spot_img
Home Blog Page 376

ଓଡ଼ିଶା ଶ୍ରମିକ ଆଇନରେ ସଂଶୋଧନ ନେଇ ତେଜିଲା ବିରୋଧ

ଓଡ଼ିଶା ସପ୍ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ସଂଶୋଧନକୁ ନେଇ ବିବାଦ ଜୋର। ଶ୍ରମିକ ସଂଗଠନଗୁଡ଼ିକ ସହ ଆଲୋଚନା ନକରି କ୍ୟାବିନେଟ ମୋହର ପରେ ତେଜିଲା ବିବାଦ। ସରକାର ଶ୍ରମିକ ଶୋଷଣର ବାଟ ଫିଟାଇଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି। ସଂଶୋଧିତ ନିୟମରେ ଶ୍ରମିକମାନେ ସେମାନଙ୍କ ହକ ନେଇ ସ୍ବର ଉତ୍ତୋଳନ କ୍ଷମତା ହରାଇବେ।ସନ୍ଧ୍ୟା ପରେ ମହିଳାଙ୍କୁ କର୍ମସ୍ଥାନରେ ରଖିବା ଦ୍ଵାରା ସେମାନଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ।ଏଥିରେ ଶ୍ରମିକମାନେ ଅଧିକ କାମ କରିବାକୁ ବାଧ୍ୟ ହେବେ। ହେଲେ ପାରିଶ୍ରମିକ ନବଢିବାର ଆଶଂକା ଦେଖାଦେଇଛି।ଶ୍ରମିକ ଦିନକୁ ୮ ଘଣ୍ଟା କାମ କରିବାର ନିୟମ ରହିଛି। ପୂର୍ବରୁ ଓଭରଟାଇମ ନିୟମ ଥିଲେ ମଧ୍ୟ ଓଭରଟାଇମ ପାଉଣା ଦିଆଯାଉନି। EPF, ESI ନିୟମକୁ ଅଧିକାଂଶ ପାଳନ କରୁନାହାନ୍ତି। କାର୍ଯ୍ୟ ସମୟ ବୃଦ୍ଧି ନେଇ ସରକାରଙ୍କ ନିଷ୍ପତ୍ତି ଦ୍ଵାର ଶ୍ରମିକ ଅଧିକ ସମୟ କାମ କରିବେ କିନ୍ତୁ ପରିଶ୍ରମିକ ପାଇବେ ନାହିଁ। ଶ୍ରମିକଙ୍କୁ ମାଲିକମାନେ ଅଧିକ ଶୋଷଣ କରିବେ ବୋଲି ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଭିନ୍ନ ଶ୍ରମିକ ସଂଗଠନ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ସରକାରଙ୍କ କର୍ପୋରେଟ ପ୍ରୀତି ପଦାରେ ପଡ଼ିଥିବା କହିଛନ୍ତି ଶ୍ରମିକ ସଂଗଠନ। ପୂଜା ପରେ ବିରାଟ ଶ୍ରମିକ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ ।

ସଂଶୋଧିତ ନିୟମ ଦ୍ବାରା ନିଯୁକ୍ତି ବୃଦ୍ଧି ପାଇବ ବୋଲି ଶ୍ରମ ମନ୍ତ୍ରୀ ଯୁକ୍ତି ବାଢିଛନ୍ତି। ପୂର୍ବରୁ ଅଧିକ କାମର ପାରିଶ୍ରମିକ ମିଳୁ ନଥିଲା। ହେଲେ ଏବେ ମିଳିବ। ସେହିପରି ନାଇଟ ସିଫ୍ଟରେ କାମ କରୁଥିବା ମହିଳାମାନଙ୍କ ତାଲିକା ଓ ସ୍ବୀକୃତିପତ୍ର ଦାଖଲ କରିବେ କର୍ମ ସଂସ୍ଥାନ। ନିୟମ ଖିଲାଫ କଲେ କାର୍ଯ୍ୟାନୁଷ୍ଠାନ ହେବ। ସେପଟେ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି ଶିଳ୍ପ ସଂଘ।ରାତିରେ ମହିଳା କର୍ମଚାରୀଙ୍କୁ ନିୟୋଜିତ କଲେ ସେମାନଙ୍କ ସୁରକ୍ଷା ନେଇ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ଉଦ୍ୟୋଗୀ ।  କେନ୍ଦ୍ରରେ ୪ଟି ଶ୍ରମ ସଂହିତା ଆଣିଥିଲେ। କରୋନା ଭଳି ବିପଦ ସମୟରେ ସଂସଦରେ ଆଲୋଚନା ନକରି ଏହାକୁ ଆଇନର ରୂପ ଦିଆଯାଇଛି। ହେଲେ ଏହାକୁ ନେଇ ଲଗାତର ବିରୋଧ ବିରୋଧ ଫଳରେ ଏପର୍ଯ୍ୟନ୍ତ ସିଧାସଳଖ ଲାଗୁ କରାଯାଇ ପାରିନାହିଁ।

ବିଜେଡି ନେବ ସଙ୍କଳ୍ପ: ବିଜେପିର ମିଛ ଅସ୍ମିତା ବିରୋଧରେ ଆରପାର ଲଢ଼େଇ

ବିଜେଡି ନେବ ସଙ୍କଳ୍ପ । ବିଜେପିର ମିଛ ଅସ୍ମିତା ବିରୋଧରେ ଆରପାର ଲଢ଼େଇ । ପ୍ରମିଳା କହିଲେ- ପଦଯାତ୍ରାରେ କରାଯିବ ଜନ ସଚେତନ । କଂଗ୍ରେସର ବଦଳିଲା ପଦଯାତ୍ରା କାର୍ଯ୍ୟସୂଚୀ । ଅକ୍ଟୋବର ୯ରୁ ବିଜେଡିର ମାସେବ୍ୟାପୀ ପଦଯାତ୍ରା । ବିଜେପିର ମିଛ ଅସ୍ମିତା ବିରୋଧରେ ଗାଁ ଗାଁରେ କରାଯିବ ଜନ ସଚେତନ। ୧୫ମାସ ଭିତରେ ବିଜେପିର ଓଡିଆ ଅସ୍ମିତା ନାରା ଆଜି କେଉଁଠି ବୋଲି ଶାସକ ଦଳକୁ ପ୍ରଶ୍ନ ପଚାରିବ ଦଳ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି- ବିଜେପି ଓଡିଶାବାସୀଙ୍କୁ ମିଛ ଅସ୍ମିତା କଥା କହି ଆଜି ପ୍ରତ୍ୟେକ ଦିନ ଅସ୍ମିତାକୁ କୁଠାରାଘାତ୍ କରୁଛି। ମହିଳାମାନେ ଆଜି ଅସୁରକ୍ଷିତ। ବିଜେପି ସରକାର ପାଇଁ ଓଡିଆ ଅସ୍ମିତା ବିଶ୍ୱରେ ନି ନିନ୍ଦିତ ହୋଇଛି । ଆଡଭାଇଜରୀ ଜାରି କରି ମହିଳାମାନେ ଓଡ଼ିଶା ଗଲେ ସୁରକ୍ଷା ନେଇ ଯିବାକୁ ନିର୍ଦେଶାନାମା ଜାରି କରିଥିଲା ଆମେରିକା। ୧୫ମାସ ଭିତରେ ୩୬ ହଜାର ମହିଳା ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ଏସବୁ କଥା ପଦଯାତ୍ରା ଜରିଆରେ ଲୋକଙ୍କୁ ସଚେତନ କରିବ ବିଜେଡି। ଗାନ୍ଧି ଜୟନ୍ତୀରେ ନେଇ ଦଳ ସଂକଳ୍ପ ନେବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ।

ସେପଟେ ନୂଆପଡ଼ା ଉପ ନିର୍ବାଚନ ପାଇଁ ବଦଳିଛି କଂଗ୍ରେସର ପଦଯାତ୍ରା ସମୟସୀମା । ଗାନ୍ଧି ଜୟନ୍ତୀରୁ ମାତ୍ର ୩ଦିନ ଦଳ କରିବ ପଦଯାତ୍ରା। ୨ ତାରିଖରେ ମାଲକାନଗିରିର ମୋଟୁ ଅଞ୍ଚଳରୁ ପଦଯାତ୍ରା ଆରମ୍ଭ କରିବ କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୨୦ କିଁଲୋମିଟର ପଦଯାତ୍ରା ଅନୁଷ୍ଠିତ ହେବ। ତିନିଦିନ ଧରି ପଦଯାତ୍ରା ଚାଲିବ। ଏହାପରେ ନଭେମ୍ବର ମାସରେ ପୁଣିଥରେ ପଦଯାତ୍ରା ଆରମ୍ଭ କରାଯାଇ ବର୍ଷେ ବ୍ୟାପୀ ଚାଲିବ ବୋଲି କହିଛନ୍ତି ଭକ୍ତ । ଓଡିଆର ସୀମାକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମୋଟୁ ଅଞ୍ଚଳରୁ ପଦଯାତ୍ରାରେ ବିଜେପି ସରକାରଙ୍କ ବିଫଳତା ନେଇ ଲୋକଙ୍କୁ ସଚେତନ କରାଯିବ। ସେପଟେ ବିଜେପି କହିଛି- ପଦଯାତ୍ରା କରିବାର ସଭିଙ୍କ ଅଧିକାର ଅଛି। ବିଜେପି ଅସ୍ମିତା ଓ ଓଡ଼ିଶା ସୁରକ୍ଷାକୁ ଗୁରୁତ୍ଵ ଦେଇଛି। ପ୍ରତିବର୍ଷ ପରି ବିଜେଡି ପଦଯାତ୍ରା ଜରିଆରେ ଓଡିଶାବାସୀଙ୍କ ସହ ରାଜ୍ୟ ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖିଛି। ଏଥର ପଦଯାତ୍ରାରେ ବିଜେପିର ଅସ୍ମିତାର ମୁଖା ଖୋଲିବାକୁ ଦଳ ଆରମ୍ଭ କରିଛି ପ୍ରସ୍ତୁତି।

ଏସଆଇ ପରୀକ୍ଷା ସ୍ଥଗିତ ନେଇ ଆଶ୍ଚର୍ଯ୍ୟ ପ୍ରକଟ କଲେ ବିରୋଧୀ ଦଳ ନେତା

ଏସଆଇ ପରୀକ୍ଷା ସ୍ଥଗିତ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓପିଆରବି ଦ୍ବାରା ପରିଚାଳିତ ସିପିଏସଇ-୨୦୨୪ର ସବ-ଇନସପେକ୍ଟର ପରୀକ୍ଷା ଆସନ୍ତା ୫ ଓ ୬ ତାରିଖରେ ହେବାର ଥିଲା । କିନ୍ତୁ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଯେ, ପରୀକ୍ଷା ପୂର୍ବରୁ ତାହା ରଦ୍ଦ କରିବାକୁ ପଡିଲା ? ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା କେବଳ ଗୋଟିଏ ଘଟଣା ନୁହେଁ । କେଳେଙ୍କାରୀର ଲମ୍ବା ତାଲିକା ଦର୍ଶାଇଛନ୍ତି ନବୀନ । ୨୦୨୫ ଜୁଲାଇରେ ସମାନ ସ୍ଥିତିରେ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା । ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଆରମ୍ଭ ହେବାର ମାତ୍ର କେଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ ଯୋଗୁଁ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେଲା ଏବଂ ପରୀକ୍ଷା ରଦ୍ଦ ହେଲା ।

ଜୁଲାଇ ୩୦ ଓ ୩୧ ତାରିଖରେ ଓଡ଼ିଶା ସବ ଅର୍ଡିନେଟ ଷ୍ଟାଫ ସିଲେକସନ କମିଶନ ଦ୍ବାରା ପରିଚାଳିତ RI, ARI, ଅମୀନ, ଅଙ୍ଗନବାଡି କେନ୍ଦ୍ରର ସୁପରଭାଇଜର, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅଧିକାରୀ ନିଯୁକ୍ତି ନେଇ ହେବାକୁ ଥିବା ମିଳିତ ନିଯୁକ୍ତି ପରୀକ୍ଷା ରଦ୍ଦ ହୋଇଥିଲା । ଅଗଷ୍ଟ ୨୨ରେ ଓଟିଇଟି ପରୀକ୍ଷା ଲାଗି ପୁନଃ ତାରିଖ ଘୋଷଣା ହେଲା । ହେଲେ ତାହା ମଧ୍ୟ ସ୍ଥଗିତ ହେଲା । ଏହାପରେ ଆଶାୟୀ ପରୀକ୍ଷାର୍ଥୀ ହତାଶ ହୋଇଥିଲେ । ଏହା ଦର୍ଶାଉଛି ଓଡିଶା ସରକାରଙ୍କର ନିଯୁକ୍ତି ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା, ବିଶ୍ବସନୀୟତାର ଘୋର ଅଭାବ ରହିଛି । ଯାହାକି ଲକ୍ଷାଧିକ ଚାକିରି ଆଶାୟୀଙ୍କୁ ଭୀଷଣ ମାତ୍ରାରେ ପ୍ରଭାବିତ କରୁଛି । ବିଜେପି ସରକାରଙ୍କ ବ୍ୟବସ୍ଥାଗତ ବିଫଳତା ବୋଲି ଏହା ସୂଚାଇ ଦେଉଛି । ଯଦି ଲୋକଙ୍କ ବିଶ୍ବାସ ଜିତିବାକୁ ଚାହୁଁଛନ୍ତି ଯେଉଁମାନେ ଏଥିଲାଗି ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନ ସୋସିଆଲ ମିଡିଆ ଏକ୍ସରେ ପରାମର୍ଶ ଦେଇଛନ୍ତି ।

ଏସଆଇ ପରୀକ୍ଷା ଜାଲିଆତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି

ଏସଆଇ ପରୀକ୍ଷା ଜାଲିଆତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇସପିତା ସାହୁ ଅଭିଯୋଗ କରିଛନ୍ତି, ଯୁବକଙ୍କ ଭବିଷ୍ୟତକୁ ଅନ୍ଧକାର ଆଡକୁ ଠେଲି ଦେଇଛନ୍ତି ବିଜେପି ସରକାର । ଏଇ ଦେଢ଼ ବର୍ଷ ଭିତରେ ୧୪ ରୁ ୧୫ ଥର ପେପର୍ ଲିକ୍ ହେଇଛି । କାହିଁକି ଶୋଇଛନ୍ତି ବିଜେପି ସରକାର। ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହୁଛନ୍ତି । ମୋହନ ଚରଣ ମାଝୀ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ପୂର୍ବରୁ ଏଭଳି ପ୍ରଶ୍ନପତ୍ର ଲିକ୍ ହେଉନଥିଲା । ଯେଉଁ ପରୀକ୍ଷାର୍ଥୀ ପରିଶ୍ରମ କରି ପାଠ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ଵପ୍ନ ଦେଖିଖାନ୍ତି, ସେମାନଙ୍କର ଆଶା ଧୂଳିସାତ ହୋଇଯାଇଛି । ଆଗରୁ ଥରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ଆଇପିଏସ୍ ଅଫିସରଙ୍କ ସଂପୃକ୍ତି ଥିବା ସରକାର କହିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ସେ ଆଇପିଏସ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ସରକାର ଯଦି ପ୍ରଶ୍ନପତ୍ର ଲିକ୍ ରୋକିବାରେ ବିଫଳ ହେବେ ତା ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛନ୍ତି ଇପସିତା ସାହୁ।

ପୋଲିସ ଏସଆଇ ପରୀକ୍ଷାରେ ବଡ଼ ଧରଣର ଜାଲିଆତି

ପୋଲିସ ଏସଆଇ ପରୀକ୍ଷାରେ ବଡ଼ ଧରଣର ଜାଲିଆତି । ବିକ୍ରି ହେଉଛି ଚାକିରି  । ପରୀକ୍ଷା ପୂର୍ବରୁ ମିଳିଛି ଏହି ଦୁର୍ନୀତିର ବଡ଼ ସୁରାଗ। ୧୨୦ ଆଶାୟୀଙ୍କୁ ବ୍ରହ୍ମପୁର ପୋଲିସର ପଚରା ଉଚରା  । ପରୀକ୍ଷା ସ୍ଥଗିତ, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । ଏସଆଇ ପରୀକ୍ଷାର ୧୨୦ ପ୍ରାର୍ଥୀଙ୍କୁ ବ୍ରହ୍ମପୁର ପୋଲିସ ଧରିବା ପରେ ଏତେ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ଏହି ଆଶାୟୀଙ୍କୁ ହାଇଦ୍ରାବାଦ ନେଉଥିଲା ପରୀକ୍ଷା ପରିଚାଳନାର ଦାୟିତ୍ଵ ନେଇଥିବା ସଂସ୍ଥା। ହାଇଦ୍ରାବାଦରେ କୋଚିଂ ଦେବା ପାଇଁ ସେମାନଙ୍କୁ ନିଆଯାଇଥିଲା। ସନ୍ଦେହ କରାଯାଉଛି, ସେଠାରେ କୋଚିଂ ବାହାନାରେ ଫିକ୍ସିଂ ହୋଇଥାନ୍ତା। ପରୀକ୍ଷାର୍ଥୀଙ୍କୁ ଅସାଧୁ ଉପାୟର ସୁଯୋଗ ମିଳିଥାନ୍ତା। ଯାହା ଫଳରେ ସେମାନେ ଚାକିରି ପାଇଥାନ୍ତେ। ବ୍ରହ୍ମପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ପିଛା କରିଥିଲା ଏବଂ ସମସ୍ତଙ୍କୁ ଶ୍ରୀକାକୁଲମ୍ ରେ ଧରିଥିଲା। ସମସ୍ତଙ୍କୁ ଧରି ବ୍ରହ୍ମପୁର ଆଣିଛି ପୋଲିସ ଏବଂ ଅଧିକ ତଥ୍ୟ ହାସଲ ପାଇଁ ପଚରା ଉଚରା କରିଛି।

ଏତେ ବଡ଼ ଦୁର୍ନୀତିର ସୁରାଗ ମିଳିବା ପରେ ପରୀକ୍ଷାକୁ ସ୍ଥଗିତ ରଖିଛି ଓଡ଼ିଶା ପୋଲିସ ରିକ୍ରୁମେଣ୍ଟ ବୋର୍ଡ। ପରେ ନୂଆ ତାରିଖ ଘୋଷଣା ହେବ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ ଘୋଷଣା କରାଯାଇଛି। ସେପେଟ ରାଜ୍ୟ ସରକାର ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରହ୍ମପୁରରେ ପହଞ୍ଚି କରୁଛନ୍ତି ତନାଘନା। ଘଟଣାର ଚେର ଖୋଜୁଛି କ୍ରାଇମବ୍ରାଞ୍ଚ। ଏହି ଜାଲିଆତି ଧରାପଡ଼ିବା ପରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଆଶାୟୀ ମାନଙ୍କ ପାଇଁ ଜାରି କରାଯାଇଛି ହେଲ୍ପ ଲାଇନ୍ ନମ୍ବର। ହେଲ୍ପ ଲାଇନ ନମ୍ବରଟି ହେଲା ୯୦୪୦୪ ୯୩୨୨୩ । ଯଦି କିଏ କିଛି ଅଭିଯୋଗ କରିବାକୁ ଚାହୁଁଛି, ସେମାନେ ଏହି ନମ୍ଵରରେ ଯୋଗାଯୋଗ କରିପାରିବେ।

ସେପଟେ ପୋଲିସ ଏସଆଇ ପରୀକ୍ଷାର ଜାଲିଆତି ଧରାପଡ଼ିବା ପରେ ତାତିଛନ୍ତି ଆଶାୟୀମାନେ। ଭୁବନେଶ୍ଵରରେ ସେମାନେ ବିକ୍ଷୋଭ କରିଛନ୍ତି। ସେମାନେ ପ୍ରଶ୍ନ କରିଛନ୍ତି, କାହିଁକି ସରକାର ସ୍ଵଚ୍ଛତାର ସହିତ ପରୀକ୍ଷା କରିପାରୁ ନାହାନ୍ତି। ମେଧାବୀ ପିଲାଙ୍କ ଭାଗ୍ୟ ସହିତ ଖେଳୁଛନ୍ତି। ଜାଲିଆତିରେ ସଂପୃକ୍ତ ଥିବା ଲୋକଙ୍କ ବିରୋଧରେ କଡ଼ା ଆକ୍ସନ ସହିତ ସଂପୂର୍ଣ୍ଣ ସ୍ଵଚ୍ଛତାର ସହିତ ପରୀକ୍ଷା କରାନ୍ତୁ ବୋଲି ଦାବି କରିଛନ୍ତି ଆଶାୟୀମାନେ। ଓଡ଼ିଶା ପୋଲିସର ୬୦୯, ସଶସ୍ତ୍ର ପୋଲିସର ୨୫୩, ଅଗ୍ନିଶମ ସେବାର ୪୭ ଷ୍ଟେସନ ଅଫିସର ଓ ୨୪ଟି ଆସିଷ୍ଟାଣ୍ଟ ଜେଲର୍ ଭାବେ ସବଇନ୍ସପେକ୍ଟର ପଦବୀ ପାଇଁ ଗତ ଜାନୁଆରି ମାସରେ ପ୍ରକାଶିତ ହୋଇଥିଲା ବିଜ୍ଞପ୍ତି। ଓଡ଼ିଶା ପୋଲିସ ରିକ୍ରୁମେଣ୍ଟ ବୋର୍ଡ ତରଫରୁ ପରୀକ୍ଷା ହେବାର ଥିଲା। ତା ପୂର୍ବରୁ ଧରାପଡ଼ିଛି ଏହି ଜାଲିଆତି।

ହ୍ବାଟ୍ସଆପ ବନାମ ଭାରତର ଦେଶୀ ଆପ ଅରଟ୍ଟୈ: କେଉଁ ମେସେଗିଂ ଆପ ଆଗରେ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଡିଜିଟାଲ ମେସେଜିଂ ମାର୍କେଟରେ ହ୍ବାଟ୍ସଆପକୁ ଏବେ ଟକ୍କର ଦେଉଛି ଭାରତର ଦେଶୀ ଆପ୍ ଅରଟ୍ଟୈ । ମେଟାର ହ୍ବାଟ୍ସଆପକୁ ବିଶ୍ବର ୩ ଅବର (୩ ଶହ କୋଟି)ରୁ ଅଧତକ ଲୋକ ବ୍ୟବହାର କରୁଛନ୍ତି । ଆଉ ଭାରତୀୟ କମ୍ପାନୀ ଜୋହୋର ଦେଶୀ ମେସେଜିଂ ଆପ୍ ଅରଟ୍ଟୈ ଭାରତରେ ଧୁମ ମଚାଇଛି । ଏବେ ଆପ୍ ଷ୍ଟୋରର ସୋସିଆଲ ନେଟଓ୍ବାର୍କିଂ କ୍ୟାଟାଗୋରୀରେ ଏକ ନମ୍ବରରେ ପହଞ୍ଚି ଯାଇଛି ଅରଟ୍ଟୈ । ଗତ ତିନିଦିନରେ ଏହି ଆପକୁ ଶହେ ଗୁଣା ଅଧିକ ଏନଗେଜମେଣ୍ଟ ମିଳିଛି । ଏବେ ପ୍ରଶ୍ନ ଉଠୁଛି ଫିଚର୍ସ, ପ୍ରାଇଭେସି ଓ ବିଜନେସ ଟୁଲ୍ସ ମାମଲାରେ ଏହି ଦୁଇଟିରୁ କେଉଁ ଆପ୍ ଅଧିକ ଲାଭଦାୟକ ମେସେଜିଂ ଆପ୍ । ତେବେ ବେଶି ଡେରି ନକରି ଆସନ୍ତୁ ଜାଣିବା ହ୍ବାଟ୍ସଆପ ଓ ଅରଟ୍ଟୈ ମଧ୍ୟରେ କାହାର ପଲା ଭାରି ।

ହ୍ବାଟ୍ସଆପ ବନାମ ଅରଟ୍ଟୈ

ମେଟା ଅଧୀନରେ ଆସୁଥିବା ହ୍ବାଟ୍ସଆପ ଏକ ବିଶ୍ବସ୍ତରୀୟ  ଆପ୍, ଯାହା ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନ ଓ ପାଓ୍ବରଫୁଲ ଫିଚର୍ସ ପାଇଁ ଜଣାଯାଏ । ଅନ୍ୟପକ୍ଷେ ଜୋହୋ ଦ୍ବାରା ନିର୍ମିତ ଅରଟ୍ଟୈ ଏକ ମେଡ ଇନ୍ ଇଣ୍ଡିଆ ଆପ୍ । ଯାହାର ନାମକରଣ ତାମିଲ ଶବ୍ଦ ଅର୍ଟ୍ଟୋ ଅର୍ଥା କାଜୁଆଲ ଚାଟରୁ ନିଆଯାଇଛି । ଆତ୍ମନିର୍ଭର ଭାରତକୁ ନଜରରେ ରଖି ଏହି ଆପକୁ ଡିଜାଇନ୍ କରାଯାଇଛି ଓ ଏଥିରେ ଏକାଧିକ ଆଞ୍ଚଳିକ ଭାଷାର ସପୋର୍ଟ ଦିଆଯାଇଛି ।

ମେସେଜିଂ ଓ ଭାଷା ସପୋର୍ଟ

ଅରଟ୍ଟୈ ହାଲକା ଇଣ୍ଟରଫେସ ଓ ଭାରତୀୟ ଭାଷା ଯେମିତି ତାମିଲ, ତେଲଗୁ ଆଦିରେ ଦୃଢ଼ ସପୋର୍ଟ ସହ ଆସୁଛି । ଏହାବାଦ ଜାପାନୀ, ଋଷୀ ଓ ତୁର୍କୀ ପରି ୧୬ଟି ଭାଷାର ସପୋର୍ଟ ଏଥିରେ ରହିଛି । ଏହା କମ ଷ୍ଟୋରେଜ ଓ କମ ନେଟଓ୍ବର୍କରେ ଆରାମରେ ଚାଲିବାକୁ ସକ୍ଷମ । ସେହିପରି ହ୍ବାଟ୍ପଆପ ବିଶ୍ବସ୍ତରରେ ଦୃଢ଼ ମେସେଜିଂ ଏକ୍ସପ୍ରିଏନ୍ସ ଦେଇଥାଏ । ଏହାସହ ବଡ଼ ବଡ଼ ଭାରତୀୟ ଭାଷା ସପୋର୍ଟ କରିଥାଏ । ହେଲେ ଏହା ଅଧିକ ବିଶ୍ବସ୍ତରୀୟ ଗ୍ରାହକଙ୍କ ଉପରେ କେନ୍ଦ୍ରୀତ ଓ ୬୦ରୁ ଅଧିକ ଭାଷାର ବିକଳ୍ପ ରହିଛି । ମେସେଜିଂ ଆପକୁ ଦେଖିଲେ ହ୍ବାଟ୍ପଆପ୍ ଭାରତରେ ସବୁଠାରୁ ଅଧିକ ବ୍ୟବହାର ହୋଇଥାଏ ।

ଗୋପନୀୟତା ଓ ସୁରକ୍ଷା

ହ୍ବାଟ୍ସଆପ ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନ ସହ ସବୁ ଚାଟ, କଲ ଓ ମିଡିଆକୁ ସୁରକ୍ଷିତ କରିଥାଏ । ହେଲେ ମେଟାର ଡାଟା ଡ୍ରିଭିନ୍ ମଡେଲକୁ ନେଇ ଗ୍ରାହକଙ୍କ ଚିନ୍ତା ଲାଗି ରହିଥାଏ । ସେପଟେ ଅରଟ୍ଟୈ ଭଏସ ଓ ଭିଡିଓ କଲ ପାଇଁ ଇନକ୍ରିପସନ ଦେଇଥାଏ । ହେଲେ ଟେଷ୍ଟ ମେସେଜ ସମ୍ପୂର୍ଣ୍ଣ ଭାବେ ଇନକ୍ରିପସନ ହୋଇପାରିନି । ଏହାର ଭାରତ ଆଧାରିତ ସର୍ବର ଓ ଜୋହୋର ଡାଟା ବିଜ୍ଞାପନରେ ଉପଯୋଗ ନକରିବା ପଲିସି ଏହାକୁ ଅଲଗା ବନାଉଛି ।

କଲିଂ ଓ ଗ୍ରାପ୍ ଚାଟିଂ

ଅରଟ୍ଟୈ ହାଇ ଡେଫିନେଶନ କଲିଂ ସୁବିଧା ଦେଇଥାଏ । ଯାହା ନେଟ୍ବଓ୍ବର୍କ କମ ଥିଲେ ବି ଆରାମରେ ଚାଲିଥାଏ । ଏଥିରେ ଏକ ହଜାର ସଦସ୍ୟ ପର୍ଯ୍ୟନ୍ତ ଗ୍ରୁପ୍ ଚାଟ ଓ ଚ୍ୟାନେଲ ସପୋର୍ଟ ସୁବିଧା ରହିଛି । ସେପଟେ ହ୍ବାଟ୍ସଆପର କଲିଂ ଷ୍ଟେବୁଲ ଓ ୧୦୨୪ ଜଣ ପର୍ଯ୍ୟନ୍ତ ଗ୍ରୁପ୍ ଚାଟିଂ ସୁବିଧା ଦେଇଥାଏ । ଏହାସହ ଆଡମିନ କଣ୍ଟ୍ରୋଲ ଓ ମେସେଜକୁ ପିନ୍ କରିବା ପରି ଫିଚର ଦେଉଛି ।

ଫାଇଲ ସେୟାରିଂ ଓ ଷ୍ଟୋରେଜ୍

ଅରଟ୍ଟୈରେ 1GB ପର୍ଯ୍ୟନ୍ତ ଫାଇଲ୍ ସେୟାର କରିହେଉଥିବା ବେଳେ ହ୍ବାଟ୍ପଆପରେ  2GB ପର୍ଯ୍ୟନ୍ତ ଫାଇଲ ସେୟାର କରିବାର ସୁବିଧା ରହିଛି । ହ୍ବାଟ୍ପଆପ୍ ଷ୍ଟାଟସ ଫିଚର୍ସ ଦେଉଥିବା ବେଳେ ଅରଟ୍ଟୈ ଷ୍ଟୋର ଫିଚର ସୁବିଧା ଦେଉଛି ।

ପ୍ରଡକ୍ଟିଭିଟି ଓ ବିଜନେସ ଟୁଲ୍ସ

ଅରଟ୍ଟୈ ପୋକେଟ ଫିଜର ସେଲ୍ଫ ଷ୍ଟୋରେଜ ପାଇଁ ଭଲ । ଯେଉଁଥିରେ ଫଟୋ, ନୋଟିସ ଓ ଫାଇଲ ସେଭ କରିହେବ । ଏହାବାଦ ମିଟିଂ ସିଡ୍ୟୁଲିଂ ସେକ୍ସନ ମଧ୍ୟ ଏଥିରେ ରହିଛି । ସେହିପରି ହ୍ବାଟ୍ସଆପର Chat with yourself ଫିଚର ଲିଙ୍କ, ଫଟୋ ଓ ଟ୍ୟାକ୍ସ ଭେଭ କରିହେଉଛି । WhatsApp Business ପ୍ଲାଟଫର୍ମ ନେଣଦେଣ, କ୍ୟାଟଲୋଗ ଓ ମେଟା ଇଣ୍ଟିଗ୍ରେସନ ପରି ସୁବିଧା ରହିଛି । ହେଲେ ଏଥିରେ ମିଟଇଂ ସିଡ୍ୟୁଲିଂ ପରି ଫିଚର ନାହିଁ ।

କାର୍ଯ୍ୟଦକ୍ଷତା ଓ ଗ୍ରାହକଙ୍କ ଆଗ୍ରହ

ଅରଟ୍ଟୈ ସମ୍ପୂର୍ଣ୍ଣ ଭାବେ ବିଜ୍ଞାପନ ମୁକ୍ତ ଓ ଲୋ-ଲଣ୍ଡ ଡିଭାଇସରେ ବି ସହଜରେ ଚାଲିଥାଏ । ଏହା ଗ୍ରାମୀଣ ଓ qଜେଟ ୟୁଜର୍ସଙ୍କ ପାଇଁ ଭଲ ହୋଇପାରେ । ସେହିପରି ହ୍ବାଟ୍ସଆପ ଏକ ରିଚ୍ ଆପ୍ ଫଇଚର ଅଟେ । ହେଲେ ପୁରୁଣା ଓ ସ୍ଲୋ ଡିଭାଇସ ଉପରେ ଭାରି ପଡ଼ିପାରେ । ଏହାବାଦ ଏହାର ଆପ୍ ଷ୍ଟୋରେଜ ସାଇଜ ମଧ୍ୟ ବହୁତ ଅଧିକ ।

ଜାଲିଆତି ଘଟଣା: ସ୍ଥଗିତ ରହିଲା ପୋଲିସ ଏସଆଇ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ସ୍ଥଗିତ ରହିଲା ପୋଲିସ ଏସଆଇ ପରୀକ୍ଷା । ଜାଲିଆତି ତଥା କିଛି ଅପ୍ରତ୍ଯାଶିତ ଘଟଣା ଘଟିବା ପରେ ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଏହି ପଦକ୍ଷେପ ନେଇଛି । ଆସନ୍ତା ଅକ୍ଟୋବର ୫ ଓ ୭ ତାରିଖରେ ସବୁ ଜିଲ୍ଲାରେ ପୋଲିସ ସବ ଇନସପେକ୍ଟର ପରୀକ୍ଷା ହେବ ବୋଲି ଧାର୍ଯ୍ୟ ହୋଇଥିଲା । ତେବେ ପରୀକ୍ଷା ପୂର୍ବରୁ କିଛି ହଲଚଲ ଦେଖି ବୋର୍ଡ ଅଧ୍ୟକ୍ଷ ଏହାକୁ ସ୍ଥଗିତ ଘୋଷଣା କରିଛନ୍ତି । ଏ ନେଇ ପ୍ରେସ ବିଜ୍ଞପ୍ତି ମଧ୍ଯ ଜାରି ହୋଇଛି । ଖୁବଶୀଘ୍ର ସାନି ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି ।

ବଡ଼ କଥା ହେଲା ବ୍ରହ୍ମପୁର ପୋଲିସ ଆନ୍ଧ୍ର ଶ୍ରୀକାକୁଲମରୁ ୧୨୦ ପରୀକ୍ଷାର୍ଥୀଙ୍କୁ ଧରିବା ପରେ ବୋର୍ଡ ସଜାଗ ହୋଇଉଠିଥିଲା । ପରୀକ୍ଷା ପୂର୍ବରୁ ଜାଲିଆତି ପାଇଁ ଏହି ୧୨୦ ପରୀକ୍ଷାର୍ଥୀଙ୍କୁ ହାଇଦ୍ରାବାଦ ନିଆଯାଉଥିଲା । ତେବେ ପୋଲିସ ଖବର ପାଇ ସେମାନଙ୍କୁ ଶ୍ରୀକାକୁଲମରେ ଧରି ବ୍ରହ୍ମପୁର ଆଣି ପଚରାଉଚରା କରୁଛି । ପରୀକ୍ଷା ଦାୟିତ୍ବରେ ଥିବା ସଂସ୍ଥା ସେମାନଙ୍କୁ ଜାଲିଆତି ପାଇଁ ନେଉଥିଲା ବୋଲି ସୂଚନା ମିଳିଥିଲା । ଏହାପରେ ବୋର୍ଡ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ବର ମଧ୍ଯ ଜାରି କରାଗଲା । ସିପିଏସଇ-୨୦୨୪ ସବୁ ପରୀକ୍ଷାରେ ସ୍ବଚ୍ଛତା ପାଇଁ ଏହି ନମ୍ବର ଜାରି ହୋଇଥିଲା । ନିଜ ଅଭିଯୋଗ 9040493223 ନମ୍ବରରେ ଜଣାଇବା ପାଇଁ ଓପିଆରବି ନିବେଦନ କରିଥିଲା । ହେଲେ କିଛି ସମୟ ପରେ ପରୀକ୍ଷା ସ୍ଥଗିତ ଲାଗି ଘୋଷଣା କରିଥିଲା ।

ପାକିସ୍ତାନର କ୍ୱେଟା ସ୍ଥିତ ସେନା ମୁଖ୍ୟାଳୟ ନିକଟରେ ଆତ୍ମଘାତି ବିସ୍ଫୋରଣ; ୧୦ ମୃତ, ୩୨ରୁଅଧିକ ଆହତ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ବେଲୁଚିସ୍ତାନ କ୍ବେଟା ସ୍ଥିତ ସେନା ମୁଖ୍ୟାଳୟ ନିକଟରେ ଆତ୍ମଘାତି ବିସ୍ଫୋରଣ । ପୂର୍ବ କ୍ବେଟାର ପ୍ରଣ୍ଟିୟର କ୍ରପ୍ସ ମୁଖ୍ୟାଳୟ ପାଖରେ ଏହି ବିସ୍ଫୋଣ ଘଟିଛି । ବିସ୍ଫୋରଣ ପରେ ପରେ ଅନ୍ଧାଧୁନ ଗୁଳିମାଡ଼ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଘରର ଝରକା କାଚ ଭାଙ୍ଗି ଯାଇଥିଲା ।  ପାକିସ୍ତାନ ନ୍ୟୁଜ୍ ଓ୍ବେବସାଇଟ ଡନ ରିପୋର୍ଟ ଅନୁସାରେ ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି ।

ବେଲୁଚିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀ ବଖ୍ତ ମହମ୍ମଦ କାକର ଓ ସ୍ବାସ୍ଥ୍ୟ ସଚିବ ମୁଜିବ ଉର ରହମାନ ସିବିଲ କ୍ବେଟା ହସ୍ପିଟାଲ, ବିଏମସି ହସ୍ପିଟାଲ ଓ ଟ୍ରୋମା ସେଣ୍ଟରକୁ ଜରୁରୀକାଳିନ ସ୍ଥିତି ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ବିସ୍ଫୋରଣ ପରେ ସହରରେ ଧାଁଦୌଡ଼ ଆରମ୍ଭ ହୋଇଯାଇଥିଲା । ବିସ୍ଫୋରଣ ପରେ ପରେ ଅଞ୍ଚଳରେ ଗୁଳି ମାଡ଼ର ଶବ୍ଦ ବି ଶୁଣିବାକୁ ମିଳିଥିଲା । ଯିଏ ଯୁଆଡ଼େ ପାରିଲା ନିଜକୁ ବଞ୍ଚାଇବାକୁ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ବିସ୍ଫୋରଣ ପରେ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା ।

ତେବେ ଏହି ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇପାରିନି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ କଡନ କରି କମ୍ବି ଅପରେସନ ଆରମ୍ଭ କରିଛନ୍ତି । ସେହିପରି ବିସ୍ଫୋରଣ ସମୟର ସିସିଟିଭି ଫୁଟେଜ ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି ।

ସୂଚନାଯୋଗ୍ୟ, କ୍ବେଟା ବେଲୁଚିସ୍ତାନ ପ୍ରାନ୍ତର ରାଜଧାନୀ ଅଟେ । ଆଉ ଏହା ଚରମପନ୍ଥିଙ୍କ ହିଂସାକାଣ୍ଡର ପ୍ରମୁଖ ସ୍ଥାନ ରହିଆସିଛି । ଏଠାରେ ଏମିତି ଘଟଣା ତିନିଦିନିଆ । ଏଥିରେ ଲସ୍କର ଏ ଝାଙ୍ଗବି (LeJ) ଓ ଇସ୍ଲାମିକ ଷ୍ଟେଟ ଖୋରାସାନ ପ୍ରୋବିନ୍ସ (ISKP) ନାଁ ଆସୁଛି । ଏହାବାଦ ତହରିକ ଏ ତାଲିବାନ ପାକିସ୍ତାନ (TTP) ମଧ୍ୟ ଏହି ଅଞ୍ଚଳରେ ସକ୍ରିୟ ରହିଛି । ନିକଟରେ ବେଲୁଚ ବିଦ୍ରୋହୀଙ୍କ ଆକ୍ରମଣ ବି ଅଞ୍ଚଳରେ ନିତିଦିନିଆ ଘଟଣା ହୋଇଯାଇଛି ।

ପାକିସ୍ତାନ ସେନାମୁଖ୍ୟ ମୁନିରଙ୍କ ନିଦ ହଜାଇଥିବା ଶୌକତ ନଓ୍ବାଜ ମୀର କିଏ ? ଯାହାଙ୍କ ଗୋଟିଏ ଡାକରାରେ ପୂରା POK ହୋଇଗଲା ଠପ୍

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଅଧିକୃତ କାଶ୍ମୀର POKରେ ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଇସଲାମାବାଦରୁ ୩ ହଜାର ଯବନାଙ୍କୁ ପିଓକେ ପଠାଯାଇଛି । ଏହାପରେ ବି ପାକିସ୍ତାନ ସେନାମୁଖ୍ୟ ମୁନିର ପିଓକେରେ ଲକଡାଇନ ଶେଷ କରିପାରୁନାହାନ୍ତି । ଆଉ ଏହି ଲକଡାଉନ ପାକିସ୍ତାନ କାଶ୍ମୀର ପବ୍ଲିକ ଆକ୍ସନ କମିଟି ଅଧ୍ୟକ୍ଷ ଶୌକତ ନଓ୍ବାଜ ମୀରଙ୍କ ଡାକରାରେ ହୋଇଛି । ମୀରଙ୍କ ନେତୃତ୍ବରେ ଆକ୍ସନ କମିଟି ସରକାରଙ୍କ ପାଖରୁ ୩୫ଟି ଦାବି କରିବା ସହ ଏହାର ଜବାବ ମାଗିଛି । ଯାହାର ଉତ୍ତର ଦେବା ବଦଳରେ ପାକିସ୍ତାନ ସରକାର ସେନା ସହ ମିଶି ବିଦ୍ରୋହକୁ ଦବାଇ ଦେବାକୁ ଉଦ୍ୟମ କରୁଛି ।

କିଏ ଏହି ଶୌକତ ନଓ୍ବାଜ ମୀର ?

ପିଓକେ ସ୍ଥିତ କାଶ୍ମୀର ୟୁନିର୍ଭସିଟିରେ ପାଠପଢ଼ା ସାରିବା ପରେ ଶୌକତ ମୀର ସାମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ । ଟ୍ରେଡ ୟୁନିୟନ ଓ ଅନ୍ୟ ସଂସ୍ଥା ଜରିଆବରେ ସେ ପିଓକେରେ ପ୍ରଭାବ ବିସ୍ତାର କରିଥିଲେ । ୨୦୨୪ରେ ଶୌକତ ଦରଦାମ ବୃଦ୍ଧିକୁ ନେଇ ପିଓକେରେ ବିରୋଧ ପ୍ରଦର୍ଶନ କରିଥିଲେ । ଆଉ ସରକାର ଚାପର ବଶବର୍ତ୍ତି ହୋଇ ସେତେବେଳେ ଅଟାର ମୂଲ୍ୟ କମ କରିବାକୁ ବାଧ୍ୟ ହୋଇଥିଲେ । ଶୌକତ ପ୍ରଥମରୁ ପାକିସ୍ତାନ କାଶ୍ମୀର ପବ୍ଲିକ ଆକ୍ସନ କମିଟିର ସଦସ୍ୟ ଥିଲେ । ହେଲେ ସେ କହୁଥିବା କଥା ଓ ରଣନୈତିକ କୁଶଳତା ଯୋଗୁଁ ସେ କମିଟିର ପ୍ରମୁଖ ହୋଇପାରିଥିଲେ । ଏହି କମିଟିରେ ପିଓକେର ଏକାଧିକ ରାଜନୈତିକ ଦଳ ଓ ବଡ଼ ବଡ଼ ବ୍ୟକ୍ତି ରହିଛନ୍ତି । କମିଟି କରୁଥିବା ଦାବି ଭିତରେ ପିଓକେରୁ ଭିଆଇପି କଲଚର ଶେଷ କରିବା ପ୍ରମୁଖ ରହିଛି । ଚଳିତବର୍ଷ ଆଣମ୍ଭରେ ସରକାରଙ୍କ ପ୍ରରୋଚନାରେ ପିଓକେ ହାଇକୋର୍ଟ ଶୌକ୍ ମିରଙ୍କୁ ଡ୍ରେଡ ୟୁନିୟନ ଅଧ୍ୟକ୍ଷ ପଦରୁ ହଟାଇ ଦେଇଥିଲେ । ଏହାପରେ ମୀର ଆକ୍ସନ କମିଟିରେ ପୂରା ଆକ୍ଟିଭ ଭାବେ କାମ କରୁଛନ୍ତି ।

ଶୌକତଙ୍କ ଡାକରାରେ ପିଓକେରେ ଲକଡାଉନ୍

ରିପୋର୍ଟ ଅନୁସାରେ ୨୮ ସେପ୍ଟେମ୍ବରରେ ଶୌକତ ମୁଜାଫରାବାଦରୁ ଲାଲଚୌକକୁ ଆସିବାକୁ ଅପିଲ କରିଥିଲେ । ଆଉ ତାଙ୍କ ଡାକରାରେ ୧୦ ହଜାରରୁ ଅଧିକ ଲୋକ ପିଓକେର ଲାଲଚୌକରେ ଏକାଠି ହୋଇଥିଲେ । ଏଠାରେ ଶୌକ୍ ୧୭ ମିନିଟର ଭାଷଣ ଦେଇଥିଲେ । ଏଥିରେ ସେ କହିଥିଲେ, ଆମେ ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ଲକଡାଉନ ଲଗାଇବାକୁ ଯାଉଛନ୍ତି । ସରକାର ଆମ ଦାବିକୁ ଗ୍ରହଣ କରିବା ବଦଳରେ ଆମକୁ ମାରିବାକୁ ଉଦ୍ୟମ କରୁଛି । ସେନାର ଗୁଳିମାଡ଼ରେ ପିଓକେରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏହାପରେ ପିଓକେରେ ଲକଡାଉନ କରି ସ୍ଥିତି ବନିଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ପାକିସ୍ତାନ ସେନା ମୁଖ୍ୟ ମୁନିର ମୁଜାଫରାବାଦରେ ଥିବା ବେଳେ ଏହି ଲକଡାଉନର ଡାକରା ଦିଆଯାଇଛି । ଆଉ ଏହାଠାରୁ ବଡ଼ କଥା ହେଲା ମୁନିର ଶୌକତ ଓ ପିଓକେବାସୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠନ ନେବାକୁ ବି ଅସମର୍ଥ ହୋଇଯାଇଛନ୍ତି ।

ହ୍ବାଟ୍ସଆପର ନୂଆ ଫିଚର: ଲାଇଭ ଫଟୋ ସହ ମେଟା AI ଚାଟ ଥିମ ଓ ଆହୁରି ବହୁତ କିଛି

ନନ୍ଦିଘୋଷ ବ୍ୟୁରୋ: ଚାଟିଂ ଓ ମେସେଜିଂ ପାଇଁ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି କି ? ଯିଦ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ହ୍ବାଟ୍ସଆପ ନିଜ ୟୁଜର୍ସଙ୍କ ପାଇଁ ଏକାଧିକ ନୂଆ ଫିଚର ଘୋଷଣା କରିଛି । ଏହି ଫିଚର୍ସରେ ios ରେ Live Photos ଓ ଆଣ୍ଡ୍ରୁଏଡ଼ରେ Motion Photos ସେୟାର କରିହେବ । ଏହାସହ Meta AI ସାହାଯ୍ୟରେ ଚାଟ ଥିମ ଓ କଲ୍ ବ୍ୟାକଗ୍ରାଉଣ୍ଡ ବି କଷ୍ଟମାଇଜ୍ କରିପାରିବେ । ନୂଆ ଅପଡେଟରେ ଷ୍ଟିର ପ୍ୟାକ୍ସ, ଗ୍ରୁପ୍ ସର୍ଚ୍ଚ ସହଜ କରାଯିବା ସହ ଆଣ୍ଡ୍ରୁଏଡ଼ରେ ଡକ୍ୟୁମେଣ୍ଟ ସ୍କାନିଂ ପରି ଫିଚର୍ସ ବି ଦିଆଯାଇଛି ।

Live ଓ Motion Photo ସପୋର୍ଟ

ହ୍ବାଟ୍ସଆପ ଏବେ iosରେ Live Photos ଓ ଆଣ୍ଡ୍ରୁଏଡ଼ରେ Motion Photos ସେୟାର କରିବାର ସୁବିଧା ଦେଉଛି । Live Photos ଛୋଟ ଭିଡିଓ କ୍ଲିପ ହୋଇଥାଏ । ଯାହା ଫଟୋ କ୍ଲିକ କରିବାର ପରେ ଓ ପୂର୍ବର କିଛି ସମୟର ଦୃଶ୍ୟ ଓ ଶବ୍ଦ ରହିଥାଏ । ଏବେ ଏହି ଫିଚର୍ସ ଦୁଇଟି ଯାକ ପ୍ଲାଟଫର୍ମ ଆଇଓଏସ ଓ ଆଣ୍ଡ୍ରୁଏଡ଼ରେ ଉପଲବ୍ଧ ହେଉଛି ।

Meta AI ରେ ଚାଟ ଥିମ ଓ କଲ ବ୍ୟାକଗ୍ରାଉଣ୍ଡ

ହ୍ବାଟ୍ସଆପ ମେଟା AI ସାହାଯ୍ୟରେ ଚାଟିଂକୁ ଆଡୁରି ମଜାଦାର କରିଛି । ଏବେ ୟୁଜର୍ସ ପ୍ରମ୍ପଟ୍ ଡାଇଲକ ନିଜ ପସନ୍ଦର ଚାଟ ଥିମ୍ ଜେନେରେଟ କରିପାରିବେ । ଏହାସହ Meta AI ରେ ଭିଡିଓ କଲ୍ ଓ ଚାଟ ବ୍ୟାକଗ୍ରାଉଣ୍ଡ ବି ବନାଇ ପାରିବେ । ତେବେ ହି ଫଇଚର ଏବେ ମାତ୍ର କିଛି ଦେଶରେ ଉବଲବ୍ଧ ହେଉଛି । ଇଂଲିସ, ଫ୍ରେଞ୍ଚ, ଜର୍ମାନ ସମେତ ୧୦ରୁ ଅଧିକ ଭାଷାରେ ଏହା ସପୋର୍ଟ କରୁଛି ।

ନୂଆ ଷ୍ଟିକର, ଗ୍ରୁପ୍ ସର୍ଚ୍ଚ ଓ ଡକ୍ୟୁମେଣ୍ଟ ସ୍କାନିଂ

ନୂଆ ଅପଡେଟରେ ଫିୟରଲେସ ବ୍ରିଡ, ସ୍କୁଲ ସମୟ ଓ ଭ୍ୟାକେଶନ ପରି ଷ୍ଟିକର ପ୍ୟାକ ସାମିଲ କରାଯାଇଛି । ଏହାସହ ଏବେ ଗ୍ରୁପ ସର୍ଚ୍ଚ କରିବା ଆହୁରି ସହଜ ହୋଇଯାଇଛି । ଯଦି ଆପଣଙ୍କୁ କୌଣସି ଗ୍ରୁପର ନାଁ ମନେ ନାହିଁ ତେବେ ଏଥିରେ ଥିବା ଆପଣଙ୍କ ବନ୍ଧୁଙ୍କ ନାଁ ସର୍ଚ୍ଚ କଲେ, ଉକ୍ତ ଗ୍ରୁପ୍ ଆପଣ ଦେଖିପାରିବେ । ସେହିପରି ଆଣ୍ଡ୍ରୁଏଡ଼ ୟୁଜର୍ସଙ୍କ ପାଇଁ ଡକ୍ୟୁମେଣ୍ଟ ସ୍କାନ କରିବା, କ୍ରପ ଓ ପଠାଇବା ସୁବିଧା ଦିଆଯାଇଛି ।