spot_img
Home Blog Page 436

ବିରାଟ-ରୋହିତ ୨୦୨୭ ଦିନିକିଆ ବିଶ୍ବକପ୍ ଖେଳିବେ କି ନାହିଁ ?

ନନ୍ଦିଘୋଷ ବ୍ୟୁରୋ: ଏବେ କ୍ରିକେଟ ଜଗତରେ ଗୋଟିଏ ଚର୍ଚ୍ଚା । ବିରାଟ କୋହଲି ଏବଂ ରୋହିତ ଶର୍ମା ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ଖେଳିବେ ନା ନାହିଁ । ଯାହାକୁ ନେଇ କ୍ରିକେଟ ଏକ୍ସପର୍ଟ ଏବଂ ପୂର୍ବ ଖେଳାଳି ନିଜ ନିଜ ମତ ରଖୁଛନ୍ତି । କ୍ରିକେଟ ପ୍ରଶଂସକମାନେ ମଧ୍ୟ ଏମାନଙ୍କ ଖେଳିବା ନ ଖେଳିବାକୁ ନେଇ ଜାଣିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି । ଏହାରି ଭିତରେ ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ବୟାନ ଆସିଛି । ସେ ଏମିତି କିଛି କହିଛନ୍ତି, ଯାହା ବିରାଟ ଓ ରୋହିତଙ୍କ ପ୍ରଶଂସକଙ୍କୁ ଖୁସି କରିଦେବ ।

ଇରଫାନ ଫଠନଙ୍କ ଅନୁସାରେ, ବିରୋଟ ଏବଂ ରୋହିତଙ୍କୁ ସେମାନଙ୍କ ଫିଟନେଓ ୨୦୨୭ ବିଶ୍ବକପ୍ ପର୍ଯ୍ୟନ୍ତ ରଖିବାକୁ ପଡ଼ିବ । ଯଦି ସେମାନେ ଫିଟ୍ ରହିବେ, ବିଶ୍ବକପ୍ ବି ଖେଳି ପାରିବେ । ଏହାସହ ମହମ୍ମଦ ଶାମୀଙ୍କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପଠାନ ।

ପଠାନ କହିଛନ୍ତି, ମୁଁ ରୋହିତଙ୍କ ସହ କଥା ହୋଇଥିଲି । ସେ ତାଙ୍କ ଫିଟନେସକୁ ନେଇ ବହୁତ ଗମ୍ଭୀର ଅଛନ୍ତି । ବିରାଟ ବି ଇଂଲଣ୍ଡରେ ପ୍ରାକ୍ଟିସ୍ କରୁଛନ୍ତି । ମୋର ପୂରା ବିଶ୍ବାସ ରହିଛି ଏହି ଦୁଇ ଖେଳାଳିଙ୍କୁ ଫିଟ୍ ରହିବାକୁ ପଡିବ । ମୁଁ ମହମ୍ମଦ ଶାମୀଙ୍କ ଏକ ବୟାନ ଶୁଣିଛି । ଏଥିରେ ସେ ବିଶ୍ବକପ୍ ଖେଳିବାକୁ ଇଚ୍ଛା ଥିବା କହୁଛନ୍ତି । ଏହା ଭଲ କଥା ଯେ, ସବୁ ଖେଳାଳି ସେମାନଙ୍କୁ ଫିଟନେସକୁ ନେଇ ବହୁତ ଗମ୍ଭୀର ଅଛନ୍ତି । ଆଗାମୀ ଦିନରେ ଏହା ସ୍ଥିର ହୋଇଯିବ ଏମାନେ ୨୦୨୭ ବିଶ୍ବକପରେ ଖେଳିବେ ନା ନାହିଁ ।

ସୂଚନାଯୋଗ୍ୟ, ବିରାଟ ଏବଂ ରୋହିତ ଶେଷ ଥର ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଖେଳିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟଙ୍କ ପ୍ରଦର୍ଶନ ଦମଦା ଥିଲା । ଆଉ ଏହି କାରଣରୁ ଭାରତ ଟ୍ରଫି ହାସଲ କରିବାକୁ ସକ୍ଷମ ହୋଇଥିଲା । ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ଟ୍ରଫି ହାସଲ କରିଥିଲା । ଏମାନଙ୍କ ବ୍ୟତୀତ ଶାମୀ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଖେଳିଥିଲେ । ଚଳିତବର୍ଷ ଅକ୍ଟୋବରରେ ଭାରତ ଅଷ୍ଟ୍ରେଲିଆ ସହ ଦିନିକିଆ ସିରିଜ ଖେଳିବ । ଆଉ ଏଥିରେ ଉଭୟ ରୋହିତ ଏବଂ ବିରାଟଙ୍କୁ ପୁଣି ଥରେ ପଡ଼ିଆରେ ଦର୍ଶକ ଦେଖିବାକୁ ପାଇବେ ।

