spot_img
Home Blog Page 428

ବିଶ୍ୱ ମାନଚିତ୍ରରୁ ପାକିସ୍ତାନକୁ ଲିଭେଇ ଦିଆଯିବ : ଭାରତର ଚେତାବନୀ ଶୁଣି ପାକିସ୍ତାନର ନିଦ ହଜିଲା

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ  ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଅନୁପଗଡ଼ରେ ପାକିସ୍ତାନ ସୀମା ନିକଟରେ ସୈନିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଯଦି ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନ କରେ, ତେବେ ଏହାକୁ ବିଶ୍ୱ ମାନଚିତ୍ରରୁ ଲିଭେଇ ଦିଆଯିବ । ସେ ଚେତାବନୀ ଦେଇଛନ୍ତି ଯେ ଭାରତ ଆଉ ପୂର୍ବ ପରି ସଂଯମ ନୀତି ଗ୍ରହଣ କରିବ ନାହିଁ  ।   ଯେକୌଣସି ଆକ୍ରମଣର ତୁରନ୍ତ ଜବାବ ଦିଆଯିବ ।

୧୦୦ ରୁ ଅଧିକ ପାକିସ୍ତାନୀ ସୈନିକ ଏବଂ ଅନେକ ଆତଙ୍କବାଦୀ ନିହତ

ସେନା ମୁଖ୍ୟ ପ୍ରକାଶ କରିଛନ୍ତି ଯେ  ଅପରେସନ ସିନ୍ଦୂରରେ ପାକିସ୍ତାନରେ ଥିବା ନଅଟି ଆତଙ୍କବାଦୀ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଛି। ଏହି ଆଡ୍ଡାଗୁଡ଼ିକରେ ତାଲିମ ଶିବିର, ଅସ୍ତ୍ରଶସ୍ତ୍ର ଯୋଗାଣ ନେଟୱାର୍କ ଏବଂ ମାଷ୍ଟରମାଇଣ୍ଡ ରହିଥିଲେ। ସେ କହିଛନ୍ତି ଯେ ଏହି ଅପରେସନରେ ୧୦୦ ରୁ ଅଧିକ ପାକିସ୍ତାନୀ ସୈନିକ ଏବଂ ବହୁ ସଂଖ୍ୟକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଭାରତ ଏହାର ଆକ୍ରମଣରେ ସର୍ବାଧିକ ସଠିକତା ଅବଲମ୍ବନ କରିଛି ଏବଂ କୌଣସି ସାଧାରଣ ନାଗରିକଙ୍କ କ୍ଷତି ନହେବା ନିଶ୍ଚିତ କରିଛି। ସେ କହିଛନ୍ତି, “ଭାରତ କେବଳ ଆତଙ୍କବାଦୀ ଆଡ୍ଡା ଏବଂ ସେମାନଙ୍କର ମାଷ୍ଟରମାଇଣ୍ଡମାନଙ୍କୁ ଟାର୍ଗେଟ କରିଛି,  ।

ଜେନେରାଲ ଦ୍ୱିବେଦୀ ସୈନିକମାନଙ୍କୁ ସର୍ବଦା ସତର୍କ ଏବଂ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, “ଆପଣମାନଙ୍କର ପ୍ରସ୍ତୁତି ସମ୍ପୂର୍ଣ୍ଣ ରଖନ୍ତୁ… ଯଦି ଈଶ୍ୱର ଚାହାଁନ୍ତି, ତେବେ ସୁଯୋଗ ଶୀଘ୍ର ଆସିବ।” ସେ ସାମରିକ ଆଧୁନିକୀକରଣ ଏବଂ ପ୍ରଯୁକ୍ତିବିଦ୍ୟା ଉନ୍ନତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଭବିଷ୍ୟତର ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଭାରତୀୟ ସେନା ଦ୍ରୁତ ଗତିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ମାନବହୀନ ବାୟୁ ପ୍ରଣାଳୀ (UAV) ଏବଂ ଡ୍ରୋନ୍ ପ୍ରତିରୋଧୀ କ୍ଷମତା ଗ୍ରହଣ କରୁଛି।

ତିନି ଜଣ ସାହସୀ ସୈନିକଙ୍କୁ ସମ୍ମାନିତ କରାଯାଇଥିଲା

ଏହି ଅବସରରେ, ସେନା ମୁଖ୍ୟ ଅପରେସନ ସିନ୍ଦୂରରେ ଉଲ୍ଲେଖନୀୟ ଅବଦାନ ପାଇଁ ତିନି ଜଣ ସାହସୀ ସୈନିକ – କମାଣ୍ଡାଣ୍ଟ ପ୍ରଭାକର ସିଂହ, ମେଜର ରିତେଶ କୁମାର ଏବଂ ହାବିଲଦାର ମୋହିତ ଗେରାଙ୍କୁ ସମ୍ମାନିତ କରିଥିଲେ। ସେ ବିକାନେର ସାମରିକ ଷ୍ଟେସନ ଏବଂ ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ। ସୀମାନ୍ତ ଗ୍ରାମଗୁଡ଼ିକର ଲୋକଙ୍କ ସହିତ ସାକ୍ଷାତ କରି ସେ କହିଥିଲେ, “ତୁମେ ସାଧାରଣ ନାଗରିକ ନୁହଁ, ବରଂ ଦେଶର ସୁରକ୍ଷାରେ ସମାନ ଭାଗୀଦାର ସୈନିକ।”

