spot_img
Home Blog Page 473

ରୁଷ-ୟୁକ୍ରେନ ଯୁଦ୍ଧର ଅବସାନ ଲାଗି ଫିଟୁଛି ବାଟ ; ଆଜି ଟ୍ରମ୍ପ – ଜେଲେନସ୍କି ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧର ଅବସାନ ଲାଗି ଫିଟୁଛି ବାଟ । ଆଜି ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ହେବ ଆଲୋଚନା । ଯୁଦ୍ଧର ଅନ୍ତଲାଗି ୟୁକ୍ରେନ, ଆମେରିକା ଓ ରୁଷ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ଲାଗି ପ୍ରସ୍ତାବ ଦେଇଛନ୍ତି ଜେଲେନସ୍କି। ଆଲାସ୍କାରେ ଯଦିଓ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ଅସମାହିତ ରହିଥିଲା ତଥାପି ଶାନ୍ତି ପ୍ରତିଷ୍ଠା ଲାଗି ଏହା ବଡ଼ ସହାୟକ ହୋଇଛି । ରୁଷ-ୟୁକ୍ରେନ ଯୁଦ୍ଧ ବିରତି ପ୍ରସଙ୍ଗରେ ସହମତି ହୋଇ ପାରି ନଥିଲେ ବି ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ଅନେକ ବାର୍ତ୍ତା ଦେଇଛି ।

ଯୁଦ୍ଧ ବନ୍ଦ କରିବା ଲାଗି ରୁଷ ଉପରେ ଚାପ ପ୍ରୟୋଗ ସକାଶେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ, ଜର୍ମାନ ଚାନସେଲର ଫ୍ରେଡରିକ ମର୍ଜ, ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର, ୟୁରୋପୀୟ କମିଶନ ସଭାପତି ଉର୍ସୁଲା ଭନଡିରେ ଲେୟନ ଏକ ମିଳିତ ଘୋଷଣାନାମା ଜାରି କରିଥିଲେ। ଯୁଦ୍ଧ ବନ୍ଦ ହେଲେ କେବଳ ଭାରତ ନୁହେଁ ବିଶ୍ବ ସମୁଦାୟ ଉପକୃତ ହେବେ। ବିଶ୍ବ ଅର୍ଥନୀତିରେ ବି ବଡ଼ ପରିବର୍ତ୍ତନ ଘଟିବ ।

ବିହାର SIR ପ୍ରସଙ୍ଗରେ ଜୋର ଧରୁଛି ରଣନୀତି ; ଆଜି ବିରୋଧୀଙ୍କ ବଡ଼ ବୈଠକ

ନନ୍ଦିଘୋଷ ବ୍ୟୁରୋ: ବିହାର ଏସଆଇଆର ପ୍ରସଙ୍ଗରେ ଜୋର ଧରୁଛି ରଣନୀତି। ଆଜି ବିହାର ସ୍ବତନ୍ତ୍ର ଭୋଟର ତାଲିକା ପ୍ରସଙ୍ଗରେ ବିରୋଧୀ ଦଳଙ୍କ ବଡ଼ ବୈଠକ। ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସ୍ବାଗତ କରିଥିଲେ ଇଣ୍ଡିମେଣ୍ଟ ନେତା । ନିର୍ବାଚନକୁ ଅଧିକ ସ୍ବଚ୍ଛ କରିବା ଲାଗି ଚାଲିଥିବା ଅଭିଯାନ କ୍ରମେ ଆଜି ପ୍ରତିବାଦ ଆନ୍ଦୋଳନ କରିବେ ବିରୋଧୀ ଦଳ। ବିହାର ଏସଆଇଆର ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଲାଗି ବିରୋଧୀ ଦାବି କରୁଥିଲେ ବି ସରକାର କରୁନାହାନ୍ତି କର୍ଣ୍ଣପାତ । ଆସନ୍ତା ୨୧ ତାରିଖ ସଂସଦ ଅଧିବେଶନର ଶେଷ ଦିନ ହୋଇଥିଲେବି ବିହାର ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ହୋଇ ପାରୁନଥିବାରୁ ବିରୋଧୀ ପ୍ରକାଶ କରିଛନ୍ତି କ୍ଷୋଭ।

