spot_img
Home Blog Page 298

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ରଙ୍କ ଗୁଣ୍ଡାରାଜ

ବ୍ରହ୍ମପୁର : ଛାତ୍ରସଂସଦ ନିର୍ବାଚନ ପୂର୍ବରୁ ପତିଆରା ଜାହିର ପାଇଁ ଉଦ୍ଯମ । ଭଞ୍ଜବିହାର କ୍ୟାମ୍ପସରେ ଅଣଛାତ୍ରଙ୍କ ଗୁଣ୍ଡାରାଜ ।  ଅଣଛାତ୍ରଙ୍କ ଆକ୍ରମଣରେ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ଲହୁଲୁହାଣ । ଆହତ ଛାତ୍ର ବ୍ରହ୍ମପୁର ସିଟି ହସ୍ପିଟାଲରେ ଭର୍ତ୍ତି । ବ୍ୟାପକ ପୋଲିସ ମୁତୟନ । କୁଳପତି ଡାକିଲେ ଶୃଙ୍ଖଳାଗତ ବୈଠକ । ନୂଆଖାଇ ପାଇଁ ଗତକାଲି ଭଞ୍ଜବିହାର ପରିସରରେ ବିଦ୍ୟାର୍ଥୀଙ୍କ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କ୍ୟାମ୍ପସ୍ ଭିତରେ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଅଣଛାତ୍ର ବିନା ଅନୁମତିରେ ପ୍ରବେଶ କରିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ । ଛାତ୍ରମାନେ ଏହାକୁ ବିରୋଧ କରିବାରୁ ସୃଷ୍ଟି ହୋଇଥିଲା ଗଣ୍ଡଗୋଳ । ଅଣଛାତ୍ରଙ୍କ ଆକ୍ରମଣରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ଅଭିଳାଷ ମିଶ୍ର ଆହତ ହୋଇଛନ୍ତି । ୧୦ରୁ ୧୨ ଜଣ ଅଣଛାତ୍ର ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

କିଛି ଛାତ୍ର ରାତିରେ ଗୋପାଳପୁର ଥାନାରେ ଅଭିଯୋଗ ଦେବାକୁ ଯାଇଥିବା ବେଳେ ଥାନାରେ ସେମାନଙ୍କୁ କିଛି ଯୁବକ ଧମକ ଚମକ ଦେଇଥିଲେ । ପ୍ରତିବାଦରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସମେତ ଶହ ଶହ ସମର୍ଥକ ଥାନା ଆଗରେ ଧାରଣା ଦେଇଥିଲେ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ସ୍ଥିତି ଉତ୍ତେଜନପୂର୍ଣ୍ଣ ଥିବାରୁ ବିଶ୍ୱବିଦ୍ୟାଳୟରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସେପଟେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କ ସହ ଶୃଙ୍ଖଳାଗତ ବୈଠକ କରି ପଦକ୍ଷେପ ନିଆଯାଇଛି । ସବୁ ହଷ୍ଟେଲରେ ଆଜିଠାରୁ ହେବ କଡା ଦଦାରଖ କରାଯିବ ବୋଲି କହିଛନ୍ତି କୁଳପତି । କୌଣସି ଅପ୍ରିତିକର ପରିସ୍ଥିତିକୁ ନଜରେ ରଖି ବିଶ୍ବବିଦ୍ୟାଳୟ ପରିସରରେ କଡ଼ା ନଜର ରଖାଯାଇଛି ।

ଭଡ଼ାଟିଆ ବେଶରେ ମାତିଛନ୍ତି ଲୁଟେରା, ମାଲିକାଣୀ ଅନୁପସ୍ଥିତିରେ ବୁଲାଇଲେ କଳାକନା

ଭୁବନେଶ୍ୱର : ଘରଭଡା ଦେଉଥିଲେ ସାବଧାନ । ଦଗାଦିଆ ସାଜିପାରେ ଭଡାଟିଆ । ଲୁଟିପାରେ ଧନ, ନେଇପାରେ ଜୀବନ । ଭୁବନେଶ୍ୱର ବଡଗଡ ଥାନା ଅନ୍ତର୍ଗତ ଶିବ ନଗର । ପ୍ଲଟ ନମ୍ବର ୨୧ ରେ ଥିବା ଏହି ଦୁଇ ମହଲା ଘରେ ରୁହନ୍ତି ୯୦ ବର୍ଷୀୟା ବିଧବା ମହିଳା । ଉପର ମହଲାରେ ନିଜେ ରହୁଥିବା ବେଳେ ତଳ ଘରକୁ ଜଗତସିଂହପୁରର ଏହି କରିତକର୍ମା ସ୍ମୃତିକାନ୍ତ ନାୟକକୁ ଭଡାରେ ଦେଇଥିଲେ । କିନ୍ତୁ ଘର ମାଳିକାଣୀ ଏକାକୀ ଅସୁସ୍ଥ ରହୁଥିବା ଦେଖି ବିଶ୍ୱାସରେ ବିଷ ଦେଇଥିଲା ଭଡାଟିଆ । ଘରେ ପଶି ମାଳିକାଣୀ ନଥିବା ବେଳେ ଲୁଟିନେଇଥିଲା ସୁନା ଚେନ, ମୁଦି ଓ ନଗଦ ଟଙ୍କା । ଏନେଇ ବଡଗଡ଼ ଥାନାରେ ଏତଲା ହେବା ପରେ ଅଭିଯୁକ୍ତ ଭଡାଟିଆ ସହ ଚୋରି ସୁନା କିଣିଥିବା ବଣିଆକୁ ମଧ୍ୟ ବାନ୍ଧିଛି ପୋଲିସ । ଚୋରି ହୋଇଥିବା ସୁନା ଟଙ୍କାକୁ ମଧ୍ୟ ଜବତ କରାଯାଇଛି ।

ଏଭଳି ଗୋଟିଏ ଘଟଣା ନୁହେଁ , ୬ ନଭେମ୍ବର ୨୦୨୩ ରେ ଖଣ୍ଡଗିରି ଥାନା କୃଷ୍ଣା ଗାର୍ଡେନରେ ରହୁଥିବା ଶତାୟୁ ମହିଳାଙ୍କ ଘରୁ କଳାକନା ବୁଲାଇଥିଲା ଭଡାଟିଆ । ପରେ ପରେ ସେହି ବର୍ଷ ୧୯ ଡିସେମ୍ବରରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ଠାରେ ମଧ୍ୟ ମାଲିକ ବାହାରକୁ ବୁଲିବାକୁ ଯାଇଥିବା ବେଳେ ଭଡାଟିଆ ବୁଲାଇଥିଲେ କଳାକନା । କେବଳ ଚୋରି ନୁହେଁ, ବରଂ ଚୋରି ପାଇଁ ଭଡାଟିଆ ମାଲିକଙ୍କୁ ହତ୍ୟା କରିବା ଘଟଣା ମଧ୍ୟ ପୂର୍ବଦିନ ମାନଙ୍କରେ ସାମ୍ନାକୁ ଆସିଛି । କିନ୍ତୁ ବିଡ଼ମ୍ବନାର ବିଷୟ, ଏତେ ସବୁ ପରେ ମଧ୍ୟ ଭଡାଟିଆ ଚିହ୍ନଟ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଉ ନାହିଁ । ଯାହା ଫଳରେ ବାରମ୍ବାର ଆଇନକୁ ହାତକୁ ନେଉଛନ୍ତି ଭଡାଟିଆ । ରାଜଧାନୀ ବଢିବା ସାଙ୍ଗକୁ ଭୁବନେଶ୍ୱରରେ ଘର ପାଇଁ ଡିମାଣ୍ଡ ମଧ୍ୟ ବଢୁଛି । ଏଭଳି କ୍ଷେତ୍ରରେ ପୋଲିସ ନିକଟରେ ଭଡ଼ାଟିଆଙ୍କ ପୁରା ଡାଟା ବେସ୍ ନରହିବା ଏବେ ଚିନ୍ତାର ବିଷୟ ପାଲଟିଛି ।

ତିବ୍ଦତରେ କ’ଣ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ସି ଜିନପିଙ୍ଗ?

ନନ୍ଦିଘୋଷ ବ୍ୟୁରୋ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନିକଟରେ ତିବ୍ଦତ ଗସ୍ତ କରିଥିଲେ। ବେଜିଂ ଏବେ ଏହାର ବିଚାରଧାରା ଏବଂ ସମାଜବାଦୀ ଗଠନ ଅନୁସାରେ ବୌଦ୍ଧ ଧର୍ମକୁ ଗଢ଼ିବା ପାଇଁ ପଦକ୍ଷେପ ଗ୍ରହଣ କରିବ ବୋଲି ଜିନପିଙ୍ଗ କହିଛନ୍ତି ।  ଏହି ପରିବର୍ତ୍ତନ କେବଳ ଧାର୍ମିକ ବିଶ୍ୱାସରେ ସୀମିତ ରହିବନି, ବରଂ ଭାଷା, ସଂସ୍କୃତି ଓ ପ୍ରଶାସନିକ ଗଠନ ପର୍ଯ୍ୟନ୍ତ ବ୍ୟାପିବ। ଏହାର ଅର୍ଥ ହେଉଛି ଯେ ଧର୍ମର ରୂପ ଏବେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଚିନ୍ତାଧାରା ଅନୁସାରେ ଗଠନ କରାଯିବ। ସି ଜିନପିଙ୍ଗ ଏବଂ ତାଙ୍କ ସହିତ ଥିବା ବରିଷ୍ଠ ଅଧିକାରୀମାନେ ମଧ୍ୟ ପୁନରାବୃତ୍ତି କରିଥିଲେ ଯେ ତିବ୍ୱତର ଭବିଷ୍ୟତ କେବଳ ଧର୍ମ ଓ ରାଜନୀତିର ପୃଥକୀକରଣରେ ସୁରକ୍ଷିତ। ତିବ୍ୱତ ଥରେ ଧାର୍ମିକ ନେତାମାନଙ୍କ ଦ୍ୱାରା ଶାସିତ ହେଉଥିଲା, କିନ୍ତୁ ୧୯୫୦ଦଶକରେ ଚୀନ୍ ଦଖଲ ପରେ ଏହାର ରାଜନୈତିକ ଗଠନ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଗଲା। ଏବେ ଚୀନ୍ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ଧର୍ମ କେବଳ ଆଧ୍ୟାତ୍ମିକ ଜୀବନରେ ସୀମିତ ରହିବା ଉଚିତ ଓ ଏହାର ରାଜନୈତିକ ଶକ୍ତି ଉପରେ କୌଣସି ପ୍ରଭାବ ପକାଇବା ଉଚିତ୍ ନୁହେଁ। ଦଲାଇ ଲାମାଙ୍କ ପୁନର୍ଜନ୍ମ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ବେଜିଂ ପାଖରେ ରହିଛି।

ତିବ୍ଦତୀୟ ପରିଚୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ସେମାନଙ୍କର ଭାଷା ଏବଂ ସଂସ୍କୃତି। ତାଙ୍କ ଗସ୍ତ ସମୟରେ, ସି ଜିନପିଙ୍ଗ କହିଥିଲେ ଯେ ତିବ୍ଦତରେ ମାଣ୍ଡାରିନ୍ କିମ୍ବା ଚୀନ୍ ଭାଷାକୁ ଅଧିକ ଦୃଢ଼ ଭାବରେ ପ୍ରସାର କରିବାକୁ ପଡିବ। ସ୍କୁଲ, କାର୍ଯ୍ୟାଳୟ ଏବଂ ପ୍ରଶାସନରେ ମାଣ୍ଡାରିନ୍ ବ୍ୟବହାର ବୃଦ୍ଧି କରିବା ପାଇଁ ନୂତନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ବୌଦ୍ଧ ଅନୁଗାମୀମାନେ ଚୀନ୍‌ର ଆଧୁନିକ ଚିନ୍ତାଧାରାକୁ ଗ୍ରହଣ କରିବା ପାଇଁ ଧାର୍ମିକ ସାହିତ୍ୟ ଏବଂ ଶିକ୍ଷାରେ ପରିବର୍ତ୍ତନ ଆଣିବାର ମଧ୍ୟ ଯୋଜନା ରହିଛି। ସମାଲୋଚକମାନେ କହିଛନ୍ତି ଯେ ଏହି ପଦକ୍ଷେପ ଧୀରେ ଧୀରେ ତିବ୍ଦତୀୟ ସଂସ୍କୃତିକୁ ଦୁର୍ବଳ କରିପାରେ।

ଯଦିଓ ଚୀନ୍ ଏହାର ପଦକ୍ଷେପଗୁଡ଼ିକୁ ବିକାଶ ଏବଂ ଏକତା ବୋଲି କହୁଛି, ଅନ୍ତର୍ଜାତୀୟ ସ୍ତରରେ ଏହି ନୀତିକୁ ସାଂସ୍କୃତିକ ଦମନ ଭାବରେ ବର୍ଣ୍ଣନା କରାଯାଉଛି। ମାନବାଧିକାର ସଂଗଠନଗୁଡ଼ିକ କହିଛନ୍ତି ଯେ ଧାର୍ମିକ କାର୍ଯ୍ୟକଳାପ ଉପରେ କଠୋରତା, ମଠଗୁଡ଼ିକର ନଜର ରଖିବା ଏବଂ ଭାଷା ଉପରେ କଟକଣା ତିବ୍ଦତୀୟମାନଙ୍କ ପରିଚୟକୁ କ୍ଷତି ପହଞ୍ଚାଉଛି। ୨୦୦୮ ମସିହାରେ ତିବ୍ଦତୀୟ ବିଦ୍ରୋହ ପରଠାରୁ ସେଠାରେ ସୁରକ୍ଷା ଏବଂ ନଜର କଡ଼ାକଡ଼ି କରାଯାଇଛି।

କେନ୍ଦୁଝର ଯୋଡ଼ା ମ୍ୟୁନିସିପାଲିଟିରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

ଚମ୍ପୁଆ : ରାସ୍ତା କଡରେ ପଡିଛି କୁଢକୁଢ ଅଳିଆ ଆବର୍ଜନା । ଭାଙ୍ଗିଗଲାଣି ଡ୍ରେନ । ସବୁଠି ପୁତିଗନ୍ଧମୟ ପରିବେଶ । ନାଁକୁ ମାତ୍ର ଗଡୁଛି ସଫେଇ ଗାଡି । କେନ୍ଦୁଝର ଜିଲ୍ଲା ଯେlଡା ମ୍ୟୁନିସିପାଲିଟିରେ ବିପର୍ଯ୍ଯସ୍ତ ହୋଇପଡିଛି ପରିମଳ ବ୍ଯବସ୍ଥା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ତେଜିବାରେ ଲାଗିଛି । ଖଣି ଖାଦାନ ଭରା ଯେlଡା ମ୍ୟୁନିସିପାଲିଟିର ୧୪ଟି ଓ୍ବାର୍ଡର ସଫେଇ ଦାୟିତ୍ବ ନେଇଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ସଫେଇ କାମ ଏକ ପ୍ରକାର ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି ।

ଯୋଡା ପୌରାଞ୍ଚଳର ବିଭିନ୍ନ ୱାର୍ଡରୁ ବର୍ଜ୍ଯବସ୍ତୁ ସଂଗ୍ରହ ପାଇଁ କିଣା ଯାଇଥିବା ବହୁ ଗାଡି ବ୍ଯବହାର ହୋଇ ନପାରି ବିଭାଗୀୟ କାର୍ଯ୍ଯାଳୟ ପରିସରରେ ଖତ ଖାଉଛି । ମାତ୍ର ପ୍ରତି ୱାର୍ଡରେ ଗଦା ହୋଇଛି କୁଢକୁଢ ଆବର୍ଜନା । ନା ସଫେଇ କାମ ଠିକ ସେ ହେଉଛି ନା ୱାର୍ଡରେ ଠିକ ଭାବରେ ବ୍ଲିଚିଂ ପାଉଡର, ମଶାତେଲ ,ଫିନାଇଲ ସିଞ୍ଚନ କରାଯାଉଛି । ଫଳରେ ବିଭିନ୍ନ ୱାର୍ଡରେ ସଂପୂର୍ଣ୍ଣ ବିପର୍ଯ୍ଯସ୍ତ ହୋଇପଡିଛି ପରିମଳ ବ୍ଯବସ୍ଥା । ମଶାମାନଙ୍କର ପ୍ରାଦୂର୍ଭାବ ବଢିବାରେ ଲାଗିଛି । ଫଳରେ ଯୋଡା ପୌରାଞ୍ଚଳବାସୀଙ୍କୁ ଡେଙ୍ଗୁ ଓ ମ୍ଯାଲେରିଆ ରୋଗ ହେବାର ସମ୍ଭାବନା ବଢିଯାଇଛି । ଅନ୍ଯପଟେ ସଫେଇ କାମ ଠିକ ଠାକ ଚାଲିଥିବା କହିଛନ୍ତି ପୌରପରିଷଦ ନିର୍ବାହୀ ଅଧିକାରୀ। ଗେlଟିଏ ପଟେ ସଫେଇକୁ ନେଇ ପୌର କର୍ତ୍ତୣପକ୍ଷ ସନ୍ତୁଷ୍ଟି ପ୍ରକାଶ କରୁଥିବା ବେଳେ ଅନ୍ୟପଟେ ସଫେଇ ଅନିୟମିତତାକୁ ନେଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ଜମାଚ ବାନ୍ଧିବାରେ ଲାଗିଛି ଅସନ୍ତୋଷ । ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ପୌର କର୍ତ୍ତୃପକ୍ଷ ସଫେଇକୁ ଅଧିକ ଗୁରୁତ୍ଵ ଦେବେ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଧର୍ମଗଡରେ ନୂଆଁଖାଇର ମହକ, ହାଟରେ ଲାଗିଲାଣି ଗହଳି

ଧର୍ମଗଡ : ଖୋଲିଲାଣି ତିହାର ହାଟ । ଲାଗିଲାଣି ଗହଳିଚହଳି । ନୂଆ ସଜ କିଣାରେ ସବୁଠି ଭିଡ଼ । ଦିନ କେଇଟା ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଘର ଲିପାପୋଛା ପରେ ନୂଆ ସଜ କିଣାକିଣିରେ ଲାଗିପଡ଼ିଛନ୍ତି ଲୋକେ । ବଜାରରୁ ନବାନ୍ନ ପାଇଁ ନୂଆ ଧାନ, ଚୁଡ଼ା, ହାଣ୍ଡି ମାଠିଆ ସାଙ୍ଗକୁ ନୂଆ ଲୁଗା ପଟା କିଣୁଛନ୍ତି  l ନୂଆଁଖାଇ ଦିନ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗିବା ହେବା ପରେ ନୂଆ ଖାଇବେ ସମସ୍ତେ ।

ୟପ୍ରତି ବର୍ଷ ଭାଦ୍ରବ ମାସ ୠଷି ପଞ୍ଚମୀରେ ପାଳିତ ହୁଏ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଯିଏ ଯେଉଁଠି ଥିଲେ ବି ଏହି ପର୍ବ ପାଇଁ ସମସ୍ତେ ଘରକୁ ଫେରିଥାନ୍ତି । ବର୍ଷର ନୂଆ ଉତ୍ପାଦିତ ଫସଲକୁ ନିଜ ଇଷ୍ଟ ଦେବୀଙ୍କ ପାଖରେ ସମର୍ପଣ ପରେ ନୂଆ ଲୁଗା ପିନ୍ଧି ନବାନ୍ନ ଭକ୍ଷଣ କରିଥାନ୍ତି ପଶ୍ଚିମ ଓଡ଼ିଶାବାସୀ l ନୂଆଁଖାଇ ପର୍ବ ପରଦିନ ପଡେ ବାସି ତିଆରି । ଏହି ବାସି ତିଆରିରେ ସମସ୍ତଙ୍କ ଘରେ ଜମିଥାଏ ମାଛ ମାଂସର ଆସର । ସେଥିପାଇଁ ଏବେଠାରୁ ବଜାରରେ ଲୋକ ଛେଳି ମେଣ୍ଢା କିଣାବିକା ଆରମ୍ଭ କଲେଣି । ଅନ୍ଯପଟେ ଜୁହାର ଭେଟ ପାଇଁ କଳହାଣ୍ଡିର ବୀରବାଦ୍ଯ ଘୁମୁରା, ସମ୍ବଲପୁରୀ ସାଙ୍ଗକୁ ଘୁଟୁକା ନାଚ ବି ପ୍ରସ୍ତୁତ ରହିଛି । ନୂଆଁଖାଇ ଖାଲି ଯେ ପଶ୍ଚିମ ଓଡ଼ିଶାର ଗଣପର୍ବ ତାହା ନୁହେଁ ଏହି ପର୍ବକୁ ଛତିଶଗଡ ଲୋକ ବି ଧୁମଧାମରେ ପାଳିଥାନ୍ତି ।

ନିମ୍ନମାନର କାମ କରି ମାଲେମାଲ ଠିକାଦାର, ଯନ୍ତ୍ରଣା ଭୋଗୁଛନ୍ତି ଲୋକେ

ବାସୁଦେବପୁର : ରାସ୍ତା ପ୍ରଶସ୍ତ କରାଯିବ । ସୁବିଧାରେ ଲୋକେ ଯାଆସ କରିବେ । ହେଲେ ଠିକାଦାରଙ୍କ ମନମାନିରୁ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ । ଭଦ୍ରକ ଜିଲ୍ଲା ବାସୁଦେବପୁର- ଇଚ୍ଛାପୁରକୁ ସଂଯୋଗ କରୁଥିବା ୨୩ କିଲୋମିଟର ରାସ୍ତାର ଚାଲିଛି ପ୍ରଶସ୍ତିକରଣ କାମ । ରାସ୍ତା ପ୍ରଶସ୍ତିକରଣ ପୂର୍ବରୁ ଗଛ ଓ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତରିତ ହେବାର ଥିଲା । ହେଲେ ରାସ୍ତା କାମ ଶେଷ ହେବାକୁ ବସିଲାଣି ହେଲେ ହଟିନାହିଁ ଗଛ କି ଖୁଣ୍ଟ । ଖାଲି ସେତିକି ନୁହେଁ ଦାୟିତ୍ଵରେ ଥିବା ଅଧିକାରୀଙ୍କ ଦାୟିତ୍ଵହୀନତା ପାଇଁ ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତା ଉପରେ ପାଣି ସିଞ୍ଚନ ହେଉନଥିବାରୁ ଲୋକେ ଧୂଳିରେ ଆକ୍ତାମାକ୍ତା ହେଉଥିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ।

ବାସୁଦେବପୁର- ଇଚ୍ଛାପୁର ୨୩ କିଲୋମିଟର ରାସ୍ତାର ସଂପ୍ରସାରଣ ପାଇଁ ୩୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ରାସ୍ତା କାମ ଦାୟିତ୍ଵ ବିରଜା କନଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥାକୁ ଦିଆଯାଇଛି । ୧୨ ଫେବୃଆରୀ ୨୦୨୪ ରୁ ଆରମ୍ଭ ହୋଇଥିବା କାମର ଶେଷ ଅବଧି ୧୧ ଡିସେମ୍ବର ୨୦୨୫ ରହିଛି । ୧୦ ମିଟର ରାସ୍ତାର ପ୍ରଶସ୍ତିକରଣ ହେବ । କାମ ସରିବାକୁ ବସିଲାଣି ହେଲେ ଦୁଇ ପାର୍ଶ୍ଵର ଗଛ କଟାଯାଇ ନାହିଁ କି ବିଦ୍ଯୁତ ଖୁଣ୍ଟ ସ୍ଥାନାନ୍ତରିତ ହୋଇନାହିଁ । ଠିକାଦାର ରାତି ଅଧିଆ ନିମ୍ନମାନର କାମ କରି ଟଙ୍କା ହରିଲୁଟ କରୁଥିବାରୁ ବିଧାୟକ ରାସ୍ତା କାମ ବନ୍ଦ କରିଦେଇଛନ୍ତି । ଦୁର୍ନୀତି ସଂପର୍କରେ ତଦନ୍ତ କରାଯିବା ସହ ରାସ୍ତା କାମ ଶୀଘ୍ର ସାରିବାକୁ ସାଧାରଣରେ ଦାବି ଜୋର ଧରିଛି ।

