spot_img
Home Blog Page 403

କ୍ୟାବିନେଟ ନିଷ୍ପତ୍ତିରେ କାର୍ପଣ୍ୟ : ବିଜ୍ଞପ୍ତି ପ୍ରକାଶ କରିବାକୁ କୁନ୍ଥକୁନ୍ଥ

ନନ୍ଦିଘୋଷ ବ୍ୟୁରୋ : ବ୍ୟଷୟିକ ଶିକ୍ଷାରେ ରାଜ୍ୟର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଆଯିବ । ଖୋଦ ରାଜ୍ୟ ସରକାର ଗତ ମେ ମାସରେ ଏନେଇ ଘୋଷଣା କରିଥିଲେ । କିନ୍ତୁ ଏଯାଏଁ ଏହା କାର୍ଯ୍ୟକାରୀ ହୋଇନାହିଁ । ଯାହାଫଳରେ ଚଳିତ ବର୍ଷ ମେଡିକାଲ ନାମଲେଖାରେ ଓବିସି ଛାତ୍ରଛାତ୍ରୀମାନେ ସଂରକ୍ଷଣ ପାଇପାଇବେ ନାହିଁ । ସେମାନେ ଏବାବଦରେ ପ୍ରାୟ ୨୨୬ ସିଟ୍ ହରେଇବେ । ଏନେଇ ରାଜ୍ୟ ସରକାରଙ୍କ ଦୃଷ୍ଚି ଆକର୍ଷଣ କରିଛି ଓବିସି ଫୋରମ । ଚଳିତ ଶିକ୍ଷାବର୍ଷରେ ୧୧.୨୫% ପ୍ରତିଶତ ସଂରକ୍ଷଣ ନଦେଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଫୋରମ୍ I

ଓବିସି ଛାତ୍ରଛାତ୍ରୀଙ୍କୁ ପୁଣି ପ୍ରତାରଣା ଅଭିଯୋଗ  । କାର୍ଯ୍ୟକାରୀ ହେଉନି ପଛୁଆ ବର୍ଗ ପାଇଁ ସଂରକ୍ଷଣ ଘୋଷଣା । ଚଳିତ ଶିକ୍ଷାବର୍ଷରୁ ସଂରକ୍ଷଣ ଲାଗୁ ନହେଲେ ଆନ୍ଦୋଳନ ଚେତାବନୀ ଦେଲା ଓବିସି ଫୋରମ । ରାଜ୍ୟର ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ସରକାର ଅବହେଳା କରୁଥିବା ଅଭିଯୋଗ I ଗତ ମେ ୧୭ ତାରିଖରେ ଓବିସି ଛାତ୍ରଛାତ୍ରୀଙ୍କୁ ମେଡିକାଲ୍ ଓ ଇଂଜିନିୟରି ଶିକ୍ଷା ପାଇଁ ସଂରକ୍ଷଣ ଦିଆଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ଘୋଷଣାକୁ ୪ ମାସ ବିତିଯାଇଥିଲେ ସୁଦ୍ଧା ସରକାରୀ କଳର ଅବହେଳା ଓ ଓବିସିଙ୍କ ପ୍ରତି ଉଦାସୀନତା ଯୋଗୁଁ ଆଜି ପର୍ଯ୍ୟନ୍ତ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ ବୋଲି ଅଭିଯୋଗ କରିଛି ଓବିସି ଫୋରମ । ଏହାଦ୍ବାରା ଚଳିତ ଶିକ୍ଷାବର୍ଷଠାରୁ ଓବିସି ପିଲାମାନେ ୨୨୬ଟି ମେଡିକାଲ୍ ସିଟ୍ରେ ନାମଲେଖା ସୁଯୋଗ ପାଇବେ ନାହିଁ ବୋଲି ଓବିସି ଫୋରମ୍ ଅଭିଯୋଗ କରିଛି । ରାଜ୍ୟ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ଓବିସିଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିଥିଲେ । ଚଳିତ ଶିକ୍ଷା ବର୍ଷରୁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛି ଓବିସି ଫୋରମ ।

ଓବିସି ବର୍ଗଙ୍କ ପ୍ରତି ସରକାରଙ୍କ ଉଦାସୀନତାକୁ କଂଗ୍ରେସ ମଧ୍ୟ ସମାଲୋଚନା କରିଛି । ଚଳିତ ବିଧାନସଭାରେ ଦଳ ଏହାକୁ ଏକ ପ୍ରସଙ୍ଗ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତ ରାମଚନ୍ଦ୍ର କାଡାମ । ସେ ଅଭିଯୋଗ କରିଛନ୍ତି ଯେ, ସରକାର ଏମିତି ବହୁ ଘୋଷଣା କରୁଛନ୍ତି ଯାହା କାର୍ଯ୍ୟକାରୀ ହେଉନାହିଁ । ସେପଟେ ସରକାର ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କ ସଂରକ୍ଷଣ ନେଇ ବିଚାର କରୁଛନ୍ତି ଏବଂ ଖୁବଶୀଘ୍ର ଏନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଜେପି ବିଧାୟକ ଶତ୍ରୁଘ୍ନ ଜେନା । ଅକ୍ଟୋବର ମାସରେ ଆଡମିସନ ସେସନ୍ ସରୁଥିବା ବେଳେ ତା ଭିତରେ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ଦାବି ରଖିଛି ଓବିସି ଫୋରମ ଓ କଂଗ୍ରେସ ।

ଶିକ୍ଷାନୁଷ୍ଠାନରେ ସୁରକ୍ଷିତ ନାହାନ୍ତି ଛାତ୍ରୀ : ସ୍କୁଲଠୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ସବୁଠି ବିପଦ