ଶାମୀଙ୍କ କଥା କହିବା ତ, ୨୦୨୫ ଆଇପିଏଲରେ ବହୁତ ଖରାପ ବୋଲିଂ କରିଥିଲେ । ସନରାଇଜର ହାଇଦ୍ରାବାଦ ତରଫରୁ ୯ଟି ମ୍ୟାଚ ଖେଳି ୫୬.୧୭ ପ୍ରତିଶତରେ ମାତ୍ର ୬ ଓ୍ବିକେଟ ନେବାକୁ ସକ୍ଷମ ହୋଇଥିଲେ । ବାରମ୍ବାର ଆହତ କାରଣରୁ ଟିମ୍ ଇଣ୍ଡିଆର ନିୟମିତ ଭାବେ ଭେଳି ପାରୁନାହାନ୍ତି । ଏମିତି ସ୍ଥିତିରେ ଭାରତୀୟ ଟିମକୁ ତାଙ୍କର ପ୍ରତ୍ୟାବର୍ତ୍ତନ କେବେ ହେବ ତାହା ବର୍ତ୍ତମାନ କହିବା କଷ୍ଟକର ।

ଏପଟେ ମୁକେଶ ଅମ୍ବାନୀଙ୍କ ମିଟିଂ, ସେପଟେ ରିଲାଏନ୍ସର ବୁଡ଼ିଗଲା ୭୧ ହଜାର କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଏସିଆର ନମ୍ବର ଓ୍ବାନ ବ୍ୟବସାୟୀ ମୁକେଶ ଅମ୍ବାନୀ ବାର୍ଷିକ ସାଧାରଣ ବୈଠକ (ଏଜିଏମ)କୁ ନିବେଶକ ମାନେ ବହୁତ ଆଶା ନେଇ ଅନାଇଥିଲେ । ଆଶା ଥିଲା ମୁକେଶ ତାଙ୍କ ଟେଲିକମ କମ୍ପାନୀ ଜିଓ ରିଲାଏନ୍ସ ଆଇପିଓକୁ ନେଇ କିଛି ଘୋଷଣା କରିବେ । ଏହାସହ ଏମିତି ଅନ୍ୟ କିଛି ଘୋଷଣା ବି କରିବେ ଯାହା ତାଙ୍କ ନିବେଶକଙ୍କୁ ଭଲ ଲାଭ ଦେବ । ଟେଲିକମ କମ୍ପାନୀ ଆଇପିଓ ଘୋଷଣା ହେଲା ସତ । ହେଲେ ଏହା ୨୦୨୬ ମଧ୍ୟ ଭାଗକୁ ଆସିବ । ଏପରିକି ଆଇପିଓ ଆସିବାର କୌଣସି ନିର୍ଦ୍ଧିଷ୍ଟ ତାରିଖ ବି କୁହାଯାଇନି । ନା କୌଣସି ବଡ଼ ଘୋଷଣା କରାଯାଇଛି । ଫଳରେ ରିଲାଏନ୍ସ କମ୍ପାନୀର ସେୟାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଗୁରୁତ୍ବପୁର୍ଣ୍ଣ କଥଶ ହେଲା ଆଇପିଓ ଘୋଷଣା ପରେ କମ୍ପାନୀର ସେୟାର ୧୪୦୦ ଟଙ୍କା ଲେଭଲ ପାର କରିଯାଇଥିଲା । ମାତ୍ର ୨୫ ମିନିଟ ପରେ ଏହା ୧୩୫୦ ଟଙ୍କା ଲେଭଲକୁ ଖସି ଆସିଥିଲା । ଅର୍ଥାତ ଏହି ସମୟରେ କମ୍ପାନୀ ସେୟାରରେ ୩.୭୫ ପ୍ରତିଶତ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା । ଏହି କାରଣରୁ ରିଲାଏନ୍ସ କମ୍ପାନୀର ମାର୍କେଟ ପ୍ୟାକକୁ ୭୧ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଲା ।

