ନନ୍ଦିଘୋଷ ବ୍ୟୁରୋ: ନାମ ଫଳକକୁ ନେଇ ବିବାଦ। ଛୁଟି ଦିନରେ ନାମ ଫଳକ ଲଗାଇବାକୁ ନେଇ ଉତ୍ତେଜନା। ଅଧିକାରୀଙ୍କୁ ଘେରିଲେ ଗାଁ ଲୋକେ। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଓସ୍ତପୁର କୋଟପଲ୍ଲାରେ ଏହାକୁ ନେଇ ଗଣ୍ଡଗୋଳ। ପ୍ରଶାସନ ଆଜି ଉଭୟ ଗାଁ ନାମ ଲେଖି ଫଳକ ଲଗାଇବା ବେଳେ ଶହ ଶହ ସଂଖ୍ୟାରେ ମହିଳା ଏହାକୁ ବିରୋଧ କରିଥିଲେ। ଗତ ଅଗଷ୍ଟ ୮ତାରିଖ ରେ ଏହି ଗଣ୍ଡଗୋଳ ଲାଗିଥିଲା। ପ୍ରଶାସନ ୧୬୩ଧାରା ବିଏନ ଏସ୍ ଲାଗୁ କରିଥିଲା। ଦେଢ଼ ମାସ ଧରି ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଆଜି ଛୁଟି ଦିନ ରେ ପ୍ରଶାସନ ନାମ ଫଳକ ଲଗାଇବା ବେଳେ ଦେଖାଦେଇଥିଲା ଉତ୍ତେଜନା। ବର୍ତ୍ତମାନ ଉଭୟ ଗାଁ ବିବାଦ କୁ ନେଇ ହାଇକୋର୍ଟ ରେ କେଶ ମଧ୍ୟ ଚାଲୁଛି।। ଖବର ପାଇ ଖୋର୍ଦ୍ଧା, ବୋଲଗଡ, ବେଗୁନିଆ, ସଦର ପୋଲିସ ଅଧିକାରୀ ୨ପ୍ଲାଟୁନ ପୋଲିସ ଫୋର୍ସ ସହ ଘଟଣା ସ୍ଥଳ ରେ ପହଞ୍ଚିଥିଲେ। ବେଗୁନିଆ ତହସିଲ ଦାର୍, ଏସ ଡି ପି ଓ ସମସ୍ତେ ପହଞ୍ଚି ଲୋକଙ୍କୁ ବୁଝି କରିଥିଲେ। ମହିଳାମାନେ ପ୍ରଶାସନ ବିରୁଦ୍ଧରେ ବିକ୍ଷୋଭ କରିଛନ୍ତି। ପ୍ରଶାସନ ନାମ ଫଳକ ନ ଲଗାଇ ଫେରି ଯାଇଛି। ପୋଲିସ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି। ସିସିଟିଭି ଲଗାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ବିଏନଏସ୍ ଧାରା ୧୬୩ ଧାରା। ସମସ୍ତ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦରହିଛି।
ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଗୁଣିର ସାହାଯ୍ୟ : ଯୁବକ ଏବଂ ଯୁବତୀଙ୍କ ଫଟୋ ରଖି ଗୁଣି
ନନ୍ଦିଘୋଷ ବ୍ୟୁରୋ : ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଚାଲିଛି ଗୁଣି ଗାରେଡ଼ି । ରାତିରେ ଏକତରଫା ପ୍ରେମ କରୁଥିବା ଯୁବକ ଗାଁରେ ହଙ୍ଗାମା କରି ବନ୍ଧା ହୋଇଛି । ସଂପୃକ୍ତ ଯୁବକ ଏବଂ ଯୁବତୀଙ୍କ ଫଟୋ ରଖି ଗୁଣିଆ ଗୁଣି କରୁଛି । ଏଭଳି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି ଯୁବକ ଏବଂ ଯୁବତୀଙ୍କ ଫଟୋ ରଖି ଗୁଣିଆ ଗୁଣି ଗାରେଡି କରୁଛି । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଗୁଣିର ସାହାର୍ଯ୍ୟ ନେଇଛି ଯୁବକ । ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି । ଏକତରଫା ପ୍ରେମ କରୁଥିବା ଯୁବକ ଶାନ୍ତନୁ ଶତପଥି ଏବଂ ତା ସହଯୋଗୀକୁ ପୋଲିସ ହେପାଜତକୁ ନେଇ ପଚରାଉଚରା କରୁଛି ।
ଟାରିଫ୍ ପରେ ଏବେ ଭିଜା : ଟ୍ରମ୍ପ ବଢ଼ାଇଲେ H-1B ଭିଜା ଶୁଳ୍କ, ଭାରତୀୟଙ୍କୁ ବଡ଼ ଝଟକା !
ନନ୍ଦିଘୋଷ ବ୍ୟୁରୋ : ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇବା ପରେ ଏବେ ‘ଭିଜା ବୋମା’ ଛାଡ଼ିଛନ୍ତି। କହିବାର ଅର୍ଥ ସେ H-1B ଭିଜା ନିୟମକୁ ନେଇ ବଡ଼ ଘୋଷଣା କରିଛନ୍ତି, ଯାହାକୁ ନେଇ ଭାରତୀୟଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି। ଟ୍ରମ୍ପ ଶୁକ୍ରବାର ଏକ ଘୋଷଣାପତ୍ରରେ ହସ୍ତାକ୍ଷର କରିଛନ୍ତି, ଯାହା ଅନୁଯାୟୀ H-1B ଭିଜା ଆବେଦନ ଶୁଳ୍କକୁ ବାର୍ଷିକ ୧୦୦,୦୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଭାରତୀୟ ମୁଦ୍ରାରେ ଏହା ନୂଆ ଆବେଦନ ପାଇଁ ପ୍ରତିବର୍ଷ ୮୮ ଲକ୍ଷ ଟଙ୍କା ଆଦାୟ କରିବ। ବର୍ତ୍ତମାନ H-1B ଭିଜା ଆବେଦନ ଶୁଳ୍କ ୧ରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଅନେକ ପ୍ରଶ୍ନ ଉଠିଛି। ଯେପରିକି ନୂଆ H-1B ଭିଜା ଆବେଦନ ନିୟମ କ’ଣ? ଅମେରିକା କାହିଁକି ଏହି ନିଷ୍ପତ୍ତି ନେଇଛି? ଏହାର ସିଧା ପ୍ରଭାବ ଭାରତୀୟଙ୍କ ଉପରେ କାହିଁକି ପଡ଼ିବ? H-1B ଭିଜା ଆବେଦନର ନୂଆ ନିୟମ କ’ଣ? ଆସନ୍ତୁ H-1B ଭିଜା ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା।
H-୧B ଭିଜା ଆବେଦନର ନୂଆ ନିୟମ କ’ଣ?
