spot_img
Home Blog Page 322

ଦୁଇ ଗାଁ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ : ପ୍ରବଳ ଟେକା ପଥର ମାଡ଼, ଜାଳି ଦେଲେ ଦୋକାନ

ନନ୍ଦିଘୋଷ ବ୍ୟୁରୋ : ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ। ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାର କୋଟପଲା ଏବଂ ଓସ୍ତପୁର ମଧ୍ୟରେ ହିଂସାକାଣ୍ଡ। ବଜାରରେ ଥିବା ସବୁ ଦୋକାନ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ପ୍ରବଳ ଟେକା ପଥର ମାଡ଼। ଖୋର୍ଦ୍ଧା ବାଙ୍କୀ ରାସ୍ତାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ଉଭୟ ପାର୍ଶ୍ଵରେ ଯିବା ଆସିବା ବନ୍ଦ ରହିଛି। ଗାଡ଼ି ମଟର ଅଟକି ରହିଛି। କୋଟପଲା ଏବଂ ଓସ୍ତପୁର ଗାଁର ନାମ ଫଳକ ଲଗାଇବାକୁ ନେଇ ୩ ମାସ ହେଲା ବିବାଦ ଚାଲିଛି। ଅଗଷ୍ଟ ମାସରୁ ଏହି ଗଣ୍ଡଗୋଳ ଲାଗି ରହିଛି। ପ୍ରଶାସନ ୧୬୩ ଧାରା ଲଗାଇଥିଲା। ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା ପରେ ଶାନ୍ତି ଫେରୁଥିଲା । କିନ୍ତୁ ଆଜି ପୁଣି ଥରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି। ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ଓ ୫ ପ୍ଲାଟୁନ ଫୋର୍ସ ପହଞ୍ଚିଛନ୍ତି।

ପଡ଼ିଆରେ ଅଶୋଭନୀୟ ଆଚରଣ : ଅଭଦ୍ରାମୀ ଲାଗି ଦଣ୍ଡିତ ହେଲେ ପାକିସ୍ତାନର ଖେଳାଳି ହାରିସ ରୌଫ

ନନ୍ଦିଘୋଷ ବ୍ୟୁରୋ : ମହଙ୍ଗା ମହଙ୍ଗା ପଡ଼ିଲା ପଡ଼ିଆରେ ଅଶୋଭନୀୟ ଆଚରଣ। ଅଭଦ୍ରାମୀ ଲାଗି ଦଣ୍ଡିତ ହେଲେ ପାକିସ୍ତାନର ଖେଳାଳି। ପାକିସ୍ତାନୀ ଖେଳାଳି ହାରିସ ରୌଫଙ୍କୁ ଦୁଇଟି ମ୍ୟାଚ୍ ପାଇଁ ନିଲମ୍ବିତ କରିଛି ICC । ଭାରତ ବିପକ୍ଷ ଏସିଆ କପର ସୁପର ୪ ମ୍ୟାଚ୍‌ରେ ଆତଙ୍କୀ ମାନସିକତା ପ୍ରଦର୍ଶନ କରି ଓଦ୍ଧତ୍ୟର ସୀମା ଟପି ଥିବା ପାକିସ୍ତାନର ଦ୍ରୁତ ବୋଲର ହାରିଶ ରୌଫଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି।

ପଡ଼ିଆରେ ଯୁଦ୍ଧ ବିମାନର ଇଙ୍ଗିତ କରି ଦର୍ଶକଙ୍କୁ ଉସକାଇବା ଭଳି ସଙ୍କେତ ଦେଇଥିବା ଅଭିଯୋଗ ହୋଇଛି ।ଭବିଷ୍ୟତରେ ନିଜ ଆଚରଣ ଓ ଉଚାରଣରେ ସଂଯମତା ରଖା କରିବାକୁ ମଧ୍ୟ ଆଇସିସି ପକ୍ଷରୁ ରୌଫଙ୍କୁ ପରାମର୍ଶ ଦିଆଯାଇଛି। ଜଣେ ଭାରତୀୟ ବ୍ୟାଟରଙ୍କୁ ଆଉଟ କରିବା ପରେ ବିମାନ ଦୁର୍ଘଟଣା ଭଳି ହାତରେ ଇଙ୍ଗିତ କରିଥିବା ରୌଫଙ୍କୁ ଆଇସିସି ପ୍ୟାନେଲରେ ଥିବା ସଦସ୍ୟମାନେ ସମାଲୋଚନା କରିଛନ୍ତି। ଏହା କ୍ରୀଡ଼ା ମନୋଭାବର ବିରୋଧାଚରଣ ବୋଲି ସେମାନେ ମତ ରଖି ରୌଫଙ୍କୁ ଦଣ୍ଡିତ କରିଛନ୍ତି। ସେହିଭଳି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ତାଙ୍କ ମ୍ୟାଚ୍ ଫିର ୩୦ ପ୍ରତିଶତ ଜରିମାନା କରାଯାଇଛି। ଦୁବାଇରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବୈଠକ ବେଳେ ଏଭଳି ନିଷ୍ପତ୍ତି ନିଆଯାଇଛି ।

କାଲି ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ସରିଛି ପ୍ରଚାର, ଆଜି ସାଇଲେନ୍ସ ପିରିୟଡ୍

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା କାଲି ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଗତକାଲି ପ୍ରଚାର ସରିଥିବା ବେଳେ ଆଜି ସାଇଲେନ୍ସ ପିରିୟଡ୍ । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ପଡ଼ିବ ଭୋଟ। ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। କେବଳ ପାଟଣା ବିଧାନସଭାରେ ଅଛନ୍ତି ୧୪୯ ପ୍ରାର୍ଥୀ। ପ୍ରଥମ ପର୍ଯ୍ୟାୟ ମତଦାନର ବେଶ୍ ଗୁରୁତ୍ଵ ରହିଛି। କାରଣ ଏହି ପର୍ଯ୍ୟାୟରେ ଯାହାର ପଲା ଭାରି ରହିବ, ପୂରା ଜନମତ ତା ସପକ୍ଷରେ ଯିବ ବୋଲି ସମୀକ୍ଷକ କହୁଛନ୍ତି। ଆଗରୁ ତ ଲାଲୁ-ନୀତୀଶ ହିଁ ବିହାର ରାଜନୀତିରୁ ଦୁଇ ମୁଖ୍ୟ ବିନ୍ଦୁ ଥିଲେ। ବାକିମାନେ ଏହି ଦୁଇ ଭେଟେରାନଙ୍କ ଚାରିପଟେ ବୁଲୁଥିଲେ। ଏଥର କିନ୍ତୁ ଗେମ୍ ବିଗାଡ଼ି ପାରନ୍ତି ନୂଆ ଖେଳାଳି ପ୍ରଶାନ୍ତ କିଶୋର। ତାଙ୍କର ଜନ ସୁରାଜ ପାର୍ଟି ପୁରା ବିହାରରେ ପ୍ରାର୍ଥୀ ଦେଇଛି। ଏହି ପାର୍ଟିର ପ୍ରଭାବ ବିହାର ନିର୍ବାଚନରେ କି ପ୍ରଭାବ ପକାଇବ, ତାକୁ ନେଇ ସମସ୍ତେ ଆଶା ଆଶଙ୍କାରେ। ବିଶେଷ କରି ପ୍ରଶାନ୍ତ କିଶୋର ବିଜେପି ଓ ଜେଡିୟୁର ଘାଟା କରିବେ ବୋଲି ଚର୍ଚ୍ଚା ହେଉଛି।

