spot_img
Home Blog Page 316

ନୂଆପଡ଼ା ବାଇଇଲେକସନ ପାଇଁ ହେଲା ହୋମ୍ ଭୋଟିଂ : ୧୫ଟି ପୋଲିଂ ଦଳ ନିଯୁକ୍ତ

ନନ୍ଦିଘୋଷ ବ୍ୟୁରୋ : ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ୩୫୮ଟି ବୁଥ ପାଇଁ ଭୋଟିଂ ମେସିନ ଓ ଭିଭିପାଟର ଯୋଗାଣ ଶେଷ ହୋଇଛି  । ଆଜିଠାରୁ ହୋମ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ୧୫ଟି ପୋଲିଂ ଦଳ ନିଯୁକ୍ତ ହୋଇଛନ୍ତି  । ପ୍ରତି ଦଳରେ ଦୁଇ ଜଣ ପୋଲିଂ ଅଫିସର, ଜଣେ ମାଇକ୍ରୋ ନିରୀକ୍ଷକ, ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଭିଡିଓଗ୍ରାଫର ରହିଛନ୍ତି  । ୨୫୦ ଜଣ ୮୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ମତଦାତା ମାନେ ଭୋଟ ଦେବେ । ଏହି ପ୍ରକ୍ରିୟାରେ ନିଜ ଘରେ ଥାଇ ଗୋପନୀୟ ଭାବରେ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଏହି ଭୋଟ ଦେବେ । ୩୦ ଅକ୍ଟୋବରରୁ ୨ ନଭେମ୍ବର ଭିତରେ ଏହି ହୋମ ଭୋଟିଂ ହେବ । ସ୍ୱଚ୍ଛତା ପାଇଁ ଏହି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ସୁର୍ମି ସୋରେନ୍ କହିଛନ୍ତି  । ଏହି ସୁବିଧାରୁ କେହି ଜଣେ ବି ଯୋଗ୍ୟ ମତଦାତା ଯେମିତି ବଞ୍ଚିତ ନହୁଅନ୍ତି ତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତେଲଙ୍ଗାନା ୱାରଙ୍ଗଲରେ ବର୍ଷାର ତାଣ୍ଡବ, ୪୫ଟି ଅଞ୍ଚଳ ଜଳମଗ୍ନ

ନନ୍ଦିଘୋଷ ବ୍ୟୁରୋ : ତେଲଙ୍ଗାନା ୱାରଙ୍ଗଲରେ ବର୍ଷାର ତାଣ୍ଡବ। ବାତ୍ୟା ମୋନ୍ଥା ପ୍ରଭାବରେ ତେଲଙ୍ଗାନାରେ ମୁଷଳଧାରାରେ ବର୍ଷା ହୋଇଥିବା ଜଣାପଡିଛି। ତେଲଙ୍ଗାନା ୱାରଙ୍ଗଲ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ୱାରାଙ୍ଗଲ ଏବଂ ହନମକୋଣ୍ଡାରେ ମୁଷଳଧାରାରେ ବର୍ଷା ଯୋଗୁଁ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡିଥିଲା। ପ୍ରାୟ ୧୨୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗ୍ରେଟର୍ ୱାରାଙ୍ଗଲ୍ ମ୍ୟୁନିସିପାଲ୍ କର୍ପୋରେସନ୍ ସୀମା ଅନ୍ତର୍ଗତ ପ୍ରାୟ ୪୫ଟି ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଫଳରେ ପ୍ରଶାସନକୁ ବଡ଼ ଧରଣର ସ୍ଥାନାନ୍ତର ଏବଂ ପୁନର୍ବାସ ପଦକ୍ଷେପ ଆରମ୍ଭ କରିବାକୁ ବାଧ୍ୟ କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ DRF, ଇଞ୍ଜିନିୟରିଂ ଏବଂ ପରିମଳ ଶାଖା କର୍ମଚାରୀଙ୍କୁ ନେଇ ୭ଟି ସ୍ୱତନ୍ତ୍ର ଦଳ ନିୟୋଜିତ କରାଯାଇଛି। ଲୋକଙ୍କୁ ଥଇଥାନ କରିବା ପାଇଁ ସାରା ସହରରେ ୧୨ଟି କେନ୍ଦ୍ର ସ୍ଥାପନ କରାଯାଇଛି।