 

ଭାସି ଆସିଲେ ପୁଳା ପୁଳା ଜେଲି ଫିସ…

ନନ୍ଦିଘୋଷ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୂଳ କେଳୁଣୀ ମୁହାଣ ଓ କୋଣାର୍କ ଚନ୍ଦ୍ରଭାଗାରେ ଭାସୁଛି ମୃତ ଵଟମ ଜେଲି ଫିସ । ଆଜକୁ ପ୍ରାୟ ଦୁଇ ଦିନ ହେଲାଣି ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ସମୁଦ୍ର ସ୍ନାନ କରୁଥିବା ପର୍ଯ୍ୟଟକଙ୍କ ଦେହରେ ଏ ମୃତ ଜେଲି ଫିସ ଲାଳ ବାଜିଲେ କୁଣ୍ଡେଇ ହୋଇ ଯାଦୁ ଭଳି ଫଳିଯାଉଛି। ଜେଲି ଫିସ ଭୟରେ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ଡରିଲେଣି। ଉଭୟ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀ ସମସ୍ତଙ୍କ ମୁହଁରେ ସମାନ ପ୍ରଶ୍ନ । ଏମାନେ କେଉଁ ପ୍ରଜାତିର, କେତେ ବିଷାକ୍ତ ? ସ୍ଥାନୀୟ ସମାଜ ସେବୀ କହିବା ଅନୁସାରେ ନିକଟରେ ବଙ୍ଗୋପସାଗର ସୃଷ୍ଟି ଲଘୁଚାପ ପ୍ରଭାଵରେ ବନ୍ୟା ଜଳ ପାଇଁ ଜେଲିଫିସ ମୃତ ହେବା ଅନୁମାନ କରିଛନ୍ତି । ଏ ପ୍ରକାର ଜେଲିଫିସି ସାଧାରଣ ଗଭୀର ସମୁଦ୍ରରେ ଦଳ ଦଳ ହୋଇ ଵାସ କରନ୍ତି ଓ ଅତି ମନ୍ଥର ବେଗରେ ଗତି କରନ୍ତି। ଯେହେତୁ ସମୁଦ୍ରରେ ବଡ଼ ଢେଉ ହୋଇଥିଲା ତେଣୁ ଶକ୍ତିଶାଳୀ ଜୁଆରମାଡ଼ରେ ଘାଇଲା ହୋଇ ମୃତ ଅବସ୍ଥାରେ କୂଳକୁ ଭାସି ଆସିଛନ୍ତି। ପୂର୍ବରୁ ଫନି,ଏୟାସ, ହୁଡୁହୁଡୁ, ତିତିଲି ବାତ୍ୟା ସମୟରେ ବି ବିଭିନ୍ନ ସମୁଦ୍ର କୂଳରେ ମୃତ ଜେଲିଫିସି ଦେଖିବାକୁ ମିଳିଥିଲା।

ବିହାର ପାଟନାରେ ନିର୍ବାଚନ କମିଶନଙ୍କ ଟିମ୍ : ସବୁ ରାଜନୈତିକ ଦଳ ସହିତ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : ବିହାର ପାଟନାରେ ନିର୍ବାଚନ କମିଶନଙ୍କ ଟିମ୍ । ନିଜେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ପାଟନାରେ ପହଞ୍ଚିଛନ୍ତି। ବିହାର ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ଜ୍ଞାନେଶ କୁମାର। ତାଙ୍କ ସହିତ ଅନ୍ୟ ଦୁଇ  ନିର୍ବାଚନ କମିଶନର ସୁଖବୀର ସିଂହ ଓ ବିବେକ ଯୋଶୀ ବି ଅଛନ୍ତି। ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟିବେ ନିର୍ବାଚନ କମିଶନ। ସମସ୍ତଙ୍କ ମତାମତ ନେବେ, ଆପତ୍ତି ଅଭିଯୋଗ ଶୁଣିବେ। ଏହା ପରେ ପ୍ରାଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ଏହି ସମୟରେ ରାଜ୍ୟର ପ୍ରାଶାସନିକ ଓ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରାଯିବ। ସମସ୍ତ ଆରଡିସି, ପୋଲିସ ଆଇଜି, ଡିଆଇଜି, ଜିଲ୍ଲାପାଳ, ଏସପିଙ୍କୁ ଭେଟିବେ। ଏହା ପରେ ଆସନ୍ତାକାଲି ନିର୍ବାଚନ କମିଶନଙ୍କ ଟିମ୍ ବିଭିନ୍ନ ସଂସ୍ଥାର ନୋଡାଲ ଅଫିସରଙ୍କୁ ଭେଟିବେ। କେମିତି ମୁକ୍ତ ଓ ଅବାଧ ନିର୍ବାଚନ ହେବ, ବାହୁ ଓ ଅର୍ଥ ବଳ ପ୍ରୟୋଗ ନ ହେବ, ମଦ ଓ ଅନ୍ୟ ମାଦକ ଦ୍ରବ୍ୟ କାରବାର କମିବ ତା ଉପରେ ଆଲୋଚନା କରାଯିବ। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ, କେନ୍ଦ୍ରୀୟ ଫୋର୍ସଙ୍କ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା ହେବ। ତା ପରେ ଶେଷରେ ବିହାରର ମୁଖ୍ୟ ଶାସନ ସଚିବ, ଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ  ଭେଟିବେ ନିର୍ବାଚନ କମିଶନ। କେମିତି ସୁରୁଖୁରୁରେ ନିର୍ବାଚନ କରାଯିବ, ତାହା ହେଉଛି ଫୋକସ୍। ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତାକାଲି ଅପରାହ୍ନ ୨ଟାରେ ନିର୍ବାଚନ କମିଶନ ଏକ ପ୍ରେସମିଟ ମଧ୍ୟ କରିବେ ବୋଲି ଜଣାପଡ଼ିଛି।