ଶୁକ୍ରବାର ଅପରାହ୍ନ ୨ଟାରେ ରିଲାଏନ୍ସ କମ୍ପାନୀର ବାର୍ଷିକ ସାଧାରଣ ବୈଠକ ଆରମ୍ଭ ହୋଇଥିଲା । ଏହାର କିଛି ସମୟ ପରେ ମୁକେଶ ଅମ୍ବାନୀ ଟେଲିକମ ଆର୍ମ ରିଲାଏନ୍ସ ଜିଓର ଆଇପିଓ ଘୋଷଣା କରିଛନ୍ତି । ଏହି କାରଣରୁ କମ୍ପାନୀ ସେୟାରରେ ଏକ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା । ଏହାସହ କମ୍ପାନୀର ସେୟାର ୧୪୦୩ ଟଙ୍କା ସହ ଦିନର ଶ୍ରେଷ୍ଠ ସ୍ତରରେ ପହଞ୍ଚି ଯାଇଥିଲା । ଏହାପରେ କମ୍ପାନୀ ପକ୍ଷରୁ କୌଣସି ବଡ଼ ଘୋଷଣା କରାଯାଇ ନଥିଲା । ଯାହା ନିବେଶଙ୍କ ମଧ୍ୟରେ ନିରାଶ ଭରି ଦେଇଥିଲା । ଏହି କାରଣରୁ ରିଲାଏନ୍ସ କମ୍ପାନୀର ସାୟାରରେ ଲାଭ ବୁକିଂ ଆରମ୍ଭ ହୋଇଯାଇଥିଲା । ପ୍ରାୟ ୨୫ ମିନିଟ ମଧ୍ୟରେ କମ୍ପାନୀର ସେୟାର ୩.୭୫ ପ୍ରତିଶତ ତଳକୁ ଖସିବା ସହ ୧୩୫୦.୩୦ ଟଙ୍କାରେ କାରବାର କରିବାକୁ ଲାଗିଲା । ଅପରାହ୍ନ ୩ଟା ୫ ମିନିଟରେ କମ୍ପାନୀର ସେୟାର ୧.୯୦ ପ୍ରତିଶତ ହ୍ରାସ ସହ ୧୩୬୧.୩୦ ଟଙ୍କାରେ କାରବାର କରୁଛି । ଦିନକ ପୂର୍ବରୁ କମ୍ପାନୀର ସେୟାର ୧୩୮୭.୬୫ ଟଙ୍କାରେ ବନ୍ଦ ହୋଇଥିଲା । ଶୁକ୍ରବାର ସାମାନ୍ୟ ହ୍ରାସ ସହ ୧୩୮୪.୨୦ ଯଙ୍କାରୁ ଆରମ୍ଭ ହୋଇଥିଲା ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ମାତ୍ର ୨୫ ମିନିଟରେ କମ୍ପାନୀକୁ ୭୧ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଗଲା । ସଂଖ୍ୟାକୁ ଦେଖିଲେ କମ୍ପାନୀର ସେୟାର ଦିନର ସର୍ବଶ୍ରେଷ୍ଠ ସ୍ତରରେ ପହଞ୍ଚି ଯିବା ସହ ମାର୍କେଟ କ୍ୟାପ ୧୮,୯୭,୮୩୭.୪୭ କୋଟି ଟଙ୍କା ଥିଲା । କମ୍ପାନୀର ସେୟାର ହ୍ରାସ ପାଇବା ସହ କାର୍ମେଟ କ୍ୟାପ ୧୮,୨୬,୫୫୦.୨୦ କୋଟି ଟଙ୍କାକୁ ଖସି ଆସିଛି । ଏହାର ଅର୍ଥ କମ୍ପାନୀର କାର୍ମେଟ କ୍ୟାପକୁ ୭୧,୨୮୭.୨୭ ଟଙ୍କାର କ୍ଷତି ଘଟିଛି ।

ଅର୍ଥନୀତି ବିଶେଷଜ୍ଞଙ୍କ ଅନୁସାରେ, ମୁକେଶ ଅମ୍ବାନୀ ଜିଓର ଆଇପିଓ ଘୋଷଣା କଲେ ସତ ହେଲେ ଏହା ଆସନ୍ତା ବର୍ଷ ମଧ୍ୟ ଭାଗରେ ଲାଗୁ ହେବ । ହେଲେ ନିବେଶକ ଆଶା କରୁଥିଲେ ଦୀପାବଳି ପାଖାପାଖିରେ ଆଇପିଓ ଆସିଯିବ । ଏହି କାରଣରୁ ରିଲାଏନ୍ସ କମ୍ପାନୀ ସେୟାରରେ ଲାଭ ବୁକିଂ ଦେଖିବାକୁ ମିଳିଥିଲା ।

ମହୁଆ ମୋଇତ୍ରାଙ୍କ ବିବାଦୀୟ ବୟାନ: ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲରେ ରଖିଦେବା ଦରକାର

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିବାଦୀୟ ବୟାନ । ଅନୁପ୍ରବେଶକାରୀକୁ ନେଇ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖି ଦେବାକୁ କହିଛନ୍ତି ମହୁଆ । ପଣ୍ଚିମବଙ୍ଗରେ ବେଆଇନ ଅନୁପ୍ରବେଶକୁ ନେଇ କାର୍ଯ୍ୟାନୁଷ୍ଠାନକୁ ନେଇ ଏପରି ଆପତ୍ତିଜନକ ବୟାନ ଦେଇଛନ୍ତି ମହୁଆ । ନିଜ ଭାଷଣରେ ମହୁଆ ଦର୍ଶାଇଛନ୍ତି ଯେ, ବେଆଇନ ଅନୁପ୍ରବେଶ ପାଇଁ କେନ୍ଦ୍ର ସରକାରଙ୍କ ଏବଂ ତାଙ୍କ ଏଜେନ୍ସି ସମ୍ପୂର୍ଣ୍ଣ ଭାବେ ଦାୟୀ ।

