spot_img
Home Blog Page 370

ତାଣ୍ଡବ ରଚିଛି ଲଘୁଚାପ ଜନିତ ଲଗାଣ ବର୍ଷା

ନନ୍ଦିଘୋଷ ବ୍ୟୁରୋ ; ଲଘୁଚାପ ଜନିତ ବର୍ଷାରୁ ଗଜପତିରେ ବ୍ୟାପକ କ୍ଷୟକ୍ଷତି। ମୋହନା ବନ୍ଧାଗୁଡ଼ା ଅଂଚଳରେ ପାହାଡ ଧସିଯିବାରୁ ୨ ଜଣ ନିଖୋଜ ହୋଇଯାଇଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ମିଳୁନି। ଗୋରୁ ଚରାଇବାକୁ ଯାଇ ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ l ସେହିପରି  ଅଡବା, ମହେନ୍ଦ୍ରଗଡ଼, ଆର. ଉଦୟଗିରି, ନୂଆଗଡ ଓ ରାମଗିରି ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ଘାଟ ଭାଙ୍ଗିବା ସହ କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡିପଡିଛି। ଖଜୁରିପଦା ଠାରୁ ନୂଆଗଡ ରାସ୍ତା ଧୋଇ ହୋଇଯାଇଛି। ଗୁଣପୁର ରାସ୍ତାର ଶିବ ମନ୍ଦିର ନିକଟ ପୋଲର ଆପ୍ରୋଚ ରୋଡ଼ ଓ ରୁବୁଡିସିଂ ଠାରେ ଏକ କଲଭର୍ଟ ଭାସିଯାଇଛି। ଗଜପତି ଜିଲ୍ଲାରେ ବଢୁଛି ମହେନ୍ଦ୍ର ତନୟା ନଦୀ। ବାଗଶାଳା ଗାଁରେ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଛି। ଆର ଉଦୟଗିରି ପଟ୍ଟନାୟକ କଲୋନୀରେ ପାଣି ପଶିଯାଇଥିଲା। ଗାଁ ଦାଣ୍ଡରେ ୫ ଫୁଟର ପାଣି ଜମି ରହିଥିଲା। ଭୟରେ ଏକ କଲ୍ୟାଣ ମଣ୍ଡପରେ ଆଶ୍ରୟ ନେଇଥିଲେ ଲୋକେ ।

କଳାହାଣ୍ଡି କର୍ଲାପାଟ ଅଂଚଳରେ ଦୁଇ ଭାଇ ଭବାନୀପାଟଣା ଯାଉଥିବାବେଳେ ସେମେଲ ପଦର ନାଳରେ ଭାସି ଯାଇଥିଲେ। ସକାଳୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ଲାଗି ରେସକ୍ୟୁ ଅପରେସନ ଜାରି ରହିଛି।ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୩୫୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। କନ୍ଧମାଳ ଦାରିଙ୍ଗବାଡି ବ୍ଲକରେ ଲଗାଣ ବର୍ଷାରୁ ଗୁମାଡ଼ି ନଦୀର ଜଳସ୍ତର ବଢିଛି। ଏକ ଅସ୍ଥାୟୀ ପୋଲ ଭାସି ଯିବାରୁ ୩ ପଞ୍ଚାୟତ ତିଲୋରୀ, ବୁଡ଼ାଗୁଡା ଏବଂ ଗୁମିକିଆବାସିନ୍ଦା ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ।

ଉପରମୁଣ୍ଡରେ ବର୍ଷା ଯୋଗୁଁ ଫୁଲୁଛି ଗଞ୍ଜାମର ଋଷିକୂଲ୍ୟା, ବଡ଼ନଦୀ ଓ ଘୋଡ଼ାହାଡ଼ ନଦୀ। ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି ଓ ପାତ୍ରପୁର ଅଞ୍ଚଳବାସୀ ହନ୍ତସନ୍ତ ହୋଇଛନ୍ତି। ଧରାକୋଟ ଅଂଚଳରେ ଋଷିକୂଲ୍ୟା ପାଣି ଆସି ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇପଡିଛି। ବାଲି ମାଡ଼ି ଯାଇ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ସ୍ଥିତିର ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଶେରଗଡ଼ ବ୍ରହ୍ମାଣଛାୟୀ ଗ୍ରାମର ନଦୀ କୁଳରେ ଥିବା ପରିବା ଫସଲ ନଷ୍ଟ ହୋଇପଡିଛି।

ନୂଆପଡା ଜିଲ୍ଲା ସୁନ୍ଦର ନଦୀରେ ବଢୁଛି ବନ୍ୟାଜଳ। ନଦୀ କୂଳରେ ଥିବା ଚାଷ ଜମି ଜଳମଗ୍ନ ହୋଇପଡ଼ିଛି। ବୋଡ଼େନ ବ୍ଲକ ପଲସଦା ପଞ୍ଚାୟତ ସହ ଖଡିଆଳ ବ୍ଲକର ବିରିଘଟ ତୁକୁଲା ଓ ବଡ଼ ଦୋହେଲ୍ ପଞ୍ଚାୟତରେ ଚାଷୀ ପ୍ରଭାବିତ ହୋଇଛନ୍ତି। ଚାଷ ଜମିରେ ଜମି ରହିଛି ୫ରୁ ୬ଫୁଟ ପାଣି। ବର୍ଷା କମିଥିଲେ ବି ଆନ୍ଧ୍ର ଉପର ମୁଣ୍ଡରେ ଲଗାଣ ବର୍ଷା ଯାଗୁଁ କୋରାପୁଟ  ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ୨ଟି ଜଳଭଣ୍ଡାରରେ ଜଳସ୍ତର ବଢ଼ିଛି। ୨ ଗେଟ ଦେଇ ୧୦ ହଜାର କ୍ୟୁସେକ ପାଣି ନିଷ୍କାସନ କରାଯାଉଛିl। ବାଲେଶ୍ବର ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗାଁରେ ପ୍ରବଳ ବର୍ଷାରୁ ଘର ଭାଙ୍ଗିଯାଇଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ ।

ଏସଆଇ ଚାକିରୀ ସ୍କାମରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ସ୍କାମରେ ସାମନାକୁ ଆସିଛି ନୂଆ ଦିଗ। ସ୍କାମର ମୁଖ୍ୟ ଖଳନାୟକ ହେଉଛନ୍ତି ବ୍ରହ୍ମପୁରର ଶଙ୍କର ପୃଷ୍ଟି। ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ପଞ୍ଚସଫ୍ଟର ମାଲିକ ହେଉଛନ୍ତି ଶଙ୍କର ପୃଷ୍ଟି। ୨୦୨୪ରେ ପୋଲିସ ଏସଆଇ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିବା ପରେ ପ୍ରକ୍ରିୟାର ଦାୟିତ୍ବ ନେଇଥିଲା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ଼ ବା ଓପିଆରବି। ସେତେବେଳେ ଓପିଆରବିର ଅଧ୍ୟକ୍ଷ ଥିଲେ ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ। ପରୀକ୍ଷା ପରିଚାଳନା ପାଇଁ ଓପିଆରବି ଦାୟିତ୍ବ ଦେଇଥିଲା କେନ୍ଦ୍ର ସରକାରଙ୍କ ପିଏସୟୁ ଗୁଜୁରାଟର ଆଇଟିଆଇ ସଂସ୍ଥାକୁ। ଆଇଟିଆଇ ଗୁଜୁରାଟର ଆଉ ଏକ ସଂସ୍ଥା ରିଚ୍ ମାଇନସ ଡ଼ିଜିଟାଲକୁ ଏହି ଦାୟିତ୍ବ ଦେଲା। ହେଲେ ଏପ୍ରିଲ ୨୦୨୫ରେ ଓପିଆରବି ଅଧ୍ୟକ୍ଷ ପଦରୁ ସନ୍ତୋଷ ଉପାଧ୍ୟାୟ ଇସ୍ତଫା ଦେବା ପରେ ସୁଶାନ୍ତ ନାଥ ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳିଲେ। ଏହା ପରେ ବଦଳିଗଲା ଓପିଆରବି ଅଧିନରେ ପୋଲିସ ଏସ୍ଆଇ ପରୀକ୍ଷା ଦାୟିତ୍ବରେ ଥିବା ସଂସ୍ଥା। ଆଇଟିଆଇ ରିଚ୍ ମାଇନସ ଡ଼ିଜିଟାଲ ବଦଳରେ ଭୁବନେଶ୍ବରର ସିଲିକନ ଟେକ ଲାବକୁ ଦେଲା ପରୀକ୍ଷା ପରିଚାଳନା ଦାୟିତ୍ବ। ସିଲିକନ ଟେକଲାବ ନିଜେ ନକରି ପରୀକ୍ଷା ଦାୟିତ୍ବ ସବଲେଟରେ ବ୍ରହ୍ମପୁରର ପଞ୍ଚସଫ୍ଟ ସଂସ୍ଥାକୁ ଦେଲା। ଏହି ସଂସ୍ଥାର ମାଲିକ ହେଉଛନ୍ତି ଶଙ୍କର ପୃଷ୍ଟି। ଶଙ୍କରଙ୍କ ସହ ଶାସକ ଦଳ ନେତା ଓ ସରକାରୀ ବାବୁଙ୍କ ସମ୍ପର୍କ ଥିବାରୁ ଏତେ ବଡ଼ ଦୁର୍ନୀତି ହେଲା ବୋଲି ବିଜେଡ଼ି ଅଭିଯୋଗ କରିଛି। ଏହାର ବିଧିବଦ୍ଧ ତଦନ୍ତ ହେଲେ ସବୁ କିଛି ସାମନାକୁ ଆସିବ ବୋଲି କହିଛନ୍ତି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ। ଇପ୍ସିତାଙ୍କ ଅଭିଯୋଗର ଜବାବ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି । ସେ କହିଛନ୍ତି ଆମ ଦଳର ଯଦି ସମ୍ପୃକ୍ତି ଥାନ୍ତା, ତେବେ ଆମେ ପରୀକ୍ଷା କରିନଥାନ୍ତୁ| ଯଦି କେଳେଙ୍କାରୀରେ ଥାନ୍ତୁ ତେବେ ପରୀକ୍ଷା କାହଁକି ବନ୍ଦ କରିଥାନ୍ତୁ ବୋଲି ମନମୋହନ କହିଛନ୍ତି।

ଚାକିରୀ ସ୍କାମ ବାବଦରେ ଆଉ ଏକ ଖୁଲାସା କରିଛି ଷ୍ଟୁଡ଼େଣ୍ଟ ଏଗେନେଷ୍ଟ କରପସନ୍। ଏସଆଇ ଚାକିରୀ କେଲଙ୍କାରୀରେ ପୂର୍ବତନ ଡ଼ିଆଇଜିଙ୍କ ପୁଅ ରହିଛନ୍ତି। ଯେଉଁ ୧୧୭ ଜଣଙ୍କୁ ପୋଲିସ ଗିରଫ କରିଛି ତାଙ୍କ ଭିତରୁ ୬୬ନମ୍ବରରେ ଅମୀୟ କୁମାର ବେହେରା ଅଛନ୍ତି। ସେ ପୁର୍ବତନ ଜେଲ ଡ଼ିଆଇଜି କୁଳମଣି ବେହେରାଙ୍କ ପୁଅ। କୁଳମଣି ବେହେରା ଚାରି ମାସ ତଳେ ଚାକିରିରୁ  ଅବସର ନେଇଛନ୍ତି। ସୁଶାନ୍ତ କୁମାର ନାଥ ଓପିଆରବି ଅଧ୍ୟକ୍ଷ ସହିତ ଜେଲ ବିଭାଗର ଡ଼ିଜି ଦାୟିତ୍ବ ତୁଲାଉଥିବା ବେଳେ ତାଙ୍କ ବିଭାଗର ଅବସରପ୍ରାପ୍ତ ଡିଆଇଜିଙ୍କ ପୁଅ ପ୍ରଶ୍ନପତ୍ର ରାକେଟରେ ଧରା ପଡିଥିବାରୁ ଏହି କାରବାରରେ ବହୁତ ବଡ଼ ବଡ଼ ଚେହେରା ରହିଥିବା ସନ୍ଦେହ ଘନିଭୁତ ହୋଉଛି। ଏମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ନେବ କି ବୋଲି ପ୍ରଶ୍ନ ଉଠିଛି। ନିରପେକ୍ଷ ତଦନ୍ତ ପାଇଁ ଆଇନଜୀବି ଦାବି କରିଥିବା ବେଳେ ସମୀକ୍ଷକ କହିଛନ୍ତି, ପୋଲିସ ବିଭାଗରେ ଚାକିରୀ ପାଇଁ ପୋଲିସ ବାବୁମାନଙ୍କ ହାତରେ ଦାୟିତ୍ବ ଦିଆଯାଇଥିବା ବେଳେ ଏଭଳି ଦୁର୍ନୀତି ଅକ୍ଷମଣୀୟ ଅପରାଧ ବୋଲି ସମୀକ୍ଷକ କହିଛନ୍ତି।

୧୫ ମାସର ସରକାରରେ ୧୬ ପରୀକ୍ଷା ବାତିଲ। ପରୀକ୍ଷା ଅନିୟମିତତା ପାଇଁ ବିଜେପି ସରକାର ନୂଆ ଆଇନ ଆଣି ଦୋଷୀଙ୍କ ବିରୋଧରେ କୋଟିଏ ଟଙ୍କା ଜରିମାନା ଓ ଜେଲଦଣ୍ଡର ବ୍ୟବସ୍ଥା ହୋଇଥିଲା। ହେଲେ ୧୬ ପରୀକ୍ଷା ବାତିଲ ହୋଇଥିଲେ ବି କାହା ବିରୋଧରେ ନୂଆ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବାଲେଶ୍ବରରେ କନିଷ୍ଟ ଯନ୍ତ୍ରୀଙ୍କ ପରୀକ୍ଷାରେ ଆଶାୟୀ ଓ ଦଲାଲଙ୍କୁ ଗିରଫ କରିଥିଲା ପୋଲିସ। ଏସଆଇ ପରୀକ୍ଷାରେ ବି ଲାଞ୍ଚ ଦେବା ବାଲା ଗିରଫ ହୋଇଛନ୍ତି, ହେଲେ ଲାଞ୍ଚ ନେବା ବାଲା ଧରାଛୁଆଁ ଦେଉନାହାନ୍ତି।

