spot_img
Home Blog Page 303

ଅର୍ଥନୀତିରେ ତିନି ଜଣଙ୍କୁ ନୋବେଲ

ନନ୍ଦିଘୋଷ ବ୍ୟୁରୋ: ଘୋଷଣା ହେଲା ଅର୍ଥନୀତିରେ ନୋବେଲ ।  ଜୋଏଲ୍ ମୋକିର, ଫିଲିପ ଆଘିଅନ୍ ଏବଂ ପିଟର ହୋୱିଟଙ୍କୁ ମିଳିବ ଅର୍ଥନୀତିରେ ନୋବେଲ ସମ୍ମାନ।  ନବସୃଜନ ଜରିଆରେ ଆର୍ଥିକ ଅଭିବୃଦ୍ଧି ଉପରେ ଗବେଷଣା ପାଇଁ ୩ ଜଣଙ୍କୁ ମିଳିବ ଏହି ପୁରସ୍କାର ।

ଏନେଇ ରୟାଲ ସୁଇଡିସ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ଘୋଷଣା କରାଯାଇଛି । ସ୍ଥାୟୀ ଅଭିବୃଦ୍ଧି ଲାଗି ଗବେଷଣା ଦିଗରେ ୩ ବିଜ୍ଞାନୀ କରିଆସିଛନ୍ତି ଗବେଷଣା । ୧୯୬୯ରୁ ଦିଆଯାଉଛି ଅର୍ଥନୀତିରେ ନୋବେଲ । ଜୋଏଲ ମୋକିର ଜଣେ ଡଚ-ଇସ୍ରାଏଲୀ-ଆମେରିକୀୟ ଅର୍ଥନୀତିଜ୍ଞ । ଫିଲିପ ଆଘିଅନ ଫ୍ରାନ୍ସର ନାଗରିକ । ସେହିପରି ପିଟର ହୋୱିଟ ହେଉଛନ୍ତି କାନାଡ଼ା ବାସିନ୍ଦା ।

ଭୁଆଁ ବୁଲାଇଲା ଗୁଗଲ ମ୍ୟାପ୍: ଟ୍ରାକିଂ ପାଇଁ ଜଙ୍ଗଲରେ ଫସିଗଲେ ୫ ସଫ୍ଟଓ୍ବେର ଇଞ୍ଜିନିୟର

ନନ୍ଦିଘୋଷ ବ୍ୟୁରୋ: ଗୁଗଲ ମ୍ୟାପର ସଠିକତା ନେଇ ପୁଣି ଉଠିଲା ପ୍ରଶ୍ନ । ଗୁଗଲ ମ୍ୟାପ ଉପରେ ଭରସା କରି ପୁଣି ନାକେଦମ ହେଲେ ଲୋକେ । ଗୁଗଲ ମ୍ୟାପ ଦେଇଦେଲା ଧୋକା । ଟ୍ରାକିଂ ପାଇଁ ଯାଇ ଘଞ୍ଚ ଜଙ୍ଗଲରେ ଫସିଲେ ୫ ଯୁବକ । କୌଣସି ପ୍ରକାରେ ପରିବାର ସହ ଯୋଗାଯୋଗ କରିବା ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ଏମିତି ଘଟଣା ଘଟିଛି ଗୁଜରାଟର ନର୍ମଦା ଜିଲ୍ଲା ଅଞ୍ଚଳରେ ।

ଖବର ଅନୁସାରେ ଆନ୍ଧ୍ରପ୍ରଦେଶ ବାସିନ୍ଦା ଓ ତେଲେଙ୍ଗାନା ହାଇଦ୍ରାବାଦର ୫ ଜଣ ସଫ୍ଟଓ୍ବେର ଇଞ୍ଜିନିୟର ଟ୍ରାକିଂ କରିବାକୁ ନର୍ମଦା ଜିଲ୍ଲାକୁ ଯାଇଥିଲେ । ଯୋଜନା ଥିଲା ଷ୍ଟାଚ୍ୟୁ ଅଫ ୟୁନିଟ ଅଞ୍ଚଳର ଜାରଓ୍ବାନି ବନାଞ୍ଚଳରେ ଟ୍ରାକିଂ କରିବାର ଥିଲା । ଗୁଗଲ ମ୍ୟାପରେ ସେମାନେ ତୁଙ୍ଗାଇ ହିଲ ଲୋକେଶନ ସେଟ୍ କରିଥିଲେ । ହେଲେ ଗୁଗଲ ମ୍ୟାପ ଯେଉଁ ସ୍ଥାନ ଦେଖାଇଥିଲା ତାହା ପ୍ରକୃତ ସ୍ଥାନଠାରୁ ବହୁତ ଦୂରରେ ଥିଲା ।

ସ୍ଥାନ ସେଟ କରିବା ପରେ ୫ ଜଣ ସାଙ୍ଗ ଜାରଓ୍ବାନି ଗାଁର ଭାଙ୍ଗଡା ଫଲିୟାରେ ବାଇକ ରଖି ମ୍ୟାପ୍ ବତାଇବା ରାସ୍ତାରେ ଟ୍ରାକିଂରେ ବାହାରି ଯାଇଥିଲେ । ଦିନ ପ୍ରାୟ ୨.୩୦ରେ ସେମାନେ ଭୁଲ ରାସ୍ତାରେ ଆସିଥିବା ଓ ଗୁଗଲ ମ୍ୟାପ୍ ସେମାନଙ୍କୁ ଠକି ଦେଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ଜଙ୍ଗଲରୁ ବାହାରିବାକୁ ଚେଷ୍ଟା କରିଥିଲେ । ହେଲେ ସେତେବେଳକୁ ସ୍ଥିତି ଆଉ ସେମାନଙ୍କ ହାତରେ ନଥିଲା । ସେମାନେ ବାହାରକୁ ଆସିବାକୁ ଯେତେ ଚେଷ୍ଟା କରିଥିଲେ ଜଙ୍ଗଲ ଭିତରେ ସେତେ ସେତେ ଫସି ଯାଇଥିଲେ । ଏହାପରେ ଜଣେ ଯୁବକଙ୍କ ତାଙ୍କ ମାଆଙ୍କୁ ଫୋନ୍ ଲଗାଇ ଥିଲେ । ପିଲାଙ୍କ ପାଖରୁ ସବୁ ଶୁଣିବା ପରେ ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସଙ୍ଘବିଙ୍କୁ ଟ୍ୟାଗ୍ କରି ଟ୍ବିଟ୍ କରିଥିଲେ । ଘଟଣା ଜଣାପଡିବା ପରେ ପିଲାମାନଙ୍କୁ ଉଦ୍ଧାର କରିବାକୁ ପୋଲିସ ଆକ୍ଟିଭ ହୋଇଯାଇଥିଲା । ପୋଲିସ କର୍ମଚାରୀମାନେ ଜଙ୍ଗଲରେ ସେମାନଙ୍କୁ ଖୋଜିବା ଆରମ୍ଭ କରିବା ସହ ସେମାନଙ୍କୁ ଉଦ୍ଧାର କରିଥିଲା ।

ଇଜିପ୍ଟରେ ଗାଜା ଶାନ୍ତି ଆଲୋଚନା; ଯୋଗ ଦେବେ ୨୦ ଟି ଦେଶ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ଓ ହମାସ ମଧ୍ୟରେ ଶାନ୍ତିକୁ ନେଇ ଆଜି ଇଜିପ୍ଟର ଶର୍ମ ଅଲ୍ ଶେଖ୍ ରେ ଏକ ସମ୍ମିଳନୀ ହେଉଛି । ଏଥିରେ ଆମେରିକା ଓ ଇସ୍ରାଏଲର ରାଷ୍ଟ୍ରମୁଖ୍ୟଙ୍କ ସହିତ ଯୋଗ ଦେଉଛନ୍ତି ୨୦ଟି ଦେଶର ପ୍ରତିନିଧି । ପାଲେଷ୍ଟାଇନରେ ଶାନ୍ତି ପ୍ରତିଷ୍ଠା ଓ ଯୁଦ୍ଧ ବନ୍ଦ ଏବଂ ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନେଇ ମୁଖ୍ୟତଃ ଆଲୋଚନା ହେବ । ଟ୍ରମ୍ପ ମଧ୍ୟ ଏହି ବୈଠକରେ ଯୋଗ ଦେଉଛନ୍ତି ।

ବୈଠକରେ ଜାତିସଂଘର ମୁଖ୍ୟ, ବ୍ରିଟେନର ପ୍ରଧାନମନ୍ତ୍ରୀ, ଇଟାଲୀର ପ୍ରଧାନମନ୍ତ୍ରୀ, ସ୍ପେନର ପ୍ରଧାନମନ୍ତ୍ରୀ, ଫ୍ରାନ୍ସର ରାଷ୍ଟ୍ରପତି ପ୍ରମୁଖ ଯୋଗ ଦେବେ। ଯୁଦ୍ଧ ବିରତି ପାଇଁ ଇସ୍ରାଏଲ ଓ ହମାସ ରାଜି ହେବା ପରେ ଇଜିପ୍ଟରେ ଏହି ବୈଠକ ସ୍ଥିର ହୋଇଥିଲା। ଯୁଦ୍ଧବିରତି ପାଇଁ ଇଜିପ୍ଟ, କାତାର ଓ ତୁର୍କୀ ମଧ୍ୟସ୍ଥତାର ଭୂମିକା ଗ୍ରହଣ କରିଥିଲେ।

ପଣବନ୍ଦୀଙ୍କୁ ଛାଡ଼ିଲା ହମାସ ; ପ୍ରଥମ ପର୍ଯ୍ୟାୟରେ ୭ ଜଣଙ୍କୁ ଛାଡ଼ିଲା

ନନ୍ଦିଘୋଷ ବ୍ୟୁରୋ : ପଣବନ୍ଦୀଙ୍କୁ ଛାଡ଼ିଲା ହମାସ। ପ୍ରଥମ ପର୍ଯ୍ୟାୟରେ ୭ ଜଣଙ୍କୁ ଛାଡ଼ିଛି। ସେମାନଙ୍କୁ ରେଡକ୍ରସ ହାତରେ ଦିଆଯାଇଛି । ଇସ୍ରାଏଲ ସହିତ ଯୁଦ୍ଧ ବନ୍ଦ ଚୁକ୍ତି ଅନୁସାରେ ଏହି ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ। ପାଲେଷ୍ଟାଇନର ଏହି ସଂଗଠନ କହିଛି, ଇସ୍ରାଏଲର ଜେଲରେ ବନ୍ଦୀ ଥିବା ୧୯୦୦ ପାଲେଷ୍ଟାଇନଙ୍କ ମୁକ୍ତି ବଦଳରେ ୨୦ ଜଣ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୭ ଜଣଙ୍କୁ ଛାଡ଼ିବା ପରେ ସାରା ଇସ୍ରାଏଲରେ ଖେଳି ଯାଇଛି ଖୁସିର ଲହରୀ । ଟେଲିଭିଜନ ପରଦାରେ ଏହାର ଲାଇଭ୍ ହେଉଥିଲା। ସାରା ଦେଶର ଲୋକେ ଟିଭିକୁ ଅନାଇ ରହିିଥିଲେ। ଏପରିକି ଏଥିପାଇଁ ବଡ଼ ପରଦାରେ ସ୍ଵତନ୍ତ୍ର ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା। ଦୁଇ ବର୍ଷ ପରେ ଏହି ପଣବନ୍ଦୀମାନେ ମୁକ୍ତି ପାଇଛନ୍ତି। ତେଣୁ ସେମାନେ ବି ବହୁତ ଖୁସି। ଏମାନଙ୍କୁ ସ୍ଵାଗତ କରିବାକୁ ନିଜେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ତାଙ୍କ ସ୍ତ୍ରୀ ହାତଲେଖା ବାର୍ତ୍ତା ପଠାଇଛନ୍ତି।

୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା ହମାସ। ଏଥିରେ ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ପ୍ରାୟ ୨୫୦ ଜଣଙ୍କୁ ଅପହରଣ କରି ଗାଜାକୁ ଆଣିପକାଇଥିଲା ହମାସ। ସେହିଦିନଠାରୁ ଚାଲିଥିଲା ଯୁଦ୍ଧ। ଇସ୍ରାଏଲର ଆକ୍ରମଣରେ ଗାଜା ପୁରା ଧ୍ଵସ୍ତବିଧ୍ଵସ୍ତ ହୋଇ ଯାଇଛି। ପ୍ରାୟ ୭୦ ହଜାର ଲୋକ ନିହତ ହୋଇଥିବା ବେଳେ ୨ ଲକ୍ଷ ଲୋକ ଆହତ ହୋଇଛନ୍ତି। ୪ ଲକ୍ଷ ଲୋକ ପଳାୟନ କରିଛନ୍ତି। ଯୁଦ୍ଧର ଗଭୀର ପ୍ରଭାବ ପଡ଼ିଛି ଗାଜା ଉପରେ । ସେଠାରେ ଲୋକେ ଖାଇବାକୁ ପିଇବାକୁ ମଧ୍ୟ ପାଉ ନାହାନ୍ତି। ଏକ ପ୍ରକାର ଦୁର୍ଭିକ୍ଷ ଦେଖାଯାଇଛି। ଏହି ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପ ବହୁତ ଚେଷ୍ଟା କରିଥିଲେ। ଶେଷରେ ଉଭୟ ପକ୍ଷର ଅନେକ ସର୍ତ୍ତ ଅନୁସାରେ ଯୁଦ୍ଧ ବିରତି ହୋଇଛି। ଏଥିପାଇଁ ଇସ୍ରାଏଲ ଓ ଇଜିପ୍ଟ ଟ୍ରମ୍ପଙ୍କୁ ନିଜ ନିଜ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହମାସ-ଇସ୍ରାଏଲ ଯୁଦ୍ଧ ବିରତି ସହିତ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବ ବୋଲି ଆଶା କରାଯାଉଛି।

ଓଡି଼ଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ଧରାପଡ଼ୁନି ମୁଖ୍ୟ ଅଭିଯୁକ୍ତ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଂଗ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାରେ ପୋଲିସ ଏଯାଏ ମୁଖ୍ୟ ଅଭିଯୁକ୍ତକୁ ଧରିପାରିନି। ତା ପାଖରେ ପହଞ୍ଚି ପାରିନି ପୋଲିସ। ଚାରିଆଡ଼େ ଜାଲ ବିଛାଇଥିଲେ ମଧ୍ୟ ତାକୁ ଧରାଯାଇପାରିନି। ଦୁର୍ଗାପୁର ଶୋଭାପୁରରେ ଥିବା ପ୍ରାଇଭେଟ ମେଡିକାଲରେ ଦ୍ଵିତୀୟ ବର୍ଷ ଏମବିବିଏସ୍ ଛାତ୍ରୀ ଥିବା ଓଡ଼ିଆ ଝିଅକୁ ଗଣଦୁଷ୍କର୍ମ କରାଯାଇଥିଲା ଗତ ଶୁକ୍ରବାର। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ ପରେ ୩ ଅଭିଯୁକ୍ତଙ୍କୁ ୧୦ ଦିନ ପୋଲିସ ରିମାଣ୍ଡରେ ପଠାଇଛନ୍ତି କୋର୍ଟ। ଏହି ସମୟରେ ପୋଲିସ ସେମାନଙ୍କୁ ଘନ ଘନ ଜେରା କରିବ ଓ ସତ ଓଗାଲିବ ବୋଲି ଜଣାପଡ଼ିଛି । ଗିରଫ ବ୍ୟକ୍ତିଙ୍କ ନିକଟରୁ ପୀଡିତା ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ମିଳିଛି । ଘଟଣାରେ ହସ୍ତକ୍ଷେପ ପାଇଁ ପଶ୍ଚିମବଙ୍ଗ ଡାକ୍ତର ସଂଘ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଛନ୍ତି । ଛାତ୍ରଛାତ୍ରୀଙ୍କ ସମେତ ବିଜେପି ଓ ବାମପନ୍ଥୀମାନେ ଆନ୍ଦୋଳନ କରିଛନ୍ତି ।

