spot_img
Home Blog Page 503

ରାୟଗଡା ଜିଲ୍ଲାରେ କମିବାରେ ଲାଗିଛି କପା ଚାଷ

ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ କମିବାରେ ଲାଗିଛି କପା ଚାଷ । ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୪୦ ପ୍ରତିଶତ କମ ହୋଇଛି ଚାରା ରୋପଣ । ସାଧାରଣତଃ କପା ଅର୍ଥକାରୀ ଫସଲ ହୋଇଥିବାରୁ ଆଦିବାସୀ ମାନେ ଧାନ ପରେ କପା ଚାଷ କରିଥାନ୍ତି । ହେଲେ ଏବେ ରାୟଗଡା ସଦର ବ୍ଲକ ବୀରନାରାୟଣପୁର ଗାଁରେ ପଡିଆ ପଡିଛି ଶହ ଶହ ହେକ୍ଟର ଚାଷ ଜମି । ଆଉ କେଉଁଠି କୀଟନାଶକ ଅଭାବ ଯୋଗୁଁ ଭୂଇଁରୁ ମୁଣ୍ଡ ଟେକିପାରୁନି କପା ଗଛ । ଚାଷୀଙ୍କୁ ସରକାରୀ ଦରରେ ଔଷଧ ମିଳୁନଥିବା ବେଳେ ଚଢା ଦରରେ ବଜାରରୁ ଆବଶ୍ୟକୀୟ କୀଟନାଶକ କିଣିପାରୁନାହାନ୍ତି ଚାଷୀ । ଅନ୍ୟପଟେ ସରକାରୀ କଟକଣା ପରେ କ୍ଷେତରେ ମେସିନ ବ୍ୟବହାର ପାଇଁ ଚାଷୀଙ୍କୁ ଖୁଚୁରାରେ ପେଟ୍ରୋଲ ମିଳୁନାହିଁ । ଫଳରେ ଅନେକ ଚାଷୀ କପା ଚାଷ କରିପାରୁନାହାନ୍ତି ।

ଚଳିତ ବର୍ଷ ୫୦ ହଜାର ହେକ୍ଟର ଜମିରେ କପା ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ଏଯାଏଁ ୩୦ ହଜାର ୫୨୯ ହେକ୍ଟର ଜମିରେ କପା ଚାଷ ହୋଇଛି । ବଳକା ୨୦ ହଜାର ହେକ୍ଟର ଜମିରେ ଆଦୌ କପା ଚାଷ ଆରମ୍ଭ ହୋଇନି । କାଶୀପୁର, ମୁନିଗୁଡା, ଚନ୍ଦ୍ରପୁର, କୋଲନରା ଓ ବିଷମକଟକ ବ୍ଲକରେ ସ୍ଥିତି ସଙ୍ଗୀନ ରହିଛି । ଅନ୍ୟପଟେ କୃଷି ବିଭାଗ ଚାଷ ହ୍ରାସକୁ ସ୍ବୀକାର କରିବା ସହ ଚାରା ରୋପଣ ପାଇଁ ଆହୁରି ସମୟ ଅଛି ବୋଲି କହିଛନ୍ତି । ବର୍ଷାର ଅଭାବ ଓ ଆବଶ୍ୟକୀୟ ସରକାରୀ ସହାୟତା ମିଳୁନଥିବାରୁ ଉପାନ୍ତ ଅଞ୍ଚଳରେ କମିଛି କପା ଚାଷ । ଯାହା ଏବେ ଚିନ୍ତାର ବିଷୟ ବୋଲି କୃଷି ବିଜ୍ଞାନୀ ମାନେ ମତ ଦେଇଛନ୍ତି ।

ସପ୍ତାହେ ହେବ ଡାକସେବା ଠପ୍: ଗୁରୁତ୍ଵପୂର୍ଣ୍ଣ ସେବାରୁ ବଞ୍ଚିତ ହୋଇ ନିରାଶ ହୋଇ ଫେରୁଛନ୍ତି ଲୋକେ