ଏସଆଇଆର ପ୍ରସଙ୍ଗରେ କଂଗ୍ରେସ ସାଂସଦ କେ.ସି. ବେଣୁଗୋପାଳ କହିଥିଲେ- ବିରୋଧୀଙ୍କ ଦାବି ସରକାର ନଶୁଣିବା ଯାଏଁ ଜାରି ରହିବ ଆନ୍ଦୋଳନ। ଗତ ୧୪ ତାରିଖରେ ବିହାର ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯେଉଁ ନିଷ୍ପତ୍ତି ଶୁଣାଇଥିଲେ ତାହାକୁ ସ୍ବାଗତ କରିଥିଲେ ବିରୋଧୀ। ଚିଠା ଭୋଟର ତାଲିକାରୁ ବାଦ୍ ପଡିଥିବା ୬୫ ଲକ୍ଷ ଭୋଟରଙ୍କ ନାମ ସର୍ଚ୍ଚ କରାଯାଇପାରୁଥିବା ତାଲିକାରେ ପ୍ରକାଶ କରିବାକୁ ଇସିଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ଗଠିତ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ। ଏହା ସହ ଏହି ୬୫ ଲକ୍ଷ ଭୋଟରଙ୍କୁ କାହିଁକି ତାଲିକାରୁ ବାଦ୍ କରାଯାଇଛି ତାହାର କାରଣ ବି ଦର୍ଶାଇବାକୁ କହିଥିଲେ ଅଦାଲତ। ଗତ ଅଗଷ୍ଟ ୧ ତାରିଖରେ ପ୍ରକାଶ ପାଇଥିଲା ଚିଠା ଭୋଟର ତାଲିକା । ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ସେପ୍ଟେମ୍ବର ୩୦ରେ ।

ଆଜି ଗର୍ଜିବେ ଚାଷୀ ; ହକ୍ ଓ ଅଧିକାର ପାଇଁ ଲଢ଼େଇ କରିବ ବିଜେଡ଼ି

ବରଗଡ଼ : ଚାଷୀଙ୍କ ହକ୍ ଓ ଅଧିକାରକୁ ନେଇ ଆଜି ବରଗଡ଼ରେ ବିଜେଡିର ବଡ଼ ଧରଣର ଚାଷୀ ସମାବେଶ। ଓଡ଼ିଶାର ଭାତହାଣ୍ଡିରେ ଗର୍ଜିବେ ହଜାର ହଜାର ଚାଷୀ। ଚଳିତ ଖରିଫ୍ ଋତୁରେ ଚାଷୀଙ୍କ ଧାନ କାର୍ଡ ପଞ୍ଜିକରଣ ନିୟମକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ବେଳେ ଡବଲ ଇଞ୍ଜିନ ସରକାର ଉପରେ କ୍ଷୁବ୍ଧ ଅଛନ୍ତି ଅନ୍ନଦାତା। ୮୦୦ ଟଙ୍କା ଇନପୁଟ ସହାୟତାରୁ ବଞ୍ଚିତ କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଥିବା ଅଭିଯୋଗ ହୋଇଛି।

ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ବୋଲି ଅଭିଯୋଗ ଉଠୁଛି। ରାଜ୍ୟରେ ଜୁମଲା ସରକାର ଚାଲିଥିବା ଓ ଚାଷୀଙ୍କ ପାଇଁ ଏମାନଙ୍କ ଦରଦ ନ ଥିବା କହି କଡ଼ା ସମାଲୋଚନା କରିଆସୁଛନ୍ତି ବିରୋଧୀ। ବରଗଡ଼ରେ ଆୟୋଜିତ ରାଲି ଓ ବିକ୍ଷୋଭରେ ବିଜେଡିର ବହୁ ବରିଷ୍ଠ ନେତା ସାମିଲ ହେବେ।

ମାଲକାନଗିରିରେ ବର୍ଷାର ତାଣ୍ଡବ, ଆଜି ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ

ମାଲକାନଗିରି : ବେହାଲ ମାଲକାନଗିରି । ଲଗାଣ ବର୍ଷାର ତାଣ୍ଡବରେ ଭାସୁଛି ମାଲକାନଗିରି ଜିଲ୍ଲା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ବନ୍ଦ ରଖାଯାଇଛି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର । ଛୁଟି ନେଇ ଘୋଷଣା କରିଥିଲେ ଜିଲ୍ଲାପାଳ। ମାଲକାନଗିରି ଦେଇ ଯାଇଥିବା ଜାତୀୟ ରାଜପଥରେ ଜମିଛି ପାଣି। ରାସ୍ତାରେ ପାଣି ଜମିଥିବାରୁ ଯାତାୟାତରେ ସମସ୍ୟା ଉପୁଜିବା ସହ ବିଭିନ୍ନ ଦୋକାନ ଓ ଘରେ ପଶିଲା ପାଣି । ବର୍ଷା ଲାଗି ରହିଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ପାଣି ଜମିଛି । ସଦର ଏସପି ଅଫିସ ଓ ମୁଖ୍ୟ ଚିକିତ୍ସାଳୟ ନିକଟରେ ରାସ୍ତା ଉପରେ ପ୍ରାୟ ୩ଫୁଟରୁ ଅଧିକ ପାଣି ଜମିଛି ।

ମୋଟର ସାଇକେଲ ଓ ଛୋଟ ଗାଡି ଯିବା ଆସିବା କଷ୍ଟକର ହୋଇପଡିଛି । ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ବିଭିନ୍ନ ଦୋକାନ ଏବଂ ଘର ମଧ୍ୟରେ ପାଣି ପଶି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏପରି ସ୍ଥିତି ଉପୁଜିଥିବାବେଳେ ଦୋକାନୀ ଓ ସ୍ଥାନୀୟ ଲୋକେ ନିଜ ଦୋକାନ ଏବଂ ଘରୁ ପାଣି ବାହାର କରିବାରେ ଲାଗିପଡିଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ପାଣି ବାହାର କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳିଛି।

ନବୀନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ; ଓଡ଼ିଶାବାସୀଙ୍କୁ କହିଲେ ଆଇ ଆମ୍ ଫାଇନ୍ ..

ଭୁବନେଶ୍ବର: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା  । ଡିହାଇଡ୍ରେସନ ଯୋଗୁଁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି  । ତାଙ୍କ ଅସୁସ୍ଥତା ଖବର ଶୁଣି ଚିନ୍ତାରେ ଥିବା ଓଡ଼ିଶାବାସୀଙ୍କୁ କହିଲେ ଆଇ ଆମ୍ ଫାଇନ… । ତାଙ୍କ ଅସୁସ୍ଥତା ଖବର ଶୁଣି ହସ୍ପିଟାଲ ଯାଇ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଓଡ଼ିଶାର ପ୍ରିୟ ନେତାଙ୍କ ଶୀଘ୍ର ସୁସ୍ଥତା ପାଇଁ ବିଭିନ୍ନ ମହଲରୁ ଆଶୁ ଆରୋଗ୍ୟ କାମନା କରାଯାଇଛି  ।

ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ଖବର ଆସିବା ପରେ ଏକ ବାର୍ତ୍ତାରେ ସେ ଭଲ ଥିବା କହିଛନ୍ତି । ସେ କହିଛନ୍ତି ‘ଆଇ ଆମ୍ ଫାଇନ୍ ’ ।  ଡିହାଇଡ୍ରେସନ ଯୋଗୁଁ ଅସୁସ୍ଥ ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ନବୀନ। ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏକ୍ସ ରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସଭାପତି ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ବିଜେଡିର ଅନେକ ନେତା ଓ କର୍ମୀ। ବିଜେଡି ବିଧାୟକ ଅରୁଣ ସାହୁ, ବିଭୂତି ଭୂଷଣ ବଳବନ୍ତରାୟ, ଉପସଭାପତି ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ମେୟର ସୁଲୋଚନା ଦାସ ପ୍ରମୁଖ ହସ୍ପିଟାଲ ଯାଇ ନବୀନଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନୂଆ ଷ୍ଟ୍ରାଟେଜି