ନନ୍ଦିଘୋଷ ବ୍ୟୁରୋ : ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନେଇ ଅଡୁଆରେ ସରକାର। ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଲଟିଛି ମୁଖ୍ୟ ପ୍ରସଙ୍ଗ। ସ୍କୁଲରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ, ସବୁଠି ଅସୁରକ୍ଷିତ ଛାତ୍ରୀ। ବିଧାନସଭାରେ ରାଜ୍ୟ ସରକାରଙ୍କ ଲିଖିତ ଉତ୍ତର ଏହାକୁ ସ୍ପଷ୍ଟ କରିଛି। ଓଡ଼ିଶାରେ ବିଜେପି ସରକାର ଆସିବା ପରଠାରୁ ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ବିଧାୟକ। ଯେଉଁଠି ପଦାରେ ପଡ଼ିଛି ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ଅପାରଗତା। ବାରମ୍ବାର ନାରୀ ସୁରକ୍ଷାକୁ ନେଇ ବିରୋଧୀଙ୍କ ଅଭିଯୋଗକୁ ଅଣଦେଖା କରୁଥିବା ସରକାର ଏବେ ବ୍ୟାକଫୁଟରେ ପଡିଛନ୍ତି।

କେଉଁଠି ଆଦିବାସୀ ସ୍କୁଲରେ ନାବାଳିକା ଛାତ୍ରୀ ଗର୍ଭବତୀ ହେଉଛନ୍ତି ତ ଆଉ କେଉଁଠି ଅଧ୍ୟାପକ ଫେଭର ମାଗିବାରୁ ଆତ୍ମାହୁତି ଦେଉଛନ୍ତି ଛାତ୍ରୀ। ବିଧାନସଭାରେ ପଦାରେ ପଡ଼ିଛି ରାଜ୍ୟରେ ଛାତ୍ରୀ ସୁରକ୍ଷାର ବିକଳ ଚିତ୍ର। ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ଯେ ଛାତ୍ରୀ ଅସୁରକ୍ଷିତ, ଏହାକୁ ବିଧାନସଭାରେ ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତର ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି। ବିଜେପି ସରକାର ଆସିବା ପରଠାରୁ ରାଜ୍ୟର ୧୭ଟି ବିଶ୍ବବିଦ୍ୟାଳୟରୁ ୬ଟି ବିଶ୍ୱବିଦ୍ୟାଳୟରେ ବଢିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା। ୧୯ ଜଣ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି। ୬ ଯୌନ ନିର୍ଯାତନା, ୯ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଓ ୨ ଜଣ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରାଯାଇଛି। ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଜରିଆରେ ଏହାକୁ ସ୍ୱୀକାର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଉତ୍କଳ ବିଶ୍ଵବିଦ୍ୟାଳୟରେ ସର୍ବାଧିକ ୭ଟି ମାମଲା ରହିଛି। ଯେଉଁଥରୁ ତିନୋଟି ଯୌନ ନିର୍ଯାତନା, ଗୋଟିଏ ଅଶ୍ଳୀଳ ଭାଷା ପ୍ରୟୋଗ ଓ ଅନ୍ୟଟି ମାନସିକ ନିର୍ଯାତନା ମାମଲା। ସେହିପରି ବାଣୀବିହାରରେ ରହିଛି ହଷ୍ଟେଲ ସୁରକ୍ଷା ପ୍ରସଙ୍ଗ।  ଫକିର ମୋହନ ବିଶ୍ବବିଦ୍ୟାଳୟରେ ତିନୋଟି ମାନସିକ ନିର୍ଯାତନା, ଗଙ୍ଗାଧର ମେହେରରେ ଗୋଟିଏ ଯୌନ ନିର୍ଯାତନା, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଗୋଟିଏ ମାନସିକ ନିର୍ଯାତନା ଓ ଅସଦାଚରଣ, ରେଭେନ୍ସାରେ ୩ଟି ମାନସିକ ନିର୍ଯାତନା ଅଭିଯୋଗ ରହିଛି। ଏଥିରୁ ବାଦପଡ଼ିନି ଏକକ ମହିଳା ବିଶ୍ୱବିଦ୍ୟାଳୟ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ଯୌନ ନିର୍ଯାତନା ଯୋଗୁଁ ମାନସିକ ନିର୍ଯାତନାର ଶିକାର ହୋଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ମହିଳା ବିଶ୍ୱବିଦ୍ୟାଳୟରେ ମଧ୍ୟ ଅସୁରକ୍ଷିତ ଅଛନ୍ତି ଛାତ୍ରୀ। ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ରାଜ୍ୟର ୯ଟି ଜିଲ୍ଲାରେ ଛାତ୍ରୀ ନିର୍ଯାତନା ନେଇ ୩୨ଟି ମାମଲା ରୁଜୁ ହେଇଛି। କନ୍ଧମାଳ ବାଲିଗୁଡା ସରକାରୀ ହାଇସ୍କୁଲରେ ସର୍ବାଧିକ ୧୧ଟି ମାମଲା ରହିଛି। ସେହିପରି ସୁନ୍ଦରଗଡ଼ର ଠାକୁରପାଲି ପୁଷ୍ପା ମଞ୍ଜରୀ ସରକାରୀ ହାଇସ୍କୁଲ ଓ ପୁଷ୍ପମଞ୍ଜରୀ ହାଇସ୍କୁଲ ଗୁରୁଣ୍ଡିଆ ବିରୋଧରେ ୨ଟି ଲେଖାଏଁ ମାମଲା ରହିଛି।

ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ଜଣେ ଲେଖାଏଁ ସ୍କୁଲ ଛାତ୍ରୀ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଗଂଜାମ, କେନ୍ଦ୍ରାପଡା, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଦୁଇଟି ଲେଖା ମାମଲା ରହିଛି। ଛାତ୍ରୀ ଅସୁରକ୍ଷିତ ନେଇ ବିଧାନସଭାରେ ସରକାର ତଥ୍ୟ ଦେବା ପରେ ଅକଳରେ ପଡ଼ିଛି ବିଜେପି। ଓଲଟି ଛାତ୍ରୀ ଅସୁରକ୍ଷିତ ନୁହନ୍ତି ବୋଲି କହି ଦୋଷ ଲୁଚାଇବାକୁ ଆପ୍ରାଣ ଉଦ୍ୟମ କରୁଛି ବିଜେପି। ଗତ ଦେଢ଼ ବର୍ଷ ଭିତରେ ବିଭିନ୍ନ କ୍ଷେତ୍ରରେ ନାରୀ ସୁରକ୍ଷା ପ୍ରସଙ୍ଗ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଆଗକୁ ସରକାର ଏ ଦିଗରେ ପଦକ୍ଷେପ ନ ନେଲେ, ପୁଣି ଥରେ ସଶକ୍ତ ନାରୀ ଘରର ଚାରି କାନ୍ଥ ଭିତରକୁ ଠେଲି ହେବାର ଆଶଙ୍କା ଉପୁଜିଥିବା ନେଇ ଚର୍ଚ୍ଚା ଜୋର ଧରିଲାଣି।