ଆଜିଠୁ ଦୁଲୁକିବ ମହାନଦୀ ପଠା, ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଦୁଲୁକିବ କଟକ ମହାନଦୀ ପଠା । ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ବିସ୍ତିର୍ଣ୍ଣ ବାଲୁକା ଶଜ୍ଯାରେ ୮ ଦିନ ଧରି ଚାଲିବ ବିପଣୀ । ଷ୍ଟଲ ସଜାଇବାରେ ବ୍ୟସ୍ତ ବ୍ୟବସାୟୀ । ଲାଗି ଗଲାଣି ଦୋଳି । ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ୮ ଦିନ ଧରି ରଙ୍ଗାରଙ୍ଗ ମ୍ୟୁଜିକାଲ ନାଇଟ ରାତି ୧୧ ଟା ଯାଏ ଆୟୋଜିତ ହେବ । ସେପଟେ ଉପର ବାଲିଯାତ୍ରା ପଡିଆକୁ ନେଇ ବ୍ଯବସାୟୀଙ୍କ ଅସନ୍ତୋଷ ଜାରି ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଚତୁରତାର ସହ ଉପର ପଡ଼ିଆରେ ଯାତ୍ରା ଆୟୋଜନ ବନ୍ଦ କରି ଲୋକଙ୍କ ପ୍ରତି ଅନ୍ୟାୟ କରିଛି ବୋଲି ଅଭିଯୋଗ ହୋଇଛି । ତେବେ ଉପର ପଡ଼ିଆରେ ଉଠା ଦୋକାନୀଙ୍କୁ ସୁଯୋଗ ଦିଆଯାଇଥିବାବେଳେ ଦହିବରା ଜୋନ ଓ ପିଲାଙ୍କ ମନୋରଞ୍ଜନ ପାଇଁ ପ୍ଲେ ଜୋନର ବ୍ୟବସ୍ଥା କରାଯାଇଛି ।

ଆଜି ଶୀଜିଉଙ୍କ ରାଜାଧିରାଜ ବେଶ ; ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଆଜି ଶୀଜିଉଙ୍କ ରାଜାଧିରାଜ ବା ସୁନା ବେଶ । ଦ୍ବାର ଫିଟିବା ପରେ ମଙ୍ଗଳଆଳତି, ମଇଲମ, ଅବକାଶ ଆଦି ନୀତି କରାଯାଇ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ କରାଯାଉଛି । ବିବିଧ ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ହରିଡ଼ା ମାଳି, ବାହାଡା ମାଳି, ଶ୍ରୀପୟର, ଶ୍ରୀଭୁଜ, କିରିଟ, କୁଣ୍ଡଳ, ଘାଗଡା ମାଳି, ବାଘ ନଖ ମାଳି, ଆଦି ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ସାଆନ୍ତେଙ୍କ ଦୁର୍ଲଭ ଦର୍ଶନ କରି କୃତାର୍ଥ ହେବେ ଭକ୍ତ । ରାଜରାଜେଶ୍ୱର ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମିଳିବା ସହ ଐଶ୍ବର୍ଯ୍ୟ ପ୍ରାପ୍ତି ହେବାର ବିଶ୍ବାସ ରହିଛି । ଜନସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ରହିଛି ।

ଆଜି କାର୍ତ୍ତିକ ପୂର୍ଣ୍ଣିମା ; ସବୁଠି ଶୁଭୁଛି ଶୁଭିଛି …ଆ ..କା…ମା…ବୈ….

ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଭୋରରୁ ଉଠି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି, ବୋଇତ ବନ୍ଦାଣ କରିଛନ୍ତି। ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଲୋକେ ପୋଖରୀ,ନଦୀକୁ ଯାଇ ଡଙ୍ଗା ଭସାଇଛନ୍ତି। ଏହା ସହିତ ଶୁଭିଛି …ଆ ..କା…ମା…ବୈ … ପାନ ଗୁଆ ଥୋଇ …ପାନ ଗୁଆ ତୋର … ମାସକ ଧର୍ମ ମୋର । ଏହା କହି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି। ପୋଖରୀ, ନଦୀ ପ୍ରମୁଖ ପବିତ୍ର ଜଳାଶୟରେ ଭୋରରୁ ହିଁ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି। କେତେକ ସ୍ଥାନରେ ଦୀପଦାନ କରିବାର ମଧ୍ୟ ପରମ୍ପରା ରହିଛି।

