spot_img
Home Blog Page 401

କୁକୁଡ଼ା ଚାଷୀଙ୍କ ପାଇଁ ଖୁସି ଖବର: ଏଣିକି କୁକୁଡ଼ା ପାଳନ ହେବ ବୀମାଭୁକ୍ତ

କୁକୁଡ଼ା ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି କୁକୁଡ଼ା ପାଳନ ହେବ ବୀମାଭୁକ୍ତ । ଚାଷୀଙ୍କୁ ମିଳିବ ଆର୍ଥିକ ପ୍ରୋତ୍ସାହନ । କୁକୁଡ଼ା ଓ ଅଣ୍ଡା ଉତ୍ପାଦନରେ ସ୍ବାବଲମ୍ବୀ ହେବ ଓଡ଼ିଶା । ଭୁବନେଶ୍ୱର ଭେଟେନାରୀ ପଡିଆରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଭାରତ ପୋଲଟ୍ରି ଏକ୍ସପୋ ୨୦୨୫ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ୭୫ କମ୍ପାନୀ ସାମିଲ ହୋଇ ନିଜ ଉତ୍ପାଦ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ କମ୍ପାନୀର କୁକୁଡ଼ା ଫାର୍ମରେ ବ୍ୟବହୃତ ଅତ୍ୟଧୁନିକ ଯନ୍ତ୍ରପାତି, ଗ୍ୟାସ, ବ୍ୟାଟେରୀ, ଇଲୋକ୍ଟ୍ରୋନିକ ଲାଇଟ, ସେନ୍ସର, ଦାନା ମେସିନ ଆଦି ପ୍ରଦର୍ଶିତ ହୋଇଛି । କୁକୁଡ଼ା, ବତକ ଚାଷ ପାଇଁ ଅତ୍ୟଧୁନିକ ଜ୍ଞାନକୌଶଳ ନେଇ ମିଳୁଛି ଶିକ୍ଷା । ବିଭିନ୍ନ ରାଜ୍ୟର କମ୍ପାନୀ, ବଡ଼ ଫାର୍ମ, କୃଷି ବିଶେଷଜ୍ଞ, ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ସାମିଲ ହୋଇ ଅତ୍ୟାଧୁନିକ ପ୍ରଣାଳିରେ କିପରି କୁକୁଡ଼ା ଚାଷ କରି ଚାଷୀ ଲାଭବାନ ହେବେ ସେନେଇ ଜ୍ଞାନ ଆହରଣ କରିଛନ୍ତି ।

ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଏକ୍ସପୋ ୩ ଦିନ ଧରି ଚାଲିବ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ବିଶେଷକରି ଓଡିଶାରେ କୁକୁଡ଼ା ଚାଷକୁ ବୀମାଭୁକ୍ତ କରିବା ଓ ଚାଷୀଙ୍କୁ ଅଧିକ ସବସିଡି ପ୍ରଦାନ ନେଇ ସରକାର ଚିନ୍ତା କରୁଥିବା କହିଛନ୍ତି ମନ୍ତ୍ରୀ । ଏପରି ଏକ ଏକ୍ସପୋ କୁକୁଡ଼ା ଚାଷୀଙ୍କୁ ସହାୟକ ହେବ ବୋଲି କହିଛନ୍ତି ଓୟୁଏଟି କୁଳପତି ।

