ଆଜି ଫ୍ରାନ୍ସରେ ପୁଣି ହେବ ଜୋରଦାର ପ୍ରତିବାଦ। ପ୍ରାୟ ୮ ଲକ୍ଷ ଜନତାଙ୍କ ସମାଗମ ହେବା ସମ୍ଭାବନା ରହିଛି। ଦେଶବ୍ୟାପୀ ପ୍ରତିବାଦ ଲାଗି ପ୍ରସ୍ତୁତ ହେଉଛି ଫ୍ରାନ୍ସ।ରାଜରାସ୍ତାକୁ ପ୍ରାୟ 8 ଲକ୍ଷରୁ ଅଧିକ ଲୋକ ଓହ୍ଲାଇବା ଆଶଂକା କରିଛି ପ୍ରଶାସନ। ଫ୍ରାନ୍ସର ବୃଦ୍ଧି ପାଉଥିବା ଋଣକୁ ହ୍ରାସ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଡ୍ରାଫ୍ଟ ବଜେଟ୍ ବିରୋଧରେ ପ୍ରତିବାଦ କରିବାକୁ ଟ୍ରେଡ୍ ୟୁନିଅନମାନେ ଫ୍ରାନ୍ସବାସୀଙ୍କୁ ଅନୁରୋଧ କରିଛନ୍ତି।ଆନ୍ଦୋଳନ ଦ୍ଵାରା ସଡ଼କ ପରିବହନ, ରେଳ ଓ ବିମାନ ସେବା ବାଧାପ୍ରାପ୍ତ ହେବା ସହ ଅନେକ ସ୍କୁଲ ବନ୍ଦ ରହିବା ଆଶଙ୍କା କରାଯାଉଛି।ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଗତ ସପ୍ତାହରେ ଦେଖାଦେଇଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ ଘନିଷ୍ଠ ସହଯୋଗୀ ସେବାଷ୍ଟିଏନ ଲେକୋର୍ନୁଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ। ଏହାପରେ ଯୋଜନାବଦ୍ଧ ଭାବେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏହି ପ୍ରଦର୍ଶନ କରିବାକୁ ସ୍ଥିର କରାଯାଇଛି।ରାଜନୈତିକ ଅଚଳାବସ୍ଥା ଏବଂ ଦରବୃଦ୍ଧି ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଉଥିବାରୁ ପ୍ରତିବାଦକାରୀ ଜନତାଙ୍କୁ ରାସ୍ତାକୁ ଆଣିବା ପାଇଁ ଟ୍ରେଡ୍ ୟୁନିଅନଗୁଡ଼ିକ ଆହ୍ଵାନ କରିଛନ୍ତି।ଆଜି ଦେଶର ବିଭିନ୍ନ ସ୍ଥାନରେ 250 ଶୋଭାଯାତ୍ରା ହେବା ନେଇ ଆଶଂକା କରାଯାଇଛି। ଏଥିରେ ସାମିଲ ହୋଇପାରନ୍ତି ୮ ଲକ୍ଷରୁ ଅଧିକ ଜନତା। ଏହା ପୂର୍ବରୁ ୨୦୨୩ରେ ଫ୍ରାନ୍ସରେ ସମାନ ଆନ୍ଦୋଳନ ହୋଇଥିଲା। ବିବାଦୀୟ ପେନସନ ସଂସ୍କାର ବିରୁଦ୍ଧରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସ୍ଥିତିକୁ ନେଇ ଫ୍ରାନ୍ସ ସରକାରଙ୍କ ପକ୍ଷରୁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସାରା ଦେଶରେ ପ୍ରାୟ ୮୦ ହଜାରରୁ ଅଧିକ ପୋଲିସ ମୁତୟନ ହେବେ।
ଏସିଆ କପରେ ୟୁଏଇକୁ ୪୧ ରନରେ ପରାସ୍ତ କରିଛି ପାକିସ୍ତାନ
ଏସିଆ କପରେ ୟୁଏଇକୁ ୪୧ ରନରେ ପରାସ୍ତ କରିଛି ପାକିସ୍ତାନ। ଏହା ସହ ଗ୍ରୁପ- ଏରୁ ଦ୍ବିତୀୟ ଦଳ ଭାବେ ସୁପର-୪ରେ ପ୍ରବେଶ କରିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୯ ୱିକେଟ ହରାଇ କରିଥିଲା ୧୪୬ ରନ। ଫଖର ଜମାନ ସର୍ବାଧିକ କରିଥିଲେ ୫୦ ରନ। ଏହା ସହ ସାହିନ ଶାହ ଆଫ୍ରିଦି ଅପରାଜେୟ ୨୯ ରନ କରିଥିଲେ। ଅଧିନାୟକ ସଲମାନ ଆଗା ୨୦, ମହମ୍ମଦ ହାରିସ ୧୮ ରନ କରିଥିଲେ। ୟୁଏଇର ନୁନୈଦ ସିଦ୍ଦିକ ୪ ଓ ସିମ୍ରନଜିତ ସିଂ ୩ଟି ୱିକେଟ ହାସଲ କରିଥିଲେ। ଜବାବରେ ୟୁଏଇ ୧୦ ୱିକେଟ ହରାଇ କରିଥିଲା ୧୦୫ରନ। ରାହୁଲ ଚୋପ୍ରା ୩୫, ଧୃବ ପରାଶର ୨୦, ଅଧିନାୟକ ମହମ୍ମଦ ୱାସିମ ୧୪ ରନ କରିଥିଲେ। ଆଫ୍ରିଦି, ହାରିସ ଓ ଆବ୍ରାର ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ। ଆଫ୍ରିଦି ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ। ଗତକାଲି ପାକିସ୍ତାନ ଖେଳାଳି ଷ୍ଟାଡିୟମକୁ ଆସିବାରେ ବିଳମ୍ବ ହେବାରୁ ମ୍ୟାଚ ୧ ଘଣ୍ଟା ବିଳମ୍ବ ହୋଇଥିଲା। ଭାରତ ପାକିସ୍ତାନ ମ୍ୟାଚରେ ହ୍ୟାଣ୍ଡସେକ୍ ବିବାଦ ପରେ ମ୍ୟାଚ ରେଫରି ଆଣ୍ଡି ପାୟକ୍ରଫଙ୍କୁ ହଟାଇବାକୁ ଦାବି କରିଥିଲା ପାକିସ୍ତାନ। ପାୟକ୍ରଫ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଗତକାଲିର ମ୍ୟାଚ ରେଫରି ଆଣ୍ଡି ପାୟକ୍ରଫ୍ଟ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଥିଲା ପାକିସ୍ତାନ। ତେବେ ପ୍ରେସମିଟ କରି ପାକିସ୍ତାନ ମ୍ୟାଚ ଖେଳିବ ବୋଲି ଘୋଷଣା କରିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ PCB।
ରାଜ୍ୟରେ ପ୍ରଥମ ଥର ପାଇଁ BMC ପକ୍ଷରୁ ବୁଲା କୁକୁର ଗଣନା ଆରମ୍ଭ
ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବୁଲା କୁକୁର ଗଣନା ଆରମ୍ଭ ହୋଇଛି । ଆସନ୍ତ ୨୫ ତାରିଖ ମଧ୍ୟରେ ସମୁଦାୟ ୬୭ ଟି ଓ୍ୱାର୍ଡରେ ଏହି ଗଣନା କାର୍ଯ୍ୟ ଚାଲିବ। ବୁଲା କୁକୁର ଗଣନା ପାଇଁ ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଗଳିକନ୍ଦିରେ ଦୁଇ ଦୁଇଟି ପର୍ଯ୍ୟାୟରେ ଏବଂ ବୈଜ୍ଞାନିକ ପଦ୍ଧତିରେ ବୁଲା କୁକୁର ଗଣନା କରାଯିବ । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୮ ରୁ ୨୦ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଭୋର ୫ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଏହି କୁକୁର ଗଣନା ଚାଲିବ । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟ ସଂପାଦନ କରିବେ । ଏକ କାଳୀନ ୪୧୦ ଟି ଟିମ୍ ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ କୁକୁର ଗଣନା କରିବେ। ଏହି କୁକୁର ଗଣନାର ମୁଖ୍ୟ ଉଦ୍ଦେଶ୍ୟଗୁଡିକ ହେଲା କୁକୁର କାମୁଡ଼ିବା ହ୍ରାସ କରିବା, ରୋଗ ସଂକ୍ରମଣ ରୋକିବା, ଭୁକିବା, ପିଛା କରିବା ବା ପଛରେ ଗୋଡାଇବା , ସଡ଼କ ଦୁର୍ଘଟଣା, ପରିବେଶ ପ୍ରଦୂଷଣ ରୋକିବା ଏବଂ ବିଏମସି ଅଞ୍ଚଳରେ କୁକୁର ସଂଖ୍ୟାର ଘନତ୍ୱକୁ ଜାଣିବା। ଏନେଇ ଭୁବନେଶ୍ୱରବାସୀ କୁକୁର ଗଣନାକାରୀଙ୍କୁ ସହଯୋଗ ଓ ସହାୟତା ପ୍ରଦାନ କରିବା ପାଇଁ ମେୟର ଅପିଲ କରିଛନ୍ତି।
ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ
ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ।୧୭ ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆସନ୍ତା ୨୫ତାରିଖ ଯାଏ ଚାଲିବ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଥିବାରୁ ଶୋକ ପ୍ରସ୍ତାବ ପରେ ତାଙ୍କ ସମ୍ମାନାର୍ଥେ ଗୃହ ମୁଲତବି କରାଯିବ। ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରୁଛନ୍ତି। ସରକାରଙ୍କୁ ଗୃହରେ ଘେରିବା ପାଇଁ ବିରୋଧୀ ପୁରା ତୟାର। ମୁଖ୍ୟ ବିରୋଧୀ ବିଜେଡି ମହିଳା ସୁରକ୍ଷା, ସାର ଅଭାବ, ପଞ୍ଚାୟତ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧି ଏବଂ ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିବ। ଲୋକଙ୍କ ସ୍ଵର ସାଜି ବିଜେଡି ବିଜେପି ସରକାରକୁ ଘେରିବାକୁ ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି। ସେହିପରି କଂଗ୍ରେସ ଗଣଦୁଷ୍କର୍ମ ଓ ନାରୀ ହିଂସା, ସାର କଳାବଜାରୀ, ଛାତ୍ର ସଂସଦ ନିର୍ବାଚନ, ବେକାରୀ ଓ ଆଇନଶୃଙ୍ଖଳା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି ସରକାରଙ୍କୁ ଗୃହରେ ଘେରିବାକୁ ନିଷ୍ପତି ନେଇଛି। ଦେଢ଼ ବର୍ଷର ମୋହନ ସରକାର ଓଡିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ଦର୍ଶାଇ ଗୃହରେ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛି। ଦୁଇ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ଜବାବ ଦେବା ପାଇଁ ସଜବାଜ ହୋଇଛି ଶାସକ ଦଳ। ଆସନ୍ତାକାଲି ଶାସକ ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ରଣନୀତି ଚୂଡାନ୍ତ ହେବ। ୧୮ରୁ ୨୫ଯାଏ ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ଛଅଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ରହିଛି। ମୌସୁମୀ ଅଧିବେଶନରେ ଗୃହ କାର୍ଯ୍ୟ ବେଶ ଉଷ୍ମ ହେବାକୁ ଯାଉଛି। ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ସର୍ଵଦଳୀୟ ବୈଠକରେ ବାଚସ୍ପତି ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡି ସାରିଛନ୍ତି।
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ବୃକ୍ଷରୋପଣ
ଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ଵାନ କ୍ରମେ ରାଜ୍ୟବ୍ୟାପୀ ଚାଲିଥିବା ୭୫ ଲକ୍ଷ ବୃକ୍ଷରୋପଣ ର ଲକ୍ଷ୍ୟ ପ୍ରାପ୍ତି ଅଭିଯାନରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭୁବନେଶ୍ୱର ସାମିଲ ହୋଇଥିଲା। ମାନ୍ୟବର ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାର; ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭୁବନେଶ୍ୱର ପରିସରରେ ଏକ ଚାରା ରୋପଣ କରି ବିଭାଗ ପକ୍ଷରୁ ଏହି ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ସୁଧାଂଶୁ ଶେଖର ଖୋରା, ଆଇ.ଏଫ୍.ଏସ, ମୁଖ୍ୟ କାର୍ଯ୍ୟନିର୍ବାହୀ, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଏବଂ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀର ମୁଖ୍ୟ, ସୁରେଶ ପନ୍ତ, ଆଇ.ଏଫ୍.