ଦୁର୍ଗା ଭସାଣ ବେଳେ କଟକରେ ଗଣ୍ଡଗୋଳ : ୬ ଜଣ ଆହତ

ନନ୍ଦିଘୋଷ ବ୍ୟୁରୋ : ମା ଦୁର୍ଗାଙ୍କ ଭସାଣ ବେଳେ କଟକରେ ଗଣ୍ଡଗୋଳ। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଏପରିକି ଡିସିପି ରିଷିକେଶ ଖିଲାରି ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଆଖିପତାରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଝାଞ୍ଜିରିମଙ୍ଗଳା ପୂଜା କମିଟିର ଶୋଭାଯାତ୍ରା ଚାଲିଥିବା ବେଳେ ଦରଘା ବଜାର ଅଞ୍ଚଳର ହାତୀ ପୋଖରୀ ଛକ ନିକଟରେ ଏହି ଗଣ୍ଡଗୋଳ ହୋଇଥିଲା। ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ଓ କାଚ ବୋତଲ ଫିଙ୍ଗିଥିଲେ। ଏଥିରେ ଅନେକ ଆହତ ହୋଇଛନ୍ତି। ପୋଲିସ ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବି ରୋଷର ଶିକାର ହୋଇଥିଲେ। ଏବେ ଗୌରୀ ଶଙ୍କର ପାର୍କରୁ ଦରଘା ବଜାର ଯାଏ ପୋଲିସ ଛାଉଣୀ ରହିଛି। ଏପରିକି କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଥିବା ଜଣାପଡ଼ିଛି। ରାତିର ଗଣ୍ଡଗୋଳ ଯୋଗୁଁ ବିସର୍ଜନ ହୋଇନପାରି ବହୁତ ମେଢ଼ ଅଟକି ରହିଥିଲେ। ଏବେ କଡ଼ା ପୋଲିସ ସୁରକ୍ଷାରେ ସେହି ମେଢ଼ଗୁଡ଼ିକୁ ଦେବୀଗଡ଼ାକୁ ନିଆଯାଉଛି।

 

ତାଣ୍ଡବ ରଚିଛି ଲଘୁଚାପ ଜନିତ ଲଗାଣ ବର୍ଷା

ନନ୍ଦିଘୋଷ ବ୍ୟୁରୋ ; ଲଘୁଚାପ ଜନିତ ବର୍ଷାରୁ ଗଜପତିରେ ବ୍ୟାପକ କ୍ଷୟକ୍ଷତି। ମୋହନା ବନ୍ଧାଗୁଡ଼ା ଅଂଚଳରେ ପାହାଡ ଧସିଯିବାରୁ ୨ ଜଣ ନିଖୋଜ ହୋଇଯାଇଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ମିଳୁନି। ଗୋରୁ ଚରାଇବାକୁ ଯାଇ ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ l ସେହିପରି  ଅଡବା, ମହେନ୍ଦ୍ରଗଡ଼, ଆର. ଉଦୟଗିରି, ନୂଆଗଡ ଓ ରାମଗିରି ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ଘାଟ ଭାଙ୍ଗିବା ସହ କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡିପଡିଛି। ଖଜୁରିପଦା ଠାରୁ ନୂଆଗଡ ରାସ୍ତା ଧୋଇ ହୋଇଯାଇଛି। ଗୁଣପୁର ରାସ୍ତାର ଶିବ ମନ୍ଦିର ନିକଟ ପୋଲର ଆପ୍ରୋଚ ରୋଡ଼ ଓ ରୁବୁଡିସିଂ ଠାରେ ଏକ କଲଭର୍ଟ ଭାସିଯାଇଛି। ଗଜପତି ଜିଲ୍ଲାରେ ବଢୁଛି ମହେନ୍ଦ୍ର ତନୟା ନଦୀ। ବାଗଶାଳା ଗାଁରେ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଛି। ଆର ଉଦୟଗିରି ପଟ୍ଟନାୟକ କଲୋନୀରେ ପାଣି ପଶିଯାଇଥିଲା। ଗାଁ ଦାଣ୍ଡରେ ୫ ଫୁଟର ପାଣି ଜମି ରହିଥିଲା। ଭୟରେ ଏକ କଲ୍ୟାଣ ମଣ୍ଡପରେ ଆଶ୍ରୟ ନେଇଥିଲେ ଲୋକେ ।