ଲୋକଙ୍କୁ ଘାରିଛି ରାତାରାତି ଧନୀ ହେବାର ନିଶା: ସୁଯୋଗ ଉଠାଇ ଲୁଟୁଛନ୍ତି ସାଇବର ଲୁଟେରା

ଲୋକଙ୍କୁ ଘାରିଛି ରାତାରାତି ଧନୀ ହେବାର ନିଶା । ସୁଯୋଗ ଉଠାଇ ଲୁଟୁଛନ୍ତି ସାଇବର ଲୁଟେରା । ବେଆଇନ ଅଫିସ ଖୋଲି ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ଠକ । କଟକ LG-LF ୱର୍କ ନାମକ ଏମିତି ଏକ ସଂସ୍ଥା ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ୩ ମାସତଳେ ଦେଉଳି ସାହିରେ ଅଫିସ ଖୋଲିଥିଲା ସଂସ୍ଥା । ପ୍ରଥମେ ପ୍ରଥମେ ଗ୍ରାହକମାନଙ୍କୁ ଏକ ଆପ୍ ଡାଉନଲୋଡ କରାଇ ସେଥିରେ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଇ ଥିଲା । ଲୋକମାନେ ଟଙ୍କା ଲଗାଇବା କ୍ଷଣି ଦିନେ ଦୁଇଦିନ ମଧ୍ୟରେ ଭଲ ରିଟର୍ଣ୍ଣ ମଧ୍ୟ ପାଇଥିଲେ । ଚେନରେ ଅନ୍ୟ ଲୋକଙ୍କୁ ସାମିଲ କରି ଜମା ରାଶିର ୫୦ ପ୍ରତିଶତ କମିଶନ ମଧ୍ୟ ପାଇଲେ । ଅଧିକ ଅର୍ଥ ଲଗାଇଲେ ଅଧିକ ଲାଭର ଲୋଭ ଦେଲା କମ୍ପାନୀ । ଲୋଭରେ ପଡ଼ି କଟକ ଓ ଚୌଦ୍ଵାର ଅଞ୍ଚଳର ଶତାଧିକ ଲୋକ ଏଥିରେ କୋଟି କୋଟି ଟଙ୍କା ବିନିଯୋଗ କରିଥଇଲେ । ତେବେ ଗତ ମଙ୍ଗଳବାର ଠାରୁ ଆଉ ଆପ ଖୋଲୁନି । କେୱାଇସି ଅପଡେଟ କଲେ ବି ଉଠୁନି ଟଙ୍କା । ଏନେଇ ସାଇବର ଓ ବିଡ଼ାନାସୀ ଥାନାରେ ଅଭିଯୋଗ କରିଛନ୍ତି ଲୋକେ ।

କମ୍ପାନୀ ସେବି ଅଧିନରେ ରହିଛି ଓ ରେଟିଂ ଭଲ ଅଛି ବୋଲି କହି ଲୋକଙ୍କ ବିଶ୍ବାସ ଜନ୍ମାଇଥିଲା ସଂସ୍ଥା । ହେଲେ ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ଲୋକେ ଥାନାରେ ଅଭିଯୋଗ କରିବା ସହ ତାଙ୍କ ଟଙ୍କା ଫେରାଇ ଆଣିବାକୁ ଅପିଲ କରିଛନ୍ତି । ବିଡାନାସୀ ପୋଲିସ ଠକେଇର ଶୀକାର ହୋଇଥିବା ଲୋକଙ୍କୁ ବୁଝାସୁଝା କରି ସାଇବର ଥାନାକୁ ପଠାଇ ଥିଲେ । ସେଠାରେ ବିଧିବଦ୍ଧ ଅଭିଯୋଗ କଲାପରେ ତଦନ୍ତ ହେବ ବୋଲି ପ୍ରତିଶୃତି ଦେଇଥିଲେ । ସେପଟେ ଏହି ଘଟଣା ପରେ ଭୟରେ କମ୍ପାନୀର ଦୁଇଜଣ କର୍ମଚାରୀ ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ଅପହରଣ ପରେ ବୀଭତ୍ସ ହତ୍ୟା: ଚନ୍ଦକାରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