ନନ୍ଦିଘୋଷ ବ୍ୟୁରୋ : ଆଗାମୀ ନିର୍ବାଚନ ନୂଆ ଢାଞ୍ଚାରେ ଲଢ଼ିବ କଂଗ୍ରେସ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଦଳ। ପଞ୍ଚାୟତ ନିର୍ବାଚନର ସଫଳତାକୁ ପ୍ରାର୍ଥୀତ୍ବର ମାନଦଣ୍ଡ କରାଯିବ। ସେଥିପାଇଁ ପୂର୍ବ ନିର୍ବାଚନରେ ଯେଉଁ ପ୍ରାର୍ଥୀମାନେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି ସେମାନଙ୍କୁ ଦିଆଯାଇଛି ଗୁରୁତ୍ୱପୂର୍ଣ୍ଣ ଟାସ୍କ। ସମୟ ଦିଆଯାଇଛି ୬ ମାସ। ଲୋକଙ୍କ ପାଇଁ କାମ କରିବାକୁ ଦିଆଯାଇଛି ଟାର୍ଗେଟ ଓ ଗାଇଡ଼ଲାଇନ। ପ୍ରତି ମାସରେ ହେବ ସମୀକ୍ଷା। ୨୦ ଦିନ ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟ କରିବେ ପ୍ରାର୍ଥୀ। ପ୍ରତି ମାସରେ ଦେବେ ରିପୋର୍ଟ। ୬ ମାସରେ ପିସିସି କରିବ ସମୀକ୍ଷା। ଏହି ଆଧାରରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। କାମ ଦେଖିବା ପରେ ନିଷ୍ପତ୍ତି ନିଆଯିବ ସେମାନଙ୍କୁ ନେତୃତ୍ୱ ମିଳିବ ନା ନାହିଁ। ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଭାରୀ ଓ ପିସିସି ସଭାପତି ଏହି ଷ୍ଟ୍ରାଟେଜି କରିଛନ୍ତି।

ନିର୍ବାଚନମଣ୍ଡଳୀ ସ୍ତରରେ ଭୋଟ ଚୋରି, ସମ୍ବିଧାନ ବଞ୍ଚାଅ ଓ ରାହୁଲ ଗାନ୍ଧିଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବେ ଏହି ନେତାମାନେ। ସ୍ଥାନୀୟ ସମସ୍ୟାକୁ ନେଇ ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଂଚାୟତ ନିର୍ବାଚନରେ ଭୋଟ ପ୍ରତିଶତ ବଢାଇବା ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ନିର୍ଦେଶ ରହିଛି। ଦଳର ଆଦେଶ-ରାଜ୍ୟ ଓ କେନ୍ଦ୍ର ବିଜେପି ସରକାରର ବିଫଳତାକୁ ଘରେ ଘରେ ପହଞ୍ଚାଇ ଜନମତ ସୃଷ୍ଟି କର। କଂଗ୍ରେସ ଯେଉଁ ଲଢେଇ କରୁଛି, ସେ କଥା ଲୋକଙ୍କ ପାଖରେ ପହଞ୍ଚାଅ। ହାରିବା ପରେ ବି ପ୍ରାର୍ଥୀଙ୍କ କେତେ ଲୋକପ୍ରିୟତା ରହିଛି ତାହା ପରଖିବ ଦଳ। ଲୋକଙ୍କ ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରରେ ଲଢେଇ ବେଳେ ସରକାରୀ ଦଳ ପକ୍ଷରୁ ଅସୁବିଧା ଭୋଗିଲେ ପିସିସିର ଟିମ ସମ୍ପୃକ୍ତ ପ୍ରାର୍ଥୀଙ୍କ ପଛରେ ଛିଡା ହେବ। ଏଥିପାଇଁ ଖୁବ ଶୀଘ୍ର ଟିମ ଗଠନ ହେବ। ପୂର୍ବ ନିର୍ବାଚନରେ ୬୫ରୁ ଅଧିକ କଂଗ୍ରେସ ବିଧାୟକ ପ୍ରାର୍ଥୀ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି। ୧୦ ପ୍ରତିଶତରୁ କମ ଭୋଟ ପାଇଥିବା ପ୍ରାର୍ଥୀମାନଙ୍କୁ ମଧ୍ୟ ଅଲଗା ଟାସ୍କ ଦେବ ଦଳ। ସେମାନଙ୍କର ସାମର୍ଥ୍ୟ ମଧ୍ୟ ପରଖାଯିବ।

ଡିହାଇଡ୍ରେସନ ଯୋଗୁଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ

ନନ୍ଦିଘଷାଷ ବ୍ୟୁରୋ : ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ। ଡିହାଇଡ୍ରେସନ ଯୋଗୁଁ ଅସୁସ୍ଥ ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ସେପଟେ ନବୀନଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏକ୍ସ ରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସେପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ବିଜେଡିର ଅନେକ ନେତା ଓ କର୍ମୀ। ବିଜେଡି ବିଧାୟକ ଅରୁଣ ସାହୁ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ମେୟର ସୁଲୋଚନା ଦାସ ହସ୍ପିଟାଲ ଯାଇ ନବୀନଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।ସେହିପରି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନବୀନଙ୍କ ଅସୁସ୍ଥ ଖବରରେ ଚିନ୍ତା ପ୍ରକାଶ କରି ଭକ୍ତ ଚରଣ ଦାସ ଶ୍ରୀଜଗନ୍ନାଥଙ୍କ ନିକଟରେ ଦ୍ରୁତ ଆରୋଗ୍ୟ କାମନା ପିସିସି ସଭାପତି ଭକ୍ତ ଚରଣ ଦାସ

 

ସି.ପି. ରାଧାକ୍ରିଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ସି.ପି. ରାଧାକ୍ରିଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା। ବର୍ତ୍ତମାନ ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି ରାଧାକ୍ରିଷ୍ଣନ। ରାଧାକ୍ରିଷ୍ଣନଙ୍କ ନାଁ ଘୋଷଣା କଲେ ବିଜେପି ସଭାପତି ଜେପି ନଡ୍ଡା। ଗତ ୨୦୨୪ ଜୁଲାଇ ୨୭ରେ ସେ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ। ସେ ତେଲଙ୍ଗାନା, ଝାଡ଼ଖଣ୍ଡ ଓ ପୁଦୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବି ଥିଲେ। ତାମିଲନାଡୁ ବାସିନ୍ଦା ସି.ପି. ରାଧାକ୍ରିଷ୍ଣନଙ୍କ ନାଁ ଉପରେ ବିଜେପି ସଂସଦୀୟ ଦଳ ବୈଠକରେ ଲାଗିଛି ମୋହର। ଚନ୍ଦ୍ରପୁରମ ପୋନୁସାମୀ ରାଧାକ୍ରିଷ୍ଣନଙ୍କ ଦୀର୍ଘ ରାଜନୈତିକ କ୍ୟାରିଅର ରହିଛି। ସେ ଯୁବାବସ୍ଥାରୁ ଆରଏସଏସ ଓ ଜନସଂଘ ସହ ସମ୍ପର୍କିତ ଥିଲେ। ସେ ୧୯୯୬ ଓ ୧୯୯୮ରେ ଲୋକସଭାରେ ଦୁଇଥର ଲାଗି ସାଂସଦ ଥିଲେ। ସେ ଜାତିସଙ୍ଘ ସାଧାରଣ ଆସେମ୍ବ୍ଲିରେ ଭାରତର ପ୍ରତିନିଧିତ୍ବ ବି କରିଥିଲେ। ସେ ୨୦୦୪ରୁ ୨୦୦୭ ତାମିଲନାଡୁର ବିଜେପି ସଭାପତି ଥିଲେ। ୨୦୨୦ରେସେ କେରଳ ଲାଗି ବିଜେପି ପ୍ରଭାରୀ ହୋଇଥିଲେ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ ଘଣ୍ଟାରେ ନେଇପାରେ ଅବପାତର ରୂପ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ତତସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର । ୨୪ ଘଣ୍ଟାରେ ଏହା ଅବପାତ ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟର ୩ ଜିଲ୍ଲାରେ ଭୀଷଣ ବର୍ଷା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ବିଜୁଳୀ ଘଡଘଡି ସହ ପବନର ବେଗ ୩୦ ରୁ ୪୦ କିମି ରହିବାର ଆଶଙ୍କା ରହିଛି ।

ଆସନ୍ତାକାଲି ଭୀଷଣ ବର୍ଷା ନେଇ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, ରାୟଗଡ଼ା ,ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ସହ ବାକି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଚି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନାଗିରି, କୋରାପୁଟ,ରାୟଗଡ଼ା,ଗଜପତି ଜିଲରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ଏଥିସହ ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟଲୋ ଆଲର୍ଟ ଜାରି ହୋଇଛି ।

ଅଞ୍ଚଳରେ ମିଳୁନି କାମ; ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାନ ଖଟିବାକୁ ଯାଉଛନ୍ତି ହଜାର ହଜାର ଶ୍ରମିକ

ନନ୍ଦିଘୋଷ ବ୍ୟୁରୋ : ଅଞ୍ଚଳରେ ମିଳୁନି କାମ । ଫଳରେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାନ ଖଟିବାକୁ ଯାଉଛନ୍ତି ହଜାର ହଜାର ଶ୍ରମିକ । ହେଲେ ସରକାରୀ ତଥ୍ୟ ଭିନ୍ନ । ମାତ୍ର ୩୫ ଜଣ ଶ୍ରମିକ ଗତପତି ଜିଲ୍ଲାରୁ ଯାଇଥିବା ରିପୋର୍ଟ । ଜିଲ୍ଲାର ସମସ୍ତ ସାତୋଟି ବ୍ଲକର ପ୍ରାୟ ୩୦ ହଜାରରୁ ଅଧିକ ଶ୍ରମିକ ସଂଗଠିତ ଓ ଅଣ ସଂଗଠିତ ଭାବରେ ବାହାର ରାଜ୍ୟରେ ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି । କେତକ କ୍ଷେତ୍ରରେ ବିପଦ ସଙ୍କୁଳ କାର୍ଯ୍ୟରେ ନିୟୋଜିତ ହୋଇ ଦୁର୍ଘଟଣାର ଶିକାର ହେବା ଏବଂ ମୃତ୍ୟୁ ମୁଖରେ ପଡିବାର ଅନେକ ନଜିର ରହିଛି । ତଥ୍ୟ ଅନୁସାରେ ଗତ ୪ ବର୍ଷ ମଧ୍ୟରେ ୧୮ ଟି ଘଟଣା ନଜରକୁ ଆସିଥିବା ବେଳେ ବାହାର ରାଜ୍ୟରେ କାମ କରୁଥିବା ସମୟରେ ଅଘଟଣ ଘଟି ୧୪ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ୪ ଜଣଙ୍କ ଅଙ୍ଗ କଟି ଯାଇଥିବା ପରିସ୍ଥିତିରେ ଉଦ୍ଧାର କରାଯାଇଛି । ଅଞ୍ଚଳରେ ମନେରଗା ଭଳି ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ହେଉନଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ଅଭିଯୋଗ ହୋଇଛି।

ଠିକାଦାର ଜରିଆରେ ହେଉ ଅବା ନିଜସ୍ଵ ଉଦ୍ୟମରେ ଶ୍ରମିକ ବାହାର ରାଜ୍ୟକୁ କାର୍ଯ୍ୟ କରିବାକୁ ଗଲେ। ଏହାର ତଥ୍ୟ ଜିଲ୍ଲା ଶ୍ରମ ବିଭାଗ ପାଖରେ ରହୁ ନାହିଁ। ଶ୍ରମିକ ପଞ୍ଜିକରଣ ନେଇ ପାଞ୍ଚାୟତ ସ୍ତରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି । ଗାଁ ଗାଁ ରୁ ତଥ୍ୟ ନେଇ ପଞ୍ଜୀକରଣ କରିବା କଥା କିନ୍ତୁ ତାହା ସେମାନେ କରୁନଥିବା କାରଣରୁ ସରକାରଙ୍କ ନିକଟରେ ଦାଦନ ଶ୍ରମିକଙ୍କ ପ୍ରକୃତ ତଥ୍ୟ ରହୁନଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ଭାରତୀ ବେହେରା ।

ଦାଦନ ରୋକିବାକୁ ଠୋସ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ବେଳେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ତଥ୍ୟ ବି ସରକାରଙ୍କ ନିକଟରେ ନାହିଁ। କେଉଁଠି ନା କେଉଁଠି ଶ୍ରମ ବିଭାଗର ତତ୍ପରତାର ଘୋର ଅଭାବ ରହିଛି। ଫଳରେ ଶ୍ରମିକ ସରକାରଙ୍କ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି।