spot_img
Home Blog Page 377

ଦୁଇଦିନ ପୂର୍ବରୁ ନିଖୋଜ ଛାତ୍ରଙ୍କ ଗଳିତ ଶବ ଜବତ, ହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଦୁଇଦିନ ପୂର୍ବରୁ ନିଖୋଜ ଛାତ୍ରଙ୍କ ଗଳିତ ଶବ ଊଦ୍ଧାର । ଘରଠାରୁ ପ୍ରାୟ ତିନି କିମି ଦୂର ଏକ ବୁଦା ମୂଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ପୁଅକୁ ହତ୍ୟା କରିବା ପରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘଟଣା ଆସ୍କା ଗାଙ୍ଗପୁର ଥାନା ଖଣ୍ଡରା ବଳି ଗାଁରେ ଘଟିଛି ।

ସୂଚନା ଅନୁସାରେ ମୃତ ଛାତ୍ର ଜଣଙ୍କ ହେଲେ ବାବୁ ବିଷୋୟୀଙ୍କ ୧୪ ବର୍ଷର ପୁଅ ଅମର । ଗତ ୨୮ ତାରିଖରୁ ଅମର ନିଖଷାଜ ଥିଲେ ।  ଏ ନେଇ ଗାଙ୍ଗପୁର ଥାନାରେ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ହୋଇଥିଲା l  ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି l

ଘଟଣା ଦିନ ମୃତକଙ୍କ ମାଆ ବାହାରକୁ ଯାଇଥିବା ବେଳେ ଜେଜେଙ୍କୁ ଚାହା କରି ପିଇବାକୁ ଦେଇଥିଲେ । ଏପରିକି ଘରେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାରେ ଅଭିଯୋଗ କରିଥିଲେ । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଶାରଦୀୟ ଦୁର୍ଗାପୂଜା: ପୀଠରେ ମହାନବମୀ ଓ ମଣ୍ଡପରେ ମହାଷ୍ଟମୀ

ନନ୍ଦଘୋଷ ବ୍ୟୁରୋ: ଧୂମଧାମରେ ସାରା ରାଜ୍ୟରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ଗାଁଠୁ ସହର ସବଠି ଉତ୍ସବର ମାହୋଲ । ପୁଣି ଥରେ ଅସତ୍ୟ ଉପରେ ସତ୍ୟର ବିଜୟ ଧ୍ବଜା ଉଡାଇବାକୁ ଆସିଛନ୍ତି ଜଗତ ଜନନୀ ମହିଷାମର୍ଦ୍ଦିନ ମା’ ଦୁର୍ଗା ।

ମା’ଙ୍କ ଆଗମନରେ ପୁରପଲ୍ଲୀରେ ଚାଲିଛି ଉତ୍ସବ । ପୀଠରେ ମା’ଙ୍କ ମହାନବମୀ ଅନୁଷ୍ଠିତ ହେଉଛି । ରାଜ୍ୟରେ ଥିବା ବିଭିନ୍ନ ଶକ୍ତିପୀଠରେ ମା’ ଭିନ୍ନ ଭିନ୍ନ ରୂପରେ ଆଜି ପୂଜା ପାଉଛନ୍ତି । ନବମୀ ପୂଜା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି ।

ସେହିପରି ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ସକାଳୁ ସକାଳୁ ମା’ଙ୍କ ଦର୍ଶନ କରିବା ସହ ନୈବିଦ୍ୟ ଅର୍ପଣ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଦର୍ଶନ ଶୃଙ୍ଖଳିତ କରିବା ପାଇଁ ପୀଠ ଓ ମଣ୍ଡପ କମିଟଇ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

ଐତିହ୍ୟ ସହର କଟକ, ରାଜଧାନୀ ଭୁବନେଶ୍ବର, ଷ୍ଟିଲସିଟି ରାଉରକେଲା ସହ ରାଜ୍ୟର ସବୁ ଜିଲ୍ଲାରେ ଧୂମଧାମରେ ମଣ୍ଡପରେ ମା’ଙ୍କ ପୂଜା କରାଯାଉଛି । ରଙ୍ଗବେରଙ୍ଗର ଆଲୋକମାଳା ସହ ଆଖି ଝଲିସି ଯିବା ପରି ସୁଉଚ୍ଚ ତୋରଣ ଲୋକଙ୍କୁ ଆକୃଷ୍ଟ କରୁଛି । ଦିନ ତ ଦିନ ସାରା ରାତି ରାଜଧାନୀରେ ପୂଜା ମଣ୍ଡପଗୁଡିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ।

କଟକରେ ସୁନା ଓ ଚାନ୍ଦି ଅଳଙ୍କାରେ ଆଭୂଷିତ ହୋଇ ମା’ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ସେହିପରି ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇଛି । ଗୋଟିଏକୁ ବଡ଼ି ଅନ୍ୟ ତୋରଣ ଦେଖିବାକୁ ଲୋକଙ୍କ ଗହଳି ଲାଗୁଛି ।

ସେହିପରି ରାମ ଦୋଳିକୁ ପିଲାଙ୍କ ପାଇଁ ଭଳି କି ଭଳି ଖେଳର ପସରା ମେଲିଛି ପୂଜା ମଣ୍ଡପଗୁଡିକରେ । ଗୁପଚୁପ, ଆଇସକ୍ରିମ, ଚାଟ ସାଙ୍ଗକୁ ଭଳି କି ଭଳି ଖାଦ୍ୟ ଓ ଫାଷ୍ଟଫୁଟ୍ ଦୋକାନରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ମୀନାବଜାରରେ ଘରକରଣା ଜିନିଷ କିଣି ନେବାକୁ ମହିଳାଙ୍କ ଭିଡ଼ ଦେଖିବାକୁ ମିଳୁଛି । ପାଗ ଭଲ ଥିବାରୁ ଲୋକେ ବିନଦାଶ ଭାବେ ବିଭିନ୍ନ ପୂଜା ମଣ୍ଡପ ବୁଲି ମଜ୍ଜା ଉଠାଉଛନ୍ତି ।

RBI ଦେଲା ଆଶ୍ବସ୍ତି: ଏହି ଦିନରୁ ଲୋନ ନେବା ହେବ ସହଜ, କମିବ EMI

ନନ୍ଦିଘୋଷ ବ୍ୟୁରୋ: ସାଧାରଣ ଲୋକଙ୍କ ସୁବିଧା ପାଇଁ ଆରବିଆଇ ଋଣ ନେବାକୁ ନେଇ ବଡ଼ ଧରଣର ଘୋଷଣା କରିଛି । ଋଣ ନେବା ସହଜ କରିବା ଓ ବଡ଼ ଧରଣରୁ ଋଣ ନେବା ପାଇଁ ଥିବା ନିୟମକୁ କିଛି ମାତ୍ରାରେ କୋହଳ କରିବା ପାଇଁ କିଛି ପରିବର୍ତ୍ତନ କରିବାକୁ ଯାଉଛି । ଆଉ ଏହି ପରିବର୍ତ୍ତନରେ ୩ଟି ନିୟମ ଅକ୍ଟୋବର ଏକ ତାରିଖରୁ ଲାଗୁ ହେବାକୁ ଯାଉଥିବା ବେଳେ ବାକି ୪ଟି ନିୟମ ଉପରେ ବିଚାର ଚାଲିଛି ।

ଯଦି ଆପଣ ପ୍ଲୋଟିଂ ରେଟରେ ଲୋନ ନେଇଛନ୍ତି ତେବେ ବ୍ୟାଙ୍କ ଆପଣଙ୍କ ଇଏମଆଇକୁ ତିନି ବର୍ଷର ଲକ୍ ଇନ୍ ଅବଧି ପୂର୍ବରୁ କମ କରିପାରିବେ । ଏହାର ଲାଭ ସିଧା ସିଧା ଆପଣଙ୍କୁ ମିଳିବ ଓ ଆପଣଙ୍କ ଇଏମଆଇ କମ ହୋଇପାରେ । ଏହାସହ ଯେଉଁମାନେ ଫିକ୍ସ ରେଟ ଲୋନ ନେଇଛନ୍ତି, ସେମାନଙ୍କୁ ଏହାକୁ ପରିବର୍ତ୍ତନ କରି ଫ୍ଲୋଟିଂ ରେଟ୍ କରିବାର ବିକଳ୍ପ ଦିଆଯାଇପାରେ । ଏହା ବାଧ୍ୟତାମୂଳକ ନହେଲେ ବି ବ୍ୟାଙ୍କ ଚାହିଁଲେ ଏହି ସୁବିଧା ଗ୍ରାହକଙ୍କୁ ଦେଇପାରିବେ । ଏହାଦ୍ବାରା ଋଣ ଗ୍ରହିତାଙ୍କୁ ପରିଶୋଧ ପାଇଁ ଫ୍ଲେସିବିଲିଟି ମିଳିବ ଓ ସମୟ ସହ ଉଚିତ ସୁଧ ଦର ଧାର୍ଯ୍ୟ କରିବା ସହଜ ହେବ ।

ସୁନା ଋଣ ନେବା ହେଲା ସହଜ

ଯଦି ଆପଣ ଗୋଲ୍ଡ ଲୋନ ନେବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ସୁଖି ଖବର ରହିଛି । ଏଣିକି କେବଳ ସୁନା ଦୋକାନୀ ନୁହଁନ୍ତି. ସେ ସମସ୍ତ ଲୋକ ଯେଉଁମାନେ ସୁନାକୁ କଚ୍ଚା ମାଲ ଭାବେ ବ୍ୟବହାର କରୁଛନ୍ତି ଯେମିତି ଛୋଟ ବ୍ୟବସାୟୀ, କାରିଗରମାନେ ବି ସୁନା ବଦଳରେ ବ୍ୟାଙ୍କରୁ ଋଣ ନେଇପାରିବେ । ଏହାଦ୍ବାରା ଛୋଟ ଉଦ୍ୟୋଗପତିଙ୍କୁ ଟଙ୍କା ଯୋଗାଡ଼ ସହଜ ହେବ ।

