spot_img
Home Blog Page 496

ବିପଦରେ ସ୍କୁଲ ଶିକ୍ଷା, ପ୍ରାଥମିକ ଏବଂ ସଂସ୍କୃତ ଶିକ୍ଷକ ସମସ୍ତେ ସଂକଟରେ

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷାରୁ ସ୍କିମଟିକ ନିଯୁକ୍ତି ହଟାଇ ନିୟମିତ ଶିକ୍ଷକ ନିଯୁକ୍ତି ପାଇଁ ବିଭାଗ ପକ୍ଷରୁ ଚିଠି ହେଲା। ସ୍କୁଲ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ନିଷ୍ପତ୍ତି ହେଲା। କିନ୍ତୁ ନିଷ୍ପତ୍ତି ହେବାର ଦିନ କେଇଟା ନ ପୁରୁଣୁ ଏହାକୁ ପ୍ରତ୍ୟାହାର କରାଗଲା। ଯାହାକୁ ନେଇ ଏବେ ପ୍ରାଥମିକ ଶିକ୍ଷକ ମାନଙ୍କ ଠାରୁ ଆରମ୍ଭ କରି ସାରା ରାଜ୍ୟରେ ଅସନ୍ତୋଷର ସ୍ୱରକୁ ଜନ୍ମ ଦେଇଛି। ଠିକ ସେଭଳି ଢଙ୍ଗରେ ଧନ୍ଦାମୂଳକ ଶିକ୍ଷା ନାଁ ରେ ସ୍କୁଲ ଗୁଡିକରେ ଦେବ ଭାଷା ସଂସ୍କୃତକୁ ଲୋପ କରିବାର ଯୋଜନା କରାଯାଉଥିବା ଅଭିଯୋଗ ହେଲା। କିନ୍ତୁ ସେପଟେ ସରକାର ସାରା ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକରେ ସଂସ୍କୃତ ସପ୍ତାହ ପାଳନ ପାଇଁ ଚିଠି କରିଛନ୍ତି। ତେଣୁ ସରକାରଙ୍କ ଏସବୁ ଦ୍ଵନ୍ଦତ୍ମକ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷକ ସଂଘ ଓ ରାଜନୈତିକ ସଂଗଠନ। ସଂସ୍କୃତ ଭାଷାକୁ ହତାଦର କରାଯାଉଥିବା ଅଭିଯୋଗ ହେବା ପରେ ସଂସ୍କୃତ ସପ୍ତାହ ପାଳନ ପାଇଁ ଚିଠି କରାଯିବା ଏକ ଲୋକଦେଖାଣିଆ ନିଷ୍ପତ୍ତି ବୋଲି ଅଭିଯୋଗ ହୋଇଛି। ସମାଜର ମେରୁଦଣ୍ଡ ଶିକ୍ଷା ସହିତ ଏମିତି ଲୁଚକାଳି ଖେଳ ନ ଖେଳିବାକୁ ରାଜନୈତିକ ଦଳ ଓ ଶିକ୍ଷକ ସଂଗଠନ ଚେତାଇ ଦେଇଛନ୍ତି। ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ସ୍କିମାଟିକ ବ୍ୟବସ୍ଥା ହଟାଇବା ନିଷ୍ପତ୍ତିକୁ ପୁନର୍ବାର ଲାଗୁ କରା ନ ଗଲେ ଆଗାମୀ ବିଧାନସଭା ଅଧିବେଶନରେ ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି।

ସେପଟେ ରାଜ୍ୟର ସ୍କୁଲ ଗୁଡିକରେ ସଂସ୍କୃତ ଶିକ୍ଷାକୁ ସରକାର ଜାଣିଶୁଣି ଦୁର୍ବଳ କରୁଥିବାର ବଡ଼ ଅଭିଯୋଗ ଆସିଛି। କିନ୍ତୁ ଏହି ଅଭିଯୋଗ ଆସିବା କ୍ଷଣି ସରକାର ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରେ ସଂସ୍କୃତ ସପ୍ତାହ ପାଳନର ଚିଠି କରିଛନ୍ତି। ଯାହାକୁ କଡା ସମାଲୋଚନା କରିଛନ୍ତି ସଂସ୍କୃତ ବିଶାରଦ ମାନେ। ସଂସ୍କୃତର ପ୍ରଚାର ପ୍ରସାର କଥା କହୁଥିବା ସରକାର ପ୍ରକୃତରେ ଆନ୍ତରିକତାର ସହ ଏହା କରନ୍ତୁ ବୋଲି ଦାବି ହୋଇଛି। ସେପଟେ ଶାସକ ଦଳର କହିବା କଥା ରାଜ୍ୟର ଶିକ୍ଷା, ଭାଷା , ସାହିତ୍ୟ ଓ ସଂସ୍କୃତ ଆଦି ସବୁକୁ ସମୃଦ୍ଧ କରିବାକୁ ଉଦ୍ୟମ କରାଯାଉଛି। ରାଜ୍ୟରେ ବିଜେପି ସରକାର ଆସିବାର ବର୍ଷକରୁ ଅଧିକ ବିତି ଯାଇଥିଲେ ମଧ୍ୟ ସବୁ ପ୍ରସଙ୍ଗରେ ଦ୍ଵନ୍ଦଆତ୍ମକ ନିଷ୍ପତ୍ତି ବିକାଶମୂଳକ କାର୍ଯ୍ୟକୁ ପଛକୁ ଠେଲି ଦେଉଛି ଓ ଲୋକଙ୍କ ମନରେ ଘୋର ଅସନ୍ତୋଷ ସୃଷ୍ଟି କରୁଛି ବୋଲି ଅଭିଯୋଗ ହୋଇଛି।

