spot_img
Home Blog Page 378

ଆଦର୍ଶ ଗାଈ ଗୁହାଳ ନାଁରେ ଲୁଟ୍, ପ୍ରକୃତ ହିତାଧିକାରୀଙ୍କୁ ମିଳିନି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଗୋ-ପାଳକଙ୍କ ପାଇଁ ଉଦ୍ଦିଷ୍ଟ ଗାଈ ଗୁହାଳ ନାଁରେ କେଳେଙ୍କାରୀ । ହିତାଧିକାରୀଙ୍କ ଅଗୋଚରରେ କରାଯାଇଛି ଟଙ୍କା ହଡପ । ଅଭିଯୋଗ ପରେ ତଦନ୍ତକୁ ବାଟବଣା କରିବା ପାଇଁ ଅଭିଯୋଗକାରୀଙ୍କୁ ଫେରାଗଲା ଟଙ୍କା । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଶରଧାପୁର ପଞ୍ଚାୟତରୁ ଆସିଛି ସଙ୍ଗୀନ ଅଭିଯୋଗ ।

ଆଦର୍ଶ ଗାଈ ଗୁହାଳ ନାଁରେ ଲୁଟ୍ । ପ୍ରକୃତ ହିତାଧିକାରୀଙ୍କୁ ମିଳିନି ଟଙ୍କା । ମିଛ ବିଲ କରି କରାଯାଇଛି ଟଙ୍କା ହଡ଼ପ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଶରଧାପୁର ପଞ୍ଚାୟତରୁ ଆସିଛି ସଙ୍ଗୀନ ଅଭିଯୋଗ । ଶରଧାପୁର ଗାଁର ଜଟିଆ ପ୍ରଧାନ ନିଜ ଖର୍ଚ୍ଚରେ ଗୁହାଳ ନିର୍ମାଣ କରିଥିଲେ । ହେଲେ ତାଙ୍କୁ ଟଙ୍କାଟିଏ ମିଳିନି । ସେ ଅନଲାଇନରୁ ଜାଣିବାକୁ ପାଇଥିଲେ ତାଙ୍କ ନାଁରେ ଆଦର୍ଶ ଗୁହାଳ ବାବଦକୁ ସମ୍ପୂର୍ଣ୍ଣ ଅର୍ଥ ଆସିଥିବା ବେଳେ ତାହା ଉଠିସାରିଛି । ୧୨ ମାର୍ଚ୍ଚ ୨୦୨୪ରେ ୬୯ ହଜାର ୭୮୫ ଟଙ୍କା ମାଟେରିଆଲସ ବିଲ ସନ୍ତୋଷ ପାଣିଗ୍ରାହୀ ନାମକ ଜଣେ ଲୋକଙ୍କ ଭେଣ୍ଡର ଆଇଡିକୁ ଯାଇଛି  । ଏହା ପରେ ସେ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ପରେ ତାଙ୍କୁ ଟଙ୍କା ଫେରସ୍ତ କରାଯାଇଛି । ଏପରି ଅନେକ ହିତାଧିକାରୀଙ୍କ ଗୁହାଳ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି ।

କୁଶରାବ ଗାଁର ସାରସ ପ୍ରଧାନଙ୍କ ଅଗୋଚରରେ ତାଙ୍କ ନାଁରେ ଥିବା ଗୁହାଳ ଯୋଜନାରୁ ୧୬ ହଜାର ୫୯୦ ଟଙ୍କା ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଛାଡି ଦିଆଯାଇଥିବା ସାରସଙ୍କ ସ୍ଵାମୀ ଅଭିଯୋଗ କରିଛନ୍ତି । ସେହିପରି ଶ୍ରୀନିବାସ ଗୌଡଙ୍କ ନାଁରେ ଆସିଥିବା ୬୭ ହଜାର ମାଟେରିଆଲ ଟଙ୍କା ଚଳୁ କରାଯାଇଛି । ଏପରି ଅନେକ ହିତାଧିକାରୀଙ୍କ ଟଙ୍କା ହଡପ କରାଯାଇଛି । ଯୋଜନାରେ ଘୋଟାଲା ହୋଇଥିବା ଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ଧରାକୋଟ ବିଡିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି, ଯୋଜନାରେ ଟଙ୍କା ଅତ୍ମସାତ କରିଥିବା ବ୍ୟକ୍ତିକୁ କେବେ ଦଣ୍ଡ ମିଳବ ?

ଏମିତି କହି ପାକିସ୍ତାନୀ ସାମ୍ବାଦିକଙ୍କୁ ଚୁପ୍ କରାଇଲେ ସୂର୍ଯ୍ୟକୁମାର ଯାଦବ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ପାକିସ୍ତାନକୁ ହରାଇ ଟାଇଟଲ ହାତେଇଛି ଭାରତ । ବିନା ଟ୍ରଫିରେ ସେଲିବ୍ରେସନ କରିଛି ଟିମ ଇଣ୍ଡିଆ । ତେବେ ମ୍ୟାଚ ସରିବା ପରେ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ରିପୋର୍ଟରଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି । ପାକିସ୍ତାନୀ ଖେଳାଳିଙ୍କ ସହ ହାତ ନମିଳାଇବା ଏବଂ ଟ୍ରଫି ନନେବାକୁ ନେଇ ପ୍ରଶ୍ନ କରିଥିଲେ । ପାକିସ୍ତାନର ସାମ୍ବାଦିକ ଜଣକ ପ୍ରଶ୍ନ କରିଥିଲେ କି, କ୍ରିକେଟରେ ରାଜନୀତି ଆଣିବାରେ ଆପଣ ପ୍ରଥମ ଅଧିନାୟକ କି ? ହ୍ୟାଣ୍ଡେସକ ନକରିବା ଏବଂ ଟ୍ରଫି ନଧରି ସେଲିବ୍ରେସନ କରିବା ଆପଣ କ୍ରିକେଟ ଇତିହାସରେ ପ୍ରଥମ ଅଧିନାୟକ କି ? ଏହାର ଉତ୍ତରରେ ସୂର୍ଯ୍ୟକୁମାର ଯାଦବ କହିଥିଲେ ତୁମେ ରାଗି ଯାଉଛ କି ? ଏହାପରେ ସମସ୍ତେ ହସିଥିଲେ । ଆଉ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଦୁର୍ଗାପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା, ଜଗିଛନ୍ତି ୬୧ ପ୍ଲାଟୁନ ଫୋର୍ସ