ସପ୍ତାହେ ହେବ ଡାକସେବା ଠପ୍ । ଗୁରୁତ୍ଵପୂର୍ଣ୍ଣ ସେବାରୁ ବଞ୍ଚିତ ହୋଇ ନିରାଶ ହୋଇ ଫେରୁଛନ୍ତି ଲୋକେ । ନୂତନ ସଫ୍ଟୱେର ଅପଡେଟ ଓ ଇଣ୍ଟରନେଟ ସମସ୍ୟା ପାଇଁ ଏକ ସପ୍ତାହ ହେବ ଚମ୍ପୁଆ ଉପଖଣ୍ଡ ଡ଼ାକଘରେ ଡାକସେବା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଡାକଘରକୁ ଦୈନିକ ରେଜେଷ୍ଟ୍ରି ଚିଠି, ସ୍ପିଡପୋଷ୍ଟ, ଅର୍ଥ ନେଣଦେଣ, ସୁକନ୍ୟା ଯୋଜନା, ଅଟଳ ପେନସନ ଯୋଜନା ତଥା ଆଧାରକାର୍ଡ ପରି ଗୁରୁତ୍ଵପୂର୍ଣ୍ଣ ସେବା ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି ଲୋକେ । ଡାକଘରେ ସେବା ଠପ ହେବାର ପ୍ରଭାବ ଅନେକ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ପ୍ରଭାବିତ କରିଛି । ନିକଟରେ ରାକ୍ଷୀପୂର୍ଣ୍ଣିମା ଥିବା ବେଳେ ଭଉଣୀ ମାନେ ଭାଇମାନଙ୍କ ପାଖକୁ ଡାକ ଯୋଗେ ରାକ୍ଷୀ ପଠାଇ ପାରୁନାହାନ୍ତି । ଚମ୍ପୁଆ ଉପଖଣ୍ଡ ଡାକଘର ସହିତ ଏହି ଉପଖଣ୍ଡରେ ଥିବା ଯୋଡା, ବଡ଼ବିଲ, ଝୁମ୍ପରା ଅଞ୍ଚଳରେ ମଧ୍ୟ ଡାକ ସେବା ଠପ ହୋଇଯାଇଥିବା ହେତୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ପେlଷ୍ଟ ମାଷ୍ଟର ।

ବାଇକ୍ ଉପରେ ଚଢିଗଲା ହାଇଓ୍ବା: ଘଟଣାସ୍ଥଳରେ ବାପା-ଝିଅ ମୃତ

ବାଇକ୍ ଉପରେ ଚଢିଗଲା ହାଇଓ୍ବା । ଘଟଣାସ୍ଥଳରେ ବାପା-ଝିଅ ମୃତ । ପାରାଦୀପ କୁଜଙ୍ଗ କୋଠିଆସାହି ନିକଟରେ ଘଟିଛି ଦୁର୍ଘଟଣା । ଡିପିଏସ ସ୍କୁଲରୁ ବାପା-ଝିଅ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଘଟଣାସ୍ଥଳରୁ ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଚାପା ଉତ୍ତେଜନା ଲାଗି ରହିଛି । ଖବର ପାଇ ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

ହେପାଟାଇଟିସ-ଏରେ ଆକ୍ରାନ୍ତ ଲୋକେ: ଥମିବାର ନାଁ ନେଉନି ଜଣ୍ଡିସ ରୋଗ

ବଡ଼ମ୍ବା ବ୍ଲକ ଗୋବିନ୍ଦପୁରରେ ହେପାଟାଇଟିସ-ଏରେ ଆକ୍ରାନ୍ତ ଲୋକେ। ଥମିବାର ନାଁ ନେଉନି ଜଣ୍ଡିସ ରୋଗ। ଆକ୍ରାନ୍ତଙ୍କ ରକ୍ତ ନମୁନାରୁ ହେପାଟାଇଟିସ ରୋଗ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଖୋଦ ସ୍ବାସ୍ଥ୍ୟ ବିଭାଗ କହିଲାଣି ଏବେସୁଦ୍ଧା ୩୨ ଜଣ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗାଁରେ ଜଣେ ଜଣ୍ଡିସ ପଜିଟିଭ ବାହାରିବା ପରେ ୩୩ ଜଣଙ୍କର ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ସେଥି ମଧ୍ୟରୁ ୩୨ ଜଣ ଆକ୍ରାନ୍ତ ବାହାରିବାରୁ ଗାଁରେ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ମାଣିଆବନ୍ଧ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ପହଞ୍ଚି ଲୋକଙ୍କ ଚିକିତ୍ସା କରୁଛନ୍ତି । ସେପଟେ ପାଣି ପରୀକ୍ଷା ରିପୋର୍ଟ ଆସିନି ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ।

