spot_img
Home Blog Page 407

ଦେଢବର୍ଷର ବିଜେପି ସରକାର ବିରୋଧରେ କଂଗ୍ରେସ ଆଣିଛି ଅନାସ୍ଥା ପ୍ରସ୍ତାବ, ସିପିଆଇଏମର ସମର୍ଥନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ । ଅନାସ୍ଥା ନୋଟିସକୁ ସମର୍ଥନ କଲା ସିପିଆଇ(ଏମ) । ବିଜେଡିର ସମର୍ଥନ ଲୋଡିଲା କଂଗ୍ରେସ । ବିଜେପିର ପ୍ରଶ୍ନ, କଂଗ୍ରେସର ସଂଖ୍ୟା କେତେ ?.. ..ରାଜ୍ୟ ବିଜେପି ସରକାରକୁ ବିପଦ କି  ? ଦେଢବର୍ଷ ହେବ ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ବିଫଳ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଛି ଅନାସ୍ଥା ପ୍ରସ୍ତାବ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ୧୪ ଜଣ ବିଧାୟକ ଓ ସିପିଆଇ(ଏମ)ର ଜଣେ ବିଧାୟକଙ୍କ ସମର୍ଥନରେ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ ଦେଇଛି । ନୋଟିସ ଦେବା ପରେ କଂଗ୍ରେସ ବିଜେଡିର ସମର୍ଥନ ଲୋଡିଛି । ବିଜେପି ସରକାର ରାଜ୍ୟରେ ଗଠନ ହେବା ପରଠାରୁ ଚାଷୀ, ମହିଳା, ଯୁବକ ଓ ରାଜ୍ୟବାସୀଙ୍କ ସମସ୍ୟା ବଢିବଢି ଚାଲିଛି । ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭୁଶୁଡ଼ି ପଡିଛି । ବିଜେପି ସରକାରକୁ ଆସିବା ପରେ ସବୁ ପ୍ରତିଶୃତିକୁ ଭୁଲି ଯାଇଛି । ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ବିଜେପି ସରକାର ବିରୋଧରେ ଏପରି ମାଳମାଳ ଅଭିଯୋଗ ଆଣି କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବିଧାୟକମାନେ କହିଛନ୍ତି ।

କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ବିଧାନସଭା ବାହାରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ବିଜେପି ବିଧାୟକ ମନୋରଂଜନ ଦ୍ୟାନ ସାମନ୍ତରାୟ କହିଛନ୍ତି, କଂଗ୍ରେସ ପାଖରେ ସଂଖ୍ୟା ନାହିଁ । ତେଣୁ ଅନାସ୍ଥା ପ୍ରସ୍ତାବର କୌଣସି ପ୍ରଭାବ ବିଜେପି ସରକାର ଉପରେ ପଡିବ ନାହିଁ । ଯାହାର କଡା ଜବାବ ଦେଇଛି କଂଗ୍ରେସ । ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ବିଜେଡି ତାର ନିଜ ରଣନୀତିରେ ବିଧାନସଭାରେ ଲୋକଙ୍କ ସ୍ବର ସାଜି ସରକାରଙ୍କୁ ଘେରିବ । ରାଜନୈତିକ ସମୀକ୍ଷକଙ୍କ ଯୁକ୍ତି ହେଉଛି ସଂଖ୍ୟା ଦୃଷ୍ଟିରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ବେଶ ଦୁର୍ବଳ । ସରକାର ଭାଙ୍ଗିବା ଲାଗି ପ୍ରଭାବଶାଳୀ ହେବ ନାହିଁ । ଅନାସ୍ଥା ପ୍ରସ୍ତାବ ଆଣିବା ପରେ କଂଗ୍ରେସ ଦଳୀୟ ହ୍ବିପ ଜାରି କରିଛି । ଅନ୍ଯପଟେ ବିଧାନସଭାରେ ଏବେ ବିଜେପିର ୭୮, ବିଜେଡିର ୫୦, କଂଗ୍ରେସ ୧୪, ସ୍ବାଧୀନ ୩, ସିପିଆଇ(ଏମ)ର ଜଣେ ବିଧାୟକ ଅଛନ୍ତି । ନୂଆପଡ଼ା ବିଧାୟକଙ୍କ ପରଲୋକ ପରେ ଏବେ ଏହି ଆସନ ଖାଲି ପଡିଛି ।

୧୦ଟି ସ୍କୁଲରେ ଗୁଣାତ୍ମକ ଶିକ୍ଷା ପ୍ରଦାନ, ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଲାଭ

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡା ଜିଲ୍ଲାର କୁରାଲୋଇ ଅଞ୍ଚଳର ୧୦ଟି ସରକାରୀ ସ୍କୁଲର ୧୦ଜଣ ଅତିରିକ୍ତ ଶିକ୍ଷକଙ୍କୁ ନିଯୁକ୍ତ କରି ପ୍ରୋଜେକ୍ଟ ବିଦ୍ୟା ମାଧ୍ୟମରେ ଗୁଣାତ୍ମକ ଶିକ୍ଷାକୁ ଆଗକୁ ବଢାଇବା ପାଇଁ ଏହାର ପ୍ରତିବଦ୍ଧତାକୁ ସୁଦୃଢ଼  କରିଛି। ଏହି ପଦକ୍ଷେପ ଛାତ୍ର-ଶିକ୍ଷକ ଅନୁପାତକୁ ଉନ୍ନତ କରିବା ସହ ଗଣିତ,  ବିଜ୍ଞାନ ଏବଂ ଇଂରାଜୀ ଭଳି ପ୍ରମୁଖ ବିଷୟ ଗୁଡ଼ିକରେ ଶିକ୍ଷଣ ଫଳାଫଳକୁ ସୁଦୃଢ଼ କରିବ, ଯାହା ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଲାଭ ପହଞ୍ଚାଇବ। ଖୈରକୁନି ହାଇସ୍କୁଲରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ,  ନୂତନ ଭାବରେ ନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୁରାଲୋଇର ସରପଞ୍ଚ ସନାତନ ନାଏକ, AJKA ପ୍ରତିନିଧି, ସମ୍ପ୍ରଦାୟ ନେତା, ହିତାଧିକାରୀ ସ୍କୁଲର ପ୍ରଧାନଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ।

ଏପ୍ରିଲ୍ ୨୦୨୫ରେ ଘୋଘରପାଲି ଏବଂ ଯାମକାନିର ୨୦ଟି ସ୍କୁଲରେ ୨୨ଜଣ ଅତିରିକ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପରେ ଏହି କାର୍ଯ୍ୟକ୍ରମ ଏବେ କୁରାଲୋଇ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସୁଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ବିସ୍ତାରିତ ହେଉଛି। ଏହି ପଦକ୍ଷେପ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଆଶ୍ରମ ଏବଂ ଉଚ୍ଚ ବିଦ୍ୟାଳୟ ସମେତ ପିପିମାଲ, କୁରାଲୋଇ ଏବଂ ବଞ୍ଜାରୀ ପଞ୍ଚାୟତର ସ୍କୁଲ ଗୁଡ଼ିକରେ ପହଂଚିବ। ଏହି ସମ୍ପ୍ରସାରଣ ସହିତ ବେଦାନ୍ତ, ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼  କରିବା ସହ ଝାରସୁଗୁଡାର ଅଧିକ ପିଲାଙ୍କୁ ଏକ ଉନ୍ନତ ଶିକ୍ଷାଗତ ସୁଯୋଗ ଦେବା ପାଇଁ ଲକ୍ଷ୍ୟ ରଖିଛି।

ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ଶିକ୍ଷା ହେଉଛି ସାମାଜିକ ପ୍ରଗତି ପାଇଁ ମୂଳଦୁଆ, ଏବଂ ବେଦାନ୍ତରେ, ଆମେ ଏହାକୁ ଯଥା ସମ୍ଭବ ସମର୍ଥନ କରିବାକୁ ପ୍ରତିବଦ୍ଧ। ପ୍ରୋଜେକ୍ଟ ବିଦ୍ୟାମାଧ୍ୟମରେ, ଆମେ ଓଡ଼ିଶାର ଗ୍ରାମୀଣ ସ୍କୁଲଗୁଡ଼ିକରେ ଶିକ୍ଷାଦାନ କ୍ଷମତା ବୃଦ୍ଧି କରୁଛୁ ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ସୁଯୋଗ ପାଇପାରିବେ। ଆମେ ଆମର କାର୍ଯ୍ୟର ଚାରିପାଖରେ ଥିବା ସମ୍ପ୍ରଦାୟ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଚେଷ୍ଟାରତ।”

କୁରାଲୋଇର ସରପଞ୍ଚ ସନାତନ ନାଏକ କହିଛନ୍ତି, “ପ୍ରୋଜେକ୍ଟ ବିଦ୍ୟା ଆମ ସ୍କୁଲଗୁଡ଼ିକ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଅତିରିକ୍ତ ଶିକ୍ଷକ ନିଯୁକ୍ତି ହେବା ସହିତ, ଛାତ୍ରଛାତ୍ରୀମାନେ ଅଧିକ କେନ୍ଦ୍ରିତ ମାର୍ଗଦର୍ଶନ ପାଇବେ, ଯାହା ସେମାନଙ୍କୁ ମୁଖ୍ୟ ବିଷୟ ଗୁଡ଼ିକରେ ଏକ ଦୃଢ଼ ଭିତ୍ତିଭୂମି ଗଠନ କରିବାରେ ଏବଂ ଶିକ୍ଷାରେ ଅଧିକ ଆତ୍ମବିଶ୍ୱାସ ହାସଲ କରିବାରେ ସାହାଯ୍ୟ କରିବ। ବେଦାନ୍ତର ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରଦାୟ ଆବଶ୍ୟକତାକୁ ପୂରଣ କରିବ ଏବଂ ଆମ ଅଞ୍ଚଳରେ ଶିକ୍ଷାକୁ ଉନ୍ନତ କରିବାରେ ବହୁତ ସାହାଯ୍ୟ କରିବ।