‘ମୁଣ୍ଡ କାଟି ଟେବୁଲରେ ରଖି ଦିଅ’

ସେ କହିଛନ୍ତି, ମୁଁ ପଚାରିବାକୁ ଚାହେଁ, ସେ (ଅମିତ ଶାହ) କେବଳ ଅନୁପ୍ରବେଶ ଅନୁପ୍ରବେଶ ଚିଲ୍ଲାଉଛନ୍ତି । ସୀମା ସୁରକ୍ଷାରେ ଥିବା ଏଜେନ୍ସ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଆସୁଛି । ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଅଗଷ୍ଟ ୧୫ ତାରିଖରେ କହିଥିଲେ ଅନୁପ୍ରବେଶ ହେଉଛି ଓ ଏହି କାରଣରୁ ଜନସଂଖ୍ୟାରେ ପରିବର୍ତ୍ତନ ଘଟୁଛି । ପ୍ରଧାନମନ୍ତ୍ରୀ ଏ କଥା କହୁଥିବା ବେଳେ ପ୍ରଥମ ଧାଡିରେ ବସିଥିବା ଅମିତ ଶାହ ତାଳି ବଜାଉଥିଲେ ।

ଆଗକୁ ସେ କହିଛନ୍ତି, ଯଦି ଭାରତର ସୀମାକୁ ସୁରକ୍ଷା ଦେବାକୁ କେହି ନାହାନ୍ତି । ଯଦି ଅନ୍ୟ ଦେଶର ଲୋକେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଅନୁପ୍ରବେଶ କରି ଆମ ମାଆ ଓ ଭଉଣୀଙ୍କ ଉପରେ ନଜର ପକାଉଛନ୍ତି, ଆମ ଜମି ହଡପ କରୁଛନ୍ତି, ତେବେ ପ୍ରଥମେ ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖିଦେବା କଥା

ବିଏସଏଫକୁ ବି ଟାର୍ଗେଟ

ମୋଦି ସରକାର ଭାରତରେ ଅବୈଧ ଭାବେ ରହୁଥିବା ରୋହିଙ୍ଗିଆ ଓ ବାଂଲାଦେଶୀଙ୍କୁ ବାହାର କରିବାକୁ ଅପରେଶନ ପୁଶବ୍ୟାକ ଆରମ୍ଭ କରିଥିବା ବେଳେ ମହୁଆଙ୍କ ଏପରି ବିବାଦୀୟ ବୟାନ ଆସିଛି । ସେତିକି ନୁହେଁ, ମହୁଆ ସୀମା ସୁରକ୍ଷା ବଳ (ବିଏସଏଫ)କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ବିଏସଏଫ ଏଠାରେ ଅଛନ୍ତି, ହେଲେ ସେମାନେ କ’ଣ କରୁଛନ୍ତି । ମୂଳ ଭାରତୀୟ ବିଏସଏଫକୁ ଡରୁଛନ୍ତି । ଏଠି ପଶ୍ଚିମବଙ୍ଗରେ ଆମକୁ କୌଣସି ଅନୁପ୍ରବେଶ ଦେଖାଯାଉନି । ତାଙ୍କ ବୟାନରୁ ଜଣାପଡୁଛି, ସୀମା ସୁରକ୍ଷାରେ ନିୟୋଜିତ ବିଏସଏଫର ଭୁମିକା ପଶ୍ଚିମବଙ୍ଗର ସ୍ଥାନୀୟ ଲୋକଙ୍କ ବାସ୍ତବତା ସହ ମେଳ ଖାଉନି । ଅନ୍ୟପକ୍ଷେ, ମହୁଆ ମୋଇତ୍ରାଙ୍କ ବୟାନକୁ ନେଇ ବିଜେପିର ଜଣେ କର୍ମକର୍ତ୍ତା ସନ୍ଦୀପ ମଜୁମଦାର ନଦିଆର କୋତବାଲି ଥାନାରେ ଏତଲା ଦେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦେବାକୁ ଦାବି କରିଛନ୍ତି ।

ରାହୁଲଙ୍କୁ ଶାହଙ୍କ ଟାର୍ଗେଟ

ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଆସାମ ଗସ୍ତରେ ଯାଇଛନ୍ତି । ଶକ୍ରବାର ଗୌହାଟୀ ରାଜଭବନରେ ନବନିର୍ମିତ ବ୍ରହ୍ମପୁତ୍ର  ୟୁନିଟର ଉଦଘାଟନ କରିଛନ୍ତି । ଏହି ସମୟରେ ଭାଷଣରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଶାହ ଟାର୍ଗେଟ କରିଛନ୍ତି । ସେ କହିଛନ୍ତିଳ ରାହୁଲ ଗାନ୍ଧି ନକରାତ୍ମକ ରାଜନୀତି ଆରମ୍ଭ କରି ଦେଇଛନ୍ତି । ସେ ଅନୁପ୍ରବେଶକାରୀଙ୍କୁ ବଞ୍ଚାଇବାକୁ ଯାତ୍ରା ଆରମ୍ଭ କରିଛନ୍ତି । ଭୋଟର ତାଲିକାରେ ଅନୁପ୍ରବେଶକାରୀ ସାମିଲ ହୋଇ ନିର୍ବାଚନକୁ ପ୍ରଭାବିତ କରୁଛନ୍ତି । ରାହୁଲ ଗାନ୍ଧିଙ୍କ ସାମାନ୍ୟତମ ଲଜ୍ଜା ଥିଲେ ପ୍ରଧାନମନ୍ତ୍ରୀ ଏବଂ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ।

ବିହାର ପାଟନାରେ କଂଗ୍ରେସ ଓ ବିଜେପି କର୍ମୀ ହାତାହାତି

ନନ୍ଦିଘୋଷ ବ୍ୟରୋ : ବିହାର ପାଟନାରେ କଂଗ୍ରେସ ଓ ବିଜେପି କର୍ମୀ ହାତାହାତି। ପ୍ରଧାନମନ୍ତ୍ରୀଙ୍କୁ ନେଇ ଅସମ୍ମାନଜନକ ଟିପ୍ପଣୀର ପ୍ରତିବାଦରେ ତାତିଲେ ବିଜେପି କର୍ମୀ। ପାଟନାରେ କଂଗ୍ରେସ କାର୍ଯ୍ୟାଳୟରେ ବିଜେପି କର୍ମୀ ହଙ୍ଗାମା କରିଛନ୍ତି। ବିଜେପି କର୍ମୀ କଂଗ୍ରେସ କାର୍ଯ୍ୟାଳୟକୁ ପଶିବାକୁ ଉଦ୍ୟମ କରିଥିଲେ। ଗେଟ ଭାଂଗି ଭିତରକୁ ପଶିବାକୁ ଉଦ୍ୟମ ବେଳେ ଧସ୍ତାଧସ୍ତି ହୋଇଥିଲା। କଂଗ୍ରେସ ଅଫିସ ପରିସରକୁ ପଶି ଲୋକଙ୍କୁ ପିଟିଥିଲେ ବିଜେପି କର୍ମୀ । ଅଫିସରେ ପାର୍କିଂ ହୋଇଥିବା ଅନେକ ଗାଡ଼ି ଭଂଗାରୁଜା। ଇଟା ପଥର ଫିଙ୍ଗା ଫୋପଡ଼ା କରିଥିବା ଅଭିଯୋଗ ହୋଇଛି। କଂଗ୍ରେସ କାର୍ଯ୍ୟାଳୟ ବାହାରେ ବିଜେପି କର୍ମୀ ପ୍ରତିବାଦ କରିଥିଲେ। ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଲାଠିଚାର୍ଜ କରିଥିଲା।

