spot_img
Home Blog Page 301

ସୁରକ୍ଷା ବଦଳରେ ୮ଲକ୍ଷ କୋଟି ଟଙ୍କାର ଆମେରିକୀୟ ଅସ୍ତ୍ରଶସ୍ତ୍ର କିଣିବ ୟୁକ୍ରେନ !

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନକୁ ମିଳିବ ସୁରକ୍ଷାର ଫୁଲ୍ ଗ୍ୟାରେଣ୍ଟି । ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନୀୟ ରାଷ୍ଟ୍ରପତି ଏବଂ ୟୁରୋପୀୟ ନେତାମାନଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟରେ ଟ୍ରମ୍ପ ୟୁକ୍ରେନୀୟକୁ ସୁରକ୍ଷା ଗ୍ୟାରେଣ୍ଟି ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏକ ରିପୋର୍ଟ ଅନୁଯାୟୀ, ୟୁକ୍ରେନୀୟ ସୁରକ୍ଷା ଗ୍ୟାରେଣ୍ଟି ବଦଳରେ ଆମେରିକା ୧୦୦ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ୫୦ ବିଲିୟନ ଡଲାର ମୂଲ୍ୟର ଡ୍ରୋନ୍ କିଣିବାକୁ ପ୍ରସ୍ତାବ ଦେଇଛି। ୟୁରୋପୀୟ ଦେଶମାନେ ମିଳିତ ଭାବରେ ଏହି ଟଙ୍କା ୟୁକ୍ରେନକୁ ଦେବେ। ଟ୍ରମ୍ପ ସୋମବାର ଦିନ କହିଥିଲେ ଯେ ଆମେ କେବଳ ନାଟୋକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବୁ। ଯଦି ନାଟୋ ଚାହେଁ, ତେବେ ଏହା ୟୁକ୍ରେନୀୟକୁ ଅସ୍ତ୍ରଶସ୍ତ୍ର ଦେଇପାରିବ।

ହ୍ୱାଇଟ୍ ହାଉସରେ ଜେଲେନ୍ସକି ଏବଂ ଟ୍ରମ୍ପଙ୍କ ବୈଠକ ପୂର୍ବରୁ ୟୁରୋପୀୟ ସହଯୋଗୀମାନଙ୍କ ସହ ଅସ୍ତ୍ରଶସ୍ତ୍ର କ୍ରୟ କରିବାର ଏହି ପ୍ରସ୍ତାବ ସେୟାର କରାଯାଇଥିଲା। ଆମେରିକାରୁ କେଉଁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ କିଣାଯିବ ତାହାର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରାଯାଇ ନାହିଁ। ତଥାପି, ୟୁକ୍ରେନୀୟ ଅଧିକାରୀମାନେ ମିସାଇଲ୍ ଏବଂ ପ୍ରତିରକ୍ଷା ଉପକରଣ ସହିତ ସହର ଏବଂ ଭିତ୍ତିଭୂମିକୁ ସୁରକ୍ଷା ଦେବା ପାଇଁ ୧୦ଟି ଆମେରିକୀୟ ନିର୍ମିତ ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦାବି କରିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନକୁ ନାଟୋର ଆର୍ଟିକିଲ-୫ ଅନୁସାରେ ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ, କିନ୍ତୁ ଏହାକୁ ଆନୁଷ୍ଠାନିକ ଭାବରେ ନାଟୋରେ ଅନ୍ତର୍ଭୁକ୍ତ କରାଯିବ ନାହିଁ। ଉତ୍ତର ଆଟଲାଣ୍ଟିକ ଚୁକ୍ତିର ଆର୍ଟିକିଲ-୫ ଅନୁସାରେ ୱାଶିଂଟନ ଚୁକ୍ତି ଭାବରେ ମଧ୍ୟ ଜଣାଶୁଣା। ଏଥିରେ କୁହାଯାଇଛି ଯେ ୟୁରୋପ କିମ୍ବା ଉତ୍ତର ଆମେରିକାରେ ଥିବା ୩୨ଟି ସଦସ୍ୟଙ୍କ ମଧ୍ୟରୁ ଯେକୌଣସି ଉପରେ ସଶସ୍ତ୍ର ଆକ୍ରମଣକୁ ସେମାନଙ୍କ ସମସ୍ତଙ୍କ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ। ଯଦି ଏହି ଚୁକ୍ତି ଉପରେ ଆଲୋଚନା ଆଗକୁ ବଢ଼େ, ତେବେ ଏହା ପୁଟିନଙ୍କ ମନୋଭାବରେ ଏକ ବଡ଼ ପରିବର୍ତ୍ତନ ହେବ। ପୁଟିନ ଆରମ୍ଭରୁ ୟୁକ୍ରେନକୁ ନାଟୋ ଭଳି ସୁରକ୍ଷା ଗ୍ୟାରେଣ୍ଟି ଦେବା ବିରୁଦ୍ଧରେ ରହିଆସିଛନ୍ତି।

ଜର୍ମାନ ଚାନ୍ସେଲର କହିଛନ୍ତି- ପୁଟିନ-ଜେଲେନସ୍କି ୨ ସପ୍ତାହ ମଧ୍ୟରେ ସାକ୍ଷାତ କରିବେ । ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ କହିଛନ୍ତି ଯେ ପୁଟିନ୍ ୧୫ ଦିନ ମଧ୍ୟରେ ଜେଲେନ୍ସକିଙ୍କୁ ଭେଟିବାକୁ ରାଜି ହୋଇଛନ୍ତି। ଟ୍ରମ୍ପଙ୍କ ସହ ଫୋନ୍ ମାଧ୍ୟମରେ ଆଲୋଚନା ସମୟରେ ସେ ବୈଠକ ପାଇଁ ରାଜି ହୋଇଛନ୍ତି। ବୈଠକର ସ୍ଥାନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ୟୁରୋପୀୟ ନେତାମାନେ ଆଗକୁ ଆଲୋଚନା ପୂର୍ବରୁ ଯୁଦ୍ଧବିରତି ଚାହାଁନ୍ତି। ତଥାପି, ଟ୍ରମ୍ପ ଯୁଦ୍ଧବିରତିକୁ ଏକ ଅସ୍ଥାୟୀ ସମାଧାନ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଯୁଦ୍ଧ ବନ୍ଦ କରିବା ପାଇଁ ଯୁଦ୍ଧବିରତିର ଆବଶ୍ୟକତା ନାହିଁ।

