ଚୋର ମୁହଁ ଟାଣ । ସବୁ ବାଲି ଘାଟରୁ ବାଲି ଚୋରିରେ ସମ୍ପୃକ୍ତ ଆସିକା ବିଧାୟକ ସରୋଜ ପାଢୀ । ଗଂଜାମବାସୀ ଏହା ଜାଣନ୍ତି । ସରୋଜ ପାଢ଼ୀଙ୍କ ମାନସିକ ସ୍ଥିତି ବି ଠିକ ନାହିଁ । ବିରୋଧ ପାଇଁ ଯେଉଁ ଭାଷା ବ୍ୟବହାର କରୁଛନ୍ତି, ବିଜେପିର ପ୍ରବକ୍ତା ହୋଇଥିଲେ ଆମର ଅସୁବିଧା ନଥାନ୍ତା । ହେଲେ ବିଚ ରାସ୍ତାରେ ପିସି ମାଗୁଥିବା ଗୋଟେ ଲୋକ ନବୀନ ବାବୁଙ୍କ ଉପରେ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେଡି କହିଛି । ଯେଉଁଠି ସାମାନ୍ୟ ଅସୁସ୍ଥ ହେବାପରେ ସ୍ୱାସ୍ଥ୍ୟ କେମିତି ଅଛି ବୋଲି ପ୍ରାଧାନମନ୍ତ୍ରୀ ପଚାରୁଥିବା ବେଳେ ଜଣେ ବିଜେପି ବିଧାୟକ ତା ଅତ୍ୟନ୍ତ ହୀନ ମନ୍ତବ୍ୟ ଦେଉଛନ୍ତି । ବିଧାୟକ ହେବା ପରେ ଜୁଆ ଖେଳୁଥିବା ଲୋକ ନବୀନ ବାବୁଙ୍କ ବାବଦରେ କଣ କହିବେ । ବିଜୁ ଜନତା ଦଳର ପାର୍ଟି ଫଣ୍ଡ ବାବଦରେ ବିଜେଡି ଚିନ୍ତା କରିବ, ସରୋଜ ପାଢ଼ୀ ଚିନ୍ତା କରିବା ଆବଶ୍ୟକ ନୁହେଁ ବୋଲି କହି ବର୍ଷିଛି ବିଜେଡି । ନବୀନ ବାବୁଙ୍କ ବାବଦରେ ଏଭଳି ହୀନ ମନ୍ତବ୍ୟ ଦେବାକୁ ବିଜେପି ପ୍ରଶ୍ରୟ ଦେଉଛି କି ବିଜେପିକୁ ସ୍ପଷ୍ଟୀକରଣ ମାଗିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ସେପଟେ ୨୭ ପଞ୍ଚାୟତ ନିର୍ବାଚନ ଜିତିବା ସାଙ୍ଗକୁ ୨୦୨୯ ସାଧାରଣ ନିର୍ବାଚନ ପାଇଁ ବିଜେଡ଼ି ପ୍ରସ୍ତୁତ । ନବୀନଙ୍କ ନେତୃତ୍ୱରେ ପୁଣି ସରକାର କରିବୁ ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି । ତେବେ ସମ ଅଲ୍ଟିମେଟରେ ବିଜେଡିର ଚାରିଜଣ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ବସିଥିଲେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ରାଜ୍ୟରେ ଅଚଳ ଅବସ୍ଥାରେ ଥିବା ୨୨ଟି ଏୟାରଷ୍ଟ୍ରିପକୁ କାର୍ଯ୍ୟକ୍ଷମ କରାଯିବ
ଭୁବନେଶ୍ବରରେ ହେବ ଅତ୍ୟାଧୁନିକ ଫ୍ଲାଇଟ୍ ମରାମତି କେନ୍ଦ୍ର ଓ ଫ୍ଲାଇଟ ଟ୍ରେନିଂ ସେଣ୍ଟର। ପୁରୀ ଜଗନ୍ନାଥ ବିମାନବନ୍ଦର ପାଇଁ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶୃତି। ରାଜ୍ୟରେ ଅଚଳ ଅବସ୍ଥାରେ ଥିବା ୨୨ଟି ଏୟାରଷ୍ଟ୍ରିପକୁ କାର୍ଯ୍ୟକ୍ଷମ କରାଯିବ। ଭୁବନେଶ୍ବରରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀରେ ଏଭଳି ଆଲୋଚନା ହୋଇଛି। ଏୟାର ଓ୍ବାର୍କସ ସହିତ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ଏମଆରଓ ସୁବିଧା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଢେଙ୍କାନାଳର ବିରାଶୋଳରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର। ପୁରୀର ବିମାନବନ୍ଦର, ସାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦ୍ୱାରପଥ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏୟାରପୋର୍ଟରେ ଫ୍ଲାଇଟ ଟ୍ରେନିଂ, ୟୁଏଭି ପ୍ରଶିକ୍ଷଣ ଓ ଏୟାରସ୍ପୋର୍ଟ୍ସ ପାଇଁ ବ୍ୟବସ୍ଥା କରାଯିବା ସହ ଓଡ଼ିଶାର ବିମାନ ଚଳାଚଳ ଭିତ୍ତିଭୂମି ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ।