ବିଧାନସଭାରେ ସାର ତାତି : ଗୃହରେ ବିଜେଡି ବିଧାୟକଙ୍କ ପ୍ରତିବାଦ ଓ ନାରାବାଜି

ନନ୍ଦିଘୋଷ ବ୍ୟୁରୋ : ବିଧାନସଭାରେ ସାର ତାତି । ପ୍ରଶ୍ନୋତ୍ତରକାଳ ଆରମ୍ଭରୁ ବିଜେଡି ଚାଷୀଙ୍କ ପାଇଁ ଗୃହରେ ପ୍ରତିବାଦ କରିଛି । ସାର ଦୁର୍ନୀତି ଅଭିଯୋଗରେ ପ୍ରଶ୍ନୋତ୍ତରକାଳ ବାତିଲ କରି ଆଲୋଚନା ପାଇଁ ଦାବି କରିଛି । ସାର କଳାବଜାରୀ କଥା ସରକାର ମାନିଥିଲେ ମଧ୍ୟ କାହିଁକି ଚାଷୀଙ୍କୁ ଚାଷ ସମୟରେ ସାର ଯୋଗାଇ ଦିଆଯାଉନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି । କଂଗ୍ରେସ ମଧ୍ୟ ନିଜ ଆସନରେ ଛିଡାହୋଇ ପ୍ରତିବାଦ କରିଛି । ବିଜେପି କିନ୍ତୁ ଚିରାଚରିତ ଢଙ୍ଗରେ ଉତ୍ତର ଦେଇଛି ଆବଶ୍ୟକ ସାର ମହଜୁଦ ଅଛି । ସାର କଳାବଜାରୀ ସମସ୍ୟା ଚାଲିଥିବାବେଳେ ଚାଷୀଙ୍କୁ ନେଇ ବିଜେପି ବିଧାୟକ ଅଗସ୍ତି ବେହେରା ଦେଇଛନ୍ତି ବିବାଦୀୟ ବୟାନ । ଯାହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ସାର କଳାବଜାରୀକୁ ନେଇ ବିଧାନସଭା ହୁଲସ୍ତୁଲ । ଧୋଇଗଲା ଦ୍ବିତୀୟ ଦିବସ । ଗୃହରେ ବିଜେଡି ବିଧାୟକଙ୍କ ପ୍ରତିବାଦ ଓ ନାରାବାଜି । ପ୍ରଶ୍ନକାଳ ବାତିଲ କରି ସାର ପାଇଁ ସ୍ବତନ୍ତ୍ର ଆଲୋଚନା ଦାବି । କଂଗ୍ରେସର ବି ସରକାରଙ୍କୁ ଟାର୍ଗେଟ । ଶାସକ ଦଳର ଚିରାଚରିତ ଉତ୍ତର । ସାର ତାତିରେ ସାରାଦିନ ଗୃହ ଠପ । କାଲିଯାଏଁ ମୁଲତବୀ । ଦିନଯାକ ଚାଲିପାରିଲାନି ଗୃହ । ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ପ୍ରତିବାଦ। ସାର କଳାବଜାରୀ ଚଳିବ ନାହିଁ, ପ୍ରଶ୍ନକାଳ ବାତିଲ କରି କର ଆଲୋଚନା । ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ରାଜ୍ୟରେ ସାର ସଙ୍କଟ ନେଇ ଚାଷୀ ହନ୍ତସନ୍ତ ହୋଇଥିବାରୁ ବିଜେଡି ବିଧାନସଭାରେ ଏହାର ଜୋରଦାର ପ୍ରତିବାଦ କରିଛି । କଂଗ୍ରେସ ନିଜ ଆସନରେ ଠିଆ ହୋଇ ସରକାରଙ୍କ ଚାଷୀମାରଣା ନୀତି ବିରୋଧରେ ପ୍ରତିବାଦ କରିଛି । ସାର ପ୍ରସଙ୍ଗରେ ଗୃହରେ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ପ୍ରଥମେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପୁଣି ବିରୋଧୀ ସାର ସଂସକଟକୁ ନେଇ ହୋହଲ୍ଲା କରିବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଥିଲେ । ତେବେ ଚାଷୀ ପ୍ରସଙ୍ଗରେ ସରକାରଙ୍କ ଏପରି ଆଭିମୁଖ୍ୟ ନେଇ ଗୃହ ବାହାରେ ବର୍ଷିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସରକାର କହୁଛନ୍ତି ସାର ମହଜୁଦ ଅଛି । ତେବେ ଚାଷୀଙ୍କୁ କାହିଁକି ସରକାର ସାର ଦେଉନାହାଁନ୍ତି ବୋଲି ପ୍ରସନ୍ନ ପ୍ରଶ୍ନ କରିଛନ୍ତି । ଆବଶ୍ୟକୀୟ ସାର ମିଳୁନଥିବାରୁ ଚାଷୀ ମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟରେ ଚାଷୀଙ୍କ ସଂଖ୍ୟା ୬୦ ଭାଗ । ତେଣୁ ଚାଷୀଙ୍କ ସମସ୍ୟା ବାବଦରେ ଆଲୋଚନା ପାଇଁ ବିଜେଡି ଦାବି କରିଥିଲା ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ସରକାରଙ୍କୁ ବିଜେଡି ଚେତାବନୀ ଦେଇ କହିଛି, ପ୍ରଶ୍ନକାଳ ବାତିଲ କରି ସାର ଆଲୋଚନା କରାନଗଲେ ବିଜେଡି ବିଧାନସଭା ଚଳାଇଦେବ ନାହିଁ ।