ୱାରାଙ୍ଗଲର ପ୍ରାୟ ୩୦ଟି କଲୋନୀ ଏବଂ ହନମକୋଣ୍ଡାର ୧୫ଟି କଲୋନୀ ଜଳମଗ୍ନ ହୋଇଛି। ବନ୍ୟା ପାଣି ଘରେ ପ୍ରବେଶ କରିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାମକୃଷ୍ଣ ଏବଂ ରାଜସ୍ୱ କଲୋନୀରେ ଫସି ରହିଥିବା ବାସିନ୍ଦାଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଏବଂ ଡିଆରଏଫ କର୍ମଚାରୀମାନେ ରଶି ଏବଂ ମେସିନ ବ୍ୟବହାର କରାଯାଉଛି। ଭଦ୍ରାକାଳୀ ଜଳାଶୟରେ ଜଳ ପ୍ରବାହିତ ଯୋଗୁଁ ମନ୍ଦିରଠାରୁ ପଲିଟେକ୍ନିକ୍ କଲେଜ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚିନ୍ନା ୱାଡାପାଲି ଏବଂ କଟ୍ଟା ମଲ୍ଲାନା ଭଳି ଛୋଟ ଜଳାଶୟ ମଧ୍ୟ ବୁଡ଼ି ଯାଇଥିଲା। ଯାହା ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା।

ବେଙ୍ଗଳୁରୁରେ ଛାତିଥରା ଘଟଣା : ଗୋଡ଼ାଇ ଗୋଡ଼ାଇ କାର୍ ମଡ଼ାଇ ଯୁବକଙ୍କୁ ହତ୍ୟା !

ନନ୍ଦିଘୋଷ ବ୍ୟୁରୋ :ଏକ ସାଧାରଣ ଛୋଟ ସଡ଼କ ଦୁର୍ଘଟଣାରୁ ଜଘନ୍ୟ ହତ୍ୟା। କାର୍ ମଡ଼ାଇ ବାଇକ୍ ଆରୋହୀଙ୍କୁ ହତ୍ୟା କରାଯାଇଛି । ଛାତି ଥରାଇ ଦେବା ଭଳି ଏହି ଘଟଣା ଘଟିଛି ବେଙ୍ଗଳୁରୁରେ ଗତ ୨୫ ତାରିଖ ରାତିରେ। ଜଣେ ଡେଲିଭରି ବୟ ନିଜ ସାଙ୍ଗ ସହିତ ଯାଉଥିଲେ। ଅନ୍ୟପଟେ ଏକ କାରରେ ଯାଉଥିଲେ ଅଭିଯୁକ୍ତ ମନୋଜ କୁମାର ଓ ଆରତୀ ଶର୍ମା। ଅଭିଯୋଗ ଅନୁସାରେ ପ୍ରଥମେ କାର୍ ଓ ବାଇକ୍ ମଧ୍ୟରେ ସାମାନ୍ୟ ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ପରେ ଉଭୟେ ନିଜ ନିଜ ବାଟରେ ଯାଇଥିଲେ। କିନ୍ତୁ ସିସିଟିଭିରୁ ଦେଖା ଯାଇଛି ବାଇକ ଆରୋହୀଙ୍କୁ କାରରେ ପ୍ରାୟ ଦୁଇ କିମି ଗୋଡ଼ାଇଥିଲେ ମନୋଜ ଓ ତାଙ୍କ ସ୍ତ୍ରୀ। ପ୍ରଥମେ ଫେଲ୍ ମାରିବା ପରେ ପୁଣି ୟୁ ଟର୍ନ ନେଇ ସେମାନେ ବାଇକକୁ ଧକ୍କା ଦେଇଥିଲେ। କିଛି ସମୟ ପରେ ମାସ୍କ ପିନ୍ଧି ପୁଣି ଘଟଣାସ୍ଥଳକୁ ଆସିଥିଲେ ଓ ଭାଙ୍ଗି ଯାଇଥିବା ଅଂଶକୁ ଧରି ସେଠାରୁ ପଳାଇ ଯାଇଥିଲେ। କାର୍ ଧକ୍କାରେ ଦୁଇ ବାଇକ ଆରୋହୀ ଛିଟିକି ପଡ଼ିଥିଲେ। ପରେ ଜଣକର ମୃତ୍ୟୁ ହୋଇଥିଲା। ପୋଲିସ ପ୍ରଥମେ ଏହାକୁ ସାଧାରଣ ଦୁର୍ଘଟଣା ଭାବିଥିଲା। ପରେ ତଦନ୍ତରୁ ତାହା ହତ୍ୟା ବୋଲି ଜଣାପଡ଼ିଛି। ମନୋଜ ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି ପୋଲିସ ।