ମାଫିଆଙ୍କ କବଜାରେ ମହାଭାରତର ‘ରାଜା ଶାନ୍ତନୁ’ ଜମି…

ନନ୍ଦିଘୋଷ ବ୍ୟୁରୋ :  ମହାଭାରତରେ ରାଜା ଶାନ୍ତନୁ ଭୂମିକାରେ ଅଭିନୟ କରୁଥିବା ପବନ ଶୁକ୍ଲାଙ୍କ ଜମି ମାଫିଆଙ୍କ କବଜାରେ ରହିଛି । କାନପୁରେ ଥିବା ତାଙ୍କ ଜମିକୁ ମାଫିଆ କବଜା କରି ନେଇଛନ୍ତି । ଅଭିଯୋଗ କରିବା ପାଇଁ ପବନ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ପହଞ୍ଚିଛନ୍ତି । ଡିଏମ୍ ମଧ୍ୟ ତାଙ୍କ ଅଭିଯୋଗ ଶୁଣି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପବନ ଶୁକ୍ଲା କାନପୁର ନିବାସୀ ଅଟନ୍ତି ।

ଲୋକପ୍ରିୟ ଧାର୍ମିକ ଧାରାବାହିକ ମହାଭାରତରେ ମହାରାଜା ଶାନ୍ତନୁଙ୍କ ଭୂମିକାରେ ଅଭିନୟ କରି ସେ ବହୁତ ପ୍ରସିଦ୍ଧ ହୋଇଥିଲେ। ଗୁରୁବାର ଦିନ, ଅଭିନେତା ପବନ ଶୁକ୍ଲା ତାଙ୍କ ଭାଇ ସଞ୍ଜୟ ଶୁକ୍ଲାଙ୍କ ସହିତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟର ଜନତା ଦରବାରରେ ପହଞ୍ଚିଥିଲେ। ଏଥର ପବନ କୌଣସି ଭୂମିକା ପାଇଁ ନୁହେଁ, ବରଂ ତାଙ୍କ ପୈତୃକ ଜମିର ଅବୈଧ ଦଖଲ ବିଷୟରେ ଅଭିଯୋଗ ନେଇ ଡିଏମଙ୍କ ନିକଟକୁ ଯାଇଥିଲେ ।

ମହାଭାରତରେ ରାଜା ଶାନ୍ତନୁ ଭୂମିକାରେ ଅଭିନୟ କରିଥିବା ପବନ ଡିଏମ୍ ଜିତେନ୍ଦ୍ର ପ୍ରତାପ ସିଂହଙ୍କୁ କହିଥିଲେ ଯେ ତାଙ୍କ ପିତା ସ୍ୱର୍ଗତ ଶ୍ୟାମ ନାରାୟଣ ଶୁକ୍ଳା ଉର୍ସୁଲା ହସ୍ପିଟାଲରେ ଜଣେ ସର୍ଜନ ଥିଲେ। ସେ ୧୯୬୯ ମସିହାରେ ଦହେଲି ସୁଜାନପୁର ଅଞ୍ଚଳରେ ଏକ ଜମି କିଣିଥିଲେ। ସେ ଏଥିରେ ଗରିବ ଲୋକଙ୍କ ପାଇଁ ଏକ ହସ୍ପିଟାଲ ନିର୍ମାଣ କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କର ଅକାଳ ମୃତ୍ୟୁ ଯୋଗୁଁ ଏହି ସ୍ୱପ୍ନ ଅଧୁରା ରହିଗଲା। ଏବେ ସେ ଏବଂ ତାଙ୍କ ଭାଇ ସଞ୍ଜୟ କୁମାର ସମାନ ଉଦ୍ଦେଶ୍ୟ ପୂରଣ କରିବାକୁ ଚାହୁଁଛନ୍ତି।

ପବନ କହିଛନ୍ତି ଯେ ଦୀର୍ଘ ସମୟ ଧରି ମୁମ୍ବାଇରେ ରହିବା ଯୋଗୁଁ ସେ କେବଳ ସମୟ ସମୟରେ ଏହି ଭୂମିକୁ ଦେଖିବା ପାଇଁ ଆସୁଥିଲେ । ଏବେ ଯେତେବେଳେ ସେ ଏଠାକୁ ଆସିଥିଲେ, କିଛି ଲୋକ ତାଙ୍କୁ ନିର୍ମାଣ କାର୍ଯ୍ୟ କରିବାର ଦେଖି ସେମାନଙ୍କୁ ବାରଣ କରିଥିଲେ। ପବନ କହିଛନ୍ତି ଏହା ତାଙ୍କ ପାଇଁ ବହୁତ ଯନ୍ତ୍ରଣାଦାୟକ । କାରଣ ସେ ତାଙ୍କ ପିତାଙ୍କ ସ୍ମୃତିରେ ଗରିବଙ୍କ ପାଇଁ କିଛି କରିବାକୁ ଚାହାଁନ୍ତି । କିଛି ଲୋକ ଏହାକୁ ମଧ୍ୟ ବିରୋଧ କରୁଛନ୍ତି।

ପରଦାରେ ରାଜକୀୟ ଚରିତ୍ରରେ ଅଭିନୟ କରୁଥିବା ପବନ ଶୁକ୍ଳାଙ୍କୁ ଜଣେ ସାଧାରଣ ନାଗରିକ ପରି ନିବେଦନ କରୁଥିବାର ଦେଖାଯାଇଥିଲା। ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କ କଥା ଶୁଣିବା ପରେ ଉପଜିଲ୍ଲାପାଳଙ୍କୁ ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍ ଜିତେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ଏସଡିଏମଙ୍କୁ ମାମଲାର ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସରେ ଚାଞ୍ଚଲ୍ୟ, କନ୍ୟା ସନ୍ତାନ ଜନ୍ମ ଦେଲେ ଯୁକ୍ତତିନି ଛାତ୍ରୀ

ବଲାଙ୍ଗୀର : ରାଜ୍ୟରେ ଛାତ୍ରୀ ସୁରକ୍ଷା ନେଇ ସରକାର ଚିନ୍ତାରେ ଥିବାବେଳେ ପୁଣି ଅଭାବନୀୟ ଘଟଣା ବଲାଙ୍ଗୀରରେ ଘଟିଛି । ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସର ଅନ୍ତେବାସୀ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ମାଆ ହୋଇଛନ୍ତି ଯୁକ୍ତ ତିନି ବର୍ଷର ଛାତ୍ରୀ । ଗତକାଲି ରାତିରେ ଜନନୀ ଯନ୍ତ୍ର୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ବଲାଙ୍ଗୀର ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି କରିଥିଲେ । ମେଡିକାଲରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଛାତ୍ରୀ ଜଣଙ୍କ । ଏହାକୁ ନେଇ ବଲାଙ୍ଗୀରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପୁରୁଷ ବନ୍ଧୁ ଗର୍ଭବତୀ କରିଥିବା ନେଇ ଛାତ୍ରୀ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିବା ଜଣାପଡିଛି । ଘଟଣାର ଖବର ପାଇ ଛାତ୍ରୀର ପରିବାର ଲୋକେ ବଲାଙ୍ଗୀର ମେଡିକାଲରେ ପହଂଚିଛନ୍ତି ।  ଗର୍ଭବତୀ ଅବସ୍ଥାରେ ଛାତ୍ରୀ ନିବାସରେ ରହୁଥିଲେ ଛାତ୍ରୀ । କେମିତି ହଷ୍ଟେଲ ୱାର୍ଡେନ ଜାଣି ପାରିଲେ ନାହିଁ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୋଟିଏ ଟିମ ଗଠନ କରି ତଦନ୍ତ ଚଳାଇଥିବା ନେଇ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି । ଏହି ଘଟଣା ପରେ ହଷ୍ଟେଲରେ ଛାତ୍ରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜୁ ଛାତ୍ର ଜନତାଦଳର ସଭାପତି ସୁମନ ନନ୍ଦ । ହଷ୍ଟେଲରେ ଛାତ୍ରୀ ୯ ମାସର ଗର୍ଭବତୀ ଥିଲେ କିନ୍ତୁ କେମିତି କେହି ଜାଣିପାରିଲେ ନାହିଁ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି ।

୮ଟି ମାମଲାରେ ଇମ୍ରାନ ଖାନଙ୍କୁ ମିଳିଲା ଜାମିନ୍

ନନ୍ଦିଘୋଷ ବ୍ୟୁରୋ ; ପାକିସ୍ତାନ ସୁପ୍ରିମକୋର୍ଟରୁ ଇମ୍ରାନ ଖାନଙ୍କୁ ଜାମିନ ମିଳିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ୮ଟି ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଗୁରୁବାର ଦିନ କୋର୍ଟ ଶୁଣାଣି କରି କହିଛନ୍ତି ଇମ୍ରାନଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ । ତାଙ୍କ ବିରୋଧରେ ପୂର୍ବରୁ ମାମଲା ରହିଛି । ତେଣୁ ତାଙ୍କୁ ଜାମିନ ମିଳିବା ଉଚିତ  ।

ଇମ୍ରାନଙ୍କ ଏହି ଜାମିନ ୯ ମଇ ମାମଲାରେ ମିଳିଛି । ୯ ମଇ ୨୦୨୩ ମସିହାରେ ଇମ୍ରାନଙ୍କ ସମର୍ଥକ କିଛି ଅଞ୍ଚଳରେ ସେନା ବିରୋଧରେ ମୋର୍ଚ୍ଚା କରିଥିଲେ । ଏହି ମୋର୍ଚ୍ଚା ଯୋଗୁଁ ପାକିସ୍ତାନ ସେନାର ବହୁ କ୍ଷତି ହୋଇଥିଲା । ପ୍ରଥମ ଥର ପାଇଁ ପାକିସ୍ତାନ ସେନା ବିରୁଦ୍ଧରେ ଏପରି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ପାକିସ୍ତାନ ସୁପ୍ରିମକୋର୍ଟ ଜାମିନ ପ୍ରଦାନ ସମୟରେ ସରକାର ଓ ସେନା ଉପରେ ବ୍ୟଙ୍ଗାତ୍ମକ ଟିପ୍ପଣୀ ଦେଇଛନ୍ତି । କାରଣ ସରକାରୀ ଓକିଲ ଜାମିନକୁ ବିରୁଦ୍ଧ କରୁଥିଲେ । ଏହି ସମୟରେ କୋର୍ଟ ଯୋଗ୍ୟତା ଊପରେ କିଛି ଟିପ୍ପଣୀ ଦେବେ ନାହିଁ ବୋଲି କହିଛନ୍ତି । ଇମ୍ରାନଙ୍କୁ ଜାମିନ ମିଳିବା ଦରକାର । ସେ ଏହାର ହକଦାର ଅଟନ୍ତି ।

ଇମ୍ରାନଙ୍କୁ ୯ ମଇ ମାମଲରେ ଜାମିନ ମିଳିଥିବା ବେଳେ ଅନ୍ୟ ମାମଲାରେ ତାଙ୍କୁ ସଜା ବି ମିଳିଛି । ଯାହାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟ ଯାଇଛନ୍ତି । ୯ ମଇ ମାମଲାକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା । କାରଣ ଏହା ପାକିସ୍ତାନ ସେନା ସହିତ ଯୋଡି ହୋଇ ରହିଥିଲା । ଆଜି ଯେମିତି ସୁପ୍ରିମେକାର୍ଟ ଇମ୍ରାନଙ୍କୁ ଜାମିନ ଦେଇଛନ୍ତି । କୁହାଯାଉଛି ବହୁତ ଶୀଘ୍ର ଇମ୍ରାନ ଜେଲରୁ ମୁକୁଳିବେ । ଇମ୍ରାନ ଖାନ ଦୁଇ ବର୍ଷ ହେଲା ଜେଲରେ ଅଛନ୍ତି ।

ବିଭିନ୍ନ ସମସ୍ୟା ନେଇ ଆସନ୍ତାକାଲି ରେଢାଖୋଲ ବନ୍ଦ ଡାକରା ଦେଇଛି ବିଜେଡି

ରେଢାଖୋଲ : ଆସନ୍ତାକାଲି ରେଢାଖୋଲ ବନ୍ଦ ଡାକରା। ରେଢାଖୋଲର ବିଭିନ୍ନ ସମସ୍ଯା ନେଇ ବନ୍ଦ ଡାକରା ଦେଇଛି ରେଢାଖୋଲ ବିଜେଡି। ସମ୍ବଲପୁର-କଟକ ୫୫ ନମ୍ବର ଏନଏଚ ୨୦୧୭ରୁ ଆରମ୍ଭ ହୋଇଥିବାବେଳେ ସରିବାର ନାଁ ଧରୁନାହିଁ।ରେଢ଼ାଖୋଲ ସହର ଦେଇ ଯାଇଥିବା NH-55ର ୬ କିଲୋମିଟର ରାସ୍ତା ସମ୍ପ୍ରସାରଣ ହେବ ନା  ବାଇପାସ୍ ହେବ ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସହର ଭିତରେ ପ୍ରତ୍ୟେକ ଦିନ ଶହ ଶହ ପାଉଁଶ ବୋଝେଇ ଟ୍ରକ ଯାଆସ କରୁଛି। ଧୂଆଁ ଧୂଳିରେ ପରିବେଶ ପ୍ରଦୂଷଣ ହୋଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଯେଉଁ  ସ୍ଥାନରେ କାମ ଚାଲିଛି ସେ ସ୍ଥାନରେ ପାଣି ପକାଉ ନଥିବାରୁ ଧୂଳିଧୁଆଁରେ ରାସ୍ତା ପରିପୂର୍ଣ ହୋଇ ଯିବା ଆସିବା ବହୁତ କଷ୍ଟକର ହେଉଛି।ରେଢ଼ାଖୋଲରୁ ୨୦କିମି ଭିତରେ ଟୋଲଗେଟ ସମ୍ପୂର୍ଣ୍ଣ ଟିକସ ମୁକ୍ତ କରିବାକୁ ଦାବି ହୋଇଛି।  ହାତୀ କରିଡର ଗୁଡିକରେ ଗ୍ରାମ ଗୁଡିକୁ ରାସ୍ତା  ନିର୍ମାଣ କରାଯିବା ସହିତ ବିଭିନ୍ନ ଦାବି ନେଇ ନେଇ ଆଗାମୀ ଅଗଷ୍ଟ ୨୨ ତାରିଖରେ ରେଢ଼ାଖୋଲ ବନ୍ଦ ଡାକରା ଦେଇଛି ରେଢ଼ାଖୋଲ ବିଜେଡି।ଏହି ବନ୍ଦ ଡାକରାରେ ଜରୁରୀକାଳୀନ ସେବାକୁ ଛାଡି ଦେଲେ ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ରେଢ଼ାଖୋଲ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ଯ ପ୍ରେସମିଟ କରି ସୂଚନା ଦେଇଛନ୍ତି।