ଏସ, ଏବଂ ବିଭାଗର ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ, ବିଭାଗର କର୍ମଚାରୀ ଯୋଗ ଦେଇଥିଲେ। ଏଥିସହ ପାଖାପାଖି ୩୫୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଏବଂ ଆଇ.ଆର.ସି ଭିଲେଜ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ଚାରା ରୋପଣ କରିଥିଲେ। ବିଭାଗ ପକ୍ଷରୁ ଆଜି ଗୋଟିଏ ଦିନରେ ୨୨୦୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଅଛି। ଏଥିମଧ୍ୟରୁ ବିଭିନ୍ନ କିସମର ଫୁଲ ଜାତୀୟ ଯେପରିକି – ହଳଦିଆ କାଞ୍ଚନ, ରକ୍ତ କାଞ୍ଚନ, ଅଶୋକ, କୋବିଦାର, ସୁବର୍ଣ୍ଣକ, ରାଜତରୁ, ନୀଳ ଗୁଲମୋହର ଭଳି ଅନେକ ଫୁଲ ଗଛର ଚାରା ରୋପଣ କରାଯାଇଅଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନୂତନ ଜଙ୍ଗଲ ସୃଷ୍ଟି, ବନୀକରଣ ଓ ପରିବେଶ ସୁରକ୍ଷା ପ୍ରତି ବିଭାଗର ଦୃଢ଼ ପ୍ରତିବଦ୍ଧତା ଅନୁଯାୟୀ, ଆର.ପି.ଆର,ସି ପରିବେଶ ସୁରକ୍ଷା ପାଇଁ ବ୍ୟାପକ ଉଦ୍ୟମ ଗ୍ରହଣ କରିଆସିଅଛି। ଜୈବ ବିବିଧତାର ସୁରକ୍ଷା ଦିଗରେ ଜନସଚେତନତା ବୃଦ୍ଧି କରିବାକୁ ମଧ୍ୟ ବିଭାଗ ନିୟମିତ ଅଭିଯାନ ଜାରି ରଖିଛି।

ସରକାରଙ୍କ କୋଚିଂ ବ୍ୟବସ୍ଥାକୁ ମୁହଁ ମୋଡୁଛନ୍ତି ଛାତ୍ରଛାତ୍ରୀ…
ଭୁବନେଶ୍ୱର : ଶିଶୁ ବାଟିକା ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଶିକ୍ଷା- ସବୁଠି ବିଫଳତା । ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇଁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ କୋଚିଂ ବ୍ୟବସ୍ଥା ହୋଇଛି। ବିଜ୍ଞାନ ପିଲାଙ୍କ ପାଇଁ ଜେଇଇ, ନିଟ କୋଚିଂର ବ୍ୟବସ୍ଥା ହୋଇଥିବା ବେଳେ କଳା ଓ ବାଣିଜ୍ୟ ପାଇଁ ଏକାଡେମିକ ସପୋର୍ଟ ବ୍ୟବସ୍ଥା ଚାଲୁ ରହିଛି। ସେଥିରେ ଚାପ୍ଟର ଅନୁଯାୟୀ ପାଠପଢା, ପ୍ରୋବ୍ଲେମ, ପୂର୍ବ ପ୍ରଶ୍ନପତ୍ରର ସଲଭ୍ ହେଉଛି। କିନ୍ତୁ ଗତ ୫ ରୁ ୬ ମାସ ହେଲାଣି ଏସବୁରେ ପଢିବା ପାଇଁ ପିଲାଙ୍କ ଆଗ୍ରହ ନାହିଁ। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଳି ସବୁଠୁ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ଏହି କୋଚିଂରେ ଗୋଟିଏ ହେଲେ ବି ପିଲା ଆସୁ ନାହାନ୍ତି। କିନ୍ତୁ ସମାନ ଶିକ୍ଷା ବାହାରେ ପଢ଼ୁଛନ୍ତି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସକାଳ ସାଢେ ସାତରୁ ସାଢ଼େ ଦଶଟା ପର୍ଯ୍ୟନ୍ତ ନିଟ, ଜେଇଇ ଓ ଦିନ ୨ ଟାରୁ ୩ ଟା ୩୦ ଯାଏ ଅନ୍ୟ ପରୀକ୍ଷା ପାଇଁ କ୍ଲାସ ହେଉଥିଲା। ଆରମ୍ଭ ବେଳେ ପିଲା ଆଡ଼ମିଶନ ବି ନେଇଥିଲେ। କିନ୍ତୁ ଏବେ କ୍ଲାସରେ ପିଲାଙ୍କ ସଂଖ୍ୟା ଶୂନ। ପିଏମ ଇ-ବିଦ୍ୟା ଭଳି କେନ୍ଦ୍ରର ଯୋଜନା ପାଇଁ ଟିଭି ତଥା ଆନୁସଙ୍ଗିକ ସାମଗ୍ରୀ ଥିଲେ ବି ମିଶନ ହୋଇଛି ବିଫଳ।
ଅନଲାଇନ ପଢା ଯୋଗୁ କୋଚିଂ ବ୍ୟବସ୍ଥା ବିଫଳ ହେଉଥିବା କହିଛନ୍ତି କର୍ତ୍ତୃପକ୍ଷ। ବାହାରେ ଘରୋଇ କୋଚିଂ ସେଣ୍ଟରରେ ରିଅଲ ମୋଡ଼ରେ ପିଲା ପଢୁଥିବାବେଳେ ଏଠି ଭରଚୁଆଲ ମୋଡ଼ରେ ପଢୁଛନ୍ତି। ଫଳରେ ପିଲା ମାଗଣା ହେଲେ ମଧ୍ୟ ଏଠାରେ ପଢିବାକୁ ଆଗ୍ରହୀ ନୁହନ୍ତି। ଏବେ ଅନଲାଇନ ମାଧ୍ୟମରେ କ୍ଲାସ ୱାନ ୱେ ଟ୍ରାଫିକ ଭଳି ହେଉଛି। ପିଲାଙ୍କ ଡାଉଟ କ୍ଲିୟର ହେଉ ନାହିଁ। ପିଲାଙ୍କୁ ପାଠର ଲିଙ୍କ ପଠାଇବାକୁ ସରକାର କହିବା ପରେ ଲିଙ୍କ ପଠାଗଲା। ମାତ୍ର ଅଳ୍ପ କିଛି ପିଲାଙ୍କୁ ଛାଡିଲେ କୌଣସି ପିଲା ଏହାକୁ ଦେଖିଲେନି। ଶିକ୍ଷା ଜ୍ୟୋତି ପୋର୍ଟାଲରେ କ୍ଲାସ ଗୁଡିକର ଭିଡିଓ ଅପଲୋଡ଼ ହେଉଛି କିନ୍ତୁ ଏହା ନିଷ୍ଫଳ। ଆଦିବାସୀ, ଏସସି ଓ ପଛୁଆ ବର୍ଗଙ୍କ ପାଇଁ ଚାଲୁଥିବା ବିଭିନ୍ନ ଶିକ୍ଷା ସ୍କିମକୁ ବନ୍ଦ କରିବା ଓ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ଶିକ୍ଷା ବ୍ୟବସ୍ଥା ଭୁଶୁଡୁଥିବା ଅଭିଯୋଗ ହୋଇଛି। ୨୦୦୭ -୦୮ରେ ପ୍ରତି କଲେଜରେ ମେରିଟ ଅପଗ୍ରେଡେସନ କ୍ଲାସ ହେଉଥିଲା। ସେତେବେଳେ ପିଲାମାନେ ଆଗ୍ରହର ସହ ଆସୁଥିଲେ। କିନ୍ତୁ ଏବେ ଯେଉଁ ବ୍ୟବସ୍ଥା ହେଉଛି ତାହା ଗ୍ରହଣୀୟ ହେଉ ନାହିଁ।
ପ୍ରକୃତିର ତାଣ୍ଡବରେ ଧ୍ବସ୍ତବିଧ୍ବସ୍ତ କନ୍ଧମାଳ କଳିଙ୍ଗା ଘାଟି
ଜି. ଉଦୟଗିରି : ଓଡ଼ିଶାରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ଧସିଲା ପାହାଡ। କନ୍ଧମାଳ କଳିଙ୍ଗା ଘାଟିରେ ପ୍ରଥମଥର ଲାଗି ଧସିଲା ପାହାଡ। ଉତ୍ତରଭାରତରେ ପ୍ରଳୟ ଭଳି କଳିଙ୍ଗା ଘାଟିରେ ପ୍ରବଳ ବର୍ଷାରୁ ପହାଡରୁ ଧସିଲା ବଡ଼ ବଡ଼ ପଥର ମାଟି ଅତଡ଼ା। କେତେବେଳେ ପାହାଡରୁ ବଡ଼ ବଡ଼ ପଥର ଖସୁଛି ତ ଆଉ କେତେବେଳେ ମାଟି ଅତଡ଼ା ଖସୁଛି। ଭୂସ୍ଖଳନରୁ ବ୍ରହ୍ମପୁର ଓ ଫୁଲବାଣୀକୁ ସଂଯୋଗ କରୁଥିବା ବିଜୟଓ୍ବାଡ଼ା-ରାଞ୍ଚି କରିଡ଼ର ୧୫୭ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି। ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୁର୍ଘଟଣା ଘଟିଥିବା ସ୍ଥାନରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ।ଏବେ ପ୍ରାୟ ୫୦ ମିଟର ଅଂଚଳରେ ମାଟି ଅତଡ଼ା ଖସିବା ସହ ପାହାଡ଼ରୁ ବଡ଼ବଡ଼ ପଥର ଖସି ରାସ୍ତାରେ ପଡ଼ି ରହିଛି।ଫଳରେ ୨ ଦିନ ହେଲା ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୂସ୍ଖଳନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘାଟିର ଉଭୟ ପାର୍ଶ୍ବକୁ ସିଲ୍ କରାଯାଇଛି। କଳିଙ୍ଗା ଘାଟି ଦେଇ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଯାତାୟାତ ସ୍ବାଭାବିକ କରିବାକୁ ପ୍ରାୟ ୩ ମାସ ସମୟ ଲାଗିବ ବୋଲି କହିଛନ୍ତି ଜି. ଉଦୟଗିରି ବିଡିଓ। ଅନ୍ୟପଟେ ବର୍ଷା ଛାଡ଼ିବା ପରେ ରାସ୍ତା ଉପରୁ ମାଟି ଓ ପଥର ହଟାଇବା କାର୍ଯ୍ୟ ଆରମ୍ଭ ହୋଇଛି।