ଟ୍ରମ୍ପ କହିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିବ ନା ଶାନ୍ତି ଆସିବ, ତାହା ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଜେଲେନସ୍କି ଏବଂ ୟୁରୋପୀୟ ନେତାଙ୍କ ସହ ବୈଠକ ପରେ ଟ୍ରମ୍ପ କହିଛନ୍ତି ଯେ ମୁଁ ରାଷ୍ଟ୍ରପତି ପୁଟିନଙ୍କୁ ଫୋନ୍ କରିଛି, ଖୁବ୍ ଶୀଘ୍ର ପୁଟିନ ଏବଂ ଜେଲେନସ୍କିଙ୍କ ମଧ୍ୟରେ ଏକ ବୈଠକ ହେବ। ଏହା ପରେ ଏକ ତ୍ରିପାକ୍ଷିକ ବୈଠକ ହେବ, ଯେଉଁଥିରେ ରାଷ୍ଟ୍ରପତି ଏବଂ ମୁଁ ଉଭୟ ଅଂଶଗ୍ରହଣ କରିବୁ।

ସୋମବାର ଦିନ ଜେଲେନ୍ସକି ଏବଂ ୟୁରୋପୀୟ ନେତାମାନଙ୍କ ସହ ଆଲୋଚନା ସମୟରେ ଟ୍ରମ୍ପ କହିଥିଲେ ଯେ ଯୁଦ୍ଧ କେବେ ଶେଷ ହେବ ଏବଂ ରୁଷ ଦ୍ୱାରା ଅଧିକୃତ ୟୁକ୍ରେନୀୟ ଅଞ୍ଚଳ ଉପରେ କାହାର ଅଧିକାର ରହିବ ସେ ବିଷୟରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ମୁହାଁମୁହିଁ ବୈଠକରେ ଆଲୋଚନା କରାଯିବା ଉଚିତ।

 

ଶୋକରେ ବଲିଉଡ଼ ଇଣ୍ଡଷ୍ଟ୍ରୀ, ୯୧ ବର୍ଷ ବୟସରେ ପ୍ରସିଦ୍ଧ ଅଭିନେତାଙ୍କ ମୃତ୍ୟୁ …

ନନ୍ଦିଘୋଷ ବ୍ୟୁରୋ: ଶୋକରେ ବଲିଉଡ଼ ଇଣ୍ଡଷ୍ଟ୍ରୀ, ପରଲୋକରେ ବରିଷ୍ଠ ଅଭିନେତା ଅଚ୍ୟୁତ ପୋତଦାର । ୯୧ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ  3-ଇଡିଅଟ୍ସରେ ପ୍ରଫେସର ଭୂମିକାରେ ପ୍ରସିଦ୍ଧି ଲାଭ କରିଥିବା ବରିଷ୍ଠ ଅଭିନେତା ଅଚ୍ୟୁତ ପୋତଦାର  । ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କର ବୟସ ୯୧ ବର୍ଷ ହେଇଥିଲା। ଅଭିନେତା ଥାନେର ଜୁପିଟର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛିଦିନ ତଳେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଭିନେତାଙ୍କ ମୃତ୍ୟୁରେ ସିନେ ଜଗତ ସହିତ ଟିଭି ଏବଂ ବଲିଉଡରେ ଶୋକର ଛାୟା  ଖେଳିଯାଇଛି।

ସିନେମାରେ ନିଜର ପରିଚୟ ସୃଷ୍ଟି କରିବା ପୂର୍ବରୁ ଅଚ୍ୟୁତ ପୋତଦାର ଭାରତୀୟ ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲେ ଏବଂ ପରେ ଇଣ୍ଡିଆନ ଅଏଲ କମ୍ପାନୀରେ ମଧ୍ୟ କାର୍ଯ୍ୟ କରିଥିଲେ। ଅଭିନୟ ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ୧୯୮୦ ଦଶକରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଆଡକୁ ଟାଣି ନେଇଯାଇଥିଲା ଏବଂ ତାଙ୍କର ଚାରି ଦଶନ୍ଧିରୁ ଅଧିକ ସମୟ ଧରି କ୍ୟାରିଅର ଥିଲା।

ପୋଟଦାର ହିନ୍ଦୀ ଏବଂ ମରାଠୀ ସିନେମାରେ ୧୨୫ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ରାଜକୁମାର ହିରାନୀଙ୍କ ବ୍ଲକବଷ୍ଟର ଫିଲ୍ମ 3-ଇଡିଅଟ୍ସରେ ଜଣେ କଠୋର କିନ୍ତୁ ପ୍ରିୟ ଇଞ୍ଜିନିୟରିଂ ପ୍ରଫେସର ଭୂମିକାରେ ଅଭିନୟ କରି ସେ ପ୍ରତ୍ୟେକ ଘରେ ପ୍ରସିଦ୍ଧ ହୋଇଥିଲେ। ତାଙ୍କର ସଂଳାପ ‘କେହନା କ୍ୟା ଚାହତେ ହୋ’ ସୋସିଆଲ ମିଡିଆରେ ବହୁତ ଫେମସ  ଯାହା ଏବେ ବି ସୋସିଆଲ ମିଡିଆ ଏବଂ ମିମ୍ସରେ ବହୁତ ବ୍ୟବହୃତ ହୁଏ  । ତାଙ୍କର ବହୁମୁଖୀ ପ୍ରତିଭା ତାଙ୍କୁ ମଞ୍ଚ, ଟିଭି ଏବଂ ସିନେମା ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା ।

ତାଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପ୍ରଶଂସକ ଏବଂ ସହକର୍ମୀମାନେ ତାଙ୍କ ମୃତ୍ୟୁରେ ସୋସିଆଲ ମିଡିଆରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଏବଂ ତାଙ୍କୁ ଜଣେ ନମ୍ର, ସମର୍ପିତ କଳାକାର ଭାବରେ ମନେପକାଉଛନ୍ତି । ଭାରତୀୟ ସିନେମାରେ ଅଚ୍ୟୁତ ପୋତଦାରଙ୍କ ଅବଦାନ ଅତୁଳନୀୟ, ଏବଂ ଜଣେ ମରାଠୀ ଏବଂ ହିନ୍ଦୀ ଅଭିନେତା ଭାବରେ ତାଙ୍କର ଐତିହ୍ୟ ପିଢ଼ି କଳାକାରମାନଙ୍କୁ ପ୍ରେରଣା ଦେଇ ଚାଲିବ।

ଅପରାଧୀଙ୍କ ପାଇଁ କାଳ ସାଜିବ ଟେକ୍ନୋଲୋଜି ! ଏହି ଦେଶ ପ୍ରସ୍ତୁତ କରୁଛି କ୍ରାଇମ ଫାଇଟିଙ୍ଗ AI ..