କଳାହାଣ୍ଡି କର୍ଲାପାଟ ଅଂଚଳରେ ଦୁଇ ଭାଇ ଭବାନୀପାଟଣା ଯାଉଥିବାବେଳେ ସେମେଲ ପଦର ନାଳରେ ଭାସି ଯାଇଥିଲେ। ସକାଳୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ଲାଗି ରେସକ୍ୟୁ ଅପରେସନ ଜାରି ରହିଛି।ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୩୫୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। କନ୍ଧମାଳ ଦାରିଙ୍ଗବାଡି ବ୍ଲକରେ ଲଗାଣ ବର୍ଷାରୁ ଗୁମାଡ଼ି ନଦୀର ଜଳସ୍ତର ବଢିଛି। ଏକ ଅସ୍ଥାୟୀ ପୋଲ ଭାସି ଯିବାରୁ ୩ ପଞ୍ଚାୟତ ତିଲୋରୀ, ବୁଡ଼ାଗୁଡା ଏବଂ ଗୁମିକିଆବାସିନ୍ଦା ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ।

ଉପରମୁଣ୍ଡରେ ବର୍ଷା ଯୋଗୁଁ ଫୁଲୁଛି ଗଞ୍ଜାମର ଋଷିକୂଲ୍ୟା, ବଡ଼ନଦୀ ଓ ଘୋଡ଼ାହାଡ଼ ନଦୀ। ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି ଓ ପାତ୍ରପୁର ଅଞ୍ଚଳବାସୀ ହନ୍ତସନ୍ତ ହୋଇଛନ୍ତି। ଧରାକୋଟ ଅଂଚଳରେ ଋଷିକୂଲ୍ୟା ପାଣି ଆସି ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇପଡିଛି। ବାଲି ମାଡ଼ି ଯାଇ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ସ୍ଥିତିର ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଶେରଗଡ଼ ବ୍ରହ୍ମାଣଛାୟୀ ଗ୍ରାମର ନଦୀ କୁଳରେ ଥିବା ପରିବା ଫସଲ ନଷ୍ଟ ହୋଇପଡିଛି।

ନୂଆପଡା ଜିଲ୍ଲା ସୁନ୍ଦର ନଦୀରେ ବଢୁଛି ବନ୍ୟାଜଳ। ନଦୀ କୂଳରେ ଥିବା ଚାଷ ଜମି ଜଳମଗ୍ନ ହୋଇପଡ଼ିଛି। ବୋଡ଼େନ ବ୍ଲକ ପଲସଦା ପଞ୍ଚାୟତ ସହ ଖଡିଆଳ ବ୍ଲକର ବିରିଘଟ ତୁକୁଲା ଓ ବଡ଼ ଦୋହେଲ୍ ପଞ୍ଚାୟତରେ ଚାଷୀ ପ୍ରଭାବିତ ହୋଇଛନ୍ତି। ଚାଷ ଜମିରେ ଜମି ରହିଛି ୫ରୁ ୬ଫୁଟ ପାଣି। ବର୍ଷା କମିଥିଲେ ବି ଆନ୍ଧ୍ର ଉପର ମୁଣ୍ଡରେ ଲଗାଣ ବର୍ଷା ଯାଗୁଁ କୋରାପୁଟ  ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ୨ଟି ଜଳଭଣ୍ଡାରରେ ଜଳସ୍ତର ବଢ଼ିଛି। ୨ ଗେଟ ଦେଇ ୧୦ ହଜାର କ୍ୟୁସେକ ପାଣି ନିଷ୍କାସନ କରାଯାଉଛିl। ବାଲେଶ୍ବର ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗାଁରେ ପ୍ରବଳ ବର୍ଷାରୁ ଘର ଭାଙ୍ଗିଯାଇଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ ।