ଟ୍ରମ୍ପ ପ୍ରଶାସନ ଘୋଷଣା କରିଛି ଯେ H-୧B ଭିଜା ପାଇଁ ଆବେଦନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଆବେଦନ ପ୍ରକ୍ରିୟା ପାଇଁ ପ୍ରତିବର୍ଷ ୧୦୦,୦୦୦ ଡଲାର (ଭାରତୀୟ ମୁଦ୍ରାରେ ୮୮ ଲକ୍ଷ ଟଙ୍କା) ଶୁଳ୍କ ଦେବାକୁ ପଡ଼ିବ।ଗୁରୁତ୍ୱପୂର୍ଣ୍ଣ ଯେ, ଏହି ନିୟମ ନୂଆ ଆବେଦନ ସହ ବର୍ତ୍ତମାନ ଚାଲୁଥିବା ଆବେଦନଗୁଡ଼ିକ ଉପରେ ମଧ୍ୟ ଲାଗୁ ହେବ। ଏହି ନୂଆ ଶୁଳ୍କ ବର୍ତ୍ତମାନର ଶୁଳ୍କର ଅତିରିକ୍ତ ହେବ, ଯାହାକି ବହୁତ କମ। ବର୍ତ୍ତମାନର H-1B ଶୁଳ୍କରେ ବାର୍ଷିକ ଲଟେରୀ ପାଇଁ ୨୧୫ ଡଲାରର ପଞ୍ଜିକରଣ ଶୁଳ୍କ ଏବଂ ଅନ୍ୟ ଆବେଦନ ଶୁଳ୍କ ସାମିଲ ରହିଛି। H-୧B ଭିଜା ଧାରକମାନଙ୍କୁ ଭିଜା ପାଇଁ କରାଯାଇଥିବା ପେମେଣ୍ଟର ସାର୍ଟିଫିକେଟ ରଖିବାକୁ ପଡ଼ିବ। ଭିଜା ପ୍ରକ୍ରିୟା ସମୟରେ ରାଜ୍ୟ ସଚିବ ଏହା ନିଶ୍ଚିତ କରିବେ ଯେ ପେମେଣ୍ଟ ହୋଇଛି କି ନାହିଁ। ଯଦି ପେମେଣ୍ଟ ହୋଇ ନ ଥାଏ, ତେବେ ଯାଚିକାକୁ ରାଜ୍ୟ ବିଭାଗ କିମ୍ବା ହୋମଲ୍ୟାଣ୍ଡ ସୁରକ୍ଷା ବିଭାଗ (DHS) ଦ୍ୱାରା ପ୍ରତ୍ୟାଖ୍ୟାନ କରାଯିବ।
ଭାରତୀୟଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?
ଭାରତ ଅମେରିକାକୁ ସାମଗ୍ରୀ ଅପେକ୍ଷା ଅଧିକ ସ୍କିଲ୍ଡ ୱାର୍କର୍ସ ଏକ୍ସପୋର୍ଟ କରେ। ଅମେରିକାର ଆଧିକାରୀକ ଆକଳନ ଅନୁଯାୟୀ, H-୧B ଭିଜା ପାଇଥିବା ଲୋକମାନଙ୍କ ମଧ୍ୟରେ ୭୧% ଭାରତରୁ ଥିବା ବେଳେ ଯେତେବେଳେ ଚାଇନା ୧୧.୭% ସହ ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ କୁହାଯାଉଛି ଯେ ଟ୍ରମ୍ପଙ୍କ ନୂଆ ନିୟମର ସବୁଠାରୁ ଅଧିକ ପ୍ରଭାବ ଭାରତୀୟଙ୍କ ଉପରେ ପଡ଼ିବ। ଯେଉଁଠି H-1B ଭିଜା ପାଇଁ ଭାରତୀୟମାନେ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ, ସେମାନେ ଏବେ ୮୮ ଲକ୍ଷ ଟଙ୍କା ଦେବେ।ଏହି ନୂଆ ପରିବର୍ତ୍ତନ ଯୋଗୁ ଇନ୍ଫୋସିସ, ଟିସିଏସ୍ ଏବଂ ୱିପ୍ରୋ ଭଳି ଭାରତୀୟ ଆଇଟି କମ୍ପାନୀଗୁଡ଼ିକ ଉପରେ ବଡ଼ ପ୍ରଭାବ ପଡ଼ିବ। ଏହି କମ୍ପାନୀଗୁଡ଼ିକ H-1B ଭିଜାର ବ୍ୟବହାର କରି ଜୁନିୟର୍ ଏବଂ ମିଡ-ଲେଭେଲ ଇଞ୍ଜିନିୟର୍ସମାନଙ୍କୁ ଅମେରିକୀୟ କ୍ଲାଏଣ୍ଟ ପ୍ରୋଜେକ୍ଟ ଏବଂ ସ୍କିଲ ଡେଭଲପ୍ମେଣ୍ଟ ପାଇଁ ଅମେରିକା ପଠାଇଥାଆନ୍ତି। ଏହି ନୂଆ ପରିବର୍ତ୍ତନରୁ ଭାରତୀୟ ପ୍ରୋଫେଶନାଲ୍ମାନେ ଅମେରିକା ବଦଳରେ ୟୁରୋପୀୟ ଦେଶଗୁଡ଼ିକରେ ଯାଇ କାମ କରିବାକୁ ଅଧିକ ପସନ୍ଦ କରିବେ।
କିଏ H-1B ଭିଜା ପାଇଁ ଆବେଦନ କରିପାରିବ?
