spot_img
Home Blog Page 412

ଚାଷୀ ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ହୁଲସ୍ତୁଲ ହେବ ମୌସୁମୀ ଅଧିବେଶନ

ଭୁବନେଶ୍ବର  : ରଣନୀତି ପ୍ରସ୍ତୁତ, ଲମ୍ବା ପ୍ରସଙ୍ଗ । ସାର ସଙ୍କଟ, ଚାଷୀ ସମସ୍ୟା, ମହିଳା ଅସୁରକ୍ଷିତ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ସହ ବେକାରୀ, ମହାନଦୀ, କୋଟିଆ, ପୋଲାଭରମ ପରି ବଡ ବଡ ପ୍ରସଙ୍ଗକୁ ଗୃହରେ ଉଠାଇବ ବିଜେଡି।  ଦେଢ ବର୍ଷ ଭିତରେ ଓଡିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ହୋଇଛି ବିଜେପି ସରକାର। ସରକାରରେ ବିଭାଗ ବିଭାଗ ମଧ୍ୟରେ ରହୁନି ସମନ୍ବୟ। ଓଡ଼ିଶାର ସ୍ବାର୍ଥରେ ଯିଏ ବାଧକ ସାଜିବ, ବିଜେଡି ତାହା ବିରୋଧରେ ସ୍ବର ଉଠାଇବ। ସାର ପାଇବା ପାଇଁ ଚାଷୀ ହଇରାଣ ହେଉଥିବା ବେଳେ, ସରକାର କହୁଛନ୍ତି  ସାର ମହଜୁଦ ଅଛି। ଯଦି ରାଜ୍ୟରେ ସାରା ସଙ୍କଟ ନାହିଁ, ତେବେ ଚାଷୀ କାହିଁକି ସାର ପାଇଁ ଲମ୍ବା ଲାଇନ ଲଗାଉଛନ୍ତି। କଣ ଏଠି ଚାଷୀ ମିଛ ଓ ସରକାର ସତ କହୁଛନ୍ତି କି ବୋଲି ପ୍ରଶ୍ନ କରିଛି ବିଜେଡି। ସ୍ବଳ୍ପକାଳୀନ ଅଧିବେଶନରେ ବିଜେଡି, ସରକାରଙ୍କୁ ଜବାବ ମାଗିବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।

ଦେଢ ବର୍ଷର ବିଜେପି ସରକାର ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ବିଫଳ ହୋଇଛି। ଯାହାକୁ ନେଇ ମୌସୁମୀ ଅଧିବେଶନରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ। ଧାନ ନଉଠିବା ଠାରୁ ଆରମ୍ଭ କରି ସାର କଳାବଜାରୀ, ନାରୀ ନିର୍ଯାତନା, ବେକାରୀ ପରି ମାଳମାଳ ପ୍ରସଙ୍ଗକୁ ଗୃହରେ ଉଠାଇ ସରକାରଙ୍କୁ ଘେରିବ ଦଳ। ସେପଟେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାହାକୁ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆସନ୍ତାକାଲିଠୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ। ଏଥର ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ଥିବାରୁ ବେଶ ସରଗରମ ହେବ ଗୃହ।

ପାକିସ୍ତାନ-ୟୁଏଇ ମ୍ୟାଚ୍ ଗୋଟିଏ ଘଣ୍ଟା ବିଳମ୍ବ, PCB ନିଷ୍ପତ୍ତି ବଦଳାଇଲା

ନନ୍ଦିଘୋଷ ବ୍ୟୁରୋ  : ଏସିଆ କପରେ ଆଜି ପାକିସ୍ତାନ-ୟୁଏଇ ମ୍ୟାଚ ବିଳମ୍ବ। ୮ଟା ବଦଳରେ ରାତି ୯ଟାରେ ଆରମ୍ଭ ହେବ ମ୍ୟାଚ। ପାକିସ୍ତାନ ଖେଳାଳି ଷ୍ଟାଡିୟମକୁ ଆସିବାରେ ବିଳମ୍ବ ହେବାରୁ ମ୍ୟାଚ ୧ ଘଣ୍ଟା ବିଳମ୍ବ ହୋଇଛି। ରାତି ୯ଟାରେ ଆରମ୍ଭ ହେବ ଏହି ମ୍ୟାଚ। ୟୁଏଇ ଟିମ ଠିକ ସମୟରେ ଷ୍ଟାଡିୟମ ଅଭିମୁଖେ ବାହାରି ପହଞ୍ଚିଥିବାବେଳେ ପାକିସ୍ତାନ ବିଳମ୍ବରେ ବାହାରିଛି। ଭାରତ ପାକିସ୍ତାନ ମ୍ୟାଚରେ ହ୍ୟାଣ୍ଡସେକ୍ ବିବାଦ ପରେ ମ୍ୟାଚ ରେଫରି ଆଣ୍ଡି ପାୟକ୍ରଫଙ୍କୁ ହଟାଇବାକୁ ଦାବି କରିଥିଲା ପାକିସ୍ତାନ। ପାୟକ୍ରଫ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଆଜିର ମ୍ୟାଚ ରେଫରି ଆଣ୍ଡି ପାୟକ୍ରଫ୍ଟ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଥିଲା ପାକିସ୍ତାନ। ତେବେ ପ୍ରେସମିଟ କରି ପାକିସ୍ତାନ ଆଜିର ମ୍ୟାଚ ଖେଳିବ ବୋଲି ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ PCB। ପାକିସ୍ତାନର ଅଭିଯୋଗ ନେଇ ତଦନ୍ତ ପରେ ମ୍ୟାଚ ରେଫରି ଆଣ୍ଡି ପାୟକ୍ରଫ୍ଟଙ୍କ କୌଣସି ଭୁଲ ନଥିବା କହିଛି ଆଇସିସି। ଏଥିଲାଗି ଆଜିର ମ୍ୟାଚରେ ଆଣ୍ଡି ପାୟକ୍ରଫ୍ଟ ମ୍ୟାଚ ରେଫରି ଭାବେ ରହିବେ। ପାକିସ୍ତାନର ଦାବିକୁ ଖାରଜ କରି ଦେଇଛି ଆଇସିସି ।

 

 

AIକୁ ନେଇ ଚୀନର ଚେତାବନୀ, ସହଜରେ ପରମାଣୁ ଶିଖିଯିବେ ଆତଙ୍କବାଦୀ

ନନ୍ଦିଘୋଷ ବ୍ୟୁରୋ : ସାରା ବିଶ୍ବରେ ସେନା ଏଆଇ ବ୍ୟବହାର କରି ଅସ୍ତ୍ର ଓ କାର୍ଯ୍ୟ ବୃଦ୍ଧି କରୁଛନ୍ତି । ଏହାର ଉଦାହାରଣ ହେଉନି ଜୁନରେ ଇରାନ ଓ ଇସ୍ରାଏଲ ମଧ୍ୟରେ ହୋଇଥିବା ଯୁଦ୍ଧ । ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ପାଇଁ ଏଆଇ ପରିଚାଳନା କରୁଥିବା ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା । କିନ୍ତୁ ଏବେ ଚୀନ ଯେଉଁ ସୂଚନା ଦେଇଛି, ତାହା ଏକ ବଡ ଖବର ଆଡକୁ ଇଙ୍ଗିତ କରୁଛି ।

ଆତଙ୍କବାଦୀ ଏଆଇ ମଧ୍ୟମରେ ପୂରା ବିଶ୍ବକୁ ଧଂସ କରିଦେବେ । ପରମାଣୁ କ୍ଷେପଣାସ୍ତ୍ର ଭଳି ଅସ୍ତ୍ର ବିକଶିତ କରିବାରେ ଆତଙ୍କବାଦୀଙ୍କୁ ସକ୍ଷମ କରିପାରେ। ସୋମବାର ପ୍ରକାଶିତ ଏକ ନୂତନ ଏଆଇ ସୁରକ୍ଷା ଶାସନ ଡକ୍ୟୁମେଣ୍ଟରେ, ସାଇବର ସୁରକ୍ଷା ଅଧିକାରୀମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଏଆଇ ନିୟନ୍ତ୍ରଣ କରାନଯାଏ, ତେବେ ପରମାଣୁ, ଜୈବିକ, ରାସାୟନିକ ଏବଂ କ୍ଷେପଣାସ୍ତ୍ର ଅସ୍ତ୍ର ସହ ଜଡିତ ବିପଦପୂର୍ଣ୍ଣ ଜ୍ଞାନ ସାଧାରଣ ଲୋକ ଏବଂ ଆତଙ୍କବାଦୀ ସଂଗଠନମାନଙ୍କ ପାଖରେ ପହଞ୍ଚିପାରେ।

ଚୀନ୍ ଅନୁଯାୟୀ, ଭୟ ହେଉଛି ଯେ ଏଇର ପୁନରୁଦ୍ଧାର-ବର୍ଦ୍ଧିତ ଜେନେରେସନ୍ କୌଶଳ, ଯେଉଁଥିରେ ଇଣ୍ଟରନେଟ୍ ଏବଂ ଡାଟାବେସ୍ ରୁ ବିପୁଳ ପରିମାଣର ସୂଚନା ବାହାର କରି ପ୍ରତିକ୍ରିୟା ସୃଷ୍ଟି କରିବା ଅନ୍ତର୍ଭୁକ୍ତ, ତାହା ସହଜରେ ଯେକୌଣସି ବ୍ୟକ୍ତିଙ୍କୁ ଅସ୍ତ୍ର ନିର୍ମାଣ ତତ୍ତ୍ୱ ଏବଂ ଡିଜାଇନ୍ ଉପଲବ୍ଧ କରାଇପାରେ। ଚୀନ୍ କହିଛି ଯେ ଯଦି ଏହା ଘଟେ, ତେବେ ବିଦ୍ୟମାନ ସୁରକ୍ଷା ବ୍ୟବସ୍ଥା ଅକାର୍ଯ୍ୟକ୍ଷମ ହୋଇଯିବ ଏବଂ ବିଶ୍ୱ ଶାନ୍ତି ଏବଂ ସୁରକ୍ଷା ଗମ୍ଭୀର ଭାବରେ ବିପଦରେ ପଡ଼ିବ। ଏହି ଡକ୍ୟୁମେଣ୍ଟ ଗତ ବର୍ଷର ଗ୍ଲୋବାଲ୍  ଏଆଇ ଗଭର୍ଣ୍ଣାନ୍ସ ଇନିସିଏଟିଭ୍ ର ଏକ ଅପଡେଟ୍, ଯାହାକୁ ଚୀନ୍‌ର ନ୍ୟାସନାଲ୍ ସାଇବରସିକ୍ୟୁରିଟି ଷ୍ଟାଣ୍ଡାର୍ଡାଇଜେସନ୍ ଟେକ୍ନିକାଲ୍ କମିଟି ଏବଂ ନ୍ୟାସନାଲ୍ କମ୍ପ୍ୟୁଟର୍ ନେଟୱାର୍କ ଜରୁରୀକାଳୀନ ଦଳ ଦ୍ୱାରା ବିକଶିତ କରାଯାଇଛି।

୨୦୨୪ ଢାଞ୍ଚାରେ, ଚୀନ୍ ଏଆଇକୁ ବିପଦପୂର୍ଣ୍ଣ ଭାବରେ ଚିହ୍ନଟ କରିଥିଲା, ବିଶେଷକରି ଦ୍ୱୈତ-ବ୍ୟବହାର ପ୍ରଯୁକ୍ତିବିଦ୍ୟା – ପ୍ରଯୁକ୍ତିବିଦ୍ୟା ଯାହା ନିୟମିତ କାର୍ଯ୍ୟ ଏବଂ ଅସ୍ତ୍ର ଉଭୟ ପାଇଁ ବ୍ୟବହାର କରାଯାଇପାରିବ। ନୂତନ ସଂସ୍କରଣ ଆହୁରି ଆଗକୁ ଯାଇ ସ୍ପଷ୍ଟ ଭାବରେ ଗଣବିନାଶକାରୀ ଅସ୍ତ୍ରଶସ୍ତ୍ରକୁ ଉଲ୍ଲେଖ କରୁଛି। ଅସ୍ତ୍ରଶସ୍ତ୍ର ବ୍ୟତୀତ, ଚୀନ୍ ରିପୋର୍ଟରେ ଏହା ମଧ୍ୟ କହିଛି ଯେ ଲୋକମାନେ ଏଆଇ ଚାଟବଟ୍ ପ୍ରତି ଆକର୍ଷିତ ହୋଇପାରନ୍ତି, ଯାହା ଶିକ୍ଷା ଏବଂ ନବସୃଜନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।

ଆଜି ୟୁଏଇ ବିପକ୍ଷରେ ମ୍ୟାଚ ଖେଳିବନି ପାକିସ୍ତାନ, ରେଫରି ବିବାଦ ପରେ ଏସିଆ କପରୁ ଓହରିବା ନିଷ୍ପତ୍ତି…

ନନ୍ଦିଘୋଷ ବ୍ୟୁରୋ : ପରକିସ୍ତାନ କ୍ରିକେଟ ବୋର୍ଡ ୟୁଏଇ ବିପକ୍ଷରେ ମ୍ୟାଚ ନ ଖେଳିବାକୁ ନିଷ୍ପତ୍ତି ନେଇଛି । ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ପାଇଁ ଦାବି କରିଆସୁଥିବା ପିସିବି, ଆଇସିସି ମନା କରିବା ପରେ ଏହି ନିଷ୍ପତ୍ତି ନେଇଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୁଧବାର ମ୍ୟାଚ୍ ପାଇଁ ପିସିବି ତାଙ୍କ ଦଳକୁ କ୍ଷେତ୍ରରକ୍ଷା କରିବାକୁ ମନା କରିଦେଇଛି। ମ୍ୟାଚ୍ ୧୭ ସେପ୍ଟେମ୍ବରରେ ରାତି ୮ଟାରେ ଦୁବାଇରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଦଳ ତାଙ୍କ ହୋଟେଲରେ ଥିଲା। ଏହି ସମୟରେ ପାକିସ୍ତାନୀ ଦଳ ଆଜିର ମ୍ୟାଚ୍ ଓ ଏସିଆ କପରୁ ଓହରିବା ଖବର ପ୍ରକାଶ ପାଇଲା।

ପାକିସ୍ତାନ ଓ ୟୁଏଇ ମଧ୍ୟରେ ଏହି ଗ୍ରୁପ୍ ଏ ମ୍ୟାଚ୍ ଏକ ନକଆଉଟ୍ ଥିଲା, ଯେଉଁଥିରେ ବିଜୟୀ ଦଳ ଟିମ୍ ଇଣ୍ଡିଆ ସହିତ ସୁପର ଫୋରରେ ପ୍ରବେଶ କରିବ। ପରାଜିତ ଦଳକୁ ବାଦ୍ ଦିଆଯିବ। ତଥାପି, ପାକିସ୍ତାନୀ ବୋର୍ଡ ଏହା ପୂର୍ବରୁ ମ୍ୟାଚ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନର ଏହି ନିଷ୍ପତ୍ତି,  ଅନେକ ବୈଠକ ଓ ଆଇସିସିକୁ ଇମେଲ୍ ପରେ ଆସିଥିଲା, ଯେଉଁଥିରେ ଏହାର କୌଣସି ଦାବି ପୂରଣ ହୋଇନଥିଲା।

ସେପ୍ଟେମ୍ବର ୧୪ ତାରିଖରେ ଭାରତ ବିପକ୍ଷ ମ୍ୟାଚ୍ ସମୟରେ ଅଧିନାୟକ ଏବଂ ଖେଳାଳିମାନେ ହାତ ମିଳାଇବାକୁ ମନା କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ପାକିସ୍ତାନ ବୋର୍ଡ ଦାବି କରିଥିଲା ​​ଯେ ରେଫରି ପାଇକ୍ରଫ୍ଟ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କୁ ଟସ୍ ସମୟରେ ହାତ ମିଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପିସିବି ଆଇସିସିରେ ରେଫରିଙ୍କ ଏହି ଅସଦାଚରଣ ପାଇଁ ଅଭିଯୋଗ କରିଥିଲା ​​ । ତାଙ୍କୁ ଏସିଆ କପରୁ ବାହାର କରିବାକୁ ଦାବି କରିଥିଲା। ପାକିସ୍ତାନ ବୋର୍ଡ ମଧ୍ୟ ସେମାନଙ୍କର ଦାବି ପୂରଣ ନ ହେଲେ ୟୁଏଇ ବିପକ୍ଷ ମ୍ୟାଚ୍ ସମେତ ଟୁର୍ଣ୍ଣାମେଣ୍ଟ ବର୍ଜନ କରିବାକୁ ଧମକ ଦେଇଥିଲା।

ତଥାପି, ଆଇସିସି ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା । ଏହାପରେ ସମସ୍ତଙ୍କ ନଜର ପାକିସ୍ତାନ ତା’ର ଧମକରେ ଅଟଳ ରହିବ କି ନାହିଁ ତାହା ଉପରେ ରହିଛି। ଏହା ପରେ, ସେପ୍ଟେମ୍ବର ୧୬ତାରିଖ ମଙ୍ଗଳବାର ରାତିରେ ଦୁବାଇରେ ଏକ ଜରୁରୀକାଳୀନ ପିସିବି ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏମିରେଟ୍ସ କ୍ରିକେଟ୍ ବୋର୍ଡ ମଧ୍ୟ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ଏହା ପରେ, ରିପୋର୍ଟ ପ୍ରକାଶ ପାଇଲା ଯେ ଏକ ମଧ୍ୟସ୍ଥି ପଥ ଉପନୀତ ହୋଇଛି, ପାଇକ୍ରଫ୍ଟଙ୍କୁ ପାକିସ୍ତାନର ମ୍ୟାଚ୍ ରୁ ହଟାଇ ରିଚି ରିଚାର୍ଡସନଙ୍କୁ ରେଫରି ଭାବରେ ନିଯୁକ୍ତ କରାଯାଇଛି। ତଥାପି, ବୁଧବାର ଦିନ, ପିସିବି ଦ୍ୱିତୀୟ ଥର ପାଇଁ ଆଇସିସିକୁ ଇମେଲ୍ କରି ତାର ଦାବିଗୁଡ଼ିକୁ ଦୋହରାଇଥିଲା। ଏହା ପରେ, ଆଇସିସିରେ ଆଉ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଏବଂ ଏଥର ମଧ୍ୟ, ପିସିବିର ଦାବିଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମର୍ଡର ମିଷ୍ଟ୍ରିର ଖୁଲାସା କଲା କମିଶନରେଟ୍ ପୋଲିସ

ନନ୍ଦିଘୋଷ ବ୍ୟୁରୋ : ହେଟ୍ ଷ୍ଟୋରିର ଖଳନାୟକ ଦଗାଦିଆ ଦୀପକ ।  ଟଙ୍କା ପାଇଁ ନେଇଗଲା ଦ୍ୱିତୀୟ ସ୍ତ୍ରୀର ଜୀବନ । ୟୁନିଟ ୬ ରେ ମାରିଲା, କେନ୍ଦୁଝର ଜଙ୍ଗଲରେ ପୋତିଦେଲା । ଖାକି ବର୍ଦ୍ଦିରେ ଲାଗିଲା କଳଙ୍କର ଦାଗ  । ୬ ତାରିଖରେ ନିଖୋଜ ଏତଲା ଆଉ ୧୭ ତାରିଖରେ ମାଟି ତଳୁ ମିଳିଲା ମୃତଦେହ। ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଉଦ୍ଧାର ପରେ, ମର୍ଡର ମିଷ୍ଟ୍ରିର ଖୁଲାସା କରିଛି ସ୍ପେଶାଲ ସ୍କ୍ୱାଡ । ଏ ହେଉଛି ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ । ସିପି ଅଫିସର ଆକାଉଣ୍ଟସ ସେକ୍ସନରେ କିରାଣୀ ଭାବେ କାର୍ଯ୍ୟରତ । ୩ ବର୍ଷ ତଳୁ ଶୁଭମିତ୍ରାଙ୍କ ସହ ସମ୍ପର୍କ ପରେ ଜୁଲାଇ ୭, ୨୦୨୪ରେ ତାଙ୍କୁକୋର୍ଟ ମ୍ୟାରେଜ କରିଥିଲା । ଗତ ୬ ତାରିଖରେ ଡ୍ୟୁଟି ଅଧାରୁ ହଠାତ ଦୀପକ ଶୁଭମିତ୍ରାଙ୍କୁ ୟୁନିଟ ୬ ରୋଡ଼ ନମ୍ବର ୮ କୁ ନେଇଥିଲା । ସେଠାରେ ନିଜର ଏହି ହୋଣ୍ଡା ସିଟି କାରରେ ଶୁଭମିତ୍ରାଙ୍କୁ ବସାଇ ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ । ପରେ ମୃତଦେହକୁ ନେଇ କେନ୍ଦୁଝର ଘଟଗାଁ ଥାନା ଅନ୍ତର୍ଗତ କୁସୁନପୁର ଜଙ୍ଗଲରେ ପୋତିଦେଇଥିଲା  । ପ୍ରାୟ ଶହେ ସିସିଟିଭି ଯାଞ୍ଚ,ହ୍ୟୁମାନ ଇଣ୍ଟେଲିଜେନ୍ସ, ପଲ୍ଲୀଗ୍ରାଫ ଟେଷ୍ଟ ପରେ କରିତକର୍ମାର କାରନାମା ପଦାକୁ ଆସିଛି ।

ବିବାହ କରିବା ପୂର୍ବରୁ ମଥୁରା, ବୃନ୍ଦାବନ ଓ ପୁରୀ ବୁଲିଥିଲେ ଦୁହେଁ । ଦୀପକ ମଧ୍ୟ ଘର ତୋଳିବା ପାଇଁ ଶୁଭମିତ୍ରାଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧାର ସୂତ୍ରରେ ନେଇଥିଲା । ବିବାହ ପରେ ତାଙ୍କ ନାଁରେ କୋଟିଏ ଟଙ୍କାର ଇଂସ୍ୟୁରାନ୍ସ ମଧ୍ୟ କରିଥିଲା । ଏଣୁ ଇଂସ୍ୟୁରାନ୍ସ ଟଙ୍କା ପାଇବା ଆଶାରେ ସେ ପତ୍ନୀଙ୍କୁ ରାସ୍ତାରୁ ହଟାଇଥିବା ସନ୍ଦେହ କରାଯାଉଛି । ସବୁଠାରୁ ସାଙ୍ଘାତିକ କଥା ହେଉଛି କୁସୁନପୁରରେ ନିଜ ସମ୍ପର୍କୀୟ ଭାଇ ସହାୟତାରେ ମୃତଦେହ ପୋତିଦେବା ପରେ, ପୂର୍ବ ଭଳି ଅଫିସରେ ଆସି କାମ କରିଥିଲା । କେହି ଯେପରି ସନ୍ଦେହ ନକରିବେ, ସେଥିପାଇଁ ମିଛିମିଛିକା କାନ୍ଦିବା ସହ ପୋଲିସ ତଦନ୍ତରେ ବି ସହଯୋଗ କରୁଥିଲା । ଝିଅ ଘର ପରିବାରର ବାରମ୍ବାର ଅଭିଯୋଗ ଓ ସିଡ଼ିଆର ରିପୋର୍ଟ, ଅଭିଯୁକ୍ତର ଭଣ୍ଡାଫୋଡ କରିଦେଇଥିଲା । ୟୁନିଟ ୬ର ଜାମୁକୋଳି ଗଛ ମୂଳରେ ହତ୍ୟା ଠାରୁ କେନ୍ଦୁଝରର କଇଁଆ ଗଛ ମୂଳରେ ଶବ ପୋତିବା ପର୍ଯ୍ୟନ୍ତ । ପରେ ଶବ ଉଦ୍ଧାର ପର୍ଯ୍ୟନ୍ତ ଲାଗିଥିବା ୧୨ ଦିନ କମିଶନରେଟ ପୋଲିସ ପାଇଁ ବେଶ ଚ୍ୟାଲେଞ୍ଜି ଥିଲା । ଏ କାହାଣୀ କୌଣସି ବଲିଉଡ ଫିଲ୍ମ କାହାଣୀ ଠୁ କମ ନୁହେଁ । ଅପରାଧୀ ଯେତେ ଚାଲାକ ହେଲେ ମଧ୍ୟ ପୋଲିସ ତା ଠାରୁ ଦୁଇ ପାଦ ଆଗରେ ବୋଲି ଏ ଘଟଣାରେ ପ୍ରମାଣିତ ହୋଇଛି  ।  କିନ୍ତୁ ରାଜଭବନ ଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ହତ୍ୟା ଘଟଣା, ରାଜଧାନୀର ଆଇନଶୃଙ୍ଖଳା କୁ ନେଇ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

ହକ ପାଇଁ ହଲ୍ଲାବୋଲ, ବିବାହ ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ଦାବି

ବ୍ରହ୍ମପୁର : ହକ ପାଇଁ ହଲ୍ଲାବୋଲ । ବ୍ରହ୍ମପୁର ଯୁଗ୍ମ ଶ୍ରମ ଆଯୁକ୍ତଙ୍କ କାର୍ଯ୍ୟାଳୟ ଅଗରେ ଶ୍ରମିକଙ୍କ ଆନ୍ଦୋଳନ । କିଏ ବିବାହ ସହାୟତା ପାଇଁ ଆବେଦନ କରି ସହାୟତା ରାଶି ପାଇ ନାହାନ୍ତି ତ ଆଉ କିଏ ମୃତ୍ୟୁ କାଳୀନ ସହାୟତା ରାଶି, ପରିଚୟ ପତ୍ର ପାଇଁ ଆବେଦନ କରି ନିରାଶ ହୋଇଛନ୍ତି । ଦେଢ଼ ବର୍ଷ ହେଲା ଆବେଦନ କରି ନିରାଶ ହେବାକୁ ପଡିଛି ବୋଲି ଅଭିଯୋଗ ହୋଇଛି ।  ନିୟମାନୁଯାୟୀ ସବୁ କାଗଜ ପତ୍ର ଠିକ ଥିଲେ ମଧ୍ୟ ସହାୟତା ରାଶି ମିଳିନି । କିଛି ଜଣଙ୍କ କାଗଜ ପତ୍ର ଠିକ ନଥାଇ ମଧ୍ୟ ସହାୟତା ରାଶି ପାଇସାରିଛନ୍ତି । ଆବେଦନ ବେଳେ ଦୁଇ ହଜାର ଟଙ୍କା ଦିଆଯାଇଥିବା ବେଳେ ଏବେ ଆହୁରି ୧୦ ହଜାର ଟଙ୍କା  ଅଧିକାରୀ ମାନେ ମାଗୁଥିବା ଗୁରୁତର ଅଭିଯୋଗ କରିଛନ୍ତି ନିର୍ମାଣ ଶ୍ରମିକ।

ବ୍ରହ୍ମପୁର ଶ୍ରମ କାର୍ଯ୍ୟାଳୟରେ ଟଙ୍କା ନଦେଲେ କାମ ହୁଏ ନାହିଁ ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ ରାଜ କୁମାର ମହାପାତ୍ର। ଟଙ୍କା ଦେଲେ ଆବେଦନ କରିଥିବା ହିତାଧିକାରୀଙ୍କୁ ସହାୟତା ରାଶି ଦିଆ ଯାଉଛି ବୋଲି ଅଭିଯୋଗ କରିଛି ଜୟ ଜଗନ୍ନାଥ ନିର୍ମାଣ ଶ୍ରମିକ ସଙ୍ଘ । ତୁରନ୍ତ ସହାୟତା ରାଶି ପ୍ରଦାନ କରା ନଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି  । ସେପଟେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତି ହୀନ ଓ ମିଥ୍ୟା ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ। କିଏ ଦଲାଲ…? ବ୍ୟବସ୍ଥାରେ କିଛି ତ୍ରୁଟି ରହୁଛି ନା ହିତାଧିକାରୀଙ୍କୁ ବିଭ୍ରାନ୍ତ କରାଯାଉଛି…? କେବେ ପାଇବେ ସହାୟତା ରାଶି, ତା ଉପରେ ରହିଛି ସମସ୍ତଙ୍କ ନଜର ।

ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ପ୍ରୋ ଟି-ଟ୍ବେଣ୍ଟି ଫଟାଫଟ୍ କ୍ରିକେଟ

କଟକ : ଓଡିଶା ପ୍ରୋ ଟି ଟ୍ବେଣ୍ଟି ଫଟାଫଟ୍ କ୍ରିକେଟ ।   ବାରବାଟୀ ଷ୍ଟାଡିୟମ ଆଉ କିଛି ସମୟ ପରେ ଆରମ୍ଭ ହେବ ପ୍ରଥମ ମ୍ୟାଚ । ଦଶ ଦିନ ଧରି ହେବାକୁ ଥିବା ଏହି ପେଶାଦାର କ୍ରିକେଟ ଲିଗରେ ଓଡିଶାର ଶ୍ରେଷ୍ଠ ୧୨୦ ଖେଳାଳୀ ଭାଗ ନେଉଛନ୍ତି । ରାଜ୍ୟର ଛଅ ବଡ ସହରର ନାମକୁ ନେଇ ଛଅ ଟିମ ଗଢାଯାଇଛି ।  ପ୍ରତି ଟିମରେ ୨୦ଜଣ ଲେଖାଏଁ ଖେଳାଳୀଙ୍କୁ ସ୍ଥାନ ଦିଆ ଯାଇଛି। ଟିମ ଗୁଡିକ ହେଉଛି କଟକ ପାନ୍ଥର୍ସ, ସମ୍ବଲପୁର ୱାରିୟର୍ସ, ପୁରୀ ଟାଇଟେନସ୍, ଭୁବନେଶ୍ବର ଟାଇଗର୍ସ, କେନ୍ଦୁଝର ମିନର୍ସ, ରାଉରକେଲା ଷ୍ଟିଲସ।  ସଂଧ୍ଯାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯରେ ଲିଗ ଉଦଘାଟନ କରାଯାଇଛି ।

ଛଅ ଟି ଯାକ ଟିମର ଅଧିନାୟକ ଭାବେ ଓଡିଶାର ଛଅ ଷ୍ଟାର ଖେଳାଳୀ ରହିଛନ୍ତି । ସ୍ଵସ୍ତିକ ସାମଲ, ସନ୍ଦୀପ ପଟ୍ଟନାୟକ, ଆଶୀର୍ବାଦ ସ୍ବାଇଁ, ସୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦାର ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଛଅଟି ଦଳର ଅଧିନାୟକ କରାଯାଇଛି। ନିଲାମ ଜରିଆରେ ଅଧିନାୟକ ବା ମରକ୍ବି ଖେଳାଳୀ ୧,୨୫,୦୦୦ ଟଙ୍କାରେ ଚୁକ୍ତିବଦ୍ଧ ହୋଇ ଥିବା ବେଳେ ଗ୍ରେଡ ଏ ଖେଳାଳୀ ୧ଲକ୍ଷ, ଗ୍ରେଡ-ବି ୭୫ ହଜାର, ଗ୍ରେଡ-ସି ୫୦ ହଜାର ଓ ଗ୍ରେଡ ଡି ଖେଳାଳୀ ୪୦ ହଜାର ଟଙ୍କା ମୂଲ୍ଯରେ ଦଳରେ ସାମିଲ ହୋଇ ଛନ୍ତି। ଏହି ଲିଗ ଓଡିଶାର  ଖେଳାଳୀଙ୍କୁ ନିଜ ପ୍ରଦର୍ଶନ ଦେଖାଇବା ପାଇଁ ଭଲ ସୁଯୋଗ ହେବ ବୋଲି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଇର୍ଫାନ ପଠାନ କହିଛନ୍ତି। ଏହି ଫଟାଫଟ୍ କ୍ରିକେଟକୁ ଦର୍ଶକ ୧,୩,୫ ନମ୍ବର ଗ୍ୟାଲେରୀରେ ବିନା ଦେୟରେ ଦେଖି ପାରିବେ।

ରଙ୍ଗମଞ୍ଚରେ ଉଜ୍ଜୀବିତ ହେଲା ଗୀତିନାଟ୍ୟ, ଦର୍ଶକଙ୍କ ମନମୋହିଲା ‘ମାଟିର ମଣିଷ’

ଭୁବନେଶ୍ୱର : ଦର୍ଶକଙ୍କ ମନମୋହିଲା ‘ମାଟିର ମଣିଷ’। ପୁଣି ରଙ୍ଗମଞ୍ଚରେ ଉଜ୍ଜୀବିତ ହେଲା ଗୀତିନାଟ୍ୟ। କଟକର ଜଣାଶୁଣା ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ବିହାର’ ପକ୍ଷରୁ  ରବୀନ୍ଦ୍ର ମଣ୍ଡପରେ ଗୀତିନାଟ୍ୟ ‘ମାଟିର ମଣିଷ’ ପରିବେଷିତ ହୋଇଯାଇଛି। ଗୀତିନାଟ୍ୟଟି ଥିଲା ପ୍ରଖ୍ୟାତ ଔପନ୍ୟାସିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କାଳଜୟୀ ରଚନା ‘ଅମର’ ଉପନ୍ୟାସର ରୂପାନ୍ତର ।  ଏହାକୁ ଗୀତିନାଟ୍ୟର ରୂପ ଦେଇଥିଲେ ସ୍ବର୍ଗତ ଗୁରୁ ନାରାୟଣ ସିଂହ । ନାଟକର ନିର୍ଦ୍ଦେଶନା ଦେଇଥିଲେ ଚୌଧୁରୀ ଭାରତୀକୃଷ୍ଣ ଦାଶ । ବହୁଦିନ ତଳୁ ଗୀତିନାଟ୍ୟର ଯୁଗ ଶେଷ ହୋଇ ଯାଇଥିଲେ ମଧ୍ୟ ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଚିତ୍ର । ଗୀତିନାଟ୍ୟର ବାଦ୍ୟ-ସଂଗୀତ ଓ ଗୀତଗୁଡ଼ିକ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରିଥିଲା। କଳାକାରମାନଙ୍କ ପୌରାଣିକ ଯୁଗର ବେଶଭୂଷା ଓ ନିଖୁଣ ଅଭିନୟ ବି ଦର୍ଶକଙ୍କୁ ବିମୋହିତ କରିଥିଲା ।

