spot_img
Home Blog Page 331

ଥମୁନି ଉତ୍ତରପ୍ରଦେଶ ବରେଲିରେ ଉତ୍ତେଜନା

ନନ୍ଦିଘୋଷ ବ୍ୟୁରୋ: ଥମୁନି ଉତ୍ତରପ୍ରଦେଶ ବରେଲିରେ ଉତ୍ତେଜନା। କଂଗ୍ରେସ ସାଂସଦ ଇମରାନ ମାସୁଦ ଓ ଡାନିସ ଅଲ୍ଲୀଙ୍କୁ ଗୃହବନ୍ଦୀ କରାଯାଇଛି। ଆଇ ଲଭ ମହମ୍ମଦ ବିବାଦକୁ ନେଇ ଗତ କିଛି ଦିନ ଧରି ବରେଲିରେ ଉତ୍ତେଜନା ଲାଗି ରହିଛି। ବରେଲି ଯିବା ବାଟରେ ଆଜି ଡାନିସଙ୍କୁ ଅମରୋହାରେ ପୋଲିସ ଅଟକ ରଖିବା ସହ ତାଙ୍କୁ ଗୃହବନ୍ଦୀ କରାଯାଇଛି। ବରେଲିର ଡିଆଇଜିଙ୍କୁ ଭେଟିବାକୁ ଯିବାବେଳେ ସାଂସଦ ମାସୁଦଙ୍କୁ ଶାହାହରନପୁରରେ ଅଟକ ରଖାଯାଇଛି। ତେବେ ଆଇନଶୃଙ୍ଖଳା କାରଣରୁ ସେମାନଙ୍କୁ ଅଟକ ରଖାଯାଇଛି ବୋଲି ପୋଲିସ କହିଛି। ଗତ ଶୁକ୍ରବାର ପ୍ରାର୍ଥନା ପରଠାରୁ ଆଇ ଲଭ ମହମ୍ମଦ ପ୍ରସଙ୍ଗକୁ ନେଇ ବରେଲିରେ ହିଂସା ତେଜିଥିଲା। ବରେଲିର ଇସଲାମିଆ ଗ୍ରାଉଣଅଡରେ ଏକ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିବାବେଳେ ସେଠାରେ ଆକସ୍ମିକ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ପ୍ରାର୍ଥନା ସଭାରେ ସାମିଲ ହୋଇଥିଲେ ଧର୍ମଗୁରୁ ମୌଲାନା ତାକିର ରାଜା ଖାଁ। ଆନ୍ଦୋଳନବେଳେ ଟେକାପଥରମାଡ ହେବା ସହ ଗାଡି ଭଙ୍ଗାରୁଜା ହୋଇଥିଲା। ଉତ୍ତେଜନା ପ୍ରଶମିତ କରିବା ଲାଗି ପୋଲିସ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା।

ସିମେଣ୍ଟ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଗ୍ୟାସ ସିଲିଣ୍ଡର ଫାଟିଯିବାରୁ…

ନନ୍ଦିଘୋଷ ବ୍ୟୁରୋ: ସିମେଣ୍ଟ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ତିଛିଣି ଗ୍ରାମରେ ଥିବା ଟୁକୁନା ତରେଇଙ୍କର ସିମେଣ୍ଟ ବ୍ଲକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ରୋଷେଇ କଲାବେଳେ ଗ୍ଯାସ ସିଲିଣ୍ଡର ଫାଟିଯାଇ ନିଆଁ ଲାଗିଯାଇଥିଲା । ତିନିଟି ଟାଙ୍କି ଫାଟିବାରୁ ଅଗ୍ନିକାଣ୍ଡ ଘଟିଥିବାବେଳେ ଶ୍ରମିକ ମାନେ ବର୍ତ୍ତିଯାଇଛନ୍ତି । ଅଗ୍ନିକାଣ୍ଡରେ ଘରଟି ସଂପୂର୍ଣ୍ଣ ଜଳିଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ଭୟଙ୍କର ଅଗ୍ନିକାଣ୍ଡ ଦେଖି ଗାଁ ଲୋକେ ସଂପୂର୍ଣ୍ଣ ଭୟଭୀତ ଅବସ୍ଥାରେ ଅଛନ୍ତି ।

