ଭୁବନେଶ୍ବର : ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିବେ। ଅପରାହ୍ନ ୪ ଟା ୩୦ରେ ରାଷ୍ଟ୍ରପତି ପହଞ୍ଚିବେ ବିଧାନସଭାରେ। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ରାଷ୍ଟ୍ରପତି ବିଧାନସଭାରେ ରହିବେ । ଓଡିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ସମ୍ବୋଧନ କରିବେ। ବିଧାୟକ, ନିମନ୍ତ୍ରିତ ଅତିଥି ଏବଂ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହିବେ। ରାଷ୍ଟ୍ରପତି ବିଧାନସଭାକୁ ସମ୍ବୋଧିତ କରିବା ସହ ମନ୍ତ୍ରୀ ଥିବା ସମୟରେ ବସୁଥିବା ଚାମ୍ବରକୁ ମଧ୍ୟ ବୁଲି ସ୍ମୃତି ସାଉଁଟିବେ। ଅନ୍ୟପଟେ ପ୍ରଥମ ଦିନରେ ପ୍ରଥମାର୍ଦ୍ଧ ସକାଳ ୧୧ ଟାରୁ ଆରମ୍ଭ ହେବ ଗୃହ। ପ୍ରଥମ ଦିନରେ ଗୃହର ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆସିବ। ଏହାପରେ ଗୃହ ଦ୍ବିତୀୟାର୍ଦ୍ଧ ଯାଏ ମୁଲତବୀ ରହିବ । ନଭେମ୍ୱର ୨୭ରୁ ଡିସେମ୍ବର ୩୧ ଯାଏ ଚାଲିବ ଅଧିବେସନ । ୨୮ତାରିଖ ଦିନ ଗୁହରେ ଅତିରିକ୍ତ ବଜେଟ ଆଗତ ହେବ। ଅଧିବେଶନ ପୂର୍ବରୁ ୩ ପ୍ରମୁଖ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଛନ୍ତି । ଶୀତ ଅଧିବେଶନ ବେଶ ଉଷ୍ମ ହେବ।
ଲମ୍ବା ସମୟର ଅଧିବେଶନ ପାଇଁ ବିରୋଧୀଙ୍କ ହାତରେ ଶାସକ ଦଳକୁ ଘେରିବାକୁ ମାଳମାଳ ପ୍ରସଙ୍ଗ ରହିଛି । ମୁଖ୍ୟ ବିରୋଧୀ ବିଜେଡି ନାରୀ ନିର୍ଯାତନା, ବାଘମାରୀ ନାବାଳିକା ଦୁଷ୍କର୍ମ, ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପୀତିବାସ ହତ୍ୟାକାଣ୍ଡ, ଚୌଦ୍ବାର ଜେଲରୁ କଏଦୀ ଫେରାର ହେବା ଘଟଣା ସହ ରାଜ୍ୟ ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଦଳ ଉଠାଇବ । ସେହିପରି କଂଗ୍ରେସ ଭୋଟ ଚୋରି ସହ ସମାନ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବ । ବିଜେପି କହିଛି ସରକାର ସବୁ ପ୍ରସଂଗରେ ଉତ୍ତର ଦେବାକୁ ପ୍ରସ୍ତୁତ ।
ଅଗ୍ନିବୀର ଭର୍ତ୍ତିରେ ବମ୍ଫର ବୃଦ୍ଧି: ଏଣିକି ପ୍ରତିବର୍ଷ ହେବ ଏକ ଲକ୍ଷ ନିଯୁକ୍ତି
ଅଗ୍ନିବୀର ଭର୍ତ୍ତିରେ ବମ୍ଫର ବୃଦ୍ଧି: ଏଣିକି ପ୍ରତିବର୍ଷ ହେବ ଏକ ଲକ୍ଷ ନିଯୁକ୍ତି
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସେନାରେ କାମ କରିବାକୁ ଚାହୁଁଥିବା ଯୁବବର୍ଗଙ୍କ ପାଇଁ ଖୁସି ଖବର । ଶୀଘ୍ର ଭାରତୀୟ ସ୍ଥଳସେନା ଅଗ୍ନିବୀରରେ ଭର୍ତ୍ତି ଦୁଇଗୁଣା କରିବାକୁ ଯାଉଛି । ଆଗାମୀ ନିଯୁକ୍ତିରେ ପ୍ରାୟ ଏକ ଲକ୍ଷ ଯୁବବର୍ଗଙ୍କୁ ନିଆଯିବ । ୩ ବର୍ଷ ପୂର୍ବେ ୨୦୨୨ରୁ ପ୍ରତିବର୍ଷ ୪୦ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ମିଳୁଥିଲା । ଯାହା ଏବେ ଦୁଇଗୁଣା ହେବାକୁ ଯାଉଛି ।
କାହିଁକି ତେବେ ଭର୍ତ୍ତି ?