ଏସଆଇ ଚାକିରୀ ସ୍କାମରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ସ୍କାମରେ ସାମନାକୁ ଆସିଛି ନୂଆ ଦିଗ। ସ୍କାମର ମୁଖ୍ୟ ଖଳନାୟକ ହେଉଛନ୍ତି ବ୍ରହ୍ମପୁରର ଶଙ୍କର ପୃଷ୍ଟି। ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ପଞ୍ଚସଫ୍ଟର ମାଲିକ ହେଉଛନ୍ତି ଶଙ୍କର ପୃଷ୍ଟି। ୨୦୨୪ରେ ପୋଲିସ ଏସଆଇ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିବା ପରେ ପ୍ରକ୍ରିୟାର ଦାୟିତ୍ବ ନେଇଥିଲା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ଼ ବା ଓପିଆରବି। ସେତେବେଳେ ଓପିଆରବିର ଅଧ୍ୟକ୍ଷ ଥିଲେ ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ। ପରୀକ୍ଷା ପରିଚାଳନା ପାଇଁ ଓପିଆରବି ଦାୟିତ୍ବ ଦେଇଥିଲା କେନ୍ଦ୍ର ସରକାରଙ୍କ ପିଏସୟୁ ଗୁଜୁରାଟର ଆଇଟିଆଇ ସଂସ୍ଥାକୁ। ଆଇଟିଆଇ ଗୁଜୁରାଟର ଆଉ ଏକ ସଂସ୍ଥା ରିଚ୍ ମାଇନସ ଡ଼ିଜିଟାଲକୁ ଏହି ଦାୟିତ୍ବ ଦେଲା। ହେଲେ ଏପ୍ରିଲ ୨୦୨୫ରେ ଓପିଆରବି ଅଧ୍ୟକ୍ଷ ପଦରୁ ସନ୍ତୋଷ ଉପାଧ୍ୟାୟ ଇସ୍ତଫା ଦେବା ପରେ ସୁଶାନ୍ତ ନାଥ ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳିଲେ। ଏହା ପରେ ବଦଳିଗଲା ଓପିଆରବି ଅଧିନରେ ପୋଲିସ ଏସ୍ଆଇ ପରୀକ୍ଷା ଦାୟିତ୍ବରେ ଥିବା ସଂସ୍ଥା। ଆଇଟିଆଇ ରିଚ୍ ମାଇନସ ଡ଼ିଜିଟାଲ ବଦଳରେ ଭୁବନେଶ୍ବରର ସିଲିକନ ଟେକ ଲାବକୁ ଦେଲା ପରୀକ୍ଷା ପରିଚାଳନା ଦାୟିତ୍ବ। ସିଲିକନ ଟେକଲାବ ନିଜେ ନକରି ପରୀକ୍ଷା ଦାୟିତ୍ବ ସବଲେଟରେ ବ୍ରହ୍ମପୁରର ପଞ୍ଚସଫ୍ଟ ସଂସ୍ଥାକୁ ଦେଲା। ଏହି ସଂସ୍ଥାର ମାଲିକ ହେଉଛନ୍ତି ଶଙ୍କର ପୃଷ୍ଟି। ଶଙ୍କରଙ୍କ ସହ ଶାସକ ଦଳ ନେତା ଓ ସରକାରୀ ବାବୁଙ୍କ ସମ୍ପର୍କ ଥିବାରୁ ଏତେ ବଡ଼ ଦୁର୍ନୀତି ହେଲା ବୋଲି ବିଜେଡ଼ି ଅଭିଯୋଗ କରିଛି। ଏହାର ବିଧିବଦ୍ଧ ତଦନ୍ତ ହେଲେ ସବୁ କିଛି ସାମନାକୁ ଆସିବ ବୋଲି କହିଛନ୍ତି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ। ଇପ୍ସିତାଙ୍କ ଅଭିଯୋଗର ଜବାବ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି । ସେ କହିଛନ୍ତି ଆମ ଦଳର ଯଦି ସମ୍ପୃକ୍ତି ଥାନ୍ତା, ତେବେ ଆମେ ପରୀକ୍ଷା କରିନଥାନ୍ତୁ| ଯଦି କେଳେଙ୍କାରୀରେ ଥାନ୍ତୁ ତେବେ ପରୀକ୍ଷା କାହଁକି ବନ୍ଦ କରିଥାନ୍ତୁ ବୋଲି ମନମୋହନ କହିଛନ୍ତି।

ଚାକିରୀ ସ୍କାମ ବାବଦରେ ଆଉ ଏକ ଖୁଲାସା କରିଛି ଷ୍ଟୁଡ଼େଣ୍ଟ ଏଗେନେଷ୍ଟ କରପସନ୍। ଏସଆଇ ଚାକିରୀ କେଲଙ୍କାରୀରେ ପୂର୍ବତନ ଡ଼ିଆଇଜିଙ୍କ ପୁଅ ରହିଛନ୍ତି। ଯେଉଁ ୧୧୭ ଜଣଙ୍କୁ ପୋଲିସ ଗିରଫ କରିଛି ତାଙ୍କ ଭିତରୁ ୬୬ନମ୍ବରରେ ଅମୀୟ କୁମାର ବେହେରା ଅଛନ୍ତି। ସେ ପୁର୍ବତନ ଜେଲ ଡ଼ିଆଇଜି କୁଳମଣି ବେହେରାଙ୍କ ପୁଅ। କୁଳମଣି ବେହେରା ଚାରି ମାସ ତଳେ ଚାକିରିରୁ  ଅବସର ନେଇଛନ୍ତି। ସୁଶାନ୍ତ କୁମାର ନାଥ ଓପିଆରବି ଅଧ୍ୟକ୍ଷ ସହିତ ଜେଲ ବିଭାଗର ଡ଼ିଜି ଦାୟିତ୍ବ ତୁଲାଉଥିବା ବେଳେ ତାଙ୍କ ବିଭାଗର ଅବସରପ୍ରାପ୍ତ ଡିଆଇଜିଙ୍କ ପୁଅ ପ୍ରଶ୍ନପତ୍ର ରାକେଟରେ ଧରା ପଡିଥିବାରୁ ଏହି କାରବାରରେ ବହୁତ ବଡ଼ ବଡ଼ ଚେହେରା ରହିଥିବା ସନ୍ଦେହ ଘନିଭୁତ ହୋଉଛି। ଏମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ନେବ କି ବୋଲି ପ୍ରଶ୍ନ ଉଠିଛି। ନିରପେକ୍ଷ ତଦନ୍ତ ପାଇଁ ଆଇନଜୀବି ଦାବି କରିଥିବା ବେଳେ ସମୀକ୍ଷକ କହିଛନ୍ତି, ପୋଲିସ ବିଭାଗରେ ଚାକିରୀ ପାଇଁ ପୋଲିସ ବାବୁମାନଙ୍କ ହାତରେ ଦାୟିତ୍ବ ଦିଆଯାଇଥିବା ବେଳେ ଏଭଳି ଦୁର୍ନୀତି ଅକ୍ଷମଣୀୟ ଅପରାଧ ବୋଲି ସମୀକ୍ଷକ କହିଛନ୍ତି।