ସାର ସମସ୍ୟା ଚାଲିଥିବାବେଳେ ଚାଷୀଙ୍କୁ ନେଇ ବିଜେପି ବିଧାୟକ ଅଗସ୍ତି ବେହେରା ଏକ ବିବାଦୀୟ ବୟାନ ଦେଇଛନ୍ତି । ସମବାୟ ସମିତି ଆଗରେ ଜାଲ ଚାଷୀଙ୍କୁ ବିରୋଧୀ ଠିଆ କରି ଆନ୍ଦୋଳନ କରୁଛନ୍ତି ବୋଲି ସେ କହିଛନ୍ତି । ଯାହାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ବିଜେପି ହେଉଛି ଶିଳ୍ପପତିଙ୍କ ସରକାର । ତେଣୁ ଚାଷୀଙ୍କ ପ୍ରତି ତାଙ୍କର କୌଣସି  ସହାନୁଭୂତି ନାହିଁ । କଂଗ୍ରେସ ମଧ୍ୟ ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଚାଷୀ ସାର ପାଉନି । ସବୁଠି ହାହାକାର । ବିଧାନସଭାରେ ଆଲୋଚନା ହୋଇଥିଲେ ସମାଧାନ ବାହାରିଥାନ୍ତା । ସାର ଅଭାବ ପ୍ରସଙ୍ଗରେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ବିଧାନସଭାରେ ଘେରିବା ପରେ ଅକଳରେ ପଡିଛନ୍ତି ରାଜ୍ୟ ସରକାର । ତେବେ ପ୍ରଶ୍ନ ଉଠୁଛି ଆଗାମୀ ଦିନରେ ଗୃହ ଚାଲିବ ତ ?

 

ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ରାଜଧାନୀ : ରଙ୍ଗୀନ ଆଲୋକରେ ଝଟକିଲାଣି ଭୁବନେଶ୍ବର ରାଜରାସ୍ତା

ନନ୍ଦିଘୋଷ ବ୍ୟୁରୋ : ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ରାଜଧାନୀ । ତୋରଣ ଓ ସାଜସଜ୍ଜାକୁ ନେଇ ପୂଜାମଣ୍ଡପ ଗୁଡିକରେ ଲାଗିଗଲାଣି ଅଘୋଷିତ ପ୍ରତିଯୋଗିତା । ହାତରେ ଦିନ କେଇଟା ଥିବାରୁ କାରିଗରଙ୍କ ଠାରୁ ଶିଳ୍ପୀମାନେ ଅବିଶ୍ରାନ୍ତ ପରିଶ୍ରମ କରୁଛନ୍ତି । ସୂଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳାରେ ଝଟକିଲାଣି ଭୁବନେଶ୍ବର ରାଜରାସ୍ତା । ଦେଶ ବିଦେଶର ତୋରଣ ଭିତରେ ପୂଜା ପାଇବେ ମାଆ ଦୁର୍ଗା ।

ରାଜଧାନୀରେ ଶାରଦୀୟ ମାହୋଲ । ରଙ୍ଗୀନ ଆଲୋକରେ ଝଟକିଲାଣି ରାଜରାସ୍ତା । ଦୁର୍ଗତନାଶିନୀଙ୍କ ଆବାହନ ପାଇଁ ପ୍ରସ୍ତୁତ ହେଲେଣି ପୂଜା ମଣ୍ଡପ । କିଛି କିଛି ମଣ୍ଡପରେ ତୋରଣ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ମୃଣ୍ମୟ ମୃତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର I ନୟାପଲ୍ଲୀ ଦୂର୍ଗା ମଣ୍ଡପରେ ଦକ୍ଷିଣ ଭାରତର କଳା ସଂସ୍କୃତିକୁ ଦେଖିବେ ଦର୍ଶକ । ଉଚ୍ଚ ଅଟ୍ଟାଳିକା ସମ୍ପୂର୍ଣ୍ଣ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଭିତରେ ପୂଜା ପାଇବେ ମାଆ । ତୋରଣ ଭିତର ଓ ବାହାରେ ଦେଖିବାକୁ ମିଳିବ କେରଳ କୁଚିପୁଡି ନୃତ୍ୟର ଝଲକ । ମେଦିନିପୁରର ୩୦ରୁ ଅଧିକ କାରିଗର ଏହାକୁ ନିର୍ମାଣ କରୁଛନ୍ତି । ୭୫ ଫୁଟର ତୋରଣରେ ବିରାଜିବେ ମାଆ ଦୁର୍ଗା ।

ପୁଣି ପ୍ରତିବର୍ଷ ପୂଜାରେ କିଛି ଭିନ୍ନ କରୁଥିବା ରସୁଲଗଡ଼ ପୂଜା ମଣ୍ଡପରେ ଏଥର ଦେଖିବାକୁ ମିଳିବ ଉତ୍ତରାଖଣ୍ଡ ପାହାଡ଼ ଗୁମ୍ଫାରେ ଦେବୀ ମନ୍ଦିର । ୮୫ ଫୁଟ ଉଚ୍ଚ ଓ ୧୨୦ ଫୁଟ ଚଉଡ଼ା ବିଶିଷ୍ଟ ଏହି ତୋରଣ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ପାହାଡ଼ ଉପରେ ଗଛଲତା ସହ ଗୁମ୍ଫା ଭିତରେ ପ୍ରବେଶ କରି ମାଆ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାର ରୋମାଞ୍ଚକର ଅନୁଭୂତି ପାଇବେ ଲୋକେ । ୫୦ ଜଣ ବଙ୍ଗୀୟ କାରିଗର ପ୍ରାୟ ଦୁଇମାସ ହେଲା ତୋରଣ ନିର୍ମାଣ କାମରେ ଲାଗିଛନ୍ତି ।

 