ଏବେ ପ୍ରଶ୍ନ ଉଠୁଛି, ସେନା ଏତେ ସଂଖ୍ୟାରେ ଅଗ୍ନିବୀରଙ୍କୁ କହିଁକି ଭର୍ତ୍ତି କରିବାକୁ ଯାଉଛି । କାରଣ ବର୍ତ୍ତମାନ ସ୍ଥଳସେନାରେ ଏକ ଲକ୍ଷ ୮୦ ହଜାର ସୈନିକ ପଦବୀ ଖାଲି ରହିଛି । ୨୦୨୦-୨୧ରେ କରୋନା କାରଣରୁ ଦୁଇ ବର୍ଷ କୌଣସି ଭର୍ତ୍ତି କରାଯାଇନି । ପ୍ରତିବର୍ଷ ୬୦ରୁ ୬୫ ହଜାର ଯବାନ ଅବସର ନେଉଛନ୍ତି । ହେଲେ, ଏହି ସଂଖ୍ୟାରେ ସେନାରେ ଭର୍ତ୍ତି ହୋଇପାରୁନି । ଏମିତି ସ୍ଥିତିରେ ପ୍ରତିବର୍ଷ ୨୦ରୁ ୨୫ ହଜାର ଯବାନ ପଦବୀ ଖାଲି ରହୁଛି । ଅଗ୍ନିବୀର ଯୋଜନା ଆରମ୍ଭ ହେବା ପରେ ବି ଏହି ସମସ୍ୟାର ସମାଧାନ ହୋଇପାରୁନି ।
କେତେ ଅଗ୍ନିବୀରଙ୍କ ନିଯୁକ୍ତି ହେଲାଣି ?
ମିଳିଥିବା ତଥ୍ୟ ଅନୁସାରେ ୨୦୨୨ରୁ ୨୦୨୫ ଶେଷ ସୁଦ୍ଧା ଏକ ଲକ୍ଷ ୭୫ ହଜାର ଅଗ୍ନିବୀରଙ୍କ ଭର୍ତ୍ତି ହୋଇଛି କିମ୍ବା ହେବାକୁ ଅଛି । ହେଲେ ଏହି ସଂଖ୍ୟା ବି ସେନାରେ ଯବାନଙ୍କ ଅଭାବ ପୂରା କରିପାରୁନି ।
ଯୋଜନା କ’ଣ ?