ଆମେରିକା ଓ ଚୀନ ମଧ୍ୟରେ ବଡ଼ ବିଜନେସ୍ ଡିଲ୍

ନନ୍ଦିଘୋଷ ବ୍ୟୁରୋ : ଆମେରିକା ଓ ଚୀନ ମଧ୍ୟରେ ବଡ଼ ବିଜନେସ୍ ଡିଲ୍। ଦକ୍ଷିଣ କୋରିଆର ବୁସାନରେ ହୋଇଥିବା ବୈଠକରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଏଥିପାଇଁ ସହମତି ହୋଇଛି। ଟାରିଫ, ସୋୟାବିନ୍ ଓ ବିରଳ ଧାତୁ କାରବାର ନେଇ ଟ୍ରମ୍ପ ଓ ଜିନପିଙ୍ଗ ମଧ୍ୟରେ ହୋଇଛି ଚୁକ୍ତି। ବିଶେଷ କରି ବିରଳ ଧାତୁ ରପ୍ତାନୀ ଉପରେ ଆଉ ଚୀନ କଟକଣା ରଖିବ ନାହିଁ। ଆମେରିକାକୁ ଏହି ବିରଳ ଧାତୁ ରପ୍ତାନୀ ହେବ। ବର୍ଷେ ଯାଏ ଚୁକ୍ତି ହୋଇଛି।

ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ବୃଦ୍ଧି କରାଯାଇପାରେ। ଫଳରେ ହାଇଟେକ୍ ମ୍ୟାନୁଫ୍ୟାକଚରିଂ, ଇଭି ଓ ପ୍ରତିରକ୍ଷା ଉପକରଣ ନିର୍ମାଣରେ ଆମେରିକାର କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ। ଏସବୁ ସାମଗ୍ରୀ ଉପରେ ଚୀନର ଏକଚାଟିଆ ଅଧିକାର ଜାହିର କରୁଥିବା ଅଭିଯୋଗ କରି ଟ୍ରମ୍ପ କଡ଼ା ଟାରିଫ ଲଗାଇଥିଲେ। ଏବେ କହିଛନ୍ତି, ଚୀନ ଉପରେ ଶୁଳ୍କ ୫୭ ପ୍ରତିଶତରୁ ୪୭ ପ୍ରତିଶତ କରାଯିବ । ଅର୍ଥାତ ୧୦ ପ୍ରତିଶତ ରିହାତି ଦେବେ ଟ୍ରମ୍ପ। ସେହିପରି ଆମେରିକାର ସୋୟାବିନ କିଣିବାକୁ ରାଜି ହୋଇଛି ଚୀନ। ବୈଠକକୁ ବହୁତ ବଢିଆ ବୋଲି କହିଛନ୍ତି ଟ୍ରମ୍ପ। ଚୀନ ଓ ଆମେରିକା ମଧ୍ୟରେ ଏହି ସବୁ ବିବାଦୀୟ ପ୍ରସଙ୍ଗ ଯୋଗୁଁ ଦ୍ଵିପାକ୍ଷିକ ସଂପର୍କରେ ଦେଖା ଦେଇଥିଲା ତିକ୍ତତା। ଯାହାକି ବିଶ୍ଵ ବାଣିଜ୍ୟକୁ ପ୍ରଭାବିତ କରିଥିଲା। ଏବେ ଟ୍ରମ୍ପ କହିଛନ୍ତି, ଆସନ୍ତା ଏପ୍ରିଲରେ ସେ ଚୀନ ଗସ୍ତ କରିବେ।