ଥଇଥାନ ହେବେ ଦୋକାନୀ: ଛାଡ଼ଖାଇ ପାଇଁ ୟୁନିଟ-୪ ମାର୍କେଟରେ ଦୋକାନୀଙ୍କୁ ଛାଡ଼

ଏଣିକି ରାସ୍ତାରେ ନୁହେଁ ହାଟ ପିଣ୍ଡିରେ କରିବେ ବେପାର । ଉଛେଦ କରାଯାଇଥିବା ଦୋକାନୀକୁ ଥଇଥାନ ନ କଲେ ଭୁବନେଶ୍ୱର ୟୁନିଟ ୪ ଆମିଷ ବଜାରରେ ଛାଡ଼ଖାଇରେ ଆମିଷ ମିଳିବନି ବୋଲି ଚେତାବନୀ ପରେ ବିଏମସିର ଚେତା ପଶିଛି । ଛାଡଖାଇ ଉଚ୍ଛେଦ ୪ ନମ୍ବର ବଜାରକୁ ଛାଡ କରିଛି ବିଏମସି । ବ୍ୟବସାୟୀଙ୍କ ସହ ଆଲୋଚନା ପରେ ପୁଣି ଥରେ ସେହି ସ୍ଥାନରେ ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି ।ଗତ ଅକ୍ଟୋବର ୨୯ ରେ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ୟୁନିଟ ୪ ଆମିଷ ବଜାରରେ ପ୍ରାୟ ୧୪ ରୁ ୧୬ଟି ଦୋକାନ ଭାଙ୍ଗି ଦିଆଯାଇଥିଲା । ତେବେ ଆଗକୁ ଛାଡଖାଇ ଥିବାରୁ ଆଲୋଚନା ପରେ ଅସ୍ଥାୟୀ ଭାବେ ସେହିଁ ସ୍ଥାନରେ ପୁଣି ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି । ସ୍ଥାୟୀ ବ୍ୟବସ୍ଥା ହେବା ପରେ ୨୩ ଜଣ ଦୋକାନୀଙ୍କ ମଧ୍ୟରୁ ବ୍ୟବସାୟୀଙ୍କ ପାଇଁ ଉଦିଷ୍ଟ ବଜାରରୁ ପ୍ରଥମେ ୧୭ ଓ ପରେ ୬ ଜଣଙ୍କୁ ଥଇଥାନର ବ୍ୟବସ୍ଥା କରାଯିବ । ଏହାସହ ସାମ୍ନାରେ ଯେଉଁ ମାଛ ଦୋକାନୀ ରହିଛନ୍ତି ସେମାନଙ୍କୁ ମଧ୍ଯ ପିଣ୍ଡି କରି ସ୍ଥାନାନ୍ତର କରାଯିବ । ବଜାରର ମରାମତି କାମ ସହ ଥଇଥାନ ପାଇଁ ୩ ମାସ ସମୟ ଲାଗିବ ।

ସାବଧାନ! ଫାର୍ମାସି ଡିଗ୍ରୀ ନଥିବା ଲୋକ ବିକୁଛନ୍ତି ଔଷଧ

ଡାକ୍ତରଙ୍କୁ ନ ଦେଖାଇ ଦୋକାନରୁ ମନଇଚ୍ଛା ଔଷଧ କିଣୁଛନ୍ତି କି ? ସାବଧାନ ହୋଇ ଯାଆନ୍ତୁ । କାରଣ ଏହି ଔଷଧ ଦେଉଛନ୍ତି ଫାର୍ମାସି ଡିଗ୍ରୀ ନଥିବା ଲୋକ । ଯାହା ପ୍ରାଣଘାତକ ହୋଇପାରେ । ବିଭିନ୍ନ ଔଷଧ ଦୋକାନୀ ଫାର୍ମାସି ଡିଗ୍ରୀଧାରୀଙ୍କୁ ରଖିଥିବା ନେଇ କହୁଛନ୍ତି । ହେଲେ ସମସ୍ତେ ସତ କହୁ ନାହାନ୍ତି । ଯେଉଁ ଫାର୍ମାସିଷ୍ଟକୁ ଔଷଧ ଦୋକାନରେ ଦେଖୁଛନ୍ତି, ହୁଏତ ଦୋକାନରେ ସେହି ବ୍ୟକ୍ତିଙ୍କ ଲାଇସେନସ୍ ନଥାଇ ପାରେ । ଯାହା ଫର୍ମାସିଷ୍ଟ ଆଇନ ୧୯୪୮ର ଉଲଂଘନ କରୁଛି । ଏହାକୁ ବିରୋଧ କରିଛି ଓଡ଼ିଶା ବ୍ୟାଚେଲର ଅଫ୍ ଫାର୍ମାସି ଆସୋସିଏସନ୍ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଫେରାଦ କରି ସେମାନେ ଦାବିପତ୍ର ଦେଇଛନ୍ତି । ଆଇନ ଖିଲାପକାରୀ ଦୋକାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶା ବ୍ୟାଚେଲର ଅଫ୍ ଫାର୍ମାସି ଆସୋସିଏସନ ଦାବି କରିଛି । ଦୋକାନରେ ଯେପରି ଫାର୍ମାସି ଡିଗ୍ରୀ ଥିବା ବ୍ୟକ୍ତି ହିଁ ଔଷଧ ବିକୁଥିବେ, ତାହାର ତଦାରଖ ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