କଂଗ୍ରେସ ଆଣିଲା ସାଙ୍ଘାତିକ ଅଭିଯୋଗ, ଓଡ଼ିଶାରେ ହୋଇଛି ଭୋଟ ଗଡବଡ

ଭୁବନେଶ୍ଵର : ପିସିସି ସଭାପତିଙ୍କ ଟାର୍ଗେଟରେ ବିଜେପି ସରକାର। ଓଡ଼ିଶାରେ ଭୋଟ ଚୋରିର ସରକାର ଚାଲିଥିବା ଅଭିଯୋଗ। ୨୧ ଲୋକସଭାରେ ୪୨ ଲକ୍ଷ ଅଧିକ ଭୋଟ ପଡ଼ିଛି। ୫୧ ବିଧାନସଭା ଆସନରେ ବିଜେଡି ଜିତିଲା, ହେଲେ ଗୋଟେ ବି ସଂସଦୀୟ କ୍ଷେତ୍ରରେ ଜିତିଲାନି। କଳାହାଣ୍ଡି ଓ କେନ୍ଦ୍ରାପଡ଼ା ଲୋକସଭା ଆସନର ଉଦାହରଣ ଦେଇ ଭକ୍ତ ଦାସ ପ୍ରଶ୍ନ କରିଛନ୍ତି, ଏହି ଦୁଇ ସ୍ଥାନରେ ମାତ୍ର ଗୋଟିଏ ଲେଖାଁଏ ବିଧାନସଭା ଆସନ ଜିତି ବିଜେପି କିଭଳି ଜିତିଲା ଲୋକସଭା ଆସନ। ନିର୍ବାଚନ କମିଶନ ଓ ଶାସକ ଦଳ ହାତ ମିଶାଇ ଭୋଟ ଚୋରି କରିଛନ୍ତି, ସେଥିପାଇଁ ଇଲେକ୍ସନ କମିଶନ ଭୋଟରଙ୍କ ତଥ୍ୟ କିମ୍ବା ମତଦାନ ବେଳର ତଥ୍ୟ ଦେଲେନି। ଭକ୍ତ ଦାସ କହିଛନ୍ତି, ଠିକରେ ନିର୍ବାଚନ ହୋଇଥିଲେ, କଂଗ୍ରେସରୁ ୩୫-୪୦ ବିଧାୟକ ଜିତିଥାନ୍ତେ। ଓଡ଼ିଶାରେ ବି ଭୋଟ ଚୋରି ହେବାରୁ ବିଜେପିର ୨୦ ସାଂସଦ ଜିତିଲେ। ଆସନ୍ତା ସୋମବାରରୁ ଏ ନେଇ ଲୋକଙ୍କୁ ସଚେତନ କରିବ କଂଗ୍ରେସ।

ବାଙ୍ଗାଲୋର ସେଣ୍ଟ୍ରାଲ ଲୋକସଭା ଆସନର ମହଦେବପୁରା ନିର୍ବାଚନ ମଣ୍ଡଳୀ ତଥ୍ଯ ଯାଞ୍ଚ ପରେ ଭୋଟ ଚୋରି କଥା ପଦାକୁ ଆସିଥିଲା। ସେଠାରେ ୩୩ ହଜାର ୬୯୯ ଜାଲ ଭୋଟର ବାହାରିଛି। ମୋଟ ୧ ଲକ୍ଷ ୨୫୦ ଭୋଟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସେହିପରି ବିହାରରେ ଭୋଟ ଚୋରିର ନୂଆ ତରିକା କରାଯାଇଛି। ପୁରୁଣା ଭୋଟରଙ୍କ ନାମ କାଟି ନୂଆ ଭୋଟର ଭର୍ତ୍ତି କରାଯାଉଛି। ମହାରାଷ୍ଟ୍ରରେ ୧ କୋଟି ଭୋଟ ଚୋରି ହୋଇଥିବା ଅଭିଯୋଗ। ଏବେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚିଠି ଆସିଛି, ଆଗାମୀ ନିର୍ବାଚନ ପାଇଁ ଏଜେଣ୍ଟ ଦିଅ। ଏହା ଦ୍ବାରା ଏଜେଣ୍ଟଙ୍କୁ ଅସାଧୁ ଉପାୟରେ ପ୍ରଭାବିତ କରିବାର ଆଶଙ୍କା ରହିଛି। ସେପଟେ ବିଜେଡି କହିଛି, ଆମର ଅମର ପଟ୍ଟନାୟକ ପୂର୍ବରୁ କହିଥିଲେ ଯେ ଭୋଟ ଜାଲିଆତି ହୋଇଛି। ଫର୍ମ 17 C ଏ ଯାଏଁ ଦିଆଗଲାନି। ଆସନ୍ତା ୧୯ ତାରିଖରେ ପୁଣି ବିଜେଡି ECI ଙ୍କ ନିକଟକୁ ଯିବ। ତେବେ ଭକ୍ତ ଦାସ ସିଧାସଳଖ ବିଜେପିକୁ କିଛି ନ କହି ବିଜେଡିକୁ ଟାଣୁଛନ୍ତି ବୋଲି କହିଛି ବିଜେଡି। କଂଗ୍ରେସ ଅଭିଯୋଗର କଡା ଜବାବ ଦେଇଛି ବିଜେପି। ଓଡ଼ିଶାର ପ୍ରତି ଲୋକସଭା ଆସନରେ କିପରି ୨ ଲକ୍ଷ ଭୋଟ ଅଧିକ ପଡିଲା ତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ବିଜେଡି ମଧ୍ୟ ଏନେଇ ନିର୍ବାଚନ କମିଶନ ପାଖରେ ତଥ୍ୟ ସହ ଅଭିଯୋଗ କରିଛି। ଅଭିଯୋଗ ଉପରେ ଆଗକୁ ନିର୍ବାଚନ କମିଶନ କଣ ପଦକ୍ଷେପ ନେଉଛନ୍ତି, ତା ଉପରେ ନଜର।

ଖୁବଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ନିଗମ ଓ ବୋର୍ଡ ମୁଖିଆ

ଭୁବନେଶ୍ବର : ଖୁବ୍ ଶୀଘ୍ର ଆସିବ ବିଜେପି ସରକାରରେ ନିଗମ, ବୋର୍ଡ଼ର ପ୍ରଥମ ତାଲିକା। ଅଗଷ୍ଟ ୧୫ରୁ ଅଗଷ୍ଟ ୨୦ ମଧ୍ୟରେ ତାଲିକା ଆସିପାରେ ବୋଲି ରାଜ୍ୟ ସଭାପତି ଦେଲେ ସୂଚନା। କାହାକୁ କେଉଁ ପଦରେ ଥଇଥାନ କରାଯିବ, ତାର ଖସଡ଼ା ପ୍ରସ୍ତୁତ ହେଉଛି। ଦଳୀୟ ଆନୁଗତ୍ୟ, ଦକ୍ଷତା, ଅଭିଜ୍ଞତା ହେବ ମାପକାଠି। ନିଗମ, ବୋର୍ଡ଼ ସହ ରାଜ୍ୟ ବିଜେପି ଟିମ୍ ବ ଖୁବ୍ ଶୀଘ୍ର ଗଢାଯିବ। କେଉଁମାନେ ସଙ୍ଗଠନ ପାଇଁ କାମ କରିବେ, କେଉଁମାନେ ସରକାରଙ୍କ ସହ ରହିବେ, ତାର ତାଲିକା ଏକ ପ୍ରକାର ପ୍ରସ୍ତୁତ ହୋଇସାରିଛି। ତେବେ ନିଗମ ଓ ବୋର୍ଡ଼ ତାଲିକା ଦିଲ୍ଲୀରେ ନୁହେଁ, ଭୁବନେଶ୍ବରରେ ପ୍ରସ୍ତୁତ ହେବ ବୋଲି କହିଛନ୍ତି ମନମୋହନ। ଦିଲ୍ଲୀରେ ପ୍ରତି ବୁଧବାର ସାଂସଦମାନଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ଥାଏ। ଏଥର ଦିଲ୍ଲୀ ଗସ୍ତରେ ଥିବାରୁ ସାଂସଦମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲେଚନା ହୋଇଛି ବୋଲି ସଭାପତି କହିଛନ୍ତି।

ରାଜ୍ୟରେ ମୋଟ ୫୬ଟି ନିଗମ ଥିବା ବେଳେ କିଛି ନିଗମରେ ଅଫିସରମାନଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରୁ ୪୦ଟି ନିଗମ ଏବଂ ବୋର୍ଡ଼ରେ ରାଜନୈତିକ ନିଯୁକ୍ତି ଦିଆଯିବ। ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ନେତାଙ୍କ ସହ କିଛି ବିଧାୟକଙ୍କ ନଜର ବି ନିଗମ ବୋର୍ଡ଼ ଉପରେ ରହିଛି। ଚଳଚ୍ଚିତ୍ର ନିଗମ, ଅର୍ଥ ନିଗମ, କାଜୁ ନିଗମ, ଖଦୀ ବୋର୍ଡ଼, ହାଉସିଙ୍ଗ ବୋର୍ଡ଼, ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଲାଭଜନକ ସଂସ୍ଥା ଉପରେ ରହିଛି ଆଶାୟୀଙ୍କ ନଜର। ମହିଳା ବିକାଶ ନିଗମ, ବନ ନିଗମ, କ୍ଷୁଦ୍ର ଶିଳ୍ପ ନିଗମ, ଉଠା ଜଳସେଚନ ନିଗମ, ପଣ୍ୟାଗାର ନିଗମ ଭଳି ସଂସ୍ଥା ହାତେଇବାକୁ ନେତାମାନେ ଆଶା କରିଛନ୍ତି। ସଙ୍ଗଠନରେ ୩୩ ପ୍ରତିଶତ ମହିଳାଙ୍କ ଭଳି ସରକାରରେ ମହିଳାଙ୍କ ଭାଗିଦାରୀ ବଢିବ ବୋଲି ମହିଳା ମୋର୍ଚ୍ଚା ମୁଖ୍ୟ ଆଶା ରଖିଛନ୍ତି। ନିଜ ଟିମ୍ ଗଢିବା ସହ ନିଗମ ଓ ବୋର୍ଡ଼ ନିଯୁକ୍ତି ଦଳ ପାଇଁ ସଭାପତିଙ୍କ ପାଇଁ ବଡ଼ ଆହ୍ବାନ। ଅସନ୍ତୁଷ୍ଟଙ୍କୁ ମନାଇବା, ପରାଜିତ ପ୍ରାର୍ଥୀଙ୍କୁ ଥଇଥାନ କରିବା ଯେତିକି ଗୁରୁତ୍ବ ବହନ କରୁଛି, ଦଳୀୟ ଆନୁଗତ୍ୟ ସହିତ ଦକ୍ଷତା ଓ ଅଭିଜ୍ଞତାକୁ ପ୍ରାଧାନ୍ୟ ଦେବା ସେତିକି ଜରୁରୀ।