ନନ୍ଦିଘୋଷ ବ୍ୟୁରୋ: ସାବାଡ଼ ହେବେ ଅପରାଧୀ । ସେମାନଙ୍କୁ ଲଗାମ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି AI ଟେକ୍ନୋଲୋଜି । ଅପରାଧ ରୋକିବ ଆର୍ଟିଫେସିଆଲ ଇଣ୍ଟେଲିଜେନ୍ସ ତଥା AI । ଏହା ଆମ ଜୀବନର ଏକ ବଡ଼ ଅଂଶ ହେବାକୁ ଯାଉଛି । ନିଜ ବ୍ୟକ୍ତିଗତ କାମଠୁ ଆରମ୍ଭ କରି ଅଫିସ୍ କାର୍ଯ୍ୟରେ ସହାୟତା ପର୍ଯ୍ୟନ୍ତ, AI ଉତ୍ପାଦକତା ବୃଦ୍ଧି କରିବାରେ ଏବଂ ଜୀବନକୁ ସହଜ କରିବାରେ ସାହାଯ୍ୟ କରୁଛି , ବର୍ତ୍ତମାନ AI ର ବ୍ୟବହାର କେବଳ ଗୃହକାର୍ଯ୍ୟ , ଗବେଷଣା କାର୍ଯ୍ୟ କିମ୍ବା ନିୟମିତ କାର୍ଯ୍ୟ ମଧ୍ୟରେ ସୀମିତ ନୁହେଁ । ସରକାର ଚିକିତ୍ସା ଗବେଷଣା ଠାରୁ ଆରମ୍ଭ କରି ପରିବହନ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁକିଛିରେ AI ବ୍ୟବହାର କରୁଛନ୍ତି । ଏବେ ଏହାକୁ ଆଉ ଏକ ପାଦ ଆଗକୁ ନେବା ପାଇଁ ଅଣ୍ଟା ଭିଡ଼ିଛି ଆମେରିକା ସରକାର । ଅପରାଧୀଙ୍କୁ ଧରି ବିଚାର କରିବା ପାଇଁ ଏକ AI ଚାଳିତ କ୍ରାଇମ ପ୍ରେଡିକ୍ସନ ସିଷ୍ଟମ ଆରମ୍ଭ କରିବାର ଘୋଷଣା କରିଛନ୍ତି । ଏହି ପ୍ରଯୁକ୍ତିବିଦ୍ୟା ଅପରାଧ ଘଟିବା ପୂର୍ବରୁ ସମ୍ଭାବ୍ୟ ଘଟଣାର ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ।

ଏହି AI- ଚାଳିତ ସିଷ୍ଟମ ଅପରାଧ ଘଟିବା ପୂର୍ବରୁ “କେଉଁଠାରେ ଘଟିବାର ସମ୍ଭାବନା ଅଧିକ ତାହା ପୂର୍ବାନୁମାନ” କରିପାରିବ । ଏହି ପ୍ରକଳ୍ପ ଛୋଟ ଛୋଟ ଘଟଣାଗୁଡ଼ିକୁ ଗମ୍ଭୀର ବିପଦରେ ପରିଣତ ହେବା ପୂର୍ବରୁ ରୋକିବା ପାଇଁ ଉନ୍ନତ ତଥ୍ୟ ବିଶ୍ଳେଷଣ ଏବଂ ପାରସ୍ପରିକ ମ୍ୟାପିଂକୁ ଏକାଠି କରିବ। ଏହି ଇଣ୍ଟରାକ୍ଟିଭ୍ କ୍ରାଇମ୍ ମ୍ୟାପ୍ ସାମାଜିକ ସେବା, ପୋଲିସ ରେକର୍ଡ ଏବଂ ସ୍ଥାନୀୟ ପରିଷଦ ଇତ୍ୟାଦି ବହୁବିଧ ଉତ୍ସରୁ ତଥ୍ୟ ସଂଗ୍ରହ କରିବ ଏବଂ ଅତୀତର ଅପରାଧର ସ୍ଥାନ , ଅପରାଧୀଙ୍କ ପ୍ରୋଫାଇଲ ବିଶ୍ଳେଷଣ କରିବ । ଏହି ପ୍ରକଳ୍ପ ସରକାରଙ୍କ $୫୦୦ ନିୟୁତ ଗବେଷଣା ଏବଂ ବିକାଶ ମିଶନର ଏକ ଅଂଶ ଏବଂ ୨୦୩୦ ସୁଦ୍ଧା ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।

ଅପରାଧ ରୋକିବା ପାଇଁ AI ବ୍ୟବହାର କରାଯିବା ପ୍ରଥମ ଥର ନୁହେଁ ଏପରି ପ୍ରକଳ୍ପଗୁଡ଼ିକ ଲସ୍ ଆଞ୍ଜେଲସ୍ ଏବଂ ଚିକାଗୋରେ ପୂର୍ବରୁ ଆରମ୍ଭ ହୋଇସାରିଛି । ଏହି ପ୍ରକଳ୍ପଗୁଡ଼ିକ ଆରମ୍ଭରେ ସଫଳ ହୋଇଥିଲେ ମଧ୍ୟ ଏହି ପ୍ରକଳ୍ପଗୁଡ଼ିକୁ କଠୋର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା ଯାହା ପରେ ସେଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା ।

ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଛେଦ ! ଖୁବଶୀଘ୍ର ଜେଲେନସ୍କି-ପୁଟିନ ଆଲୋଚନା ..

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ରାଷ୍ଟ୍ରପତି ଜେଲେନସ୍କି ଓ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ହେବ ଶାନ୍ତି ଆଲୋଚନା। ଯୁଦ୍ଧ ବନ୍ଦ ନେଇ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ କଥାବାର୍ତ୍ତା ହେବ। ଖୁବ ଶୀଘ୍ର ସ୍ଥିର ହେବ ବୈଠକର ଦିନ ଓ ସ୍ଥାନ। ତା ପରେ ଟ୍ରମ୍ପଙ୍କ ସହିତ ଜେଲେନସ୍କି ଓ ପୁଟିନଙ୍କ ମଧ୍ୟରେ ହେବ ତ୍ରିପାକ୍ଷିକ ବୈଠକ। ହ୍ଵାଇଟ ହାଉସରେ ଜେଲେନସ୍କି ଓ ୟୁରୋପର ପ୍ରମୁଖ ରାଷ୍ଚ୍ରମୁଖ୍ୟଙ୍କ ସହିତ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଲୋଚନାରୁ ବାହାରିଛି ଏହି ନିଷ୍କର୍ସ। ଟ୍ରମ୍ପ କହିଛନ୍ତି, ୟୁକ୍ରେନକୁ ମିଳିବ ସୁରକ୍ଷାର ଗ୍ୟାରେଣ୍ଟି। ଆମେରିକା ସହିତ ଆଲୋଚନା କରି ୟୁରୋପର ଦେଶଗୁଡ଼ିକ ଏହି ଗ୍ୟାରେଣ୍ଟି ଦେବେ। ଶାନ୍ତି ପାଇଁ ସମସ୍ତ ରାଜି ଅଛନ୍ତି। ପୁଟିନଙ୍କ ସହିତ ମୁଁ କଥା ହୋଇଛି। ଜେଲେନସ୍କିଙ୍କ ସହିତ ଆଲୋଚନା ପାଇଁ ସେ ରାଜି ଅଛନ୍ତି। ଟ୍ରମ୍ପଙ୍କ ସହିତ ବୈଠକ ପରେ ଜେଲେନସ୍କି ମଧ୍ୟ କହିଛନ୍ତି, ପୁଟିନଙ୍କ ସହିତ ଆଲୋଚନା ପାଇଁ ରାଜି। ଆମେରିକାକୁ ନେଇ ତ୍ରିପାକ୍ଷିକ ବୈଠକ ପାଇଁ ମଧ୍ୟ ସହମତ। ଶାନ୍ତି ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ।

ସେପଟେ ଜର୍ମାନୀର ଚାନସେଲର ଫେଡରିକ୍ ମର୍ଜ କହିଛନ୍ତି, ଦୁଇ ସପ୍ତାହ ଭିତରେ ଜେଲେନସ୍କି ଓ ପୁଟିନଙ୍କ ବୈଠକର ଦିନ ଓ ସ୍ଥାନ ସ୍ଥିର କରାଯିବ। ୨୦୨୨ ଫେବ୍ରୁଆରି ୨୪ରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରୁଷ। ସାଢ଼େ ୩ ବର୍ଷର ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୟୁକ୍ରେନ ଏକ ପ୍ରକାର ଧ୍ଵଂସସ୍ତୁପରେ ପରିଣତ ହୋଇଛି। ସେହିପରି ରୁଷ ମଧ୍ୟ ବ୍ୟାପକ କ୍ଷତି ସହିଛି। ତାର ଅର୍ଥନୀତି ଦୋହଲି ଯାଇଥିବା ବେଳେ ସାମରିକ ଦୃଷ୍ଟିରୁ ବି ଦୁର୍ବଳ ହୋଇଛି ରୁଷ। ଯୁଦ୍ଧ ବନ୍ଦ ପାଇଁ ସବୁ ସ୍ତରରେ ଉଦ୍ୟମ ହେଉଛି। ଏହି କ୍ରମରେ ଟ୍ରମ୍ପ ହ୍ଵାଇଟ ହାଉସରେ ଜେଲେନସ୍କି ଓ ୟୁରୋପର ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କ ସହିତ ଗତକାଲି ଆଲୋଚନା କରିଥିଲେ। ସେହି ରାଷ୍ଟ୍ରମୁଖ୍ୟମାନେ ହେଲେ ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର୍‌, ଜର୍ମାନୀର ଚାନସେଲର ଫ୍ରେଡରିକ୍ ମର୍ଜ, ଇଟାଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଫିନଲାଣ୍ଡର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଷ୍ଟବ୍‌, ୟୁରୋପୀୟ ସଂଘର ମୁଖ୍ୟ ଉରସୁଲା ଭନ୍ ଡେର୍ ଲେୟେନ ଓ ନାଟୋର ମହାସଚିବ ମାର୍କ ରୁଟ୍ ।

ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ଏବଂ ୟୁରୋପୀୟ ନେତାମାନଙ୍କ ସହ ଚାଲିଥିବା ଉଚ୍ଚସ୍ତରୀୟ ବୈଠକକ ମଝିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ କରିଥିଲେ। ଏହି ସମୟରେ ଟ୍ରମ୍ପ ପୁଟିନଙ୍କ ସହ ପ୍ରାୟ ୪୦ ମିନିଟ୍ କଥା ହୋଇଥିବାର କ୍ରେମଲିନ ସୂଚନା ଦେଇଛନ୍ତି । ଏହି ଆଲୋଚନା ସମୟରେ ଟ୍ରମ୍ପ ପରବର୍ତ୍ତୀ ବୈଠକର ରୂପରେଖା ପ୍ରସ୍ତୁତ କରିଥିଲେ ଏବଂ ଏକ ତ୍ରିପାକ୍ଷିକ ବୈଠକ ଯୋଜନା କରିଥିଲେ।

ଏହି ଅନୁସାରେ, ଜେଲେନ୍ସକି ଏବଂ ପୁଟିନ ପ୍ରଥମେ ଭେଟ କରିବେ ଏବଂ ତା’ପରେ ଟ୍ରମ୍ପଙ୍କ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଅଗଷ୍ଟ ଶେଷ ସୁଦ୍ଧା ପୁଟିନ ଏବଂ ଜେଲେନ୍ସକିଙ୍କ ମଧ୍ୟରେ ଏକ ବୈଠକ ସମ୍ଭବ। ଜେଲେନ୍ସକି ଏବଂ ୟୁରୋପୀୟ ନେତାଙ୍କ ସହ ବୈଠକ ପରେ ଟ୍ରମ୍ପ କହିଛନ୍ତି ଯେ ମୁଁ ରାଷ୍ଟ୍ରପତି ପୁଟିନଙ୍କୁ ଫୋନ୍ କରିଛି ଏବଂ ଖୁବ୍ ଶୀଘ୍ର ରାଷ୍ଟ୍ରପତି ପୁଟିନ ଏବଂ ରାଷ୍ଟ୍ରପତି ଜେଲେନ୍ସକିଙ୍କ ମଧ୍ୟରେ ଏକ ବୈଠକ ହେବ। ଏହା ପରେ ଏକ ତ୍ରିପାକ୍ଷିକ ବୈଠକ ହେବ ଯେଉଁଥିରେ ରାଷ୍ଟ୍ରପତି ଏବଂ ମୁଁ ଉଭୟ ସାମିଲ ହେବେ । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନ ମଧ୍ୟ ପ୍ରକୃତରେ କିଛି କରିବାକୁ ଚାହାଁନ୍ତି। ଯେତେବେଳେ ଆମେ ଭେଟିବୁ, ମୁଁ ଭାବୁଛି ଆପଣମାନେ କିଛି ସକାରାତ୍ମକ ପଦକ୍ଷେପ ଦେଖିବେ। ଆଜିର ବୈଠକ ପରେ ଆମେ ଏହାର ରୂପରେଖ ପ୍ରସ୍ତୁତ କରିବୁ।

