spot_img
Home Blog Page 3750

୭ ବିଧାନସଭା ଆସନରେ ଚାଲିଛି ଭୋଟିଂ, ୬ ରାଜ୍ୟ ମତଦାନରେ ସାମିଲ

ଭୁବନେଶ୍ବର: ଆଜି ୬ ରାଜ୍ୟର ୭ଟି ବିଧାନସଭା ଆସନରେ ହେଉଛି ଉପନିର୍ବାଚନ । ବିହାରର ମୋକମା ଓ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ, ଉତ୍ତରପ୍ରଦେଶର ଗୋଲା ଗୋକ୍ରାନାଥ, ହରିଆଣାର ଆଦମପୁର, ତେଲଙ୍ଗାନାର ମୁନୁଗୋଡେ ଏବଂ ଓଡ଼ିଶାର ଧାମନମଗରରେ ଉପନିର୍ବାଚନ ଚାଲିଛି । ବିହାର ମୋକମାରେ ଆରଜେଡି ବିଧାୟକ ଅନନ୍ତ କୁମାର ସିଂଙ୍କୁ ଅଯୋଗ୍ୟ ଘୋଷଣା ଯୋଗୁ ସେଠାରେ ଉପନିର୍ବାଚନ ହେଉଛି ।

ଗୋପାଳଗଞ୍ଜରେ ବିଜେପିର ସୁଭାଷ ସିଂଙ୍କ ମୃତ୍ୟୁ ଯୋଗୁ ପୁଣି ଭୋଟ ହେଉଛି । ଅନ୍ଧେରୀ ଓ୍ବେଷ୍ଟେର ଶିବସେନାର ରମେଶ ଲଟକେଙ୍କ ମୃତ୍ୟୁ, ଗୋଲା ଗୋକ୍ରାନାଥରେ ବିଜେପିର ଅରବିନ୍ଦ ଗିରିଙ୍କ ମୃତ୍ୟୁ ଯୋଗୁ ସେଠାରେ ଉପନିର୍ବାଚନ ହେଉଛି । ଆଦମପୁରରେ କୁଳଦୀପ ବିଷ୍ଣୋଇ ଓ ମୁନୁଗୋଡେର କେ. ରାଜଗୋପାଳ ରେଡ୍ଡୀଙ୍କ ଇସ୍ତଫା ପରେ ସେଠାରେ ଉପନିର୍ବାଚନ ହେଉଛି ।

ପୂର୍ବରୁ ତେଲଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାରେ ଅସ୍ଥିରତା ସୃଷ୍ଟି କରିବା ସହ ଭାରତ ରାଷ୍ଟ୍ର ସମିତିର ୪ ବିଧାୟକ ପାଇଲଟ ରୋହିତ ରେଡ୍ଡୀ, ରେଗା କାନ୍ଥାରାଓ, ଗୁଭାଲା ବଳରାଜୁ ଓ ବୀରମ ହର୍ଷବର୍ଦ୍ଧନଙ୍କୁ ଟଙ୍କା ଦେବା ନେଇ ଯୋଜନା ଚାଲିଥିବା ବେଳେ ଏହା ଶେଷ ମୁହୂର୍ତ୍ତରେ ପଣ୍ଡ ହୋଇଥିଲା । ଏହି ଘଟଣାରେ ଗିରଫ ହୋଇଥିଲେ ରାମଚନ୍ଦ୍ର ଭାରତୀ, ନନ୍ଦ କୁମାର ଓ ସିଂହାୟାଜି ସ୍ବାମୀ । ମୁନୁଗୋଡେ ବିଧାନସଭା ଉପନିର୍ବାଚନରେ ସ୍ଥିତି ବଦଳାଇ ଦେବାକୁ ଏହି ଯୋଜନା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଅନ୍ଧେରୀ ଇଷ୍ଟର ବିଜେପି ପ୍ରାର୍ଥୀ ମୁର୍ଜି ପଟେଲଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଉଦ୍ଧବ ଠାକରେ ଗୋଷ୍ଠୀ ପ୍ରାର୍ଥୀ ରୁତୁଜା ପଟେଲଙ୍କ ବିଜୟ ସମ୍ଭାବନା ଉଜ୍ବଳ ରହିଛି ।

