ଅନ୍ତିମ ବଲରେ ଛକା ମାରି ଦଳକୁ ଜିତାଇବା ଘଟଣା ପୁରୁଷ କ୍ରିକେଟରେ ବହୁତ ଥର ଦେଖାଯାଇଛି । ମାତ୍ର ଏହି ଘଟଣା ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ପ୍ରଥମ ଥର ଦେଖିବାକୁ ମିଳିଛି । ଅଗଷ୍ଟ ୮ରେ ପାକିସ୍ତାନ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟି-୨୦ରେ ଏହା ଦେଖିବାକୁ ମିଳିଛି । ଦ୍ବିତୀୟ ଟି-୨୦ରେ ଆୟର୍ଲାଣ୍ଡର ମହିଳା କ୍ରିକେଟର ଜେନ ମ୍ୟାଗଓ୍ବାୟର ଶେଷ ବଲରେ ଛକା ମାରି ଦଳକୁ ଜିତାଇ ବିଶ୍ବ ରେକର୍ଡ କରିଛନ୍ତି । ଦ୍ବିତୀୟ ଟି-୨୦ରେ ୧୬୯ ରନର ପିଛା କରୁଥିବା ଆୟର୍ଲାଣ୍ଡକୁ ଅନ୍ତିମ ବଲରେ ୪ ରନର ଆବଶ୍ୟକତା ପଡ଼ୁଥିଲା । ଏପରି ସ୍ଥିତିରେ ଷ୍ଟ୍ରାଇକରେ ଥିବା ଆୟର୍ଲାଣ୍ଡ ମହିଳା କ୍ରିକେଟର ଜେନ ମ୍ୟାଗଓ୍ବାୟର ଏକ ଛକା ମାରିଥିଲେ । ଏହାଫଳରେ ଆୟର୍ଲାଣ୍ଡ ଉକ୍ତ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଶାନଦାର ବିଜୟ ହାସଲ କରିଥିଲା । ଏହି କ୍ରମରରେ ଲକ୍ଷ୍ୟ ପିଛା କରି ଅନ୍ତିମ ବଲରେ ଛକା ମାରି ମ୍ୟାଚକୁ ଜିତାଇବାରେ ଜେନ ପ୍ରଥମ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପ୍ରଥମ ଟି-୨୦ରେ ମଧ୍ୟ ଆୟୋଜନ ଦଳ ଆୟର୍ଲାଣ୍ଡ ପାକିସ୍ତାନକୁ ୧୧ ରନରେ ହରାଇଥିଲା ।
ଚେତକ ଏବଂ ଚିତା ହେବେ ରିଟାୟାର୍, ସେନାକୁ ମିଳିବ ୨୦୦ଟି ନୂଆ ହେଲିକପ୍ଟର
ନନ୍ଦିଘୋଷ ବ୍ୟୁରୋ: ଅବସର ନେବେ ଚେତକ ଏବଂ ଚିତା । ସେନାରେ ଯୋଡ଼ିହେବ ୨୦୦ନୂଆ ଶକ୍ତିଶାଳୀ ହେଲିକପ୍ଟର । ଭାରତ ପୁଣିଥରେ ତାର ପୁରୁଣା ସିଙ୍ଗଲ-ଇଞ୍ଜିନ୍ ଚିତା ଏବଂ ଚେତକ ହେଲିକପ୍ଟରକୁ ବଦଳାଇବା ପାଇଁ ପଦକ୍ଷେପ ନେଇଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ଉତ୍ତମ ନିୟନ୍ତ୍ରଣ ଅଭାବରୁ ଏହି ପୁରୁଣା ହେଲିକପ୍ଟରଗୁଡ଼ିକ ଅନେକ ଦୁର୍ଘଟଣା ପାଇଁ ଦାୟୀ। ଭାରତୀୟ ସେନା ୧୨୦ଟି ନିରୀକ୍ଷଣ ଏବଂ ଯାଞ୍ଚ ହେଲିକପ୍ଟର ପାଇଁ ସୂଚନା ମାଗିଥିବା ବେଳେ ୮୦ଟି ହେଲିକପ୍ଟର କିଣିବାର ଯୋଜନା ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପୁରୁଣା ଚିତା-ଚେତକକୁ ଯଥାଶୀଘ୍ର ଆଧୁନିକ ଡିଜାଇନ୍ ହାଲୁକା ହେଲିକପ୍ଟର ସହିତ ବଦଳାଇବା ଆବଶ୍ୟକ ହୋଇପଡ଼ିଛି ।
ନୂତନ ହେଲିକପ୍ଟରର ଆବଶ୍ୟକତା
ନୂତନ ହେଲିକପ୍ଟରଗୁଡ଼ିକ ଦିନରାତି ନିରୀକ୍ଷଣ କରିପାରିବେ, ବିଶେଷ ମିଶନ ପାଇଁ କିଛି ସୈନିକଙ୍କୁ ବହନ କରିପାରିବେ ଏବଂ ଯୁଦ୍ଧକ୍ଷେତ୍ରରେ ସେନାକୁ ସାହାଯ୍ୟ ମଧ୍ୟ କରିପାରିବେ। ଏହି ହେଲିକପ୍ଟରଗୁଡ଼ିକ ଆକ୍ରମଣ ହେଲିକପ୍ଟର ସହିତ ସ୍କାଉଟିଂ କାର୍ଯ୍ୟ ମଧ୍ୟ କରିବେ।
ସେନାର ଦୀର୍ଘକାଳୀନ ଦାବି ଏବଂ HALର ଅବଦାନ
ଗତ ଦୁଇ ଦଶନ୍ଧି ଧରି ପ୍ରାୟ ୩୫୦ ପୁରୁଣା ଚିତା-ଚେତକ ହେଲିକପ୍ଟରକୁ ବଦଳାଇବା ପାଇଁ ସେନା ନୂତନ ହାଲୁକା ହେଲିକପ୍ଟର ଦାବି କରିଆସୁଛି। ବର୍ତ୍ତମାନ, HAL ୩ଟନ୍ ଓଜନର ୧୮୭ ହାଲୁକା ହେଲିକପ୍ଟର ନିର୍ମାଣ କରୁଛି ଯେଉଁଥିରୁ ୧୨୬ସେନା ପାଇଁ ଏବଂ ୬୧ ବାୟୁସେନା ପାଇଁ। ଏହି ନୂତନ ହେଲିକପ୍ଟର ଆସିବା ପରେ, ପୁରୁଣା ହେଲିକପ୍ଟରଗୁଡ଼ିକର ଅବସର ୨୦୨୭ରୁ ଆରମ୍ଭ ହେବ ଯାହାକୁ ସମାପ୍ତ ହେବାକୁ ପ୍ରାୟ ଦଶ ବର୍ଷ ସମୟ ଲାଗିବ।
‘ମେକ୍ ଇନ୍ ଇଣ୍ଡିଆ’ ପ୍ରକଳ୍ପ ଏବଂ ଚ୍ୟାଲେଞ୍ଜ
ନୌସେନା ପାଇଁ ୬୦ ଟି ଉପଯୋଗୀ ହେଲିକପ୍ଟର ତିଆରି କରିବାର ‘ମେକ୍ ଇନ୍ ଇଣ୍ଡିଆ’ ଯୋଜନା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ସେନା କହିଛି ଯେ ସୂଚନା ମାଧ୍ୟମରେ ସେମାନେ ଆବଶ୍ୟକୀୟ ବୈଷୟିକ ବିବରଣୀ ସ୍ଥିର କରିବେ, କ୍ରୟ ପ୍ରକ୍ରିୟା ସ୍ଥିର କରିବେ ଏବଂ ସମ୍ଭାବ୍ୟ ବିକ୍ରେତାମାନଙ୍କୁ ଚିହ୍ନଟ କରିବେ, ଯେଉଁଥିରେ ଭାରତୀୟ କମ୍ପାନୀଗୁଡ଼ିକ ବିଦେଶୀ ନିର୍ମାତାଙ୍କ ସହିତ ସହଯୋଗ କରିପାରିବେ।