ଜନଜାତିଙ୍କ ବିକାଶରେ ଲାଗି ଚାଲିଛି ବ୍ରେକ, ନବୀନ ଦେଇଥିବା ସୁବିଧା ସବୁ ବନ୍ଦ

ଭୁବନେଶ୍ବର : ଆଦିବାସୀଙ୍କୁ ସବୁ ସାହାଯ୍ୟ ସହଯୋଗ ଦେଉଥିଲେ ନବୀନ । ଆଦିବାସୀଙ୍କ ବିକାଶ ଥିଲା ନବୀନ ସରଙ୍କାର ପ୍ରମୁଖ ଲକ୍ଷ୍ୟ । ଜଙ୍ଗଲଜମି ଅଧିକାର, ଶିକ୍ଷା, ଷ୍ଟାଇପେଣ୍ଡକୁ ଦେଇଥିଲେ ଅଗ୍ରାଧିକାର । ବିଜେପି ସରକାର ଆସିଲା ପରେ ସବୁ କରିଛି ବନ୍ଦ । ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଶଂଖଭବନରେ ସରକାରଙ୍କୁ ଏପରି ଟାର୍ଗେଟ କରିଛନ୍ତି ବିଜେଡି ନେତା । ନବୀନ ସରକାର ସବୁ ଜିଲ୍ଲାରେ ୬ ଲକ୍ଷରୁ ଅଧିକ ଜଙ୍ଗଲ ଜମି ଆଦିବାସୀଙ୍କୁ ଲିଜରେ ଦେଇଥିଲେ । ହେଲେ ଗତ ଏକ ବର୍ଷ ଭିତରେ ବିଜେପି ସରକାର ଏହାକୁ ବନ୍ଦ କରି ଦେଇଛନ୍ତି । ଯେଉଁ ଷ୍ଟାଇପେଣ୍ଡ ବୃଦ୍ଧି କରିଥିଲେ ନବୀନ ପଟ୍ଟନାୟକ, ତାକୁ ବି କାଟି ଦିଆଯାଇଛି । ଆଦିବାସୀଙ୍କ ସାମାଜିକ, ଅର୍ଥନୈତିକ ଉନ୍ନତି ପାଇଁ ବିଜେଡି ଦାବି ଶାଣିତ କରିଛି । ନିର୍ବାଚନ ସମୟରେ ଯେଉଁ ପ୍ରତିଶୃତି ଦେଇଥିଲା ବିଜେପି, ତାହା ଭୁଲି ଯାଇଥିବା ନେଇ ଅନୁଭବ କରିଛି ବିଜୁ ଜନତା ଦଳ । ଆଦିବାସୀ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଦିବାସୀ ଦିବସ ପାଳନ ହୋଇଥାଏ । ନବୀନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆଦିବାସୀମାନଙ୍କୁ ଶିକ୍ଷିତ କରିବାକୁ ୧୭ ଜିଲ୍ଲାରେ ଅନ୍ଵେଷା ଯୋଜନା ଆରମ୍ଭ କରିଥିଲେ । ହେଲେ ବିଜେପି ସରକାର ଗତ ଦୁଇ ବର୍ଷରୁ ନାମଲେଖା ନ କରାଇ ଯୋଜନା ବନ୍ଦ କରିବାକୁ ଷଡଯନ୍ତ୍ର କରିଥିବା ବିଜେଡି ଅଭିଯୋଗ କରିଛି । ଗତ ଏକ ବର୍ଷ ଭିତରେ ଆଦିବାସୀ ଝିଅ ଦୁଷ୍କର୍ମର ଶୀକାର ହେଉଥିବାବେଳେ ଆଦିବାସୀ ବିରୋଧୀ ଅତ୍ୟାଚାର ବଢି ଚାଲିଛି । ସରକାର ସଚେତନ ନ ହେଲେ ବିରାଟ ଆଦିବାସୀ ଆନ୍ଦୋଳନର ଚେତାବନୀ ଦେଇଛି ବିଜେଡି ।

ନବୀନ ପଟ୍ଟନାୟକ ସରକାର ସମୟରେ ଆଦିବାସୀ ପାଇଥିବା ଜଙ୍ଗଲ ଜମି ଅଧିକାର ଅନ୍ୟାନ୍ୟ ଆଦିବାସୀ ଅଧ୍ୟୁଷିତ ରାଜ୍ୟଠାରୁ ଅଧିକ । ତାଙ୍କ ସମୟରେ ତିନୋଟି ମେଡିକାଲ କଲେଜ ବିଶିଷ୍ଟ ଆଦିବାସୀ ନେତାଙ୍କ ନାଁରେ ନାମିତ କରାଯାଇଥିଲା । ହକିର ବିକାଶ ପାଇଁ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିଅମ ବିର୍ସା ମୁଣ୍ଡାଙ୍କ ନାଁରେ ରାଉରକେଲାରେ କରିଥିଲେ ନବୀନ । ଯେଉଁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଛେଦରେ ସ୍ଥାନ ଦେବାକୁ ବିଜେଡି ଦାବି କରି ଆସୁଛି, ତାକୁ ଏଯାଏଁ ପୂରଣ କରାଯାଇନାହିଁ । ବିଭିନ୍ନ ସମ୍ପଦ୍ରାୟକୁ ଆଦିବାସୀ ମାନ୍ୟତା ଦେବାରେ ବି ସରକାର ପଛଘୁଞ୍ଚା ଦେଉଛନ୍ତି । ପୋଲାଭରମରେ ମୋଟୁର ଆଦିବାସୀ କ୍ଷତି ସହିବେ । ହେଲେ ଆନ୍ଧ୍ର ପ୍ରଦେଶକୁ ସୁହାଇବା ପରି କାମ କରୁଛନ୍ତି ସରକାର । କୋଟିଆକୁ ମଡେଲ ପଂଚାୟତ କରିଥିଲେ ନବୀନ । ହେଲେ ସୀମା ବିବାବ ଦୂର କରି ପାରୁ ନାହାନ୍ତି ବିଜେପି ସରକାର । ବିଶ୍ବ ଆଦିବାସୀ ଦିବସ ଅବସରରେ ଶଂଖ ଭବନରେ ପାରମ୍ପରିକ ନାଚଗୀତର ଆସର ଜମିଥିଲା । ବିଭିନ୍ନ ସମ୍ପ୍ରଦାୟର ଆଦିବାସୀମାନଙ୍କ ସହ ବିଜେଡି ନେତା ବି ଏଥିରେ ସାମିଲ ହୋଇଥିଲେ । ଆଦିବାସୀ କଳାକାରଙ୍କ ସହ ବିଜେଡି ନେତା ବି ନାଚଗୀତରେ ନିଜକୁ ହଜାଇ ଦେଇଥିଲେ । ଆଉ ଚଳିତ ବର୍ଷ ବିଶ୍ବ ଆଦିବାସୀ ଦିବସର ଥିମ ହେଉଛି ସାମଗ୍ରିକ ବିକାଶ ଜରିଆରେ ଆଦିବାସୀଙ୍କ ସମଷ୍ଟିଗତ ସଶକ୍ତିକରଣ । ହେଲେ ଯେଉଁ ପରି ଆଦିବାସୀଙ୍କ ବିକାଶରେ ବ୍ରେକ ଲାଗି ଚାଲିଛି, ତାହା ପୁଣି ଥରେ ଆଦିବାସୀଙ୍କୁ ମୁଖ୍ୟସ୍ରୋତରୁ ଦୂରେି ଦେବା ନେଇ ଚର୍ଚ୍ଚା ଜୋର ଧରିଛି ।

କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣା, ଦ୍ଵିତୀୟ ଏତଲା ଦେଲେ ପରିବାର ଲୋକ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣା । ଆଜି ଦ୍ବିତୀୟ ଏଫଆଇଆର ଦେଇଛନ୍ତି  ମୃତ ଛାତ୍ରୀଙ୍କ ବାପା । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ମୃତ ଛାତ୍ରୀଙ୍କ ବାପା ଓ ଭାଇ ପହଞ୍ଚି ପୁରୁଷ ବନ୍ଧୁଙ୍କ ନାମରେ ଏତଲା ଦେଇଛନ୍ତି । ସେପଟେ ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁକୁ ଚାରି ଦିନ ବିତିଲା । ଏବେ ବି ପୋଲିସର ହାତ ଖାଲି । ହତ୍ୟା ନା ଆତ୍ମହତ୍ୟା, ଅଡୁଆ ସୁତାର ଖିଅ ଖୋଜୁଛି ପୋଲିସ । ଏଯାଏଁ ପୋଷ୍ଟମୋର୍ଟମ ରିପୋର୍ଟ ଆସିନଥିବା ବେଳେ ଫରେନସିକ ଓ ସାଇଣ୍ଟିଫିକ ଟିମ ପୂରା ଘର ଛାନଭିନ କରିଛନ୍ତି । ଛାତ୍ରୀ ଜଣକ କେଉଁ ପରିସ୍ଥିତିରେ ଗ୍ରିଲରେ ବନ୍ଧା ହୋଇଥିଲେ? ମୃତ୍ୟୁ ପରେ ନିଆଁ ଲଗାଯାଇଥିଲା ନା ନିଜେ ଛାତ୍ରୀ ନିଆଁ ଲଗାଇ ଦେଇଥିଲେ? ନିଆଁ ଲଗାଇବା ପରେ ପାଖ ପଡିଶା କିଭଳି କୌଣସି ଚିତ୍କାର ଶୁଣିପାରିନଥିଲେ? ନିଆଁ ଲାଗିବା ସମୟରେ ଛାତ୍ରୀ ଜଣକ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ କିପରି? ଛାତ୍ରୀଙ୍କ ଗୋଡ଼ ବନ୍ଧା ହୋଇଥିଲା କି ? ନିଜେ ନିଜକୁ କେମିତି ବାନ୍ଧିଲେ ? କିଏ ବାନ୍ଧିଲା ଓ କାହିଁକି ବାନ୍ଧିଲା ? ଏଥିରେ ପରିବାର ଲୋକଙ୍କ କ’ଣ ରହିଛି ସମ୍ପୃକ୍ତି ? ସାଧାରଣରେ ଉଠୁଥିବା ଏସବୁ ପ୍ରଶ୍ନକୁ ନେଇ ଘାଣ୍ଟି ହେଉଛି ପୋଲିସ । ଘଟଣା ଦିନ ବାପା ମା ଘରୁ କେତେବେଳେ ବାହାରିଥିଲେ ଓ କେତେବେଳେ ଘରକୁ ଫେରିଥିଲେ ଜାଣିବା ପାଇଁ ସିସିଟିଭି ଯାଞ୍ଚ କରୁଛି ପୋଲିସ ।