‘ବିଜେପିର ମିଥ୍ୟା ଅପପ୍ରଚାର ବିରୋଧରେ ହେବ ଜୋରଦାର ଲଢ଼େଇ’

ଭୁବନେଶ୍ବର  : ବିଜେପିର ମିଥ୍ୟା ଅପପ୍ରଚାର ବିରୋଧରେ ଜୋରଦାର ହେବ ଲଢ଼େଇ। ସୋସିଆଲ ମିଡିଆରେ ସ୍ବରକୁ ଶାଣିତ କରିବ ବିଜେଡି । ମଙ୍ଗ ଧରିବେ ବିଜେଡି ଆଇଟି ଓ ସୋସିଆଲ ମିଡିଆ ସେଲ। ୨୦୨୪ ନିର୍ବାଚନରେ ବିଜେପି ଓଡ଼ିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସରକାରକୁ ଆସିଲା। କ୍ଷମତାକୁ ଆସିବା ପରେ ସବୁ ପ୍ରତିଶୃତିକୁ ଭୁଲିଗଲା ଦଳ। ଯାହାକୁ ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ କରିବ ବିଜେଡି ଆଇଟି ଓ ସୋସିଆଲ ମିଡିଆ ଟିମ୍। କୁଆଡେ ଗଲା ୩୦୦ ୟୁନିଟ ମାଗଣା ବିଜୁଳି, ୨୪ ଘଣ୍ଟାରେ ଚିଟଫଣ୍ଡ ଟଙ୍କା ଫେରସ୍ତ । ୨ କୋଟି ନିଯୁକ୍ତି, ୨ ବର୍ଷରେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ସହାୟତା ପରି ଅନେକ ନିର୍ବାଚନୀ ପ୍ରତିଶୃତି ପାଲଟିଛି ପାଣିର ଗାର। ଏସବୁ ପ୍ରସଙ୍ଗ ଉଠାଇ ବିଜେପି ସରକାରକୁ ସୋସିଆଲ ମିଡିଆ ଜରିଆରେ ପ୍ରଶ୍ନ କରିବ ବିଜେଡି।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେପି କହୁଛି ଗୋଟିଏ, ହେଲେ କାମ କରୁଛି ଆଉ ଗୋଟେ। ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ୧୫ ମାସରେ ବିଜେପି ସରକାର ପ୍ରତି ମୁହଁ ବୁଲାଇଲେଣି ଜନତା। ତେଣୁ ବିଜେପିର ସବୁ ମିଛକୁ ପଦାରେ ପକାଯିବ ବୋଲି କହିଛି ବିଜେଡି। ସୋସିଆଲ ମିଡିଆରେ ବିଜେପିକୁ କଡ଼ା କାଉଣ୍ଟର କରିବାକୁ ପ୍ରସ୍ତୁତ ବିଜେଡି। ଏହାସହ ବିଜେଡି ସରକାରରେ ହୋଇଥିବା ଜନକଲ୍ୟାଣ ଯୋଜନା ସମ୍ପର୍କରେ ମଧ୍ୟ ଜନତାକୁ ସଚେତନ କରିବ ଦଳ।

ନୂଆପଡା ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସବୁ ଦଳକୁ ଘାରିଲାଣି ପ୍ରାର୍ଥୀ ଚିନ୍ତା

ଭୁବନେଶ୍ବର : ସରିଲା ପୂଜା, ବଢିଲା ତାତି । ଆରମ୍ଭ ହେଲା ପ୍ରାର୍ଥୀ ଚୟନ କସରତ । ବିଜୟ ମୁକୁଟ ପିନ୍ଧିବାକୁ ସବୁ ଦଳର ଦମ୍ଭୋକ୍ତି ।.. ..ପୂଜା ସରୁ ସରୁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳକୁ ଘାରିଲାଣି ନୂଆପଡା ଚିନ୍ତା । ଉପନିର୍ବାଚନର ପ୍ରଥମ ଅଗ୍ନିପରୀକ୍ଷାରେ ପାସ କରିବାକୁ ପ୍ରାର୍ଥୀ  ଚୟନ କସରତ ଆରମ୍ଭ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିବା ବେଳେ ସବୁ ଦଳ ଏକ ରକମର ପ୍ରାର୍ଥୀ ଚୟନ ଚୂଡାନ୍ତ ପର୍ଯ୍ୟାୟକୁ ନେଇଛନ୍ତି । କାହାକୁ ପ୍ରାର୍ଥୀ କଲେ ଦଳ  ବିଜୟ ମୁକୁଟ ପିନ୍ଧିବ ସେନେଇ ଦଳର ମଙ୍ଗୁଆଳମାନେ ରଣନୀତି ପ୍ରସ୍ତୁତ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ନୂଆପଡାରେ ବିଜେଡି ବିଜୟୀ ହୋଇଥିଲା । ଉପନିର୍ବାଚନରେ ମଧ୍ୟ ନୂଆପଡାବାସୀ ବିଜେଡିକୁ ଆର୍ଶୀବାଦ କରିବେ । ୨୦୨୪ ନିର୍ବାଚନରେ ବିଜେଡି ଟିକେଟରେ ନିର୍ବାଚନ ଲଢି ବିଜେଡି ବିଧାୟକ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ତାଙ୍କୁ ୬୧ ହଜାର ୮୨୨ ଖଣ୍ଡ ଭୋଟ ମିଳିଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡାରେ ଉପନିର୍ବାଚନ ହେଉଥିବାରୁ ବିଜେଡି ପୁଣି ବିଜୟ କରିବ ବୋଲି ଦଳ କହିଛି । ତେଣୁ ଯିଏ ଯାହା ରଣନୀତି କରୁ ନୂଆପଡାବାସୀ ବିଜେଡି ସହ ରହିବେ ବୋଲି ଦଳ କହିଛି ।

