spot_img
Home Blog Page 445

ଦୁଃଖ ଦରିଆରେ ଇନ୍ଦ୍ରାବତୀ ବିସ୍ଥାପିତ, ମୋଳିକ ସୁବିଧା ପାଇଁ କରିଚାଲିଛନ୍ତି ଅହରହ ସଂଗ୍ରାମ

କଳାହାଣ୍ଡି : ଦୁଃଖ ଦରିଆରେ ଇନ୍ଦ୍ରାବତୀ ବିସ୍ଥାପିତ । ମୌଳିକ ସମସ୍ୟାରେ ସଢୁଛନ୍ତି ଅହରହ । ବୁଡି ଅଞ୍ଚଳରେ ବୁଡିଛି ସ୍ଵପ୍ନ ଓ ଭବିଷ୍ୟତ । ବିସ୍ଥାପିତଙ୍କୁ ସାମାନ୍ୟ କ୍ଷତିପୂରଣ ଦେଇ ନିଘୋଡ଼ ନିଦ୍ରାରେ ପ୍ରଶାସନ । କଳାହାଣ୍ଡି ଜିଲ୍ଲାରେ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ନିର୍ମାଣ ହୋଇଛି ଇନ୍ଦ୍ରାବତୀ ଜଳଭଣ୍ଡାର । ଏହି ଡ୍ୟାମ ସମଗ୍ର ଭାରତ ବର୍ଷର ସର୍ବବୃହତ ଜଳ ବିଦ୍ୟୁତ ପ୍ରକଳ୍ପ ଭାବେ ପରିଚିତ । ହେଲେ ଡ୍ୟାମ ହେବା ଦିନରୁ ଆଜି ଯାଏଁ ୪୨ ଖଣ୍ଡ ଗାଁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ସରକାରଙ୍କ ବିକାଶମୁଖୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇପଡିଛି । ଡ୍ୟାମ ପାଇଁ ଦୁର୍ଦ୍ଦିନରେ ଭାସୁଛନ୍ତି ହଜାର ହଜାର ବିସ୍ଥାପିତ । ବୁଡି ଅଞ୍ଚଳରେ ସର୍ବଦା ବିତାଉଛନ୍ତି ଜଳବନ୍ଦୀ ଜୀବନ । ଅଞ୍ଚଳବାସୀଙ୍କ ପାଇଁ ଡଙ୍ଗା ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଡଙ୍ଗା ବୁଡିରେ ଗଲାଣି ୨୨୦ ଜଣଙ୍କ ଜୀବନ । ଏପଟେ ବିସ୍ଥାପିତଙ୍କ ହାଲଚାଲ ବୁଝିବାକୁ ସମସ୍ତେ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହୋଇଛି ।

ପୂର୍ବ ସରକାର ସମୟରେ ବୁଡି଼ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଡି.ଚେପଟାଘାଟ ଠାରୁ କେ.ଚେପଟା ଘାଟ ପର୍ଯ୍ୟନ୍ତ ଗୋଲାଗଡ ନଦୀରେ ପୋଲ ନିର୍ମାଣ ପାଇଁ ୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଟେଣ୍ଡର ପ୍ରକ୍ରିୟା କରାଯାଇ ୪ଟି ଖୁଣ୍ଟ ନିର୍ମାଣ ହୋଇଥିଲା । ହେଲେ ପରେ ଭୁଲ ଡିଜାଇନ ନାଁରେ ପୋଲ ନିର୍ମାଣ ବନ୍ଦ କରିଦିଆଗଲା । ଯାହା ଫଳରେ ପାହାଡ ଉପରେ ରହୁଥିବା ଲୋକଙ୍କ ପକ୍କା ରାସ୍ତାର ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା । ଫଳରେ ସାମାନ୍ୟ ପିଡିଏସ ସାମଗ୍ରୀ ପାଇଁ ଡଙ୍ଗାରେ ଜୀବନକୁ ବାଜି ଲଗାଇ ଯାଉଛନ୍ତି ଆର ପାରିକୁ । ଏଠି ପ୍ରଶ୍ନ ଉଠୁଛି- ଏମାନଙ୍କର କଣ ନାହିଁ ମୌଳିକ ଅଧିକାର ? ସର୍ବସ୍ବ ହରାଇ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ଦୁଃଖ ବୁଝୁଛି କିଏ  ? କଣ କରୁଛି ପ୍ରଶାସନ ? ବୁଡି ଅଞ୍ଚଳବାସୀଙ୍କ ଦୁଃଖ କେବେ ଦୂର ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଶିକ୍ଷା ବ୍ୟବସ୍ଥାର ବିଚିତ୍ର ବ୍ୟବସ୍ଥା, ଗୋଟିଏ ଭଙ୍ଗା ଘରେ ଚାଲୁଛି ପାଞ୍ଚ ଶ୍ରେଣୀ ପାଠପଢା

ଧର୍ମଗଡ : ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ୫ ଗୋଟି ଶ୍ରେଣୀର ପିଲାଙ୍କୁ ଗୋଟିଏ ଶ୍ରେଣୀ ଗୃହ । ତାହା ପୁଣି ଭଙ୍ଗା ଦଦରା । କେଉଁଠି କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ଫଡାଫଡା କରି ପ୍ଲାଷ୍ଟର ଖସି ପଡିଲାଣି । କେତେବେଳେ କିଛି ଅଘଟଣ ଘଟିପାରେ । ଆଉ ତାହାରି ଭିତରେ ପିଲାଙ୍କୁ ପଢାଉଛନ୍ତି ଶିକ୍ଷକ । କାହିଁକି ନା ଆଉ କୌଣସି ବିକଳ୍ପ ବ୍ୟବସ୍ଥା ହିଁ ନାହିଁ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ରଏନଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା । ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୩ ଜଣ ପିଲା ପଢୁଛନ୍ତି । ହେଲେ ବିଡମ୍ବନାର ବିଷୟ ପିଲାଙ୍କ ପାଇଁ ଭଲ ଶ୍ରେଣୀ ଗୃହଟିଏ ନାହିଁ । ଫଳରେ ଭଙ୍ଗା ଦଦରା ଘରେ ଏକାଠି ବସି ପଢୁଛନ୍ତି ସମସ୍ତେ ।

୧୯୭୨ ମସିହାରେ ତିଆରି ହୋଇଥିବା ଏହି ସ୍କୁଲରେ ଅଛନ୍ତି ଦୁଇ ଜଣ ଶିକ୍ଷକ । ହେଲେ ସ୍କୁଲ ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ବର୍ଷା ଦିନେ ଛାତରୁ ପାଣି ଗଳୁଛି । ଅତ୍ୟଧିକ ବର୍ଷା ହେଲେ ପାଠପଢା ବନ୍ଦ ହୋଇଯାଉଛି । ସ୍କୁଲ ସମସ୍ୟା ନେଇ ଅନେକ ଥର ଶିକ୍ଷକ ଓ ଅଭିଭାବକ ମାନେ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଜଣାଇଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍କୁଲ ପରିଦର୍ଶନ କରି ଯାଇଥିଲେ ବି ସମସ୍ୟାର ସମାଧାନ ହୋଇପାରିନାହିଁ । ସେପଟେ ଅନୁଦାନ ଆସିଲେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ । ତୁରନ୍ତ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ଦାବି ହେଉଛି ।

ଅବହେଳିତ ଅବସ୍ଥାରେ ସର୍ବପୁରାତନ ଅନନ୍ତେଶ୍ଵର ଶୈବ ପୀଠ, ରକ୍ଷଣାବେକ୍ଷଣ ଅଭାବରୁ ହରାଇଲାଣି ଅସ୍ତିତ୍ଵ

ସାଲେପୁର : ଅବହେଳିତ ଅବସ୍ଥାରେ ହଜାର ବର୍ଷର ପୁରୁଣା ଶୈବପୀଠ । ରକ୍ଷଣାବେକ୍ଷଣ ଅଭାବରୁ ହରାଇଲାଣି ଅସ୍ତିତ୍ଵ । ପ୍ରତ୍ନତତ୍ତ୍ୱ ବିଭାଗର ଉଦାସୀନତାରୁ ମନ୍ଦିରରେ ବିକାଶ ମୂଳକ କାମ ଠପ୍ । କଟକ ଜିଲ୍ଲା ଭଗବାନପୁର ଗାଁରେ ଥିବା ପ୍ରସିଦ୍ଧ ଅନନ୍ତେଶ୍ଵର ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗେ । ହେଲେ ପୀଠରେ ସୁବିଧା ନଥିବା କାରଣରୁ ପୂର୍ବ ସରକାର ଅମଳରେ ମନ୍ଦିର ଉନ୍ନତିକରଣ ଦାୟିତ୍ଵ ଏଏସଆଇ ନେଇଥିଲା । ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ରାସ୍ତାଠୁ ଆରମ୍ଭ କରି ଶୌଚାଳୟ, ଆନନ୍ଦ ଭବନ, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳୀ ଭଳି ଅନେକ ସୁବିଧା ହୋଇଥାନ୍ତା । ହେଲେ ଖାଲି ପାଚେରୀ ଉଠାଇ କାମ ବନ୍ଦ କରିଦିଆଯାଇଛି । ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭଗବାନପୁର ଗାଁରେ କେଉଁ ଆବାହନ କାଳରୁ ପୂଜା ପାଇ ଆସୁଛନ୍ତି ପ୍ରଭୁ ଅନନ୍ତେଶ୍ବର । ଏହି ପୀଠର ରହିଛି ଅନେକ କିମ୍ବଦନ୍ତୀ । କିନ୍ତୁ ପରିତାପର ବିଷୟ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ତୁରନ୍ତ ମନ୍ଦିରର ଉନ୍ନତି କରିବାକୁ ପ୍ରତ୍ନତତ୍ତ୍ବ ବିଭାଗ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । ଅନନ୍ତେଶ୍ବର ମନ୍ଦିରର ଶୀଘ୍ର ଉନ୍ନତିକରଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

ନେପାଳରେ ବ୍ୟାନ ହୋଇଛି କି ଚାଇନିଜ୍ ଆପ୍ ?

ନନ୍ଦିଘୋଷ ବ୍ୟୁରୋ : ନେପାଳରେ ୨୬ଟି ସୋସିଆଲ ମିଡିଆ ଆପ୍ ବ୍ୟାନ ହେବା ପରେ ହଙ୍ଗମା ଜାରି ରହିଛି ।  ଏହି ବିକ୍ଷୋଭରେ ୧୬ ଜଣଙ୍କ ଜୀବନ ଯାଇଛି । ଶତାଧିକ ଲୋକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ନେତୃତ୍ୱାଧୀନ କେପି ଓଲି ସରକାର ୪ ସେପ୍ଟେମ୍ବରରେ ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ହ୍ୱାଟସଆପ୍, ରେଡିଟ୍ ଏବଂ ଏକ୍ସ ସମେତ ୨୬ଟି ସୋସିଆଲ ମିଡିଆ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତଥାପି, ଟିକଟକ୍, ଭାଇବର, ଭିକଟକ୍, ନିମ୍ବଜ୍ ଏବଂ ପୋପୋ ଲାଇଭ୍ ଉପରେ ପ୍ରତିବନ୍ଧକ ଲଗାଯାଇ ନାହିଁ। ଟିକଟକ୍ ଏବଂ ପୋପୋ ହେଉଛି ଚୀନ୍ କମ୍ପାନୀ। ଭାଇବର ଜାପାନର ମାଲିକାନା ଥିବା ବେଳେ, ଭିକଟକ୍ ଆମେରିକାର ଏବଂ ନିମ୍ବଜ୍ ନେଦରଲ୍ୟାଣ୍ଡର ଏକ କମ୍ପାନୀର ମାଲିକାନା।

ନେପାଳ ସରକାର କହିଛନ୍ତି ଯେ ସୋସିଆଲ ମିଡିଆ ଆପ୍ସ ଉପରୁ ପ୍ରତିବନ୍ଧକ କେବଳ ସେତେବେଳେ ହଟିବ ଯେତେବେଳେ ଏହି କମ୍ପାନୀଗୁଡ଼ିକ ନେପାଳରେ ସେମାନଙ୍କର କାର୍ଯ୍ୟାଳୟ ଖୋଲିବେ, ସରକାରଙ୍କ ନିକଟରେ ପଞ୍ଜୀକରଣ କରିବେ, ଅଭିଯୋଗ ଶୁଣିବା ପାଇଁ ଲୋକଙ୍କୁ ନିଯୁକ୍ତି କରିବେ ଏବଂ ଅନିୟମିତତାକୁ ରୋକିବା ପାଇଁ ଏକ ବ୍ୟବସ୍ଥା ସୃଷ୍ଟି କରିବେ। ସରକାର କହିଛନ୍ତି ଯେ ଟିକଟକ୍ ଏବଂ ଭାଇବର ଭଳି କମ୍ପାନୀଗୁଡ଼ିକ ସରକାରଙ୍କ କଥା ମାନିଥିଲେ, ତେଣୁ ସେମାନଙ୍କୁ ନିଷେଧ କରାଯାଇ ନାହିଁ।

ନେପାଳ ସରକାର ଚୀନ୍ ଆପ୍ସକୁ ପୂର୍ବରୁ ପଞ୍ଜିକୃତ ବୋଲି ବିବେଚନା କରିଛନ୍ତି। ତେଣୁ, ସେଗୁଡ଼ିକୁ ନିଷିଦ୍ଧ କରାଯାଇ ନଥିଲା। ନେପାଳରେ ନଭେମ୍ବର ୨୦୨୩ରେ ଟିକଟକକୁ ନିଷିଦ୍ଧ କରାଯାଇଥିଲା। ସେତେବେଳେ ନେପାଳ ସରକାର କହିଥିଲେ ଯେ ଟିକଟକ ସାମାଜିକ ସଦ୍ଭାବନା ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏହି ବର୍ଷ ଅଗଷ୍ଟରେ ଏହି ନିଷେଧକୁ ଉଠାଇ ଦିଆଯାଇଥିଲା।

ଟିକଟକ ସମସ୍ତ ଆଇନ ପାଳନ କରିବ, ଡିଜିଟାଲ୍ ସୁରକ୍ଷାକୁ ପ୍ରୋତ୍ସାହିତ କରିବ ଓ ବିଷୟବସ୍ତୁ ସମ୍ବନ୍ଧୀୟ ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କୁ ଆପତ୍ତି କରିବା ପାଇଁ ଏକ ବ୍ୟବସ୍ଥା ସୃଷ୍ଟି କରିବ ବୋଲି ନିଶ୍ଚିତ କରିବାକୁ ନେପାଳ ସରକାରଙ୍କ ସହିତ କଥା ହୋଇଛି।

ନେପାଳୀ ଲୋକମାନେ ବିଦେଶରେ ରହୁଥିବା ପରିବାର ସହିତ କଥା ହେବା ପାଇଁ ହ୍ୱାଟସଆପ୍, ବୋଟିମ୍, ମେଟା ମେସେଞ୍ଜର, ଭାଇବର ଏବଂ ଅନ୍ୟାନ୍ୟ କଲିଂ ଆପ୍ଲିକେସନ୍ ବ୍ୟବହାର କରନ୍ତି।

ସୋସିଆଲ ମିଡିଆ ନିଷିଦ୍ଧ ଓ ଦୁର୍ନୀତି ପ୍ରତିବାଦରେ ନେପାଳରେ ଜୋରଦାର ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ : ଜଳୁଛି ନେପାଳ। ରାଜରାସ୍ତାରେ ଯୁବଗୋଷ୍ଠୀ। ଦେଶବ୍ୟାପୀ ହିଂସାକାଣ୍ଡ। ହିଂସାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ସୋସିଆଲ ମିଡିଆ ବ୍ୟାନ ଓ  ଦୁର୍ନୀତି ପ୍ରତିବାଦରେ ନେପାଳରେ ଜୋରଦାର ବିକ୍ଷୋଭ। ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଯୁବକଯୁବତୀ। କାଠମାଣ୍ଡୁସ୍ଥିତ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବାସଭବନ ନିକଟରେ କର୍ଫ୍ୟୁ ଜାରି ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ ଉପରକୁ ପୋଲିସ ଲୁହବୁହା ଗ୍ୟାସ ଓ ପାଣିମାଡ଼ କରିଛି।  ବଡ଼କଥା ହେଉଛି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨୮ ବର୍ଷରୁ କମ ବୟସର ଯୁବକଯୁବତୀ ଏବଂ ସେମାନଙ୍କୁ ଜେନ ଜେଡ ବୋଲି କୁହାଯାଉଛି। ସେମାନଙ୍କୁ କୌଣସି ରାଜନୈତିକ ଦଳ ବି ସମର୍ଥନ କରୁନାହାନ୍ତି। କେ. ପି. ଶର୍ମା ଓଲି ସରକାର ଇନଷ୍ଟାଗ୍ରାମ, ହ୍ବାଟସଆପ, ସିଗନାଲ ଓ ଉଇଚାଟ ସମେତ ୨୬ଟି ସୋସିଆଲ ମିଡିଆକୁ ବନ୍ଦ କରିବା ପରେ ତାତିଛନ୍ତି ଯୁବବାହିନୀ। ସରକାରଙ୍କ ନିକଟରେ ପଞ୍ଜିକରଣ କରିବା ଲାଗି ଏହି ସୋସିଆଲ ମିଡିଆ ମନା କରିବା ପରେ ପଦକ୍ଷେପ ସ୍ବରୂପ ଏଗୁଡିକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଥିଲେ ସରକାର। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି କାଠମାଣ୍ଡୁ ମେୟର ବାଲେନ ଶାହ। ପୂର୍ବରୁ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲା ଜେନ ଜେଡ। ୧୯୯୫ରେ ଜେନ ଜେଡର ଉତ୍ପତ୍ତି ଘଟିଥିଲା ଏବଂ ୧୮ରୁ ୩୦ ବର୍ଷ ବୟସର ଯୁବକଯୁବତୀମାନଙ୍କୁ ଏଥିରେ ସାମିଲ କରାଯାଉଛି।

ଆଧାର କାର୍ଡକୁ ବୈଧ ନଥି ଭାବେ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ। ଆଧାର କାର୍ଡକୁ ବୈଧ ନଥି ଭାବେ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। କାର୍ଡର ବୈଧତାକୁ ସଠିକ୍ ଯାଞ୍ଚ କରିବାକୁ ବି ପରାମର୍ଶ ଦେଇଛନ୍ତି ଅଦାଲତ। ବିଭିନ୍ନ ପିଟିସନର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ।  ଆରଜେଡି, ଏଆଇଏମଆଇଏମ ପକ୍ଷରୁ ଦାୟର ହୋଇଥିଲା ମାମଲାର ଶୁଣାଣି କରି ଏହା କହିଛନ୍ତି କୋର୍ଟ। ତେବେ ଆଧାର କାର୍ଡ ନାଗରିକତ୍ବର ପ୍ରମାଣ ହୋଇପାରିବ ନାହିଁ କୋର୍ଟ ଦର୍ଶାଇଛନ୍ତି। ବିହାରରେ ଏସଆଇଆର ଲାଗି ଗତ ଜୁନ ୨୪ରେ ନିର୍ବାଚନ କମିଶନ ଜାରି କରିଥିବା ବିଜ୍ଞପ୍ତିକୁ ବିରୋଧ କରିଥିଲେ ବହୁ ରାଜନୈତିକ ଦଳ। ଏସଆଇଆର ପ୍ରକ୍ରିୟାରେ ରାଜ୍ୟର ୭ କୋଟି ୨୪ ଲକ୍ଷ ଭୋଟରଙ୍କ ମଧ୍ୟରୁ ଚିଠା ଭୋଟର ତାଲିକାରେ ୯୯.୫ ପ୍ରତିଶତ ଭୋଟର ସେମାନଙ୍କ ବୈଧ ନଥିପତ୍ର ଦାଖଲ କରିଛନ୍ତି ବୋଲି ନିର୍ବାଚନ କମିଶନ ଯେଉଁ ଯୁକ୍ତି ଦର୍ଶାଇଛନ୍ତି ତାହାରି ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଇସିଆଇଙ୍କ ଏହି ଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆରଜେଡି, ଏଆଇଏମଆଇଏମ ଓ ଅନ୍ୟାନ୍ୟ ପକ୍ଷ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।

ରୁଷ ବିରୋଧରେ ଆମେରିକା କରିପାରେ ବଡ଼ଧରଣର ଅର୍ଥନୈତିକ ହମଲା

ରୁଷ ବିରୋଧରେ ଆମେରିକା କରିପାରେ ବଡ଼ଧରଣର ଅର୍ଥନୈତିକ ହମଲା । ରୁଷ ଉପରେ ଅଧିକ ଅର୍ଥନୈତିକ ଚାପ ସୃଷ୍ଟି କରିବା ଲାଗି ଟ୍ରମ୍ପ ପ୍ରଶାସନ ଓ ୟୁରୋପୀୟ ରାଷ୍ଟ୍ରଙ୍କୁ ଆହ୍ବାନ ଜଣାଇଛନ୍ତି ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ । ଏହି ଅର୍ଥନୈତିକ ଚାପ ଯୋଗୁ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ଲାଗି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଚାପ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ରୁଷଠାରୁ ତୈଳ କ୍ରୟ କରୁଥିବା କାରଣରୁ ଭାରତ ଓ ଚୀନକୁ ଖଳନାୟକ ବୋଲି ଚିତ୍ରଣ କରିଥିବା ବେସେଣ୍ଟ ରୁଷ ଉପରେ ଅଧିକ ଟାରିଫ ଓ କଟକଣା ଲଗାଇବାକୁ ଦାବି କରିଛନ୍ତି । ଅଧିକ ଅର୍ଥନୈତିକ କଟକଣା ଓ ଟାରିଫ ଯୋଗୁ ରୁଷର ଅର୍ଥନୀତି ସମ୍ପୂର୍ଣ୍ଣ ଧ୍ବଂସ ହେବ ବୋଲି ସେ କହିଛନ୍ତି । ଭାରତ ଉପରେ ଆମେରିକା 50 ପ୍ରତିଶତ ଟାରିଫ ଲାଗୁ କରିଥିବାବେଳେ ଚୀନ ଉପରେ 145 ପ୍ରତିଶତ ଲେଭି ଲଗାଇଛି । ମାତ୍ର ତାହାକୁ 90 ଦିନ ଲାଗି ସ୍ଥଗିତ ରଖାଯାଇଛି । ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ଟ୍ରମ୍ପଙ୍କ ଉଦ୍ୟମ ବିଫଳ ହୋଇଥିବାବେଳେ ହାତରେ ନମାରି ଭାତରେ ମାରିବା ନୀତିରେ ଅର୍ଥନୈିତିକ କଟକଣାକୁ ଭରସା କରିଛନ୍ତି ଟ୍ରମ୍ପ ପ୍ରଶାସନ । ୟୁକ୍ରେନ ରାଜଧାନୀ କିବସ୍ଥିତ କ୍ୟାବିନେଟ ବିଲଡିଂ ଉପରେ ରୁଷ ବଡଧରଣର ହମଲା କରିବା ପରେ ଜବାବରେ ରୁଷର ଏକ ପ୍ରମୁଖ ତୈଳ ପାଇପ ଲାଇନ ଦ୍ରୁଜଭା ଉପରେ ଆକ୍ରମଣ କରିଥିଲା ୟୁକ୍ରେନ ।

ନବୀନଙ୍କ ବଡ଼ ନିଷ୍ପତ୍ତି: ଉପରାଷ୍ଟ୍ରପତି ନିର୍ବାଚନର ଭୋଟଦାନରୁ ବିରତ ରହିବ ବିଜେଡି

ନବୀନଙ୍କ ବଡ଼ ନିଷ୍ପତ୍ତି । ଉପରାଷ୍ଟ୍ରପତି ନିର୍ବାଚନ । ଭୋଟଦାନରୁ ବିରତ ରହିବ ବିଜେଡି । ସାଂସଦଙ୍କ ସହିତ ଆଲୋଚନା ପରେ ନବୀନଙ୍କ ନିଷ୍ପତ୍ତି । ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ନବୀନ । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ରାଜ୍ୟସଭାରେ ବିଜେଡିର ୭ ସାଂସଦ ଅଛନ୍ତି । ଏନଡିଏର ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ।

ଏସିରୁ ନିଆଁ ଲାଗି ଗୋଟିଏ ପରିବାରର ୩ ମୃତ

ଫରିଦାବାଦରେ ଏସିରୁ ନିଆଁ ଲାଗି ଗୋଟିଏ ପରିବାରର ୩ ମୃତ। ସ୍ଥାନୀୟ ଗ୍ରୀନଫିଲ୍ଡ କଲୋନୀରେ ଘଟିଛି ମର୍ମନ୍ତୁଦ ଘଟଣା। ଭୋର ୪ଟାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଏସିରୁ ନିଆଁ ବାହାରି ଘର ସାରା ଧୂଆଁମୟ ହୋଇଯିବାରୁ ଏହି ଅଘଟଣ ଘଟିଥିଲା। ପ୍ରାଣ ହରାଇଥିବା ବ୍ଯକ୍ତିମାନେ ହେଲେ ସଚିନ କାପୁର, ପତ୍ନୀ ରିଙ୍କୁ ଓ ଝିଅ ସୁଜନ। ପ୍ରଥମ ମହଲାରେ ରହୁଥିବା ରାକେଶ ମଲ୍ଲିକଙ୍କ ଘରେ ଲଗାଯାଇଥିବା ସ୍ପ୍ଲିଟ ଏସିରେ ପ୍ରଥମେ ନିଆଁ ଲାଗିଯାଇଥିଲା। ପରେ ଏହା ଦ୍ବିତୀୟ ମହଲାକୁ ବ୍ୟାପିଥିଲା। ସଚିନଙ୍କ ପୁଅ ଆର୍ଯ୍ୟନ ଦ୍ବିତୀୟ ମହଲାରୁ ଡେଇଁ ପଡ଼ିବା ହେତୁ ବର୍ତ୍ତି ଯାଇଥିଲେ। ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ଅଘଟଣରୁ ବର୍ତ୍ତିଯାଇଥିଲେ ରାକେଶଙ୍କ ପରିବାର। ଘଟଣାର ତଦନ୍ତ କରୁଛି ଫରିଦାବାଦ ପୋଲିସ।

ବାହାରିନ୍ ଦର୍ଶକଙ୍କ ମନ ମୋହିଲା ଓଡ଼ିଆ ସମାଜର ଗୌରବମୟ ଲୋକନୃତ୍ୟ

ବାହାରିନ୍ ରାଜଧାନୀ ମାନାମାରେ ଆୟୋଜିତ ଗୌରବମୟ ଲୋକନୃତ୍ୟ ପ୍ରତିଯୋଗିତାରେ ଭାରତର ବିଭିନ୍ନ ରାଜ୍ୟରୁ ୧୧ଟି ଦଳ ସାଂସ୍କୃତିକ ଗୌରବ ଓ ଉତ୍ସାହ ସହିତ ଯୋଗ ଦେଇଥିଲେ । ବାହାରିନ୍ ଓଡ଼ିଆ ସମାଜର କିଶୋର ଦଳ ତାଙ୍କର ନାଟ୍ୟ କୌଶଳ ଓ ଅଭିନୟରେ ଦର୍ଶକମାନଙ୍କୁ ମୋହିତ କରି ବିପୁଳ ସ୍ୱୀକୃତି ଅର୍ଜନ କରିଥିଲେ ଏବଂ ତୃତୀୟ ପୁରସ୍କାର ହାସଲ କରି ସମାଜକୁ ଗୌରବାନିତ କରିଥିଲେ। ୧,୦୦୦ ଦର୍ଶକ ପୂର୍ଣ୍ଣ ହଲ୍‌ରେ ଏହି ପ୍ରଦର୍ଶନକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ ।  ଏହି ପ୍ରଦର୍ଶନ କେବଳ ଭାରତୀୟ ପ୍ରବାସୀ ସମାଜଙ୍କୁ ନୁହେଁ, ବିଦେଶୀ ଦର୍ଶକମାନଙ୍କ ମନକୁ ମଧ୍ୟ ମୋହିଥିଲା ।

ଏହି ନୃତ୍ୟର ନିର୍ଦ୍ଦେଶନା ପ୍ରିୟମ୍ବଦା ସାହୁ କରିଥିଲେ ଏବଂ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଆରାଇନା ମହାନ୍ତି, ଆରାଧ୍ୟା ଜେନା, କ୍ଷ୍ୟାତି ମହାପାତ୍ର, ବୈଭବ କୁମାର ସାହୁ, ନିଶାନ୍ତ ପ୍ରୁଷ୍ଟି, ପ୍ରବୀଣ କୁମାର ବେହେରା, ସାଇ ସନ୍ତ୍ୱନା ସେନାପତି, ପରିସିନ୍ତ୍ୟ ଚହେଲ୍ ସୁବୁଧି  ।

ପ୍ରଦର୍ଶନର ସମନ୍ୱୟ ସୁଭାଶ୍ରୀ ମହାନ୍ତି ଓ ସଂଚାଳିକା ସାଗରିକା ମହାନ୍ତି କରିଥିଲେ । ବାହାରିନ୍ ଓଡ଼ିଆ ସମାଜର କାର୍ଯ୍ୟକାରୀ ସମିତି— ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ, ସାଧାରଣ ସଚିବ ସନ୍ତାନୁ ସେନାପତି, ସହ-ସାଧାରଣ ସଚିବ ସରଦା ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରୟଦତ୍ତ ରାୟ, କ୍ରୀଡ଼ା ସଚିବ ଅମ୍ରେଶ ପଣ୍ଡା, ସାଂସ୍କୃତିକ ସଚିବ ଅଙ୍କିତା ନାୟକ, ସଂପ୍ରେଷଣ ସଚିବ ଅମରନାଥ ସୁବୁଧି ଏହି ସୁନ୍ଦର ସଫଳତା ପାଇଁ ଦଳକୁ ଉଚ୍ଚ ପ୍ରଶଂସା କରିଛନ୍ତି ।