ମାନପୁର ପଞ୍ଚାୟତ ଅଧୀନରେ ଚାଲିଥିବା ପାନୀୟ ଜଳ ଯୋଗାଣ ପାଇପ ବିଭିନ୍ନ ସ୍ଥାନରୁ ଫାଟିଯାଇଛି । ଦୂଷିତ ପାଣି ଯୋଗୁଁ ଜଣ୍ଡିସ ରୋଗ ବ୍ଯାପୁଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡିଛି । ତୁରନ୍ତ ପାଇପ ମରାମତି କରିବା ସହ ସମସ୍ତ ଘରକୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ଶ୍ରୀ ବିଜୟ ଦଳବେହେରା । ଏଥିସହ ନିକଟସ୍ଥ ଆୟୁଷ୍ମାନ ସ୍ଵାସ୍ଥ୍ୟ ଆରୋଗ୍ୟ ମନ୍ଦିରରେ ସର୍ବନିମ୍ନ ଦରକାରୀ ଔଷଧ ସାଙ୍ଗକୁ ବ୍ଲିଚିଂ ପାଉଡର ମହଜୁଦ ରଖିବାକୁ କହିଛନ୍ତି । ସେହିପରି ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର ମଧ୍ୟ ଗାଁକୁ ଯାଇ ଲୋକଙ୍କୁ ସଚେତନ କରିଛନ୍ତି । ଦୂଷିତ ପାଣି ଯୋଗୁ ଗାଁରେ ଜଣ୍ଡିସ ବ୍ୟପୁଛି । ତା ସହିତ ଲୋକଙ୍କ ରକ୍ତ ନମୁନାରୁ ହେପାଟାଇଟିସ-ଏ ସଂକ୍ରମଣ ଥିବା ଜଣାପଡ଼ିଲାଣି। ସ୍ଥିତି ଆଗକୁ ଆହୁରି ଭୟଙ୍କର ରୂପ ନେଇପାରେ। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ ବଡ଼ମ୍ବା ଯାଇ ସ୍ଥିତି ନିୟନ୍ତ୍ରଣ ନେଇ ପଦକ୍ଷେପ ନେବାକୁ ସବୁ ମହଲରେ ଦାବି ଉଠିଛି।

କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣା: ପରିବାରକୁ ଭେଟି ସମବେଦନା ଜଣାଇଲେ ବିଭିନ୍ନ ରାଜନୈତିକ ଦଳ

କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣାରେ ବିଭିନ୍ନ ରାଜନୈତିକ ଦଳ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । କଂଗ୍ରେସ, ସିପିଆଇଏମ ଓ ଟିମ ମିଶିକି ପରିବାରକୁ ଭେଟିଥିବାବେଳେ ବିଜେପି ମଧ୍ୟ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛି । କଂଗ୍ରେସ, ବିଜେପି ଓ ସିପିଆଇଏମର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଭେଟି ଆଲୋଚନା କରିଛନ୍ତି । ତେବେ ଏହି ଅବସରରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ର ବରିଷ୍ଠ ନେତ୍ରୀ ସସ୍ମିତା ବେହେରା । ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ସସ୍ମିତା । ଅନ୍ୟପଟେ ବିଜେପି ସରକାର ଆସିବା ପରେ ନାରୀ ସୁରକ୍ଷାରେ ବିଫଳ ବୋଲି କହିଛନ୍ତି ସିପିଆଇଏମ ନେତା ଗୟାଧର ଧଳ । ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ସେପଟେ ବିଜେପିର ଏକ ୧୫ଜଣିଆ ଦଳ ପରିବାରକୁ ଭେଟି ଆଲୋଚନା କରିବା ସହିତ ଘଟଣାକୁ ନିନ୍ଦା କରିଛି । ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ପୋଲିସର ତଦନ୍ତ ଛାଲିଛି । ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ଅର୍ଚ୍ଚନା ନାୟକ ।