0

ନନ୍ଦିଘୋଷ ବ୍ୟୁରୋ: ଦୁର୍ଗାପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା । ପୁରା ସହରରେ ୧୯୩ ଟି  ମଣ୍ଡପରେ ଦୁର୍ଗାପୂଜା ହେଉଥିବାବ ବେଳେ ସୁରକ୍ଷା ପ୍ରଦାନ କରିବେ ୬୧ ପ୍ଲାଟୁନ ଫୋର୍ସ । ଏହା ଭିତରେ ୩ ପ୍ଲାଟୁନ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ରହିଛନ୍ତି । ୩ ଜଣ ଡିସିପି ରାଙ୍କ ଅଫିସର ମନିଟର କରିବେ। ୨୪ ଟି ମଣ୍ଡପରେ ମା’ଙ୍କ ମୂର୍ତ୍ତିରେ ସୁନା ଓ ରୂପା ଅଳଙ୍କାର ବ୍ୟବହାର ହେଉଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। Drone ଦ୍ୱାରା ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ହେବ । ୪ ଟି drone ର ବ୍ୟବସ୍ଥା ହୋଇଛି । ଏସବୁକୁ ସ୍ମାର୍ଟ ସିଟି କ୍ୟାମେରା ଦ୍ୱାରା ମନିଟର କରାଯିବ। କମିଶନରେଟ ପୋଲିସର ହର୍ ଟିମ ମହିଳାଙ୍କ ସୁରକ୍ଷା ଦିଗରେ ନିୟୋଜିତ ହୋଇଛନ୍ତି । ମୋବାଇଲ ପାଟ୍ରୋଲିଂ ବ୍ୟାପକ ହୋଇଛି। ଷ୍ଟ୍ରାଇକିଂ ଫୋର୍ସ, ସ୍ପେଶାଲ ଟାକ୍ଟିକାଲ ୟୁନିଟ, ବମ୍ ଡିସ୍ପୋଜାଲ ସ୍କ୍ୱାଡ ମଧ୍ୟ ମୁତୟନ ହୋଇଛନ୍ତି। ରାଜଧାନୀବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ଏଭଳି ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ କମିଶନର। ପୂଜାରେ ପ୍ରବଳ ଭିଡ଼ ହେଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ବୁଲାବୁଲି କରୁଛନ୍ତି। ଭିଡ଼ ପରିଚାଳନା କରିବାକୁ ଫୋର୍ସ ମୁତୟନ ହୋଇଥିବା କହିଛନ୍ତି ପୋଲିସ କମିଶନର।

ପ୍ରଶାନ୍ତ କିଶୋର ଦେଲେ ହିସାବ, କହିଲେ କେଉଁଠୁ ଆସୁଛି ତାଙ୍କ ଦଳ ପାଇଁ ପାଣ୍ଠି

ନନ୍ଦିଘୋଷ ବ୍ୟୁରୋ: ବିହାର ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ଉଭୟ ବିରୋଧୀ ଏବଂ ଶାସକ ଦଳକୁ ଟାର୍ଗେଟ କରି ଆସୁଥିବା ପ୍ରଶାନ୍ତ କିଶୋର ସବୁବେଳେ ବେଶ ଚର୍ଚ୍ଚାରେ ରହିଛନ୍ତି । ବିରୋଧୀମାନେ ତାଙ୍କୁ ବିଜେପିର ବି ଟିମ ବୋଲି କହୁଥିବାବେଳେ ସରକାରୀ ଦଳ ମଧ୍ୟ ତାଙ୍କୁ ଟାର୍ଗେଟ କରି ଆସୁଛନ୍ତି । ତେବେ ପି.କେ ଜନସୂରଜ ପାର୍ଟି ଗଠନ କରି ବିହାରର ୨୪୩ ଆସନରେ ନିର୍ବାଚନ ଲଢ଼ିବା ଲାଗି ପୂର୍ବରୁ ଘୋଷଣା କରିସାରିଛନ୍ତି । ତେବେ ତାଙ୍କ ଦଳ କେଉଁଠୁ ପାଣ୍ଠି ଆଣୁଛି । ଏହାକୁ ନେଇ ବାରମ୍ବାର ଟାର୍ଗେଟ କରାଯାଉଥିବାବେଳେ ନିଜେ ଏହାର ଉତ୍ତର ରଖିଛନ୍ତି ପି.କେ ।

ପି.କେ କହିଛନ୍ତି କି, ମୋ ଉପରେ ବାରମ୍ବାର ଆରୋପ ଲଗାଉଥିବା ଦୁର୍ନୀତିଗ୍ରସ୍ତ ନେତାମାନେ ଜାଣି ରଖନ୍ତୁ । ମୁଁ ଜଣେ ରାଜନୈତିକ ପରାମର୍ଶଦାତା । ମୋ ପରାମର୍ଶରେ ବଡ଼ ବଡ଼ ନେତା ସରକାର ଗଠନ କରିଛନ୍ତି । ଯାହା ପାଇଁ ମୋତେ ଫିସ୍ ମିଳୁଛି । ପୂର୍ବରୁ ମୁଁ କୌଣସି ପ୍ରାପ୍ୟ ନେଉନଥିଲି । ମାତ୍ର ୨୦୨୨ ମସିହାର ପରଠାରୁ ଫି ନେଇଛି । ଏହାପରଠାରୁ ଯେଉଁମାନଙ୍କୁ ପରାମର୍ଶ ଦେଇଛି ମୁଁ ପ୍ରାପ୍ୟ ଆକାରରେ ୨୫୧ କୋଟି ଟଙ୍କା ପାଇଛି । ଯେଉଁଥିରୁ ୩୦ କୋଟି ୯୫ ଲକ୍ଷ ଟଙ୍କା ଜିଏସଟି ଦେଇଛି । ଏହାସହ ୨୦ କୋଟି ଟଙ୍କାର ଆୟକର ଟ୍ୟାକ୍ସ ଦେଇଛି । ଏହାସହ ଜନସୂରଜ ପାର୍ଟିକୁ ୯୮ କୋଟି ଟଙ୍କା ମଧ୍ୟ ଦେଇଛି ।

ପ୍ରତିଶୃତି ପୂରଣ କଲେ ରିଙ୍କୁ-ତିଲକ, ଏସିଆ କପ ପୂର୍ବରୁ କହିଥିଲେ…

ନନ୍ଦିଘୋଷ ବ୍ୟୁରୋ: ଏସିଆ କପ ଫାଇନାଲରେ ବିଜୟୀ ହୋଇଛି ଭାରତ । ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ । ହାଇଭୋଲଟେଜ ମ୍ୟାଚରେ ତିଲକ ବର୍ମା ଅର୍ଦ୍ଧଶତକୀୟ ପାଳି ଖେଳିଥିବାବେଳେ ରିଙ୍କୁ ୪ ରନ ମାରି ଦଳକୁ ବିଜୟୀ କରାଇଥିଲେ । ତେବେ ଏସିଆ କପ ଆରମ୍ଭରୁ ସେମାନେ ଏଭଳି କିଛି ସୂଚନା ଦେଇଥିଲେ । ଯାହାକି ମ୍ୟାଚ ସରିବା ପରେ ବେଶ ଭାଇରାଲ ହେବାରେ ଲାଗିଛି । ଏକ କାଗଜରେ ଉଭୟ ଲେଖିଥିଲେ କି, ସେମାନେ ଭାରତକୁ ବିଜୟୀ କରାଇବେ । ଯାହା ଏବେ ସତ ପ୍ରମାଣିତ ହୋଇଛି ।

https://twitter.com/HPstanno1/status/1972375695931453475?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1972375695931453475%7Ctwgr%5Eb28fbd6a48f50ca38e5f7a63b61386ba24e1c946%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Fsports%2Fcricket-news%2Fasia-cup-2025-rinku-singh-manifested-to-hit-winning-runs-in-final-and-tilak-verma-to-score-big-in-final-3503516.html

ସେପ୍ଟେମ୍ବର ୬ ତାରିଖରେ ରିଙ୍କୁ ସିଂହ ଏବଂ ତିଲକ ବର୍ମା ଏକ କାଗଜରେ ଲେଖିଥିଲେ । ଯେଉଁଥିରେ ରିଙ୍କୁ ଟିମକୁ ଫାଇନାଲରେ ବିଜୟୀ ସଟ ମାରିବେ ଏବଂ ତିଲକ ବଡ଼ ସ୍କୋର କରିବେ ବୋଲି ଲେଖିଥିଲେ । ଆଉ ଶେଷରେ ଏହା ମଧ୍ୟ ସତ ହୋଇଛି । ଟୁର୍ଣ୍ଣମେଣ୍ଟରେ ରିଙ୍କୁ ସିଂହଙ୍କ କେବଳ ଫାଇନାଲରେ ଖେଳିବାର ସୁଯୋଗ ମିଳିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ତାଙ୍କୁ ଦଳରେ ସୁଯୋଗ ମିଳିଥିଲା । ଆଉ ତାଙ୍କ ବ୍ୟାଟରୁ ବିଜୟୀ ସ୍କୋର ଆସିଥିଲା ।

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ବର : ନୋଟି ବିଭାଗର ଚାରୋଟି ପ୍ରସ୍ତାବକୁ କ୍ୟାବିନେଟ ମୋହର। ରାଜ୍ୟରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଓଡିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ୧୯୫୬ ଆଇନରେ ସଂଶୋଧନ ପାଇଁ କ୍ୟାବିନେଟ ମଞ୍ଜୁରୀ। ସଂସ୍ଥାରେ ୨୦ ରୁ ଅଧିକ କର୍ମଚାରୀ ଥିଲେ ଲାଗୁ ହେବ ଏହି ନିୟମ। ଓଡ଼ିଆରେ ସାଇନ ବୋର୍ଡ ରହିବ। କାର୍ଯ୍ୟ ସମୟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି । ୩୦ ମିନିଟ ରେଷ୍ଟ ନେବେ କର୍ମଚାରୀ। ୩ ମାସ ଓଭର ଟାଇମ ୧୪୪ ଘଣ୍ଟା ଯାଏ ବୃଦ୍ଧି କରାଯାଇଛି । ସପ୍ତାହରୁ ୪୮ ଘଣ୍ଟାରୁ ଅଧିକ କାମ କଲେ ଦ୍ବିଗୁଣିତ ମଜୁରୀ ପାଇଁ ହକଦାର ହେବେ କର୍ମଚାରୀ। ରାତିରେ ମହିଳା କର୍ମଚାରୀଙ୍କ କାମ କରିବା ପ୍ରତିବନ୍ଧକ ହଟିବ। ମହିଳା କର୍ମଚାରୀ ରାତିରେ କାମ କରିବାକୁ ଚାହିଁଲେ ଲିଖିତ ସମ୍ମତି ଦେଇ ସର୍ତ୍ତାବଳୀ ଅନୁଯାୟୀ କାମ କରିପାରିବେ। ସେମାନଙ୍କ ସୁରକ୍ଷା ଓ ଯିବା ଆସିବା ପାଇଁ ଧ୍ୟାନ ଦିଆଯିବ। ବ୍ୟାପକ ଶିଳ୍ପାୟନ ପାଇଁ ଏହି ସଂସ୍କାରର ଆବଶ୍ୟକତା ପଡିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ଯେଉଁ ଶିଳ୍ପାୟନ କଥା କହୁଛନ୍ତି ଓ ଇଜ ଅଫ ଡୁଇଙ୍ଗ ବିଜନେସରେ ସେମାନଙ୍କୁ ସହଜ କରିବା ପାଇଁ ସମୟ ଅନୁଯାୟୀ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ହେଉଛି । ପିଏମଙ୍କ ପ୍ରସ୍ତାବ ଅନୁଯାୟୀ ହେଉଛି । ଆଜି ଏ ସମ୍ବନ୍ଧୀୟ ୨ ଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ପୂର୍ବରୁ ୧୫ଟି ସଂଶୋଧନ ହୋଇଛି । ନୂତନ ଶିଳ୍ପସଂସ୍ଥାମାନେ ଆସିଲେ ସେମାନଙ୍କ ପାଇଁ ସହଜ ଓ ସୁବିଧା କରିବାର ପ୍ରୟାସ କରାଯାଇଛି । ୧୩ ଲକ୍ଷ କୋଟି ପୁଞ୍ଜିନିବେଶ ଓ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨ ଲକ୍ଷ କୋଟି ଗ୍ରାଉଣ୍ଡ ବ୍ରେକିଙ୍ଗ ହୋଇଛି ଏକ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି। ଦ୍ରୁତ ବ୍ୟବସାୟୀକରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରତି ପଂଚାୟତରେ ଆଦର୍ଶ ବିଦ୍ୟାଳୟ ଯୋଜନାକୁ ମୋହର ମାରିଛି କ୍ଯାବିନେଟ । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ପ୍ରଚଳନ ହୋଇଛି । ଆରଟିଇ- ୨୦୦୯ର ଉଦ୍ଦେଶ୍ୟକୁ ପୂରଣ କରିବା ସହ ଗୁଣାତ୍ମକ ଶିକ୍ଷା ପାଇଁ ପ୍ରତି ପଂଚାୟତ ସ୍ତରରେ ପ୍ରଥମ ଫେଜରେ ଆଦର୍ଶ ବିଦ୍ୟାଳୟ ହେବ। ମୌଳିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ । ୩ ବର୍ଷ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ୨୨୦୦ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ। ୧୨ ହଜାର କୋଟି ଖର୍ଚ୍ଚ ହେବ। ପ୍ରତି ବିଦ୍ୟାଳୟ ପାଇଁ ୫ କୋଟିରୁ ଅଧିକ ଖର୍ଚ୍ଚ ହେବ । ଗୁଣାତ୍ମକ ଶିକ୍ଷା, ଭିତ୍ତିଭୂମି, ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି କରାଯିବ। ପରବର୍ତ୍ତୀ ଫେଜରେ ସବୁ ପଂଚାୟତ କଭର ହେବ। ସରକାରୀ ବିଦ୍ୟାଳୟରେ ପାଠ ପଢା ହେଉ ନାହିଁ ବୋଲି ଯେଉଁ ପ୍ରଶ୍ନ ହେଉଛି ଏହି ପଦକ୍ଷେପ ତାର ପରିବର୍ତ୍ତନ କରିବ।

କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ପରିସର ମନ୍ଦିର ଓ ପାରିପାର୍ଶ୍ଵକ ବିକାଶ ଉପରେ ଗୁରୁତ୍ୱ । ଭକ୍ତ ସଂଖ୍ୟା ବଢୁଛି, ଲୋକେ ହଇରାଣ ହେଉଛନ୍ତି। ସେଥିପାଇଁ ପାର୍କିଂ ଓ ଅନ୍ୟ ବ୍ୟବସ୍ଥା ପାଇଁ ଡିପିଆର ପ୍ରସ୍ତୁତ ହୋଇଛି । ୫୯ ଏକରରୁ ଅଧିକ ଜାଗା ବିକାଶ ପାଇଁ ରଖାଯାଇଛି । ଏଥିରେ ୨୨୬ କୋଟି ଖର୍ଚ୍ଚ ହେବ। ୮୦ କୋଟି ଲାଣ୍ଡ ଆକୁଜିସନ ପାଇଁ ଦିଆଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ୨୪୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ମାର୍କେଟ କମ୍ପ୍ଲେସ୍କ ଓ ନଡ଼ିଆ ଭଣ୍ଡାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବେଦାନ୍ତ ଲାଞ୍ଜିଗଡ଼ର ଅନନ୍ୟ ପ୍ରୟାସ ‘ଶକ୍ତି’ ; ୧୫୦୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ସଶକ୍ତ କରିବ ଏହି ଅଭିଯାନ

ଲାଞ୍ଜିଗଡ଼ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହି ଦଶହରାରେ ପ୍ରଥମ ଥର ପାଇଁ ଏକ ନିଆରା ସାମୂହିକ ପ୍ରୟାସ ଆରମ୍ଭ କରିଛି  । ଲାଞ୍ଜିଗଡ଼ର ଆଖପାଖ ଗ୍ରାମଗୁଡ଼ିକରେ ମହିଳାମାନଙ୍କୁ ସଶକ୍ତ କରି ଶକ୍ତିର ଆତ୍ମାକୁ ପାଳନ କରିବା ଉଦ୍ଦେଶ୍ୟ ନେଇ କମ୍ପାନୀର ସ୍ୱତନ୍ତ୍ର ‘ନବରାତ୍ରି ମିଳାପ’ କାର୍ଯ୍ୟକ୍ରମ ଅଧୀନରେ, କମ୍ପାନୀ ୬୦୦ରୁ ଅଧିକ ‘ଶକ୍ତି କିଟ୍’ ବଣ୍ଟନ କରୁଛି, ଯାହା ନଅଟି ଗ୍ରାମର ୧୫୦୦ରୁ ଅଧିକ ମହିଳାଙ୍କୁ ସଶକ୍ତ ଲାଭ ପହଂଚାଇବ।

ପ୍ରତ୍ୟେକ ଶକ୍ତି କିଟ୍ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ପୁଷ୍ଟିର ପ୍ରୋତ୍ସାହନ ପାଇଁ ଚିନ୍ତନଶୀଳ ଭାବରେ ପ୍ରସ୍ତୁତ କରାଯାଇଛି । ଯାହା ମହିଳା ସଶକ୍ତିକରଣର ତିନୋଟି ସ୍ତମ୍ଭକୁ ସୁଦୃଢ଼ କରେ । କିଟ୍‌ଗୁଡ଼ିକରେ ସାନିଟାରୀ ନାପକିନ୍, ସାବୁନ, ହ୍ୟାଣ୍ଡୱାଶ୍ ଏବଂ ଅନ୍ୟାନ୍ୟ ସ୍ୱଚ୍ଛତା ଆବଶ୍ୟକୀୟ ସାମଗ୍ରୀ; ପୁଷ୍ଟି ବୃଦ୍ଧି ପାଇଁ ମିଲେଟରେ ତିଆରି ମିଷ୍ଠାନ୍ନ ; ଏବଂ ଲୁହା କଡେଇ, ଏକ ପାରମ୍ପରିକ ରୋଷେଇ ଉପକରଣ ଯାହା ସମୟ ସହିତ ରକ୍ତହୀନତା ହ୍ରାସ କରିବାରେ ସାହାଯ୍ୟ କରେ ବୋଲି ଜଣାଶୁଣା। ଏହି ଅନନ୍ୟ ପ୍ରୟାସକୁ ଶକ୍ତି ଏବଂ ଯତ୍ନର ଉତ୍ସବ କରିବା ପାଇଁ କିଛି ଉତ୍ସବ ସାମଗ୍ରୀ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ଏହି କାର୍ଯ୍ୟକ୍ରମ ନବରାତ୍ରିର ନଅ ଦିନ ଧରି କରାଯାଉଛି। ପ୍ରତ୍ୟେକ ଦିନ ଗୋଟିଏ ଗାଁ ସହ ଉତ୍ସବ ପାଳନ କରାଯାଉଛି। ବେଦାନ୍ତର କର୍ମଚାରୀ ଓ ପ୍ରତିନିଧିମାନେ ରଙ୍ଗୋଲି ତିଆରି ଏବଂ ପାରମ୍ପରିକ ଖେଳ ଭଳି କାର୍ଯ୍ୟକଳାପ ମାଧ୍ୟମରେ ସମ୍ପ୍ରଦାୟ ସହିତ ଜଡିତ ହେଉଛନ୍ତି, ପ୍ରତ୍ୟେକ ଶକ୍ତି କିଟ ବଣ୍ଟନକୁ ଏକ ମିଳିତ ଉତ୍ସବ ଭାବରେ ପରିଣତ କରୁଛନ୍ତି। ଏହି ପ୍ରୟାସ ପୁତ୍ରୀଭଟା, ଖାଲଗୁଡ଼ା, ବଳଭଦ୍ରପୁର, କଦମଗୁଡ଼ା, କେନ୍ଦୁବାର୍ଡି, ବାନିଗାଁ, ସିମିଳିଭଟା, ବୁନ୍ଦେଲ ଏବଂ ଚନାଲିମାକୁ ଅନ୍ତର୍ଭୁକ୍ତ କରୁଛି, ଯାହା ସାମୂହିକ ଭାବରେ ୬୦୦ ରୁ ଅଧିକ ପରିବାରକୁ ଲାଭ ପହଞ୍ଚାଇବ।

ଏହି ପ୍ରୟାସ ବିଷୟରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ, ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “ଆମର ସମ୍ପ୍ରଦାୟ ବିକାଶର ସମସ୍ତ ପ୍ରୟାସର ମୂଳରେ ଗୋଟିଏ ଚିନ୍ତାଧାରା ରହିଛି ଯେ ପ୍ରକୃତ ପ୍ରଗତି ଅନ୍ତର୍ଭୁକ୍ତ ଏବଂ ସଭିଙ୍କୁ ସାଥିରେ ନେଇ ସମ୍ଭବ ହୁଏ। ନବରାତ୍ରି ହେଉଛି ଶକ୍ତିର ଉତ୍ସବ – ଶକ୍ତି, ଯତ୍ନ ଏବଂ ଦୃଢ଼ତାର ଉତ୍ସବ। ଏହି ବର୍ଷ, ଆମେ ଆମ ଗାଁଗୁଡ଼ିକର ମହିଳାମାନଙ୍କୁ ସଶକ୍ତ କରି ସେଇ ଭାବନାକୁ ସମ୍ମାନ କରିବାକୁ ଚାହୁଁଥିଲୁ। ଶକ୍ତି କିଟ୍ ମାଧ୍ୟମରେ, ଆମେ ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାରେ ନିବେଶ କରୁଛୁ। ଏହି ପ୍ରୟାସ ଆମର ବ୍ୟାପକ ସାମାଜିକ ପ୍ରଭାବ କାର୍ଯ୍ୟକ୍ରମଗୁଡ଼ିକୁ ପରିପୂରକ କରେ, ଯାହା ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ଜୀବିକା ନିର୍ବାହକୁ ବିସ୍ତାର କରିଥାଏ; ସ୍ଥାୟୀ ଏବଂ ସମାନ ଅଭିବୃଦ୍ଧି ପାଇଁ ପଥ ସୃଷ୍ଟି କରିଥାଏ।”

‘ନବରାତ୍ରୀ ମିଳାପ’ ହେଉଛି ବେଦାନ୍ତ ଲାଞ୍ଜିଗଡ଼ର ପ୍ରମୁଖ ସାମାଜିକ ଯୋଗାଯୋଗ, ମିଳାପ କାର୍ଯ୍ୟକ୍ରମର ଏକ ଉତ୍ସବମୁଖୀ ସଂସ୍କରଣ। ଏହି ପ୍ଲାଟଫର୍ମ କମ୍ପାନୀର କର୍ମଚାରୀ ଏବଂ ଏହାର ଆଖପାଖ ସମ୍ପ୍ରଦାୟ ମଧ୍ୟରେ ନିୟମିତ ସମ୍ପର୍କକୁ ପ୍ରୋତ୍ସାହିତ କରେ, ଯାହା ୧୬ଟି ଗ୍ରାମର ୩,୩୦୦ରୁ ଅଧିକ ଲୋକଙ୍କୁ ଉପକୃତ କରିଥାଏ। ମାସିକ ମିଳାପ କାର୍ଯ୍ୟକ୍ରମରେ ଅତ୍ୟାବଶ୍ୟକୀୟ ବଣ୍ଟନ, ଭୋଜିଭାତ କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ ଆଦାନପ୍ରଦାନ ଅନ୍ତର୍ଭୁକ୍ତ ଯାହାକି ଏକତାର ଭାବନାକୁ ସୁଦୃଢ଼ ​​କରିଥାଏ।

ସମ୍ପ୍ରଦାୟ ବିକାଶ ପାଇଁ ଏହି ସମନ୍ୱିତ ପ୍ରକ୍ରିୟା ମାଧ୍ୟମରେ, କମ୍ପାନୀ ଏହାର କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବା, ବ୍ୟକ୍ତିମାନଙ୍କୁ ସଶକ୍ତ କରିବା, ପରିବାରଗୁଡିକୁ ମଜବୁତ କରିବା ଏବଂ ଶିଳ୍ପ ପ୍ରଗତି ସହିତ ବୃଦ୍ଧି ପାଉଥିବା ସୁନ୍ଦର ସମ୍ପ୍ରଦାୟ ନିର୍ମାଣ କରିବା ଜାରି ରଖିଛି।

 

ଏସିଆ କପ୍ ଫାଇନାଲ ରାତିରେ ହାଇଭୋଲଟେଜ ଡ୍ରାମା, ଜାଣନ୍ତୁ କ’ଣ କ’ଣ ହେଇଥିଲା ?

ନନ୍ଦିିଘୋଷ ବ୍ୟୁରୋ: ରବିବାର ଦିନ ଏସିଆ କପ୍ ଫାଇନାଲରେ ଭାରତୀୟ ଦଳ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ନବମ ଥର ପାଇଁ ଟ୍ରଫି ଉଠାଇଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ଅପରେସନ୍ ସିନ୍ଦୂର ପୃଷ୍ଠଭୂମି ସହିତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଦୁଇ ଦଳ ମଧ୍ୟରେ ଉତ୍ତେଜନା ଜାରି ରହିଥିଲା। ଭାରତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସହିତ ହାତ ମିଳାଇ ନଥିଲା, ଏବଂ ଏହି ନାଟକ ଫାଇନାଲ୍ ଏବଂ ପରବର୍ତ୍ତୀ ସମୟରେ ଜାରି ରହିଥିଲା। ତେବେ ଆସନ୍ତୁ ଜାଣିବା ସେହି ଫାଇନାଲ ରାତି ବିଷୟରେ ଯାହା ଆଜି ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି ୧୦ଟି ପଏଣ୍ଟରେ ..

-ରାତି ୧୨ଟାରେ ଭାରତର ବିଜୟ ପରେ, ପୁରସ୍କାର ବିତରଣ ଉତ୍ସବ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା, କାରଣ ଭାରତୀୟ ଦଳ ଏସୀୟ କ୍ରିକେଟ ପରିଷଦ (ଏସିସି) ସଭାପତି ମୋହସିନ ନକଭିଙ୍କଠାରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲା।

-ପୁରସ୍କାର ପ୍ରଦାନ ଉତ୍ସବ ଆରମ୍ଭ ହେବା ପୂର୍ବରୁ ମୋହସିନ ନକଭି ଗୋଟିଏ ପାର୍ଶ୍ୱକୁ ଠିଆ ହୋଇଥିଲେ, ଭାରତୀୟ ଖେଳାଳିମାନେ ୧୫ ୟାର୍ଡ ମଧ୍ୟରେ ଠିଆ ହୋଇଥିଲେ। ସେମାନେ ତାଙ୍କ ହାତରୁ ଟ୍ରଫି ନେବାକୁ ମନା କରିଥିଲେ, ଯାହା ଫଳରେ ସମାରୋହ ବିଳମ୍ବିତ ହୋଇଥିଲା।

-ଭାରତୀୟ ଦଳ ପୂର୍ବରୁ ନକଭିଙ୍କଠାରୁ ଟ୍ରଫି ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଥିଲା। ନକଭି ମଞ୍ଚ ଉପରକୁ ଉଠିବା ମାତ୍ରେ ଦର୍ଶକଙ୍କ ମଧ୍ୟରେ ଥିବା ଭାରତୀୟ ପ୍ରଶଂସକମାନେ “ଭାରତ ମାତା କି ଜୟ!” ନାରା ଦେବା ଆରମ୍ଭ କରିଦେଇଥିଲେ।

-ମୋହସିନ ନକଭି ମଞ୍ଚ ଉପରକୁ ଆସିବା ମାତ୍ରେ ତାଙ୍କୁ କୁହାଯାଇଥିଲା ଯେ ଭାରତୀୟ ଦଳ ତାଙ୍କଠାରୁ ଟ୍ରଫି ଗ୍ରହଣ କରିବ ନାହିଁ ଏବଂ ଏପରି କରିବାର ଯେକୌଣସି ପ୍ରୟାସ ଆନୁଷ୍ଠାନିକ ପ୍ରତିବାଦର କାରଣ ହେବ। ନକଭି ଅପେକ୍ଷା କଲେ ହଠାତ୍ ଆୟୋଜକଙ୍କ ମଧ୍ୟରୁ କେହି ଜଣେ ଟ୍ରଫିକୁ ଡ୍ରେସିଂ ରୁମକୁ ନେଇଗଲେ।

-ମ୍ୟାଚ୍ ପରେ ପାକିସ୍ତାନୀ ଦଳ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଡ୍ରେସିଂ ରୁମରୁ ବାହାରି ନଥିଲା। କେବଳ PCB ଅଧ୍ୟକ୍ଷ ନକଭି ଏକା ଠିଆ ହୋଇ ଲଜ୍ଜାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ୫୫ ମିନିଟ୍ ପରେ ଯେତେବେଳେ ପାକିସ୍ତାନୀ ଦଳ ଆସିଥିଲେ ଦର୍ଶକମାନେ “ଭାରତ, ଭାରତ ” ନାରା ଦେଇଥିଲେ।

-ଭାରତ ଟ୍ରଫି ଗ୍ରହଣ କରିବାକୁ ମନା କରିବା ପରେ ACC ମୁଖ୍ୟ ମୋହସିନ ନକଭି ଏସିଆ କପ୍ ଟ୍ରଫି ନେଇ ଚାଲିଗଲେ। ଚାମ୍ପିଅନ ହେବା ସତ୍ତ୍ୱେ ଭାରତୀୟ ଦଳ ଟ୍ରଫି ଗ୍ରହଣ କରିନଥିବାରୁ BCCI ଗଭୀର ଦୁଃଖ ପ୍ରକାଶ କରିଛି। ନଭେମ୍ବରରେ ହେବାକୁ ଥିବା ପରବର୍ତ୍ତୀ ICC ବୈଠକରେ ମୋହସିନ ନକଭିଙ୍କ ବିରୋଧରେ ଏନେଇ  ଅସନ୍ତୋଷ ପ୍ରକାଶ କରିବ।

-ବିସିସିଆଇ ସଚିବ ଦେବଜିତ ସାଇକିଆ ଦଳର ଆଭିମୂଖ୍ୟକୁ ଯଥାର୍ଥ ଦର୍ଶାଇ କହିଛନ୍ତି ଯେ ଭାରତୀୟ ଦଳ “ଦେଶ ବିରୁଦ୍ଧରେ ଯୁଦ୍ଧ କରୁଥିବା” ବ୍ୟକ୍ତିଙ୍କଠାରୁ ଟ୍ରଫି ଗ୍ରହଣ କରିପାରିବ ନାହିଁ। ନକଭି ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଏବଂ ଶତ୍ରୁ ଦେଶର ଗୃହମନ୍ତ୍ରୀ ମଧ୍ୟ।

-ଏସୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ଏବଂ ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିବା ପରେ ଭାରତୀୟ ଦଳକୁ ଏସିଆ କପ୍ ପ୍ରଦାନ ନକରାଯିବା ସମ୍ପର୍କରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, “ମୁଁ ପୂର୍ବରୁ କେବେ ବିଜେତା ଦଳକୁ ଟ୍ରଫି ଗ୍ରହଣ ନକରିବାର ଦେଖିନାହିଁ। କିନ୍ତୁ ମୋ ପାଇଁ ମୋର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ହେଉଛନ୍ତି ପ୍ରକୃତ ଟ୍ରଫି।”

ସୂର୍ଯ୍ୟକୁମାର ଯାଦବ ଏସିଆ କପରୁ ତାଙ୍କର ସମ୍ପୂର୍ଣ୍ଣ ମ୍ୟାଚ୍ ଫିସ୍ ଭାରତୀୟ ସଶସ୍ତ୍ର ବାହିନୀ ଏବଂ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କୁ ଦାନ କରିଛନ୍ତି। ଭାରତୀୟ ଖେଳାଳିମାନେ ପ୍ରତି ଟି-୨୦ ମ୍ୟାଚ୍ ପାଇଁ ₹୪୦୦,୦୦୦ ପାଆନ୍ତି, ଅର୍ଥାତ୍ ସୂର୍ଯ୍ୟକୁମାର ଟୁର୍ଣ୍ଣାମେଣ୍ଟରେ ସାତଟି ମ୍ୟାଚ୍ ପାଇଁ ₹୨.୮ ମିଲିୟନ ପାଇବେ।

ଦୁର୍ଘଟଣାରୁ ବର୍ତ୍ତିଗଲେ ଦୁଇ ଟ୍ରେନ ; ରେଡ୍ ସିଗନାଲ ସତ୍ତ୍ବେ ଟ୍ରେନ ଗଡ଼ାଇଥିଲେ ଲୋକୋ ପାଇଲଟ

ବାଲେଶ୍ବର : ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲେ ଦୁଇ ଟ୍ରେନ। ବାଲେଶ୍ଵର ସୋର ଷ୍ଟେସନରେ ଦୁର୍ଘଟଣାରୁ ବର୍ତ୍ତିଯାଇଛି ପୁରୀ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ ଓ ଭୁବନେଶ୍ଵର ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ। ଗତକାଲି ସୋର ଷ୍ଟେସନରେ ସଂଧ୍ଯା ୫ଟା ୩୫ ମିନିଟରେ ଆସି ପହଞ୍ଚିଥିଲା ହାୱଡାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ। ଅପରାହ୍ନ ୫ଟା ୪୬ ମିନିିଟରେ ଟ୍ରେନକୁ ଷ୍ଟେସନ ଛାଡ଼ିବାକୁ ଗ୍ରୀନ ସିଗନାଲ ଦେଇଥିଲେ ଷ୍ଟେସନ ମାଷ୍ଟର। ତେବେ ହଠାତ ମେନ ଲାଇନରେ ହାୱଡାରୁ ପୁରୀ ଅଭିମୁଖେ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ ମାଡ଼ି ଆସିଥିଲା। ଏହି ଟ୍ରେନକୁ ରେଡ୍ ସିଗନାଲ ଥିବା ସତ୍ଵେ ଧିରେ ଧିରେ ମନ୍ଥର ଗତିରେ ଷ୍ଟେସନ ପରିସରକୁ ମାଡି ଆସିଥିଲା। ସ୍ଥିତିକୁ ନେଇ ପୂର୍ବରୁ ଗ୍ରୀନ ସିଗନାଲ ପାଇଥିବା ଜନଶତାବ୍ଦୀ ଏକ୍ସପ୍ରେସର ସିଗନାଲକୁ ରେଡ୍ କରାଯାଇଥିଲା। ଜନଶତାବ୍ଦୀ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଥିଲେ ଦୁଇ ଟ୍ରେନ ମଧ୍ୟରେ ଧକ୍କା ହେବା ପ୍ରାୟ ନିଶ୍ଚିତ ଥିଲା।

ତେବେ ସିଗନାଲ ମାନିନଥିବା ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସକୁ ମାର୍କୋଣା ଷ୍ଟେସନରେ ଅଟକାଇବାକୁ ସୂଚନା ଦେଇଥିଲେ ସୋର ଷ୍ଟେସନ ମାଷ୍ଟର। ସୋର ଷ୍ଟେସନରେ ଅଟକି ରହିଥିଲା ଭୁବନେଶ୍ଵର ଅଭିମୁଖେ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ। ସିଗନାଲ ମାନିନଥିବା ଶତାବ୍ଦୀ ଏକ୍ସପ୍ରେସର ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବଂ ଗାର୍ଡଙ୍କୁ ତୁରନ୍ତ କାର୍ଯ୍ୟରୁ ଅପସାରଣ ପରେ ନୂତନ ଷ୍ଟାପ ନିୟୋଜିତ କରାଯାଇଥିଲା। ଏହା ପରେ ଦୁଇ ଟ୍ରେନ ଯାତ୍ରା ଆରମ୍ଭ କରିଥିଲା। ନିର୍ଦ୍ଦିଷ୍ଟ ସମୟ ଠାରୁ ଦେଢଘଣ୍ଟା ବିଳମ୍ବରେ ମାର୍କୋଣା ରେଳ ଷ୍ଟେସନରୁ ଛାଡିଥିଲା ଟ୍ରେନ। ରେଲୱେ ବିଭାଗର ଉଚ୍ଚ ପଦାଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ତିନିଜଣ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛନ୍ତି।

ଗାଡ଼ିରୁ ସାମଗ୍ରୀ ଓହ୍ଲାଇବାବେଳେ ଲାଗିଲା କରେଣ୍ଟ ; ଜଣେ ମୃତ, ୨ ଗୁରୁତର

କେନ୍ଦୁଝର : ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ ୨ ଗୁରୁତର । କେନ୍ଦୁଝର ଆନନ୍ଦପୁର ଅଂଚଳର ଏ ଘଟଣା। ଗାଡ଼ିରୁ ପାର୍ସଲ ସାମଗ୍ରୀ ଅନଲୋଡିଂ ବେଳେ 11kv ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ଗାଡ଼ି । ଏଥିରେ ଜଣକର ଜୀବନ ଯିବା ସହିତ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଜାତୀୟ ରାଜପଥ ୨୦ରେ ଘସିପୁରାର ଏକ ହୋଟେଲ ନିକଟରେ ଘଟିଥିଲା ଏ ଅଘଟଣ । ଏକ ଗୋଦାମ ଘରେ ଅନଲାଇନ ଅର୍ଡରର ସାମଗ୍ରୀ ଗାଡ଼ିରୁ ଅନଲୋଡ଼ ହେଉଥିଲା। ଅନେକ ସ୍ଥାନୀୟ ଯୁବକ ଏହି ସଂସ୍ଥାରେ କାର୍ଯ୍ୟରତ ଥିବା ବେଳେ ଘସିପୁରା ମଙ୍ଗଳପୁର ଗାଁର ସୁଶାନ୍ତ ଦାସ ନାମକ ଯୁବକ ଅନ୍ୟ ୨ ଯୁବକଙ୍କୁ ଧରି ଗାଡିରୁ ସାମଗ୍ରୀ ଅନଲୋଡିଂ କରୁଥିଲେ। ଏହି ସମୟରେ ଟ୍ରକର ଡୋର ଖୋଲିଯିବାରୁ ନିକଟରେ ଥିବା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଗାଡିଟି ଆସି ଯାଇଥିଲା। ଅଚାନକ କରେଣ୍ଟ ଲାଗିଯିବାରୁ ସୁଶାନ୍ତ ଦାସଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟ ୨ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।