ଉଡ଼ାନ ଯୋଜନାରେ ଭୁବନେଶ୍ବର-ଦୁବାଇ ଫ୍ଲାଇଟ ଚଳାଚଳ ଜାରି ରଖିବାକୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ନବୀନ ସରକାରଙ୍କ ଅମଳରେ ସିଧାସଳଖ ବିମାନ ଚଳାଚଳ କରିଥିବା ବେଳେ ଆର୍ଥିକ ସଙ୍କଟ ଯୋଗୁଁ ଏବେ ଏହା ସଙ୍କଟରେ ଅଛି। ରାଜ୍ୟରେ ଯେତେ ସବୁ ବ୍ୟବହାର ହେଉନଥିବା ବିମାନ ପଥ ବା ଏୟାରଷ୍ଟ୍ରିପ ଅଛି, ସେଗୁଡ଼ିକୁ ସରକାର ବିମାନବନ୍ଦର ରୂପେ ବିକଶିତ କରିବେ। ଏଭଳି ୧୪ଟି ବିମାନବନ୍ଦର ହେବ ଏବଂ ଯେଉଁ ଜିଲ୍ଲାରେ ବିମାନବନ୍ଦର ନାହିଁ, ସେଠାରେ ସମୁଦାୟ ୧୫ଟି ହେଲିପୋର୍ଟ ସ୍ଥାପନ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କଟକ-ଭୁବନେଶ୍ବର-ପୁରୀ-କୋଣାର୍କରେ ହେଲି-ଟ୍ୟାକ୍ସି ସର୍ଭିସ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ B-MAAN ଯୋଜନା ଅଧୀନରେ, କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଆଦିବାସୀ ଝିଅଙ୍କୁ ପାଇଲଟ ହେବା ପାଇଁ ପ୍ରଶିକ୍ଷଣ ଦିଆଯିବ। ଭୁବନେଶ୍ବରରେ ଆୟୋଜିତ ସମ୍ମିଳନୀରେ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର, ଆଣ୍ଡାମାନ ନିକୋବର ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କ ସମେତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଉଭୟ ମନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।
କେବେ ମିଳିବ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି: ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକୁ ବେଖାତିର
ଦୂଷିତ ପାଣି ପିଇ ଲୋକଙ୍କ ଜୀବନ ଗଲା। ପ୍ରସଙ୍ଗ ମାନବାଧିକାର କମିଶନକୁ ଆସିଲା। ପ୍ରଥମେ ସମନ ପରେ ବି ସରକାରୀ ଅଧିକାରୀ ସାମିଲ ହେଲେନି। ପରେ ତାଗିଦ ପରେ ହାଜର ହେଲେ। କିନ୍ତୁ ଏ ଯାଏ କମିଶନଙ୍କ ନିକଟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ବଦଳରେ ସମୟ ଗଡାଇଚାଲିଛି ପ୍ରଶାସନ । ଜୁନ ଶେଷ ସୁଦ୍ଧା ଲୋକଙ୍କୁ ମେଗା ପ୍ରକଳ୍ପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ କମିଶନଙ୍କ ଆଗରେ ପ୍ରଥମେ କହିଲେ ସରକାର। ପରବର୍ତ୍ତୀ ତାରିଖରେ ପୁଣି ମତ ବଦଳାଇ ଜୁଲାଇ ଶେଷ ସୁଦ୍ଧା ପାଣି ଦେବାକୁ କହିଲେ । ଆଜି ଶୁଣାଣି ବେଳେ ପୁଣି ଡିସେମ୍ବର ଶେଷ ସୁଦ୍ଧା ପାନୀୟ ଜଳ ଦେବାକୁ କହିଛନ୍ତି । ଯାହାକୁ ନେଇ ବର୍ଷିଛନ୍ତି ଲୋକେ । ଡିସେମ୍ବର କଣ ବର୍ଷେ ଭିତରେ ପିଇବା ପାଣି ଦେଇପାରିବେ କି ନାହିଁ ସନ୍ଦେହ ବୋଲି କୁହାଯାଇଛି। କଣାସ, ସତ୍ୟବାଦୀ ଓ ବ୍ରହ୍ମଗିରି ଅଞ୍ଚଳର ୧୫୩ ଗାଁ ମଧ୍ୟରୁ ଏ ଯାଏ ମାତ୍ର ୫ ରୁ ୭ ଟି ଗାଁକୁ ପାଣି ଯୋଗାଯାଇ ପାରିଛି । ୨୦ ଗାଁକୁ ଟ୍ରାଏଲ ରନ ହୋଇଛି । କିନ୍ତୁ ବାରମ୍ବାର କୋର୍ଟ ଆଗରେ ପରିବର୍ତ୍ତିତ ତଥ୍ୟ ରଖୁଛନ୍ତି ସରକାର। ପରବର୍ତ୍ତୀ ତାରିଖରେ ସରକାରଙ୍କ ପଦକ୍ଷେପର ପ୍ରକୃତ ସତ୍ୟ କମିଶନଙ୍କୁ ଜଣାଯିବ ବୋଲି କୁହାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା କଥା ଶୁଦ୍ଧ ପାଣି ଯୋଗାଇବାକୁ ନେଇ ବାରମ୍ବାର ତାରିଖ ଗଡାଇଚାଲିଛନ୍ତି ସରକାର। ସରକାରଙ୍କ ଆନ୍ତରିକତା ଅଭାବରୁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ଏପରିକି ଟ୍ୟାଙ୍କର ଯୋଗେ ପୂର୍ବରୁ ଯେଉଁ ପାଣି ଯୋଗାଯାଉଥିଲା ଏବେ ତାହା ମଧ୍ୟ କମି କମି ଗଲାଣି। ସାତ ଆଠଟି ଟାଙ୍କି ମଧ୍ୟରୁ ଏବେ ଦୁଇ ତିନି ଦିନରେ ଥରେ ଦୁଇ ତିନୋଟି ଟ୍ୟାଙ୍କର ଆସୁଛି । ବହୁ ଗାଁକୁ ଆଉ ଟ୍ୟାଙ୍କର ବି ଆସୁନି। ଦୂଷିତ ପାଣି ପିଇ ଲୋକ ମଲେ । ସରକାର ଏବେ ଦାୟିତ୍ୱ ନିଅନ୍ତୁ ନ ହେଲେ ଦୁର୍ବାର ଜନ ଆନ୍ଦୋଳନ ହେବ ବୋଲି ଚେତାଇ ଦେଇଛନ୍ତି ଅଞ୍ଚଳବାସୀ । ଯେଉଁ ଦୂଷିତ ପାଣି ପିଇ ଲୋକଙ୍କ ଜୀବନ ଯାଇଥିଲା ସେହି ଦୂଷିତ ପାଣି ପୁଣି ଏବେ ପିଇବାରେ ଲାଗିଲେଣି ଲୋକେ। ଫଳରେ ଲୋକେ ଅତିଷ୍ଠ ହୋଇପଡିଲେଣି। ମାନବାଧିକାର କମିଶନଙ୍କ ନିକଟରେ ପଞ୍ଚାୟତିରାଜ ବିଭାଗ ଓ ପୁରୀ ଜିଲ୍ଲାପାଳ ମେଗା ପାନୀୟ ଜଳ ପ୍ରକଳ୍ପ ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି । ଆସନ୍ତା ଅକ୍ଟୋବର ୨୮ ରେ କମିଶନ ପରବର୍ତ୍ତୀ ଶୁଣାଣି କରିବେ।
ମନ୍ତ୍ରୀଙ୍କ ଦକ୍ଷତା ପରଖୁଛନ୍ତି ମୋହନ । ଆଗ ମାଗିଲେ ପରଫର୍ମାନସ ରିପୋର୍ଟ
ମନ୍ତ୍ରୀଙ୍କ ଦକ୍ଷତା ପରଖୁଛନ୍ତି ମୋହନ । ଆଗ ମାଗିଲେ ପରଫର୍ମାନସ ରିପୋର୍ଟ । ଏବେ ମୁହାଁମୁହିଁ ଚାଲିଛି ସମୀକ୍ଷା । ଆଗକୁ ହେବ କି ସମ୍ପ୍ରସାରଣ ? ମୁହଁ ଖୋଲିଲେ ମନ୍ତ୍ରୀ ଓ ଆଶାୟୀ । ୧୪ ମାସରେ ସରକାରଙ୍କ ବିଫଳତାକୁ ନେଇ ଘନଘନ ଆକ୍ରମଣ କରୁଛନ୍ତି ବିରୋଧୀ । ମନ୍ତ୍ରୀମାନେ ନିଜ ବିଭାଗ ଦାୟିତ୍ବକୁ କିପରି ତୁଲାଉଛନ୍ତି ତାହାକୁ ନେଇ ମନ୍ତ୍ରୀଙ୍କ ଦକ୍ଷତା ପରଖୁଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କରୁଛନ୍ତି ବିଭାଗଓ୍ବାରୀ ସମୀକ୍ଷା । ଏହାରି ଭିତର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା କରିସାରିଲେଣି । ଆଗକୁ ବାକିଥିବା ବିଭାଗର ସମୀକ୍ଷା କରିବେ । ୧୪ ମାସ ଭିତରେ ସଂପୃକ୍ତ ବିଭାଗ କେତେ କାମ କରିଛନ୍ତି ଓ ଆଗକୁ କଣ କରିବେ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ବିଭାଗ ଗୁଡ଼ିକ ବଜେଟ ଅର୍ଥ କେତେ ଖର୍ଚ୍ଚ କରିଛନ୍ତି ତାହାର ବି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ବିଭାଗୱାରୀ ସମୀକ୍ଷା କରିବାକୁ ନେଇ ପାଓ୍ବାର କରିଡରରେ ଜୋରଦାର ଚର୍ଚ୍ଚା । ବିଭିନ୍ନ ବିଭାଗର ସମୀକ୍ଷା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ରହିଛି । ଶୁଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ମନ୍ତ୍ରୀ ଓ ବିଧାୟକମାନେ ।
ସେପଟେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ୧୪ ମାସର ବିଜେପି ସରକାରରେ ରାଜ୍ୟର ବିକାଶ ସଂପୂର୍ଣ୍ଣ ଠପ ହୋଇଯାଇଛି । ଗାଁ ଗହଳିରୁ ସହର ଯାଏ କେଉଁଠି ବି ମାଟି ମୁଠାଏ ପଡିନାହିଁ। ସରକାର ବଜେଟ ପରେ ବଜେଟ ଆଣୁଛନ୍ତି ଓ ସମୀକ୍ଷା ବୈଠକ ପରେ ସମୀକ୍ଷା ବୈଠକ କରୁଛନ୍ତି । ବିକାଶ କାର୍ଯ୍ୟ ଠପ ଥିବାରୁ ବିଧାନସଭା ଡାକିବାକୁ ମଧ୍ୟ ଡରିଲେ । ତେଣୁ ସମୀକ୍ଷା ହେଉ କିନ୍ତୁ ଲୋକଙ୍କ ପାଇଁ ଗ୍ରାଉଣ୍ଡରେ ବିକାଶମୂଳକ କାର୍ଯ୍ୟକ୍ରମ ହେବା ଆବଶ୍ୟକ ବୋଲି ବିଜେଡି କହିଛି ।
୧୪ ମାସ ସରକାରରେ ଅଧାଗଢା ହୋଇ ରହିଛି ମନ୍ତ୍ରିମଣ୍ଡଳ । ୬ ମନ୍ତ୍ରୀପଦ ଖାଲି ପଡ଼ିଛି । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ପରଫର୍ମାନସ୍ ରିପୋର୍ଟ ପରେ ବିଭାଗର ସମୀକ୍ଷା କରିବା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ପୁଣି ତାଜା କରିଛି । । ଏବେ ମୁହାଁମୁହିଁ ଚାଲିଛି ସମୀକ୍ଷା । ଆଗକୁ ହେବ କି ସମ୍ପ୍ରସାରଣ ? ମୁହଁ ଖୋଲିଲେ ମନ୍ତ୍ରୀ ଓ ଆଶାୟୀ । ୧୪ ମାସରେ ସରକାରଙ୍କ ବିଫଳତାକୁ ନେଇ ଘନଘନ ଆକ୍ରମଣ କରୁଛନ୍ତି ବିରୋଧୀ । ମନ୍ତ୍ରୀମାନେ ନିଜ ବିଭାଗ ଦାୟିତ୍ବକୁ କିପରି ତୁଲାଉଛନ୍ତି ତାହାକୁ ନେଇ ମନ୍ତ୍ରୀଙ୍କ ଦକ୍ଷତା ପରଖୁଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କରୁଛନ୍ତି ବିଭାଗଓ୍ବାରୀ ସମୀକ୍ଷା । ଏହାରି ଭିତର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ , ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା କରିସାରିଲେଣି । ଆଗକୁ ବାକିଥିବା ବିଭାଗର ସମୀକ୍ଷା କରିବେ । ୧୪ ମାସ ଭିତରେ ସଂପୃକ୍ତ ବିଭାଗ କେତେ କାମ କରିଛନ୍ତି ଓ ଆଗକୁ କଣ କରିବେ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ବିଭାଗ ଗୁଡ଼ିକ ବଜେଟ ଅର୍ଥ କେତେ ଖର୍ଚ୍ଚ କରିଛନ୍ତି ତାହାର ବି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ବିଭାଗୱାରୀ ସମୀକ୍ଷା କରିବାକୁ ନେଇ ପାଓ୍ବାର କରିଡରରେ ଜୋରଦାର ଚର୍ଚ୍ଚା । ବିଭିନ୍ନ ବିଭାଗର ସମୀକ୍ଷା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ରହିଛି । ଶୁଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ମନ୍ତ୍ରୀ ଓ ବିଧାୟକମାନେ ।
ସେପଟେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ୧୪ ମାସର ବିଜେପି ସରକାରରେ ରାଜ୍ୟର ବିକାଶ ସଂପୂର୍ଣ୍ଣ ଠପ ହୋଇଯାଇଛି । ଗାଁ ଗହଳିରୁ ସହର ଯାଏ କେଉଁଠି ବି ମାଟି ମୁଠାଏ ପଡିନାହିଁ। ସରକାର ବଜେଟ ପରେ ବଜେଟ ଆଣୁଛନ୍ତି ଓ ସମୀକ୍ଷା ବୈଠକ ପରେ ସମୀକ୍ଷା ବୈଠକ କରୁଛନ୍ତି । ବିକାଶ କାର୍ଯ୍ୟ ଠପ ଥିବାରୁ ବିଧାନସଭା ଡାକିବାକୁ ମଧ୍ୟ ଡରିଲେ । ତେଣୁ ସମୀକ୍ଷା ହେଉ କିନ୍ତୁ ଲୋକଙ୍କ ପାଇଁ ଗ୍ରାଉଣ୍ଡରେ ବିକାଶମୂଳକ କାର୍ଯ୍ୟକ୍ରମ ହେବା ଆବଶ୍ୟକ ବୋଲି ବିଜେଡି କହିଛି ।