ପୋଲିସ SI ମହାକେଳେଙ୍କାରୀ ଘଟଣା : ଜାମିନ ପରେ ଜେଲରୁ ବାହାରିଲେ ପରୀକ୍ଷାର୍ଥୀ

ନନ୍ଦିଘୋଷ ବ୍ୟୁରୋ : ପୋଲିସ ଏସଆଇ ନିଯୁକ୍ତି ମହାକେଳେଙ୍କାରୀ ଘଟଣା। ଆଜି ମୁକୁଳିଲେ ଜାଲିଆତି ମାମଲାରେ ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀ। ଜାମିନ ମିଳିବା ପରେ ଜେଲରୁ ବାହାରିଲେ ପରୀକ୍ଷାର୍ଥୀ। ଗତକାଲି ୫୦ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ମିଳିଥିଲା ଜାମିନ। ତେବେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସମେତ ୯ ଦଲାଲଙ୍କୁ ମିଳିନି ଜାମିନ। ଜାମିନ ମିଳିବା ପରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି ପରୀକ୍ଷାର୍ଥୀ। ନିଯୁକ୍ତି କେଳେଙ୍କାରୀ ଘଟଣାରେ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ୩ ଦଲାଲଙ୍କୁ ଗିରଫ କରିଥିଲା ପୋଲିସ। ଭୁବନେଶ୍ଵରରୁ ୩ଟି ବସ ଯୋଗେ ବିଜୟୱାଡା ଯିବାବେଳେ ଶ୍ରୀକାକୁଲମରୁ ଧରିଥିଲା ବ୍ରହ୍ମପୁର ପୋଲିସ। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ପୂର୍ବରୁ କରିଥିବାବେଳେ ଏବେ ଏହି ମାମଲାର ସିବିଆଇ ତଦନ୍ତ ସୁପାରିସ କରିଥିଲେ ସରକାର।

ମାମଲାରେ ଏଯାଏଁ ଗିରଫ ହୋଇଛନ୍ତି ୧୨୩ ଜଣ। ୧୧୪ ଆଶାୟୀ ଓ ୯ ଦଲାଲ ଗିରଫ ହୋଇଛନ୍ତି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ହାଇକୋର୍ଟରେ ଖାରଜ ହୋଇଛି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ପତ୍ନୀ ଦିପ୍ତିମୟୀ ସାହୁଙ୍କ ଆଗୁଆ ଜାମିନ ଆବେଦନ। ଏଭଳି ସଙ୍ଗୀନ ମାମଲାରେ ଆଗୁଆ ଜାମିନ ଦେବାକୁ ମନା କରିଥିଲେ ହାଇକୋର୍ଟ। ପୋଲିସ ଏସଆଇ ଚାକିରି ଲାଗି କୋଟି କୋଟି ଟଙ୍କାର ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଉଛି। ପ୍ରତି ଆଶାୟୀ ପରୀକ୍ଷାଙ୍କ ପିଛା ୨୫ ଲକ୍ଷ ନେବାକୁ ହୋଇଥିଲା ଡିଲ। ପ୍ରତି ଆଶାୟୀ ୧୦ ଲକ୍ଷ ଲେଖାଏଁ ଅଗ୍ରୀମ ଦେଇଥିଲେ। ସେମାନଙ୍କୁ ପରୀକ୍ଷା ପୂର୍ବରୁ ଉତ୍ତର ପୁସ୍ତିକା ସହ ଅଭ୍ଯାସ କରିବାକୁ ଆନ୍ଧ୍ରପ୍ରଦେଶ ନିଆଯାଉଥିଲା।

ହ୍ୱାଟସଆପ୍ ସାମ୍ନାରେ ତିଷ୍ଠି ପାରିଲେ ନାହିଁ ଅରାଟାଇ, ପସନ୍ଦ କଲେନି ୟୁଜର୍ସ , କମିଲା ରାଙ୍କିଙ୍ଗ !

ନନ୍ଦିଘୋଷ ବ୍ୟୁରୋ : କିଛି ସମୟ ପୂର୍ବରୁ ଏକ ସ୍ୱଦେଶୀ ମେସେଜିଂ ଆପ୍ ଅରାଟାଇ (Arattai) ଲୋକଲୋଚନରେ ଥିଲା । ଲୋକେ ଏହି ଆପକୁ ଖୁବ୍ ପସନ୍ଦ ମଧ୍ୟ କରୁଥିଲେ । ଯାହା ଫଳରେ ଏହା ହ୍ୱାଟସଆପକୁ ପଛରେ ପକାଇ ପ୍ଲେ ଷ୍ଟୋରରେ ଶୀର୍ଷ ସ୍ଥାନ ହାସଲ କରିଥିଲା। ବର୍ତ୍ତମାନ, ଏହା ଦେଖାଯାଉଛି ଯେ ଏହି ଆପର ଲୋକପ୍ରିୟତା ହ୍ରାସ ପାଉଛି, କାରଣ ଏହା ଗୁଗୁଲ୍ ପ୍ଲେ ଷ୍ଟୋରର କମ୍ୟୁନିକେସନ୍ କାଟେଗରୀର ୭ ନମ୍ବରକୁ ଖସି ଆସିଛି ।