ପୂର୍ବରୁ ମଧ୍ୟ କନ୍ଧମାଳର କଳିଙ୍ଗା ଘାଟିରେ ଛୋଟ ଧରଣର ଭୂସ୍ଖଳନ ଦେଖିବାକୁ ମିଳିଥିଲା। ତେବେ ଉତ୍ତରାଖଣ୍ଡ ସଦୃଶ ବଡ଼ଧରଣର ଭୂସ୍ଖଳନ ପ୍ରଥମଥର ଲାଗି ଦେଖାଦେଇଛି।ଭୂସ୍ଖଳନ ଯୋଗୁଁ ରାଜପଥ କ୍ଷତିଗ୍ରସ୍ତ ହୋଇଛି। ଭୂସ୍ଖଳନ ସ୍ଥଳରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ। ବାରମ୍ବାର ରାଜପଥ ମରାମତି ନେଇ ଲୋକେ ଜଣାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। କଳିଙ୍ଗା ଘାଟି ଦେଇ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଅନ୍ୟ ରାସ୍ତା ଦେଇ ଫୁଲବାଣୀ, ବାଲିଗୁଡ଼ାକୁ ଗାଡ଼ି ଚଳାଚଳ କରୁଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପ୍ରଶାସନର ଅବହେଳାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । କଳିଙ୍ଗା ଘାଟି ଅଂଚଳରେ ରାସ୍ତାର ସୁରକ୍ଷା ନନେଲେ କେତେବେଳେ ବି ବଡ଼ ଦୁର୍ଘଟଣା ଘଟିପାରେ। ଧନ ଜୀବନହାନୀ ପୂର୍ବରୁ ସରକାର, ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଯତ୍ନବାନ ହେବା ଆବଶ୍ୟକ।
ମହିଳା କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କଲେ ନବୀନ
ଭୁବନେଶ୍ବର : କମିଶନରେଟ ପୋଲିସରେ କାର୍ଯ୍ୟରତ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜଧାନୀରୁ ନିଖୋଜ ହେବା ଓ ପରେ ତାଙ୍କ ମୃତ ଦେହ ମିଳିବା ମୋତେ ଅତ୍ୟନ୍ତ ବ୍ୟଥିତ ଓ ଚକିତ କରିଛି ବୋଲି କହିଛନ୍ତି ନବୀନ। ଭୁବନେଶ୍ୱର ଡିସିପି ଟ୍ରାଫିକ୍ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କନେଷ୍ଟବଳ ଶୁଭମିତ୍ରା ସାହୁ ସେପ୍ଟେମ୍ବର ୬ ତାରିଖରେ ଡ୍ୟୁଟି ସାରି ଘରକୁ ଫେରିନଥିଲେ। ତାଙ୍କ ମାଆ ୭ ତାରିଖ ଦିନ ପୋଲିସରେ ବିଧିବଦ୍ଧ ଅଭିଯୋଗ କରିଥିଲେ। ହେଲେ ଆଜି ତାଙ୍କ ମୃତ ଦେହ ପୋତା ହୋଇଥିବା ଅବସ୍ଥାରେ ଘଟଗାଁ ନିକଟରୁ ମିଳିଛି। ଶୁଭମିତ୍ରାଙ୍କ ମୃତ୍ୟୁ ଖବର ମୋତେ ମର୍ମାହତ କରିଛି। ଏହି ଘଟଣା ଗୃହ ବିଭାଗ ଓ ରାଜ୍ୟ ପୋଲିସର କାର୍ଯ୍ୟଦକ୍ଷତା ଓ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ପୋଲିସ ବିଭାଗ ତାଙ୍କ ନିଜର ଜଣେ ମହିଳା କର୍ମଚାରୀଙ୍କୁ ୧୦ ଦିନ ଧରି ଖୋଜି ପାଉନାହିଁ, ତେବେ ସାଧାରଣ ନାଗରିକଙ୍କ ଅବସ୍ଥା କିପରି ଥିବେ ତାହା ସହଜରେ ଅନୁମେୟ। ଶୁଭମିତ୍ରାଙ୍କ ବାପା ଅଭିଯୁକ୍ତଙ୍କ ବିଷୟରେ ପୂର୍ବରୁ ପୋଲିସକୁ ଅବଗତ କରାଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ହୋଇଛି। ଏହା ସତ୍ତ୍ୱେ ତଦନ୍ତ ବାଟବଣା ହେଲା। ଶେଷରେ ମହିଳା କନେଷ୍ଟବଳ ଆଖି ବୁଜିଲେ। ମହିଳାଙ୍କ ସୁରକ୍ଷା ନେଇ ଗୃହ ବିଭାଗ ଓ ପୋଲିସ ଯଦି ତାଙ୍କ କାର୍ଯ୍ୟଶୈଳୀରେ ତୁରନ୍ତ କୌଣସି ପରିବର୍ତ୍ତନ ନଆଣନ୍ତି, ତେବେ ଆଗକୁ ଆହୁରି ଅନେକ ଶୁଭମିତ୍ରାଙ୍କୁ ପରିବାର ଲୋକେ ହରାଇବେ। ପୂର୍ବରୁ ଗୋପାଳପୁର ଓ ବାଲିହରଚଣ୍ଡୀ ଭଳି ପର୍ଯ୍ୟଟନ ସ୍ଥଳୀରେ ଗଣଦୁଷ୍କର୍ମ ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଏବେ ପୋଲିସ ବିଭାଗର ଜଣେ ମହିଳା କନେଷ୍ଟବଳ ନିଖୋଜ ହେଲେ ଏବଂ ୧୦ ଦିନ ପରେ ମିଳିଲା ମୃତଦେହ। ତେଣୁ ଗୃହ ବିଭାଗ ତୁରନ୍ତ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିବା ଆବଶ୍ୟକ ବୋଲି କହିଛନ୍ତି ନବୀନ।