ବିସିସିଆଇ ନିକଟରେ କ୍ଷମା ମାଗିଲେ ଏସିସି ଅଧ୍ୟକ୍ଷ ମହସିନ ନକଭି

ନନ୍ଦିଘୋଷ ବ୍ୟୁରୋ: ଶେଷରେ ବିସିସିଆଇ ନିକଟରେ କ୍ଷମା ମାଗିଲେ ଏସିସି ଅଧ୍ୟକ୍ଷ ମହସିନ ନକଭି। ଦୁବାଇ ଏସିସି ବୈଠକରେ କ୍ଷମା ମାଗିଛନ୍ତି ନକଭି। କହିଛନ୍ତି- ଏପରି ସ୍ଥିତି ଆସିବାର ନଥିଲା। ତେବେ ସେ ଟ୍ରଫି ଓ ମେଡାଲ ଫେରାଇବାକୁ ମନା କରିଛନ୍ତି। ପାକିସ୍ତାନ ବିରୋଧରେ ଭାରତର ବିଜୟ ପରେ ସେଲିବ୍ରେସନ ଲାଗି ଅନୁମତି ଦେଇ ନଥିଲେ ନକଭି। ରବିବାର ଫାଇନାଲରେ ନକଭିଙ୍କ ହାତରୁ ଟ୍ରଫି ଓ ମେଡାଲ ଗ୍ରହଣ କରିବାକୁ ମନା କରିଥିଲେ ଭାରତୀୟ ଖେଳାଳି। ଭାରତୀୟ ଖେଳାଳି ଟ୍ରଫି ଓ ମେଡାଲ ନେବାକୁ ମନା କରିବା ପରେ ଟ୍ରଫି ଓ ମେଡାଲ ନେଇଯିବାକୁ ଏସିସିକୁ ନିର୍ଦ୍ଦେଶ ଦେଇଥିଲେ ନକଭି। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବିସିସିଆଇ ଅଧିକାରୀମାନେ ଟ୍ରଫି ଫେରାଇବା ପ୍ରଶ୍ନରେ ପିସିବି ମୁଖ୍ୟ କହିଛନ୍ତି ଯେ ସେମାନେ ଏହାକୁ ଫେରାଇ ଦେବେ କିନ୍ତୁ ଏହାକୁ ନେବା ପାଇଁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଏସୀୟ କ୍ରିକେଟ ପରିଷଦ କାର୍ଯ୍ୟାଳୟକୁ ଆସିବାକୁ ପଡିବ।

ଦୁବାଇ ପୋଲିସ ରୁଜୁ କରିପାରେ ଟ୍ରଫି ଚୋରି ମାମଲା!, ଜେଲ ଯାଇପାରନ୍ତି ନକଭି

ନନ୍ଦିଘୋଷ ବ୍ୟୁରୋ : ନିକଟରେ ସରିଛି ଏସିଆ କପ୍ । ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ ହୋଇଛି । ତେବେ ବିନା ଟ୍ରଫିରେ ସେଲିବ୍ରେସନ କରିଥିଲା ଭାରତ । ଭାରତ ଏସିସି ମୁଖ୍ୟ ରହିଥିବା ନକଭିଙ୍କ ହାତରୁ ଟ୍ରଫି ନେବାକୁ ସିଧା ସିଧା ମନା କରି ଦେଇଥିଲା । ମାତ୍ର ଶେଷ ସମୟରେ ମେଡାଲ ଏବଂ ଟ୍ରଫି ଧରି ପଳାଇଥିଲେ ନକଭି । ଯାହାକୁ ନେଇ ବିଦାଦ ଲାଗି ରହିଛି । ଭାରତ ଟାଇଟଲ ଜିତିବାର ୭୨ ଘଣ୍ଟା ପୂରି ସାରିଛି । ମାତ୍ର ଏଯାବତ ଟ୍ରଫି ହସ୍ତାନ୍ତର କରି ନାହାଁନ୍ତି ନକଭି । କିମ୍ବା ଏସୀୟ କ୍ରିକେଟ ପରିଷଦକୁ ମଧ୍ୟ ପଠାଇ ନାହାନ୍ତି । ନିଜ ଜିଦରେ ଅଟଳ ରହିଥିବା ନକଭିଙ୍କୁ ନେଇ ଏବେ କଠୋର ହେବାକୁ ଯାଉଛି ବିସିସିଆଇ ।

ଟ୍ରଫି ଚୋରି କରିବା ଏବଂ ବଳପୂର୍ବକ ଟ୍ରଫି ହାତେଇବା ମାମଲାରେ ଦୁବାଇ ପୋଲିସ ନିକଟରେ ଅଭିଯୋଗ କରିବା ଲାଗି ଯୋଜନା କରୁଥିବା ଏକ ବିଶେଷ ସୂତ୍ରରୁ ଜଣା ପଡ଼ିଛି । ୭୨ ଘଣ୍ଟା ମଧ୍ୟରେ ଯଦି ଟ୍ରଫି ନଫେରାନ୍ତି ତାହେଲେ ଆଇନ ହିସାବରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ କୁହାଯାଇଛି । ଯଦି ଏଭଳି କରାଯାଏ ତାହେଲେ ନକଭିଙ୍କୁ ଜେଲ ଯିବାକୁ ପଡ଼ିପାରେ । ଦୁବାଇରେ ଅପରାଧ କମ ରହିଥାଏ । କାରଣ ଏଠାରେ ଦଣ୍ଡବିଧାନ କଠୋର ହୋଇଥାଏ । ତେବେ ଯଦି ନକଭିଙ୍କ ବିରୋଧରେ ମାମଲା ରୁଜୁ ହୁଏ ତାହେଲେ ଅତି କମରେ ତାଙ୍କୁ ୫ ବର୍ଷ ଜେଲ ହୋଇପାରେ ।

ଏସଆଇ ପରୀକ୍ଷା ବିଭ୍ରାଟ, ଗର୍ଜିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ୧୬ ମାସରେ ୧୬ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଲାଣି । ଗତକାଲି ବାତିଲ ପୋଲିସ ସବ ଇନିସପେକ୍ଟର ପରୀକ୍ଷାରେ କୋଟି କୋଟିର ଡିଲ ହୋଇଛି । କଥାକୁ ଚାପି ଦେବାକୁ ବସିଥିବାବେଳେ ସାମ୍ନାକୁ ଆସିଯିବାରୁ ସରକାର ଗୁଣିଆ ହୋଇ ଡାଆଣୀ ଛଡାଇବା କାମ କରୁଛନ୍ତି । ଏହି ଆନ୍ତଃରାଜ୍ୟ ରାକେଟରେ ବହୁ ବଡ଼ ପଣ୍ଡା ସାମିଲ ଅଛନ୍ତି । ସେମାନଙ୍କୁ ଘୋଡାଇବା ପାଇଁ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନିଜେ ସରକାର ଏଥିରେ ସାମିଲ ଥାଇ କିପରି କ୍ରାଇମବ୍ରାଞ୍ଚ ତଦନ୍ତରୁ ଫଳ ବାହାରିବ ବୋଲି ପ୍ରଶ୍ନ କରିଛି ବିଜୁ ଯୁବ ଜନତା ଦଳ । ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଏହାର ପ୍ରତିବାଦ କରି ସିବିଆଇ ତଦନ୍ତ ଦାବି କରିଛନ୍ତି । ଯେ ପର୍ଯ୍ୟନ୍ତ ଏଥିରେ ସାମିଲ ବଡ଼ ପଣ୍ଡା ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନହେଲା ପର୍ଯ୍ୟନ୍ତ ବିଜେଡି ଚୁପ ବସିବନି । ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଲେ ପୂଜା ପରେ ରାଜରାସ୍ତାକୁ ଓହ୍ଲାଇ ଜୋରଦାର ପ୍ରତିବାଦ ଓ ଆନ୍ଦୋଳନ କରିବ ବୋଲି ଚିନ୍ମୟ ଚେତାବନୀ ଦେଇଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ନୂଆ ସ୍ଲୋଗାନ ଆସିଛି ଟଙ୍କା ଦିଅ ଚାକିରି ନିଅ । ଟଙ୍କା ନେଇ ବିଜେପି ନେତା ଚାକିରି ବିକୁଛନ୍ତି । ଏହାଦ୍ବାରା ମେଧାବୀଙ୍କ ମାନସିକ ସ୍ଥିତି କଣ ଥିବ ବୋଲି ସେ ପ୍ରଶ୍ନ କରିଛନ୍ତି । କିପରି ଏକ କଳା ତାଲିକା ଭୁକ୍ତ ସଂସ୍ଥାକୁ ନିଯୁକ୍ତି ଲାଗି ଆଉଟସୋର୍ସିଂ କଲେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