ଏହି ଆପ୍ ପ୍ରଥମେ କେବଳ ଗୁଗୁଲ୍ ପ୍ଲେ ଷ୍ଟୋରରେ ନୁହେଁ ବରଂ ଆପଲ୍ ଆପ୍ ଷ୍ଟୋରରେ ମଧ୍ୟ ୧ ନମ୍ବରରେ ଥିଲା, କିନ୍ତୁ ଏବେ ଆପଲ୍ ଆପ୍ ଷ୍ଟୋରରେ ମଧ୍ୟ ଷଷ୍ଠ ସ୍ଥାନକୁ ଖସି ଆସିଛି। ଅନ୍ୟପଟେ, ହ୍ୱାଟ୍ସଆପ୍ ଏବେ ଗୁଗୁଲ୍ ପ୍ଲେ ଷ୍ଟୋରରେ ତୃତୀୟ ଏବଂ ଆପଲ୍ ଆପ୍ ଷ୍ଟୋରରେ ଦ୍ୱିତୀୟ ସ୍ଥାନରେ ଅଛି, ଯାହା ସ୍ପଷ୍ଟ କରୁଛି ଯେ ହ୍ୱାଟ୍ସଆପ୍ ଏହାର ପ୍ରାଧାନ୍ୟ ଅଧିକ ଅଛି ।  । ଅରାଟାଇର ଦୈନିକ ସାଇନ୍-ଅପ୍ ମଧ୍ୟ ତୀବ୍ର ବୃଦ୍ଧି ପାଇଛି, ଯାହା ୩ହଜାର ରୁ ୩.୫୦ଲକ୍ଷରେ ପହଞ୍ଚିଛି । ଡାଉନଲୋଡ୍ ଦୃଷ୍ଟିରୁ, ଆପ୍ ଚାଟ୍ ଜିପିଟିକୁ ମଧ୍ୟ ପଛରେ ପକାଇ ଦେଇଛି।

ଆପର କମୁଛି ରାକିଂ

ଏହି ଆପ୍ ରେ ଭଏସ୍ ଏବଂ ଭିଡିଓ କଲିଂ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ ଅଛି, କିନ୍ତୁ ଟେକ୍ସଟ୍ ମେସେଜିଂ ପାଇଁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। କମ୍ପାନୀ ଖୁବ୍ ଶୀଘ୍ର ମେସେଜିଂ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ ଯୋଡିବାକୁ ପ୍ରତିଶ୍ରୁତି ଦେଇଛି, କିନ୍ତୁ ଏହା ସତ୍ତ୍ୱେ, ଆପର ରାକିଂ ହ୍ରାସ ପାଉଛି।

କେବେ ଆରମ୍ଭ ହୋଇଥିଲା ଅରାଟାଇ (Arattai) ?

ଚେନ୍ନାଇ ସ୍ଥିତ ଜୋହୋ କର୍ପୋରେସନ ଜାନୁଆରୀ ୨୦୨୧ ରେ ଆରଟାଇ ଲଞ୍ଚ କରିଥିଲା , ଏହି ଆପକୁ ବିଦେଶୀ ମେସେଜିଂ ପ୍ଲାଟଫର୍ମର ବିକଳ୍ପ ଭାବରେ ସ୍ଥାପନ କରିଥିଲା। ଏଥିରେ ଭଏସ୍ ନୋଟ୍ସ, ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍, ଫାଇଲ୍ ସେୟାରିଂ ଏବଂ ଭିଡିଓ କଲ୍ ସୁବିଧା ରହିଛି। ଯଦିଓ ୨୦୨୧ରେ ଲଞ୍ଚ ହୋଇଥିଲା, କିନ୍ତୁ ଆମେରିକା-ଭାରତ ବାଣିଜ୍ୟ ଉତ୍ତେଜନା ମଧ୍ୟରେ ଏହା ୨୦୨୫ ଅକ୍ଟୋବର ପ୍ରାରମ୍ଭରେ ପ୍ରମୁଖତା ହାସଲ କରିଥିଲା।

 

ବର୍ଷା ବିଗାଡ଼ିପାରେ ଭାରତ-ଅଷ୍ଟ୍ରେଲିଆ ସେମି ଗଣିତ: ମ୍ୟାଚ ବାତିଲ ହେଲେ କିଏ ଖେଳିବ ବିଶ୍ବକପ ଫାଇନାଲ ?