ରାଜ୍ୟରେ ମହିଳା ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ରାଜରାସ୍ତାକୁ ଓହ୍ଲାଇଲା ମହିଳା ବିଜେଡି
ନନ୍ଦିଘୋଷ ବ୍ୟୁରୋ : ବିଜେପି ସରକାର ଆସିବାର ୧୪ ମାସ ବିତିଗଲାଣି । ହେଲେ ଏହି ସମୟ ଭିତରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ବାରମ୍ବାର ହେଉଛି । ଗୋପାଳପୁର ବେଳାଭୂମି ପରେ ବାଲିହରଚଣ୍ଡୀ ବେଳାଭୂମିରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀକୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଥିବା ବିଜୁ ଜନତା ଦଳ ଅଭିଯୋଗ କରିଛି । ୧୪ ମାସ ବିଜେପି ଶାସନରେ, ମହିଳାମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରି ଆଜି ସାରା ରାଜ୍ୟରେ ପ୍ରତିବାଦ କରିଛି ମହିଳା ବିଜେଡି । ଦଳ ପକ୍ଷରୁ ସମସ୍ତ ଜିଲ୍ଲା ଏସପି ଅଫିସ ଆଗରେ ଧାରଣା ଦିଆଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳା ବିଜେଡି ବିରାଟ ପଟୁଆରରେ ଆସି ଏସପି ଓ ଡିସିପିଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ଏହା ପରେ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଗୋପାଳପୁର ପରି ବ୍ରହ୍ମଗିରିର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ପ୍ରେମିକକୁ ଗଛରେ ବାନ୍ଧି ତା ସମ୍ମୁଖରେ ପ୍ରେମିକାକୁ ଗଣଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଲା । ହେଲେ ପୋଲିସ ଘଟଣାକୁ ଚପାଇବାକୁ ଚେଷ୍ଟା କରୁଥିଲା ବୋଲି ବିଜେଡି ଅଭିଯୋଗ କରିଛି । ଉପମୁଖ୍ୟମନ୍ତ୍ରୀ ଯେଉଁ ଲଭର୍ସ ପଏଣ୍ଟ କଥା ଉଠାଇଥିଲେ, ସେଠି ସୁରକ୍ଷା ପାଇଁ କେତେ ପୋଲିସ ମୁତୟନ ହୋଇଥିବା ନେଇ ପ୍ରଶ୍ନ କରିଛି ବିଜେଡି । ଓଡ଼ିଶା ସୁରକ୍ଷିତ ନୁହେଁ ବୋଲି ଆମେରିକା ରିପୋର୍ଟ କରିବା ପରେ ବିଜେପିର ଓଡ଼ିଆ ଅସ୍ମିତାକୁ ନେଇ ବିଜେଡି ପୁଣି କଟାକ୍ଷ କରିଛି ।
ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ ଓ ମହିଳାଙ୍କୁ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଛି । ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବିଜେଡି ବାରମ୍ବାର ଅଭିଯୋଗ କରି ଆସୁଛି । ହେଲେ ଏହା ଥମିବାର ନାଁ ନେଉନାହିଁ । ଦୁଷ୍କର୍ମ ଓ ନାରୀ ନିର୍ଯାତନା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାରୁ, ଓଡ଼ିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହେଉଛି । ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ଲଜ୍ଜାଜନକ ବୋଲି ଦେଇଥିବା ମନ୍ତବ୍ୟ ପାଇଁ ଓଡିଶା ଜାତୀୟ ସ୍ତରରେ ନିନ୍ଦିତ ହୋଇଥିଲା । ହେଲେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି ।