ଅପହରଣ ପରେ ବୀଭତ୍ସ ହତ୍ୟା । ଚନ୍ଦକାରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ । ୨ କୋଟି ଟଙ୍କା ନଦେବାରୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ । ଚନ୍ଦକା-ବାରଙ୍ଗ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର । ରାଜଧାନୀରେ ପୁଣି ବିଭତ୍ସ ହତ୍ୟା । ପ୍ରଥମେ ଅପହରଣ ପରେ ହତ୍ୟା କରି ଫିଙ୍ଗି ଦେଲେ ଦୁର୍ବୃତ୍ତ । ଚନ୍ଦକା-ବାରଙ୍ଗ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର ପରେ କିଏ କାହିଁକି ଘଟାଇଲା ଏଭଳି କାଣ୍ଡ ତାକୁ ନେଇ ଚାଲିଛି ତନାଘନା । ମୃତକ ହେଉଛନ୍ତି ଟ୍ୟାକ୍ସି ଡ୍ରାଇଭର୍ ବିଦ୍ୟାଧର ସାହୁ । ନିଟକସ୍ଥ ଜଙ୍ଗଲରେ ମୃତଦେହ ପଡ଼ିଥିବାବେଳେ ରାସ୍ତାକଡ଼ରେ ତାଙ୍କର ଗାଡ଼ି ଠିଆ ହୋଇଥିଲା । ଦେହ ସାରା କ୍ଷତଚିହ୍ନ ଥିବାବେଳେ ବେକରେ ଗୁଡା ହୋଇଛି ଧଳା ଗାମୁଛା  । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ  । ସେପଟେ ପରିବାର ଲୋକ ଆଣିଛନ୍ତି ସାଂଘାତିକ ଅଭିଯୋଗ  । ମୁଣ୍ଡ ଜାମିନ ରଖି ୨ କୋଟି ଟଙ୍କା ଦେବାକୁ ଫୋନ କରିଥିଲେ ଦୁର୍ବୃତ୍ତ । ହେଲେ ଥାନାରେ ଏତଲା ଦେବା ପରେ ତାଙ୍କୁ ହତ୍ୟା କରାଯାଇଛି ।

ଗତ ୧୫ ତାରିଖରୁ ନିଖୋଜ ଥିଲେ ବିଦ୍ୟାଧର । ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ । ୪ ମାସ ହେଲା ସେ ବିବାହ କରିଥିଲେ । ପରିବାର ସହ ଭୁବନେଶ୍ଵର ରହି ଗାଡ଼ି ଚଳାଉଥିଲେ । ଗତ ୧୫ ତାରିଖ ଦିନ ଯାଜପୁର ଭଡ଼ାରେ ଯାଇ ଆଉ ତାଙ୍କର ଖୋଜ ଖବର ମିଳି ନଥିଲା । ଶୁକ୍ରବାର ଦିନ ମଙ୍ଗୁଳି ଟୋଲ ଗେଟ ପାର ହୋଇଥିବା ଟୋଲ ଗେଟ ଫି ମେସେଜ୍ ସହ ଆସିଥିଲା ଦୁର୍ବୃତ୍ତଙ୍କ କଲ  । ବଡଗଡ ଥାନାରେ ଏନେଇ ଏତଲା ଦେଇଥିଲେ ପରିବାର ଲୋକେ । ସେପଟେ ମୃତଦେହ ଉଦ୍ଧାର ପରେ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରିଛନ୍ତି ଚନ୍ଦକା ଥାନା, ବଡଗଡ ଥାନା ଅଧିକାରୀ । କାର ଭିତରେ ଥିବା ବ୍ଯାଗ ଭିତରୁ କିଛି କାଗଜପତ୍ର ମିଳିଛି  । ଜଣେ ମହିଳାଙ୍କ ଗାଡ଼ିକୁ ମାସିକ ସୂତ୍ରରେ ଭଡ଼ାଆଣି ନିଜେ ଚଳାଉଥିଲେ ବିଦ୍ୟାଧର ।

ସାର ଅଭାବ ନେଇ ସାରା ରାଜ୍ୟରେ ଚାଷୀ ହନ୍ତସନ୍ତ: ରାଜ୍ୟପାଳଙ୍କୁ ବିଜେଡିର ଫେରାଦ

ସାର ସଂକଟକୁ ନେଇ ବିଧାନସଭା ହୁଲସ୍ତୁଲ । ସାରା ରାଜ୍ୟରେ ସାର ଅଭାବ ନେଇ ଚାଷୀ ହନ୍ତସନ୍ତ । ହେଲେ ସାର ସମସ୍ୟା ନେଇ ଗୃହରେ ସ୍ବତନ୍ତ୍ର ଆଲୋଚନାକୁ ଡରୁଛନ୍ତି ସରକାର । ଗତକାଲିଠୁ କଂଗ୍ରେସ ସାର ସଂକଟ ନେଇ ଗୃହରେ ମୁଲତବୀ ଆଲୋଚନା ଦାବିକୁ ଗ୍ରହଣ କରିଛନ୍ତି ବାଚସ୍ପତି। କିନ୍ତୁ ମୁଖ୍ୟ ବିରୋଧୀ ଦଳ ବିଜେଡି ସାର ସଂକଟ ନେଇ ଗୃହର ସବୁ କାର୍ଯ୍ୟ ବାତିଲ କରି ସାର ଉପରେ ସ୍ବତନ୍ତ୍ର ଆଲୋଚନା ପାଇ ଦାବି କରିଆସୁଛି। ଯାହାକୁ ନେଇ ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିଜେଡି ବିଧାୟକ ମାନେ ଗୃହରେ ନାରାବାଜି କରିବା ସହିତ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ଏହାକୁ ନେଇ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଅପରାହ୍ନ ଅଧିବେଶନ ଆରମ୍ଭ ହେବାମାତ୍ରେ ସମାନ ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ ଆଲୋଚନା ଦାବି କରି ହଟ୍ଟଗୋଳ କରିଥିଲେ । ହେଲେ ବାଚସ୍ପତି ଗୃହକୁ ସୋମବାର ଯାଏ ମୁଲତବୀ ରଖିଛନ୍ତି । ଗୃହ ମୁଲତବୀ ପରେ ସନ୍ଧ୍ୟା ୫ଟାରେ ବିଜେଡି ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ସାର ସଂକଟ ନେଇ ସରକାର ଆଲୋଚନାକୁ ପଛଘୁଞ୍ଚା ଦେଉଥିବା ନେଇ ସ୍ମାରକପତ୍ର ପ୍ରଦାନ କରିଛି । ଗତକାଲି ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟ ବିରୋଧୀ ଦଳର ଦାବି ଗ୍ରହଣ ନହେବାରୁ ଗୃହକାର୍ଯ୍ୟ ଅଚଳ ହୋଇଥିଲା ।

ଆୟୁଷ୍ମାନ କାର୍ଡ ପରେ ମଧ୍ୟ ନର୍ସିଂ ହୋମ୍ ମୋଟା ଅଙ୍କର ଅର୍ଥ ଦାବି କରୁଥିବା ଅଭିଯୋଗ

ଆୟୁଷ୍ମାନ କାର୍ଡ ପରେ ମଧ୍ୟ ପ୍ରସବ ପାଇଁ ନର୍ସିଙ୍ଗ ହୋମ ମୋଟା ଅଙ୍କର ଅର୍ଥ ଦାବି କରୁଥିବା ଅଭିଯୋଗ ହୋଇଛି। ଟଙ୍କା ନଦେଲେ ମେଡ଼ିସିନ ବନ୍ଦ କରିଦେବାକୁ ଧମକ ଦିଆଯାଉଛି। କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମରୁ ଆସିଛି ଏଭଳି ସଂଗୀନ ଅଭିଯୋଗ। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ନଥିବାରୁ ଘସିପୁରା ଥାନା ସରେଇଁ ଗାଁର ବିଜୟ କୁମାର ସାହୁ ପତ୍ନୀଙ୍କର ପ୍ରସବ ନିମନ୍ତେ ଶୈଲଙ୍ଗ ନିକଟସ୍ଥ ଘରୋଇ ହେଲଥ କେୟାରକୁ ନେଇଥିଲେ। ଆୟୁଷ୍ମାନ କାର୍ଡ ଦେଲା ପରେ ମଧ୍ୟ ଜୋରଜବରଦସ୍ତ ୧୫ ହଜାର ଟଙ୍କା ଦାବି କରିଥିଲେ ନର୍ସିଙ୍ଗ ହୋମ ର ମୁଖ୍ୟ ପରିଚାଳକ।

ବାଧ୍ୟ ହୋଇ ପରିଚାଳକ ଦେବାଶିଷ ଷଡ଼ଙ୍ଗୀଙ୍କ ଫୋନ ପେ କୁ ୧୦ହଜାର ଟଙ୍କା ପଠାଇଥିଲେ। ତାପରେ ଆରମ୍ଭ ହୋଇଥିଲା ଅପରେସନ। ଡାକ୍ତରଖାନାରେ ଡାକ୍ତର ନଥିବା ବେଳେ ଅନ୍ୟ ଡାକ୍ତରଖାନା ର ଡାକ୍ତର ସେଠାରେ ଯାଇ ଅପରେସନ କରିଥିଲେ। ସବୁଠାରୁ ବଡ଼ କଥା ନର୍ସିଙ୍ଗ ହୋମର ମୁଖ୍ୟ ପରିଚାଳକ କୌଣସି ଆନାସ୍ଥେସିଆ ଡାକ୍ତର ନଡାକି ସବୁ ସମୟରେ ନିଜେ ଆନାସ୍ଥେସିଆ ଦେଉଥିବା ଅଭିଯୋଗ ହେଉଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଫୋନ ଯୋଗେ ପଚାରିବାରୁ ଆୟୁଷ୍ମାନ କାର୍ଡ ଥିଲେ କୌଣସି ରୋଗୀଙ୍କ ଠାରୁ ଅର୍ଥ ଆଦାୟ ବେଆଇନୁ ବୋଲି କହିଛନ୍ତିତ। ତେବେ ଯଦି ଏଭଳି ଘଟଣା ଘଟିଛି ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପ୍ରତିଶୃତି ଦେଇଛନ୍ତି।

ପାରମ୍ପରିକ ବଳଦ ଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି

ଭୁବନର ବଡ ପର୍ବ ଦଶହରା । ଏହା ପୂର୍ବରୁ ହୋଇଥାଏ ପାରମ୍ପରିକ ବଳଦ ଯାତ୍ରା। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ୨ ମାସ ପୂର୍ବରୁ ବଳଦିଆ କମିଟି ତରଫରୁ ବଳଦିଆଙ୍କୁ ଗୁଆ ନଡ଼ିଆ ଦେଇ ବଳଦ ବରଣୀ କରାଯାଇଛି। ପରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇ ବଳଦକୁ ଗ୍ରାମରେ ଚଲାଇବା ଅଭ୍ୟାସ କରାଯାଉଛି । ବିଶ୍ବାସ ରହିଛି ଶୁଭ ଖୁଣ୍ଟିକୁ ରୀତିନୀତି ଅନୁଯାୟୀ ପୂଜାପାଠ ନକଲେ ଯାତ୍ରାରେ ବଳଦ ଚାଲି ନଥାଏ। ଏଥିସହିତ ଜଙ୍ଗଲରୁ ବଗ ପକ୍ଷୀ ସଂଗ୍ରହ କରି ବିଭିନ୍ନ ରଙ୍ଗରେ ଟାହିଆ ପ୍ରସ୍ତୁତି କରାଯାଏ । ଏହି ଟାହିଆ, ଶୃଙ୍ଗାର, ଘଣ୍ଟ, ପାଲଣ ଓ ଘୁଙ୍ଗୁର ଲଗାଇ ବଳଦକୁ ସଜ୍ଜିତ କରାଯାଇଥାଏ। ବଳଦକୁ ଦୁଇ ମାସ ପୂର୍ବରୁ ସଜାଇ ଅଭ୍ୟାସ କରାଯାଇଥାଏ। ଯେପରି ଯାତ୍ରା ସମୟରେ କୌଣସି ଅଘଟଣ ନଘଟେ । ଏହି ବଳଦଯାତ୍ରାରେ କିଛି ଶଣ୍ଢ ମଧ୍ୟ ସାମିଲ ହେବେ ।

ବିଜୟା ଦଶମୀ ଓ ଏକାଦଶୀ ୨ ଦିନ ଧରି ରାତ୍ର ସମୟରେ ଏହି ବଳଦ ଯାତ୍ରା ଅନୁଷ୍ଠିତ ହେବ। ଏକାଦଶୀ ଦିନ ରାବଣପୋଡ଼ି ସରିବା ପରେ ଭସାଣ ଯାତ୍ରା ଆରମ୍ଭ ହୋଇ ସକାଳ ୭ ପର୍ଯ୍ୟନ୍ତ ଚାଲିବ ବୋଲି ଶାନ୍ତି କମିଟିରେ ନିଷ୍ପତ୍ତି ହୋଇଛି। ସେହିପରି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପାନୀୟ ଜଳ, ପରିମଳ, ଆଲୋକୀକରଣ ଓ ସମସ୍ତ ପ୍ରକାର ସହଯୋଗ କରାଯିବ । ଡିଜେ ଭାଇବ୍ରେଟରକୁ ସମ୍ପୂର୍ଣ୍ଣ ବାରଣ କରାଯିବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି।

ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ଏକାଧିକ ଲକ୍ଷ୍ମୀ ବସଷ୍ଟାଣ୍ଡ

ଅଧପନ୍ତରିଆ ଲକ୍ଷ୍ମୀ ବସଷ୍ଟାଣ୍ଡ । କେଉଁଠି ଚାରିପଟେ ଗଛ ଉଠି ଜଙ୍ଗଲ ହୋଇଗଲାଣି ତ କେଉଁଠି ଅଧାଗଢ଼ା ହୋଇ ପଡିଛି । ଏ ହେଉଛି ନବରଙ୍ଗପୁର ଜିଲ୍ଲାର ଏକାଧିକ ଲକ୍ଷ୍ମୀ ବସଷ୍ଟାଣ୍ଡର ଭାଗ୍ୟ। ଦୁର୍ଗମ ଅଞ୍ଚଳରୁ ସହର ସହିତ ଯୋଡି ଗମନାଗମନରେ ଉନ୍ନତି ଆଣିବା ଲକ୍ଷ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ ସେବା । ଏହାଦ୍ୱାରା ମିଶନ ଶକ୍ତି ମହିଳା, ଭିନ୍ନକ୍ଷମ, ଗର୍ଭବତୀ ଓ ଅନ୍ୟ ମହିଳାମାନେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ସହଜରେ ଯାତାୟାତ କରିପାରୁଥିଲେ । ଜିଲ୍ଲାରେ ୪୫ଟି ବସ ଯୋଗାଇଦିଆଯାଇଛି । ତେବେ କେତେବେଳେ ଲକ୍ଷ୍ମୀ ବସଷ୍ଟାଣ୍ଡର ଖର୍ଚ୍ଚକୁ ନେଇ ତ ଆଉ କେତେବେଳେ ବସର ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦରେ ଛନ୍ଦି ହୋଇପଡିଛି ଏହି ଯୋଜନା । ଏଠାର ସ୍ୱତନ୍ତ୍ର ଭାବେ ଲକ୍ଷ୍ମୀ ବସ ଷ୍ଟାଣ୍ଡ ନିର୍ମାଣ କରାଯିବା ପାଇଁ ବ୍ୟବସ୍ଥା ହୋଇଥିଲା । ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟରେ ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ଲକ୍ଷ୍ମୀ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ପାଇଁ ଧାର୍ଯ୍ୟ ହୋଇଥିଲା । ଅନେକ ସ୍ଥାନରେ ନିର୍ମାଣ କାମ ସରିଯାଇଥିବା ବେଳେ ଅନେକ ସ୍ଥାନରେ ନିର୍ମାଣ କାମ ଅଧପନ୍ତରିଆ ହୋଇପଡିଛି । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି ।

କେବଳ ଲକ୍ଷ୍ମୀ ବସର ରଙ୍ଗ ପରିବର୍ତ୍ତନ କରି ସରକାର ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଓ ଠିକାଦାରଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ପାଇଁ ଦାବି କରିଛି ଜିଲ୍ଲା ବିଜେଡି । ଏହାସହ ଖୁବଶୀଘ୍ର ଏହି ବସ ଷ୍ଟାଣ୍ଡ ନିର୍ମାଣ କାମ ସାରିବାକୁ ଦାବି କରିଛି ଦଳ । ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ଚେତାବନୀ ଦିଆଯାଇଛି । ଅନ୍ୟ ପଟେ ଜିଲ୍ଲାସ୍ତରୀୟ ଅଧିକାରୀ ଏହାକୁ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

କାଗଜ କଲମରେ ଚାଲିଛି ଫାଣ୍ଡି: ବସି ବସି ଦରମା ନେଉଛନ୍ତି କର୍ମଚାରୀ

ଫାଣ୍ଡି ଗାଏବ। କାଗଜ କଲମରେ ଚାଲିଛି ଫାଣ୍ଡି। ବସି ବସି ଦରମା ନେଉଛନ୍ତି କର୍ମଚାରୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଗୁପ୍ତି ଫାଣ୍ଡିର ମିଳୁନି ଖୋଜ ଖବର । ତାଳଚୁଆ ଠାରେ ସାମୁଦ୍ରିକ ଥାନା ପ୍ରତିଷ୍ଠା ହେବାପରେ ତାଳଚୁଆରୁ ଫାଣ୍ଡିଙ୍କୁ ଗୁପ୍ତିକୁ ସ୍ଥାନାନ୍ତର ପାଇଁ ଚିଠି ହୋଇଥିଲା । କେନ୍ଦ୍ରାପଡ଼ା ଏସପି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରିଥିଲେ । ଏହା ପରେ ଗୁପ୍ତିଠାରେ ଫାଣ୍ଡି ଖୋଲାଯିବା ପାଇଁ ସରକାରୀସ୍ତରରେ ମଂଜୁରୀ ପ୍ରଦାନ କରାଯାଇଥିଲା। ଗୁପ୍ତି ପଂଚାୟତ ଅଫିସରେ କିଛି ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ଫାଣ୍ଡି କାର୍ଯ୍ୟକ୍ଷମ ହୋଇଥିଲା । ବର୍ତ୍ତମାନ ଏହି ଫାଣ୍ଡିରେ ୨ଜଣ କନଷ୍ଟେବଳ, ଜଣେ ସୁଇପର ଓ ୨ ଜଣ ହାବିଲଦାର ଡ୍ୟୁଟି କରୁଥିବା ଦର୍ଶାଇ ଦରମା ନେଉଛନ୍ତି । ମାତ୍ର ଫାଣ୍ଡି କେବଳ କାଗଜ କଲମରେ ହିଁ ଚାଲିଛି । ଦିନକୁ ଦିନ ରାଜନଗର ଅଞ୍ଚଳରେ ଆଇନ ଶୃଙ୍ଖଳା ବୃଦ୍ଧି ପାଉଥିବା ବେଳେ ଫାଣ୍ଡି ଗାଏବ ହୋଇଯିବା ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି ।

ରାଜନଗର ଥାନା ଗୁପ୍ତି ଅଞ୍ଚଳକୁ ପ୍ରତ୍ୟେକ ଦିନ ଶହଶହ ବୋଟ ବାଂଲାଦେଶ ସମେତ ପଶିମବଙ୍ଗକୁ ଅବାଧରେ ଯାଆସ କରୁଛି । ଏମାନଙ୍କୁ ଚେକିଂ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଏହି ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ଭିତରକନିକାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ଗୁପ୍ତି ଜଳପଥ ଦେଇ ଭିତରକନିକା ଯାଇଥାନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ଓ ସାତଭାୟା, ଗୁପ୍ତି ଓ ଇଶ୍ୱରପୁର ପଂଚାୟତର ୬୦ଟି ରାଜସ୍ୱ ଗ୍ରାମର ଆଇନଶୃଙ୍ଖଳା ଦାୟିତ୍ୱ ଗୁପ୍ତି ଫାଣ୍ଡିକୁ ଦିଆଯାଇଛି । ହେଲେ ଏମାନଙ୍କୁ ୨୫ରୁ ୩୦ କିମି ଦୂର ରାଜନଗର ଥାନାକୁ ଆସିବାକୁ ପଡୁଛି । ତେବେ ଏ ସମ୍ପର୍କରେ ରାଜନଗର ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ ମୁହଁ ଖୋଲିନାହାନ୍ତି ।

ତାମିଲନାଡୁରେ ପୁଣି ଅଭିନେତା ବିଜୟଙ୍କ ମେଗା ସୋ

ତାମିଲନାଡୁରେ ପୁଣି ଅଭିନେତା ବିଜୟଙ୍କ ମେଗା ସୋ। ରାଲିରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ। ଟିଭିକେ ସଭାପତି ଥିବା ବିଜୟ ତିରୁଚିରାପଲ୍ଲୀରେ କରିଛନ୍ତି ସମାବେଶ। ଗତ କିଛି ମାସ ଧରି ତାମିଲନାଡୁରେ ଅଭିନେତା ବିଜୟଙ୍କ ସୁପର ସୋ ସୃଷ୍ଟି କରିଛି ରାଜନୈତିକ ଝଡ଼। କିଛି ଦିନ ତଳେ ଏକ ମେଗାରାଲିରେ ସାମିଲ ହେବା ସହ ଲକ୍ଷାଧିକ ଜନତାଙ୍କୁ ଉଦବୋଧନ ଦେଇଥିଲେ ବିଜୟ। ସେ କଂଗ୍ରେସ, ବିଜେପି, ଡିଏମକେ କିମ୍ବା ଏଆଇଏଡିଏମକେ ସହ ମେଣ୍ଟ କରିବେ ନାହିଁ ବୋଲି କରିସାରିଛନ୍ତି ଘୋଷଣା। ଆସନ୍ତାବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବଳେ ବିଜୟଙ୍କ ରାଲି ଅନ୍ୟ ଦଳ ଲାଗି ହୋଇଛି ଚିନ୍ତାର କାରଣ।

ସାର ସମସ୍ୟା ନେଇ ଆଲୋଚନା ଦାବିରେ ଗୃହରେ ବିଜେଡିର ପ୍ରତିବାଦ

ବିଧାନସଭାରେ ସାର ତାତି। ସାର ସମସ୍ୟା ନେଇ ଆଲୋଚନା ଦାବିରେ ଗୃହରେ ବିଜେଡିର ପ୍ରତିବାଦ । ଗୃହର ମଧ୍ୟ ଭାଗରେ ବିଜେଡିର ପ୍ରତିବାଦ । ସୋମବାର ଯାଏଁ ଗୃହ ମୁଲତବି ।