ସରିଲା ଖରିଫ ଚାଷ ପଞ୍ଜିକରଣ: ନୂଆ ନିୟମ ଚାଷୀଙ୍କ ତଣ୍ଟିରେ ସାଜିଲା କଣ୍ଟା
ସରିଲା ଖରିଫ ଚାଷ ପଞ୍ଜିକରଣ । ନୂଆ ନିୟମ ଚାଷୀଙ୍କ ତଣ୍ଟିରେ ସାଜିଲା କଣ୍ଟା । ବିଜେଡି କହିଲା, ଲକ୍ଷ ଲକ୍ଷ ଚାଷୀ ପଞ୍ଜିକରଣରୁ ବାଦ । ସାର କଳାବଜାରୀରେ ବଳି ଗଲାଣି ଚାଷୀଙ୍କ ଦୁଃଖ । ପଞ୍ଜିକରଣ ଠାରୁ ବଳି ଗଲାଣି ସାର କଳାବଜାରୀ। ସାର ଅଭାବକୁ ନେଇ ଚାଷୀ ହନ୍ତସନ୍ତ ହେଉଥିବା ବେଳେ, ଜିଲ୍ଲାକୁ ଜିଲ୍ଲା ବ୍ୟାପିବାରେ ଲାଗିଛି ସାର କଳାବଜାରୀ। ନକଲି ସାର ବିକ୍ରି ହୋଇଥିବାରୁ ରାଜ୍ୟର ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାରଙ୍କ ନୂଆ ନିୟମ ପାଇଁ ଖରିଫ ଧାନ ବିକ୍ରି କରିବାରୁ ବଞ୍ଚି ହୋଇଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଚାଷୀ। ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଧାନ ବିକ୍ରି ଠାରୁ ସାର ଯୋଗାଣ ଯାଏ ସବୁଥିରେ ସରକାର ଫେଲ। ସ୍ବଚ୍ଛତାକୁ ଆଳ କରି ସରକାର ପ୍ରକୃତ ଚାଷୀଙ୍କୁ ଧାନ ବିକ୍ରି କରିବାରେ ବଞ୍ଚିତ କରିଛନ୍ତି । ଧାନକିଣାରେ ସରକାରଙ୍କ ନୂଆ ନିୟମ ଜଟିଳ ହୋଇଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି। ଏହାକୁ ବିରୋଧ କରି ବରଗଡ଼ରେ ପ୍ରତିବାଦ କରିଥିଲା ବିଜେଡି। ବିଧାନସଭାରେ ବିଜେଡି ଏ ସବୁର ହିସାବ ମାଗିବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେହିପରି ରାଜ୍ୟରେ ସାରର ଅଭାବ ନଥିବା ବେଳେ, ସରକାର ଏହାକୁ ଠିକ ଭାବେ ଚାଷୀଙ୍କ ପାଖରେ ପହଞ୍ଚାଇ ପାରୁନଥିବା ଅଭିଯୋଗ କରିଛି ବିଜେଡି। ଅନ୍ୟପଟେ କୃଷିମନ୍ତ୍ରୀ କେ.ଭି ସିଂହଦେଓ କହିଛନ୍ତି, ସାର କଳାବାଜରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।
ସେପଟେ ପିପିସି ସଭାପତି ଭକ୍ତ ଦାସ ଅଭିଯୋଗ କରିଛନ୍ତି, ସାର କଳାବଜାରୀ ଯୋଗୁଁ ତିନି ଗୁଣ ଚଢା ଦରରେ କିଣି ହନ୍ତସନ୍ତ ହେଉଛନ୍ତି ଚାଷୀ। କୃଷିମନ୍ତ୍ରୀ ତୁରନ୍ତ ୟୁରିଆ କଳାବଜାରୀ ରୋକିବା ସହ କୃଷକଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ଦାବି କରିଛି କଂଗ୍ରେସ। ସେପଟେ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ଯୋଗାଣ ମନ୍ତ୍ରୀଙ୍କୁ ଲାଗିଛି ରେକର୍ଡ ନିଶା । ଗତ ବର୍ଷ ଅପେକ୍ଷା ଏଥର ଖରିଫରେ ଚାଷୀ ପଞ୍ଜିକରଣ ଅଧିକ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ। ୨୦୨୫-୨୬ ଖରିଫ ଧାନ ବିକ୍ରୀ କରିବାରେ ସରକାରଙ୍କ ନୂଆ ନିୟମକୁ ନେଇ ଆରମ୍ଭରୁ ହଇରାଣ ହୋଇଛନ୍ତି ଚାଷୀ। ବହୁ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିନଥିବାରୁ, ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। ଏଭଳି ସ୍ଥିତିରେ ସାର କଳାବଜାରୀ ଚାଷୀଙ୍କ ସମସ୍ୟାକୁ ଦୁଇ ଗୁଣିତ କରିଛି। ଯାହା ସରକାରଙ୍କ ଚାଷୀ ମାରଣନୀତିକୁ ପଦାରେ ପକାଇଛି।