୧୫ ମାସର ସରକାରରେ ୧୬ ପରୀକ୍ଷା ବାତିଲ। ପରୀକ୍ଷା ଅନିୟମିତତା ପାଇଁ ବିଜେପି ସରକାର ନୂଆ ଆଇନ ଆଣି ଦୋଷୀଙ୍କ ବିରୋଧରେ କୋଟିଏ ଟଙ୍କା ଜରିମାନା ଓ ଜେଲଦଣ୍ଡର ବ୍ୟବସ୍ଥା ହୋଇଥିଲା। ହେଲେ ୧୬ ପରୀକ୍ଷା ବାତିଲ ହୋଇଥିଲେ ବି କାହା ବିରୋଧରେ ନୂଆ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବାଲେଶ୍ବରରେ କନିଷ୍ଟ ଯନ୍ତ୍ରୀଙ୍କ ପରୀକ୍ଷାରେ ଆଶାୟୀ ଓ ଦଲାଲଙ୍କୁ ଗିରଫ କରିଥିଲା ପୋଲିସ। ଏସଆଇ ପରୀକ୍ଷାରେ ବି ଲାଞ୍ଚ ଦେବା ବାଲା ଗିରଫ ହୋଇଛନ୍ତି, ହେଲେ ଲାଞ୍ଚ ନେବା ବାଲା ଧରାଛୁଆଁ ଦେଉନାହାନ୍ତି।

‘ବିଜେପିର ମିଥ୍ୟା ଅପପ୍ରଚାର ବିରୋଧରେ ହେବ ଜୋରଦାର ଲଢ଼େଇ’

ଭୁବନେଶ୍ବର  : ବିଜେପିର ମିଥ୍ୟା ଅପପ୍ରଚାର ବିରୋଧରେ ଜୋରଦାର ହେବ ଲଢ଼େଇ। ସୋସିଆଲ ମିଡିଆରେ ସ୍ବରକୁ ଶାଣିତ କରିବ ବିଜେଡି । ମଙ୍ଗ ଧରିବେ ବିଜେଡି ଆଇଟି ଓ ସୋସିଆଲ ମିଡିଆ ସେଲ। ୨୦୨୪ ନିର୍ବାଚନରେ ବିଜେପି ଓଡ଼ିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସରକାରକୁ ଆସିଲା। କ୍ଷମତାକୁ ଆସିବା ପରେ ସବୁ ପ୍ରତିଶୃତିକୁ ଭୁଲିଗଲା ଦଳ। ଯାହାକୁ ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ କରିବ ବିଜେଡି ଆଇଟି ଓ ସୋସିଆଲ ମିଡିଆ ଟିମ୍। କୁଆଡେ ଗଲା ୩୦୦ ୟୁନିଟ ମାଗଣା ବିଜୁଳି, ୨୪ ଘଣ୍ଟାରେ ଚିଟଫଣ୍ଡ ଟଙ୍କା ଫେରସ୍ତ । ୨ କୋଟି ନିଯୁକ୍ତି, ୨ ବର୍ଷରେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ସହାୟତା ପରି ଅନେକ ନିର୍ବାଚନୀ ପ୍ରତିଶୃତି ପାଲଟିଛି ପାଣିର ଗାର। ଏସବୁ ପ୍ରସଙ୍ଗ ଉଠାଇ ବିଜେପି ସରକାରକୁ ସୋସିଆଲ ମିଡିଆ ଜରିଆରେ ପ୍ରଶ୍ନ କରିବ ବିଜେଡି।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେପି କହୁଛି ଗୋଟିଏ, ହେଲେ କାମ କରୁଛି ଆଉ ଗୋଟେ। ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ୧୫ ମାସରେ ବିଜେପି ସରକାର ପ୍ରତି ମୁହଁ ବୁଲାଇଲେଣି ଜନତା। ତେଣୁ ବିଜେପିର ସବୁ ମିଛକୁ ପଦାରେ ପକାଯିବ ବୋଲି କହିଛି ବିଜେଡି। ସୋସିଆଲ ମିଡିଆରେ ବିଜେପିକୁ କଡ଼ା କାଉଣ୍ଟର କରିବାକୁ ପ୍ରସ୍ତୁତ ବିଜେଡି। ଏହାସହ ବିଜେଡି ସରକାରରେ ହୋଇଥିବା ଜନକଲ୍ୟାଣ ଯୋଜନା ସମ୍ପର୍କରେ ମଧ୍ୟ ଜନତାକୁ ସଚେତନ କରିବ ଦଳ।

