ଭାରତ-ଚୀନ ସୀମା ଅରୁଣାଚଳ ପ୍ରଦେଶରେ ବଡ଼ ଧରଣର ଦୁର୍ଘଟଣା। ଦୁର୍ଘଟଣାରେ ୨୨ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ସୂଚନା। ହାୟୁଲିଆଙ୍ଗ-ଚଗଲାଗାମ ରୋଡରେ ଘଟିଛି ଦୁର୍ଘଟଣା। ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରକ ଖାତରେ ଖସିପଡ଼ିବା ଯୋଗୁ ଦୁର୍ଘଟଣା ଘଟିଥିଲା। ଆସାମର ତିନସୁକିଆ ଜିଲ୍ଲାରୁ ଯିବାବେଳେ ଅରୁଣାଚଳ ପ୍ରଦେଶର ଅନଜାରେ ଘଟିଥିଲା ଦୁର୍ଘଟଣା। ଘଟଣାସ୍ଥଳରେ ବିଭିନ୍ନ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସ୍କୁଲରେ ଛାତ୍ରୀଙ୍କୁ କଠିନ ଦଣ୍ଡ: ୨୦୦ ଥର ଉଠବସ୍ କରାଇବାରୁ ଛାତ୍ରୀ ଅସୁସ୍ଥ
ଦଣ୍ଡ ମୁକ୍ତ ଅଞ୍ଚଳ ସ୍କୁଲରେ ଛାତ୍ରୀଙ୍କୁ କଠିନ ଦଣ୍ଡ। ପାଠ କରି ନ ଥିବାରୁ ୨୦୦ ଥର ଉଠବସ୍ କରାଇଥିଲ ଶିକ୍ଷକ। ୮୦ ଥର ପରେ ଅସୁସ୍ଥ ହୋଇ ପଡ଼ିଥିଲେ ସଂପୃକ୍ତ ଛାତ୍ରୀ। ଏହା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ହେଉଛି କଟକ ଜିଲ୍ଲା କଖଡି ହାଇସ୍କୁଲରେ। ନବମ ଶ୍ରେଣୀ ଛାତ୍ରୀ ଲିଜାରାଣୀ ବେହେରା ପାଠ କରି ନ ଥିବାରୁ ସ୍କୁଲର ଶିକ୍ଷୟତ୍ରୀ ତାଙ୍କୁ ୨୦୦ ଥର ଉଠବସ୍ ହେବାକୁ କହିଥିଲେ। ଲିଜା ୮୦ ଥର ଉଠବସ୍ ହେବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପାଖ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ପଠାଯାଇଛି।
ଦିଲ୍ଲୀ ପ୍ରଦୂଷଣକୁ ନେଇ ରାଜ୍ୟସଭାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ
ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ପ୍ରଦୂଷଣ ଲାଗି ସଂସଦର ଶୀତ ଓ ବଜେଟ ଅଧିବେଶନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ । ଏ ନେଇ ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଦିଲ୍ଲୀ ପ୍ରଦୂଷଣକୁ ନେଇ ରାଜ୍ୟସଭାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଦିଲ୍ଲୀର ପ୍ରଦୂଷଣ ସାଂଘାତିକ ସ୍ବାସ୍ଥ୍ଯ ସମସ୍ୟା ସୃଷ୍ଟି କରୁଛି । ଶୀତ ଦିନେ ବାୟୁର ମାନ ୪ଶହରୁ ୫ଶହ ଏକ୍ଯୁଆଇ ଉପରେ ହୋଇଯାଉଛି । ଯାହାକି ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାଙ୍କ ପାଇଁ ଜୀବନ ମରଣ ସମସ୍ୟା ପାଲଟୁଛି । ସପ୍ତାହ ସପ୍ତାହ ଧରି ଏପରି ଅବସ୍ଥାରେ ବଞ୍ଚିବା ଲାଗି ଦିଲ୍ଲୀ ସଂଘର୍ଷ କରୁଛି । ଓଡ଼ିଶା ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟରୁ ଆସିଥିବାରୁ ଦିଲ୍ଲୀ ପ୍ରଦୂଷଣର ଅବସ୍ଥାକୁ ବୁଝିପାରୁଛି ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ । ପ୍ରତିବର୍ଷ ଏପରି ସ୍ଥିତି ସୃଷ୍ଟି ହେଉଥିବାରୁ ଏବଂ ସେହି ସମୟରେ ସଂସଦର ଅଧିବେଶନ ଚାଲୁଥିବାରୁ ଆମ ଭଳିଆ ଅନ୍ୟ ସାଂସଦ, ଅଫିସର, ଡ୍ରାଇଭର, ପରିମଳ କର୍ମଚାରୀଙ୍କୁ ପ୍ରଦୂଷଣ ସହ ଜୁଝିବାକୁ ପଡୁଛି । ଏହା ଏକ ସ୍ବାଭାବିକ ସ୍ଥିତି ବୋଲି ଆମେ କେବେ କହିପାରିବାନି । ତେଣୁ ସଂସଦର ଶୀତ ଅଧିବେଶନ ଓ ବଜେଟ ଅଧିବେଶନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି । ଯେପର୍ଯ୍ୟନ୍ତ ଦିଲ୍ଲୀ ନିରାପଦ ସାବ୍ୟସ୍ତ ନହୋଇଛି ସେ ଯାଏଁ ଏହି ଦୁଇ ଅଧିବେଶନକୁ ଅନ୍ୟ ସହରକୁ ସ୍ଥାନାନ୍ତର ଲାଗି ସେ ଗୁହାରୀ କରିଛନ୍ତି । ଭୁବନେଶ୍ବରରୁ ହାଇଦ୍ରାବାଦ, ଗାନ୍ଧୀନଗରରୁ ବେଙ୍ଗାଲୁରୁ, ଗୋଆରୁ ଡେରାଡୁନ । ଆମ ଦେଶରେ ସଂସଦର ଅଧିବେଶନ କରିବା ଲାଗି ଏଭଳି ଅନେକ ଉପଯୁକ୍ତ ସହରମାନ ରହିଛନ୍ତି । ଯଦି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡିଶା ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିପାରୁଛି ତେବେ ସଂସଦର ଏହି ଦୁଇଟି ଅଧିବେଶନକୁ ଆମେ ଅନ୍ଯତ୍ର ସ୍ଥାନାନ୍ତର କରିପାରିବା ବୋଲି ସେ ଯୁକ୍ତି ବାଢିଛନ୍ତି । ଯାହାଦ୍ବାରା ଆମେ ଆମ ସାଂସଦଙ୍କ ସହ ଅନ୍ୟ ଅଫିସର ଓ କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷିତ ରଖିପାରିବା ବୋଲି ସେ କହିଛନ୍ତି । ଏଥିରେ କୌଣିସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ଏହା ଜୀବନ ମରଣ ସମସ୍ୟା । ସଂସଦ ନେତୃତ୍ବ ନେବା ଦରକାର । ସୁବିଧା ହେଲା ପର୍ଯ୍ୟନ୍ତ ସଂସଦ ନିଃଶ୍ବାସ ନେବାର ଅଧିକାରକୁ ସାବ୍ୟସ୍ତ କରିବା ଦରକାର । ତେଣୁ ବିଳମ୍ବ ନକରି ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।
ଆମେରିକାରେ ବହୁପ୍ରତୀକ୍ଷିତ ଗୋଲ୍ଡ କାର୍ଡ ବିକ୍ରି ଆରମ୍ଭ
ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ବହୁପ୍ରତୀକ୍ଷିତ ଗୋଲ୍ଡ କାର୍ଡ ବିକ୍ରି ଆରମ୍ଭ। ଏନେଇ ନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଆମେରିକାର ସ୍ଥାୟୀ ନାଗରିକତ୍ବ ଲାଗି ୧ ନିୟୁତ ଡଲାର ଧାର୍ଯ୍ୟ କରାଯାଇଥିବାବେଳେ ଏହି ଅର୍ଥ ଦେଇଥିବା ବ୍ୟକ୍ତିଙ୍କୁ ଆଇନଗତ ଅଧିକାର ମିଳିପାରିବ। ପ୍ରଥମେ ଗୋଲ୍ଡ କାର୍ଡ ବାବଦ ଦେୟ ୫ ନିୟୁତ ଡଲାର ଧାର୍ଯ୍ୟ କରାଯାଇଥିଲା। ମାତ୍ର ପରେ ଏହାକୁ ୧ ନିୟୁତ ଡଲାରକୁ ହ୍ରାସ କରାଯାଇଥିଲା। ଏହି କାର୍ଡ ବିଶେଷ କରି ଧନୀକ ବିଦେଶୀ ନିବେଶକଙ୍କ ଲାଗି ଉଦ୍ଦିଷ୍ଟ। ଅଧିକ ରାଜସ୍ବ ସଂଗ୍ରହ ଓ ଧନଶାଳୀ ବ୍ୟକ୍ତିଙ୍କୁ ଆମେରିକା ନାଗରିକତ୍ବ ପ୍ରକ୍ରିୟାରେ ସାମିଲ କରିବା ଲାଗି ଏହା ଉଦ୍ଦିଷ୍ଟ। ଏହି ପ୍ରକ୍ରିୟାରେ EB-1 କିମ୍ବା EB-2 ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇପାରିବ। EB-1 ଭିସା ହେଉଛି ଏକ ନିଯୁକ୍ତିଭିତ୍ତିକ ପ୍ରକ୍ରିୟା ଯାହାକୁ ଗବେଷକ, ବହୁରାଷ୍ଟ୍ରୀୟ ଏକଜିକ୍ୟୁଟିଭ, ମ୍ୟାନେଜର, ଉଲ୍ଲେଖନୀୟ କାର୍ଯ୍ୟରେ ନିୟୋଜିତ ପ୍ରଫେସନାଲଙ୍କୁ ଦିଆଯାଇଥାଏ। ବିପୁଳ ଆର୍ଥିକ ଉପହାର ଆଧାରରେ ଧନଶାଳୀ ବ୍ୟକ୍ତିଙ୍କୁ ଆମେରିକୀୟ ମୁଖ୍ୟ ଅର୍ଥନୈତିକ ସ୍ରୋତରେ ସାମିଲ କରିବା ଲାଗି ଗୋଲ୍ଡ କାର୍ଡ ଉଦ୍ଦିଷ୍ଟ। ୧ ନିୟୁତ ଡଲାର ଦେଉଥିବା ବ୍ଯକ୍ତିମାନେ ଏପରି ଏକ କମ୍ପାନୀ ପ୍ରତିଷ୍ଠା କରିଥିବେ ଯେଉଁମାନେ ଅତି କମରେ ୧୦ ଜଣଙ୍କୁ ନିଯୁକ୍ତି ଦେଇଥିବେ। ଏ ବାବଦରେ ସଂଗୃହୀତ ଅର୍ଥ ଆମେରିକା ରାଜସ୍ବରେ ସାମିଲ ହେବ।
ଇଣ୍ଡିଗୋ ବିମାନ ଚଳାଚଳ ନେଇ ଆଜିବି ଅଚଳାବସ୍ଥା ଜାରି, ଲଗାତର ନବମ ଦିନ ଲାଗି ଅନେକ ବିମାନ ବାତିଲ
ନନ୍ଦିଘୋଷ ବ୍ୟୁରୋ : ଆଜିବି ଜାରି ରହିଛି ଇଣ୍ଡିଗୋ ଅଚଳାବସ୍ଥା। ଅନେକ ସହରରେ ଇଣ୍ଡିଗୋ ବିମାନ ଯାତ୍ରା ବାତିଲ ହୋଇଯାଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ସହର। ଭୁବନେଶ୍ଵରରୁ ଆଜି ୮ ଇଣ୍ଡିଗୋ ବିମାନର ଉଡାଣ ବାତିଲ ହୋଇଥିବା ଜଣାପଡିଛି।ଗତକାଲି ବେଙ୍ଗାଲୁରୁରୁ ୬୧ଟି ବିମାନ ଉଡାଣ ବାତିଲ ହୋଇଥିଲା। ୩୫ଟି ଆସିବାକୁ ଏବଂ ୨୬ଟି ଏଠାରୁ ଛାଡ଼ିବାକୁ ଥିବା ବିମାନ ବାତିଲ ହୋଇଥିଲା। ସେପଟେ ଇଣ୍ଡିଗୋ ବିମାନ ଚଳାଚଳ ଅଚଳାବସ୍ଥା ନେଇ ଆଜି ସବିଶେଷ ରିପୋର୍ଟ ଦାଖଲ କରିବେ ଇଣ୍ଡିଗୋ ସିଇଓ ପିଟର ଏଲବର୍ସ। ଅପରାହ୍ଣ ୩ଟାରେ ବେସାମରିକ ବିମାନ ଚଳାଚଳ ବିଭାଗ ଡିଜିଶକଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ। ଆଜି DGCA ଡିଜିଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ସମୟରେ ବିମାନ ଚଳାଚଳ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ପୂର୍ବରୁ ବିମାନ ଚଳାଚଳ ବିଭ୍ରାଟ ନେଇ ସରକାର ଇଣ୍ଡିଗୋର ୧୦ ପ୍ରତିଶତ ଉଡାଣ ରଦ୍ଦ କରିଛନ୍ତି। ଇଣ୍ଡିଗୋର ୨ଶହରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି। ଇଣ୍ଡିଗୋ କମ୍ପାନୀ ପକ୍ଷରୁ ଦୈନିକ ୨୨୦୦ ଉଡ଼ାଣ ନେଇ ରୋଷ୍ଟର କରିଥିଲା। ଏବେ ୧୮୦୦ ଉଡ଼ାଣ ଭରିବାକୁ ଇଣ୍ଡିଗୋକୁ ଅନୁମତି ମିଳିଛି। କ୍ରୁଉ ମେମ୍ବରଙ୍କ ରୋଷ୍ଟରକୁ ନେଇ କମ୍ପାନୀ ପରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରିଛି ତାକୁ ନେଇ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ଯ ଗ୍ରହଣ କରିଛନ୍ତି। ଖୁବଶୀଘ୍ର କମ୍ପାନୀ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ସଂସଦରେ ନିର୍ବାଚନ କମିଶନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତୃତ୍ବ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ବିରୋଧୀ…
ନନ୍ଦିଘୋଷ ବ୍ୟୁରୋ : ସଂସଦ ଅଧିବେଶନରେ ଏସଆଇଆର ବିତର୍କ ପ୍ରସଙ୍ଗ। ଗତକାଲି ଲୋକସଭାରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ବୟାନକୁ ନେଇ ବିଭିନ୍ନ ଦଳର ପ୍ରତିକ୍ରିୟା। ନିର୍ବାଚନ କମିଶନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତୃତ୍ବ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଏସଆଇଆର ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀ। ମୁଖ୍ୟ ପ୍ରସଙ୍ଗ ବଦଳରେ କଂଗ୍ରେସ ଉପରକୁ ସରକାର ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ବୋଲି ସେ କହିଛନ୍ତି। ସରକାର ଅଯଥାରେ କଂଗ୍ରେସକୁ କାଠଗଡ଼ାକୁ ଟାଣିଛନ୍ତି ବୋଲି କହିଛନ୍ତି ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ। ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ସରକାର ନିରପେକ୍ଷ ବିଚାର କରି ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରିୟଙ୍କା। ସେହିପରି ଭୋଟଚୋରି ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ମାଣିକରାମ ଟାଗୋର।
ବାଇକକୁ ଧକ୍କା ଦେଲା ଯାତ୍ରୀବାହୀ ବସ, ଦୁଇ ଛାତ୍ର ମୃତ
ରାୟଗଡା : ବସ ଧକ୍କାରେ ଦୁଇ ଛାତ୍ରଙ୍କ ମୃତ୍ୟୁ। ରାୟଗଡା ରାମନାଗୁଡା ଥାନା କଣ୍ଡାଜାମ୍ ନିକଟରେ ସଡକ ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ବାଇକରେ ଯାଉଥିବାବେଳେ ଧକ୍କା ଦେଇଥିଲା ଘରୋଇ ବସ। ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଦୁଇ ବାଡିଶଳା ସ୍ଥିତ ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର। ପରୀକ୍ଷା ଦେବା ପାଇଁ ଗୁଡାରି ଅଞ୍ଚଳରୁ ବିଦ୍ୟାଳୟକୁ ଯାଉଥିଲେ।ପୋଲିସ ପହଂଚି ଘଟଣାର ଅନୁସନ୍ଧାନ କରୁଛି | ମୃତ ଛାତ୍ର ଗୁଡାରି ତେମ୍ବାଗୁଡା ଗ୍ରାମର ବିଷ୍ଣୁ ଶବର ଓ ଗୁଡାରି ସଉରା ସାହିର ଦେବେନ୍ଦ୍ର ଶବର ବୋଲି ଜଣାପଡ଼ିଛି। ଛାତ୍ର ଦୁଇ ଜଣ ଯୁକ୍ତ ପ୍ରଥମ ବର୍ଷରେ ପଢୁଥିଲେ।
ବାପାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଜନ୍ମ ହେଲା ପୁଅ
ନନ୍ଦିଘୋଷ ବ୍ୟୁରୋ ; ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଅନ୍ତିମ ସଂସ୍କାରର ସାତ ଘଣ୍ଟା ପରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପାରିବାରିକ ବିବାଦ ଯୋଗୁଁ ଗଙ୍ଗାଘାଟ ଥାନା ଅଞ୍ଚଳର ବାସିନ୍ଦା ବେଚେଲାଲ ସୋମବାର ସନ୍ଧ୍ୟାରେ ଜୀବନ ହାରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟମର୍ଟମ କରିବା ପରେ ମଙ୍ଗଳବାର ପରିବାରକୁ ମୃତଦେହ ହସ୍ତାନ୍ତର କରିଛି। ସେହି ସନ୍ଧ୍ୟାରେ ଅନ୍ତିମ ସଂସ୍କାର କରାଯାଇଥିଲା। ଶବଦାହ ହେବାର ସାତ ଘଣ୍ଟା ପରେ ସ୍ତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।
ରିପୋର୍ଟ ଅନୁସାରେ, ବେଚେଲାଲ ଏହି ବର୍ଷ ଲୋଧାନହାର ଗାଁର ଜଣେ ବାସିନ୍ଦା କାଜଲଙ୍କୁ ବିବାହ କରିଥିଲେ। ବିବାହର ମାତ୍ର ଗୋଟିଏ ମାସ ପରେ କାଜଲ ଗର୍ଭବତୀ ହୋଇଥିଲେ। ବେଚେଲାଲ ତାଙ୍କ ପତ୍ନୀଙ୍କୁ ପ୍ରସବ କରିବା ପାଇଁ ତାଙ୍କ ବାପାଙ୍କଠାରୁ ଆର୍ଥିକ ସହାୟତା ମାଗିଥିଲେ, କିନ୍ତୁ ତାଙ୍କ ବାପା ମନା କରି ଦେଇଥିଲେ। ଏଥିରେ ବ୍ୟଥିତ ହୋଇ ଯୁବକ ଜଣକ ସୋମବାର ସନ୍ଧ୍ୟାରେ ତାଙ୍କ ଘରଠାରୁ ଦୂରରେ ଥିବା ଏକ ବଗିଚାରେ ରଶି ଲଗଶି ଜୀବନ ହାରିଥିଲେ ।
ପରିବାର ସଦସ୍ୟମାନେ ଘଟଣାସ୍ଥଳକୁ ଯାଇ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ। ପୋଷ୍ଟମର୍ଟମ ପରେ ମଙ୍ଗଳବାର ସନ୍ଧ୍ୟାରେ ବେଚେଲାଲଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସୂଚନା ମିଳିଛି। ଏହି ସମୟରେ ତାଙ୍କ ସ୍ତ୍ରୀ କାଜଲ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନେଇଯାଇଥିଲେ, ଯେଉଁଠାରେ ସେ ବିଳମ୍ବିତ ରାତିରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତାଙ୍କ ସ୍ୱାମୀଙ୍କ ଶବଦାହ ଜାଳିବାର ମାତ୍ର ସାତ ଘଣ୍ଟା ପରେ ଶିଶୁଟି ଜନ୍ମ ହୋଇଥିଲା ।
ଏହି ଘଟଣା ପରେ ଦୁଇ ପକ୍ଷ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହୋଇଛି। କାଜଲଙ୍କ ବାପାମାଆ ଅଭିଯୋଗ କରିଛନ୍ତି ଯେ ବେଚେଲାଲ ତାଙ୍କ ବାପା ଏବଂ ଭାଇଙ୍କଠାରୁ ନିର୍ଯାତନାର ସମ୍ମୁଖୀନ ହେଉଥିଲେ। ବେଚେଲାଲଙ୍କ ବାପା ଦାବି କରିଛନ୍ତି ଯେ ତାଙ୍କ ପୁଅ ତାଙ୍କ ଶ୍ୱଶୁର ଘର ଲୋକଙ୍କଠାରୁ ଆର୍ଥିକ ଚାପର ସମ୍ମୁଖୀନ ହେଉଥିଲା । ଉଭୟ ପକ୍ଷ ପରସ୍ପର ଉପରେ ବିବାଦକୁ ନେଇ ପାଇଁ ଅଭିଯୋଗ ଆଣିଛନ୍ତି।
ଇଥାନଲ୍ କାରଖାନାକୁ ନେଇ ଦଙ୍ଗା : ଜଳିଗଲା ୧୮ ଗାଡି, ୫୦ ଚାଷୀ ଆହତ
ନନ୍ଦିଘୋଷ ବ୍ୟୁରୋ : ଇଥାନଲ୍ କାରଖାନାକୁ ଚାଷୀଙ୍କ ବିରୋଧ । ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାର ରାଥିଖେଡାରେ ଇଥାନଲ୍ କାରଖାନା ବିରୋଧରେ ଚାଷୀଙ୍କ ପ୍ରତିବାଦ । ବୁଧବାର ଦିନ ଗାଁ ଲୋକମାନେ ପ୍ରତିବାଦ କରି ନିଆଁ ଲଗାଇବା ସହ ସ୍ଲୋଗାନ ଦେଇଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି, ଗୁରୁବାର ଦିନ ଅଞ୍ଚଳରେ ପୋଲିସ ଛାଉଣୀ କରାଯାଇଛି । ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଛି।
ଗତ ୧୫ ମାସ ଧରି ରଥିଖେଡା ଅଞ୍ଚଳରେ ୪୫୦ କୋଟି ଟଙ୍କା ବ୍ୟୟରେ ଇଥାନଲ କାରଖାନା ନିର୍ମାଣକୁ ଚାଷୀମାନେ ବିରୋଧ କରି ଆସୁଛନ୍ତି। ସେମାନେ କହିଛନ୍ତି ଯେ ଏହି କାରଖାନା ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି କରିବ, ଭୂତଳ ଜଳସ୍ତରକୁ ପ୍ରଭାବିତ କରିବ ଏବଂ କୃଷିକୁ କ୍ଷତି ପହଞ୍ଚାଇବ। ହନୁମାନଗଡ଼ ପୋଲିସ ଅଧିକ୍ଷକ ହରିଶ ଶଙ୍କର କହିଛନ୍ତି ଯେ ହିଂସାରେ କିଛି ପୋଲିସ ଆହତ ହୋଇଛନ୍ତି ଏବଂ ଅନେକ ଲୋକଙ୍କୁ ଅଟକ ରଖାଯାଇଛି। ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବୁଧବାର ଅପରାହ୍ନରେ, ଟିବି ଏସଡିଏମ୍ ଅଫିସ୍ ସମ୍ମୁଖରେ ଚାଷୀମାନଙ୍କର ଏକ ବିରାଟ ସମାବେଶ ହୋଇଥିଲା। ତା’ପରେ, ଅପରାହ୍ନ ପ୍ରାୟ ୪ଟାରେ, ହଜାର ହଜାର ଚାଷୀ ଟ୍ରାକ୍ଟର ସହିତ ରଥିଖେଡାରେ ନିର୍ମାଣାଧୀନ କାରଖାନା ସ୍ଥାନରେ ପହଞ୍ଚି କାନ୍ଥ ଭାଙ୍ଗି ଦେଇଥିଲେ। ଏହା ପୋଲିସ ସହିତ ମୁହାଁମୁହିଁ ହୋଇଥିଲା, ଯାହା ପରେ ହିଂସାତ୍ମକ ରୂପ ନେଇଥିଲା। ଉତ୍ତ୍ୟକ୍ତ ଜନତା ୧୮ଟି ଗାଡ଼ି ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଇଥିଲେ।
ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି, ପୋଲିସ ଭିଡ଼କୁ ଘଉଡ଼ାଇବା ପାଇଁ ଲାଠିଚାର୍ଜ ଏବଂ ଲୁହ ବୁହା ଗ୍ୟାସ୍ ମାଡ଼ କରିଥିଲା। ସାଙ୍ଗାରିଆ ଅଞ୍ଚଳର କଂଗ୍ରେସ ବିଧାୟକ ଅଭିମନ୍ୟୁ ପୁନିଆଙ୍କ ସମେତ ୫୦ ରୁ ଅଧିକ ଚାଷୀ ଆହତ ହୋଇଥିଲେ।
କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ଚେତାବନୀ ଦେଇଛି ଯେ କାରଖାନା ବନ୍ଦ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ। ଏହି ସମୟରେ, ପ୍ରଶାସନ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିବା ସହ ପରିସ୍ଥିତି ଉପରେ କଡ଼ା ନଜର ରଖିଛି।
ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ
ରାୟଗଡା : ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଳକ ବାଇସିଂ ପଞ୍ଚାୟତ ଦୁମାଗୁଡା ଗ୍ରାମରେ । ଗତକାଲି ଅପରାହ୍ନରେ ହଠାତ୍ ଖଳାରେ ନିଆଁ ଲାଗିଯାଇଥିଲା । ୬ ଜଣ ଆଦିବାସୀ ଚାଷୀଙ୍କ ପ୍ରାୟ ୧୫ ଏକର ଜମିର ୪ଶହରୁ ଉର୍ଦ୍ଧ୍ବ ଧାନ ବସ୍ତା ପୋଡି ନଷ୍ଟ ହୋଇଯାଇଛି । କେଉଁ କାରଣରୁ ଖଳାରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଥିଲେ । ଗ୍ରାମର ଆଦିବାସୀ ଚାଷୀ ଅଶାନ୍ତ କାଡ୍ରାକା, କ୍ରିଷ୍ଣାମା ମାଣ୍ଡାଙ୍ଗି,ବାଷ୍ଟାମା ମାଣ୍ଡାଙ୍ଗି, ତୁଲେ କଣ୍ଡାଗୋରୀ, ଇରକାଲି ମେଲେକା ଓ ରାଇସିଂ ମାଣ୍ଡାଙ୍ଗିଙ୍କ ଧାନ ନଷ୍ଟ ହୋଇଥିବା ଜଣାପଡିଛି । ତେବେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ସରକାରୀ ସହାୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