ତଥ୍ୟ ଅନୁସାରେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ରାଜ୍ୟ ପୋଲିସ କର୍ତ୍ତୃପକ୍ଷ କର୍ମଚାରୀ ଅଭାବ ରହିଛି ବୋଲି ସଫେଇ ଦେଉଛନ୍ତି । ରାଜ୍ୟର ନେତା ମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ବ୍ୟସ୍ତ ଅଛି, ହେଲେ ମହିଳାଙ୍କୁ ସୁରକ୍ଷା ପ୍ରଦାନ ପାଇଁ କର୍ମଚାରୀଙ୍କ ଅଭାବ ରହିଥିବା ଆପତ୍ତି ଉଠାଇଛି ବିଜୁ ଜନତା ଦଳ । ହେଲେ ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ । ଏହା ବିରୋଧରେ ବିଜୁ ମହିଳା ଜନତା ଦଳ ରାଜ୍ୟର ମହିଳାଙ୍କ ସୁରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ।
ଚାଷୀ ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ହୁଲସ୍ତୁଲ ହେବ ମୌସୁମୀ ଅଧିବେଶନ
ଭୁବନେଶ୍ବର : ରଣନୀତି ପ୍ରସ୍ତୁତ, ଲମ୍ବା ପ୍ରସଙ୍ଗ । ସାର ସଙ୍କଟ, ଚାଷୀ ସମସ୍ୟା, ମହିଳା ଅସୁରକ୍ଷିତ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ସହ ବେକାରୀ, ମହାନଦୀ, କୋଟିଆ, ପୋଲାଭରମ ପରି ବଡ ବଡ ପ୍ରସଙ୍ଗକୁ ଗୃହରେ ଉଠାଇବ ବିଜେଡି। ଦେଢ ବର୍ଷ ଭିତରେ ଓଡିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ହୋଇଛି ବିଜେପି ସରକାର। ସରକାରରେ ବିଭାଗ ବିଭାଗ ମଧ୍ୟରେ ରହୁନି ସମନ୍ବୟ। ଓଡ଼ିଶାର ସ୍ବାର୍ଥରେ ଯିଏ ବାଧକ ସାଜିବ, ବିଜେଡି ତାହା ବିରୋଧରେ ସ୍ବର ଉଠାଇବ। ସାର ପାଇବା ପାଇଁ ଚାଷୀ ହଇରାଣ ହେଉଥିବା ବେଳେ, ସରକାର କହୁଛନ୍ତି ସାର ମହଜୁଦ ଅଛି। ଯଦି ରାଜ୍ୟରେ ସାରା ସଙ୍କଟ ନାହିଁ, ତେବେ ଚାଷୀ କାହିଁକି ସାର ପାଇଁ ଲମ୍ବା ଲାଇନ ଲଗାଉଛନ୍ତି। କଣ ଏଠି ଚାଷୀ ମିଛ ଓ ସରକାର ସତ କହୁଛନ୍ତି କି ବୋଲି ପ୍ରଶ୍ନ କରିଛି ବିଜେଡି। ସ୍ବଳ୍ପକାଳୀନ ଅଧିବେଶନରେ ବିଜେଡି, ସରକାରଙ୍କୁ ଜବାବ ମାଗିବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।
ଦେଢ ବର୍ଷର ବିଜେପି ସରକାର ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ବିଫଳ ହୋଇଛି। ଯାହାକୁ ନେଇ ମୌସୁମୀ ଅଧିବେଶନରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ। ଧାନ ନଉଠିବା ଠାରୁ ଆରମ୍ଭ କରି ସାର କଳାବଜାରୀ, ନାରୀ ନିର୍ଯାତନା, ବେକାରୀ ପରି ମାଳମାଳ ପ୍ରସଙ୍ଗକୁ ଗୃହରେ ଉଠାଇ ସରକାରଙ୍କୁ ଘେରିବ ଦଳ। ସେପଟେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାହାକୁ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆସନ୍ତାକାଲିଠୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ। ଏଥର ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ଥିବାରୁ ବେଶ ସରଗରମ ହେବ ଗୃହ।