ବ୍ରହ୍ମପୁର ଏମକେସିଜିରେ ନାହିଁ ବର୍ଣ୍ଣ ୟୁନିଟ : ଚିକିତ୍ସା ଅଭାବରୁ ରୋଗୀଙ୍କ ହେଉଛି ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମପୁର ବଡ଼ ମେଡିକାଲରେ କେବେ ଖୋଲିବ ବର୍ଣ୍ଣ ୟୁନିଟ୍ । ଚିକିତ୍ସା ଅଭାବରୁ ଅନେକ ରୋଗୀ ଏଠାକୁ ଆସି ନିରାସ ଫେରୁଛନ୍ତି । ଆବଶ୍ଯକ ସୁବିଧା ନଥିବାରୁ ଅନେକ ରୋଗୀଙ୍କ ମୃତ୍ଯୁ ମଧ୍ଯ ହେଲାଣି । ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ପ୍ରସଙ୍ଗ ଉଠୁଥିଲେ ମଧ୍ୟ କାର୍ଯ୍ୟକାରୀ କରିବା ଦିଗରେ ଆନ୍ତରିକତା ନଥିବା ଦେଖିବାକୁ ମିଳୁଛି ।

ଦକ୍ଷିଣା ଓଡ଼ିଶାର ପ୍ରମୁଖ ହସପିଟାଲ ବ୍ରହ୍ମପୁର MKCG ମେଡିକାଲ କଲେଜ । ହେଲେ ହସପିଟାଲରେ ଜଳାପୋଡ଼ା ରୋଗୀଙ୍କ ପାଇଁ ନାହିଁ ସ୍ବତନ୍ତ୍ର ବ୍ଯବସ୍ଥା । କିଛିବର୍ଷ ପୂର୍ବେ ଘଟିଥିବା ଡଙ୍କଲପାଡ଼ୁ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୧୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ I ସେହି ସମୟରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ବର୍ଣ୍ଣ କେୟାର ୟୁନିଟ୍ ଖୋଲିବା ନେଇ ସବୁଜ ସଂକେତ ଦେଇଥିଲେ । କିନ୍ତୁ ୫ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏହା କେବଳ କାଗଜକଲମରେ ସୀମିତ ରହିଛି । ବର୍ତ୍ତମାନ ପ୍ରଥମ ମହଲାରେ ଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । କିନ୍ତୁ ଆବଶ୍ୟକ ସୁବିଧା ନଥିବାରୁ କେବଳ ୩୦ ପ୍ରତିଶତରୁ କମ୍ ପୋଡ଼ିଥିବା ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯାଇ ପାରୁଛି ।

MKCG ମେଡିକାଲ ପରିସରରେ ଥିବା ହାଉସ୍ ସର୍ଜନ ହଷ୍ଟେଲ ସ୍ଥାନରେ ବର୍ଣ୍ଣ କେୟାର ୟୁନିଟ୍ କୋଠା ନିର୍ମାଣ କରିବାକୁ ପ୍ରସ୍ତୁତି କରାଯାଇଥିଲା । ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ସ୍ଵାସ୍ଥ୍ୟ ବିଭାଗକୁ ପଠାଯାଇଛି । ଏଥିପାଇଁ ପ୍ଲାଷ୍ଟିକ ସର୍ଜରୀ କିମ୍ବା ସର୍ଜରୀ ବିଭାଗର ଜଣେ ଆସୋସିଏଟ୍ ପ୍ରଫେସର, ଜଣେ ଆସିଷ୍ଟାଣ୍ଟ ପ୍ରଫେସର, ୪ଜଣ ସିନିୟର ରେସିଡେଣ୍ଟ, ୪ଜଣ ଜୁନିୟର ରେସିଡେଣ୍ଟ ଏବଂ ନିଶ୍ଚେତକ ବିଭାଗର ୪ ଜଣ ସିନିୟର ରେସିଡେଣ୍ଟ ଡାକ୍ତରଙ୍କୁ ମିଶାଇ ମୋଟ ୧୭ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା MKCG ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା । ବର୍ତ୍ତମାନ ବିଭିନ୍ନ ବିଭାଗର ୩ ଜଣ ଡାକ୍ତର ଉପଲବ୍ଧ ଥିବା ବେଳେ ଆଉ ୧୪ ଟି ନୂତନ ଡାକ୍ତର ପଦବୀ ସୃଷ୍ଟି କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଆନ୍ତରିକତା ନଥିବା ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି ।

ଅବ୍ୟବସ୍ଥାରେ ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟ : ୮୦ ଜଣ ଅତିଥି ଅଧ୍ୟାପକରେ ଚାଲିଛି ପାଠପଢ଼ା

ନନ୍ଦିଘୋଷ ବ୍ୟୁରୋ : ଅବ୍ୟବସ୍ଥା ମଧ୍ୟରେ ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟ । ଅତିଥି ଅଧ୍ୟାପକରେ ଚାଲଛି ପାଠପଢ଼ା । ବିଶ୍ବବିଦ୍ୟାଳୟର କୁଳୁପତିଙ୍କୁ ଘେରିଲେ ଅତିଥି ଅଧ୍ୟାପକ। ହେଲେ ୭ ମାସ ହେଲା ମିଳିନି ଦରମା । ଉଚ୍ଚଶିକ୍ଷା ବିଭାଗର ନୂଆ ନୟମ ଅନୁସାରେ ପ୍ରତି କ୍ଲାସ ପାଇଁ ୭ଶହ ଟଙ୍କା ହୋଇଥିବା ବେଳେ ଏବେ ବି ୫ ଶହ ଟଙ୍କା ମିଳୁଛି । ଯାହାକୁ ନେଇ ଆଜି କୁଳପତିଙ୍କ କାର୍ଯ୍ଯାଳୟ ଆଗରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି ଶତାଧିକ ଅତିଥି ଅଧ୍ୟାପକ। ଧାରଣା ଯୋଗୁଁ ଛାତ୍ରଛାତ୍ରୀଙ୍କ ପରିକ୍ଷା ବି ବାତିଲ୍ ହୋଇଛି ।

ଅତିଥି ଅଧ୍ୟାପକଙ୍କ ହାତରେ ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ ଦାୟିତ୍ବ ନେଉଛନ୍ତି ପ୍ରାୟ ୮୦ ଅତିଥି ଅଧ୍ୟାପକ । ଉଚ୍ଚଶିକ୍ଷା ବିଭାଗର ନୂଆ ନିୟମ ଅନୁସାରେ ପ୍ରତି କ୍ଲାସକୁ ୭ ଶହ ଟଙ୍କା ମିଳିବାକୁ ଥିବାବେଳେ ମିଳୁଛି ୫ ଶହ ଟଙ୍କା । ତଥାପି ୭ ମାସ ହେଲା ମିଳିନି ଦରମା । ପ୍ରତିବାଦରେ ଧାରଣାକୁ ଓଲ୍ଲାଇଛନ୍ତି ଅତିଥି ଅଧ୍ୟାପକ । ନୁତନ ଦର ଅନୁଯାୟୀ ଅର୍ଥ ଦାବି କରି ଧାରଣା ଦେଇଛନ୍ତି ଅତିଥି ଅଧ୍ୟାପକ । ଫଳରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ କରାଯାଇଛି । ସେପଟେ ସମାଧାନ ପାଇଁ ୩ ଦିନ ସମୟ ଦେଇଛନ୍ତି ଆନ୍ଦୋଳନରତ ଅଧ୍ୟାପକ । ସମାଧାନ ନହଲେ ପୁଣି କ୍ଲାସ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବିଶ୍ବବିଦ୍ୟାଳୟରେ ୧୨୦ ଜଣ ଅଧ୍ୟାପକ ରହିବା କଥା । ହେଲେ ନିଯୁକ୍ତି ନଥିବାରୁ ୮୦ ଜଣ ଅତିଥି ଅଧ୍ୟାପକ ରେ ଚାଲିଛି ପାଠପଢ଼ା । ଫଳରେ ଛାତ୍ରଛାତ୍ରୀଙ୍କ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ସେପଟେ କୁଳପତି କହିବା କଥା, ଅତିଥି ଅଧ୍ୟାପକ ମାନେ ଗତ ୭ ମାସ ଧରି ଦରମା ପାଇନଥିବା ଖବର ସେ ଅବଗତ ଅଛନ୍ତି । ତୁରନ୍ତ ଉଚ୍ଚଶିକ୍ଷା ବିଭାଗ ସହିତ ଆଲୋଚନା କରି ଏହାର ସମାଧାନ ଦିଗରେ କାର୍ଯ୍ୟ କରାଯିବ ।

 

ଆହୁରି ଶକ୍ତିଶାଳୀ ହେଲା ଉପକୂଳ ଓଡ଼ିଶା : ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ଶକ୍ତିଶାଳୀ ଜାହାଜ

ନନ୍ଦିଘୋଷ ବ୍ୟୁରୋ : ଆହୁରି ଶକ୍ତିଶାଳୀ ହେଲା ଉପକୂଳ ଓଡ଼ିଶା । ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ଦୃତଗାମୀ ଓ ଶକ୍ତିଶାଳୀ ଜାହାଜ ICGS ଅଦମ୍ୟ । ଉପକୂଳରେ ଅନୁପ୍ରବେଶକୁ ରୋକିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଯୋଗାଇବ ସାହାଯ୍ୟ । ଯାହା ଭାରତୀୟ ତଟରକ୍ଷୀ ବାହିନୀର କାର୍ଯ୍ୟ ଦକ୍ଷତା କୁ ଆହୁରି ବୃଦ୍ଧି କରିଛି ।

ଶକ୍ତିଶାଳୀ ହେଲା ଭାରତୀୟ ତଟରକ୍ଷୀ ବାହିନୀ । ତଟରକ୍ଷାରେ ସାମିଲ ହେଲା ICGS ଅଦମ୍ୟ । ଓଡ଼ିଶାର ଉପକୂଳରେ ଅନୁପ୍ରବେଶ ଓ ଶତ୍ରୁଙ୍କ କରିବ ଦମନ । ପ୍ରାକୃତିକ ବିପର୍ଯ୍ଯୟ ସମୟରେ ଉପକୂଳବାସୀଙ୍କୁ ହେବ ସହାୟ । ଭାରତୀୟ ତଟରକ୍ଷୀ ବାହିନୀର ଶକ୍ତି ବୃଦ୍ଧି କରିଛି ICGS ଅଦମ୍ୟ । ଏଥିରେ ଦୁଇଟି ଶକ୍ତିଶାଳୀ ଇଞ୍ଜିନ ସହିତ ସମୁଦ୍ରରେ ଦୃତ ଗତିରେ ଯିବା ଆସିବା କରିବାର କ୍ଷମତା ରହିଛି । ୫୧ ମିଟର ଲମ୍ବର ଏହି ଜାହାଜ ୬୦ ପ୍ରତିଶତ ଆତ୍ମନିର୍ଭର ଭାରତ ଅଧିନରେ ଗୋଆରେ ତିଆରି କରାଯାଇଛି । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଗୋଟିଏ ୩ ଏମଏମ CRN-91 ବନ୍ଧୁକ, ଦୁଇଟି ୧୨.୭ ଏମ୍ ଏମ୍ ବନ୍ଧୁକ, ରିମୋଟ କଣ୍ଟ୍ରୋଲ ମେସିନ ଗନ୍, ସ୍ବୟଂ ଚାଳିତ ଶକ୍ତି ପରିଚାଳନା ସିଷ୍ଟମ ମଧ୍ୟ ରହିଛି । ଏଥିରେ ୫ ଜଣ ଅଧିକାରୀ ଓ ୪୩ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଯାହା ଭାରତୀୟ ତଟରକ୍ଷୀ ବାହିନୀର କାର୍ଯ୍ୟ ଦକ୍ଷତାକୁ ଆହୁରି ବୃଦ୍ଧି କରିଛି ।

ଓଡ଼ିଶାର ୪୮୦ କିଲୋମିଟର ବ୍ୟାପୀ ଉପକୂଳବର୍ତ୍ତୀ ସମୁଦ୍ରରେ ପଇଁନ୍ତରା ମାରିବ ICGS ଅଦମ୍ୟ । ଓଡ଼ିଶା ଉପକୂଳରେ ଅନୁପ୍ରବେଶ ରୋକିବା ସହିତ ବାତ୍ୟା ଓ ଲଘୁଚାପ ଜନିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷା ଦେବାରେ ହେବ ସହାୟକ । ଜାହାଜଟି ଭାରତୀୟ ତଟରକ୍ଷୀ ବାହିନୀର ପାରାଦ୍ଵୀପ ମୁଖ୍ୟାଳୟ ଅଧିନରେ କାର୍ଯ୍ୟ କରିବ । ଆଜି ଏହାର ଅବତରଣ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରାଳୟ ର ଯୁଗ୍ମ ସଚିବ ସତ୍ୟଜିତ ମହାନ୍ତି ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ଏହି ଐତିହାସିକ ମୃହୁର୍ତ୍ତକୁ ଦେଖିବାର ସୁଯୋଗ ପାଇଥିଲେ ।

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ମହିଳା ନିର୍ଯାତନା : ପର୍ଯ୍ୟଟନ କ୍ଷେତ୍ର ବି ପାଲଟିଛି ନାରୀ ପିପାସୁଙ୍କ ଆଡ୍ଡା

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନାରୀ ନିର୍ଯାତନା । ଦିନକୁ ଦିନ ଅସୁରକ୍ଷିତ ହେଉଛନ୍ତି ମହିଳା । ତେଣୁ ଆଇନକୁ କଡ଼ାକଡ଼ି ପାଳନ କରିବା ତଥା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ପୁରୀ ଜିଲ୍ଲାରେ ବଳଙ୍ଗା ଓ ବାଲି ହରଚଣ୍ଡୀ ଘଟଣା ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଟିଥିବା ଘଟଣାକୁ ନେଇ ତୀବ୍ର ସମାଲୋଚନା କରିଛି ପୁରୀ ମହିଳା ବିଜେଡି । ଏପରିକି ଉପ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଏନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଅସୁରକ୍ଷିତ ମହିଳା । ଦିନକୁ ଦିନ ବଢି ଚାଲିଛି ନିର୍ଯାତନା । ବଢୁଛି ଦୁଷ୍କର୍ମ, ହତ୍ଯା ପରି ଜଘନ୍ଯ କାଣ୍ଡ । ପର୍ଯ୍ଯଟନ କ୍ଷେତ୍ର ବି ପାଲଟି ନାରୀ ପିପାସୁଙ୍କ ଆଡ୍ଡା । ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ମହିଳା ବିଜେଡି । ସଚେତନ ସହ ଆଇନକୁ କଡ଼ାକଡ଼ି କରିବାକୁ ଦାବି । ସମଗ୍ର ରାଜ୍ୟରେ ପ୍ରତିଦିନ ମହିଳାମାନଙ୍କ ପ୍ରତି କିଛି ନା କିଛି ଅଘଟଣ ଘଟଣା ପ୍ରତିଦିନ ଖବରର ଶିରୋନାମା ସାଜୁଛି । ନାରୀ ସୁରକ୍ଷା ପାଇଁ ଅନେକ ଆଇନ ଥିବା ସତ୍ତ୍ବେ ଏହାକୁ ଠିକଭାବେ କାର୍ଯ୍ୟକାରୀ କରାଯାଉ ନାହିଁ । ସମାଜ କଲ୍ୟାଣ ଦିଗରେ ମହିଳା ସୁରକ୍ଷା ଏକ ପ୍ରମୁଖ କାର୍ଯ୍ୟ ହୋଇଥିବା ବେଳେ ଏ ଦିଗରେ ସରକାର ପଦକ୍ଷେପ ନେବାର ଆବଶ୍ଯକତା ରହିଛି । ଏଥିପାଇଁ ବ୍ୟାପକ ଜନ ସଚେତନତା ସହ ନାରୀ ସୁରକ୍ଷା ଆଇନକୁ ରାଜ୍ୟରେ କଡ଼ାକଡ଼ି ଲାଗୁ କରିବାକୁ ବିଭିନ୍ନ ମହଲରେ ଉଠିଛି ଦାବି।

ପୁରୀ ଜିଲ୍ଲାରେ ବଳଙ୍ଗା ଓ ବାଲି ହରଚଣ୍ଡୀ ଘଟଣା ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏପରି ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଯାହାକୁ ନେଇ ମହିଳା ବିଜେଡି ବିକ୍ଷୋଭ କରିବା ସହ ରାଜରାସ୍ତାକୁ ଓହ୍ଲାଇଛି । ପୂର୍ବ ସରକାରଙ୍କ ସମୟରେ ମହିଳାଙ୍କୁ ଯଥେଷ୍ଟ ସମ୍ମାନ ମିଳୁଥିଲା । ଏବେ ମହିଳାମାନେ କେଉଁଠି ନିଜକୁ ସୁରକ୍ଷିତ ମଣୁ ନଥିବା ଦଳ ଅଭିଯୋଗ କରିଛି । ଘଟଣା ବହୁଳ ସମାଜରେ ନାରୀ ନିର୍ଯାତନାକୁ ନେଇ ଆଇନ ଅନୁଯାୟୀ କଡ଼ା ଦଣ୍ଡବିଧାନ ପାଇଁ ପ୍ରଶାସନିକ ପଦକ୍ଷେପର ଆବଶ୍ୟକତା ରହିଛି । ଏହାଦ୍ବାରା ନାରୀ ହିଂସାକୁ ରୋକାଯାଇ ପାରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ଅଲୋଡା ପାଲଟିଛନ୍ତି ସରକାରୀ ବିଦ୍ୟଳୟ ଛାତ୍ରଛାତ୍ରୀ : ୬ ମାସରୁ ଅଧିକ ସମୟ ବିତିଲାଣି ହେଲେ ପିଲାଙ୍କୁ ମିଳିନି ୟୁନିଫର୍ମ

ନନ୍ଦିଘୋଷ ବ୍ୟୁରୋ : ସରକାର ବଦଳିବା ପରେ ଅଲୋଡା ପାଲଟିଛନ୍ତି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ । ଶିକ୍ଷା ବର୍ଷର ୬ ମାସରୁ ଅଧିକ ସମୟ ବିତିଲାଣି ହେଲେ ଏଯାଏଁ ପିଲାଙ୍କୁ ମିଳିନି ୟୁନିଫର୍ମ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁରରେ କୌଣସି ବିଦ୍ୟାଳୟରେ ମିଳିନି ନୂତନ ପୋଷାକ । ଜୋତା ବଦଳରେ ଚପଲ, ପୁରୁଣା ଓ ଛିଣ୍ଡା ପୋଷାକ ପିନ୍ଧି ସ୍କୁଲ ଆସୁଛନ୍ତି ପିଲା । ଯାହାକୁ ନେଇ ଶିକ୍ଷକ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ।

ସରକାର ବଦଳିବା ପରେ ଅଲୋଡା ପାଲଟିଛନ୍ତି ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ । ୨୦୨୫-୨୬ ଶିକ୍ଷାବର୍ଷର ୬ ମାସରୁ ଅଧିକ ସମୟ ବିତିଲାଣି ହେଲେ ଏଯାଏଁ ପିଲାଙ୍କୁ ମିଳିନି ୟୁନିଫର୍ମ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁରରେ କୌଣସି ବିଦ୍ୟାଳୟରେ ମିଳିନାହିଁ ନୂତନ ପୋଷାକ । ପୁରୁଣା, ଛିଣ୍ଡା ଓ ଘରୋଇ ପୋଷାକ ପିନ୍ଧି ସ୍କୁଲ ଆସୁଛନ୍ତି ଛାତ୍ରଛାତ୍ରୀ । ନା ବେକରେ ପଡିଛି ପରିଚୟ ପତ୍ର ନା ପାଦରେ ଜୋତା । ପୂର୍ବ ସରକାରଙ୍କ ସମୟରେ ପିଲାଙ୍କୁ ସଠିକ ସମୟରେ ବହି ପତ୍ର, ପୋଷାକ, ଜୋତା ଯୋଗାଇ ଦିଆଯାଉଥିଲା । ହେଲେ ବିଜେପି ସରକାର ଆସୁଆସୁ ୟୁନିଫର୍ମର ରଙ୍ଗ ତ ବଦଳାଇ ଦେଲେ ହେଲେ ପିଲାଙ୍କୁ ପୋଷାକ ଯୋଗାଇବେ କେବେ ?

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ୨୨ଟି ହାଇସ୍କୁଲ ରହିଥିବା ବେଳେ କୌଣସି ସ୍କୁଲରେ ନୂଆ ପୋଷାକ ମିଳିନାହିଁ । ଅନେକଙ୍କ ସ୍କୁଲ ଡ୍ରେସ ଚିରି ଯାଇଥିବାରୁ ପିଲା ବିଦ୍ୟାଳୟ ଆସିବାକୁ ଅମଙ୍ଗ ହେଉଛନ୍ତି । ଯାହାକୁ ନେଇ ଶିକ୍ଷକ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ସରକାର ତୁରନ୍ତ ପିଲାଙ୍କୁ ପୋଷାକ ଓ ଜୋତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଶିକ୍ଷାବିତ । ଅନ୍ୟପଟେ ଏ ସଂପର୍କରେ ମଣ୍ଡଳ ଶିକ୍ଷାଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ପୀଠ : ଘଣ୍ଟଘଣ୍ଟାରେ କମ୍ପୁଛି ପରିବେଶ

ନନ୍ଦିଘୋଷ ବ୍ୟୁରୋ : ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ବିରଜା କ୍ଷେତ୍ର । ମାଆଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲିଥିବା ବେଳେ ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ମାଆଙ୍କ ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ମାଆଙ୍କ ରଥଯାତ୍ରା ପାଇଁ ରଥଖଳାରେ ଜୋରଦାର ଚାଲିଛି ରଥ ନିର୍ମାଣ । ଅମାବାସ୍ୟା ପ୍ରତିପଦା ଠାରୁ ଆରମ୍ଭ ହେବ ମାଆଙ୍କ ରଥଯାତ୍ରା ।

ମାଆଙ୍କ ଆଗମନ ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ । ଲାଗୁଛି ଭକ୍ତଙ୍କ ଗହଳି । ଘଣ୍ଟଘଣ୍ଟାରେ କମ୍ପୁଛି ପରିବେଶ । ଧୂପଦୀପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦୂତିବାହାନ ଓଷା ଠାରୁ ମା ବିରଜାଙ୍କ ଷୋଳ ଦିନାତ୍ମକ ପୂଜା ଆରମ୍ଭ ହୋଇଛି । ପିତୃପକ୍ଷ ଚାଲିଥିବାରୁ ନାଭିଗୟାରେ ପିଣ୍ଡଦାନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ସେପଟେ ମାଙ୍କ ରଥଯାତ୍ରା ପାଇଁ ରଥଖଳାରେ ଜୋରଦାର ଚାଲିଛି ରଥ ନିର୍ମାଣ କାମ ।

ମାଆ ବିରଜାଙ୍କ ପୀଠରେ ନବରାତ୍ର ସମୟରେ ରଥଯାତ୍ରା ଆରମ୍ଭ ହୁଏ । ପ୍ରତିବର୍ଷ ମହାଳୟା ଅମାବାସ୍ୟା ପ୍ରତିପଦା ଠାରୁ ମାଆଙ୍କ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୁଏ । ପ୍ରତିପଦାଠାରୁ ମାଆଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରାଯାଏ । ୯ ଦିନ ଧରି ମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା କରନ୍ତି ମାଆ । ଏଭଳି ବିରଳ ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳୁନଥିବାରୁ ମାଆଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ । ଚଳିତ ବର୍ଷ ରଥଯାତ୍ରା ଓ ନବରାତ୍ର ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ମାଆଙ୍କ ପୀଠରେ ଚାଲିଥିବା ସ୍ୱତନ୍ତ୍ର ପୂଜା ଓ ରଥଯାତ୍ରା ଆୟୋଜନ ପାଇଁ ସମଗ୍ର ଅଂଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ ।