ପୁରୁଷୋତ୍ତମପୁର : ସମସ୍ତ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ସେହିପରି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ମଧ୍ୟ ଧୂମଧାମରେ ନବରାତ୍ର ପୂଜା ଚାଲିଛି। ଆଜି ନବାରାତ୍ର ପୁଜାର ଚତୁର୍ଥ ଦିନରେ ମାଁ ପୁଷ୍ପାଣ୍ଡି ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତକାଲି ବ୍ରହ୍ମହଚାରିଣୀ ବେଶରେ ମା ଦର୍ଶନ ଦେଇଥିଲେ । ଭୋରରୁ ମାଁଙ୍କ ଦ୍ବାରଫିଟା ନୀତି ପରେ ବେଶ ଓ ଏହାପରେ ବିଭିନ୍ନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ଭକ୍ତ ମାନଙ୍କୁ ମାଁ ଦର୍ଶନ ଦେଇଥିଲେ । ନବରାତ୍ର ପୂଜା ଆରମ୍ଭ ହୋଇଥିବା ଯୋଗୁଁ ଭୋରରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗିରହିଛି ମନ୍ଦିରରେ ।
ଦିନକ ପୂର୍ବରୁ ସରିଲା ବିଧାନସଭା ମୌସୁମୀ ଅଧିବେଶନ: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହ ମୁଲତବି
ନନ୍ଦିଘୋଷ ବ୍ୟୁରୋ : ଦିନକ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ। ଆସନ୍ତାକାଲି ପର୍ଯ୍ୟନ୍ତ ଥିଲା ମୌସୁମୀ ଅଧିବେଶନ। ଗୃହ ମୁଲତବି କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିଲେ ପ୍ରସ୍ତାବ। ହଟ୍ଟଗୋଳ ଯୋଗୁ ଅଧିବେଶନର ପ୍ରଥମ ୪ ଦିନ ଧୋଇ ଯାଇଥିଲା। ସାର କଳାବଜାରୀ, ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରତିବାଦରେ ନାରାବାଜି ଦେଇଥିଲା ବିଜେଡି। ସେହିପରି ମହିଳା ଅସୁରକ୍ଷିତ ପ୍ରସଙ୍ଗରେ ମଧ୍ୟ ଅଧିବେଶନ ସରଗରମ ହୋଇଥିଲା।
ରାଜ୍ୟ ମାନ୍ୟତା ଦାବିରେ ଲଦାଖରେ ଜଳୁଛି ନିଆଁ
ନନ୍ଦିଘୋଷ ବ୍ୟୁରୋ : ନେପାଳର ଜେନ ଜେଡ ପ୍ରଭାବ ଜାମ୍ମୁ ଓ କାଶ୍ମୀରରେ। ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ଧାରାରେ ଲଦାଖକୁ ଅନ୍ତର୍ଭୁକ୍ତ କରିବା ଦାବିରେ ଜୋର ଧରିଲା ଆନ୍ଦୋଳନ। ଘଟଣାରେ ୪ ଜଣ ପ୍ରାଣ ହରାଇଥିବାବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲଦାଖରେ କର୍ଫ୍ୟୁ ଜାରି କରାଯାଇଛି। ୫ଜଣଠାରୁ ଅଧିକ ଲୋକଙ୍କ ସମାଗମ ଉପରେ ନିଷେଧାଦେଶ ଜାରି କରାଯାଇଛି। ଲଦାଖରେ ଥିବା ବିଜେପିର ଆଞ୍ଚଳିକ କାର୍ଯ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି ଆନ୍ଦୋଳନକାରୀ। ଏହା ସହ କିଛି ଯାନବାହନକୁ ପୋଡିଦିଆଯାଇଛି। ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି।
ଭାରତୀୟ ନ୍ୟାୟ ସଂହିତାର ଧାର ୧୬୩ ଅନୁସାରେ ଲେହ ଲଦାଖରେ କେନ୍ଦ୍ର ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଆନ୍ଦୋଳନର ନେତୃତ୍ବ ନେଉଛି ଲେହ ସର୍ବୋଚ୍ଚ କମିଟି ବା ଏଲଏବି। ପୂର୍ବର ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଅନ୍ତର୍ଭୁକ୍ତ ଥିଲା ଲଦାଖ। ମାତ୍ର ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଲଦାଖ ସିଧାସଳଖ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହା ସହ ଜାମ୍ମୁ ଓ କାଶ୍ମୀର ବି ହୋଇଥିଲା ଏକ କେନ୍ଦ୍ରଶାସିତ ଅଞ୍ଚଳ। ଗତ ସେପ୍ଟେମ୍ବର ୧୦ରୁ ବିଶିଷ୍ଟ ସମାଜସେବୀ ସୋନମ ୱାଙ୍ଗଚୁକଙ୍କ ଅନଶନ ପରେ ଏହି ଆନ୍ଦୋଳନ ତୀବ୍ର ହୋଇଛି।
ଗତ ୨୩ ତାରିଖରେ ସୋନମ ନିଜର ୧୫ ଦିନିଆ ଅନଶନ ଭଙ୍ଗ କରିଥିଲେ। ତେବେ ଆନ୍ଦୋଳନକାରୀ ରାଜ୍ୟ ମାନ୍ୟତା ଦାବିରେ ଅଧିକ ସଂଘବଦ୍ଧ ହୋଇଥିଲେ। ଲେହସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ପୋଲିସ ଗାଡିରେ ନିଆଁ ଲଗାଇଦେଇଥିଲେ। ଆସନ୍ତା ଅକ୍ଟୋବର ୬ରେ ଲେହ ସର୍ବୋଚ୍ଚ କମିଟି ବା ଏଲଏବି ଓ କାରଗିଲ ଗଣତାନ୍ତ୍ରିକ ସଂଗଠନ ବା କେଡିଏ ସହ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ତାରିଖକୁ ମାନିବାକୁ ନାରାଜ ଅଛନ୍ତି ଆନ୍ଦୋଳନକାରୀ। ଶାନ୍ତି ରକ୍ଷା କରିବା ଲାଗି ଲୋକଙ୍କୁ ଆହ୍ବାନ ଜଣାଇଛନ୍ତି ସୋନମ। ସେପଟେ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି- ଜାମ୍ମୁ ଓ କାଶ୍ମୀରବାସୀଙ୍କୁ ଧୋକା ଦିଆଯାଇଛି।
ଏଠି ବିଜେପି ସେଠି ବିଜେପି ତଥାପି ଅଙ୍କ ଛିଣ୍ଡୁନି, ପଡି ପଡି ପଚା ପଡିଗଲାଣି ଚାଉଳ
ନନ୍ଦିଘୋଷ ବ୍ୟୁରୋ : ପଡି ପଡି ପଚା ପଡିଗଲାଣି ଚାଉଳ । ହେଲେ କେନ୍ଦ୍ର ଶୁଣୁନି କି ଚାଉଳ ଉଠାଉନି । ଏନେଇ କେନ୍ଦ୍ରର ବୈମାତୃକ ମନୋଭାବର ପର୍ଦ୍ଦାଫାସ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗୃହରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବଳକା ଚାଉଳ ଓ କେନ୍ଦ୍ରଠାରୁ ବଳକା ଅର୍ଥ ପାଇବା ନେଇ ପ୍ରଶ୍ନ କରିଥିଲେ । ବିଜେଡି ସରକାର ଅମଳରେ ଯେଉଁ ବିଜେପି ଏ ନେଇ କେନ୍ଦ୍ର ସରକାରଙ୍କ ଓକିଲାତି କରୁଥିଲା, ସେ ଆଜି ସରକାରକୁ ଆସି କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲିବାକୁ ବାଧ୍ୟ ହୋଇଛନ୍ତି । ଚାଉଳର ବକେୟା ୮ହଜାର କୋଟି ଟଙ୍କା ଦେବାକୁ କେନ୍ଦ୍ର ଅରାଜି ଥିବା ଗୃହରେ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
ଏଥି ସହ ବଳକା ଚାଉଳ ନେବାକୁ ବି କେନ୍ଦ୍ର ସରକାର ରାଜି ହେଉ ନାହାନ୍ତି ବୋଲି ସ୍ବୀକାର କରିଛନ୍ତି । ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ଏପରି ଉତ୍ତର ଆସିବା ପରେ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ଅଛି । ଏହି ଚାଉଳ କେନ୍ଦ୍ର ସରକାରଙ୍କୁ ନେବା ପାଇଁ ବାରମ୍ବାର ଅନୁରୋଧ କରାଯାଇଛି। ଯଦି ସରକାର ଚାଉଳ ନ ଉଠାନ୍ତି, ତେବେ ଏହାକୁ ନିଲାମ କରିବାକୁ ଯୋଜନା କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ରାଜ୍ୟରେ ମୋଟ ୬୩ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥିଲା। ଯେଉଁଥିରୁ ୫୦ ଲକ୍ଷ ମେଟ୍ରିକ୍ ଟନ୍ ବ୍ୟବହାର ହୋଇଛି । ୮ ବର୍ଷରେ କେନ୍ଦ୍ର ସରକାରଙ୍କ ଉପରେ ୮ ହଜାର କୋଟି ଟଙ୍କା ବାକି ରହିଛି।
ଓଡ଼ିଶାରେ ବିଜେପି ସରକାର ଆସିବା ପରେ ବି କେନ୍ଦ୍ରର ରାଜ୍ୟ ପ୍ରତି ଅବହେଳା ଜାରି ରହିଛି । ଯାହାକୁ ନେଇ ସରକାରଙ୍କୁ ଉଭୟ ବିଜେଡି ଓ କଂଗ୍ରେସ ଘେରିଛନ୍ତି । ବିରୋଧୀରେ ଥିବା ସମୟରେ ବିଜେଡି ସରକାର ଓ ମିଲରଙ୍କ ମଧୁଚନ୍ଦ୍ରିକା ନେଇ ବର୍ତ୍ତମାନର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଳିଙ୍ଗ ଅଭିଯୋଗ ଆଣୁଥୁଲେ । ହେଲେ ଏବେ ସବୁ ଧାନ, ମିଲରଙ୍କ ପାଖରେ କେମିତି ପଡି ରହିଛି ବୋଲି କଟାକ୍ଷ କରିଛି ବିଜେଡି । ସେହିପରି କଂଗ୍ରେସ ପ୍ରଶ୍ନ କରିଛି ଯେ ଧାନ ଓ ଅର୍ଥ ପଡିରହିବା ନେଇ ସ୍ୱୀକାର କରିବା ପରେ ସମାଧାନର କି ବାଟ ରଖିଛନ୍ତି ସରକାର ?
କୋଲକାତା ଟାଟୁ ମହୋତ୍ସବ ୨୦୨୫ରେ ଓଡ଼ିଶାର କଳିଙ୍ଗ ଇଙ୍କ୍ ଟିମକୁ ଶ୍ରେଷ୍ଠ ସମ୍ମାନ
ନନ୍ଦିଘୋଷ ବ୍ୟୁରୋ : କୋଲକାତା ଟାଟୁ ଫେଷ୍ଟିଭାଲ ୨୦୨୫ରେ ଭୁବନେଶ୍ୱରର ଏକ ପ୍ରସିଦ୍ଧ ଟାଟୁ ଷ୍ଟୁଡିଓ କଳିଙ୍ଗ ଇଙ୍କ୍ ବିଶ୍ୱ ସ୍ତରରେ ଏକ ଛାପ ଛାଡ଼ିଛି । ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୯ ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱର ୨୫୦ରୁ ଅଧିକ କଳାକାରଙ୍କୁ ସାମିଲ ହୋଇଥିଲେ, ଯାହା ଟାଟୁ ସମ୍ପ୍ରଦାୟର କିଛି ଉତ୍କୃଷ୍ଟ ପ୍ରତିଭାକୁ ଏକତ୍ର ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଟିମ୍ କଳିଙ୍ଗ ଇଙ୍କ୍ ପ୍ରଥମ ସ୍ଥାନ ହାସଲ କରିଛି ।
ପ୍ରଥମ ଥର ଓଡ଼ିଶାର ଏକ ଷ୍ଟୁଡିଓ ଅନ୍ତର୍ଜାତୀୟ ଟାଟୁ ମହୋତ୍ସବରେ ଫ୍ରେସ୍ ଟାଟୁ ବର୍ଗରେ ବିଜୟୀ ହୋଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଏହି ସଫଳତା କେବଳ ଓଡ଼ିଶାର କଳାକାରମାନଙ୍କର ସୃଜନଶୀଳତା ଏବଂ ଉତ୍କର୍ଷତାକୁ ପ୍ରକାଶ କରେ ନାହିଁ ବରଂ ଅନ୍ତର୍ଜାତୀୟ ଟାଟୁ ସଂସ୍କୃତିରେ ବର୍ଦ୍ଧିତ ସ୍ୱୀକୃତିକୁ ମଧ୍ୟ ପ୍ରତିଫଳିତ କରେ।
କଳିଙ୍ଗ ଇଙ୍କ୍ ଟିମ୍ ଦ୍ୱାରା ଗଣେଶ ବିଶ୍ୱକର୍ମାଙ୍କ ଉତ୍କୃଷ୍ଟ କଳାକୃତି ସଭିଙ୍କ ମନ ମୋହିଥିଲା, ଏହାକୁ ଟିମର ସଦସ୍ୟ ମାନେ ଗଗନ ପରିୟାର, କୁବେର ବାରିକ, ସୁନନ୍ଦା ଏବଂ ଅନିଶ ଏହାକୁ ସମର୍ଥନ କରିଥିଲେ। ଏହି ମାନ୍ୟତା ଓଡ଼ିଶା ପାଇଁ ଏକ ଗର୍ବ ଆଣିଛି । ଏହା ସହ କଳିଙ୍ଗ ଇଙ୍କ୍ ରାଜ୍ୟର କଳାକୁ ବିଶ୍ୱ ଟାଟୁ ମାନଚିତ୍ରରେ ସ୍ଥାନ ଦେବା ପାଇଁ ପ୍ରୟାସ ଜାରି ରଖିଛି।