ନୂଆପଡା ଉପନିର୍ବାଚନ ଦୁଇ ଜାତୀୟ ଦଳ ପାଇଁ ଏସିଡ ଟେଷ୍ଟ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ବିଜେପି ପ୍ରାର୍ଥୀ କରାଯିବ । ଓଡ଼ିଶା ସହ କେନ୍ଦ୍ରୀୟ ଟିମ ମଧ୍ୟ ନୂଆପଡ଼ାରେ ସର୍ଭେ କରୁଛି । ସର୍ଭେ ଆଧାରରେ ପ୍ରାର୍ଥୀ ଚୟନ କରିବ ସଂସଦୀୟ ବୋର୍ଡ। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ୨୦୨୪ ନିର୍ବାଚନରେ ନୂଆପଡାରେ କଂଗ୍ରେସ ଭୁଲ ପ୍ରାର୍ଥୀ ଚୟନ କରିଥିଲା । ଏଥର ଦଳ ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ କରିବ ନେଇ ନିଷ୍ପତ୍ତି ନିଆଯାଉଛି । ନୂଆପଡାରେ ପଦଯାତ୍ରା କରି ପିସିସି ସଭାପତି ଏକ ରକମର ପ୍ରଚାର କରିବାକୁ ସଜବାଜ ଆରମ୍ଭ କରିଛନ୍ତି । ୨୦୧୯ ଓ ୨୦୨୪ରେ ବିଜେଡି ନୂଆପଡା ଦଖଲ କରିଥିଲା । ତେଣୁ ଏଥର ଦୁଇ ଜାତୀୟ ଦଳ ପାଇଁ କିପରି ବିଜେଡି ଗଡରେ ଧସେଇ ପଶିବେ ସେ ନେଇ ଘନଘନ ରଣନୀତି କରୁଛନ୍ତି । ତେବେ କିଏ କାହାକୁ ନୂଆପଡା ପାଇଁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ରହିଛି ସଭିଁଙ୍କ ନଜର।

ବନ୍ୟା ପରିସ୍ଥିତି ଚିନ୍ତାଜନକ : ନବୀନ

ଭୁବନେଶ୍ବର  ; ରାଜ୍ୟରେ ବନ୍ୟା ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି । ଗଜପତି ଜିଲ୍ଲାରେ ଏକାଧିକ ଭୂସ୍ଖଳନ ସହ ବନ୍ୟା ଖବର ବେଶ ଚିନ୍ତାଜନକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମାତ୍ରାଧିକ ବର୍ଷା ଧନଜୀବନକୁ ବହୁଳ ଭାବେ ପ୍ରଭାବିତ କରିଛି । କେଉଁଠି ପ୍ରାଣହାନୀ ତ କେଉଁଠି ଲୋକେ ନିଖୋଜ, ବନ୍ୟାଘେରରେ ପରିବାର ଦିନ କାଟୁଛନ୍ତି । ରାସ୍ତା ବନ୍ଦ ଯୋଗୁଁ ଜରୁରୀକାଳୀନ ସେବା ପାଇବାରୁ ଅନେକ ଗାଁ ବଞ୍ଚିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କ ତାଙ୍କର ସମବେଦନା ରହିଛି ବୋଲି ସୋସିଆଲ ମିଡିଆରେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ନବୀନ । ତ୍ୱରିତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ସୁନିଶ୍ଚିତ କରିବାକୁ ସେ ପ୍ରଭାବିତ ସ୍ଥାନରେ ଥିବା ଅଧିକାରୀଙ୍କୁ ଆହ୍ବାନ କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