ସେହି ସମୟରେ, ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆମର ଆଲୋଚନା ବହୁତ ଭଲ ଥିଲା, କିନ୍ତୁ ସର୍ବୋତ୍ତମ ଆସିବାକୁ ବାକି ଅଛି। ଆମେ ବହୁତ ସମ୍ବେଦନଶୀଳ ପ୍ରସଙ୍ଗ ବିଷୟରେ ଆଲୋଚନା କରିଥିଲୁ, ଯାହା ମଧ୍ୟରୁ ପ୍ରଥମଟି ଥିଲା ସୁରକ୍ଷା ଗ୍ୟାରେଣ୍ଟି। ୟୁକ୍ରେନର ସୁରକ୍ଷା ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ଉପରେ ନିର୍ଭର କରେ। ତ୍ରିପାକ୍ଷିକ ବୈଠକରେ ସମସ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଅନ୍ୟ ସବୁକିଛି ଉପରେ ଆଲୋଚନା କରାଯିବ। ଟ୍ରମ୍ପ ଏହି ବୈଠକ ଆୟୋଜନ କରିବାକୁ ଚେଷ୍ଟା କରିବେ।

ଟ୍ରମ୍ପ କହିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିବ କି ଶାନ୍ତି ଆସିବ, ଏହା ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ। ସେ କହିଛନ୍ତି ଯେ ଯୁଦ୍ଧ ଶେଷ କରିବା ପାଇଁ ଯୁଦ୍ଧବିରତିର ଆବଶ୍ୟକତା ନାହିଁ। ଯୁଦ୍ଧବିରତି କେବଳ ଏକ ଅସ୍ଥାୟୀ ସମାଧାନ। ଆମେ ଏକ ଦୀର୍ଘକାଳୀନ ଶାନ୍ତି ଚୁକ୍ତିନାମା ବିଷୟରେ କଥା ହେଉଛୁ। ଏକ ଶାନ୍ତି ଚୁକ୍ତିନାମା ଯୁଦ୍ଧବିରତି ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ମୋର ପ୍ରାଥମିକତା ହେଉଛି ଲୋକଙ୍କୁ ବଞ୍ଚାଇବା। ଆଶା କରୁଛି ବୈଠକରୁ କିଛି ବାହାରିବ।

 

ଅବପାତରେ ପରିଣତ ହେଲା ଲଘୁଚାପ ; ୨ଦିନ ଧରି ପ୍ରବଳ ବର୍ଷା

ଭୁବନେଶ୍ବର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ଏହା ସକ୍ରିୟ ରହିଛି । ଆଜି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଦେଇ ଗତି କରିବ। ପ୍ରଭାବରେ ଆସନ୍ତା ୨ଦିନ ଧରି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ, ରାୟଗଡା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ସେହିପରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଗଂଜାମ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ଏହିସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ପବନ ବହିବ । ଆଜି ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ବଲାଙ୍ଗୀର, ନୂଆପଡାରେ ପ୍ରବଳ ବର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାଇଛି । ୨୨ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର ।

 

ବିହାରରେ କଂଗ୍ରେସର ଦମଦାର ପ୍ରଦର୍ଶନ ; ତୃତୀୟ ଦିନରେ ଭୋଟ ଅଧିକାର ଯାତ୍ରା

ନନ୍ଦିଘୋଷ ବ୍ୟୁରା: ବିହାରରେ କଂଗ୍ରେସର ଦମଦାର ପ୍ରଦର୍ଶନ। ଆଜି ରାଲିର ତୃତୀୟ ଦିନ। ଗତକାଲି ଦ୍ଵିତୀୟ ଦିନରେ ବିହାର ଔରାଙ୍ଗାବାଦରେ ଭୋଟ ଅଧିକାର ଯାତ୍ରା। ଏଥିରେ ସାମିଲ ହୋଇଥିଲେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ। ଔରାଙ୍ଗାବାଦରେ ଚାଲିଥିବା ଅଭିଯାନରେ ସାମିଲ ହୋଇଛନ୍ତି ହଜାର ହଜାର କର୍ମୀ। ସାସାରାମରୁ ଏକ ଭରପୂର ସମାବେଶରେ ଆରମ୍ଭ ହୋଇଥିଲା ଭୋଟ ଅଧିକାର ଯାତ୍ରା। ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟରେ ଭୋଟ ଗଡ଼ବଡି ନେଇ ଇସିଆଇଙ୍କୁ ଟାର୍ଗେଟ କରିଥିଲେ ରାହୁଲ। ରାହୁଲ କହିଥିଲେ ନିର୍ବାଚନରେ ବ୍ୟାପକ ଭୋଟ ଗଡ଼ବଡି ହୋଇଥିଲା। ଭିଡିଓଗ୍ରାଫି ମାଗିଲା ପରେ ବି ଇସି ତାହା ଦେଇ ନଥିଲେ।

ସେହିପରି ଏଆଇସିସି ସଭାପତ ମଲ୍ଲିକାର୍ଜୁନ ଖଡଗେ କହିଥିଲେ- ଭୋଟ ଅଧିକାର ସମ୍ବିଧାନ ପ୍ରଦତ୍ତ ଅଧିକାର। ଏହି ଅଧିକାରରୁ କାହାରିକୁ ବଞ୍ଚିତ କରାଯାଇପାରିବ ନାହିଁ। ଏହାସହ ବିହାରରେ ଭୋଟ ଚୋରି ପ୍ରସଙ୍ଗରେ ଇସିଆଇଙ୍କ ଉପରେ ବର୍ଷିଥିଲେ ଖଡଗେ। ବିହାରରେ ଭୋଟଚୋରି, ବିକାଶ, ଆଇନଶୃଙ୍ଖଳା, ହତ୍ୟା, ଅପହରଣ ପ୍ରସଙ୍ଗ ନେଇ ଏନଡିଏ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ। କଂଗ୍ରେସର ଏହି ଯାତ୍ରା ଆସନ୍ତା ସେପ୍ଟେମ୍ବର ୧ରେ ଶେଷ ହେବ ଏବଂ ସେହି ଦିନ ପାଟନା ଗାନ୍ଧି ମଇଦାନରେ ମେଗା ସମାବେଶ ହେବ।

ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ ; ଇଣ୍ଡି ପକ୍ଷରୁ ଆଜି ବସୁଛି ବୈଠକ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ । ଇଣ୍ଡି ମେଣ୍ଟ ପକ୍ଷରୁ ଆଜି ବସୁଛି ବୈଠକ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ମଧ୍ୟାହ୍ନ ସାଢେ ୧୨ଟାରେ ବସିବ ବୈଠକ । ଯୋଗ ଦେବେ ବିରୋଧୀ ମେଣ୍ଟର ପ୍ରମୁଖ ନେତା । କାହାକୁ ପ୍ରାର୍ଥୀ କରିବେ ଏହାକୁ ନେଇ ନିଷ୍ପତ୍ତି ନେବ ଇଣ୍ଡି ମେଣ୍ଟ । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ତାର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ।