ତେବେ ପଶ୍ଚିମବଂଗ ଦୁର୍ଗାପୁର ଗସ୍ତରେ ବାହାରିଛନ୍ତି ରାଜ୍ୟ ମହିଳା କମିଶନର ଟିମ୍ । ଦୁର୍ଗାପୁରରେ ଘରୋଇ ମେଡିକାଲକୁ ଯାଇ ସ୍ଥିତି ବିଷୟରେ ପଚାରି ବୁଝିବ ଏହି ଟିମ। ପଶ୍ଚିମବଂଗ ପ୍ରଶାସନିକ ଅଧିକାରୀଙ୍କ ସହ ପୀଡ଼ିତାଙ୍କ ସ୍ଵାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିବେ। ମାମଲାରେ ତଦନ୍ତ ଅଗ୍ରଗତି ନେଇ ପଚାରି ବୁଝିବ ଟିମ । ପୀଡ଼ିତା ଛାତ୍ରୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନେଇ ଗୁରୁତ୍ଵାରୋପ କରିବ ରାଜ୍ୟ ମହିଳା କମିଶନ ଟିମ । ପୀଡ଼ିତା ଏବଂ ତାଙ୍କ ପରିବାର ଲୋକଙ୍କୁ ଭେଟିବେ କମିଶନର ଟିମ। ଘଟଣାରେ ପୀଡ଼ିତାଙ୍କୁ ଯେପରି ନ୍ୟାୟ ମିଳିପାରିବ ସେ ନେଇ ଅଧିକ ଗୁରୁତ୍ଵ ଦେବ ରାଜ୍ୟ ମହିଳା କମିଶନ ଟିମ।

ନ୍ୟାୟ ପାଇଁ ଦୁର୍ଗାପୁରରେ ଓଡି଼ଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିଜେପିର ପ୍ରତିବାଦ। ଦୁର୍ଗାପୁର ସିଟି ସେଣ୍ଟର୍ ଆଗରେ ଧାରଣା ମଞ୍ଚ ତିଆରି କରୁଥିବାବେଳେ ପୋଲିସ ଦ୍ବାରା ମନା କରାଯାଇଥିଲା। ଏଠାରେ ବିଜେପି କର୍ମୀ ଧାରଣା ଦେଇଥାନ୍ତେ। ପୋଲିସ ଅନୁମତି ନଦେବାରୁ ଏହାର ପ୍ରତିବାଦ କରି ବିଜେପି କର୍ମୀ ଓ ନେତା ଧାରଣା ଦେଇଛନ୍ତି। ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ବିଜେପି କର୍ମୀ ଓ ମେଡିକାଲ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ବ୍ୟାରିକେଡ଼କୁ ହଟାଇ ଧସେଇ ପସିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମୀ। ଏହାକୁ ନେଇ ଉତ୍ତେଜନା ଲାଗି ରହିଛି।

ହାଫିଜ ସଈଦଙ୍କ ଗଡ଼ ମୁରିଦକେରେ ହଙ୍ଗାମା, ପାକିସ୍ତାନରେ ପୋଲିସ ଓ ମୌଳବାଦୀ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ଗାଜା ସମର୍ଥନରେ ମୁସଲମାନ ମୌଳବାଦୀ ସଂଗଠନ ତେହରୀକ-ଏ-ଲବ୍ବୈକର କର୍ମୀ ଆମେରିକୀୟ ଦୂତାବାସ ବାହାରେ ବିକ୍ଷୋଭ କରିବାକୁ ଯାଉଥିବା ବେଳେ ମୁରିଦକେରେ ପୋଲିସ ସହ ମୁହାଁମୁହିଁ ହୋଇଛି । ପୋଲିସ ସହିତ ସଂଘର୍ଷରେ ସଂଗଠନର ଅନେକ କର୍ମୀ ଆହତ ହୋଇଛନ୍ତି । ସଂଗଠନ ନେତାଙ୍କ ଅଭିଯୋଗ ଅନୁସାରେ ସେମାନେ ଫଜର ନମାଜ ପଢ଼ୁଥିବା ସମୟରେ ପୋଲିସ ପିଟିଥିଲା। ମୁରିଦକେ ହାଫିଜ ସଈଦଙ୍କ ଗଡ଼ ବୋଲି ବିବେଚନା କରାଯାଏ।

ପାକିସ୍ତାନର ମୁରିଦକେ ଅଞ୍ଚଳରେ ରବିବାର ଦିନ ତେହରୀକ-ଏ-ଲବ୍ବୈକ ପାକିସ୍ତାନ (ଟିଏଲପି)ର ବିକ୍ଷୋଭକାରୀ ଓ ସୁରକ୍ଷା ବାହିନୀ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ସେତେବେଳେ ହୋଇଥିଲା ଯେତେବେଳେ ଟିଏଲପିର ଶହଶହ ସମର୍ଥକ ଗାଜାର ସମର୍ଥନରେ ଇସଲାମାବାଦ ଆଡ଼େ ମାର୍ଚ୍ଚ କରୁଥିଲେ। ବିକ୍ଷୋଭକାରୀଙ୍କ ଲକ୍ଷ୍ୟ ଥିଲା ଆମେରିକୀୟ ଦୂତାବାସ ବାହାରେ ବିକ୍ଷୋଭ କରିବା । ପାକିସ୍ତାନର ମୁରିଦକେ ଆତଙ୍କବାଦୀ ହାଫିଜ ସଈଦଙ୍କ ଗଡ଼ ବୋଲି ବିବେଚନା କରାଯାଏ । ଏହି ସ୍ଥାନରେ ହାଫିଜର ଆତଙ୍କବାଦୀ ମଦରସା ରହିଛି ।