ଏପରି ଏକ ଦାବି ଆସିବା ପରେ ଡ୍ରଗସ୍ କଣ୍ଟ୍ରୋଲର ଆରମ୍ଭ କଲେଣି ଘନ ଘନ ରେଡ । ଭୁବନେଶ୍ବରର ୯ଟି ଔଷଧ ଦୋକାନରେ ଅଚାନକ ଚଢାଉ କରାଯାଇଥିଲା । ୪ଟି ଦୋକାନରେ ଫାର୍ମାସି ଡିଗ୍ରୀ ନଥିବା ଜଣା ପଡ଼ିବା ପରେ ଏହି ଦୋକାନ ଗୁଡ଼ିକର ଔଷଧ ବିକ୍ରି ଉପରେ ରୋକ ଲଗା ଯିବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଦୋକାନରେ ଫାର୍ମାସି ଡିଗ୍ରୀ ଥିବା ନେଇ ସଠିକ ତଥ୍ୟ ଦେବା ପରେ ହିଁ ସେହି ଦୋକାନ ଗୁଡ଼ିକରେ ପୁଣି ଥରେ ଔଷଧ ବିକ୍ରି ଆରମ୍ଭ ହୋଇ ପାରିବ । ପୂର୍ବରୁ ଗାଁ ଗହଳିରେ ମନଇଚ୍ଛା ଔଷଧ ବିତରଣର ଖବର ଆସୁଥିଲା । ଭୁଲ ଔଷଧ ଖାଇ ଜୀବନ ଯିବାର ବି ଅନେକ ନଜିର ରହିଛି । ହେଲେ ଏବେ ସହରରେ ଶିକ୍ଷିତ ଲୋକ ବି ଡାକ୍ତରଙ୍କ ପାଖକୁ ନ ଯାଇ ଔଷଧ ଦୋକାନୀକୁ ବିଶ୍ବାସ କରିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି ।

ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ୪ ଦିନିଆ ଭାରତୀୟ ରୋଡ କଂଗ୍ରେସ

୧୦ ବର୍ଷ ପରେ ଓଡ଼ିଶାକୁ ଫେରୁଛି ଇଣ୍ଡିଆନ ରୋଡ କଂଗ୍ରେସ । ୬ ତାରିଖରେ ପ୍ରଦର୍ଶନୀ, ୭ ତାରିଖରୁ ୧୦ ତାରିଖ ଯାଏଁ ସମ୍ମିଳନୀ। ୪ ଦିନିଆ ଆଇଆରସି ପାଇଁ ସଜେଇ ହେଉଛି ଜନତା ମଇଦାନ। ରାସ୍ତା ନିର୍ମାଣ କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର ବ୍ୟବହାର ଉପରେ ସମ୍ମିଳନୀରେ ହେବ ଆଲୋଚନା। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ସମ୍ମିଳନୀର କରିବେ ଶୁଭାରମ୍ଭ, ଯୋଗଦେବେ ଇଂଜିନିୟର, ବିଶେଷଜ୍ଞ, ଅଧିକାରୀ। ରାସ୍ତାରେ କିପରି ଦୁର୍ଘଟଣା କମିବ, ଯାତ୍ରୀଙ୍କ ସୁରକ୍ଷା ବଢିବ, ଗାଡ଼ି ଚାଳକଙ୍କ ପାଇଁ ରାସ୍ତା ନିରାପଦ ହେବ, ଟ୍ରାଫିକ କମିବ, ଏସବୁ ପ୍ରସଙ୍ଗରେ ଇଣ୍ଡିଆନ ରୋଡ କଂଗ୍ରେସରେ ବିସ୍ତୃତ ଭାବେ ଆଲୋଚନା ହେବ। ୬ ତାରିଖରେ ରାସ୍ତା ନିର୍ମାଣ ସମ୍ପର୍କିତ ମେସିନାରୀ ଓ ଟେକ୍ନୋଲୋଜିକୁ ନେଇ ପ୍ରଦର୍ଶନୀ ଆରମ୍ଭ ହେବ। ୭ ତାରିଖରେ ଉଦଘାଟନୀ ଉତ୍ସବ ପରେ ବିଭିନ୍ନ ଟେକନିକାଲ ସେସନରେ ବିଶେଷଜ୍ଞ ଓ ଇଂଜିନିୟରମାନେ ସେମାନଙ୍କ ମତ ରଖିବେ।