‘ମାଟିର ମଣିଷ’ ଭାଇ ଭାଇର କାହାଣୀକୁ ନେଇ ଆଧାରିତ । ପୈତୃକ ସମ୍ପତି ପାଇଁ ଭାଇ ଭାଇରେ ଲାଗୁଛି ଲଢେଇ । ଶେଷରେ ତ୍ୟାଗ ଆଗରେ ବନ୍ଧା ପଡ଼ିଯାଇଛି ଲୋଭ । ବଡ଼ ଭାଇକୁ ଠିକ୍ ବୁଝିଛି ସାନ ଭାଇ। ଶେଷରେ ପୁଣି ସମ୍ପତି ଲୋଭ ଛାଡ଼ି ଭାଇ ଭାଇର ସେଇ ନିବିଡତାରେ ବାନ୍ଧି ହୋଇପାରିଛନ୍ତି । ଏଭଳି କିଛି ଛାଇ ଆଲୁଅ ଓ ପ୍ରେମ ପ୍ରତାରଣା ଛଳନାକୁ ନେଇ ଏହି ଗୀତିନାଟ୍ୟ ଦର୍ଶକଙ୍କୁ ଆନ୍ଦୋଳିତ କରିଛି । ଓଡ଼ିଶାର ପ୍ରାଚୀନ କଳା ସାହିତ୍ୟ କେବେ ମରିପାରେନା ତାହା ସବୁବେଳେ, ସବୁକାଳେ ଚିରସବୁଜା । ସ୍ବର୍ଗତ ଗୁରୁ ନାରାୟଣ ସିଂହଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ ଆଜି ସନ୍ଧ୍ୟାରେ ପରିବେଷଣ ହେବ ଗୀତିନାଟ୍ୟ ‘କୀଚକ ବଧ’।

ସାରା ରାଜ୍ୟରେ ସାର ପାଇଁ ଘାଣ୍ଟି ହେଲେଣି ଚାଷୀ…

ନନ୍ଦିଘୋଷ ବ୍ୟୁରୋ : ସାରା ରାଜ୍ୟରେ ସାର ସଙ୍କଟ । ସବୁଠି ଲାଗୁଛି ଲମ୍ବା ଲାଇନ । ବସ୍ତାଏ ସାର ପାଇଁ ନାକେଦମ୍ ଚାଷୀ । କୋରାପୁଟ ଜିଲ୍ଲାରେ ଉତ୍କଟ ରୂପ ଧାରଣ କରିଛି ସାର ସମସ୍ୟା । ରାତି ଉଜାଗର ହୋଇ ଚାଷୀ ନିରାଶ । ଏପରି ସ୍ଥଳେ ଓଡ଼ିଶା କୃଷି ଶିଳ୍ପ ନିଗମ-OAICର ଗେହ୍ଲା ପୁଅ ସାଜିଛନ୍ତି ବେସରକାରୀ ଡିଲର୍ସ । ଅଲଗା ଲ୍ୟାମ୍ପସକୁ ଅଣଦେଖା କରି ସିଂହଭାଗ ସାର ନିର୍ଦ୍ଦିଷ୍ଟ ଡିଲର୍ସକୁ ଦିଆଯାଉଛି । ଚାଷୀଙ୍କୁ ଚଢ଼ାଦରରେ ସାର ବିକିବା ପରେ ଭାଗବଣ୍ଟା ହେଉଛି ଲାଭାଂଶ ଟଙ୍କା । ଅଥଚ ଏହାର ଯାଞ୍ଚ ହେଉନି । ଜିଲ୍ଲା କୃଷି ବିଭାଗ ସବୁ ଜାଣି ଅନ୍ଧାରରେ ବାଡ଼ି ବୁଲାଉଛି । ଚଳିତ ଥର ସାର ଅଭାବ ପରିସ୍ଥିତି ସୃଷ୍ଟି ହେବା ପରେ ସାର ବଣ୍ଟନରେ ଚାଲିଥିବା ପ୍ରିୟାପ୍ରୀତି ଘଟଣା ପଦାକୁ ଆସିଛି । ଓଡ଼ିଶା କୃଷି ଶିଳ୍ପ ନିଗମର କୋରାପୁଟ କାର୍ଯ୍ୟାଳୟରେ ପଞ୍ଜୀକରଣ କରିଛନ୍ତି ଜିଲ୍ଲାର ୩୬ ଡିଲର । ହେଲେ କୃଷି ଶିଳ୍ପ ନିଗମକୁ ମିଳିଥିବା ମୋଟ ସାର ମଧ୍ୟରୁ ୯୦ ପ୍ରତିଶତ ସାର ୪ଟି ନିର୍ଦ୍ଦିଷ୍ଟ ଡିଲରଙ୍କୁ ବିକ୍ରି ପାଇଁ ଦିଆଯାଇଛି । ଅନ୍ୟ ୩୨ ଡିଲରଙ୍କୁ ଗୋଟିଏ, ଦୁଇ ଟ୍ରକ୍ ସାର ଦେଇ କାମ ଚଳାଇ ଦିଆଯାଇଛି । ଯାହା ବ୍ୟବସାୟୀ ଓ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ ସ୍ପଷ୍ଟ ପ୍ରମାଣ କରିଛି । ଏପଟେ ସାର ପାଇଁ ନାରାୟଣପାଟଣା ଓ କୋଟପାଡ ଲ୍ୟାମ୍ପସ ଆଗରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ଚାଷୀ ।