ସୂତ୍ର ଅନୁଯାୟୀ ଟିଏଲପିର କର୍ମୀ ମୁରିଦକେ ପହଞ୍ଚିବା ମାତ୍ରେ ପୋଲିସ ଓ ରେଞ୍ଜର୍ସ ରାସ୍ତା ଅଟକାଇବାକୁ ଚେଷ୍ଟା କରିଥିଲେ, ଯେଉଁଥିପାଇଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଭିଡ଼କୁ ଅଟକାଇବା ପାଇଁ ସୁରକ୍ଷା ବାହିନୀ ଲାଠିଚାର୍ଜ, ଲୁହବୁହା ଗ୍ୟାସ ଓ ଗୁଳିଚାଳନାର ସାହାଯ୍ୟ ନେଇଥିଲେ। ଅନେକ ବିକ୍ଷୋଭକାରୀ ଓ ପୋଲିସକର୍ମୀ ଆହତ ହୋଇଥିବା ଖବର ମିଳିଛି। ବିକ୍ଷୋଭକାରୀମାନେ ମଧ୍ୟ ପ୍ରତିକ୍ରିୟାରେ ପଥର ମାଡ଼ କରିଥିଲେ ଓ ସରକାରୀ ଗାଡ଼ିଗୁଡ଼ିକୁ କ୍ଷତି ପହଞ୍ଚାଇଥିଲେ। ସଂଘର୍ଷ ପରେ ପ୍ରଶାସନ ଇସଲାମାବାଦ ଓ ଲାହୋର ମଧ୍ୟରେ ଅନେକ ରାସ୍ତା ବନ୍ଦ କରିଦେଇଛି। ରାଜଧାନୀରେ ଆଲର୍ଟ ଜାରି କରାଯାଇଛି ଏବଂ ଇଣ୍ଟରନେଟ ସେବା ବନ୍ଦ କରିବା ଉପରେ ମଧ୍ୟ ବିଚାର ଚାଲିଛି। ଗାଜାର ସମର୍ଥନରେ ଏହି ମାର୍ଚ୍ଚ ଏବେ ପାକିସ୍ତାନରେ ରାଜନୈତିକ ଓ ସୁରକ୍ଷା ସଙ୍କଟର ନୂଆ କେନ୍ଦ୍ର ପାଲଟିଛି। ତେହରୀକ-ଏ-ଲବ୍ବୈକ ସରକାର ଓ ପ୍ରଶାସନ ଉପରେ ଧୋକା ଦେବାର ଅଭିଯୋଗ ଲଗାଇଛି। ଟିଏଲପିର କହିବା ଅନୁଯାୟୀ, ସରକାର ବିକ୍ଷୋଭ ପାଇଁ ଅନୁମତି ଦେଇଥିଲେ, କିନ୍ତୁ ଯେତେବେଳେ ବିକ୍ଷୋଭକାରୀମାନେ ଫଜର ନମାଜ ପାଇଁ ବସିଥିଲେ, ସେତେବେଳେ ଲାଠିଚାର୍ଜ ହୋଇଥିଲା।

୩ ଦିନ ଧରି ଇସଲାମାବାଦ ଓ ଲାହୋର ବନ୍ଦ ରହିଛି। ଅନେକ ସହରରେ ଧାରା-୧୪୪ ଲାଗୁ ହୋଇଛି। ତେହରୀକ-ଏ-ଲବ୍ବୈକର ସ୍ଥାପନା ୨୦୧୫ ମସିହାରେ ହୋଇଥିଲା। ଏହା ଏକ ମୌଳବାଦୀ ଇସଲାମିକ ପାର୍ଟି ଅଟେ । ଏହାର ପ୍ରତିଷ୍ଠାତା ଅମୀର ମୌଲାନା ଖାଦିମ ହୁସେନ। ହୁସେନ ସୁନ୍ନୀ ସମ୍ପ୍ରଦାୟର ନେତା ବୋଲି ବିବେଚନା କରାଯାଏ। ଏହି ସଂଗଠନ ୨୦୨୩ରେ ଇମରାନ ଖାନଙ୍କ ସରକାରକୁ କ୍ଷମତାଚ୍ୟୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଏହି ମୌଳବାଦୀ ସଂଗଠନକୁ ଶେହବାଜ ଶରୀଫଙ୍କ ପାର୍ଟିର ନିକଟତର ବୋଲି ବିବେଚନା କରାଯାଏ।

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ; ଆଜିଠାରୁ ନାମାଙ୍କନ କରିପାରିବେ ପ୍ରାର୍ଥୀ

ନୂଆପଡ଼ା : ଆଜିଠାରୁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆପଡାରେ ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀମାନେ। ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ନାମାଙ୍କନ ପ୍ରକ୍ରିୟା। ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ। ଏହାସହ ୧୧ତାରିଖରେ ଭୋଟ ଗ୍ରହଣ ହେବ। ସେଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ମାଓପ୍ରବଣ ଅଞ୍ଚଳରେ ଥିବା ୪୭ଟି ସମ୍ବେଦନଶୀଳ ବୁଥ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୮ଟି ବୁଥ ପାଇଁ ହେଲିକପଟର ବ୍ୟବସ୍ଥା ହୋଇଛି। ଯେଉଁଥିରେ ପୋଲିଂ ଅଧିକାରୀମାନେ ହେଲିକପଟରରେ ଯାଇ ଭୋଟିଂ ସାରି ଫେରିବେ।

