ୍ରାମ ଆପ୍ ବ୍ୟବହାର କରି ଚାଟ୍ କରୁଥିବାର ଜଣାପଡ଼ିଛି, ଯାହା ବାର୍ତ୍ତାଳାପକୁ ଲୁଚାଇବାର ପ୍ରୟାସକୁ ସୂଚିତ କରେ। ପୂର୍ବରୁ, ୧୭ ହଜାର କୋଟି ଋଣ ଠକେଇ ମାମଲାର ତଦନ୍ତ ସମ୍ପର୍କରେ ଇଡି ଶୁକ୍ରବାର ଅମ୍ବାନୀଙ୍କୁ ସମନ ଜାରି କରିଥିଲା ଏବଂ ଅଗଷ୍ଟ ୫ ରେ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଥିଲା।

ମାହାଙ୍ଗା ବ୍ଲକର ସମସ୍ତ ଅଫିସର ଓ କର୍ମଚାରୀଙ୍କ ଦରମା ବନ୍ଦ

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ବ୍ଲକର ସମସ୍ତ ଅଫିସର ଓ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ। କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଉନ୍ନୟନ ଅଧିକାରୀ ଚିଠି ସଂଖ୍ୟା 3656 ରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୬ ତାରିଖରେ ପାଗର ପ୍ରତିକୂଳତା ହେତୁ ଜରୁରୀକାଳୀନ ଘୋଷଣା କରି ସମସ୍ତ କର୍ମଚାରୀଙ୍କୁ ବ୍ଲକରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେଦିନ କର୍ମଚାରୀମାନେ ବ୍ଲକରେ ଉପସ୍ଥିତ ନ ରହିବା ଏବଂ ଏକ ଜନଶୁଣାଣି ବେଳେ ଜିଲ୍ଲାପାଳ ଏହି ବ୍ଲକରେ ସମସ୍ତ କର୍ମଚାରୀଙ୍କ ଉପସ୍ଥାନ ପାଇଁ ବାଓମେଟ୍ରିକ କ୍ୟାନର ଲଗାଇବାର ନିର୍ଦ୍ଦେଶକୁ ଲାଗୁ ନ କରିବା ଅଭିଯୋଗରେ ଏହି ଆକ୍ସନ ହୋଇଛି। ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଜିଲ୍ଲା ଉନ୍ନୟନ ଅଧିକାରୀ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। କର୍ମଚାରୀମାନଙ୍କ ଠାରୁ ଉପଯୁକ୍ତ ଉତ୍ତର ମିଳିବା ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ଜଣାପଡିଛି ।

ବିଲେଇକୁ ୪ ଜଣ ହୋମଗାର୍ଡ ଜଗିବା ସମ୍ପର୍କରେ ସଫେଇ ରଖିଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ ; ଉତ୍ତର ପ୍ରଦେଶର ଆଗ୍ରା ସହରରେ ୪ ଜଣ ହୋମଗାର୍ଡଙ୍କୁ ଡ୍ୟୁଟିରେ ନିୟୋଜିତ କରାଯିବା ସମ୍ପର୍କରେ ଏକ ଅଜବ ମେସେଜ ଭାଇରାଲ ହୋଇଛି। କୁହାଯାଉଛି ଯେ ଏକ ବିଲେଇର ଯତ୍ନ ନେବା ପାଇଁ ୪ ଜଣ ହୋମଗାର୍ଡଙ୍କୁ ଡ୍ୟୁଟିରେ ନିୟୋଜିତ କରାଯାଇଛି।  ଆଗ୍ରା ପୋଲିସ ଏହାକୁ ଖଣ୍ଡନ କରିଛି  । ଏହାକୁ କେବଳ ଗୁଜବ ବୋଲି କହିଛି।

୩୦ ଜୁଲାଇରେ ଆଗ୍ରା ପୋଲିସ ଲାଇନରେ ଚାରି ଜଣ ହୋମଗାର୍ଡ ଡ୍ୟୁଟିରେ ଥିଲେ। ସେମାନଙ୍କୁ ବିଲେଇ ଓ ଏହାର ବିଲେଇ ଛୁଆମାନଙ୍କର ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କନଷ୍ଟେବଳ ଯୋଗେଶ କୁମାର କହିଛନ୍ତି ଯେ ଏହି ବିଲେଇଟି ଟ୍ରାଫିକ୍ଏସପି ଅଭିଷେକ କୁମାରଙ୍କର । ଏହାର ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ, ଯାହା ଦ୍ୱାରା ଏହା କୌଣସି ପ୍ରାଣୀ ଦ୍ୱାରା କ୍ଷତି ନହୁଏ।