ସିସିଟିଭି ଫୁଟେଜ ଜବତ କରିବା ପରେ ପୋଲିସ ଗାଁର ଏକ ତେଜରାତି ଦୋକାନ ମାଲିକଙ୍କୁ ପଚରାଉଚରା କରିଛି । ସନ୍ଦେହ କରାଯାଉଛି କିରୋସିନ ଏହି ଦୋକାନରୁ କିଣାଯାଇଥିଲା। ଛାତ୍ରୀଙ୍କ ମୃତ୍ୟୁ, ତା ପରେ ପୋଲିସର ଘନ ଘନ ଗସ୍ତ, ଛାନଭିନକୁ ନେଇ ଗାଁରେ ଏକ ଅସହଜ ନୀବରତା ।   ଗାଁ ଲୋକଙ୍କ ମନରେ ବି ଅନେକ ପ୍ରଶ୍ନ । ବାପାଙ୍କ ଅଭିଯୋଗ ଆଧାରରେ ପୁରୁଷ ବନ୍ଧୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ଏଭଳି ଘଟଣାକୁ ଏଡାଇ ହୋଇଥାନ୍ତା ବୋଲି ଗାଁ ଲୋକେ କହୁଛନ୍ତି । ବାହାରେ ରହୁଥିବା ଭାଇ ପାଖକୁ ମୃତା ଛାତ୍ରୀ ଆଗରୁ ରାକ୍ଷୀ ପଠାଇଥିଲେ । ଭଉଣୀର ମୃତ୍ୟୁ ଖବର ଶୁଣି ଭାଇ ଆସି ଏବେ ଗାଁରେ । ଭଉଣୀ ପଠାଇଥିବା ରାକ୍ଷୀ ମଧ୍ୟ ପାଖରେ ଅଛି । ହେଲେ ଭଉଣୀ ନାହିଁ । ପୁରୁଷ ବନ୍ଧୁକୁ ପୋଲିସ ଚେନ୍ନାଇରୁ ଗିରଫ କରିଥିବା ଚର୍ଚ୍ଚା ହେଉଥିଲା। ଏ ସଂପର୍କରେ ପୋଲିସ କିନ୍ତୁ କିଛି ସ୍ପଷ୍ଟ କରିନି। ଗତ ବୁଧବାର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଞ୍ଚାୟତର କାଠିଆପଡା ଗାଁରେ ଘଟିଥିଲା ଏହି ଅଭାବନୀୟ ଘଟଣା । ନିଆଁ ଲାଗି ବଡପଡା କଲେଜର ଯୁକ୍ତ ତିନି କଳାର ଶେଷ ବର୍ଷ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପଛର କାରଣ ଓ ସତ ଉଦଘାଟନ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

ଭାରତୀୟ ଶିଳ୍ପ ମହାସଂଘ ଓ ଓଡ଼ିଶାର ସାଂସଦଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ : ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା, ଓଡ଼ିଶାର ସାଂସଦଙ୍କ ସହିତ ଏକ ପାରସ୍ପରିକ ଆଲୋଚନା ଅଧିବେଶନର ଆୟୋଜନ କରିଥିଲା, ଯେଉଁଥିରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ସଦସ୍ୟଙ୍କ ସହିତ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୧୪ ଜଣ ସାଂସଦ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନରେ ଶିଳ୍ପ ଏବଂ ସରକାରୀ ସହଯୋଗ ମାଧ୍ୟମରେ ଓଡ଼ିଶାର ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଆଲୋଚନାରେ ଚାରୋଟି ପ୍ରମୁଖ ପ୍ରାଥମିକତା ଉପରେ ଆଲୋକପାତ କରାଯାଇଥିଲା – ଐତିହ୍ୟ ଏବଂ ପ୍ରାକୃତିକ ସମ୍ପତ୍ତିର ଉପଯୋଗ କରି ପର୍ଯ୍ୟଟନକୁ ବୃଦ୍ଧି କରିବା, ମୂଲ୍ୟ ଯୁକ୍ତ ଅଭିବୃଦ୍ଧି ଏବଂ ଗ୍ରାମୀଣ ଆୟ ବୃଦ୍ଧି ପାଇଁ କୃଷିଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହିତ କରିବା, ଅର୍ଥ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରବେଶ ମାଧ୍ୟମରେ ଏମଏସଏମଇ ଗୁଡ଼ିକୁ ସମର୍ଥନ କରିବା, ନିବେଶ ସୁଯୋଗ ସୃଷ୍ଟି କରିବା ଏବଂ ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ଜିଲ୍ଲାଭିତିକ ଶିଳ୍ପ ସମ୍ଭାବନାର ନକ୍ସା ପ୍ରସ୍ତୁତ କରିବା।

ଆଲୋଚନାରେ ସରକାର, ଶିଳ୍ପ ଏବଂ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ସାଂସଦ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ସଦସ୍ୟ ଏବଂ ବରିଷ୍ଠ ଶିଳ୍ପ ମୁଖ୍ୟଙ୍କ ସକ୍ରିୟ ଯୋଗଦାନ ଦେଖିବାକୁ ମିଳିଥିଲା ଏବଂ ଅଧିବେଶନକୁ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁନୀଲ ଗୁପ୍ତା ପରିଚାଳନା କରିଥିଲେ।

ଓଡ଼ିଶାର ଅର୍ଥନୈତିକ ପ୍ରାଥମିକତାକୁ ତ୍ୱରାନ୍ୱିତ କରିବା ଏବଂ ଏକ ସହାୟକ ନିବେଶ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ନିର୍ଦ୍ଧାରକମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ସିଆଇଆଇ ଏହାର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛି।