ଜୀବନକୁ ବାଜି ଲଗାଇ କାନ୍ଧରେ ମୃତଦେହ ଧରି ଭରା ନଈ ପାର ହେଉଛନ୍ତି ଗ୍ରାମବାସୀ

ଜୀବନକୁ ବାଜି ଲଗାଇ କାନ୍ଧରେ ମୃତଦେହ ଧରି ଭରା ନଈ ପାର ହେଉଛନ୍ତି ଗ୍ରାମବାସୀ। ନଈ ପାର ହୋଇ ଶ୍ମଶାନକୁ ଯାଉଛନ୍ତି ଲୋକେ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ବଗେଇପଦର ଗାଁର ଏ ଅଭାବନୀୟ ଦୃଶ୍ୟ। ଶ୍ମଶାନକୁ ଯିବାକୁ ଗ୍ରାମବାସୀଙ୍କ ଲାଗି ପକ୍କା ରାସ୍ତାଟିଏ ନାହିଁ। ଶବକୁ ନେଇ ମଶାଣିକୁ ଏହି ଭରା ନଈ ପାର ହୋଇ ଯିବାକୁ ପଡୁଛି। ମଶାଣିକୁ ଯିବା ପୂର୍ବରୁ ବାଟ ଉଗାରି ରହିଛି ମୁରାନ ନଦୀ। ସ୍ଥାୟୀ ପୋଲ ନ ଥିବାରୁ ଭରା ନଦୀରେ ଜୀବନକୁ ବାଜି ଲଗାଇ କୋକେଇରେ ଶବ ଧରି ଶ୍ମଶାନକୁ ଯାଉଛନ୍ତି ଲୋକେ। ବର୍ଷ ବର୍ଷ ଧରି ଏମିତି ଚାଲିଆସୁଛି। କେବଳ ଏହି ଗୋଟିଏ ଗାଁ ଲୋକ ନୁହନ୍ତି, ତଳଗଦ୍ରି ଏବଂ ପରଜାଗଦ୍ରି ଗ୍ରାମବାସୀ ମଧ୍ୟ ସମାନ ସମସ୍ୟା ଭୋଗୁଛନ୍ତି। ଗୋଟିଏ ଶ୍ମଶାନରେ ୩ ଗାଁର ଲୋକେ ଶବ ସତ୍କାର କରିଥାନ୍ତି। ଖରାଦିନେ ନଦୀରେ କମ ପାଣି ରହୁଥିବାରୁ ଅସୁବିଧା ହୁଏନି। କିନ୍ତୁ ବର୍ଷା ଦିନେ ମଶାଣିକୁ ଯିବାକୁ ବାଟ ନପାଇ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି।ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ଗ୍ରାମବାସୀ ଯିବା ଆସିବା ପାଇଁ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି।ଏହାହେଲେ ୩ ଗ୍ରାମବାସୀଙ୍କ ଯାଆସ ଲାଗି ପକ୍କା ରାସ୍ତା ମିଳିବ ।

ନାମ ଫଳକକୁ ନେଇ ଆଜି ପୁଣି ଖୋର୍ଦ୍ଧା ଓସ୍ତପୁର ଓ କୋଟପଲା ଗାଁ ମଧ୍ୟରେ ଗଣ୍ଡଗୋଳ

ନାମ ଫଳକକୁ ନେଇ ଆଜି ପୁଣି ଖୋର୍ଦ୍ଧା ଓସ୍ତପୁର ଓ କୋଟପଲା ଗାଁ ମଧ୍ୟରେ ଗଣ୍ଡଗୋଳ। ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିବା ସହ ଭାଙ୍ଗିଛନ୍ତି ଦୋକାନ ବଜାର। ଏହା ସହ ଟେକାପଥର ବି ମାଡ଼ ହୋଇଛି । ଘଟଣାସ୍ଥଳରେ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉତ୍ତେଜନା ପରେ ବିଭିନ୍ନ ଥାନାର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ। ଉତ୍ତେଜନା ଯୋଗୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି। ସମାନ ଘଟଣାରେ ଗତକାଲି ଗୋଷ୍ଠୀ ସଂଘର୍ଷରେ ଦୁଇ ଗୁରୁତର ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ଥାନା ଅନ୍ତର୍ଗତ କୋଟପଲା, ଓସ୍ତ ପୁର ଗାଁରେ ଦୀର୍ଘ ଦିନରୁ ସୀମା ବିବାଦ ଲାଗି ରହିଛି । ଗତ କିଛିଦିନ ତଳେ ଓସ୍ତପୁର ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଗ୍ରାମର ବଜାରରେ ଓସ୍ତପୁର ନାମ ଫଳକ ରଖିବା ପାଇଁ ଦାବି କରିଥିଲେ ।

ପୂର୍ବରୁ ଲାଗିଥିବା ଓସ୍ତପୁର ନାମ ଫଳକକୁ କୋଟପଲାର କିଛି ବ୍ୟକ୍ତି ଲିଭାଇ ଦେଇଥିବା ଅଭିଯୋଗ କରିଥିଲେ । ସେଇଦିନ ଠାରୁ ବିବାଦ ଉଗ୍ରରୂପ ନେଇଥିଲା। ଗତକାଲି ନିର୍ମାଣଧିନ ରାସ୍ତାରେ ପୂର୍ତ୍ତ ବିଭାଗ ପକ୍ଷରୁ ଉଭୟ ଗ୍ରାମର ଦୁଇଟି ନାମ ଫଳକ ବେଗୁନିଆ ତହସିଲଦାରଙ୍କ ଉପସ୍ଥିତିରେ ପୋତିବା ପାଇଁ ଉଦ୍ୟମ କରାଯାଇଥିଲା । ଏହି ସମୟରେ ଉଭୟ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ । ଗାଁର ମହିଳା ମାନେ ରାସ୍ତାରେ ପୋଲିସ, ପ୍ରଶାସନ ଉପସ୍ଥିତିରେ ପରସ୍ପରକୁ ଆକ୍ରମଣ , ପ୍ରତି ଆକ୍ରମଣ କରିଥିଲେ। ଆକ୍ରମଣରେ କିଛି ଘର ଦ୍ବାର, ଦୋକାନ ବଜାର ଭଙ୍ଗାରୁଜା ହେବା ସହ ଦୁଇଜଣ ଆହତ ହୋଇଥିଲେ । ଖବର ପାଇ ଖୋର୍ଦ୍ଧା ଏସ୍ଡ଼ିପିଓ , ବେଗୁନିଆ ଓ ବାଘମାରି ଥାନା ଅଧିକାରୀ ଏକ ପ୍ଲାର୍ଟୁନ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ । ଆଜି ପୁଣି ଘଟଣାକୁ ନେଇ ଆଇନଶୃଙ୍ଖଳା ବିଗିଡିଥିବା ଅଭିଯୋଗ ହୋଇଛି ।

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ଡାକ୍ତର ଓ ମହିଳା ଫାର୍ମାସିଷ୍ଟଙ୍କୁ ଅସଦାଚରଣ ଅଭିଯୋଗ