ଆସନ୍ତାବର୍ଷରୁ ପ୍ରତିବର୍ଷ ଏକ ଲକ୍ଷ ଅଗ୍ନିବୀର ଭର୍ତ୍ତି କରାଯିବାକୁ ପ୍ରସ୍ତୁତି ଚାଲିଛି । ପ୍ରଥମ ଥର ୨୦୨୬ ଡିସେମ୍ବରରୁ ପୁରୁଣା ଅଗ୍ନିବୀରଙ୍କ ଅବସର ଆରମ୍ଭ ହେବ । ସଂଖ୍ୟା ସ୍ଥିର ରଖିବାକୁ ନୂଆ ପିଲାଙ୍କୁ ଅଧିକ ନେବା ଆବଶ୍ୟକ ହୋଇପଡିଛି । ସେହିପରି ସେନାରେ ଟ୍ରେନିଂ ସିଷ୍ଟମର କ୍ଷମତା ମଧ୍ୟ ବୃଦ୍ଧି କରାଯାଉଛି । କାରଣ ଅଧିକ ପିଲାଙ୍କୁ ଏକା ସାଙ୍ଗରେ ଉନ୍ନତମାନର ଟ୍ରେନିଂ ଯେମିତି ଦେଇ ହେବ ।
ସେନାର ଜଣେ ବଡ଼ ଅଧିକାରୀ କହିଛନ୍ତି, ସେନାରେ ଯେତିକି ପୋଷ୍ଟ କମ ରହିଛି, ସେତିକି ଭର୍ତ୍ତି କରାଯିବ । ଟ୍ରେନିଂ କ୍ବାଲିଟି କମ କରାଯିବା ନାହିଁ । ଯେତେ ପିଲା ଟ୍ରେନିଂ ସେଣ୍ଟର ସମ୍ଭାଳି ପାରିବ ସେତେ ଅଗ୍ନିବୀର ନେବୁ ।
ଯଦି ଆପଣ ଅଗ୍ନିବୀର ହେବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବଡ଼ ଖୁସିର ଖବର । କାରଣ ଆଗାମୀ ବର୍ଷ ଅଧିକ ପିଲାଙ୍କୁ ସୁଯୋଗ ମିଳିବାକୁ ଯାଉଛି ।
ଦିନିକିଆ ରାକିଂ: ରୋହିତ ପୁଣି ନମ୍ବର ଓ୍ବାନ, T-20ରେ ଜିମ୍ବାଓ୍ବେ ଖେଳାଳି ଏକ ନମ୍ବର
ଦିନିକିଆ ରାକିଂ: ରୋହିତ ପୁଣି ନମ୍ବର ଓ୍ବାନ, T-20ରେ ଜିମ୍ବାଓ୍ବେ ଖେଳାଳି ଏକ ନମ୍ବର
ନନ୍ଦିଘୋଷ ବ୍ୟୁରୋ: ରୋହିତ ଶର୍ମା ଫ୍ୟାନଙ୍କ ପାଇଁ ଖୁସି ଖବର । ଦିନିକିଆ କ୍ରିକେଟରେ ପୁଣି ଏକ ନମ୍ବର ଖେଳାଳି ବନିଲେ ହିଟ୍ ମ୍ୟାନ ରୋହିତ । ଗତ ସପ୍ତାହାରେ ରୋହିତଙ୍କୁ ଏକ ନମ୍ବର ପଦରୁ ହଟାଇ ଡେରଲ ମିଚେଲ ଏହି ପଦ ହାସଲ କରିଥିଲେ । ତେବେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଦୁଇଟି ଦିନିକିଆରୁ ମିଚେଲ ବାହାରେ ରହିବା କାରଣରୁ ପୁଣି ଦ୍ବିତୀୟ ସ୍ଥାନକୁ ଚାଲି ଆସିଛନ୍ତି । ଏବେ ୭୮୧ ରେଟିଂ ସହ ରୋହିତ ଏକ ନମ୍ବରରେ ଥିବା ବେଳେ ୭୬୬ ପଏଣ୍ଟ ସହ ମିଚେଲ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ନଭେମ୍ବର ୩୦ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ତିନିଟିକିଆ ସିରିଜରେ ରୋହିତଙ୍କ ବ୍ୟାଟ ଚାଲିଲେ ମିଚେଲଙ୍କ ସହ ତାଙ୍କ ରେଟିଂରେ ବ୍ୟବଧାନ ବଢ଼ିଯିବ ଓ ସେ ପୁଣି ଲମ୍ବା ସମୟ ଧରି ଏକ ନମ୍ବର ଖେଳାଳି ହୋଇ ରହି ପାରିବେ ।