ଆଜି ଦ୍ବିପ୍ରହର ୩ଟା ସମୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ବିଶ୍ବକପ ସେମିଫାଇନାଲ ଖେଳାଯିବ । ନଭୀ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ୭ ଥର ବିଶ୍ବ ଚାମ୍ପିୟନ ହୋଇସାରିଥିବା ବେଳେ ଭାରତ ନିକଟରେ ପ୍ରଥମ ଥର ଟାଇଟଲ ଜିତିବାର ସୁଯୋଗ ରହିଛି । ତେବେ ଆଜି ମୁମ୍ବାଇରେ ବର୍ଷାର ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଥିବା ବେଳେ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ତେଣୁ ମ୍ୟାଚ ବର୍ଷା କାରଣରୁ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଆସନ୍ତା ୨୪ ଘଣ୍ଟାରେ ମୁମ୍ବାଇରେ ୪୦-୭୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମ୍ୟାଚ ସମୟରେ ଯଦି ଲଗାତର ବର୍ଷା ହୁଏ, ତେବେ ଭାରତୀୟ ଫ୍ୟାନ୍ସଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆଇସିସି ସେମିଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ ରଖିଛି । ଅକ୍ଟୋବର ୩୧ରେ ଯଦି ମୁମ୍ବାଇରେ ବର୍ଷା ହୁଏ ଓ ମ୍ୟାଚ ନହୁଏ, ତେବେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିପାରେ । ବିଶ୍ବକପ ପଏଣ୍ଟସ ଟେବଲରେ ଟପରେ ଥିବା କାରଣରୁ ଅଷ୍ଟ୍ରେଲିଆ ଟିମ୍ ଫାଇନାଲ ପାଇଁ କ୍ବାଲିଫାଏ କରିବ । ବର୍ଷା କାରଣରୁ ଟିମ୍ ଇଣ୍ଡିଆ ବିନା ମ୍ୟାଚ ଖେଳି ବିଶ୍ବକପରୁ ବିଦାୟ ନେବ ।

ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି ଶ୍ରେୟସ ! ଇଷ୍ଟାଗ୍ରାମରେ ଦେଲେ ଅପଡେଟ୍

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ODIର ଉପ-ଅଧିନାୟକ ଶ୍ରେୟସ ଆୟାରଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ବଡ଼ ସୂଚନା ସାମ୍ନାକୁ ଆସିଛି । ଅଷ୍ଟ୍ରେଲିଆ ବିପକ୍ଷରେ ୩ୟ ଦିନିକିଆ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ ଶ୍ରେୟସ । ତାଙ୍କ ପିଞ୍ଜରାରେ ଆଘାତ ଲାଗିବା ଯୋଗୁଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଶ୍ରେୟସ ଆୟର ତାଙ୍କ ଆଘାତ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପ୍ରଦାନ କରିଛନ୍ତି। ସେ ତାଙ୍କ ହସ୍ପିଟାଲ ବେଡରୁ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଏହି ଅପଡେଟ୍ ସେୟାର କରିଛନ୍ତି। ଭାରତୀୟ ବ୍ୟାଟସମ୍ୟାନ୍ ସେୟାର କରିଥିବା ସୂଚନା ଅନୁଯାୟୀ, ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଏବଂ ଶୀଘ୍ର ଆରୋଗ୍ୟ କାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କେମିତି ଅଛି ଶ୍ରେୟସଙ୍କ ସ୍ୱାସ୍ଥ୍ୟବସ୍ଥା ?

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ODIରେ ଆୟାରଙ୍କ ପଞ୍ଜରା ହାଡ଼ରେ ଲାଗିଥିଲା ଆଘାତ । ପଡ଼ିଆରେ କ୍ୟାଚ୍ ଧରୁଥିବା ସମୟରେ ସେ ଆହାତ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଗମ୍ଭୀର ଥିବା ନେଇ ଡାକ୍ତର କହିଛନ୍ତି । ଆହତ ହେବା ପରେ ତାଙ୍କୁ ତୁରନ୍ତ ସିଡନି ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଥିଲା । ପଞ୍ଜରା ହାଡ଼ରେ ଆହାତ ଲାଗିବା ଯୋଗୁଁ ସେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଅନୁଭବ କରୁଛନ୍ତି ।  ତେବେ ଶ୍ରେୟସ ଆୟରଙ୍କ ଅବସ୍ଥାରେ ସୁଧାର ଆସୁଛି । ତାଙ୍କର ଚିକିତ୍ସା ସିଡନୀରେ ଚାଲିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି । ସୁସ୍ଥ ହେବା ପାଇଁ ୮ ସପ୍ତାହ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି।

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଆୟରଙ୍କୁ ଭାରତୀୟ ODI ଦଳର ଉପ-ଅଧିନାୟକ ନିଯୁକ୍ତ କରାଯାଇଥିଲା । ସେ ଦ୍ୱିତୀୟ ODIରେ ଭଲ ପ୍ରଦର୍ଶନ କରି ଅର୍ଦ୍ଧଶତକ ସ୍କୋର କରିଥିଲେ ।  ପଡ଼ିଆକୁ ଫେରିବାକୁ କିଛି ସମୟ ଲାଗିବ । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ODI ସିରିଜରେ ମଧ୍ୟ ଖେଳି ନ ପାରନ୍ତି ।

ଇଣ୍ଟାଗ୍ରାମରେ ଦେଲେ ଅପଡେଟ୍

ଏବେ ଶ୍ରେୟସ ICUରୁ ବାହାରକୁ ଆସିଛନ୍ତି। ନିଜ ବର୍ତ୍ତମାନର ଅବସ୍ଥା ବିଷୟରେ ସେ ବ୍ୟକ୍ତିଗତ ସୂଚନା ଦେଇଛନ୍ତି। ଶ୍ରେୟସ ଆୟର ତାଙ୍କ ଇନଷ୍ଟାଗ୍ରାମ ଏକ ଷ୍ଟୋରୀରେ ଲେଖିଛନ୍ତି, “ମୁଁ ଏବେ ବି ସୁସ୍ଥ ହେଉଛି।” ଏହାର ଅର୍ଥ ହେଉଛି ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି। ସେ ଆହୁରି କହିଛନ୍ତି ଯେ, ସେ ପ୍ରତିଦିନ ଭଲ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟର ଆରୋଗ୍ୟ କାମନା ପାଇଁ ସମସ୍ତଙ୍କୁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ” ଆପଣଙ୍କ ପ୍ରାର୍ଥନାରେ ପାଇଁ ସମସ୍ତଙ୍କୁ ଧନ୍ୟବାଦ।”

cricket

ସ୍କୁଲ ଆଗରୁ ଛାତ୍ରଙ୍କୁ ଅପହରଣ ! ଅଭିଯୋଗ ଆଣିଲେ ବଡ଼ବାପା

ସ୍କୁଲ ଆଗରୁ ଛାତ୍ରଙ୍କୁ ଅପହରଣ !

ନନ୍ଦିଘୋଷ ବ୍ୟୁରୋ : ସ୍କୁଲରୁ ପିଲାକୁ ଉଠାଇନେଲେ ଦୁର୍ବୁତ୍ତ । ସ୍କୁଲ ଆଗରୁ ତୃତୀୟ ଶ୍ରେଣୀ ଛାତ୍ରକୁ କାରରେ ଉଠାଇ ନେଇଥିବା ଅଭିଯୋଗ ଆଣିଲେ ବଡ଼ବାପା । ଗତକାଲି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଛେଦରା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଚାଲିଥିଲା । ଏହି ସମୟରେ ଦୁର୍ବୁତ୍ତମାନେ ଏକ କାର ଆଣି ଛାତ୍ର ସୁଧାଂଶୁଙ୍କୁ ବାହାରକୁ ଡାକିଥିଲେ । କୌଶଳକ୍ରମେ କାରରେ ବସାଇ ତାଙ୍କୁ ନେଇଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଛାତ୍ରର ବାପା ମା’ଙ୍କ ମଧ୍ୟରେ ପୂର୍ବରୁ ମନୋମାଳିନ୍ୟ ଥିବା ଏବଂ ପରିବାର ଠାରୁ ଅଲଗା ରହୁଥିବା ନିଜ ଭାଇବୋହୁ ଉପରେ ସନ୍ଦେହ କରି ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ବଡ଼ବାପା ଓ ପ୍ରଧାନ ଶିକ୍ଷୟିତ୍ରୀ  । ପୋଲିସ ମହିଳାଙ୍କ ବାପଘର ଗାଁକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ମହିଳାଙ୍କୁ ପାଇନଥିଲେ । ଛାତ୍ର ଜଣକ ପିନ୍ଧିଥିବା ସାର୍ଟ ତାଙ୍କ ଘରୁ ଠାବ କରିଛି ପୋଲିସ ଓ ଅଧିକ ତଦନ୍ତ ଜାରି ରଖିଛି ।

କରଞ୍ଜିଆ ବନଖଣ୍ଡରେ ବାଘ ଆତଙ୍କ : ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ

ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମହାବଳ ବାଘ ଆତଙ୍କ । ବାଘର ପାଦ ଚିହ୍ନ ଦେଖି ଲୋକମାନେ ଭୟଭୀତ ହୋଇଯାଇଛନ୍ତି । କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର ଏରିଆରୁ ଏକ ମହାବଳ ବାଘ ଚାଲି ଆସିଥିବା ସନ୍ଦେହ କରାଯାଉଛି । ହାତୀଗୋଡ଼ା ଓ ସାଲେଇବେଡ଼ା ପଞ୍ଚାୟତର ଆଖପାଖ ଗାଁ ଲୋକେ ଭୟଭୀତ ହୋଇଛନ୍ତି । ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି ବନ କର୍ମଚାରୀ । ବାଘର ଗତିବିଧି ଉପରେ ନଜର ରଖିଛି କ୍ୟାମେରା । ଗତକାଲି ଠାରୁ ବାଘ ବୁଲୁଥିବା ଅଞ୍ଚଳରେ ଡାକବାଜି ଦ୍ୱାରା ଲୋକଙ୍କୁ ସଚେତନ କରିବା ସହ ଗୃହପାଳିତ ପଶୁ ମାନଙ୍କୁ ମଧ୍ୟ ଜଙ୍ଗଲକୁ ଛାଡିବା ପାଇଁ ବାରଣ କରିଛି ବନବିଭାଗ । ବାଘର ଗତିବିଧିକୁ ନଜର ରଖିବାକୁ ଏକ ସ୍ୱତନ୍ତ୍ର ଟିମ କାର୍ଯ୍ୟ କରୁଥିବା କରଞ୍ଜିଆ ଡ଼ିଏଫଓ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଗ୍ରାମରେ ମଧ୍ୟ ବାଘ ଆତଙ୍କ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ଗ୍ରାମର କିଛି ବ୍ୟକ୍ତି ମନ୍ଦିରକୁ ଯିବା ସମୟରେ ଏକ ବାଘ ଡେଇଁ ଯାଉଥିବା ଦେଖିବାକୁ ପାଇ ଗାଁ ଲୋକଙ୍କୁ ଜଣାଇଥିଲେ  । ପରେ ଗ୍ରାମବାସୀ ମାନେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ  । ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି  । ଘଟଣାସ୍ଥଳରୁ ବାଘ ପାଦ ଚିହ୍ନ ଚିହ୍ନଟ କରାଯାଇଛି  । ଅଧିକ ତଦନ୍ତ ପରେ ବାଘ କି ଆଉ କିଛି ଜଣା ପଡିବ ବୋଲି ବନ ଅଧିକାରୀ ବାବୁ ସେଠୀ ସୂଚନା ଦେଇଛନ୍ତି  । ଅନ୍ୟପଟେ ଗ୍ରାମରେ ବାଘର ଆତଙ୍କ ଲାଗି ଭୟଭୀତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ  । ଗତ ୨ ଦିନ ତଳେ ମଧ୍ୟ ବାଘ ଏଠାକୁ ଆସି ଗ୍ରାମରେ ଛେଳି, କୁକୁଡ଼ା ଆଦି ଖାଇଯାଉଥିବା ସେମାନେ ଅଭିଯୋଗ କରିଛନ୍ତି  ।