ନୂଆପଡା ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସବୁ ଦଳକୁ ଘାରିଲାଣି ପ୍ରାର୍ଥୀ ଚିନ୍ତା

ଭୁବନେଶ୍ବର : ସରିଲା ପୂଜା, ବଢିଲା ତାତି । ଆରମ୍ଭ ହେଲା ପ୍ରାର୍ଥୀ ଚୟନ କସରତ । ବିଜୟ ମୁକୁଟ ପିନ୍ଧିବାକୁ ସବୁ ଦଳର ଦମ୍ଭୋକ୍ତି ।.. ..ପୂଜା ସରୁ ସରୁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳକୁ ଘାରିଲାଣି ନୂଆପଡା ଚିନ୍ତା । ଉପନିର୍ବାଚନର ପ୍ରଥମ ଅଗ୍ନିପରୀକ୍ଷାରେ ପାସ କରିବାକୁ ପ୍ରାର୍ଥୀ  ଚୟନ କସରତ ଆରମ୍ଭ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିବା ବେଳେ ସବୁ ଦଳ ଏକ ରକମର ପ୍ରାର୍ଥୀ ଚୟନ ଚୂଡାନ୍ତ ପର୍ଯ୍ୟାୟକୁ ନେଇଛନ୍ତି । କାହାକୁ ପ୍ରାର୍ଥୀ କଲେ ଦଳ  ବିଜୟ ମୁକୁଟ ପିନ୍ଧିବ ସେନେଇ ଦଳର ମଙ୍ଗୁଆଳମାନେ ରଣନୀତି ପ୍ରସ୍ତୁତ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ନୂଆପଡାରେ ବିଜେଡି ବିଜୟୀ ହୋଇଥିଲା । ଉପନିର୍ବାଚନରେ ମଧ୍ୟ ନୂଆପଡାବାସୀ ବିଜେଡିକୁ ଆର୍ଶୀବାଦ କରିବେ । ୨୦୨୪ ନିର୍ବାଚନରେ ବିଜେଡି ଟିକେଟରେ ନିର୍ବାଚନ ଲଢି ବିଜେଡି ବିଧାୟକ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ତାଙ୍କୁ ୬୧ ହଜାର ୮୨୨ ଖଣ୍ଡ ଭୋଟ ମିଳିଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡାରେ ଉପନିର୍ବାଚନ ହେଉଥିବାରୁ ବିଜେଡି ପୁଣି ବିଜୟ କରିବ ବୋଲି ଦଳ କହିଛି । ତେଣୁ ଯିଏ ଯାହା ରଣନୀତି କରୁ ନୂଆପଡାବାସୀ ବିଜେଡି ସହ ରହିବେ ବୋଲି ଦଳ କହିଛି ।

ନୂଆପଡା ଉପନିର୍ବାଚନ ଦୁଇ ଜାତୀୟ ଦଳ ପାଇଁ ଏସିଡ ଟେଷ୍ଟ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ବିଜେପି ପ୍ରାର୍ଥୀ କରାଯିବ । ଓଡ଼ିଶା ସହ କେନ୍ଦ୍ରୀୟ ଟିମ ମଧ୍ୟ ନୂଆପଡ଼ାରେ ସର୍ଭେ କରୁଛି । ସର୍ଭେ ଆଧାରରେ ପ୍ରାର୍ଥୀ ଚୟନ କରିବ ସଂସଦୀୟ ବୋର୍ଡ। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ୨୦୨୪ ନିର୍ବାଚନରେ ନୂଆପଡାରେ କଂଗ୍ରେସ ଭୁଲ ପ୍ରାର୍ଥୀ ଚୟନ କରିଥିଲା । ଏଥର ଦଳ ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ କରିବ ନେଇ ନିଷ୍ପତ୍ତି ନିଆଯାଉଛି । ନୂଆପଡାରେ ପଦଯାତ୍ରା କରି ପିସିସି ସଭାପତି ଏକ ରକମର ପ୍ରଚାର କରିବାକୁ ସଜବାଜ ଆରମ୍ଭ କରିଛନ୍ତି । ୨୦୧୯ ଓ ୨୦୨୪ରେ ବିଜେଡି ନୂଆପଡା ଦଖଲ କରିଥିଲା । ତେଣୁ ଏଥର ଦୁଇ ଜାତୀୟ ଦଳ ପାଇଁ କିପରି ବିଜେଡି ଗଡରେ ଧସେଇ ପଶିବେ ସେ ନେଇ ଘନଘନ ରଣନୀତି କରୁଛନ୍ତି । ତେବେ କିଏ କାହାକୁ ନୂଆପଡା ପାଇଁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ରହିଛି ସଭିଁଙ୍କ ନଜର।

ବନ୍ୟା ପରିସ୍ଥିତି ଚିନ୍ତାଜନକ : ନବୀନ

ଭୁବନେଶ୍ବର  ; ରାଜ୍ୟରେ ବନ୍ୟା ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି । ଗଜପତି ଜିଲ୍ଲାରେ ଏକାଧିକ ଭୂସ୍ଖଳନ ସହ ବନ୍ୟା ଖବର ବେଶ ଚିନ୍ତାଜନକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମାତ୍ରାଧିକ ବର୍ଷା ଧନଜୀବନକୁ ବହୁଳ ଭାବେ ପ୍ରଭାବିତ କରିଛି । କେଉଁଠି ପ୍ରାଣହାନୀ ତ କେଉଁଠି ଲୋକେ ନିଖୋଜ, ବନ୍ୟାଘେରରେ ପରିବାର ଦିନ କାଟୁଛନ୍ତି । ରାସ୍ତା ବନ୍ଦ ଯୋଗୁଁ ଜରୁରୀକାଳୀନ ସେବା ପାଇବାରୁ ଅନେକ ଗାଁ ବଞ୍ଚିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କ ତାଙ୍କର ସମବେଦନା ରହିଛି ବୋଲି ସୋସିଆଲ ମିଡିଆରେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ନବୀନ । ତ୍ୱରିତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ସୁନିଶ୍ଚିତ କରିବାକୁ ସେ ପ୍ରଭାବିତ ସ୍ଥାନରେ ଥିବା ଅଧିକାରୀଙ୍କୁ ଆହ୍ବାନ କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

ଚୌଦ୍ବାର ଜେଲରୁ ଦୁଇ କଏଦୀ ଫେରାର ଘଟଣାରେ ଆରମ୍ଭ ହେଲା ଉଚ୍ଚସ୍ତରୀୟ ତଦନ୍ତ

ଚୌଦ୍ବାର : ଚୋର ଗଲାପରେ ପଶିଲା ଚେତା । ଚୌଦ୍ବାର ଜେଲରୁ ଦୁଇ ହାର୍ଡକୋର ଫେରାର ପରେ ଉଚ୍ଚସ୍ତରୀୟ ତଦନ୍ତ । ଦୁଇ ଜେଲ କର୍ମଚାରୀ ନିଲମ୍ବିତ । ୪ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ । ହାଇ ସିକ୍ୟୁରିଟି ଜୋନ ଚୌଦ୍ବାର ଜେଲରୁ ପୂଜା ମୌକାରେ ଚମ୍ପଟ ମାରିଲେ ଦୁଇ ବିହାରୀ ଅପରାଧୀ । ସେଲର ରେଲିଂ କାଟି କ୍ରିମିନାଲ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର । ଜେଲ ପଛ ପାଖରେ କମ୍ବଳକୁ ରଶି କରି ପାଚେରୀ ଡେଇ ଚମ୍ପଟ ମାରିଛନ୍ତି ଦୁଇ ହାର୍ଡକୋର କ୍ରିମିନାଲ । ଗତ ଜାନୁଆରୀ ୪ ତାରିଖରେ ଯାଜପୁର ପାଣିକୋଇଲି ବଜାରରେ ଥିବା ପଣ୍ଡା ଆଳଙ୍କାର ଲୁଟ କରିବା ପାଇଁ ଆସିଥିଲେ ଉଭୟ ଲୁଟେରା । ଆଳଙ୍କାର ଦୋକାନୀ ସୁନିଲ ରାୟ ଓ ନୀଳମାଧବ ପଣ୍ଡାଙ୍କୁ ଗୁଳିକରି କରି ଲୁଟ ଉଦ୍ଯମ କରିଥିଲେ । ତେବେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ପାଣିକୋଇଲି ପୋଲିସ ଗିରଫ କରି ଯାଜପୁର ଜେଲକୁ ପଠାଇଥିଲା । ସୁରକ୍ଷା ଦୃଷ୍ଟିରୁ ପରେ ଚୌଦ୍ଵାରକୁ ସ୍ଥାନାନ୍ତର କରାଯାଇଥିଲା ।

କଏଦୀ ଫେରାର ଘଟଣାରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ତଦନ୍ତ । କଟକ ରେଞ୍ଜ ଡିଆଇଜିଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଛି । ଘଟଣାସ୍ଥଳରେ ଜେଲ ଡିଜି ପହଞ୍ଚି ତଦନ୍ତ କରିଛନ୍ତି । ଏହାସହ ଚୌଦ୍ବାର ପୋଲିସ, ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି କରିଛନ୍ତି ତନାଘନା । ଚୌଦ୍ବାର ପୋଲିସ ପକ୍ଷରୁ ୪ଟି ଟିମ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଉଛି । କାର୍ଯ୍ୟରେ ଅବହେଳା ପାଇଁ ଚିଫ୍ ୱାର୍ଡର ଭଗତ ଚରଣ ରାମ ଓ ୱାର୍ଡର ସିଦ୍ଧାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି । ଘଟଣାରେ ଯାହାର ସଂପୃକ୍ତି ଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜେଲ ଡିଜି ।କଟକର ହାଇସିକ୍ୟୁରିଟି ଜୋନ ଚୌଦ୍ବାର ଜେଲ । ଏଠାରେ ବହୁ ହାର୍ଡକୋର ଅପରାଧୀଙ୍କ ସହ ଗ୍ଯାଙ୍ଗଷ୍ଟର ଅଛନ୍ତି । ଦୁଇ କଏଦୀ ଫେରାର ପରେ ଏବେ ଜେଲ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।