T20ରେ ଜିମ୍ବାଓ୍ବେ ଖେଳାଳି ନମ୍ବର ଓ୍ବାନ୍
ଆଜିର ଦିନରେ ଟି୨୦ ଫର୍ମାଟ କ୍ରିକେଟରେ ସବୁଠାରୁ ଅଧିକ ଲୋକପ୍ରିୟ ହୋଇପାରିଛି । ଏଥିରେ ନିଜ ବ୍ୟାଟିଂର କମାଲ ଦେଖାଉଛନ୍ତି ଖେଳାଳି । ତେବେ ଏହି ଫର୍ମାଟରେ ଅଲରାଉଣ୍ଡରଙ୍କ ଜଲଓ୍ବା ଦେଖିବାକୁ ମିଳୁଛି । ମ୍ୟାଚର ଫଳାଫଳ ଅଲରାଉଣ୍ଡରଙ୍କ ଖେଳ ଉପରେ ନିର୍ଭର କରୁଛି । ବିଶ୍ବର ଟପ୍ ଟିମରେ ଅଲରାଉଣ୍ଡରଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳୁଛି । ହେଲେ ଏହି ଫର୍ମାଟରେ ଜିମ୍ବାଓ୍ବେର ଜଣେ ଖେଳାଳିଙ୍କ ଜଲଓ୍ବା ଦେଖିବାକୁ ମିଳୁଛି । ଟି୨୦ ଇଣ୍ଟରନ୍ୟାସନାଲ ରେକିଂରେ ଜିମ୍ବାଓ୍ବେ ଅଧିନାୟକ ସିକନ୍ଦର ରାଜା ଏକ ନମ୍ବର ଅଲରାଉଣ୍ଡର ବନି ଯାଇଛନ୍ତି । ସେ ସେମ୍ ଆୟୁବଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି ।
ଦମଦାର ଫର୍ମରେ ରୋହିତ
ରୋହିତଙ୍କୁ ନେଇ ଭଲ ଖବର ହେଲା, ଏବେ ସେ ଦମଦାର ଫର୍ମରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସେ ସବୁଠାରୁ ଅଧିକ ୨୦୨ ରନ କରିବା ସହ ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ । ଏହି ସିରିଜରେ ରୋହିତଙ୍କ ବ୍ୟାଟରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ବାହାରି ଥିଲା ।
ସୂଚନାଯୋଗ୍ୟ, ସିଡନୀ ଦିନିକିଆ ପରେ ରୋହିତ କୌଣସି ପ୍ରାକ୍ଟିସ ମ୍ୟାଚ୍ ଖେଳିନାହାନ୍ତି । ଏମିତି ସ୍ଥିତିରେ ରାଞ୍ଚି ଦିନିକିଆରେ ଭଲ ପ୍ରଦର୍ଶନ କରିବା ତାଙ୍କ ପାଇଁ କଷ୍ଟକର ହୋଇପାରେ । ଏମିତି ସ୍ଥିତିରେ ନିଜକୁ ପ୍ରସ୍ତୁତ କରିବାକୁ ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ଫିଜିଓ ଥେରାପିଷ୍ଟ ଅମିତ ଦୁବେଙ୍କ ପାଖରୁ ପରାମର୍ଶ ନେଉଛନ୍ତି ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ରେକର୍ଡ ଖରାପ
ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତଙ୍କ ରେକର୍ଡ ଏତେ ଭଲ ନୁହେଁ । ଏହି ଟିମ ବିପକ୍ଷରେ ରୋହିତ ୨୬ଟି ଦିନିକିଆ ଖେଳିଛନ୍ତି । ହେଲେ ମାତ୍ର ୩୩.୫୮ ହାରରେ ୮୦୬ ରନ୍ କରିଛନ୍ତି । ଏଥିରେ ୩ଟି ଶତକ ଓ ୨ଟି ଅର୍ଦ୍ଧଶତକ ରହିଛି । ତେବେ ଘରୋଇ ପଚରେ ରୋହିତଙ୍କ ରେକର୍ଡ ଭଲ ରହିଛି । ରୋହିତ ଭାରତରେ ୯୩ଟି ଦିନିକିଆରୁ ୫୭.୨୫ ହାରରେ ୪୮୬୭ ରନ୍ କରିଛନ୍ତି । ଏଥିରେ ୧୪ଟି ଶତକ ଓ ୨୨ଟି ଅର୍ଦ୍ଧଶତକ ରହିଛି ।
ସୂଚନାଯୋଗ୍ୟ, ରୋହିତ ଟେଷ୍ଟ ଓ ଟି୨୦ ଫର୍ମାଟରୁ ସନ୍ୟାସ ନେଇ ସାରିଛନ୍ତି । ସେ ଏବେ କେବଳ ଦିନିକିଆ ଖେଳୁଛନ୍ତି । ସେହିପରି ଆଇପିଏଲରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ଦେଖିବାକୁ ମିଳୁଛି । ଏମିତି ସ୍ଥିତିରେ ରୋହିତଙ୍କ ଅବସରକୁ ନେଇ ନାନା ପ୍ରକାର ଚର୍ଚ୍ଚା ହେଉଛି । ଏପରିକି ସେ ଓ ବିରାଟ କୋହଲି ୨୦୨୭ ଦିନିକିଆ ବିଶ୍ବକପ୍ ଟିମରେ ରହିବେ କି ନାହିଁ ତାକୁ ନେଇ ମଧ୍ୟ ବହୁ ବାଦ-ବିବାଦ ଦେଖିବାକୁ ମିଳୁଛି । ଆଉ ଏହାରି ଭିତରରେ ରୋହିତ ଦିନିକିଆ ରାକିଂରେ ପୁଣି ଥରେ ନମ୍ବର ଓ୍ବାନ ପୋଜିସନକୁ ଆସି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।
ଇମରାନଙ୍କୁ କରାଯାଇଛି କି ହତ୍ୟା ? ୫ଟି କାରଣ, ବଢ଼ାଉଛି ସସପେନ୍ସ
ଇମରାନଙ୍କୁ କରାଯାଇଛି କି ହତ୍ୟା ? ୫ଟି କାରଣ ବଢ଼ାଉଛି ସସପେନ୍ସ
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ କ୍ରିକେଟର ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲ୍ ମଧ୍ୟରେ କରାଯାଇଛି ହତ୍ୟା । ଏମିତି କିଛି ଦାବି ଆଫଗାନିସ୍ତାନ ମିଡିଆ ଦାବି କରିବା ପରେ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଇମ୍ରାନଙ୍କ ପରିବାର ଲୋକଙ୍କୁ ଗତ ତିନି ସପ୍ତାହ ହେବ ତାଙ୍କ ସହ ଭେଟ ହେବାକୁ ଦିଆଯାଉ ନଥିବା ବେଳେ ଏମିତି ଖବର ଆସିଛି । ଇମ୍ରାନଙ୍କୁ ଭେଟିବାକୁ ତାଙ୍କ ଭଉଣୀ ଅଲିମା, ଉଜମା ଏବଂ ନୁରିନ ବାରମ୍ବାର ଅଦିୟାଲା ଜେଲକୁ ଯାଇଥିଲେ ବି ଭାଇ ସହ ତାଙ୍କର ଭେଟ ହୋଇ ପାରିନି । ଯାହାକୁ ନେଇ ଆଫଗାନିସ୍ତାନ ମିଡ଼ିଆର ଦାବିକୁ ଦୃଢ଼ କରୁଛି ।