SSC CGL ୨୦୨୫ ପରୀକ୍ଷା ସ୍ଥଗିତ: ଖୁବଶୀଘ୍ର ନୂଆ ତାରିଖ ଘୋଷଣା

କର୍ମଚାରୀ ଚୟନ ଆୟୋଗ (ଏସଏସସି) ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ୨୦୨୫ ପରୀକ୍ଷା ସ୍ଥଗିତ ରଖାଯାଇଛି । ଧାର୍ଯ୍ୟ ତାରିଖରେ ପରୀକ୍ଷା ହେବାର ଥିଲା, ମାତ୍ର ଏବେ ଉକ୍ତ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପରୀକ୍ଷା ପ୍ଲାଟଫର୍ମର ବୈଷୟିକ ସମୀକ୍ଷା ଓ ସୁଧାର ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏସଏସସି ଅନୁସାରେ, ସିଜିଏଲ ୨୦୨୫ର ନୂଆ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ । ଟେକ୍ନିକାଲ ଟିମ୍ ସହ ପରୀକ୍ଷା ସିଷ୍ଟମର ଯାଞ୍ଚ କରାଯାଉଛି । ପ୍ରାର୍ଥୀମାନେ ଏସଏସସିର ଅଫିସିଆଲ ଓ୍ବେବସାଇଟକୁ ଯାଇ ଅପଡେଟ୍‌ ପାଇପାରିବେ । ଏଥର ସିଜିଏଲ ପରୀକ୍ଷାର ଆୟୋଜନ ନୂଆ ଓ ଅପଡେଟେଡ ଅନଲାଇନ ପ୍ଲାଟଫର୍ମରେ ହେବାର ଥିଲା । ପରୀକ୍ଷାରେ ପାରଦର୍ଶିତା ଓ ସ୍ପିଡ୍ ଆଣିବା ପାଇଁ କିଛି ନୂଆ ଟେକନିକ ଯୋଡ଼ାଯାଇଥିଲା । ମାତ୍ର ଟେକ୍ନିକାଲ ଟିମ ଟେଷ୍ଟ ରନ ସମୟରେ କିଛି ସମସ୍ୟା ପାଇଥିଲେ । ସେଥିପାଇଁ ପରୀକ୍ଷାକୁ ରୋକିବାକୁ ପଡ଼ିଥିଲା ।

ପେଟେଇ ପଡ଼ିଛି ପେଟ୍ଟାନାଳ କାମ, ଅନାବନା ଗଛ ଉଠି ସୃଷ୍ଟି ହେଲାଣି ଜଙ୍ଗଲ

କଟକ : ପେଟେଇ ପଡ଼ିଛି ପେଟ୍ଟାନାଳ କାମ । ଅନାବନା ଗଛ ଉଠି ସୃଷ୍ଟି ହେଲାଣି ଜଙ୍ଗଲ । ଅଧାରେ ରହିଛି ପାର୍ଶ୍ବବର୍ତ୍ତୀ ୱାଲ କାମ । କଟକ ସହରକୁ ସୁନ୍ଦର କରିବା ସହ ସିଡିଏ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ଓ ଗମନାଗମନକୁ ଉନ୍ନତ କରିବା ପାଇଁ ଆରମ୍ଭ ହୋଇଥଇଲା ପେଟ୍ଟାନାଳର ଉନ୍ନତିକରଣ କାମ । ଜବରଦଖଲ ଉଚ୍ଛେଦ କରି ନାଳର ଉଭୟ ପାର୍ଶ୍ବକୁ ସଫା କରା ଯାଇଥିଲା । ୩୨ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ନାଳର ଦୁଇ ପାର୍ଶ୍ବର ୱାଲ କାମ । ଏହାସହ ନାଳର ଉଭୟ ପାର୍ଶ୍ବରେ ଥିବା ରାସ୍ତାକୁ ପ୍ରଶସ୍ତ କରିବାକୁ କରାଯାଇଥିଲା ଉଦ୍ଯମ । ଦେଢ ଦୁଇ ବର୍ଷ ମଧ୍ଯରେ କାମ ବହୁତ ଆଗେଇ ଯାଇଥିଲା । ତେବେ ସରକାର ପରିବର୍ତ୍ତନ ହେବା ପରେ ପେଟେଇ ପଡ଼ିଛି ପେଟ୍ଟା ନାଳ କାମ । ଦେଢ ବର୍ଷରେ ପୁରା ବନ୍ଦ ହୋଇ ଯାଇଛି ଉନ୍ନତିକରଣ । ଯାହାକୁ ନେଇ ସୃଷ୍ଟି ହୋଇଛି ଅସନ୍ତୋଷ ।

କାମ ବନ୍ଦ ହେବା କାରଣରୁ ପୁଣି ଜଙ୍ଗଲ ଭଳି ଦିଶିଲାଣି ନାଳର ଦୁଇ ପାର୍ଶ୍ବ । ଅନ୍ୟ ପକ୍ଷରେ କଟକ ମେୟର କହିଛନ୍ତି ଆହୁରି ୫୦ କୋଟି ଖର୍ଚ୍ଚ ହୋଇ ଥିଲେ କାମ ସରି ଲୋକଙ୍କ ଦେଖିବା ପରି ହୋଇଥାନ୍ତା । ଆଗକୁ ବିଭାଗୀୟ ମନ୍ତ୍ରୀ ଓ ସରକାରଙ୍କ ସହ ପୁଣି କାମ ଆରମ୍ଭ କରିବା ପାଇଁ ଆଲୋଚନା କରାଯିବ । ନୂଆ ବ୍ଯୟବରାଦ ହେଲେ କାମ ଆଗେଇବ ବୋଲି କହିଛନ୍ତି ମେୟର । ତାଳଦଣ୍ଡା କେନାଲ ପର୍ଯ୍ଯଟକଙ୍କ ଦୃଷ୍ଟି ଆକର୍ଷଣ କରୁଥିବାବେଳେ ପେଟ୍ଟାନାଳକୁ ମଧ୍ଯ ଅନୁରୂପ ଉନ୍ନତି କରଣ କରିବାକୁ ସାଧାରଣରେ ଦାବି ହୋଇଛି ।

ମନମୋହିଲା ଧଉଳି ଗଣନାଟ୍ଯର ନାଟକ ‘ଚଣ୍ଡାଶୋକ’