ଲାଗି ରହିଛି ବର୍ଷା: ଫୁଲି ଚାଲିଛି ସୁବର୍ଣ୍ଣରେଖା ଓ ବୈତରଣୀ
ଲାଗି ରହିଛି ବର୍ଷା । ଫୁଲି ଚାଲିଛି ସୁବର୍ଣ୍ଣରେଖା ଓ ବୈତରଣୀ । ବିପଦ ସଂକେତ ଉପରେ ଆଖୁଆପଦାରେ ବୈତରଣୀ ଓ ରାଜଘାଟରେ ସୁବର୍ଣ୍ଣରେଖା ନଈ ପାଣି । ସୃଷ୍ଟି କଲେଣି ବନ୍ୟା ପରିସ୍ଥିତି । ଜଳର୍ଣ୍ଣବ ଗାଁ, ରାସ୍ତାରେ ଚାଲୁଛି ଅଣ୍ଡୁଏ ଆଣ୍ଠୁଏ ପାଣି । ଆସନ୍ତାକାଲି ବୈତରଣୀ ବିପଦ ସଂକେତ ତଳକୁ ଖସିବ । ହେଲେ ଜାମସୋଲାଘାଟରେ ବର୍ଷା ଜାରି ରହିଛି । ଗତକାଲି ସୁବର୍ଣ୍ଣରେଖା ବେସିନରେ ୧୭.୬୩ ମିଲିମିଟର ବର୍ଷା ହୋଇଛି । ଯେଉଁଥି ପାଇଁ ଆଜି ରାତିରେ ପାଣି କମିଲେ ବି ରାଜଘାଟଠାରେ ସୁବର୍ଣ୍ଣରେଖା ବଢିବ ।ତେବେ ସୁବର୍ଣ୍ଣରେଖାର ବନ୍ଯାରେ ବାଲିଆପାଳ ବ୍ଲକର ୧୫ରୁ ଅଧିକ ଗାଁ, ଭୋଗରାଇ ବ୍ଲକର ୨୦ ରୁ ଅଧିକ ଗାଁ ପାଣି ଘେରରେ ଅଛି। ଗାଲୁଡିହି ବ୍ଯାରେଜରୁ ୫ ହଜାର କ୍ୟୁସେକ ପାଣି ଛଡା ଯିବାରୁ ସୁବର୍ଣ୍ଣରେଖାରେ ଷଷ୍ଠ ଥର ପାଇଁ ବନ୍ୟା ଆସିଛି ।
ସେହିଭଳି ଯାଜପୁର, ଭଦ୍ରକ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଳାର ଅନେକ ସ୍ଥାନରେ ବନ୍ୟାରେ ପ୍ରଭାବିତ ହୋଇଛି । ବୈତରଣୀ ଯୋଗୁଁ ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ପ୍ରଭାବିତ ହୋଇଛି । ଯାଜପୁର ଜିଲ୍ଲାର ସର୍ବାଧିକ ୧୪ ପଞ୍ଚାୟତର ୪୬ ଗାଁ ବନ୍ୟା ଘେରକୁ ଆସିଛି । କାଣୀ ନଦୀରେ ବି ୩୦ ମିଟର ଘାଇ ହୋଇଛି । ପାଣି କମିଲେ ଯାଇ ମରାମତି କାମ ଆରମ୍ଭ ହେବ । ବନ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି ।
ହୀରାକୁଦର ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ରେଙ୍ଗାଳି ଜଳଭଣ୍ଡାରରେ ୯୩ ପ୍ରତିଶତ ପାଣି ଭରି ଯାଇଥିବାରୁ ଏହାକୁ ନଜରରେ ରଖିଛି ଜଳ ସମ୍ପଦ ବିଭାଗ । ଏହାର ଦୁଇଟି ଗେଟ ଖୋଲା ଅଛି । ଆବଶ୍ୟକ ପଡ଼ିଲେ, ରେଙ୍ଗାଳିର ଆଉ ଏକ ଗେଟ ଖୋଲା ହେବ । ତେବେ ସୁବର୍ଣ୍ଣରେଖା ଓ ବୈତରଣୀ ବ୍ୟତୀତ ଅନ୍ୟ କୌଣସି ବେସିନରେ ୧୦ ମିଲିମିଟରରୁ ଅଧିକ ବର୍ଷା ହୋଇ ନଥିବାରୁ, ବନ୍ୟା ସ୍ଥିତି ନାହିଁ । ହେଲେ ମୁଣ୍ଡଳୀରେ ୧.୮୪ ଲକ୍ଷ ଜଳ ପ୍ରବାହିତ ହେଉଥିବାରୁ ମହାନଦୀରେ ବନ୍ୟା ଆଶଂକା ରହିଛି । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ପାଞ୍ଚଟି ବନ୍ୟା ହେଲାଣି । ଭଦ୍ରକ ଆଖୁଆପଦା ଆନିକଟରେ ପୁଣି ଗତକାଲି ରାତି ୮ଟାରୁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବୈତରଣୀ ନଦୀର ବାମ ପାର୍ଶ୍ଵ ମଲିମାହାରା ଓ ଗୌରାଙ୍ଗ ଏସକେପ କର୍ଲଭଟରେ ଫାଟ ସୃଷ୍ଟି ହେବା ସହ ଘଳିଆ ପଡ଼ି ବନ୍ୟାପାଣି ବିଭିନ୍ନ ଗାଁ ଆଡକୁ ମାଡି ଚାଲିଛି ।
ପୁଣି ଲଘୁଚାପ, ପୁଣି ବର୍ଷା: ରାଜ୍ୟରେ ଥମିବନି ବର୍ଷା ପ୍ରକୋପ
ପୁଣି ଲଘୁଚାପ, ପୁଣି ବର୍ଷା । ରାଜ୍ୟରେ ଥମିବନି ବର୍ଷା ପ୍ରକୋପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି I ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡା, କଟକ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା ଗଜପତି ଓ କୋରାପୁଟ ଆଦି ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ରାୟଗଡା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
୨୯ ତାରିଖ ଯାଏଁ ରାଜ୍ୟରେ ଲାଗିରହିବ ବର୍ଷା । ସମୁଦ୍ର ଅଶାନ୍ତ ଥିବାରୁ ୨୯ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗତ ୨୪ ଘଂଟାରେ କଳାହାଣ୍ଡିର ଜିଲ୍ଲାରେ ସର୍ବାଧିକ ୭୫ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ତେବେ ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ନଦୀ ଜଳ ସ୍ତର ବଢିବା ସମ୍ଭାବନା ଥିବା ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ।
ଗଜାନନଙ୍କ ଆବାହନ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର
ଗଜାନନଙ୍କ ଆବାହନ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ପୂଜା ପାଇଁ ସବୁଠି ପ୍ରସ୍ତୁତି ଜୋରଦାର । ଘରେ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ମଣ୍ଡପରେ ପୂଜା ପାଇବେ ଗଣେଶ । ହେଲେ ଏବେ ବଜାରରେ ମାଟି ମୂର୍ତ୍ତି ବଦଳରେ ପ୍ଲାଷ୍ଟର ଅଫ ପ୍ଯାରିସ ମୂର୍ତ୍ତି ବହୁଳ ଦେଖିବାକୁ ମିଳୁଛି । ଏହାର ନିର୍ମାଣ ଶୈଳୀ, ଓଜନ, ରଙ୍ଗ ଓ ଡିଜାଇନକୁ ଦେଖି ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ । ବଜାରରେ ମାଟି ମୂର୍ତ୍ତି ମଧ୍ୟ ବିକ୍ରି ହେଉଛି । ହେଲେ ଏହା ସେତେଟା ଆକର୍ଷଣିୟ ହେଉ ନଥିବାରୁ ଲୋକେ କୋଲକାତା ମୂର୍ତ୍ତିକୁ ଅଧିକ କିଣୁଛନ୍ତି ।ଶାସ୍ତ୍ର ମତରେ ମାଟି ମୂର୍ତ୍ତିରେ ପୂଜା କରି ଜିବନ୍ନ୍ୟାସ ଦିଆଯାଏ । ଏହା ପରିବେଶ ଅନୁକୂଳ । ତେବେ ଏବେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିର ଚାହିଦା ଅଧିକ ବଢୁଥିବାରୁ ପ୍ରଦୁଷଣ ନେଇ ଚିନ୍ତା ବି ବଢିଛି । ପୁଣି ଏଥିରେ ବ୍ୟବହାର ହେଉଥିବା କ୍ଷତିକାରକ କେମିକାଲ ପାଣିରେ ମିଶିବା ଫଳରେ ଜଳ ବି ପ୍ରଦୂଷଣ ହେବା ଆଶଂକା ଦେଖାଦେଇଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ।
ଜମିଲାଣି ପାର୍ବଣ ଋତୁ: ମ୍ୟୁଜିକାଲ ନାଇଟ୍ ପାଇଁ ଅର୍କେଷ୍ଟ୍ରା ପାର୍ଟିଙ୍କ ଜୋରଦାର ପ୍ରସ୍ତୁତି
ଜମିଲାଣି ପାର୍ବଣ ଋତୁ । ମ୍ୟୁଜିକାଲ ନାଇଟ୍ ପାଇଁ ଅର୍କେଷ୍ଟ୍ରା ପାର୍ଟିଙ୍କ ଜୋରଦାର ପ୍ରସ୍ତୁତି । ଟ୍ରେଣ୍ଡିଂ ସଙ୍ଗକୁ ନେଇ ଚାଲିଛି ରିହର୍ସାଲ । ଡିମାଣ୍ଡରେ ବୋଉ ବୁଟୁ ଭୂତର ରାତି ସାରା ଆସିବୁ ବୋଲି ଡୁଙ୍ଗୁଥିଲି । ପାଟେଣୀ ଖାସିଙ୍କୁ ପାଉଚ ପିଲେଇ ଦେରେ ଦାଦା । ରାଜଧାନୀରେ ରକ୍ କରିବେ ସମ୍ବଲପୁରିଆ ରକ୍ ଷ୍ଚାର ରୁକ୍ ସୁନା । ନାମୀଦାମୀ କଳାରାଙ୍କୁ ନେଇ ମୈଇଦାନକୁ ଓହ୍ଲାଇବ ଅର୍କେଷ୍ଟ୍ରା ସୁର ତରଙ୍ଗ । ସମ୍ବଲପୁରୀ ଗୀତ ଚକୋବାର, ଲଚକମଣୀ, ମଲି ଫୁଲିଆ ଧାଙ୍ଗିଡ଼ି ନନୀ ଘାଣ୍ଟି ମାଇଲା ଗୀତକୁ ନେଇ ରୁକ ସୁନା ଓ ତାଙ୍କ ଟିମ କରୁଛନ୍ତି ଜୋରଦାର ପ୍ରସ୍ତୁତି । କେବଳ ସମ୍ବଲପୁରୀ ନୁହେଁ ଗଣେଶ ବନ୍ଦନା, ହିନ୍ଦୀ, ଓଡିଆ, ତେଲୁଗୁ ଗୀତକୁ ନେଇ ଚାଲିଛି ରିହର୍ସାଲ । ଦିଲ ପେ ଚଲାଇ ଛୁରିଆ ଗୀତ ବି ଏଥର ପୂଜା ମଞ୍ଚରେ ଆଗରେ ରହିବ । ନାଚଗୀତରେ ଦର୍ଶକଙ୍କୁ ଝୁମାଇବେ ଅର୍କେଷ୍ଟ୍ରା ଟିମ୍
ସେପଟେ ଗୀତ ତରଙ୍ଗ କ୍ୟାମ୍ପରେ ମଧ୍ୟରେ ଚାଲିଛି ଜୋରଦାର ରିହର୍ସାଲ । ବଛା ବଛା କଳାକାରଙ୍କୁ ନେଇ ମାଲିକ ମିଲନ ପାଇକରାୟ ପୂଜା ବଜାର ସରଗରମ କରିବେ । ରାତିସାରା ଡୁଙ୍ଗୁ ଥିଲି, ହୁନୁ ହୁନୁ, ପାଟେଣୀ ଖାସି ସେମତ ନୂଆ ପୁରୁଣା ଓଡିଆ ଓ ହିନ୍ଦୀ ଗୀତକୁ ନେଇ ଦର୍ଶକଙ୍କୁ ଭେଟି ଦେବାକୁ ଚାଲିଛି ଅଭ୍ୟାସ । ଗଣେଶ ପୂଜା ଠାରୁ ଆରମ୍ଭ କରି କାର୍ତ୍ତିକ ପୂଜା ପର୍ଯ୍ୟନ୍ତ ବୁକିଂ ସରିଥିବା କହିଥିବା କହିଛନ୍ତି ସୁର ତରଙ୍ଗ ମାଲିକ ।
ସାର ପାଇଁ ନୟାନ୍ତ ଚାଷୀ: ମିଳୁନି ୟୁରିୟା, ବଢୁଛି କଳାବଜାରୀ
ସାର ପାଇଁ ନୟାନ୍ତ ଚାଷୀ । ମିଳୁନି ୟୁରିୟା, ବଢୁଛି କଳାବଜାରୀ । ବେଫିକର ପ୍ରଶାସନ, ହନ୍ତସନ୍ତ ଚାଷୀକୂଳ । କୋରାପୁଟ ଜିଲ୍ଲାର ପ୍ରାୟ 80 ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚଳିତବର୍ଷ ଭଲ ବର୍ଷା ହୋଇଥିବାରୁ ଦୁଇପଇସା ରୋଜଗାର ହେବା ଆଶାରେ ଚାଷୀ । ଅଧିକାଂଶ ଜମିରେ ଆରମ୍ଭ ହେଲାଣି ଧାନରୁଆ । ହେଲେ ଚାଷୀଙ୍କୁ ମିଳନୁ ସାର । ସରକାରୀ ସ୍ତରରେ ଗୋଟିଏ ବସ୍ତା ୟୁରିୟା ସାର ପାଇଁ ଦିନ ଦିନ ଜଗିବାକୁ ପଡୁଛି । ଗୋଟିଏ ଆଧାର କାର୍ଡରେ ମାତ୍ର ୨ ବସ୍ତା ସାର ମିଳୁଥିବା ବେଳେ ଯାହାର ଅଧିକ ଜମି ଅଛି ସେମାନେ ବାଧ୍ୟହୋଇ ଅଧିକ ଦରରେ କିଣୁଛନ୍ତି । ବସ୍ତା ପିଛା ୨୭୦ ଟଙ୍କା ବଦଳରେ ବାହାରୁ ୯ ଶହ ଟଙ୍କାରେ କିଣୁଛନ୍ତି । ବାରମ୍ବାର ପ୍ରତିବାଦ ପରେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ ।
ଜିଲ୍ଲାର ଜୟପୁର ଉପଖଣ୍ଡ ଜୟପୁର, କୁନ୍ଦୁରା, ବୋରିଗୁମ୍ମା, କୋଟପାଡ, ବୌପାରିଗୁଡା ବ୍ଲକରେ ଚାଷୀ ସାର ପାଇଁ ନୟାନ୍ତ । କୃଷି ବିଭାଗ ଓ କଳାବଜାରୀଙ୍କ ମଧ୍ଯରେ ମଧୂଚନ୍ଦ୍ରିକ ଯୋଗୁଁ ସାର ମିଳୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ଆସନ୍ତା କାଲି ଜିଲ୍ଲା କୃଷୀ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ଉପସଭାପତି ରବି ନାରାୟଣ ନନ୍ଦ । ୬ ଟି ବ୍ଲକର ଚାଷୀ ସହିତ ଚାଷୀ ସଂଗଠନ ସମେତ ବିଜେଡି ରାଜରାସ୍ତାକୁ ଓହ୍ଲାଇବେ ।