୧୪ କେନ୍ଦ୍ରୀୟ ସଶସ୍ତ୍ରବାହିନୀ ମୁତୟନ ହେବେ। ସେପଟେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଲାଗି ପଡ଼ିଛନ୍ତି ନିର୍ବାଚନ ପ୍ରସ୍ତୁତିରେ। ଦିନେ ଦୁଇ ଦିନ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପିଏସିର ପୁଣି ଏକ ବୈଠକ ବସିବ। ସେହି ବୈଠକରେ ସ୍ଥିର ହେବ କାହାକୁ କରାଯିବ ପ୍ରାର୍ଥୀ। ବିଜେପି ମଧ୍ୟ ଏଯାଏ ପ୍ରାର୍ଥୀ ଘୋଷଣା କରିପାରିନି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ଦଳରେ ସାମିଲ କରିଥିଲେ ମଧ୍ୟ ତାଙ୍କୁ ତୃଣମୂଳସ୍ତରରେ ବିରୋଧ କରାଯିବାରୁ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳ କହୁଛି ଦିଲ୍ଲୀରୁ ଗ୍ରୀନ ଆସିବା ପରେ ହିଁ ପ୍ରାର୍ଥୀ ଘୋଷଣା ହେବ। କଂଗ୍ରେସ କିନ୍ତୁ ଆଗରୁ ଘାସିରାମ ମାଝୀଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି।

ଲାଲୁ ପରିବାରକୁ ଝଟକା ; IRCTC ସ୍କାମରେ ଚାର୍ଜଫ୍ରେମ କଲେ ଦିଲ୍ଲୀ କୋର୍ଟ

ନନ୍ଦିଘୋଷ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଓ ପରିବାରଙ୍କୁ ଝଟକା। ଆଇଆରସିଟିସି ସ୍କାମରେ ଚାର୍ଜଫ୍ରେମ କଲେ ଦିଲ୍ଲୀ କୋର୍ଟ। ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ, ପତ୍ନୀ ରାବଡି ଦେବୀ ଓ ପୁଅ ତେଜସ୍ବୀ ଯାଦବଙ୍କ ବିରୋଧରେ ରୁଜୁ ହେଲା ମାମଲା। ଆଇଆରସିଟିସି ହୋଟେଲ ସ୍କାମରେ ମାମଲା ରୁଜୁ କରାଯାଇପାରିବ କି ନାହିଁ ସେ ନେଇ ନିଷ୍ପତ୍ତି ଘୋଷଣା ଲାଗି ଆଜି ତାରିଖ ହୋଇଥିଲା ଧାର୍ଯ୍ୟ। ମାମଲାର ଶୁଣାଣି ଲାଗି କୋର୍ଟରେ ହାଜର ହୋଇଥିଲେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ, ପତ୍ନୀ ରାବଡି ଦେବୀ ଓ ପୁତ୍ର ତେଜସ୍ବୀ ଯାଦବ।

ଏହି ମାମଲାରେ ସିବିଆଇ ୧୪ ଜଣ ବ୍ୟକ୍ତିବିଶେଷଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ୨୦୧୭ରେ ଏହି ମାମଲା ଆରମ୍ଭ ହୋଇଥିଲା। ଆଇଆରସିଟିସି ହୋଟେଲର ରକ୍ଷଣାବେକ୍ଷଣ ଚୁକ୍ତି ନେଇ ସଲାସୁତୁରା କରାଯିବା ସହ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଲାଲୁ ପ୍ରସାଦ ପଦବୀରେ ଥାଇ ପଦର ଦୁରୂପଯୋଗ କରିଥିବା ଅଭିଯୋଗ ହୋଇଥିଲା।  ସିବିଆଇକୁ ଉଦ୍ଧୃତ କରି କୋର୍ଟ କହିଛନ୍ତି ଯେ ଲାଲୁଙ୍କ ଜ୍ଞାନରେ ଏହି ଷଡ଼ଯନ୍ତ୍ର ରଚନା କରାଯାଇଥିଲା। ତଥାପି, ଅଭିଯୁକ୍ତମାନେ ନିଜକୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲେ। ଯେତେବେଳେ କୋର୍ଟ ଲାଲୁ ଯାଦବଙ୍କୁ ପଚାରିଲେ ଯେ ସେ ତାଙ୍କର ଦୋଷ ସ୍ୱୀକାର କରିଛନ୍ତି କି ନାହିଁ, ଲାଲୁ ଯାଦବ, ରାବଡି ଦେବୀ ଏବଂ ତେଜସ୍ୱୀଙ୍କ ସହିତ, ସେମାନଙ୍କର ଦୋଷ ସ୍ୱୀକାର କରିବାକୁ ମନା କରିଦେଲେ। ସେମାନେ କହିଲେ ଯେ ସେମାନେ ବିଚାରର ସମ୍ମୁଖୀନ ହେବେ। ଯେଉଁ ଧାରା ଅନୁଯାୟୀ ଅଭିଯୋଗ ଫଇସଲା କରାଯାଇଛି ସେଥିରେ IPC 420, IPC 120B, ଏବଂ ଦୁର୍ନୀତି ନିବାରଣ ଆଇନର ଧାରା 13(2) ଏବଂ 13(1)(d) ଅନ୍ତର୍ଭୁକ୍ତ। ଆଦେଶରେ କୁହାଯାଇଛି ଯେ ଲାଲୁଙ୍କ ଜ୍ଞାନରେ ଏହି ଷଡ଼ଯନ୍ତ୍ର ରଚନା କରାଯାଇଥିଲା। କୋର୍ଟ କହିଛନ୍ତି ଯେ ରାବଡି ଦେବୀ ଏବଂ ତେଜସ୍ୱୀଙ୍କୁ କମ୍ ମୂଲ୍ୟରେ ଜମି ମିଳିଥିଲା।

ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ଲାଲୁ ଯାଦବ ଏବଂ ତାଙ୍କ ପରିବାର ପାଇଁ ଏହି କୋର୍ଟ ନିଷ୍ପତ୍ତି ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। ଲାଲୁ ଯାଦବ, ରାବଡି ଦେବୀ ଏବଂ ତେଜସ୍ୱୀ ଯାଦବ କୋର୍ଟରେ ହାଜର ହେବା ପାଇଁ ଦିଲ୍ଲୀରେ ଥିଲେ। ସେମାନଙ୍କ ବିରୁଦ୍ଧରେ ଅନ୍ୟ ଦୁଇଟି ମାମଲାରେ ମଧ୍ୟ ଆଜି ଶୁଣାଣି ହେବାର ଅଛି, ଯଦିଓ ଉଭୟ ମାମଲାରେ ସେମାନଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବା ଆବଶ୍ୟକ ନାହିଁ। ଲାଲୁ ପରିବାରର ଦିଲ୍ଲୀ ଗସ୍ତ ସମୟରେ, ଆଜି ସେମାନଙ୍କର କଂଗ୍ରେସ ନେତୃତ୍ୱ ସହିତ ଏକ ବୈଠକ ମଧ୍ୟ ଅଛି, ଯେଉଁଠାରେ ବିହାରରେ ଆସନ ବଣ୍ଟନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ରବିବାର ଏନଡିଏ ବିହାରରେ ଆସନ ବଣ୍ଟନ ଚୂଡ଼ାନ୍ତ କରିଥିଲା, ଯେତେବେଳେ ମହାମେଣ୍ଟ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇନାହିଁ।

ରଙ୍ଗ ବଦଳାଉଛନ୍ତି ଟ୍ରମ୍ପ ; ଚୀନ୍ ରାଷ୍ଟ୍ରପତିଙ୍କୁ ପ୍ରଶଂସାରେ ପୋତି ପକାଇଲେ

ନନ୍ଦିଘୋଷ ବ୍ୟୁରୋ: ସୁଧୁରୁନାହାଁନ୍ତି ଡୋନାଲ୍ଡ ଟ୍ରମ୍ପ । ପ୍ରଥମେ ଧମକି ଦେଉଛନ୍ତି ତାପରେ ନରମ ଦେଖାଉଛନ୍ତି । ଦେଖୁନାହଁନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଚୀନ୍ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ, କିନ୍ତୁ ପରେ ତାଙ୍କ ମତକୁ ନରମ କରୁଥିବା ପରି ମନେ ହେଉଛି। ରବିବାର ଟ୍ରମ୍ପ କହିଛନ୍ତି ଯେ ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଭଲ ରହିବ । ଯଦିଓ ସେ ଆସନ୍ତା ମାସରୁ ଚୀନ୍ ଆମଦାନୀ ଉପରେ 100 ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ କିନ୍ତୁ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ତାଙ୍କ ଦେଶ ପାଇଁ ଜଣେ ଭଲ ନେତା ବୋଲି କହି ପ୍ରଶଂସା କରିଥିଲେ।

ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଭଲ ସମ୍ପର୍କ ରହିଛି। ତାଙ୍କ ବକ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଶୁକ୍ରବାର ଦିନ ବିରଳ ପୃଥିବୀ ଖଣିଜ ପଦାର୍ଥ ଉପରେ ଚୀନ୍ ର ନୂତନ ରପ୍ତାନି ନିୟନ୍ତ୍ରଣର ଜବାବରେ ନୂତନ ଶୁଳ୍କ ଲଗାଇବାକୁ ଧମକ ଦେବା ପରେ ଆସିଛି। ସେ ଚୀନ୍ ରାଷ୍ଟ୍ରପତି ଏବଂ ଚୀନ୍ ସହିତ ଆମେରିକା ସମ୍ପର୍କ ଉପରେ ଭିନ୍ନ ମତ ପୋଷଣ କରୁଥିବା ଦେଖାଯାଇଥିଲା।

କାହିଁକି ବଦଳିଲା ଡୋନାଲ୍ଡ ଟ୍ରମ୍ପଙ୍କ ମତ ?

ରବିବାର ଦିନ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ରେ ମଧ୍ୟ ଲେଖିଛନ୍ତି “ଚୀନ ବିଷୟରେ ଚିନ୍ତା କରନାହିଁ ସବୁକିଛି ଠିକ୍ ହୋଇଯିବ। ସମ୍ମାନୀୟ ଚୀନ ରାଷ୍ଟ୍ରପତି ଜି କେବଳ ଏକ ଖରାପ ମୁହୂର୍ତ୍ତ ଦେଖିଛନ୍ତି। ସେ ତାଙ୍କ ଦେଶ ପାଇଁ ମାନ୍ଦାବସ୍ଥା ଚାହାଁନ୍ତି ନାହିଁ ଏବଂ ମୁଁ ମଧ୍ୟ ଚାହୁଁନାହିଁ। ଆମେରିକା ଚୀନକୁ ସାହାଯ୍ୟ କରିବାକୁ ଚାହୁଁଛି କ୍ଷତି କରିବାକୁ ନୁହେଁ।” ପୂର୍ବରୁ ଟ୍ରମ୍ପ ଚୀନ୍ ରାଷ୍ଟ୍ରପତିଙ୍କ ବିଷୟରେ କହିଥିଲେ, “ସେ ଜଣେ ବହୁତ କଠୋର ବ୍ୟକ୍ତି, ବହୁତ ବୁଦ୍ଧିମାନ ଏବଂ ତାଙ୍କ ଦେଶ ପାଇଁ ଜଣେ ବହୁତ ଭଲ ନେତା।” ଇସ୍ରାଏଲ ଏବଂ ମିଶର ଅଭିମୁଖେ ଯାତ୍ରା କରିବା ପରେ ସେ ଏହା କହିଥିଲେ।

https://x.com/TrumpTruthOnX/status/1977418438139314440

ଗୋଟେ ପଟେ ଶୁଳ୍କ, ଅନ୍ୟପଟେ ପ୍ରଶଂସା !

ଚୀନ୍ ଉପରେ ୧୦୦% ଶୁଳ୍କ ଲଗାଇବାର ଧମକ ପରେ, ବେଜିଂ ଆନୁଷ୍ଠାନିକ ଭାବରେ ପ୍ରତିକ୍ରିୟା ଦେଇ କହିଛି ଯେ ଏହା ତାର ବୈଧ ଅଧିକାର ଏବଂ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ। ତଥାପି ଚୀନର କଠୋର ଆଭିମୁଖ୍ୟ ପରେ ଟ୍ରମ୍ପ୍ ତାଙ୍କର ଆଭିମୁଖ୍ୟକୁ ନରମ କରିଥିବା ଦେଖାଯାଇଥିଲା, କହିଥିଲେ ଯେ ଅତିରିକ୍ତ ଶୁଳ୍କ ଏବେ ବି ରହିଛି। ଗୁରୁବାର ଦିନ ଚୀନ୍ ଉଚ୍ଚ-ପ୍ରଯୁକ୍ତି ଉତ୍ପାଦ ନିର୍ମାଣ ପାଇଁ ଅତ୍ୟାବଶ୍ୟକ ବିରଳ ପୃଥିବୀ ଏବଂ ସମ୍ପର୍କିତ ପ୍ରଯୁକ୍ତିବିଦ୍ୟାର ରପ୍ତାନି ଉପରେ ଅତିରିକ୍ତ କଟକଣା ଲଗାଇବା ପରେ ଏହି ସଦ୍ୟତମ ଆମେରିକା-ଚୀନ୍ ବିବାଦ ଆସିଥିଲା। ଶୁକ୍ରବାର ଟ୍ରମ୍ପ୍ ଘୋଷଣା କରିଥିଲେ ଯେ ଚୀନ୍ ବର୍ଦ୍ଧିତ ଶତ୍ରୁତାପୂର୍ଣ୍ଣ ହୋଇଗଲାଣି ଏବଂ କେବଳ ଆମେରିକାକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ କବରକୁ ଟାଣି ଦେଉଛି। ସେ କହିଥିଲେ ଯେ ନଭେମ୍ବର ୧ ତାରିଖରେ କିମ୍ବା ପୂର୍ବରୁ ଚୀନ୍ ର ଯେକୌଣସି କାର୍ଯ୍ୟାନୁଷ୍ଠାନର ଜବାବରେ ଆମେରିକା ଶୁଳ୍କ ଲାଗୁ କରିବ ଏବଂ ସେ ସି ଜିନପିଙ୍ଗଙ୍କ ସହିତ ତାଙ୍କର ଆଗାମୀ ବୈଠକ ବାତିଲ କରିପାରନ୍ତି। ଟ୍ରମ୍ପ୍ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ନଭେମ୍ବର ୧ ତାରିଖରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ଉତ୍ପାଦ ଉପରେ ରପ୍ତାନି ନିୟନ୍ତ୍ରଣ ଲାଗୁ କରିବ। ତଥାପି, ଚୀନ୍ ପ୍ରତି ତାଙ୍କର ନରମ ଆଭିମୁଖ୍ୟ ଆସିଥିଲା ​​କାରଣ ଶୁକ୍ରବାର ଦିନ ଏକ ନୂତନ ବାଣିଜ୍ୟ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇବା ଯୋଗୁଁ ଆମେରିକାର ଷ୍ଟକ୍ ବଜାରରେ ତୀବ୍ର ହ୍ରାସ ଦେଖାଯାଇଥିଲା।

AIIMS କର୍ମଚାରୀଙ୍କୁ ଗୁଳିକରି ହତ୍ୟା ; ୩ ରାଉଣ୍ଡ ଗୁଳି ମାଡ କରିଛନ୍ତି ଦୁବୃର୍ତ୍ତ

ଭୁବନେଶ୍ବର : AIIMS କର୍ମଚାରୀଙ୍କୁ ଗୁଳିକରି ହତ୍ୟା । ମୃତକ ହେଲେ AIIMS ହସ୍ପିଟାଲ କାର୍ଯ୍ୟରତ ଲ୍ୟାବ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆ । ଡ୍ୟୁଟିକୁ ଆସିବା ବେଳେ ଗୋଡେଇ ଗୋଡେଇ ଗୁଳିମାଡ କରିଥିଲେ ଦୁବୃର୍ତ୍ତ । ୩ ରାଉଣ୍ଡ ଗୁଳି ମାଡ କରିଛନ୍ତି ଦୁବୃର୍ତ୍ତ । ଗୁଳି ମାଡରେ ଗୁରୁତର ହୋଇ AIIMS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସୁଧାଂଶୁ । ସେ AIIMS ନିକଟ ସରକନ୍ତରାରେ ରହୁଥିଲେ । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।