ରାତିରେ ବିଲେଇକୁ କ୍ଷୀର, ରୋଟି ଏବଂ ପାଣି ଖାଇବାକୁ ଦେବାକୁ ହୋମଗାର୍ଡମାନଙ୍କୁ ମଧ୍ୟ କୁହାଯାଇଥିଲା। କିନ୍ତୁ ଡ୍ୟୁଟି ପରେ, ହୋମଗାର୍ଡମାନେ ଜାଣିପାରିଲେ ଯେ ବିଲେଇଟି ଏସପିଙ୍କର ନୁହେଁ। ଜଣେ ହୋମଗାର୍ଡ ତାଙ୍କ ଅଫିସିଆଲ୍ ଗ୍ରୁପରେ ଏ ବିଷୟରେ ଏକ ମେସେଜ୍ ପୋଷ୍ଟ କରିଥିଲେ । ବିଲେଇ ଛୁଆଟିର ଫଟୋ ମଧ୍ୟ ସେୟାର କରିଥିଲେ, ଯାହା ଘଟଣାଟିକୁ ଲୋକଲୋଚନକୁ ଆଣିଥିଲା।

ଆଗ୍ରା ପୋଲିସ ଏହି ମାମଲାରେ ପ୍ରତିକ୍ରିୟା ଦେଇ କହିଛି ଯେ ବିଲେଇଟି ପରିତ୍ୟକ୍ତ ଥିଲା ଏବଂ ଏହା ଏସପି ଟ୍ରାଫିକର ନୁହେଁ। ପୋଲିସ ମିଡିଆ ସେଲ୍ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛି ଯେ ଏହି ଖବର ସମ୍ପୂର୍ଣ୍ଣ ଗୁଜବ। ସେମାନେ ସ୍ପଷ୍ଟ କରିଛନ୍ତି ଯେ ବିଲେଇଟି ପୋଷା ପ୍ରାଣୀ ନୁହେଁ ଏବଂ ହୋମଗାର୍ଡମାନଙ୍କୁ କେବଳ ବିଲେଇ ଛୁଆମାନଙ୍କୁ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ପୋଲିସ କହିଛି ଯେ ହୋମଗାର୍ଡମାନଙ୍କର ଭୁଲ ବୁଝାମଣା ଥିଲା ଏବଂ ସେମାନେ କଥାଟିକୁ ଅତିରଞ୍ଜିତ କରିଥିଲେ। ବିଲେଇଟି ପୋଷା ପ୍ରାଣୀ ନୁହେଁ। ହୋମଗାର୍ଡମାନଙ୍କୁ କେବଳ ସତର୍କ ରହିବାକୁ କୁହାଯାଇଥିଲା ଯେପରି ବିଲେଇଟି କ୍ଷତି ନ ପାଏ। ଡ୍ୟୁଟିରେ ଥିବା ହୋମଗାର୍ଡମାନେ ଭୁଲ ବୁଝାମଣା କରିଛନ୍ତି।

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ

ଅନୁଗୁଳ : ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ । ଅନୁଗୁଳ ଫାଷ୍ଟ ଟ୍ରାକ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମକାରିକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପୁଅକୁ ସହଯୋଗ କରିଥିବା ବାପା ମାଆକୁ ୫ ବର୍ଷ ଜେଲ୍ ନିର୍ଦ୍ଦେଶ ଦେଇଛନ୍ତି। ଅନୁଗୁଳ ବନ୍ତଳା ଅଞ୍ଚଳରେ ୨୦୨୨ ଫେବ୍ରୁଆରୀର ଘଟଣା। ବଅଁରପାଳ ଅଞ୍ଚଳର ନାବାଳିକା ବନ୍ତଳା ଅଂଚଳରେ ନିଜ ମାମୁଁ ଘରେ ରହି ପାଠ ପଢୁଥିଲେ । ବନ୍ତଳାର ରାଜା ଓରଫ ରଂଜିତ ବାରିକ ନାବାଳିକାକୁ ପ୍ରଲୋଭନ ଦେଖାଇ ଜୋରଜବରଦସ୍ତ ନେଇଯାଇଥିଲ। ନାବାଳିକାର ପରିବାର ରଞ୍ଜିତଙ୍କ ଘରୁକୁ ଯାଇ ପଚାରିବାକୁ ନାବାଳିକା ମାରିଦେବାକୁ ଧମକ ଦେଇଥିଲେ। ଏନେଇ ବନ୍ତଳା ଥାନାରେ ଅଭିଯୋଗ ପରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ୧୦ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ରଂଜିତ ବାରିକକୁ ୨୦ବର୍ଷ ଜେଲ ସହ ୩୦ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ବର୍ଷେ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ। ସେହିପରି ବାପା ରଞ୍ଜନ ବାରିକ ଓ ମାଆ ଜୟନ୍ତୀ ବାରିକଙ୍କୁ ୫ବର୍ଷ ଜେଲଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି। । ଏହାସହିତ ପୀଡିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥ ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ ।