ରାଜ୍ୟ ତଥା ଦେଶ ବାହାରୁ ପ୍ରାୟ ସାଢେ ୩ ହଜାର ପ୍ରତିନିଧି ଏହି ସମ୍ମିଳନୀରେ ଭାଗ ନେବେ। ସେମାନଙ୍କ ପାଇଁ ଆତିଥୟେତା, ରହିବା ବ୍ୟବସ୍ଥା ସାଙ୍ଗକୁ ଓଡ଼ିଶା ପରମ୍ପରାରେ ସ୍ବାଗତ ପାଇଁ ଆୟୋଜନ ହୋଇଛି । ଯେହେତୁ ରାସ୍ତା ନିର୍ମାଣ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ମଞ୍ଚ, ଏଥିରେ ରାସ୍ତାର ବିଭିନ୍ନ ଦିଗ ପ୍ରତି ଆଲୋଚନା କରାଯିବ। ନୂଆ ରାସ୍ତା ନିର୍ମାଣ ବେଳେ ଭବିଷ୍ୟତ ଯୋଜନା ପାଇଁ ଉଭୟ ପାର୍ଶ୍ବରେ ୫୦ ଫୁଟ ଲେଖାଏଁ ଜାଗା ଛାଡ଼ିବା ଉପରେ ଗୁରୁତ୍ବ ଦେଇଛନ୍ତି ବିଶେଷଜ୍ଞ। ଓଡ଼ିଶାରେ ଆଇଆରସି ଆୟୋଜନ ହେବା ସୌଭାଗ୍ୟର କଥା, ହେଲେ ଏଥିରୁ ଓଡ଼ିଶାକୁ କେମିତି ଫାଇଦା ମିଳିବ, ତା ଉପରେ ଧ୍ୟାନ ଦେବା ଦରକାର। ଗାଡ଼ି ଚାଳକଙ୍କ ପାଇଁ ପ୍ରତି ୩୦ କିଲୋମିଟରରେ ବିଶ୍ରାମ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ ମଝିରେ କ୍ରସିଂ ନରଖିବା, ଅତ୍ୟାଧୁନିକ ଟେକ୍ନୋଲାଜି ବ୍ୟବହାର କରି ଦୁର୍ଘଟଣା ମୁକ୍ତ କରିବା ଉପରେ ଆଇଆରସିରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ଓଡ଼ିଶାରେ ଇଣ୍ଡିଆନ ରୋଡ କଂଗ୍ରେସ ୧୯୫୪, ୧୯୮୨, ୧୯୯୪, ୨୦୦୫, ୨୦୧୫ରେ ହୋଇଥିବା ବେଳେ ଏଥର ୮୪ତମ ଆଇଆରସି ଜନତା ମଇଦାନରେ ଆୟୋଜିତ ହେଉଛି। ଏହାକୁ ସଫଳ କରିବାକୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସବୁ ପ୍ରକାର ପ୍ରସ୍ତୁତି କରିଥିବା ବେଳେ ଅନ୍ୟ ବିଭାଗଗୁଡ଼ିକ ସହାୟତା କରୁଛନ୍ତି।