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳକ୍ରୀଡା ଏବଂ ସଂସ୍କୃତିକୁ ନେଇ ସାମାଜିକ ପ୍ରଭାବ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧ । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାର ମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେଯେ ଏହାର ହସ୍ତକ୍ଷେପ ଏହାର କାର୍ଯ୍ୟକ୍ଷେତ୍ରରେ ଦୃଢ ସାମାଜିକ-ଆର୍ଥିକ ପ୍ରଗତି ଆଡ଼କୁ ନେଇଯିବ।

ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ, ବେଦାନ୍ତ ଆଲୁମିନିୟମ ହେଉଛି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ, ଯାହା ଭାରତର ଅଧାରୁ ଅଧିକ ଆଲୁମିନିୟମ ଅର୍ଥାତ୍ ଆର୍ଥିକ ବର୍ଷ ୨୫ରେ ୨.୪୨ ନିୟୁତ ଟନ୍ ଉତ୍ପାଦନ କରେ। ଏହା ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦରେ ଏକନେତା ଯାହା ମୂଳଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ପାଏ। ଆଲୁମିନିୟମ ଶିଳ୍ପ ପାଇଁ S&P ଗ୍ଲୋବାଲ କର୍ପୋରେଟ୍ସ ଷ୍ଟେନେବିଲିଟିଆସେସମେଣ୍ଟ 2024 ବିଶ୍ୱ ରାଙ୍କିଂରେ ବେଦାନ୍ତ ଆଲୁମିନିୟମ ଦ୍ୱିତୀୟ ସ୍ଥାନରେ ଅଛି, ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ। ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ରିଫାଇନାରୀ ଏବଂ ପାୱାରପ୍ଲାଣ୍ଟ ସହିତ, କମ୍ପାନୀ ଏକ ସବୁଜ ଆସନ୍ତା କାଲି ପାଇଁ ‘ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ପୂରଣ କରୁଛି।

ନ୍ୟାୟ ଦାବିରେ ୧୦ କିଲୋମିଟର ଚାଲିଲେ ମାଆ

ଅନୁଗୁଳ : ଝିଅକୁ ନ୍ୟାୟ ଦାବିରେ ୧୦ କିଲୋମିଟର ଚାଲିଲେ ମାଆ । ପାଦରେ ଚାଲି ଚାଲି ଯାଇ ଏସପିଙ୍କ ଅଫିସ ଆଗରେ ଧାରଣା ଦେଲେ ଶତାଧିକ ମହିଳା ।  ଅନୁଗୋଳ ସଦର ଥାନା ଶ୍ୟାମସୁନ୍ଦରପୁର ଗାଁରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋଲିସର ହାତ ଖାଲି । ଏଯାଏଁ ଅଭିଯୁକ୍ତର ଟେର ପାଉନି ପୋଲିସ । ଗତ ୭ ତାରିଖରେ ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ । ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ନେଇ ତଦନ୍ତ କରିଥିଲା । ଖୋଦ ଏସପି ରାହୁଲ ଜୈନ ଘଟଣା ସ୍ଥଳକୁ ଯାଇ ତଦାରଖ କରିବା ସହ ଅଭିଯୁକ୍ତକୁ ୧୦ ଦିନ ଭିତରେ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହା ଭିତରେ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲି। ଯେଉଁଥିପାଇଁ ଆନ୍ଦୋଳନକୁ ଓହ୍ଲାଇଥିଲେ ଗାଁର ମହିଳା । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି ଆନ୍ଦୋଳନକାରୀ ।

କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣା, ନିଲମ୍ବିତ ହେଲା କିଲର ଦୀପକ ରାଉତ

ନନ୍ଦିଘୋଷ ବ୍ୟୁରୋ : କମିଶନରେଟ ପୋଲିସର କ୍ରାଇମ୍ ମାଷ୍ଟର ଗୋଗୋ । ଟଙ୍କା ପାଇଁ ପାଲଟିଥିଲା ସିରିଏଲ କିଲର୍ । ଦଗାଦିଆ ଦୀପକକୁ ସସପେଣ୍ଡ କଲେ ଡିସିପି । ରିଓପନ ହେବ ପ୍ରଥମ ସ୍ତ୍ରୀଙ୍କ ମର୍ଡର କେସ୍ । କନଷ୍ଟେବଳ ଶୁଭମିତ୍ରା ହତ୍ୟା ଅଭିଯୁକ୍ତ ଦୀପକ ରାଉତ ପୂର୍ବରୁ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ପ୍ରେମ ବିବାହ କରିଥିଲା । ଅପର୍ଣ୍ଣା ଢେଙ୍କାନାଳ ପରଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ବ ନିରୀକ୍ଷକ ଭାବେ ଚାକିରି କରୁଥିଲେ । ୨୦୨୨ ମାର୍ଚ୍ଚ ୧୭ରେ ରାସ୍ତା ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା କହିଥିଲା ଦୀପକ । ଭୁବନେଶ୍ୱରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ଦୀପକ ଏକ କାହାଣୀ ରଚିଥିବା ଏବେ ଅପର୍ଣ୍ଣାଙ୍କ ପରିବାର ଅଭିଯୋଗ କରିଛନ୍ତି । OD-02-S 3486 ନମ୍ବର ଟ୍ରକ ତାଙ୍କୁ ଧକ୍କା ଦେଇଥିବା କହିବା ପରେ ଖୁଣ୍ଟୁଣି ଥାନାରେ କେସ ନମ୍ବର ୭୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ଦୀପକ ପ୍ରି ପ୍ଲାନ କରି ହତ୍ୟା କରି ଏହାକୁ ଦୁର୍ଘଟଣାର ରୂପ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯେଉଁ ବାବଦରେ ଦୀପକ କୋଟିଏ ଟଙ୍କା ଇନସ୍ୟୁରାନ୍ସ ପାଇଥିଲା । ତେଣୁ ଏହି ଘଟଣାର ବି ତଦନ୍ତ ହେବା ଦରକାର ବୋଲି ସେମାନେ ଦାବି କରିଛନ୍ତି ।