H-୧B ଭିଜା ପାଇଁ ଯେକୌଣସି ସାଧାରଣ ବ୍ୟକ୍ତି ଆବେଦନ କରିପାରିବେ ନାହଁ, କାରଣ ଏହା କମ୍ପାନୀ ପକ୍ଷରୁ କରାଯାଏ। ଆବେଦନକାରୀଙ୍କର ୧୨ ବର୍ଷର କାର୍ଯ୍ୟ ଅନୁଭବ ଥିବା ଉଚିତ। କିଛି ସର୍ତ୍ତ ସହିତ ଏଥିରେ ଛାଡ଼ ମଧ୍ୟ ଦିଆଯାଏ।ଆବେଦନକାରୀ ଯେଉଁ କାମ ପାଇଁ ଡାକରା ପାଇଛନ୍ତି, ସେଥିରେ ଦକ୍ଷ ହେବା ଉଚିତ।ବେତନ ଅତି କମ ୪୦ ଲକ୍ଷ ଟଙ୍କା ବାର୍ଷିକ ହେବା ଉଚିତ। ଆବେଦନକାରୀଙ୍କର ଅମେରିକାର ବ୍ୟାଚଲର୍ ଡିଗ୍ରୀ କିମ୍ବା ବିଦେଶୀ ବିଶ୍ୱବିଦ୍ୟାଳୟରୁ ଯାହା ଅମେରିକାର ବ୍ୟାଚଲର୍ ଡିଗ୍ରୀର ସମକକ୍ଷ ରହିବା ଉଚିତ।
ଟ୍ରମ୍ପ ପ୍ରଶାସନ କ’ଣ ଯୁକ୍ତି ଦେଇଛି?
ଟ୍ରମ୍ପ ପ୍ରଶାସନ କହିଛି ଯେ ଏହି ପଦକ୍ଷେପର ଉଦ୍ଦେଶ୍ୟ ଦେଶକୁ ଅଣାଯାଉଥିବା ଲୋକମାନେ “ବାସ୍ତବରେ ଅତ୍ୟଧିକ ଦକ୍ଷ” ହେବା ଏବଂ ଅମେରିକୀୟ କର୍ମଚାରୀଙ୍କ ସ୍ଥାନ ନ ନେବା।ଟ୍ରମ୍ପଙ୍କ ଅଭିଯୋଗ ଅନୁଯାୟୀ, ଭାରତ ଏବଂ ଚାଇନାର ଲୋକମାନଙ୍କ କାରଣରୁ ଅମେରିକାବାସୀମାନେ ନିଜ ଦେଶରେ କାମ ପାଇପାରୁନାହାନ୍ତି। ରାଷ୍ଟ୍ରପତି ହେବା ପୂର୍ବରୁ ସେ ନିର୍ବାଚନୀ ଅଭିଯାନରେ ମଧ୍ୟ ଏହି ବିଷୟକୁ ଉଠାଇଥିଲେ ଯେ ଯଦି ସେ ନିର୍ବାଚିତ ହୁଅନ୍ତି, ତେବେ ପ୍ରବାସୀଙ୍କ ଉପରେ ନିୟନ୍ତ୍ରଣ କରିବେ। ଟ୍ରମ୍ପ ଏବେ ତାହାହିଁ କରୁଛନ୍ତି। ଯଦିଓ ପ୍ରବାସୀଙ୍କ ଉପରେ ନିୟନ୍ତ୍ରଣ କରି ଟ୍ରମ୍ପ ନିଜେ ସାବାସୀ ଦେଉଥାନ୍ତି, କିନ୍ତୁ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଏହି ନିଷ୍ପତ୍ତିର ଅମେରିକୀୟ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ, ବିଶେଷକରି ସେହି ଉଦ୍ୟୋଗଗୁଡ଼ିକରେ ଯାହା ବିଶ୍ୱବ୍ୟାପୀ ପ୍ରତିଭା ଉପରେ ନିର୍ଭରଶୀଳ।
H-1B ଭିଜାର ଇତିହାସ କ’ଣ?
ଏବେ H-1B ଭିଜାର ଇତିହାସ ବିଷୟରେ ଜାଣିବା। ଏହାର ଆରମ୍ଭ ୧୯୯୦ରେ ଅମେରିକୀୟ ରାଷ୍ଟ୍ରପତି ଜର୍ଜ ବୁଶଙ୍କ କାର୍ଯ୍ୟକାଳରେ ହୋଇଥିଲା। ସରକାରଙ୍କ ଉଦ୍ଦେଶ୍ୟ ଥିଲା ଯେ ଅମେରିକୀୟ କମ୍ପାନୀଗୁଡ଼ିକରେ ବିଶ୍ୱର ସର୍ବୋତ୍ତମ ସ୍କିଲ୍ଡ ୱାର୍କର୍ସ କାମ କରନ୍ତୁ। ଏବେ କିନ୍ତୁ ଟ୍ରମ୍ପଙ୍କୁ ନୂଆ ନିଷ୍ପତ୍ତି ଟେକ୍ ଇଣ୍ଡଷ୍ଟ୍ରୀକୁ ବଡ଼ ଆଘାତ ପହଞ୍ଚାଇପାରେ, ଯାହା ଭାରତ ଏବଂ ଚାଇନାରୁ ଆସୁଥିବା କର୍ମୀଙ୍କ ଉପରେ ନିର୍ଭରଶୀଳ। ଏହା ଆଗକୁ ଆଇନଗତ ଚ୍ୟାଲେଞ୍ଜ ନଚେତ ବିରୋଧର ସାମ୍ନା କରିପାରେ।
ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସମଲେଶ୍ଵରୀ…
ନନ୍ଦିଘୋଷ ବ୍ୟୁରୋ : ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସମଲେଶ୍ଵରୀ । ଫୁଲରେ ସଜେଇ ହୋଇଛି ମନ୍ଦିର ପରିସର । ସକାଳୁ ସକାଳୁ ଆରମ୍ଭ ହୋଇଛି ମାଆଙ୍କ ଧବଳମୁଖୀ ଦର୍ଶନ । ସକାଳ ୫ ଟା ରୁ ୧୧ଟା ୪୫ ପର୍ଯ୍ୟନ୍ତ ଦର୍ଶନ ପରେ ୧୨ଟା ୩୦ ଯାଏଁ ମାଆଙ୍କ ଦର୍ଶନ ବନ୍ଦ ରହିବ । ପୁଣି ଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ସ୍ଵତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି । କେବଳ ଶହେ ଟଙ୍କା ଦେଇ ସ୍ବତନ୍ତ୍ର ଲାଇନରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ସାଧାରଣ ଧାଡ଼ି ବ୍ୟବସ୍ଥା ମଧ୍ୟ କରାଯାଇଛି । ଅଢେଇ ଦିନ ଧରି ମାଆ ସମଲେଶ୍ଵରୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ବିଶ୍ୱାସ ରହିଛି ମହାଳୟାରେ ମାଆଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନ ସହ ସମାନ ପୁଣ୍ୟ ମିଳିଥାଏ ।
ଆଜି ପବିତ୍ର ମହାଳୟା : ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ
ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର ମହାଳୟା । ପିତୃପକ୍ଷର ଅନ୍ତିମ ଦିବସ । ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗରରେ ଭିଡ଼ ଜମିଛି । ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ପିଣ୍ଡ ଦାନ କରି ପୂଜାପାଠ କରାଯାଉଛି । ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ଶ୍ରାଦ୍ଧ ଓ ତିଳତର୍ପଣ । ଏହିଦିନ ନିଜ ପିତୃପୁରୁଷଙ୍କ ସହ ନିଜ ମାମୁଘର ଉଦ୍ଦେଶ୍ୟରେ ମଧ୍ୟ ଶ୍ରାଦ୍ଧ ପ୍ରଦାନ ଓ ପିଣ୍ଡଦାନ କରାଯାଇଥାଏ। ବିଶେଷ କରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟୀ, ପ୍ରପିତାମୟୀ, ମାତାମହ, ପ୍ରମାତାମହ, ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧ ଆଦି କର୍ମ କରାଯାଇଥାଏ । ପୁରୀରେ ପିଣ୍ଡ ଦାନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି ଭକ୍ତ । ଭୁବନେଶ୍ବର ବିନ୍ଦୁସାଗର କୂଳରେ ମଧ୍ୟ ମହାଳୟା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପବିତ୍ର ପୁଷ୍କରିଣୀ କୂଳରେ ଶ୍ରଦ୍ଧାଳୁମାନେ ନିଜର ପିତୃଲୋକଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି । କୁହାଯାଏ ଏହି ପିତୃପକ୍ଷରେ ପିତୃଲୋକ ମାନବ ଲୋକଙ୍କୁ ଆସିଥାନ୍ତି । ତେଣୁ ତାଙ୍କ ମୋକ୍ଷପ୍ରାପ୍ତି ପାଇଁ ପିଣ୍ଡଦାନ କରି ସନ୍ତୁଷ୍ଟ କରାଯାଇଥାଏ ।
ଭିଜିବ ଦଶହରା: ୨୩ ରୁ ଅତିପ୍ରବଳ ବର୍ଷା ନେଇ ଚେତାବନୀ ଦେଲା ପାଣିପାଗ ବିଭାଗ