ଏସଆଇ ପରୀକ୍ଷାରେ ଜାଲିଆତି ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ନନ୍ଦିଘୋଷ ବ୍ୟୁରୋ: ଏସଆଇ ପରୀକ୍ଷାରେ ଜାଲିଆତି ମାମଲାରେ ତନାଘନା। ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ୧୧୭ ଜଣଙ୍କୁ ଗିରଫ କରାଯାଇଛି ବ୍ରହ୍ମପୁର ପୋଲିସ। ଗିରଫଙ୍କ ମଧ୍ୟରେ ୧୧୪ ଜଣ ପରୀକ୍ଷାର୍ଥୀ ଥିବା ବେଳେ, ୩ ଜଣ ଦଲାଲ ଅଛନ୍ତି। କୋଟି କୋଟି ଟଙ୍କାର ହୋଇଥିଲା ଡିଲ। ଆହୁରି ଅନେକ ଦଲାଲଙ୍କ ସମ୍ପୃକ୍ତି ଜଣାପଡ଼ିଛି। ପ୍ରତି ପ୍ରାର୍ଥୀଙ୍କ ଠାରୁ ୨୦ ରୁ ୨୫ ଲକ୍ଷ ଟଙ୍କାର ଡିଲ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁସାରେ, ୧୧୪ ଜଣ ପ୍ରାର୍ଥୀ ବରମୁଣ୍ଡାରୁ ୩ଟି ବସରେ ଚଢ଼ିଥିଲେ। ୩ ଜଣ ଦଲାଲଙ୍କ ଦ୍ବାରା ବିଜୟନଗରମର ଏକ ଅଜ୍ଞାତ ସ୍ଥାନକୁ ଯାତ୍ରା କରୁଥିଲେ। ଗିରଫ ୩ ଜଣ ଦଲାଣ ଅନ୍ୟ ଏଜେଣ୍ଟଙ୍କ ପାଇଁ କାମ କରୁଥିଲେ। ସମସ୍ତେ ସବ ଇନ୍ସପେକ୍ଟର ପରୀକ୍ଷାକୁ ଭଣ୍ଡୁର କରିବା ପାଇଁ ସଙ୍ଗଠିତ ଅପରାଧରେ ଲିପ୍ତ ଅଛନ୍ତି। ଗତକାଲି ବ୍ରହ୍ମପୁର ପୋଲିସ ଶତାଧିକ ପରୀକ୍ଷାର୍ଥୀଙ୍କୁ ଅଟକ ରଖିଥିଲା।

ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରୁ ସମସ୍ତଙ୍କୁ ଧରିଥିଲା ପୋଲିସ। ବିଜୟନଗରମରେ ଗୋପନୀୟ ପ୍ରଶ୍ନପତ୍ର ପାଇବା ଏବଂ ତା’ପରେ ଭୁବନେଶ୍ୱର ଫେରି ପରୀକ୍ଷା ଦେବା ସେମାନଙ୍କର ଯୋଜନା ଥିଲା। ଏଥିପାଇଁ ପ୍ରାର୍ଥୀଙ୍କ ପିଛା ୨୫ ଲକ୍ଷ ଟଙ୍କାର ଡିଲ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୧୦ ଲକ୍ଷ ଏବଂ ଚାକିରି ନିଶ୍ଚିତ ହେବା ପରେ ୧୫ ଲକ୍ଷ ଦେବାକୁ ରାଜି ହୋଇଥିଲେ। ଏହି ରାକେଯରେ ଆହୁରି ଅନେକ ଦଲାଲ ସାମିଲ ଥିବା ତଦନ୍ତରୁ ଜଣାପଡିଛି। ଘଟଣାରେ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଛି। ବିଏନଏସର ଧାରା ୩୧୯(୨), ୩୧୮(୪), ୩୩୮, ୩୩୬(୩), ୩୪୦(୨), ୧୧୧, ୬୧(୨), ୩(୫), ୧୧(୧) ଓ ୧୨(୧) ଧାରାରେ ମାମଲା ରୁଜୁ ହୋଇଛି। ସମସ୍ତ ୧୧୭ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ। ଜାଲିଆତି ଖବର ଜଣାପଡ଼ିବା ପରେ ଆସନ୍ତା ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ।

ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ ଥମୁନି ଆନ୍ଦୋଳନ ; ବିଭିନ୍ନ ଦାବିରେ ଜାରି ରହିଛି ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ: ନିର୍ବାସିତ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀର ବା ପିଓଜେକେର ନେତା ତଥା ୟୁନାଇଟେଡ କାଶ୍ମୀର ପିପୁଲ୍ସ ନ୍ୟାସନାଲ ପାର୍ଟି ନେତା ସୌକତ ଅଲ୍ଲୀ କାଶ୍ମୀରୀଙ୍କ ବଡ଼ ବୟାନ। ଜଏଣ୍ଟ ଆୱାମି ଆକ୍ସନ କମିଟି ବ୍ୟାନରରେ ଗତ ୨ବର୍ଷ ଧରି ଆନ୍ଦୋଳନ ଚାଲିଛି ଏବଂ ଏହି ଆନ୍ଦୋଳନ ହେଉଛି ତାଙ୍କର ମୌଳିକ ଅଧିକାର। ପାକ୍ ଅଧିକୃତ କାଶ୍ମୀରର ଲୋକଙ୍କୁ ବିଭିନ୍ନ ଅଧିକାରରୁ ଗତ ୭୭ ବର୍ଷ ଧରି ବଞ୍ଚିତ କରାଯାଇଛି । ଲୋକଙ୍କ ଦାବିକୁ ରାଜନୈତିକ ଦଳଗୁଡିକ ନିଜ ନିଜ ସ୍ତରରେ ଉତଥାପନ କରିଆସୁଛନ୍ତି। ବିଭିନ୍ନ ରାଜନୈତିକ ଦଳ ଓ ସାଧାରଣ ଲୋକ ଏକ ଜଏଣ୍ଟ ଆକ୍ସନ କମିଟି ଗଠନ କରିଛନ୍ତି। ସେମାନେ ଏହି ଆନ୍ଦୋଳନକୁ ଦୀର୍ଘଦିନ ଚଳାଇ ଆସିଛନ୍ତି। ସ୍ଥାନୀୟ ଅଧିବାସୀ ବିଦ୍ୟୁତ ଅଭାବର ଶିକାର ହେଉଥିବାବେଳେ ବେକାରୀ ବଢିଛି। ସେଠାରେ ଚାଲିଥିବା ପପେଟ ସରକାର ଲୋକଙ୍କ ଦାବି ପୂରଣ କରିବାକୁ ଅକ୍ଷମ। ଯଦି ଏହି ସମସ୍ତ ଦାବି ପୂରଣ ନହୁଏ ତେବେ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ ଲକଡାଉନ କରାଯିବ ଏବଂ ପାକିସ୍ତାନରୁ ସେଠାକୁ ଯାଇଥିବା ସମସ୍ତ ପ୍ରବେଶ ପଥକୁ ବନ୍ଦ କରିଦିଆଯିବ ବୋଲି ସେ କହିଛନ୍ତି।

ଯଦି ପିଓକେରେ ଲକଡାଉନ ହୁଏ ତେବେ ଲକ୍ଷ ଲକ୍ଷ ଶିଶୁ, ମହିଳା ଓ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି। ସମସ୍ତ ରାଜନୈତିକ, ସାମାଜିକ ଓ ମୌଳିକ ଅଧିକାର ସଂକ୍ରାନ୍ତ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚାଲିବ ବୋଲି ସେ କହିଛନ୍ତି।

ରେପୋ ରେଟ ୫.୫ ପ୍ରତିଶତ ଅପରିବର୍ତ୍ତିତ ରଖିଲା RBI

ନନ୍ଦିଘୋଷ ବ୍ୟୁରୋ: ରେପୋ ରେଟ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋରେଟ ରହିଛି ୫.୫ ପ୍ରତିଶତ। ମନିଟାରୀ ପଲିସି କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି। ସେହିପରି ଷ୍ଟାଣ୍ଡିଂ ଫାସିଲିଟି ଡିପୋଜିଟ ବା ଏସଡିଏଫ ରେଟ ରହିଛି ୫.୨୫ପ୍ରତିଶତ। ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ବା ଏମଏସଏଫ ରେଟ ଓ ବ୍ୟାଙ୍କ ରେଟ୍ ୫.୭୪ ପ୍ରତିଶତ ରଖାଯାଇଛି। ସେ କହିଛନ୍ତି ଦେଶରେ ମୁଦ୍ରାସ୍ଫୀତି ଗତ କିଛି ମାସ ଭିତରେ ଆଶାତୀତ ଭାବେ ତଳକୁ ଖସିଛି। ଜୁନରେ ମୁଦ୍ରାସ୍ଫୀତି ହାର ୩.୭ ପ୍ରତିଶତ ଥିବାବେଳେ ବର୍ତ୍ତମାନ ତାହା ୨.୬ ପ୍ରତିଶତକୁ ହ୍ରାସ ପାଇଛି। ଅଗଷ୍ଟରେ ଏହି ହାର ଥିଲା ୩.୧ ପ୍ରତିଶତ। ଖାଦ୍ୟ ପଦାର୍ଥର ଦର କମିବା ଓ ଜିଏସଟି ହ୍ରାସ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।

ଆମେରିକାରେ ଅଭୂତପୂର୍ବ ସଙ୍କଟ ; ଅନ୍ତରୀଣ ପାଣ୍ଠି ଯୋଗାଣ ବିଲ ହୋଇପାରିଲାନି ଅନୁମୋଦିତ

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ଅଭୂତପୂର୍ବ ସଙ୍କଟ । ଷ୍ଟପଗ୍ୟାପ ଫଣ୍ଡିଂ ବିଲ୍ ବା ଅନ୍ତରୀଣ ପାଣ୍ଠି ଯୋଗାଣ ବିଲକୁ ଅନୁମୋଦନ କରିବାରେ ସିନେଟ ବିଫଳ ହେବା ପରେ ଏହାକୁ ନେଇ ସରକାର ପରିଚାଳନାରେ ଘନସଙ୍କଟ ଦେଖାଦେଇଛି । ଏପରିକି ସରକାରୀ କର୍ମଚାରୀଙ୍କୁ ଛଟେଇ କରିବାକୁ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଧମକ ଦେବା ପରେ ସ୍ଥିତି ଅଧିକ ଜଟିଳ ହୋଇଛି । ସିନେଟରେ ଅନୁଷ୍ଠିତ ଭୋଟରେ ବିଲ କାଟ ଖାଇବା ପରେ ଏହି ସଙ୍କଟ ସୃଷ୍ଟି ହୋଇଛି । ଏପରିକି ଅଣଜରୁରୀ ସେବାକୁ ବାତିଲ କରିବା ଲାଗି ବିଭିନ୍ନ ସଂସ୍ଥା ପଦକ୍ଷେପ ନେବା ଆରମ୍ଭ କରିଥିବା ସୂଚନା ମିଳିଛି । ଫଳରେ ବିମାନଯାତ୍ରା, ଅର୍ଥନୈତିକ ରିପୋର୍ଟ, ଗବେଷଣା, କ୍ଷୁଦ୍ର ବ୍ୟାବସାୟିକ ଋଣ କାର୍ଯ୍ୟାଳୟ ଉପରେ ଏହାର ତୁରନ୍ତ ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଡେମୋକ୍ରାଟ ଓ ରିପବ୍ଲିକାନ ସାଂସଦଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲେ ବି ଫଳ ମିଳିନାହିଁ । ମଙ୍ଗଳବାର ହିଁ ରାଜସ୍ବ ବର୍ଷର ଶେଷ ଦିନ ହୋଇଥିବାରୁ ସେହିଦିନ ଅନ୍ତରୀଣ ଆର୍ଥିକ ବିଲ୍ ପାସ୍ ହେବାର ଆବଶ୍ୟକତା ଥିଲା । ବିଲକୁ ପାସ୍ କରିବା ଲାଗି ସୋମବାର ରାଷ୍ଟ୍ରପତି ଟ୍ରମ୍ପ ବୈଠକ କରିଥିଲେ ହେଁ ତାହା ନିଷ୍ଫଳ ହୋଇଛି ।