ଆହୁରି ୧୨ ଘଣ୍ଟା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ସକ୍ରିୟ ଘୁର୍ଣ୍ଣିବଳୟକୁ ନେଇ ଆହୁରି ୧୨ ଘଣ୍ଟା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା  ୧୨ ଘଂଟାରେ  କେନ୍ଦୁଝର  ମୟୁରଭଞ୍ଜ ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡିର ସତର୍କତା ଜାରି କରିଛି ପାଣିପାଗ ବିଭାଗ I ଏହି ଜିଲ୍ଲା ମାନଙ୍କର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହିତ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବୋହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯେଉଥିପାଇଁ ଏହି ସବୁ ଜିଲ୍ଲାକୁ ଏଲୋ ଆଲର୍ଟ ଜାରି କରିଛି ବିଭାଗ I ଏହାସହ ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି I

୪୦ ଘଣ୍ଟା ପରେ ମିଳିଲା ଯୁବକଙ୍କ ମୃତଦେହ

ସୁନ୍ଦରଗଡ଼ : ୪୦ ଘଣ୍ଟା ପରେ ମିଳିଲା ଜଣେ ଯୁବକଙ୍କ ମୃତଦେହ। ସୁନ୍ଦରଗଡ଼ ସବଡେଗା ବ୍ଲକ ମୟାବାହାଲ ଡଙ୍ଗାଘାଟ ନିକଟରେ ପାଣି ଭିତରେ ଏକ ପଥରରେ ଫସିରହିଛି ମୃତଦେହ । ଉଦ୍ଧାର ପରେ ଯୁବକଙ୍କ ପରିଚୟ ଜଣାପଡ଼ିବ। ଅନ୍ୟ ଜଣେ ଯୁବକଙ୍କ ଏଯାଏଁ ପତ୍ତା ମିଳିନାହିଁ । ଗତ ବୁଧବାର ଇବ ନଦୀ କନାକୁଣ୍ଡ ଠାରେ ଭାସିଯାଇଥିଲେ ଦୁଇ ଯୁବକ । କନାକୁଣ୍ଡ ଠାରେ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ଦୁଇ ଯୁବକ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ରୋଶନ ପାଶୱାନ ଏବଂ ଜୟନାରାୟଣ ପାତ୍ର । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରଖିଛି ।

କଟକ-ଭୁବନେଶ୍ଵରରୁ କୋଟିଏ ଟଙ୍କାର କଫ୍ ସିରପ୍ ଜବତ

ଭୁବନେଶ୍ଵର : ଓଡ଼ିଶାର ସବୁଠୁ ବଡ଼ କଫ ସିରପ ରେଡ୍ । କଟକ-ଭୁବନେଶ୍ଵରରୁ କୋଟିଏ ଟଙ୍କାର କଫ୍ ସିରପ୍ ଜବତ ହୋଇଛି। ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଚାଲିଛି ଏହି ମାରାଥନ ରେଡ୍ । STF ଓ ଡ୍ରଗ୍ କଣ୍ଟ୍ରୋଲରଙ୍କ ମିଳିତ ସହଯୋଗରେ ଚାଲିଥିବା ଏହି ରେଡ଼ରେ କଟକରୁ ପ୍ରାୟ ୧୩ ହଜାର ୧୫୮ ବୋତଲ ଓ ଭୁବନେଶ୍ୱରରୁ ୧୩ ହଜାର ୫ ଶହ ବୋତଲ କଫ ସିରପ ଜବତ ହୋଇଛି । ଭୁବନେଶ୍ୱରରୁ ଜବତ କଫ ସିରପର ମୂଲ୍ୟ ପ୍ରାୟ ୫୨ ଲକ୍ଷ ୭୮ ହଜାରରୁ ଅଧିକ ହେବ ବୋଲି ଜଣାପଡିଛି । ହିମାଚଳ ପ୍ରଦେଶ ସ୍ଥିତ ଓ୍ବିନସେରେକ୍ସ କଫ ସିରପ ନାଁରେ କୋଡ଼ିନ ମିଶାଇ ଏହାକୁ ନିଶାଦ୍ରବ୍ୟ ଭାବେ ବ୍ୟବହାର କରାଯାଉଥିଲା । ପ୍ରତି ବୋତଲର ମୂଲ୍ୟ ୧୯୯ ଟଙ୍କା ଥିଲା । ଏକାଧିକ ଯୁବକଙ୍କୁ କାବୁ କରି ପଚରାଉଚରା ଜାରି ରହିଛି । NDPS ଆକ୍ଟ ୧୯୮୫ ଓ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ ୧୯୪୦ ମୁତାବକ କେସ ରୁଜୁ କରାଯାଇଛି । ନିଶା ବିରୋଧରେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ ପାଇଁ ଏଭଳି ବଡ଼ ରେଡ୍ ହେଉଥିବା କହିଛି ଟିମ୍ ।