ହତ୍ୟା କରିବା ପରେ ପ୍ରାୟ ୧ ଘଣ୍ଟା ୧୫ ମିନିଟ ଧରି ପୋଲିସ ସେବା ଭବନ ପାର୍କିଂରେ ପାର୍କ ହୋଇଥିଲା ଏହି କାର । ସିସିଟିଭି, ବନ୍ଧୁକଧାରୀ ସୁରକ୍ଷାକର୍ମୀ, ସମସ୍ତେ ଥିବା ସତ୍ୱେ କେହି ମଧ୍ୟ ଏସବୁର ଟେର୍ ପାଇ ନଥିଲେ । ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ । ଜାମିନ ନାମଞ୍ଜୁର ହେବା ପରେ ଦୀପକ ଓ ଅନ୍ୟ ଦୁଇ ସହଯୋଗୀଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଖାକି ବର୍ଦ୍ଦିର ଫାଇଦା ଉଠାଇ ମଣିଷ ପରେ ମଣିଷ ମାରିବାକୁ ପଛାଉନଥିବା ଦୀପକକୁ ନିଲମ୍ବିତ କରାଯାଇଛି । ବ୍ଲାକମାର୍କ ସହ ଖୁବଶୀଘ୍ର ବହିଷ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ପୋଲିସ କମିଶନର । ସେପଟେ ଶୁଭମିତ୍ରାଙ୍କ ମୃତଦେହ କେନ୍ଦୁଝର ହସ୍ପିଟାଲରେ ବ୍ୟବଚ୍ଛେଦ ହେବା ପରେ ପୁରୀରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି । କିନ୍ତୁ ଏଭଳି ବିଭତ୍ସ, ଲୋମହର୍ଷଣକାରୀ କାଣ୍ଡକୁ ସହଜରେ ହଜମ କରିପାରି ନାହାନ୍ତି ପରିବାର ଲୋକେ । ଯଦି ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁଟି ମର୍ଡର କେସ ଭାବେ ରିଓପନ ହୁଏ, ତେବେ ଅନେକ ଲୋକଙ୍କ ସମ୍ପୃକ୍ତି ପଦାକୁ ଆସିପାରେ । ଖାକି ବର୍ଦ୍ଦି ଆଢୁଆଳରେ କ୍ରାଇମ ମାଷ୍ଟର ଗୋଗୋ ପାଲଟିଥିବା ଦୀପକକୁ ସୁରକ୍ଷା ଦେଇଥିବା ବଡ଼ ବାବୁଙ୍କ ମଧ୍ୟ ବଢ଼ିପାରେ ଅଡ଼ୁଆ ।

ରାଜଧାନୀରେ ଆରମ୍ଭ ହେଲା ବୁଲା କୁକୁର ଗଣନା

ଭୁବନେଶ୍ବର : ବିଏମସି ଗଣିଲା ବୁଲା କୁକୁର । ଗଳିକନ୍ଦିରୁ ଆପାର୍ଟମେଣ୍ଟ, ହାଟରୁ ରାସ୍ତା ଘାଟ । ୮ ଦିନରେ ବୁଲିବ ୪ ହଜାର କିଲୋମିଟର । କମିବ କୁକୁର କାମୁଡ଼ା ମାମଲା ଓ ସଡ଼କ ଦୁର୍ଘଟଣା ସଂଖ୍ୟା । ବନ୍ଧ୍ଯାକରଣ ଓ ସଂକ୍ରମଣ କମାଇବା ଲକ୍ଷ୍ୟରେ ବିଏମସି । ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ହୋଇଛି ବୁଲା କୁକୁର ଗଣନା । କୁକୁରମାନେ ବିଳମ୍ବିତ ରାତିରେ ବସସ୍ଥଳୀକୁ ଫେରନ୍ତି । ସକାଳୁ ୭ଟା ଭିତରେ ଖାଦ୍ଯ ଅନ୍ବେଶଣରେ ବାହାରି ଯାଆନ୍ତି । କୁକୁରଙ୍କ ରହିବା ସ୍ଥାନ ଓ ମୁତ୍ର ତ୍ଯାଗର ଲକ୍ଷଣକୁ ନେଇ ହୋଇଛି ଗଣତି । କୁକୁର କାମୁଡ଼ିବା ହ୍ରାସ କରିବା, ରୋଗ ସଂକ୍ରମଣ ରୋକିବା, ଭୁକିବା, ପିଛା କରିବା ବା ପଛରେ ଗୋଡାଇବା, ସଡ଼କ ଦୁର୍ଘଟଣା, ପରିବେଶ ପ୍ରଦୂଷଣ, ବିଏମସି ଅଞ୍ଚଳରେ କୁକୁର ସଂଖ୍ୟା ଜାଣିବା, ମଣିଷ କୁକୁର ମଧ୍ଯରେ ସଂଘର୍ଷ ହ୍ରାସ କରିବା, ବୁଲା କୁକୁରମାନଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ଆଣିବା , କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମର ପ୍ରବର୍ତ୍ତନ କରିବା ଦିଗରେ ଏହା ସହାୟକ ହେବ ।

