ଜାଭେଦ ଅଖତରଙ୍କୁ ମିଳିବ ସୋଆ ସାହିତ୍ୟ ସମ୍ମାନ
ଭୁବନେଶ୍ବର : ପ୍ରଖ୍ୟାତ ବଲିଉଡ ଗୀତିକାର, ସ୍କ୍ରିନ ରାଇଟର, କବି ଜାଭେଦ ଅଖତର ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ ହେବେ । ଭାରତୀୟ ଚଳଚ୍ଚିତ୍ର ତଥା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏହି ପ୍ରଖ୍ୟାତ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯିବ । ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଆସୁଅଛି । ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ।
ଜାଭେଦ ଅଖତରଙ୍କ ଲେଖନୀ ଆଧୁନିକ ଭାରତର ଭାବପ୍ରବଣ ଓ ସାଂସ୍କୃତିକ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିଆସିଛି । ଜଣେ ଉଚ୍ଚକୋଟୀର ଗୀତିକାର ଭାବେ ତାଙ୍କର କୃତି ଭାରତୀୟ ସିନେମାକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହୋଇଛି। ପାଞ୍ଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୫ ଥର ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ଅଖତରଙ୍କୁ ୧୯୯୯ ମସିହାରେ ପଦ୍ମଶ୍ରୀ, ୨୦୦୭ରେ ପଦ୍ମଭୂଷଣ ଓ ୨୦୧୪ରେ ସାହିତ୍ୟ ଅକାଦେମୀ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କର କବିତା ସଂକଳନ ‘ତର୍କଷ’ ଓ ‘ଲାଭା’ ଆଧୁନିକ ହିନ୍ଦୀ ସାହିତ୍ୟରେ ସର୍ବାଦୃତ ପୁସ୍ତକ ଭାବେ ପରିଗଣିତ ହେବା ସହ ବିଭିନ୍ନ ଭାରତୀୟ ଏବଂ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି। ଉନ୍ନତ ଚିନ୍ତାଧାରା ସମ୍ପନ୍ନ ଅଖତର ହାର୍ଭାଡ, ଅକ୍ସଫୋର୍ଡ ଏବଂ କେମ୍ବ୍ରିଜ୍ ଭଳି ପୃଥିବୀର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ଓ ପ୍ରଫେସର ମାନଙ୍କୁ ସମ୍ବୋଧିତ କରିଛନ୍ତି।
ଭାରତୀୟ ସିନେମାର ଶବ୍ଦର ଯାଦୁକର ଭାବେ ପରିଚିତ ଜାଭେଦ ଅଖତରଙ୍କ ସାହିତ୍ୟ କୃତି ଯୁବପିଢ଼ିଙ୍କୁ ଉତ୍ସାହ ପ୍ରଦାନ କରି ଆସିଛି। ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ଅବସରରେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ଦେବୀ ସରସ୍ୱତୀଙ୍କ ରୌପ୍ୟ ମୂର୍ତ୍ତି ଓ ଉତ୍ତରୀୟ ପ୍ରଦାନ କରାଯିବ ।
ସୋଆ ପରିଚାଳିତ ସେଣ୍ଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନସିଏଣ୍ଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ–ପ୍ରାଚୀନ ପକ୍ଷରୁ ଆସନ୍ତା ନଭେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଏହି ସାହିତ୍ୟ ଉତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷର ପ୍ରସଙ୍ଗ ହେଉଛି ‘କଲ୍ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ । ଏହି ସୂଚନା ଦେଇଛନ୍ତି ପ୍ରାଚୀନର ମୁଖ୍ୟ ତଥା ଉତ୍ସବର ନିର୍ଦ୍ଦେଶିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା। ଚଳିତ ବର୍ଷର ସାହିତ୍ୟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ପ୍ରାୟ ଶହେରୁ ଅଧିକ ବିଶିଷ୍ଟ ଲେଖକ, କବି, ଚିତ୍ରକର, ଔପନ୍ୟାସିକ, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନିଆ ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି ବୋଲି ପ୍ରଫେସର ପଣ୍ଡା ସୂଚନା ଦେଇଛନ୍ତି।
ଏଥର ୪ ଦିନିଆ ପଞ୍ଚୁକ: ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ
ଏଥର ୪ ଦିନିଆ ପଞ୍ଚୁକ: ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ
ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ପଞ୍ଚୁକ । ଚଳିତବର୍ଷ ୪ ଦିନ ପାଳନ ହେବ ପଞ୍ଚକ ବ୍ରତ । ଆଜି ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ସରୁଥିବାରୁ ଶେଷ ଦିନରେ ଏହି ଅନନ୍ଯ ବେଶ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଚଳିତବର୍ଷ ଦ୍ୱାଦଶୀ ତିଥି କ୍ଷୟ ହୋଇଥିବା ହେତୁ ମହାପ୍ରଭୁଙ୍କର ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି
ବିଶ୍ୱାସ ରହିଛି ପଞ୍ଚୁକ ବ୍ରତ ପାଳନ କଲେ କାର୍ତ୍ତିକ ବ୍ରତ ପାଳନ ସହ ସମାନ ପୁଣ୍ୟ ପ୍ରାପ୍ତି ହୋଇଥାଏ l ତେବେ ଚଳିତବର୍ଷ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ । ଆଶ୍ବିନ ମାସ ଶୁକ୍ଳ ପକ୍ଷ ଏକାଦଶୀଠାରୁ ଏକ ମାସ ଧରି ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶରେ ଦର୍ଶନ ଦେଉଥିଲେ ମହାପ୍ରଭୁ । ତେଣୁ ଶେଷ ଦିନରେ ମହାପ୍ରଭୁଙ୍କ ଏହି ଅନନ୍ଯ ବେଶ ଦର୍ଶନ ପାଇଁ ପୁରୀରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ଚଳିତବର୍ଷ ୪ ଦିନ ପଞ୍ଚୁକ ଥିବାରୁ ପ୍ରଶାସନ ପକ୍ଷରୁ ଜାରି ହେଇଛି କଟକଣା । ଏହି ୪ ଦିନ ମଧ୍ଯରେ କେବଳ ପୂର୍ଣ୍ଣମୀ ଦିନ ଭିତରକାଠ ଦର୍ଶନ ପାଇବେ ଶ୍ରଦ୍ଧାଳୁ ।
କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହୁଏ ପଞ୍ଚୁକ ବ୍ରତ । ଏକାଦଶୀ ଦିନ ଲକ୍ଷ୍ମୀ ନାରାୟଣ ବେଶ ବା ଠିଆକିଆ ବେଶ, ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ, ତ୍ରୟଦଶୀରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଓ ପୂର୍ଣ୍ଣିମାରେ ରାଜ ରାଜେଶ୍ୱରୀ ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଥାଏ l ଯେଉଁ ବର୍ଷ ପଞ୍ଚୁକ ୬ ଦିନ ପଡେ ସେହି ବର୍ଷ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ମଧ୍ୟ କରାଯାଇଥାଏ l ତେବେ ଦ୍ବାଦଶୀ ତିଥି କ୍ଷୟ ହେତୁ ଚଳିତବର୍ଷ ୪ ଦିନ ପଞ୍ଚୁକ ବ୍ରତ ପାଳନ କରାଯିବ । ତେଣୁ ଏଥର ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