ପୁଣି ଉତ୍ତରାଖଣ୍ଡରେ ପ୍ରକୃତି ତାଣ୍ଡବ: ରୁଦ୍ରପ୍ରୟାଗ ଏବଂ ଚମୋଲୀରେ ବଦଲଫଟା ବର୍ଷା

ନନ୍ଦିଘୋଷ ବ୍ୟୁରୋ : ଉତ୍ତରାଖଣ୍ଡ ଚାମୋଲିରେ ପୁଣି ବାଦଲଫଟା ବର୍ଷା। ଚାମୋଲି ଓ ରୁଦ୍ରପ୍ରାୟାଗ ଜିଲ୍ଲାରେ ବାଦଲଫଟା ବର୍ଷାରେ ୮ ଜଣ ନିଖୋଜ ହୋଇଯାଇଥିବା ସୂଚନା। ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଏବଂ ଚାମୋଲି ଜିଲ୍ଲାରେ ବାଦଲ ଫାଟିବାରୁ ବନ୍ୟା ଆସି ବ୍ୟାପକ କ୍ଷତି ଘଟିଛି। ଘର ଏବଂ ପୋଲ ଭାଙ୍ଗିଯାଇଅଛି। ମାଟି ଅତଡ଼ା ଓ ଭଗ୍ନାବଶେଷ ତଳେ ଅନେକ ଫସି ରହିଥିବା ସନ୍ଦେହ କରାଯାଉଛି। ଅନେକ ଗୃହପାଳିତ ପଶୁ ମଧ୍ୟ ପୋତି ହୋଇ ରହିଛନ୍ତି। ଭଗ୍ନାବଶେଷ ତଳେ ଫସି ଅନେକ ଆହତ ହୋଇଛନ୍ତି। ରୁଦ୍ରପ୍ରୟାଗ ଜିଲ୍ଲାରେ ୬ ଜଣ ନିଖୋଜ ହୋଇଛନ୍ତି। ଅଳକନନ୍ଦା ଏବଂ ମନ୍ଦାକିନୀ ନଦୀର ସଙ୍ଗମସ୍ଥଳରେ ଜଳସ୍ତର ଲଗାତର ବୃଦ୍ଧି ପାଉଛି। କେଦାରନାଥ ଉପତ୍ୟକାର ଲାୱାରା ଗାଁରେ ପ୍ରବଳ ସ୍ରୋତରେ ମୋଟର ରୋଡରେ ଥିବା ଏକ ପୋଲ ଭାସିଯାଇଛି। ଚେନାଗଡରେ ମଧ୍ୟ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି।ନଦୀ ଜଳ ଜନବସତି ଅଞ୍ଚଳରେ ପ୍ରବେଶ କରିଛି। ଯାହା ଫଳରେ ପ୍ରଶାସନ ପ୍ରଭାବିତ ଘରଗୁଡ଼ିକୁ ଖାଲି କରିବାକୁ ବାଧ୍ୟ ହୋଇଛି। ରୁଦ୍ରପ୍ରୟାଗରେ ଥିବା ହନୁମାନ ମନ୍ଦିର ବୁଡ଼ି ଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି।

ଆଜିଠାରୁ ଓଡ଼ିଶାରେ ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ସମ୍ମିଳନୀର ଉଦଘାଟନ କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା। ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହୋଇଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, ୫ ଜଣ ସଦସ୍ୟ ଏବଂ ୫ ଜଣ ବିଧାୟକ ଯୋଗ ଦେଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ସଦସ୍ୟ ମଧ୍ୟ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସାରା ଦେଶରୁ ୩୯୫ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। ସମ୍ମିଳନୀର ବିଷୟବସ୍ତୁ ହେଉଛି ଆଦିବାସୀ ବିକାଶରେ ସଂସଦୀୟ କମିଟିର ଭୂମିକା। ଦୁଇ ଦିନ ଧରି ଲୋକସେବା ଭବନ କନଭେନସନରେ ଏହି ସମ୍ମିଳନୀ ଚାଲିବ। ସାମ୍ବିଧାନିକ ସୁରକ୍ଷା ଓ ଆଦିବାସୀ ବିକାଶ ନେଇ ବିଭିନ୍ନ ରାଜ୍ୟ ନେଇଥିବା ପଦକ୍ଷେପକୁ ଏହି ସମ୍ମିଳନୀରେ ଉପସ୍ଥାପନ କରାଯିବ। ୩୧ ବର୍ଷ ପରେ ଏହା ଓଡ଼ିଶାରେ ଆୟୋଜନ କରାଯାଉଛି। ଓଡ଼ିଶାର ହସ୍ତଶିଳ୍ପ, କାରିଗରୀ, ସଂସ୍କୃତି ଓ କଳାକୁ ନେଇ ଏକ ପ୍ରଦର୍ଶନୀ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ।

ଶିକ୍ଷକଙ୍କ ନାଁରେ କଳଙ୍କ ! ଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ। ସୁନ୍ଦରଗଡ଼ ବଣାଇଁ ଅଞ୍ଚଳର ଏକ ବିଦ୍ୟଳୟରେ ଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ୭ ଜଣ ଛାତ୍ରୀ ଆଣିଛନ୍ତି ଏ ଅଭିଯୋଗ। ଛାତ୍ରୀଙ୍କ ଅଭିଯୋଗକୁ ଆଧାର କରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଗୁରୁଣ୍ଡିଆ ଥାନାରେ ଏତଲା ଦିଆଯାଇଛି। ଅଭିଯୁକ୍ତ ଶିକ୍ଷକ ଛୁଟି ଦରଖାସ୍ତ ଦେଇ ଫେରାର ହୋଇଯାଇଛନ୍ତି। ଗୁରୁଣ୍ଡିଆ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଶିକ୍ଷକ ଜଣକ ଛୁଟିରେ ଥିବାରୁ ତଦନ୍ତରେ ବିଳମ୍ବ ହେଉଛି।

୫ ଦିନିଆ ଜାପାନ ଓ ଚୀନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନନ୍ଦିଘୋଷ ବ୍ୟୁରୋ : ୫ ଦିନିଆ ଜାପାନ ଓ ଚୀନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ସହ ଭାରତର ସମ୍ପର୍କକୁ ଆହୁରି ମଜଭୁତ କରିବା। ଆମେରିକାର ଶୁଳ୍କ ବିବାଦ ମଧ୍ୟରେ ହେଉଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଜାପାନ ଗସ୍ତ ପରେ ଚୀନ ଯିବେ। ସେଠାରେ ମୋଦି ସାଂଘାଇ ସହଯୋଗ ସଂଗଠନ SCO ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମୟରେ ସେ ଅନେକ ଦେଶର ମୁଖ୍ୟଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ବିଶେଷ ରଣନୀତି ଏବଂ ବିଶ୍ୱ ସହଭାଗିତାକୁ ଏକ ନୂତନ ଦିଗ ଦେବା ଉପରେ ଗୁରୁତ୍ଵାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ।

ଅର୍ଥନୈତିକ ଏବଂ ନିବେଶ ପ୍ରସଙ୍ଗ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସେମିକଣ୍ଡକ୍ଟର ସମେତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବ ଭାରତ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ପରମ୍ପରା, ସଭ୍ୟତାଗତ ବନ୍ଧନ ଏବଂ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବାର ଏକ ସୁଯୋଗ ମଧ୍ୟ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। SCO ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ସି ଜିନପିଙ୍ଗ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଅନ୍ୟ ନେତାମାନଙ୍କୁ ଭେଟିବାକୁ ମଧ୍ୟ ଅପେକ୍ଷା କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଜାପାନ ଏବଂ ଚୀନର ଏହି ଗସ୍ତ ଭାରତର ଜାତୀୟ ସ୍ୱାର୍ଥ ଏବଂ ପ୍ରାଥମିକତାକୁ ଆହୁରି ମଜଭୁତ କରିବ। ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି, ସୁରକ୍ଷା ଏବଂ ସ୍ଥାୟୀ ବିକାଶକୁ ଆଗକୁ ବଢ଼ାଇବାରେ ସହଯୋଗ କରିବ ବୋଲି କହିଛନ୍ତି ପିଏମ ମୋଦି।

ରାଜଧାନୀରେ ଜଳିଗଲେ ଆଇନଜୀବୀ, ମାନସିକ ଅବସାଦରୁ ପଦକ୍ଷେପ ନେଇ ଥିବା ସନ୍ଦେହ

ନନ୍ଦିଘୋଷ ବ୍ୟୁରାେ : ରାଜଧାନୀରେ ଆଇନଜୀବୀଙ୍କ ଆତ୍ମଦାହ। ଗତକାଲି ବିଳମ୍ବିତ ରାତିରେ ପାଣ୍ଡରାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଦେହରେ ନିଆଁ ଲାଗିବା ଦ୍ୱାରା ଜଳି ଯାଇଛନ୍ତି ଯୁବ ଆଇନଜୀବୀ ଦୀପକ ସାହୁ। ଦୀପକଙ୍କ ବୟସ ପାଖାପାଖି ୪୬ ବର୍ଷ। ସିଭିଲ ଲୟର ହିସାବରେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ। ପରିବାର ସହ ପାଣ୍ଡରାରେ ରହୁଥିଲେ। ଗତକାଲି ରାତିରେ ଛାତ ଉପରକୁ ଯିବାକୁ କହି ଦେହରେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ମଞ୍ଚେଶ୍ୱର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଥିଲା। ଆମ୍ବୁଲାନ୍ସ ଯୋଗେ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଁଚି କିଛି ସଙ୍ଗୀନ ତଥ୍ୟ ହାସଲ କରିଛି। ଦୀପକ ପୂର୍ବରୁ ମେଣ୍ଟାଲ ଡିପ୍ରେସନରେ ଥିଲେ। ଦୁଇଥର ହସ୍ପିଟାଲରେ ଆଡ଼ମିଟ ହୋଇ ମେଡ଼ିସିନ ଖାଉଥିଲେ। କିନ୍ତୁ ଗତ ୧୫ ଦିନ ହେବ ମେଡ଼ିସିନ ବନ୍ଦ କରି ମାନସିକ ଭାବେ ଚାପଗସ୍ତ ଥିବା କହିଛନ୍ତି ଜୋନ୍ ଏସିପି। କ୍ରାଇମ ସ୍ପଟ ନିକଟରୁ ଏକ ପ୍ଲାଷ୍ଟିକ ବୋତଲ ମିଳିଛି। ଏଣୁ ପ୍ଲାଷ୍ଟିକ ବୋତଲରେ ଥିବା ପେଟ୍ରୋଲ କିମ୍ୱା କିରାସିନି ସାହାଯ୍ୟରେ ସେ ଆତ୍ମଦାହ କରିଥିବା ଜଣାପଡ଼ିଛି।

ଋଣରେ ବୁଡ଼ି ରହିଛି ପାକିସ୍ତାନ, ADBକୁ କାହିଁକି ମାଗୁଛି ୭ ବିଲିୟନ ଡଲାର ଋଣ ?

ନନ୍ଦିଘୋଷ ବ୍ୟୁରାେ : ଋଣରେ ବୁଡ଼ି ରହିଛି ପଡ଼ୋଶୀ ଦେଶ ପାକିସ୍ତାନ । ଗୁରୁବାର ଦିନ ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଏବେ ଏସୀୟ ବିକାଶ ବ୍ୟାଙ୍କଠାରୁ ୭ ବିଲିୟନ ଆମେରିକୀୟ ଡଲାରର ଋଣ ମାଗିଛି। ଏକ ପ୍ରମୁଖ ରେଳ ଲାଇନକୁ ଉନ୍ନତ କରିବା ପାଇଁ ଦେଶ ଏହି ଋଣ ଚାହୁଁଛି। ଏଥିପାଇଁ ପାକିସ୍ତାନ ମଧ୍ୟ ଚୀନ୍ ଠାରୁ ସାହାଯ୍ୟ ମାଗିଥିଲା, କିନ୍ତୁ ଚୀନ୍ ଏହି ପ୍ରକଳ୍ପକୁ ସମର୍ଥନ କରିବାକୁ ମନା କରିଦେଇଛି ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ପାଣ୍ଠି ଅଭାବରୁ ପେଶାୱର ଏବଂ କରାଚୀ ମଧ୍ୟରେ ମେନଲାଇନ୍-୧ (ML-I) ରେଳପଥର ବିକାଶ ଅଟକି ରହିଛି। ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ଚୀନ୍ ତା’ର ୮୫ ପ୍ରତିଶତ ଆର୍ଥିକ ସହାୟତା ସମାପ୍ତ କରିବାକୁ ଅପେକ୍ଷା କରିଥିଲା। କିନ୍ତୁ ଚୀନ୍ ଏହି ପ୍ରକଳ୍ପକୁ ସମର୍ଥନ କରିବାକୁ ମନା କରିବା ପରେ, ପାକିସ୍ତାନ ଏବେ ADB ଆଡ଼କୁ ମୁହାଁଇଛି। ପାକିସ୍ତାନ ଅନ୍ୟ ଅନ୍ତର୍ଜାତୀୟ ବ୍ୟାଙ୍କଗୁଡ଼ିକ ସହିତ ML-I ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ବ୍ୟାଙ୍କକୁ ଅନୁରୋଧ କରିଛି। ତଥାପି ADB, ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ (AIIB) ସହିତ, କରାଚୀ-ରୋହରୀ ସେକ୍ସନ ପାଇଁ ପ୍ରାୟ ୬୦% ପାଣ୍ଠି ଯୋଗାଇବାକୁ ପ୍ରସ୍ତୁତ ଅଛି ବୋଲି କୁହାଯାଉଛି।

ପାକିସ୍ତାନ ADB ଠାରୁ ସାହାଯ୍ୟ ଲୋଡିଲା

ବୁଧବାର ଇସଲାମାବାଦରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବଙ୍କ ମଧ୍ୟରେ ADB ସଭାପତି ମାସାଟୋ କାଣ୍ଡାଙ୍କ ସହ ଏକ ବୈଠକରେ ପାକିସ୍ତାନ ADB, AIIB ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରତିଷ୍ଠାନରୁ ପୂର୍ଣ୍ଣ ପାଣ୍ଠି ପ୍ରଦାନ ପ୍ରସଙ୍ଗ ଉଠାଇଥିଲା। ପ୍ରକୃତ ପାଣ୍ଠିର ଆବଶ୍ୟକତା ପାଇଁ ADB କରାଚୀ-ରୋହରୀ ସେକ୍ସନ ପାଇଁ ଡିଜାଇନ୍ ଡକ୍ୟୁମେଣ୍ଟ୍ ମାଗିଛି। ସୂତ୍ର ଅନୁଯାୟୀ ADB ଏହି ସେକ୍ସନ ପାଇଁ ପ୍ରାୟ ୧.୨ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୬୦% ପାଣ୍ଠି) ଯୋଗାଇବା ପାଇଁ AIIB ସହିତ ସହଭାଗୀ ହୋଇପାରେ। ପ୍ରକୃତ ଖର୍ଚ୍ଚ ନିର୍ଣ୍ଣୟ କରିବା ପାଇଁ ଯୋଜନା କମିଶନ ଏହି ସପ୍ତାହରେ ସଂଶୋଧିତ ପ୍ରକଳ୍ପ ମୂଲ୍ୟର ବିବରଣୀ ପାଇବାର ଆଶା କରାଯାଉଛି।