ବୁଲା କୁକୁର ଗଣନା ପାଇଁ ବଜେଟ ରହିଛି ୫ ଲକ୍ଷ ଟଙ୍କା । ପ୍ରତ୍ୟେକ ସାହି ଓ ୱାର୍ଡରେ ୫ ଜଣ ସଦସ୍ୟକୁ ନେଇ ଗୋଟିଏ ଲେଖାଏଁ ଟିମ ଗଠନ କରାଯାଇଛି । ଗଣନା ସହ କେତେ କୁକୁରଙ୍କ ବନ୍ଧ୍ଯାକରଣ ହୋଇଛି ତାହା ମଧ୍ଯ ଚିହ୍ନଟ ହୋଇ ପାରୁଛି । ପ୍ରଥମ ପର୍ଯ୍ୟାୟ ୪ ଦିନରେ ବୁଲା କୁକୁର ଗଣନା କରିବା ସହ ବୁଲି ଦେଖିବେ ଟିମ୍ । ଦ୍ୱିତୀୟ ପର୍ଯ୍ୟାୟରେ ଆଉଏକ ଟିମ ବୁଲା କୁକୁର ସଂଖ୍ୟାର ବ୍ୟବଧାନ ଯାଞ୍ଚ କରିବେ । ଭୁବନେଶ୍ୱରର ଗଳିକନ୍ଦି ସହ ପ୍ରମୁଖ ରାସ୍ତା ମିଶାଇ ପ୍ରାୟ ୪ ହଜାର କିଲୋମିଟର ବୁଲି ଗଣନା କରାଯିବ । ବିଏମସିର ମାନବ ସମ୍ବଳ ଥିବାରୁ AI ଟେକନୋଲୋଜିକୁ ପ୍ରୟୋଗ କରାଯାଇ ନାହିଁ। ସ୍କୁଲ, ଆପାର୍ଟମେଣ୍ଟ, ହାଟ, ବଜାର ଏବଂ ଗାଡି ତଳେ ଶୋଇଥିବା କୁକୁରଙ୍କୁ ଖୋଜି କରାଯାଉଛି ଗଣନା । ଆଜିଠାରୁ ଦୁଇଟି ପର୍ଯ୍ଯାୟରେ ୨୫ ତାରିଖ ପଯ୍ୟନ୍ତ ୬୭ ଟି ଓ୍ୱାର୍ଡରେ ଗଣନା କାର୍ଯ୍ୟ ଚାଲିବ । ବୁଲା କୁକୁର ଗଣନା ପାଇଁ ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସରଙ୍କ ସମେତ ଏକ କାଳୀନ ୪୧୦ ଟିମ୍ ନିୟୋଜିତ ହୋଇଛନ୍ତି ।

ଗଣତି ମଣତି ନକରି ସ୍ଥାନାନ୍ତର ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର…

ପୁରୀ : ୨୩ ତାରିଖରେ ସ୍ଥାନାନ୍ତର ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଅସ୍ଥାୟୀ ଖଟ ଶେଯ, ଫୁଲ ଶେଯ ଓ ଚାଙ୍ଗଡ଼ା ଘରୁ ଯିବ ମୁଖ୍ୟ ଭଣ୍ଡାର ଘର । ସକାଳ ୭ଟା ୧୭ରୁ  ୧୧ ଟା ୧୭ ମାହେନ୍ଦ୍ର ବେଳାରେ ହେବ ସ୍ଥାନାନ୍ତର । ରତ୍ନ ଭଣ୍ଡାର ସବ କମିଟି ନିଷ୍ପତ୍ତି ପରେ ତେଜିଲା ବିବାଦ । ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ସେବାୟତ ଓ ଗଣନାକାର । ରାଜ୍ୟ ସରକାର ଗଠନ କରିଥିବା ଏସଓପି ବା ମାର୍ଗଦର୍ଶିକା ଆଧାରରେ ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବ । ରତ୍ନ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ଉପରେ ଲାଗିବ କଟକଣା । କୌଣସି ଭକ୍ତଙ୍କୁ ନାଟ ମଣ୍ଡପ କିମ୍ବା ବେହରଣ ଦ୍ଵାର ପର୍ଯ୍ୟନ୍ତ ଛଡା ଯିବ ନାହିଁ । ତେବେ ସରକାରଙ୍କ ଷ୍ଟକ ଆଣ୍ଡ ଷ୍ଟୋର ନିୟମ ଅନୁସାରେ ଗଣତି ମଣତି ନକରି ସ୍ଥାନାନ୍ତରକୁ ନେଇ ତେଜୁଛି ବିବାଦ । ସରକାରଙ୍କ ନିଜ ଆଇନ ନିଜେ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ । ସେପଟେ ସ୍ଥିର ହୋଇଥିବା ମାହେନ୍ଦ୍ର ବେଳା ସଠି ନୁହେଁ ବୋଲି କହିଛନ୍ତି ଗଣନାକାର ।

ରତ୍ନ ଭଣ୍ଡାର ଖୋଲିବା ଠାରୁ ଆରମ୍ଭ କରି ଅଳଙ୍କାର ସ୍ଥାନାନ୍ତର ତଥା ମରାମତି ଯାଏଁ ହୋଇ ପାରିଲାନି ଗଣତିମଣତି । ରତ୍ନର ସ୍ଥିତି ନେଇ କୌଣସି ସଠିକ ଆକଳନ କରା ନଯାଇ ସ୍ଥାନାନ୍ତର ହେବାକୁ ଯାଉଛି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ସେବାୟତ ସନ୍ଦେହ ବ୍ଯକ୍ତ କରିଛନ୍ତି । ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବା ବେଳେ ଗଣତି ମଣତି ନ କରି ସ୍ଥାନାନ୍ତର କରିବା ନିଷ୍ପତ୍ତି କେବଳ ଏକ ପ୍ରହସନ ବୋଲି ସେବାୟତ ଖୋଲାଖୋଲି କହିଛନ୍ତି। ରତ୍ନ ଅଳଙ୍କାର ଗଣତି ମଣତି କେବେ କରାଯିବ ତାହା ଶ୍ରୀମନ୍ଦିର ପରିଚାଳନା କମିଟି ଚୂଡାନ୍ତ ନିଷ୍ପତ୍ତି ନେବାକୁ କୁହାଯାଇଥିବାବେଳେ ଯାହାକୁ ନେଇ ସେବାୟତଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ।

ପୁଣି ଦାଦନ ଦୁଃଖ, ସମ୍ବଲପୁରରୁ ଆସିଲା ସାଂଘାତିକ ଅଭିଯୋଗ

ସମ୍ବଲପୁର : ସମ୍ବଲପୁରରେ ଦାଦନ ଦୁଃଖ । ଆନ୍ଧ୍ରରେ ବନ୍ଧା ପଡ଼ିଛନ୍ତି ଦୁଇ ଯୁବକ । ୫ ମାସ ହେଲା ଛାଡୁନି ମାଲିକ । ଘରକୁ ଫୋନ କରି ଜଣାଇଲେ ନିର୍ଯାତନାର କରୁଣ କାହାଣୀ । ଚିନ୍ତାରେ ପରିବାର ଲୋକେ । ସମ୍ବଲପୁର ବାଉଁସେନମୁରା ଗାଁର ଦୁଇଜଣ ଯୁବକ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମରେ ବନ୍ଧକ ପଡ଼ିଥିବା ଅଭିଯୋଗ ହୋଇଛି । ଲୁଚି ଛପି ଘରକୁ କଲ କରି ଜଣାଇବା ପରେ ଉଭୟଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକ । ଦୁଇ ଯୁବକ କୃଷ୍ଣ ଭୋଇ ଓ ନିର୍ମାଲ୍ୟ କଅଁର ଗତ ୫ ମାସ ତଳେ ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ ।

ମାଲିକଙ୍କ ନିର୍ଯାତନା ଖବର ଶୁଣିବା ପରେ ଆଶା ଆଶଂକାରେ ପରିବାର ଲୋକେ । କାନ୍ଦି କାନ୍ଦି ପୁଅକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଯୁବକଙ୍କ ମାଆ । ଘରର ପରିସ୍ଥିତି ଦେଖି ଭେଣ୍ଡିଆ ପୁଅ କାମକୁ ଯାଇଥିଲା । ସେ ଏବେ କିପରି ଅଛି, ତାକୁ ନେଇ ଚିନ୍ତାରେ ପରିବାର ଲୋକେ । ବାରମ୍ବାର ଅନୁରୋଧ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା କହିଛନ୍ତି ସମ୍ପର୍କୀୟ । ପଶ୍ଚିମ ଓଡ଼ିଶାର ପିଛା ଛାଡୁନି ଦାଦନ ଦୁଃଖ । ବଲାଙ୍ଗୀର ଜିଲ୍ଲାପରେ ଏବେ ସମ୍ବଲପୁରକୁ ବ୍ୟାପିଲାଣି ଏହି ସମସ୍ୟା । ଦୁଇ ଯୁବକଙ୍କୁ ଫେରାଇ ଆଣିବାକୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ପାରାଦୀପରେ ୨୬ରେ ଉର୍ଦ୍ଧ୍ଵ ପେଣ୍ଡାରେ ପୂଜା ପାଉଛନ୍ତି ବିଶ୍ଵକର୍ମା