ବିଜେପିର ନିଜ ନେତା ଉପରେ ବିଶ୍ଵାସ ନାହିଁ, ଛତିଶଗଡ଼ି ନେତାଙ୍କ ଉପରେ ଭରସା

ବିଜେପିର ଛତିଶଗଡ଼ି ପ୍ରେମ । ନିଜ ନେତା ଉପରେ ବିଶ୍ଵାସ ନାହିଁ ବୋଲି ଛତିଶଗଡ଼ି ନେତାଙ୍କ ଉପରେ ଭରସା। ଏହା ଦେଖିବାକୁ ମିଳୁଛି ନୂଆପଡ଼ା ଉପନିର୍ବାଚନରେ। ନୂଆପଡ଼ାରେ ଡେରା ପକାଇଛନ୍ତି ମାଳ ମାଳ ଛତିଶଗଡ଼ି ନେତା। ବିଜେପି ପାଇଁ ପ୍ରଚାର କରୁଛନ୍ତି ସେମାନେ। ଏହାକୁ ନେଇ ବର୍ଷିଛି ବିଜେଡି। ଦଳ ଅଭିଯୋଗ କରିଛି – ଯେଉଁ ଛତିଶଗଡ଼ ଆମର ମହାନଦୀକୁ ଅଟକାଇ ପାଣି ଦେଉନି, ସେହି ଛତିଶଗଡ଼ର ବିଜେପି ନେତାଙ୍କୁ ପ୍ରଚାର କାମରେ ଲଗାଇଛି ରାଜ୍ୟ ବିଜେପି। ଛତିଶଗଡ଼ର ନେତାଙ୍କୁ ଘର ଘର ବୁଲାଇ ଭୋଟ ମାଗୁଛି ବିଜେପି। ନୂଆପଡ଼ାବାସୀ ଏହାର ଜବାବ ଦେବେ ବୋଲି ଚେତାଇ ଦେଇଛି ବିଜେଡି।

ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ମଧ୍ୟ ଉଠାଇଛି ମହାନଦୀ ପାଣି ପ୍ରସଙ୍ଗ। ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, ମହାନଦୀର ପାଣି ଟିକକ ପାଇଁ ଆଜି ଆମେ ଡହଳ ବିକଳ ହେଉଥିବା ବେଳେ ଛତିଶଗଡ଼ରୁ ନେତା ଆଣି ନୂଆପଡ଼ାରେ ପ୍ରଚାର କରୁଛି ବିଜେପି। ବିଜେପି ଓଡ଼ିଆ ଅସ୍ମିତାର ନାରା ଦିଏ ସିନା, କିନ୍ତୁ ତାର ଠିକ୍ ଓଲଟା କାମ କରେ। ଛତିଶଗଡ଼ି ନେତାଙ୍କୁ ନୂଆପଡ଼ା ପ୍ରଚାରରେ ଲଗାଇଥିବାରୁ ବିଜେପିକୁ କଟାକ୍ଷ କରିଛି କଂଗ୍ରେସ। ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଦଳ କହିଛି। ନୂଆପଡ଼ା ଲଢ଼େଇ ରହିଲା ଆଉ ମାତ୍ର ୬ ଦିନ ଦିନ। ପ୍ରଚାର ପାଇଁ ହାତରେ କେବଳ ୫ ଦିନ। ସେଥିପାଇଁ ଏବେ ଜୋରସୋରରେ ଚାଲିଛି ପ୍ରଚାର। ସମର୍ଥନ ହାସଲ ପାଇଁ ପ୍ରାର୍ଥୀମାନେ ସବୁ କିଛି ବାଜିରେ ଲଗାଇ ଦେଇଛନ୍ତି। ପ୍ରମୁଖ ଦଳ ମଧ୍ୟରେ ଚାଲିଛି ଆର୍ ପାର୍ ଲଢ଼େଇ। ଆସନ୍ତା ୯ ତାରିଖ ସଂଧ୍ୟାରେ ସରିବ ପ୍ରଚାର। ୧୧ରେ ପଡ଼ିବ ଭୋଟ। ୧୪ରେ ହେବ ଗଣତି।