ଆସୁଛି ବଡ଼ ବର୍ଷା ।I ଫିକା ପଡିବ ପାର୍ବଣ । ସୃଷ୍ଟି ହୋଇପାରେ ବ୍ୟାକ୍ ଟୁ ବ୍ୟାକ୍ ଲଘୁଚାପ । ବଙ୍ଗୋପସାଗରରେ ଆସୁଛି ଗୋଟେ ପରେ ଗୋଟେ ଲଘୁଚାପ । ଯାହାର ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା । ୨୩ ପରେ ନିର୍ଦ୍ଧୁମ ଛେଚିବ । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ୨୩ ତାରିଖ ଆଡକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ । ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏହା ସୃଷ୍ଟି ସମ୍ଭାବନା ରହିଛି । ମିଆଁମାର-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇପାରେ ସ୍ପଷ୍ଟ ଲଘୁଚାପ କ୍ଷେତ୍ର। ପ୍ରଭାବରେ ୨୩ ରୁ ବଢିବ ବର୍ଷାର ବିସ୍ତୃତି। ପୁଣି ସାରା ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ ଓ କେନ୍ଦୁଝର ଭଳି ୨ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ହଳଦିଆ ଚେତାବନୀ ଦେଇଛି କେନ୍ଦ୍ର ।
ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ୨୩ ରୁ ୨୭ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ । ଏପଟେ ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନାକୁ ନେଇ ସମସ୍ତ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଉପକୂଳ ଓ ଉତ୍ତର ଓଡିଶାର ୧୪ ଜିଲ୍ଲା ସୁନ୍ଦରଗଡ , ମୟୂରଭଞ୍ଜ ,କେନ୍ଦୁଝର, ଯାଜପୁର ,ଭଦ୍ରକ , ବାଲେଶ୍ୱର, କଟକ, କେନ୍ଦ୍ରାପଡା ଜଗତସିଂପୁର ନୟାଗଡ, ଖୋର୍ଦ୍ଧା, ପୁରୀ ,ଗଂଜାମ ଓ ଗଜପତିକୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା । ତେବେ ୨୭ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।
କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା: ୩୦ ସୁଦ୍ଧା ଜିଲ୍ଲା ସଭାପତି ନାଁ ହେବ ଘୋଷଣା
କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା । ୩୦ସୁଦ୍ଧା ଜିଲ୍ଲା ସଭାପତି ନାଁ ହେବ ଘୋଷଣା । ଓଡ଼ିଶାର ବରିଷ୍ଠ ନେତାଙ୍କ ସହ ଏଆଇସିସି କରିବ ବୈଠକ । ଫୋକସରେ ତୃଣମୂଳ ସଂଗଠନ । ଓଡ଼ିଶାରେ ଶକ୍ତିଶାଳୀ ହେବ କଂଗ୍ରେସ । ଏଆଇସିସି ଫୋକସରେ ଓଡ଼ିଶା । ସଙ୍ଗଠନ ସୃଜନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ ଶେଷ ହେବା ପରେ ଓଡ଼ିଶା ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ୩୦ ତାରିଖ ଭିତରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିବା ନିଷ୍ପତ୍ତି ହୋଇଥିବାରୁ ଏହାପୂର୍ବରୁ ଓଡ଼ିଶାର ମଙ୍ଗୁଆଳ ସହ ବୈଠକ କରିବ ଏଆଇସିସି । ଆସନ୍ତା ୨୨ତାରିଖରେ ଏଆଇସିସି ଓଡ଼ିଶା ସଙ୍ଗଠନ ଉପରେ ଆଲୋଚନା କରିବ । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୂଚନା ଦେଇଛନ୍ତି । ବିଧାନସଭାରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି । ଓଡ଼ିଶାରେ କଂଗ୍ରେସ ସଙ୍ଗଠନ ମଜଭୁତ କରି କିପରି ଦଳ କ୍ଷମତାକୁ ଫେରିବ ତାହା ଉପରେ ଏଆଇସିସି ଫୋକସ କରିଛି ବୋଲି ସେ କହିଛନ୍ତି । ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ମାନେ ରିପୋର୍ଟ ଦେଇଛନ୍ତି । ତାହା ଉପରେ ଚୂଡାନ୍ତ ମୋହର ବାଜିବ।
୨୫ ବର୍ଷ ହେବ କ୍ଷମତା ବାହାରେ ରହିଛି କଂଗ୍ରେସ । ଦଳର ଭୋଟହାର ୩୩ ପ୍ରତିଶତରୁ ଖସି ୧୩ ପ୍ରତିଶତରେ ପହଞ୍ଚିଛି । ସଂଗଠନ ଅଛି, ଏକତା ନଥିବାରୁ ଦଳ ଓଡ଼ିଶାରେ କ୍ଷମତାକୁ ଆସି ପାରୁନାହିଁ । ନିକଟରେ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଓଡିଶାରେ ସଂଗଠନ ସୃଜନ ଅଭିଯାନର ସମୀକ୍ଷା କରିବା ସହ ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା କରିଥଲେ । ଜିଲ୍ଲା ସଭାପତିମାନଙ୍କୁ ଅଧିକ ଶକ୍ତଶାଳୀ କରିବା ପାଇଁ ଏଆଇସିସିର ଏହି ବୈଠକ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କଂଗ୍ରେସ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିବ ଏଆଇସିସି । ଏହାପରେ ବ୍ଲକ ସଭାପତି, ନଗର ସଭାପତି ଚୂଡାନ୍ତ କରାଯିବ ।ଏଆଇସିସି ଓଡିଶାକୁ ଫୋକସ କରିଥିବାରୁ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ଓ ଏଆଇସିସିର ବରିଷ୍ଠ ନେତାମାନେ ବାରମ୍ବାର ଦିଲ୍ଲୀ ଡାକି ଆଲୋଚନା କରୁଛନ୍ତି ।
ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ କରାଯାଉଛି ସଙ୍କୁଚିତ
୧୪ ମାସର ସରକାରରେ ପଞ୍ଚାୟତକୁ ଜାରି ହେଲାଣି ୨୮ଟି ସର୍କୁଲାର। କର୍ମୀଙ୍କୁ ସୁହାଇଲା ଭଳି ସରକାର ଜାରି କରୁଛନ୍ତି ସର୍କୁଲାର। କର୍ମୀମାନେ କିପରି ଗୁଣ୍ଡାରାଜ, ଦାଦାବଟି ଓ ପିସି ଆଦାୟ କରିବେ ସେଥିପାଇଁ ବ୍ୟବସ୍ଥା ହେଉଥିବା ଅଭିଯୋଗ କରିଛି ବିଜେଡି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଧ୍ବଂସ କରିବା ପ୍ରତିବାଦରେ ତାତିଛି ବିଜେଡି। ଆସନ୍ତା ୨୩ରେ ଏନେଇ ବିଧାନସଭା ଘେରାଉ କରିବ ଦଳ। ରାଜ୍ୟ ବିଜେପି ସରକାର ପଞ୍ଚାୟତିରାଜ ବଜେଟକୁ ହ୍ରାସ କରୁଛନ୍ତି। ପିଏମ ଆବାସ ଯୋଜନା ୪ ହଜାର ୩୧୦ କୋଟିରୁ ୮୨୫ କୋଟିକୁ ହ୍ରାସ ପାଇଛି। ଅନ୍ତୋଦୟ ଆବାସ ଯୋଜନା ଲଞ୍ଚିଂ ନାମରେ ଖର୍ଚ୍ଚ ହେଲା ୨୪ କୋଟି। ହେଲେ ଏଯାଏ କୋଅର୍ଡିନେଟରଙ୍କ ଦରମା ମିଳିନି। ନରେଗାରେ ମଜୁରୀ ମିଳୁନି। ନବୀନ ସରକାରରେ ଆମ ଓଡ଼ିଶା ନବୀନ ଓଡିଶାରେ ୪୨୦୦ କୋଟି ବଜେଟ ଥିଲା। କିନ୍ତୁ ଯୋଜନା ନାଁ ବଦଳାଇ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା କରି ଅର୍ଥ ବରାଦ କମାଇ ଦିଆଯାଇଛି। ଆମ ଓଡିଶା ନବୀନ ଓଡ଼ିଶାରେ କାମ ନଟ ଷ୍ଟାର୍ଟେଡ଼ ବୋଲି ଲେଖିବାକୁ କୁହାଯାଉଛି। ତଳ ସ୍ତରରେ ଚାପ ସୃଷ୍ଟି କରାଯାଇ ପଂଚାୟତ ସ୍ତରର ନେତାଙ୍କୁ ବିଲ ଦିଆଯାଉ ନାହିଁ । ପଞ୍ଚାୟତିରାଜ ଵ୍ୟଵସ୍ଥାକୁ ଧ୍ୱଂସ କରାଯାଉଛି। ବିଜେଡି ନିରବ ଦ୍ରଷ୍ଟା ହୋଇ ରହିବ ନାହିଁ।
ବ୍ଲକ ଅଧ୍ୟକ୍ଷଙ୍କୁ ରବର ଷ୍ଟାମ୍ପ କରାଯାଇ ସେମାନଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଛି। ୮୫୪ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟରୁ ବିଜେଡିର ୭୦୦ ରୁ ଅଧିକ ସଦସ୍ୟ ଜିତିଥିଲେ। ୨୭୦ ରୁ ଅଧିକ ବ୍ଲକରେ ବିଜେଡି ସମର୍ଥିତ ଅଧ୍ୟକ୍ଷ ଅଛନ୍ତି। । ସେହିଭଳି ୮୦ ଭାଗ ରୁ ଅଧିକ ବିଜେଡି ସମର୍ଥିତ ସମିତି ସଭ୍ୟ ଓ ଅନ୍ୟ ପଂଚାୟତ ପ୍ରତିନିଧି ରହିଛନ୍ତି। ଏବେ ୧୦ ଲକ୍ଷ ଯାଏ ବିଲ ବ୍ଲକ ଅଧ୍ୟକ୍ଷ ଅନୁମୋଦନ କରିପାରିବେ ନାହିଁ। ବଦଳରେ ବିଡିଓ କରିବେ। ଓଡିଶା ପଂଚାୟତ ସମିତି ଆକ୍ଟ କହୁଛି ବିଡ଼ିଓ ଏକଜିକ୍ୟୁଟିଭ ଅଫିସର। ଅଧ୍ୟକ୍ଷ ହେଉଛନ୍ତି ଏକଜିକ୍ୟୁଟିଭ ଅଥରିଟି। ଅଫିସର ଏବେ ଉପରେ ରହିଛନ୍ତି। ବାବୁ ଶାସନ ଆରମ୍ଭ କରିଦେଲେ ସରକାର। ଅଧ୍ୟକ୍ଷ ଏବେ ପଙ୍ଗୁ। ସରପଞ୍ଚ, ୱାର୍ଡମେମ୍ବର ଓ ଜିଲ୍ଲା ପରିଷଦ କ୍ଷମତା ଅପହରଣ କରି ଜିଲ୍ଲାପାଳ ଓ ଶାସକ ଦଳର ବିଧାୟକଙ୍କୁ କ୍ଷମତା ଦିଆଗଲା। ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାକୁ ହତ୍ୟା କଲେ। ପଂଚାୟତକୁ ୫୦ ଲକ୍ଷ ଯାଉଥିଲା ଆମ ଓଡ଼ିଶା ନବୀନ ଓଡ଼ିଶାରେ। ଏବେ ବିକଶିତ ଓଡ଼ିଶାରେ ୭ ରୁ ୮ ଲକ୍ଷ ଦିଆଯାଉଛି। କିନ୍ତୁ କାମ ହେଉ ନାହିଁ। ନବୀନ ପଟ୍ଟନାୟକ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ। ଏବେ କିନ୍ତୁ କର୍ମୀଙ୍କୁ କ୍ଷମତା ମିଳିଛି। ସେପଟେ ବିଜେପି ଏହାର ଉତ୍ତର ରଖିଛି।
ଓଡ଼ିଶା ହେବନି ମଦମୁକ୍ତ ରାଜ୍ୟ: ଗୃହରେ ଲିଖିତ ଭାବେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ
ଓଡ଼ିଶାରେ ବନ୍ଦ ହେବନି ମଦ କାରବାର । ଓଡ଼ିଶା ହେବନି ମଦମୁକ୍ତ ରାଜ୍ୟ । ଖୋଲିବ ବନ୍ଦ ଥିବା ୭୦ ମଦ ଦୋକାନ । ଆଜି ଗୃହରେ ଲିଖିତ ଭାବେ ଏପରି ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୂର୍ବରୁ ମଦମୁକ୍ତ ରାଜ୍ୟ ଓ ମଦ ବନ୍ଦ କରିବାକୁ ବିଜେପି ବାରମ୍ବାର ଦାବି କରୁଥିଲା । ହେଲେ ସରକାରକୁ ଆସିବା ପରେ ବିଜେପି ବି ମଦମୃତ୍ୟୁ ରାଜ୍ୟ ଉପରୁ ମୁହଁ ଫେରାଇ ଦେଇଛି । ମଦ ବନ୍ଦ ତ କରିବେନି ସରକାର । ଓଲଟି ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ବି ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ୭୦ ଗୋଟି ବନ୍ଦ ଥିବା ମଦ ଦୋକାନ ପୁଣି ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଦିଆଯାଇଛି ଅନୁମତି । ସେହିପରି ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଛି । ବାଲେଶ୍ୱରରେ ସର୍ବାଧିକ ୧୭ଟି, ଗଞ୍ଜାମରେ ୧୦ଟି, ନୟାଗଡରେ ୯, ମୟୂରଭଞ୍ଜରେ ୮, କଟକରେ ୭, ରାଉରକେଲାରେ ୫, କେନ୍ଦୁଝରରେ ୩, ବ୍ରହ୍ମପୁରରେ ୪, ବଲାଙ୍ଗୀରରେ ୨, କନ୍ଧମାଳରେ ୩, ଏବଂ ମାଲକାନଗିରି, ସମ୍ବଲପୁରରେ ଗୋଟିଏ ଲେଖାଏଁ ବନ୍ଦ ଥିବା ମଦ ଦୋକାନ ପୁଣି ସରକାର ଖୋଲିବେ । ପୁରୀରେ ୩ଟି ଓ ଭୁବନେଶ୍ୱରରେ ଗୋଟିଏ ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବେ ପାଇଁ ବିଭାଗ ପାଖରେ ରହିଛି ପ୍ରସ୍ତାବ । ଢେଙ୍କାନାଳରେ ୨ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଲିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରହିଛି । ଗୃହରେ ଅବକାରୀ ମନ୍ତ୍ରୀଙ୍କ ଉତ୍ତର ଯୋଗୁଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସରକାରଙ୍କ ଦୋମୁହାଁ ନୀତିକୁ ସମାଲୋଚନା କରିଛନ୍ତି ବିରୋଧୀ । ନିର୍ବାଚନ ଇସ୍ତାହାରରେ ଗୋଟେ କଥା, ନିର୍ବାଚନ ଜିତିବା ପରେ ଅଲଗା କାମ କରୁଥିବା ବିଜେଡି ଅଭିଯୋଗ କରିଛି । ଆଗ କହିଲେ ମଦମୁକ୍ତ ହେବ । ଏବେ କହୁଛନ୍ତି ହେବନି ବୋଲି ବିଜେଡି କଟାକ୍ଷ କରିଛି । ସେପଟେ କଂଗ୍ରେସ କହିଛି ଯେ ସରକାର ଯାହା କୁହନ୍ତି, ତାହା କରନ୍ତି ନାହିଁ। ରାଜସ୍ୱ କ୍ଷତିକୁ ଦେଖୁଛନ୍ତି ସରକାର । କାରଣ ମଦ ରାଜସ୍ୱରେ ହିଁ ସରକାର ଚଳାଇବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ବିଧାନସଭାରେ ସରକାରଙ୍କ ଉତ୍ତର ମଦ ପ୍ରୋତ୍ସାହନ ଆଡ଼କୁ ସଂକେତ ଦେଉଛି । ବିଜେପିର ଅନେକ ବିଧାୟକ ବିଭିନ୍ନ ସମୟରେ ମଦ ବିରୋଧରେ ସ୍ୱର ଉଠାଇଛନ୍ତି । ମଦ ବନ୍ଦ ପାଇଁ ବି ଦାବି କରିଛନ୍ତି । ହେଲେ ଆଜି ନିଜ ସରକାରଙ୍କ ନିଷ୍ପତ୍ତି ଆଗକୁ ମୁଣ୍ଡ ନୂଆଇବାକୁ ସେମାନେ ବାଧ୍ୟ ହୋଇଛନ୍ତି । ସେପଟେ ମଦ ବିରୋଧରେ ଦୀର୍ଘ ଦିନ ହେଲା ସଂଗ୍ରାମ କରୁଥିବା ସମାଜସେବୀମାନେ ବି ସରକାରଙ୍କୁ ଘେରିଛନ୍ତି । ସେମାନେ ମଦମୁକ୍ତ ଓଡ଼ିଶା ପାଇଁ ବିଜେପିର ନିର୍ବାଚନ ପ୍ରଚାରକୁ ସରକାରଙ୍କୁ ମନେ ପକାଇ ଦେଇଛନ୍ତି । ଯଦି ବିଜେପି ଶାସିତ ଗୁଜରାଟ ଓ ବିହାରରେ ମଦ ବନ୍ଦ ହୋଇ ପାରିବ, ଓଡ଼ିଶାରେ ବିଜେପି ସରକାର କାହିଁକି ଏହାକୁ ବନ୍ଦ କରି ପାରିବେ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଗୋଟେ ପଟେ ରାଜ୍ୟରେ ମଦ ବନ୍ଦ ହେବନି । ଅନ୍ୟପଟେ ଚୋରାରେ ଚାଲିଛି ମଦ ବିକ୍ରି । ଆଜି ନାବାଳକ ବି ନିଶା ଆଡ଼କୁ ଅଗ୍ରସର ହେଲାଣି । ମଦ ପିଇ ଦୁର୍ଘଟଣାରେ ପ୍ରାଣ ହରାଇବାରେ ଓଡ଼ିଶାର ସ୍ଥିତି ଭଲ ନାହିଁ । ତଥାପି ଚେତୁ ନାହାନ୍ତି ସରକାର ।
ବିଧାନସଭାରେ ସାର ତାତି: ଗୃହରେ ଚାଷୀଙ୍କ ସ୍ଵର ସାଜି ବିଜେଡିର ଗର୍ଜନ
ବିଧାନସଭାରେ ସାର ତାତି । ସାର ସଂକଟ ନେଇ ସ୍ଵତନ୍ତ୍ର ଆଲୋଚନା ଦାବିରେ ଅଟଳ ବିଜେଡି । ଗୃହରେ ଚାଷୀଙ୍କ ସ୍ଵର ସାଜି ବିଜେଡିର ଗର୍ଜନ । ରାଜ୍ୟପାଳଙ୍କ ନିକଟରେ ବିଜେଡି ଫେରାଦ । କଂଗ୍ରେସ ବି ଶାସକ ଦଳକୁ କଲା ଟାର୍ଗେଟ । ସାର ଅଭାବକୁ ନେଇ ବିଧାନସଭା ହୁଲସ୍ତୁଲ। ଆଜି ପ୍ରଶ୍ନୋତ୍ତର କାଳ ଆରମ୍ଭରୁ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲା ବିଜେଡି। ଚାଷୀଙ୍କ ସ୍ଵର ସାଜି ପ୍ରଶ୍ନ ଉତ୍ତର କାଳ ବାତିଲ କରି ସ୍ଵତନ୍ତ୍ର ଆଲୋଚନା ପାଇଁ ବିଜେଡି ଦାବି ଦୋହରାଇଥିଲା। କଂଗ୍ରେସର ମୁଲତବୀ ଆଲୋଚନା ଦାବିକୁ ଗ୍ରହଣ କରିଛନ୍ତି ବାଚସ୍ପତି।
କିନ୍ତୁ ମୁଖ୍ୟ ବିରୋଧୀ ଦଳ ବିଜେଡି ସାର ସଂକଟ ନେଇ ଗୃହର ସବୁ କାର୍ଯ୍ୟ ବାତିଲ କରି ସାର ଉପରେ ସ୍ବତନ୍ତ୍ର ଆଲୋଚନା ପାଇ ଦାବି କରିଆସୁଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପଚାରିଛନ୍ତି, ଚାଷୀଙ୍କ ପ୍ରସଙ୍ଗ କଣ ଆଲୋଚନା ହେବା କଥା ନୁହେଁ କି ? ସେମାନେ ଆମକୁ ନିର୍ବାଚିତ କରିଛନ୍ତି। ରାଜ୍ୟରେ ସାରର ଘୋର ଅଭାବ। ଚାଷୀ ହଇରାଣ ହେଉଛନ୍ତି। ତେଣୁ ସବୁ କାର୍ଯ୍ୟକ୍ରମ ବାତିଲ କରି ସେମାନଙ୍କ ପାଇଁ ସ୍ଵତନ୍ତ୍ର ଆଲୋଚନା ହେବା ଦରକାର। ହେଲେ ଅନ୍ୟ ପ୍ରସଙ୍ଗ ସବୁ ଆଲୋଚନା ହେଉଛି । ଚାଷୀ ପ୍ରସଙ୍ଗରେ ସ୍ଵତନ୍ତ୍ର ଆଲୋଚନା ନ ହେବା ଯାଏ ଅନ୍ୟ କୌଣସି ଆଲୋଚନାରେ ଭାଗ ନେବନି ବୋଲି ଚେତାବନୀ ଦେଇଥିଲା ବିଜେଡି।
ଆଜି ଦିନ ତମାମ ଚାଷୀଙ୍କ ସାର ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ। ଗୃହରେ ବିଜେଡି ବିଧାୟକ ପ୍ରତିବାଦ ଓ ନାରାବାଜି କରିଥିଲେ। ସାର ପ୍ରସଙ୍ଗରେ ଗୃହରେ ପ୍ରବଳ ହଟଗୋଳ ହେବାରୁ ବାଚସ୍ପତି ପ୍ରଥମେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଥିଲେ। ଅପରାହ୍ନ ଅଧିବେଶନରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ପ୍ରତିବାଦ କରିଥିଲେ। ହଟ୍ଟଗୋଳ ନ କମିବାରୁ ବିଧାନସଭାକୁ ଆସନ୍ତା ସୋମବାର ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି। ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ସରକାର କହୁଛନ୍ତି ସାର ମହଜୁଦ ଅଛି । ତେବେ କାହିଁକି ଚାଷୀଙ୍କୁ ଦେଉନାହାନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ସରକାର ଚାଷୀଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି। ସେପଟେ ବିଜେପି ବିଧାୟକ ମନୋରଂଜନ ଦ୍ୟାନସାମନ୍ତରା କହିଛନ୍ତି, ବିରୋଧୀ ପ୍ରସଙ୍ଗ ଉଠାଇବେ। ସରକାର ଚାଷୀଙ୍କ ସମସ୍ୟାକୁ ଗୁରୁତ୍ଵ ଦେଉଛନ୍ତି।
ଗୃହ ମୁଲତବୀ ପରେ ସଂଧ୍ୟା ୫ଟାରେ ବିଜେଡି ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟି ଫେରାଦ କରିଛି। ରାଜ୍ୟରେ ସାର ସଂକଟ ନେଇ ରାଜ୍ୟପାଳ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ବିଜେଡି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟ ସାରା ସାରର ଉତ୍କଟ ସମସ୍ୟା ଅଛି। ସରକାର ବି ସାର କଳା ବଜାରୀ କଥା ମାନୁଛନ୍ତି। ସ୍ୱତନ୍ତ୍ର ଆଲୋଚନା ଜରିଆରେ ଏହାର ସମାଧାନ ହୋଇ ପାରିବ। ହେଲେ ବାଚସ୍ପତି ଏହା କରାଇ ଦେଉ ନଥିବାରୁ ବିଜେଡି ଉଦବେଗ ପ୍ରକାଶ କରିଛି। ଦଳର ବିଧାୟକମାନେ ଗୃହରେ ସାର ସମସ୍ୟା ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା କରାଇ ଦେବାକୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସାର ଅଭାବ ପ୍ରସଙ୍ଗରେ ମୁଖ୍ୟ ବିରୋଧୀ ବିଜେଡି ବିଧାନସଭା ଭିତରେ ଓ ବାହାରେ ଜୋରଦାର ଲଢେଇ ଜାରି ରଖିଛି। ବିରୋଧୀ ସରକାରଙ୍କୁ ଗୃହରେ ଘେରିବା ପରେ ଅକଳରେ ପଡ଼ିଛନ୍ତି ରାଜ୍ୟ ସରକାର।