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ଡାକ୍ତର ଓ ମହିଳା ଫାର୍ମାସିଷ୍ଟଙ୍କୁ ଅସଦାଚରଣ ଅଭିଯୋଗ । କଟକ ଜିଲ୍ଲା ବମ୍ଫକୁଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ଡାକ୍ତର ଓ ମହିଳା ଫାର୍ମାସିଷ୍ଟଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ପବ୍ଲିକ ହେଲଥ ମ୍ୟାନେଜର ଏହି ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଉଭୟ ମହିଳା ଡାକ୍ତର ଓ ଫାର୍ମାସିଷ୍ଟ। ଏ ନେଇ ଉଭୟ କଟକ ସଦର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏତଲା ରୁଜୁ କରି ସଂପୃକ୍ତ ପବ୍ଲିକ ହେଲଥ ମ୍ୟାନେଜରଙ୍କୁ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଏତଲା ଆଧାରରେ ପୋଲିସ ଆଇନ ଅନୁଯାୟୀତା କାର୍ଯ୍ୟ କରୁଛି । ଯେ ଦୋଷୀ ତାକୁ ଦଣ୍ଡ ମିଳିବା ଆବଶ୍ୟକ ବୋଲି କହିଛନ୍ତି କଟକ ମହାନଗର ନିଗମ ଜନ ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର । ସେପଟେ ଗତ ୪ ତାରିଖ ଦିନ  ଇସି ମିଟିଙ୍ଗ ହେଇଥିଲା ।  ଏହି ମିଟିଙ୍ଗ ପରେ ବାୟୋମେଟ୍ରିକ ଚେକ୍ ହୋଇଥିଲା । ଯେଉଁଥିରେ ଫାର୍ମାସିଷ୍ଟଙ୍କ ବାୟୋମେଟ୍ରିକରେ ଭୁଲ ତଥ୍ୟ ଆସିବାରୁ ଏହାକୁ ବିରୋଧ  କରିଥିଲେ । ଯେଉଁଥିପାଇଁ  ଏଭଳି ଅଭିଯୋଗ ୨ ମହିଳା ଆଣିଛନ୍ତି ବୋଲି କହିଛନ୍ତି ଅଭିଯୁକ୍ତ ପବ୍ଲିକ ହେଲ୍ଥ ମ୍ୟାନେଜର । ଏହା ସହ ନିଜକୁ ନିର୍ଦ୍ଦୋଷ ବୋଲି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ପୁଣି ରାୟଗଡାରେ ମ୍ୟାଲେରିଆ ଆତଙ୍କ: ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ପୁଣି ରାୟଗଡାରେ ମ୍ୟାଲେରିଆ ଆତଙ୍କ । ରୋଗରେ ଆକ୍ରାନ୍ତ ହୋଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ
ମାଟିକଣା ଆଶ୍ରମ ବିଦ୍ୟାଳୟର ପିଙ୍କି ନାଚିକା । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପିଙ୍କି ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିଜ ଗାଁ ଜାଙ୍ଗେଡି ଠାରେ ଶବ ରଖି ପରିବାର ଲୋକ ପ୍ରତିବାଦ କରିଛନ୍ତି ।

ପଟ୍ଟାମୁଣ୍ଡାଇରେ ଛାତ୍ରୀ ଆତ୍ମାହୁତି ଘଟଣାରେ ବିଜେଡି ସୁପ୍ରିମୋଙ୍କ ଶୋକ ପ୍ରକାଶ

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଛାତ୍ରୀ ଆତ୍ମାହୁତି ଘଟଣାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ। ମୃତ ଛାତ୍ରୀଙ୍କ ଆତ୍ମାର ସଦଗତି କାମନା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ନବୀନ। ଏହି ଅପୂରଣୀୟ କ୍ଷତିର ସାମ୍ନା କରିବାକୁ ପରିବାରବର୍ଗଙ୍କୁ ଭଗବାନ ଅପାର ଶକ୍ତି ପ୍ରଦାନ କରନ୍ତୁ। ମାସକ ମଧ୍ୟରେ ତିନି ତିନିଟି ନାବାଳିକା ସମାନ ସ୍ଥିତିରେ ଜୀବନ ହାରିଲେଣି। ଜୁଇରେ ଜଳିଯାଇଛି ନିରୀହ ଜୀବନ।ପ୍ରଶାସନିକ ସ୍ଥାଣୁତା ଯୋଗୁଁ ସ୍ପଷ୍ଟ ଦିବାଲୋକରେ ଆମ ମାଟିର ୩ ଜଣ ଝିଅ ଜୀବନ ଯାଇଛି। ସବୁ କ୍ଷେତ୍ରରେ ପ୍ରଶାସନିକ ବିଫଳତା ସ୍ପଷ୍ଟ ହୋଇଛି। ପ୍ରତିଦିନ ଏଇ ଧରଣର ଘଟଣା ସାରା ରାଜ୍ୟରୁ ଆସୁଛି। ରାଜ୍ୟ ବିଜେପି ସରକାର ଅମଳରେ ଆଉ କେତେ ଝିଅଙ୍କ ଜୀବନ ଯିବ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ଆଉ କେତେ ମାଆ ସେମାନଙ୍କ ଝିଅଙ୍କୁ ହରାଇବେ। ଏହା ରାଜ୍ୟ ବିଜେପି ସରକାରଙ୍କ ଚରମ ବିଫଳତା ବୋଲି କହିଛନ୍ତି ନବୀନ