ଏହି ପ୍ରସଙ୍ଗରେ ତାତିଥିବା ଟ୍ରମ୍ପ କହିଛନ୍ତି- ସିନେଟର ଏହି ପଦକ୍ଷେପ ଯୋଗୁ ଅନେକ କର୍ମଚାରୀ ଛଟେଇ ହେବେ ଏବଂ ବହୁଳ ଲୋକ ପ୍ରଭାବିତ ହେବେ  । ଚଳିତ ବର୍ଷ ପ୍ରଥମ ଭାଗରେ ଏଲନ ମସ୍କ ନେତୃତ୍ବରେ ଗଠିତ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ଜରିଆରେ ବହୁ କର୍ମଚାରୀଙ୍କୁ ଛଟେଇ କରାଯିବା ପରେ ଏବେ ଟ୍ରମ୍ପଙ୍କ ଘୋଷଣା ଅନେକ ଆଶଙ୍କା ସୃଷ୍ଟି କରିଛି  । ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ସରକାରୀ ପାଣ୍ଠି ଯୋଗାଣ ବିଲ୍ ସକାଶେ ୬୦ ଭୋଟ ଦରକାର  । ସିନେଟରେ ରିପବ୍ଲିକାନଙ୍କ ସଂଖ୍ୟା ୫୩ ଥିବାବେଳେ ଡେମୋକ୍ରାଟଙ୍କ ସଂଖ୍ୟା ୪୫ ରହିଛି  । ବିଲ୍ ଲାଗି ଅନୁଷ୍ଠିତ ଭୋଟରେ ବିଲ୍ ସପକ୍ଷରେ ୫୫ ଭୋଟ ମିଳିଥିବାବେଳେ ବିପକ୍ଷରେ ମିଳିଥିଲା ୪୫  । ବିଲ୍ ପାସ୍ ହୋଇ ନପାରିବା ଯୋଗୁ ହଜାର ହଜାର କର୍ମଚାରୀ ବିନା ଦରମାରେ କାମ କରିବେ  । ଗତ ୨୦୧୮ ଡିସେମ୍ବରରେ ବି ଟ୍ରମ୍ପଙ୍କ ଶାସନ କାଳରେ ଏହି ଧରଣର ସଙ୍କଟ ଉପୁଜିଥିଲା ଯାହା ୩୫ ଦିନ ଯାଏ ଲାଗି ରହିଥିଲା  । ।ଆମେରିକାରେ ୧୯୮୧ ପରଠାରୁ ବର୍ତ୍ତମାନ ସୁଦ୍ଧା ୧୫ଥର ଏହି ଧରଣର ସମସ୍ୟା ସୃଷ୍ଟି ହୋଇଛି

ଫିଲିଫାଇନ୍ସରେ ପ୍ରକୃତି ଦେଖାଇଲା କରାଳ ରୂପ ; ୬୦ ମୃତ

ନନ୍ଦିଘୋଷ ବ୍ୟୁରୋ: ଫିଲିଫାଇନ୍ସରେ ପ୍ରକୃତି ଦେଖାଇଲା କରାଳ ରୂପ । ସୁପର ଟାଇଫୁନ ରାଗାସାର ତାଣ୍ଡବ ପରେ ଏବେ ଭୟଙ୍କର ଭୂକମ୍ପରେ ଥରିଛି ଫିଲିଫାଇନ୍ସ । ଭୂକମ୍ପରେ ୬୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୬.୯ ଭୂକମ୍ପର କେନ୍ଦ୍ରସ୍ଥଳ ସେବୁ ଅଞ୍ଚଳ ବୋଲି ଜଣାପଡିଛି। ବୋଗୋ ଅଞ୍ଚଳରେ ବହୁ ବଡ ବଡ କୋଠା ଓ ରାସ୍ତାଘାଟ ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଛି । କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଯାଇଛନ୍ତି ।

ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଉଦ୍ଧାରକାରୀ ଦଳ । ଭଙ୍ଗା ଘରଦ୍ବାର ତଳେ ଫସିଥିବା ଲୋକଙ୍କୁ ଖୋଜାଖୋଜି କରି ଉଦ୍ଧାର କରୁଛି ଉଦ୍ଧାରକାରୀ ଦଳ ।