ପୁରୁଣା ପ୍ରଯୁକ୍ତିବିଦ୍ୟା ଯୋଗୁଁ ସମସ୍ୟା
ଚିତା ଏବଂ ଚେତକ ହେଲିକପ୍ଟରଗୁଡ଼ିକରେ ଆଧୁନିକ ଉଡ଼ାଣ ସହାୟକ ସାମଗ୍ରୀ ନାହିଁ, ଯେପରିକି କାଚ କକପିଟ୍ ଏବଂ ଉନ୍ନତ ନିୟନ୍ତ୍ରଣ ପ୍ରଣାଳୀ, ଯାହା ଖରାପ ପାଗ ଏବଂ କମ୍ ଦୃଶ୍ୟମାନତାରେ ଉଡ଼ାଣ ସମୟରେ ପାଇଲଟମାନଙ୍କୁ ସାହାଯ୍ୟ କରେ। ଏହି ହେଲିକପ୍ଟରଗୁଡ଼ିକ ସୁରକ୍ଷାକୁ ପ୍ରଭାବିତ କରେ।
ରୁଷ ସହିତ କାମୋଭ ହେଲିକପ୍ଟର ଚୁକ୍ତିର ବିଫଳତା
୨୦୧୫ ମସିହାରେ ଋଷ ସହିତ ‘ମେକ୍ ଇନ୍ ଇଣ୍ଡିଆ’ରେ ୨୦୦ କାମୋଭ-୨୨୬ଟି ହେଲିକପ୍ଟର ପାଇଁ ୨ ବିଲିୟନ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯେଉଁଥିରେ ସେନା ପାଇଁ ୧୩୫ଟି ହେଲିକପ୍ଟର ଏବଂ ବାୟୁସେନା ପାଇଁ ୬୫ଟି ହେଲିକପ୍ଟର ଅନ୍ତର୍ଭୁକ୍ତ ଥିଲା, କିନ୍ତୁ ମୂଲ୍ୟ ଏବଂ ଅନ୍ୟାନ୍ୟ କାରଣରୁ ଚୁକ୍ତି ସଫଳ ହୋଇପାରିଲା ନାହିଁ।
ଆପଣଙ୍କ ଶରୀରରେ ଦେଖାଯାଉଛି କି ଏହିସବୁ ଲକ୍ଷଣ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ …
ନନ୍ଦିଘୋଷ ବ୍ୟୁରୋ: ପ୍ରାୟତଃ ଲୋକମାନେ ଗଣ୍ଠିର ଯନ୍ତ୍ରଣା କିମ୍ବା ଫୁଲାକୁ ସାଧାରଣ ଭାବି ଅଣଦେଖା କରନ୍ତି, କିନ୍ତୁ ଏହା ଆପଣଙ୍କ ଶରୀରରେ ଅଧିକ ୟୁରିକ୍ ଏସିଡର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ଏହାକୁ ସମୟ ମଧ୍ୟରେ ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ ନଚେତ୍ ଏହା ଗଣ୍ଠି ଯନ୍ତ୍ରଣା ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ଡାକ୍ତରଙ୍କ ଅନୁଯାୟୀ ଯେତେବେଳେ ଶରୀରରେ ୟୁରିକ୍ ଏସିଡର ସ୍ତର ବୃଦ୍ଧି ପାଏ ଏହା ଗଣ୍ଠିରେ ସ୍ଫଟିକ ଆକାରରେ ଜମା ହେବା ଆରମ୍ଭ କରେ ଯାହା ଫୁଲିବା, ଲାଲ ହେବା ଏବଂ ପ୍ରବଳ ଯନ୍ତ୍ରଣା ହୋଇଥାଏ ।
ୟୁରିକ୍ ଏସିଡ୍ ବୃଦ୍ଧି ପାଇଲେ କେଉଁ ସ୍ଥାନରେ ଯନ୍ତ୍ରଣା ହୁଏ ?