ଭୁବନେଶ୍ୱର : ଯାତ୍ରା ରଙ୍ଗମଞ୍ଚରେ ସମ୍ରାଟ ଅଶୋକଙ୍କ କାହାଣୀ । ଅଶୋକଙ୍କ ସାମରିକ ଅଭିଯାନ, ପରବର୍ତ୍ତୀ ସମୟରେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତନ ପରି ଗାରିମାମୟ ଇତିହାସକୁ ନାଟକ ମାଧ୍ୟମରେ ଅତି ଚମତ୍କାର ଢଙ୍ଗରେ ପରିବେଷଣ କଲେ ଧଉଳି ଗଣନାଟ୍ୟ କଳାକାର । ଭୁବନେଶ୍ୱର ସାଲିଆ ସାହି ଦୋଳଗୋବିନ୍ଦ ଯାତ୍ରା କମିଟି ପକ୍ଷରୁ ୪ଦିନିଆ ଏହି ଯାତ୍ରାର ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ଚଣ୍ଡାଶୋକ । ନିର୍ଦ୍ଦେଶନା ହର ବାରିକ ଦେଇଥିଲା ବେଳେ ପ୍ରଯୋଜକ ଥିଲେ ବିଶ୍ୱଜିତ ରାଜ । ସଙ୍ଗୀତ ମିହିର ମହାନ୍ତି, ନୃତ୍ୟ ଶୁଭେନ୍ଦୁ ଓ ସହ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ଅମର ସାହୁ । ସମ୍ରାଟ ଅଶୋକଙ୍କ ଭୂମିକାରେ ରୁଦ୍ରଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା ।

ସାଲିଆ ସାହିର ୧୮ ବର୍ଷର ଅନୁଷ୍ଠାନ ଦୋଳ ଗୋବିନ୍ଦ ଯାତ୍ରା କମିଟି ପକ୍ଷରୁ ଚଳିତବର୍ଷ ଆୟୋଜିତ ଏହି ୪ ଦିନିଆ ଯାତ୍ରା ଉଦଯାପିତ ହୋଇଯାଇଛି । ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଯୋଗ ଦେଇଥିଲେ । କାର୍ଯ୍ଯକ୍ରମରେ ନାଟକର ନିର୍ଦ୍ଦେଶକ ଓ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆଧୁନିକତାର ଛାପରେ ଧଉଳି ଗଣନାଟ୍ୟର ନାଟକ ଚଣ୍ଡାଶୋକ ଦର୍ଶକଙ୍କୁ ସେହି କଳିଙ୍ଗ ଯୁଦ୍ଧର ବିଭୀଷିକାକୁ ପୁଣି ମନେ ପକାଇ ଦେଇଛି ।

ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ରାଜ୍ୟସ୍ତରୀୟ ଅଗଷ୍ଟ କ୍ରାନ୍ତି ଦିବସ ପାଳନ

ଭୁବନେଶ୍ୱର : ଭାରତର ବୀର ମାନଙ୍କର ବଳିଦାନର କଥା । ସେମାନଙ୍କ ବୀରତ୍ବ ଓ ସାହସର ଗାଥା । ଅଗଷ୍ଟ କ୍ରାନ୍ତି ଦିବସରେ ସ୍ବାଧୀନତା ସଂଗ୍ରାମୀଙ୍କୁ ପକାଇଲେ ବିଭିନ୍ନ ବର୍ଗ । ଗୋଟିଏ ମଞ୍ଚରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ତଥା ସ୍ଵାଧୀନତା ସଂଗ୍ରାମୀ ପରିବାର ସାମିଲ ହୋଇ ଦେଶର ସ୍ଵାଧିନତା ସଂଗ୍ରାମରେ ବଳିଦାନ ଦେଇଥିବା ମହାମନିସୀଙ୍କୁ ମନେ ପକାଇଛନ୍ତି । ଭୁବନେଶ୍ୱର ସ୍ଥିତ ସ୍ଵାଧୀନତା ସଂଗ୍ରାମୀ ସଦନ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏଠାରେ ଥିବା ସହିଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ବିଭିନ୍ନ ପ୍ରମୁଖ ରାଜନୈତିକ ବ୍ୟକ୍ତି ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମ ବିଷୟରେ ଅବତାରଣା କରିଛନ୍ତି । ଏହି ଅବସରରେ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ଦାୟାଦ ମାନଙ୍କୁ ସମ୍ମାନିତ କରାଯାଇଛି । କ୍ରାନ୍ତି ଦିବସ ସମ୍ପର୍କରେ ଆଜିର ପିଢ଼ି ଜାଣିବା ସହ ଦେଶପ୍ରେମରେ ନିଜକୁ ସାମିଲ କରିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି ।

ରାଜ୍ଯର ଅନେକ ସ୍ୱାଧୀନତା ସଂଗ୍ରାମୀ ଦେଶକୁ ସ୍ୱାଧୀନ କରିବା ପାଇଁ ତାଙ୍କର ବଳିଦାନ ଦେଇଛନ୍ତି । ଏହି ସ୍ଵାଧିନତା ସଂଗ୍ରାମୀ ପରିବାରକୁ କୁଟୁମ୍ବ ଯୋଜନାରେ ପେନସନ ପାଇଁ ଗତବର୍ଷ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଆଜିଯାଏ ତାହା ମିଳିଲା ନାହିଁ ବୋଲି କୁହାଯାଇଛି । ଯାହାକୁ ନେଇ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଦୁଃଖ ପ୍ରକାଶ କହିବା ସହ ଏହାକୁ ତୁରନ୍ତ ଲାଗୁ କରିବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳ ନିର୍ବିଶେଷରେ ସମସ୍ତେ ଗୋଟିଏ ମଞ୍ଚ ଏକାଠି ହୋଇ ମହାତ୍ମା ଗାନ୍ଧୀଙ୍କ ଅବଦାନକୁ ମନେ ପକାଇଛନ୍ତି ।