ବିଶୃଙ୍ଖଳାକାରୀ ସାବଧାନ! କଡା ସୁରକ୍ଷା ବଳୟରେ ଧାମନଗରରେ ଚାଲିଛି ମତଦାନ

ଭଦ୍ରକ:  ଧାମନଗର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ବ୍ୟାପକ ବ୍ୟବସ୍ଥା । ୧୧୦ଟି ଉତ୍ତେଜନାପୂର୍ଣ୍ଣ ବୁଥରେ କଡା ସୁରକ୍ଷା ବଳୟରେ ଭୋଟ ଗ୍ରହଣ ଚାଲିଛି । ୧୨୬ଟି ବୁଥରେ ଓ୍ବେବକାଷ୍ଟିଂ କରାଯିବ । ବୁଥର ଶହେ ମିଟର ମଧ୍ୟରେ ବିଚରଣ ଅପରାଧ । ବିନା ଓ୍ବାରେଣ୍ଟରେ ହୋଇପାରିବେ ଗିରଫ । ଦୃଷ୍ଟିହୀନଙ୍କ ପାଇଁ ବ୍ରେଲ୍ ଇଭିଏମ୍ ବ୍ୟବସ୍ଥା ହୋଇଥିବା ବେଳେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଭୋଟର ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ ଭୋଟର । ସବୁ ବୁଥରେ ହେଲ୍ପ ଡେସ୍କ ରହିଛି । ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ନିର୍ବାଚନମଣ୍ଡଳୀରେ ମୋଟ ୧୩ଟି ଚେକ ପଏଣ୍ଟରେ ଗାଡି ଗୁଡିକୁ କଡାକଡ଼ି ଚେକିଂ କରାଯାଉଛି । ୧ହଜାର ପୋଲିସ ନିୟୋଜିତ ହେବା ସହ ୪ କମ୍ପାନୀ ସିଆରପିଏଫ୍ , ୨୨ ପ୍ଲାଟୁନ୍ ରାଜ୍ୟ ସଶସ୍ତ୍ର ପୋଲିସ ବଳ, ୨୪ଟି ମୋବାଇଲ ପେଟ୍ରୋଲିଂ ଭ୍ୟାନ୍ ମୁତୟନ ହୋଇଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନହୁଏ ସେନେଇ କଡ଼ା ନଜର ରଖାଯାଇଛି।

ଭୋଟ ଦେଉଛି ଧାମନଗର, ସଂଧ୍ୟା ୬ଟା ଯାଏଁ ମତଦାନ କରିବେ ୨ଲକ୍ଷ ୪୦ହଜାର ଭୋଟର

ଭଦ୍ରକ: ଧାମନଗର ବ୍ୟାଟଲ ପାଇଁ ଆରମ୍ଭ ହେଲା ପୋଲିଂ । ନୂଆ ବିଧାୟକଙ୍କୁ ନିର୍ବାଚିତ କରୁଛନ୍ତି ଧାମନଗରବାସୀ । ମଇଦାନରେ ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଥିବା ବେଳେ ସମସ୍ତ ଦଳ ଲାଗି ନିର୍ବାଚନ ପାଲଟିଛି ଅଗ୍ନିପରୀକ୍ଷା । ତିନି ପ୍ରମୁଖ ଦଳର ପ୍ରାର୍ଥୀ ବିଭିନ୍ନ ପ୍ରସଙ୍ଗକୁ ନେଇ ମଇଦାନକୁ ଓହ୍ଲାଇଛନ୍ତି  । ସେପଟେ ଧାମନଗରବାସୀ କାହାକୁ ବିଜୟ ମୁକୁଟ ପିନ୍ଧାଇବେ, ସେନେଇ ରହିଛି ଉତ୍କଣ୍ଠା ।

ଉପନିର୍ବାଚନରେ ୨ଲକ୍ଷ ୪୦ହଜାର ଭୋଟର ମତଦାନ କରିବେ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ୨୫୨ ପୋଲିଂ ପାର୍ଟି ୧ ହଜାର ୮ ଜଣ ପୋଲିଂ କର୍ମଚାରୀ ଉପସ୍ଥିତିରେ ୨୫୨ଟି ବୁଥରେ ଚାଲିଛି ଭୋଟଦାନ ପ୍ରକ୍ରିୟା । ଏଥିରେ ୫ଟି ପିଙ୍କ ବୁଥ ଥିବା ବେଳେ ୨୦ଟି ଆଦର୍ଶ ବୁଥ ରହିଛି । ନିର୍ବାଚନରେ କିଏ ମାରିବେ ବାଜିମାତ୍ ଆସନ୍ତା ୬ ତାରିଖରେ ତାହା ହେବ ସ୍ପଷ୍ଟ ।

ବିଜେପି ନେତା ଅଶ୍ବିନୀ ବେହେରା ଗିରଫ

ରାଉରକେଲା: ବିଜେପି ନେତା ଅଶ୍ବିନୀ ବେହେରା ଗିରଫ । ରାଉରକେଲା ସହରର ସେକ୍ଟର ୩ ଥାନା ପୋଲିସ ଦ୍ବାରା ଗିରଫ । ବିଜେପି ଯୁବମୋର୍ଚ୍ଚାର ଜଣେ ନେତାଙ୍କୁ ଵନ୍ଧୁକ ଦେଖାଇ ୧୫ଶହ ଟଙ୍କା ଲୁଟି ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଅଶ୍ବୀନୀ । ଅଶ୍ବିନୀ ବେହେରା ପୁର୍ଵରୁ ରାଉରକେଲା ପୋଲିସ ଓ ଏସପିଙ୍କ ନାମରେ ସୋସିଆଲ ମିଡିଆରେ ଅଶ୍ଲିଳ ଲେଖାଲେଖି କରିଥିଲେ ।

ପରେ ପୁଣି ଭୁଲ ସ୍ପିକାର କରି ସୋସିଆଲ ମିଡିଆରେ କ୍ଷମା ମାଗିଥିଲେ । ନିଜର ମତିଭ୍ରଷ୍ଟ କାରଣରୁ ରାଉରକେଲା ପୋଲିସ ଓ ଏସପିଙ୍କ ନାମରେ ସୋସିଆଲ ମିଡିଆରେ ଅପଶବ୍ଦ ପ୍ରୟୋଗ କରିଥିଵା କହି ଵିଜେପି ନେତା ଅଶ୍ବିନୀ ବେହେରା କ୍ଷମା ପ୍ରାର୍ଥନା କରିଥିଲେ । ଅଶ୍ବିନୀ ବେହେରା ଵିଜେପି ଓବିସି ମୋର୍ଚ୍ଚା ପାନପୋଷ ସାଂଗଠନିକ ଜିଲ୍ଲା ଇଷ୍ଟ ମଣ୍ଡଳର ଟ୍ରେଜରର ଭାଵେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

ପୁଣି ଚର୍ଚ୍ଚାରେ ପାଇଲଟ୍-ଗେହଲଟଙ୍କ କଳି

ଜୟପୁର: ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ କଳି ପୁଣିଥରେ ପଦାରେ ପଡ଼ିଛି । ରାଜସ୍ଥାନର ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ବାକ୍ ଆକ୍ରମଣ କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗେହଲଟଙ୍କ ଯେଉଁ ଭଳି ପ୍ରଶଂସା କରିଥିଲେ ତାକୁ ନେଇ ପାଇଲଟ୍ କହିଛନ୍ତି, ମୋଦି ପୂର୍ବରୁ ଗୁଲାମ ନବୀ ଆଜାଦଙ୍କ ମଧ୍ୟ ଏହିଭଳି ପ୍ରଶଂସା କରିଥିଲେ, ପରେ ଯାହା ହୋଇଥିଲା ତାହା ସମସ୍ତେ ଜାଣିଛନ୍ତି ।

ତେଣୁ ଘଟଣାକୁ ଗୁରୁତର ସହ ନେବା ଆବଶ୍ୟକ । ଅନ୍ୟପକ୍ଷରେ ପାଇଲଟଙ୍କ ବୟାନର ଜବାବ ଦେଇ ଗେହଲଟ୍ ପରାମର୍ଶ ଦେଇ କହିଛନ୍ତି ପାଇଲଟଙ୍କୁ ଏପରି ବୟାନବାଜୀ ନକରିବା ଆବଶ୍ୟକ । ଏପଟେ କଂଗ୍ରେସର ବରିଷ୍ଠ ନେତାମାନେ ସଚିନଙ୍କୁ ଏପରି ବୟାନବାଜିରୁ ନିରବୃତ ରହିବା ପାଇଁ ପରାମର୍ଶ କହିଛନ୍ତି । ଦଳର ଅନୁଶାସନକୁ ପାଳନ କରିବା ପାଇଁ କୁହାଯାଇଛି ।

ପଦ୍ମଫୁଲ ଦେଇ ବିଜେପି ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛି: ବିଜେଡି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ପରାଜୟ ଭୟରେ ବିଜେପି ଅନେକ ବେଆଇନ୍ ପଦକ୍ଷେପ ଗ୍ରହଣ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ଆସନ୍ତାକାଲି ଭୋଟଗ୍ରହଣ ପୂର୍ବରୁ ଓ ମତଦାନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଏଭଳି କିଛି ଯୋଜନା ପ୍ରସ୍ତୁତ କରିଛି ବିଜେପି । ଏ ସଂପର୍କିତ ଏକ ଭିଡିଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଦାଖଲ କରିଛି ।

ଏଥିରେ ଅସୁରାଳି ଗ୍ରାମପଞ୍ଚାୟତର ସରପଞ୍ଜ ମିନତୀ ସାହୁ ଓ ତାଙ୍କ ସହଯୋଗୀଙ୍କ ସହିତ ବିଜେପି ଚିହ୍ନ ପଦ୍ମଫୁଲ ସହ ବିଭିନ୍ନ ସାମଗ୍ରୀ ବଣ୍ଟନ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ପ୍ରମାଣ ରହିଛି । ନିର୍ବାଚନ ପ୍ରଚାର ଶେଷ ହୋଇଯାଇଥିବା ବେଳେ ବିଜେପିର ଏଭଳି ପ୍ରୟାସ କମିଶନଙ୍କ ଗାଇଡଲାଇନର ଖୋଲାଖୋଲି ଉଲଙ୍ଘନ ଓ ଏହା ବେଆଇନ୍ ।

ଏହାସହିତ ବିଜେପି ସ୍ବର୍ଗତ ବିଷ୍ଣୁ ସେଠୀଙ୍କର ଶହେ ମିଟର ଲମ୍ବା ଫଟୋ ସବୁ ପୋଲିଂ ବୁଥ ଆଗରେ ଲଗାଇବାକୁ ଯୋଜନା କରିଥିବା ବିଜେଡି ଅଭିଯୋଗ କରିଛି । ଏନେଇ ଦଳ ପାଖରେ ବିଶ୍ବସ୍ତସୂତ୍ରରୁ ଖବର ଥିବା ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ସିଇଓଙ୍କ ପାଖରେ ଅଭିଯୋଗ କରିଛନ୍ତି । ସାଇଲେଣ୍ଟ ପିରିୟଡ ଚାଲିଥିବା ବେଳେ ବିଷ୍ଣୁ ସେଠୀଙ୍କ ଫଟୋକୁ ନେଇ ଅନୁକମ୍ପା ଭୋଟ ହାତେଇବାକୁ ଏଭଳି ହୀନ ପ୍ରୟାସକୁ ବିଜେଡି ବିରୋଧ କରିବା ସହ ପ୍ରଶାସନ ଏହାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛି ।

ଆସନ୍ତା ୧୦ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ହେବ । ୨ ଦିନିଆ ଓଡ଼ିଶା ଗସ୍ତରେ ସେ ରାଜଭବନରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି ।  ୧୧ ତାରିଖରେ ନୂଆଦିଲ୍ଲୀ ଫେରିବା ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ।

ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଳା ରାଷ୍ଟ୍ରପତିଙ୍କ ଗସ୍ତ ସମ୍ୱନ୍ଧିତ ପ୍ରାଥମିକ ସୂଚନା ଉପସ୍ଥାପନ କରିଥିଲେ । ବୈଠକରେ ମୁଖ୍ୟତଃ ରାଷ୍ଟ୍ରପତିଙ୍କ ଗସ୍ତ, ରହଣୀ ଓ ସଭା ଆଦି ସମୟରେ ଗାର୍ଡ ଅଫ୍ ଅନର, ଜାତୀୟ ସଂଗୀତ ବାଦନ, ବାରିକେଡ୍, ନିରାପତ୍ତା, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ଫେଜ-୨ ବାଲିଷ୍ଟିକ ମିସାଇଲ ଡିଫେନ୍ସର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଏପିଜେ ଅବଦୁଲ କଲାମ ଦ୍ବୀପରୁ ଭାରତ ପରୀକ୍ଷା କଲା ଫେଜ-୨ ବାଲିଷ୍ଟିକ ମିସାଇଲ ଡିଫେନ୍ସ ବା ବିଏମଡି ଇଣ୍ଟରସେପ୍ଟର ଏଡି-୧ । ଏହି ଦୂରଗାମୀ କ୍ଷେପଣାସ୍ତ୍ର ଭାରତକୁ ପ୍ରତିରକ୍ଷାକ୍ଷେତ୍ରରେ ଅଧିକ ଶକ୍ତିଶାଳୀ କରିଛି । ବିଏମଡି ଓ୍ବିପନ ସିଷ୍ଟମ ଜରିଆରେ ଏହାର ସଫଳ ପରୀକ୍ଷଣ କରାଯାଇଛି । ଏଡି-୧ ଏକ ଦୂରଗାମୀ ଇଣ୍ଟରସେପ୍ଟର ମିସାଇଲ ।

ଏହି କ୍ଷେପଣାସ୍ତ୍ର ବାୟୁମଣ୍ଡଳ ବାହାରେ ଓ ବାୟୁମଣ୍ଡଳ ଭିତରେ ପ୍ରୟୋଗ ହୋଇପାରିବ । ଟୁ-ଷ୍ଟେଜ ସଲିଡ ମୋଟର ଜରିଆରେ ଏହାର ଉତକ୍ଷେପଣ ହୋଇଥିଲା । ଏଥିରେ ସ୍ବଦେଶୀ ନିର୍ମିତ ଅତ୍ୟାଧୁନିକ କଣ୍ଟ୍ରୋଲ ବ୍ୟବସ୍ଥା ରହିଛି । ଗତ ମାସରେ ଭାରତ ନ୍ୟୁ ଜେନେରେସନ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମର ସଫଳ ପରୀକ୍ଷା ହୋଇଥିଲା ।

ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ପୁଣି ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ଫେକ୍‌ ଭିଡିଓ ମାନ୍ୟୁଫାକଚରିଂ କରୁଛି ବିଜେପି ଆଇଟି ସେଲ୍। ଧାମନଗର ଉପନିର୍ବାଚନ ହାରିବା ଭୟରେ କରୁଛି ଏଭଳି କାଣ୍ଡ। କିଛି ଦିନ ତଳେ ଏପରି ଏକ ଭିଡିଓ ବିଜେଡିର ଛବି ମଳିନ କରିବାକୁ ଉଦ୍ୟମ କରିଥିଲା । ଏବେ ଆଉ ଏକ ଅଡିଓ କ୍ଲିପ୍ ଦ୍ବାରା ଧାମନଗରକୁ ଅଶାନ୍ତ କରିବାକୁ ଉଦ୍ୟମ କରୁଛି ବିଜେପି । ଏଥିରେ ମଧ୍ୟପ୍ରଦେଶର ଏକ ମୋବାଇଲ ନମ୍ବର ବ୍ୟବହାର ହେଉଥିବା ତଦନ୍ତରୁ ଜଣାପଡିଛି । ଏହା ପଛରେ କାହାର ହାତ ଅଛି ବିଜେଡି ଜାଣିସାରିଛି । ଘଟଣା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି ବିଜେଡି ପ୍ରତିନିଧି ଦଳ ।

ସହର ପାର୍ଶ୍ୱବର୍ତ୍ତୀ ଅଂଚଳରେ ମୌଳିକ ସୁବିଧା ବିକାଶ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରମୁଖ ସହର ଗୁଡ଼ିକର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ଗମନାଗମନ ସହ ମୌଳିକ ସେବା-ଭିତ୍ତିଭୂମି ବିକାଶ ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ରାଜଧାନୀ ସମେତ ବଡ଼ ବଡ଼ ମହାନଗର ନିଗମ ଅଂଚଳର ବିକାଶ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍ ସହରାଞ୍ଚଳ ବିକାଶ ପାଇଁ ଆନ୍ତଃ-ବିଭାଗୀୟ ସମନ୍ୱୟ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ରାଜ୍ୟର ଦୃଢ଼ ବର୍ଦ୍ଧିଷ୍ଣୁ ପ୍ରମୁଖ ସହର ସହର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ସୁଗମ ଯୋଗାଯୋଗ ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବଡ଼ ବଡ଼ ସହର ଗୁଡ଼ିକରେ ବିଭିନ୍ନ ପ୍ରକାର ନିଯୁକ୍ତି ଓ ଜିବୀକା ସୁଯୋଗ ସୃଷ୍ଟି ହୋଇଥାଏ । ବିଭିନ୍ନ ଆର୍ଥିକ ବର୍ଗର ଲୋକମାନେ ଏହାର ସୁଯୋଗ ନେଇଥାଆନ୍ତି ।

ଯେଉଁମାନେକି ମୁଖ୍ୟତଃ ପାର୍ଶ୍ୱବର୍ତ୍ତୀ ଅଂଚଳରେ ବସବାସ କରିଥାନ୍ତି । ତା ଛଡ଼ା ନିଜର ବୃତ୍ତି, ଶିକ୍ଷା, ଚିକିତ୍ସା ଜମିଜମା ଖର୍ଦ୍ଦି-ବିକ୍ରୀ, ନ୍ୟାୟାଳୟ କାର୍ଯ୍ୟ, ଉତ୍ପାଦ ଦ୍ରବ୍ୟ ବିକ୍ରୀବଟା ଓ ବାଣିଜ୍ୟ ଆଦି ପାଇଁ ଅନେକ ଲୋକ ଦୈନିକ ସହରକୁ ଯିବା ଆସିବା କରିଥାଆନ୍ତି । ପାର୍ଶ୍ୱବର୍ତ୍ତୀ ଅଂଚଳରେ ଉତ୍ତମ ରାସ୍ତା ତିଆରି ହେଲେ ସହରକୁ ଯିବା ଆସିବା ସୁଗମ ହେବ । ଟ୍ରାଫିକ୍ ଭିଡ଼ ଓ ଦୁର୍ଘଟଣା ଆଦି କମିବ । ତା ଛଡ଼ା ସହର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଓ ନାଗରିକ ସେବାକେନ୍ଦ୍ର ଆଦି ବିକଶିତ ହେଲେ ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତ୍ତି ହେବ ।

ସହର ଉପରେ ମଧ୍ୟ ଆବାସିକ-ଚାପ କମିବ । ତେଣୁ ବିଭିନ୍ନ ପ୍ରମୁଖ ସହରର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ରାସ୍ତା ପ୍ରଶସ୍ତିକରଣ ସହ ବିଭିନ୍ନ ମୌଳିକ ସେବାର ଉନ୍ନତି ପାଇଁ ଏକ ୫-ବର୍ଷିଆ କାର୍ଯ୍ୟ ଯୋଜନା ଚିଠା ପ୍ରସ୍ତୁତ କରିବା ନିମନ୍ତେ ଶ୍ରୀ ମହାପାତ୍ର ପୁର୍ତ୍ତ, ଗ୍ରାମ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ଜଳ ସଂପଦ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସହରକୁ ବିଭିନ୍ନ ଦିଗରୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକର ଚିହ୍ନଟ କରି ସେସବୁର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଚିହ୍ନିତ ରାସ୍ତା ଗୁଡ଼ିକ ମଧ୍ୟରେ ଆନ୍ତଃ-ସଂଯୋଗୀକରଣ ମାଧ୍ୟମରେ ଏକ ରୋର୍ଡ ନେଟ୍-ଓ୍ୱାର୍କ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକ ମାସ ମଧ୍ୟରେ ଏହି କାର୍ଯ୍ୟ ଯୋଜନା ତିଆରି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପାନୀୟ ଜଳ ଓ ନର୍ଦ୍ଦମା ପାଇପ୍, ବିଭିନ୍ନ ପ୍ରକାର କେବୁଲ ଆଦି ନିମନ୍ତେ ସହର ମଧ୍ୟସ୍ଥ ରାସ୍ତାକୁ କାଟିବା, ପ୍ରଶସ୍ତିକରଣ ନିମନ୍ତେ ଚିହ୍ନିତ ରାସ୍ତା ଓ ଛକ ସ୍ଥାନମାନଙ୍କରୁ ବିଦ୍ୟୁତ ଓ ଟେଲିଫୋନ୍ ଆଦି ଖୁଣ୍ଟ ସ୍ଥାନାନ୍ତର କରିବା ଆଦି ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇ ଏ କ୍ଷେତ୍ରରେ ରହିଥିବା ସମସ୍ୟାର ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।

ଭୁବନେଶ୍ୱରର ରସୁଲଗଡ଼ ଜଙ୍କ୍ସନ୍, କଳ୍ପନା ଛକ, ରବିଟକିଜ୍ ଛକ ଓ ବେହେରା ସାହି ଛକ ଆଦିର ପ୍ରଶସ୍ତିକରଣ ନିମନ୍ତେ କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ପନ୍ଥା ନିର୍ଣ୍ଣୟ କରାଯାଇଥିଲା । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ ରାସ୍ତା ତଳେ ପାଇପ୍ ଓ କେବୁଲ ନେବା ପାଇଁ ରାସ୍ତା କାଟିବା ଅନୁମତି ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କରୁଥିବା ବିଭାଗ ଦେବେ ।

ରାସ୍ତାର ଏକ ନିର୍ଦ୍ଦିଷ୍ଟ ଅଂଶରେ ପାଇପ୍ ବିଛା କାମ ସାରି ତୁରନ୍ତ ରାସ୍ତାକୁ ପୂର୍ବାବସ୍ଥାକୁ ଆଣିବା ପାଇଁ କାମ କରୁଥିବା ସଂସ୍ଥା ବା ବିଭାଗ ଦାୟୀ ରହିବେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନଙ୍କ ସମେତ ସଂପୃକ୍ତ ବିଭାଗର ପ୍ରଧାନ ମୁଖ୍ୟ ଯନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।