ପାକିସ୍ତାନରେ ଏବେ ସ୍ଥିତି ଏମିତି ଯେ, ଇମ୍ରାନଙ୍କ ସମର୍ଥକ ଜେଲ ବାହାରେ ଜମା ହୋଇ ବିକ୍ଷୋଭ କରିବା ଆରମ୍ଭ କରିଦେଇଛନ୍ତି । ଖବରକୁ ନେଇ ନା ସରକାର କିଛି କହୁଛନ୍ତି, ନା ଜେଲ୍ ପ୍ରଶାସକ ବି ମୁହଁ ଖୋଲୁଛନ୍ତି । ଏପରିକି ସରକାରୀ ସ୍ତରରେ ଦୁଇ ସପ୍ତାହ ହେବ ଇମ୍ରାନଙ୍କ କୌଣସି ଫଟୋ ବି ଜାରି କରାଯାଇନି । ଏସବୁ ଭିତରେ ଏମିତି ୫ଟି ସଙ୍କେତ ମିଳୁଛି, ଯାହା ଇମ୍ରାନଙ୍କ ସହ କିଛି ଘଟିବା ଆଶଙ୍କାକୁ ଆହୁରି ମଜଭୁତ କରୁଛି । ପ୍ରକୃତରେ ଇମ୍ରାନଙ୍କ ମୃତ୍ୟୁ ଘଟିଛି ନାହିଁ ତାହା ଏବେ ବି ଅସ୍ପଷ୍ଟ ରହିଛି । ହେଲେ ଏମିତି ଆଶଙ୍କାକୁ ନେଇ ମିଳୁଥିବା ସେହି ୫ଟି ସଙ୍କେତ କ’ଣ ଆସନ୍ତୁ ଜାଣିବା ।
ଡକ୍ଟରଙ୍କୁ ଭେଟିବାକୁ ଦିଆ ନଯିବାର ପଛର କାରଣ କ’ଣ ?
୨୦୨୫ ମାର୍ଚ୍ଚରେ ପିଆଇଏମଏସ ହସ୍ପିଟାଲର ମେଡିକାଲ ଟିମ୍ ଇମ୍ରାନଙ୍କ ସ୍ବାସ୍ଥ୍ୟର ଯାଞ୍ଚ କରିଥିଲେ । ହେଲେ ପିଟିଆଇ ପକ୍ଷରୁ ଦାବି କରାଯାଇଛି, ଏହି ମେଡିକାଲ ଚେକ୍ ଅପ୍ ଲୋକ ଦେଖାଣିଆ ଥିଲା । ଏହାପରେ କୌଣସି ବିଶ୍ବାସନୀୟ ଡକ୍ଟରଙ୍କୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବାକୁ ଦିଆଯାଇନି । ଇମ୍ରାନଙ୍କୁ ସପ୍ତାହକୁ ଦୁଇଥର ତାଙ୍କ ପରିବାର, ଓକିଲ ଓ ବନ୍ଧୁ ଦେଖା କରିପାରିବେ ବୋଲି କୋର୍ଟ ଆଦେଶ ଦେଇଥିଲେ । ହେଲେ, କାହାକୁ ବି ତାଙ୍କ ସହ ଭେଟ କରିବାକୁ ଦିଆଯାଉନି । ଏମିତି ସ୍ଥିତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।
କାହିଁକି ଓକିଲଙ୍କୁ ଭେଟିବାକୁ ଦିଆଯାଉନି ?
ଇସଲାମାବାଦ ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ଇମ୍ରାନଙ୍କୁ ତାଙ୍କ ଓକିଲ ନିୟମିତ ଭାବେ ଭେଟିବା ସୁନିଶ୍ଚିତ କରିବା । ହେଲେ ଗତ ମାସରୁ ତାଙ୍କୁ ଭେଟିବାକୁ ଓକିଲଙ୍କୁ ବି ଅନୁମତି ଦିଆଯାଉନି । ଏମିତି ସ୍ଥିତିରେ ଇମ୍ରାନଙ୍କୁ ନେଇ କିଛି ଲୁଚା ଯାଉଥିବା ନେଇ ପିଟିଆଇର ଦାବି ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି ।
ପରିବାରକୁ ଭେଟିବାକୁ ଅନୁମତି ମିଳୁନି କାହିଁକି ?
ଇମ୍ରାନଙ୍କ ତିନି ଭଉଣୀ ଅଲିମା ଖାନ, ନୁରିନ ଖାନ ଏବଂ ଉଜମା ଖାନଙ୍କୁ ବାରମ୍ବାର ଗେଟ୍ ପାଖରୁ ଫେରାଇ ଦିଆଯାଉଛି । ନଭାମ୍ବର ୨୫ ରାତିରେ ତିନି ଭଉଣୀ ଜେଲ ବାହାରେ ଶହ ଶହ ସମର୍ଥକଙ୍କ ସହ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ । ଇମ୍ରାନଙ୍କ ସହ କିଛି ଘଟିଥିବା ସେମାନେ ଅଭିଯୋଗ କରିଥିଲେ । ଏପରିକି ନୁରିନ ପଞ୍ଜାବ ପୋଲିସ ଉପରେ ଆକ୍ରମଣ ଅଭିଯୋଗ ବି ଲଗାଇଥିଲେ । ବିନା କୌଣସି ଚେତାବନୀ ଦେଇ ଷ୍ଟ୍ରିଟ ଲାଇଟ ବନ୍ଦ କରି ପୋଲିସ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ । ୭୧ ବର୍ଷିୟ ନୁରିନ ଖାନ କହିଥିଲେ, ପୋଲିସ ତାଙ୍କ ଚୁଟି ଧରି ରାସ୍ତାରେ ଘୋଷାଡ଼ି ଥିଲା । ଅନ୍ୟ ମହିଳାଙ୍କୁ ବି ପୋଲିସ ଧକ୍କା ମାରିବା ସହ ଚାପୁଡ଼ା ମାରିଥିଲା । ଆକ୍ରମଣରେ ସାମିଲ ସମସ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପଞ୍ଜାବ ଆଇଜିପିଙ୍କୁ ଦାବି କରିଥିଲେ ।
ଦୁଇ ସପ୍ତାହ ହେବ ଇମ୍ରାନଙ୍କ ସୂଚନା ନାହିଁ
ପିଟିଆଇ ନେତାଙ୍କ କହିବା କଥା, ଇମ୍ରାନ ଖାନଙ୍କୁ କୌଣସି ଗୁପ୍ତ ସ୍ଥାନକୁ ସିପ୍ଟ କରିଦିଆଯାଇଛି କିମ୍ବା ଅଜ୍ଞାତବାସରେ ରଖାଯାଇଛି । ଗତ ଦୁଇ ସପ୍ତାହ ହେବ ଜେଲରୁ ତାଙ୍କୁ ନେଇ କୌଣସି ଅଧିକାରିକ ଫଟୋ କି ସୂଚନା ଆସିନାହିଁ । ତେବେ ଏହା ପ୍ରଥମ ଘଟଣା ପୂରା ଦୁଇ ସପ୍ତାହ ହେବ ଇମ୍ରାନଙ୍କୁ ନେଇ କୌଣସି ସୂଚନା ଦିଆଯାଇନି । ଯାହା ସନ୍ଦେହକୁ ଆହୁରି ବଢ଼ାଇ ଦେଉଛି ।
ହଠାତା ଜରୁରୀ ବୈଠକ କାହିଁକି ଡକାଇଲେ ମୁନିର ?
ଇମ୍ରାନ ଖାନଙ୍କୁ ନେଇ ରହସ୍ୟ ଲାଗି ରହିଥିବା ବେଳେ ପାକିସ୍ତାନ ସେନା ପ୍ରମୁଖ ଜେନେରାଲ ଅସୀମ ମୁନିର ହଠାତ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଡକାଇଛନ୍ତି । କୁହାଯାଉଛି, ଏହି ମିଟିଂରେ ଆଇଏସଆଇ, ମିଲେଟ୍ରି ଇଣ୍ଟେଲିଜେନ୍ସ ଓ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକର ଏଜେଣ୍ଡା ସାର୍ବଜନୀନ କରାଯାଇନାହିଁ । ତେବେ ଏମିତି ସ୍ଥିତିରେ ମୁନିର ବୈଠକ ଡାକିବାକୁ ନେଇ ପାକିସ୍ତାନରେ ଶାସନ ଓ ସେନା ମଧ୍ୟରେ କିଛି ବଡ଼ ଖେଳ ହେଉଥିବାକୁ ସଙ୍କେତ ମିଳୁଛି ।

