spot_img
Home Blog Page 394

ବିଧାନସଭା ଶୀତ ଅଧିବେଶନ: ଆଜି ଗୃହରେ ଆସିବ ୨୦୨୫ ମସିହା ପାଇଁ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍

ବିଧାନସଭା ଶୀତ ଅଧିବେଶନ। ଆଜି ଗୃହରେ ଆସିବ ୨୦୨୫ ମସିହା ପାଇଁ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍। ବିଲ୍ ଆଗତ କରିବେ ଅର୍ଥ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ। ଗତ ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପିତ ହୋଇଥିଲା। ଏହି ଅତିରିକ୍ତ ବଜେଟ ଉପରେ ଡିସେମ୍ବର ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ହୋଇଥିଲା ଆଲୋଚନା। ସରକାର ବଜେଟ ଆକାର ବଡ଼ କରି ବାହାବା ନେଉଥିଲା ବେଳେ ବଜେଟ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ବୋଲି ବିରୋଧୀ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି।ଗତ ଅକ୍ଟୋବର ସୁଦ୍ଧା ମୂଳ ବଜେଟ ମାତ୍ର ୩୯ ପ୍ରତିଶତ ଖର୍ଚ୍ଚ ହୋଇଛି। ଯାହାକୁ ନେଇ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନାରେ ବିରୋଧୀ ସରକାରଙ୍କୁ ବିଭିନ୍ନ ପ୍ରଶ୍ନବାଣରେ ଘେରିଥିଲେ। ଆଜି ବ୍ୟୟମଂଜୁରୀ ବିଲ୍ ଆଲୋଚନା ବେଳେ ମଧ୍ୟ ସରକାରଙ୍କର ଆର୍ଥିକ ପରିଚାଳନାକୁ ନେଇ ବିରୋଧୀ ଟାର୍ଗେଟ କରିବା ଦେଖିବାକୁ ମିଳିବ। ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ସଦସ୍ୟଙ୍କ ବିଭିନ୍ନ ପ୍ରସଙ୍ଗ ଆଲୋଚନା ପରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ। ବ୍ୟୟ ମଂଜୁରୀ ବିଲ୍ ଉପରେ ଆଲୋଚନା ଥିବାରୁ ଆଜି ଗୃହରେ କୌଣସି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ହେବନାହିଁ।

ଆସନ୍ତାକାଲି ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ: ଆଜି ବାରବାଟୀରେ ପ୍ରାକ୍ଟିସ କରିବେ ଉଭୟ ଟିମ୍

ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ବେଣ୍ଟି ମ୍ୟାଚ। ପିଚ, ପଡିଆ, ଗ୍ୟାଲେରୀ ଓ ଭିଭିଆଇପି ଷ୍ଟାଣ୍ଡ ସବୁ ପ୍ରସ୍ତୁତ । ଆଜି ଉଭୟ ଟିମ ଆସି ପଡ଼ିଆରେ ନେଟ୍ ପ୍ରାକ୍ଟିସ କରିବେ। ପ୍ରଥମେ ଭାରତ ଏବଂ ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକା ଟିମ୍ ଅଭ୍ୟାସ କରିବେ । ଏହାକୁ ଦେଖିବା ଲାଗି ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯିବ ।ବାରବାଟୀରେ ଏଥର ଜମିବ ଟି-ଟ୍ଵେଣ୍ଟି ଟକ୍କର। ପ୍ରଥମ ଥର ପାଇଁ ମଡ୍ ରେଡ୍ ପିଚ୍ ପ୍ରସ୍ତୁତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ। ବଡ଼ ସ୍କୋର ହେବାର ଆଶା କରାଯାଇଛି। ୪୨ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ। ମ୍ୟାଚ ଉପରେ କାକରର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟୋଗ କରାଯିବ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ। ଆଜି ସକାଳ ସାଢ଼େ ୧୧ଟାରେ ନେଟ୍ ପ୍ରାକଟିସ କରିବେ ଭାରତୀୟ ଟିମ୍। ସଂଧ୍ୟା ସାଢ଼େ ୪ଟାରେ ଦକ୍ଷିଣ ଆଫ୍ରିକାର ଖେଳାଳି ପ୍ରାକଟିସ୍ କରିବେ।

ଜାଡ଼ରେ ଥରୁଛି ଓଡ଼ିଶା: ଆଗାମୀ ୫ ଦିନ ଯାଏ ଜାଡ଼ରୁ ନାହିଁ ମୁକ୍ତି

ଜାଡ଼ରେ ଥରୁଛି ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶା ଅଧିକ ପ୍ରଭାବିତ । ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଜାରି ରହିଛି। ଆଗାମୀ ୫ ଦିନ ଯାଏ ଜାଡ଼ରୁ ମୁକ୍ତି ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ସୋନପୁର, ବଲାଙ୍ଗୀରରେ ଘନ କୁହୁଡ଼ି ପଡ଼ିବ। ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ କୋରାପୁଟ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ରାଉରକେଲାରେ ସବୁଠାରୁ କମ୍ 7.2 ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡିରେ ୭.୫ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ସେହିଭଳି ଝାରସୁଗୁଡା 7.6, କେନ୍ଦୁଝର 9.6, ଭୁବନେଶ୍ୱର 11.9, ସମ୍ବଲପୁର 12,ହୀରାକୁଦ 13.2,ବାଲେଶ୍ୱର 13.6, ପାରାଦ୍ୱୀପ 13.9, ଚାନ୍ଦବାଲି 14, ଗୋପାଳପୁର 15.9 ଓ ପୁରୀ 16.6 ରେକର୍ଡ କରାଯାଇଛି । ଆଗାମୀ ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ବର୍ଷା ହେବାର ସମ୍ଭାବନା ନାହିଁ ।

ଦୁର୍ଘଟଣାରେ ଯାତ୍ରା ହାସ୍ୟ ଅଭିନେତା ଗୁରୁ ଚରଣ ପୃଷ୍ଟିଙ୍କ ମୃତ୍ୟୁ

ଦୁର୍ଘଟଣାରେ ଯାତ୍ରା ହାସ୍ୟ ଅଭିନେତା ଗୁରୁ ଚରଣ ପୃଷ୍ଟିଙ୍କ ମୃତ୍ୟୁ । ଭଦ୍ରକ 16 ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡ଼ିପୁର ଛକ ନିକଟରେ ଏହି ଅଘଟଣ ଘଟିଛି। ଯାତ୍ରା କରିବାକୁ ଏକ ବାଇକ ଯୋଗେ ଯାଉଥିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ସ୍ଥାନୀୟ ପୋଲିସ ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଧାମନଗର ବ୍ଲକ ଶେଣ୍ଢପୁରରେ ଯାତ୍ରା ଇନ୍ଦ୍ରଭୁବନରେ ସେ ଯାତ୍ରା କରିବାକୁ ଯାଉଥିଲେ । ହରିଙ୍କ ମୃତ୍ୟୁକୁ ନେଇ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି।

ନକ୍ସଲଙ୍କ ବର୍ବରକାଣ୍ଡ: ଠିକାଦାରଙ୍କୁ ଅପହରଣ ପରେ ହତ୍ୟା

ନକ୍ସଲଙ୍କ ବର୍ବରକାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ପାମେଡ଼ ଅଞ୍ଚଳରେ ଜଣକୁ ହତ୍ୟା କରିଛନ୍ତି ସେମାନେ। ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜଣେ ଠିକାଦାରଙ୍କୁ ଅପହରଣ କରିବା ପରେ ଗଳା କାଟି ହତ୍ୟା କରିଛନ୍ତି।  ସେଠାରୁ ମୃତକଙ୍କ ସହଯୋଗୀ କୌଣସି ପ୍ରକାରରେ ଖସି ଆସି ଥିଲେ ଓ ପୋଲିସକୁ ଖବର ଦେଇଥିଲେ।

8 ଦଫା ଦାବି ନେଇ ୨୦ରୁ ଅଧିକ ଚାଷୀଙ୍କ ସାଇକେଲା ଯାତ୍ରା

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ୨୦ରୁ ଅଧିକ ଚାଷୀ ସାଇକେଲରେ ଯାତ୍ରା କରି ବିଧାନସଭାରେ ପହଞ୍ଚିବାକୁ ଉଦ୍ୟମ କରିଛନ୍ତି । ରବି ଋତୁରେ ମୁଗ ଚାଷୀ ମାନଙ୍କୁ ତୁରନ୍ତ ଇନସ୍ୟୁରାନ୍ସ ଦେବା ସହ ଚାଷୀଙ୍କ ଜମିରେ ପାଣି ଯୋଗାଇ ଦେବା ପରି ୮ ଦଫା ଦାବି ନେଇ ଚାଷୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସିଛନ୍ତି ରାଜଧାନୀ । ନଭେମ୍ବର ୩୦ ରୁ ଯାତ୍ରା ଆରମ୍ଭ କରିଥିଲେ ନିଜର ହକ ପାଇବାପା ପାଇଁ ।

ଲୋକସଭାରେ ଆଜି ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ଉପରେ ବିତର୍କ

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ଆଜି ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ୧୫୦ତମ ବାର୍ଷିକୀ ଉପରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ନେଇ ଲୋକସଭାରେ ଅଭିଭାଷଣ ରଖିବେ। ସଂସଦର ଶୀତକାଳୀନ ଅଧିବେଶନରେ ଆଜି ଏହି ଆଲୋଚନା ରହିଛି। ବନ୍ଦେ ମାତରମର 150ତମ ବାର୍ଷିକୀ ଅବସରରେ ସଂସଦରେ ଏକ ସ୍ୱତନ୍ତ୍ର ବିତର୍କର ଆୟୋଜନ କରାଯାଇଛି। ଏହି ବିତର୍କ ସମୟରେ ରାଷ୍ଟ୍ରୀୟ ଗୀତ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ତଥ୍ୟ, ଯାହା ଅନେକ ଲୋକ ଜାଣି ନାହାଁନ୍ତି, ଗୃହରେ ଉପସ୍ଥାପିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୨ଟାରେ ଲୋକସଭାରେ ବିତର୍କ ଆରମ୍ଭ କରିବେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏକ ସମାପନ ଭାଷଣ ସହିତ ବିତର୍କ ଶେଷ କରିବେ। ସଂସଦରେ ବନ୍ଦେ ମାତରମ ଉପରେ ବିତର୍କ ସମୟରେ କଂଗ୍ରେସର ୮ ଜଣ ନେତା ମଧ୍ୟ ଭାଷଣ ଦେବେ। ଏହି ତାଲିକାରେ ବିରୋଧୀ ଦଳର ଲୋକସଭା ଉପାଧ୍ୟକ୍ଷ ଗୌରବ ଗୋଗୋଇ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଦୀପେନ୍ଦ୍ର ହୁଡା, ବିମଲ ଆକୋଜାମ, ପ୍ରଣୀତ ସିନ୍ଦେ, ପ୍ରଶାନ୍ତ ପାଡୋଲ, ଚାମାଲା ରେଡ୍ଡୀ ଏବଂ ଜ୍ୟୋତ୍ସ୍ନା ମହନ୍ତ ରହିଛନ୍ତି।… ନଭେମ୍ବର ୭ ତାରିଖରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମର ୧୫୦ତମ ବାର୍ଷିକୀ ପାଳନ କରାଯାଇଥିଲା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ବନ୍ଦେ ମାତରମ୍ ପ୍ରଥମ ଥର ପାଇଁ ସାହିତ୍ୟ ପତ୍ରିକା ବଙ୍ଗ ଦର୍ଶନରେ ୧୮୭୫ ମସିହା ନଭେମ୍ବର ୭ ତାରିଖରେ ପ୍ରକାଶିତ ହୋଇଥିଲା।

୧୮୮୨ ମସିହାରେ ଏହି ଗୀତଟି ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଉପନ୍ୟାସ ଆନନ୍ଦମଠରେ ଅନ୍ତର୍ଭୁକ୍ତ ହୋଇଥିଲା। ରବୀନ୍ଦ୍ରନାଥ ଟାଗୋର ଏହାକୁ ସଙ୍ଗୀତର ରୂପ ଦେଇଥିଲେ। ଏବଂ ଏହା ସ୍ୱାଧୀନତା ସଂଗ୍ରାମରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏକ ସମବେତ ଧ୍ୱନି ପାଲଟିଥିଲା। ଜାନୁଆରୀ ୨୪ ୧୯୫୦ରେ ଭାରତ ସରକାର ବନ୍ଦେ ମାତରମ୍ କୁ ରାଷ୍ଟ୍ରୀୟ ଗୀତର ମାନ୍ୟତା ପ୍ରଦାନ କରିଥିଲେ।

ରାଜଗାଙ୍ଗପୁର ପୀଡ଼ିତାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୀଡ଼ିତାଙ୍କ ମୃତ୍ୟୁ। ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତକାଲି ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତଦେହ ହସପିଟାଲରେ ଅଛି। ତେବେ ପରିବାର ଲୋକେ ଅଭିଯୋଗ କରିଛନ୍ତି, ଅଧିକ ଚିକିତ୍ସା ପାଇଁ ଉଦ୍ୟମ କରାନିଯିବାରୁ ଝିଅର ମୃତ୍ୟୁ ହେଲା। ପରିବାର ଲୋକେ ଝିଅକୁ ଦିଲ୍ଲୀ ଏମ୍ସ ନିଆଯାଉ ବୋଲି ଚାହୁଁଥିଲେ। ଗତକାଲି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ। ତଥାପି ଏୟାରଲିଫ୍ଟ କରାଯାଇନଥିଲା। ଏହାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। … ଗତ ଶନିବାର ଏହି କଲେଜ ଛାତ୍ରୀଙ୍କ ଦେହରେ ନିଆଁ ଲାଗିଥିଲା। କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇନାହିଁ। ପରିବାର ଲୋକେ ଅଭିଯୋଗ କରିଥିଲେ, ଝିଅକୁ ମାରିଦେବା ପାଇଁ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା। ହେଲେ ପୋଲିସ କହିଥିଲା, ସେ ନିଜେ ନିଜ ଦେହରେ ନିଆଁ ଲଗାଇ ଥିଲେ। ସଂପୃକ୍ତ ପୀଡ଼ିତା ଯୁକ୍ତ ତିନି ରେ ପଢୁଥିଲେ। ତେବେ ତାଙ୍କୁ ହଇରାଣ କରିବା ଅଭିଯୋଗରେ ଜଣେ ଯୁବକକୁ ଗତକାଲି ପୋଲିସ ଗିରଫ କରିଛି। … ଗତକାଲି ପୀଡ଼ିତାଙ୍କ ପରିବାରକୁ ବିଜେଡିର ଏକ ଟିମ୍ ବି ଭେଟିଥିଲା।

କର୍ଣ୍ଣାଟକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, କଂଗ୍ରେସ କର୍ମୀ ମୃତ

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏଥିରେ ଜଣେ କଂଗ୍ରେସ କର୍ମୀ ତଥା ପଞ୍ଚାୟତ ସଦସ୍ୟ ପ୍ରାଣ ହରାଇଥିବାବେଳେ କିଛି ବ୍ୟକ୍ତି ଆହତ ହୋଇଛନ୍ତି। ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। କର୍ଣ୍ଣାଟକ ଚିକମାଗଲୁରୁରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ବ୍ଯାନରକୁ କେନ୍ଦ୍ର କରି ସଂଘର୍ଷ ଉପୁଜିଥିଲା। ପରେ କାଳମାଦେଶ୍ବର ମଠ ରୋଡରେ କଂଗ୍ରେସ କର୍ମୀ ଗଣେଶ ଗୌଡ଼ାଙ୍କୁ କିଛି ଲୋକ ଧାରୁଆ ଅସ୍ତ୍ରଶସ୍ତ୍ରରେ ହାଣି ହତ୍ୟା କରିଥିଲେ। ପ୍ରଥମେ ଚିକମାଗଲୁରୁର ଏକ ବାରରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଘଟିଥିଲା। ପରେ ଏହା ହତ୍ୟାର ରୂପ ନେଇଥିଲା। ଘଟଣାକୁ ନେଇ ସଖାରାୟପାଟଣା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି।

ସବୁ କାଳିଆର ଲୀଳା, ଜଗନ୍ନାଥଙ୍କ କୃପାରୁ ସୁସ୍ଥ ହେଉଛନ୍ତି କୋମାରେ ଥିବା ବ୍ୟକ୍ତି…

ନନ୍ଦିଘୋଷ ବ୍ୟୁରୋ: ପୁଣି ଦୟା କଲେ ଦୟାମୟ । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସୁସ୍ଥ ହେଉଛନ୍ତି କୋମାରେ ଥିବା ବ୍ୟକ୍ତି । ତେବେ ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ଅଭିରାମ ନାୟକ । ଗତ କିଛି ମାସ ତଳେ ଅଭିରାମ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଚାରିମାସ କାଳ ଆଇସିୟୁରେ ରହିଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଭିରାମ ସିଧା କୋମାକୁ ଚାଲି ଯାଇଥିଲେ । ପରିବାର ଲୋକେ ଅଭିରାମଙ୍କ ସୁସ୍ଥତା ପାଇଁ ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ । କିନ୍ତୁ ସବୁ ଉଦ୍ୟମ ଫେଲ୍ ମାରିବା ପରେ ଶେଷରେ ମହାପ୍ରଭୁଙ୍କ ଶରଣ ପଶିଥିଲେ । ଗତକିଛି ଦିନ ପୂର୍ବରୁ ଅଭିରାମଙ୍କୁ ପରିବାର ଲୋକେ ମହାପ୍ରଭୁଙ୍କ ଦର୍ଶନ ସହିତ ତାଙ୍କ କୃପା ଲାଭ ପାଇଁ ଶ୍ରୀମନ୍ଦିର ଆଣିଥିଲେ । ଠାକୁରଙ୍କ ଦର୍ଶନ ଓ କୃପା ଲାଭ କରିବା ପରେ ଅଭିରାମ ଧିରେ ଧିରେ ସୁସ୍ଥ ହେଉଥିବା କହିଛନ୍ତି ପରିବାର ଲୋକେ । ସେଥିପାଇଁ ଆଜି ତାଙ୍କୁ ପୁନର୍ବାର ପରିବାର ଲୋକେ ମହାପ୍ରଭୁଙ୍କ ନିକଟକୁ ଆଣିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଅଭିରାମ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି କହିଛନ୍ତି ତାଙ୍କ ପତ୍ନୀ ।