ଚୌଦ୍ବାର ଜେଲରୁ ଦୁଇ କଏଦୀ ଫେରାର ଘଟଣାରେ ଆରମ୍ଭ ହେଲା ଉଚ୍ଚସ୍ତରୀୟ ତଦନ୍ତ

ଚୌଦ୍ବାର : ଚୋର ଗଲାପରେ ପଶିଲା ଚେତା । ଚୌଦ୍ବାର ଜେଲରୁ ଦୁଇ ହାର୍ଡକୋର ଫେରାର ପରେ ଉଚ୍ଚସ୍ତରୀୟ ତଦନ୍ତ । ଦୁଇ ଜେଲ କର୍ମଚାରୀ ନିଲମ୍ବିତ । ୪ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ । ହାଇ ସିକ୍ୟୁରିଟି ଜୋନ ଚୌଦ୍ବାର ଜେଲରୁ ପୂଜା ମୌକାରେ ଚମ୍ପଟ ମାରିଲେ ଦୁଇ ବିହାରୀ ଅପରାଧୀ । ସେଲର ରେଲିଂ କାଟି କ୍ରିମିନାଲ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର । ଜେଲ ପଛ ପାଖରେ କମ୍ବଳକୁ ରଶି କରି ପାଚେରୀ ଡେଇ ଚମ୍ପଟ ମାରିଛନ୍ତି ଦୁଇ ହାର୍ଡକୋର କ୍ରିମିନାଲ । ଗତ ଜାନୁଆରୀ ୪ ତାରିଖରେ ଯାଜପୁର ପାଣିକୋଇଲି ବଜାରରେ ଥିବା ପଣ୍ଡା ଆଳଙ୍କାର ଲୁଟ କରିବା ପାଇଁ ଆସିଥିଲେ ଉଭୟ ଲୁଟେରା । ଆଳଙ୍କାର ଦୋକାନୀ ସୁନିଲ ରାୟ ଓ ନୀଳମାଧବ ପଣ୍ଡାଙ୍କୁ ଗୁଳିକରି କରି ଲୁଟ ଉଦ୍ଯମ କରିଥିଲେ । ତେବେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ପାଣିକୋଇଲି ପୋଲିସ ଗିରଫ କରି ଯାଜପୁର ଜେଲକୁ ପଠାଇଥିଲା । ସୁରକ୍ଷା ଦୃଷ୍ଟିରୁ ପରେ ଚୌଦ୍ଵାରକୁ ସ୍ଥାନାନ୍ତର କରାଯାଇଥିଲା ।

କଏଦୀ ଫେରାର ଘଟଣାରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ତଦନ୍ତ । କଟକ ରେଞ୍ଜ ଡିଆଇଜିଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଛି । ଘଟଣାସ୍ଥଳରେ ଜେଲ ଡିଜି ପହଞ୍ଚି ତଦନ୍ତ କରିଛନ୍ତି । ଏହାସହ ଚୌଦ୍ବାର ପୋଲିସ, ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି କରିଛନ୍ତି ତନାଘନା । ଚୌଦ୍ବାର ପୋଲିସ ପକ୍ଷରୁ ୪ଟି ଟିମ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଉଛି । କାର୍ଯ୍ୟରେ ଅବହେଳା ପାଇଁ ଚିଫ୍ ୱାର୍ଡର ଭଗତ ଚରଣ ରାମ ଓ ୱାର୍ଡର ସିଦ୍ଧାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି । ଘଟଣାରେ ଯାହାର ସଂପୃକ୍ତି ଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜେଲ ଡିଜି ।କଟକର ହାଇସିକ୍ୟୁରିଟି ଜୋନ ଚୌଦ୍ବାର ଜେଲ । ଏଠାରେ ବହୁ ହାର୍ଡକୋର ଅପରାଧୀଙ୍କ ସହ ଗ୍ଯାଙ୍ଗଷ୍ଟର ଅଛନ୍ତି । ଦୁଇ କଏଦୀ ଫେରାର ପରେ ଏବେ ଜେଲ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ

ପୁରୀ : ଆଶ୍ବିନ ମାସ ଶୁକ୍ଳପକ୍ଷ ଏକାଦଶୀ । ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶ । କାର୍ତ୍ତିକ ନୀତିକାନ୍ତି ସହ ସ୍ବତନ୍ତ୍ର ବାଳଭୋଗ । ଶ୍ରୀକ୍ଷେତ୍ର ଆସି ସକଳ୍ପ ନେଲେ ହବିଷ୍ଯାଳି । କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ମାସ ଧରି ଶ୍ରୀମନ୍ଦିରରେ ପ୍ରତିଦିନ ଶ୍ରୀଜୀଉଙ୍କର ଅନୁଷ୍ଠିତ ହୁଏ ରାଧା ଦାମୋଦର ବେଶ । ଏହାସହ ଆଜିଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ ସ୍ୱତନ୍ତ୍ର ବାଳଭୋଗ ନୀତି। ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶ ଦର୍ଶନ ଓ ବାଳଭୋଗ ପାଇବା ପାଇଁ ହବିଷ୍ୟାଳି ବ୍ରତ ପାଳନ କରିଥାନ୍ତି । ବିଶ୍ୱାସ ରହିଅଛି ମହାପ୍ରଭୁଙ୍କୁ ଏହି ମାସ ତମାମ ପୁଜାପାଠ ସହ ଦର୍ଶନ ମୋକ୍ଷ ପ୍ରାପ୍ତିର ମାର୍ଗ ଦର୍ଶାଇ ଥାଏ ।

ଧର୍ମମାସ କାର୍ତ୍ତିକ କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହେଉଥିବା ସତ୍ତ୍ବେ ଆଶ୍ବିନ ଏକାଦଶୀ ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ଆରମ୍ଭ ହେଉଥିବାରୁ ବହୁ ଭକ୍ତ ହବିଷ୍ୟ ବ୍ରତ ନେଇ ସଂକଳ୍ପ କରିଛନ୍ତି । ପ୍ରତ୍ୟେହ ବଡି ଭୋରରୁ ସ୍ନାନ ଓ ପରେ ଶ୍ରୀଜୀଉଙ୍କ ଦର୍ଶନ ସହ ଏକ ବକ୍ତ ଭୋଜନ କରି ପୁଜାପାଠ ଓ ନାମ ସଂକୀର୍ତ୍ତନ ସହ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରତ ପାଳନ କରିବେ ବୋଲି କହିଛନ୍ତି ବ୍ରତଧାରୀ । ଚଳିତ ବର୍ଷ କାର୍ତ୍ତିକ ବ୍ରତ ପାଳନ ନେଇ ପୁରୀରେ ଆଜିଠାରୁ ପ୍ରବଳ ଭକ୍ତଙ୍କ ସମାଗମ ହେଲାଣି ।

ଦଶହରା ଅବସରରେ ପାଇକ କ୍ରୀଡ଼ା

ହିନ୍ଦୋଳ : ଦଶହରାରେ ପାଇକ କ୍ରୀଡ଼ା । ବୀର ପାଇକ ପୁଅଙ୍କ ରଣ କୌଶଳ ପ୍ରଦର୍ଶନ । ବଜାୟ ରହିଛି ରାଜ ରାଜୁଡ଼ା ଅମଳର ପରମ୍ପରା। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଗଡ଼ଜାତ ଅଂଚଳର ଦୃଶ୍ୟ । ଦଶହରା ଅବସରରେ ବୀର ପାଇକ ପୁଅ ଦେଖାଇଛନ୍ତି ରଣ କୌଶଳ । ବାଡ଼ି ଖେଳ, ଖଣ୍ଡା ଖେଳ ସହ ଶଗଡ଼ ଚକାରେ ଖେଳ, ମୁଣ୍ଡରେ ନଡ଼ିଆ ଫଟେଇବା, ଛାତିରେ ପଥର ଭାଙ୍ଗିବା ସହ ନିଆଁ ଖେଳ ଭଳି ଅନେକ ବିପଦପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଛନ୍ତି ଆଜିର ପାଇକ ପୁଅ ।  ହିନ୍ଦୋଳ ଗଡ଼ଜାତ ଅଂଚଳର ଗାଁ ମାନଙ୍କରେ ଦେଖିବାକୁ ମିଳେ ଏହି କ୍ରୀଡ଼ା । ବୀର ପାଇକ ପୁଅ ମାନେ ଏହି ଖେଳ ମାଧ୍ୟମରେ ତାଙ୍କର ବୀରତ୍ବର ପରିଚୟ ଦେଇଥାନ୍ତି।

ଦୁଦୁରକୋଟ ଗାଁ ଗଜତଜନନୀ ପାଇକ ସଂଘ ପକ୍ଷରୁ ପାଇକ କ୍ରୀଡ଼ା ଅନୁଷ୍ଠିତ ହୋଇଛି । ଇଷ୍ଟ ଦେବୀ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ପରେ ଗାଁରେ ଏହି ବୀର ପାଇକଙ୍କ ଦ୍ବାରା ବିଭିନ୍ନ ପ୍ରକାର ରଣକୌଶଳ ପ୍ରଦର୍ଶନ କରାଯାଇଥାଏ। ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ଶହ ଶହ ଲୋକେ ଏକାଠି ହୋଇଥାନ୍ତି। ସରକାର ଏହାକୁ କେବଳ କ୍ରୀଡା ଭାବେ ମାନ୍ୟତା ଦେଇଛନ୍ତି। ହେଲେ କୌଣସି ଆର୍ଥିକ ପ୍ରୋତ୍ସାହନ ମିଳୁନଥିବାରୁ ପାଇକଙ୍କ ଭିତରୋ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇଲେ ଏହି କ୍ରୀଡ଼ାର ପ୍ରଚାର ପ୍ରସାର ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ସମସ୍ୟା ଘେରରେ ଡମ୍ବଗୁଡା ସରକାରୀ ବିଦ୍ୟାଳୟ

ମୋହନା : ସ୍ମାର୍ଟ କ୍ଲାସ ରୁମରେ ମାଳ ମାଳ ଅବ୍ୟବସ୍ଥା।  ବିପଦପୂର୍ଣ୍ଣ ଭାବେ ଚାଲିଛି ପିଲାଙ୍କ ପାଠପଢା । ଦେଖନ୍ତୁ କିପରି କାନ୍ଥ ଫାଟି ଆଁ କରିଛି। କେତେବେଳେ ଯେ ଭୁଶୁଡି ପଡିବ ତାହା କହିବା ମୁସ୍କିଲ। କାନ୍ଥରୁ ଟାଇଲ ଖସି କିଛି ଛାତ୍ର ଆହତ ବି ହୋଇଛନ୍ତି। ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଡମ୍ବଗୁଡା ସ୍କୁଲର। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫୨ ଜଣ ପିଲା ପାଠ ପଢୁଛନ୍ତି। ଯେଉଁଠି ଅଛନ୍ତି ମାତ୍ର ୬ ଜଣ ଶିକ୍ଷକ। ବିଦ୍ୟାଳୟରେ କମ୍ପ୍ୟୁଟର ଅଛି, କିନ୍ତୁ ନେଟୱାର୍କ ନ ଥିବାରୁ ହୋଇପାରୁନି ସ୍ମାର୍ଟ କ୍ୟାସ। ଶ୍ରେଣୀ ଗୃହର କାମ ନିର୍ମମlନର ହୋଇଥିବାରୁ ମାତ୍ର ଦୁଇ ବର୍ଷ ଭିତରେ ଏଭଳି ସ୍ଥିତି ହୋଇଥିବା ଅଭିଯୋଗ ହୋଇଛି।

୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ସ୍କୁଲ। ମାତ୍ର ୨ ବର୍ଷ ଭିତରେ ଶ୍ରେଣୀ ଗୃହ କୋଠା ଭିତର ଫାଟି ଆଁ କଲାଣି। ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି। କେବଳ ଛୋଟ ମୋଟ ମରାମତି କରିବା ସହିତ ରଙ୍ଗ ମାରି ବିଦ୍ୟାଳୟ କାମ ସାରି ଦିଆଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେଣୁ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି। ବିଦ୍ୟାଳୟର ଭିତ୍ତିଭୂମି ମରାମତି ପାଇଁ ଟଙ୍କା ଅନୁମୋଦନ ହେଉଛି। ହେଲେ କାମ ନିମ୍ନମାନର ହେଉଥିବାରୁ, ସରକାର ଏଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ମିଳୁନି ପର୍ଯ୍ୟାପ୍ତ ବେଡ୍

ଡୁଙ୍ଗୁରିପାଲି : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ଖୋଲା ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ପ୍ରସୂତୀ ଓ ନବଜାତ । ମଶା ମାଛି ସହ ରହିଛି ସଂକ୍ରମଣର ଭୟ। ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପ୍ରସୂତୀ ଓ ଶିଶୁ ଚିକିତ୍ସା କେନ୍ଦ୍ରର ଦୃଶ୍ୟ । କିଏ ଆଜି ତ ଆଉ କିଏ ଗତକାଲି ଶିଶୁକୁ ଧରି ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି l ପର୍ଯ୍ୟାପ୍ତ ବେଡ ଅଭାବରୁ ଏହି ଦୃଶ୍ୟ ଦେଖିବାକୁ ମିଲିଛି । ଗୋଟିଏ ପଟେ ସୁସ୍ଥ ନାରୀ ସଶକ୍ତ ପରିବାରର କ୍ୟାମ୍ପ ଚାଲିଥିବା ବେଳେ ଅନ୍ୟପଟେ ବାରଣ୍ଡାରେ ପଡି ସମସ୍ୟା ଭୋଗୁଛନ୍ତି ମା ଓ ନବଜାତ ଶିଶୁ। ଯାହାକୁ ଦୃଢ଼ ନିନ୍ଦା କରିବା ସହ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ରୋଗୀ ଓ ସମ୍ପର୍କୀୟ ଦାବି କରିଛନ୍ତି l

ଅନ୍ୟପଟେ ବେଡ଼ ସମସ୍ୟାକୁ ସ୍ବୀକାର କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ସମସ୍ୟା ସଂପର୍କରେ ସରକାରଙ୍କୁ ବହୁପୂର୍ବରୁ ଅବଗତ କରାଯାଇଛି।  ଆବଶ୍ୟକ ଅନୁଯାୟୀ ବେଡ ସଂଖ୍ଯା ବଢ଼ାଇବା ନେଇ ପଦକ୍ଷେପ ନିଆଯିବ ବୋଲି  ସଫେଇ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ସରକାର ସୁସ୍ଥ ନାରୀ ଶସକ୍ତ ପରିବାରର ନାରା ଦେଉଥିବା ବେଳେ ଅନ୍ୟପଟେ ନବଜାତ ଓ ପ୍ରସ୍ତୁତି ବେଡ ନ ମିଳିବା ଯନ୍ତ୍ରଣାଦାୟକ ନିଶ୍ଚିତ ।