ପାରାଦୀପ : ସୁଉଚ୍ଚ ତୋରଣ । ଲାଇଟଗେଟ ସାଙ୍ଗକୁ ନାଲି ନେଳି ଆଲୋକମାଳାରେ ଝଲସୁଛି ରାସ୍ତାଘାଟ । ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଇଁ ସଜେଇ ହୋଇଛି ବନ୍ଦରନଗରୀ ପାରାଦୀପ । ଗୋଟିଏ ସ୍ଥାନରେ ୨୬ ରୁ ଉର୍ଦ୍ଧ୍ଵ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ । ସୁଉଚ୍ଚ ଆକର୍ଷଣୀୟ ତୋରଣ ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ । ଗତକାଲି ପ୍ରଥମ ଦିନରେ ପୂଜା ପେଣ୍ଡାଲ ସମେତ ଚଟପଟି ଖାଦ୍ୟ ଓ ଘରକରଣା ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କେତେକ ପୂଜା ପେଣ୍ଡାଲରେ ବିଭିନ୍ନ ଗଛର ଚାରା ବଣ୍ଟନ କରାଯାଇଛି । …

ଆଠଦିନ ଧରି ଚାଲିବାକୁ ଥିବା ପାରାଦୀପର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ସହିତ ଗାଡ଼ି ପାର୍କିଂ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ପ୍ରତ୍ୟେକ ମଣ୍ଡପ ନିକଟରେ ପାଖାପାଖି ୧୦ ଜଣ ପୋଲିସ ଷ୍ଟାଫ ନିୟୋଜିତ ହେବା ସହିତ ପକେଟ୍ ମାର ରୋକିବା ପାଇଁ ସାଧା ପୋଷାକଧାରୀ ପୋଲିସ ନିୟୋଜିତ ହୋଇଛନ୍ତି। ଚଳିତ ବର୍ଷ ପ୍ରତ୍ୟେକ ମଣ୍ଡପ ନିକଟରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରିଛି ପ୍ରଶାସନ । ଆଜି ଠାରୁ ବିଭିନ୍ନ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୂଜା ପାଇଁ ଆସନ୍ତା ୭ ଦିନ ପର୍ଯ୍ଯନ୍ତ ପାରାଦୀପରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ଆକଳନ କରାଯାଇଛି ।

ଧର୍ମଶାଳାରେ ଦିଗହରା ଗ୍ରାମୀଣ ଉଦ୍ୟାନ ଯୋଜନା

ଚଣ୍ଡିଖୋଲ : ଅଧପନ୍ତରିଆ ଅବସ୍ଥାରେ ଯାଜପୁର ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତରେ ନିର୍ମାଣଧୀନ ଗ୍ରାମୀଣ ପାର୍କ । ଜଙ୍ଗଲ ପାଲଟିଗଲାଣି ପାର୍କ ପରିସର । ଗ୍ରାମାଞ୍ଚଳ ଲୋକେ ଯେପରି ପାର୍କର ମଜା ପାଇପାରିବେ ସେହି ଉଦ୍ଦେଶ୍ଯରେ ନିର୍ମାଣ ହୋଇଥିଲା ଏହି ଉଦ୍ଯାନ । ୩୧ ଲକ୍ଷ ଟଙ୍କା ବ୍ୟୟରେ ପାର୍କରେ ପାଚେରୀ ନିର୍ମାଣ ସହ ଗେଟ୍ ଓ ମାଟି କାମ କରାଯାଇଛି । ହେଲେ ନିର୍ବାଚନ ପରଠୁ ପାର୍କ କାମ ପାଇଁ ଆବଶ୍ୟକୀୟ ଅର୍ଥ ଆସୁନାହିଁ । ଫଳରେ ଅଧାଗଢା ଅବସ୍ଥାରେ ପାର୍କଟି ପଡି ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।…

କେବଳ ଥାନୁଆଳ ପଞ୍ଚାୟତ ନୁହେଁ ପୁରୁଣାବଉଳମାଳ ପଞ୍ଚାୟତ ଓ ସାହାଣୀଡିହ ପଞ୍ଚାୟତରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ପୁରୁଣାବଉଳମାଳ ପଞ୍ଚାୟତରେ ନିର୍ମାଣ ହୋଇଥିବା ପାର୍କର ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଛେଳିଗୋରୁଙ୍କ ଚରାଭୂଇଁ ପାଲଟିଛି । ପାର୍କରେ ନିର୍ମାଣ ହୋଇଥିବା ବିଭିନ୍ନ କାରୁକାର୍ଯ୍ଯ ଭାଙ୍ଗିରୁଜି ଗଲାଣି । ସେହିଭଳି ସାହାଣୀଡିହ ପଞ୍ଚାୟତରେ କେବଳ ପାଚେରୀ ନିର୍ମାଣ କରାଯାଇଛି । ଆବଶ୍ୟକୀୟ ଅର୍ଥ ଆସୁ ନଥିବାରୁ ପାର୍କ କାର୍ଯ୍ୟ ଆଗେଇ ପାରୁନି । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଯୋଜନା କରିଛନ୍ତି ହେଲେ ପ୍ରଶାସନିକ ଅବହେଳାରୁ ଯୋଜନାର ସଠିକ୍ ରୂପାୟନ ହୋଇପାରୁନି । ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।…

ଚାରି ମାସ ହେଲା ଜଳଘେରରେ ଦେଢ ଶହ ପରିବାର…

ବାଙ୍କୀ : ଯୁଆଡେ ଦେଖିବେ ଖାଲି ପାଣି । ବୁଡିଯାଇଛି ଗାଁ ଦାଣ୍ଡ । ଘରେ ଓ ବାହାରେ ଲହଡ଼ି ମାରୁଛି ସଢା ପାଣି । ଘରୁ ବାହାରିବା ହୋଇପଡିଛି ମୁସ୍କିଲ । ଆଉ ଏହି ଜଳଘେରରେ ଜୀବନ ବିତାଉଛନ୍ତି ଦେଢ଼ ଶହ ପରିବାର । ଏହା କୌଣସି ଉପାନ୍ତ ଅଞ୍ଚଳର ଚିତ୍ର ନୁହେଁ । ଖୋଦ ରାଜଧାନୀ ଭୁବନେଶ୍ଵର ଓ କଟକ ମଧ୍ୟରେ ଥିବା ବାରଙ୍ଗ ବ୍ଲକ ଦାଢାପାଟଣା ପଞ୍ଚାୟତ ବଙ୍ଗାଳୀସାହିର ଦୃଶ୍ୟ । ବଙ୍ଗାଳୀସାହି ବାସିନ୍ଦା ଦୀର୍ଘ ଚାରି ମାସ ହେଲା ଜଳଘେରରେ ରହିଛନ୍ତି । ଦୀର୍ଘ ଦିନ ହେଲା ଗାଁରେ ପାଣି ଜମିରହିବାରୁ ପାଣିରେ ସାପ, ପୋକ, ଜୋକ ଅବାଧରେ ବିଚରଣ କରୁଛନ୍ତି । ଛୋଟ ପିଲା ଘରୁ ବାହାରିବାକୁ ଭୟ କରୁଛନ୍ତି । ଅନେକ ଲୋକଙ୍କ ଗୋଡ ହାତରେ ଘା’ ହେବା ସହ କିଛି ଲୋକଙ୍କୁ ଡେଙ୍ଗୁ ହେଇଗଲାଣି । ଖାଲି ଏତିକି ନୁହେଁ ଗାଁ ମୁଣ୍ଡରେ ଥିବା ନଳକୂପଟି ପାଣିରେ ବୁଡି ରହିଥିବାରୁ ପାନୀୟ ଜଳ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । କିଛି ଲୋକ ଘର ଛାଡ଼ି ଭଡ଼ା ଘରେ ରହୁଛନ୍ତି।

ବଙ୍ଗାଳୀସାହିରେ ପ୍ରତିବର୍ଷ ଏହିଭଳି ସମସ୍ୟା ଦେଖାଦିଏ । ବର୍ଷା ଦିନେ ନନ୍ଦନକାନନର କିଆକଣି ହ୍ରଦର ପାଣି ଫୁଲିଉଠେ । ଫଳରେ ଗ୍ରାମ ରାସ୍ତା ଜଳମଗ୍ନ ହେବା ସହ କିଛି ଘରେ ପାଣି ପଶିଯାଏ । ଚଳିତ ବର୍ଷ ବର୍ଷା ଲାଗି ରହୁଥିବାରୁ ଗାଁରୁ ପାଣି କମିବାର ନାଁ ଧରୁନାହିଁ । ପୂର୍ବରୁ ଥିବା ଜଳ ନିଷ୍କାସନ ବାଟ ମାଇନର କେନାଲ ଓ ନାଳ ସବୁକୁ ପୋତି ଦିଆଯାଇଛି । ବହୁ ଜମି ମାଫିଆ ଜଳ ନିଷ୍କାସନ ବାଟକୁ ଜବରଦଖଲ କରି ଅବୈଧ ନିର୍ମାଣ କରି ପକାଇଛନ୍ତି । ତେଣୁ କାଞ୍ଜିଆ ଓ କିଆକଣି ହ୍ରଦର ପାଣି ନିଷ୍କାସନ ହୋଇପାରୁନାହିଁ । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ । ଏପଟେ କଟକ ଜିଲ୍ଲାପାଳ କହିଛନ୍ତି , ବଙ୍ଗାଳୀସାହିର ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ଡ୍ରେନେଜ୍ ପ୍ଳାନିଂ ପ୍ରସ୍ତୁତ ହେଉଛି । ବଙ୍ଗାଳୀସାହି ଲୋକଙ୍କ ଯନ୍ତ୍ରଣା କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା ।