ନନ୍ଦିଘୋଷ ବ୍ୟୁରୋ : ଉପରମୁଣ୍ଡରେ ବନ୍ୟା ଜଳ ପ୍ରବେଶର ମାତ୍ରା ବୃଦ୍ଧି ପାଉଥିବା ବେଳେ 621 ଫୁଟ୍ ରେ ପହଞ୍ଚିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର l ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୩୩ ହଜାର ଘନଫୁଟ ବନ୍ୟାଜଳ। ୮ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ଉପର ମୁଣ୍ଡରୁ ଅଧିକ ବନ୍ୟାଜଳ ପ୍ରବେଶ କଲେ ଅଧିକ ଗେଟ୍ ଖୋଲା ହେବା ସମ୍ଭାବନା ରହିଛି। ସେହିପରି ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ୍ ଖୋଲାଯାଇଛି। ଆଜି ଆଉ ଏକ ଗେଟ୍ ଖୋଲାଯିବ ବୋଲି ଜଣାପଡ଼ିଛି। ଅନୁଗୁଳ ଜିଲ୍ଲା କଣିଁହା ବ୍ଳକରେ ନିର୍ମିତ ଓଡିଶାର ଦ୍ଵିତୀୟ ବୃହତ୍ ଜଳଭଣ୍ଡାର ରେଙ୍ଗାଳି ଡ୍ୟାମର ଉପର ମୁଣ୍ଡରେ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳ ସ୍ତର ଅତ୍ୟଧିକ ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଅନୁଯାୟୀ ରେଙ୍ଗାଳି ଜଳଭଣ୍ଡାର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୧୨୩.୫୦ ମିଟର ଥିବାବେଳେ ଗତକାଲି ସୁଦ୍ଧା ଜଳଭଣ୍ଡାରରେ ଜଳ ସ୍ତର ୧୨୧.୪୩ ମିଟରରେ ପହଞ୍ଚିଥିଲା
ଚିଲିକା ମଝିରେ ବୁଡ଼ିଲା ମାଛ ଧରା ଡଙ୍ଗା, ଅଳ୍ପକେ ବର୍ତ୍ତିରେ ବାପପୁଅ
ନନ୍ଦିଘୋଷ ବ୍ୟୁରୋ: ଚିଲିକା ମଝିରେ ବୁଡ଼ିଲା ମାଛ ଧରା ଡ଼ଙ୍ଗା । ମାଛ ମାରି ସାତପଡା କାଳିଜାଇ କୁଦଠାରୁ ଖୋର୍ଦ୍ଧା ଟାଙ୍ଗୀ ଥାନା ମାନସିଂପୁରକୁ ଫେରୁଥିବା ବେଳେ ମଝି ଚିଲିକାରେ ବୁଡ଼ିଲା ମାଛ ଧରା ଡଙ୍ଗା । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାପପୁଅ ।
ସୂଚନାଯୋଗ୍ୟ, ମାଛ ମାରିବା ପରେ ମାନସିଂହପୁର ଗାଁର ରଘୁନାଥ ବେହେରା ଏବଂ ତାଙ୍କ ପୁଅ ରୋହିତ ବେହେରା ଫେରୁଥିଲେ । ଏହି ସମୟରେ ପ୍ରବଳ ପବନ ମାଡ଼ରେ ତାଙ୍କ ଡଙ୍ଗା ବୁଡିଯାଇଥିଲା । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବାପପୁଅ । ଡଙ୍ଗା ବୁଡିଯାଉଥିବାବେଳେ ଅନ୍ୟ ମତ୍ସ୍ୟଜୀବୀଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ଲକ୍ଷାଧିକ ଟଙ୍କାର ଖନ୍ଦା ଜାଲ, କାତ, କୀଳା ଓ ମୋବାଇଲ ବୁଡିଯାଇଛି । ଉଦ୍ଧାର ପରେ ପୁଅ ସୁସ୍ଥ ଥିବା ବେଳେ ବାପା ଅସୁସ୍ଥ ଥିବା ଜଣାପଡିଛି ।
ସ୍ପାରେ ଦେହ ବ୍ୟବସାୟ ଅଭିଯୋଗ: ୯ ଯୁବତୀ, ୪ ଯୁବକ ଗିରଫ
ନନ୍ଦିଘୋଷ ବ୍ୟୁରୋ: ପାରାଦ୍ଵୀପ ଆଦର୍ଶ ଥାନା ପକ୍ଷରୁ ଇଫକୋ ଛକରେ ଥିବା ସ୍ପା ଉପରେ ଚଢାଉ । ଗିରଫ ହେଲେ ୯ ଯୁବତୀ ଏବଂ ୪ ଯୁବକ । ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗରେ ହୋଇଥିଲା ରେଡ୍ । ଏହାର ଚେର ଲମ୍ବିଛି କଲିକତାକୁ । ଗିରଫ ୯ ଯୁବତୀଙ୍କ ଘର କଲିକତାରେ ।
ଇଫକୋ ଛକରେ ଥିବା ଗୋଲ୍ଡେନ ସ୍ପାରୁ ସେମାନଙ୍କୁ ଗିରଫ କରାଯାଇଛି । ମାଲିକ ସେଖ୍ ବଦରୁ ଫେରାର ହୋଇଯାଇଛନ୍ତି । ଯୁବତୀମାନେ ଗତ ଦୁଇ ଦିନ ହେଲା ପାରାଦ୍ଵୀପ ଆସିଥିବା ସୂଚନା ମିଳିଛି । ସେମାନଙ୍କ ବୟସ ୨୦ରୁ ୩୨ ବର୍ଷ ମଧ୍ୟରେ ହେବ । ଗିରଫ ଯୁବକଙ୍କ ମଧ୍ୟରୁ ୩ ଜଣ ଜାହାଜ କର୍ମଚାରୀ ବୋଲି ସୂଚନା ମିଳିଛି । ଜଣେ ଏକ କେନ୍ଦ୍ରୀୟ ସଂସ୍ଥାରେ ଚାକିରି କରୁଛନ୍ତି ।
ଆଦର୍ଶ ଥାନା ଆଇଆଇସି କାବୁଲି ବାରିକଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିବା ବେଳେ ଗିରଫ ଯୁବକ ଓ ଯୁବତୀଙ୍କୁ ନେଇ ତଦନ୍ତ ଆରମ୍ଭ ହୋଇଛି । ସ୍ପା’ ମାଲିକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।
କଣାସ ଝାଡ଼ାବାନ୍ତି ମୃତ୍ୟୁ ପ୍ରସଙ୍ଗ, ପଦାକୁ ଆସିଲା ଗୁରୁତର ଅବହେଳାର ଚିତ୍ର
ନନ୍ଦିଘୋଷ ବ୍ୟୁରୋ: ହେୟଜ୍ଞାନ କଲେ, ମିଛ କହିଲେ ଓ ଶେଷରେ କମିଶନଙ୍କ ନିର୍ଦ୍ଦେଶକୁ ବି ବେଖାତିର କଲେ । ଦୂଷିତ ଜଳ ବ୍ୟବହାର କରି ଝାଡ଼ାବାନ୍ତିରେ ମୃତ୍ୟୁ ପ୍ରସଙ୍ଗ ନେଇ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିରୋଧୀ । କଣାସ, ସତ୍ୟବାଦୀ ଓ ବ୍ରହ୍ମଗିରି ଅଞ୍ଚଳର ୧୫୩ ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ, ହେଲେ ନିଦାବିଷ୍ଣୁ ସାଜିଲେ ସରକାର । ଏହି ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ କରିଛନ୍ତି କଡ଼ା ସମାଲୋଚନା ।
ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତିଜନିତ ମୃତ୍ୟୁ ପ୍ରସଙ୍ଗ । ସରକାର ଜାଣିଶୁଣି କରିଥିଲେ ଅବହେଳା । ମେ’ ୩୦ରେ ଦୂଷିତ ଜଳପ୍ରବଣ କଣାସ, ସତ୍ୟବାଦୀ ଓ ବ୍ରହ୍ମଗିରିର ୧୫୩ ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଭାଗ୍ୟର କଥା ୪୪ ଦିନ ପରେ ଆରଡବ୍ଲୁଏସଏସ ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦେଶ କାର୍ଯ୍ୟକାରୀ କରିବାକୁ ତଳସ୍ତରର ଅଧିକାରୀଙ୍କୁ କହିଥିଲେ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିଟିସନର ରମା ରଞ୍ଜନ ବଳିୟାର ସିଂ । ଶୁଣାଣି ବେଳେ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀ କମିଶନରେ ହାଜର ହୋଇ ନଥିଲେ । କମିଶନ ଏହାକୁ ନେଇ ବିରକ୍ତ ହେବା ପରେ ଅଧିକାରୀମାନେ ହାଜର ହୋଇଥିଲେ । ଜୁଲାଇ ଶେଷ ସୁଦ୍ଧା କଣାସ ମେଗା ପ୍ରକଳ୍ପ ଦ୍ୱାରା କଣାସର ୧୨୮, ସତ୍ୟବାଦୀର ୧୨ ଓ ବ୍ରହ୍ମଗିରିର ୧୮ ମୋଟ ୧୫୩ଟି ଗାଁକୁ ଜଳ ଯୋଗାଣ ନିର୍ଦ୍ଦେଶ ଥିଲା। କିନ୍ତୁ ଏଯାଏଁ ୨୦ରୁ ୨୫ ଗାଁକୁ ଟ୍ରାଏଲ ରନ ହୋଇଛି ଓ ମାତ୍ର ୫ରୁ ୭ଟି ଗାଁକୁ ଜଳ ଯୋଗାଣ ହୋଇଛି । କଣାସରେ ଦୂଷିତ ଜଳ ଯୋଗୁଁ ୭ଜଣ ପ୍ରାଣ ହରାଇଥିଲେ ଏବଂ ୩୦୦ରୁ ଅଧିକ ଆକ୍ରାନ୍ତ ହୋଇଥିଲେ । ସେପଟେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେଡି । ପୂର୍ବ ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେଉଥିଲେ । କିନ୍ତୁ ବର୍ତ୍ତମାନ ଏଥିପାଇଁ ବଜେଟ ବ୍ୟବସ୍ଥା ନାହିଁ ବୋଲି କହିଛି ଦଳ ।
କଂଗ୍ରେସର କହିବା କଥା ଆଜି ସୁଦ୍ଧା ରାଜ୍ୟର ସବୁଆଡେ ଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରୁ ନାହିଁ । ବର୍ଷା ଦିନ ଜାରି ରହିଥିବାରୁ ରାଜ୍ୟରେ ଆହୁରି ଝାଡ଼ାବାନ୍ତି ବ୍ୟାପିବା ସମ୍ଭାବନା ରହିଛି । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବାର ଆବଶ୍ୟକତା ରହିଛି । କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ ଝାଡ଼ାବାନ୍ତି ନେଇ ତଥ୍ୟ ଦେଇଛନ୍ତି । ଏହାକୁ ନେଇ ଦଳ ଆନ୍ଦୋଳନ କରିବ। ଶାସକ ଦଳର ଉତ୍ତର ହେଉଛି ୨୦୨୭ ଭିତରେ ସବୁ ଗାଁକୁ ପାଣି ମିଳିବ ।
ଆସନ୍ତା ୨୫ରେ ମାନବାଧିକାର କମିଶନ କଣାସ ଝାଡ଼ାବାନ୍ତି ମୃତ୍ୟୁ ଘଟଣାର ଶୁଣାଣି କରିବେ । ତେବେ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