ଏହାବାଦ ଆରବିଆଇ ଏକ ପ୍ରସ୍ତାବ ଦେଇ କହିଛି ଗୋଲ୍ଡ ମେଟଊ ଲୋନ (GML)ର ରିପେମେଣ୍ଟ ଅବଧି ୧୮୦ ଦିନରୁ ବଢ଼ାଇ ୨୭୦ ଦିନ କରିବାକୁ । ଏହାବାଦ ଅନ୍ୟ ଅଳଙ୍କାର ବେପାରୀ ମଧ୍ୟ ଜିଏମଏଲ ମଧ୍ୟ ଆଉଟ୍ ସୋର୍ସିଂ ପାଇଁ ଲୋନ୍ ପାଇପାରିବେ । ଏହି ସମସ୍ତ ପରିବର୍ତ୍ତନ MSME ଓ ଅଳଙ୍କାର ସେକ୍ଟରକୁ ପାଇଁ ଲାଭଦାୟକ ହୋଇପାରେ ।

ବ୍ୟାଙ୍କଙ୍କୁ ପୁଞ୍ଜି ଯୋଗାଡ଼ କରିବା ହେବ ସହଜ

ଆୀବିଆଇ ବ୍ୟାଙ୍କଙ୍କୁ ଅଫଶୋର କାର୍ମେଟ ମାଧ୍ୟମରେ ପୁଞ୍ଜି ଯୋଗାଡ଼ କରିବା ସହଜ ରିଛି । ଏବେ ବ୍ୟାଙ୍କ ବିଦେଶୀ ମୁଦ୍ରା ଓ ଟଙ୍କା ମାଧ୍ୟମରେ ବଣ୍ଡ ଜାରି କରି ଅଧିକ ଫଣ୍ଡ ଯୋଗାଡ଼ କରିପାରିବେ । ଏହାଦ୍ବାରା ବ୍ୟାଙ୍କଙ୍କ ବିତ୍ତିୟ ସ୍ଥିତି ଦୃଢ଼ ହେବ ଓ ସେମାନେ ଅଧିକ ଋଣ ଦେଇପାରିବେ । ଆରବିଆଇ ଭାରତରେ କାମ କରୁଥିବା ବିଦେଶୀ ବ୍ୟାଙ୍କ ଶାଖାଙ୍କ ପାଇଁ ନିୟମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି । ଏବେ ସେମାନଙ୍କ ବଡ଼ ଲୋନ ଏକ୍ସପୋଜର ଓ ଇଣ୍ଟର ଗ୍ରୁପ୍ ଟନେଣଦେଣ ପାଇଁ ନୂଆ ନିୟମ ଲାଗୁ ହେବ ।

କ୍ରେଡିଟ ଡାଟା ହେବ ଆହୁରି ସଠିକ

ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଙ୍କୁ ପ୍ରତି ସପ୍ତାହରେ କ୍ରେଡିଟ ବ୍ୟୂରୋକୁ ଡାଟା ପଠାଇବାକୁ ଆରବିଆଇ ପରାମର୍ଶ ଦେଇଛି । ପୂର୍ବରୁ ଏହା ଦୁଇ ସପ୍ତାହରେ ଥରେ ପଠାଉଥିଲେ । ଏହାଦ୍ବାରା ଲୋକଙ୍କ କ୍ରେଡିଟ ସ୍କୋରରେ ଭୁଲଭଟକା କମ ହେବ ଓ ସମୟ ପୂର୍ବରୁ ଏହାକୁ ସୁଧରାଯାଇପାରିବ । ଏହାସହ ରିପେମେଟରେ ଏବେ CKYC ନମ୍ବର ଅନ୍ତର୍ଭୁକ୍ତ କରାଯିବ । ଏହାଦ୍ବାରା ପରିଚୟ ଜାଣିବା ଆହୁରି ସହଜ ହେବ ।

ରାଜ୍ୟବାସୀଙ୍କୁ ଦୁର୍ଗାପୂଜା ଓ ଦଶହରା ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ଦୁର୍ଗାପୂଜା ଓ ଦଶହରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅସତ୍ୟ ଉପରେ ସତ୍ୟର ବିଜୟ ହେଉଛି ଦଶହରାର ବାର୍ତ୍ତା । ଏହି ପବିତ୍ର ଅବସରରେ ଅନ୍ୟାୟ ଅନୀତି ଓ ଅତ୍ୟାଚାର ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ ମା’ଙ୍କ ଆଶୀର୍ବାଦ କାମନା କରିଛନ୍ତି ନବୀନ ।

ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଆଜି କଳାହାଣଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି । ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ସରିବା ପରେ ମନ୍ଦିର ଅଭିମୁଖେ ବାହାରିଛି ମା’ଙ୍କ ବିଜୟ ପ୍ରତିମା ଛତର ।

ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଛନ୍ତି । ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳିଛି । ଜେନା ବାଦ୍ୟ ଓ ବୀର ବାଦ୍ୟ ଘୁମୁରାର ତାଳେ ତାଳେ ମା’ଙ୍କୁ ପାଛୋଟି ନେଉଛନ୍ତି ଶ୍ରଦ୍ଧାଳୁ ।

ଯାତ୍ରାରେ ମାଣିକେଶ୍ବରୀଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ମା’ ମାଣିକେଶ୍ବରୀଙ୍କ ପାଖରେ ବଳି ଦିଆଯିବାର ଏକ ସ୍ବତନ୍ତ୍ର ପରମ୍ପରା ରହିଛି । ରୀତିନୀତି ଅନୁଯାୟୀ ହଜାର ହଜାର ବର୍ଷ ଧରି ଏହି ଯାତ୍ରାକୁ ପାଳନ କରିଆସୁଛନ୍ତି କଳାହାଣ୍ଡିବାସୀ । ସେପଟେ ମା’ଙ୍କ ବିଜୟ ପ୍ରତିମା ଛତର ବାହାରିବା ପରେ ପରେ ମାନସିକ ଧାରୀଙ୍କ ବୋଦା, କୁକୁଡ଼ା ଆଦି ବଳି ଦେବା  ଆରମ୍ଭ ହୋଇଛି ।

ବିଜେପି ସରକାରରେ ଖର୍ଚ୍ଚ ହୋଇପାରୁନି ବିଭିନ୍ନ ବିଭାଗର ବଜେଟ ଅର୍ଥ

ନନ୍ଦିଘୋଷ ବ୍ୟୁରୋ: ବିଜେପି ସରକାରରେ ଖର୍ଚ୍ଚ ହୋଇପାରୁନି ବିଭିନ୍ନ ବିଭାଗର ବଜେଟ ଅର୍ଥ। ଯୋଜନା ଓ ସଂଯୋଜନା, ବିପର୍ଯ୍ୟୟ ପରିଚାଳନା ବିଭାଗର ୨ ପ୍ରତିଶତ ବି ଅର୍ଥ ଖର୍ଚ୍ଚ କରିପାରିନ୍ତି । ଯାହାକୁ ନେଇ ଦୁଇ ବିରୋଧୀ ସରକାରଙ୍କୁ ସମାଲେଚନା କରିଛନ୍ତି । ସରକାର ଠିକ ସେ ଚାଲୁନଥିବାରୁ ଅର୍ଥର ଅଭାବ ନଥିବା ବେଳେ ବି ବିଭାଗଗୁଡିକ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହେଉନାହାନ୍ତି । ମୁଖ୍ୟମନ୍ତ୍ରୀ ବାରମ୍ବାର ସମୀକ୍ଷା କରୁଛନ୍ତି, ଆଗକୁ ବିଭାଗ ଗୁଡିକ ଖର୍ଚ୍ଚ ଠିକ ହେବ ବୋଲି ବିଜେପି ବିଧାୟକ ଅଗସ୍ତି ବେହେରା କହିଛନ୍ତି ।

ବଜେଟ ଅର୍ଥକୁ ଖର୍ଚ୍ଚ କରୁନି ବିଭାଗ । ବାରମ୍ବାର ସମୀକ୍ଷା ପରେ ବି ଫଳଶୂନ । ଅପାରଗ ସରକାର କହି ଘେରିଲେ ବିରୋଧୀ । ବିଜେପି କହିଲା, ବଜେଟ ଅର୍ଥ ଖର୍ଚ୍ଚ କରିବାକୁ ଦେଉଛୁ ଗୁରୁତ୍ବ । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨ଲକ୍ଷ ୯୦ ହଜାର କୋଟି ଟଙ୍କା ବଜେଟକୁ ସବୁ ବିଭାଗକୁ ଆବଣ୍ଟନ କଲେ । ହେଲେ ବଜେଟ ଅର୍ଥକୁ ଖର୍ଚ୍ଚ କରିବାରେ ସକ୍ଷମ ହେଉନାହାନ୍ତି ରାଜ୍ୟ ସରକାର । ବହୁ ବିଭାଗ ବଜେଟ ଅର୍ଥର ୨୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିନଥିବା ବେଳେ କିଛି ବିଭାଗ ତତ୍ପରତା ଦେଖାଇ ମାତ୍ର ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । କିଛି ବିଭାଗ ମାତ୍ର ୨ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିପାରିଛନ୍ତି ।

ବିଜେପି ସରକାର ବଜେଟ ପରେ ବଜେଟ ଆଣୁଥିଲେ ମଧ୍ୟ ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ଯୋଜନା ଓ ସଂଯୋଜନା ପରିଚାଳନାରେ ବଜେଟ ଖର୍ଚ୍ଚ ୨ ୨ ପ୍ରତିଶତ କରିଥିବା ବେଳେ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମାତ୍ର ୧୨.୩୬ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିଛି । ବିଜେଡି ନେତା ପ୍ରଶାନ୍ତ ମୁଦୁଲି  ଅଭିଯୋଗ କରିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିବା ପରେ କାମ ସବୁ ଠପ ହୋଇଯାଇଛି । ବଜେଟ ଅର୍ଥ ଖର୍ଚ୍ଚ ନହେବା ତାହାର ଜଳନ୍ତ ଉଦାହରଣ । ବରିଷ୍ଠ କଂଗ୍ରେସ ନେତା ଅମର ପ୍ରଧାନ ଅଭିଯୋଗ କରିଛନ୍ତି ସରକାର ଠିକ ସେ ଚାଲୁନଥିବାରୁ ବଜେଟ  ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ଫଳରେ ଗାଁ ଗାଁରେ ବିକାଶ କାମ ଠପ ହୋଇଯାଇଛି ।

ବଡ ବଜେଟ ଆଣି ବିଭାଗ ଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି ରାଜ୍ୟ ସରକାର । କିନ୍ତୁ ସରକାର ଖର୍ଚ୍ଚ ନକରିପାରିବାର ଯୁକ୍ତିକୁ ଖଣ୍ଡନ କରିଛନ୍ତି ଶାସକ ଦଳ ବିଧାୟକ । ରାଜ୍ୟର ବିକାଶକୁ ଆଗେଇ ନେବାକୁ ସରକାର ଗୁରୁତ୍ବ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ବଜେଟ ଅର୍ଥ ଖର୍ଚ୍ଚ ଉପରେ ସବୁବେଳେ ଗୁରୁତ୍ବ ଦେଉଛନ୍ତି । ବର୍ଷ ଶେଷ ବେଳକୁ ବିଭାଗ ଗୁଡିକ ବଜେଟ ଅର୍ଥ ସଠିକ ଭାବେ କରିବେ ବୋଲି ଶାସକ ଦଳ ଯୁକ୍ତି ବାଢିଛି । ବିଜେପି ସରକାର ଆସିବା ପରେ ରାଜ୍ୟର ବିକାଶ ମୂଳକ କାର୍ଯ୍ୟ ଠପ ହୋଇଥିବା ଅଭିଯୋଗ ହୋଇଆସୁଛି । ଏବେ ଖୋଦ ବିଭାଗ ଗୁଡିକର ବଜେଟ ଅର୍ଥ ଖର୍ଚ୍ଚ ନହେବା ପରେ ଏ କଥା ସ୍ପଷ୍ଟ ହେଉଥିବା ଚର୍ଚ୍ଚ ହେଉଛି।

ଶାରଦୀୟ ଦୁର୍ଗା ପୂଜାକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର

ନନ୍ଦିଘୋଷ ବ୍ୟୁରୋ: ଶାରଦୀୟ ଦୁର୍ଗା ପୂଜାକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ମାଆ କାକୁଡିଖାଇ ଙ୍କ ପୀଠରେ ନିଆରା କାକୁଡି ବଳି ପରମ୍ପରା ଏବେ ବି ବଜାୟ ରହିଅଛି । ଶ୍ରୀକ୍ଷେତ୍ରର ଅଧିଷ୍ଟାତ୍ରି ଦେବି ମାଆ ବିମଳାଙ୍କ ପ୍ରତିନିଧି ସ୍ୱରୂପା ମାଆ କାକୁଡିଖାଇଙ୍କ ଆଜି ମହା ଅଷ୍ଟମୀରେ ସ୍ୱତ୍ରନ୍ତ୍ର ପୂଜା ଅର୍ଚନା ଅନୁଷ୍ଠିତ ହୋଇଛି । ମାଆଙ୍କୁ ଦର୍ଶନ କରି ଭକ୍ତ ଧନ୍ୟମନେ କରିଛନ୍ତି । ସେପଟେ ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ନେଇ ବିଭିନ୍ନ ସ୍ଥାନରେ ପାରମ୍ପରିକ ବୃହତକାୟ ଘୋଷାଣୀ ମୂର୍ତ୍ତିର ପୂଜା ଆରମ୍ଭ ହୋଇଥିବା ପରିଲକ୍ଷିତ ହୋଇଅଛି ।

ଶ୍ରୀକ୍ଷେତ୍ରରେ ମାଆ ଦୁର୍ଗାଙ୍କ ଆରାଧନା । ନିଆରା ପରମ୍ପରାକୁ ନେଇ ଉତ୍ସବମୁଖର ମାଆ କାକୁଡି ଖାଇଙ୍କ ପୀଠ ।  ଅଷ୍ଟମୀରେ ସ୍ୱତ୍ରନ୍ତ୍ର ପୂଜାର୍ଚନା ପାଇଁ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଶ୍ରୀକ୍ଷେତ୍ରରେ ପାରମ୍ପରିକ ଭାବେ ଷୋଳ ପୂଜା ଠାରୁ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ତ୍ରିଦିନାତ୍ମକ ସ୍ୱତ୍ରନ୍ତ୍ର ପୂଜା ଅନୁଷ୍ଠିତ ହେଉଛି । ଏହି ସମୟରେ ଶ୍ରୀକ୍ଷେତ୍ରରେ ବିଭିନ୍ନ ଯାଗା ଆଖଡ଼ା ମାନଙ୍କରେ ଦୁର୍ଗା ମାଙ୍କୁ ଗୋଷାଣି ରୂପେ ପୂଜା କରାଯିବାର ବିଧି ପରମ୍ପର ରହିଛି  । ତେବେ ଅଧିଷ୍ଟାତ୍ରି ଦେବୀ ମାଆ ବିମଳାଙ୍କ ପ୍ରତିନିଧି ଭାବେ ମାଆ କାକୁଡିଖାଇ ଶ୍ରୀ ମନ୍ଦିର ବାହାରେ ପୂଜିତ ହେଉଥିବାବେଳେ ଏଠାରେ ଯଥା ରୀତି ନାନୁସାରେ ପୂଜା ଵିଧି କରାଯାଉଛି  । ବିଶେଷ କରି ଏହି ତ୍ରିଦିନାତ୍ମକ ପୂଜା ସମୟରେ ମାଙ୍କ ମୃଣ୍ମୟୀ ମୃତ୍ତି ଆବ୍ରିଭାବ ହୋଇଥିବାବେଳେ ବିଳମ୍ବିତ ରାତ୍ରିରେ ସ୍ବତନ୍ତ୍ର ସନ୍ଧି ପୂଜା କରାଯାଉଛି  । ତେବେ ମାଆଙ୍କ ନିକଟରେ ଏହି ସମୟରେ କାକୁଡ଼ି ବଳି ଦେବାର ପରମ୍ପରା କାହିଁ ପ୍ରାଚୀନ କାଳରୁ ଜାରି ରହିଛି ।

ଶ୍ରୀ ମନ୍ଦିରରେ ମାଆ ବିମଳାଙ୍କୁ ମହିଳାମାନେ ଦୁର୍ଗା ପୂଜା ସମୟରେ ଦର୍ଶନ କରିବା ବାରଣ ରହିଥିବାବେଳେ ମା କାକୁଡିଖାଇଙ୍କୁ ମହିଳାମାନେ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି ପାଇଥାନ୍ତି । ଏହି ସମୟରେ ମାଆଙ୍କ ନିକଟରେ ପରିବାର କଲ୍ୟାଣ ଓ ମାନସିକପୂର୍ତ୍ତି ଲକ୍ଷରେ ଭକ୍ତ ମାନେ କାକୁଡି ବଳି ଦେବାର ପରମ୍ପରା ରହିଛି । ବିଶେଷ କରି ମାଆଙ୍କୁ ପୂଜା ଅର୍ଚନା କରିବା ସହ ଭକ୍ତ ମାନେ କାକୁଡି ବଳି ଦେଇ ନିଜ ମନସ୍କାମନା ପୂର୍ତ୍ତି କରୁଥିବା ଜଣାଯାଏ । ମାଆଙ୍କ ନିକଟରେ ଏହି କାକୁଡି ବଳି ପରମ୍ପରା ପ୍ରାଚୀନ ହୋଇଥିବା ବେଳେ ମା ଙ୍କୁ ଏ ନେଇ କାକୁଡି ଖାଇ ନାମରେ ଭକ୍ତ ସମ୍ଭୋଧିତ କରିଥାନ୍ତି ।

ସରିଛି ବ୍ରିଜ ନିର୍ମାଣ, ନିର୍ମାଣ ହୋଇପାରୁନି ଆପ୍ରୋଚ ରୋଡ

ନନ୍ଦିଘୋଷ ବ୍ୟୁରୋ: ସରିଛି ବ୍ରିଜ ନିର୍ମାଣ । ନିର୍ମାଣ ହୋଇପାରୁନି ଆପ୍ରୋଚ ରୋଡ । ବଡ଼ଚଣା ବ୍ଳକର ଧାଉଡ଼ିଆପଦା – ବାଉଜଙ୍ଗ ବିରୂପା ସେତୁ ନିର୍ମାଣ ସରିଥିଲେ ସୁଦ୍ଧା ବ୍ରିଜକୁ ସଂଯୋଗୀକରଣ କରୁଥିବା ରାସ୍ତା କାମ ଅଧାରେ ଅଟକିଛି । ଜମି ସମସ୍ୟା ପାଇଁ ରାସ୍ତା କାର୍ଯ୍ୟ ଅଧାରେ ଅଟକି ଥିବା ବେଳେ ସମସ୍ୟା ଭୋଗୁଛନ୍ତି ୫ ଖଣ୍ଡ ପଞ୍ଚାୟତ ଲୋକେ । ସରକାର ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି ।

ବ୍ରିଜ ନିର୍ମାଣ ଶେଷ । ଅଥଚ ଅଧାରେ ଅଟକିଛି ବ୍ରିଜକୁ ସଂଯୋଗକୀରଣ ରାସ୍ତା । ଏ ହେଉଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହୋଇଥିବା ଧାଉଡିଆପଦା-ବାଉଜଙ୍ଗକୁ ସଂଯୋଗ କରୁଥିବା ଚାରିନଙ୍ଗଳ ଠାରେ ନିର୍ମାଣ ହୋଇଥିବା ବିରୂପା ସେତୁ । ବ୍ରିଜ କାମ ଦୀର୍ଘ ବର୍ଷ ହେବ ଶେଷ ହୋଇଥିଲେ ସୁଦ୍ଧା ବ୍ରିଜକୁ ସଂଯୋଗ କରୁଥିବା ରାସ୍ତା କାମ ଅଧାରେ ଅଟକିଛି । ସଂଯୋଗୀକରଣ ରାସ୍ତା ପାଇଁ ଆବଶ୍ୟକୀୟ ଜମି ସମସ୍ୟା ପାଇଁ କାମ ଅଧାରେ ଅଟକିଛି । ଫଳରେ ସମସ୍ୟା ଭୋଗୁଛନ୍ତି ୫ଗୋଟି ପଞ୍ଚାୟତ ଲୋକେ ।

ପଟ୍ଟାମୁଣ୍ଡାଇ କେନାଲକୁ ସିଧାସଳଖ ସଂଯୋଗ କରୁଛି ଏହି ବ୍ରିଜ । ଏହି ବ୍ରିଜ ଦେଇ ପର୍ଯ୍ୟଟନସ୍ଥଳୀ ଉଦୟଗିରି ଓ ରତ୍ନଗିରିକୁ କମ ସମୟରେ ଯାଇ ହେବ । ହେଲେ ଆପ୍ରୋଚ ରୋଡ ହୋଇନଥିବାରୁ ଲୋକେ ମାନେ ଅନ୍ୟ ରୋଡ ଦେଇ ଯିବା ଆସିବା କରୁଛନ୍ତି । ସଂଯୋଗକୀରଣ ରାସ୍ତା ପାଇଁ ଆବଶ୍ୟକ ଜମି ଦେଇଥିବା ବ୍ୟକ୍ତିଙ୍କୁ ସେମାନଙ୍କ କ୍ଷତିପୂରଣ ବାବଦକୁ ସଠିକ ଅର୍ଥ ମିଳୁନଥିବାରୁ କାମ ଅଧାରେ ଅଟକିଛି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ ହୋଇଛି । ସେପଟେ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

ଗଛ ତଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

ନନ୍ଦିଘୋଷ ବ୍ୟୁରୋ: ଗଛ ତଳେ ଅଙ୍ଗନବାଡି କେନ୍ଦ୍ର । ବିପଦପୂର୍ଣ୍ଣ ଭାବେ ପାଠ ପଢୁଛନ୍ତି କୋମଳମତି ଶିଶୁ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଦିଗହରା ମହିଳା ଓ ଶିଶୁ ବିକାଶ ଯୋଜନା । କର୍ତ୍ତନପାଲି ପଞ୍ଚାୟତ ଲୁଲେର ଗାଁରେ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ଦୀର୍ଘ ଦିନ ହେବ ଗଛ ତଳେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର । ହେଲେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଯାହା ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପ୍ରାକ ଶିକ୍ଷାର ବିକଳ ଚିତ୍ର । ଗଛ ତଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ବିପଦ ମୁଣ୍ଡେଇ ପାଠ ପଢୁଛନ୍ତି କୋମଳମତି ପିଲା । ମାଲକାନଗିରି ଜିଲ୍ଲା ମାଥିଲିରେ ଦିଗହରା ପାଲଟିଛି ମହିଳା ଓ ଶିଶୁ ବିକାଶ ଯୋଜନା । ଦୃଷ୍ଟି ଦେଉନି ସ୍ଥାନୀୟ ପ୍ରଶାସନ । ଦୀର୍ଘ ଦିନ ହେବ ମାଥିଲି ବ୍ଲକ କର୍ତ୍ତନପାଲି ପଞ୍ଚାୟତ ଲୁଲେର ଗାଁରେ ଗଛ ତଳେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର । ବର୍ଷ ତମାମ ଗଛ ତଳେ ବସି ପାଠ ପଢୁଛନ୍ତି ପିଲା । ଯାହା ବ୍ୟବସ୍ଥିତ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମାଥିଲି ବ୍ଲକରେ ୨୧ ଗୋଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଘର ନାହିଁ । ଫଳରେ ଭଡା ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଲୁଲେର କେନ୍ଦ୍ର ପାଇଁ ମଧ୍ୟ ଭଡା ଘର ଯୋଗାଇ ଦିଆଯାଇଛି । ହେଲେ ତାହା ଭଙ୍ଗାଦଦରା ହୋଇଥିବାରୁ ଅଙ୍ଗନବାଡି ଦିଦି ପିଲାଙ୍କୁ ଗଛ ତଳେ ବସାଇ ପାଠ ପଢାଉଛନ୍ତି । ଲୁଲେର କେନ୍ଦ୍ର ପାଇଁ ଅନୁଦାନ ଆସିଛି ହେଲେ ସ୍ଥାନ ବିବାଦ ପାଇଁ କାମ ଆରମ୍ଭ ହୋଇପାରିନି । ସମସ୍ୟା ସଂପର୍କରେ ଅଙ୍ଗନବାଡି କର୍ମୀ ଅନେକ ଥର ସ୍ଥାନୀୟ ପ୍ରଶାସନଙ୍କୁ ଜଣାଇଥିଲେ ସୁଦ୍ଧା କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଖୁବଶୀଘ୍ର ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କରି ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ବିଡିଓ । ଲୁଲେର ଗାଁରେ କେବେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେଉଛି ? ପିଲା କେବେ ସୁବିଧାରେ ବସି ପାଠ ପଢୁଛନ୍ତି ? ନା ବିଡିଓଙ୍କ ପ୍ରତିଶୃତି ପାଣିର ଗାର ପାଲଟୁଛି ? ତାହା ଆଗାମୀ ଦିନରେ ଜଣାପଡିବ ।

ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଶକ୍ତିପୀଠ, ଚାଲିଛି ମହାମାୟାଙ୍କ ପୂଜା

0

ନନ୍ଦିଘୋଷ ବ୍ୟୁରୋ: ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଶକ୍ତିପୀଠ। ମହାଷ୍ଟମୀରେ ସୁବଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ମାଆଙ୍କ ଆରାଧନାରେ ନିଜକୁ ସମର୍ପି ଦେଇଛନ୍ତି ଶ୍ରଦ୍ଧାଳୁ। ମା’ ଶାରଳା, ତାରାତାରୀ ପୀଠରେ ହୋମଯଜ୍ଞ ସୃଷ୍ଟି କରିଛି ଅଧ୍ୟାତ୍ମିକ ମାହୋଲ। ମାଆଙ୍କ ବିଭିନ୍ନ ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତ ।

ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଶକ୍ତିପୀଠ । ଗାଁ, ଗଣ୍ଡା, ସହର…ମହାଷ୍ଟମୀରେ ସୁବଠି ଭକ୍ତିମୟ ପରିବେଶ । ମାଆଙ୍କ ଆରାଧନାରେ ନିଜକୁ ସମର୍ପି ଦେଇଛନ୍ତି ଶ୍ରଦ୍ଧାଳୁ । ଜଗତସିଂହପୁର ଜିଲ୍ଲାର  ଅଧିଷ୍ଠାତ୍ରୀ ଦେବୀ  ମା’ ଶାରଳାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା । ସେହିଭଳି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । ମାଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇି। ସଂଧ୍ୟାରେ ମାଙ୍କ ନବଦିନାତ୍ମକ ରଥଯାତ୍ରାର ଅଷ୍ଟମ ଦିନରେ ରଥ ଚାଳନା କରାଯିବ।  ଘଟଗାଁ ତାରିଣୀ ପିଠରେ ମଧ୍ୟ ଆରମ୍ଭ ହୋଇଯାଇଛି ସ୍ବତନ୍ତ୍ର ପୂଜା ବିଧ । ମାଙ୍କୁ ସୁନା ବେଶରେ ସଜିତ କରାଯିବା ପରେ ମା ବନ ଦୁର୍ଗା ରୁପରେ ସଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ଶକ୍ତି ପୀଠରେ ଆଜି ମହାଷ୍ଟମୀ ପୂଜା ପାଳିତ ହେଉଛି। ସକାଳ ଧୂପରେ ମାଙ୍କ ପାଖରେ ମାଣ୍ଡୁକ ଭୋଗ ଲାଗି କରାଯାଇଛି ।

କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠରେ ଭୋରରୁ ଧୂପ ନୀତି ସରିବା ପରେ ସୁନାବେଶ ରେ ଦର୍ଶନ ଦେଉଛନ୍ତି ମାଆ। ପରମ୍ପରା ଅନୁଯାୟୀ ଏହି ସମୟରେ ଦେବୀ ଭଟ୍ଟାରିକାଙ୍କୁ ପ୍ରତ୍ୟହ କିଶୋରୀ ଏବଂ ପୌଢା ଏହି ତିନି ମାତୃଶକ୍ତି ରୂପେ ଯଥାକ୍ରମେ ସକାଳେ, ମଧ୍ୟାହ୍ନରେ ଏବଂ ସଞ୍ଜରେ ସଜାଯାଇ ପୂଜାର୍ଚ୍ଚନା କରାଯାଏ । ସେହିଭଳି ଦକ୍ଷିଣ ଓଡିଶାର ଅରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ପୀଠ ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି । ନବରାତ୍ର ସମୟରେ ମା’ଙ୍କ ଦର୍ଶନ ପାଇଁ କାହିଁ କେଉଁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଆ ଛୁଟିଛି। ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସହଧ୍ୟାରେ ମାଆ ମହାକାଳୀ ବେଶରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।