ଆଙ୍ଗୁଠିରେ ତୀବ୍ର ଯନ୍ତ୍ରଣା – ଏହା ସବୁଠାରୁ ସାଧାରଣ ଲକ୍ଷଣ । ଯନ୍ତ୍ରଣା ହଠାତ୍ ଆରମ୍ଭ ହୁଏ ଏବଂ ରାତିରେ ଅଧିକ ଅନୁଭୂତ ହୁଏ ।
ଆଣ୍ଠୁ ଏବଂ ଗୋଇଠି ଫୁଲିବା – ଫୁଲିବା ସହିତ ଯନ୍ତ୍ରଣା ବଢ଼ିପାରେ ।
ଆଙ୍ଗୁଠିରେ କଠିନତା – ହାତ ବଙ୍କା ହେବା କିମ୍ବା କାମ କରିବାରେ କଷ୍ଟ ଏବଂ ବିଶେଷକରି ଏହା ସକାଳେ ବେଶୀ ଅନୁଭୂତ ହୁଏ ।
ଗୋଇଠି ଯନ୍ତ୍ରଣା – ଚାଲିବା କିମ୍ବା ଠିଆ ହେବା ସମୟରେ ଅସୁବିଧା ହୁଏ ଲବଂ ଯନ୍ତ୍ରଣା ଅନୁଭୂତ ହୁଏ ।
ୟୁରିକ ଏସିଡ୍ ବୃଦ୍ଧିର କାରଣ
-ଅଧିକ ପରିମାଣରେ ରେଡ୍ ମିଟ୍ ଏବଂ ସାମୁଦ୍ରିକ ଖାଦ୍ୟ ଖାଇବା
-ଚିନି ଏବଂ ମିଠା ପାନୀୟ ଅଧିକ ଖାଇବା
-ଅତ୍ୟାଧିକ ମଦ୍ୟପାନ, ବିଶେଷକରି ବିୟର ସେବନ
-ଶାରୀରିକ କାର୍ଯ୍ୟକଳାପ ହ୍ରାସ
-କିଡ଼ନୀ ସମସ୍ୟା ଯୋଗୁଁ ୟୁରିକ ଏସିଡ୍ ଠିକ୍ ଭାବରେ ବାହାରିନପାରିବା
ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ
ଯଦି ଆପଣ ଏହି ସବୁ ସ୍ଥାନରେ ବାରମ୍ବାର ଯନ୍ତ୍ରଣା, ଫୁଲା ଅନୁଭବ କରୁଛନ୍ତି ତେବେ ତୁରନ୍ତ ରକ୍ତ ପରୀକ୍ଷା କରନ୍ତୁ। ଯଦି ଦୀର୍ଘ ସମୟ ଧରି ଚିକିତ୍ସା ନକରାଯାଏ ତାହେଲେ ଏହା କ୍ରନିକ ଗାଉଟ୍, ଷ୍ଟୋନ ନଚେତ୍ କିଡ଼ନୀ ନଷ୍ଟର କାରଣ ହୋଇପାରେ ।
ୟୁରିକ ଏସିଡ୍ କେମିତି ରୋକିବେ ?
-ପ୍ରତିଦିନ ଅତି କମରେ ୮-୧୦ ଗ୍ଲାସ ପାଣି ପିଅନ୍ତୁ
-ମାଂସ, ମଦ୍ୟପାନ ଏବଂ ମିଠା ପାନୀୟଠାରୁ ଦୂରରେ ରୁହନ୍ତୁ
-ଖାଦ୍ୟରେ ତାଜା ଫଳ ଏବଂ ସବୁଜ ପନିପରିବା ସାମିଲ କରନ୍ତୁ
-ନିୟମିତ ବ୍ୟାୟାମ କରନ୍ତୁ ଏବଂ ଓଜନ ନିୟନ୍ତ୍ରଣରେ ରଖନ୍ତୁ
-କମ୍ ଚର୍ବିଯୁକ୍ତ ଦ୍ରବ୍ୟ ଖାଆନ୍ତୁ
ଶରୀରର କୌଣସି ଅଂଶରେ ଲଗାତାର ଯନ୍ତ୍ରଣାକୁ କେବେବି ଅଣଦେଖା କରନ୍ତୁ ନାହିଁ, ବିଶେଷକରି ଯଦି ଏହା ଗଣ୍ଠି ସହିତ ଜଡିତ। ସମୟସୀମା ମଧ୍ୟରେ ଅଧିକ ୟୁରିକ ଏସିଡର ଚିହ୍ନଟ ଏବଂ ଚିକିତ୍ସା ଆପଣଙ୍କ ଗଣ୍ଠି ଗୁଡିକୁ ଦୀର୍ଘ ସମୟ ପାଇଁ ସୁସ୍ଥ ରଖିପାରିବ।