ଓଡ଼ିଶା କୃଷି ଶିଳ୍ପ ନିଗମ ନିୟମାନୁଯାୟୀ ଡିଲର୍ସ ପ୍ରଥମେ ଟଙ୍କା ଡିପୋଜିଟ୍ କରିବା ପରେ ସାର ଓଏଆଇସି ଗୋଦାମରୁ ଉଠାଇବା କଥା । କିନ୍ତୁ ବିଭାଗୀୟ ଅସାଧୁ କର୍ମଚାରୀ ବେସରକାରୀ ଡିଲରଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ପ୍ରଥମେ ସାର ଦେଇ ପରେ ଟଙ୍କା ସଂଗ୍ରହ କରିଛନ୍ତି । ଏପଟେ ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ କହିଛନ୍ତି ଜିଲ୍ଲାରେ ସାର ଅଭାବ ନାହିଁ । ଓଏଆଇସି ପକ୍ଷରୁ ସାର ବଣ୍ଟନରେ ହୋଇଥିବା ପକ୍ଷପାତିତାର ତଦନ୍ତ କରାଯିବ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ସେବା ସମବାୟ ସମିତି ସାମ୍ନାରେ ସାର ପାଇଁ ରାତିରେ ଶୋଇଲେ ଚାଷୀ । ସେପଟେ ଖଲିଙ୍ଗି ସୋସାଇଟିରେ ଧାଡ଼ିରେ ଠିଆ ହୋଇ ତିନି ଜଣ ମହିଳା ଅଚେତ ହୋଇ ପଡ଼ିଛନ୍ତି । ଅନୁଗୁଳ ଜିଲ୍ଲା ବାଗଡ଼ିଆ ସୋସାଇଟିରେ ବି ଚାଷୀ ଲମ୍ବା ଲାଇନ ଲଗାଇଛନ୍ତି । ଏଠି ପ୍ରଶ୍ନ ଉଠୁଛି- କେବେ ସୁଧୁରିବ ସାର ସମସ୍ୟା ? ଚାଷୀଙ୍କୁ ଏତେ ଅଣଦେଖା କାହିଁକି ?

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ନୂଆ ମେଡିକାଲରେ ଚିକିତ୍ସା, ପୁରୁଣା ମେଡିକାଲରେ ସିଟି ସ୍କାନ

ଭଦ୍ରକ : ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ନୂଆ ମେଡିକାଲରେ ଚିକିତ୍ସା । ପୁରୁଣା ମେଡିକାଲରେ ସିଟି ସ୍କାନ । ପୂର୍ବ ସରକାରଙ୍କ ସମୟରେ ଭଦ୍ରକ ଗେଲପୁରଠାରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ହୋଇଥିଲା । ଡେରିରେ ହେଲେ ମଧ୍ୟ ରଙ୍ଗ ବଦଳାଇ ଗତ ଅଗଷ୍ଟ ୪ରେ ପୁରୁଣା ମେଡିକାଲ ନୂଆ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମେଡିକାଲ ସ୍ଥାନାନ୍ତରଣକୁ ଦେଢ ମାସ ପୂରିବାକୁ ବସିଲାଣି ହେଲେ ସିଟି ସ୍କାନ ସେବା ସ୍ଥାନାନ୍ତରଣ କରାଯାଇନାହିଁ । ଫଳରେ ସିଟି ସ୍କାନ ପାଇଁ ରୋଗୀଙ୍କୁ ନୂଆ ମେଡିକାଲରୁ ୫ କିଲୋମିଟର ଦୂରରେ ଥିବା ପୁରୁଣା ମେଡିକାଲକୁ ଆସିବାକୁ ପଡୁଛି । ନୂଆ ମେଡିକାଲରୁ ପୁରୁଣା ମେଡିକାଲକୁ ବସ ଚଳାଚଳ ସୁବିଧା ନଥିବାରୁ ଅଟୋରେ ଶହଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଯାହାକୁ ନେଇ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ତୁରନ୍ତ ସିଟି ସ୍କାନ ସେବା ନୂଆ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି।

ପୂର୍ବ ସରକାରଙ୍କ ସମୟରେ ମେଡିକାଲ ନିର୍ମାଣ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ନୂତନ ସରକାର ଆସିବା ପରେ ମେଡିକାଲ ସ୍ଥାନାନ୍ତର ପାଇଁ ଅହେତୁକ ବିଳମ୍ବ କରିଥିଲେ । ବିଳମ୍ବ ସତ୍ତ୍ୱେ ନୂତନ ମେଡିକାଲକୁ ସିଟି ସ୍କାନ ସେବା ସ୍ଥାନାନ୍ତର ନହେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଅନ୍ୟପଟେ ସିଟି ସ୍କାନ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଚାଲିଛି । ଯଥାଶୀଘ୍ର ଏହା ସ୍ଥାନାନ୍ତର ହେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ସ୍ୱାସ୍ଥ୍ୟ ବିଭାଗର ଖମାଖିଆଲି ନୀତି ପାଇଁ ଉପଯୁକ୍ତ ସରକାରୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ସରକାର କେବେ ଏହା ଉପରେ ନଜର ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।