NDA ଦ୍ୱାରା ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା ପରେ, ବିରୋଧୀ ଦଳ ମଧ୍ୟ ଆଜି ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଏକ ବୈଠକ କରୁଛନ୍ତି । ଏବେ ଦେଖିବାକୁ ବାକି ଅଛି ଯେ ବିରୋଧୀ ଦଳ ମଧ୍ୟ ଦକ୍ଷିଣ ରାଜନୀତି ଉପରେ ଜୋର ଦେଉଛନ୍ତି ନା ଏକ ନୂତନ ମୁହଁ ସାମ୍ନାକୁ ଆଣିବେ ।

ଆଜିଠାରୁ ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ…

ଭୁବନେଶ୍ବର: ବେସରକାରୀ କଲେଜରେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ। ଆଜିଠାରୁ ହଜାରେରୁ ଅଧିକ କଲେଜରେ ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନରୁ ବାଧାପ୍ରାପ୍ତ ହେବ ଶିକ୍ଷାଦାନ। ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛି ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘ ବା OSNLEA। ରାଜ୍ୟରେ ବିଭିନ ଅନୁଦାନପ୍ରାପ୍ତ ଏବଂ ଅଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ୧ ଜୁନ ୨୦୦୮ ରୁ ୧ ଜୁନ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁଦାନ ପରିସରର ଭୁକ୍ତ ଦାବିରେ ଆନ୍ଦୋଳନ ଜାରି ରଖିଛି ସଙ୍ଘ। ଅଗଷ୍ଟ ୧୫ସୁଦ୍ଧା ଦାବି ପୂରଣ ପାଇଁ ପୂର୍ବରୁ ସଙ୍ଘ ଚେତାବନୀ ଦେଇଥିଲେ ବି ଶୁଣିଲେନି ସରକାର। ଏହାପରେ ଅଗଷ୍ଟ ୧୬ ତାରିଖରେ ବିଧାନସଭା ସମୁଖରେ ଆନ୍ଦୋଳନ କରିଥିଲା ସଙ୍ଘ। ତଥାପି କିଛି ସୁଫଳ ହେଲାନି ।

ଏହାପରେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି ବୋଲି ସଙ୍ଘ ସଭାପତି ସୂଚନା ଦେଇଛନ୍ତି। ଶିକ୍ଷକ ଦାବି ଦିବସରେ ଅନୁପସ୍ଥିତ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବ ଆଲୋଚନାକୁ ବି ଡାକିଲେନି। ୩୦ ଜିଲ୍ଲାରେ ହଜାରେରୁ ଅଧିକ କଲେଜରୁ ବିଭିନ କଲେଜ ସମ୍ମୁଖରେ ଆନ୍ଦୋଳନ ଆଜିଠୁ ଆରମ୍ଭ ହୋଇଛି। ବାରମ୍ବାର ଦାବି ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଏଯାଏ ସଙ୍ଘ ସହ ଆଲୋଚନା କରିନାହାଁନ୍ତି। କଲେଜ ମୁଖ୍ୟ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଜାରି ରଖିଛନ୍ତି। ଆଜିସୁଦ୍ଧା ମୁଖ୍ୟମନ୍ତ୍ରୀ ନିଜେ ସଙ୍ଘ ସହିତ ହସ୍ତକ୍ଷେପ କରି ପ୍ରତ୍ୟକ୍ଷ ଆଲୋଚନା ନକଲେ ଆନ୍ଦୋଳନକୁ ଆହୁରି ହଜାରେରୁ ଅଧିକ କଲେଜରେ ଆନ୍ଦୋଳନ ବ୍ୟାପକ କରିବାକୁ ଚେତାବନୀ ଦେଇଛି ସଙ୍ଘ ।

ଇନ୍ଦୋରରେ ଚମତ୍କାର : ଦୁଇଟି ମୁଣ୍ଡ, ଚାରୋଟି ହାତ ଓ ଦୁଇ ହୃଦୟ ବିଶିଷ୍ଟ ଦୁର୍ଲଭ ଶିଶୁ ଜନ୍ମ

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶର ଇନ୍ଦୋରର ଏକ ଦୁର୍ଲଭ ଶିଶୁକନ୍ୟା ଜନ୍ମ ନେଇ ଖେଳିଯାଇଛି ଚାଞ୍ଚଲ୍ୟ । ଇନ୍ଦୋରର ଏକ ହସ୍ପିଟାଲରେ ଜନ୍ମ ହୋଇଛି ଏହି ଶିଶୁ । ୧୩ ଅଗଷ୍ଟରେ ଖାରଗୋନ ଜିଲ୍ଲାର ମୋଥାପୁରା ଗାଁର ଜଣେ ମହିଳା ଏକ ସ୍ୱତନ୍ତ୍ର ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହି ଶିଶୁକନ୍ୟାଟିର ଦୁଇଟି ମୁଣ୍ଡ, ଚାରୋଟି ହାତ ଏବଂ ଦୁଇଟି ହୃଦୟ ଅଛି, ହେଲେ ତାର ଶରୀରର ଛାତି ଏବଂ ପେଟ ଏକାଠି ଯୋଡି ହୋଇ ରହିଛି। ଏହା ବ୍ୟତୀତ, ଶିଶୁକନ୍ୟାଟିର ଦୁଇଟି ସାଧାରଣ ଗୋଡ ମଧ୍ୟ ଅଛି।

ଝିଅଟିକୁ ଇନ୍ଦୋରର MY ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଦଳ ତାର ଅବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି । ଡାକ୍ତରମାନେ କହିଛନ୍ତି ଯେ, ଏପରି ପିଲାମାନଙ୍କ ଉପରେ ଅସ୍ତ୍ରୋପଚାର ଅତ୍ୟନ୍ତ କଷ୍ଟକର ଏବଂ ବିପଦପୂର୍ଣ୍ଣ, କାରଣ ସେମାନଙ୍କ ଶରୀରର ଅନେକ ଅଂଶ ପରସ୍ପର ସହିତ ସଂଯୁକ୍ତ। ପ୍ରାୟତଃ ଏପରି ପରିସ୍ଥିତିରେ, ପିଲାମାନଙ୍କୁ ଜରୁରୀକାଳୀନ ୱାର୍ଡରେ ରଖାଯାଏ ଯାହାଦ୍ୱାରା ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ।

ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ ଶିଶୁଟିର ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ଆଶ୍ୱସ୍ତିର କଥା ହେଉଛି ଯେ ତା’ର ଉଭୟ ହୃଦୟ ସ୍ୱାଭାବିକ ଭାବରେ କାମ କରୁଛି। ତଥାପି, ପରବର୍ତ୍ତୀ ଅବସ୍ଥା ଜାଣିବା ପାଇଁ ସୋନୋଗ୍ରାଫି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷା କରାଯାଉଛି। ଡାକ୍ତରୀ ଭାଷାରେ, ଏପରି ଜନ୍ମକୁ କଞ୍ଜାଇଣ୍ଡ୍ ଯମଜ କୁହାଯାଏ, ଏବଂ ଏପରି ପରିସ୍ଥିତିକୁ ଅତ୍ୟନ୍ତ ଜଟିଳ ବୋଲି ବିବେଚନା କରାଯାଏ।

ସୂଚନା ଅନୁଯାୟୀ, ଶିଶୁକନ୍ୟାଙ୍କ ପ୍ରସବ MTH ହସ୍ପିଟାଲରେ ହୋଇଥିଲା। ଏହା ପରେ, ତାଙ୍କ ଗୁରୁତର ଅବସ୍ଥା ଦେଖି ତାଙ୍କୁ MY ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ତାଙ୍କୁ PICU (ପିଡିଆଟ୍ରିକ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍)ରେ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ଛଅ ମାସ ପରେ ଶିଶୁର ଅବସ୍ଥା ଅନୁକୂଳ ରହେ, ଏହା ପରେ ଅସ୍ତ୍ରୋପଚାର ସାହାଯ୍ୟରେ ତାଙ୍କ ଶରୀରକୁ ଅଲଗା କରାଯାଇପାରିବ। ତଥାପି, ଏହି ପ୍ରକ୍ରିୟା ବହୁତ ସମ୍ବେଦନଶୀଳ ଏବଂ ଜଟିଳ ।

ଏହି ଦମ୍ପତିଙ୍କର ପ୍ରଥମ ସନ୍ତାନ

ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ, ପରିବାର ଶିଶୁଟିକୁ ଡିସଚାର୍ଜ କରି ଘରକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦମ୍ପତିଙ୍କର ପ୍ରଥମ ସନ୍ତାନ, ଏବଂ ପରିବାର ଶିଶୁଟିର ସୁସ୍ଥତା ଆଶା କରୁଛନ୍ତି। ଏହା ପ୍ରଥମ ଥର ନୁହେଁ ଯେତେବେଳେ ଇନ୍ଦୋରରେ ଏପରି ଘଟଣା ସାମ୍ନାକୁ ଆସିଛି। ପୂର୍ବରୁ ମଧ୍ୟ ସହରରେ ଦୁଇଟି ମୁଣ୍ଡ ଥିବା ଏକ ଶିଶୁ ଜନ୍ମ ନେଇଛି। ଏପରି ଘଟଣା ଚିକିତ୍ସା ବିଜ୍ଞାନ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ, ଏବେ ଏହି ଖବରଗୁଡ଼ିକ ପ୍ରାୟତଃ ଆଲୋଚନା ଏବଂ କୌତୁହଳର ବିଷୟ ହୋଇଯାଇଛି।

 

ୟୁକ୍ରେନର ହୃଦୟ ପଛରେ ପୁଟିନ୍ ! ଡୋନବାସ କାହିଁକି ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ?

ନନ୍ଦିଘୋଷ ବ୍ୟୁରୋ: ଖେଳ କରିଦେଲେ ପୁଟିନ୍ । ଯଦି ସର୍ତ୍ତରେ ରାଜି ତାହେଲେ ଯୁଦ୍ଧ ବନ୍ଦ । ଏଭଳି ସର୍ତ୍ତ ଶୁଣିବା ପରେ ଟ୍ରମ୍ପଙ୍କ ମନୋଭାବ ବଦଳିଯାଇଥିବା ଦେଖିବାକୁ ମିଳିଛି । ବାସ୍ତବରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଶାନ୍ତି ଚୁକ୍ତିନାମା ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ପୁଟିନ ସମ୍ପୂର୍ଣ୍ଣ ଡୋନବାସ ଅଞ୍ଚଳ ମାଗିଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଡୋନବାସକୁ ୟୁକ୍ରେନର ଶିଳ୍ପ ହୃଦୟ କୁହାଯାଏ। ଏହି ଅଞ୍ଚଳ କୋଇଲା ଏବଂ ଭାରୀ ଶିଳ୍ପ ପାଇଁ ପ୍ରସିଦ୍ଧ। ଏହି ଅଞ୍ଚଳ ଅଧିଗ୍ରହଣ ହେବା ମାତ୍ରେ କୃଷ୍ଣ ସାଗର ଏବଂ ଆଜୋଭ ସାଗରରେ ରୁଷର ପ୍ରାଧାନ୍ୟ ବୃଦ୍ଧି ପାଇବ। ଡୋନବାସରେ ପ୍ରାକୃତିକ ଗ୍ୟାସ ଏବଂ ତୈଳ ଗଚ୍ଛିତ ରହିଛି। ଏହି ଅଞ୍ଚଳ ୟୁକ୍ରେନର ଜିଡିପିରେ ସର୍ବାଧିକ ଅବଦାନ ରଖେ। ପୁଟିନ ଆଲାସ୍କା ଶିଖର ସମ୍ମିଳନୀ ସମୟରେ ଟ୍ରମ୍ପଙ୍କୁ କହିଥିଲେ ଯେ ଯଦି ୟୁକ୍ରେନ ଡୋନବାସ ଏବଂ ଲୁହାନସ୍କକୁ ହସ୍ତାନ୍ତର କରିବ ତେବେ ରୁଷ ଦକ୍ଷିଣ ୟୁକ୍ରେନର ଖେରସନ ଏବଂ ଜାପୋରିଝିଆରେ ଆକ୍ରମଣ ବନ୍ଦ କରିବ।

ଟ୍ରମ୍ପଙ୍କ ମନୋଭାବରେ ପରିବର୍ତ୍ତନ

ଯଦିଓ ଆଲାସ୍କା ଶିଖର ସମ୍ମିଳନୀ କୌଣସି ନିଷ୍କର୍ଷରେ ପହଞ୍ଚିପାରିଲା ନାହିଁ, ତଥାପି ପୁଟିନଙ୍କୁ ଭେଟିବା ପରେ ଟ୍ରମ୍ପଙ୍କ ମତ ପରିବର୍ତ୍ତନ ହୋଇଛି । ଆଲାସ୍କା ଶିଖର ସମ୍ମିଳନୀ ପରେ ଟ୍ରମ୍ପ ୟୁରୋପୀୟ ନେତାମାନଙ୍କୁ କହିଥିଲେ ଯେ ସେ ଡୋନବାସକୁ ରୁଷକୁ ହସ୍ତାନ୍ତର କରିବା ଯୋଜନାକୁ ସମର୍ଥନ କରୁଛନ୍ତି । ଆଜି ୱାଶିଂଟନରେ ହେବାକୁ ଥିବା ବୈଠକ ସମୟରେ ଟ୍ରମ୍ପ ଜେଲେନସ୍କିଙ୍କ ସମ୍ମୁଖରେ ଏହି ପ୍ରସ୍ତାବ ରଖିବେ ବୋଲି ଆଶା କରାଯାଉଛି। ତଥାପି ଜେଲେନସ୍କି ବାରମ୍ବାର ଦୋହରାଇଛନ୍ତି ଯେ ୟୁକ୍ରେନ୍ କେବେବି ଡୋନବାସ ଛାଡିବ ନାହିଁ । ଲୁହାନସ୍କ୍ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ରୁଷ ନିୟନ୍ତ୍ରଣରେ ଅଛି, କିନ୍ତୁ ୟୁକ୍ରେନ୍ ଏବେ ବି ଡୋନବାସର କିଛି ଅଂଶ ଉପରେ ନିୟନ୍ତ୍ରଣ ରଖିଛି । ଏଥିରେ କ୍ରାମଟୋର୍ସ୍କ ଏବଂ ସ୍ଲୋଭିଆନସ୍କ ଭଳି ରଣନୈତିକ ସହର ଅନ୍ତର୍ଭୁକ୍ତ । ଏଗୁଡ଼ିକ ଅତ୍ୟନ୍ତ ସୁରକ୍ଷିତ ଅଞ୍ଚଳ ଯାହାର ସୁରକ୍ଷା ପାଇଁ ହଜାର ହଜାର ୟୁକ୍ରେନୀୟ ସୈନିକ ନିଜ ଜୀବନ ବଳିଦାନ ଦେଇଛନ୍ତି ।

ଡୋନବାସ ପୁଟିନଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ଡୋନବାସ ୟୁକ୍ରେନର ଶିଳ୍ପ କେନ୍ଦ୍ର। ଏହା ରୁଷ ସୀମାବର୍ତ୍ତୀ ଡୋନେସ୍କ ଏବଂ ଲୁହାନସ୍କ ପର୍ଯ୍ୟନ୍ତ ବ୍ୟାପ୍ତ। କୋଇଲା ଏବଂ ଭାରୀ ଶିଳ୍ପର ଉପସ୍ଥିତି ଯୋଗୁଁ ଏହି ଅଞ୍ଚଳ ୟୁକ୍ରେନର ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ। ଡୋନବାସ ଉପରେ ନିୟନ୍ତ୍ରଣ ରୁଷକୁ ପୂର୍ବ ୟୁକ୍ରେନ ଉପରେ ପ୍ରାୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦେବ। ସେହି ସମୟରେ ୟୁକ୍ରେନ ଦୁର୍ବଳ ହୋଇଯିବ। ଏହି ଅଞ୍ଚଳଟି ରଣନୈତିକ ଦୃଷ୍ଟିକୋଣରୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ।  ଯୁଦ୍ଧ ବିଶ୍ଳେଷକଙ୍କ ଅନୁସାରେ ଡୋନେଟ୍ସ୍କ ଏକ ଦୁର୍ଗ ଭଳି ଅଞ୍ଚଳ। ୟୁକ୍ରେନୀୟ ସେନା ୨୦୧୪ ମସିହାରୁ ଏଠାରେ ଏକ ବହୁସ୍ତରୀୟ ସୁରକ୍ଷା ଘେରା ନିର୍ମାଣ କରିଛି। ଏଥିରେ ଟ୍ରେଞ୍ଚ, ବଙ୍କର, ଲ୍ୟାଣ୍ଡମାଇନ୍ ଏବଂ ସୁଦୃଢ଼ ସହରାଞ୍ଚଳ ଅନ୍ତର୍ଭୁକ୍ତ। ଏହି କାରଣରୁ ୟୁକ୍ରେନ ଉପରେ ରୁଷର ଅଗ୍ରଗତି ଏକ ଦଶନ୍ଧିରୁ ଅଧିକ ସମୟ ଧରି ଧୀର ରହିଛି। ଡୋନବାସ୍‌କୁ ହରାଇବା ୟୁକ୍ରେନ୍‌ ପାଇଁ ବିପର୍ଯ୍ୟୟଜନକ ହେବ। ଯଦି ଏହା ହୁଏ ତେବେ ରୁଷ ପାଇଁ ଖାରକିଭ୍, ପୋଲ୍ଟାଭା ଏବଂ ଡ୍ନିପ୍ରୋ ଆଡକୁ ଆଗକୁ ବଢ଼ିବା ପାଇଁ ଏକ ସିଧାସଳଖ ପଥ ମିଳିଯିବ ।

୨୦୧୪ ମସିହାରୁ ଡୋନବାସ ଉପରେ ଆକ୍ରମଣ ଜାରି 

ଡୋନବାସରେ ଲଢ଼େଇ ନୂଆ ନୁହେଁ । ୨୦୧୪ ମସିହାରେ କ୍ରିମିଆକୁ ମିଶାଇବା ପରେ ରୁଷ ପ୍ରଥମେ ଏହି ଅଞ୍ଚଳରେ ପ୍ରବେଶ କରିଥିଲା। ମସ୍କୋ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ଡୋନେଟସ୍କ ଏବଂ ଲୁହାନସ୍କ ଗଣରାଜ୍ୟ ଘୋଷଣା କରିଥିଲେ। ୨୦୨୨ ମସିହାରେ ରୁଷ ଆକ୍ରମଣ କରିବା ସମୟରେ ମସ୍କୋ ପୂର୍ବ ୟୁକ୍ରେନର ଏକ ତୃତୀୟାଂଶରୁ ଅଧିକ ଉପରେ ନିୟନ୍ତ୍ରଣ ହାସଲ କରିଥିଲା। ବର୍ତ୍ତମାନ ରୁଷୀୟମାନେ ପ୍ରାୟ ସମସ୍ତ ଲୁହାନସ୍କ ଏବଂ ଡୋନେଟ୍ସ୍କର  ୭୫% ଦଖଲ କରିସାରିଛନ୍ତି । ୟୁକ୍ରେନୀୟ ସେନା ଡୋନେଟ୍ସ୍କରେ ପ୍ରାୟ ୬,୬୦୦ ବର୍ଗ କିଲୋମିଟର ଅଞ୍ଚଳ ନିୟନ୍ତ୍ରଣ କରେ ଯେଉଁଠାରେ ଏବେ ବି ଯୁଦ୍ଧ ଚାଲିଛି ।